ସେହି ପୁଅ, ସେହି ଜୋଇଁ, ସେହି ଭଣଜା ନହେଲେ ଭାଣିଜୀ ଜୋଇଁ
ଟିକେ ଭିନ୍ନ ଶୀର୍ଷକ ହୋଇଗଲା । କେହି ଦେହକୁ ନେବେନି । ଭଣଜାମାନଙ୍କ ଉତ୍ପାତ ଦେଖି ନକହିଲେ କୂଳ ଭାସି ଯାଉଛି ।
ପାଠକେ! ସେତେବେଳେ ଆମେ ସବୁ କଲେଜ ପିଲା । ଏଜି ଛକରେ ଥିବା ଏକ ଛୋଟିଆ ଚାହା ଦୋକାନରେ ବସି ଗପ କରୁଥାଉ । ହଠାତ୍ ଢୋ ଢା ଶୁଭିଲା । ଆମେ ଯିଏ ଯେଉଁଠି ଥିଲୁ ଛକ ଆଡକୁ ଚାହିଁଲୁ । ସେତେବେଳେ ଏଜି ଛକଟା ଏତେ ବଡ଼ ଓ ଚଉଡ଼ା ନଥିଲା । ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ଛକ ଥିଲା । ଦେଖିଲୁ ଛକ ଉପରେ ଜଣେ ଯୁବକ ଗୋଟିଏ ରାଜଦୂତ କମ୍ପାନୀ ବାହାର କରିଥିବା ଛୋଟ ଚକ ବାଲା କମ୍ ଉଚ୍ଚତାର ବବି ଗାଡ଼ିରେ ବସିଥାଆନ୍ତି । ଜିନ ପ୍ୟାଣ୍ଟଣ୍ଟ ସହିତ ଗୋଟିଏ ଖଦୀ ପଂଜାବୀ ପିନ୍ଧି ଥାଆନ୍ତି । ମୁଣ୍ଡରେ ଲମ୍ବା ଚୁଟି ବେଶ ସୁନ୍ଦର ଭାବରେ ପିଠିକୁ ଝୁଲିଥାଏ । କାନ୍ଧ ଉପରକୁ ସେଗୁଡ଼ିକ ଗୋଟିଏ ରବର ବ୍ୟାଣ୍ଡରେ ବନ୍ଧା ହୋଇଥାଆନ୍ତି । ଆଜିକାଲି ସେଗୁଡ଼ିକୁ ବୋଧେ ‘ପୋନି ଟେଲ’ କୁହାଯାଉଛି । ଦେଖିଲୁ ଛୋଟିଆ ବନ୍ଧୁକଟିଏ ସେତବେଳ ପର୍ଯ୍ୟନ୍ତ ତାଙ୍କ ହାତରେ ଥାଏ । ଆମର ସବୁ ପ୍ୟାଣ୍ଟରେ ୧/୨ ହୋଇଯିବା ଅବସ୍ଥା । ବାବୁ ଜଣକ ଅଳ୍ପ ସମୟ ପରେ ଉଡାଜାହାଜ ଘାଟି ରାସ୍ତାରେ ଯୋରରେ ମୋଟର ସାଇକେଲ ଚଳାଇ ଚାଲିଗଲେ । ଚା ଦୋକାନୀ ଜଣକ କହିଥିଲେ ‘ଇଏ ମୁଖ୍ୟମନ୍ତ୍ରୀଙ୍କ ପୁଅ ପା । ଡରୁଚ କାଇଁକି ?’
ଯେତେବେଳେ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର ଜଣେ ପୁଅ ଥିଲେ ମଧ୍ୟ ତାଙ୍କ ନାଁଟା କେଉଁଠି ଲେଖା, ପଢା କି ଶୁଣା ହେଉ ନଥିଲା । ଏବେବି କଦବା କେମିତି । କିନ୍ତୁ ତାଙ୍କ ଜୋଇଁ ଓ ଭଣଜା ମାନଙ୍କ ବିଷୟରେ ପ୍ରବଳ କଥା ଶୁଣା ହେଉଥିଲା । ଗୁଡ଼ିଏ ଲୋକ ନିଜକୁ ଜାନକୀ ବାବୁଙ୍କ ପୁତୁରା, ଭଣଜା, ଭାଣିଜୀ ଜୋଇଁ କହି ଆପିକଲ, ରାଜ୍ୟ ଅର୍ଥ ନିଗମରୁ କାରଖାନା କରିବେ ବୋଲି ରୁଣ ନେଇ ମଉଜ କଲେ । ଏମିତି ଜଣେ ବାବୁ ଆମର ପରିଚିତ ଥିଲେ । ସିଏ ଖେର୍ଦ୍ଧା ଶିଳ୍ପାଂଚଳରେ ଗୋଟା ପ୍ଲାଷ୍ଟିକ କାରଖାନା କରିବା ପାଇଁ ଅଧୁନା ମୃତ ଓଡ଼ିଶା ରାଜ୍ୟ ବିତ୍ତ ନିଗମ(ଙଝୠଉ)ରୁ ୭୫ ଲକ୍ଷ ଟଙ୍କାର ଟଙ୍କାର ରୁଣ ଉଠାଇନେଲେ । ତାଙ୍କ ଉତ୍ପାଦନର ପ୍ରଚାର ପାଇଁ ବାଲିଯାତ୍ରାରେ ଗୋଟିଏ ଷ୍ଟଲ ଲାଗିଲା । ବାବୁ ମତେ ଡାକିଲେ ଚାଲନ୍ତୁ ଯିବା, ମାମୁଁ ଆସିବେ । କହିଦିଏ ଯେ ସିଏ ମତେ ଅତୀତରେ ଜାନକୀ ବାବୁଙ୍କ ଦୂର ସମ୍ପର୍କୀୟ ଭଣଜା ଓ ଡା ଲଳିତ ମହାନ୍ତିଙ୍କ ନିଜ ସମ୍ପର୍କୀୟ ପୁତୁରା ବୋଲି କହିଥିଲେ । ତାଙ୍କ କାରରେ ବାଲିଯାତ୍ରାରେ ପହଂଚିଲୁ । ମୁଖ୍ୟମନ୍ତ୍ରୀ ଜାନକୀ ବାବୁ ଆସିଲେ, କିନ୍ତୁ ବାବୁଙ୍କ ଷ୍ଟଲ ଯେଉଁ ଲାଇନରେ ସେ ଲାଇନରେ ଆସିଲେ ନାହିଁ । ଆସିଲେ ଡା ଲଳିତ ମହାନ୍ତି । ଏ ବାବୁ ତାଙ୍କ ଆଗରେ ଠିଆ ହୋଇ ପଡ଼ି କହିଲେ ‘ମାମୁଁ ମୁଁ ପା ଜାନକୀ ମାମୁୁଁଙ୍କ ଭଣଜା ଆଉ ଆପଣଙ୍କ ପୁତୁରା,ବନୁ ।’ ଲଳିତ ବାବୁ ତାଙ୍କୁ ପଚାରିଲେ ‘ତମେ କାହା ପୁଅ କହିଲ ।’ ବାବୁ ଜଣକ ଗୁଡ଼ିଏ ବଂଶ ପରମ୍ପରାର ପୁରା ଚେନ ଉଦାହରଣ ଦେଇ ଶେଷକୁ ଜଣେ ମହିଳାଙ୍କର ପୁଅ ବୋଲି କହିଥିଲେ । ଲଳିତବାବୁ ବୁଝି ଯାଇଥିଲେ ଓ ‘ତୁ’ତ ମୋଟେ ଆସୁନୁ, ହଉ! ଆସିବୁ’ ବୋଲି କହି ଆଗ ଷ୍ଟଲକୁ ଚାଲି ଯାଇଥିଲେ । ପାଠକେ! ସେତେବେଳେ ଜାନକୀ ବାବୁଙ୍କ ପୁ୍ରଅଙ୍କର କୌଣସି ଉତ୍ପାତ ନଥିଲା କିନ୍ତୁ ଜୋଇଁ, ଜୋଇଁଙ୍କ ଭାଇ, ତାଙ୍କ ପୁଅ, ତାଙ୍କ ଭାଇ ଏମିତି ସବୁ କିଛି ଲୋକଙ୍କ ନାଁ ଯୋରରେ ଉଠୁଥିଲା ।
ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ନିଜର ଜଣେ ଭଣଜା ଥିଲେ । ମହାପାତ୍ରବାବୁ । ଇଞ୍ଜିନିୟର । ରସୁଲଗଡ଼ରେ ଗୋଟେ କଳିଙ୍ଗ ଇଞ୍ଜିନିୟରିଙ୍ଗ ନାମରେ ଫାର୍ମ କରିଥିଲେ । ସେହିଘରେ ତାଙ୍କ ପରିବାର ରହୁଥିଲେ । ବିଜୁବାବୁଙ୍କ ଦ୍ୱିତୀୟ ଶାସନ କାଳରେ ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନା କେମିତି ହେବ ତା ପାଇଁ ଅନେକ ଉଦ୍ୟମ କରୁଥିଲେ । ମୁଁ ସେ ଘରକୁ ଅଧିକାଂଶ ସମୟ ଯାଇଛି । କିନ୍ତୁ କେଉଁଠି ସେ ବିଜୁ ବାବୁଙ୍କ ଭଣଜା ବୋଲି କହନ୍ତି ନାହିଁ । ନବୀନ ବାବୁ ଏତେ ଦିନ ଶାସନରେ ରହିଲେ ବି ସିଏ କେଉଁଠି ନିଜକୁ ନବୀନ ବାବୁଙ୍କ ମାମୁଁ ପୁଅ ଭାଇ ବୋଲି ମଧ୍ୟ କହିନାହାନ୍ତି ।
ନବୀନ ବାବୁଙ୍କ ସମୟରେ ଯେତେବେଳେ ପ୍ୟାରୀ ମୋହନ ମହାପାତ୍ର ବିଜେଡିର ସର୍ବେସର୍ବା ହୋଇଗଲେ ଜଣେ ବିହାରୀ ଯୁବକ ନିଜକୁ ପ୍ୟାରୀବାବୁଙ୍କ ସାନପୁଅ ବୋଲି କହି ସଚ୍ଚିବାଳୟରେ ଉତ୍ପାତ କଲା । ଅତିଷ୍ଠ ହୋଇ ଜଣେ ଅଫିସର ଆମକୁ ପଚାରିଲେ -’ସାର୍ ପ୍ୟାରୀବାବୁଙ୍କର କେହି ଜଣେ ସାନପୁଅ ଅଛନ୍ତି କି ? ମୁଁ କହିଲି ନିଶ୍ଚୟ ଅଛନ୍ତି । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ବଡ଼ ଜଣେ ସାନ । କିନ୍ତୁ ଦୁଇଜଣ ଯାକ ବାହାରେ । ଓଡ଼ିଶା ଆସି ଅଫିସରଙ୍କୁ ଖରାପ ବ୍ୟବହାର କରିବାର ଚାନ୍ସ ନାହି । ଯଦି କେହି ସେମିତି କିଛି ବଦମାସୀ କରୁଛି ଆପଣ ପୋଲିସରେ ଦେଇ ଦିଅନ୍ତୁ ।’ ପରେ ଏହି ସାନପୁଅ ଜଣକ ନବୀନ ସରକାରର ଜଣେ ମନ୍ତ୍ରୀଙ୍କୁ ଧମକେଇଲେ ଯେ ୨୪ ଘଣ୍ଟା ଭିତରେ ତାଙ୍କ କାମ ନହେଲେ ସିଏ ତାଙ୍କୁ ମନ୍ତ୍ରୀ ଆସନରୁ ଖସାଇଦେବେ । ସେହିଭଳି ପ୍ୟାରୀବାବୁଙ୍କ ବେଳେ ହଠାତ୍ ଦେଖିବାକୁ ମିଳିଲା ଯେ ପ୍ୟାରୀବାବୁଙ୍କର ଗୁଡ଼ାଏ ଭାଣିଜୀଜୋଇଁ ବାହାରି ପଡ଼ିଲେ । ନିଜେ ପ୍ୟାରୀବାବୁ ଜାଣି ନଥିଲେ ଯେ ଏମାନେ ସବୁ ତାଙ୍କର ଭାଣିଜୀ ଜୋଇଁ ।
ଏବେ ଏଇ କିଛି ଦିନ ତଳେ ଲୋକ ଦେଖିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କର ଜଣେ ଭଣଜା କିଏ ଅଛନ୍ତି । ତାଙ୍କର ବି ସାଙ୍ଗିଆ ମାଝୀ । ତାଙ୍କ ନାଁ ନେଇ, ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କିଛି ଲୋକ ଗୁଣ୍ଡାଗର୍ଦ୍ଦି କରି ଗୋଟିଏ ଥାନାର ପୁଲିସ କର୍ମଚାରୀଙ୍କୁ ଧମକାଇଥିଲେ । ସେହି କାରଣରୁ ପୁଲିସ ଏହି ବଦମାସମାନଙ୍କ ବିରୁଦ୍ଧରେ ଏମିତି ଦଫା ଲଗାଇଲା ଯେ କୋର୍ଟ ତାଙ୍କୁ ତୁରନ୍ତ ବେଲ ଦେଇଦେଲା । ଜଜ କହିଲେ ଏ ଦଫାରେ ତ ଥାନାରୁ ଜାମିନ ମିଳିଯିବା କଥା । ସେତିକି ନୁହେଁ ଏଇ ଅଳ୍ପ ଦିନ ତଳେ ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ଗାଡି ରଖିବାକୁୁ ନେଇ ଧମକେଇଲେ ‘ମୋହନ ମାଝିକୁ ଜାଣିଛୁ?’
ପାଠେକେ! ବିଚାରକୁ ନିଅନ୍ତୁ ଯେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମପି, ବିଧାୟକମାନେ ତ ଯାହା ପାବାର ଦେଖାଉଛନ୍ତି ଛାଡ଼ନ୍ତୁ ହେଲେ ତାଙ୍କ ଅସଲୀ ନକଲୀ ସମ୍ପର୍କୀୟମାନେ ଯଦି ଏମିତି ଉତ୍ପାତ କରିବେ ତାହାହେଲେ ସାଧାରଣ ଲୋକ ଏ ରାଜ୍ୟରେ ରହିବେ କେମିତି?
ବନ୍ଧୁ ଯେବେ ଦୁଃଖ ଦିଏ
ଓଡ଼ିଶାର ଚାରିପଟେ ନଦୀ । ଅର୍ଥାତ୍ ଓଡ଼ିଶାର ଯେତେ ପଡ଼ୋଶୀ ରାଜ୍ୟ ସବୁଥିରେ ନଦୀ ଅଛନ୍ତି । ବିଶେଷ କରି ଓଡ଼ିଶାର ଦୁଇଟି ପଡ଼ୋଶୀ ରାଜ୍ୟ, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡର ନଦୀମାନଙ୍କର ଆଗରୁ ଡ୍ୟାମ ବା ବନ୍ଧ ବା ଜଳଭଣ୍ଡାର ଆଦି ଏତେ ସବୁ ନଥିଲା । ଏବେ ସେ ରାଜ୍ୟମାନେ କରପୋରେଟ ବା କମ୍ପାନୀମାନଙ୍କୁ ବର୍ଷଯାକ ପାଣି ଯୋଗାଇବାକୁ ଡ୍ୟାମ ସବୁ ତିଆରି କଲେଣ. ଯାହାର ପରିଣାମ ହେଉଛି ଏଇଆ ଯେ ବର୍ଷାଦିନେ ପାଣି ଅଧିକ ହେଲାବେଳକୁ ସେମାନେ ସବୁ ବନ୍ଧ ଭାଙ୍ଗଯିବ ବୋଲି ହଠାତ୍ ପାଣି ଛାଡ଼ି ଦେବାରୁ ଓଡ଼ିଶାର କେତେକ ଅଂଚଳ ବୁଡ଼ି ଯାଉଛନ୍ତିି । ଲୋକ ଗୁଡ଼ିକ ପୁରା କଲବଲ ହୋଇଯାଉଛନ୍ତି ।
ଝାଡଖଣ୍ଡରେ ଗୋଟିଏ ଚାନ୍ଦିଲୀ ଡ୍ୟାମ ଅଛି । ଏ ଡ୍ୟାମ୍ ଟି ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହୋଇଛି । ସୁବର୍ଣ୍ଣରେଖା ଆମ ଓଡ଼ିଶାରେ ଉତ୍ତରାଞ୍ଚଳରେ ପ୍ରବାହିତ ହୋଇ ସାଗରରେ ମିଶେ । ହେଲେ ଏହାର ଉତ୍ପତ୍ତିସ୍ଥଳ ହେଉଛି ଝାଡଖଣ୍ଡର ଛୋଟନାଗପୁର ମାଳଭୂମି । ସେଠାରୁ ବାହାରି ଏହା ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୩୮୫ କିଲୋମିଟର ରାସ୍ତା ଅତିକ୍ରମ କରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକରେ ଚୌମୁଖ ପାଖରେ ବଙ୍ଗୋପସାଗରରେ ମିଶିଛି । ଦିନେ ଏହି ନଦୀ ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଞ୍ଚଳର ଲୋକଙ୍କ ପାଇଁ ସୁଖ ଥିଲା । ଏ ନଦୀଟି ଏଇ ବାଟ ଦେଇ ପ୍ରବାହିତ ହେଉଥିଲା ଏବଂ ନଦୀର ଶେଷରେ ଏହି ସବୁ ଅଞ୍ଚଳ ଥିଲା । ତେଣୁ ଏଠାରେ ପ୍ରଚୁର ଜଳଜୀବ ଧରା ହୋଇ ବିକ୍ରୀ ଚାଲୁଥିଲା । କିନ୍ତୁ ଯଦି ବନ୍ୟା ଆସିଗଲା, ତାହେଲେ ଏହି ଚାରୋଟି ବ୍ଲକର ୫୬ଟି ପଂଚାୟତର ୨୬୪ଗାଁ ପାଣିଘେରକୁ ଚାଲି ଯାଆନ୍ତି । ଲୋକେ ଜଳବନ୍ଦୀ ହୋଇଯାଆନ୍ତି । କିଛି ଲୋକ ଉଦ୍ଧାର ହୁଅନ୍ତି, କିଛି ମରି ବି ଯାଆନ୍ତି । ବନ୍ୟାଜଳକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ୧୯୭୮ରେ ଗୋଟିଏ ଯୋଜନା ହେଲା । ଯୋଜନା ଅନୁଯାୟୀ ଝାଡଖଣ୍ଡର ଚାନ୍ଦିଲି ନିକଟରେ ଏକ ବଡ଼ ଜଳଭଣ୍ଡାର ହେବ । ସେଠାରେ ନଦୀର ଜଳପ୍ରବାହକୁ ନିୟନ୍ତ୍ରିତ କରାହେବ । ଯାହାଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଉ ବନ୍ୟା ହେବନାହିଁ କି ମରୁଡି ହେବ ନାହିଁ । ୧୯୭୮ ମସିହା ଅଗଷ୍ଟ ୭ତାରିଖରେ ଏଥିପାଇଁ ତିନି ରାଜ୍ୟ ମଧ୍ୟରେ ଏକ ଚୁକ୍ତି ହେଲା ଯେ ସୁବର୍ଣ୍ଣରେଖାର ୬୫ବର୍ଗ କିଲୋମିଟର ଅଂଚଳରେ ଚାନ୍ଦିଲି ଜଳଭଣ୍ଡାର ହେବ ।
ସେତେବେଳେ ଏହି ଚୁକ୍ତିକୁ ତିନି ରାଜ୍ୟରେ ବିସ୍ଥାପିତ ହେବାକୁ ଥିବା ଲୋକମାନେ ପ୍ରବଳ ବିରୋଧ କଲେ । ସେମାନେ କହିଲେ ହୀରାକୁଦ ପରି ଏଠାରେ ମଧ୍ୟ ବହୁ ଗାଁ, ଜମିବାଡି, ଜଙ୍ଗଲ, ଘରଦ୍ୱାର ସବୁ ବୁଡ଼ିଯିବ । ହେଲେ ପୁଲିସ ଲଗାଇ ଡ୍ୟାମ ତିଆରି କରାଗଲା । କୁହାଗଲା ଜଳସେଚନ ହେବ । ବିଜୁଳି ବାହାରିବ, ମାଛ ଉତ୍ପାଦନ ହେବ । କିନ୍ତୁ ଲୋକେ ବିରୋଧ ଛାଡି ନାହାନ୍ତି । ଏଠାରୁ ୯୫% ଲୋକଙ୍କୁ ଜବରଦସ୍ତ ବିସ୍ଥାପିତ କରି ଦିଆ ଗଲାଣି । କିନ୍ତୁ ୫% ନିଜ ଭିଟାମାଟିକୁ କାମୁଡିଧରି ରହିଛନ୍ତି । ଯା ଫଳରେ ଏଠାରେ ଜଳଭଣ୍ଡାରର ଅତି ନିକଟରେ ୧୨ଟି ଗାଁଆ ଆଜି ବି ଅଛି । ଉଠି ନାହିଁ । ତେଣୁ ଏହି ବନ୍ଧର ଜଳପତ୍ତନର ଉଚ୍ଚତା ୧୯୦ମିଟର ହେବ ବୋଲି କୁହାଯାଇଥିଲେ ମଧ୍ୟ ୧୮୦ ମିଟର ପର୍ଯ୍ୟନ୍ତ ଜଳ ରହିବ ବୋଲି ଅଘୋଷିତ ନିଷ୍ପତ୍ତି ହେଲା । କିନ୍ତୁ ୧୮୧.୫୦ ମିଟର ପର୍ଯ୍ୟନ୍ତ ରଖାଯାଉଛି । ଯା ଫଳରେ ଯେତିକି ଗାଁ ଅଛନ୍ତି ବଞ୍ଚିଯିବେ । ସେଥିରେ ମଧ୍ୟ ତିନି ରାଜ୍ୟର ବହୁ ଲୋକ, ଜମିବାଡ଼ି, ଜଙ୍ଗଲ, ଜନ୍ତୁ ସବୁ ବୁଡିଲେ । କେତେ ଲୋକ ସବୁ ଦେଶାନ୍ତରୀ ହୋଇଗଲେ । ଏବେ ବଡ଼ ବଡ଼ କରପୋରେଟମାନଙ୍କର ଚାନ୍ଦିଲି ଡ୍ୟାମ ଉପରେ ଆଖି ପଡ଼ିଛି । ଝାଡଖଣ୍ଡ ସରକାରଙ୍କ ସହାୟତାରେ ଏଠାରେ ଏବେ ନୂଆ ନୂଆ କଳ କାରଖାନା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସବୁ ଖୋଲୁଛି । ତା ବ୍ୟତୀତ ଜାମସେଦପୁରର ସବୁ କାରଖାନାକୁ ବର୍ଷତମାମ ପାଣି ଦରକାର । ତେଣୁ ଆଗରୁ ବନ୍ଧ କର୍ତ୍ତୃପକ୍ଷ ଯେଉଁ ୧୮୦ ରୁ ୧୮୧ ଫୁଟ ଯାଏ ପାଣି ରଖୁଥିଲେ ଏବେ ଆଉ ତାହା ନାହିଁ । କରପୋରେଟ ଚାପରେ ଏବେ ୧୮୪ ଫୁଟ ପାଖାପାଖି ପାଣି ରଖାଯାଉଛି । ଉପରମୁଣ୍ଡରେ ଅଧିକ ବର୍ଷା ହେବ ବୋଲି ଜାଣିଲେ ପାଣିକୁ ହଠାତ୍ ଛାଡି ଦିଆଯାଉଛି ଯାହାକି ଓଡ଼ିଶାର ୨୬୪ ଖଣ୍ଡ ଗାଁକୁ ବୁଡାଇ ଦେଉଛି । ଗତମାସ ୧୬ ତାରିଖରେ ବନ୍ଧର ୧୨ଟି ଫାଟକକୁ କିଛି ନକହି ହଠାତ୍ ଖୋଲି ଦିଆଯାଇ ଥିଲା । କାରଣ ଆଉ ଅଧିକ ପାଣି ହୋଇଥିଲେ ଝାଡ଼ଖଣ୍ଡର ୧୨ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥାଆନ୍ତେ । ଏବେ ଏହି କାରଣରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକର ୨୬୪ ଟି ଗାଁଆର ଲୋକେ ପାଣିଘେରରେ ରହିଲେ । ସେହିକଥା ମାଲକାନାଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ଦେଖିବାକୁ ମିଳୁଛି । ଗୋଦାବରୀର ପୋଲାଭରମର ପାଣି ସାବେରୀ ଓ ସିଲେରୁରେ ଆସି ମୋଟୁକୁ ପୁରା ଜଳମଗ୍ନ କରୁଛି । ଲୋକ କହୁଛନ୍ତି ଯେ ଯଦି ପୋଲାଭରମ ପୁରା ତିଆରି ହୋଇଗଲା, ତେବେ ମୋଟୁ କାମ ସରିଲା । ପୁରା ବୁଡ଼ିଯିବ ।
ସେଇ ମିଟିଂ, ସିଟିଂ, ଇଟିଂ ଆଉ ଫରଗେଟିଂ
ପାଠକେ! ଓଡ଼ିଶା ଓ ଓଡ଼ିଆମାନଙ୍କର ଦୁଃଖହରଣ ପାଇଁ ରାଜ୍ୟର ବହୁ ବିରୋଧୀ ଦଳ ନେତା, ବୁଦ୍ଧିଜୀବୀ, ସାମ୍ବାଦିକ, ଲେଖକ, କବି, କଳାକାର ଆଦି ବିଭିନ୍ନ ସ୍ଥାନରେ ଏକାଠି ହେଉଛନ୍ତି । ଓଡ଼ିଶାରେ କ’ଣ କ’ଣ ସବୁ ହୋଇ ଗଲାଣି ଓ ଏହାକୁ ରୋକିବା ପାଇଁ କ’ଣ କ’ଣ କରାଯିବା ଉଚିତ୍ ସେ ବିଷୟରେ ଏଥିରେ ଆଲୋଚନା କରୁଛନ୍ତି । ପ୍ରତ୍ୟେକ ମିଟିଙ୍ଗର ଆଲୋଚନାରୁ ଜଣାପଡ଼ୁଛି ଯେ ଆସନ୍ତାକାଲିଠାରୁ ଯୁଦ୍ଧ ଆରମ୍ଭ ହୋଇଯିବ । କିନ୍ତୁ ଯେଉଁ ପରିମାଣରେ ଯୁଦ୍ଧ ଡାକରା ଦିଆଯାଉଛି, ସେହି ପରିମାଣରେ ଯୁଦ୍ଧ ଦେଖିବାକୁ ମିଳୁନାହିଁ । ଓଲଟା କିଛି ହାତଗଣତି ଲୋକ ଯେଉଁମାନେ ଗୋଟିଏ ଦଳକୁ ମୁଖ୍ୟଶତୃ କହି ତା’ ବିରୁଦ୍ଧରେ ଲଢ଼ିବାକୁ ଜୋରଦାର ଶପଥ କରୁଛନ୍ତି, ସେମାନେ ଏଇ ଘୋଷଣାର କିଛି ଦିନ ଭିତରେ ଯାଇ ଶତୃଶିବିରରେ ସାମିଲ ହୋଇ ଯାଉଛନ୍ତି । କିଛି ଦିନ ପରେ ପୁଣି ଏକ ଶତୃଚ୍ଛେଦନ ମିଟିଂ ହେଉଛି, ସେଥିରେ ମଧ୍ୟ ସେହିମାନେ ଯୋଗ ଦେଉଛନ୍ତି ଯେଉଁମାନେ ପୂର୍ବ ମିଟିଂରେ ଥିଲେ । ରାତି ଅଧଯାଏ ଭାଷଣ ଚାଲୁଛି । ଖାଦ୍ୟ ହେଉଛି । ହେଲେ ଫଳ ଖୋଜିଲାବେଳକୁ ଯଥା ପୂର୍ବଂ ତଥା ପରଂ ।
ଦଶରା ଭିତରେ ନେତାଜୀଙ୍କ ଦଳ ଫରୱାର୍ଡ ବ୍ଲକ କାର୍ଯ୍ୟାଳୟରେ ଏଇମିତି ଏକ ବନ୍ଧୁମିଳନ ହୋଇଥିଲା । କଂଗ୍ରେସ, ବିଜେଡି ଓ ପାଖାପାଖି ସବୁ କମ୍ୟୁନିଷ୍ଟ ଦଳର ବଡ଼ ବଡ଼ ନେତାମାନେ ବୈଠକରେ ଉପସ୍ଥିତ ଥିଲେ । ବନ୍ଧୁମିଳନ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ସମାଜବାଦୀ ନେତା ବ୍ରଜକିଶୋର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ମୁଖ୍ୟବକ୍ତା ହୋଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଦୁଇ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସମେତ ଅନେକ ଜଣାଶୁଣା ଲୋକ ଥିଲେ । ଓଡ଼ିଶା ଫରୱାର୍ଡ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଲାଗି ପଡ଼ି ଅତିଥିମାନଙ୍କ ପାଇଁ ସୁନ୍ଦର ଖାଦ୍ୟବ୍ୟବସ୍ଥା କରାଇଥିଲେ । ବୈଠକରୁ ବକ୍ତାମାନଙ୍କ କଥା ଶୁଣି ଯାହା ଜଣା ପଡ଼ିଲା ଏଇଥର ଗଣତନ୍ତ୍ରର ସୁରକ୍ଷା ପାଇଁ ଗୋଟା ଜୋରଦାର ସଂଘର୍ଷ ହେବ । ହେଲେ ସଭା କାର୍ଯ୍ୟ ଚାଲୁଥିବାବେଳେ ଜଣେ ଲୋକ ଚିକ୍ରାର କଲେ ଏଠି ଯାହା ସବୁ ସମସ୍ୟା ହୋଇଛି ସବୁ ତମରି ପାଇଁ ହୋଇଛି । କଳାଚଷମା ପିନ୍ଧା ଏହି ବାବୁ ଭାବପ୍ରବଣ ହୋଇ ଯେପରି ଚିକ୍ରାର କରୁଥିଲେ ସିଏ ଆହୁରି କ’ଣ କହି ପକାଇଥାଆନ୍ତେ । ଅନ୍ୟ ଅତିଥିମାନେ ତାଙ୍କୁ ବୁଝାସୁଝା କରି ଅଟକାଇ ଥିଲେ । ଖାଦ୍ୟ ଖାଉ ଖାଉ ଆମେ ଜଣେ ଅତିଥିଙ୍କୁ ପଚାରିଲୁ ଏ ଲୋକଟି କିଏ? ଏମିତି ପାଟି କାଇଁ କଲା? ଅତିଥିଜଣକ କହିଲେ ସିଏ କିଛି ଭୁଲ କହିନି? ଆମେ ବିରୋଧି ଦଳ ଭାବରେ କରୁଛୁ କ’ଣ? ବାବୁଜଣକ କହିଥିଲେ ଆଜ୍ଞା! ଆପଣଙ୍କର ମନେ ଥିବ ଏହି ଘରେ ନିର୍ବାଚନ ପୂର୍ବରୁ ଗୋଟିଏ ମିଟିଂ ହେଲା । ୧୩ ଦଳିଆ ମିଟିଂ । ସେଥିରେ ସଭାପତି ଥିଲେ ଏଇ ବାବୁ ବ୍ରଜ କିଶୋର ତ୍ରିପାଠୀ । ସେଥିରେ ବିଜେଡି ବିଜେପି ନଥିଲେ କାରଣ ସେତେବେଳେ ରାଜ୍ୟରେ ବିଜେଡି ଓ ଦେଶରେ ବିଜେପିର ଶାସନ ଚାଲୁଥାଏ । ସେମାନଙ୍କ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବାକୁ ଗୋଟା ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ଗଠନ ହେଲା । ହେଲେ ନିର୍ବାଚନବେଳେ କ’ଣ ହେଲା? ଦେଶଯାକ ଗୋଟା ଇଣ୍ଡିଆମେଂଟଣ୍ଟହେଲା । ଓଡ଼ିଶାରେ ବି ହେଲା । ହେଲେ ନିର୍ବାଚନକୁ ଗଲାବେଳକୁ ସବୁ ଅଲଗା ଅଲଗା । ସମସ୍ତେ ପରସ୍ପର ଲଢ଼ିଲେ, ବିଜେପି ଜିତିଲା । ସେତେବେଳେ ବିଜେଡ଼ି ବିଜେପି କୁଶାସନ ଓ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଲଢ଼ିବେ ବୋଲି ସମସ୍ତେ ଏକାଠି ହୋଇଥିଲେ , ହେଲେ ଏବେ ସେଇ ବିଜେଡିର ପୂର୍ବତନ ମନ୍ତ୍ରୀ, ନେତାମାନେ ଆସି ଏ ବୈଠକରେ ସାମିଲ ହୋଇ ଲଢ଼ିବା କଥା କହିଲେଣି । ତେଣୁ ଲୋକଙ୍କର ଏମାନଙ୍କ ବିଷୟରେ ଧାରଣା କ’ଣ ହେଉଛି । ଲୋକମାନେ ଏମାନଙ୍କୁ ବିଶ୍ୱାସକୁ ନେବେ କେମିତି?
ଆମେ ଏ ବିଷୟ ଅନେକ ବଡ଼ ଛୋଟ ରାଜନେତା, ବୁଦ୍ଧିଜୀବୀଙ୍କୁ ପ୍ରଶ୍ନ କରିବାରୁ ସେମାନେ ନିଜର ନାଁ ନଦେଇ ଗୋଟିଏ କଥା କହିଥିଲେ ଯେ ଏମାନଙ୍କର ମଧ୍ୟ ଜନତାର ଏଜେଣ୍ଡା ପ୍ରତି ସେତିକି ପ୍ରତିବଦ୍ଧତା ରହୁ ନାହିଁ । ତେଣୁ ସମସ୍ତେ ଏକାଠି ହେଉଛନ୍ତି, ଭାଷଣ ଦେଉଛନ୍ତି, meeting, sitting, eating and then forgetting
କେ ଜାଣେ ଏମ୍ଏସ୍ପିର ଗତି….
ପାଠକେ! ଓଡ଼ିଆରେ ଢଗଟିଏ ଅଛି । ‘କେ ଜାଣେ ଗୋବିନ୍ଦର ଗତି, ଝୁଲା ତ ପେଲି ଚାଲିଛନ୍ତି ।’ ଏଇ ଢଗ ପଛରେ ଧର୍ମ ନାଁଆରେ ହେଉଥିବା ଠକେଇର ଗୋଟିଏ ବଢ଼ିଆ କାହାଣୀ ଅଛି । କାହାଣୀଟି ହେଉଛି ଗୋଟିଏ ଗାଁ’ରେ ଜଣେ ବାବା ଥିଲେ ଯିଏକି ଭାରି କଙ୍କଡ଼ାପ୍ରିୟ ଥିଲେ । ପୂର୍ବେ ବିଲମାନଙ୍କରେ ଯେଉଁ ଛୋଟ ଛୋଟ ବିଲିକଙ୍କଡ଼ା ମିଳୁଥିଲା, ତାକୁ ପୋଡ଼ି ସେଥିରେ ରସୁଣ ଆଦି ପକାଇ ଛେଚି ତାଙ୍କର ଗୋଟିଏ ଚେଲା ଗୋଟେ ବିଶେଷ ପାଗ ବାବାଙ୍କ ମଣୋହୀ ପାଇଁ ପ୍ରସ୍ତୁତ କରୁଥିଲେ । ବାବା ସେ ଖାଦ୍ୟଟିକୁ ବଡ଼ ଆନନ୍ଦରେ ଖାଉଥିଲେ । ସେଥିପାଇଁ ସିଏ ଜଣେ ମତ୍ସ୍ୟଜୀବୀ ପିଲାକୁ ମଠରେ ବିଶେଷ-ଖାଦ୍ୟ-ଯୋଗାଣ ଟହଲିଆ ଭାବରେ ରଖିଥିଲେ । ଟହଲିଆଟି ଖାଳେଇଟିଏ ନେଇ ସକାଳୁ ବାହାରି ଯାଉଥିଲା ଓ ବାବାଙ୍କ ମଧ୍ୟାହ୍ନ ଧୂପ ପୂର୍ବରୁ ଆସି ପହଞ୍ଚô ଯାଉଥିଲା । ହେଲେ କଙ୍କଡ଼ା ଖାଳେଇଟାକୁ ଆଣି ସିଏ ଗୁପ୍ତସ୍ଥାନରେ ରଖୁଥିଲା ଓ ସେଥିରୁ କଙ୍କଡ଼ା ବାହାର କରି ପୋଡ଼ି ନିଜେ ବାବାଙ୍କ ବିଶେଷ ଖାଦ୍ୟଟିକୁ ପ୍ରସ୍ତୁତ କରୁଥିଲା । ଖଳେଇରୁ କଙ୍କଡ଼ା ଗୁଡ଼ିକ ସହଜରେ ବାହାରକୁ ବାହାରନ୍ତି ନାହିଁ, କାରଣ ସେମାନେ ଭାରତ ଭୂଖଣ୍ଡରେ ଥିବା ଏକମାତ୍ର ପ୍ରଜାତି ଓଡ଼ିଆ-ଲୋକଙ୍କ ପରି ପରସ୍ପର ଗୋଡ଼ଟଣାରେ ବିଶେଷ ଆଗ୍ରହ ରଖୁଥିଲେ । ତଥାପି କାଳେ ଏତେ କଷ୍ଟରେ ଯୋଗାଡ଼ କରାଯାଇଥିବା କଙ୍କଡ଼ା ବାହାରକୁ ପଳାଇ ଆସିବେ, ତେଣୁ ଚେଲାଜଣକ ଖାଲେଇ ମୁହଁରେ ଗୋଟିଏ ନଡ଼ିଆ ସଢ଼େଇ ଚାପି ଦେଉଥିଲା । ଟହଲିଆଟି ଟିକେ ଗଞ୍ଜୋଡ ଥିଲା ତେଣୁ ଦିନେ ସିଏ ଫୁଲ ଚାଙ୍ଗୁଡି ଭାବି କଙ୍କଡ଼ା ଖଳେଇଟାକୁ ଆଣି ଠାକୁରଙ୍କ ଖଟୁଲି ପାଖରେ ଥେଇଦେଇ ପଳେଇଲା । ବାବା ଓ ଭକ୍ତମାନେ ଆସି ପୂଜାରେ ବସିବା ବେଳକୁ କଙ୍କଡ଼ା ଖାଳେଇଟା ଧୀରେ ଧୀରେ ଦୋହଲୁଛି । ବାବା ଦେଖି ପକାଇ ତା ଉପରେ ଏକାତରେ ଦୁଇ ଚାରିଟା ମନ୍ଦାର ଫୁଲ ଥୋଇଦେଲେ । ଏଥର ଦୋଦୁଲ୍ୟମାନ ଖାଳେଇଟି ପୂର୍ବାପେକ୍ଷା ଅଧିକ ଦୃଶ୍ୟମାନ ହେଲା । ଭକ୍ତମାନେ ଇଏ କ’ଣ ବୋଲି ନିଜ ଭିତରେ ଫୁସୁରୁଫାସୁରୁ ହେଲା ବେଳକୁ ବାବା ବିପଦ ଦେଖି ଘୋଷଣା କରିଦେଲେ ଆଜି ଗୋଟାଏ ମହାନ୍ ଦିନ ନିଜେ ଗୋବିନ୍ଦ ମହାପ୍ରଭୁ ଆସି ଆମପାଖରେ ଉଭା ହୋଇଗଲେଣି । ବୋଲ ଆନନ୍ଦ ଏକବାର ହରିବୋଲ । ଦେଖ ଦେଖରେ ମୂଢ଼ମତି, ଗୋବିନ୍ଦ କିପରି ଆମ ଗାଦୀରେ ପହଂଚି ଝୁଲଣ ଝୁଲିଲେଣି ଦେଖ । ଠାକୁର ନିଜେ ଆବିର୍ଭାବ ହେଲେଣି ଜାଣି ଲୋକେ ଜଣକ ଉପରେ ଜଣେ ହେଉ ପଛେ ଲମ୍ବ ଲମ୍ବ ହୋଇ ପଡିଗଲେ । ବାବା ଏଇ ମଉକାରେ କଙ୍କଡ଼ା ଖାଲେଇଟାକୁ ଆଣି ଅଲଗା କରି ଗୋଟିଏ ଜାଗାରେ ରଖି ତା ଉପରେ ଆହୁରି ଫୁଲ ରଖିଦେଲେ । ହେଲେ କଙ୍କଡ଼ା ଖାଳେଇଟା ଭିତରେ ଥିବା କଙ୍କଡ଼ାଙ୍କ ଟଣାଟଣି ଯୋଗୁ ପ୍ରତିମୁହୂର୍ତ୍ତରେ କିଛି କିଛି ଠାକୁରଙ୍କ ଆଡକୁ ଘୁଞ୍ଚି ଘୁଞ୍ଚି ଚାଲିଲା । ଏବେ ସମସ୍ତଙ୍କ ଦୃଷ୍ଟି କଙ୍କଡ଼ା ଖାଳେଇ ଓରଫ ସାକ୍ଷାତ ଆବିର୍ଭାବ ଗୋବିନ୍ଦଙ୍କ ଉପରେ । କିଏ କ’ଣ ମାଗି ପକାଇବ ସେହି ଲୋଭରେ ଜଣେ ଆଉଜଣକ ଉପରେ ଚଢ଼ି ଯାଉଥାଆନ୍ତି । କଥାଟା ସରପଞ୍ଚଙ୍କ କାନରେ ପହଂଚି ଯିବାରୁ ସିଏ ବି ଧାଇଁ ଆସି ଦେଖିଲେ ସତରେ ତ ଗୋବିନ୍ଦ ସାକ୍ଷାତରେ ଝୁଲୁଛନ୍ତି । ସରପଂଚ ସାଙ୍ଗରେ ଭଲ ପୁଡାଏ ଗଞ୍ଜେଇ ଆଣିଥିଲେ । ଚିଲମ ତିଆରି କରି ବାବାଙ୍କ ପାଖରେ ଥୋଇଦେଇ କହିଲେ ବାବା! ପଚାରୁନ ମୁଁ ଏଥରକ ଜିତିବି ନା ଆଉ କିଏ ପଶିଯିବ? ବାବା ଏଡ଼େ ସୁନ୍ଦୁରିଆ ଗଞ୍ଜେଇ ଦେଖି ଲୋଭ ସମ୍ଭାଳି ପାରିଲେନି । ଦି ଚାରିଦମ ଗଞ୍ଜେଇ ମାରି ଦେଇ ଆଖିବୁଜି ବସିଗଲେ । କିଛି ସମୟ ପରେ ଆଖି ଖୋଲିବା ପରେ ଦେଖିଲେ କଙ୍କଡା ଖାଲେଇଟା ଘୁଞ୍ଚି ଘୁଞ୍ଚି କିଛି ବାଟ ଚାଲିଗଲାଣି । ସରପଂଚ ପଚାରିବାରୁ ଗଞ୍ଜେଇ ନିଶାରେ ବାବା କହି ପକାଇଲେ- ‘କେ ଜାଣେ ଗୋବିନ୍ଦଙ୍କ ଗତି, ଝୁଲା ତ ପେଲି ଚାଲିଛନ୍ତି ।’
ଏ ଗପଟି ଲେଖିବାର କାରଣ କ’ଣ କି ଆମେ କାଲି ଓଡ଼ିଶାରୁ ଧାନ ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସଚ୍ଚିବାଳୟରେ ବସିଥିବା ବୈଠକ ଶେଷରେ ଜଣେ ପଶ୍ଚିମାଂଚଳଆଡ଼ିଆ ମନ୍ତ୍ରୀଙ୍କୁ ଏଥର କ’ଣ ସତରେ ଆମ ଗରିବ ଚାଷୀମାନେ ଧାନ ବିକି ୩୧୦୦ଟଙ୍କା କୁଇଣ୍ଟାଲ ପାଇବେ ବୋଲି ପଚାରିବାରୁ ସିଏ ଉତ୍ତର ଦେଲେ- ତମରି କଥା ମତେ ସତ ଲାଗୁଛେଁ ହୋ । କେ ଜାନେ ଗୋବିନ୍ଦର ଗତି? ଏବେ ପ୍ରଥମ କଥା ହେଲାଣି କାହା ଧାନ ବିକ୍ରୀ ହେବା ସେଟା ପହଲା କହତ ? ଆମର ନା ଛତିଶଗଡ଼ିଆଙ୍କର? ତମେ ନାଇଁ ଜାନି କାଏଁ ଧାନ ସଂଗ୍ରହ ହେଲା କ୍ଷଣି କେନ୍ତା ସେମାନେ ଅଫିସରଙ୍କୁ ପଇସା ଦେଇ ଆଗ ତାଙ୍କ ଧାନ ଠୁଙ୍କି ଦିଅନ୍ । ଆମ ଧାନ ସବୁ ବାହାରେ ପଡ଼ି ଗଜା ହେଉଥି । ଅଫିସର କହୁଥିବ ଅମକଟା ନାହିଁ, ଢମକଟା ନାହିଁ । କେତେ ପାଟି ତୁଣ୍ଡ କଲାପରେ ଆମ ଧାନ ବିକ୍ରୀ ହେବା । ସେଇଟା ବି ଆଗେ ବଡ଼ବଡ଼ ଚାଷୀମାନଙ୍କର ଧାନ ଉଠବା । ପରେ ଗରିବଗୁରୁବାଙ୍କର । ଏଭେ ତ ଧାନ କୁଇଂଟାଲ ୩୧୦୦ ଟଙ୍କା । ଅଫିସର ଆର ଦଲାଲମାନେ ତ ଓଠରେ ତେଲ ମାରି ବସିଲେଣି । ସାଧାରଣ ଲୋକ ଧାନ ବିକ୍ରୀକରି ପାରବେ କି ଏଫ୍ କ୍ୟୁରେ ପଡ଼ି ମରବେ ସେଇଟା ଆଗେ ଦେଖ ।
ପାଠକେ! ଛତିଶଗଡ଼ିଆ ବେପାରୀ ସବୁ ଲୁଟିନେବେ ବୋଲି ଏ ସରକାର ଜାଣିନାହାନ୍ତି ବୋଲି ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ନିଦେ୍ର୍ଦଶ ଦେଲେଣି ଯେ ବାହାରୁ ଯେଉଁ ଧାନ ଓଡ଼ିଶାକୁ ପଶିବ, ତାକୁ ଯେମିତି ହେଉ ରୋକିବାକୁ ହେବ । ସୀମାକୁ ଲାଗିଥିବା ସବୁ ସଡ଼କରେ ୨୪ ଘଣ୍ଟିଆ ସତର୍କ ନଜର ରଖାଯିବାର ବ୍ୟବସ୍ଥା ହେବ । ଯେମିତି ବାହାର ଧାନ ଓଡ଼ିଶା ଭିତରକୁ ପଶି ନପାରେ । ଧାନ ବିକିବାକୁ ଯେଉଁ ଟୋକନ ବ୍ୟବସ୍ଥା ହୋଇଛି ସେଥିରେ ସବୁଠୁ ବେଶି ଠକେଇରେ ପଡ଼ନ୍ତି ଛୋଟ ଚାଷୀ । ତେଣୁ ମୁଖ୍ୟମନ୍ତ୍ରୀ କଲେକ୍ଟରମାନଙ୍କୁ କହିଛନ୍ତି ଯେ ସେମାନେ ସବୁ ଚାଷୀ ଯେପରି ଧାନ ବିକିବା ଟୋକନ ପାଇବେ ଦେଖିବେ ଏବଂ ଦରକାର ପଡ଼ିଲେ ଜିଲ୍ଲାର କଲେକ୍ଟର ଟୋକନ ଦିଆଯିବାର ସମୟ ବଢ଼ାଇବେ । ସମସ୍ତେ ଯେପରି ଟୋକନ ପାଇବେ ତାର ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ଯେପରି ଲଗାତର ଭାବରେ ଏ ସମ୍ପର୍କରେ ସୂଚନା ମିଳିବ ତାକୁ ଅଫିସରମାନେ ଦେଖିବେ । ଏପରିକି କୃଷକମାନଙ୍କର ଯେଉଁ ହ୍ୱାଟ୍ସଅପ ଗ୍ରୁପ ଅଛି, ତା’ ଜରିଆରେ ସବୁ ସୂଚନା ଦିଆଯିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ସେତିକି ନୁହେଁ ଧାନର ଗୁଣବତ୍ତା ସ୍ଥିର କରିବାକୁ ଯେଉଁ ଅଫିସରମାନେ ରହିବେ ସେମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବ । ପୁଣି ଜଣେ ମନ୍ତ୍ରୀ(କିଏ ହେବେ ସ୍ଥିର ହୋଇନି) ନିଜେ ଧାନ ଖରିଦ ଦାୟିତ୍ୱରେ ରହି ଲୋକଙ୍କଠାରୁ ଧାନ କିଣିବେ । ହେଲେ କଥା ଉଠୁଛି ଯେ ସରକାରୀ ମନ୍ତ୍ରୀ, ନେତା, ଅଫିସର ଚାଷୀମାନଙ୍କର ଏଇ କଥାଟାକୁ ଗୁରୁତ୍ୱ ଦେଇ କରିବେକି? ନିଜେ ତ ମୁଖ୍ୟମନ୍ତ୍ରୀ ବାହାରିଲେଣି ଛତିଶଗଡ଼ ପହଞ୍ଚି ସେଠି କେମିତି ବିଜେପିକୁ ଜିତାଇବେ ସେ କାମ କରିବାକୁ । କିଛି ଅଫିସର ତ ଚାହାନ୍ତି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଦୂରେଇ ରହିଲେ ସିଏ ତାଙ୍କର ଓଡ଼ିଶା ଓ ଛତିଶଗଡ଼ର ମିଲମାଲିକମାନଙ୍କୁ ଧରି ପଇସା କମେଇବେ । ତେଣୁ ଇଏ ଆଉ ଗୋଟା ସୁଭଦ୍ରା ଯୋଜନା ନହେବ କିଏ କହିବ?
ହେଲେ ପାଠକେ! ଆମେ ଅନ୍ତତଃ ସବୁ ଠିକ ହେବ ବୋଲି ଆଶା କରିବା ଓ ଉଚ୍ଚ କଣ୍ଠରେ ଗାଇବା- କେ ଜାଣେ ଏମ୍ଏସ୍ ପି ର ଗତି, ମୋହନ ତ ଝୁଲା ପେଲୁଛନ୍ତି ।
Comments
0 comments