ଭାରତୀୟ ସ୍ୱାଧୀନତା ସଂଗ୍ରାମ ପର୍ବରେ ଦେଶର ସାମାଜିକ ପରିସ୍ଥିତି ସରଗରମ ହୋଇ ଉଠିଥିଲା-ସ୍ୱାଧୀନତା ସଂଗ୍ରାମ ଉପରେ ୧୯୧୭ ରୁଷ୍ ବିପ୍ଳବର ପ୍ରଚଣ୍ଡ ପ୍ରଭାବ ପଡ଼ିଥାଏ । ବହୁ ତରୁଣ ଭାରତ ବାହାରକୁ ଯାଇ ୟୁରୋପ୍, ଆମେରିକା ଏପରିକି ଲଣ୍ଡନରେ ମଧ୍ୟ ସ୍ୱାଧୀନତା ପାଇଁ ଜନମତ ସୃଷ୍ଟି କରୁଥାଆନ୍ତି । ବହୁ ଯୁବକ କାବୁଲ ବାଟରେ ରୁଷର ତାସ୍କେଣ୍ଟ ଠାରେ ପହଂଚି, ରୁଷର ବଲସେଭିକ ପାର୍ଟି ପକ୍ଷରୁ ପରିଚାଳିତ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥାନ୍ତି । ବହୁ ସ୍ୱାଧୀନତା ସଂଗ୍ରାମୀ ବିଲାତ ଓ ଜର୍ମାନ ଯାଇ କମ୍ୟୁନିଷ୍ଟ ମତବାଦ ଗ୍ରହଣ କରିଥାନ୍ତି ।
ବ୍ରିଟିଶ କମ୍ୟୁନିଷ୍ଟ ପାର୍ଟି ଭାରତ ସମେତ ସବୁ ଉପନିବେଶର ସ୍ୱାଧୀନତା ଦାବୀ କରୁଥାଏ-ବ୍ରିଟିଶ କମ୍ୟୁନିଷ୍ଟ ପାର୍ଟିର ବିଶିଷ୍ଟ ଚିନ୍ତାନାୟକ ରଜନୀପାମେ ଦତ୍ତଙ୍କର ‘ଇଣ୍ଡିଆ ଟୁଡ଼େ’ପୁସ୍ତକ ପ୍ରକାଶ ପାଇଥାଏ । ପରସ୍ପର ସହିତ ପରିଚୟ ନଥିଲେ ବି ଲାହୋର, ବମ୍ବେ, ମାନ୍ଦ୍ରାଜ, କଲିକତା, କାନପୁର, ମିରଟ ପ୍ରଭୃତି ଅଞ୍ଚଳରେ ଛୋଟ ଛୋଟ କମ୍ୟୁନିଷ୍ଟ ମତବାଦୀ ଗୋଷ୍ଠୀଙ୍କର ଆବିର୍ଭାବ ଘଟିଥାଏ । କମ୍ୟୁନିଷ୍ଟ ଗୋଷ୍ଠୀମାନେ କଂଗ୍ରେସ ଭିତରେ ରହି କାମ କରୁଥାନ୍ତି ।
ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସଭ୍ୟ ସାଥୀ ଗୁରୁଚରଣ ପଟ୍ଟନାୟକ ଲେଖିଛନ୍ତି, ‘ଏଇ ସମୟଟା (୧୯୩୦ ପରବର୍ତ୍ତୀ ସମୟ) ଏକ ବିରାଟ ଉଦବେଳନ ଯୁଗ, ତାହା ସମାଜର ପ୍ରତ୍ୟେକ ଶ୍ରେଣୀ, ସମ୍ପ୍ରଦାୟକୁ ଆନ୍ଦୋଳିତ କରିଛି । ପ୍ରତ୍ୟେକ ସେଠି ଅନ୍ୟର ପରିପୂରକ-ଯାହାକି ଭବିଷ୍ୟତରେ ସ୍ୱାଧୀନତା ସଂଗ୍ରାମର ପଥକୁ ସୁଗମ କରେ ଆଉ କମ୍ୟୁନିଷ୍ଟ ଆନ୍ଦୋଳନର ଭିତ୍ତି ଗଠନ କରେ।’ (ନୂଆ ଦୁନିଆ: ଅନନ୍ତ ବିଶେଷାଙ୍କ)। ଗୁରୁଚରଣଙ୍କ ପରେ ପରେ ପ୍ରାଣନାଥ ପଟ୍ଟନାୟକ ଏବଂ ଭଗବତୀ ଚରଣ କଲିକତାରେ ପାର୍ଟି ସଭ୍ୟ ପଦ ଗୋପନୀୟ ଭାବରେ ନିଅନ୍ତି । ତାଙ୍କ ପରେ ପରେ ବୈଦ୍ୟନାଥ ରଥ, ବିଶ୍ୱନାଥ ପଶାୟତ ଏବଂ ଅନନ୍ତ ପଟ୍ଟନାୟକ ମଧ୍ୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦିଅନ୍ତି।
୧୯୩୮ ମସିହା ଅକ୍ଟୋବର ମାସରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ବି. ବାନାର୍ଜୀ ସରକାରଙ୍କୁ ଏକ ଗୋପନୀୟ ନୋଟ୍ ଦେଇଥିଲେ, ‘ଓଡ଼ିଶାରେ ଯୁବ ଆନ୍ଦୋଳନ ୧/୦୧/୩୮ ପର୍ଯ୍ୟନ୍ତ’ ଉପରେ । ସେଥିରେ ସେ ଲେଖିଥିଲେ- ‘The diversion of the youth movement along political avenues is a development of comparatively recent inception and growth in Orissa. Previous to 1935, there was no organisation of such a nature, but in November of that year the Nava Yuga Sahitya Sansad of Cuttack come in to being with eight members.’xx.’
ତାକୁ ଜନପ୍ରକାଶ କରିବ, ସେହିପରି ଲେଖା ଆଧୁନିକରେ ପ୍ରକାଶିତ ହେବ । ଏ ଧରଣର ଲେଖା ‘ଆପଣଙ୍କ କଲମ’ରୁ ବାହାରିପାରେ, ଆମର ଭରସା । ଆମେ ଶୁଣୁ କେତେକଙ୍କର କଲମ, କଲମନୁହେଁ, ତାହା ତରବାରୀ ବା ବନ୍ଧୁକ । xx …ଆପଣଙ୍କ କଲମ, ଆଉ କିଛି ନହେଲେ, ଗୋଟିଏ ହାତୁଡ଼ି କିମ୍ବା ଖଣ୍ଡା ହେବ, ନିଶ୍ଚୟ କରି ଆମେ ଆପଣଙ୍କ ଦ୍ୱାରସ୍ଥ’…xx
xx ..‘ To further this programme, a monthly magazine called ‘ADHUNIK’ (Modern), whose editor was Bhagabati Panigrahi (28) was published in Cuttack. The circulation of this was probably in the neighbourhood of 250, and the journal continued for about one year, whereafter, due to lack of funds, it merged into fortnightly ‘PRAGATI’.xx..
ଅର୍ଥାତ- ‘ରାଜନୈତିକ ଉଦ୍ଦେଶ୍ୟ ସିଦ୍ଧି ଲକ୍ଷ୍ୟରେ ଯୁବ ଆନ୍ଦୋଳନର ଗତିପଥ ପରିବର୍ତ୍ତନ କରିବା ହେଉଛି, ତୁଳନାତ୍ମକ ଭାବରେ ଓଡ଼ିଶା ପାଇଁ ଏକ ସାମ୍ପ୍ରତିକ, ନୂତନ ଘଟଣାକ୍ରମ ଓ କ୍ରମବିକାଶ । ୧୯୩୫ ପୂର୍ବରୁ ଏ ଧରଣର କୌଣସି ସଙ୍ଗଠନ ନଥିଲା । କିନ୍ତୁ ସେହିବର୍ଷ ନଭେମ୍ବରରେ ଆଠଜଣ ସଦସ୍ୟଙ୍କୁ ନେଇ କଟକରେ ‘ନବଯୁଗ ସାହିତ୍ୟ ସଂସଦ’ ଗଠିତ ହେଲା ।’— ଏହି କାର୍ଯ୍ୟକ୍ରମକୁ ରୂପଦେବା ଲାଗି କଟକରୁ ‘ଆଧୁନିକ’ ନାମରେ ଏକ ମାସିକ ପତ୍ରିକା ପ୍ରକାଶିତ ହୁଏ, ଯାହାର ସମ୍ପାଦକ ଥିଲେ ଭଗବତୀ ପାଣିଗ୍ରାହୀ(୨୮ବର୍ଷ) । ପତ୍ରିକାଟିର ପ୍ରସାର ୨୫୦ପାଖାପାଖି ଥିଲା ଏବଂ ଏହା ବର୍ଷକ ପର୍ଯ୍ୟନ୍ତ ଚାଲି ଅର୍ଥାଭାବରୁ ପାକ୍ଷିକ ‘ପ୍ରଗତି’ ପତ୍ରିକା ସହିତ ମିଶିଗଲା….
ନବଯୁଗର ପ୍ରଗତିଶୀଳ ସାହିତ୍ୟର ପଥୀକୃତ୍ ଭଗବତୀଚରଣ ପାଣିଗ୍ରାହୀଙ୍କ ସମ୍ପାଦିତ ସ୍ୱଳ୍ପାୟୁ ‘ଆଧୁନିକ’ ପ୍ରକାଶ ପାଇବା ଏବଂ ତତ୍ପୂର୍ବରୁ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠିତ ହେବା ପରେପରେ, ସେତେବେଳର ପୋଲିସ ସୁପର୍ଙ୍କର ରିପୋର୍ଟଟି ଉଲ୍ଲେଖ କରିବାର ଉଦେଶ୍ୟ ହେଉଛି, ‘ଆଧୁନିକ’, ପୋଲିସ ସୁପର୍ଙ୍କ ରିପୋର୍ଟ ଭାଷାରେ -‘ପ୍ରଗତିଶୀଳ, ବୈପ୍ଳବିକ ଚିନ୍ତାଧାରା, ପ୍ରଚାର କରିବା ଉଦେଶ୍ୟକୁ ରୂପାୟିତ କରିବା ନିମନ୍ତେ’, ଏବଂ ‘ପ୍ରଦେଶର ଯୁବକମାନଙ୍କର ରାଜନୈତିକ ସଚେତନତା ଜାଗ୍ରତ କରିବାର ମୁଖ୍ୟ ଉଦେଶ୍ୟ’, ବହନ କରିବାରେ ତଥା-‘ଜଗତର ସବୁ ଅଂଶରେ (ଆନ୍ତର୍ଜାତିକ କ୍ଷେତ୍ରରେ) ଏକ ତୁମୁଳ ପରିବର୍ତ୍ତନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନାସ୍ଥଳରେ ଯେପରି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି’, xxx ଏହି ପରିବର୍ତ୍ତନର ଆହ୍ୱାନ ଯେ ଓଡ଼ିଶାର ଯୁବପ୍ରାଣକୁ ଚଞ୍ଚଳ କରିଛି, ‘ଆଧୁନିକ’ ତାହାର ନିଦର୍ଶନ ।’xxx କୁ ସଫଳ ଭାବରେ ପ୍ରତିଧ୍ୱନିତ କରିବାରେ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ଭଳି ପ୍ରକାଶିତ ‘ଆଧୁନିକ’ ଯେ ଅବିସମ୍ବାଦିତ ଭାବେ ଲକ୍ଷ୍ୟ ଭେଦ କରିଥିଲା, ପୋଲିସ ସୁପର୍ ରିପୋର୍ଟ (ଯୁବଗୋଷ୍ଠୀର ପ୍ରତିପକ୍ଷ ବ୍ରିଟିଶ ସାମ୍ରାଜ୍ୟବାଦୀ ପୋଲିସ ରିପୋର୍ଟ), ତାହାର ଅକାଟ୍ୟ ପ୍ରମାଣ ।
‘କଳା ଜୀବନ ପାଇଁ’ (Art for life sake)ରେ ବିଶ୍ୱାସୀ, ବିଶ୍ୱବିଶ୍ରୁତ କବି ସାହିତ୍ୟିକ, କଳାକାରଗଣ, ଫ୍ରାନ୍ସର ରାଜଧାନୀ ପ୍ୟାରିସ ସହରଠାରେ, ମାକ୍ସିମ ଗର୍କୀ, ରୋମାଁରୋଲାଁ, ବାରାଚୁସ୍ ଙ୍କ ଆବାହକତ୍ୱରେ ସଙ୍ଗଠିତ ‘writers, Poets against Fasicm’ (ଫାସିବାଦ ବିରୋଧୀ କବି, ସାହିତ୍ୟିକ) ବିଶ୍ୱ ସମ୍ମିଳନୀରେ ୧୯୩୫ ମସିହା ଜୁନ୍ ୨୧ତାରିଖ ଦିନ ସମବେତ ହୁଅନ୍ତି ।
ଏହି ବିଶ୍ୱ ସମ୍ମିଳନୀରେ ଆବାହକ ତ୍ରୟୀଙ୍କ ସମେତ କବି ଆନେ୍ଦ୍ର ଜିଁଦ, ଜନ୍ ଷ୍ଟ୍ରାଚି, ଆନେ୍ଦ୍ର ମ୍ୟୁଲାର, ମାଇକେଲ୍ ଗୋଲ୍ଡ, ଇ.ଏମ୍. ଫଷ୍ଟର, ସିଙ୍କଲେୟାର ଲୁଇସ ଓ ହେନେରୀ ପ୍ରମୁଖ କବି ଓ ସାହିତ୍ୟିକବର୍ଗ । ବିଶ୍ୱକବି ରବୀନ୍ଦ୍ରନାଥ ଏଥିରେ ଯୋଗଦେଇ ନପାରି, ତାଙ୍କର ବାର୍ତ୍ତା ପଠାଇଥିଲେ ।
ସମ୍ମିଳନୀ ଉଦାତ୍ତ ଘୋଷଣାକରେ ଯେ ଆମେ କବି, ସାହିତ୍ୟିକ, କଳାକାରବର୍ଗ ସ୍ରଷ୍ଟା-ଆମେ ସୃଷ୍ଟି ଚାହୁଁ । ଏଣୁ ଯୁଦ୍ଧ ଧ୍ୱଂସର ବିରୋଧୀ ଆମେ । ଯାହା ଧ୍ୱଂସକାମୀ (ଫାସିବାଦ/ନାଜୀବାଦ ପରି) ଆମ୍ଭେମାନେ ତାହାର ବିରୋଧୀ ଏବଂ ମଣିଷର ମଣିଷ ଉପରେ ଶୋଷଣ, କଷଣ, ଅତ୍ୟାଚାରର ବିରୋଧୀ ଆମେ । ଆମ୍ଭେମାନେ ଅନ୍ଧ ସ୍ୱୈରାଚାର, ଅଶ୍ଳୀଳତା, ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତାର ବିରୋଧୀ ଏବଂ ଦୃଢ଼ଭାବରେ ବିଶ୍ୱାସ କରୁ ଯେ ସାହିତ୍ୟ ସମାଜପାଇଁ, ସାହିତ୍ୟ ଜୀବନପାଇଁ, ସାହିତ୍ୟ ଚିତ୍ତବିନୋଦନକାରୀ ନୁହେଁ ବା କେବଳ ସାହିତ୍ୟ, ସାହିତ୍ୟ ଚର୍ଚ୍ଚା, କଳା-କଳାଚର୍ଚ୍ଚା ପାଇଁ ଉଦ୍ଦିଷ୍ଟ ନୁହେଁ । ଆମ ସାହିତ୍ୟ ସୃଷ୍ଟିର, ଧ୍ୱଂସକାମୀ ସାମ୍ରାଜ୍ୟବାଦ, ମଣିଷର ମଣିଷ ଉପରେ ଅତ୍ୟାଚାର, ଧର୍ମାନ୍ଧତା, ଅନ୍ଧବିଶ୍ୱାସ ଆଦିକୁ ଆମେ ବିରୋଧ କରିବାକୁ ସଂକଳ୍ପବଦ୍ଧ -ଏପରି ସାହିତ୍ୟ ସୃଷ୍ଟିକରିବୁ ଯହା ମାନବବାଦୀ, ମଣିଷକୁ କର୍ମପ୍ରବଣ କରିବ, ଶାନ୍ତିକାମୀ କରିବ ଇତ୍ୟାଦି ।
ଏହାର ଆଦର୍ଶ, ଦିଗ୍ଦର୍ଶନରେ ଭଗବତୀ, ଅନନ୍ତ, ଗୁରୁଚରଣ, ପ୍ରାଣନାଥ, ବିଶ୍ୱନାଥ ପଶାୟତ, ଉଦୟନାଥ ଷଡ଼ଙ୍ଗୀ, ଅଶୋକ ରାଓ, ବୈଦ୍ୟନାଥ ରଥ ଏବଂ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀ ପ୍ରଭାବିତ ହୋଇ ଆଲୋଚନା କରନ୍ତି । ଏମାନଙ୍କର ମନେପଡ଼େ, ଆଚାର୍ଯ୍ୟ ନରେନ୍ଦ୍ର ଦେବ କାଶୀବିଦ୍ୟାପୀଠରେ, ଲଗାତର ଆଲୋଚନାଚକ୍ରମାନ ଛଅଦିନ ବ୍ୟାପୀ ଅନୁଷ୍ଠିତ ହେବାର ଏବଂ କୌଣସି ଦିନ ବିଶ୍ୱଇତିହାସର ନବଧାରା, କେଉଁଦିନ ସମାଜବାଦ, କେଉଁଦିନ ଦର୍ଶନ, କେଉଁଦିନ ଅର୍ଥନୀତି, କେଉଁଦିନ ସାହିତ୍ୟ, ସମାଜତତ୍ତ୍ୱ ଆଦି ଭାରତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମର ନାୟକ ତଥା ବୁଦ୍ଧିଜୀବୀ, ସାହିତ୍ୟିକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।
ମାତ୍ର ୩୫ ବର୍ଷର ଜୀବନ ପ୍ରବାହ ଭଗବତୀ ପାଣିଗ୍ରାହୀଙ୍କର । ତହିଁମଧ୍ୟରୁ ଏକ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଅବାରିତ ସଂଗ୍ରାମର ପଥରେ ଅଗ୍ରଗାମୀ ନେତା ସାଜି ଓଡ଼ିଶାରେ ସାମ୍ୟବାଦ ତଥା ନବ ନବ ପ୍ରଗତିଶୀଳ ଭାବଧାରାର ସ୍ରୋତ ଭଗବତୀ ପ୍ରବାହିତ କରିଥିଲେ ।
୧୯୩୪ ମସିହାଠାରୁ ଭଗବତୀ ସମାଜବାଦୀ ବାସ୍ତବତା ପ୍ରତି ଗଭୀର ଭାବେ ଆକୃଷ୍ଟ ହୋଇଥିଲେ । ୧୯୩୨-୩୪ମଧ୍ୟରେ ଓଡ଼ିଶାରେ ବୈପ୍ଳବିକ ଏବଂ ସାମ୍ୟବାଦୀ ସ୍ୱର ଆରମ୍ଭହୋଇ ବେଶ୍ ଆସନ ମାଡ଼ି ବସିଲା । ନବୀନ ସମ୍ବାଦପତ୍ରରେ କିଶୋର କବି ସଚ୍ଚିଦାନନ୍ଦ ରାଉତରାୟ ୧୯୩୩ ମସିହାରେ ବିପ୍ଳବବାଦୀ କବିତା ‘ଭଗବାନ ଅଛ କାହିଁ?’ ପ୍ରକାଶ କରିଥିଲେ । (ନବୀନ,୧୮ ଜୁଲାଇ, ୧୯୩୩) ମାର୍କ୍ସବାଦୀ ଚିନ୍ତା ଓ ତତ୍ତ୍ୱର ପ୍ରସାରକ ହିସାବରେ ଛାତ୍ର ସଚ୍ଚିଦାନନ୍ଦ ‘ବଲ୍ସେଭିଜିମ୍’ ଉପରେ ଦୀର୍ଘ ଆଲୋଚନା ୧୯୩୪ରେ ନବୀନରେ ପ୍ରକାଶ କରିଥିଲେ । ଏହାର ନାମଥିଲା ‘କଙ୍କାଳର ଶୋଭାଯାତ୍ରା’ । ଧାରାବାହିକ ଭାବରେ ଫେବୃୟାରୀ ୬, ୧୯୩୪ରୁ ଏହା ନବୀନରେ ପ୍ରକାଶ ପାଇଥିଲା । ତାର ଏକମାସ ପରେ ୧୯୩୪ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ସାରଥି ପତ୍ରିକାରେ ବିପ୍ଳବର ସମ୍ପ୍ରସାରିତ ଆଲୋଚନା । ଏକପଟରେ ପ୍ରାଣନାଥ ପଟ୍ଟନାୟକ ଏବଂ ଅନ୍ୟପଟେ ଭଗବତୀ ପାଣିଗ୍ରାହୀ । ୧୯୩୪ରେ ସାପ୍ତାହିକ ପତ୍ରରୂପେ ପ୍ରକାଶ ପାଉଥିବା କଂଗ୍ରେସ ସୋସାଲିଷ୍ଟ ପାର୍ଟିର ମୁଖପତ୍ର ସାରଥି ମୁଖ୍ୟତଃ ଓଡ଼ିଶାରେ ସାମ୍ୟବାଦୀ ଭାବନାର ମୂଳପତ୍ତନ ପକାଇବାର ଉଦ୍ୟମ କରିଥିଲେ ।
ନବଯୁଗ ସାହିତ୍ୟ ସଂସଦକୁ ଅଧିକ କ୍ରିୟାଶୀଳ କରିବାପାଇଁ ଭଗବତୀ ପାଣିଗ୍ରାହୀ ‘ଆଧୁନିକ’ ନାମକ ଏକ ମାସିକ ପତ୍ରିକା ୧୯୩୬ ମସିହା ମେ’ ମାସରେ ପ୍ରକାଶ ଆରମ୍ଭ କରିଥିଲେ । ନବଯୁଗ ସାହିତ୍ୟ ସଂସଦର କାର୍ଯ୍ୟକ୍ରମ ଉପରେ ଦୀର୍ଘ ଆଲୋଚନା ନବଭାରତ ପତ୍ରିକାର ଧନୁ ୧୩୪୨ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସେଥିରେ ଓଡ଼ିଶାରେ ନବଯୁଗ ସାହିତ୍ୟ ସଂସଦ ଏକ ନବ ଭାବଧାରା ସୃଷ୍ଟି କରିଥିବାର ସୂଚନା ଦିଆଯାଇଥିଲା । ସଂସଦକୁ ପ୍ରଶଂସା କରି ନବଭାରତର ସମ୍ପାଦକ ଲେଖିଥିଲେ-ଜାତୀୟ ଜୀବନର ପୁରାଣ ପ୍ରଥା ଉପରେ ନୂତନ ସ୍ତର ଫିଟାଇବା ଏହାର ଉଦେଶ୍ୟ । ଜୀବନର ଚିନ୍ତା ସାହିତ୍ୟରେ ପ୍ରକାଶ ପାଏ ଓ ଚିନ୍ତା ହିଁ କ୍ରିୟାର ମୂଳ । ତେଣୁ ସାହିତ୍ୟରେ ବିପ୍ଳବ ପ୍ରଚାର କରି ଜାତୀୟ ଜୀବନରେ ଚଞ୍ଚଳତାର ସୂଚନା ଦେବା ନିମନ୍ତେ ଏହା କରାଯାଇଥିଲା । ପ୍ରଥମେ ବିଜ୍ଞାପନରେ ଉଦ୍ୟୋକ୍ତାମାନେ କହିଥିଲେ-‘ଜଗତରେ ସବୁଠାରେ ଚିନ୍ତାଶୀଳ ମନସ୍ୱୀ ଓ ମନୀଷୀ, ସାହିତ୍ୟିକ, ଲେଖକମାନେ ମାନବର ଚିରାଚରିତ ନୀତି, ବଦ୍ଧମୂଳ ଧାରଣା, ପୁଞ୍ଜିଭୂତ କୁସଂସ୍କାର ଓ ଚିନ୍ତାଶୂନ୍ୟତା ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଛନ୍ତି । ଆଇନଷ୍ଟାଇନ୍, ଫ୍ରୟେଡ଼୍, ମାର୍କସ୍, ରସେଲ, ବର୍ଣ୍ଣାଡ ସ’, ରୋମାଁ ରୋଲାଁ, ମାକ୍ସିମ୍ ଗର୍କି, ଥପ୍ଟନ୍ ସିନ୍ କ୍ଳେୟାର, ସିନ୍ କ୍ଳେୟାର ଲୁଇ ପ୍ରଭୃତି ସଚେତନ ମୌଳିକ ବିପ୍ଳବାତ୍ମକ ଭାବରାଶିର ପଟ୍ଟପୁରୋଧା ରୂପେ ସାଧାରଣରେ ପରିଚିତ । ଆମେ କେବଳ ଆମର ଅତୀତ ପ୍ରୀତି ଘେନି ମାନବସଭ୍ୟତାର ଗତିଶୀଳତା ପ୍ରତି ଲକ୍ଷ୍ୟ ନରଖି ନିଜକୁ କ୍ଷୁଦ୍ର ପରିସରରେ ଆବଦ୍ଧ କରିରଖିଛୁ । ସ୍ୱାଧୀନ ଚିନ୍ତା ଓ ଉଦାର ମନୋଭାବ ହେଉଛି ଆମର ପ୍ରଧାନ ଅଭାବ । ତେଣୁ ଦେଶରେ ନବସଂସ୍କୃତି ଓ ନବସଭ୍ୟତାର ସ୍ରୋତ ଖେଳାଇ ଦେବା ହିଁ ସଂସଦର ଉଦେଶ୍ୟ ।
ସଂସଦର ପ୍ରାରମ୍ଭିକ ଉତ୍ସବରେ ସଂସ୍କୃତିରୁ ବିଭିନ୍ନ ବିଭାଗରେ ବିିଭିନ୍ନ ସଭାପତିମାନେ ରହି ପ୍ରବନ୍ଧମାନଙ୍କର ଆଲୋଚନା କରାଯାଇଥିଲା । ଯଥା : ବିଜ୍ଞାନ ବିଭାଗ – ଅଧ୍ୟାପକ ହରିବନ୍ଧୁ ମହାନ୍ତି, ଦର୍ଶନ ବିଭାଗ – ଅଧ୍ୟାପକ ମୋହିନୀମୋହନ ସେନାପତି, ସମାଜବିଜ୍ଞାନ ବିଭାଗ-ଲକ୍ଷ୍ମୀନାରାୟଣ ସାହୁ, ଇତିହାସ ବିଭାଗ – ଅଧ୍ୟାପକ ଘନଶ୍ୟାମ ଦାଶ, ସାହିତ୍ୟ ବିଭାଗ – ହରିହର ମହାପାତ୍ର । ଏହା ଉପରେ ମତାମତଦେଇ ନୀଳକଣ୍ଠ ନବଭାରତରେ ଲେଖିଥିଲେ ଏ କଳ୍ପନାଟି ଅତିସୁନ୍ଦର ଓ ସ୍ପୃହଣୀୟ । ପୁଣି ଯେପରି ଭାବରେ କାର୍ଯ୍ୟ ଆରମ୍ଭ ହୋଇଅଛି ତାହା ବଡ଼ ଉତ୍ସାହଜନକ ।
ନବଯୁଗ ସାହିତ୍ୟ ସଂସଦର ନବ ଆଭିମୁଖ୍ୟର ଉପଯୁକ୍ତ ପ୍ରସାର ଉଦେଶ୍ୟରେ ଆଧୁନିକ ମାସିକ ପତ୍ର ମେ ୧୯୩୬ରେ ଭଗବତୀଙ୍କ ସମ୍ପାଦନାରେ ପ୍ରଥମେ ପ୍ରକାଶିତ ହେଲା । ନିଜ କଥାରେ ସମ୍ପାଦକ ଭଗବତୀ ଲେଖିଥିଲେ -‘ଆଧୁନିକ’ ପ୍ରକାଶିତ ହେଲା । କୌଣସି ଏକ ବିରାଟ ନୀତିବାଦ ସୃଷ୍ଟିକରିବା କିମ୍ବା ଏକ ମହାନ୍ ସତ୍ୟ ଆବିଷ୍କାର କରିବାର ଅହଂକାର ଏହା ପୋଷଣ କରିନାହିଁ । ମୋଟ ଉପରେ ଗୋଟିଏ କିଛି ନୂଆ ସର୍ଜନା କରିବାର ଆକାଂକ୍ଷା-ଏହାର ନାହିଁ । ଜଗତର ସବୁ ଅଂଶରେ ଏକ ତୁମୂଳ ପରିବର୍ତ୍ତନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନା ସ୍ଥଳରେ ଯେପରି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି, ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନ ମାତ୍ର । ଏହି ପରିବର୍ତ୍ତନର ଆହ୍ୱାନ ଯେ ଓଡ଼ିଶାର ଯୁବପ୍ରାଣକୁ ଚଞ୍ଚଳ କରିଛି, ‘ଆଧୁନିକ’ ତାହାର ନିଦର୍ଶନ । ଉଭୟ ଚିନ୍ତା ରାଜ୍ୟରେ ଓ କର୍ମକ୍ଷେତ୍ରରେ ଏ ଯେଉଁ ବିପ୍ଳବର ସୂତ୍ରପାତ ହେଉଅଛି, ତାହା ଅଧିକାଂଶଙ୍କର ଅଗୋଚରରେ ହିଁ ହେଉଅଛି । ଜନ ସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଓ ତାହା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବାକୁ ସଙ୍କେତ ଦେବା ଏହାର ଅଭିପ୍ରାୟ । ଏହି ପରିବର୍ତ୍ତନ ଅବଶ୍ୟ ଆସିବ । ସମାଜର ବିବିଧ ଶ୍ରେଣୀ ଓ ସ୍ୱାର୍ଥର ସଂଘର୍ଷ ମଧ୍ୟରୁ ଯେଉଁ ସବୁ ସମସ୍ୟା ଆପେ ଆପେ ଜାତ ହୋଇଛି, ତାହାର ସମାଧାନ କରିବ ନାହିଁ । ଏହି ପରିବର୍ତ୍ତନର ଆସ୍ଥା ଅନାସ୍ଥା ପ୍ରତି ଏହା ଅପେକ୍ଷା କରିବ ନାହିଁ । ଏହି ପରିବର୍ତ୍ତନର ଗତିରୋଧ କରିବାକୁ ଯେଉଁମାନେ ଠିଆ ହେବେ, ସେମାନେ ସମାଜର ପ୍ରଗତିବିରୋଧୀ, ଶତ୍ରୁ । ବଞ୍ଚି ରହିବାର ପ୍ରବଳ ଇଚ୍ଛା ସତ୍ତ୍ୱେ ଯେଉଁମାନଙ୍କର ଆୟୁକାଳ ଶେଷ ହୋଇଯାଏ, ସେମାନେ ଭୂତ ପାଲଟି ନାନା ଉପଦ୍ରବ କରନ୍ତି ବୋଲି ଶୁଣାଯାଏ । ତେବେ ଏ ଧରଣର ଭୂତର ଅସ୍ତିତ୍ୱ ବିଷୟରେ ଆମର ପୁରା ଅବିଶ୍ୱାସ ଅଛି କିନ୍ତୁ ଆମର ଆଖିଆଗରେ ଦଳେ ଲୋକ ଭୂତପ୍ରେତ ପରି ଉପଦ୍ରବ କରିବାର ଦେଖାଯାଏ । ପରିବର୍ତ୍ତିତ ଓ ଉନ୍ନତ ସାମାଜିକ ବ୍ୟବସ୍ଥା ମଧ୍ୟରେ ଯେଉଁମାନଙ୍କର ବଞ୍ଚି ରହିବା ଅସମ୍ଭବ ହୋଇଉଠେ, ସେମାନେ ପରିବର୍ତ୍ତନ ଓ ପ୍ରଗତିର ବିରୁଦ୍ଧରେ ଠିଆହୋଇ ନିଜର ଅସ୍ତିତ୍ୱକୁ ସାବ୍ୟସ୍ତ କରିବାକୁ ଚେଷ୍ଟାକରନ୍ତି । ଜନସମାଜରେ ଏହି ପ୍ରତିକ୍ରିୟାଶୀଳ ଲୋକେ ହିଁ ଭୂତ । କେବଳ ବର୍ତ୍ତମାନ ମୁହୂର୍ତ୍ତରେ ଯେ ପରିବର୍ତ୍ତନର ସ୍ରୋତ ଫିଟିଛି, ଆଗେ ସବୁ ଗତିହୀନ ଅବସ୍ଥାରେ ରହିଥିଲା, ଏହା ଆମେ କହିବାକୁ ଯାଉ ନାହୁଁ । ସବୁ ଅବସ୍ଥାରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନର ଧାରା ପ୍ରବାହିତ ହେଉଅଛି । ଏହି ଧାରାର ସ୍ରୋତ କେତେବେଳେ ପ୍ରଖର, କେତେବେଳେ ବା ଶିଥିଳ ଗତି ଧରିଛି । ଏହା ସାଧାରଣତଃ ଶିଥିଳ ଗତିରେ ପ୍ରବାହିତ ହେଉଥାଏ । ଶେଷରେ ଏପରି ଏକ ସମୟ ଆସେ, ସେତେବେଳେ ଦୁଇକୂଳ ଉଚ୍ଛୁଳିଉଠେ, ଗତି ଅତ୍ୟନ୍ତ ପ୍ରଖର ହୁଏ, ସବୁ ବାଧାବନ୍ଧକୁ ଅତିକ୍ରମ କରି ଏହା ଚତୁର୍ଦ୍ଦିଗକୁ ପ୍ଲାବିତ କରିଦିଏ । ଯୁଗ ପରିବର୍ତ୍ତନର ଏହି ମୁହୂର୍ତ୍ତ ବର୍ତ୍ତମାନ ଉପସ୍ଥିତ । ଏହି ପରିବର୍ତ୍ତନର ବାର୍ତ୍ତା ଓଡ଼ିଶାର ଦୂରେ ଦୂରେ ଆଘାତ କରିଗଲାଣି । କିନ୍ତୁ ଅନେକେ ସେ ବିଷୟରେ ସଚେତ ନୁହନ୍ତି । ଏହି ବାର୍ତ୍ତା ଯେ ଆସି ଆଘାତ କଲାଣି, ‘ଆଧୁନିକ’ ତାହା ହିଁ ତାର ସ୍ୱରରେ ପ୍ରଚାର କରିବ ।
ଏହି ‘ଆଧୁନିକ’ର ପ୍ରଥମ ସଂଖ୍ୟାରେ ପୁଣି ପ୍ରକାଶ ପାଇଲା ଓଡ଼ିଆ ସାହିତ୍ୟର ପ୍ରଥମ ବାମପନ୍ଥୀ/ପ୍ରଗତିଶୀଳ ଗଳ୍ପ ‘ଶିକାର’ ଯାହା ଭଗବତୀ ନିଜେ ରଚନା କରିଥିଲେ । ୧୯୨୯ରେ ପ୍ରକାଶିତ ‘ଜଙ୍ଗଲୀ’ଗଳ୍ପରେ ପାଣିଗ୍ରାହୀ ଯାହା ଅସ୍ପଷ୍ଟ ରଖିଥିଲେ, ତାହା ୧୯୩୬ରେ ‘ଶିକାର’ରେ ପ୍ରକାଶ କଲେ । ସାମାଜିକ ଜୀବନର ଦ୍ୱନ୍ଦ୍ୱ ଓ ସଂଘର୍ଷ ମଧ୍ୟରେ ଶିକାରରେ ଭଗବତୀ ଊଦ୍ଧ୍ୱର୍ଚେତନାର ଆସ୍ତରଣ ଫିଟାଇଦେଲେ । ଆଧୁନିକରେ ନବକୃଷ୍ଣ ଚୌଧୁରୀ, କୁମାରୀ ଯଶୋଧରା, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ମନମୋହନ ଚୌଧୁରୀ, ଗୁରୁଚରଣ ପଟ୍ଟନାୟକ, ପ୍ରାଣବନ୍ଧୁ କର ଏବଂ ମୋହନ ଦାସ ପ୍ରଭୃତି ପ୍ରଗତିଶୀଳ ଲେଖକମାନେ ଆଲୋଚନାମାନ ପ୍ରକାଶ କରିଥିଲେ । ପ୍ରଥମେ ୨୫୦ଖଣ୍ଡ ‘ଆଧୁନିକ’ ପ୍ରସାରିତ ହୋଇଥିଲା, କିନ୍ତୁ କ୍ରମେ କ୍ରମେ ଅର୍ଥାଭାବ ହେତୁ ‘ପ୍ରଗତି’ନାମକ ପାକ୍ଷିକ ପତ୍ରରେ ଏହା ମିଶ୍ରିତହୋଇ ପ୍ରକାଶ ପାଇଲା । ଭଗବତୀଙ୍କର ଏହି ନବ ଯୁଗସଂସଦ ଏହି କାଳରେ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ସଂଘ (All India Progressive writers Association)ର ସହଯୋଗ ଲାଭକରି ସଂସଦ ଆଗେଇ ଯାଇଥିଲା ଏବଂ ଏହାଦ୍ୱାରା ବାମପନ୍ଥୀ କର୍ମପନ୍ଥାର ପ୍ରସାର ଘଟିଥିଲା ।
ନବଯୁଗ ସାହିତ୍ୟ ସଂସଦ ଓ ଆଧୁନିକ ପତ୍ରିକା ମାଧ୍ୟମରେ ବାମପନ୍ଥୀ ଚେତନା ଓ ପ୍ରଗତିଶୀଳ ସାହିତ୍ୟର ସମ୍ପ୍ରସାରଣ କରିବା ସହିତ ଓଡ଼ିଶାରେ କୃଷକ ଆନ୍ଦୋଳନ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ସହିତ ଭଗବତୀ ଜଡ଼ିତ ହୋଇଥିଲେ । ୧୯୩୭ ବେଳକୁ କୃଷକ/ଶ୍ରମିକ ସମସ୍ୟା ସର୍ବଭାରତୀୟ ସମସ୍ୟା ହୋଇଯାଇଥିଲା । କୃଷକମାନଙ୍କର ନାନାବିଧ ସମସ୍ୟାର ଆଲୋଚନା ଓ ସମାଧାନ ପାଇଁ କୃଷକସଭା ସଙ୍ଗଠିତ ହୋଇଥିଲା । ୧୯୩୭ ମସିହା ଏପ୍ରିଲ ୧୭ତାରିଖରେ ନିମାପଡ଼ାରେ ପୁରୀ ଜିଲ୍ଲା କୃଷକ ସମ୍ମିଳନୀ ହୋଇଥିଲା । ଏଥିରେ ନାନାବିଧ ସମସ୍ୟାର ଆଲୋଚନା କରାଯାଇ ପୁରୀ ଜିଲ୍ଲା କୃଷକ ସଂଘ ଗଠିତ ହୋଇଥିଲା । ଏଥିରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମେତ ଲୋକନାଥ ମିଶ୍ର, ଗତିକୃଷ୍ଣ ସ୍ୱାଇଁ, ପୂର୍ଣ୍ଣାନନ୍ଦ ସ୍ୱାଇଁ, ପୁରୁଷୋତ୍ତମ ମୁଦୁଲୀ, ମୋହନ ଦାସ, ବାସୁଦେବ ଶତପଥୀ, ନୀଳମଣି ପଶୁପାଳକ, ସତ୍ୟବାଦୀ ନନ୍ଦ, ଲାଲବିହାରୀ ଦାସ,ଉତ୍ସବ ହୋତା, ଉଦୟନାଥ ଜେନା, ଦୁଃଖିଶ୍ୟାମ ଦାସ, ପ୍ରାଣନାଥ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୂଡ଼ାମଣି ସଦସ୍ୟ ହୋଇଥିଲେ । କୃଷକ ଆନ୍ଦୋଳନକୁ ଉଜ୍ଜୀବିତ କରିବା ପାଇଁ ଭଗବତୀ କୃଷକ ପତ୍ରିକାର ସମ୍ପାଦନା ସହାୟତା କରିଥିଲେ ଏବଂ ସେଥିରେ କୃଷକ ସମସ୍ୟା ସମ୍ପର୍କିତ ଆଲୋଚନା ଆରମ୍ଭ କରିଥିଲେ । କୃଷକରେ ବହୁ ସମସ୍ୟାପୂର୍ଣ୍ଣ ଲେଖାସହିତ ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ସାରଙ୍ଗଧର ଦାସ, ସୁରେନ୍ଦ୍ର ଦ୍ୱିବେଦୀଙ୍କ ସହିତ ସମ୍ପାଦନା ମଣ୍ଡଳୀରେ ରହି ଏହାର ପ୍ରଚାର ଓ ପ୍ରସାର ପାଇଁ ୧୯୩୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୩୮ ମସିହାରେ ବାଲିଅନ୍ତା ନିକଟରେ ବେଣୁପୁର ଠାରେ ଉଦୟନାଥ ଛୋଟରାୟଙ୍କ ସଭାପତିତ୍ୱରେ ହୋଇଥିବା କୃଷକସଭାରେ ଭଗବତୀ ପାଣିଗ୍ରାହୀ କଂଗ୍ରେସ ସହିତ ସାମ୍ୟବାଦୀ ଦଳର ଭାବଧାରାର ଅମେଳ ଦେଖାଦେଇ ଥିବାର ତଥ୍ୟ ପ୍ରକାଶ କରିଥିଲେ ।
ଭଗବତୀ ଥିଲେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ସ୍ଥାପୟିତା ଏବଂ ତାହାର ସେକ୍ରେଟାରୀ ରୂପେ କାର୍ଯ୍ୟ କରି ଦଳିତ, ପତିତ ଏବଂ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ରାଜନୀତି କ୍ଷେତ୍ରରେ ସେ ଯେଭଳି ପରିଚିତ, ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେହିଭଳି ପରିଚିତ । ତାଙ୍କର ରାଜନୈତିକ ଜୀବନ ସହିତ ସାହିତ୍ୟିକ ଜୀବନର ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା । ତାଙ୍କର ରାଜନୀତି ପରି ସାହିତ୍ୟିକ ଚିନ୍ତାଧାରା ମଧ୍ୟ ଆନ୍ତର୍ଜାତିକ ଓ ବିପ୍ଳବାତ୍ମକ ହୋଇଥିଲା । ତାଙ୍କର ରୂପପରି ତାଙ୍କର ଭାଷା ଓ ଲେଖନଭଙ୍ଗୀ ମଧ୍ୟ ସରଳ ଓ ନିର୍ମଳ ଥିଲା, ସେ ଯେଉଁ ଅଳ୍ପ କେତେଗୋଟି କ୍ଷୁଦ୍ର ଗଳ୍ପ ଲେଖିଯାଇଛନ୍ତି ତାହା ମଧ୍ୟରେ ଦରିଦ୍ର ଜନସମାଜର ପ୍ରତିଛବି ନିପୁଣ ଭାବରେ ଫୁଟାଇବାର ଚେଷ୍ଟା ଲକ୍ଷ୍ୟ କରାଯାଏ । ସାପ୍ତାହିକ ପତ୍ର କୃଷକର ସମ୍ପାଦନାରେ ମଧ୍ୟ ସେ ଉଲ୍ଲେଖଯୋଗ୍ୟ ଦକ୍ଷତା ଦେଖାଇଥିଲେ, ସେ ଏକ ବୃହତ୍ ପୃଥିବୀ ଇତିହାସ ଗ୍ରନ୍ଥ ଲେଖି ଯାଇଛନ୍ତି । ଏହା ତାଙ୍କ ମୃତ୍ୟୁପୂର୍ବରୁ ପ୍ରକାଶ ପାଇପାରି ନଥିଲା,୧୯୪୩ ମସିହା ଅକ୍ଟୋବର ୨୩ତାରିଖରେ ଭଗବତୀ ଅସ୍ତ ହୋଇଯାଇଥିଲେ । ମାତ୍ର ସାହିତ୍ୟ ଓ ରାଜନୀତିରେ ତାଙ୍କର ସଙ୍କେତ ଓ ପ୍ରେରଣା ଚିରସ୍ଥାୟୀ ହୋଇ ରହିବ ।
ସହାୟକ ବିଷୟସୂଚୀ:
୧. ନବଯୁଗ ସାହିତ୍ୟ ସଂସଦ ଓ ଆଧୁନିକର ସ୍ରଷ୍ଟା- ଅବନୀ ବରାଳ- ସମଦୃଷ୍ଟି, ୨୦୦୯
୨. ପ୍ରଗତିଶୀଳ ଚେତନାର ବାର୍ତ୍ତାବହ- ଡଃ କୈଳାସଚନ୍ଦ୍ର ଦାଶ, ସମଦୃଷ୍ଟି, ୨୦୦୭
୩. ମାନବିକତାର ବାର୍ତ୍ତାବହ ଭଗବତୀଚରଣ ପାଣିଗ୍ରାହୀ- ବିଘ୍ନେଶ୍ୱର ସାହୁ, ସମଦୃଷ୍ଟି,୨୦୦୬
୪. ପ୍ରଥମ ସୃଜନ- ବିଘ୍ନେଶ୍ୱର ସାହୁ, ତୀରତରଙ୍ଗ,୨୦୨୪
୫. ଆଧୁନିକ- ସୃଜନିକା, www.odiabibhaba.in
Comments
0 comments