ବୁଣାକାର ମୁଣ୍ଡରେ ଚଡ଼କ

28 Min Read

ଖଜୁରୀ ଗଛର କିସ ବାହୁନିବି ମୂଳରୁ ପାହାଚ ପାହାଚ । ଇଷ୍ଟ୍ଇଣ୍ଡିଆ କମ୍ପାନୀ ଏବଂ ପରବର୍ତ୍ତୀ ସମୟରେ ଖୋଦ ବିଲାତ ସରକାର ଭାରତୀୟ କୃଷକ ଓ କାରିଗରମାନଙ୍କ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର କରିଛନ୍ତି ଲେଖିଲେ ମହାଭାରତ ହବ । ଆସନ୍ତୁ ଜାଣିବା ଆମ ବୁଣାକାରମାନଙ୍କ ଜୀବନ ଜୀବିକାକୁ କିପରି ଫିରିଙ୍ଗି ଦସ୍ୟୁମାନେ ଚୁରମାର କରିଦେଇଛନ୍ତି । ବୁଣାକାର ମାନଙ୍କର ଅଣ୍ଟା ଭାଙ୍ଗିଯାଇଛି । ଦେଶ ସ୍ୱାଧୀନ ହେବାର ଅଶୀବର୍ଷକୁ ପାଇଲାଣି । ତଥାପି ସେମାନଙ୍କର ଦାୟାଦମାନେ ସିଧାହୋଇ ଠିଆ ହୋଇପାରି ନାହାଁନ୍ତି । ଏଠାରେ କହିରଖିବା ପ୍ରାସଙ୍ଗିକ ହେବ ଯେ ଆମ ସରକାରମାନଙ୍କର ମଧ୍ୟ ଲୁଗାକଳ ମାଲିକମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ଓ ପ୍ରୋତ୍ସାହନଯୋଗୁଁ ହସ୍ତତନ୍ତ ଶିଳ୍ପପ୍ରତି ଯୋଜନାବଦ୍ଧ ଉପେକ୍ଷା ଜାରି ରହିଛି ।

କପାଚାଷ ଭାରତୀୟ କୃଷକ ୫୦୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ସିନ୍ଧୁ ସଭ୍ୟତାର ଅବଶେଷ ମହେଞ୍ଜୋଦାରୋ ଓ ହରପ୍ପାରୁ ପ୍ରମାଣ ମିଳେ । କପାର ଜନ୍ମ ବୃତ୍ତାନ୍ତ, ଭାରତରେ କପାଚାଷ ଓ ଲୁଗାବୁଣା ସମ୍ପର୍କରେ ସବୁଜ ବିପ୍ଳବର ଗୁମର କଥା(୮)ରେ ଆପଣମାନଙ୍କ ଦୃଷ୍ଟିକୁ ଆଣିଛି । ମହେଞ୍ଜୋଦାରୋ ଖନନରୁ କପା ଏବଂ କପାରୁ ପ୍ରସ୍ତୁତ ଲୁଗାର ଜୀବାଶ୍ମ (Fossil) ମିଳିଛି । ଏହା ପ୍ରମାଣକରେ ଯେ ୪/୫ହଜାର ବର୍ଷ ପୂର୍ବେ ଭାରତରେ କପା ଗଛ (Tree Cotton) ଥିଲା । ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସଙ୍କ ଭାରତ ଭ୍ରମଣକାହାଣୀ ଇଣ୍ଡିକା (Indica)ରୁ ସୂଚନାମିଳେ ଯେ ଭାରତୀୟମାନେ କପାରୁ ଲୁଗାତିଆରି କରି ପିନ୍ଧୁଥିଲେ । କପା ଗଛରୁ ଖୋସା ସଂଗ୍ରହ କରି ବୁଣାକାରମାନେ ଲୁଗା ବୁଣୁଥିଲେ । ଖ୍ରୀ.ପୂ ୩୨୫ ପର୍ଯ୍ୟନ୍ତ କପାର ଋତୁକାଳୀନ ଚାଷ ହୋଇନଥାଏ । ମିଳୁଥିବା ତଥ୍ୟ ମାନଙ୍କରୁ ଜଣାପଡ଼େ ଭାରତରେ ହିଁ ପ୍ରଥମେ କପାଚାଷ ହୋଇଛି । ଚୀନରେ କପା ଚାଷ ଓ ଲୁଗାବୁଣା ଭାରତ ପଛରେ ହୋଇଛି । ଆମେରିକା ଓ ୟୁରୋପରେ ଭାରତର ବହୁପଛରେ କପା ଚାଷ ଆରମ୍ଭ ହୋଇଛି ।

ଭାରତର ୧୦ହଜାର ବର୍ଷର କୃଷି ଇତିହାସକୁ ଅନୁଶୀଳନ କଲେ ଜଣାପଡେ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସକବର୍ଗ ଚାଷ ଓ ଚାଷୀ ପାଇଁ ସବୁବେଳେ ସମ୍ବେଦନଶୀଳ ଥିଲେ । ଏପରିକି ମୁସଲମାନ ଓ ମୋଗଲ ଶାସକମାନଙ୍କ ମଧ୍ୟରୁ ୨/୩ଜଣଙ୍କୁ ବାଦ୍ଦେଲେ ଅନ୍ୟମାନେ ଚାଷୀକୁ ସାହାଯ୍ୟ କରୁଥିଲେ । ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଆମ ବୁଣାକାରମାନେ ଚରଖାରେ ସୂତା କାଟିବା ଏବଂ ତନ୍ତରେ ଲୁଗା ବୁଣିବା କାର୍ଯ୍ୟରେ ଶାସକ ବର୍ଗଙ୍କଠାରୁ ସାହାଯ୍ୟ ପାଉଥିଲେ । ସୂତାକଟା କାମଟି ସ୍ତ୍ରୀ ଲୋକମାନେ କରନ୍ତି । ତନ୍ତ ଚଳାଇବା ସ୍ତ୍ରୀ ଓ ପୁରୁଷ ଉଭୟଙ୍କ କାମ । ହସ୍ତତନ୍ତ (କୁଟୀର) ଶିଳ୍ପରେ ଲକ୍ଷ ଲକ୍ଷ ବୁଣାକାର ବର୍ଷସାରା କାମ କରୁଥିଲେ । ପ୍ରସ୍ତୁତ ଲୁଗା ଧୋତି ଓ ଶାଢ଼ୀ ଘରୋଇ ବ୍ୟବହାର ପରେ ପୃଥିବୀର ବିଭିନ୍ନ ଦେଶକୁ ବଳକା ଲୁଗା ରପ୍ତାନି କରାଯାଉଥିଲା । ପାଠକମାନେ କାଲିକୋ ଲୁଗା କଥା ଜାଣିଥିବେ । ଚିକ୍କଣ କାଲିକୋ ଧୋତି, ହାତବୁଣା କାଲିକୋ ଶାଢ଼ୀ ୬୦/୭୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କମାନେ ବ୍ୟବହାର କରିଥିବେ । କି ଚିକ୍କଣ! କି ମୁଲାୟମ ସେ ହାତବୁଣା ଲୁଗା! ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଅହମ୍ମଦାବାଦରେ କ’ଣ ଯେ ମୂଲ୍ୟବାନ ହାତତିଆରି କୁଟୀର ଶିଳ୍ପ ସାମଗ୍ରୀ ନ ମିଳୁଥିଲା, କହିହେବନି । The Abbe de Guyon described the situation in the middle of the eighteenth century : ‘people of all nation , and all kinds of merchantile goods… are to be found at Ahmadabad. Brocades of gold and silver , carpets with flowers of gold…satins and calicoes…. are all manufactured here. ଏଠାରେ ମ୍ୟାନିଫ୍ୟାକଚରଡ଼୍କୁ ଆମେ କଳକବ୍ଜା ବୁଝିବାନି । ଏ ସବୁ ହାତତିଆରି । ବିଶ୍ୱପ୍ରସିଦ୍ଧ ଲୁଗାପଟା ଭାରତୀୟ ବୁଣାକାର ତନ୍ତରେ ତିଆରି କରୁଥିଲେ । ତନ୍ତରେ ବିଭିନ୍ନ ପ୍ରକାର ଡିଜାଇନ କରି ଭିନ୍ନ ଭିନ୍ନ ରଙ୍ଗର ସୁତାରେ ଶାଢ଼ୀବୁଣା ହେଉଥିଲେ । କେତେକ ଶାଢ଼ୀ ବୁଣାପରେ ରଙ୍ଗ ଦିଆଯାଉଥିଲା । ବାରମ୍ବାର ସଫାକଲେ ମଧ୍ୟ ଲୁଗାର ରଙ୍ଗ ଛାଡିବା ତ ଦୂରର କଥା, ବରଂ ରଙ୍ଗ ଅଧିକ ଉଜ୍ଜ୍ୱଳ ଦେଖା ଯାଉଥିଲା । ଖୁବ ଦାମୀକା ଶାଢ଼ୀ ବା କପଡାରେ ବୁଣାପରେ ରଙ୍ଗ ଲଗାଯାଉଥିଲା । ଏଥିପାଇଁ କାଠ ବ୍ଲକ୍ ନୁହେଁ, ହାତରେ ବ୍ରସ ସାହାଯ୍ୟରେ ରଙ୍ଗ ଦିଆ । ଢାକା, ଆଜି ଯାହା ବଙ୍ଗଳାଦେଶର ରାଜଧାନୀ; ସେ ତ ଭାରତରେ ଥିଲା । ଢାକାର ମେଘନା ନଦୀ କୂଳରେ ଏକ ପ୍ରକାର କପାଚାଷ ହେଉଥିଲା ଯାହାର ତନ୍ତୁ ସିଲ୍କପରି ଚିକ୍କଣ । (The Dhaka muslin begings with plants grown along the basins of the Meghna River and its tributaries, which form the immense Ganges Delta. The famous ‘phuti karpas’ (Gossipium arboreum Var). ଢାକାର ବୁଣାକାରମାନେ ୮୦୦ରୁ ୧୦୦୦କାଉଣ୍ଟର ସୂତା ତିଆରି କରି ଯେଉଁ ଲୁଗାପଟା ତିଆରି କରୁଥିଲେ ସେଗୁଡିକ ଏତେ ପତଳା, ଏତେ ପତଳା ବା ସରୁ ଓ ଚିକ୍କଣ ଥିଲେ ଯେ ଧୋତି, ଶାଢ଼ୀ ବା ସେଥିରୁ ପ୍ରସ୍ତୁତ ପୋଷାକ ପିନ୍ଧିଲେ ରାଜାଙ୍କ ଅଦୃଶ୍ୟ ପୋଷାକ ଭଳି ଦେଖାଯାଉନଥିଲା । ମୋଗଲ ବାଦଶାହାଙ୍କ ବେଗମମାନେ ସେ ଶାଢ଼ୀ ପିନ୍ଧୁଥିଲେ । ବିଲାତ, ୟୁରୋପୀୟ ଦେଶ ଓ ଆମେରିକାରେ ଢାକା ଲୁଗାପଟା ପାଇଁ ମଡାଚକଟା । ଖଣ୍ଡିଏ ଖଣ୍ଡିଏ ଶାଢ଼ୀ ଦିଆସିଲି ଖୋଳରେ ରହିପାରୁଥିଲା ।

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଢାକା ମୁସଲିନରେ ବିଲାତର ସମ୍ଭ୍ରାନ୍ତବଂଶ ଓ ରାଜ ପରିବାରର ଦଖଲଥିଲା । ଶିଳ୍ପବିପ୍ଲବ ଯୋଗୁଁ ୧୮୫୦ ବେଳକୁ ବିଲାତରେ ସ୍ପିନିଙ୍ଗ ଜେନିରେ ସୂତାକଟା ହେଲାଣି । ଲୁଗାକଳରେ ଲୁଗାବୁଣା ହେଲାଣି । ମାଞ୍ଚେଷ୍ଟର, ଲିଭରପୁଲରେ ମୁସଲିନ ଲୁଗାପଟା କାରଖାନାରୁ ବାହାରିଲାଣି । ମାତ୍ର ଖାଉଟିମାନେ ବିଲାତି ମୁସଲିନକୁ ଆଡ଼େଇ ଦେଇ ଢାକା ମୁସଲିନ ପାଇଁ ଧାଡ଼ି ଲଗାଉଛନ୍ତି । କଳ ଲୁଗାର ବଜାର ମାନ୍ଦା । ଏ ଖବର ଭାରତର ଫିରିଙ୍ଗି ଶାସକଙ୍କ ପାଖକୁ ଆସେ । ଇଂରେଜ ସରକାର ସୈନ୍ୟ, ପୋଲିସ, ପିଆଦା ପଠାଇ ଢାକାର ‘ଫୁଟି କାର୍ପାସ’ କ୍ଷେତକୁ ପୋଡ଼ି, ଜାଳି ନଷ୍ଟ କରିଦିଅନ୍ତି । ସୂତା କଟା ଅରଟ ଓ ତନ୍ତଗୁଡ଼ିକ ଭାଙ୍ଗି ଚୁରମାର କରିଦିଅନ୍ତି । ସୂତା କାଟୁଥିବା ସ୍ତ୍ରୀ ଲୋକମାନଙ୍କ ଠାରୁ ଆରମ୍ଭ କରି ବୁଣାକାରମାନଙ୍କୁ ଖୁବ୍ ନିର୍ଯାତନା ଦିଅନ୍ତି । ବୈତେତ୍ରିୟ ଏହିକି ଯେ ବିଲାତ ସୈନ୍ୟବାହିନୀରେ ନିଯୁକ୍ତ ଭାରତୀୟ ସୈନ୍ୟମାନେ ଭାରତୀୟମାନଙ୍କୁ ଦମନ କରୁଥାନ୍ତି । ଢାକାର ଫୁଟି କାର୍ପାସ ଚାଷ ବୁଡ଼ିଗଲା । ଉଜୁଡ଼ିଗଲା ମୁସଲିନ ହସ୍ତତନ୍ତ ଶିଳ୍ପ । ବିଲାତରେ ଓ କଳତିଆରି ଲୁଗା ବେପାର ବଢ଼ିଲା । ଭାରତରେ ମଧ୍ୟ ବିଲାତି ଲୁଗାର ବଜାର ବଢ଼ିଲା । ସେ କଥାକୁ ଆମେ ପୁଣି ଆସିବା । ଆମ ବ୍ରହ୍ମପୁର ପାଟ ବାଉଁଶ ନଳରେ ପଶି ବିଲାତର ରାଣୀଙ୍କ ପାଇଁ ପଠାଯାଉଥିବା ଆମେ ଶୁଣିଛେ । ଭାରତରେ ବୁଣାକାରମାନେ ପୃଥିବୀକୁ ଚମକାଇ ଦେଇଥିଲେ ।

ଶାସ୍ତ୍ର, ପୁରାଣ, ଇତିହାସ ସବୁଠି ଆମେ ପଢ଼ିଛେ, ଶୁଣିଛେ ‘ଯାହା ନାହିଁ ଭାରତେ ତାହା ନାହିଁ ଜଗତେ’ । ବିଲାତର ଭାରତରେ ଲୁଗା ବେପାର କାମ କ’ଣ ସହଜରେ ସରୁଛି । ଇଂରେଜ ଲୁଗାକଳ ମାଲିକମାନଙ୍କର ଭାରତର କାଲିକୋ ଲୁଗା ରଙ୍ଗଉପରେ ଆଖି । ଆମ ଦେଶର ବୁଣାକାରମାନଙ୍କ ଲୁଗା ତିଆରି ଏବଂ ଲୁଗାରେ ରଙ୍ଗଦେବା କୌଶଳ ଇଂରେଜମାନଙ୍କ ଆଖିରେ ଯାଉନି । ଜି.ରୋଗସ (G. Roques)ଙ୍କ ଦ୍ୱାରା ଲିଖିତ ଗୋଟିଏ ପାଣ୍ଡୁଲିପିରେ ଭାରତୀୟ ବୁଣାକାରମାନଙ୍କର ଲୁଗା ବୁଣା ଓ ଲୁଗାରେ ରଙ୍ଗ ଲଗାଇବା ତରିକ୍କା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଅଛି । ସେ ଲେଖନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେକି ଭାରତର ବୁଣାକାରମାନେ ବିଲାତ କାରିଗରମାନଙ୍କ ବହୁ ଆଗରୁ ଲୁଗାରେ ରଙ୍ଗଦେବା କୌଶଳ ଜାଣିଥିଲେ । ଇରୋପରେ ଭାରତୀୟ ବସ୍ତ୍ରର ଚାହିଦା ଏତେ ଅଧିକ ଥିଲା ଯେ ୟୁରୋପୀୟ ଲୁଗାକଳ ମାଲିକମାନଙ୍କୁ ନିଜର ବ୍ୟବସାୟ ଚଳାଇବା ପାଇଁ ବୁଦ୍ଧିବାଟ ଦିଶୁନଥାଏ । ଭାରତରୁ ଆମଦାନୀ ପୋଷାକର ମୂଲ୍ୟ ଏତେ ଅଧିକ ଥାଏ ଯେ କେବଳ ସମ୍ଭ୍ରାନ୍ତବଂଶର ଖାଉଟିମାନେ କିଣିପାରୁଥିଲେ । ମୂଲ୍ୟତ ବସ୍ତୁର ଗୁଣ ପାଇଁ । ଆମହାତ ତିଆରି ଲୁଗା ସହିତ ଇଉରୋପ କଳତିଆରି ଲୁଗା ଲାଭ ଦିଆକୁ ଯୋଗ୍ୟ ନଥାଏ ।

ଭାରତରୁ ସଂଗୃହୀତ ବିଭିନ୍ନ ରଙ୍ଗ ବିଲାତକୁ ପଠାଯାଉଥିଲା । ସେଠାରେ ବୈଜ୍ଞାନିକମାନେ ଆମ ଦେଶର ରଙ୍ଗ ଉପରେ ବହୁପ୍ରକାର ପରୀକ୍ଷାନିରୀକ୍ଷା କଲେ ମଧ୍ୟ ସନ୍ଧି ପାଉନଥାନ୍ତି । ଷୋଡ଼ଶ ଶତାବ୍ଦୀବେଳକୁ ହଲାଣ୍ଡର କାରିଗରମାନେ ଭାରତରୁ ନୀଳ ଆମଦାନୀ କରି ଲୁଗା ରଙ୍ଗ ପାଇଁ ବ୍ୟବହାର କରିଥାନ୍ତି । ଆମେ ସମସ୍ତେ ରବିନସନ ନୀଳବଜାରରୁ କିଣି ଧଳାପୋଷାକରେ ନୀଳ ଦେଇଥାଉ । ସେଇ ରବିନସନ ହଲାଣ୍ଡର ଲୋକ, ସପ୍ତଦଶ ଶତାବ୍ଦୀବେଳକୁ ହଲାଣ୍ଡର ବେପାରୀମାନେ ମାଡ୍ରାସ (ଆଜିକା ତାମିଲନାଡୁ)ର କରମଣ୍ଡଳ ହସ୍ତତନ୍ତ ପ୍ରସ୍ତୁତ ରଙ୍ଗୀନ ଲୁଗାପଟା ନେଇ ତାର ରଙ୍ଗକୁ ଅନୁକରଣ କରି ଲୁଗାପଟା ତିଆରି ମସୁଧାରେ ଲାଗିଗଲେ । ହଲାଣ୍ଡରେ ପ୍ରସ୍ତୁତ ଲୁଗାର ରଙ୍ଗ ଲୁଗାସଫା ପରେ ଛାଡ଼ି ଯାଉଥାଏ । କିନ୍ତୁ ଭାରତର ଲୁଗା ଯେତେ ସଫାକଲେ ମଧ୍ୟ ରଙ୍ଗ କମିବାର ନାହିଁ । ଇଉରୋପରେ ଭାରତୀୟ ନୀଳ ବ୍ୟବହାର କାମଟି ପ୍ରଥମେ ୧୬୭୮ରେ ଆରମ୍ଭ ହୋଇଥିବା ରବିନସନ ‘ଏ ହିଷ୍ଟ୍ରି ଅଫ ପ୍ରିଣ୍ଟେଡ଼ ଟେକ୍ସଟାଇଲ’ରେ ଉଲ୍ଲେଖ କରିଛନ୍ତି । ସମୟକ୍ରମେ ବିଲାତ ସରକାର ଭାରତରେ ନୀଳଚାଷ କରି ନୀଳଚାଷୀଙ୍କୁ ଶୋଷଣ କରିବା କଥା ଆମେ ଆଗରୁ ଆପଣଙ୍କୁ ଜଣାଇଛୁ ।

ବିଲାତରେ ଶିଳ୍ପ ବିପ୍ଲବର ସଦ୍ୟ ଫଳ ବୟନଶିଳ୍ପ । ୧୭୪୬ ପର୍ଯ୍ୟନ୍ତ ଅରଟରେ ସୂତାକଟା ଚାଲିଥିଲା । ଜେନ କାରିଗର ଗୋଟିଏ ଅରଟରେ ଗୋଟିଏ ସରି ସୂତା କାଟି ପାରୁଥିଲା । ଆମ ଦେଶରେ ମଧ୍ୟ ସ୍ତ୍ରୀ ଲୋକମାନେ ଅରଟରେ ସୂତା କଟୁଥାନ୍ତି । ହାଗ୍ରୀଭସଙ୍କ ସ୍ପିନିଙ୍ଗ ଯେନି (Hargrears Spinning Jeny) ୧୭୬୪ରେ, ଆର୍କରାଇଟସଙ୍କ ୱାଟର ଫ୍ରେମ (Water Frame)୧୭୬୯ରେ, କ୍ରମଟନ୍ସ୍ ମିୟୁଲ, ୧୭୭୯ରେ ସୂତାକଟା ବିପ୍ଲବ ଆଣିଲା । ହାଗ୍ରୀଭସଙ୍କ ସ୍ପିନିଙ୍ଗ ଜେନିରେ ଜଣେ ଶ୍ରମିକ ଏକ ସମୟରେ ୧୦ଟି ସୂତା କାଟିପାରିଲା । ଷ୍ଟିମ୍ ଇଞ୍ଜିନ ସାହାଯ୍ୟରେ ଚାଲୁହେବା କାଳରୁ ଏକ ସମୟରେ ୨୦୦ଖିଅ ସୂତାକଟା ହେଲା । ଅଳ୍ପ ସମୟରେ ମେସିନି ତ ବେଶି ସୂତା କାଟି ଗଦା କରିଦେଲା । ୧୭୮୪କୁ ଲୁଗାବୁଣିବା ମେସିନଟିଏ ଉଦ୍ଭାବନା ହୁଏ । ହାତତନ୍ତରେ ଶହ ଶହ ବୁଣାକାର ଯେତିକି ଲୁଗା ତିଆରି କଲେ ନୂଆ ମେସିନରେ ଜଣେ ଶ୍ରମିକ ସେତିକି କପଡା ତିଆରି କରିପାରିଲା ।

ଶିଳ୍ପବିପ୍ଲବରୁ ବିଲାତରେ ଲୁଗାକଳ ଉଦ୍ଭାବନ ହେଲା ତ ବଙ୍ଗଳାର ହସ୍ତତନ୍ତ ଶିଳ୍ପର ଦୁର୍ଦ୍ଦିନ ଆରମ୍ଭ ହୋଇଗଲା । ‘India in the eighteenth century was a great manufacturing as well as a great agricultural country ,and the products of Indian loom supplied the markets of Asia and Europe’, R.C. Dutt. କ୍ଲାଇବଙ୍କ ଶାସନ କାଳରୁ ଇଷ୍ଟଇଣ୍ଡିଆ କମ୍ପାନୀ ଏବଂ ବିଲାତ ପାର୍ଲିଆମେଣ୍ଟ ବିଲାତର ବଣିକମାନଙ୍କର ବ୍ୟବସାୟକୁ ପ୍ରୋତ୍ସାହନ ଦେବାପାଇଁ ଭାରତର ହସ୍ତତନ୍ତ ଉପରେ ଆକ୍ରମଣ ଆରମ୍ଭ କରିଦିଅନ୍ତି । ସେମାନଙ୍କର ଲକ୍ଷ୍ୟ ରହିଥାଏ, ଭାରତରେ ବିଲାତ ଶିଳ୍ପଜାତ ଦ୍ରବ୍ୟର ବିକ୍ରିବଟା କିପରି ଅଧିକ ହେବ । ଭାରତରେ ବୁଣାକାରମାନେ ଲୁଗା ବୁଣା ବନ୍ଦ କରିବେ । ଭାରତୀୟ କୃଷକ ଉତ୍ପାଦନ କରୁଥିବା ତୁଳାବିଲାତର ମାଞ୍ଚେଷ୍ଟର, ଲିଭରପୁଲର ଲୁଗାକଳକୁ ପଠାଯିବ । ଭାରତର ବୁଣାକାରମାନଙ୍କର ତନ୍ତ ବଳପ୍ରୟୋଗ କରି ଭାଙ୍ଗି ଦିଆଯିବ, ଚରଖାରେ ସୂତାକଟା ବନ୍ଦ କରିଦିଆଯିବ । ଆତ୍ମନିଯୁକ୍ତି ହରାଉଥିବା ଶ୍ରମିକମାନଙ୍କୁ ବିଲାତର ଭାରତରେ ଥିବା କଳକାରଖାନାରେ କାମ କରିବାକୁ ବାଧ୍ୟ କରାଯିବ । ମାଜିଷ୍ଟ୍ରେଟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆ ଯାଉଥିଲା । ବୁଣାକାରମାନଙ୍କଠାରୁ ଜୀବିକା ଛଡ଼ାଇନେବାକୁ ଯାହାବି ଶକ୍ତି ପ୍ରୟୋଗ କରିବାକୁ ଦରକାର ମନେକରିବେ ନିର୍ଭୟରେ କରିବେ । ଭାରତରୁ ବିଲାତକୁ ରପ୍ତାନି ହେଉଥିବା ଲୁଗାଉପରେ ଉଚ୍ଚ ହାରରେ ଆମଦାନୀ ଟିକସ ବସାଗଲା । ଫଳରେ ଭାରତୀୟ ହସ୍ତତନ୍ତ ତିଆରି ଲୁଗା ବିଲାତରେ ଦାମ ବଢ଼ିଗଲା ।

ବିକ୍ରି କମିବାକୁ ଆରମ୍ଭ କଲା । ବିଲାତରୁ ଭାରତକୁ ଆସୁଥିବା କଳ ଲୁଗା ଓ ସୂତା ଭାରତରେ କମ ଦରରେ ବିକ୍ରିହେଲେ । ଭାତରେ ନମାରି ହାତରେ ମାରିବା କଥା । ଦେଶରେ ମଧ୍ୟ ଆମ ସ୍ୱଦେଶୀ ଲୁଗା ବିକ୍ରି କମିଗଲା । ତନ୍ତଉପରେ ଶନି ଦଶା, ଚରଖା ଉପରେ ରାହୁ ଦଶା । ବୁଣାକାର ଉପରେ କେତୁ ଦଶା । ରାହୁ, କେତୁ, ଶନି ତିନିରାକ୍ଷସର ମୂର୍ତ୍ତିମନ୍ତ ପ୍ରତୀକ ଫିରିଙ୍ଗି ସରକାର । ଭାରତର ହସ୍ତତନ୍ତ ଶିଳ୍ପ ଭୁଷୁଡ଼ି ପଡ଼ିଲା । ଯେଉଁ ବୁଣାକାରମାନେ ଜୀବିକାକୁ ବିକଳରେ ଜାବୁଡ଼ି ରଖିବାକୁ ଉଦ୍ୟମ କଲେ ସେମାନଙ୍କ ଉପରେ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଗଲା । ଗରିବ, ସ୍ୱାମୀପରିତ୍ୟକ୍ତା, ବିଧବା ସ୍ତ୍ରୀ ଲୋକମାନେ, ଯେଉଁମାନେ ସୂତାକାଟି ବୁଣାକାରମାନଙ୍କୁ ବିକ୍ରି କରି ଧୋକେ ପିଇ ଦଣ୍ଡେ ଜୀଉଁ ଥିଲେ ସେମାନଙ୍କର ସୂତା ବିକ୍ରିହେଲାନି । ବିଲାତରୁ ଆମଦାନି କଳସୂତା ଯେଉଁ କେତେକ ବୁଣାକାର ଲୁଚିଛପି ତନ୍ତ ଚଳାଉଥିଲେ, ଶସ୍ତା ଦାମରେ କିଣିଲେ । ଏହିପରି ଦୟନୀୟ ସ୍ଥିତିର ଗୋଟିଏ ହୃଦୟବିଦାରକ ଘଟଣା ଏଠାରେ ଉଲ୍ଲେଖ କରୁଛି, ପଢ଼ିଲେ ଆପଣମାନେ ବିଲାତ ସରକାରଙ୍କୁ ଘୃଣା ନକରି ରହିପାରିବେ ନାହିଁ । ମାନବିକ ଭାବନଥିବା ଯେକୌଣସି ସଚେତନ ଭାରତୀୟର ଛାତି ଫାଟିଯିବ । ରକ୍ତ ଟକ୍ ମକ ହୋଇଫୁଟିବ । ଭାବିବେ ‘ଆରେ ଏ ବିଲାତ ସାହେବଗୁଡିକ ମଣିଷ ନା ରାକ୍ଷସ । ଏଡ଼େ ନିଷ୍ଠୁର ଏମାନେ’ ।

୧୮୨୮କଥା, କଲିକତାର ଜଣେ ବିଧବା । କଞ୍ଚା ଉମରରେ ବିଧବା । ଦୁଇଟି ଝିଅ, ଶାଶୁ, ଶଶୁର ନିଜକୁ ମିଶାଇ ପାଞ୍ଚ ପ୍ରାଣୀ । ନିଜର କିଛି ସମ୍ବଳ ନାହିଁ । ନିଃସ୍ୱ । ପରିବାରକୁ ଛାଡି ସେତ ଆଉ ବନାରସ ଯିବନି ଯେପରି ବଙ୍ଗଳାର ବହୁ ବିଧାବାଙ୍କ ଭାଗ୍ୟରେ ଥାଏ । ସାହସ ବାନ୍ଧିଲେ । ଚରଖାଟିଏ କିଣିଲେ । ତୁଳାକିଣି ସୂତା କାଟିଲେ । ସ୍ତ୍ରୀ ଲୋକମାନଙ୍କର ସବୁ ସୂକ୍ଷ୍ମ କାମରେ ଦକ୍ଷତା ଥାଏ । ଖୁବ୍ ଉଚ୍ଚମାନର ସୂତା କାଟିଲେ । ତାଙ୍କ ସୂତା କିଣିବା ପାଇଁ ବୁଣାକାରମାନେ ଲାଇନ ଲଗାନ୍ତି । ଭଲ ଦିପଇସା ରୋଜଗାର କଲେ । ଝିଅ ଦିଓଟିକୁ ପଢ଼ାଇ ଭଲଜାଗାରେ ବାହାଦେଲେ । ବଙ୍ଗଳାରେ ଝିଅ ବିଭା ସେ କାଳରେ ଖୁବ୍ ବ୍ୟୟସାପେକ୍ଷ । ଶଶୁର ମରିଗଲେ । ଶ୍ରୁଦ୍ଧିଶ୍ରାଦ୍ଧ ସାହିପଡ଼ିଶାଙ୍କ ବରାଦ ମୁତାବକ କଲେ । ଏବେ ଶାଶୁ, ବିଧବା ବୋହୂ ୨ ଜଣ । ମନରେ ଆଣ୍ଟ ଥାଏ । ‘ଏତେ ଏତେ ବୋଝ ତ ଉଠେଇଲାଣି । ଏବେ ଆମେ ଦୁଇଜଣ । ଖାଇ ପିନ୍ଧି ଚଳିଯିବୁନି । ହାତ ଗୋଡ ତ ଚଳୁଛି । ସୂତାକଟା ଅଛି ତ ସବୁ ଅଛି’ । ନାଇଁ ଲୋ ମା ସେକାଳ ପଖାଳ ଆଜି ଖଟା । ବିଲାତି ସୂତା ଆସିଲାଣି । ଶସ୍ତାରେ ମିଳୁଛି । ବୁଣାକାରମାନେ ବିଲାତ ସୂତାକୁ ମାଡିଗଲେଣି । ବିଧବାର ମୁଣ୍ଡରେ ବଜ୍ର ପଡ଼ିଗଲା ।

୧୮୨୮ଖ୍ରୀଷ୍ଟାବ୍ଦରେ ବଙ୍ଗଳା ପତ୍ରିକା ‘ସମାଚାର’ରେ ବିଧବାଙ୍କର ଖଣ୍ଡିଏ ଚିଠି ପ୍ରକାଶ ପାଏ । ମହିଳା ବଙ୍ଗଳା ବିଧବା ଲେଖିଲେ, ମୋର ସ୍ୱାମୀଙ୍କର ହଠାତ ଦେହାନ୍ତ ପରେ ମୁଁ ଘରେ ସୂତା କାଟି ଘର ଚଲାଉଥିଲି । ସେଥିରେ ମୋର ଝିଅମାନଙ୍କର ଭଲ ଜାଗାରେ ବାହାଘର କରିପାରିଥିଲି । ପରେ ମୋର ଶଶୁରଙ୍କର ଶ୍ରାଦ୍ଧ କରାଇପାରିଲି । କିନ୍ତୁ ବର୍ତ୍ତମାନ ମୁଁ ଆଉ ମୋ ଶାଶୁ ଚଳିବା ମୁସ୍କିଲ ହେଉଛି । କାରଣ ବଜାରରେ ଆଜିକାଲି ବିଲାତ ସୂତା ଅତି କମ୍ମୂଲ୍ୟରେ ମିଳୁଛି । ମୁଁ ଭାବିଲି ବିଲାତରେ ଯେଉଁ ଭଉଣୀମାନେ ଏତେ କମ୍ ଦାମରେ ବିକୁଛନ୍ତି ସେମାନେ ଖୁବ୍ ଗରିବ ହୋଇଥିବେ । କିନ୍ତୁ ସେମାନେ ବିଲାତରେ ବିକ୍ରୟ ନକରି ଏଠାକୁ କାହିଁକି ପଠାଉଛନ୍ତି? ସେଗୁଡ଼ିକ ଅତି ନିକୃଷ୍ଟମାନର ସୂତା ।’ ଏହି ଲେଖାକୁ ଉଦ୍ଧାର କରି ୧୯୩୧ ରେ ଗାନ୍ଧୀ young Indiaରେ ପ୍ରକାଶ କରିଥିଲେ । ମୋର ପାଠକ ବନ୍ଧୁମାନେ ଏବେ ଭାବୁନଥିବେ କି କେଡ଼େ ଅସଭ୍ୟ, ବର୍ବର ଓ ସ୍ୱାର୍ଥପର ଏ ଇଂରେଜ ସାହେବ ଓ ତାଙ୍କ ଶାସନ!

ପାଠକ ବନ୍ଧୁମାନେ ତ ଆଗରୁ ପଢ଼ିଥିବେ ‘ରକ୍ତଶୋଷା ଫସଲ – କପା’ । ମହାରାଷ୍ଟ୍ରର ବେରାରରେ ଚାଷ ଜମିର ଦୁଇ ତୃତୀୟାଂଶରେ ଚାଷୀକୁ ବାଧ୍ୟ କରି ଧାନ, ଗହମ ପରିବର୍ତ୍ତେ କପା ଚାଷ କରାଇ ବେରାର ଦୁର୍ଭିକ୍ଷରେ କୋଟିଏ ଲୋକଙ୍କୁ ମାରିବାର ଗୌରବ ବିଲାତ ସରକାର ଅର୍ଜନ କରିଥିଲା ! ଭାରତରେ କପାଚାଷ ଅଧିକ ଜମିରେ କରାଗଲେ ବିଲାତ ମାଞ୍ଚେଷ୍ଟର ଓ ଲିଭରପୁଲ ଲୁଗାକଳକୁ କପା ଅମଦାନୀ କରିବ । ଭାରତରୁ ଫଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ବିଲାତକୁ ବୋହିବ । ବୃହତ୍ତର ଲକ୍ଷ୍ୟରଖି ବିଲାତ ସରକାର ୧୮୩୦ରେ Agriculture and Horticulture Societyଟିଏ ଗଠନ କରନ୍ତି । ସୋସାଇଟି ମାଡ୍ରାସରେ ପ୍ରଥମ ଅଫିସ ୧୮୩୦ ଓ ବମ୍ବେରେ ୧୮୩୬ ରେ ପ୍ରତିଷ୍ଠା କଲେ । ଏହି ସୋସାଇଟି ବିଭିନ୍ନ ଫସଲର ଉତ୍ପାଦନ କ୍ଷମତା ଓ ଗୁଣ ବତ୍ତା ବୃଦ୍ଧି ପାଇଁ ଆଠଟି କମିଟି ଗଠନ କରେ । cotton committeeଏକ ନମ୍ବର । ୧୮୩୦ବେଳକୁ ଭାରତରୁ ତୁଳା ରପ୍ତାନି ହେଉଥାଏ । ବିଲାତକୁ ଆମେରିକାର ନିଉଅର୍ଲିନସ୍ ଏବଂ ଇଜିପ୍ଟରୁ ମଧ୍ୟ ତୁଳା ଆମଦାନୀ ହେଉଥାଏ । ଭାରତରେ ଆମଦାନୀ ପାରମ୍ପରିକ କପା ନିମ୍ନମାନର ଏବଂ ଆମେରିକାନ କପାମୂଲ୍ୟର ଅଧାରେ କାରବାର ହେଉଥିଲା ‘Quality of Indigenous cotton cultivated in India at the time of 1830 was very poor . Price in foreign markets was almost half of the price of Neworleans and Egypsian’.୭ ଭାରତରେ ଉନ୍ନତମାନର କପାଚାଷ ପାଇଁ ଆମେରିକାର ନିଉଅର୍ଲିନସ, ଜର୍ଜିଆ, ମରିସସ, ପେରୁ, ନାନକିନ(ଚିନ) ଇଜିପ୍ଟ, ସିଲକିସ (ଆଫ୍ରିକା, ଭାରତ ମହାସାଗର), ଫିଜି ପ୍ରଭୃତି ଦେଶରୁ କପା ମଞ୍ଜି ଅଣାଯାଇ କମ୍ପାନୀର ଆକ୍ରା ଫାର୍ମରେ ଚାଷ କରାଗଲା । ଆଲ୍ଲାବାଦରେ ଚାଷ ହୋଇଥିବା କପାର ମାନ ଖୁବ ଉଚ୍ଚ କୋଟିର ଥିବା ଲିଭରଫୁଲର cotton expert ମାନେ ମତ ଦେଲେ । cotton expert Mr Pratick at Liverpool sent the report to the society ‘This cotton produced at Allahabad was very superior in quality .’୧୮୦୦ ଖ୍ରୀ.ଅ.କୁ ପୃଥିବୀର ବାଣିଜ୍ୟ କାରବାରେ ଭାରତରେ ଭାଗୀଦାରୀ ୧୯.୭ ପ୍ରତିଶତ ଥିବା ବେଳେ ୧୮୬୦ବେଳକୁ ଏହା ୮.୬ ପ୍ରତିଶତକୁ ଏବଂ ୧୯୧୩ ବେଳକୁ ମାତ୍ର ୧.୪ପ୍ରତିଶତକୁ ଖସି ଆସିଥାଏ । ବିଲାତରେ କଳକାରଖାନାରେ ତିଆରି ଲୁଗା ଓ ଅନ୍ୟ ସାମଗ୍ରୀର ବେପାର କମି ଯାଇଥାଏ । କେବଳ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଏକଚାଟିଆ ବାଣିଜ୍ୟ କାରବାର କରିପାରିବ ବୋଲି Charter Act ୧୮୧୩ ଲାଗୁହୋଇଥିଲା । ମାତ୍ର ବିଲାତ ଓ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ନିୟମ ଲାଗୁ କରି ଏହି ୧୮୧୩ ଆଇନକୁ ଉଠାଇ ଦିଆଗଲା । ସେତବେଳକୁ ଭାରତର ହସ୍ତତନ୍ତ ବସ୍ତ୍ର ବିଲାତ, ଆମେରିକା, ଚୀନ ଓ ୟୁରୋପିଆନ ଦେଶମାନଙ୍କରେ ବଜାର ଦଖଲ କରିଯାଇଥିଲା । ବର୍ତ୍ତମାନ ବିଲାତରେ ଲୁଗାକଳ ମାଲିକମାନେ ନୂଆ ବ୍ୟବସ୍ଥାର ସୁଯୋଗ ନେଇ ଭାରତରେ ବିଲାତି ବସ୍ତ୍ର ଗଦା କରିଦେଲେ ଏବଂ ଭାରତୀୟ ବସ୍ତ୍ରକୁ ବଜାରରୁ ହଟାଇ ଦବାକୁ ଖୁବ୍ ଶସ୍ତାରେ ବିକ୍ରୀବଟା କଲେ ।

୧୮୨୦ବେଳକୁ ଭାରତର ନିଜସ୍ୱ ହସ୍ତତନ୍ତ ବସ୍ତ୍ରର ବେପାର ଖୁବ୍ କମି ଆସିଲା । କୃଷି କାର୍ଯ୍ୟକୁ ବାଦ ଦେଲେ ଭାରତର ହସ୍ତତନ୍ତ ଶିଳ୍ପରେ ସର୍ବାଧିକ ଶ୍ରମିକ ନିଯୁକ୍ତ ଥାନ୍ତି । କପାର ମଞ୍ଜି କାଢ଼ି ସଫା କରିବା, ସୂତା କଟା, ତନ୍ତରେ ଲୁଗାବୁଣା, ରଙ୍ଗଦେବା ଭଳି ବହୁବିଧ କାମ । ୧୮୦୦ ଖ୍ରୀ.ଅ ବେଳକୁ ଭାରତ ପୃଥିବୀରେ ସର୍ବାଧିକ କପା ଉତ୍ପାଦନ କରୁଛି ଏବଂ ସର୍ବାଧିକ ଲୁଗା ତିଆରି କରୁଛି । ଆଗରୁ ତ କହିଛୁ ଶିଳ୍ପ ବିପ୍ଳବରେ ସ୍ପିନିଂ ଜେନି ଓ ଲୁଗାକଳ ଉଦ୍ଭାବନ ହେବା ଠାରୁ ବିଲାତର ଲାଙ୍କାସାୟାର, ଲିଭରପୁଲ ଓ ମ୍ୟାଞ୍ଚେଷ୍ଟର ବୟନ ଶିଳ୍ପର କେନ୍ଦ୍ର ବିନ୍ଦୁ ପାଲଟିଗଲା । ୧୮୯୫ ବେଳକୁ ଭାରତରେ ଉତ୍ପାଦିତ କପାର ୭୦/୮୦ ଭାଗ ବିଲାତକୁ ରପ୍ତାନି ହେଲା । ବିଲାତରେ ପ୍ରସ୍ତୁତ ଲୁଗାପଟାର ୩୦/୪୦ପ୍ରତିଶତ କେବଳ ଭାରତ ବଜାରରେ ଉପଲବ୍ଧ ହେଲାଣି । ୧୯୦୦ବେଳକୁ ଭାରତୀୟ ବୁଣାକାରମାନେ ହାତ ବାନ୍ଧି ବସିଲେଣି । ସେତେବେଳକୁ ଆମ ଦେଶରେ ଦୁଇ କିସମର ଲୁଗା ବୁଣାକାରମାନେ ବଜାରକୁ ଛାଡିଥାନ୍ତି । ପ୍ରଥମ କିସମ ମୋଟା, ବଗଡ଼ା କିସମ । ସାଧାରଣତଃ ଗରିବଶ୍ରେଣୀର ପରିବାରମାନେ କିଣୁଥାନ୍ତି । ଦ୍ୱିତୀୟ କିସମ କାଲିକୋ, ମୁସଲିନ, ରଙ୍ଗ ଦିଆଶାଢ଼ୀ, ବାନ୍ଧ ଶାଢ଼ୀ କେତେକ ବିଶେଷ କେନ୍ଦ୍ର ଯେପରିକି କୋଏମ୍ବାଟୁର, ବାଙ୍ଗାଲୋର, ବନାରସ, ଓଡ଼ିଶାର ମାଣିଆବନ୍ଧ, ତିଗିରିଆ, ନରସିଂହପୁର, ସୋନପୁର, ବ୍ରହ୍ମପୁର, ବାରିପଦା ଓ ପାରଳାଖେମୁଣ୍ଡି । ବଙ୍ଗଳାର ମୁର୍ସିଦାବାଦ ସିଲ୍କି ଶାଢୀ, ଟାଙ୍ଗାଇ ଶାଢ଼ୀ, ଢାକା, ସିଲହଟ ଓ ଆସାମ ଅପେକ୍ଷାକୃତ ଧନୀକ ଶ୍ରେଣୀ, ଜମିଦାର ଓ ସହରବାସିନ୍ଦାମାନେ ଏଇ ଦ୍ୱିତୀୟଶ୍ରେଣୀ ଲୁଗା ଅଧିକ କିଣିଥାନ୍ତି । ବିଲାତ ସରକାରର ଭାରତର ମୋଟାଲୁଗା (coarse cloth) ବେପାର ଉପରେ ଆଖି ନଥାଏ । ଦ୍ୱିତୀୟ ଶ୍ରେଣୀ ସଉକିଆ ପୋଷାକର ବଜାର ଦଖଲ କରିବା ମତଲବରେ ଥାନ୍ତି ।

ବିଲାତ ଲୁଗା ଭାରତରେ ଅଧିକ ବିକ୍ରି କିପରି ହେବ । ୧୮୬୩ । ଗଭର୍ଣ୍ଣର ଜେନେରାଲ କାଉନସିଲର ଫାଇନାସ ମେମ୍ବର ଚାର୍ଲସ ଟ୍ରେଭେଲିୟାନ ଚାହିଁଲେ ଭାରତୀୟ ବୁଣାକାର ଓ ସେମାନଙ୍କର ତନ୍ତ ସବୁକୁ ବଳପ୍ରୟୋଗ କରି ନଷ୍ଟ କରିଦିଆଯିବ, ଯେପରିକି ଭାରତରେ ବୁଣାକାର ଶ୍ରେଣୀଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ । ଇରଫାନ ହାବିବ ଲେଖନ୍ତି, ‘In 1863, the fianancé member of the governor General’s council, Charles Trevelyan , hopefully looked forword to the day when Indian weavers would entirely disappear as a clan, to turn into peasants and as such, become buyers of the very Lancashire goods that were making them lose their hereditary occupation’. ଭାରତୀୟ ବୁଣାକାରମାନଙ୍କ ତନ୍ତ ଭାଙ୍ଗି ଚୁରମାର କରାଗଲା । ସ୍ତ୍ରୀ ଲୋକମାନଙ୍କର ଚରକା ଭାଙ୍ଗି ଖଣ୍ଡଖଣ୍ଡ କରି ଦିଆଗଲା । ସୂତାଲୁଗା ବୁଣାର ସବୁ ସାମଗ୍ରୀ ଭଙ୍ଗାରୁଜା ଚାଲିଲା । ଏ ଚଣ୍ଡାଳ ଯିଏ ଜାତିଭାଇଙ୍କର ଜୀବିକା ଉପରେ କୁରାଢି ଦେଲେ । ସେମାନେ ଆମ ଭାରତୀୟ ଆମ ଜାତିଭାଇ । ବିଲାତ ପାଖରେ ମୁଣ୍ଡ ବିକିଛନ୍ତି । ପୋଲିସ, ସିପାହୀ, ଛୋଟବଡ଼ ଚାକିରିଆ । ଭାଇ ବେକରେ ଭାଇଦେଉଛି ଛୁରୀ । ଖଣ୍ଡିଏ ଚାକିରି ପାଇଁ! ଚାକିରି ଜଗିବା ଭାଇ । ଏମାନେ କ’ଣ ଶିବାଜୀ, ରାଣା ପ୍ରତାପ, ବକ୍ସି ଜଗବନ୍ଧୁ, ସହିତ ଲକ୍ଷ୍ମଣ ନାୟକଙ୍କର ବଂଶଧର ନୁହନ୍ତି । ବିଲାତ ସରକାର ବୁଣାକାରମାନଙ୍କୁ ଦୃଢ଼ହସ୍ତରେ ଦମନ କଲା ।

ବିଲାତ ସରକାରଙ୍କ ପଇସା, ଆମ ବାବୁ ଓ କର୍ମଚାରୀମାନଙ୍କର ଆଜ୍ଞାପାଳନ ଭାରତର ବୟନଶିଳ୍ପକୁ ଭାଙ୍ଗି ଚୁରମାର କରିଦେଲା । ୧୮୩୧-୧୮୩୫ ମଧ୍ୟରେ ବିଲାତରୁ ଭାରତକୁ ୬.୫ ମିଲିୟନ କିଲୋଗ୍ରାମ କପଡା ଆମଦାନୀ ହେଉଥିଲା । ୧୮୫୬-୧୮୬୦ବେଳକୁ ୭୨.୮ମି କିଲୋଗ୍ରାମ, ୧୮୮୦-୧୮୮୧କୁ ୨୯୧.୮ ମି କିଲୋଗ୍ରାମରେ ପହଞ୍ଚିଲାଣି । Geometrical Progressionରେ ବିଲାତରୁ ଭାରତକୁ ଲୁଗା ଅମଦାନୀ ଚାଲିଲା । ୧୯୦୦ବେଳକୁ ଭାରତୀୟ ଲୁଗାବଜାରର ୬୫ ପ୍ରତିଶତ ବିଲାତ ଦଖଲ କରିଗଲାଣି । ଧନ୍ୟରେ କାଢୁଆ ଭାରତୀୟ! ୧୮୬୪ବେଳକୁ ଭାରତରେ ୩୯୮.୬ ମିଲିୟନ କିଲୋଗ୍ରାମ କପା ଉତ୍ପାଦନ ହୁଏ । ଏଥିରୁ ୨୨୯.୭ ମିଲିୟନ କିଲୋଗ୍ରାମ କପା ବିଲାତକୁ ରପ୍ତାନି ହେଲା । ୧୮୬୦ ବିଲାତ ଭାରତରୁ ଅଧିକ କପା କିଣିବାପାଇଁ ଯୋଜନା କଲେ । ୧୮୬୦ରୁ ୧୮୬୪ ଆମେରିକାର ଗୃହ ଯୁଦ୍ଧ । ଆମେରିକାର ନିଉଅର୍ଲିନ୍ସରୁ ବିଲାତକୁ କପା ରପ୍ତାନି ହୁଏ । ଯୁଦ୍ଧ ପାଇଁ ଆମେରିକାରୁ କପା ବିଲାତ ଆସିବା ବନ୍ଦ ହୋଇଗଲା । ଆପଣମାନେ ଆଗରୁ ପଢିଛନ୍ତି ମହାରାଷ୍ଟ୍ରର ବେରାରରେ ବିସ୍ତୃତ ଜମିରେ ଖାଦ୍ୟ ଶସ୍ୟ ଉତ୍ପାଦନ ନକରି କପାଚାଷ କରାଗଲା । ୧୮୬୨ବେଳକୁ ଭାରତ ବିଲାତକୁ ତାର ଆବଶ୍ୟକତାର ୭୫ଭାଗ କପା ପଠାଇଲାଣି ।

ବିଲାତ ସରକାରଙ୍କର ଭାରତୀୟ ବୁଣାକାରମାନଙ୍କ ଉପରେ ଅତ୍ୟାଚାର ଏବଂ ଭାରତୀୟ ବଜାରରେ ଶସ୍ତା ବିଲାତି ଲୁଗାର ବହୁଳତା ଶ୍ରମିକମାନଙ୍କୁ ସର୍ବହରା କରିଦେଲା । ବହୁସଂଖ୍ୟାରେ ବେକାରି, ସୂତାକଟାଳି ସ୍ତ୍ରୀ ଲୋକମାନଙ୍କର ମଜୁରୀ ହ୍ରାସ, ଭାରତର ହସ୍ତଶିଳ୍ପକୁ ଉଜାଡ଼ିଦେଲା । M.J.Towmey ଆକଳନ ଅନୁସାରେ ୧୮୫୦ରେ ଘରୋଇ ହସ୍ତଶିଳ୍ପରେ ନିୟୋଜିତ ୬ନିୟୁତ ଶ୍ରମିକଙ୍କ ସଂଖ୍ୟା ୧୮୮୦ବେଳକୁ ୨.୫ ନିୟୁତ ଏବଂ ୧୯୧୩ବେଳକୁ ୨.୪ ନିୟୁତକୁ କମି ଆସିଲା । ୧୮୫୦ବେଳକୁ ୧.୮ ମିଲିୟନ(ନିୟୁତ) ବୁଣାକାର କାର୍ଯ୍ୟରେ ଥିବା ବେଳେ ୧୮୮୦ ବେଳକୁ ୧ ନିୟୁତକୁ କମି ଆସିଲା । ମୁକ୍ତ ଅର୍ଥନୀତିର ଫଳ ଭାରତୀୟ ହସ୍ତତନ୍ତଶିଳ୍ପର ବିପର୍ଯ୍ୟୟର କାରଣ । ୨୦୨୪ରେ ମଧ୍ୟ ଭାରତରେ ସେହି ଏକାଦଶା । ଉଦାରୀକରଣ, ଶିଳ୍ପୀକରଣ ଓ ଘରୋଇକରଣ ନୀତି ଯୋଗୁଁ ଆମ କେନ୍ଦ୍ର ସରକାର ଲୁଗାକଳ ମାଲିକମାନଙ୍କୁ ପ୍ରୋତ୍ସାହନ ଦେଇ ଚାଲିଥିବାବେଳେ ବୁଣାକାରମାନେ ମିଥ୍ୟା ପ୍ରତିଶୃତି ସାଉଁଟୁଛନ୍ତି । କେନ୍ଦ୍ର ସରକାରଙ୍କର ଛଳନାତ୍ମକ ଚରିତ୍ର ବୁଣାକାରମାନଙ୍କ ପାଇଁ ନିରାଶାରେ ପରିଣତ ହୋଇଛି ।

ଏ ପର୍ଯ୍ୟନ୍ତ ଆମେ କପା ଓ କପାଲୁଗା ତିଆରି ଇତିହାସ ଅଳ୍ପେ ବହୁତେ ଆଲୋଚନା କଲେ । ଇଂରେଜ ସରକାର ବୁଣାକାରମାନଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ତଥ୍ୟ ରଖିଲେ । କପା ତିଆରି ପୋଷାକ ସହିତ ରେଶମ ଓ ପଶମ ପୋଷାକକୁ ଆସିବା । ରେଶମ ଓ ପଶମ ପୋଷାକ ପ୍ରସ୍ତୁତି ଓ ଯୋଗାଣ ପାଇଁ ଭାରତର କାରିଗରମାନଙ୍କର ପୃଥିବୀରେ ସ୍ୱତନ୍ତ୍ର ପରିଚୟ ଅଛି । କାଶ୍ମୀରର ପସିମାସାଲ, ପଞ୍ଜାବ, ରାଜସ୍ଥାନର ପଶମ ଗାଲିଚା ଏସିଆ, ୟୁରୋପ ଓ ଆମେରିକାରେ ନାଁ କମେଇଥାଏ । ଐତିହାସିକ, ପ୍ରତ୍ନତତ୍ତ୍ୱବିତ, ନୃତତ୍ତ୍ୱବିତ ପୁରାତନ ଐତିହାସିକ ତଥ୍ୟ ସଂଗ୍ରହକରି ସାର୍ବଜନୀନ କରିଥାନ୍ତି । ସମାଧିପୀଠକୁ ଖୋଳି ଇତିହାସ ଖୋଜନ୍ତି । ନେଭେସାରେ ଗୋଟିଏ ଗୋଟିଏ ସମାଧି ଖୋଳି ତମ୍ବାର ଏକ ଲମ୍ବା ମାଳୀ ପାଆନ୍ତି । ସୂତାରେ ଗୁନ୍ଥାମାଳୀକୁ ପରୀକ୍ଷା କରି ଗୁଲାନି(ଐତିହାସିକ) ଜାଣିଲେ ଏହି ସୂତା ରେଶମ (silk) । ପଶ୍ଚିମ ହିମାଳୟର ରେଶମ ପୋଷାକକୁ Bomby hottoni କୁହାଯାଏ । ମେଘାସ୍ଥିନ୍ ଙ୍କ ବର୍ଣ୍ଣନାରୁ ଜଣାପଡେ କାଶ୍ମୀରୀରୁ ମିଳୁଥିବା ରେଶମ ପୋଷାକ କେବଳ ରାଜା ଓ ଧନୀକ ପରିବାର ଲୋକ ବ୍ୟବହାର କରୁଥିଲେ । ଗୁପ୍ତ ସାମ୍ରାଜ୍ୟର ଇତିହାସରୁ ରେଶମ କାରିଗରମାନେ ଗୋଟିଏ ଦେଉଳ ତୋଳି ସେଥିରେ ଠାକୁରମାନଙ୍କୁ ରେଶମ ସୂତାରେ ଗୁନ୍ଥା ମାଳିମାନ ପିନ୍ଧାଇଥିବା ପ୍ରମାଣ ମିଳେ(୪୩୭ -୪୩୮) । ହର୍ଷବର୍ଦ୍ଧନଙ୍କ ଦରବାରରେ ଚୀନ ପରିବ୍ରାଜକ ହୁଏନ୍ସା ତାଙ୍କ ଭ୍ରମଣ ବୃତାନ୍ତରେ ଉଲ୍ଲେଖ କରିଛନ୍ତି ତାଙ୍କୁ କାମରୂପରୁ ମିଳିଥିବା ଉପହାରମାନଙ୍କ ମଧ୍ୟରେ ରେଶମରୁ ପ୍ରସ୍ତୁତ ଉପକରଣ ଥିଲା । ଶାନ୍ତି ଦେବଙ୍କ ରଚିତ siksha -samuchchyaରୁ ପ୍ରମାଣ ମିଳେ ସପ୍ତମ ଶତାବ୍ଦୀ ସମୟକୁ ବନାରସରେ ଅତି ଉଚ୍ଚମାନର ରେଶମ ପୋଷାକ ତିଆରି ହେଲାଣି ।

୧୮୬୮ ମସିହାବେଳକୁ ମାନ୍ଦ୍ରାଜ ସରକାର ହୋସୁରରେ ଗୋଟିଏ ରେଶମ କାରଖାନା ପ୍ରତିଷ୍ଠା କରନ୍ତି । ୧୮୬୯ ରେଶମ ଚାଷ ଓ ପୋଷାକ ତିଆରି କାଶ୍ମୀରରେ ଶାସକଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା । ୧୮୨୬ରେ ମଲବରି ଚାଷ ଓ ରେଶମ ପୋକ ପାଳନପାଇଁ ବଙ୍ଗଳାରେ ଚାଷୀମାନେ ଲାଗିଗଲେ । ଇଷ୍ଟିଇଣ୍ଡିଆ କମ୍ପାନୀ ୧୮୩୦ରେ ହାୱାଡା ଠାରେ ଗୋଟିଏ ପରୀକ୍ଷାମୂଳକ କେନ୍ଦ୍ର ସ୍ଥାପନ କରିଥିଲା । ୧୮୩୦ରେ ୧୨ ଲକ୍ଷ ପାଉଣ୍ଡ (ପ୍ରାୟ ୫୪୫ଟନ) ରେଶମ କଲିକତାରୁ ଇଂଲଣ୍ଡ ପଠାଇଥିଲା । କମ୍ପାନୀ ୧୮୩୨ରେ ଇଟାଲିୟାନ ମଲବରୀ ଗଛ ଓ ରେଶମ ପୋକ ବମ୍ବେରେ ପହଞ୍ଚାଇଥିଲା । ୧୮୩୨କୁ କମ୍ପାନୀ ଭାରତରେ ଉନ୍ନତମାନର ରେଶମ ସୂତାବୁଣା ଯନ୍ତ୍ର ତିଆରି ପାଇଁ ଭାରତୀୟ କାରିଗରମାନଙ୍କ ପାଇଁ ପୁରସ୍କାର ଘୋଷଣା କରିଥିଲେ । ୧୯୧୫-୧୬ରେ ବିଲାତ ସରକାର Imperial Silk Specialist Maxwell –Lefroyଙ୍କୁ ଭାରତ ପଠାଇଥିଲେ । ରେଶମ ଶିଳ୍ପର ନବୀକରଣ ପାଇଁ ଲେଫ୍ରଏ ଭାରତରେ ରେଶମ ଶିଳ୍ପ ପାଇଁ ଏତେ ବ୍ୟାକୁଳତା କାହିଁକି? ଭାରତୀୟ ରେଶମ ତିଆରି ପୋଷାକ, ସାଲ, ବିଲାତ ବଜାରର ଖାଉଟିଙ୍କର ଅତ୍ୟଧିକ ଚାହିଦା । ବେପାର ଜୋର ହେବ ।

ଇଂରେଜ ବେପାରୀମାନଙ୍କର ଭାରତୀୟ ରେଶମ ବସ୍ତ୍ର ଉପରେ ଏତେ ଚାହିଦା କାହିଁକି? ୟୁରୋପରେ ଇଟାଲୀ ସିଲ୍କରେ ପୋଷାକପତ୍ର ତିଆରି ହେଲାଣି । ମାତ୍ର ଗରାଖଙ୍କର ଭାରତୀୟ ରେଶମ ପୋଷାକ ଉପରେ ଆଖି । ବିଲାତ ସରକାର ତାଙ୍କ ବଣିକ ମାନଙ୍କର ସ୍ୱାର୍ଥ ଦେଖିବେ । ଭାରତରୁ କଞ୍ଚା ରେଶମ (Raw Silk) ଆମଦାନୀ କରି ପୋଷାକପତ୍ର ତିଆରି କଲେ । ମାତ୍ର ବିଲାତର ଖାଉଟିମାନେ ସେ ପୋଷାକକୁ ମୁହଁ ମୋଡ଼ି ଦେଉଛନ୍ତି । ଭାରତୀୟ ରେଶମ ପୋଷାକକୁ ଚାହୁଁଛନ୍ତି । ଆଚ୍ଛା ଏଡ଼େ କଥା । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପାକଳି । ବିଲାତ ସରକାର ତାଙ୍କ ଭାରତୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଅନ୍ତି ‘ଭାରତରେ ରେଶମ, ଟସର ବେପାରକୁ ଭାଙ୍ଗି, ପୋଡିଜାଳି ପାଉଁଶ କରିଦିଅ’ କଂସ ନନ୍ଦକୁ ଚିଟାଉ ଦେଲାଭଳି, ଆଜ୍ଞା ପରମାଣେ ତତ୍କାଳ ଚଳିବୁ ନହେଲେ ଛେବିବି ସ୍କନ୍ଧ, ଭାରତୀୟ ଅଧିକାରୀମାନେ ଲାଗିଗଲେ । ରେଶମ ବୁଣାକାରମାନଙ୍କର ଘରେ ପଶି ତନ୍ତ ଭାଙ୍ଗି ଚୁରମାର କରିଦେଲେ । ସ୍ତ୍ରୀ ଲୋକମାନଙ୍କ ରେଶମ ସୂତା କାଟିବା ମନା କରି ଧମକ ଚମକଦେଲେ ଚରଖା ଭାଙ୍ଗିଦେଲେ, ବଙ୍ଗଳା, ଆସାମ, କର୍ଣାଟକ (ବାଙ୍ଗାଲୋର,ମଣିପୁର), ଆସାମ (ଏଣ୍ଡି), ମୁର୍ସିଦାବାଦ, ଓଡ଼ିଶାର ତିଗିରିଆ, ନରସିଂହପୁର, ସୋନପୁର, ବ୍ରହ୍ମପୁରର ପାଟ ଏକାମାଡକେ ସବୁ ସଫା । ଲକ୍ଷାଧିକ ବୁଣାକାର, ଶ୍ରମିକଙ୍କର ଜୀବିକା ଚାଲିଗଲା ।

‘ବୋଲେ ସୁଗ୍ରୀବେ ରାମ କ୍ଲେଶ ଭାଷା, ବେନିଜନେ ପଡିଛି ଏକାଦଶା’ । ପଶମ ଶିଳ୍ପ ଉପରେ ମଧ୍ୟ ଜୋରଦାର ହାମଲା । ୧୮୭୦ ପୂର୍ବରୁ କାଶ୍ମିରୀ ପସିନା ସାଲ ତିଆରିରେ ଶ୍ରୀନଗରରେ ୩୦/୪୦ହଜାର କାରିଗର ଓ ଶ୍ରମିକ କାମ କରୁଥିଲେ । ୧୮୭୬ବେଳକୁ ଏହି ସଂଖ୍ୟା ୨/୩ ହଜାରକୁ ଖସି ଆସିଲା । ଲୁଚି ଛପି କିଛି କାରିଗର କୃତିକୁ ବଞ୍ଚାଇ ରଖିଥାନ୍ତି । କାରଣ ବିଲାତରେ ନକଲି ସିଳ୍କ ସାଲ ସ୍କଟଲ୍ୟାଣ୍ଡର ପାଇସଲେରୁ (Paisley –Scotland) ଆସି ଗଦାହେଲା । ଭାରତ ବଜାରକୁ ମଧ୍ୟ ବିଲାତରୁ ନକଲି ପଶମ ପୋଷାକ ଆସିଗଲା । ୧୮୨୬-୧୮୨୭ରେ ୬.୩ ନିୟୁତ ଟଙ୍କାର ଆମଦାନୀ ବେଳେ ୧୯୦୦-୧୯୦୧କୁ ୨୧ନିୟୁତ ଟଙ୍କା । ପ୍ରାୟ ୩.୫ ଗୁଣ । ଭାରତରୁ ବିଲାତକୁ ରପ୍ତାନି କଞ୍ଚା ପଶମ (Raw wool) ୧୯୦୧ -୧୯୦୨ରେ ୮.୮୯ମିଲିୟନ କିଲୋ ଥିଲାବେଳେ ୧୯୦୬-୧୯୦୭ ବେଳକୁ ୨୦.୮୨ମି କିଲୋ । ସ୍ଥାନୀୟ ପଶମ କାରିଗରମାନେ ପୁରାପୁରି ହାତ ବାନ୍ଧି ରହିଲେ । ଉପନିବେଶ ଶାସନର କରୁଣ ପରିଣତି ।

ସାରିବା । ଆଗରୁ ତ କପା ଲୁଗା ବୁଣାକାରମାନଙ୍କ ଉପରେ ଚଡ଼କ ପଡିଲା । ଏବେ ରେଶମ ଓ ପଶମ କାରିଗରଙ୍କ ଦୁର୍ଦ୍ଦଶା ଜାଣିଲେ । ଭାରତରେ କପା, ପଶମ, ରେଶମ ବୁଣାକାର ଓ ଶ୍ରମିକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଏବଂ ତନ୍ତ, ଚରଖା ଏପରିକି ମଲବରି ଚାଷକୁ ଭାଙ୍ଗି ରୁଜି ଚୂନା କରିଦେବା ଏବଂ ଇଷ୍ଟଇଣ୍ଡିଆ କମ୍ପାନୀ ବୁଣାକାରମାନଙ୍କୁ ଶାରୀରିକ ନିର୍ଯାତନା ଦେଉଥିବାର କରୁଣ କାହାଣୀ ବିସ୍ତୃତ ଭାବେ ଜାଣିବାକୁ ହେଲେ ମୁଁ ପାଠକମାନଙ୍କୁ ଅନୁରୋଧ କରିବି ଉଇଲିୟମ ବୋଲଟସ୍ ଲେଖିଥିବା ‘‘Consideration on Indian Affairs-1772 ପଢ଼ିବା ପାଇଁ । ଖୁବ୍ ସଂକ୍ଷେପରେ ଏହି ରିପୋର୍ଟରୁ କିଛି ଅଂଶ ଏଠାରେ ଉଲ୍ଲେଖ କରୁଛି ।

କମ୍ପାନୀ କପା ଲୁଗା, ରେଶମ ପୋଷାକ ଉପରେ ଏକଚାଟିଆ ବେପାର ପାଇଁ ଯେତେ ପାରନ୍ତି ବୁଣାକାରମାନଙ୍କୁ ଶୋଷଣ କରୁଛନ୍ତି । ସାରା ଭାରତ ବର୍ଷରେ ବୁଣାକାର, ସ୍ତ୍ରୀ ଲୋକ ସୂତାକଟାଳି, ତନ୍ତର ସାହାଯ୍ୟକାରି ଶ୍ରମିକ କେହି ବି ବାଦ୍ ପଡୁନାହାନ୍ତି । ଦିନକୁ ଦିନ ଏହି ଅତ୍ୟାଚାର ବଢିଚାଲିଛି । ଏପରିକି କେହି କେହି ବୁଣାକାର ଯଦି ଲୁଚିଛପି ତାଙ୍କର ଲୁଗାପଟା ବିକ୍ରି କରିବା ଦେଖିଲେ କମ୍ପାନୀ ଗୁଣ୍ଡାମାନେ (ସିପାହୀ, ପିଆଦା, ପୋଲିସ ବା ମାଜିଷ୍ଟ୍ରେଟ) ଯିଏବି ହୁଅନ୍ତୁ ଏମାନଙ୍କୁ ଗୁଣ୍ଡାଠାରୁ ଆହୁରି ଟାଣ ଶବ୍ଦରେ କହିଲେ ମଧ୍ୟ କମ ହେବ । ସମସ୍ତ ସଉଦାକୁ ବଳପ୍ରୟୋଗ କରି ଛଡାଇ ନେଉଛନ୍ତି । ବୁଣାକାରମାନଙ୍କୁ ଜେଲରେ ଠୁଙ୍କି ଦଉଛନ୍ତି । ଗୋଦା ହାତରେ ଲୁହା କଡ଼ା ଦେଇ ପକେଇ ଦେଉଛନ୍ତି । ଆଖି ପାଇବନି ଜୋରିମାନା ଆଦାୟ କରୁଛନ୍ତି । ବିଧା ଗୋଇଠା, ଚାବୁକ ମାରୁଛନ୍ତି । ସେମାନଙ୍କର ତନ୍ତ, ଅରଟ, ଯାହାବି ଛୋଟବଡ଼ ଯନ୍ତ୍ରପାତି ଭାଙ୍ଗି ଦଉଛନ୍ତି, ଘରେ ନିଆଁ ଲଗେଇ ଦେଉଛନ୍ତି । କମ୍ପାନୀର ଏଜେଣ୍ଟମାନେ ସେମାନଙ୍କଠାରୁ ଏଗ୍ରୀମେଣ୍ଟରେ ଦସ୍ତଖତ କରିବାକୁ ବାଧ୍ୟ କରୁଛନ୍ତି । ଯେଉଁମାନେ ଅମଙ୍ଗ ସେମାନଙ୍କ ସଉଦା କମ୍ପାନୀ ଜବରଦଖଲ କରି ନିଲାମ କରିଦେଉଛି । ଅତ୍ୟନ୍ତ ଭୟାବହ ଓ ଅମାନୁଷିକ କାମ କମ୍ପାନୀ ଗୁଣ୍ଡାମାନେ ରେଶମ ବୁଣାକାରମାନଙ୍କର ବୁଢ଼ା ଆଙ୍ଗୁଠିକୁ କାଟିଦେଉଛନ୍ତି ବା ଲୁହା ମାର୍ତ୍ତୁଲରେ ଛେଚି ଦଉଛନ୍ତି । ଯେପରିକି ସେମାନେ ଆଉ ସିଳ୍କଲୁଗା ବୁଣିପାରିବେ ନାହିଁ । ଲକ୍ଷ୍ୟ, କମ୍ପାନୀ ସମସ୍ତ କଞ୍ଚା ରେଶମ (Raw Silk)ବିଲାତକୁ ରପ୍ତାନି କରିବ । କମ୍ପାନୀ ଗୁଣ୍ଡା ମାନଙ୍କର ବୁଣାକାରମାନଙ୍କ ଆକ୍ରମଣ ସମସ୍ତ ଆଇନକାନୁନକୁ ଭଙ୍ଗ କରୁଛି ।

ଶେଷରେ Consideration on India Affairs ରିପୋର୍ଟରୁ ଅବିକଳ କେତେ ଧାଡି: -“Weavers also , upon their inability to perform such agreement as have been forced from them by the company’s agent , universally known in Bengal by the name of ’ Mazbukala ‘ have had their goods seized ,and sold on the spot ,to make good the deficiency ; and the winders of raw silk called ‘Nageeda ‘ have been treated also with –such injustice , that instances have been known of cutting off their thumbs to prevent them being forced to wind silk . This last kind of workmen were perused with such rigour during Lord Clives Late Government in Bengal , from a zeal for increasing the company’s investment of raw silk , that the most sacred laws of society were atrociously violated.’’୧୦ ଅନ୍ୟାୟ, ଅତ୍ୟାଚାରରେ ଆଉ ବାକି କ’ଣ ରହିଲା? ଲେଖିଲି ତ । ଲେଖା ନଟସାରଙ୍କର । ବିଚାର ଆପଣମାନଙ୍କର ।

ବ୍ୟବହାର ଉତ୍ପାଦନ ସୂଚୀ : –

  1. Irfan Habib – A people’s History of India – The Indus civilization .
  2. Sabro x v . 1. 20 , Arian , Indica x v I .
  3. Asking The Earth – Page -34 – winin Pereira and jermy sea Brook.
  4. Asking The Earth – page -34
  5. A History of Indian Agriculture – vol -III –page -57 The Mechanization of Textile Industry in England .
  6. R . C .Dutt – Economic History of India Vol – 1 , Indian Reprint Ruin of the cottage Textile Industry in india.
  7. A History of India Agriculture – Vol – III –page – 76 Introduction of seeds of plants.
  8. The people’s History of India -28 : Indian Economy 1858 – 1914 page 93 .
  9. A History of Agriculture in india – Vol – 1 by Ms Randhawa.
  10. Considerations of Indian Affairs – William Bolts page – 194, 195..

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone