୧୯୬୪ ମସିହା, ମେ ମାସ । ଏହି ମାସ ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କର ମୃତ୍ୟୁ ହୋଇଥିଲା । ଯେପରି ଜଣାଯାଏ, ମୃତ୍ୟୁର ନଅ ଦିନ ପୂର୍ବରୁ ,୧୮ ମେ ଦିନ , ସେ ଦେଉଥିଲେ ସାକ୍ଷାତକାର ମାର୍କିନ ଟି ଭି ସାମ୍ବାଦିକ ଆର୍ଣ୍ଣଲଡ ମିକେଲିସ (Arnold Michaelis) ଙ୍କୁ । ଏହାର ଦେଢ ବର୍ଷ ପୂର୍ବେ ଚୀନର ଭାରତକୁ ଆକ୍ରମଣ (ଅକ୍ଟୋବର ରୁ ନଭେମ୍ବର ୧୯୬୨) ଥିଲା ନେହରୁଙ୍କ ପାଇଁ ବେଦନାଦାୟକ । ହିନ୍ଦି-ଚୀନୀ ଭାଇ ଭାଇ ସ୍ଲୋଗାନ ଦେଇଥିବା ଜବାହାରଲାଲ ଯେପରି ଏହି ଯୁଦ୍ଧରେ ବନ୍ଧୁର ବିଶ୍ୱାସଘାତକତା ଦେଖିଥିଲେ ଓ ବିଷାଦଗ୍ରସ୍ତ ହୋଇ ପଡିଥିଲେ । ଏହି ବିଷାଦ ଯେପରି ତାଙ୍କୁ କ୍ଲାନ୍ତ ଓ ଅବସନ୍ନ କରି ଦେଇଥିଲା । ସ୍ୱରକୁ ଶୀଥିଳ କରି ଦେଇଥିଲା । ଏହି ସାକ୍ଷାତକାର ବେଳେ ତାହା ବାରି ହୋଇ ଯାଉଥିଲା । ଅଥଚ ସେ କଦାପି ନୈରାଶ୍ୟଗ୍ରସ୍ତ ହୋଇ ପଡି ନ ଥିଲେ ବରଂ ତାଙ୍କରି ଭାଷାରେ “ମୁଁ ମୋ ଜୀବନରେ ଯେତେ ସୁଯୋଗ ପାଇଛି ତାହାକୁ ନେଇ ମୁଁ ବେଶ ସନ୍ତୁଷ୍ଟ । ମୋର କୈାଣସି ହତାଶାର ଅନୁଭୂତି ନାହିଁ, ନିଃସନ୍ଦେହ ଅଛି ଏକାକୀତ୍ୱର ଅନୁଭବ ।” ତାଙ୍କର ମାନବୀୟ ଦୃଷ୍ଟିକୋଣର ଅଭିବ୍ୟକ୍ତିକୁ କୈାଣସି ପ୍ରକାରରେ ଓଜହୀନ ହୋଇ ନ ଥିଲା ତାହା ଏହି ସାକ୍ଷାତକରରୁ ପାଠକେ ବୁଝିପାରିବେ । ପାକିସ୍ଥାନ ସହ ସମ୍ପର୍କ ସନ୍ଦର୍ଭରେ ତାଙ୍କର ଦୃଢ ମତ ଯେ ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ ବା ଚୀନର ଭୂମିକାକୁ ସେ ନାପସନ୍ଦ କରିବାବେଳେ ଚୀନର ଲୋକେ କ୍ଷୁଧାରେ ନ ମରନ୍ତୁ ଚାହିଁବା ତାଙ୍କର ମାନବୀୟ ଦୃଷ୍ଟିକୋଣର କେତୋଟି ଦୃଷ୍ଟାନ୍ତ ।
ସାକ୍ଷାତକାର ଆରମ୍ଭ କରିବା ପୂର୍ବରୁ ଜବାହାରଲାଲ ନେହରୁଙ୍କର ସରକାରୀ ବାସଗୃହ ସାମନାରେ ଠିଆ ହୋଇ ସାମ୍ବାଦିକ କହୁଥିଲେ-
“ମୁଁ ଆର୍ଣ୍ଣଲଡ ମିକେଲିସ(Arnold Michaelis) । ଏଠି ଭାରତରେ, ଏହି ଘର ଉପରେ, ଯାହା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସ ଭବନ, ଏକ ବିରାଟ ପ୍ରଶ୍ନ ଝୁଲୁଛି ଯେ ଏହି ବାସଗୃହର ପରବର୍ତୀ ଅନ୍ତେବାସୀ କିଏ ହେବେ? ଯିଏ କେହି ଏହି ପଦବୀରେ ବସନ୍ତୁ ନା କାହିଁଁକି, ଏହି ଗୃହରେ ବର୍ତମାନ ରହୁଥିବା, ଅତି ମାତ୍ରାରେ ପରୋପକାରୀ, ସୁଖପ୍ରଦ, ଯଦିଓ ଆମ ଆମେରିକୀୟଙ୍କ ପାଇଁ ବେଳେବେଳେ ବିରକ୍ତିକର, କିନ୍ତୁ ସବୁବେଳେ ଆନନ୍ଦଦାୟକ ବ୍ୟକ୍ତିଙ୍କର ଭୂମିକାକୁ , ଦୁର୍ଭାଗ୍ୟକ୍ରମେ, ସେ ,ପୂରଣ କରିପାରିବେ ନାହିଁ ।
“ଜବାହାରଲାଲ ନେହରୁଙ୍କର ଅନ୍ତର୍ନିହିତ ବୈଶିଷ୍ଟ୍ୟ କଣ? ଏହି ଦିଗଟି କମ ପରିଚିତ । କିନ୍ତୁ ବିଶ୍ୱର ଆକଳନ ବିରୋଧାଭାଷ ଦ୍ୱାରା ଭରପୁର । ତଟସ୍ଥ ଏବଂ ଗୋଷ୍ଟୀ ନିରପେକ୍ଷଙ୍କର ନେତା ଭାବେ, ଭାରତର ଅସୀମ, କୋଟି କୋଟି ସଂଖ୍ୟକ ଜନଗଣଙ୍କର କର୍ଣ୍ଣଧାର ଭାବେ, ତାଙ୍କର ଚିତ୍ରଣ ହୋଇଛି ଏକ ସାଧୁ ଠାରୁ ଏକ ସଇତାନ ଯାଏ, ଏକ ଗଣତନ୍ତ୍ରବାଦୀ ଠାରୁ ଏକ ଏକଚ୍ଛତ୍ରବାଦୀ ଯାଏ । ବିଶ୍ୱର ନେତାଙ୍କ ମଧ୍ୟରେ ନେହରୁ ହେଉଛନ୍ତି ଦାର୍ଶନିକ -ରାଜନୈତିଜ୍ଞ , ଏକ ଏପରି ସଂଯୋଗ ଯେଉଁଥିରେ ତାଙ୍କର ନିନ୍ଦୁକମାନେ ଏକ ଉଦାସୀନତା , ଏକ ସହାନୁଭୂତିହୀନତାର ଲକ୍ଷଣ ଦେଖନ୍ତି ; ଦେଖନ୍ତି ଏକ ବୈାଦ୍ଧିକ ଦାମ୍ଭିକତା ।
“କିନ୍ତୁ ନୂତନ ଦୀଲ୍ଲୀର ଏହି ସରକାରୀ ବାସଭବନରେ, ଏହି ସମ୍ଭ୍ରାନ୍ତ କାଶ୍ମୀର ବ୍ରାହ୍ମଣ ପ୍ରଧାନମନ୍ତ୍ରୀ ଚାପରୁ ନିଜକୁ ସାମୟିକ ଭାବେ ମୁକ୍ତ କରି ଦେଇ ପିତା ଏବଂ ପିତାମହ ର ଆଦର ଭୂମିକାରେ ଦେଖା ଯାଇଥାନ୍ତି । ତାଙ୍କ କନ୍ୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କର (ଇନ୍ଦିରାଙ୍କର) ଦୁଇ ପୁଅ ଶ୍ରୀ ନେହରୁଙ୍କ ପାଇଁ ଏକ ପରିବାରର ପରିବେଶ ଯୋଗାଇ ଆସୁଛନ୍ତି, ପତ୍ନୀ କମଳାଙ୍କର ୧୯୩୯ରେ ମୃତ୍ୟୁ ପରେ ।
“ସେ ତାଙ୍କ କନ୍ୟାଙ୍କୁ ନଅ ବର୍ଷକାଳ, ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ ସମୟରେ, କାରାଗାରରୁ ଲେଖା ମାଧ୍ୟମରେ ଯାହା ଦେଇଥିଲେ, ତାହା ସେ ଦେଉଥିଲେ ସଶରୀରରେ ନାତିମାନଙ୍କ ସହ ମିଶି । ତିରିଶ ବର୍ଷ ସଂଗ୍ରାମର ପୁରସ୍କାର ମିଳିଥିଲା ଅଗଷ୍ଟ ୧୫, ୧୯୪୭ ଦିନ ଯେଉଁ ଦିନ ଶେଷ ବ୍ରିଟିଶ ଭାଇସରାୟ ଆଡମିରାଲ ଲର୍ଡ ଲୁଇ ମାଉଂଟବେଂଟେନ ଘୋଷଣାନାମା ପଢିଲେ ଯାହା ଦ୍ୱାରା ଜନ୍ମ ନେଲା ନୂତନ ଗଣରାଜ୍ୟ ଭାରତ, ଏବଂ ଶେଷ ହେଲା ୨୦୦ ବର୍ଷର ବ୍ରିଟିଶ ଶାସନ ।
“ଇତିହାସରେ ଏପରି କୈାଣସି ଦୃଷ୍ଟାନ୍ତ ନାହିଁ ଯେଉଁଠି ଜଣେ ପିତା ନିଜ ଝିଅକୁ କାରାଗାରରୁ ଶିକ୍ଷା ଦେଉଥିଲେ, ଚିଠି ଜରିଆରେ ! କାରାଗାରରେ ସେ ପାଇଥିଲେ ବାଧ୍ୟତା ମୂଳକ ଅବସର ଯେଉଁଠାରେ ସେ ତାଙ୍କ ପତ୍ନୀ କମଳାଙ୍କ ସ୍ମୃତିରେ ଲେଖିଥିଲେ ଆତ୍ମଜୀବନୀ । ଏବଂ ଯେଉଁଠାରେ ତାଙ୍କ ଭାବନାରେ ସେମାନଙ୍କ ସ୍ମୃତି ଜୀବିତ ଥିଲା ଯେଉଁମାନେ ତାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥିଲେ, ତାଙ୍କ ପତ୍ନୀ ତ ନିଶ୍ଚୟ, ତାଙ୍କ ପିତା, ଭାରତର ସର୍ବଶ୍ରେଷ୍ଠ କବି ରବୀନ୍ଦ୍ରନାଥ ଟାଗୋର, ଆଲବର୍ଟ ଆଇନଷ୍ଟାଇନ, ଜର୍ଜ ବର୍ଣ୍ଣାଡ ସ ,ଆବ୍ରାହାମ ଲିଙ୍କନ, ଏବଂ ତାଙ୍କର ଶିକ୍ଷକ, ବନ୍ଧୁ ଓ ପ୍ରିୟ ନେତା , ଅବିନାଶୀ ଗାନ୍ଧୀ । ସ୍ୱାଧୀନତା ଯେ କେବଳ ଅନେକ ଉତ୍ତମ ଫଳ ଆଣିଦେଲା ତାହା ନୁହେଁ , କିନ୍ତୁ ଆଣିଥିଲା ମଧ୍ୟ ଅକଳ୍ପନୀୟ ହିଂସା ଏବଂ ଅନେକ ଦୁଃଖଦ ଘଟଣା, ସବୁଠାରୁ ବଡ ଦୁଃଖଦ ଘଟଣା ଥିଲା ମହାତ୍ମା ଗାନ୍ଧୀଙ୍କର ହତ୍ୟା ।
“ ‘ଯେଉଁ ଭଳି ତାଙ୍କର ମୃତ୍ୟୁ ହେଲା,’ ନେହରୁ କହିଥିଲେ, ‘ତାହା ଥିଲା ଏକ ବିସ୍ମୟକାରୀ ନିଖୁଣ ଜୀବନର ଚରମୋକ୍ରର୍ଷୀ ଚୁଡାନ୍ତ ପରିଣତି । ସେ ଯେଉଁ ବାର୍ତା ଅଂଗୀଭୂତ କରିଥିଲେ, ତାହା କାଳ କାଳକୁ ରହିବ ଏବଂ ବୃଦ୍ଧି ପାଇବ ମଣିଷକୁ ବୁଝିବା ଭିତରେ । ଆମେ ଗଭୀର ଭାବେ ଅନୁଭବ କରୁଛୁ ଏହି ଶାନ୍ତ ଓ ବିନମ୍ର ମଣିଷର ବ୍ୟକ୍ତିତ୍ୱରେ ଥିବା ଜୀବନ୍ତ ଅନଳର ଅନୁପସ୍ଥିତି । ଏହି ବ୍ୟକ୍ତି ଯାହାଙ୍କର ଚକ୍ଷୁରୁ ପ୍ରାୟ ସବୁବେଳେ ଝରୁଥାଏ ହସ, ଅଥଚ ସେହି ଚକ୍ଷୁରେ ଥାଏ ଅସରନ୍ତି ଦୁଃଖର ଏକ ପୁଷ୍କରିଣୀ ।’ ‘ଆମେ ଯେଉଁମାନେ ତାଙ୍କୁ ଜାଣିଥିଲୁ’, ନେହରୁ କହିଥିଲେ, ‘ସେ ଆମ ପାଇଁ ଏକ ତେଜୀୟାନ ଓ ଅତି ପ୍ରିୟ ମଣିଷ ହୋଇ ରହିବେ ଯିଏ ଆମକୁ ଉନ୍ନତ କରିଥିଲେ ଏବଂ ଆମର କ୍ଷୁଦ୍ର ଜୀବନକୁ ତାତ୍ପର୍ଯ୍ୟପୂର୍ଣ୍ଣ କରିଥିଲେ । ତାଙ୍କର ତିରୋଧାନ ଆମ ଭିତରେ ଏକ ଶୂନ୍ୟତା ଓ ଏକାକୀତ୍ୱ ସୃଷ୍ଟି କରିଛି ।’
“ଇଂଲଣ୍ଡର ସମ୍ଭ୍ରାନ୍ତ ପିଟସ୍ (Pitts )ପରିବାର ପରି, ଆମେରିକାର ରୁଜଭେଲ୍ଟ (Roosevelt) ପରିବାର ପରି ଭାରତରେ ନେହରୁ ପରିବାର ସଦସ୍ୟମାନେ ବିଶ୍ୱ ରଂଗମଂଚର କେନ୍ଦ୍ରରେ ବେଶ ସହଜଭାବେ ବିଚରଣ କରିପାରୁଥିଲେ । ଶୀତଳ ଯୁଦ୍ଧ ସମୟରେ ନେହରୁଙ୍କର ତଟସ୍ଥତାର ନୀତି ଏବଂ ଆନ୍ତର୍ଜାତିକ ବ୍ୟାପାର ପରିଚାଳନରେ ତାଙ୍କର ସ୍ୱାତନ୍ତ୍ର୍ୟ ତାଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ସବୁଠାରୁ ଅଧିକ ଅନ୍ୟତମ ଲୋକପ୍ରିୟ ନେତା ଭାବେ ସ୍ୱୀକୃତ କରାଇଥିଲା ।
“ସେ ସମସ୍ତଙ୍କୁ ବନ୍ଧୁତ୍ୱର ହାତ ବଢାଉଥିଲେ, ନୀତିରେ ପାର୍ଥକ୍ୟ ଥିଲେ ମଧ୍ୟ । ଏହା ତାଙ୍କୁ ତାଙ୍କର ସମାଲୋଚକମାନଙ୍କ ଦୃଷ୍ଟିରେ ଅନିର୍ଭରଯୋଗ୍ୟ(slippery), ଏକ ନୀତିହୀନ ଅପରେଟର ଭାବେ ପରିଚିତି ଦେଉଥିଲା ବା ଦେଉଥିଲା ଏକ ଅନଭିଜ୍ଞ ରାଜନେତାର ପରିଚିତି ଯାହାଙ୍କର ଦୁର୍ବଳତା ଓ ନ୍ୟାୟପରାୟଣତାର ପକ୍ଷ ବାଛିବାରେ ଅସମର୍ଥତା ତାଙ୍କୁ ଧ୍ୱଂସ କରିଦେଇ ପାରେ ।
“ସେ ଚାଉ-ଏନ-ଲାଇଙ୍କ ସହ ବନ୍ଧୁତ୍ୱଭାବର ଆଦାନ-ପ୍ରଦାନ ଦ୍ୱାରା ବେଶ ଉଲ୍ଲସିତ ଥିଲେ ଓ ପଶ୍ଚିମ ଦେଶମାନଙ୍କରେ ପ୍ରତିକ୍ରିୟାକୁ ନେଇ ବିସ୍ମିତ ହେଉଥିଲେ । ୧୯୫୫ ବାଣ୍ଡୁଂଗ ସମ୍ମିଳନୀରେ ଏହି ବନ୍ଧୁତ୍ୱ ବେଶ ଶକ୍ତିଶାଳୀ ହୋଇଥିଲା । ଏହା ଫଳରେ ନେହରୁ ଭାରତର ସ୍ୱଳ୍ପ ପାଣ୍ଠିକୁ ସାମରିକଭାବେ ଭାରତକୁ ଗଢିବାରେ ବ୍ୟବହାର ନ କରି ଅର୍ଥନୈତିକଭାବେ ଗଢିବାରେ ବିନିଯୋଗ କରିିଥିଲେ ।
“କିନ୍ତୁ ଗୋଟିଏ ଦେଶ ଯେଉଁଠାରେ ଶତାବ୍ଦୀ ଶତାବ୍ଦୀ ଧରି ଦାରିଦ୍ର୍ୟ ରହି ଆସିଛି ସେଠାରେ ପ୍ରଗତିର ଅନୁଭବ କ୍ୱଚିତ ହୋଇଥାଏ । ନେହରୁ କହୁଥିଲେ, “ଅତୀତର ବୋଝ ଆମକୁ ଅନୁସରଣ କରୁଛି । ବେଳେ ବେଳେ ଆମେ ତାରୁଣ୍ୟ ଓ ଜୀବନୀ ଶକ୍ତିରେ ଭରପୁର ବୋଲି ଅନୁଭବ କରିଥାଉ । ଅନ୍ୟ ସମୟରେ ହଜାର ହଜାର ବର୍ଷର ଅତୀତ ଆମକୁ ତଳକୁ ଟାଣି ନେଇଥାଏ ,ଏବଂ ଆମେ ବୃଦ୍ଧତ୍ୱର ଅନୁଭବ କରୁ ଏବଂ ଦୀର୍ଘ ଅନ୍ତହୀନ ତୀର୍ଥଯାତ୍ରାର କ୍ଳାନ୍ତି ଅନୁଭବ କରୁ । ଉଭୟ ଆମର ଏକ ଅଂଶ, ଏବଂ ଏହା ଆମକୁ କରିଛି ଯାହା ଆଜି ଆମେ ।” ଏହିପରି ପରସ୍ପର ସହ ବିରାମହୀନ ମିଶ୍ରଣ ଓ ସଂଘର୍ଷ ଭିତରୁ ସବୁବେଳେ ନୂତନ କିଛି ବାହାରିଛି ।”
ସାକ୍ଷାତକାର
ନେହରୁ: “ସେ ସବୁ ଗୁଡିକ ମିଶି ମାଶି ଯାଇଛି , ନୂତନ ଏବଂ ପୂରାତନ । ଏବଂ ସେମାନେ ଚାହାନ୍ତି ପୂରାତନରୁ କିଛି ଅଂଶ ରଖିବେ ଏବଂ ଅବଶିଷ୍ଟକୁ ନୂତନ ଦ୍ୱାରା ପ୍ରତିସ୍ଥାାପିତ(replace) କରିବେ । ”
Arnold: “ମୁଁ ଲକ୍ଷ୍ୟ କରୁଛି ଆପଣ ଏବେ ବି ଚିନ୍ତିତ ,ବିଶେଷତଃ କୃଷି କ୍ଷେତ୍ରରେ, କାରଣ ଭାରତ ମୂଳତଃ ଏକ କୃଷି ଅର୍ଥନୀତି, ଅଥଚ ଏବେ ବି ଖାଦ୍ୟ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ।”
ନେହରୁ: “ହଁ, ଏହା ଆମକୁ ବେଶ ବିବ୍ରତ କରୁଛି । କାରଣ ଆମେ ଖାଦ୍ୟ ପାଇଁ ନିର୍ଭରଶୀଳ ହେବାକୁ ଚାହୁଁନା । କିନ୍ତୁ ମୁଁ ଭାବୁଛି କିଛି ବର୍ଷ ଭିତରେ ….. ”
Arnold: “ଆପଣ କ’ଣ ଭାବୁଛନ୍ତି ଆତ୍ମ ନିର୍ଭରଶୀଳ ହୋଇ ଯିବେ?”
ନେହରୁ: “ମୁଁ ଭାବୁଛି, ହଁ । ଆମେ ଆମ ପାଇଁ ଯଥେଷ୍ଟ ଉତ୍ପାଦନ କରିବା ଉଚିତ, ତାହାଠାରୁ କିଛି ଅଧିକା ମଧ୍ୟ କରାଯାଇପାରେ ।”
Arnold: “ଆପଣ ଚାଷୀଙ୍କଠାରେ ପୂରାତନ ପଦ୍ଧତି ଛାଡିବା ପାଇଁ ମାନସିକତା ବଢୁଥିବା ଲକ୍ଷ୍ୟ କରୁଛନ୍ତି କି ? କାରଣ ମୁଁ ଜାଣେ ଅତୀତରେ ଏହା ଆପଣଙ୍କ ପାଇଁ ଏକ କଠିନ ସମସ୍ୟା ଥିଲା ।”
ନେହରୁ: “ତାହା ପ୍ରକୃତରେ କଠିନ ସମୟ ଥିଲା । ଆମର ବହୁତ ସାଧାରଣ ପଦ୍ଧତି ରହିଛି ଉତ୍ପାଦନ ବଢାଇବା ପାଇଁ । କିନ୍ତୁ ତିରିଶ କୋଟି ଲୋକଙ୍କୁ କିପରି ପ୍ରବର୍ତାଇ ପାରିବୁ ତାହା ଥିଲା ଏକ ବଡ ସମସ୍ୟା । ମୋର ମନେ ହୁଏ ଆମେ ନୂତନ ପଦ୍ଧତି ସହ ଅଭ୍ୟସ୍ତ ହେଉଛୁୁ, ଏବଂ ଏହାଦ୍ୱାରା ଉତ୍ପାଦନରେ ବୃଦ୍ଧି ହେବ ।
Arnold:“ଶ୍ରୀଯୁକ୍ତ ନେହରୁ, ଯାହା ଆପଣଙ୍କୁ ବ୍ୟସ୍ତ କରୁଛି, ଭାରତକୁ ବ୍ୟସ୍ତ କରୁଛି, ଯେପରି ମୁଁ ଜାଣେ, ତାହା ହେଉଛି ଜନ୍ମ ହାର(birth rate) ଓ ଜନସଂଖ୍ୟାରେ ବୃଦ୍ଧି, ଯାହା ଆପଣଙ୍କର କୃଷିରେ ଯେଉଁ ପ୍ରଗତି ହେଉଛି ତାହାକୁ ବ୍ୟର୍ଥ କରିଦେଇପାରେ । ।
ନେହରୁ: “ଏହା ହିଁ ହେଉଛି । କାରଣ ଆମର ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏହାକୁ ବ୍ୟର୍ଥ କରୁଛି । ଆମେ ଭାରତରେ ମେଲେରିଆର ପ୍ରଭାବକୁ ବ୍ୟବହାରିକଭାବେ ସମାପ୍ତ କରି ଦେଇଛୁ , ଟାଇଫଏଡକୁ ବହୁଳ ଭାବରେ ମଧ୍ୟ । ସାଧାରଣତଃ ଲୋକମାନଙ୍କର ଖାଦ୍ୟ ଆହାରରେ ବୃଦ୍ଧି ହୋଇଛି । ତେଣୁ କେତେକାଂଶରେ ଖାଦ୍ୟାଭାବର କାରଣ ହେଉଛି ଲୋକମାନଙ୍କର ଖାଦ୍ୟାହାରରେ ବୃଦ୍ଧି । ଏହା ଛଡା ଲୋକେ ଭଲ ପୋଷାକ ପିନ୍ଧୁଛନ୍ତି । ଏହା ହେବ ହିଁ ହେବ । ଆମେ ମଧ୍ୟ ଚାହୁଁ ଏହା ହେଉ, ଲୋକେ ବେଶୀ ଖାଆନ୍ତୁ ଏବଂ ଭଲ ପିନ୍ଧନ୍ତୁ । ଏବଂ ଏହା ହିଁ ରାସ୍ତା ଓଗାଳୁଛି ଏବଂ ଜନସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ପରିବାର ନିୟୋଜନ ଏବଂ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକାରୀ କରିବା ପାଇଁ । ”
Arnold: “ଆପଣ କଣ ଏହି ଦିଗରେ ହୋଇଥିବା କିଛି ମାସର ପ୍ରଗତି ଦ୍ୱାରା ଉତ୍ସାହିତ?”
ନେହରୁ: “ହଁ, ପ୍ରଗତିର ଫଳ ପାଇବା ପାଇଁ କିଛି ସମୟ ଲାଗିବ । ପୁଣି ଭାରତ ଯେ ଏତେ ବଡ ଓ ବିଶାଳ, ଯଦିଓ ଆମେ ବେଶ କିଛି କରୁଛୁ ତଥାପି ଏହାକୁ ଆମେ ପର୍ଯ୍ୟାପ୍ତ କହି ପାରିବୁ ନାହିଁ ।”
Arnold: “ଅବଶ୍ୟ ଏହା ଆପଣ କହି ପାରନ୍ତି । ଅପର ପକ୍ଷରେ ଏହା ଯେ ଆପଣଙ୍କୁ ଯୋଗାଉଛି ଲୋକଶକ୍ତି(Manpower) ଯାହାର ମୂଲ୍ୟ ଅଛି ଯଦି ଆପଣ ଏହି ଶକ୍ତିର ସଠିକ ଉପଯୋଗ ପାଇଁ ମାର୍ଗ ପାଆନ୍ତି ।”
ନେହରୁ: “ହଁ , ଯଦି ପାଏ । କିନ୍ତୁ ଏହା ସହଜ ନୁହେଁ , ଭାରତର ବିଶାଳ ଲୋକଶକ୍ତିର ଉପଯୋଗ କରିବା । ଆମେ ବେଶ କିଛି ଚେଷ୍ଟା କରୁଛୁ । କୃଷି କ୍ଷେତ୍ରକୁ ଦେଖାଯାଉ । ଯେଉଁ କାମକୁ ଅଳ୍ପ କିଛି ଲୋକଙ୍କ ଦ୍ୱାରା କରି ହେବ, ସେଠାରେ ଦୁଇଗୁଣ ବା ତିନି ଗୁଣ ଲୋକ କାମରେ ଲାଗୁଛନ୍ତି । ଅର୍ଥାତ୍ ଅନେକଙ୍କର ଅନାବଶ୍ୟକ ବ୍ୟବହାର ହେଉଛି । ଆମର ସମସ୍ୟା ପ୍ରକୃତ କର୍ମସଂସ୍ଥାନ ନୁହେଁ , ତାଠାରୁ ବଡ ସମସ୍ୟା ହେଉଛି ଆଂଶିକ କର୍ମସଂସ୍ଥାନ(under employment) । ମୁଁ ମନେକରେ ପ୍ରତ୍ୟେକ ଦେଶ ଚାହେଁ ଏକ ଜନମଙ୍ଗଳ ରାଷ୍ଟ୍ର ହେବା ପାଇଁ କାରଣ ସେ ଚାହେଁ ତାର ନାଗରିକର କଲ୍ୟାଣ । କିନ୍ତୁ ବର୍ତମାନ ସମୟରେ ଆମେ ତାହା କରି ପାରୁ ନାହିଁ, ଯେତେ ଉତ୍ପାଦନ କଲେ ମଧ୍ୟ । ତାହା କେତେକ ଲୋକଙ୍କ ପାଖରେ ହିଁଁ ଠୁଳ ହେଉଛି । ଅନ୍ୟଙ୍କ ପାଖରେ ପହଂଚୁ ନାହିଁ । ତେଣୁ ସମସ୍ୟା ସୃଷ୍ଟି ହେଉଛି । ଯାହାର ଅଛି ଓ ଯାହାର ନାହିଁ ସେମାନଙ୍କ ମଧ୍ୟରେ ବ୍ୟବଧାନ ବଢୁଛି । ଆମେ ଚାହୁଁ ଏହି ବ୍ୟବଧାନ ଲୋପ ପାଉ ।”
Arnold: “ଅବଶ୍ୟ ଥିବା ବାଲା ବନାମ ନ ଥିବା ବାଲାଙ୍କ ଠୁଳିକରଣ ପ୍ରସଂଗ, ପାରମ୍ପରିକ ଭାବେ ଏବଂ ଐତିହାସିକ ଭାବେ ଦେଖିଲେ, ମାର୍କ୍ସ(Marx)ଙ୍କୁ ପ୍ରୋତ୍ସାହିତ କରିଥିବ ତାଙ୍କର ଘୋଷଣାପତ୍ର (manifesto)ଲେଖିବା ପାଇଁ ।”
ନେହରୁ: “ମାର୍କ୍ସ ପ୍ରାୟ ଶହେ ବର୍ଷ ତଳେ ଏହି ସମସ୍ୟା ଗୁଡିକର ବିଚାର କରିଥିଲେ ଯେତେବେଳେ ବିଶ୍ୱ ବହୁତ ଭିନ୍ନ ଥିଲା, ଯେତେବେଳେ ବ୍ୟବହାରିକ ଭାବେ ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ କୈାଣସି ପ୍ରଭାବଶାଳୀ ସରକାର ନ ଥିଲା ଏବଂ ଗଣତନ୍ତ୍ରର ଧାରଣା ସେପରି ବ୍ୟାପକ ହୋଇ ନ ଥିଲା । ମୋର ମନେ ହୁଏ ସେତେବେଳେ ସେ ଭାବୁଥିଲେ ବିନା ହିଂସାରେ କୈାଣସି ପରିବର୍ତନ ସମ୍ଭବ ନୁହେଁ । କିନ୍ତୁ ବର୍ତମାନ ସେପରି ନୁହେଁ । ଗଣତନ୍ତ୍ର ପରିବର୍ତନର ପଦ୍ଧତି ଦେଇଛି । ଏବଂ ମାର୍କ୍ସଙ୍କର ଧାରଣା ଯେ ଧନୀ ଗରିବ ମଧ୍ୟରେ ବ୍ୟବଧାନ ବଢିବ, ଧନୀ ଅଧିକ ଧନୀ ହେବ, ଗରିବ ଆହୁରି ଗରିବ ହେବ ତାହା, ଇତ୍ୟବସରରେ ଘଟିଥିବା ବହୁ ଘଟଣା ଅନୁସାରେ , ଭୁଲ ପ୍ରମାଣିତ ହୋଇଛି, ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକାରେ ଓ ଅନ୍ୟ ଅଂଚଳରେ ମଧ୍ୟ । ତେଣୁ ଯଦିଓ ମାର୍କ୍ସଙ୍କର ଦୃଷ୍ଟି ଥିଲା ବ୍ୟାପକ ଓ ତାଙ୍କର କହିଥିବା ଅନେକ କଥା ସତ୍ୟ ହୋଇଛି, ଅନେକ କଥା ସତ୍ୟ ମଧ୍ୟ ହୋଇ ନାହିଁ । ମୁଁ ବୋଧହୁଏ କେଉଁଠାରେ ବ୍ୟବହାର କରିଥିଲି ଶବ୍ଦଟିଏ କହିବାକୁ ଯେ ସେମାନେ ନୂତନ ସମୟର ଅଧିବିଦ୍ୟା ବିଶାରଦ(metaphysician) ।”
Arnold: “ଏହା ମୋତେ ବିସ୍ମିତ କରୁଛି ଯେ ଆପଣ କମୁ୍ୟନିଷ୍ଟଙ୍କ ପାଇଁ ଅଧିବିଦ୍ୟା ବିଶାରଦ(metaphysician) ପଦର ବ୍ୟବହାର କରୁଛନ୍ତି ।”
ନେହରୁ: “ସେମାନଙ୍କ ପାଇଁ ମୁଁ ଏପରି କହିଥିଲି କାରଣ ସେମାନେ ସବୁବେଳେ ଆଦର୍ଶକୁ ନେଇ ତର୍କ କରିଥାନ୍ତି ଏବଂ ଯାହା ଘଟୁଛି ତାହାର ତାତ୍ତ୍ୱିକ ବିଶ୍ଳେଷଣ କରିଥାନ୍ତି, ତଥ୍ୟ ପ୍ରକୃତରେ ଯାହା ହେଉ ନା କାହିଁକି ।”
Arnold: “ଯେଉଁ କାରଣରୁ ଏହା ପ୍ରତି ମୋର ଆଗ୍ରହ ହୋଇଛି ତାହା ହେଉଛି ଜୀବନରେ ତ୍ୟାଗ ଉପରେ ଗୁରୁତ୍ୱ ଦେବାର ପ୍ରବଣତା ଭାରତରେ କେତେକ କ୍ଷେତ୍ରରେ ଦେଖାଯିବା । ମୁଁ ବୁଝୁଛିି ଏହା ଆମକୁ ଏକ ଦୀର୍ଘ ଆଦର୍ଶଗତ ଏବଂ ଦାର୍ଶନିକ ଆଲୋଚନା ଭିତରକୁ ନେଇଯିବ । କିନ୍ତୁ ଜୀବନରେ ତ୍ୟାଗ ତଥ୍ୟ ସହ ମେଳ ଖାଏ ନାହିଁ, ନା ମେଳ ଖାଏ? ”
ନେହରୁ: “ନା, ଏହା କେବଳ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ, ବଡ ଗୋଷ୍ଠୀଙ୍କ ପାଇଁ ନୁହେଁ । ମୋ ମତରେ ତ୍ୟାଗର ଧାରଣା ଭଲ ଅଟେ, କିନ୍ତୁ ମୈାଳିକ ଆବଶ୍ୟକତା ଗୁଡିକ ଉପଲବ୍ଧ କରାଯିବା ପରେ । ଆଜିକା ଦିନରେ, ଦାରିଦ୍ର୍ୟ ପ୍ରପୀଡିତ ଜନତା ପାଇଁ ତ୍ୟାଗର ଧାରଣା ଉଦ୍ଭଟ ଅଟେ କାରଣ ସେମାନଙ୍କ ପାଖରେ କେତେ ବା ଆଉ ରହିଯାଇଛି ତ୍ୟାଗ କରିବାକୁ ।
Arnold: ଆପଣ ସଂଖ୍ୟାଲଘୁଙ୍କ ବିଚାରକୁ ପ୍ରତିନିଧିତ୍ୱ କରନ୍ତି । କିନ୍ତୁ ଆପଣଙ୍କ ଭାରତରେ ବିଭିନ୍ନ ବିଚାରର ସଂଖ୍ୟାଲଘୁ ସମ୍ପ୍ରଦାୟ ଅଛନ୍ତି । ଏବଂ ସଂଖ୍ୟାଲଘୁଙ୍କ ମଧ୍ୟରେ ବୈଷମ୍ୟର ଚାବି କଣ ରହିଛି ୧୯୪୭ ମସିହାର ଦେଶ ବିଭାଜନ ଆଧାରରେ?
ନେହରୁ: “ହଁ, ସେହିପରି । ବର୍ତମାନ ଚିନ୍ତା ହେଉଛି ଧର୍ମୀୟ ସଂଖ୍ୟାଲଘୁଙ୍କୁ ନେଇ, ଯାହା ସହିତ ଅନ୍ୟାନ୍ୟ ସମସ୍ୟା ଅବଶ୍ୟ ମିଶିଛି । କିନ୍ତୁ ମୁଖ୍ୟତଃ ଧର୍ମୀୟ ସଂଖ୍ୟାଲଘୁଙ୍କ କଥା । ଏମାନଙ୍କର ଭୟ ହେଉଥିଲା ଯେ ଭାରତ ସ୍ୱାଧୀନ ହେଲେ ସେମାନେ ସଂଖ୍ୟାଲଘୁ ହୋଇ ରହିଯିବେ ଯାହା ସେମାନେ ଆଦୈା ପସନ୍ଦ କରୁ ନ ଥିଲେ ।”
Arnold: “ଆପଣ, ଶ୍ରୀଯୁକ୍ତ ଗାନ୍ଧୀ ଏବଂ ଶ୍ରୀଯୁକ୍ତ ଜିହ୍ନା ସମସ୍ତେ ସ୍ୱାଧୀନତା ପୂର୍ବରୁ ଓ ବିଭାଜନ ପୂର୍ବରୁ ,ବ୍ରିଟିଶ ଆଧିପତ୍ୟରୁ ଭାରତକୁ ସ୍ୱାଧୀନ କରିବାର ସଂଗ୍ରାମରେ ସାମିଲ ଥିଲେ ।”
ନେହରୁ: “ଶ୍ରୀଯୁକ୍ତ ଜିହ୍ନା ଆଦୈା ସ୍ୱାଧୀନତା ସଂଗ୍ରାମରେ ସାମିଲ ନ ଥିଲେ । ପ୍ରକୃତରେ ସେ ଏହାକୁ ବିରୋଧ କରୁଥିଲେ । ମୁସଲିମ ଲିଗ ବୋଧହୁଏ ୧୯୧୧ରେ ଆରମ୍ଭ ହୋଇଥିଲା । ଏହା ପ୍ରକୃତରେ ବ୍ରିଟିଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ସେମାନଙ୍କର ପ୍ରେତ୍ସାହନ ପାଉଥିଲା ଆମ ଭିତରେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିବା ପାଇଁ । ଏହା କିଛି ପରିମାଣରେ ସଫଳ ହୋଇଥିଲା । ଶେଷରେ ଆସିଥିଲା ବିଭାଜନ ।
Arnold: “ମୁଁ ଶୁଣିଥିଲି ଯେ ଆପଣ ଏବଂ ଶ୍ରୀଯୁକ୍ତ ଗାନ୍ଧୀ ବିଭାଜନ ସମର୍ଥନରେ ଥିଲେ ।”
ନେହରୁ: “ଶ୍ରୀଯୁକ୍ତ ଗାନ୍ଧୀ ଶେଷ ପର୍ଯ୍ୟନ୍ତ ଏହାର ସମର୍ଥନରେ ନ ଥିଲେ । ଏପରିକି ଯେତେବେଳେ ଏହା ହେଲା ସେ ଏହାକୁ ସମର୍ଥନ କରୁ ନ ଥିଲେ । ମୁଁ ମଧ୍ୟ ଏହାର ସମର୍ଥନରେ ନ ଥିଲି । କିନ୍ତୁ ଶେଷକୁ ମୁଁ ସ୍ଥିର କଲି , ଅନ୍ୟମାନଙ୍କ ଭଳି, ଯେ ସବୁବେଳେ ଗଣ୍ଡଗୋଳ ଲାଗି ରହିବା ଠାରୁ ବିଭାଜନ ହିଁ ଶ୍ରେୟସ୍କର । ଆପଣ ଦେଖନ୍ତୁ, ମୁସଲିମ ଲିଗର ନେତାମାନେ ଥିଲେ ବଡ ବଡ ଜମି ମାଲିକ ଯେଉଁମାନେ ଭୂସଂସ୍କାର ଚାହୁଁ ନ ଥିଲେ । କିନ୍ତୁ ଆମେ ବ୍ୟଗ୍ର ଥିଲୁ ଭୂସଂସ୍କାର ପାଇଁ ଯାହା ଆମେ ପରେ କଲୁ । ଏହା ଗୋଟିଏ କାରଣ ଯେଉଁଥିପାଇଁ ଆମେ ବିଭାଜନ ପାଇଁ ରାଜି ହେଲୁ । ଆମେ ଭାବିଲୁ ଯଦି ସେମାନେ ଆମ ସହିତ ରହିବେ, ଗଣ୍ଡଗୋଳ ଅବ୍ୟାହତ ରହିବା ସହିତ, ସେମାନେ ଆମର ବହୁ କାର୍ଯ୍ୟକ୍ରମକୁ ବିରୋଧ କରିବେ । ତେଣୁ ଆମେ କହିଲୁ ଯେ ବରଂ ଭାରତର ଗୋଟିଏ ଅଂଶକୁ ଆମେ ଗ୍ରହଣ କରିଯିବା ଏବଂ ଯେଉଁମାନେ ସଂସ୍କାର କାର୍ଯ୍ୟକ୍ରମକୁ ବିରୋଧ କରନ୍ତି ସେମାନଙ୍କ ସହ ନ ବାନ୍ଧି ହୋଇ ଆମର ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇ ନେବା ।”
Arnold: “ତଥାପି ଭାରତରେ ମୁସଲମାନଙ୍କ ସହ ଆପଣଙ୍କର ଶତାବ୍ଦୀ ଶତାବ୍ଦୀ କାଳ ବ୍ୟାପି ଭ୍ରାତୃତ୍ୱ ପୂର୍ଣ୍ଣ ଜୀବନ ଯାପନ ହୋଇ ନାହିଁ କି?”
ନେହରୁ: “ହଁ ଶହ ଶହ ବର୍ଷ ଧରି ଭାରତରେ , ସାମୟିକ ସଂଘର୍ଷ ସତତ୍ୱେ ଭ୍ରାତୁତ୍ୱ ପୂର୍ଣ୍ଣ ଜୀବନ ଯାପନ ଚାଲି ଥିଲା । ସବୁଠାରୁ ବଡ କଥା ହେଉଛି ହିନ୍ଦୁମାନେ ଧର୍ମାନ୍ତିକରଣରେ ଆଗ୍ରହୀ ସମ୍ପ୍ରଦାୟ ନ ଥିଲେ । ଅପର ପକ୍ଷ କଣ କଲା ତାହାକୁ ସେମାନେ ଗୁରୁତ୍ୱ ଦେଉ ନ ଥିଲେ । କିନ୍ତୁ ମୁସଲମାନମାନେ ଆଗ୍ରହୀ ଥିଲେ ଧର୍ମାନ୍ତିକରଣରେ ଓ ଧର୍ମାନ୍ତରିତ ଗୋଷ୍ଠୀ ସୃଷ୍ଟି କରିବାରେ । ପ୍ରକୃତରେ ପ୍ରାୟ ସବୁ ମୁସଲମାନ ହିନ୍ଦୁଙ୍କର ହିଁ ଦାୟାଦ ଥିଲେ । ମୁଷ୍ଟିମେୟ କିଛି ବାହାରୁ ଆସିଥିଲେ ।”
Arnold: “ତେଣୁ ସେମାନେ ଧର୍ମାନ୍ତିକରଣରେ ସଫଳ ହେଉଥିଲେ ।”
ନେହରୁ: “ହଁ, କିନ୍ତୁ ବହୁତ ସୀମିତ, ଆପେକ୍ଷିକ ଭାବେ କମ । ଶହ ଶହ ବର୍ଷ ପରେ ମଧ୍ୟ ଜନସଂଖ୍ୟାର ଏକ ଚତୁର୍ଥାଂଶଠାରୁ କମ ଲୋକଙ୍କର ଧର୍ମାନ୍ତରଣ ହୋଇଛି ।”
Arnold: “ଭାରତରେ ବର୍ତମାନ ମୁସଲମାନଙ୍କ ସଂଖ୍ୟା କେତେ?”
ନେହରୁ: “ମୁଁ ସଠିକ ଜାଣି ନାହିଁ । କିନ୍ତୁ ମନେ ହୁଏ ୫ କୋଟିରୁ କିଛି ଅଧିକ ।”
Arnold: “ଏହାର ଅର୍ଥ ଆପଣଙ୍କର ଦେଶ ମୁସଲମାନ ଜନସଂଖ୍ୟାରେ ଦ୍ୱିତୀୟ ବା ତୃତୀୟ ସବୁଠାରୁ ବଡ ଦେଶ?”
ନେହରୁ: “ତୃତୀୟ ବଡ ଦେଶ ।”
Arnold: “ଏହା ଜଣେ ବାହାର ଲୋକ ପାଇଁ ବୁଝିବା ବେଶ କଠିନ, ଶ୍ରୀଯୁକ୍ତ ନେହରୁ, ଯେ ବିଭାଜନର ଭିତ୍ତି କଣ ହୋଇପାରେ । ଯଦି ହିନ୍ଦୁ ମୁସଲମାନ ମଧ୍ୟରେ ଦୂରତା ଭିତ୍ତି ହୁଏ ତାହାହେଲେ ଏବେ ବି ଭାରତରେ ଯେ ୫ କୋଟିରୁ ଅଧିକ ମୁସଲମାନ ଅଛନ୍ତି ।”
ନେହରୁ: “କିପରି ସେମାନଙ୍କୁ ତୁମେ ଅଲଗା କରିବ? ସେମାନେ ଗାଁରେ ରୁହନ୍ତି । ସେମାନେ ଯେଉଁଠି ରୁହନ୍ତି ତାହା ଗୋଟିଏ ସଘନ ଅଂଚଳ ନୁହେଁ । ଯେଉଁଠି ବହୁଳ ସଂଖ୍ୟାରେ ମୁସଲମାନ ଅଛନ୍ତି । ତାହା ଆଜିର ପାକିସ୍ଥାନ । କିନ୍ତୁ ଭାରତର ଗାଁମାନଙ୍କରେ ମୁସଲମାନ ଏବଂ ହିନ୍ଦୁ ଏକ ସଂଗରେ ରହୁଛନ୍ତି । ତେଣୁ ସେମାନଙ୍କୁ ଅଲଗା କରିବା ଅର୍ଥ ଏକ ଜନସମୁଦାୟ ମଧ୍ୟରୁ ସେମାନଙ୍କର ମୂଳୋତ୍ପାଟନ । ଏହାହିଁ ଏକ କାରଣ ଥିଲା ବିଭାଜନକୁ ବିରୋଧ କରିବାର ।”
Arnold: “ସେ ଭଳି କ୍ଷୁଦ୍ର ବିଶ୍ୱ (microcosm) ଆପଣଙ୍କର କାଶ୍ମୀରରେ ନାହିଁ କି?”
ନେହରୁ: “ନା ସେହି ଅର୍ଥରେ ନୁହେଁ । କାରଣ କାଶ୍ମୀରରେ ମୁସଲମାନ ବହୁସଂଖ୍ୟକ ଥିଲେ ଏବଂ ଅଛନ୍ତି ।”
Arnold: “କିନ୍ତୁ ଏବେ ବି ଏହା ଗୋଟିଏ ମିଶ୍ରିତ ସମୁଦାୟ ।”
ନେହରୁ: “ହଁ , ଏହା ଗୋଟିଏ ମିଶ୍ରିତ ସମୁଦାୟ । କିନ୍ତୁ କାଶ୍ମୀରରେ , କାଶ୍ମୀର ଉପତ୍ୟକାରେ ମୁସଲମାନ ହେଉଛନ୍ତି ସଂଖ୍ୟା ଗରିଷ୍ଠ ।”
Arnold: “ତଥାପି ଏହି ରାଜ୍ୟ ଯାହା ଥିଲା ଏକ ଦେଶୀୟ ରାଜ୍ୟ , ପାକିସ୍ଥାନ ସହ ନୁହେଁ ବରଂ ଭାରତ ସହ ଯୋଡି ହେବା ପାଇଁ ସମ୍ମତ ହେଲା ।”
ନେହରୁ: “ହଁ, ସମ୍ମତ ହେଲା ଯେତେବେଳେ ପାକିସ୍ଥାନ ଭାରତକୁ ଆକ୍ରମଣ କଲା ବା ପାକିସ୍ଥାନ ଆଦିବାସୀ ଲୋକଙ୍କୁ ଭାରତ ଆକ୍ରମଣରେ ସାହାଯ୍ୟ କଲା ।”
Arnold: “ଆପଣ କହୁଛନ୍ତି ଯେ ଭାରତର ସେହି ଅଂଚଳକୁ ଯେଉଁଠି ଜାମ୍ମୁ ଏବଂ କାଶ୍ମୀର ଥିଲା ?”
ନେହରୁ: “ହଁ, ଜାମ୍ମୁ ଏବଂ କାଶ୍ମୀର । କାଶ୍ମୀରର ଲୋକେ ଏହି ଆକ୍ରମଣକୁ ବିରୋଧ କରିଥିଲେ । ଅର୍ଥାତ୍ କେବଳ ସେଠାରେ ଥିବା ମହାରାଜା ନୁହନ୍ତି ଅନ୍ୟମାନେ ମଧ୍ୟ, ଯେପରି ଜାତୀୟ କନଫରେନ୍ସ (National Conference)ଯାହା ପ୍ରାୟ ଜାତୀୟ କଂଗ୍ରେସର ଏକ ଅଂଶ ଥିଲା, ବିରୋଧ କରିଥିଲେ ।”
Arnold: “ଅର୍ଥାତ୍ ମୁସଲମାନମାନେ ବିରୋଧ କରିଥିଲେ ।”
ନେହରୁ: “ହଁ, ମୁସଲମାନମାନେ ନିଜେ ବିରୋଧ କରିଥିଲେ । ତାପରେ ସେମାନେ ଚାହିଁଲେ ଭାରତ ସହିତ ଯୋଡି ହେବାକୁ । ଉଭୟ ମହାରାଜା ଏବଂ ଜାତୀୟ କନଫରେନ୍ସ(National Conference) ସେଠାରେ ଉପସ୍ଥିତ ଥିଲେ । ଏବଂ ଆମେ ରାଜି ହେଲୁ । ଏହା ପୂର୍ବର୍ରୁ ଆମେ ସନ୍ଦେହରେ ଥିଲୁ ଯେ ସେମାନେ କେଉଁ ପଟକୁ ଢଳିବେ । ସେମାନେ ରାଜି ହେଲେ ଏବଂ ତାପରେ ଆଦିବାସୀ ଆକ୍ରମଣକାରୀଙ୍କଠାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ, ଆମକୁ ସୈନ୍ୟ ପଠାଇବାକୁ ପଡିଲା । ପ୍ରାୟ ବର୍ଷେ,ଚଉଦମାସ ଯାଏ ଏପରି ଚାଲିଲା । ତାପରେ ହେଲା ଯୁଦ୍ଧ ବିରତି ।
Arnold: ସେତେବେଳେ, ଶ୍ରୀଯୁକ୍ତ ନେହରୁ, କାଶ୍ମୀର ଲୋକଙ୍କ ମଧ୍ୟରେ ଜନମତ ସଂଗ୍ରହ(କ୍ଟ୍ରକ୍ଷରଭସଗ୍ଦମସଗ୍ଧର) କଥା ଉଠିଥିଲା କି?
ନେହରୁ: “ସେପରି କିଛି କଥାବାର୍ତା ହୋଇ ନ ଥିଲା । ମୁଁ ଭାବୁନାହିଁ ଜନମତ ସଂଗ୍ରହ(plebiscite) ପଦର ମୁଁ ବ୍ୟବହାର କରିଥିଲି, କିନ୍ତୁ ଘୋଷଣା କରିଥିଲି ଯେ କାଶ୍ମୀରର ଲୋକେ ସ୍ଥିର କରିବେ ସେମାନେ କେଉଁ ଆଡକୁ ଯିବେ । ଏହା ସତ୍ତ୍ୱେ ପାକିସ୍ଥାନର ନେତାମାନେ ଏହାକୁ ପ୍ରତ୍ୟାଖାନ କଲେ । ଜାତିସଂଘ ଏହା ଭିତରେ ପଶିଲା । ଏବଂ ସେମାନେ ଏକ ପ୍ରସ୍ତାବ ଦେଲେ ଯେଉଁଥିରେ ଅବଶ୍ୟ ଜନମତ ସଂଗ୍ରହ(plebiscite)ର ଉଲ୍ଲେଖ ହୋଇଥିଲା । କିନ୍ତୁ ଏହି ପ୍ରସ୍ତାବରେ ଥିଲା କେଉଁ କେଉଁ ସର୍ତର ପାଳନ କରାଯିବ ଜନମତ ସଂଗ୍ରହ ପୂର୍ବରୁ । ସର୍ତ ଗୁଡିକ ମଧ୍ୟରୁ ଗୋଟିଏ ଥିଲା ଯେ ପାକିସ୍ଥାନ କାଶ୍ମୀରରୁ ତାର ସୈନ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବ । ଭାରତ ତାର ସୈନ୍ୟ ଉପସ୍ଥିତିକୁ ହ୍ରାସ କରିବ କାରଣ କାଶ୍ମୀର ଭାରତ ସହ ମିଶି ଯାଇଥିବାରୁ ସେଠାରେ ଆଇନ ଶୃଂଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ଥିଲା ଭାରତର । ତେଣୁ ଭାରତର ସୈନ୍ୟ କାଶ୍ମୀରରେ ରହିବେ, ଅବଶ୍ୟ କମ ସଂଖ୍ୟାରେ । କିନ୍ତୁ ସେହି ଦିନ ଠାରୁ ପାକିସ୍ଥାନ ସେ ଅଂଚଳରୁ ତାର ସୈନ୍ୟ ଅପସାରିତ କରି ନାହିଁ । ଏବଂ ଯେହେତୁ ତାହା ହେଲା ନାହିଁ ତେଣୁ ଜନମତ ସଂଗ୍ରହ(plebiscite)ର ପ୍ରଶ୍ନ ଉଠିଲା ନାହିଁ । ବର୍ଷେ , ଦୁଇ ବର୍ଷ ଅପେକ୍ଷା କରିବା ପରେ, ଜାମ୍ମୁ ଏବଂ କାଶ୍ମୀର ଚାହିଁଲା ସେମାନଙ୍କର ଏକ ସମ୍ବିଧାନ ହେଉ । ସେମାନେ ଏକ ସମ୍ବିଧାନ ସଭାର ଗଠନ କଲେ, ତାଙ୍କ ଅଂଚଳର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସଭ୍ୟମାନଙ୍କୁ ନେଇ । ଏହି ସମ୍ବିଧାନ ସଭା ଭାରତ ସହ ମିଶ୍ରଣକୁ ସ୍ୱୀକୃତି ଦେଲା ଏବଂ କିଛି ସଂସ୍କାର, ଭୂୁସଂସ୍କାର ନୀତି ପ୍ରଣୟନ କଲା ଯାହା ବେଶ ସୁଦୂର ପ୍ରସାରୀ ଥିଲା । ଗତ ବାର ବା ସେହିଭଳି କିଛି ବର୍ଷରେ ଆମର ତିନୋଟି ସାଧାରଣ ନିର୍ବାଚନ ହୋଇଯାଇଛି । ସାବାଳକ ଭୋଟ ଦ୍ୱାରା ନିର୍ବାଚନ ପରେ ସେଠାରେ ବିଧାନ ସଭାର ଗଠନ ହୋଇଛି ଏବଂ କାର୍ଯ୍ୟ କରୁଛି । ଜଣେ ନିର୍ବାଚନ କମିଶନରଙ୍କ ତଦାରଖରେ ନିର୍ବାଚନ ସଂଚାଳିତ ହେଉଛି ଯେପରିକି ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ହେବ । ନିର୍ବାଚନ କମିଶନର, ସରକାରଙ୍କ ନିର୍ଦେଶରେ କାର୍ଯ୍ୟ କରନ୍ତି ନାହିଁ । ସେ ଯାହା ଚାହିଁବେ ତାହା କରିପାରିବେ । ସେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି । ସେହି ଦିନଠାରୁ ରାଜ୍ୟର ସ୍ୱୟତ୍ତା ରହିଛି । ଏବଂ ସେମାନେ ରାଜ୍ୟ ସରକାରକୁ ଚଳାଉଛନ୍ତି ।”
Arnold: “କାହିଁକି ଗତ କେତେ ବର୍ଷ ହେଲା ଜନମତ ସଂଗ୍ରହ(plebiscite)କୁ ଭାରତ ମନା କରି ଚାଲିଛି?”
ନେହରୁ: “ ମୁଁ ଆରମ୍ଭ କରିବି ଏହା କହି ଯେ ଯେଉଁ ତିନୋଟି ସାଧାରଣ ନିର୍ବାଚନ ଗତ ବାର ବର୍ଷ ଭିତରେ ହୋଇଛି ସେ ଗୁଡିକ ନିଜେ ନିଜେ ହେଉଛନ୍ତି ଏକ ପ୍ରକାର ଜନମତ ସଂଗ୍ରହ ପ୍ରକ୍ରିୟା । ଦ୍ୱିତୀୟତଃ, ଏହି ଭଳି ଜନମତ ସଂଗ୍ରହରେ ବା ନିର୍ବାଚନରେ ଯଦି ପାକିସ୍ଥାନରୁ ଲୋକଙ୍କୁ କାଶ୍ମୀରକୁ ଆସିବାକୁ ଦିଆଯାଏ, ସେମାନଙ୍କୁ ଏଠାରେ ରଖିବା କଷ୍ଟକର ହେବ । ସେମାନଙ୍କ ମଧ୍ୟରେ ଏକ ପ୍ରବଣତା ଅଛି ଏପଟକୁ ଆସିବା ପାଇଁ କାରଣ ଏପଟେ ଆର୍ଥିକ ସ୍ଥିତି ଆରପଟ ଅପେକ୍ଷା ଭଲ । ସେମାନଙ୍କର ନିଷ୍ପତ୍ତିର ପରିଣତିକୁ ନେଇ ଆମ ଭିତରେ ଆଶଙ୍କା ସୃଷ୍ଟି ହୁଏ କାରଣ ସେ ମତବ୍ୟକ୍ତର ଆଧାର ରାଜନୈତିକ ବା ଅର୍ଥନୈତିକ ହେବ ନାହିଁ ବରଂ ଧର୍ମ ହେବ ଆଧାର । କାଶ୍ମୀରରେ ଏହାର ଫଳ ଭୟଙ୍କର ହେବ ଏବଂ ଅବଶିଷ୍ଟ ଭାରତରେ ମଧ୍ୟ ।”
Arnold: “ଏହାର ଅର୍ଥ କଣ, ଶ୍ରୀଯୁକ୍ତ ନେହରୁ?”
ନେହରୁ: “ ମୋର କହିବା କଥା ଯେ ଯଦି ସେମାନେ ଧର୍ମ ଆଧାରରେ ତାଙ୍କର ମତଦାନ କରନ୍ତି, ତାହା ହେଲେ ଗୋଟିଏ ଦେଶର ଲୋକ ଏବଂ ଧର୍ମ ବାହାରକୁ ଠେଲି ହୋଇଯିବେ । ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବ ଯେ ପୁଣି ଦେଶାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯିବ କି ଯେପରି ପ୍ରଥମେ ଭାରତ ଏବଂ ପାକିସ୍ଥାନରେ ହୋଇଥିଲା ? ଏହା ଉଭୟ ଦେଶରେ ଗଣ୍ଡଗୋଳ ସୃଷ୍ଟି କରିବ । ହିନ୍ଦୁ ମୁସଲମାନ ମଧ୍ୟରେ ବିଭାଜନ ଦେଖାଯିବ । ଏବଂ ଭାରତର ଅନେକ ଗାଁ ଏବଂ ସହରରେ ରହୁଥିବା ମୁସଲମାନମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବ । ସେମାନେ ନିଜକୁ ଭାରତର ପରିପୂର୍ଣ୍ଣ ନାଗରିକ ବୋଲି ଅନୁଭବ କରିବେ ନାହିଁ ।”
Arnold: “ସେମାନଙ୍କ ପ୍ରତି ବ୍ୟବହାର ପରିପୂର୍ଣ୍ଣ ନାଗରିକ ପରି ହେଉଛି, ସରକାରରେ ସେମାନଙ୍କର ପ୍ରତିନିଧିତ୍ୱ କେତେ?”
ନେହରୁ: “ ଆମର ଉପରାଷ୍ଟ୍ରପତି ଜଣେ ବହୁତ ପ୍ରତିଷ୍ଠିତ ମୁସଲମାନ ବିଦ୍ୱାନ । ଆମ ମନ୍ତ୍ରୀମଣ୍ଡଳରେ ଦୁଇ ଜଣ ମୁସଲମାନ ସଦସ୍ୟ ଅଛନ୍ତି ।ସରକାରରେ ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି । ଆମର ରାଷ୍ଟ୍ରଦୁତ ଅଛନ୍ତି ଯେଉଁମାନେ ମୁସଲମାନ । ସୈନ୍ୟବାହିନୀରେ ମଧ୍ୟ ଅନେକ ମୁସଲମାନ ଅଧିକାରୀ ଅଛନ୍ତି ।”
Arnold: “ଉଚ୍ଚ ପଦବୀରେ?”
ନେହରୁ: “ ମୁଁ ନିଶ୍ଚିତ କରି କହି ପାରିବି ନାହିଁ, କେତେ ଜଣ ଅଛନ୍ତି । କିନ୍ତୁ କିଛି ଉଚ୍ଚ ପଦବୀରେ ଅଛନ୍ତି । ଆପଣ ଦେଖନ୍ତୁ ଦେଶ ବିଭାଜନ ଥିଲା ଏକ ଅସାଧାରଣ ଘଟଣା । ଏହାଦ୍ୱାରା ପରିବାର ଗୁଡିକ ବିଚ୍ଛିନ୍ନ ହୋଇଗଲା । ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ସମ୍ପର୍କୀୟମାନେ ଆର ପଟେ ରହିଛନ୍ତି, ଏବଂ ସେହି ଭଳି ସେପଟର ଏପଟେ ଅଛନ୍ତି । ଦୃଷ୍ଟାନ୍ତ ଅଛି ବିଦେଶରେ ଥିବା ଆମର ମୁସଲମାନ ରାଷ୍ଟ୍ରଦୂତଙ୍କର ଭାଇ ସେହି ଦେଶରେ ପାକିସ୍ଥାନ ତରଫରୁ ରାଷ୍ଟ୍ରଦୂତ ହୋଇଛନ୍ତି । ସୈନ୍ୟ ବାହିନୀରେ ଏଠାକାର ଜେନେରାଲଙ୍କର ଭାଇ ବା ସମ୍ପର୍କୀୟ ଭାଇ ସେ ପଟେ ଜେନେରାଲ ହୋଇଛନ୍ତି ।”
Arnold: “ତେବେ ଶ୍ରୀଯୁକ୍ତ ନେହରୁ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସମସ୍ୟାର ମୂଳରେ କାଶ୍ମୀର ତ ନିଶ୍ଚିତ ରହିଛି । କିନ୍ତୁ ତାହା ଏକମାତ୍ର ସମସ୍ୟା ନୁହେଁ । ଆପଣଙ୍କର ଓ ଆପଣଙ୍କ ପ୍ରତିବେଶୀ ମଧ୍ୟରେ ସମସ୍ୟା ଗୁଡିକର ସମାଧନକୁ ଆପଣ କିପରି ଦେଖୁଛନ୍ତି ଯେତେବେଳେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ବେଶ ତୀବ୍ର, ଏବଂ ଯେତେବେଳେ ଏହା ହ୍ରାସ ପାଇବାର କୈାଣସି ସମ୍ଭାବନା ଦିଶୁ ନାହିଁ ?”
ନେହରୁ: “ଆମେ ବହୁବାର ପ୍ରସ୍ତାବ ରଖିଛୁ ଯେ ଆମେ ଘୋଷଣା କରିବା ଯେ ଆମେ ପରସ୍ପର ସହ ଯୁଦ୍ଧ କରିବା ନାହିଁ । ଏହା ସମସ୍ୟାର ସମାଧାନ କରିବ ନାହିଁଁ, କିନ୍ତୁ ସମସ୍ୟା ଗୁଡିକୁ ବିଚାର କରିବା ପାଇଁ ଏକ ଭଲ ପରିବେଶ ସୃଷ୍ଟି କରିବ । ପାକିସ୍ଥାନ ଏପରି ଘୋଷଣା ପାଇଁ ରାଜି ହେଉ ନାହିଁ”
Arnold: “କାହିଁକି, କେଉଁ ଆଧାରରେ?”
ନେହରୁ: “ ମୁଁ ଜାଣି ନାହିଁ । ମୋର ଧାରଣା ସେମାନେ ଭାବୁଛନ୍ତି ଯେ ଯଦି ପରସ୍ପର ସହ ଯୁଦ୍ଧ ନ କରିବାର ଘୋଷଣା ହୁଏ ତାହାହେଲେ ସ୍ଥିତି ଯେମିତି ଥିଲା ସେହି ଅବସ୍ଥାରେ ରହି ଯିବ ଓ ଅନ୍ୟ ବିଷୟମାନଙ୍କରେ ଆଲୋଚନା ବନ୍ଦ ହୋଇଯିବ । ଆମେ ତାଙ୍କୁ କହିଛୁ ଯେ ସେପରି କିଛି ହେବ ନାହିଁଁ ବରଂ ଆଲୋଚନା ଜାରି ରହିବ । କିନ୍ତୁ ଆମେ ଯୁଦ୍ଧ ଦ୍ୱାରା କୈାଣସି ସମାଧାନ କରି ପାରିବା ନାହିଁ । ଯଦି କୈାଣସି ସମସ୍ୟା ଆସେ, ଆମେ ତାହାର ଆଲୋଚନା କରିବା । ଏବଂ ଅନ୍ୟ ବାଟରେ ନିଷ୍ପତ୍ତି ନେବା ।”
Arnold: “ମୁଁ ଜାଣିଛି ଆପଣ ଗତ କେତେ ବର୍ଷ ଭିତରେ ପାକିସ୍ଥାନ ଯାଇଛନ୍ତି ।”
ନେହରୁ: “ମୁଁ ପାକିସ୍ଥାନରେ ବେଶ ଲୋକପ୍ରିୟ, ଏପରି କି ବିଭାଜନ ପୂର୍ବରୁ । ମୋ ମା ପାକିସ୍ଥାନରୁ ଆସିଥିଲେ ।”
Arnold:“ଏପରି ନା କଣ? କେଉଁ ଅଂଚଳରୁ ଆସିଥିଲେ ?”
ନେହରୁ: “ଲାହୋରରୁ । ସେ ଲାହୋରର ଥିଲେ । ପିଲାବେଳେ ମୁଁ ପାକିସ୍ଥାନ ବହୁ ବାର ଯାଇଛି । ବର୍ତମାନ ଗୋଟିଏ ଅସୁବିଧା ସୃଷ୍ଟି ହୋଇଛି -ପାକିସ୍ଥାନ ଅଳ୍ପ ବହୁତେ ଚୀନ ଆଡକୁ ଢଳିଛି । ପାକିସ୍ଥାନର ଚୀନ ସହିତ ଘନିଷ୍ଠ ସମ୍ପର୍କ ବା ସେମାନେ ଚୀନ ସହିତ ଯେଉଁ ସୀମାନ୍ତ ଚୁକ୍ତି(Frontier Treaty)କରିଛନ୍ତି ସେଥିରେ ସେମାନେ ରାଜି ହୋଇଛନ୍ତି କାଶ୍ମୀରର ଗୋଟିଏ ଅଂଶ, ପଶ୍ଚିମ ଲଦ୍ଦାଖକୁ,ଚୀନକୁ ଦେବା ପାଇଁ । ଏପରି କରିବାର କୈାଣସି ଅଧିକାର ସେମାନଙ୍କର ନାହିଁ ଯେତେବେଳେ କି ସେମାନେ ନିଜେ କହୁଛନ୍ତି ଯେ କାଶ୍ମୀର ବର୍ତମାନ ମଧ୍ୟ ଅସମାହିତ ପ୍ରସଂଗ ।”
Arnold: “ଏବେ ଚୀନର କାର୍ଯ୍ୟ ଆପଣଙ୍କୁ ଏକ ବିରାଟ ଧକ୍କା । କାରଣ ମୋ ଜାଣିବାରେ ଆପଣ ବନ୍ଧୁତ୍ୱର ଶକ୍ତିକୁ ବହୁତ ଗୁରୁତ୍ୱ ଦେଉଥିଲେ । ମୁଁ ଜାଣେ ଚୀନ ପ୍ରତି ଯେପରି ବନ୍ଧୁତ୍ୱ ଆପଣ ବ୍ୟକ୍ତ କରିଥିଲେ ଏବଂ ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶ ଦ୍ୱାରା, ଆମ ଦେଶ ସମେତ, ବହୁତ ସମାଲୋଚିତ ହୋଇଥିଲେ । ଏପରି ବନ୍ଧୁତ୍ୱକୁ କାଏମ ରଖିବା ପାଇଁ ପ୍ରଚେଷ୍ଟା ମଧ୍ୟରେ, କାହିଁଁକି ଚୀନ ଏପରି କଲା?”
ନେହରୁ: “ମୁଁ କଣ କହିବି ସେମାନେ କାହିଁଁକି ଏପରି କଲେ । କିନ୍ତୁ ଗତ ବର୍ଷ ପୂର୍ବରୁ ଯେତେବେଳେ ସେମାନେ କିଛି ବର୍ଷ ଧରି ପ୍ରକୃତରେ ବ୍ୟାପକ ଆକ୍ରମଣ ଚଳାଇଥିଲେ, ସେତେବେଳେ ଆମ ସମ୍ପର୍କ ଅଧିକରୁ ଅଧିକ ଉତ୍ତେଜନା ପୂର୍ଣ୍ଣ ହେଉଥିଲା । ଅନ୍ଧକାରରେ ସେମାନେ କ୍ରମଶଃ ପଶିବାରେ ଲାଗିଥିଲେ । କାହିଁଁକି ଗତ ବର୍ଷ ସେମାନେ ଏପରି କଲେ? ମୋର ମନେ ହୁଏ ସେମାନେ ମୁଖ୍ୟତଃ ଆମ ଉପରେ ଅସନ୍ତୁଷ୍ଟ ହେଲେ କାରଣ ତିବତତରୁ ପଳାଇ ଆସିଥିବା ୩୦,୦୦୦ ଶରଣାର୍ଥୀଙ୍କୁ ଆମେ ଆଶ୍ରୟ ଦେଇଥିଲୁ , ସେମାନଙ୍କୁ ସାହାଯ୍ୟ କରିଥିଲୁ । ଏହା ଛଡା ସେମାନେ ଚାହୁଁ ଥିଲେ ଜଣାଇବାକୁ ଯେ ଏସିଆରେ ସେମାନେ ହେଉଛନ୍ତି ମୁଖିଆ(don) , ଯାହା ଏସିଆର ପ୍ରତ୍ୟେକ ବ୍ୟକ୍ତି ଓ ଦେଶ ମନେ ରଖିବା ଉଚିତ ।”
Arnold: “ଶତାବ୍ଦୀ ଶତାବ୍ଦୀ ଧରି ଚୀନଶକ୍ତିର ଏକ ଜୀବନ୍ତ ପ୍ରବାହ ଚାଲିଛି । ଆପଣ ସେମାନଙ୍କ ମନୋଭାବରେ ନିଜକୁ ଶ୍ରେଷ୍ଠ ମନେ କରିବାର ମାନସିକତା(superiority complex) ଦେଖୁଛନ୍ତି କି?”
ନେହରୁ: “ହଁ, ଏହା ସେମାନଙ୍କଠାରେ ବେଶ ରହିଛି । ରହିଥିଲା ମଧ୍ୟ ଯଦିଓ ସେପରି ଶକ୍ତଶାଳୀ ଭାବରେ ନୁହେଁ । ସେମାନେ ଅନ୍ୟମାନଙ୍କୁ ତାଙ୍କ ତୁଳନାରେ ଅସଭ୍ୟ- ଅସଂସ୍କୃତ ମନେ କରନ୍ତି ।”
Arnold: “କିନ୍ତୁ ଚୀନ ଭଳି ଏକ ଶକ୍ତିଶାଳୀ ଦେଶ ସହିତ ଆପଣ କଣ କରିବେ, ଏହି ଆଣବିକ ଯୁଗରେ ? ସଂଘର୍ଷ ତ ଅବଶ୍ୟମ୍ଭାବୀ ଯଦି ସେମାନଙ୍କୁ ଅଟକା ନ ଯାଏ(contained) । ଆପଣ କିପରି ଏହା କରିବେ?”
ନେହରୁ: “ଆମେ ନିଜର ଶକ୍ତିକୁ ବଢାଇବୁ , ସଂଘର୍ଷକୁ ଆଡେଇବା ପାଇଁ , ଏବଂ ତଥାପି ଯଦି ଏହା ଆସେ, ତାହାହେଲେ ଏହାର ମୁକାବିଲା ପାଇଁ ।”
Arnold: “ଆପଣ କଣ ଭାବୁଛନ୍ତି ଯଥା ସମୟରେ ଆପଣ ଆପଣଙ୍କର ସାମରିକ ଶକ୍ତିକୁ ବିକଶିତ କରିପାରିବେ?”
ନେହରୁ: “ଆମ ସୀମାନ୍ତଠାରୁ କେନ୍ଦ୍ରୀୟ ଚୀନର ଦୂରତା ଦେଖିଲେ, ମୁଁ କହିବି ସେମାନଙ୍କୁ ଯୁଦ୍ଧ ସଂରଜାମ ଆମ ସୀମାନ୍ତକୁ ଆଣିବାକୁ ପଡିବ କେତେ ହଜାର କିଲୋମିଟର ଦୁରତାରୁ । କିନ୍ତୁ ଆମକୁ ସେପରି ଦୁରତା ଅତିକ୍ରମ କରିବାକୁ ପଡିବ ନାହିଁ । ତେଣୁ ଆମେ ନିଜକୁ ରକ୍ଷା କରିପାରିବୁ । ଆମର ଉଦ୍ଦେଶ୍ୟ ନୁହେଁ ଚୀନକୁ ଆକ୍ରମଣ କରିବା । ଆପଣ ଜାଣନ୍ତି ଏହା ଆମର ଚିନ୍ତା ବିରୋଧରେ । କିନ୍ତୁ ଆମେ ତାଙ୍କର ଭାରତକୁ ଆସିବା ବନ୍ଦ କରିଦେଇ ପାରିବୁ ।”
Arnold: “ବର୍ତମାନ ଯଦି ସେମାନଙ୍କର ନିଜକୁ ଶ୍ରେଷ୍ଠ ମନେ କରିବାର ମାନସିକତା(superiority complex) କାଏମ ରହେ ଏବଂ ସେମାନଙ୍କର ଶକ୍ତି ବୃଦ୍ଧି ହୁଏ, କେବଳ ଭାରତ ତୁଳନାରେ ନୁହେଁ ବରଂ ଆଣବିକ ଦୃଷ୍ଟିରୁ, ଆପଣ ଭବିଷ୍ୟତରେ ଏହାକୁ ଅଟକାଇବାର କୈାଣସି ସମ୍ଭାବନା ଦେଖୁଛନ୍ତି କି? ଆପଣ ଭାବନ୍ତି କି ଯୁକ୍ତରାଷ୍ଟ୍ର ଏବଂ ସୋଭିଏତ ସଂଘ, ଭାରତ ସହିତ ସେମାନଙ୍କୁ ଅଟକାଇ ପାରିବ?”
ନେହରୁ: “ମୁଁ କହିପାରିବି ନାହିଁ କେତେ ଦୂରକୁ ଏହା ଯିବ ଭବିଷ୍ୟତରେ, କିନ୍ତୁ ସେମାନେ ବିପଜ୍ଜନକ ସେ ଦୃଷ୍ଟିରୁ । ମୁଁ ମନେ କରେ ଆଜିର ସମସ୍ୟା ହେଉଛି ଖାଦ୍ୟ, ଲୋକଙ୍କ ପାଇଁ ଏହା ଆଣିବାକୁ ପଡୁଛି ଅଷ୍ଟ୍ରେଲିଆ, କାନାଡା ଏବଂ ଅନ୍ୟ ଅଂଚଳରୁ , ଏବଂ ସେମାନଙ୍କର ଜନସଂଖ୍ୟା ଆମ ଠାରୁ ବହୁତ ଦ୍ରୁତ ଗତିରେ ବଢୁଛି । ଏହା ଆମର ମଧ୍ୟ ସମସ୍ୟା, କିନ୍ତୁ ସେମାନଙ୍କ ପାଇଁ ଏହା ଅଧିକ । ଏବଂ ବୋଧହୁଏ ଏହି ସମସ୍ୟା ସେମାନଙ୍କୁ ଅଧିକ ଶାନ୍ତ କରିବ ।”
Arnold: “ସେମାନଙ୍କର ଆକ୍ରମଣ ସତତ୍ୱେ, ସମାଧାନ କରିବା ପାଇଁ ସେମାନଙ୍କର ଅନିଚ୍ଛା ସତ୍ତ୍ୱେ, ସେମାନଙ୍କୁ ଜାତିସଂଘରେ ପ୍ରବେଶ ପାଇଁ ଆପଣ ତ ସମର୍ଥନ କରୁଛନ୍ତି ?”
ନେହରୁ: “ହଁ, ମୁଁ ସମର୍ଥନ କରୁଛି । କାରଣ ସେମାନେ ବାହାରେ ରହିଲେ, ଚୀନ ସହିତ ନିରସ୍ତ୍ରୀକରଣ ସମ୍ପର୍କରେ ରାଜିନାମା କିପରି ସମ୍ଭବ ହେବ? ବିଶେଷ ଭାବରେ ଯଦି ସେମାନେ ଜାତିସଂଘରେ ରହିବେ ତାହାହେଲେ,ମୁଁ ମନେ କରେ, ବହୁ ବଡ ବଡ ପ୍ରସଂଗରେ ମତାନ୍ତର, ଭବିଷ୍ୟତରେ, କିଛି ପରିମାଣରେ ହ୍ରାସ ପାଇବ । ଏବେ କଣ ହୋଇଛି? ବହୁ ପଶ୍ଚିମା ଦେଶ ଯେପରି ଇଂଲଣ୍ଡ, ଫ୍ରାନ୍ସ, ଏବଂ ଅନ୍ୟମାନେ ସେମାନଙ୍କ ସହ ଵାଣିଜ୍ୟକ ସମ୍ପର୍କ ବଢାଉଛନ୍ତି ।”
Arnold: “ଆପଣ କଣ ଏହାକୁ ସମର୍ଥନ କରନ୍ତି?”
ନେହରୁ: “ମୁଁ ଏହାକୁ ସମର୍ଥନ କରେ ନା । ସ୍ପଷ୍ଟଭାବରେ କହିଲେ, ମୁଁ ଚାହେଁ ନା ଏହି ଦେଶମାନଙ୍କର ବାଣିଜ୍ୟିକ ସମ୍ପର୍କ । ଏହା ଚୀନକୁ ସମର୍ଥନ କରିବ । କିନ୍ତୁ ମୁଁ ଚାହେଁ ନା ଯେ ଚୀନର ଲୋକେ କ୍ଷୁଧାରେ ମରନ୍ତୁ ।”
Arnold: “ଏହି କଥାକୁ ମୁଁ ଆସୁଥିଲି । ମୁଁ ଜାଣେ ଯେ ଆପଣ ଏହି ଭଳି କିଛି କହିବେ, ଶ୍ରୀଯୁକ୍ତ ନେହରୁ । କାରଣ ତାହାହିଁ ଆପଣଙ୍କ ଜୀବନର ଉଦାହରଣ ।”
ନେହରୁ: “ହଁ, କିନ୍ତୁ ମୁଁ ଚାହେଁ ନା ଯେ ସେମାନଙ୍କ ପାଖକୁ ଯୁଦ୍ଧ ସାମଗ୍ରୀ ଯାଉ । ସେଇଥି ପାଇଁ ସେମାନେ ଶକ୍ତିଶାଳୀ ହେଉଛନ୍ତି, ଏହି ଆଣବିକ ଯୁଗରେ । ପ୍ରକୃତରେ ଦେଖିଲେ, ଏବଂ ମୁଁ ଭାବେ, ଭାରତରେ ଆମେ ଆଣବିକ ଶକ୍ତିରେ ବେଶ ଆଗୁଆ ।”
Arnold: “ପ୍ରକୃତରେ!”
ନେହରୁ: “ଆଜି ହିଁ କାନାଡା ସହିତ ଏକ ରାଜିନାମା ଦସ୍ତଖତ ସମୟରେ ମୁଁ ଉପସ୍ଥିତ ଥିଲି ।”
Arnold: “କେଉଁ ଆଧାରରେ ?”
ନେହରୁ: “ନାଗରିକ ଉଦ୍ଦେଶ୍ୟ (civil purposes)ରେ ଆଣବିକ ଶକ୍ତି କେନ୍ଦ୍ର(civil station for atomic energy)ର ସ୍ଥାପନା । କିଛି ଦିନ ପୂର୍ବେ ଆଉ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆଉ ଏକ କେନ୍ଦ୍ରର ସ୍ଥାପନା ପାଇଁ । ଆମର ବହୁ ଉକ୍ରୃଷ୍ଟ ତରୁଣ ବୈଜ୍ଞାନିକ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନେକେ ସେମାନଙ୍କ ମଧ୍ୟରୁ ବେଶ ମେଧାବୀ । କିନ୍ତୁ ଆମେ ସଙ୍କଳ୍ପବଦ୍ଧ ଯେ ଏହାକୁ ପରମାଣୁ ବୋମା ତିଆରିରେ ବ୍ୟବହାର କରିବୁ ନାହିଁ । ଯଦି ଚୀନ ପାଖରେ ଏହା ଥାନ୍ତା ତାହାହେଲେ କଣ ହୋଇଥାନ୍ତା, ତାହା ଅନୁମାନ କରାଯାଇପାରେ । ତେବେ ଏହା ଦୀର୍ଘ ସମୟ ନେବ । ଯଦି ବା ସେମାନେ ଆରମ୍ଭରେ ଗୋଟିଏ ପାଆନ୍ତି,କିନ୍ତୁ ଯଥେଷ୍ଟ ପରିମାଣରେ ପାଇବା ପାଇଁ ତାଙ୍କୁ ବହୁ ବର୍ଷ ଲାଗିଯିବ ।”
Arnold: “ଆପଣ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ୟୁନିଅନ ମଧ୍ୟରେ ବର୍ତମାନ ସମ୍ପର୍କ ବିଷୟରେ କଣ ଅନୁଭବ କରନ୍ତି?”
ନେହରୁ: “ଏହା ନିଶ୍ଚିତ ଭାବେ ପୂର୍ବାପେକ୍ଷା ଭଲ । ଏବଂ ମୁଁ ଆଶା କରେ ଏହି ପରି ହିଁ ଚାଲିବ, ଏବଂ ବିଭିନ୍ନ ପ୍ରସଂଗରେ ପରସ୍ପର ସହିତ ସମ୍ପର୍କ କ୍ରମଶଃ ବିକଶିତ ହେବ ।”
Arnold: “ଏହାର କେଉଁ ପ୍ରକାର ପ୍ରଭାବ ସାରା ବିଶ୍ୱରେ ତଥାକଥିତ ତଟସ୍ଥ(neutrals)ଙ୍କ ଉପରେ ପଡିବ? ମୁଁ ‘ତଥାକଥିତ’ କହୁଛି କାରଣ ମୁଁ ଜାଣେ ଆପଣ ଏହି ‘ତଟସ୍ଥ’ ଶବ୍ଦକୁ ଭଲ ପାଆନ୍ତି ନାହିଁ ।”
ନେହରୁ: “ମୁଁ କହିବି ଯେ ସେମାନେ ଏହାର ଅନୁମୋଦନ କରନ୍ତି । ଅଧିକାଂଶ ଏହା ଚାହାଁନ୍ତି, ସମସ୍ତଙ୍କ ବିଷୟରେ ମୁଁ ଜାଣେ ନାହିଁ । କାରଣ ଶେଷରେ ଯୁଦ୍ଧ ଏବଂ ଶାନ୍ତି , ବଡ ଯୁଦ୍ଧ ଏବଂ ଶାନ୍ତି ଆଜି ନିର୍ଭର କରୁଛି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ୟୁନିଅନ ଉପରେ । ଯୁଦ୍ଧ କହିଲେ ମୋର ଇଂଗିତ ଆଣବିକ ଯୁଦ୍ଧ ପ୍ରତି । ଏହି ପରି ଯୁଦ୍ଧର ବିପଦକୁ ଯିଏ କମାଇ ପାରିବ ତାହାର ସ୍ୱାଗତ ହେବା ଉଚିତ । ଏହା, ଅର୍ଥାତ୍ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ୟୁନିଅନ ମଧ୍ୟରେ ସୁସମ୍ପର୍କ ହିଁଁ ଏହାକୁ କମାଇ ପାରିବ ।”
Arnold: “ଆପଣ କଣ ଭାବୁଛନ୍ତି ଯେ ଏହା ଦ୍ୱାରା ଆଉ ଏକ ବାଂଡୁଂଗ ସମ୍ମିଳନୀର ଆବଶ୍ୟକତା ହ୍ରାସ ପାଉଛି ଯାହାକୁ ଏବେକା ସମୟରେ ବେଶ ଗୁରୁତ୍ୱ ଦିଆଯାଇଛି?”
ନେହରୁ: “ବାଂଡୁଂଗ ସମ୍ମିଳନୀ, ଆଜି ଯଦି ହୁଏ ତାହାହେଲେ ଏହା ସେଭଳି ସଫଳ ହେବ ନାହିଁ ଯେପରି ପ୍ରଥମଟି ହୋଇଥିଲା । କାରଣ ଯେଉଁ ଦେଶମାନେ ଆସିବେ ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅନେକ । ଏହା ବ୍ୟତିତ ଆଉ ଏକ ସମ୍ମିଳନୀ ହେଉଛି ବେଲଗ୍ରେଡ ସମ୍ମିଳନୀ ପରି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଙ୍କ ସମ୍ମିଳନୀ । ଏହା ନିଶ୍ଚିତ ଉକ୍ରୃଷ୍ଟତର । ଦେଶମାନଙ୍କ ମଧ୍ୟରେ ପରସ୍ପର ସହ କଥା ବାର୍ତା ଅନେକ ପ୍ରସଂଗରେ ହେବାର ସୁଯୋଗ ରହିଛି । କିନ୍ତୁ ଏହି ସମ୍ମିଳନୀରୁ ଚୀନ ଏବଂ ପାକିସ୍ଥାନକୁ ବାଦ ଦିଆଯିବା ଉଚିତ କାରଣ ଏମାନେ ଗୋଷ୍ଠୀ ନିରପେକ୍ଷ ନୁହନ୍ତି ।”
Arnold: “ଏଇଥି ପାଇଁ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କେଉଁ ପ୍ରକାର ପ୍ରଭାବ , ଆପଣ ଭାବନ୍ତି, ପାକିସ୍ଥାନର ଚୀନ ସହିତ ସମ୍ପର୍କ ଆପଣଙ୍କ ପ୍ରତିବେଶୀ ଭାବେ ପାକିସ୍ଥାନ ଉପରେ ପକାଇବ? ମୋର ମନେ ହୁଏ ପାକିସ୍ଥାନ କହିଥିବା ଯେ କାଶ୍ମୀର ସମସ୍ୟା ସମାଧାନ ହୋଇଗଲେ ମଧ୍ୟ, ଚୀନ ଆପଣଙ୍କୁ ଆକ୍ରମଣ କଲେ ସେ ଆପଣଙ୍କର ପ୍ରତିରକ୍ଷା ପାଇଁ ଠିଆ ହେବ ନାହିଁଁ ।”
ନେହରୁ: “ହଁଁ, ସେମାନେ ସେହିଭିଳି କିଛି କହିଛନ୍ତି । କାଶ୍ମୀର ସମସ୍ୟା ଏବଂ ଭାରତ ସହିତ ଅନ୍ୟ ସମସ୍ୟାର ସମାଧାନ ହୋଇଗଲେ ମଧ୍ୟ ଚୀନ ସହିତ ସେମାନଙ୍କର ସମ୍ପର୍କ କାଏମ ରହିବ ଏବଂ ଆମକୁ ସେମାନେ ସାହାଯ୍ୟ କରିବେ ନାହିଁ ଚୀନର ସମ୍ମୁଖୀନ ହେବାକୁ ।”
Arnold: “ଆପଣ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ନ କରିବାର ଘୋଷଣା ପତ୍ରରେ ସ୍ୱାକ୍ଷର କରିବାକୁ ଯେହେତୁ ସେମାନେ ମନା କରିଛନ୍ତି, ଏହା ବନ୍ଧୁତ୍ୱହୀନତାର ପରିବେଶକୁ ବଢାଇ ଦେଇଛି, ଯଦିଓ ସମ୍ଭାବ୍ୟ ସଂଘର୍ଷର ନୁହେଁ । ତଥାପି ଆପଣ ଓ ପାକିସ୍ଥାନ ମଧ୍ୟରେ ସାମରିକ ସଂଘର୍ଷ ଆପଣ ଉଭୟଙ୍କ ଉପରେ ବିରାଟ ପ୍ରଭାବ ପକାଇବ ନାହିଁଁ କି?”
ନେହରୁ: “ହଁ, ହୋଇପାରେ । ଆମେ ଆଶା କରୁ ଏପରି ହେବ ନାହିଁଁ । ବେଳେ ବେଳେ ରାଷ୍ଟ୍ରପତି ଆୟୁବ ଖାଁ ମଧ୍ୟ ଏହା କୁହନ୍ତି । କିନ୍ତୁ ସେମାନଙ୍କର ମାନସିକତାର ଆଧାର ହେଉଛି ଭାରତ ପ୍ରତି ଭୟ ଏବଂ ଘୃଣା । ଭୟ ଏବଂ ଘୃଣା ଉଭୟ ଅବାଂଛନୀୟ ଅଟେ । ସେମାନେ ପ୍ରଥମେ ପଶ୍ଚିମ ଦେଶମାନଙ୍କ ଉପରେ ନିର୍ଭର କରିଥିଲେ ନିଜକୁ ଶକ୍ତିଶାଳୀ କରିବାକୁ, ଆପଣ କହି ପାରନ୍ତି, ଯୁଦ୍ଧଭୂମିରେ ଭାରତ ସହିତ ମୁକାବିଲା ପାଇଁ । ସେମାନେ ଯେତେବେଳେ ଜାଣିଲେ ଯେ ଏହା ବେଶୀ ବାଟ ଯାଉ ନାହିଁ, ସେତେବେଳେ ସେମାନେ ଚୀନ ଆଡକୁ ମୁଁହାଇଲେ । ଏବଂ ମୋର ମନେ ହୁଏ ରାଷ୍ଟ୍ରପତି ଆୟୁବ କେତେକ ସ୍ଥାନରେ କହିଥିବା ଯେ, ସେ ଅନୁତପ୍ତ ଚୀନ ଆକ୍ରମଣ ବେଳେ ସେ ଭାରତକୁ ଆକ୍ରମଣ କରିବାର ସୁଯୋଗକୁ ହାତଛଡା କରିଦେଲେ ।”
Arnold:“ଏହା ସତତ୍ୱେ ଆପଣ ଅନୁଭବ କରନ୍ତି ଯେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣ ଚାପ ପକାଇବା ଉଚିତ ଏବଂ ଚାପ ପକାଇ ଚାଲିବା ଉଚିତ ।”
ନେହରୁ: “ହଁ , ଆମକୁ ଏହା କରିବାକୁ ହେବ । ବର୍ତମାନ ଆମେ ପାକିସ୍ଥାନକୁ ଯେପରି ଦେଖୁଛୁ, ଭାରତ ଏବଂ ପାକିସ୍ଥାନ ବନ୍ଧୁ ହେବାକୁ ପଡିବ, ସେମାନଙ୍କୁ ପରସ୍ପର ସହିତ ସହଯୋଗ କରିବାକୁ ହେବ ଯେପରି କି ସେମାନେ ପରସ୍ପର ଉପରେ ନିର୍ଭରଶୀଳ ଦୁଇ ଦେଶ । ମନେ ରଖିବାକୁ ହେବ ଯେ ଇତିହାସରେ ଯେଉଁ ଅଂଚଳକୁ ପାକିସ୍ଥାନ କୁହାଯାଉଛି, ତାହାର ଏକ ବଡ ଅଂଶ, ଅଲଗା ଦେଶ ନ ଥିଲା ଯେପରି ଦକ୍ଷିଣ ଭାରତ ଥିଲା । ଉତ୍ତର ଭାରତ ଏବଂ ପାକିସ୍ଥାନ, ଭୂଗୋଳ ଦୃଷ୍ଟିରୁ, ଇତିହାସ ଦୃଷ୍ଟିରୁ , ଭାଷା ଦୃଷ୍ଟିରୁ, ସେମାନଙ୍କର ଭାଷା ଆମର ଏଠାକାର ଭାଷା ପରି, ସଂସ୍କୃତି ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ଅନେକ ସମାନତା ରହିଛି । ଏହା ତ ବୋକାମୀ ଯେ ଆମ ଭିତରେ ମନୋମାଳିନ୍ୟ କାଏମ ରହିଛି । ଏବଂ ମୁଁ ଭାବୁଛି ଏହା କମି କମି ଯିବ । ପ୍ରକୃତରେ ଦେଖିଲେ, ଲୋକଙ୍କ ଦୃଷ୍ଟିରୁ ଦେଖିଲେ, ମନୋମାଳିନ୍ୟ ସେପରି ନାହିଁ । ଆମ ଲୋକ ସେଠାକୁ ଯାଆନ୍ତି ।ସେଠାକାର ଲୋକମାନେ ଏଠାକୁ ଆସନ୍ତି । ସେମାନଙ୍କୁ ସ୍ୱାଗତ କରାଯାଏ । ସେମାନେ ତାଙ୍କର ପୂରାତନ ବନ୍ଧୁମାନଙ୍କ ବିଷୟରେ କଥାବାର୍ତା ହୁଅନ୍ତି । ଯେଉଁ ମନୋମାଳିନ୍ୟ ତାହା ବିଶେଷ ଭାବରେ ଉପର ସ୍ତରରେ , ରାଜନୈତିକ କାରଣରୁ , ଯାହାକୁ ଆହୁରି ଖରାପ କରି ଦିଆଯାଉଛି ଏହା ଉପରେ, ଧର୍ମୀୟ ପ୍ରସଂଗ ଲଦି ଦେଇ ।”
Arnold: “କିନ୍ତୁ ଆଲୋଚନା ବିଫଳ ହେଉଛି, ଆପଣ ଓ ରାଷ୍ଟ୍ରପତି ଆୟୁବଙ୍କ ଭିତରେ କୈାଣସି ବ୍ୟକ୍ତିଗତ ଶତ୍ରୁତା ରହିଛି କି?”
ନେହରୁ: “ମୋର କୈାଣସି ଶତ୍ରୁତା ନାହିଁ, କିନ୍ତୁ ସେ କିଛି ଦିନ ହେଲା କହୁଛନ୍ତି ଯେ ଭାରତ ପାକିସ୍ଥାନ ସହେଯାଗରେ ମୁଁ କାଳେ ପ୍ରତିବନ୍ଧକ ହେଉଛି । ବ୍ୟକ୍ତିଗତ ସ୍ତରରେ କାହାରି ସହିତ ଶତ୍ରୁତାର ପ୍ରଶ୍ନ ଉଠୁନାହିଁ । ମୋର ଅନେକ ବନ୍ଧୁ ପାକିସ୍ଥାନରେ ଅଛନ୍ତି । ସେମାନେ ଏଠାକୁ ଆସନ୍ତି ଓ ଆମ ଭିତରେ ସୈାହାର୍ଦ୍ଦ୍ୟ ପୂର୍ଣ୍ଣ ବସା ଉଠା ହୋଇଥାଏ ।”
Arnold: “ଶ୍ରୀଯୁକ୍ତ ନେହରୁ, ୧୯୫୮ ମସିହାରେ ଯେତେବେଳେ ଆପଣଙ୍କ ସହ ଏକ ଚଳଚିତ୍ର କରିବାକୁ ମୁଁ ଆସିଥିଲି, ପ୍ରଥମ ବିଷୟ ଯାହା ଆମେ କଥାବାର୍ତା ହୋଇଥିଲେ ତାହା ଥିଲା ଆପଣଙ୍କର କର୍ମରୁ ଅବସର ପ୍ରସଂଗ । କାରଣ ଆପଣ ୧୯୫୮ ଗ୍ରୀଷ୍ମ କାଳରେ ଅବସର ନେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଦେଶ ଆପଣଙ୍କୁ ଏହା କରିବାକୁ ଦେଇ ନ ଥିଲା । ସେତେବେଳେ ମୁଁ ପଚାରିଥିଲି ଆପଣ କଣ ଏପରି ଚେଷ୍ଟା ପୁନର୍ବାର କରିବେ । ଆପଣ କହିଥିଲେ ଯେ ସେପରି କୈାଣସି ଯୋଜନା ନାହିଁ । ଏହା କଣ ଆଜି ମଧ୍ୟ ଆପଣଙ୍କ ମତ ?”
ନେହରୁ: “ଅଳ୍ପ ବହୁତେ, ହଁ । ମୋର କୈାଣସି ସେପରି ଯୋଜନା ନାହିଁ । କିନ୍ତୁ ମୁଁ ତ ଅନିର୍ଦ୍ଦିଷ୍ଟ କାଳ ଯାଏ ରହି ପାରିବି ନାହିଁ ।”
Arnold: “ଏହା ଠିକ । କିନ୍ତୁ ଆପଣଙ୍କର ପ୍ରଧାନମନ୍ତ୍ରୀତ୍ୱ ପରେ ଭାରତର ଅଭିଭାବକତ୍ୱ (stewardship)ସମ୍ପର୍କରେ କଣ ଭାବନ୍ତି ?
ନେହରୁ: “କେହି ଜଣେ ଆସିବ ଓ ଦାୟିତ୍ୱ ନେବ । କିନ୍ତୁ ମୁଁ ଅନୁଭବ କରେ ଯେ କାହାରିକୁ ଯଦି ମୁଁ ମନୋନୀତ କରେ, ଯେପରି ଅନେକେ ଆଶା କରୁଛନ୍ତି, ତାହା ନିଶ୍ଚିତ କରିଦେବ ଯେ ସେ (ମନୋନୀତ ବ୍ୟକ୍ତି) ବେଶୀ ଦିନ ରହିପାରିବେ ନାହିଁ । ଲୋକେ ତାଙ୍କ ପ୍ରତି ଇର୍ଷାନ୍ୱିତ ହେବେ, ତାଙ୍କୁ ପସନ୍ଦ କରିବେ ନାହିଁ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଓି୍ୱନଷ୍ଟନ ଚର୍ଚ୍ଚିଲ(Winston Churchill) ଆଂଥନୀ ଇଡେନ(Anthony Eden)ଙ୍କୁ ମନୋନୀତ କରିଥିଲେ । କିନ୍ତୁ ସେ ବେଶୀ ଦିନ ରହିପାରିଲେ ନାହିଁ । ତେଣୁ ସବୁଠାରୁ ଭଲ ହେଉଛି ଲୋକଙ୍କୁ ଛାଡି ଦେବା ବାଛିବା ପାଇଁ । ସ୍ୱାଭାବିକ ସେମାନେ ସେହିମାନଙ୍କ ଭିତରୁ ବାଛିବେ ଯେଉଁମାନେ ଆମର ପରିସରରେ ଅଛନ୍ତି ।” .
Arnold: “ଏକ ଭାରତ କଳ୍ପନା କରିବା ସମ୍ବବ ନୁହେଁ, ଯାହାର ଶୀର୍ଷରେ ଆପଣ ନାହାନ୍ତି ।”
ନେହରୁ: “ଯେମିତି ହେଉ ଲୋକଙ୍କୁ ତ ଭାବିବାକୁ ହେବ ।”.
Arnold: “ଲୋକେ ତ ଭାବିବେ କିନ୍ତୁ ଉତ୍ସୁକ ହେଉଥିବେ ଜାଣିବା ପାଇଁ ଉତ୍ତରାଧିକାରୀ କିଏ । ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମରେ କିଛି ମାସ ହେଲା, ବିଶେଷ ଭାବରେ, ଅନେକ ସମ୍ବାଦ ପ୍ରକାଶ ପାଉଛି ଯେ ଆପଣଙ୍କ ଝିଅ, ଶ୍ରୀମତୀ ଗାନ୍ଧୀଙ୍କୁ ଆପଣଙ୍କର ଉତ୍ତରାଜିକରି ଭାବେ ପ୍ରସ୍ତୁତ କରାଯଉଛି । ଏହା ଏକ ରୋଚକ ଭାବନା । .
ନେହରୁ: ଏହା ରୋଚକ ହୋଇପାରେ କିଛି ଲୋକଙ୍କ ପାଇଁ । କିନ୍ତ ଏହାର ସମ୍ଭାବନା ବହୁତ କମ । ମୁଁ ଜାଣେ ସେ ଏହା ହେବା ଆଦୈା ଚାହେଁ ନା । କିନ୍ତୁ ମୁଁ ନିଶ୍ଚିତ ଭାବରେ ତାକୁ ଉତତରାଧିକାରୀ ଭାବେ ପ୍ରସ୍ତୁତ କରୁ ନାହିଁ ।
Reference
(Source: Doordarshan Archives)
ସଂଗ୍ରହ ଓ ଅନୁବାଦ:ବୀରେନ୍ଦ୍ର ନାୟକ
Comments
0 comments