କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର । ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ । ତାହାଙ୍କୁ କିଏ ହରେଇଲେ, ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା । କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ ହେଲା ନବୀନ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଦାଦନ ସର୍ଦ୍ଦାରରୁ ନେତା ହୋଇଥିବା ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବକ ଲକ୍ଷ୍ମଣ ବାଗଙ୍କଠାରୁ ପରାଜିତ ହେଲେ । ତାହା ବି ଗୋଟିଏ ରେକର୍ଡ ଭୋଟରେ । ରାଜନୀତିର ଏହି ବିଲକ୍ଷଣ ନିଶ୍ଚୟ ସାମାଜିକ ପୃଷ୍ଠଭୂମି ଉପରେ ହିଁ ତିଆରି ହୋଇଛି ।
ଏହାର ସତ୍ୟତା ପ୍ରତିପାଦନ ପାଇଁ କଣ୍ଟାବାଞ୍ଜି ସହରର ଇତିହାସ ମାଧ୍ୟମରେ ଦେଖିବାକୁ ପଡ଼ିବ । ୧୯୪୦ମସିହାର କଥା, କଣ୍ଟାବାଞ୍ଜି ସହରର ପରିକଳ୍ପନା ହୁଏ । ଏହାପୂର୍ବରୁ କଣ୍ଟାବାଞ୍ଜି ପାଟଣା ରାଜ୍ୟ (ବଲାଙ୍ଗୀର) ବଙ୍ଗୋମୁଣ୍ଡା ଜମିଦାରୀ ଥାନା ଅଧିନରେ ବିଷ୍ଣ ଶବର ଗଉନ୍ତିଆଙ୍କ ଏକ ଗଉନ୍ତିପଲ୍ଲୀ ଥିଲା । ଯାହା ପରବର୍ତ୍ତୀ ସମୟରେ ଜଣେ ଦଳିତ ପରିବାରଙ୍କ ହାତକୁ ଆସିଥିଲା । ରାଜସ୍ଥାନ ଜୟପୁର ସହର ପରିଯୋଜନା ଆଧାରରେ କଣ୍ଟାବାଞ୍ଜି ସହର ଯୋଜନା ପ୍ରସ୍ତୁତ ହୁଏ । କଣ୍ଟାବାଞ୍ଜି ସହର ବସେଇବା ପାଇଁ ଉପରୋକ୍ତ ଆଦିବାସୀ ଓ ଦଳିତ ଗଉନ୍ତିଆଙ୍କ ନିକଟରୁ ପାଟଣା ଇଷ୍ଟେଟ ଜମି ଅଧିଗ୍ରହଣ ନିୟମ ଅନୁସାରେ ପାଟଣା ଇଷ୍ଟେଟ ଦ୍ୱାରା ଜମି ଅଧିଗ୍ରହଣ କରାଗଲା । ଏବଂ ଇଚ୍ଛୁକ ଲୋକଙ୍କୁ ଜମି ଲିଜ ସୂତ୍ରରେ ଦେଇ ସହର ତିଆରି କରାଗଲା । ଲିଜ ପଟ୍ଟାକୁ ନଜୁଲ ପଟ୍ଟା କୁହାଯାଏ । ୧୯୪୫-୪୬ମସିହାରେ ଦିଆଯାଇଥିବା ନଜୁଲ ପଟ୍ଟା ଆଜି ପର୍ଯ୍ୟନ୍ତ ରୟତି ହୋଇପାରି ନାହିଁ । ଏହା ଏକ ସମସ୍ୟା ହୋଇ ରହିଅଛି । ସ୍ୱାଧୀନତା ପୂର୍ବରୁ ଜମି ଅଧିଗୃହୀତ ହୋଇଥିବା ପ୍ରକରଣରେ କ୍ଷତିଗସ୍ତ ଦୁଇପରିବାର କଣ ପାଇଥିବେ, ସେକଥା ଅନୁମାନ କରା ଯାଇପାରେ । କାରଣ ଅତୀତର ହୀରାକୁଦ ପରେ ବର୍ତ୍ତମାନର ଲୋୟର ସୁକତେଲ ବିସ୍ଥାପିତମାନେ ନ୍ୟାୟ ପାଇନାହାନ୍ତି ।
ନଜୁଲ ଅର୍ଥ ସହରୀକରଣ ଅର୍ଥକୁ ବୁଝାଏ । ନଜୁଲର ଐତିହାସିକ ବ୍ୟାଖ୍ୟାନ ମଧ୍ୟ ରହିଅଛି । କେବଳ ସପକ୍ଷରେ ନୁହନ୍ତି ଇଂରେଜ ବିରୋଧରେ ଅନେକ ରାଜା ଥିଲେ । ବିରୋଧି ରାଜାଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ସରକାର ତାଙ୍କ ଜମି ବାଜ୍ୟାପ୍ତ କରୁଥିଲେ । ପରବର୍ତ୍ତୀ ସମୟରେ ନଜୁଲ କମିଟି ଗଠିତହୋଇ ଏହାର ଏକ ସମାଧାନ ବାହାର କରାଗଲା । ଉପଯୁକ୍ତ କାଗଜାତି ପ୍ରମାଣ ଦେଖାଇ ଜମି ହରେଇଥିବା ରାଜା ଅବା ଅନ୍ୟମାନେ ନିଜ ଜମି ନିଜେ ଦଖଲ କରିପାରିବେ । ଅନେକ ଏହି ନିୟମ ନିକଟରେ ଅସମର୍ଥ ରହିଲେ । ଏହି ଜମି ନଜୁଲ ଜମି ଆକାରରେ ଜଣାଯାଏ । ଏହାକୁ ବିଭିନ୍ନ ବ୍ୟକ୍ତିଙ୍କୁ ପରେ ଲିଜ୍ ସୂତ୍ରରେ ଦିଆଗଲା । ଏହି ଲିଜ ପଟ୍ଟା ନଜୁଲ ପଟ୍ଟା ଭାବରେ ଜଣାଯାଏ । କିନ୍ତୁ କଣ୍ଟାବାଞ୍ଜିରେ ଅଧିଗୃହୀତ ଜମିକୁ ଲିଜ୍ ଆକାରରେ ଦିଆଯାଇଅଛି । ଏହି ପଟ୍ଟାକୁ ମଧ୍ୟ ନଜୁଲ ପଟ୍ଟା କୁହାଯାଏ । ୧୯୪୫-୪୬ ମସିହାରୁ ଆଜି ପର୍ଯ୍ୟନ୍ତ ଲିଜଧାରୀ ମାନେ ନିଜର ଅଧିକାର ପାଇପାରି ନାହାନ୍ତି ।
ଏତେବେଳକୁ ରାୟପୁର-ବିଶାଖାପାଟଣା ରେଳମାର୍ଗ ଖୋଲି ସାରିଥାଏ । ପରିବର୍ତ୍ତିତ ପରିବହନ ପ୍ରକ୍ରିୟାରେ ନଦୀପଥ ଅପାଂକ୍ତେୟ ହୋଇଗଲା ପରେ ସଡ଼କପଥ ପ୍ରାୟ ସମସ୍ତ ପରିବହନକୁ ମଧ୍ୟ-ଭାରତମୁହାଁ କଲା । ଏହି ପରିବହନ ରେଳମାର୍ଗ ଉପରେ ନିର୍ଭରଶୀଳ ହେବା ଫଳରେ ସହର ତିଆରିର ଆବଶ୍ୟକତା ପଡ଼ିଲା । ରେଳମାର୍ଗ ହିଁ ରାୟପୁର ସହରକୁ ଏକ ବ୍ୟବସାୟିକ ଶକ୍ତିକେନ୍ଦ୍ର କରି ଗଢ଼ି ତୋଳି ସାରିଥିଲା । ଗମନାଗମନ ଦୃଷ୍ଟିରୁ ବ୍ୟବସାୟିକ ବ୍ୟବସ୍ଥା ପରିଚାଳନା ପାଇଁ ଓଡ଼ିଶାରେ ଗଢ଼ି ଉଠିଥିବା ୪ଗୋଟି ସହର ମଧ୍ୟରୁ କଣ୍ଟାବାଞ୍ଜି ବେଶ ଖ୍ୟାତ ହୋଇଗଲା । କାରଣ ଉପର ତେଲନଦୀ ଉପତ୍ୟକା ସମେତ ବଲାଙ୍ଗୀରର ପଡୋଶୀ ଜିଲ୍ଲାମାନ ମଧ୍ୟ କ୍ରମେ ବ୍ୟବସାୟିକ ଦୃଷ୍ଟିରୁ କଣ୍ଟାବାଞ୍ଜି ସହ ଯୋଡ଼ିହେବାରେ ଲାଗିଲେ ।
କଣ୍ଟାବାଞ୍ଜିକୁ ବ୍ୟବସାୟୀ ମାରୱାଡି ସମେତ ଅନ୍ୟ ଅଣଓଡ଼ିଆ ବେପାରୀମାନ ଆସି ରହିଲେ । ଅବଶ୍ୟ ପାଖଆଖର ଓଡ଼ିଆ ପରିବାରମାନେ ମଧ୍ୟ ରହିଅଛନ୍ତି । କ୍ରମେ ମାରୱାଡି ସମୁଦାୟଙ୍କ ନିକଟରେ ଅଞ୍ଚଳର ଅର୍ଥନୀତି ରହିଲା । ବିଂଶ ଶତକର ମଝି ଦୁଇଦଶକରେ କଣ୍ଟାବାଞ୍ଜି ବ୍ୟବସାୟରେ ଅପ୍ରତିଦ୍ୱନ୍ଦ୍ୱୀ ହୋଇଗଲା । ଅର୍ଥନୀତିକ ଇତିହାସରେ କଣ୍ଟାବାଞ୍ଜି ସହରର ବ୍ୟବସାୟିକ ଚରିତ୍ର ଗୋଟିଏ ଭିନ୍ନ ପ୍ରକାରର । କୃଷି ହେଉ ବା ଲଘୁ ବନଜାତ ସାମଗ୍ରୀ ବିଶେଷ ପରିସ୍ଥିତିରେ, ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଚାଷୀକୁ ଦିଆ ଯିବାର ଉଦାହରଣ ରହିଅଛି । କୃଷକ କଣ୍ଟାବାଞ୍ଜି ବଜାର ଉପରେ ଅହେତୁକ ଆସ୍ଥା ରଖିଥାଏ । କଣ୍ଟାବାଞ୍ଜି ବଜାରରେ ତାର ଶ୍ରମ ମାରା ଯିବନାହିଁ । ଏହି ଆସ୍ଥା ଅଶି ଦଶକ ଶେଷ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ସହରକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର କରି ଗଢ଼ି ତୋଳି ସାରିଥିଲା । କଣ୍ଟାବାଞ୍ଜିକୁ ଅର୍ଥନୀତିକ କେନ୍ଦ୍ର କରି ଗଢ଼ି ତୋଳିବାରେ ମାରୱାଡି ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଅଛି । କ୍ଷୀପ୍ର କ୍ରମବର୍ଦ୍ଧିଷ୍ଣୁ ବ୍ୟବସାୟିକ କେନ୍ଦ୍ରପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ରହିଲା । ଫଳରେ ଉତ୍ତର ଭାରତରୁ ନିଜ ଲୋକଙ୍କୁ ଆଣି ବ୍ୟବସାୟରେ କର୍ମ ନିଯୁକ୍ତିର ସୁଯୋଗ ତିଆରି କରାଗଲା ବୋଲି ଦ’ୱେର ନାମକ ଏକ ବିଖ୍ୟାତ ଗଣମାଧ୍ୟମ ସଂସ୍ଥାକୁ କଣ୍ଟାବାଞ୍ଜିର ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ।
ଅଶିଦଶକ ପରେ ନିକଟସ୍ଥ ଖ୍ୟାତ ଗାଁମାନଙ୍କୁ ଉପକେନ୍ଦ୍ର ଭାବରେ ପ୍ରତିଷ୍ଠା କରାଗଲା । ବ୍ୟବସାୟିକ ଦୃଷ୍ଟିରୁ ଏହି ବିକେନ୍ଦ୍ରୀକରଣ କଣ୍ଟାବାଞ୍ଜିକୁ ଆହୁରି ଶକ୍ତିଶାଳୀ କରି ଗଢ଼ି ତୋଳିଲା । ଏହା କେବଳ କଣ୍ଟାବାଞ୍ଜି ପାଇଁ ନୁହେଁ ଖଡିଆଳରୋଡ଼, କେସିଙ୍ଗା, ମୁନିଗୁଡ଼ା ଓ ରାୟଗଡ଼ା ପାଇଁ ମଧ୍ୟ ପ୍ରଯୁଜ୍ୟ । କିନ୍ତୁ କଣ୍ଟାବାଞ୍ଜିର ବ୍ୟବସାୟିକ ପରିଚାଳନା ବେଶ୍ ଦକ୍ଷ ଓ ବିଶ୍ୱସନୀୟ ହୋଇପାରିଥିଲା । ବିଶ୍ୱାୟନ ପରେ କଣ୍ଟାବାଞ୍ଜି ବ୍ୟବସାୟିକ ସାମ୍ରାଜ୍ୟକୁ ପୁଞ୍ଜି ଉପଯୋଗ କରିବା ସହଜ ହେଲା ।
ଏହି ବଜାରର ଉପଯୋଗୀ ଓ ଉପଭୋକ୍ତାମାନେ କିଏ? ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ହାରିବାର କାରଣ ସ୍ପଷ୍ଟ ହୋଇପାରିବ ନାହିଁ ।
ନଭେମ୍ବର ୨୦୦୭ ମସିହାର କଥା । ରାଜ୍ୟ ସରକାର ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ଉପରେ ଦେଶଦ୍ରୋହ ମାମଲା ଦାୟର କଲା । ତାଙ୍କର ଅପରାଧ ଥିଲା ଯେ ତାଙ୍କୁ ଯେଉଁ କାରଣପାଇଁ ଦାୟୀ କରାଗଲା ସେ ତାହା କରିନଥିଲେ । ପ୍ରଶାସନ ଏତେ ହଡ଼ବଡ଼େଇ ଗଲା ଯେ ବିନା ଅନୁସନ୍ଧାନରେ ସାମ୍ବାଦିକ ସୁନାନୀଙ୍କୁ ଅଭିଯୁକ୍ତ କରିଦିଆ ଯାଇଥିଲା । ସେ କହୁଥିଲେ ନଙ୍ଗଲଘାଟର ଲୋକ ପଥର ଖାଆନ୍ତି ଏବଂ ସେମାନେ ପହରିଆ; ଗୋଟିଏ ପ୍ରାଚୀନ ଜନଜାତିର ଲୋକ । ଯାହାଙ୍କୁ ରାଷ୍ଟ୍ରବ୍ୟତୀତ ଓଡ଼ିଶା ରାଜ୍ୟ ଆଦିବାସୀ ବୋଲି ସ୍ୱୀକାର କରେନାହିଁ । ଆଦିବାସୀ ତିଆରି ସରକାରୀ ଯୋଜନା ବିଜଦ ସରକାରଙ୍କ ଶେଷ ସମୟରେ ଗୋଟିଏ ଆନ୍ଦୋଳନ ପ୍ରାୟ ଚାଲୁ କରାଗଲା । କିନ୍ତୁ ସେହି ତାଲିକାରେ ପହରିଆ ଉପେକ୍ଷିତ ଥିଲେ, ଯେଉଁମାନେ ନଙ୍ଗଲଘାଟନିବାସୀ ଥିଲେ ଓ ନିଜର ଅର୍ଥନୀତିକୁ ବାଉଁଶ ଉପରେ ହିଁ ପର୍ଯ୍ୟବସିତ କରି ରଖି ଆସିଛନ୍ତି । ଯାହା ତାଙ୍କର କୌଳିକ ବୃତ୍ତି । ନୂଆପଡ଼ା ଜିଲ୍ଲା, ସିନାପାଲି ବ୍ଲକ, ନଙ୍ଗଲଘାଟ ଗ୍ରାମପଞ୍ଚାୟତର ଜାମବାହାଲି ଗାଁର ପ୍ରାଥମିକ ବିଦ୍ୟାଳୟ । ଯାହାକୁ ବିଭାଗ ବନ୍ଦ କରି ଦେଇଛନ୍ତି । ସେହି ବିଦ୍ୟାଳୟ ସାମ୍ନାରେ ଜଙ୍ଗଲ ରାସ୍ତା । ସେହି ରାସ୍ତାରେ ଜଙ୍ଗଲର ଗୋଟିଏ ଛୋଟ ଚଲାପଥ ପାର କଲେ ଉଦନ୍ତୀ ନଦୀ । ନିଜର ଉପତ୍ୟକାରେ ଯେଉଁ ନଦୀ ନିଜର ନାମରେ ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ତିଆରି କରିଛି । ଛତିଶଗଡ଼ ରାଜ୍ୟ ଭାଗର ସୁନାବେଡ଼ା ଅଭୟାରଣ୍ୟର ନାମ ମଧ୍ୟ ଉଦନ୍ତୀ ଅଭୟାରଣ୍ୟ ଅଟେ ।
ଉଦନ୍ତୀ ଉପତ୍ୟକା ଉପର ମହାନଦୀ ଉପତ୍ୟକା ଅନ୍ତର୍ଗତ ଅଟେ । ଭୋସଲା ଆସିବା ପର୍ଯ୍ୟନ୍ତ ଅଞ୍ଚଳରେ ରାଜତନ୍ତ୍ର ଥିଲା । ସେ ସମୟରେ ଲୋକେ ତିନିବର୍ଷରେ ଥରେ ଗାଁ ଛାଡ଼ି ଅନ୍ୟତ୍ର ଯାଉଥିଲେ । ପ୍ରତି ୧୨ ବର୍ଷରେ ଥରେ ପୂର୍ବ ସ୍ଥାନକୁ ଆସି ଗାଁ କରି ରହୁଥିଲେ । ଏହି ଚକ୍ର ଚିରସ୍ଥାୟୀ ବନ୍ଦୋବସ୍ତ ପର୍ଯ୍ୟନ୍ତ ଲାଗି ରହିଥିଲା । କମ୍ ଜନସଂଖ୍ୟା ଏବଂ ଅପର୍ଯ୍ୟାପ୍ତ ଜମି ଓ ଜଙ୍ଗଲ କାରଣରୁ ଏହା ସମ୍ଭବ ହୋଇ ପାରୁଥିଲା । ଲୋକଙ୍କ ବିଶ୍ୱାସ ଥିଲା ମାଟି ୧୨ବର୍ଷରେ ତାର ଉପଜ କ୍ଷମତା ଫେରି ପାଇଥାଏ । ପହରିଆମାନେ ଆଜି ମଧ୍ୟ ଏପରି ରହିଥାନ୍ତି । ପୂର୍ବରୁ ତିନିବର୍ଷ ଚାଷ ପରେ ଗୋଟିଏ ଗାଁକୁ ଲୋକେ ଛାଡ଼ି ୧୨ବର୍ଷ ପରେ ଫେରୁଥିଲେ । କିନ୍ତୁ ପହରିଆମାନେ ବାଉଁଶ ପଛେ ପଛେ ଯାଇଥାନ୍ତି । ଅବା ନିଜ ଗାଁର ମୁଖିଆ ମରିଗଲେ ଗାଁ ଛାଡ଼ିଥାନ୍ତି । ନଙ୍ଗଲଘାଟର ମୁଖିଆ ଲେଖନ ପହରିଆଙ୍କ ମୃତ୍ୟୁ ପରେ ଗାଁ ପୂର୍ବସ୍ଥାନରୁ ପାଖାପାଖି ପାଞ୍ଚ ଫର୍ଲଙ୍ଗ ଦୂର ଦକ୍ଷିଣରେ ବର୍ତ୍ତମାନ ଗାଁ ବସେଇଛନ୍ତି । ଉଦନ୍ତୀ ଡେଇଁଲେ ଗାଁକୁ ଯାଇହୁଏ । ଏବଂ ଉଦନ୍ତୀ ପର୍ଯ୍ୟନ୍ତ ଥିବା ଜଙ୍ଗଲର ଗୋଟିଏ ବଡଭାଗ ଜମି ଜଣେ ଅଣଓଡ଼ିଆ ନାମରେ ପଟ୍ଟା ହୋଇଥିବା ଦେଖାଯାଏ । ଭୋସଲାମାନେ ପଶ୍ଚିମଓଡ଼ିଶାର ସମସ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବାର୍ଷିକ ଖଜଣା ପାଇଁ ବଚନବଦ୍ଧ କରାଇଲେ । ତାହା ବି ମୁଦ୍ରା ଆକାରରେ । ମୁଦ୍ରାଶୂନ୍ୟ ଅର୍ଥନୀତିରେ ମୁଦ୍ରା ପ୍ରଚଳନ ଗୋଟିଏ ଆପଦାତୁଲ୍ୟ ଥିଲା । ଯେଉଁମାନେ ଖଜଣା ମୁଦ୍ରା ଆକାରରେ ଦେଇ ପାରୁ ନଥିଲେ, ତାଙ୍କ ଗଉନ୍ତି, ଉମରା ଅଥବା ରାଜ୍ୟ ଭୋସଲାମାନେ ନେଇ ଅନ୍ୟ ଲିଜଧାରୀକୁ ଦଉଥିଲେ । ୧୮୦୦ ମସିହା ପର୍ଯ୍ୟନ୍ତ ପଶ୍ଚିମଓଡ଼ିଶାର ସମସ୍ତ ରାଜାଙ୍କୁ ଭୋସଲାମାନେ ଖଜଣା ବା ତକୋଲି ନଦେବା କାରଣରୁ ବନ୍ଦୀକରି ନେଇ ଯାଇଥିଲେ । ସମସ୍ତ ରାଜା ସାମନ୍ତ ଚନ୍ଦା ଦୂର୍ଗରେ ଦୀର୍ଘ କୋଡ଼ିଏ ବର୍ଷକାଳ ବନ୍ଦୀ ହୋଇ ରହିଥିଲେ । ଇଂରେଜ ଏବଂ ମରାଠାମାନଙ୍କ ମଧ୍ୟରେ ଦୀର୍ଘଯୁଦ୍ଧ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବା ବେଳକୁ ୧୮୧୮ ମସିହା ହୋଇ ଯାଇଥିଲା । ଏତେବେଳକୁ ସମଗ୍ର ପଶ୍ଚିମଓଡ଼ିଶା ଇଂରେଜଙ୍କ ଦଖଲକୁ ଆସିଲା । ଅର୍ଥନୀତିରେ ମୁଦ୍ରାର ପ୍ରଚଳନ ବହିରାଗତଙ୍କୁ ପ୍ରଭାବଶାଳୀ ପଦବୀ ଗଉନ୍ତିଆ, ଜମିଦାର, ଉମରା ଆଦି ପଦବୀରେ ସ୍ଥାପିତ କଲା । ଯେଉଁମାନେ ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତର ବେପାରୀ, ଘୋଡ଼ା ବେପାରୀ ଆଦି ଲୋକ ଥିଲେ । ଏପରିକି ମଦରୁ ରାଜସ୍ୱ ସଂଗ୍ରହ ପାଇଁ ମଦ ରାନ୍ଧୁଥିବା ଜାତି, ଚାଷଅଭିଜ୍ଞ ଜାତିଙ୍କୁ ମଧ୍ୟ ଅଣାଯାଇଥିଲା । ଏହିମାନେ ଗଉନ୍ତି, ଉମରା ଆଦି ନିଜ ନାମରେ ଲିଜ ଆକାରରେ ନେଇ ପାରୁଥିଲେ । ଏହା ପ୍ରଚଳିତ ପାରମ୍ପରିକ ଗଣତନ୍ତ୍ର ପ୍ରତି ଦ୍ୱିତୀୟ ଓ ପ୍ରଭାବୀ ଆକ୍ରମଣ ଥିଲା । ପ୍ରଥମ ଯୁଦ୍ଧରେ ରାଜାମାନଙ୍କୁ ବନ୍ଦୀ କରିନେବା ଶାସନର ଉଚ୍ଚସ୍ତର ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ବହିରାଗତ ଲୋକ ଆସି ସ୍ଥାନୀୟ ଶାସନରେ କବଜା କରିବା ଅଞ୍ଚଳର ଗଣତନ୍ତ୍ର ଓ ସ୍ଥିରତା ପ୍ରତି ଏକ ବଡ଼ ବିପଦ ହୋଇଥିଲା । ଏହାର ବିରୋଧ ବୀର ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଓ କନ୍ଧମେଳୀର କାରଣ ଅଟେ ବୋଲି ଐତିହାସିକ ଡ. ଫଣୀନ୍ଦମ ଦେଓ କହିଥାନ୍ତି । ଗୋଟିଏ ଶତାବ୍ଦୀ ପୂର୍ବର ବ୍ୟବସ୍ଥା ଯେମିତି ଗଉନ୍ତିଆମାନଙ୍କ ଅଧିକାର ବହିରାଗତମାନଙ୍କୁ ଦିଆଯାଇ ପାରୁଥିଲା, ଆଜି ମଧ୍ୟ ଜଙ୍ଗଲଜମି ଅଣଓଡ଼ିଆଙ୍କୁ ହସ୍ତାନ୍ତରିତ ହୋଇପାରେ ।
ସ୍ୱାଧିନତା ପୂର୍ବରୁ କଣ୍ଟାବାଞ୍ଜିକୁ ଏକ ସହର ଭାବରେ ବସେଇବାର ପରିଯୋଜନା । କଣ୍ଟାବାଞ୍ଜି ସହର ନିଜକୁ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ପରିଣତ କରିପାରିଥିଲା । ଅଞ୍ଚଳର ଇତିହାସ କହେ ସଭ୍ୟତା ଆରମ୍ଭରୁ ବହିରାଗତଙ୍କ ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ପାଟଣା ରାଜ୍ୟ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ପ୍ରାଚୀନ ଇତିହାସ କହେ ଗଙ୍ଗ ରାଜତ୍ୱ ସମୟରେ ବିଧବାରାଣୀ ବସନ୍ତ କୁମାରୀ ଦେବୀ ଆଠଜଣ ମଲ୍ଲୀକଙ୍କ ଦ୍ୱାରା ରାଜ୍ୟ ଶାସନ କରୁଥିଲେ । ସେହି ମଲ୍ଲୀକ ବା ମୁଖ୍ୟଙ୍କ ମଧ୍ୟରେ ଚକ୍ରଧର ପାଣିଗ୍ରାହୀ ନାମକ ଜଣେ ବ୍ରାହ୍ମଣ ରହିଥିଲେ । ଏହା ପାଟଣା ରାଜ୍ୟରେ ଚୌହାନ ରାଜତ୍ୱ ପୂର୍ବର ଘଟଣା ଅଟେ ।
ଐତିହାସିକ ଡ. ଦେଓଙ୍କ ମତରେ ଇଂରେଜମାନେ ଭୋସଲାଙ୍କ ନିକଟରୁ ବିଜୟୀ ହେଲାପରେ ତଦୃପ ବାର୍ଷିକ ଖଜଣା ଦେଇ ନିଜ ନିଜର ରାଜ୍ୟ ଶାସନ କରି ପାରିବେ । ରାଜାମାନେ ସେହି ମୁଦ୍ରା ସର୍ବସ୍ୱ ଅର୍ଥନୀତିର ପୃଷ୍ଠପୋଷକ ରହିଲେ । ଦୀର୍ଘ ବର୍ଷପରେ ଇଂରେଜମାନଙ୍କ ଯୋଗୁଁରୁ ରାଜାମାନେ ମୁକ୍ତ ହୋଇଥିବା ଯୋଗୁଁ ଇଂରେଜଙ୍କ ପ୍ରତି ନିଜର ବଶମ୍ବଦତା ରହିଥିଲା । ସେମାନେ ହଠାତ୍ ମୁଖିଆରୁ ଶାସକ ହୋଇ ଯାଇଥିଲେ । ସ୍ଥାନୀୟ ଅର୍ଥନୀତିରେ ମୁଦ୍ରାର ପ୍ରଚଳନ ନଥିବା ହେତୁରୁ ଅନେକ ମୁଖିଆ ନିଜ ନିଜର କ୍ଷମତା ହରେଇଲେ । ବହିରାଗତ ବ୍ୟବସାୟୀ କିମ୍ବା କୌଳିକ ବୃତ୍ତି ମଦ ବିକ୍ରୀ , ଚାଷ, ବେପାର ଆଦି କରୁଥିବା ଲୋକେ ସମୟ ଓ ସୁଯୋଗର ବ୍ୟବହାର କରି ଗଉନ୍ତି, ଜମିଦାରୀ ଆଦି ନିଜ ଅକ୍ତିଆରକୁ ନେଇ ଆସିଲେ । ଏହାର ବିରୋଧରେ ୧୮୨୬ମସିହାରୁ ୧୮୮୨ ମସିହା ପର୍ଯ୍ୟନ୍ତ ଆନ୍ଦୋଳନ ହେଲା । ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଦମନ ନୀତି ଯୋଗୁଁ ଶତାଧିକ ଲୋକଙ୍କ ନାମରେ ଫାଶୀ ଆଦେଶ ବାହାର କରିଥିଲେ । ପ୍ରତିଦିନ ଆନ୍ଦୋଳନକାରୀଙ୍କୁ ଫାଶୀରେ ଚଢ଼ାଗଲା । ଅନେକଙ୍କୁ କଳାପାଣି ପଠାଗଲା । ପଶ୍ଚିମ ଓଡ଼ିଶାର କନ୍ଧମେଳୀ ସର୍ବଭାରତୀୟ ବିଦ୍ରୋହର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ରଖେ ବୋଲି ଐତିହାସିକ ଡ. ଦେଓ କହିଥାନ୍ତି ।
ମୁଦ୍ରାସର୍ବସ୍ୱ ଅର୍ଥନୀତିରେ ଲୋକେ ଅଭ୍ୟସ୍ତ ହେବାକୁ ବାଧ୍ୟ ହେଲେ । ପରାଧିନତାର ଅନ୍ତିମ ସମୟରେ ରାୟପୁର-ବିଶାଖାପାଟଣା ରେଳମାର୍ଗ ତିଆରି ହେଲା ଏବଂ ୧୯୪୫ ମସିହା ପରେ କଣ୍ଟାବାଞ୍ଜି ସହର ସ୍ଥାପିତ ହେଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ପରେ ଦେଶ ସ୍ୱାଧିନ ହେଲା ଏବଂ ଶିଳ୍ପାୟନକୁ ବେଶ୍ ଗୁରୁତ୍ୱ ଦିଆଗଲା । ଜଙ୍ଗଲ ନୀତି ସହ କାରଖାନା ତିଆରି ଲୁହା ବଜାରକୁ ଆସିବା ପରେ ପରେ ସ୍ଥାନୀୟ ଲୋକଙ୍କ କର୍ମସଂସ୍ଥାନ ଉପରେ ପ୍ରଭାବ ପଡ଼ିଲା । ଲୁହା କୃଷି ଓ ଜଙ୍ଗଲ ଆଧାରିତ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନିଭେଇଥାଏ । ସେହିପରି ବୟନର ଅବସ୍ଥା ମଧ୍ୟ ତଦୃପ ।
କଣ୍ଟାବାଞ୍ଜି ସହର ବ୍ୟବସାୟିକ କେନ୍ଦ୍ର ହେବାସହ ସ୍ଥାନୀୟ କର୍ମ ସଂସ୍କୃତି ଉପରେ ବିପରୀତ ପ୍ରଭାବ ପକାଇଥିଲା । ଯାହା କେବଳ କଣ୍ଟାବାଞ୍ଜି ବା ପଶ୍ଚିମଓଡ଼ିଶା ନୁହେଁ; ସମଗ୍ର ଭାରତବର୍ଷର ଅବସ୍ଥା । କାରଣ ଶିଳ୍ପକାର ଗୋଷ୍ଠୀ କ୍ରମେ କମ୍ପାନୀ ମାଲଯୋଗୁଁ ଧିରେ ଧିରେ କର୍ମସଂସ୍ଥାନ ହରେଇବାକୁ ଲାଗିଲେ । ଏବଂ କ୍ରମ ମରୁଡ଼ି କୃଷିକ୍ଷେତ୍ର ଉପରେ ବେଶ୍ ପ୍ରଭାବ ପକାଇଲା ।
ସହର ସ୍ଥାପିତହେବାର ଦୁଇ ଦଶନ୍ଧି ପରେ ୧୯୬୫ ମସିହାରେ ଭୟଙ୍କର ମରୁଡ଼ି ପଡ଼ିଲା; ଯାହାକୁ ଲୋକେ ବଡମକାର ନାମରେ ଜାଣନ୍ତି । ଏହି ସମୟରେ ଖାଦ୍ୟ ମହଜୁଦ ରଖିଥିବା ଲୋକେ ମୁଖ୍ୟତଃ ବଡ଼ଚାଷୀ ଓ ବ୍ୟବସାୟୀ ଖାଦ୍ୟ ବଦଳରେ ମାତ୍ରାଧିକ ଅର୍ଥ ଦାବୀ କଲେ । ସୁନା, ବାସନ, ଜମି ଆଦି ସାଧାରଣଙ୍କ ସମ୍ପତ୍ତିରୁ ଗୋଟିଏ ଆଖିଦୃଶିଆ ଭାଗ ଧନୀକ ଲୋକଙ୍କ ନିକଟକୁ ଆସିଗଲା । ଦେଢ଼ଶତକ ପୂର୍ବରୁ ଭୋସଲାମାନଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ମୁଦ୍ରାକୈନ୍ଦ୍ରିକ ଅର୍ଥନୀତିର କୁପରିଣାମର ସ୍ପଷ୍ଟଚିତ୍ର ବଡମକାର ପରେ ଲୋକେ ନିଜଆଖିରେ ଦେଖିଲେ । ମୁଦ୍ରାକୈନ୍ଦ୍ରିକ ଅର୍ଥନୀତି ଭୁଲ ବୋଲି ପ୍ରମାଣ କରିବା ଉଦେଶ୍ୟ ନୁହେଁ କିନ୍ତୁ ଗୋଟିଏ ଅର୍ଥନୀତିକ ପରମ୍ପରା ଆରମ୍ଭ କରିବା ପୂର୍ବରୁ ଲୋକଙ୍କୁ ତା’ସହ ପରିଚିତ କରେଇବା ଆବଶ୍ୟକ ।
ମୁଦ୍ରା ବିନିମୟ ବହିରାଗତ ବେପାରୀଙ୍କ ମାଧ୍ୟମରେ ହିଁ ହେଉଥିଲା । ଧିରେଧିରେ ସାଧାରଣ ପ୍ରଜାଠୁ ଶାସକପର୍ଯ୍ୟନ୍ତ ବେପାରୀ ସହ ଅନୁବନ୍ଧିତ ରହିଲେ । ବିଶ୍ୱାୟନ ଆରମ୍ଭ ହେବା ପର୍ଯ୍ୟନ୍ତ କୌଳିକ ବୃତ୍ତି, ଚାଷ ଏବଂ ପାରମ୍ପରିକ ବୈଷୟିକ ଜ୍ଞାନକୌଶଳରେ ସ୍ଥାପିତ ଅର୍ଥନୀତି ଭାଙ୍ଗିବାକୁ ଲାଗିଲା । ମରୁଡ଼ି, ଶିଳ୍ପ ଏବଂ ମହାଜନୀ ଲୋକଙ୍କୁ କର୍ମଶୂନ୍ୟ କରିବାରେ ଲାଗିଲା । ଠିକ ମରୁଡ଼ି ପରେପରେ ଶତାଧିକ ବର୍ଷର ପିଡ଼ିତ ମଣିଷ ଏକ ନିଷ୍ଠୁର ନିଷ୍ପତ୍ତି ନେଲା । ପଳାୟନକୁ ଜୀବିକା ନିର୍ବାହ ପାଇଁ ସମାଧାନର ପନ୍ଥା ଆକାରରେ ବାଛିଲା । ଦାଦନର ଇତିହାସ ଆରମ୍ଭ ହେଲା । ବିଶ୍ୱାୟନ ଆରମ୍ଭବେଳକୁ ଦାଦନ ଏକ ବ୍ୟବସାୟର ରୂପ ନେବାକୁ ଆରମ୍ଭ କଲା । ଆଜି ଏହା ଚାରିହଜାର କୋଟିର ଏକ ବ୍ୟବସାୟ । ଦାଦନଚାଲାଣର ଚରିତ୍ର ନିଶ୍ଚିତଭାବେ ମଣିଷ ବେପାର ହିଁ ଅଟେ । ଯାହାର କେନ୍ଦ୍ର କଣ୍ଟାବାଞ୍ଜି ବୋଲି ଖ୍ୟାତ ଅଛି ।
କଳାହାଣ୍ଡିର ବୀର ସଂଗ୍ରାମୀ ସହିଦ କମଲ ମାଝୀ ୧୮୮୨ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଆମେ ଆମର ଉତ୍ତର ପିଢ଼ିଙ୍କୁ ସୁରକ୍ଷିତ ବସୁଧା ଦେବା ଧର୍ମ ବୋଲି ବିଚାର କରେ । ଏହାସହ ସେ ଅଦାଲତକୁ କହିଥିଲେ ଆମର ଘରର ଛାତ ଯେବେ ଝଡ଼ି ବସେ ସେତେବେଳେ ଆମେ ଘରକୁ ଭାଙ୍ଗି ନୂତନ ଘର ତିଆରି କରିଥାଉ । ସେ ଏହିକଥା ବ୍ୟବସ୍ଥା ଉଦେ୍ଦଶ୍ୟରେ କହିଥିଲେ । କନ୍ଧମେଳି ହିଁ ଲୋକଙ୍କ ଅଧିକାର ସାବ୍ୟସ୍ତ ପାଇଁ ଶେଷ ସଂଗ୍ରାମ ଥିଲା । ଯାହାକୁ ସମସ୍ତ ସ୍ଥାନୀୟ ଅଧିବାସୀ ସମର୍ଥନ ଦେଇଥିଲେ ଏହାପରେ ଖଣିଖାଦାନ ଏବଂ ବୃହତ୍ ନନ୍ଦୀବନ୍ଧ ନିର୍ମାଣ ପାଇଁ ବିସ୍ଥାପନ ବିରୋଧରେ ହେଉଥିବା ସଂଗ୍ରାମମାନ ସେହି ଅଞ୍ଚଳରେ ହିଁ ସୀମିତ ରହୁଥିବା ଦେଖାଯାଏ । ଯେମିତି ଲୋୟର ସୁକତେଲ, ନିୟମଗିରି, ମାଳି ପାହାଡ଼ ଆଦି ଆନେ୍ଦାଳନ କେବଳ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା କରାଯାଉଅଛି । ଏହା ଜନଆନ୍ଦୋଳନ ହୋଇପାରୁନାହିଁ କେବଳ ଗନ୍ଧମାର୍ଦ୍ଦନ ଆନ୍ଦୋଳନକୁ ଛାଡ଼ିଦେଲେ । କାରଣ କନ୍ଧମେଳି ପରେ ପରେ ସମୟ ସାଧାରଣ ଲୋକଙ୍କୁ ତେଲଲୁଣର ସୀମା ଡେଇଁବାକୁ ଦେଇନାହିଁ । ସମୂହ ଭାବନା କ୍ରମେ ବ୍ୟକ୍ତିକୈନ୍ଦ୍ରୀକ ହେବାକୁ ଲାଗିଲା ଖାସ ବ୍ୟବସ୍ଥା ଯୋଗୁଁ ।
ଏହି ରାଜନୈତିକ ଓ ସାମାଜିକ ଚିତ୍ର ପରେ ପ୍ରଶାସନିକ ଚିତ୍ର ମଧ୍ୟ ଥିଲା ସାମନ୍ତ ଭାବନା ପ୍ରଣୋଦିତ । ଇଂରେଜମାନେ ଯେତେବେଳେ କ୍ଷମତାକୁ ଆସିଲେ ସେମାନେ ନିଜର ପ୍ରଶାସନିକତନ୍ତ୍ର ସ୍ଥାପନା କଲେ । ରାଜସ୍ୱ, ପୋଲିସ, ଶିକ୍ଷା ଆଦି ବିଭାଗରେ ବହିରାଗତ ଲୋକେ ଆସିଲେ । କାରଣ ଏହି ବହିରାଗତ ଚାକିରିଆମାନେ ଇଂରେଜମାନଙ୍କ ଦ୍ୱାରା ସ୍ଥାପିତ ଶିକ୍ଷାନୁଷ୍ଠାନରୁ ଶିକ୍ଷିତ ହୋଇଥିଲେ । ଗୋଟିଏ ସରକାରୀ ବ୍ୟବସ୍ଥାର କାର୍ଯ୍ୟନ୍ୱୟନ ପାଇଁ ସେ ସମୟରେ ଗଢ଼ି ଉଠିଥିବା ବାବୁ ସଂସ୍କୃତି ଶାସନ ଓ ସାଧାରଣ ଲୋକଙ୍କ ଭିତରେ ଦୂରତା ବଢ଼େଇଲା । ଯେଉଁ କ୍ରମ ବର୍ତ୍ତମାନ ମଧ୍ୟ ଶେଷ ହୋଇନାହିଁ । ମୁଦ୍ରା ମୁଖ୍ୟ ମାଧ୍ୟମ ହେବା ଫଳରେ ଗୋଟିଏ ନୂତନ ସଂସ୍କୃତିକୁ ଜନ୍ମଦେଲା । ତାହାହେଲା ମହାଜନୀ ସଂସ୍କୃତି । ନେଣଦେଣ କାରବାରରେ ଲୋକେ ବ୍ୟାଙ୍କ ଅପେକ୍ଷା ମହାଜନକୁ ବେଶି ବିଶ୍ୱାସ କରନ୍ତି । ମହାଜନୀ କାରବାରରେ ସରକାରୀ ଧାର୍ଯ୍ୟ ସୁଧଠାରୁ ବହୁ ଗୁଣ ସୁଧ ମହାଜନ ଅସୁଲ କରୁଥିବା ଏକ ସାଧାରଣ କଥା । ତକ୍ରାଳୀନ କେବିକେ କମିଶନର ଡ. ହୃଷିକେଶ ପଣ୍ଡା ମହାଜନୀ ଶୋଷଣ ନେଇ କେବିକେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ୧୯୯୭ ମସିହାରେ ୪୦ପୃଷ୍ଠା ସମ୍ବଳିତ ଚିଠି ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ମହାଜନୀ ଶୋଷଣର ମାତ୍ରା କିପରି ଅଦମନୀୟ ଭାବେ ବ୍ୟାପି ସାରିଛି । ଡ. ପଣ୍ଡା ଜନୈକ ମହାଜନୀ କରୁଥିବା ଲୋକର ଘର ଖାନତଲାସ କରି ଅନେକ ଆପତ୍ତିଜନକ କାଗଜାତ ଜବତ କରିଥିଲେ । ବ୍ୟାଙ୍କ କର୍ମଚାରୀ ଏବଂ ମହାଜନଙ୍କ ଅସାଧିୁ ମେଣ୍ଟ କିଭଳି ଲୋକଙ୍କୁ ଶୋଷଣ କରିଥାଏ ତାହା ବି ସେ ପ୍ରାମାଣିକ ଭାବେ ଉଲ୍ଲେଖ କରିଛନ୍ତି । କିନ୍ତୁ ଦେଖାଯାଇଛି ପରବର୍ତ୍ତୀ ସମୟରେ ସଂପୃକ୍ତ ମହାଜନ ବିଧାୟକ ହୋଇଛନ୍ତି । ଏହି ଉଦାହରଣ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ରହିଅଛି ।
ଏହି ଶୋଷଣର ଗୋଟିଏ ଚିତ୍ର ସ୍ପଷ୍ଟ ଦେଖାଯାଏ; ଯେଉଁମାନେ ମରାଠା ଆସିବା ପୂର୍ବରୁ ସମ୍ପନ୍ନ ଥିଲେ ଓ ଅଞ୍ଚଳର ମୂଳ ଅଧିବାସୀ ଥିଲେ ଦାଦନ ଶ୍ରମିକଙ୍କ ସମୂହ ସେମାନଙ୍କୁ ନେଇ ହିଁ ତିଆରି ହୋଇଥାଏ । ଅର୍ଥାତ ଗୋଟିଏ ଦୀର୍ଘ ଶୋଷଣର କ୍ରମରେ ଲୋକେ ନିଜର ସଂଶାଧାନ ହରାଇ ସେମାନେ ବଜାରର ପଣ୍ୟ ହୋଇ ଯାଇଛନ୍ତି । ଗୋଟିଏ ସଭ୍ୟତା ପାଇଁ ଏହାଠୁ ବିଡ଼ମ୍ବନା କିଛି ନାହିଁ ।
ଇତିହାସ ସ୍ପଷ୍ଟକରେ ଯେ କୌଣସି ଲୋକ ଏହି ଅଞ୍ଚଳକୁ ଆସି ସ୍ଥାୟୀ ଭାବରେ ରହିବା କୌଣସି ବାଧା ନଥିଲା । ଲୋକଙ୍କ ଗ୍ରହଣଶୀଳତା ବେଶ୍ ଉଦାର ଥିଲା । କଣ୍ଟାବାଞ୍ଜି ବ୍ୟାପାରିକ କେନ୍ଦ୍ର ହେଲାପରେ ଏହି ସଂସ୍କୃତିର ପ୍ରଭାବରେ ଆସିବା ସାଧାରଣ କଥା । ଲୋକଙ୍କ ସମୂହ ଭାବନା ଏତେ ପ୍ରଖର ଯେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଇତିହାସରେ ପାଟଣାର ପୂର୍ବତନ ମହାରାଜ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ୧୯୬୧ ମସିହାରେ ଓ ଜଣେ ପଞ୍ଜାବୀ ଯୁବକ ସନ୍ତୋଷ ସିଂ ସାଲୁଜା ଚାରିଥର ଏବଂ ଜଣେ ଇସଲାମ ସମ୍ପ୍ରଦାୟର ହାଜି ମହମ୍ମଦ ଅୟୁବ ଖାନ ଦୁଇଥର ବିଧାୟକ ହୋଇଛନ୍ତି । ପାଞ୍ଚଥର ବିଧାୟକ ହୋଇଥିବା ପ୍ରସନ୍ନ କୁମାର ପାଲ ଏବଂ ଗୋପିନାଥ ମିଶ୍ର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବାସିନ୍ଦା ହିଁ ନଥିଲେ । ଏ ସମସ୍ତ ବିଷୟ ଦୃଷ୍ଟିରେ ରଖି ବିଚାର କଲେ ଗତ ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକ ହାରିଯିବାର ସେତେବଡ଼ କାରଣ ନଥିଲା ।
ଲୋକଙ୍କ ଗ୍ରହଣଶୀଳତା ଯୋଗୁଁ ଅଣଓଡ଼ିଆଙ୍କୁ ପ୍ରଶ୍ରୟ ମିଳିପାରିଛି ଏହା ଏକ ହିଁ କାରଣ କହିଲେ ଭୁଲ ହେବ । ମରାଠା ଏବଂ ଇଂରେଜ ଦଖଲ ପରେ ପରେ ବହିରାଗତଙ୍କ ଆଗମନ ଏକ ଉଦେଶ୍ୟ ନେଇ ହିଁ ହୋଇଅଛି । ରାଜା ଏବଂ ସ୍ଥାନୀୟ ପ୍ରଶାସନ ଯଥା ଗଉନ୍ତିଆ, ଝାକର, ଜମିଦାର ଆଦିଙ୍କ ମାଧ୍ୟମରେ ଇଂରେଜଙ୍କୁ ତଲୋଲି ବା ଖଜଣା ଦେବା ମୁଖ୍ୟ ହୋଇପଡ଼ିଲା । ଏହାକୁ ପରିଚାଳନା କରିବାପାଇଁ ହିଁ ବହିରାଗତଙ୍କୁ ଆଣି ଥଇଥାନ କରାହୁଏ । ଫଳତଃ ବହିରାଗତ ସାଧାରଣଙ୍କ ଦୃଷ୍ଟିରେ ଶାସନର ନିକଟତର ଥିଲେ । ଏହାର ପ୍ରମାଣ ଲୋକେ ଦେଖିଛନ୍ତି । ପୁରୁଷାନୁକ୍ରମେ ଯେଉଁ ଗ୍ରାମ୍ୟ ଶାସନବ୍ୟବସ୍ଥା ଚଳି ଆସୁଥିଲା ଠିକା ବା ଲିଜରେ ବଡ଼ ବଡ଼ ପଦପଦବୀ ଉପରେ ବହିରାଗତଙ୍କ ଦଖଲ ତାହା ବି ମୁଦ୍ରା ବିନିମୟରେ ହେଇ ପାରିଲା । କନ୍ଧମେଳି ଦମନ ହେଲାପରେ ଲୋକେ ଏକପ୍ରକାର ମାନସିକ ଭାବେ ପରିସ୍ଥିତି ସହ ସାଲିସ କରିନେଲେ । ନୂଆ ବ୍ୟବସ୍ଥାରେ ନିଜକୁ ଢାଳିବାକୁ ଆରମ୍ଭ କରିଦେଲେ । ଫଳତଃ ଯାହା ପାଖରେ ମୁଦ୍ରା ରହିଅଛି ସେ ଶାସନକୁ ପ୍ରଭାବିତ କରି ପାରୁଛି ଏବଂ ଲୋକଙ୍କ ପାରମ୍ପାରିକ ଶାସନ ଉପରେ ମଧ୍ୟ ଦଖଲ କରିପାରୁଛି । ବହିରାଗତ ମୁଦ୍ରାରେ ଧନୀ ରହିଥିଲେ । ଏହାର ଅନ୍ୟ ଏକ ମନସ୍ତାତ୍ତ୍ୱିକ କାରଣ ଏହା ବି ଅଟେ ଯେ କନ୍ଧମେଳିକୁ ଯେଉଁ ବର୍ବରତାର ସହ ଦମନ କରାଗଲା ତାହା ଲୋକଙ୍କୁ ପ୍ରତିରୋଧ ବିମୁଖ ତ କରିପାରିଲା ନାହିଁ କିନ୍ତୁ ପରବର୍ତ୍ତୀ ନେତୃତ୍ୱ ସବୁକୁ ହେୟ କରି ଦିଆଗଲା । ଯେପରି କନ୍ଧ ଏବଂ ଡମ ସମ୍ପ୍ରଦାୟକୁ ଅପରାଧିକ ଗୋଷ୍ଠୀ ଭାବରେ ଘୋଷଣା କରି ଦିଆଗଲା । ଫଳତଃ ସମସ୍ତ ପ୍ରତିରୋଧ ବା ନେତୃତ୍ୱ ଆଇନ ଏବଂ ବ୍ୟବସ୍ଥାର ସହମତି ପାଇପାରିଲା ନାହିଁ । ଶାସନ ସଙ୍ଗଠନ ପ୍ରତି ଦମନମୂଳକ ନୀତି ଆପଣେଇଲା । ଧିରେ ଧିରେ ପ୍ରତିରୋଧଶୂନ୍ୟ ହୋଇଗଲା ଶାସନ ବ୍ୟବସ୍ଥା । କନ୍ଧମେଳି ପରେ ଗଡଜାତ ମିଶ୍ରଣ ଆନ୍ଦୋଳନରେ ସାଧାରଣଙ୍କ ସହଭାଗିତା ସେତେ ରହିଲା ନାହିଁ । କେବଳ ହାତଗଣତି ଲୋକ ହିଁ ଏଥିରେ ସାମିଲ ହୋଇଥିଲେ । ଅର୍ଥାତ ୧୮୮୨ ମସିହା ପରେ ପରେ ଆନ୍ଦୋଳନ , ସଙ୍ଗଠନ, ପ୍ରତିରୋଧ ଆଦି ନିଷ୍ପ୍ରଭ ହୋଇଗଲା । କଣ୍ଟାବାଞ୍ଜି ସହର ଗଡଜାତର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିଆରି ହେଲାପରେ ପାଖଆଖରେ ସେଠାକାର ବେପାରୀ ଏକ ଶକ୍ତିଶାଳୀ ବ୍ୟକ୍ତିଭାବରେ ଲୋକମାନ୍ୟତା ପାଇଲେ । କଣ୍ଟାବାଞ୍ଜି ସହରର କିଛି ଉଦାର ବ୍ୟବସାୟିକ ପ୍ରକ୍ରିୟା ଗୋଟିଏ ସୁରକ୍ଷିତ ବ୍ୟବସାୟିକ କେନ୍ଦ୍ର ଭାବରେ ଗଢ଼ିତୋଳିବାରେ ସରଳ ହେଲା ।
ପାଣିନୀ, ବାତ୍ସାୟନ, ଚାଣକ୍ୟ ଆଦିଙ୍କ ଲେଖାରେ ଅଞ୍ଚଳର ବ୍ୟବସାୟିକ ଚରିତ୍ର ଉପରେ ବେଶ୍ ସୂଚନା ମିଳିଥାଏ । ତୈଳ, ଲାଖ, ଉଚ୍ଚମାନର ଅଶ୍ୱ, ଗଣ୍ଡାର, ରନôପଥର, ବୟନ, ଧାତୁ ଆଦିର ଉପଲବ୍ଧତା ପାଇଁ ଅଞ୍ଚଳ ଖ୍ୟାତ ଥିଲା । ଏହି ସମସ୍ତ ବ୍ୟବସାୟ ସମାପ୍ତ ହୋଇ ପାରିନଥିଲା । ଏହି ସମସ୍ତ ବ୍ୟବସାୟର କେନ୍ଦ୍ର ମଧ୍ୟ ଧିରେ ଧିରେ କଣ୍ଟାବାଞ୍ଜି ସହର ହେବାକୁ ଲାଗିଲା । ଫଳତଃ ରନôପଥର, ଖଣି ଉପଜ ଗ୍ରାଫାଇଟ, ଲୁହାପଥର ଆଦିର ବ୍ୟବସାୟ ମଧ୍ୟ ଚାଲିଲା । ଅନେକ ରତ୍ନପଥର ବ୍ୟବସାୟୀ ସାମ୍ନାକୁ ଆସିଛନ୍ତି । ୧୯୮୨ମସିହାରେ ଗୋଟିଏ ବୈଦୁର୍ଯ୍ୟ ମଣିର ବ୍ୟବସାୟ କଥା ବିବିସିରେ ପ୍ରଚାର ହୋଇଥିଲା । ଏହାପରେ ରତ୍ନପଥର ର ନୂଆ ନୂଆ ବ୍ୟବସାୟୀ ଆସିଥିଲେ । ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମ ୧୯୯୩ ମସିହାରେ ‘ରତ୍ନଗର୍ଭା’ ନାମରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଚାର କରିଥିଲା । ଯାହାର ତଥ୍ୟ ଅନୁସାରେ କଣ୍ଟାବାଞ୍ଜିକୁ ରତ୍ନ ପଥର କାରବାରର ପେଣ୍ଠସ୍ଥଳୀ ବୋଲି କୁହାଯାଇଥିଲା । ବିବିସିର ଖବର ଅନୁସାରେ ବୈଦୁର୍ଯ୍ୟମଣି କଣ୍ଟାବାଞ୍ଜି ବ୍ୟବସାୟିକ ପରିଧିରୁ ଇଂଲଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ବଲାଙ୍ଗୀର ଜିଲ୍ଲା ଟିକ୍ରାପଡାରୁ । ଅନେକ ଚଢ଼ଉ ଆଦି ପରେ ଶେଷରେ ନକଲି ଔଷଧ, ନକଲି ୱେ-ବିଲ, ନକଲି ତେଲ, ପୁରାତାତ୍ତ୍ୱିକ ସମ୍ପଦା, ପିଡିଏସ୍ ସାମଗ୍ରୀ ଆଦିର ଧରପଗଡ଼ ନେଇ କଣ୍ଟାବାଞ୍ଜିକୁ ହିଁ କେନ୍ଦ୍ର ବୋଲି କୁହାଯାଇଆସିଛି । ଫଳତଃ କଣ୍ଟାବାଞ୍ଜି ଏକ ଅଭେଦ୍ୟ ବୁ୍ୟହ ଭିତରେ ବ୍ୟବସାୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖି ପାରିଛି ।
ଓଡ଼ିଶାର ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଅଞ୍ଚଳ କ୍ରମରେ ନିଜକୁ ରଖିଥାଏ । କେବଳ ଯେ କଳାବଜାର ପାଇଁ କଣ୍ଟାବାଞ୍ଜିକୁ ବଦନାମ କରିବା ଉଚିତ ହେବ ନାହିଁ । ରତ୍ନ ପଥର କାରବାର କଥା କୁହାଯାଉ, ସରକାର ଏମିତି ଗୋଟିଏ ନୀତି ତିଆରି କରି ପାରିନାହାନ୍ତି ଯାହା ରନôପଥରକୁ ଏକ ବ୍ୟବସାୟ ଭାବରେ ମାନ୍ୟତା ଦେବେ । କଳାହାଣ୍ଡି ପାଇଁ ସରକାର ଏକ ଯୋଜନା କରିଥିଲେ । ଯୁବକଯୁବତୀଙ୍କୁ ରନôପଥର ପଲିସ କରିବା ତାଲିମ ଦେଲେ, କିଛିମାସ ପରେ ଦେଖାଗଲା ଯେ ସମସ୍ତ ତାଲିମ କେନ୍ଦ୍ର ବନ୍ଦ ରହିଗଲା । ଯେଉଁମାନେ ତାଲିମ ନେଇଥିଲେ ସେମାନେ ରନôପଥର ଖନନ, ତାର ପ୍ରକ୍ରିୟାକରଣ ଆଦିପାଇଁ କୌଣସି ସୁଯୋଗ ତିଆରି କରାଗଲା ନାହିଁ । ଯେଉଁ ରନôପଥର ଆସେ ତାହା କୁଆଡ଼େ ଯିବ? ରତ୍ନପଥର ବ୍ୟବସାୟ ଆଜିର ନୁହେଁ ହଜାର ହଜାର ବର୍ଷ ହେଲା ଏହାର ଉପଜ ଓ ବ୍ୟବସାୟ ଚାଲି ଆସୁଅଛି । ଏହାର ବୈଧାନିକ ଦିଗ ଆଜି ପର୍ଯ୍ୟନ୍ତ ସରକାର ସ୍ଥିର କରିପାରି ନାହାନ୍ତି । ରନôପଥର ବହୁତ ବଡକଥା, ଧାନ ଉପରେ କୁହାଯାଉ । ସରକାର ଏକ ନିର୍ଦ୍ଧାରିତ ପରିମାଣର ଧାନ ସଂଗ୍ରହ କରିବେ । ବାକି ଉପଜ କୁଆଡ଼େ ଯିବ? ନିଶ୍ଚିତ ବେପାରୀକୁ ଦେବେ । ବେପାରୀ ଚାଷୀ ନିକଟରୁ ନିଜର ବୁଝାମଣାରେ କମ ମୂଲ୍ୟ ଦେଉ କି ଡେରିରେ ଧାନର ମୂଲ୍ୟ ଦେଉ ଏହା କେବଳ ବେପାରୀ ଏବଂ ଚାଷୀ ମଧ୍ୟରେ ସୀମିତ ରହିବ । ଆଇନ କେବଳ ତାଗିଦ କରିବ ଦଣ୍ଡବିଧାନ ପାଇଁ ସୁଯୋଗ ହିଁ ନାହିଁ । କିନ୍ତୁ ସରକାର ପ୍ରତ୍ୟାହୃତ କରିଥିବା ତିନୋଟି କୃଷି ଆଇନ ଏଇଥିପାଇଁ ବିପଦପୂର୍ଣ୍ଣ ଥିଲା ଯେ ବେପାରୀ ଏକଚାଟିଆ ଶୋଷଣ କରିବାର ଆଇନଗତ ଅଧିକାର ପାଇ ପାରିଥାନ୍ତା ।
ଏସବୁ ସତ୍ତ୍ୱେ କଣ୍ଟାବାଞ୍ଜି ସହର କର୍ମନିଯୁକ୍ତିର ସୁଯୋଗ ଦେଇପାରେ ଏହା ହିଁ ଏହାର ବଡ଼ ଉପଲବ୍ଧି । ଏକ ଉଦାହରଣ ନିଆଯାଉ । ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନ ଏକ ତେଲ କାରଖାନା ଉପରେ ଚଢ଼ଉ କରି ନକଲି ତେଲ କାରଖାନା ବୋଲି କହିଲା । ଏହାକୁ ବନ୍ଦ କରି ଦିଆଗଲା । ଦୁଇଦିନ ପରେ ଶତାଧିକ ଶ୍ରମିକ କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଆନ୍ଦୋଳନ କଲେ ଯେ ଆମକୁ କାମ ଦିଆଯାଉ । କାରଖାନ ଚାଲିଲା । କିନ୍ତୁ ଏହି କାରଖାନା ନକଲି ତେଲର ନଥିଲା । କିଛି କାଗଜାତି ଅବହେଳା ଥାଇପାରେ । ଟିଣତେଲ ଯାହା ଖାଇବା ତେଲ ଛତିଶଗଡ଼ରୁ ଆସେ । ଖାଲି ଟିଣଗୁଡିକୁ ବେପାରୀ ସଂଗ୍ରହ କରି ଛତିଶଗଡ଼ ପଠାନ୍ତି । ଛତିଶଗଡ଼ କାରଖାନା ସହ ଅନୁବନ୍ଧିତ ହୋଇ କଣ୍ଟାବାଞ୍ଜିରେ ଏକ ତେZଲପ୍ୟାକିଂ ୟୁନିଟ ସ୍ଥାପନ କରାଗଲା । ଛତିଶଗଡ଼ରୁ କଣ୍ଟେନରରେ ତେଲ ଆସିବ ଏବଂ କଣ୍ଟାବାଞ୍ଜିରେ ପ୍ୟାକ ହେବ । ଫଳରେ ଖାଲିଟିଣର ପରିବହନ ଖର୍ଚ୍ଚ ବଞ୍ଚିବ ଏବଂ ଗ୍ରାହକ ପୂର୍ବ ଅପେକ୍ଷା କମ ମୂଲ୍ୟରେ ତେଲ ପାଇପାରିବେ । କାଗଜାତି ଅବା କୌଣସି ଅନିୟମିତତା ଦେଖାଇ କାରଖାନା ଚଢ଼ଉ ଉପରେ ଗଣମାଧ୍ୟମ ଯେତେ ମୁଖର ଥିଲା, ଏହାର ସମାଧାନ ଏବଂ ଶ୍ରମିକ ଆନ୍ଦୋଳନ ଉପରେ ବେଶ ନିରବ ରହିଥିଲା । ଏହା ହେଉଛି କଣ୍ଟାବାଞ୍ଜି ବ୍ୟବସାୟିକ ସାମ୍ରାଜ୍ୟର ଏକ ବିହଙ୍ଗାବଲୋକନ । ଯାହା ଆଜି ମଧ୍ୟ ପ୍ରଶାସନ ପାଇଁ ଅବୋଧ୍ୟ ରହି ଆସିଛି । ରାଜନୀତିକୁ ନେଇ କଣ୍ଟାବାଞ୍ଜି ସମେତ ଅନେକ ଉଦାସୀନ ଥିଲେ । କୌଣସି ପ୍ରସଙ୍ଗକୁ ନେଇ ରାଜନୀତି ହେବା କେହି ଦେଖିନାହାନ୍ତି ଆଜି ପର୍ଯ୍ୟନ୍ତ । ଯେଉଁ କେତେକ ପ୍ରସଙ୍ଗ ଉତ୍ଥାପନ କରାହୁଏ, ତାହା ସେତେ ପ୍ରଭାବୀ ନୁହେଁ । ବ୍ୟକ୍ତି ଉପରେ ବିଚାର କରି ହିଁ ଲୋକେ ଭୋଟ ଦେଇଥାନ୍ତି । ଭୋଟକୁ କଣ୍ଟାବାଞ୍ଜିର ବ୍ୟବସାୟୀମାନେ ବିଶେଷ ପ୍ରଭାବିତ କରିପାରନ୍ତି ଏହା ମଧ୍ୟ ଅନେକ ଆଲୋଚନାରୁ ସ୍ପଷ୍ଟ ହୁଏ । ପ୍ରସନ୍ନ କୁମାର ପାଲଙ୍କୁ ବିରୋଧ କରି ଜଣେ ସ୍ୱାଧିନ ପ୍ରାର୍ଥୀ ଚୈତନ୍ୟ ପ୍ରଧାନଙ୍କୁ ବିଧାୟକ ଭାବେ ମତ ଦେଇଥିଲେ । ପୂର୍ବତନ ପାଟଣା ମହାରାଜ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଥରେ କେବଳ କଣ୍ଟାବାଞ୍ଜିରୁ ନିର୍ବାଚନ ଜିତି ପରବର୍ତ୍ତୀ ସମୟରେ ଅନ୍ୟତ୍ର ନିର୍ବାଚନ ଲଢିଥିଲେ ।
ବିଶ୍ୱାୟନ ପରେ ପରେ ଭୋଟ ରାଜନୀତିରେ ଏକ ପରିବର୍ତ୍ତନ ଲୋକେ ଦେଖିଲେ । ୧୯୯୫ ପରେ ପରେ ସନ୍ତୋଷ ସିଂ ସାଲୁଜା ଏବଂ ହାଜି ମହମ୍ମଦ ଅୟୁବ ଖାନଙ୍କୁ ଲୋକେ ପାଳି କରି ଜିତେଇ ଆସୁଛନ୍ତି । ବର୍ତ୍ତମାନ ବିଧାୟକ ଲକ୍ଷ୍ମଣ ବାଗଙ୍କ ଭଳି ଏକଦା ଉପରୋକ୍ତ ଦୁଇ ପୂର୍ବତନ ବିଧାୟକ ଖାନ ଏବଂ ସାଲୁଜା ସାଧାରଣ ବ୍ୟବସାୟୀ ପରିବାରର ପ୍ରତିନିଧିତ୍ୱ କରନ୍ତି । ବଜାରରେ ସେମାନେ ନିଜ ନିଜର ନେତୃତ୍ୱ ଦକ୍ଷତା ଦେଖାଇ ଆସୁଛନ୍ତି । ଫଳରେ ସ୍ଥାନୀୟ ଅସ୍ମିତାକୁ ନେଇ ଲୋକେ ନିଜେ ନିଜର ନେତୃତ୍ୱ ତିଆରିଛନ୍ତି । ପ୍ରମାଣସ୍ୱରୂପ ବଲାଙ୍ଗୀର ସଦରର ଦୁଇଜଣ ଯୁବକ ଅଶୋକ ରଥ ଏବଂ ଅଜୟ ଦାସ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ହାରି ଆସୁଛନ୍ତି । ଏପରିକି ଭାଜପା ଏବଂ ବିଜୁ ଜନତାଦଳର ବର୍ଚ୍ଚସ୍ୱ ସମୟରେ ଲୋକେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଛନ୍ତି ।
ଏଠାର ଗୋଟିଏ ଲୋକୋକ୍ତି ବେଶ୍ ପ୍ରଚଳିତ, ‘ପରର ପୋ’ନେଇ ବସାଲି ଗାଁ; କେବେ ନାଇଗଲା ସେ ଅଁଟକୁରୀ (ନିପୁତ୍ରୀ) ନା ।’
ଚଳନ୍ତି ସମୟରେ ଦେଖାଯାଇଛି ବ୍ୟବସାୟୀ ଗୋଷ୍ଠୀ ମାରୱାଡ଼ି ସମ୍ପ୍ରଦାୟ ମଧ୍ୟ ରାଜନୀତିରେ ପ୍ରତ୍ୟକ୍ଷ ସଂଶ୍ଲିଷ୍ଟ ରହୁଛନ୍ତି । ଅବଶ୍ୟ କଣ୍ଟାବାଞ୍ଜିରୁ ତାଙ୍କ ସମ୍ପ୍ରଦାୟର ଜଣେ ସୁବାସ ଅଗ୍ରୱାଲ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିଲେ । ଏହା ନୁହେଁ ଯେ ମାରୱାଡି ସମ୍ପ୍ରଦାୟ ଭୋଟ ରାଜନୀତିରୁ ଦୂରେଇ ରହୁଥିଲେ । ବଙ୍ଗୋମୁଣ୍ଡାର ପ୍ରଥମ ସରପଞ୍ଚ ରାମସ୍ୱରୂପ ଅଗ୍ରୱାଲ ଅଟନ୍ତି ଏବଂ ପ୍ରଥମ ପଞ୍ଚାୟତ ସମିତି ଅଧ୍ୟକ୍ଷ ତେଜୁରାମ ଜୈନ ଅଟନ୍ତି । ମାଣିକଲାଲ ଜୈନ ଏବଂ ପ୍ରେମକୁମାର ଜୈନ ଦୁଇଟି ଅଞ୍ଚଳର ପରିଚିତ ନାମ । ଅନେକ ପୂର୍ବତନ ଗଉନ୍ତିଆ ଏବଂ ଗାଁ ମହାଜନଶ୍ରେଣୀର ଅଟନ୍ତି । ଗାଁ ମହାଜନ ଏକ ସମ୍ମାନନୀୟ ଲୋକପଦବୀ । କିନ୍ତୁ ମାରୱାଡ଼ି ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଚାକିରୀ ଆଦିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ଭଳି ରାଜନୀତିରେ ମଧ୍ୟ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଛନ୍ତି ।
ଏହି ପୃଷ୍ଠଭୂମି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରି ଯିବାର କାରଣ ଖୋଜିବାକୁ ଗଲେ ପାରିବେଶିକ ଏବଂ ତାକ୍ରାଳିକ ଦୁଇଟି କାରଣ ଉପରେ ବିଚାର କରିବାକୁ ହେବ । ପରିବେଶ ଦୃଷ୍ଟିରୁ ବିଚାର କଲେ ବ୍ୟବସାୟିକ କେନ୍ଦ୍ର କଣ୍ଟାବାଞ୍ଜିରେ ଜମି ଓ ଜଙ୍ଗଲଜାତ ସାମଗ୍ରୀର ବ୍ୟବସାୟ ସହ ମହାଜନୀ ଅର୍ଥାଗମର ଗୋଟିଏ ଗୋଟିଏ ବଡ଼ ଇଲାକା । ଏଠାରେ ମଣିଷକୃତ ସଙ୍କଟକୁ ମଧ୍ୟ ଦୈବୀ ଆପଦା ଭାବରେ ସ୍ୱୀକାର କରି ନିଅନ୍ତି । ନିଜର ଆଜୀବିକା ହରେଇଲା ପରେ ସେମାନେ ବଜାର ନିକଟରେ ନିଜକୁ ମଧ୍ୟ ସମର୍ପି ଦେଇଛନ୍ତି । ତେଣୁ ପଣ୍ୟ ହୋଇ ଦାଦନ ଯାଇଥାନ୍ତି । ଅର୍ଥନୀତିର ପ୍ରାଣକେନ୍ଦ୍ର କଣ୍ଟାବାଞ୍ଜିରୁ ଯଦି ନବୀନ ପଟ୍ଟନାୟକ ବିଧାୟକ ହୁଅନ୍ତି, ତା’ହେଲେ ଯିଏବି ଜଣେ ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ରହିବେ । କଣ୍ଟାବାଞ୍ଜି ଅଞ୍ଚଳର ଲୋକଙ୍କ ଚରିତ୍ର ହେଲା ଯେ ସେମାନେ ବେପାରୀ, ଦାଦନ ସର୍ଦ୍ଦାର ଏବଂ ନେତା ନିଜେ ତିଆରି କରିଛନ୍ତି । ସମୂହ ସେମାନଙ୍କୁ ମାନ୍ୟତା ଦେଇଥାଏ । ଏହି ବଜାରର ମୌଳିକ ଚରିତ୍ର ଅବ୍ୟବସ୍ଥିତ ହୋଇଯିବାର ଭୟ ରହିଅଛି । ତେଣୁ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଲାବେଳେ ବଜାର ପରିଚାଳନା ସ୍ତରରେ ଥିବା ଲୋକେ ଚିନ୍ତା କରିବାକୁ ବାଧ୍ୟ ହେଲେ । ଗୋଟିଏ ସମ୍ପନ୍ନ ଓ ସ୍ୱପରିଚାଳିତ ବଜାର ସବୁବେଳେ ଗୋଟିଏ ପ୍ରଶାସନିକ ଚାପରେ ରହିବ ।
ଦ୍ୱିତୀୟ କାରଣ ତାକ୍ରାଳିକ; କଂଗ୍ରେସ ସରକାରକୁ ହଟେଇ ବିଜୁ ପଟ୍ଟନାୟକଙ୍କ ପୁନରୁତ୍ଥାନ ସମୟରେ ଶେଷଥର ପାଇଁ ପ୍ରସନ୍ନ କୁମାର ପାଲଙ୍କୁ ଲୋକେ ବିଧାୟକ କରି ପଠେଇଲେ । ଏହାପରେ ସନ୍ତୋଷ ସିଂ ସାଲୁଜା ଏବଂ ହାଜି ମହମ୍ମଦ ଅୟୁବ ଖାନଙ୍କୁ ପରସ୍ପରର ବିକଳ୍ପଭାବେ ତିଆରି କରି ସାରିଥିଲେ । ୧୯୯୫ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଏହି ଦୁଇଜଣ ହିଁ କ୍ଷମତାରେ ରହି ଆସିଛନ୍ତି ।
ନିଶ୍ଚିତ ନବୀନ ପଟ୍ଟନାୟକଙ୍କୁ କାହାସହ ତୁଳନା କରାଯାଇ ପାରିବ ନାହିଁ । କିନ୍ତୁ ତାକ୍ରାଳିକ କାରଣମାନଙ୍କୁ ଅନୁଧ୍ୟାନ କଲେ ନିର୍ବାଚନ ପରିଚାଳନା ମୁଖ୍ୟ ହୋଇ ରହେ । ୨୦୨୪ ନିର୍ବାଚନରେ ଦେଖାଗଲା ଦଳୀୟ କର୍ମୀମାନଙ୍କୁ ଅଣଦେଖା କରି ଅମଲାଙ୍କ ଦ୍ୱାରା ନିର୍ବାଚନ ପରିଚାଳିତ ହେଲା । ଦଳୀୟ କର୍ମୀମାନଙ୍କ ନିଷ୍ଠା ଓ ପରିଶ୍ରମକୁ ଅଣଦେଖା କରାଗଲା ।
ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା ଉପରୋକ୍ତ କଥାକୁ ସ୍ୱୀକାର କରିବା ସହ କହନ୍ତି ସରକାରଙ୍କ ଲୋକହିତକର ଯୋଜନା ଏବଂ ଅନ୍ୟ ଅନେକ ଯୋଜନାରେ ଲୋକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ବଢିଛି । ଲୋକେ ବାବୁ ସଂସ୍କୃତିକୁ ଖୁବ ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଆନ୍ତି । ସେ ଯେହେତୁ ନିଜେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି, ସେ ଦିନେ ବି ଲୋକଙ୍କ ନିକଟକୁ ଯାଇ ନାହାନ୍ତି । ଲୋକେ ତାଙ୍କୁ ନିକଟରୁ ଦେଖିବାକୁ ଚାହୁଁଥିଲେ । ଅଫିସରରାଜ ଭୟରେ ମଧ୍ୟ ଲୋକେ ବାଧ୍ୟହୋଇ ଇଚ୍ଛା ବିରୋଧରେ ଭୋଟ କରିଛନ୍ତି ।
ଲୋକେ ଆଜି ପର୍ଯ୍ୟନ୍ତ ଦେଖି ଆସିଛନ୍ତି ବଦଳି ହୋଇ ଗଲାବେଳେ ଅମଲା ଅଧିକାରୀମାନେ ପୂର୍ବାପେକ୍ଷା ଅଧିକ ସମୃଦ୍ଧ ହୋଇ ଫେରିଥାନ୍ତି । ଇଂରେଜ ଅମଳରୁ ଏହି ଦୃଶ୍ୟ ସାଧାରଣ ହୋଇ ସାରିଛି । ବିଦେଶରେ ନିଜର ଚାକିରୀକାଳ ସମାପନ କରି ଫେରିଥିବା ଅଞ୍ଚଳର ଜଣେ ଭଦ୍ରବ୍ୟକ୍ତି ଏହି ପତ୍ରକାରକୁ ନିଜର ଅନୁଭୂତି କହିଲାବେଳେ କହିଥିଲେ, ଏକଦା ତୁରେକେଲା ବିଡିଓଙ୍କ ନିକଟରୁ କୌଣସି କାଗଜାତରେ ସନ୍ତକ ପାଇଁ ଯାଇଥାନ୍ତି । ଅଫିସ ପାଇଁ ପ୍ରସ୍ତୁତ ହେଉଥିବା ବିଡିଓ ପତ୍ନୀଙ୍କୁ ଚିଠିଲେଖାରେ ସହଯୋଗ କରୁଥାନ୍ତି । ବିଡିଓଙ୍କ ନିର୍ଦ୍ଦେଶ ର ମର୍ମ ଥିଲା ଗତବର୍ଷ ମରୁଡ଼ି ଯୋଗୁଁ ଶସ୍ତାରେ ସୁନା ଏତିକି ତୋଳା କିଣିପାରିଲୁ । ଚଳିତବର୍ଷ ମଧ୍ୟ ମରୁଡ଼ି ସମ୍ଭାବନା ଅଛି, ତେଣୁ ବାପା (ବିଡିଓଙ୍କ ଶ୍ୱଶୁର) ଦଶହଜାର ଟଙ୍କା ପଠେଇ ଦିଅ ସୁନା କିଣିବା ପାଇଁ!
ଅନ୍ୟପଟେ ଦେଖାଯାଏ ଗତ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ପ୍ରଶାସନ ପରିଚାଳିତ କରୁଥିଲା । ଲୋକଙ୍କ ସଂପୃକ୍ତି ସତ୍ତ୍ୱେ ଅଧିକାରୀମାନେ ସମସ୍ତ ପରିଚାଳନା କରୁଥିଲେ । କୌଣସି ଅଧିକାରୀ ବସି ରହୁ ନଥିଲେ । କାମର ଚାପରେ ସମସ୍ତେ ରହୁଥିଲେ । ରହିବା ଉଚିତ ମଧ୍ୟ । ଏଥିରୁ ନିସ୍ତାର ପାଇବା ପାଇଁ ସେମାନେ ବିଜଦ ସରକାରଙ୍କ ନିକଟରୁ ମୁକ୍ତି ଚାହୁଁ ନଥିଲେ ତ? ଯାହାର ଫଳ ସମଗ୍ର ଓଡ଼ିଶାରେ ଦେଖିବାକୁ ମିଳିଲା । ସମ୍ଭାବନା ଅନେକ, କିନ୍ତୁ କଣ୍ଟାବାଞ୍ଜିରେ ପାଣ୍ଡିଆନ ପ୍ରସଙ୍ଗ ମଧ୍ୟଗୋଟିଏ ପ୍ରମୁଖ କାରଣ ରହିଥିଲା ।
ସାଧାରଣ ଭୋଟର ଗର୍ବ କରୁଥିଲେ ସ୍ୱୟଂ ନବୀନ ପଟ୍ଟନାୟକ ଆମର ବିଧାୟକ ପ୍ରାର୍ଥୀ କିନ୍ତୁ ଭୋଟ ଦେଇପାରିଲେ ନାହିଁ, ଏହା ହିଁ ସାଧାରଣଙ୍କ ଏକ ବଡ ଅବସୋସ । ଏହାର ଭୋଟ ରାଜନୀତି ଦିଗଟି ଏହିପରି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜଦରୁ ପ୍ରାର୍ଥୀ ହେବା କଥା ଜୋରସୋରରେ ପ୍ରଚାର ଚାଲିଲା । ଅନ୍ୟ ପ୍ରତ୍ୟାଶୀ ତଦନୁରୂପ ନିଜକୁ ପ୍ରସ୍ତୁତ କରୁଥିଲେ । ହଠାତ ନବୀନ ପଟ୍ଟନାୟକଙ୍କୁ ପ୍ରର୍ଥୀ ଭାବରେ ଘୋଷଣା କରାଗଲା । ପ୍ରାଥମିକ ସ୍ତରରେ ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ନିଜର ହାତ ଟେକି ସାରିଥିଲେ । ଏଠାରେ ଦଳ ଅପେକ୍ଷା ବ୍ୟକ୍ତିଙ୍କ ମାନ୍ୟତା ଅଧିକ । ସମସ୍ତଙ୍କ ନିଜସ୍ୱ ରାଜନୈତିକ ସଙ୍ଗଠନ ରହିଅଛି । କେବଳ ଭାଜପାକୁ ଛାଡ଼ି । ଭାଜପା ଗୋଟିଏ ଦଳ ଯିଏ ନିଜର ଭୋଟକୁ ବ୍ୟକ୍ତିକୈନ୍ଦି୍ରକ ହେବାକୁ ଦେଇନାହିଁ ।
ଲକ୍ଷ୍ମଣ ବାଗ ପୂର୍ବରୁ ଭାଜପାରୁ ହିଁ ଦୁଇଥର ପ୍ରାର୍ଥୀ ହୋଇ ହାରିଥିଲେ । ୨୦୧୯ ନିର୍ବାଚନରେ ମାତ୍ର ୧୧୪ଭୋଟର ବ୍ୟବଧାନ ରହିଥିଲା । ତାଙ୍କର ସଙ୍ଗଠନ କହିଲେ ଏକତରଫା ଯାଦବ ଶକ୍ତି ହିଁ ଅଟେ । ଐତିହାସିକ ସମୟରୁ ଯାଦବ, ଗଉଡ଼ ବା ସ୍ଥାନୀୟ ଭାଷାରେ ନରିହା ଜାତି ମିତାନ ଗୋଷ୍ଠୀ ଭାବେ ସମ୍ମାନ ପାଇଥାନ୍ତି ।
ପରବର୍ତ୍ତୀ ସମୟରେ ଛତିଶଗଡ଼ ଶିକ୍ଷାମନ୍ତ୍ରୀ ବି୍ରଜମୋହନ ଅଗ୍ରୱାଲଙ୍କ ଆଗମନ ହୁଏ କଣ୍ଟାବାଞ୍ଜିକୁ । ଭୋଟର ମାନସିକତାରେ କ୍ରମ ପରିବର୍ତ୍ତନ ହେଲା । ଫଳାଫଳ ବେଳକୁ ଦେଖାଗଲା ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଏକ ରେକର୍ଡ ସଂଖ୍ୟାରେ ଭୋଟ ପାଇ ଜିତିଲେ । ନିଶ୍ଚିତ ଗୋଟିଏ ଆଶ୍ଚର୍ଯ୍ୟର ଫଳାଫଳ ଆସିଲା । ରାଜ୍ୟ ତଥା ରାଷ୍ଟ୍ରୀୟ ଗଣମାଧ୍ୟମ ଲକ୍ଷ୍ମଣ ବାଗଙ୍କ ଗୁଣଗାନ କଲା । ଏପରିକି ସାମାଜିକ ଗଣମାଧ୍ୟମରେ ଶ୍ରୀ ବାଗ ବାହାବା ନେଲେ । ମନ୍ତ୍ରିମଣ୍ଡଳ ତିଆରି ହେଲା ।
ଏତିକିରେ କାହାଣୀ ସରିଯାଏ ନାହିଁ । ମିଥ୍ୟା ସତ୍ୟପାଠ ଅଭିଯୋଗରେ ଲକ୍ଷ୍ମଣ ବାଗଙ୍କ ନାମରେ ଅଦାଲତରେ ମାମଲା ରୁଜ୍ଜୁ ହୋଇସାରିଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କୋର୍ଟ ନୋଟିସ ମଧ୍ୟ କରି ସାରିଛନ୍ତି ।
ସୁତରାଂ ଏଠାକାର ସାଧାରଣ ଲୋକ ନିଜ ନିଜର ସୁଖଦୁଃଖ ନେଇ ରହିବାକୁ ପସନ୍ଦ କରନ୍ତି ।
Comments
0 comments