ଏହି ଶୀର୍ଷକଟି ଆମର ନୁହଁ । କିଛିଦିନ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ‘ଏଡ଼ିଟରସ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ଓ ‘ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା’ ତରଫରୁ ଏହି ଶୀର୍ଷକଥାଇ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟସ୍ତରର କିଛି ପ୍ରତିଷ୍ଠିତ ସମ୍ପାଦକ ତଥା ପୂର୍ବତନ ସମ୍ପାଦକ ଯୋଗ ଦେଇଥିଲେ । ସେମାନଙ୍କ ଭିତରେ ଥିଲେ ଶ୍ରୀ ଏନ୍. ରାମ, ଶ୍ରୀ ପରାଞ୍ଜୟ ଗୁହା ଥାକୁର୍ତ୍ତା ଓ ଶ୍ରୀ ଅନନ୍ତ ନାଥ । ଧରିତ୍ରୀ ଖବରକାଗଜର ସମ୍ପାଦକ ତଥା ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାର ସଭାପତି ଶ୍ରୀ ତଥାଗତ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାରେ ଓଡ଼ିଶାରୁ ମଧ୍ୟ କିଛି ପ୍ରତିଷ୍ଠିତ ସାମ୍ବାଦିକ ଭାଗ ନେଇଥିଲେ । ଅକ୍ଟୋବର ୨୭,୨୦୨୪ଦିନ ଯେଉଁ ବିବରଣୀଟି ତଥାଗତ ବାବୁଙ୍କ ଧରିତ୍ରୀରେ ପ୍ରକାଶିତ ହୋଇଛି ସେଥିରେ ଯାହାସବୁ ଆଲୋଚନା ହେଇଥିବାର ସୂଚନା ଦିଆଯାଇଛି, ସେହି ସବୁ ଜାତୀୟ ସ୍ତରରେ ଆଲୋଚନାବେଳେ ମଧ୍ୟ କୁହାଯାଇଥାଏ ଯେମିତିକି ଖବରକାଗଜ ପାଇଁ ବିଜ୍ଞାପନର ସମସ୍ୟା, ସମ୍ବାଦିକମାନଙ୍କର ନିରାପତ୍ତା, ପ୍ରେସ୍ର ସ୍ୱାଧିନତା ଉପରେ ହସ୍ତକ୍ଷେପ, ଆର୍ଟିଫିସିଆଲ୍ ଇଣ୍ଟେଲଜେନ୍ସ ମୁକାବିଲା, କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେବା ଇତ୍ୟାଦି । ସେଥିରେ ଅଣସାମ୍ବାଦିକ ଭାବେ ଯୋଗ ଦେଇଥିବା ଉଚ୍ଚତମ ନ୍ୟାୟାଳୟର ବିଶିଷ୍ଟ ବିଚାରପତି ଶ୍ରୀ ଅନଙ୍ଗ ପଟ୍ଟନାୟକ (ଅବସରପ୍ରାପ୍ତ)ଙ୍କର ମତଟି ଟିକିଏ ନିଆରା ଥିଲା । ସେ କହିଥିଲେ ଯେ “ବ୍ୟବସାୟିକ ପ୍ରତିଷ୍ଠାନମାନେ ମିଡ଼ିଆ ହାଉସ୍ ଚଳାଇବା ଉଚିତ୍ ନୁହଁ । କାରଣ ସେଥିରେ ବ୍ୟବସାୟିକ ସ୍ୱାର୍ଥ ଅଧିକ ଗୁରୁତ୍ୱ ରଖିଥାଏ । ଗଣତନ୍ତ୍ର ପାଇଁ ଯେଉଁଭଳି ସ୍ୱାଧୀନ ନ୍ୟୟପାଳିକା ଗୁରୁତ୍ୱପୂର୍ଣ୍ଣ ସେହିପରି ଗଣମାଧ୍ୟମ ମଧ୍ୟ ସମାନ ଭାବେ ଗୁରୁତ୍ୱ ବହନକରେ । ଗତ କିଛିବର୍ଷ ହେବ ଦେଖାଯାଉଛି ଯେ ନ୍ୟାୟପାଳିକା ଯେଭଳି ଭାଙ୍ଗି ଭାଙ୍ଗିଯାଉଛି ଗଣମାଧ୍ୟମ ମଧ୍ୟ ସେହିଭଳି ସ୍ଥିତି ଦେଇ ଗତି କରୁଛି ।”
ବିଡ଼ମ୍ବନାର କଥା ଯେ ଏହି ଆଲୋଚନାଚକ୍ରରେ ଆଞ୍ଚଳିକ ଗଣମାଧ୍ୟମ ସାମ୍ନାରେ କ’ଣ ସବୁ ପ୍ରକୃତ ଆହ୍ୱାନ ରହିଛି ସେ ସମ୍ପର୍କରେ କୌଣସି ଆଲୋଚନା ହୋଇଥିବାର ଧରିତ୍ରୀରେ ପ୍ରକାଶିତ ଏହି ବିବରଣୀରୁ ଜଣା ପଡୁନାହିଁ । ଓଡ଼ିଶାରେ ଏଭଳି ସମସ୍ୟା ଉପସ୍ଥାପନ କରିବାପାଇଁ ସାମ୍ବାଦିକଙ୍କର ବା ସମ୍ବାଦପତ୍ର ଗବେଷଣା କରୁଥିବା ବ୍ୟକ୍ତିମାନଙ୍କର ଅଭାବ ରହିଛି ତାହା ନୁହଁ । ବରଂ ଓଡ଼ିଶାରେ ଆଞ୍ଚଳିକ ଗଣମାଧ୍ୟମର ପ୍ରଥମ ଶତୃ ହେଉଛନ୍ତି ଏହାର ମାଲିକ ତଥା ମାଲିକ-ସମ୍ପାଦକମାନେ । ଯେଉଁ ସାମ୍ବାଦିକମାନେ ନିଷ୍ଠାର ସହ କାମକରି ଜନଗଣ, ସମାଜ, ରାଷ୍ଟ୍ର ତଥା ଏହାର ଅର୍ଥନୀତି ସାମ୍ନା କରୁଥିବା ସମସ୍ୟାଗୁଡ଼ିକୁ ନିଷ୍ଠାପର ଭାବେ ଲୋକଲୋଚନକୁ ଆଣିବାପାଇଁ ଚେଷ୍ଟା କରୁଛନ୍ତି ସମ୍ପାଦକମାନେ ସେମାନଙ୍କର ଅଧ୍ୟୟନ ବା ଅନୁଧ୍ୟାନଗୁଡ଼ିକୁ ଉପଯୁକ୍ତ ସ୍ଥାନ ଦେବାପାଇଁ ପ୍ରସ୍ତୁତ ନୁହଁନ୍ତି । ଅନେକ ଉଚ୍ଚକୋଟିର ସମ୍ବାଦିକ ଏବେ ଓଡ଼ିଶାରେ ଭଲ ସମ୍ପାଦକଟିଏ ନପାଇ ଅସହାୟ ଅବସ୍ଥାରେ ଅଛନ୍ତି ବା ସହରରେ ପରିବାର ନେଇ ବଞ୍ଚିରହିବା ପାଇଁ ନିଜର ମୁକ୍ତ ଅଭିବ୍ୟକ୍ତିକୁ ସାମୟିକ ଭାବେ ବିଶ୍ରାମ ଦେଇ ସାମ୍ବାଦିକତାକୁ କେବଳ ଏକ ଅର୍ଥହୀନ ପେଷାଭାବେ ଗ୍ରହଣ କରିଛନ୍ତି । କିଛିବର୍ଷ ତଳେ ଜଣେ ବରିଷ୍ଠ ସାମ୍ବାଦିକ କଥାବାର୍ତ୍ତା ବେଳେ ନିଜ ଅସହାୟ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ କିଭଳି ଦୁଇମାସ କାଳ ସେ ଘରଭଡ଼ା ଦେଇ ପାରିନାହାଁନ୍ତି ଏବଂ ସ୍କୁଲରେ ନିଜ ପିଲାର ମାସିକ ପାଉଣା କିଛି ମାସହେବ ପଇଠ କରିପାରି ନାହାଁନ୍ତି । ସମ୍ପାଦକଙ୍କ ରୋଷର ଶିକାର ହୋଇ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା ଏବଂ ଏବେ ଶେଷରେ ସେ ଜଣେ ଶିକ୍ଷାବେପାରୀଙ୍କର ଗଣମାଧ୍ୟମ ସଂସ୍ଥାରେ ଯୋଗଦେବା ପାଇଁ କିଭଳି ବାଧ୍ୟହେଲେ, ସେହି କଥା କହି ତାଙ୍କୁ ଭୁଲ୍ ନବୁଝିବା ପାଇଁ ଅନୁରୋଧ କରିଥିଲେ । ଆଞ୍ଚଳିକ ଗଣମାଧ୍ୟମରେ କିଛି ପ୍ରତିଷ୍ଠିତ ପରିବାରର ପତିଆରା ବା ଦୌରାତ୍ମ୍ୟ ଚାଲିଛି । ତାକୁ କେମିତି ମୁକାବିଲା କରାଯାଇ ପାରିବ, ତାହା ପ୍ରଥମେ ଆଲୋଚନା ହେବାକଥା । ଓଡ଼ିଶାର ପ୍ରାୟ ସବୁ ପ୍ରତିଷ୍ଠିତ ଖବରକାଗଜ ଲାଭ କରୁଛନ୍ତି । ସମାଜକୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ସମସ୍ତଙ୍କର ଲାଭଟି ପରିବାରମାନଙ୍କୁ ବା ପରିବାର ଦ୍ୱାରା ପ୍ରତିଷ୍ଠିତ ସଂସ୍ଥାମାନଙ୍କୁ ଯାଉଛି । ଏମାନେ ସମସ୍ତେ ସରକାରଙ୍କର ବୋଲକରା । ଯଦି ନିର୍ଭୀକ ଏବଂ ସ୍ପଷ୍ଟଭାବେ ସତ୍ୟ ଏବଂ ବାସ୍ତବତାର ଖବର ବା କାହାଣୀ ଏମାନେ ନିଜ ଖବରକାଗଜ ବା ଅନ୍ୟ ମାଧ୍ୟମ ଗୁଡ଼ିକରେ ଦେବେ ତେବେ ଆଜି ଦେଶରେ ଯେଉଁଭଳି ସରକାର ଚାଲିଛି ଏମାନଙ୍କର କାରବାର ବନ୍ଦ ହୋଇଯିବ । ତେଣୁ ଗଣମାଧ୍ୟମକୁ କିଭଳି ସ୍ୱୟଂସମ୍ପନ୍ନ, ସ୍ୱାଧୀନ ଏବଂ ନିରପେକ୍ଷ ରଖି ଖବର ପ୍ରସାରଣ କରାଯାଇପାରିବ, ତାହା ହିଁ ଆଞ୍ଚଳିକ ଗଣମାଧ୍ୟମର ବାସ୍ତବ ସମସ୍ୟା ହିସାବରେ ଆଲୋଚନା ହେବା କଥା । କିନ୍ତୁ ସେଭଳି ହେଉ ନାହିଁ । ଆମେ ନ୍ୟାୟମୂର୍ତ୍ତି ଶ୍ରୀ ଅନଙ୍ଗ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବୁ ଯେ ସେ ଅନ୍ତତଃ ଏହି ଆଲୋଚନାରେ ଭାଗ ନେଉଥିବା ଲୋକମାନଙ୍କୁ ସେମାନଙ୍କର ଅସଲ ସମସ୍ୟାଟି କ’ଣ ସେଥିରୁ କିଛି କଥା ମନେପକାଇ ଦେଇଥିଲେ ।
ଏତିକିବେଳେ ଓଡ଼ିଆ ଖବରକାଗଜ ଅତୀତରୁ ଆଜିଯାଏଁ କ’ଣ ରହିଆସିଛି ଆମ ପାଠକମାନଙ୍କୁ ମନେପକାଇ ଦେବା ପାଇଁ ଉଚିତ୍ ମନେକଲୁ । ଯଦିଓ ‘ହୁ ଡଜ୍ ଦି ମିଡ଼ିଆ ସରଭ୍ ଇନ୍ ଓଡ଼ିଶା?’ ଶୀର୍ଷକ ଏକ ଲେଖାରେ ଆମେ ଛୋଟ ବିଶ୍ଳେଷଣଟିଏ ପ୍ରତିଷ୍ଠିତ ଇଂଗ୍ରାଜୀ ସାପ୍ତାହିକ ‘ଇକୋନୋମିକ୍ ଆଣ୍ଡ୍ ପଲିଟିକାଲ୍ ଉଇକ୍ଲି’ରେ ୧୧ବର୍ଷ ତଳେ ପ୍ରକାଶିତ କରିଥିଲୁ, ଆମେ ଏଠି ପ୍ରଥମେ ‘ସୃଜନିକା’ଦ୍ୱାରା ପ୍ରତିଷ୍ଠିତ www.odiabibhaba.inରେ ଓଡ଼ିଆ ଖବରକାଗଜ ଏବଂ ପତ୍ରିକା ସମ୍ପର୍କରେ ଅତୀତକୁ ଅନୁଧ୍ୟାନକରି ଯେଉଁ ସଂକ୍ଷିପ୍ତ ଟିପ୍ପଣୀ ଦିଆଯାଇଛି ତାକୁ ଉପସ୍ଥାପନ କରୁଛୁ । ସୃଜନିକାର ଭାଷାରେ, “୧୮୬୬ ମସିହାରେ ‘ଉତ୍କଳ ଦୀପିକା’ ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ଗୋଟିଏ ନୂଆମୋଡ଼ ଆଣିଲା । ଏହାଥିଲା ଓଡ଼ିଆ ଭାଷାର ସମ୍ବାଦପତ୍ର । ସେହି ସମୟର ସାମଜିକ ପରିସ୍ଥିତି ଦୃଷ୍ଟିରୁ ଏହାର ପ୍ରକାଶନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାପରେ ସମ୍ବାଦପତ୍ର ଭାବରେ ପ୍ରକାଶ ପାଇଥିଲା ବାଲେଶ୍ୱର ‘ସମ୍ବାଦବାହିକା’ । ଆଉକିଛି ଛୋଟ ସମ୍ବାଦପତ୍ର ପ୍ରକାଶ ହେବାପରେ ଦେବଗଡ଼ରୁ ପ୍ରକାଶିତ ହେଲା ‘ସମ୍ବଲପୁର ହିତୈଷିଣୀ’ । ଊନବିଂଶ ଶତାବ୍ଦୀର ଶେଷ ଭାଗକୁ ଓଡ଼ିଆ ଭାଷାର ନିୟମିତ ପ୍ରକାଶନ ଭିତରେ ଅଧିକାଂଶ ଥିଲେ ସମ୍ବାଦପତ୍ର । ୧୮୪୯ରୁ ୧୮୬୬ ମସିହା ଭିତରେ ତିନିଟି ଓଡ଼ିଆ ମାସିକ ପତ୍ରିକା ପ୍ରକାଶିତ ହୋଇଥିଲେ ଏବଂ ଅଳ୍ପଦିନ ପରେ ବନ୍ଦ ହୋଇଯାଇ ଥିଲେ । ୧୮୬୬ରୁ ୧୮୯୭ ଭିତରେ ଆଉ କେତୋଟି ପତ୍ରିକା ବାହାରି ସେହିଭଳି ବନ୍ଦ ହୋଇଯାଇ ଥିଲେ । ହୁଏତ ପତ୍ରିକାର ଅଭାବ ପୂରଣ କରିବାପାଇଁ ସେ ସମୟର ଓଡ଼ିଆ ଖବରକାଗଜଗୁଡ଼ିକ ବିଭିନ୍ନ ଦୈର୍ଘ୍ୟର ଫିଚରଧର୍ମୀ ଲେଖାପାଇଁ ମଧ୍ୟ ସ୍ଥାନ ଦେଉଥିଲେ । ସେହିଭଳି କିଛି ଲେଖାରେ ଗୁରୁତ୍ୱପୂର୍ଣ୍ଣ ତାତ୍ତ୍ୱିକ ଆଲୋଚନା ମଧ୍ୟ କରାଯାଉଥିଲା ।”
ଯେଉଁ ପୃଷ୍ଠଭୂମିରେ ଓଡ଼ିଆ ଖବରକାଗଜ ଜନ୍ମ ନେଇଥିଲା ଏବଂ ଯେଉଁ ଆଞ୍ଚଳିକ ସମସ୍ୟା ତଥା ଆହ୍ୱାନଗୁଡ଼ିକୁ ସେମାନେ ଗ୍ରହଣ କରିଥିଲେ ଆଜି ସେଭଳି ଉଦାହରଣ ଆଦୌ ଦେଖିବାକୁ ମିଳୁନାହିଁ ଯଦିଓ ଖବରକାଗଜ ପ୍ରକାଶନପାଇଁ ଆର୍ଥିକ ପୁଞ୍ଜି ବା ବୈଷୟିକ ଜ୍ଞାନକୌଶଳର ଅଭାବ ନାହିଁ । ଯେତେବେଳେ ନ’ଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନଙ୍କୁ କଲବଲ କରି ମାରୁଥିଲା ସେତେବେଳେ ଲୋକଙ୍କର ଯନ୍ତ୍ରଣାର କାହାଣୀ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ରିଟିଶ୍ ଶାସନର ଜଣେ କର୍ମଚାରୀ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା ‘ଉତ୍କଳ ଦୀପିକା’(୧୮୬୬) । ସୃଜନିକାଙ୍କ ଭାଷାରେ “୧୮୬୬ ଦୁର୍ଭିକ୍ଷ ପରଠାରୁ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠିତ ହେବାଯାଏଁ ଓଡ଼ିଶାର ବିଭିନ୍ନ ସମସ୍ୟା ତଥା ଓଡ଼ିଆ ଭାଷାର ଉନ୍ନତିକୁ ନେଇ ଯାହାସବୁ ଚର୍ଚ୍ଚା, ବିବାଦ ବା ଆନ୍ଦୋଳନ ହୋଇଛି (ଉତ୍କଳ)ଦୀପିକା ସେ ସବୁର ମୁଖପତ୍ର ଭଳି କାମ କରିଛି ।”
ଆଜି ଇଂଗ୍ରେଜମାନେତ ନାହାଁନ୍ତି, ଓଡ଼ିଆ ଖବରକାଗଜ ଓ ଗଣମାଧ୍ୟମର ସଂଖ୍ୟା ବି ଶହଶହ ଗୁଣ ବଢ଼ିଯାଇଛି । ଅନ୍ୟପଟେ ଦେଶୀବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଓଡ଼ିଶାରେ ଉପନିବେଶବାଦ ତୀବ୍ରରୂପ ନେଇଚାଲିଛି । ଏହି ସମୟରେ ଅନ୍ତତଃ ଓଡ଼ିଶାରେ ଗଣମାଧ୍ୟମର ମଙ୍ଗ ଧରିଛନ୍ତି ବୋଲି ଅଭିନୟ କରୁଥିବା ତଥାକଥିତ ପ୍ରତିଷ୍ଠିତ ସମ୍ପାଦକ ତଥା ମାଲିକମାନେ ବିଚାର କରିବା କଥାଯେ ସେମାନେ ଏହି ଭୟଙ୍କର ଉପନିବେଶବାଦର ‘ଶିକାର’ମାନଙ୍କ ସହ ଅଛନ୍ତି ନା ‘ଶିକାରୀ’ ମାନଙ୍କଠାରୁ ବିଜ୍ଞାପନ ନାମରେ ହେଉ ବା ଅନ୍ୟ ପ୍ରକାରେ କିଛି କିଛି ଲାଭପାଇ ନିଜକୁ ହୃଷ୍ଟପୁଷ୍ଟ କରିଚାଲିଛନ୍ତି! ମିଡ଼ିଆ ମାଲିକମାନେ ମଜାମଜଲିସ୍ରେ ଦିନ କଟାଉଥିବାବେଳେ ସାମ୍ବାଦିକମାନେ ନିଜ ପରିଶ୍ରମର ପାଉଣାପାଇଁ ମୁଣ୍ଡ ନୁଆଁଇ ବୋଲମାନି କାମ କରିବାପାଇଁ ବାଧ୍ୟ ହେଉଛନ୍ତି । ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କର ଅସଲ ସମସ୍ୟା କ’ଣ ବୁଝି ସେମାନେ ରିପୋର୍ଟ ତିଆରି କରିପାରିବେ । କିନ୍ତୁ ଯଦି ମାଲିକମାନେ ସେହିସବୁକୁ ଲୋକଲୋଚନକୁ ଆଣିବେ ନାହିଁ ତାହାହେଲେ ଏହି ସାମ୍ବାଦିକ ମାନେ ବି ନିରୁତ୍ସାହିତ ହୋଇଯିବେ । ଓଡ଼ିଶାରେ ଆଞ୍ଚଳିକ ଗଣମାଧ୍ୟମର ବଡ଼ ସମସ୍ୟା ହେଲା ଯେ ଏଠି ସମ୍ପାଦକ ନାହାନ୍ତି । ସମ୍ପାଦକ ନାଁରେ ଯେଉଁମାନେ ଗୋଟିଏ ଗଣମାଧ୍ୟମ ପରିଚାଳନା କରୁଛନ୍ତି ସେମାନେ ପ୍ରାୟତଃ ମାଲିକ ବା ମାଲିକଙ୍କ ଦ୍ୱାରା ନିଯୁକ୍ତ ବ୍ୟବସାୟିକ ପ୍ରତିନିଧି ହୋଇଥାନ୍ତି । ‘ସମାଜ’ହୁଏତ ଏକ ମାତ୍ର ଖବରକାଗଜ ଯାହାର ବିଭିନ୍ନ ସମସ୍ୟା ଥିଲେ ବି କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ହିସାବରେ ଏହା ପରିଚାଳିତ ନୁହଁ ।
ଇତିହାସର ଅଧ୍ୟୟନରୁ ଜଣାପଡ଼େଯେ ଖବରକାଗଜ ବା ଆଜିର ଭାଷାରେ ଗଣମାଧ୍ୟମ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରେ ଯଦି ଜନଗଣ ସାମ୍ନା କରୁଥିବା ବୃହତ୍ ସମସ୍ୟାଗୁଡ଼ିକ ପ୍ରତି ଏହାର ଉଚିତ୍ ଆଭିମୁଖ୍ୟ ରହେ । ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଖବରକାଗଜ ଗୁଡ଼ିକ (ଉତ୍କଳ ଦୀପିକା ଠାରୁ ଆରମ୍ଭ କରି) ଅଧିକାଂଶରେ ଉପନିବେଶ ପ୍ରଶାସନ କିଭଳି ଏକ ଦୁର୍ବିପାକକୁ ଖାମଖିଆଲି ଢଙ୍ଗରେ ନେବା ହେତୁ ବ୍ୟାପକ ଜୀବନହାନି ହୋଇଥିଲା ତାହାର କଠୋର ସମାଲୋଚନା କରୁଥିଲେ । ସେହି ସମୟରେ ଓଡ଼ିଶାର ସମାଜରେ ଯେଉଁ ଶିକ୍ଷିତବର୍ଗ ଥିଲେ ସେମାନଙ୍କର ସଂଖ୍ୟା ଅତିନଗନ୍ୟ ଥିଲେ ବି ଏହି ଖବରକାଗଜଗୁଡ଼ିକ ମାଧ୍ୟମରେ ନିଜର ସ୍ପଷ୍ଟମତ ରଖି ପାରୁଥିଲେ । ଓଡ଼ିଆ ମଧ୍ୟବିତ୍ତ ଶ୍ରେଣୀର ନୂଆକରି ଶିକ୍ଷିତ ହୋଇଥିବା ବର୍ଗଙ୍କ ପାଇଁ ମୁଦ୍ରଣଯନ୍ତ୍ରର ଆବିର୍ଭାବ ଏବଂ ଖବରକାଗଜରେ ମିଳୁଥିବା ସ୍ଥାନ ସୁଯୋଗ ଆଣିଥିଲା ସ୍ପଷ୍ଟମତ ରଖିବାପାଇଁ । ଏମିତିକି ‘ପ୍ରଜାବନ୍ଧୁ’ (୧୯୦୨)ଭଳି କିଛି ଖବରକାଗଜ ସମାଜରେ ଲୋକମାନଙ୍କୁ ଏକାଠି କରାଇବା କାମରେ ଲାଗିଥିଲେ । ଓଡ଼ିଆ ଅସ୍ମିତାକୁ ଜାହିର କରିବା ପାଇଁ ଗଞ୍ଜାମରେ ଏହି ଖବରକାଗଜ ବିଭିନ୍ନ ସ୍ଥାନରେ ପ୍ରଜାବନ୍ଧୁ ସୋସାଇଟି ମଧ୍ୟ ସ୍ଥାପନ କରିଥିଲେ । ପ୍ରତିଷ୍ଠିତ ଲେଖକମାନଙ୍କ ସହ ଯୁବଲେଖକ ମାନଙ୍କୁ ମଧ୍ୟ ଏଥିରେ ମତବ୍ୟକ୍ତ କରିବା ପାଇଁ ସ୍ଥାନ ମିଳୁଥିଲା । ସ୍ୱାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଖବରକାଗଜ ବିଶେଷ କରି ଶଶୀଭୂଷଣ ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ବ୍ରହ୍ମପୁରରୁ ପ୍ରକାଶିତ ଖବରକାଗଜ ‘ଆଶା’ (୧୯୧୩) ଏବଂ ସେହି ବ୍ରହ୍ମପୁରରୁ ଆଶା ପ୍ରେସ୍ ରୁ ପ୍ରଥମେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’(୧୯୧୯) ଜାତୀୟତା ଆନ୍ଦୋଳନରେ ପ୍ରମୁଖ ଭୂମିକା ନିଭାଇ ଆସିଥିଲା । ଏମାନଙ୍କ ଯୋଗୁଁ ଓଡ଼ିଶାରେ ଲେଖକ ଓ ସାମ୍ବାଦିକ ଶ୍ରେଣୀଟିଏ ତିଆରି ହୋଇପାରିଥିଲା । ସେହିଭଳି ଭାରତରେ ସାମ୍ୟବାଦୀ ଆନ୍ଦୋଳନର ଆନୁଷ୍ଠାନିକ ଆରମ୍ଭ ‘କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ’ର ପ୍ରତିଷ୍ଠା (୧୯୨୫) ପରେ ପରେ ପ୍ରଗତିଶୀଳ ଖବରକାଗଜ ଓ ସାହିତ୍ୟ ପ୍ରକାଶନ ପର୍ବ ଆରମ୍ଭ ହୋଇଥିଲା । ପ୍ରମୁଖ ପ୍ରକାଶନ ଭିତରେ ଥିଲା ‘ସାରଥି’, ‘କୃଷକ’ ଏବଂ ‘ଆଧୁନିକ’ । ଗତ ୧୬-୩୧ ଅକ୍ଟୋବର ୨୦୨୪ ସଂଖ୍ୟାରେ ଆମ କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ‘ଭଗବତୀ ପାଣିଗ୍ରାହୀ’ ଉପରେ ଲେଖିବାକୁ ଯାଇ ତାଙ୍କଦ୍ୱାରା ସମ୍ପାଦିତ ‘ଆଧୁନିକ’ ଉପରେ ଏକ କ୍ଷୁଦ୍ର ଆଲେଖ୍ୟ ଉପସ୍ଥାପନ କରିଛନ୍ତି । ଏଠି କହିବାର କଥା ଏହାଯେ ସମାଜରେ ଚାଲିଥିବା ଧାରା, ଜନଗଣଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ଏବଂ ସେଥିରୁ ଉଦ୍ଧାର ପାଇବାପାଇଁ ଉଠୁଥିବା ସଙ୍ଗଠିତ ବା ଅସଙ୍ଗଠିତ ପରିବର୍ତ୍ତନର ସ୍ୱରକୁ ଅଣଦେଖାକରି କୌଣସି ଖବରକାଗଜ ନିଜକୁ ପ୍ରାସଙ୍ଗିକ କରାଇପାରିବ ନାହିଁ । ସେହି ସମୟର ଖବରକାଗଜମାନେ ଅସଙ୍ଗଠିତ ସ୍ୱରକୁ ସଙ୍ଗଠିତ କରାଇବାରେ ନିଜେ ସାହାଯ୍ୟ କରୁଥିଲେ । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଏହି ଚିତ୍ରପଟଟି ଯେମିତି ଅଚାନକ ବଦଳିଗଲା । ରାଜନୈତିକ ଶ୍ରେଣୀଭଳି ଗଣମାଧ୍ୟମ ଚଳାଉଥିବା ଲୋକମାନେ ଶିଥିଳ ହୋଇଗଲେ ଏବଂ ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କର ମୁଖପତ୍ର ହୋଇ ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ କଲେ । ଖବରକାଗଜ ଜନଗଣଙ୍କର ଆସ୍ଥା ହରାଇବାରେ ଲାଗିଲା । ସେହି ଆସ୍ଥାକୁ ଫେରାଇ ଆଣିବା ପାଇଁ ସେଭଳି ଆଖିଦୃଷ୍ଟିଆ ପ୍ରୟାସ ହେଲା ନାହିଁ । ସ୍ୱଧୀନତାର ପାଞ୍ଚଟି ଦଶନ୍ଧି ବି ପୁରି ନାହିଁ, ଭାରତର ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ ବିପର୍ଯ୍ୟୟକୁ ନିଜ ଭିତରେ ଲୁଚାଇ ଗୋଟିଏ ଅର୍ଥନୈତିକ ସଂସ୍କାର ଯୁଗ ଆସିଲା ବା ଅଣାଗଲା ।
ପି.ଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ (୧୯୯୧-୧୯୯୬) ଓ ଡ଼ଃ ମନମୋହନ ସିଂ ଅର୍ଥମନ୍ତ୍ରୀ (୧୯୯୧-୧୯୯୬) ଥିବାବେଳେ ଯେଉଁ ଅର୍ଥନୈତିକ ଉଦାରୀକରଣ ପର୍ବ ତଥା ଅର୍ଥନୈତିକ ସଂସ୍କାର ଯୁଗ ଭାରତରେ ଆରମ୍ଭହେଲା, ତାହା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ପାଇଁ ଭାରତକୁ ବିନା ରକ୍ତପାତରେ ଦଖଲ କରିବାପାଇଁ ପୁଣି ଗୋଟିଏ ସୁଯୋଗ ସୃଷ୍ଟି କଲା । ଏହି ବିଷୟବସ୍ତୁ ଉପରେ ‘ସମଦୃଷ୍ଟି’ରେ ପୂର୍ବରୁ ଅନେକ ଲେଖା ପ୍ରକାଶିତ ହୋଇସାରିଛି । କେବଳ ଏଠି ସଂକ୍ଷେପରେ କୁହାଯାଇ ପାରେ ଯେ ଉପନିବେଶବାଦକୁ ପୁନଃ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମର ଏକ ପ୍ରମୁଖ ଭୂମିକା ରହିଆସିଛି । ଗଣମାଧ୍ୟମ ଶିଳ୍ପର ମାନ୍ୟତା ପାଇବା, ଆଧୁନିକୀକରଣ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରସର ହେବା ଏବଂ ଠିକ୍ ସେତିକିବେଳେ ଭାରତର ଗଣମାଧ୍ୟମ କ୍ଷେତ୍ରରେ ବିଦେଶୀ କମ୍ପାନୀମାନଙ୍କ ଦ୍ୱାରା ପୁଞ୍ଜିଲଗାଣକୁ ଉନ୍ମୁକ୍ତ କରିଦେବା ସାମଗ୍ରିକ ଭାବେ ଗଣମାଧ୍ୟମର ଚରିତ୍ରକୁ ବଦଳାଇ ସାରିଛି । ଏମାନେ ଏବେ ଗୋଟିଏ ଗୋଟିଏ ଶିଳ୍ପର ଅଂଶହୋଇ ପୁଞ୍ଜି ଯୋଗାଉଥିବା ଲୋକମାନଙ୍କର ମୁଖପାତ୍ର ସାଜିଛନ୍ତି । ଆମେ ଯଦି ଏହି ପ୍ରକ୍ରିୟାରେ ପ୍ରକାଶିତ ଖବରକାଗଜଗୁଡ଼ିକୁ କିଣନ୍ତି ନାହିଁ ତଥାପି ବି ସେମାନଙ୍କର କ୍ଷତିହେବ ନାହିଁ । ଗୋଟିଏ ଖବରକାଗଜରେ ଗୋଟିଏ ପାଠକ ବା ଗୋଟିଏ ବୈଦ୍ୟୁତିକ ତଥା ଡିଜିଟାଲ ଗଣମାଧ୍ୟମ ପାଇଁ ଦର୍ଶକ ମାତ୍ର ଗୋଟିଏ ଗୋଟିଏ ଖବର ଗ୍ରାହକ ବା ଖାଉଟି । ସେହିଦୃଷ୍ଟିରୁ ଗଣମାଧ୍ୟମ ଓ ଗଣମାନଙ୍କର ଭିତରେ ଥିବା ପ୍ରାଚୀରଟି ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ଖବରକାଗଜ କିଣି ତାକୁ ବଞ୍ଚାଇ ରଖିବାରେ ପାଠକମାନଙ୍କର ଯେଉଁ ଐତିହାସିକ ଭୂମିକା ଥିଲା, ତାହା ଆଜିର ସମୟରେ ଅଦରକାରୀ ଏବଂ ଅପ୍ରାସଙ୍ଗିକ ହୋଇଯାଇଛି । ଯେଉଁମାନେ ଗଣମାଧ୍ୟମକୁ ହୃଷ୍ଟପୁଷ୍ଟ ରଖିବାରେ ପୁଞ୍ଜି ବା ଅର୍ଥ ଯୋଗାଉଛନ୍ତି ସେମାନେ ହିଁ ଆଜି ଗଣମାଧ୍ୟମର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରୁଛନ୍ତି । ତଥାପି ଏହାର ମାଲିକମାନେ ଏକ ପ୍ରକାର ଛଳନାମୟ ଭୂମିକାରେ ରହି ଜନଗଣଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛନ୍ତି ଯେ ସେମାନେ ଜନଗଣଙ୍କର କହିବାର ଅଧିକାରକୁ ସୁରକ୍ଷା ଯୋଗାଉଛନ୍ତି ।
ଆଜିର ସମୟରେ ଓଡ଼ିଶାଭଳି ରାଜ୍ୟରେ ଗଣମାଧ୍ୟମ ପାଇଁ କ’ଣ ସୁଯୋଗ ଅଛି ନଦେଖି (ଯାହାର ଦାୟିତ୍ୱ ଖଣି କମ୍ପାନୀ/ବ୍ୟବସାୟିକ ସଂସ୍ଥାମାନେ ନେଇ ସାରିଛନ୍ତି) ଆମେ ଆମ ସାମ୍ନାରେ କ’ଣ ଚୂନୌତି ଅଛି ଯଦି ଦେଖିବା, ତେବେ ବୁଝିପାରିବା ଯେ ଆମେ କ’ଣ ସବୁ ଜାଣିନାହାଁନ୍ତି ଏବଂ ଜାଣିବାପାଇଁ ଆଗ୍ରହ ମଧ୍ୟ ନେଉନାହାଁନ୍ତି । ଓଡ଼ିଶାର ନଦୀ ବର୍ଷାଦିନରେ ବି ଶୁଖିଲା ପଡ଼ୁଛି । ନଦୀର ଦୁଇ କୂଳରେ ବସବାସ କରୁଥିବା ଚାଷୀ ଓ ସାଧାରଣ ଲୋକେ ପାଣିପାଇଁ ଛଟପଟ ହେଉଛନ୍ତି । ଜଙ୍ଗଲ ଉଗ୍ରଗତିରେ ଧ୍ୱଂସହୋଇ ଚାଲିଛି । ଜଙ୍ଗଲଜୀବୀ ଦାଦନ ମୁହାଁ ହେଲେଣି ବୋଲି ଛୋଟିଆ ଖବର ସବୁ ଏମାନେ ହିଁ ବାହାର କରୁଛନ୍ତି । ପ୍ରାକୃତିକ ଦୁର୍ବିପାକ ହେଲେ ଶିଳ୍ପ କ୍ଷେତ୍ରରେ ଦେଶରେ ପ୍ରଥମ ହୋଇଥିବା ରାଜ୍ୟର ଉପକୂଳରେ ଥିବା ଲୋକମାନଙ୍କର ଭଙ୍ଗାକୁଡ଼ିଆ ଗୁଡ଼ିକୁ ଦେଖିବାକୁ ମିଳୁଛି ଯାହାକୁ ଛାଡ଼ି ଅସ୍ଥାୟୀ ଥଇଥାନ କେନ୍ଦ୍ରକୁ ବାତ୍ୟା ସମୟରେ ଯିବାପାଇଁ ଲୋକମାନଙ୍କୁ ବାଧ୍ୟକରାଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆଦିବାସୀ ଅଞ୍ଚଳରେ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ଉପନିବେଶ ପ୍ରତିଷ୍ଠା ହୋଇସାରିଲାଣି । ସାଧାରଣ ଆଦିବାସୀଙ୍କର ନିର୍ଯାତନାର କାହାଣୀ ସରୁନାହିଁ । କିନ୍ତୁ କୌଣସି ଖବର ଗଣମାଧ୍ୟମ ପାଖରେ ନାହିଁ । ଏଭଳି ସମସ୍ୟାର ତାଲିକା ବହୁତ ଲମ୍ବା ଏବଂ ଆମ ସମ୍ପାଦକୀୟ ସ୍ତମ୍ଭର ସ୍ଥାନ ବି ସରିଆସିଲାଣି । ଆମେ ତ ପ୍ରଶ୍ନ କରୁଛୁ । ଆପଣମାନେ ବି କରନ୍ତୁ- ଗଣମାଧ୍ୟମ କାହା ପାଇଁ? ଗଣମାନଙ୍କ ପାଇଁ ନା ଗଣଶତ୍ରୁମାନଙ୍କ ପାଇଁ? ଓଡ଼ିଶାରେ ବହୁରାଷ୍ଟ୍ରୀୟ ଉପନିବେଶବାଦରୁ ଆମ ଜନଗଣଙ୍କୁ ଉଦ୍ଧାର କରି ଏକ ସ୍ୱାବଲମ୍ବନଶୀଳ ସମାଜ ଓ ଅର୍ଥନୀତି ନିର୍ମାଣ କରିବାକ୍ଷେତ୍ରରେ ଗଣମାଧ୍ୟମ ଏକ ସକ୍ରିୟ ସହଯୋଗୀର ଭୂମିକା ତିଆରି କରିପାରିବ କି? ନା ଗଣମାଧ୍ୟମ ‘ନିରପେକ୍ଷ’ରହିବାର ବାହାନା କରି ଗଣଶତ୍ରୁମାନଙ୍କର ପକ୍ଷନେଇ ଚାଲିଥିବ!
Comments
0 comments