ବିପର୍ଯ୍ୟୟ ପାଲଟି ଯାଉଛି ନିତିଦିନିଆ ବାସ୍ତବତା !

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati3 Views
9 Min Read

ଚଳିତ ବର୍ଷର ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଭୂସ୍ଖଳନ ପରବର୍ତ୍ତୀ ଅବସ୍ଥାକୁ ସେସବୁ ଅଞ୍ଚଳରେ ନିରୀକ୍ଷଣ କଲେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି, “ପ୍ରଳୟର ତାଣ୍ଡବ ମଧ୍ୟରେ ଏକ ଭୌତିକ ନୀରବତା ସର୍ବତ୍ର ପରିବ୍ୟାପ୍ତ’ । ଅପରପକ୍ଷରେ ସ୍ଥାନୀୟ ୱାୟାନାଡ଼ର ଆତଙ୍କଜନକ ଭୂସ୍ଖଳନ ଘଟଣାମାନ ପ୍ରମାଣ କରିଦେଇଛି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ୧୪ବର୍ଷ ବୟସ୍କା ଝିଅ ଲୟା ଏ.ଏସ୍.ଙ୍କ କାଳ୍ପନିକ ବର୍ଣ୍ଣନା ଏବେ କିପରି ବାସ୍ତବତାକୁ ପ୍ରତିଫଳିତ କରୁଛି । ଭୂସ୍ଖଳନର ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳର ରିପୋର୍ଟ ଉପରେ ଅନେକ ବିଶେଷଜ୍ଞଙ୍କ ମତ ଓ ତଥ୍ୟକୁ ନେଇ ସ୍ୱତନ୍ତ୍ର ବିଶ୍ଳେଷଣ ତଥା ଅନୁସନ୍ଧାନ ରିପୋର୍ଟ ।

ଲୟା ଏ.ଏସ୍.ଙ୍କ ଦ୍ୱାରା ରଚିତ କାଳ୍ପନିକ କାହାଣୀ ‘ଅଭିଳାଷର ଦୁଃଖ’ (ଟ୍ରାଜେଡି ଅଫ ଡିଜାୟର), ଜଣେ ଦେବଦୂତଙ୍କର ଭବିଷ୍ୟବାଣୀ ପରି ପ୍ରତୀୟମାନ ହୋଇଛି । ଏହି କାହାଣୀର ବର୍ଣ୍ଣନାରେ, ଦୁଇଜଣ କିଶୋରୀ ଗୋଟିଏ କଥାକୁହା ଚଢ଼େଇଠାରୁ ସତର୍କବାଣୀ ଶୁଣୁଛନ୍ତି । ଚଢ଼େଇଟି ସେମାନଙ୍କୁ ବାରମ୍ବାର କହୁଛି, ତମେ ଆମମାନଙ୍କର ବସା ଓ ବାସସ୍ଥାନ ସବୁକୁ ତମର ଶୋଷଣ ଓ ଲୁଣ୍ଠନ ପ୍ରବୃତ୍ତିରେ ଧ୍ୱଂସ କରିଦେଲାଣି, ଠିକ ସେହିପରି ପ୍ରକୃତି ତମମାନଙ୍କ ପାଇଁ ଆଗକୁ ବିନାଶ ଡାକି ଆଣୁଛି । ତେଣୁ ତମେମାନେ ନିଜର ଗାଁ ଛାଡ଼ି ଚାଲିଯାଅ’ । କାହାଣୀର ଶେଷରେ ଲେଖାଯାଇଛି, ଚଢ଼େଇଟିର ଭବିଷ୍ୟବାଣୀ ସତ ହୋଇଛି । ତେବେ ବାସ୍ତବତାକୁ ଜାଣିବା ପରେ କାହାଣୀଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଛି ଯେତେବେଳେ ଜାଣିବାକୁ ମିଳିଛି ୱାୟାନାଡ଼ ବନ୍ୟାରେ ଲୟା ନିଜ ବାପାଙ୍କୁ ହରାଇଛନ୍ତି । ଲୟାଙ୍କ ଜୀବନରେ ଘଟିଥିବା ଏହି ନିଚ୍ଛକ ସତ କାହାଣୀଟିକୁ ଜାଣିବା ପରେ ଏହା ଅଧିକ ଗାମ୍ଭୀର୍ଯ୍ୟ ପ୍ରଦାନ କରିଛି । ଏହି କାହାଣୀଟି ବିଦ୍ୟାଳୟର ଡିଜିଟାଲ୍ ମ୍ୟାଗାଜିନ୍ ‘ଭେଲ୍ଲାମ କାଲ୍ଲୁକାଲ’ରେ ବନ୍ୟାର ଏକ ବର୍ଷ ପୂର୍ବରୁ ପ୍ରକାଶିତ ହୋଇଥିଲା ।

ୱାୟାନାଡ଼ର ପ୍ରଳୟଙ୍କରୀ ଘଟଣାଗୁଡ଼ିକ ପରେ ବଞ୍ଚିଯାଇଥିବା ଲୋକେ ଏବେ ସେମାନଙ୍କ କ୍ଷୟକ୍ଷତିର ଆକଳନ କରୁଛନ୍ତି । ଗତ ମାସର ଭୂସ୍ଖଳନ ପରେ ୱାୟାନାଡ଼ର ପୁଥୁମାଲା, ଆଟାମାଲା, ଭେଲିଥୋଡୁ ଗାଁର ୧୭ଟି ପରିବାର ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛନ୍ତି । ପରିବାରର ବଂଶ ରକ୍ଷା କରିବାକୁ ମଧ୍ୟ କେହି ବଞ୍ଚିନାହାନ୍ତି । ୧୭ଟି ପରିବାରର ସମସ୍ତ ୬୫ ଜଣ ବ୍ୟକ୍ତି ଏହି ବିପର୍ଯ୍ୟୟରେ ସେମାନଙ୍କର ପ୍ରାଣ ହରାଇଛନ୍ତି ବୋଲି ଖୋଦ କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଗଣମାଧ୍ୟମକୁ କହିଛନ୍ତି ।

କେରଳ ହାଇକୋର୍ଟରେ ଆଡ଼ଭୋକେଟ ଜେନେରାଲ୍ କେ. ଗୋପାଳକୃଷ୍ଣ କୁରୁପ ଦାଖଲ କରିଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି, ୨୩୧ଜଣ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ଏବଂ ବିପର୍ଯ୍ୟୟ ପରେ ୧୨୮ଜଣଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଭୂସ୍ଖଳନ ୱାୟାନାଡ଼ ଜିଲ୍ଲାର ପୁଞ୍ଚିରିମଟ୍ଟମ, ମୁଣ୍ଡାକ୍କାଇ, ଚରାଲମାଲା ଗାଁ ଗଣ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୧୭୮ଟି ମୃତଦେହକୁ ସେମାନଙ୍କ ପରିବାରମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଥିବା ବେଳେ ୫୩ଟି ଅଚିହ୍ନା ଶବ ଏବଂ ୨୧୨ଟି ଶରୀରର ଅବଶିଷ୍ଟାଂଶକୁ ଜିଲ୍ଲା ପ୍ରଶାସନ ଦ୍ୱାରା ପୁଥାମାଲାଠାରେ ପୋତି ଦିଆଯାଇଛି । ଏହି ରିପୋର୍ଟ ଲେଖାଯିବା ସମୟରେ ଏହି ମୃତ ନିଖୋଜବ୍ୟକ୍ତିଙ୍କ ସଂଖ୍ୟା ବାସ୍ତବରେ ଯଥେଷ୍ଟ ଅଧିକ; କାରଣ ଅନେକ ଗାଁରେ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରିନଥିଲା ବୋଲି ଅନେକ ଗ୍ରାମବାସୀ କହିଥିଲେ ।

ନିକଟରେ ସଂଘଟିତ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟାଯୋଗୁଁ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ସିକ୍କିମ୍ ତଥା ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟ ଏବଂ ରାଜସ୍ଥାନର ପ୍ରଭାବିତ ଅଞ୍ଚଳରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ବ୍ୟକ୍ତିଙ୍କର ଖୋଜ ଖବର ଏଯାବତ୍ ମିଳୁନାହିଁ ।

ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଆନ୍ତଃସରକାରୀ ବିଶେଷଜ୍ଞ ଦଳ (ଆଇ.ପି.ସି.ସି.)ଙ୍କ ଷଷ୍ଠ ରିପୋର୍ଟରେ ଭାରତୀୟ ଉପମହାଦେଶରେ ଜଳବାୟୁ ସଂକ୍ରାନ୍ତୀୟ ବିପର୍ଯ୍ୟୟଗୁଡ଼ିକ ବାରମ୍ବାର ଘଟିବାର କ୍ରମ ବଢ଼ିଚାଲିବ ବୋଲି ଦୃଢ଼ ଭାବେ ସତର୍କ କରାଇ ଦିଆଯାଇଛି । ଏହି ରିପୋର୍ଟରେ ପାର୍ବତ୍ୟ ଅଞ୍ଚଳରେ, ବିଶେଷ କରି ହିମାଳୟରେ ତଥା ଭାରତର ଉପକୂଳ ଅଞ୍ଚଳରେ ଘଟଣାଗୁଡ଼ିକ ପ୍ରତି ବିପଦପ୍ରବଣତା ବହୁଗୁଣ ବୃଦ୍ଧି ପାଇବ ।

ଏହି ରିପୋର୍ଟରେ ସୂଚାଇ ଦିଆଯାଇଛି, ମାନବାକୃତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚରମ ପାଣିପାଗ ଘଟଣାଗୁଡ଼ିକ ଘଟିବା ବହୁଗୁଣ ବୃଦ୍ଧି ପାଇବ । ସ୍ୱଳ୍ପ ଅବଧି ମଧ୍ୟରେ ତୀବ୍ର ବୃଷ୍ଟିପାତ ଯୋଗୁଁ ଭୂପୃଷ୍ଠରେ ଅଧିକ ଜଳ ପ୍ରବାହିତ ହେବ ଏବଂ ଭାରତର ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ବିଭିନ୍ନ ବିପର୍ଯ୍ୟୟର ସମ୍ମୁଖୀନ ହେବ ।

ବନ୍ୟା ଏବଂ କୃଷିକ୍ଷେତ୍ରରେ ଊର୍ବରତା ମଧ୍ୟରେ ରହିଥିବା ସମ୍ପର୍କ ଏଠାରେ ଉଲ୍ଲେଖଯୋଗ୍ୟ । ପାର୍ବତ୍ୟାଞ୍ଚଳରେ ହଠାତ୍ ବନ୍ୟା ଆସିଯିବା ଘଟଣା ଆଜିକାଲିକା ଘଟଣା ନୁହେଁ । ଆବହମାନ କାଳରୁ ଏହା ହୋଇଆସୁଛି । କିନ୍ତୁ, ବିଗତ କେଇବର୍ଷ ହେଲା ଏପରି ଘଟଣାମାନ ବାରମ୍ବାର ଉଗ୍ର ରୂପରେ ଘଟୁଛି । ଐତିହାସିକ ଭାବେ ପାର୍ବତ୍ୟାଞ୍ଚଳରୁ ସୃଷ୍ଟି ହେଉଥିବା ବନ୍ୟା ସମତଳ ଅଞ୍ଚଳକୁ ଊର୍ବରା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି । ହିମାଳୟ ଅଞ୍ଚଳରୁ ଆସି ଗାଙ୍ଗେୟ ଉପତ୍ୟକାକୁ ଊର୍ବରା କରିଥିବା ପଟୁମାଟି ଏପରି ଘଟଣାଗୁଡ଼ିକର ମୂକସାକ୍ଷୀ । ତେଣୁ ପାର୍ବତ୍ୟାଞ୍ଚଳରେ ସଂଘଟିତ ହେଉଥିବା ହଠାତ୍ ବନ୍ୟାଗୁଡ଼ିକୁ ଏକ ବୃହତ୍ତର ପରିସଂସ୍ଥାନୀୟ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ବିବେଚନା କରାଯିବା ଉଚିତ ।

ବନ୍ୟାଗୁଡ଼ିକ ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାବେଳେ ବନ୍ୟା ଯୋଗୁଁ କ୍ରମାଗତ ଭାବେ ଅଧିକରୁ ଅଧିକ ଧନଜୀବନ ହାନି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ପ୍ରଶ୍ନର ଉତ୍ତରକୁ ବିକାଶର ଚଷମା ଦେଇ ତର୍ଜମା କରାଯିବା ଉଚିତ । ଏହି ପ୍ରସଙ୍ଗର ବ୍ୟାଖ୍ୟା କରିବା ସକାଶେ ଆମେମାନେ ଦୁଇଟି ଦୃଷ୍ଟାନ୍ତ ନେଇପାରିବା । ପ୍ରଥମଟି ହିମାଳୟ ଅଞ୍ଚଳରେ ବିକାଶର ମାର୍ଗ ଏବଂ ସମଗ୍ର ଭାରତବର୍ଷରେ ଅବଲମ୍ବନ କରାଯାଉଥିବା ସହରାଞ୍ଚଳ ବିକାଶର ରଣକୌଶଳ । ବର୍ତ୍ତମାନ ବଳବତ୍ତର ଥିବା ସହରୀକରଣ ଓ ସହରାଞ୍ଚଳର ସମ୍ପ୍ରସାରଣର ବିଚାରଧାରା ଏହି ଧାରଣା ଉପରେ ପର୍ଯ୍ୟବସିତ ଯେ ସହରଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍ ରୂପେ କାର୍ଯ୍ୟ କରିବ । ବିଗତ ଚାରି ପାଞ୍ଚ ଦଶନ୍ଧି ହେଲା ଏହି ଅବଧାରଣା ବଳବତ୍ତର ରହିଛି । ଯେତେବେଳେ ଏହି ନୀତି ଆପଣାଯାଉଛି, ସ୍ୱାଭାବିକ ଭାବେ ସଙ୍ଗେ ସଙ୍ଗେ ଜିଜ୍ଞାସା ସୃଷ୍ଟି ହେଉଛି ଯେ ଇଞ୍ଜିନହେବା ସକାଶେ ସହରାଞ୍ଚଳରେ ଅଭିବୃଦ୍ଧି କିପରି ହେବା ଉଚିତ ଏବଂ ସହରାଞ୍ଚଳର ପରିସ୍ଥିକୀ ଓ ପରିବେଶ ଉପରେ ଏହାର ପ୍ରଭାବ କ’ଣ? ସେକଥା ବ୍ୟତିରେକେ ସହରାଞ୍ଚଳ ମଧ୍ୟରେ ଅଭିବୃଦ୍ଧିର ପଥ ମୂଳତଃ ଅର୍ଥନୈତିକ କାରଣ ଦ୍ୱାରା ନିରୂପିତ ହୋଇଥାଏ । ଏହି ସମଗ୍ର ପ୍ରକିୟାରେ ଜମି ଏକ ମେରୁଖୁଣ୍ଟିର ଭୂମିକା ତୁଲାଇଥାଏ ।

ବିଗତ ୩୦ ବର୍ଷରେ ସହରାଞ୍ଚଳଗୁଡ଼ିକରେ ଗମନାଗମନ, ଗୃହ ନିର୍ମାଣ ଏବଂ ନାଗରିକ ସୁବିଧା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପମାନ ମୁଖ୍ୟତଃ ଏହି ଉଦେଶ୍ୟ ରଖି କରାଯାଉଛି ଯେ ଏହା ଫଳରେ ସହରଗୁଡ଼ିକର ଉଦବୃତ୍ତ ଉତ୍ପାଦ କ୍ଷମତାକୁ ବ୍ୟବହାର କରି ଆଖପାଖ ଅଞ୍ଚଳକୁ ବିକଶିତ କରାଯାଇପାରିବ । ଏକଥା ଉଲ୍ଲେଖଯୋଗ୍ୟ, ସହରାଞ୍ଚଳରେ ଫ୍ଲାଏଓଭର, ରାସ୍ତାର ପ୍ରଶସ୍ତିକରଣ, ସ୍ମାର୍ଟ ସିଟିର ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମି ଆଧାରିତ ଉଦ୍ୟମଗୁଡ଼ିକ ଆବଶ୍ୟକୀୟ ପରିସଂସ୍ଥାନୀୟ ଅଂଶବିଶେଷ ଏବଂ ସହରାଞ୍ଚଳର ସାମୂହିକ ସମ୍ବଳଗୁଡ଼ିକ (ଯଥା ଜଳାଶୟ, ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ସାମାଜିକ ଜଙ୍ଗଲ, ମୁକ୍ତ ସ୍ଥାନ ଓ ପ୍ରାକୃତିକ ନାଳ) ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନାହିଁ । ନିକଟରେ ଯଥେଷ୍ଟ ପରିମାଣର ବୃଷ୍ଟିପାତ ନ ହେବା ସତ୍ତ୍ୱେ ଦିଲ୍ଲୀରେ ବନ୍ୟା ହୋଇଥିଲା ଏବଂ ଏହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏପରି ବନ୍ୟାର କାରଣ ଜଳ ନିଷ୍କାସନ ବ୍ୟବସ୍ଥା ଜାମ୍ ହୋଇଯାଇଥିବା, ଫ୍ଲାଏ ଓଭର୍ ଓ ମେଟ୍ରୋଲାଇନ୍ ନିର୍ମାଣ ସକାଶେ ଜଳ ନିଷ୍କାସନ ଅଞ୍ଚଳଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଅଞ୍ଚଳକୁ ବ୍ୟବହାର କରାଯିବା ଏବଂ ସର୍ବସାଧାରଣ ସ୍ଥାନର ଜବରଦଖଲ ବୋଲି କୁହାଯାଇଥିଲା ।

ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଚଳିତବର୍ଷାରେ ଦୁଇଜଣ ନାବାଳକ ଶିଶୁ ସହରୀବନ୍ୟାରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରେ ଇସ୍କନ ଓ ଲୁମ୍ବିନି ନଗରରେ ସମୁଦ୍ର ମାଡି ଆସିବା ପରି ବର୍ଷା ଜଳ ଯେପରି ଆତଙ୍କ ରଚାଇଛି, ତାହା ସମସ୍ତେ ଦେଖିଛନ୍ତି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏକଥା ପ୍ରତି ଧ୍ୟାନ ଆକର୍ଷଣ କରାଯାଇଛି ଯେ ପୂର୍ବରୁ ବନ୍ୟା ହେଉ ନଥିବା ସହରଗୁଡ଼ିକରେ ସ୍ମାର୍ଟ ସିଟି ମିଶନ୍ ପ୍ରକଳ୍ପଗୁଡ଼ିକର ରୂପାୟନ ପରଠାରୁ ବର୍ଷାଯୋଗୁଁ ବନ୍ୟା ଉପଦ୍ରବର ଶିକାର ହେଉଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିର ବିଚାରଧାରାରେ ପ୍ରାକୃତିକ ଭୂଖଣ୍ଡଗୁଡ଼ିକୁ ମଧ୍ୟ ପଣ୍ୟ ଆକାରରେ ବିବେଚନା କରାଯାଉଛି । ଏ କ୍ଷେତ୍ରରେ ଏକ ଯଥାଯଥ ଦୃଷ୍ଟାନ୍ତ ହେଉଛି ହିମାଳୟ ଅଞ୍ଚଳରେ ଜଳବିଦ୍ୟୁତ୍ ଉତ୍ପାଦନ ଉଦ୍ୟମ । ଗବେଷକମାନେ ଏଥିପାଇଁ କ୍ଷୁଦ୍ର ତଥା ଅଣୁ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ନଦୀର ଜଳପ୍ରବାହକୁ ଅଧିକ ପ୍ରତିହତ କରୁ ନଥିବା ବନ୍ଧ ନିର୍ମାଣ ପ୍ରଯୁକ୍ତିବିଦ୍ୟା ବ୍ୟବହାରର ପକ୍ଷ ସମର୍ଥନ କରୁଛନ୍ତି । ସେମାନଙ୍କର ଯୁକ୍ତି ହେଲା ଯେ ଏପରି ଆଭିମୁଖ୍ୟ ଗ୍ରହଣ କରାଯିବା ଫଳରେ ପାରିବେଶିକ ପ୍ରକୋପ ଭୋଗିବାକୁ ପଡ଼ିବ ନାହିଁ । ମାତ୍ର ବିଶେଷଜ୍ଞଙ୍କ ଗବେଷଣା ପ୍ରତି କେହି ହେଲେ ଧ୍ୟାନ ଦେଉନାହାନ୍ତି ।

ଏସବୁ ସତ୍ତ୍ୱେ ନିକଟରେ ହିମାଳୟରେ ସଂଘଟିତ ହୋଇଥିବା ହଠାତ୍ ବନ୍ୟାଗୁଡ଼ିକରୁ ଏଗୁଡ଼ିକର କାରଣ ନଦୀଶଯ୍ୟାର ବିପଦପ୍ରବଣତା ବୋଲି ଜଣାପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ ନଦୀ ଗତିପଥ ପରିବର୍ତ୍ତନ ପ୍ରୟାସରେ ସୃଷ୍ଟି ହୋଇଥିବା ଆବର୍ଜନାଗୁଡ଼ିକୁ ଜମା କରିବା ପାଇଁ ନଦୀ ଶଯ୍ୟାଗୁଡ଼ିକୁ ବ୍ୟବହାର କରାଯାଇଥିବାରୁ ଏହି ନଦୀଶଯ୍ୟାଗୁଡ଼ିକ କ୍ଷୟକ୍ଷତି ପ୍ରତି ବିଶେଷ ବିପଦପ୍ରବଣ ହୋଇପଡ଼ିଛନ୍ତି । ପାହାଡ଼ଗୁଡ଼ିକରେ ପ୍ରବଳ ବର୍ଷା ହେବା ଫଳରେ କ୍ଷୁଦ୍ର ଓ ଅଣୁ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହା ଫଳରେ ହିମାଚଳପ୍ରଦେଶର ରାମପୁର ଓ କୁଲ୍ଲୁ ଜିଲ୍ଲାଗୁଡ଼ିକରେ ଯଥେଷ୍ଟ ଧ୍ୱଂସ ସାଧନ ହୋଇଛି ।

୧୯୭୦ ଦଶକର ଶେଷ ଭାଗରେ ନୃତତ୍ତ୍ୱବିତ୍ ଥମସନ୍ ଏମ୍ ଏ କଥା ପ୍ରତି ଦୃଷ୍ଟି ଆକର୍ଷଣ କରି କହିଛନ୍ତି, “ହିମାଳୟର ବହୁ ପରିମାଣର ଜଳ ଓ ମୃତ୍ତିକାଧାରଣ କରି ରଖିବାର କ୍ଷମତା ରହିଥିଲେ ମଧ୍ୟ ଏହା ଭୂସ୍ଖଳନକୁ ଅଟକାଇବାର କୌଣସି ସୁରକ୍ଷା ପ୍ରଦାନ କରେନାହିଁ । ଗୋଟିଏ ଅଞ୍ଚଳ ଯଦି ମୂଳତଃ ବିପଦପ୍ରବଣ ତେବେ ସେଠାରେ ପୂର୍ଣ୍ଣ ବିକଶିତ ବୃକ୍ଷ ଆଚ୍ଛାଦନ ଥିଲେ ମଧ୍ୟ ସେଠାରେ ଭୂସ୍ଖଳନର ଆଶଙ୍କା ରହିପାରେ । ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପାହାଡ଼ିଆ ଅଞ୍ଚଳଗୁଡ଼ିକର ପୁଙ୍ଖାନୁପୁଙ୍ଖ ସ୍ଥିତି ଆକଳନ ଓ ମ୍ୟାପିଂ କରି ଏହିସବୁ ଅଞ୍ଚଳ ପାଇଁ ବିପଦପ୍ରବଣତ ଆଟ୍ଲାସ୍ ପ୍ରସ୍ତୁତ କରିବା ଅତି ଆବଶ୍ୟକ ହୋଇପଡ଼ିଛି । ଯେଉଁ ଅଞ୍ଚଳଗୁଡ଼ିକ ବିପଦପ୍ରବଣ, ସେହି ଅଞ୍ଚଳଗୁଡ଼ିକରେ କୌଣସି ଜନବସତି ସ୍ଥାପନ ପାଇଁ ଅନୁମତି ନ ଦେବାର କଠୋର ନୀତି ଆପଣେଇବା ଆବଶ୍ୟକ” ।

ଏ ସବୁ ବ୍ୟତୀତ ଚାରିଧାଡ଼ିଆ ରାସ୍ତା ଓ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନିର୍ମାଣ କରିବା ସକାଶେ ପାହାଡ଼ ପର୍ବତଗୁଡ଼ିକର ମାତ୍ରାତିରିକ୍ତ ଶୋଷଣର ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ରହିଛି । ପ୍ରାକ୍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ବଳିଷ୍ଠ କରାଯିବା ସଙ୍ଗେ ସଙ୍ଗେ ଗ୍ରାମଗୋଷ୍ଠୀ ତଥା ଜିଲ୍ଲା ପ୍ରଶାସନର ଫଳପ୍ରଦ ଭାବେ ପ୍ରଭାବିତ ହେବାକୁ ଥିବା ବା ହୋଇଥିବା ଲୋକଙ୍କୁ ବିପଦପ୍ରବଣ ସ୍ଥାନରୁ ଅନ୍ୟତ୍ର ପଠାଇବାର ଦକ୍ଷତା ବୃଦ୍ଧି କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତ୍ରେ ସହରର ବିକାଶ ପଥ କ’ଣ ହେବ ସେ ସଂପର୍କରେ ସୂଚନା ପାଇବା ସକାଶେ ଭୂତାତ୍ତ୍ୱିକ ତଥା ଜଳତାତ୍ତ୍ୱିକ ସର୍ବେକ୍ଷଣମାନ କରାଯିବା ଉଚିତ । ପୁନଶ୍ଚଃ ବ୍ୟକ୍ତିବିଶେଷଙ୍କର, ଗୋଷ୍ଠୀର ତଥା ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ବିଭିନ୍ନ କାର୍ଯ୍ୟ ସକାଶେ ଭିନ୍ନ ଭିନ୍ନ ଅଞ୍ଚଳଗୁଡ଼ିକର ବ୍ୟବହାର ସଂପର୍କରେ ସଚେତନ କରାଯିବା ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ଜଳବାୟୁ ସଂପର୍କିତ ବିପଦ ଆଧାରରେ ସ୍ଥାନଭିତ୍ତିରେ ଅଲଗା ଅଲଗା ଡିଜାଇନ୍ ମାନ ବ୍ୟବହାର କରାଯିବା ମଧ୍ୟ ଜରୁରି ।

Comments

0 comments

Share This Article