ସାଥି ସୀତାରାମଙ୍କୁ ଅରୁଣ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

Dr. Arun Kumar Patnaik
Dr. Arun Kumar Patnaik13 Views
7 Min Read

ମୁଁ କମ୍ରେଡ ସୀତାରାମଙ୍କୁ ଜଣେ ଛାତ୍ରନେତା ଭାବରେ ୧୯୮୦ ଦଶକର ମୋର ଜେଏନୟୁ (JNU)ଦିନରୁ ଜାଣିଛି । ମୋର ମନେ ଅଛି ମୁଁ ଯେବେ ୧୯୮୦ରେ ଜେଏନୟୁ ଏବଂ ଏସଏଫ୍ଆଇରେ ଯୋଗଦେଲି ସେତେବେଳେ କମ୍ରେଡ ସୀତାରାମ ସିପିଆଇ(ଏମ) ଯୁବ ଫେଡେରେସନର ଜଣେ ଜାତୀୟସ୍ତରର ଉଦୀୟମାନ ବିଗ୍ରହ ବା ଆଇକନ ଭାବରେ ଉଭା ହୋଇସାରିଥିଲେ । କିନ୍ତୁ ସେ ସର୍ବଦା ବିଶେଷ କରି ବାର୍ଷିକ ଛାତ୍ରସଙ୍ଗଠନ ନିର୍ବାଚନ ସମୟରେ ଆମକୁ ନିଶ୍ଚିତ ଭେଟୁଥିଲେ । ଆଉ ସେ ଯେତେବେଳେ ଆମକୁ ଭେଟୁଥିଲେ ଜଣେ ଏତେ ଉଚ୍ଚସ୍ତରର ଛାତ୍ରନେତା ହୋଇଥିଲେ ମଧ୍ୟ ଛୋଟବଡ଼ ନିର୍ବିଶେଷରେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସମସ୍ତଙ୍କ ସହିତ ସମୟ ବିତାଉଥିଲେ । କିନ୍ତୁ ୧୯୮୨ ପର୍ଯ୍ୟନ୍ତ ମୁଁ ତାଙ୍କ ନଜରରେ ପଡ଼ି ନଥିଲି । ମୋ ଦୃଷ୍ଟିରେ ସେ ଜଣେ ଉଚ୍ଚସ୍ତରର ନେତା ଥିଲେ ଯିଏ କି ଅର୍ଥନୀତି ଅଧ୍ୟୟନରେ ମଧ୍ୟ ବେଶ୍ଭଲ ପ୍ରଦର୍ଶନ କରୁଥିଲେ । ଅର୍ଥନୀତିରେ ସିଏ ଟପ୍ପର ହେଉଥିଲେ । ସେହିପରି ସାଧାରଣ ସଭାଗୁଡ଼ିକରେ ସେ ବେଶ୍ ସ୍ପଷ୍ଟ ଭାବରେ କହୁଥିବା ଜଣେ ଉଲ୍ଲେଖନୀୟ ବକ୍ତା ଥିଲେ । ତେଣୁ ଜେଏନୟୁରେ ଏବଂ ଏସଏଫ୍ଆଇରେ ସେ ଥିଲେ ଜଣେ ନିର୍ଭରଯୋଗ୍ୟ ଛାତ୍ରନେତା । ସେ ମଧ୍ୟ ଜେଏନୟୁରେ ଏହାର ସଂକଟ ବିମୋଚକ ବା କ୍ରାଇସିସ ମ୍ୟାନେଜର ଥିଲେ ।

ସାଥୀ ସୀତାରାମଙ୍କ ପାଇଁ ୧୯୮୨ରେ ଏକ ସମୟ ଆସିଥିଲା ଯେତେବେଳେ ସେ ଜେଏନୟୁର ଏସଏଫ୍ଆଇ ୟୁନିଟକୁ ଏକ ସଂକଟରୁ ଉଦ୍ଧାର କରିବା ପାଇଁ ଏସଏଫ୍ଆଇ ୟୁନିଟକୁ ବୁଝାଇ ମନାଇବାର ଆବଶ୍ୟକତା ପଡ଼ିଥିଲା । ସେହି ସମୟରେ ମୁଁ ତାଙ୍କୁ ପ୍ରଥମେ ଭେଟିଥିଲି । ଏସଏଫ୍ଆଇର ସାଧାରଣ ବୈଠକରେ ମୋର ତାଙ୍କସହିତ ଏକରକମ ବାକ୍ୟୁଦ୍ଧ ହୋଇଯାଇଥିଲା । ଏସଏଫ୍ଆଇ ନେତୃତ୍ୱ ପୁରୁଣା ନାମଲେଖା ନୀତିକୁ ମୋଡି ଗୋଟିଏ ଭାଗ ଖୋଲାରଖି ଆର ଗୋଟିଏ ଭାଗ ପୂରାତନ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଆଧାରରେ (ନାମଲେଖା) କରାଇବାକୁ ଚାହୁଁଥିଲେ । ଏକଥାଟି କୂଳପତିଙ୍କ ଦ୍ୱାରାସୂଚିତ ଏକ ପରିବର୍ତ୍ତିତ ନୀତି ଥିଲା । କିନ୍ତୁ ମୁଁ ଏପ୍ରିଲ ୧୯୮୨ରେ ପୂରାତନ ନାମଲେଖା ନୀତିକୁ ଦୃଢଭାବରେ ସମର୍ଥନ କରିଥିଲି । ଜେଏନୟୁରେ ୧୯୭୭ ରୁ ୧୯୮୪ ପର୍ଯ୍ୟନ୍ତ ପୂରାତନ ନାମଲେଖା ନୀତି ଜାରୀ ଥିଲା ଯାହାକି ସାମାଜିକ-ଅର୍ଥନୈତିକ ଦୁର୍ବଳତାର ବିନ୍ଦୁଉପରେ ଆଧାରିତ ଥିଲା । ଏହି ନୀତିରେ ସର୍ବାଧିକ ୨୦ ପଏଣ୍ଟ ସହିତ ତିନୋଟି ପରିମାପକ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ଗୋଟିଏ ହେଉଛି ଆଞ୍ଚଳିକ ପଛୁଆପଣ, ଦ୍ୱିତୀୟଟି ଅର୍ଥନୈତିକ ଦୁର୍ବଳତା ଓ ତୃତୀୟଟି ହେଲା ସାମାଜିକ ଦୃଷ୍ଟିରୁ ବଂଚିତଶ୍ରେଣୀ । ନାମଲେଖା ପାଇଁ ବିଭିନ୍ନ ମାନଦଣ୍ଡ ଯେପରିକି ଗ୍ରାମୀଣ ଜନସଂଖ୍ୟା, କୃଷିଶ୍ରମିକ, ମହିଳା ନିରକ୍ଷରତା ସହିତ ଆଂଚଳିକ ପଛୁଆ ପଣ ପାଇଁ ସର୍ବାଧିକ ୪ ପଏଣ୍ଟ ମିଳୁଥିଲା । କ୍ୱାର୍ଟାଇଲ ୧ ଜିଲ୍ଲାକୁ ୪ ପଏଣ୍ଟ ଓ କ୍ୱାର୍ଟାଇଲ ୨ ଜିଲ୍ଲାକୁ ୪ ପଏଣ୍ଟ ଦିଆଯାଉଥିଲା । ଅର୍ଥନୈତିକ ଦୃଷ୍ଟିରୁ ବଂଚିତମାନଙ୍କ ପାଇଁ ୭ ପଏଣ୍ଟ ରହିଥିଲା ଯେଉଁଥିରେ ଜଣେଛାତ୍ରଙ୍କ ପରିବାରର ମୌଳିକ ଆୟ ମାସିକ ୩୦୦ ଟଙ୍କାରୁ କମ ହୋଇଥିଲେ ତାଙ୍କୁ ୭ ପଏଣ୍ଟ ମିଳୁଥିଲା । ଯାହାର ରୋଜଗାର ୩୦୦ରୁ ୩୯୯ ଟଙ୍କା ଭିତରେ ରହୁଥିଲା, ତାଙ୍କୁ ୬ ପଏଣ୍ଟ, ୪୦୦ରୁ ୪୯୯ ଟଙ୍କା ଭିତରେ ହୋଇଥିଲେ ୫ ପଏଣ୍ଟ, ୫୦୦ ରୁ ୫୯୯ ଟଙ୍କା ହୋଇଥିଲେ ଚାରି ପଏଣ୍ଟ ମିଳୁଥିଲା । ଯେଉଁମାନଙ୍କ ରୋଜଗାର ୮୦୦ରୁ ୯୦୦ ଟଙ୍କା ଥିଲା , ସେମାନଙ୍କୁ ମାତ୍ର ୧ ପଏଣ୍ଟ ମିଳୁଥିଲା । ସାମାଜିକ ପଛୁଆବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ପଏଣ୍ଟ ମିଳୁଥିଲା । ସେଥିରୁ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୯ ପଏଣ୍ଟ ମିଳୁଥିବାବେଳେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୬ ପଏଣ୍ଟ ମିଳୁଥିଲା । ମଜାଦାର କଥାଟି ହେଉଛି ଭାରତ ସରକାର ସାମାଜିକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁକରିବାର ବହୁ ପୂର୍ବରୁ ଜେଏନୟୁରେ ୨୦୦୬ରୁ ଏହିବର୍ଗର ପ୍ରାର୍ଥିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇସାରିଥିଲା । ତେଣୁ ନାମଲେଖା ସମୟରେ ଏହି ବଂଚିତ, ଦୁର୍ବଳଶ୍ରେଣୀ କଥାଟି ସମସ୍ତଙ୍କ ପାଇଁ ଲାଗୁ ହେଉଥିଲା ।

ଅଳ୍ପସଂଖ୍ୟକ ସଦସ୍ୟଙ୍କୁ ନେଇ ମୁଁ ପୁରୁଣା ନାମଲେଖା ନୀତିକୁ ସମର୍ଥନ କରିଚାଲିଲି । ମୁଁ ମୁଖ୍ୟତଃ ଯୁକ୍ତିକରିଥିଲି ଯେ ଛାତ୍ରଛାତ୍ରୀମାନେ ଭିସିଙ୍କ ପ୍ରସ୍ତାବକୁ ବିରୋଧ କରି ସେମାନଙ୍କର ନିର୍ଦ୍ଦିଷ୍ଟ ଏକ ମତ ଗଠନ କରିସାରିଥିଲେ । ତେଣୁ ଏସଏଫ୍ଆଇ ଦ୍ୱାରା ମୋଡାମୋଡି କରି ପ୍ରସ୍ତୁତ କରାଯାଇଥିବା କୌଣସି ପ୍ରସ୍ତାବକୁ ସେମାନେ ବରଦାସ୍ତ କରିବେ ନାହିଁ । କମ୍ରେଡ ସୀତାରାମ ଯୁକ୍ତି ଦେଇଥିଲେ ଯେ ଏସଏଫ୍ଆଇର ପ୍ରସ୍ତାବକୁ ଗ୍ରହଣ କରିନେବା ପାଇଁ ଛାତ୍ରଛାତ୍ରୀଙ୍କୁ ମନାଇବା ପାଇଁ ଆମମାନଙ୍କ ପକ୍ଷରୁ ଏକ ସଂଗଠିତ ଅଭିଯାନ ଚଳାଯିବା ଆବଶ୍ୟକ । ୧୯୮୩ରେ ଘୋଷିତ ସାଇନ ଡାଇ ଲାଗୁହେବା ପୂର୍ବରୁ ଏହା ଘଟିଥିଲା । ଜେନେରାଲ ବହି ମିଟିଙ୍ଗ(ଜିବିଏମ)ରେ ସାଥୀ ସୀତାରାମ ଓ ରଘୁନନ୍ଦନ ଏହାକୁ ନେଇ ଏକ ନୂତନ ନୀତି ଚାଲୁକରିବାର ନେତୃତ୍ୱ କରୁଥିଲେ । ଦୁହେଁ ବେଶ ଶକ୍ତିଶାଳୀ ବକ୍ତା ଥିଲେ । ଆମେ ଜିବିଏମରେ ହାରି ଯାଇଥିଲୁ । କିନ୍ତୁ ୧୯୮୨ରେ ଏସଏଫ୍ଆଇ ଜେଏନୟୁ ଛାତ୍ରସଂଗଠନ ନିର୍ବାଚନରେ ହାରି ଯାଇଥିଲା । ସେତେବେଳେ ଏସଏଫ୍ଆଇ ଏହାର ପୁରାତନ ନାମଲେଖା ନୀତିରେ ତୋଡମରୋଡ କରିବା କାରଣରୁ ଏହାକୁ ଛାତ୍ରଛାତ୍ରୀମାନଙ୍କର ଦୃଢବିରୋଧୀ ଭାବନାର ସମ୍ମୁଖୀନ ହେବାକୁ ପଡ଼ିଲା । କୌତୁହଳର ବିଷୟ ମୁଁ ସେହିଦିନ ସନ୍ଧ୍ୟାରେ ଗୋଦାବରୀ ଢାବାରାସ୍ତାରେ ତାଙ୍କୁ ଭେଟିଥିଲି । ସେ ମୋତେ ଅଭିବାଦନ ଜଣାଇଥିଲେ ଓ ମୁଁ ଅନୁଭବ କଲି ଯେ ମୋ ପ୍ରତି ତାଙ୍କମନରେ କୌଣସି ଦୁର୍ଭାବନା ନଥିଲା । ପରେ ସେ ମୋର ଲିଖିତ ଉପସ୍ଥାପନାର ଗୋଟିଏ କପି ଦେବାପାଇଁ ଏକ ବାର୍ତ୍ତା ପଠାଇଥିଲେ । ମୁଁ ପୂରାତନ ନାମଲେଖା ନୀତିକୁସମର୍ଥନ କରି ଜିବିଏମରେ ଏକ ଲିଖିତ ଦସ୍ତାବିଜ ଉପସ୍ଥାପନ କରିଥିଲି । ଯାହାକୁ ସେ ମନଧ୍ୟାନ ଦେଇ ଶୁଣିଥିଲେ ଓ ଏହାକୁ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ସେ କୌଣସି ସମାଲୋଚନାକୁ ବ୍ୟକ୍ତିଗତ ଭାବରେ ଦେହକୁ ନେଇନଥିଲେ ।

ସାମ୍ପ୍ରତିକ ସମୟରେ, ଭାରତର ସାମାଜିକ ଇତିହାସରେ ସାଥୀ ସୀତାରାମ ଲେନିନଙ୍କରଦୁଇ ଧାଡ଼ିଆ ସଂଗ୍ରାମକୁ ଏହାର ଯୁକ୍ତିଯୁକ୍ତ ସମାପ୍ତି ପର୍ଯ୍ୟନ୍ତ ନେଇଥିଲେ । ତାଙ୍କ ପ୍ରାକ୍ସ୍ନାତକ ଦିନରୁ ତାଙ୍କ ଆଲମା ମାଟର ସେଣ୍ଟ ଷ୍ଟିଫେନ୍ କଲେଜରେ ହୋଇଥିବା ଏକ ଆଲୋଚନା ସଭାରେ ସେ ଏଇ ଦୁଇ ଧାଡ଼ିସଂଗ୍ରାମବିଷୟରେ ଏକ ସୁନ୍ଦର ଉପସ୍ଥାପନା ରଖିଥିଲେ । ଯାହାକି ଅର୍ଥନୈତିକ ସଂଘର୍ଷ ଓ ସାମାଜିକ ସଂସ୍କାର ଉପରେ ପର୍ଯ୍ୟବସିତ ଥିଲା ଓ ଯାହାକି ଇଏମଏସଙ୍କର ମାଲାବାର କୃଷକ ଆନ୍ଦୋଳନ ମୂଲ୍ୟାଙ୍କନର ସ୍ମୃତିଚାରଣ କରାଇ ଦେଇଥିଲା । କିନ୍ତୁ ସାଥୀ ସୀତାରାମ ତାଙ୍କ ଦୃଷ୍ଟିକୋଣକୁ ଏକ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରିଥିଲେ । ତାଙ୍କମତରେ ବାମ ଆନ୍ଦୋଳନ ଦୁଇଗୋଡ଼ରେ ଚାଲିବା ଉଚିତ୍ ବାମପନ୍ଥୀମାନେ ଅନୁସରଣ କରୁଥିବା ସାମାଜିକ ସଂସ୍କାରର ଏଜେଣ୍ଡା ବିନା ବାମପନ୍ଥୀ ଗତିବିଧି କେବଳ ଗୋଟିଏ ଗୋଡ଼ରେ ଚାଲିଥାଏ । ଯା ଫଳରେ ଏହା ସଠିକ ଭାବରେ ଚାଲିବାକୁ ଅସମର୍ଥ ହୁଏ । ବାମପନ୍ଥୀ ଆନ୍ଦୋଳନ ଦୁଇଗୋଡରେ ଚାଲିବା ଉଚିତ୍ । ଏବେ ଅର୍ଥନୈତିକ ସଂଘର୍ଷ ଏବଂ ସାମାଜିକ ସଂସ୍କାରକୁ ମିଶାଇ ବାମପନ୍ଥୀ ଆନେ୍ଦାଳନ ଦୁଇଗୋଡରେ ଚାଲିବାର ସମୟ ଉପନୀତ ହୋଇଛି । ତାଙ୍କର ନୂତନ ଆଭିମୁଖ୍ୟ ମୋତେ ପ୍ରଭାବିତ କରିଥିଲା । ଯେହେତୁ ମୁଁ ତାଙ୍କ ଭିତରେ ଏକ ଆତ୍ମ-ସମାଲୋଚକ ଦୃଷ୍ଟିକୋଣ ବିକାଶ କରୁଥିବାର ଦେଖୁଥିଲି । ଏହା ମୋତେ ଉତ୍ସାହିତ କରିଥିଲା ତାଙ୍କୁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ସାକ୍ଷାତ କରିବାପାଇଁ । ମୁଁ ତାଙ୍କ ନିକଟରେ ନିଜକୁ ପରିଚିତ କରାଇବା ପରେ ସେ ମୋତେ ମନେ ପକାଇଥିଲେ । ବର୍ଷବର୍ଷ ବିତି ଯାଇଥିଲେ ବି ସେ ମତେ ଭୁଲି ନଥିଲେ । ପରେ ବୈଠକରେ ୟୁନାଇଟେଡ ଫ୍ରଣ୍ଟରେ ମୋର ପ୍ରଶ୍ନର ଉତ୍ତର ଦେବାବେଳେ ସେ ମୋ ନାମକୁ ମନେ ପକାଇଥିଲେ । ସେ ଏକ ଉତ୍ତମ ସ୍ମୃତିସହିତ ଏକ ବନ୍ଧୁତ୍ୱପୂର୍ଣର୍ ସାଥୀ ଥିଲେ । ତାଙ୍କ ବିୟୋଗରେ ବାମ ଆନ୍ଦୋଳନ ଏକ ନେତାଙ୍କୁ ହରାଇଲା ଯାହାଙ୍କ ସହିତ ଯେ କେହି ଅସହମତ ହେବାକୁ ସହମତ ହୋଇ ପାରନ୍ତି ।

(ମୁଁ ଏଥି ସହିତ ଜେଏନୟୁର ପୁରାତନ ନାମଲେଖା ନୀତି ଉପରେ ବଞ୍ଚିତ ବିନ୍ଦୁଗୁଡ଼ିକୁ ନେଇ ଏକ ପ୍ରଜ୍ଜ୍ୱଳିତ ଆଲୋଚନା ପ୍ରସ୍ତୁତ କରିଥିବାରୁ ପ୍ରଫେସର ଅଜୟ ପଟ୍ଟନାୟକଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି)

(ଜେ.ଏନ୍.ୟୁ ର ପୂର୍ବତନ ଛାତ୍ର ଓ ହାଇଦ୍ରାବାଦ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର)

(ଏହି ଲେଖାଟିକୁ ଅନୁବାଦ କରିଛନ୍ତି ସୁରେନ୍ଦ୍ର ପାତ୍ର)

Comments

0 comments

Share This Article
Prof Arun Pattnaik is a distinguished scholar, teacher and researcher. He was a member of SFI in his JNU days. Now he is a senior Professor at Central University of Hyderabad.