ଗୋଟିଏ ମହାନ୍ ଜାତିର ଜୀବନରେ ଆମ୍ବଟାକୁଆର ଗୁରୁତ୍ୱ
ପାଠକେ! ଗୋଟିଏ ଗୋଟିଏ ଜାତିର ଜୀବନରେ କିଛି କିଛି କଥା ଅନେକ ମହତ୍ୱ ରଖେ । ଯେମିତି ଧରନ୍ତୁ ଓଡ଼ିଶା ପାଇଁ କଳାହାଣ୍ଡିର ଅନାହାର ମୃତ୍ୟୁ, କନ୍ଧମାଳର ଆମ୍ବଟାକୁଆ ଓ ତଦ୍ଜନିତ ମୃତ୍ୟୁ, ଅବିଭକ୍ତ କଟକ ଜିଲ୍ଲାର ବନ୍ୟା, ଅବିଭକ୍ତ କୋରାପୁଟ ଜିଲ୍ଲାର ଭୋକ, ବଲାଙ୍ଗୀରର ମରୁଡ଼ି (ମରୁଡ଼ି) ଏବଂ ଦାଦନ । ଗରିବ ଲୋକମାନଙ୍କୁ ଈଶ୍ୱରଙ୍କ ସୃଷ୍ଟିର ଏଇ ସୁନ୍ଦର ପୃଥିବୀ ଉପରେ ଅଧିକ କଲବଲ ନହୋଇ ଅଳ୍ପ ବୟସରେ ଈଶ୍ୱରଙ୍କ ଏକଦମ୍ ପାଖକୁ ଚାଲିଯିବାର ଇଏ ଗୋଟିଏ ଗୋଟିଏ ସହଜିଆ ବାଟ ବୋଲି ଧରି ନିଅନ୍ତୁ । ହେଲେ ଆମ ସମ୍ବାଦଦାତାମାନଙ୍କ ପାଇଁ ଇଏ ଏକ ଦମ୍ ଏକ ବ୍ରାଣ୍ଡ୍ ନିଉଜ୍ । ଆମ ଦେଶ ଛାଡ଼ନ୍ତୁ ବିଦେଶରେ ମଧ୍ୟ କିଛି କିଛି ଖବରକାଗଜ ଏ ଖବରକୁ ଛାପିବାକୁ ଗୋଡ ଟେକି ବସିଥାଆନ୍ତି । କାରଣ ଇଏ ଗୋଟେ ବ୍ରାଣ୍ଡେଡ ନିଉଜ୍ । ଯେତେବେଳେ ଦିଅନ୍ତୁ ଟ୍ରେଣ୍ଡ କରିବ । ଇଏ ବିଶ୍ୱର ଗୋଟିଏ ସବୁଥିରୁ ବଂଚିତ ଜାତିମାନେ ଆଦିବାସୀ ସମ୍ପ୍ରଦାୟର ଅତି ମହତ୍ତ୍ୱପୂର୍ଣ୍ଣ ଖବରଟିଏ ନା । ତାକୁ କିଏ ନ ଛାପିବ । ପୁଣି ଏହାର ଟିଆରପି ଜବର ।
ତେବେ ଓଡ଼ିଶାରେ ଆଗରୁ ଏହି ଖବରଟି ଅନ୍ତତଃ ପ୍ରତିବର୍ଷ ଥରେ ଟ୍ରେଣ୍ଡ କରୁଥିବା ବେଳେ କ’ଣ ହୋଇଗଲା କେଜାଣି ଗତଗୁଡ଼ିଏ ବର୍ଷ ଧରି ଏ ଖବରଟା ଜମା ଟ୍ରେଣ୍ଡ କଲା ନାହିଁ । କିନ୍ତୁ ଗତମାସ ଅକ୍ଟୋବର ୩୦ରେ ହଠାତ୍ ଟ୍ରେଣ୍ଡ କଲା । ପ୍ରଥମେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁ’ରେ ଆଠଜଣ ମହିଳାଙ୍କର ଅତ୍ୟଧିକ ଝାଡ଼ା ଓ ବାନ୍ତି ହେଲା । ତେଣୁ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସରକାରୀ ହାସପାତାଳ ଓ ପରେ ବହ୍ମପୁର ଏବଂ କଟକ ବଡ଼ ହାସପାତାଳମାନଙ୍କରେ ଭର୍ତ୍ତି କରାଯାଇଥିଲା । ବ୍ରାହ୍ମଣୀ ଗାଁ ହାସପାତାଳରେ ତ ହାସପାତାଳ ଅଛି ହେଲେ ଦରକାରୀ ସ୍ୱାସ୍ଥ୍ୟ ସେବାଟା ନାହିଁ । ତେଣୁ ଉପସ୍ଥିତ ସ୍ୱାସ୍ଥ୍ୟ୍ୟସେବୀମାନେ ତାଙ୍କୁ ବ୍ରହ୍ମପୁର ନେଇଯିବାକୁ କହିଥିଲେ । କିନ୍ତୁ ବ୍ରାହ୍ମଣୀଗାଁ ହାସପାତାଳକୁ ଯାଉ ଯାଉ ଦୁଇଜଣ ମହିଳା ରୁନି ପାଟମାଝି ଓ ରୁନୁ ମାଝି (ଦିବ୍ୟାଙ୍ଗ)ଙ୍କ ଜୀବନଦୀପ ତେଲ ନଥିବା ଦୀପର ସଳିତା ପରି ଧପ୍କିନା ନିଭିଗଲା । ବାକି ୬ଜଣଙ୍କୁ ବ୍ରହ୍ମପୁର ପଠାଗଲା ଯେଉଁଥିରୁ ୨ଜଣଙ୍କୁ କଟକ ପଠାଯାଇଛି । ଇତି ମଧ୍ୟରେ ଅବଶ୍ୟ ତିନିଜଣ ତ୍ସୁସ୍ଥ ହୋଇ ଗାଁ’କୁ ଫେରି ଆସିଲେଣି । ସେମାନେ କହୁଛନ୍ତି ଯେ ଆମ୍ବଟାକୁଆ ଜାଉ ଖାଇବାର ୪ଘଣ୍ଟା ପରେ ସେମାନଙ୍କର ଝାଡ଼ା ବାନ୍ତି, ପେଟ ଖରାପ ଆଦି ଆରମ୍ଭ ହୋଇଗଲା ।
ଆମେ ସେଠାରେ ଥିବା ସୂତ୍ରମାନଙ୍କୁ ପଚାରି ଯାହା ବୁଝିଲୁ ସେମାନେ କହିଲେ ଯେ ଆଦିବାସୀମାନେ ତ ମୂଳରୁ ଭାତଖିଆ ନଥିଲେ । କିନ୍ତୁ ଜଙ୍ଗଲରୁ ବିଭିନ୍ନ କନ୍ଦା, ଶାଗ, ଚେର, ମୂଳ, ଫଳ ସବୁ ସଂଗ୍ରହ କରିବା ସହିତ ବିଭିନ୍ନ ସ୍ଥାନରୁ ମିଳୁଥିବା ବିଭିନ୍ନ ଛୋଟ ଶସ୍ୟ ଯେମିତିକି ମାଣ୍ଡିଆ, ସୁଆଁ ଆଦି କ୍ଷୁଦ୍ର ଶସ୍ୟକୁ ଖାଦ୍ୟ ରୂପରେ ଚିହ୍ନଟ କରି ତାକୁ ରାନ୍ଧି, ଜାଉ କରି ପେଟ ଭରି ନେଉଥିଲେ । ବିଭିନ୍ନ ସମୟରେ ଜୀବଜନ୍ତୁ ଶିକାର କରି ମାଂସ ସିଝାଇ ଖାଉଥିଲେ । ସେଇଥିରେ ତାଙ୍କର ଚଳି ଯାଉଥିଲା । ସେମାନଙ୍କୁ ଭାତଖିଆ କରିବା ପରେ ଏବଂ ଜଙ୍ଗଲ ସଂଖ୍ୟା କମି କମି ଯିବା ପରେ ଭାତପାଇଁ ଚାଉଳ ଓ ଚାଉଳ ପାଇଁ ଧାନ ସଂଗ୍ରହ କରିବାକୁ ହେଲା ଯେଉଁଟା ମୋଟେ ଜଙ୍ଗଲଜାତ ଦ୍ରବ୍ୟ ନୁହେଁ । ଲୋକେ ବହୁକାଳରୁ ଚାଷବାସ କଥା ଜାଣିଥିଲେ ବି ସେମାନେ ପାହାଡ଼, ଜଙ୍ଗଲ କାଟି ତିଆରି କରିଥିବା ଜମିକୁ ନାନା ଫନ୍ଦିଫିକର କରି ଚାଲାକ ଲୋକମାନେ ନେଇଗଲେ । ଯେତିକି ଜମି ଥିଲା ତା ଉପରେ ପ୍ରକୃତି ବେଳେବେଳେ ଦାଉ ସାଧିଲା । ତେଣୁ ଭାତ ନପାଇ ଲୋକେ ମଲାବେଳକୁ ସରକାର କହିଲେ ଆମେ ଚାଉଳ ଦେବୁ । ତମେ ଭାତ ଖାଇବ । ଲୋକେ ବଂଚିବା ପାଇଁ ସରକାରୀ ଚାଉଳ ଉପରେ ନିର୍ଭରଶୀଳ ହେଲେ । ହେଲେ ସରକାରୀ ଅବ୍ୟବସ୍ଥାର ଦୟାରୁ ସରକାରୀ ଚାଉଳ ସବୁବେଳେ, ସହଜରେ, ସୁବିଧାରେ ମିଳିଲା ନାହିଁ । ବିଶେଷକରି ବର୍ଷକ ଚାରିମାସ ଅଗଷ୍ଟରୁ ନଭେମ୍ବର ଲୋକଙ୍କର ତିରୋଟ ସମୟ ରହେ । ଲୋକଙ୍କୁ କାମ ମିଳେ ନାହିଁ । ଅନେକ ଅଂଚଳରେ ଖାଦ୍ୟାଭାବ ଘଟେ । ତେଣୁ ସରକାରୀ ଚାଉଳ ଉପରେ ନିର୍ଭରଶୀଳତା ବଢେ । ହେଲେ ସେତିକି ବେଳକୁ ଯଦି ବାବୁମାନେ ଚାଉଳ ଠିକ୍ ସମୟରେ ନ ଯୋଗାନ୍ତି ତେବେ ସ୍ଥାନୀୟ ଆଦିବାସୀମାନେ ସଂଗ୍ରହ କରି ରଖିଥିବା ବିଭିନ୍ନ ଅଖାଦ୍ୟ ଉପରେ ନିର୍ଭରଶୀଳ ହୁଅନ୍ତି । ଯେମିତିକି ଆମ୍ବଟାକୁଆ ଭିତରେ ଥିବା କୋଇଲି । କିଛି ଲୋକ ଖାଦ୍ୟାଭାବ ସମୟରେ ଜୀବନ ବଂଚାଇବ ବୋଲି ଆମ୍ବ ଟାକୁଆର କୋଇଲିକୁ ଶୁଖାଇ ଗୁଣ୍ଡକରି ରଖନ୍ତି । ଜୀବଜନ୍ତୁଙ୍କ ମାଂସକୁ ଶୁଖାଇ ରଖନ୍ତି । ଯେଉଁଠି ମକ୍କା ହୁଏ ତାକୁ ବି ବାଉଁଶ ଭାଡ଼ିରେ ରଖନ୍ତି । ଆଉ କିଛି ଲୋକ ଖାଦ୍ୟାଭାବ ବେଳ ପାଇଁ କେବଳ ଗୋଟା ଆମ୍ବଟାକୁଆକୁ ସଂଚୟ କରିଥାଆନ୍ତି । ଖାଦ୍ୟାଭାବ ବେଳେ ତାକୁ ଘୋରି, ଛେଚି, ବାଟି ଜାଉ କରି ଖାଆନ୍ତି । କୋଇଲି ଜାଉ ହେଉ ବା ଜୀବଜନ୍ତୁଙ୍କ ମାଂସ ସେଗୁଡ଼ିକ କିଛିଦିନ ରହିଗଲେ ଅଖାଦ୍ୟ ହୋଇଯାଏ । ରନ୍ଧା ଜାଉ ବି ରହିଗଲେ ଅଖାଦ୍ୟ/ ବିଷାକ୍ତ ପର୍ଯ୍ୟନ୍ତ ହୋଇଯାଏ । ଏଥର ମଧ୍ୟ ସେଇଆ ହୋଇଛି ବୋଲି ସେଠାକାର ଜାଣିବା ଶୁଣିବା ଲୋକେ କହିଲେ । ଜାଉ ରାନ୍ଧିବାବେଳକୁ କୋଇଲିଗୁଣ୍ଡ ଗୁଡ଼ିକ ଫିମ୍ପି ମାଡିଯାଇ ସାରିଥିଲେ । ଲୋକଙ୍କୁ ଯେତେବେଳେ ଆଉ କିଛି ନ ମିଳିଛି ସେମାନେ ଏହାକୁ ହିଁ ଜାଉ କରି ପିଇଛନ୍ତି । ତାପରେ ଏହି ଯେଉଁ ଗାଆଁଟିରେ ଲୋକେ ଗୁରୁତର ହୋଇଛନ୍ତି ଓ ମରିଛନ୍ତି ସେଠାରେ କାଳେ ଜାଉ ତାଜା ନଥିଲା । ରହିଯାଇ ବିଷାକ୍ତ ହୋଇ ଯାଉଥିଲା । ବିଷାକ୍ତ ହେବାର ଆଉ କେତେକ କାରଣ ମଧ୍ୟ ଦିଆଯାଉଛି ।
ହେଲେ ଏ କଥାକୁ ରାଜ୍ୟର ବିଜେପି ସରକାର ମାନିବାକୁ ରାଜି ନୁହନ୍ତି । ସିଏ କହୁଛନ୍ତି ଲୋକେ ‘ସଉକ’ରେ ଏଗୁଡ଼ା ଖାଇଥାଆନ୍ତି । ଅର୍ଥାତ୍ ଇଏ ଗୋଟାଏ ଖାଦ୍ୟାଭ୍ୟାସ । ଜଣେ ଉପମୁଖ୍ୟମନ୍ତ୍ରୀ, ଦୁଇଜଣ ମନ୍ତ୍ରୀ ଏହି ସଉକ କଥାଟି କହି ହନୁମାନ ଲାଙ୍ଗୁଡରେ ନିଆଁ ଲଗାଇ ଦେଇଛନ୍ତି । ଲୋକମାନେ କହୁଛନ୍ତି ଏଗୁଡ଼ା ଡାହା ମିଛକଥା ।
ଏହାର ପ୍ରକୃତ ସତ୍ୟ ସମସ୍ତଙ୍କ ନଜରକୁ ଆସିସାରିଲାଣି ଯେ ସ୍ଥାନୀୟ ଲୋକମାନଙ୍କୁ ତିରୋଟ ବା ଖାଦ୍ୟାଭାବ ସମୟରେ ଜନ ବିତରଣ ପ୍ରଣାଳୀରେ ଦିଆଯାଉଥିବା ଚାଉଳ ଗଣ୍ଡାକ ପ୍ରତି ମାସରେ ନ ଦିଆଯାଇ ୪ ମାସର ଗ୍ୟାପ ପରେ ଦିଆ ଯାଇଛି । ପୁଣି ମାଣ୍ଡିପଙ୍କା ପାଇଁ ସମସ୍ୟା ହେଉଛି ଏହାର ଭୌଗୋଳିକ ସ୍ଥିତି । ମାଣ୍ଡିପଙ୍କା ଗ୍ରାମ ଯେଉଁ ଗଦାପୁର ଗ୍ରାମ ପଂଚାୟତରେ ଅଛି, ତାର ମୁଖ୍ୟାଳୟଟି ଟିକେ ଦୂର ଅର୍ଥାତ୍ ୮/୯ କିଲୋମିଟର ଦୂରତାରେ ଅଛି । ସେଠାକୁ ଚାଲି ଚାଲି ଯାଇ ପୁଣି ପରିବାରର ସବୁ ସଦସ୍ୟଙ୍କର ୪ମାସର ଚାଉଳକୁ ମୁଣ୍ଡରେ ଥୋଇ ଗାଁ’କୁ ଫେରିବା ବଡ଼ କଷ୍ଟକର କାମ । ଚାଉଳ ପରିବହନର ଆଉ ଗୋଟିଏ ରାସ୍ତା ହେଉଛି ଅଟୋ କରିବା । ହେଲେ ଅଟୋ ଭଡ଼ା ୨୫୦ରୁ ଅଧିକ । ଆସିବ କେଉଁଠୁ? ସରକାର ଚାଉଳଗଣ୍ଡାକ ପ୍ରତିମାସରେ ଲୋକଙ୍କ ଗାଁ ମୁଣ୍ଡରେ ନେଇ ଦେଇ ଆସିଲେ ଅସୁବିଧା କ’ଣ ହୁଅନ୍ତା କି? କିଛି ସରକାରୀ ସମର୍ଥକ ଲୋକ କହୁଛନ୍ତି ଯେ ସେମାନଙ୍କର ଖାଦ୍ୟ ଥିଲା କିନ୍ତୁ ଆମ୍ବଟାକୁଆ ଜାଉରେ ଅନ୍ୟ କ’ଣ କ’ଣ ସବୁ ପକାଇ ପିଇଦେବାରୁ ସେମାନଙ୍କର ଦେହ ଖରାପ ହୋଇଗଲା । ଧରାଯାଉ ସେଇଟା ଠିକ୍ । ହେଲେ ଦେହ ଅଛି ତ ଖରାପ ହେବ । ତାକୁ ଠିକ୍ କରିବା ଦାୟିତ୍ୱ ତ ସରକାରଙ୍କର ନା ଗୁଣିଆର? ଏତେ ପଇସା ଖର୍ଚ୍ଚ ହୋଇ ସାରିଲାଣି ତଥାପି ବ୍ରାହ୍ମଣୀ ଗାଁରେ ଥିବା ସରକାରୀ ହାସପାତାଳକୁ ଉନ୍ନତ କରାଯାଉ ନାହିଁ କାହିଁକି? ଯେଉଁମାନେ ସେ ସ୍ଥାନକୁ ଯାଇଛନ୍ତି ସେମାନେ ସେଇକଥା କହୁଛନ୍ତି ଯେ ଯଦି ବ୍ରାହ୍ମଣୀ ଗାଁରେ ଟିକେ ବ୍ୟବସ୍ଥା ଥାଆନ୍ତା ତା ହେଲେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇନଥାନ୍ତା ।
ଏଠି ପ୍ରଶ୍ନ ଉଠୁଛି ଯେ ଆଉ କେତେବର୍ଷ ଏ ଦେଶ ସ୍ୱାଧୀନ ହେଲା ପରେ ଲୋକଙ୍କୁ ସର୍ବନିମ୍ନ ଖାଦ୍ୟ, ସ୍ଵାସ୍ଥ୍ୟ, ପରିବହନ ଓ ଯୋଗାଯୋଗ ସୁବିଧାଟିକକ ମିଳିବ? ନା ଏଇମିତି ଚିରଦିନ ଏ ଜାତିର ଜାତୀୟ ଜୀବନରେ ଆମ୍ବଟାକୁଆମାନଙ୍କର ମହତ୍ୱ ବଡ଼ ଟିଆର୍ପିବାଲା ଖବର ହୋଇ ଏଇମିତି ଲେଖା ଚାଲୁଥିବ?
ଭଲ ବୁଦ୍ଧି: ଦେଶଯାକ କେବଳ ଗୋଟିଏ ଦଳର ଶାସନ ଚାଲିବ!
ଭାରତୀୟ ସମ୍ବିଧାନର ଧାରା ୩୨୪ ଓ ଅନ୍ୟରେ କୁହାଯାଇଛି ଯେ ଭାରତରେ ବିଭିନ୍ନ ବିଧାନ ପ୍ରଣୟନ ସଂସ୍ଥାମାନଙ୍କ ପାଇଁ ନିର୍ବାଚନ କରାଯିବ । ସେଥିରେ ସଂସଦ ରହିଛି ଯେଉଁଥିରେ ଲୋକସଭା ଓ ରାଜ୍ୟସଭା ଅଛନ୍ତି । ପୁଣି ରାଜ୍ୟମାନଙ୍କରେ ବିଧାନସଭା ଓ ବିଧାନ ପରିଷଦ ଅଛନ୍ତି । କେନ୍ଦ୍ର ଶାସିତ ଅଂଚଳ ବା ପ୍ରଦେଶ ସବୁ ଅଛନ୍ତି । ଆମେ ଯାହାକୁ ତଳଗୃହ ଯେମିତିକି ଲୋକସଭା, ବିଧାନସଭା ଆଦି କହୁଛୁ; ତା’ପାଇଁ ପାଂଚ ବର୍ଷରେ ଥରେ ନିର୍ବାଚନ ହେବ । ରାଜ୍ୟସଭାରେ ପ୍ରତି ଦୁଇବର୍ଷରେ ଥରେ ୬ ବର୍ଷିଆ ସଦସ୍ୟମାନଙ୍କ ପାଇଁ ନିର୍ବାଚନ ହେବ । ତା’ବାହାରେ ସବୁ ଉପନିର୍ବାଚନମାନ ରହିଛି । ତେଣୁ ଯଦିଓ ଲୋକସଭା ପାଇଁ ପାଂଚ ବର୍ଷରେ ଥରେ ସାଧାରଣ ନିର୍ବାଚନ କରାଯିବାଟି ଥୟ ରାଜ୍ୟମାନଙ୍କରେ ଥିବା ବିଧାନସଭାଗୁଡ଼ିକ ପାଇଁ ଭାରତୀୟ ସମ୍ବିଧାନ ମୁତାବକ ବିଭିନ୍ନ କାର୍ଯ୍ୟକାଳ ଅନୁଯାୟୀ ବିଭିନ୍ନ ସମୟରେ ବିଭିନ୍ନ ନିର୍ବାଚନ ହୋଇଥାଏ ।
ହେଲେ ଏହି ବ୍ୟବସ୍ଥାରେ କର୍ପୋରେଟ କମ୍ପାନୀ ଓ ତାଙ୍କ ପୋଷା ନେତାମାନଙ୍କ ପାଇଁ ସମସ୍ୟା ଦେଖାଯାଉଛି । ସେମାନେ ଏପରି ସବୁବେଳେ ନିର୍ବାଚନକୁ ଯିବା କଥାଟିକୁ ପସନ୍ଦ କରି ପାରୁନାହାନ୍ତି । କାରଣ ସେଥିରେ ତାଙ୍କର ଅଧିକ ପଇସା ଖର୍ଚ୍ଚ ହେଉଛି । ସେମାନଙ୍କ ଇଚ୍ଛାନୁଯାୟୀ ନେତାମାନେ ଥରେ ସଂସଦ କି ବିଧାୟକ ହୋଇଗଲା ପରେ ଶେଷନିଶ୍ୱାସ ନେବା ପର୍ଯ୍ୟନ୍ତ ସାଂସଦ କି ବିଧାୟକ ହୋଇରହିବା ଠିକ୍ । ହେଲେ ତାହା ହେଉନାହିଁ ବେଳେବେଳେ ତ ନବନିର୍ବାଚିତ ଲୋକସଭା କି ବିଧାନସଭା ବର୍ଷେ, ଦୁଇବର୍ଷ ନପୁରୁଣୁ ଭାଙ୍ଗି ଯାଉଛି । ବିଚରା ବିଭିନ୍ନ ଫନ୍ଦିଫିକର କରି, ଘରଦ୍ୱାର, ଜମି ବନ୍ଧା ପକାଇ, ଲୁଟପାଟ କରି ପଇସା ସଂଗ୍ରହ କରି ସେଥିରେ ଭୋଟ ଗଣ୍ଡାକ କିଣି ଯେଉଁମାନେ ସାଂସଦ, ବିଧାୟକ ଆଦି ହେଉଛନ୍ତି ସେମାନେ ପୁରା ପାଂଚବର୍ଷ ପଦରେ ରହିବା ଆଶାରେ ଯାଉଛନ୍ତି । ତାହାହେଲେ ତାଙ୍କ ପଇସା ଉଠିବ । ହେଲେ ସଂସଦ, ବିଧାନସଭା ତ ମଝିରୁ ଭାଙ୍ଗି ଯାଉଛି । ସେମାନେ କରିବେ କ’ଣ? ହତାଶ ହୋଇ ଯାଉଛନ୍ତି ।
ବେଶୀ ଚିନ୍ତାରେ କର୍ପୋରେଟ କମ୍ପାନୀମାନେ । ସେମାନେ ଚାହୁଁଛନ୍ତି ଯେ ସେମାନେ ହଜାର ହଜାର କୋଟି ଖର୍ଚ୍ଚକରି ଯେଉଁମାନଙ୍କୁ ସରକାର କରି ଥରେ ନିଯୁକ୍ତ କରିଦେଲେ ସେହିମାନେ ସରକାରରେ ବସିଥାଆନ୍ତୁ, ତାଙ୍କୁ ହଜାର ହଜାର କୋଟି ଋଣ ଛାଡ଼ କରୁଥାଆନ୍ତୁ, ତାଙ୍କ କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ଗଧ ପରି ଖଟାଇବା ପାଇଁ ଆଇନ ପାରିତ କରୁଥାଆନ୍ତୁ, କୃଷକଙ୍କ ହାତରୁ ଜମି ଛଡ଼ାଇ ଆଣି କର୍ପୋରେଟଙ୍କୁ ଦେବା ପାଇଁ ବିଭିନ୍ନ ଆଇନ ପାରିତ କରାନ୍ତୁ, ଦେଶର ବିଭିନ୍ନ କୋର୍ଟମାନେ ଯେପରି କର୍ପୋରେଟଙ୍କ ସପକ୍ଷରେ ରାୟ ଦେବେ ତା ପାଇଁ ତଥାକଥିତ ବିଚାରପତି ଖଂଜନ୍ତୁ, ଏହାକୁ ବିରୋଧ କରୁଥିବା ଲୋକମାନଙ୍କୁ ପୁଲିସ ଲଗାଇ ପିଟିମାରି, ଗୁଳିକରି ଚୁପ କରାନ୍ତୁ । କର୍ପୋରେଟ ହିତ ପାଇଁ ପାଇଁ ଯାହା ଯାହା ଦରକାର କରନ୍ତୁ । ସେଥିପାଇଁ ଗୋଟିଏ ଦଳକୁ ବା ତାଙ୍କ କଥା ମାନିବାକୁ ରାଜିଥିବା ନେତାକୁ ସେମାନେ ଚିରଦିନ ସରକାରରେ ରଖିବାକୁ ଚାହାନ୍ତି । ସେ କାମଟିକୁ କରାଇ ଦେଉନାହିଁ ସମ୍ବିଧାନ ଓ ଗଣତନ୍ତ୍ର । ବର୍ତ୍ତମାନ ଯିଏ ସରକାରରେ ଅଛନ୍ତି ତା’ର ନେତା ଓ କର୍ପୋରେଟ ବୁଦ୍ଧିଜୀବୀମାନେ ସେଥିପାଇଁ ଗୋଟିଏ ବାଟ ବାହାର କରିଛନ୍ତି ଆଉ ସେଇଟା ହେଉଛି ‘ଏକ ଦେଶ-ଏକ ନିର୍ବାଚନ ।’ ଅର୍ଥାତ୍ ଦେଶଯାକ ପାଂଚବର୍ଷକୁ ଥରେ ନିର୍ବାଚନ ହେବ । ଯାହାର ଅନ୍ୟ ଅର୍ଥଟି ହେଲା ପାଂଚବର୍ଷ ଭିତରେ ଆଉ ନିର୍ବାଚନ ହୋଇପାରିବ ନାହିଁ । ଧରନ୍ତୁ ଓଡ଼ିଶାରେ ବିଜେପି ବା ଯେଉଁ ଦଳ ସରକାରରେ ଅଛି ସେମାନଙ୍କ ପାଖରୁ କିଛି ବିଧାୟକ କର୍ପୋରେଟ ପଇସାରେ ଅନ୍ୟ ଦଳକୁ ବିକ୍ରୀ ହୋଇଗଲେ । ତାହାହେଲେ ସରକାର ଭାଙ୍ଗିଯିବ । ସେଥିରେ ଭାରତର ସମ୍ବିଧାନ କ’ଣ କହୁଛି ନା ସେଠାରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଭିତରେ ନିର୍ବାଚନ ହେବ । ନୂଆ ନିର୍ବାଚନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପ୍ରତିନିଧିହୋଇ ଶାସନ କରିବେ । ଯଦିଓ ଜଣେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ । କାମଚଳା ଅର୍ଥାତ କୌଣସି କାମର ନୁହେଁ ବୋଲି କହିଲେ ଚଳିବ । କିନ୍ତୁ ନୂଆ ଆଇନ ଆସିଗଲେ ଆଉ ନୂଆ ନିର୍ବାଚନ ହେବ ନାହିଁରେ ବାବା । ରାଜ୍ୟପାଳ ୫ବର୍ଷ ଯାକ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟରେ ଶାସନ କରିବେ । ଭାରତରେ ବାସ୍ତବତା ହେଲା ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତି । ତେଣୁ ଯେଉଁ କେତେ ବର୍ଷ ଭଙ୍ଗା ବିଧାନସଭା ବିନା ନିର୍ବାଚନରେ ରହିବ, ସେହି କେତେଦିନ ପ୍ରଧାନମନ୍ତ୍ରୀ ତାଙ୍କ ଦଳ ଲୋକେ ସେ ରାଜ୍ୟରେ ଶାସନ କରିବେ । ଲୋକେ ମନେମନେ ତାଙ୍କ ଲୋକଙ୍କୁ ଭୋଟ ଦେଉଥାଆନ୍ତୁ ଓ ସରକାର ବଦଳିବ ବୋଲି ଭାବି ଗୁଡ଼ ଖାଉଥାଆନ୍ତୁ ।
ବୋନସ୍ ଯିବ ତେଲ ଲେନେ…
ପାଠକେ! ମନେ ପଡ଼ୁଛି? ଆମେ ଏକଥାଟି ଏଇଠି ଲେଖିଥିଲୁ । ଲେଖି ନଥିଲୁ ? ରାଜ୍ୟ ସରକାର ପକ୍ଷରୁ ଧାନର ଘୋଷିତ ନିମ୍ନତମ ମୂଲ୍ୟ ୩୧୦୦ ଟଙ୍କା ଓଡ଼ିଆ ଚାଷୀଙ୍କୁ ମିଳିବ କି ନାହିଁ ସେକଥା ସମୟ ଆସିଲେ ଜଣାପଡ଼ିବ । ସମୟ ଆସୁ କି ନଆସୁ, କାର୍ତ୍ତିକ ପୁନେଇଠାରୁ ଯାହା ଜଣାପଡ଼ିଲାଣି ଓଡ଼ିଆ ଚାଷୀଙ୍କୁ ରାଜ୍ୟ ସରକାରଙ୍କର ନୁହେଁ କେନ୍ଦ୍ର ସରକାରଙ୍କ ଘୋଷିତ ୨୩୦୦ ଟଙ୍କା ବି କୁଇଁଟାଲକରେ ମିଳିବ କି ନାହିଁ । କାରଣ ଏବେ ଆସିଲାଣି ଧାନର ଗୁଣ ଦେଖି ପଇସା ଦିଆଯିବ । ମିଲରମାନଙ୍କ କଥାରେ ସରକାରୀ ବାବୁମାନଙ୍କର ହଜାରେ କଟନୀ/ଛଟନୀ ସେଥିରେ ପୂର୍ବପରି କାମ ନ କରିବ କେହି କହି ପାରିବେନି ।
ପାଠକେ! ଏଇ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ବୈଠକ ହେଲା । ଏଥିରେ କୁହାଗଲା ଯେ ଓଡ଼ିଶାର ଚାଷୀ(?)ଙ୍କ ଠାରୁ ଧାନ କିଣିବା କାର୍ଯ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ । ପ୍ରଥମେ ବରଗଡ଼ ଜିଲାର ସୋହେଲାଠାରୁ ପୁଣି ଦୁଇଦିନ ପରେ (୨୨ରୁ) ସମ୍ବଲପୁର ଜିଲାରୁ ଆରମ୍ଭ ହୋଇ ତା ପରେ ରାଜ୍ୟର ସବୁ ଜିଲ୍ଲାରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଏଥିପାଇଁ ସବୁଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଧାନ କିଣିବା ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି । ଆମେ ଯାହା ଲେଖିଥିଲୁ ସେ ବିଷୟରେ ଖୁବ୍ ସତର୍କ ଥିବା ପରି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଲେ ଯେ ବାହାର ରାଜ୍ୟର ଧାନ ଯେପରି ଓଡ଼ିଶାରେ ନ ପଶିବ, ସେଥିପାଇଁ ସୀମାନ୍ତ ରାଜ୍ୟର ଜିଲ୍ଲାପାଳ ମାନେ କଡ଼ାନଜର ଦେବାକୁ ହେବ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ନିରୀକ୍ଷଣକାରୀଙ୍କ ପହରାକୁ ବଢ଼ାଯିବ ଧାନବିକ୍ରୀ କେନ୍ଦ୍ରମାନଙ୍କରେ ସିସିଟିଭି ଲଗାଯିବ । ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହିତ ମୁଖ୍ୟସଚିବ ମନୋଜ ଆହୁଜା, ସଂଜୟ କୁମାର ସିଂହ, ରାଜେଶ ପ୍ରଭାକର ପାଟିଲ, ନିକୁଞ୍ଜ ବିହାରି ଧଳ, ଅରବିନ୍ଦ ପାଢ଼ୀ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏଇ ୧୪ ତାରିଖ(ଗୁରୁବାର) ଦିନ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ସମବାୟ ଭବନରେ ଆୟୋଜିତ ହେଲା । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଲେ ଯେ ଧାନକିଣା ଦାୟିତ୍ୱ ସମବାୟ ବିଭାଗ ଉପରେ ନ୍ୟସ୍ତ । ଚଳିତବର୍ଷ ପାକ୍ସ (ପ୍ରାଥମିକ କୃଷି ସମବାୟ ସମିତି) ଓ ଲ୍ୟାମ୍ପ୍ସ ବା ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତିଗୁଡ଼ିକ ରାଜ୍ୟରେ ୪,୦୦୦ରୁ ଉର୍ଦ୍ଧ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ ଓ ଚାଷୀମାନେ କିପରି ବିନା କଟନୀ-ଛଟନୀରେ ସ୍ୱଚ୍ଛ ପ୍ରକ୍ରିୟାରେ ଧାନ କିଣି ପାରିବେ ଏବଂ ଧାନ ଦେବାର ୪୮ ଘଣ୍ଟା ଭିତରେ ସେମାନଙ୍କ ପ୍ରାପ୍ୟ ପାଇବେ ତା ଉପରେ ନଜର କଡ଼ା ନଜର ଦିଆଯିବ ।
ସେହି ବୈଠକରେ ରାଜ୍ୟର ସମବାୟ ମନ୍ତ୍ରୀ ପ୍ରଦୀପ ଧଳସାମନ୍ତ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ କଥାଶୁଣି ଆମେ ଆଶ୍ଚର୍ଯ୍ୟ ହେଲୁ । ସିଏ କହିଲେ ଯେ ସେମିତି ନାଇଁ । ଆମେ କ୍ୱାଲିଟି ଧାନ ନେବୁ, କ୍ୱାଲିଟି ଟଙ୍କା ଦେବୁ । ଏଥିରୁ କଥାଟା ସ୍ପଷ୍ଟ ହୋଇଗଲା ଯେ ଧାନର କ୍ୱାଲିଟି ଥିଲେ ସରକାର ୮୦୦ଟଙ୍କା ବୋନସ୍ ଦେବେ ନହେଲେ ନାହିଁ । ଏଠାରେ ଆମେ ଗୋଟିଏ ପ୍ରଶ୍ନ ପଚାରୁଛୁ ଯେ ଧାନର ମାନ ଯାଂଚ କରିବା ପାଇଁ ଆମ ରାଜ୍ୟରେ ଭିତ୍ତିଭୂମି ଅଛି ଟି ? ପୂର୍ବ ସରକାରରେ ପରା ଏତେ ହୋ ହଲ୍ଲା ହୋଇଥିଲା । ସେଥିପାଇଁ ଯେଉଁ ଯନ୍ତ୍ରପାତି ଦରକାର ସେଗୁଡିକ ସବୁ ଧାନସଂଗ୍ରହ କେନ୍ଦ୍ର ବା ମଣ୍ଡିରେ ଲାଗିଛି? ଧାନ ବିକ୍ରୀ ଖରିଦ ବିଷୟରେ ଜାଣିଥିବା ଲୋକଙ୍କ କହିବା କଥା ସେହି ପୁରୁଣା ବେପାର ଚାଲିପାରେ । ଅର୍ଥାତ୍ ଧାନର ମାନ ଖରାପ କୁହାଯାଇ ପଇସା କଟାଯିବ । ଚାଷୀ ବୋନସ୍ ଫୋନସ୍ କିଛି ପାଇ ନପାରେ । ହେଲେ ଆମେ ତ ସେହିକଥା କହିବୁ – କେ ଜାଣେ ଗୋବିନ୍ଦର ଗତି, ଝୁଲା ତ ପେଲି ଚାଲିଛନ୍ତି ….. ।
କୋଉ ସରକାର ଭାଙ୍ଗିବ? ମୋହନ ସରକାର ନା ବିଜେପି ସରକାର?
ଗତ କିଛିଦିନ ହେଲା ରାଜ୍ୟସାରା ଗୋଟେ ଅପପ୍ରଚାର ଚାଲିଛି ଯେ ସରକାର ଭାଙ୍ଗିଯିବ । ଜଣେ ମହାମାନବ ଆଜି ସକାଳୁ ସକାଳୁ ଆମକୁ ପଚାରିଲେ – ଭାଇ! କ’ଣ ସରକାର ଭାଙ୍ଗିଯିବ? ଆମେ ଉତ୍ସୁକତାର ସହ ତାଙ୍କୁ ପଚାରିଲୁ – କେଉଁ ସରକାର କଥା କହୁଛନ୍ତି?
ରାଜ୍ୟ ସରକାର ନା କେନ୍ଦ୍ର ସରକାର? ସିଏ କହିଲେ-ନାଇଁ ମ, କେନ୍ଦ୍ର ସରକାର ବିଷୟରେ କ’ଣ ଆମର ଧାରଣା ଅଛି? ରାଜ୍ୟ ସରକାର କଥା କହୁଛି ନା । ଆମେ ପଚାରିଲୁ -ରାଜ୍ୟର କେଉଁ ସରକାର କଥା କହୁଛନ୍ତି? ମୋହନ ସରକାର ନା ବିଜେପି ସରକାର? ସିଏ ଆମକୁ ବିକଳରେ ଚାହିଁଲା ଭଳି କହିଲେ-କ’ଣ କହିଲେ ମୋହନ ସରକାର ବିଜେପି ସରକାର କ’ଣ ଅଲଗା ଅଲଗା? ଆମେ କହିଲୁ-ଗଣ୍ଠି ତ ସେଇଠି । ସିଏ କହିଲେ-ଖୋଲୁ ନାହାନ୍ତି । ଆମେ କହିଲୁ -ପ୍ରଭୁ ଟିକେ ଶୁଣନ୍ତୁ! ଏବେ ଯେଉଁ ସରକାର ଅଛି ସିଏ ସରକାରକୁ ଆସିବା ପୂର୍ବରୁ ଓଡିଶାରେ ବିଜେପିର ନେତା କିଏ ଥିଲା ? ସିଏ କହିଲେ- ଧର୍ମେନ୍ଦ୍ର ପ୍ରଧାନ । ଆମେ ପଚାରିଲୁ ଯେ -ଏକଥାଟି ଆପଣ କିପରି କହୁଛନ୍ତି ? ବିଜେପିର ତ ଆହୁରି ଅନେକ ନେତା ଥିଲେ । ସିଏ କହିଲେ-ନାଇଁମ ଏଇ ପଂଜାବୀ ଖଣ୍ଡେ ପକେଇ ବୁଲିଦେଲେ କିଏ କ’ଣ ନେତା ହୋଇଯିବ ? ଦିଆନିଆ କାରବାର ତ ସବୁ ସିଏ କରୁଥିଲେ । ଦିଆନିଆକୁ ବଳ ନଥିଲେ ନେତା ବୋଲି କିଏ କାହିଁ କହିବ ? ମେଡ଼ିଆ, ଦଲାଲ, ବ୍ରୋକର ସମସ୍ତଙ୍କୁ ତ ଦେବାକୁ ପଡ଼ିବ ତା ସହିତ ବିରୋଧୀ ଦଳିଆଙ୍କୁ ଦବାକୁ ପଡ଼ିବ ନହେଲେ ହେବ କେମିତି? ସିଏ ଆଣୁଥିଲେ, ଦେଉଥିଲେ । ଆମେ ପଚାରିଲୁ-ବାସ୍ ବାସ୍ ରୁହନ୍ତୁ । ତାହାହେଲେ ଯେତେବେଳେ ରାଜନୀତି କଡ଼ ଲେଉଟାଇଲା, ବିଜେପି ସରକାରକୁ ଆସିଲା, ମୁଖ୍ୟମନ୍ତ୍ରୀ କିଏ ହେବା କଥା? ସିଏ ତୁରନ୍ତ କହି ପକାଇଲେ -ଧର୍ମେନ୍ଦ୍ର ପ୍ରଧାନ ।
ଆମେ ପଚାରିଲୁ-ହେଲେ କି? ବାବୁ କହିଲେ-ନାଇଁ, ହେଲେ ନାହିଁ ତ । ମୋହନ ମାଝି କେଉଁଠୁ ପଶି ଆସିଲେ । ଆମେ କହିଲୁ- ପଶି ଆସି ନାହାନ୍ତି । ବିଜେପିକୁ ଯିଏ ଚଳୋଉଛି ଆରଏସ୍ଏସ୍, ମୋହନବାକୁ ତାରି ଭିତରର ଲୋକ । ଧର୍ମେନ୍ଦ୍ର ବାବୁ ପଇସା ଖର୍ଚ୍ଚକଲେ କିନ୍ତୁ କ’ଣ ହେବ ତାଙ୍କ ଖୁଂଟି ଦୁର୍ବଳ । ଅର୍ଥାତ୍ ରାଜ୍ୟଠାରୁ କେନ୍ଦ୍ର ଯାଏ ଦଳ ଭିତରେ ତାଙ୍କର ଗୋଟିଏ ପରିଚିତି ଯେ ସିଏ ଜଣେ ନିଆ ଆଉ ଦିଆ ଲୋକ । ସିଏ ନିଜେ ବି ଭାବୁ ନଥିଲେ ଯେ ତାଙ୍କ ପାଣ୍ଡିଆନ ଭାଇ, ନବୀନ ସାର ଥାଉ ଥାଉ ଓଡ଼ିଶାରେ ଆଉ କିଏ ସରକାରକୁ ପଳେଇ ଆସିବ । ହେଲେ ଭୋଟ-ରାଜନୀତି,କ୍ରିକେଟ ଖେଳ ଆଉ ମାରଣାଷଣ୍ଢର ଗତି ସେଥିରେ କେତେବେଳେ କ’ଣ ହୋଇଯିବ କିଏ କହିବ? ଆରଏସ୍ଏସ୍ ହେଲା ଭିତିରିଆ ମୂଷା । ତେଣୁ ସିଏ ଜାଣିଥିଲା ଓଡ଼ିଶାରେ କ’ଣ ହୋଇଛି । କେମିତି ବିଜେପି ଆଇଛି । ପୁଣି ମୋହନ ମାଝୀ ଏମିତିକା କଟ୍ଟର ଆରଏସ୍ଏସ୍ ନେତା ଯେ ସିଏ ପୁରା ସରପଂଚରୁ ଉଠିଲେ । ୨୦୦୦ ରୁ ତିନିଥର ବିଧାନସଭାକୁ ପଶିଲେ । ୨୦୦୫ ରୁ ୨୦୦୯ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ହେଲେ । ୨୦୨୧ରେ ତାଙ୍କ ଗାଡ଼ି ଉପରେ ବୋମାମାଡ ହେଲା, ଦାରା ସିଂହଙ୍କ ସପକ୍ଷରେ କେନ୍ଦୁଝର ଜେଲ ସାମ୍ନାରେ ଦୁଃସାହସିକ ଭାବେ ଧାରଣାରେ ବସିଲେ, ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ମହଙ୍ଗା ଡାଲିଗୁଡ଼ା ଫୋଫାଡ଼ିଲେ । ଏସବୁ ତାଙ୍କୁ ରାଜ୍ୟରେ ହିନ୍ଦୁ ରାଜନୀତିର ପୁରା ସକ୍ରିୟ ନେତାରୂପେ ପରିଚିତ କରାଇଦେଲା । ତେଣୁ ମୁଖ୍ୟମନ୍ତ୍ରୀ ବଚ୍ଛା ହେଲା ବେଳକୁ ବାକି ଯେଉଁମାନେ ଉଦ୍ୟମ କଲେ ସେମାନେ ସବୁ ତାଙ୍କ ସ୍ତରରେ ପହଂଚି ପାରିଲେ ନାହିଁ । ହେଲେ ଅନେକ ଆଶାୟୀ ଏବେ ଏହାକୁ ସ୍ୱୀକାର କରିବାକୁ ରାଜି ନୁହେଁ । ତେଣୁ ସେମାନେ ଦଳଭିତରେ ଗୋଷ୍ଠୀ ତିଆରି କରି ନିଜ ଓଜନ ବଢାଇବା କାମରେ ଅଛନ୍ତି । ଏହା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଆଦିଙ୍କ ନାଁ ବିଜେପିର କିଛି ନେତା ଖୁବ ଜୋରରେ ଆଲୋଚନା କରୁଛନ୍ତି । ସେମାନଙ୍କର କହିବା କଥା ଯେ ମୋହନ ମାଝୀଙ୍କ ସରକାରକୁ ୬ମାସ ପାଖାପାଖି ହେଲାଣି । ହେଲେ ଆଖିଦୃଶିଆ କିଛିି ହେଉ ନାହିଁ । ତା ସହିତ ସେମାନେ ଆଉ ଗୋଟିଏ କଥା ମଧ୍ୟ ଯୋଡୁଛନ୍ତି ଯେ ମୋହନ ମାଝୀ ସରକାର ଭାଙ୍ଗିଗଲେ ବି ବିଜେପି ସରକାରରୁ ଚାଲିଯିବ ନାହିଁ, ରହିବ । ତେଣୁ ଭୟଭୀତ ନହୋଇ ଆମ ନେତାଙ୍କୁ ସମର୍ଥନ କରନ୍ତୁ । ଆରଏସ୍ଏସ୍ କିନ୍ତୁ ଜମା ସେଇଆ ଭାବୁ ନାହିଁ । ଆରଏସ୍ଏସ୍ ଓ କେନ୍ଦ୍ରୀୟ ନେତୃତ୍ୱ ଦୁଇଟି କଥାକୁ ନେଇ ଚିନ୍ତିତ । ଯଦି କେନ୍ଦ୍ରରୁ କୌଣସି ସଂସଦକୁ ଓଡ଼ିଶା ପଠାଯାଏ ତେବେ ତା ଜାଗାରେ ଆଉ ବିଜେପିର ଜଣେ ସାଂସଦ ଦିଲ୍ଲୀକୁ ଫେରିବ କି ନାହିଁ ସେକଥା ସ୍ପଷ୍ଟ ହେଉନାହିଁ । ଦୁଇରେ ଯେଉଁ ଚାରିଜଣ ମୁଖ୍ୟମନ୍ତ୍ରୀ ହେବାକୁ ହୁକୁ ହୁକୁ ହେଉଛନ୍ତି ସେଥିରୁ ଜଣକୁ ଯଦି ମୁଖ୍ୟମନ୍ତ୍ରୀ କରି ଦିଆଯାଏ, ତେବେ ଆଉ ତିନିଜଣ କ’ଣ ଚୁପ୍ ହୋଇ ରହିବେ? ସେମିତି ଜମା ନାଗୁ ନେଇ ।
ଛାମୁ ଯାହା ଦେଲେ ହରଷେ…
ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣାକରିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚପାଇଁ ତାଙ୍କ ସରକାର ପିଲା ପ୍ରତି ଆଉ ‘ଟଙ୍କାଟିଏ’ ଅଧିକ ଦେବେ । ଏକଥା ଶୁଣି ପିଲାମାନେ ହାଁକରି ପାଟି ମେଲା କରି ବସି ଗଲେଣି । ଟଙ୍କାଟା ବଢ଼ିଲାଣି, ତାଙ୍କ ପାଟିରେ କ’ଣ ନାଇଁ କ’ଣ ସବୁ ପଶିଯିବ । ଯାହା ଜଣାପଡ଼ିଛି ରାଜ୍ୟ ସରକାର ଅନେକ ଦିନରୁ ମଧ୍ୟାହ୍ନ ଭୋଜନ ପାଇଁ ପିଲାପ୍ରତି ପ୍ରାଥମିକ ସ୍କୁଲରେ ୫ଟଙ୍କା ୯୦ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୮ଟଙ୍କା ୮୨ପଇସା ଲେଖା ଖର୍ଚ୍ଚ କରି ଆସୁଥିଲେ । ସେଥିରେ କିଛି ହେଉ ନଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ପଇସା ଦିଅନ୍ତୁ ବୋଲି ବିଧାନସଭାଠୁ ନେଇ ବହୁ ମଂଚରେ ଦାବୀ ହୋଇ ଆସୁଥିଲା । ମାଝୀବାବୁଙ୍କ ସରକାର ସେଥିରେ ଟଙ୍କାଟିଏ ବଢ଼ାଇଲେ । କହିବା ବାହୁଲ୍ୟ ଯେ ଏହି ସୁବିଧା ରାଜ୍ୟର ୪୩ଲକ୍ଷ ପାଖାପାଖି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାଙ୍କୁ ମିଳିପାରେ । ହେଲେ ବର୍ତ୍ତମାନର ଯାହା ବଜାର ଦର, ଟଙ୍କାଟିକରେ ବା ୬ଟଙ୍କା ୯୦ପଇସାରେ କ’ଣ କ’ଣ ସବୁ ମିଳିବ? ତେଲ କେତେ କୁ ଆଳୁ କେତେ?
Comments
0 comments