କୋବିନ୍ଦ କମିଟି ରିପୋର୍ଟରେ ଅଣଦେଖା!

ସତ୍ୟନାରାୟଣ ସାହୁ
ସତ୍ୟନାରାୟଣ ସାହୁ2 Views
9 Min Read

ଉଭୟ କେନ୍ଦ୍ର ତଥା ରାଜ୍ୟରେ ଏକକାଳୀନ ଗୋଟିଏ ସମୟରେ ନିର୍ବାଚନ କରାଇବା ପାଇଁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଯେଉଁ ସୁପାରିଶ କରିଥିଲା, ତାହାକୁ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ଇତିମଧ୍ୟରେ ନୀତିଗତ ଭାବେ ଗ୍ରହଣ କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ରିପୋର୍ଟ ଚୂଡ଼ାନ୍ତ ହେବା ପୂର୍ବରୁ ତଥା ଭାରତ ସରକାର ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପୂର୍ବରୁ ଏହାକୁ ଲାଗୁ କରିବାପାଇଁ ସହମତି ନିର୍ମାଣ କରିବାକୁ ମୋଦୀ ସରକାର ତତ୍ପର ହୋଇ ଉଠିଛନ୍ତି ଯାହାକି ବାସ୍ତବରେ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ତଥା ଭାରତ ସରକାର ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପରେ ଯାଇ କରାଯିବା କଥା । ଏହା ଠିକ ଘୋଡ଼ାଆଗରେ ଗାଡ଼ି ରଖିବା ପରି ବିଷୟଟିଏ ହୋଇଛି ।

ଏବେ ଯଦି ଦୈବାତ୍ ବାବାସାହେବ ଆମ୍ବେଦକର ଜୀବିତ ଥାଆନ୍ତେ, ସିଏ କେବେହେଲେ ଭାରତର ଜଣେ ପୂର୍ବତନ ରାଷ୍ଟ୍ରପତି ଏପରି ଏକ କମିଟିର ଅଧ୍ୟକ୍ଷତା କରିବା ଏବଂ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକ ସମୟରେ ନିର୍ବାଚନ କରାଇବାକୁ ସୁପାରିଶ କରିବା କଥାଟିକୁ ଗ୍ରହଣ କରିପାରିନଥାନ୍ତେ । ଏହି ପରାମର୍ଶ ପଛରେ ପୁଣି ଏପରି ସବୁ କାରଣ ଦିଆଯାଇଛି ଯାହାକି ନିହାତି ବିଭ୍ରାନ୍ତିକର । ଯେପରିକି ଏହାଦ୍ୱାରା ଖର୍ଚ୍ଚ କମିବ, ଭୋଟରମାନଙ୍କର କ୍ଳାନ୍ତି କମ୍ ହେବ, ପ୍ରଶାସନିକ ସୁବିଧା ସୁଦୃଢ଼ ହେବ, ସାମାଜିକ ସମନ୍ୱୟ ରକ୍ଷା ହେବ ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରାଯିବ । କେବଳ ଅର୍ଥନୈତିକ ଏବଂ ପ୍ରଶାସନିକ କାରଣକୁ ଧ୍ୟାନରେ ରଖି ଏଭଳି ଏକକାଳୀନ ମତଦାନ ବ୍ୟବସ୍ଥାକୁ ସମର୍ଥନ କରାଯାଇଥିଲେ ମଧ୍ୟ ସରକାରଙ୍କର ବିଧାୟିକା ପ୍ରତି ଥିବା ଉତ୍ତରଦାୟିତ୍ୱ ଯେଭଳି ଦୁର୍ବଳ ହୋଇଚାଲିଛି ବା ଗଲାଣି, ତାହାକୁ କିପରି ଉନ୍ନତ କରାଯିବ ସେକଥା ଏଥିରେ କିଛି କୁହାଯାଇ ନାହିଁ । ଏହି ସମୟରେ ଆମ୍ବେଦକର ହୁଏତ ତାଙ୍କର ସମ୍ବିଧାନ ସଭାରେ ଦେଇଥିବା ଭାଷଣକୁ ମନେ ପକାଇଥାଆନ୍ତେ ଯେଉଁଥିରେ ସେ କହିଥିଲେ ଯେ ଭାରତର ସମ୍ବିଧାନପ୍ରଣେତାମାନେ ଭାରତପାଇଁ ଏକ ସଂସଦୀୟ ସରକାର ଗଠନର ଆବଶ୍ୟକତାକୁ ଅଧିକ ପସନ୍ଦ କରନ୍ତି । କାରଣ ଏହା ନିରନ୍ତର ଭାବରେ କାର୍ଯ୍ୟନିର୍ବାହୀଙ୍କ ବିଧାୟିକା ପ୍ରତି ଉତ୍ତରଦାୟିତ୍ୱ ଉପରେ ଆଧାରିତ । ଏହା ପରେ ସେ ଆହୁରି ମଧ୍ୟ ଯୋଗ କେରିଥିଲେ ଯେ ପ୍ରତ୍ୟେକ ବ୍ୟବସ୍ଥାର ବିପରୀତ ରାଷ୍ଟ୍ରପତିମୂଳକ ସରକାର ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ସ୍ଥିରତାରେ ସଜ୍ଜିତ ହୋଇଥିଲେ ମଧ୍ୟ ତାହା ବିଧାୟିକା ପ୍ରତି ଉତ୍ତରଦାୟୀ ନୁହେଁ । ସଂସଦୀୟ ଗଣତନ୍ତ୍ରକୁ ଗ୍ରହଣ କରି ଭାରତ ସ୍ଥିରତା ପାଇଁ ଉତ୍ତରଦାୟିତ୍ୱକୁ ଅଧିକ ପସନ୍ଦ କରୁଥିବା ପ୍ରସଙ୍ଗରେ ବାବାସାହେବ ସଂସଦୀୟ ବ୍ୟବସ୍ଥାର କେତେକ ପ୍ରକ୍ରିୟାଗତ ଉପକରଣ ଯେପରିକି ବିଧାନସଭାର ସଦସ୍ୟମାନଙ୍କ ପକ୍ଷରୁ ପ୍ରଶ୍ନ ପଚାରିବା, ଜନସାଧାରଣଙ୍କର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା, ଅନ୍ୟାନ୍ୟ ଅନେକ ପ୍ରସ୍ତାବ ସହିତ ଅନାସ୍ଥା ପ୍ରସ୍ତାବ ଆଗତ କରି ସରକାରକୁ ବିଧାୟିକା ପ୍ରତି ଉତ୍ତରଦାୟିତ୍ୱ ରହିବାକୁ ନିଶ୍ଚିତ କରିବା କଥା ଉଲ୍ଲେଖ କରିଥିଲେ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି କମିଟିର ଜଣେ ସଦସ୍ୟ ସୁଭାଷ କାଶ୍ୟପ ତାଙ୍କର ଏକ ଆଲେଖ୍ୟ ‘ଏକ ଜାତି/ଏକ ନିର୍ବାଚନର ସାମ୍ବିଧାନିକ ମୂଳଦୁଆ’ ବା ‘Constitutional Foundation of One Nation, One Election’ କୁ କମିଟି ନିକଟରେ ଉପସ୍ଥାପିତ କରି ଏକ ବିକୃତ ଦାବୀ କରିଛନ୍ତି ଯେ ‘ଭାରତର ସମ୍ବିଧାନ…ରାଷ୍ଟ୍ରପତି ଏବଂ ସଂସଦୀୟ ବ୍ୟବସ୍ଥାରେ ଥିବା ସରକାରର ଏକ ରୂପ ଅଟେ ।’ ଏହା ହେଉଛି ସଂସଦୀୟ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଦାୟିତ୍ୱକୁ ସମର୍ଥନ କରୁଥିବା ଆମ୍ବେଦକରଙ୍କର ଦୃଷ୍ଟିକୋଣର ବିପରୀତ କଥା ।

ଏହା ଭଲଭାବରେ ଦଲିଲଭୁକ୍ତ ହୋଇଛି ଯେ ମୋଦୀ ସରକାରଙ୍କର ଅନିଚ୍ଛାହେତୁ ଗତ ଦଶବର୍ଷ ମଧ୍ୟରେ ସଂସଦରେ ବିଲ୍ ଗୁଡିକୁ ପାରିତ କରିବା ପୂର୍ବରୁ ଯେପରି ଆଲୋଚନା ଓ ପରାମର୍ଶ ଆଦି ପ୍ରକ୍ରିୟା ଦେଇ ଗତି କରିବା କଥା, ତାହା ନହେଉଥିବା କାରଣରୁ ସଂସଦ ପ୍ରତି କେନ୍ଦ୍ର ସରକାରଙ୍କ ଉତ୍ତରଦାୟିତ୍ୱ ଦ୍ରୁତଗତିରେ ହ୍ରାସ ପାଇଛି ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କୃଷି ଆଇନ ଯାହାକି ପ୍ରଥମରୁ କୃଷକଙ୍କ ସହ କୌଣସି ଆଲୋଚନା ନକରି ବିଲ୍ ପ୍ରସ୍ତୁତ କରାଗଲା । ପରେ ବିନା ଆଲୋଚନାରେ କେବଳ ବାଚନିକ ଭୋଟରେ ଉଭୟ ସଂସଦରେ ଏହାକୁ ପାରିତ କରି ଦିଆଗଲା । ରାଜ୍ୟସଭାର କେତେଜଣ ସଦସ୍ୟ ସମ୍ବିଧାନର ନିର୍ଦ୍ଦେଶ ମୁତାବକ ଏହା ଉପରେ ସଂସଦରେ ପ୍ରକୃତ ଭୋଟ କରାଯାଉ ବୋଲି ଯେଉଁ ଦାବି ରଖିଲେ, ତାହା ଉପରେ କର୍ଣ୍ଣପାତ କରାଗଲା ନାହିଁ । କେବଳ ସେତିକି ନୁହେଁ, ସଂସଦର ବିଭାଗୀୟ ସଂସଦୀୟ କମିଟିରେ ୨୦୧୪ଠାରୁ ୨୦୨୪ ମଧ୍ୟରେ ଅଧିକାଂଶ ବିଲକୁ ଯାଞ୍ଚ ନକରିବା ପାଇଁ ମୋଦୀ ସରକାରର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବିଲ୍ ଗୁଡିକର ଦ୍ୱିପାକ୍ଷିକ ଯାଞ୍ଚ ଏବଂ ପରୀକ୍ଷଣକୁ ଅଗ୍ରାହ୍ୟ କରିବାର ଏକ ସ୍ପଷ୍ଟ ତଥା ଖଳ ଉଦାହରଣ ଥିଲା । ଏହା କରିବା କେନ୍ଦ୍ର ସରକାରଙ୍କର ବିଧାୟିକା ପ୍ରତି ଉତ୍ତରଦାୟିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ଏଠାରେ ଅତ୍ୟନ୍ତ କୌତୁହଳପ୍ରଦ କଥାଟି ହେଉଛି ଏକକାଳୀନ ନିର୍ବାଚନ ଉପରେ ଗଠିତ କୋବିନ୍ଦ କମିଟି କେବେହେଲେ ଏହାର ବ୍ୟାଖ୍ୟା କରି କରିନାହାନ୍ତି ଯେ କିଭଳି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଯୋଜନା ବିଧାୟିକା ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱକୁ ଆହୁରି ଗଭୀର କରିବ ଏବଂ ଏହାର ଦୁର୍ବଳ ହୋଇ ପଡ଼ୁଥିବା ମାନଦଣ୍ଡର ସମାଧାନ କରିବ ।

ସଂସଦ ଏବଂ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ କିପରି ବିଧାୟିକା ପ୍ରତି ସରକାରଙ୍କ ଦାୟିତ୍ୱକୁ ବୃଦ୍ଧି କରିବ ତାହା ଜାଣିବା ପାଇଁ ମୁଁ ଯେତେବେଳେ କୋବିନ୍ଦ କମିଟିର କୌଣସି ସୁପାରିଶକୁ ଖୋଜିଲି , ସେତେବେଳେ ମୁଁ ଏହି ପ୍ରସଙ୍ଗରେ ଉତ୍ସର୍ଗୀକୃତ ଗୋଟିଏ ବି ସୁପାରିଶ ପାଇଲି ନାହିଁ । ଯଦି ଆମ୍ବେଦକର ହୋଇଥାଆନ୍ତେ, ତେବେ ସଂସଦୀୟ ଗଣତନ୍ତ୍ରର ଏହି ବୈଶିଷ୍ଟ୍ୟକୁ ସିଧା ଅଣଦେଖା କରାଯିବାର ଦେଖି ସିଏ ପୁରା ଆକାଶରୁ ଖସି ପଡ଼ିଥାଆନ୍ତେ । ପୁଣି ଜଣେ ପୂର୍ବତନ ରାଷ୍ଟ୍ରପତି ଯିଏକି ସମ୍ବିଧାନର ସଂରକ୍ଷଣ, ସୁରକ୍ଷା ତଥା ରକ୍ଷା କରିବାପାଇଁ ଶପଥ ନେଇଥିଲେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଏପରି କରିବା ଦେଖି ସେ ନିଶ୍ଚିତ ଆକାଶରୁ ଖସି ପଡ଼ିଥାଆନ୍ତେ ।

ଏକଥା ନୁହେଁ ଯେ କୋବିନ୍ଦ କମିଟିର ପରାମର୍ଶ ଲୋଡିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ କେହି ବିଧାୟିକା ନିକଟରେ ସରକାରଙ୍କ ଉତ୍ତରଦାୟିତ୍ୱ ପ୍ରସଙ୍ଗକୁ ଉଠାଇ ନାହାନ୍ତି । ଉଦାହରଣସ୍ୱରୂପ କମିଟିି ରିପୋର୍ଟର ପରିଚ୍ଛେଦ ୩ ଯାହାର ଶୀର୍ଷକ ହେଉଛି ‘ପରାମର୍ଶ ପ୍ରକ୍ରିୟା’ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଜିତ ପ୍ରକାଶ ସାହାଙ୍କୁ ଦର୍ଶଯାଇଛି ଯିଏ କି ଏକକାଳୀନ ନିର୍ବାଚନକୁ ବିରୋଧ କରିଥିଲେ ଓ କହିଥିଲେ ଯେ ଏହା ରାଜନୈତିକ ଉତ୍ତରଦାୟିତ୍ୱକୁ ବାଧା ପହୁଞ୍ଚାଇବ, କାରଣ ଏକ ସ୍ଥିର ‘ଟର୍ମ୍ସ’(ଅବଧି) ପ୍ରତିନିଧିମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତାର ଯାଂଚ ବିନା ଅଯଥା ସ୍ଥିରତା ପ୍ରଦାନ କରିଥାଏ ଯାହାକି ଗଣତାନ୍ତ୍ରିକ ନୀତିଗୁଡ଼ିକ ପାଇଁ ଆହ୍ୱାନ ସୃଷ୍ଟି କରେ ।

ଏକକାଳୀନ ନିର୍ବାଚନକୁ ସମର୍ଥନ କରୁଥିବା ବମ୍ବେ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରମେଶ ଡି ଧନୁକା ଏକ ପାରସ୍ପରିକ ଆଲୋଚନା ସମୟରେ ଧୀରେ ଧୀରେ ନିଜର କାୟା ମେଲାଇ ଅନ୍ୟମାନଙ୍କ ଉପରେ ଛାୟାପାତ କରୁଥିବା ଆଞ୍ଚଳିକ ଦଳଗୁଡ଼ିକ ଉପରେ ନଜର ରଖିବାକୁ ସତର୍କ କରି ଦେଇଛନ୍ତି । ରାଜ୍ୟଗୁଡ଼ିକରେ ବାରମ୍ବାର ନିର୍ବାଚନ କରାଯିବା ବିନା କମିଯାଉଥିବା ଉତ୍ତରଦାୟିତ୍ୱକୁ ବୃଦ୍ଧି କରାଇବା ଓ ବଢୁଥିବା ରାଜନୈତିକ ଚାପକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଦୁଇଟି ଉଦାହରଣ ଏକଥା ସ୍ପଷ୍ଟ କରିଦିଏ ଯେ ନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ବିଧାୟିକାଗୁଡ଼ିକ କାର୍ଯ୍ୟକରିବାର ବ୍ୟବସ୍ଥା ଭିତରେ ବଦ୍ଧମୂଳ ଥିବା ଏକା ସମୟରେ ନିର୍ବାଚନ କରାଯିବା କାରଣରୁ ଉତ୍ତରଦାୟିତ୍ୱରେ ଯେଉଁ ଅବକ୍ଷୟ ଘଟିବ ସେ ବିଷୟରେ କମିଟିକୁ ସଚେତନ କରାଯାଇଥିଲା ।

କମିଟି ରିପୋର୍ଟ ଦେଶରେ ଘନଘନ ନିର୍ବାଚନ ପାଇଁ ବିଧାନ ପ୍ରଣୟନ ସଭା (ବିଧାନସଭା ଓ ସଂସଦ)ରେ ଆସୁଥିବା ଅନାସ୍ଥା ପ୍ରସ୍ତାବ (No Confidence Motion) ବ୍ୟବସ୍ଥା ଯାହାକୁ କି ସରକାରକୁ ବିଧାୟିକା ପ୍ରତି ଉତ୍ତରଦାୟୀ ରହିବାର ଏକ ବଡ଼ ଉପାୟ ଭାବରେ ଦେଖାଯାଏ ତା ଉପରେ ଦୋଷ ଲଦିଦେଇଛି । ଏହା ଦୋଷାରୋପ କରିଛି ଯେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ସରକାରଗୁଡ଼ିକ ଅସମୟରେ ଭାଙ୍ଗିଯାଆନ୍ତି । ବିପରୀତ ଭାବରେ ଏହା ଅନ୍ୟ ଜାଗାରେ କହିଛି ଯେ “ସଂସଦରେ ସଦସ୍ୟମାନଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଆଣିବା କେବଳ ସଦସ୍ୟମାନଙ୍କର ଅଧିକାର ବୋଲି ନୁହେଁ ଏହା ସେମାନଙ୍କର ଦାୟିତ୍ୱ ।” କମିଟି ଭାରତୀୟ ସଂସଦୀୟ ବ୍ୟବସ୍ଥାର ଏହି ବୈଶିଷ୍ଟ୍ୟଟିକୁ କେବେ ବି ପାଣିଚିଆ କରିଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ତେଣୁ କମିଟିର ଏହି ଦୁଇ ବିପରୀତଧର୍ମୀ ମତ ନିହାତି ବିଭ୍ରାନ୍ତକର ।

ଏହା ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ସୁଭାଷ ଚନ୍ଦ୍ର କାଶ୍ୟପଙ୍କ ଉକ୍ତିକୁ ଉଲ୍ଲେଖ କରିଛି ଯିଏକି ଏକ ପ୍ରସ୍ତାବ ଦେଇଥିଲେ ଯେ ସଂସଦର (Rules of Procedure and Conduct of Business)ରେ କୌଣସି ବିଶ୍ୱାସ ପ୍ରସ୍ତାବକୁ ଆଣିବା ପାଇଁ ବା ପାରିତ କରିବା ପାଇଁ ଯେଉଁ ଭୋଟ ପ୍ରଦାନ ବା ଭୋଟିଂର ବ୍ୟବସ୍ଥା ଅଛି, ସେଥିରେ ସଂଶୋଧନ କରାଯିବା ଉଚିତ୍ । ଯାହାକି ଏହି ପ୍ରସ୍ତାବପାଇଁ କେବଳ ନକାରାତ୍ମକ ନୁହେଁ, ସକାରାତ୍ମକ ଭୋଟକୁ ମଧ୍ୟ ଟାଣିବ ଓ ଏହା କେବଳ ଜଣେ ନେତାଙ୍କୁ ପ୍ରତି ଅନାସ୍ଥା ପାଇଁ ଭୋଟ ଦେବା ସହିତ ଯାହାଙ୍କ ପ୍ରତି ଅନାସ୍ଥା ବ୍ୟକ୍ତ କରାଗଲା ତାଙ୍କ ବଦଳରେ କିଏ ନେତା ହେବା ଉଚିତ୍ ବା ବିକଳ୍ପ ନେତାଙ୍କ ପାଇଁ ମଧ୍ୟ ଭୋଟ ଦେବ । ଏହା ବିଧାନ ପ୍ରଣୟନ ସଭା ପ୍ରତି କାର୍ଯ୍ୟକାରିଣୀର ନିରନ୍ତର ଉତ୍ତରଦାୟିତ୍ୱତାକୁ ବଜାୟ ରଖିବ । ଏଭଳି ପଦକ୍ଷେପ ବିଧାନସଭା ତଥା ସଂସଦରେ କାର୍ଯ୍ୟନିର୍ବହୀଙ୍କର ଦାୟିତ୍ୱ ଓ ଉତ୍ତରଦାୟିତ୍ୱର ଧାରଣାକୁ ଦୃଢ କରିବ ବୋଲି ଦାବି କରି ସେ କହିଛନ୍ତି ଯେ ଏଥିରେ ସମ୍ବିଧାନର ସଂଶୋଧନ କରିବାର ଆବଶ୍ୟକତା ପଡ଼ିବ ନାହିଁ କେବଳ ଗୃହର ନିୟମ ବା ରୁଲ୍ସ ଅଫ୍ ପ୍ରୋସିଜିଓରରେ କିଛି ପରିବର୍ତ୍ତନ କରି ଏହାକୁ କରାଯାଇ ପାରିବ । ଏହା ନିଶ୍ଚିତ ଭାବରେ ଏକ ସମ୍ବେଦନଶୀଳ ପ୍ରସ୍ତାବ ଯାହାକୁ କାଶ୍ୟପ ଜର୍ମାନ ସମ୍ବିଧାନରୁ ଆଣିଥିଲେ ।

ସଂସଦୀୟ ଗଣତନ୍ତ୍ରର ମୂଳ ବୈଶିଷ୍ଟ୍ୟ, ବିଧାୟିକା ନିକଟରେ କାର୍ଯ୍ୟନିର୍ବାହୀର ଉତ୍ତରଦାୟିତ୍ୱର ସୁରକ୍ଷା କରିବା କଥାଟି ଉପରେ କୋବିନ୍ଦଙ୍କ ରିପୋର୍ଟ ପୁରାପୁରି ନୀରବ ରହିଛି । ଏହି ଏକକାଳୀନ ନିର୍ବାଚନ କରାଇବା ପାଇଁ ଆସିଥିବା ସୁପାରିଶ ରିପୋର୍ଟ ନିଜ ସମର୍ଥନରେ ଅନେକ ବିଷୟକୁ ଉପରକୁ ଆଣିଛି ଯେପରିକି ଖର୍ଚ୍ଚ କମ ହେବ, ପ୍ରଶାସନିକ ଦକ୍ଷତା ବଢ଼ିବ କିନ୍ତୁ ଏହା ସହିତ ଏହି ରିପୋର୍ଟ ଏହାର ପ୍ରତିକୂଳ ପ୍ରଭାବ ପ୍ରତି ଆଦୌ ଦୃଷ୍ଟି ଦେଇନାହିଁ ଯେପରିକି ବିଧାନସଭାରେ ସରକାରଙ୍କ ଉତ୍ତରଦାୟିତ୍ୱ ବିଷୟ । ଏପରି କରି କୋବିନ୍ଦ କମିଟି ରିପୋର୍ଟ ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ଅପମାନିତ କରିଛି । ଏହା ସହିତ ସଂସଦୀୟ ଗଣତନ୍ତ୍ରର ମୂଳ ଆଧାରକୁ ମଧ୍ୟ ଏହା ପୁରାପୁରି ଅଗ୍ରାହ୍ୟ କରିଦେଇଛିି । ତେଣୁ ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ କାରଣ ଏହା ପ୍ରତ୍ୟାଖ୍ୟାତ ହେବାର ସମ୍ପୂର୍ଣ୍ଣ ଯୋଗ୍ୟ ।

Comments

0 comments

Share This Article