ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋକାରାକୋଣ୍ଡା ନାଗା ସାଇବାବାଙ୍କର ଜନ୍ମ ୧୯୬୭ ମସିହାରେ ଆନ୍ଧ୍ରପ୍ରଦେଶର ଅମ୍ଲାପୁରମ୍ ଠାରେ ହୋଇଥିଲା । ଗତ ୧୨ଅକ୍ଟୋବର ୨୦୨୪ରେ ହାଇଦ୍ରାବାଦଠାରେ ସେ ମାତ୍ର ୫୭ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁର ମାତ୍ର କିଛି ମାସ ପୂର୍ବରୁ ସେ ବିନା କାରଣରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୟୁଏପିଏ ଆଇନ୍ ଯୋଗୁଁ ୧୦ବର୍ଷକାଳ ଜେଲ ଦଣ୍ଡ ଭୋଗି ସାରିଥିଲେ । ପ୍ରଫେସର ସାଇବାବା ପ୍ରାୟ ଶତକଡ଼ା ୯୦ଭାଗ ଭିନ୍ନକ୍ଷମ ଥିଲେ ଏବଂ ସେ ନିଜର ଦୈନଦିନ କାର୍ଯ୍ୟକଳାପ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରହିଆସିଥିଲେ । ସବୁଠାରୁ ବିଡ଼ମ୍ବନାର କଥା ଯେ କୌଣସି ଅସ୍ତ୍ରଶସ୍ତ୍ର ଧରିବାର କ୍ଷମତା ତାଙ୍କର ନାହିଁ ତାହାର ପ୍ରତ୍ୟେକ୍ଷ ପ୍ରମାଣ ସେ ନିଜେ ଥିଲାବେଳେ ବି ସରକାର ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ୍ ଲାଗୁ କରାଇପାରିଲେ ଏବଂ ଆମର ମାନ୍ୟବର ଅଦାଲତମାନେ ତାଙ୍କୁ ୧୦ବର୍ଷ କାଳ ଏଭଳି ଏକ ଗୁରୁତର ପଙ୍ଗୁ ଅବସ୍ଥାରେ ଥାଇବି ଜେଲ୍ ଭିତରେ ସଢ଼ିବା ପାଇଁ ସୁଯୋଗ ସୃଷ୍ଟିକଲେ । ତାଙ୍କ ବିରୋଧରେ ଅନେକ ମିଥ୍ୟା ଏବଂ କପୋଳକଳ୍ପିତ ଅଭିଯୋଗ ଅଣା ଯାଇଥିଲା ଏବଂ ବିଚାରପତିମାନେ ତାଙ୍କର ଭିନ୍ନକ୍ଷମ ଅବସ୍ଥାକୁ ବିଚାରକୁ ନନେଇ ଜାମିନ୍ ନାମଞ୍ଜୁର କରୁଥିଲେ । ଶେଷରେ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ସେ ପଙ୍ଗୁ ଅବସ୍ଥାରୁ ପ୍ରାୟ ଜୀବନ୍ତ ଶବଆଡ଼କୁ ଗଲାବେଳକୁ ତାଙ୍କୁ ଉଚ୍ଚତମ ନ୍ୟାୟାଳୟ ଜେଲ୍ ଭିତରୁ ବାହାର କରିଥିଲେ: ତାହା ବି ଏକ ସଂଘର୍ଷପୂର୍ଣ୍ଣ ନ୍ୟାୟିକ ଲଢ଼େଇପରେ । ପ୍ରଫେସର ସାଇବାବାଙ୍କ ଅପରାଧ ହେଲା ସେ ଅନ୍ୟାୟର ଶିକାର ହେଉଥିବା ନିଷ୍ପେଷିତ ଓ ଶୋଷିତ ମଣିଷମାନଙ୍କ ସଂଗ୍ରାମ ପ୍ରତି ଏବଂ ସଂଗ୍ରାମୀମାନଙ୍କ ପ୍ରତି ନିଜର ବୌଦ୍ଧିକ ସମର୍ଥନ ଯୋଗାଇ ଆସିଥିଲେ । ଭିନ୍ନମତ ଉପରେ ଆକ୍ରମଣ ଏବଂ ରାଷ୍ଟ୍ରର ନିରୀହ ଲୋକମାନଙ୍କ ଉପରେ ଦମନଲୀଳାକୁ ବିରୋଧକରି ସେ ଦୃଢ଼ଭାବେ ସ୍ୱର ଉତ୍ତୋଳନ କରୁଥିଲେ । ଭାରତର ସବୁପ୍ରାନ୍ତରେ ତାଙ୍କର ମୃତ୍ୟୁପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାରେ କଳିଙ୍ଗନଗର ଏବଂ ଅନ୍ୟାନ୍ୟ ଜନଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନକୁ ମନେପକାଇ ଓଡ଼ିଶାର ସାମାଜିକକର୍ମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଗଣସଂଗଠନମାନେ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ପ୍ରେସ୍ ଇସ୍ତହାରରେ ସେମାନେ କହିଛନ୍ତି ଯେ ବିକାଶ ନାଁରେ ଚାଲିଥିବା ବିନାଶଲୀଳାକୁ ବିରୋଧ କରିଆସିଥିବା ପ୍ରଫେସର ଜି.ଏନ୍ ସାଇବାବାଙ୍କୁ ମନେରଖିବା ପାଇଁ ସେହି ଆନେ୍ଦାଳନଗୁଡ଼ିକୁ ଅଧିକ ସୃଦୁଢ଼ କରାଯିବ ।
ବ୍ୟବସାୟିକ ଶକ୍ତିମାନଙ୍କୁ ସଂସ୍ଥାପିତ କରିବା ପାଇଁ ଓଡ଼ିଶା ସମେତ ମଧ୍ୟଭାରତର ଆଦିବାସୀବହୁଳ ବନାଞ୍ଚଳଗୁଡ଼ିକୁ ବିରୋଧିଶୂନ୍ୟ କରିବାପାଇଁ କେନ୍ଦ୍ର ସରକାରଙ୍କର ଯେଉଁ ଉଦ୍ୟମ ଚାଲିଛି ସେଥିରେ ବିରୋଧିଦଳମାନେ ବି ଅଘୋଷିତ ସମର୍ଥନ ଯୋଗାଇ ଆସିଛନ୍ତି । ପାଦ୍ରୀ ଷ୍ଟେନ୍ ସ୍ୱାମୀଙ୍କ ପରେ ହୁଏତ ସାଇବାବା ସେହିପରି ଜଣେ ସରଳ ଓ ସାଲିସବିହୀନ ସ୍ୱର ଥିଲେ, ଯିଏ ଏଭଳି ଏକ କର୍ପୋରେଟ୍ ଶକ୍ତିଙ୍କ ହାତବାରିସି ସାଜିଥିବା ସରକାରର ଜନବିରୋଧି ନିଷ୍ଠୁର ପଦକ୍ଷେପର ଶିକାର ହୋଇ ମୃତ୍ୟୁ ବରଣ କଲେ । ଆଗକୁ ପ୍ରତିବାଦର ରଣନୀତି କିଭଳି ହେବ , ଏହିସବୁ କର୍ମୀ ଓ ସଂଗଠନମାନେ ଧିରସ୍ଥିର ମନରେ ଚିନ୍ତା କରିବାକୁ ପଡ଼ିବ ।
Comments
0 comments