ଜଳବାୟୁ ପରିବର୍ତ୍ତନ ସହ ବିକାଶ ନାମରେ ପ୍ରକୃତି ବିରୋଧୀ ପ୍ରକଳ୍ପ ଗୁଡ଼ିକ ଜରିଆରେ ଅନେକ ନଦୀଗୁଡ଼ିକର ପ୍ରାଣହାନି କରାଯାଉଛି । ଦେଶର ଗଙ୍ଗାଠାରୁ ଆରମ୍ଭ କରି ନର୍ମଦା ପରି ଅନେକ ହିମାଳୟ, ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତ ମାଳାରୁ ମହାନଦୀ ପରି ଜନ୍ମିତ ଅନେକ ନଦୀଗୁଡ଼ିକର ପ୍ରାକୃତିକ ଅବିରଳ ଓ ନିର୍ମଳ ଜଳଧାରା ପ୍ରବାହରେ ସଂକଟ ସୃଷ୍ଟି ହୋଇଛି । ନଦୀଗୁଡ଼ିକର ମୂଳ ସ୍ରୋତ ଉପରେ ଓ ଉପନଦୀଗୁଡ଼ିକରୁ ଜଳର ବିବିଧକାରଣ ଓ ଗତି ପରିବର୍ତ୍ତନ ଦ୍ୱାରା ମୂଳ ତଥା ମୁଖ୍ୟନଦୀର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି ।
ତେଣୁ ବିଶ୍ୱରେ ବିଭିନ୍ନ ଦେଶର ଅନେକ ପ୍ରମୁଖ ନଦୀଗୁଡ଼ିକୁ ବିପର୍ଯ୍ୟୟରୁ ବଞ୍ଚାଇବାକୁ ଯାଇ ବହୁ ବଡ଼ବଡ଼ ନଦୀବନ୍ଧ ତଥା ଜଳଭଣ୍ଡାରଗୁଡ଼ିକୁ ଭାଙ୍ଗି ଦିଆଯାଇଛି । ୧୯୧୨ରୁ ଏ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ୨୧୧୯ଟି ଡ୍ୟାମକୁ ହଟାଇ ଦିଆଯାଇଛି । ସଦ୍ୟ ୨୦୨୩ରେ ୮୦ଟି ଭାଙ୍ଗି ଦିଆଯାଇଛି । ସେଠାରେ ପ୍ରମୁଖ ବଡ଼ ନଦୀ ସଲମନ ଓ କ୍ଲମାଥ ନଦୀ ଉପରେ ଥିବା ବଡ଼ ଜଳଭଣ୍ଡାରକୁ ହଟାଇ ଦେବା ପରେ ସେହି ନଦୀଗୁଡ଼କିର ଜଳପ୍ରବାହରେ ଉନ୍ନତି ଦେଖାଦେଇଛି । ଯେଉଁ ମାଛ ପ୍ରଜାତିଗୁଡ଼ିକ ହଜି ଯାଇଥିଲେ ସେ ସବୁର ପୁନଃଉପସ୍ଥିତି ଆସିଛି । ଅବିରଳ ଧାରା ଓ ଜୈବ ବିବିଧତା ପୁନଃଜୀବିତ ହୋଇଛି । ଏହାଦ୍ୱାରା ନଦୀ ଦୀର୍ଘଜୀବୀ ହେବା ନିଶ୍ଚିତ ହୋଇଛି ଓ ଦୁଇ କୂଳରେ ଥିବା କୃଷି ସମେତ ସମସ୍ତ ଜୀବ ଉପକୃତ ହୋଇଛନ୍ତି । ସେହିପରି ୟୁରୋପରେ ମଧ୍ୟ ୪୮୭ଟି ଛୋଟ ବଡ଼ ନଦୀବନ୍ଧକୁ ହଟାଇ ଦିଆଯାଇଛି । କିନ୍ତୁ ଆମଦେଶରେ ବଡ଼ ନଦୀବନ୍ଧ ନିର୍ମାଣ ମାନସିକତା ଘାରି ରଖିଛି ଯାହାର ପରିବର୍ତ୍ତନର ଆବଶ୍ୟକତା ରହିଛି ।
ମାନବସଭ୍ୟତା ଗଢ଼ିବାରେ ନଦୀର ଭୂମିକା ଐତିହାସିକ । ମାନବ ସମେତ ପଶୁ-ପକ୍ଷୀ ତଥା ଜୀବଜଗତ ପାଇଁ ନଦୀ ଜୀବନରେଖା । ସେଥିପାଇଁ ନଦୀର ଅମରତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଧୁନିକତାର ଅତ୍ୟଧିକ ମାତ୍ରା ଭୋଗବାଦୀ ଜୀବନ ଶୈଳୀ ପାଇଁ ଅବିଚାରିତ ବିକାଶ ପ୍ରକ୍ରିୟାରେ ନଦୀର ଶରୀର ଓ ଆତ୍ମା ଉପରେ ଅତ୍ୟାଚାର କରିଚାଲିଛେ ଆମେ । ତେଣୁ ନଦୀକୁ ସୁରକ୍ଷିତ ରଖିବାପାଇଁ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟରେ କୁହାଗଲା ନଦୀ ବି ଏକ ଜୀବନ୍ତ ଜୀବ, ଯାହାର ବଞ୍ଚିବାର ଅଧିକାର ଅଛି । ବିଶ୍ୱରେ ନଦୀର ଦୀର୍ଘାୟୁ ପାଇଁ ଇକ୍ୱେଡ଼ର, ଚିଲି, ବଉଲିଆ, ଅଷ୍ଟ୍ରେଲିଆ ପରି ଦେଶରେ ନଦୀ ସଂରକ୍ଷଣ ଆଇନ ପ୍ରଣୟନ କରାଯାଇଛି ।
ଆମ ଦେଶରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ତଥ୍ୟ ଅନୁଯାୟୀ ୩୫୧ଟି ନଦୀ ପ୍ରଦୂଷିତ । ସେଥିମଧ୍ୟରୁ ଓଡ଼ିଶାର ମହାନଦୀ-ବ୍ରାହ୍ମଣୀ ଠାରୁ ଆମ୍ଭର କରି ଦୟା, ଋଷିକୁଲ୍ୟା ପର୍ଯ୍ୟନ୍ତ ୧୯ଗୋଟି । ଏଥିର ଗଙ୍ଗୁଆ ନଦୀକୁ ନର୍ଦ୍ଦମାନାଳରେ ପରିଣତ କରିଦିଆଗଲାଣି । ଏବେ ନଦୀ ପ୍ରତି ବଡ଼ ବିପଦ ରୂପେ ଠିଆ ହୋଇଛିନ୍ତି ନଦୀର ମୂଳସ୍ରୋତକୁ ବନ୍ଧାଇ ବଡ଼ ନଦୀବନ୍ଧ, ନଦୀର ଉତ୍ପତ୍ତିସ୍ଥଳ ଜଙ୍ଗଲରେ ଖଣି ଖନନ, ନଦୀଶଯ୍ୟାରୁ ପ୍ରଚୁର ବାଲି ଚୋରା·ଲାଣ ଓ ଶିଳ୍ପାଞ୍ଚଳର ରାସାୟନିକ ବର୍ଜ୍ୟବସ୍ତୁ । ଗତ ସରକାର ଦ୍ୱାରା ଆମ ରାଜ୍ୟରେ ୨୬ଗୋଟି ନଦୀ ଓ ଉପନଦୀ ଉପରେ ୨୮ଗୋଟି ଜଳଭଣ୍ଡାର, ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରୁ ଋଷିକୂଲ୍ୟା ପିପଳପଙ୍କା ପରି କେତେ ନଦୀର ଏକମାତ୍ର ମୂଳ ଜଳଧାରକୁ ଅଟକାଇ ବଡ଼ ବନ୍ଧ ବାନ୍ଧିବାକୁ ଯୋଜନା ହୋଇଛି । ଏହା ଫଳରେ ବର୍ଷାଦିନ ପରେ ନଦୀରେ ଟୋପାଏ ବି ଜଳ ରହିବ ନାହିଁ । ପ୍ରତ୍ୟେକ ନଦୀ ସ୍ଥାନୀୟ ସମୁଦାୟଙ୍କ ଜୀବନରେଖା । ନଦୀର ଜୀବନ ହେଉଛି ଅବିରଳ ନିର୍ମଳ ପ୍ରାକୃତ ଧାରା, ଯାହାପାଇଁ ବାଲିଶଯ୍ୟାର ଆବଶ୍ୟକତା ରହିଛି । ଯଦି ଅତ୍ୟାଧିକ ବାଲି ଚାଲିଯାଏ, ତାହା ହେଲେ ଜଳଧାରଣ ଶକ୍ତି କମିଯାଏ ଓ ଭୂତଳକୁ ଜଳ ନିର୍ଗତ ହୋଇପାରେ ନାହିଁ । ନଦୀର ଧାରା ସମ୍ପୂର୍ଣ୍ଣ ଶୁଖିଗଲେ ଜଳ ମୃତନଦୀରେ ପରିଣତ ହୋଇଯାଏ ।
ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୂଲ୍ୟା ନଦୀ । ଏହି ନଦୀର ଉପନଦୀ ଜରଉ, ବଡ଼ ନଦୀ, ବାଘୁଆ, ଧନେଇ ଓ ଘୋଡ଼ାହାଡ଼ ନଦୀ ଉପରେ ବଡ଼ ଓ ମଧ୍ୟମ ଜଳଭଣ୍ଡାର ନିର୍ମିତ ହେଉଛି । ଅନ୍ୟ ଏକ ଉପନଦୀ ପଦ୍ମା ଉପରେ ଋଷିକୂଲ୍ୟାରେ ମିଶିବାପୂର୍ବରୁ ଏକ ବ୍ୟାରେଜ ହୋଇଛି । ଏ ସବୁ ଉପନଦୀରେ ବର୍ଷାଦିନ ପରେ ନଭେମ୍ବର ମାସରୁ ଜୁନ ପର୍ଯ୍ୟନ୍ତ ଟୋପାଏ ବି ପାଣି ଆସେ ନାହିଁ । ଋଷିକୂଲ୍ୟାରେ କେବଳ ଅଡ଼ଙ୍ଗିନାଳ ଓ ଋଷିମାଳ ପର୍ବତରୁ ଆସିଥିବା ଋଷିକୂଲ୍ୟା ମୂଳଧାର ସମୁଦ୍ର ମୁହାଣ ଗଂଜାମ ପର୍ଯ୍ୟନ୍ତ ବହୁଛି । ତାହା ମଧ୍ୟ ଗ୍ରୀଷ୍ମଋତୁରେ ଅତିକମ । ଏବେ ଯଦି ଋଷିକୂଲ୍ୟା- ଅଡ଼ଙ୍ଗିର ମିଳନସ୍ଥଳ ପିପଳପଙ୍କା ପାହାଡ଼କୁ ବନ୍ଧାଇ ଜଳଭଣ୍ଡାର ହୁଏ ତାହା ହେଲେ ଋଷିକୂଲ୍ୟା ନଦୀ ସୋରଡ଼ାଠାରୁ ଗଂଜାମ ମୁହାଣ ପର୍ଯ୍ୟନ୍ତ ଶୁଖିଲା ପଡ଼ିବ । ନଦୀର ଦୁଇକୂଳେ ଥିବା ଉଠାଜଳସେଚନ ପଏଣ୍ଟଗୁଡ଼ିକ ଅଚଳ ହୋଇଯିବା ସହ କୂଅ ପୋଖରୀଗୁଡ଼ିକର ଜଳସ୍ତର କମିବାରେ ଲାଗିବ । ନଦୀକୂଳିଆ ଜୈବ ବିବିଧତା ସମ୍ପୂର୍ଣ୍ଣ ବିଲୋପ ହୋଇଯିବ । ପଶୁ-ପକ୍ଷୀ, ନଈକୂଳ ଗାଁ ଲୋକେ ଚୁଆଁ କରି ପାଉଥିବା ପିଇବା ପାଣିରୁ ବଞ୍ଚôତ ହେବେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଅଭାବଦ୍ୱାରା କ୍ରମଶଃ ଜଳଧାର ବି କମିଯାଉଛି ଯାହାଦ୍ୱାରା ସମୁଦ୍ର ଆଡ଼ୁ ଲୁଣିଆପାଣି ନଦୀ ଭିତରକୁ ଆସିଯାଉଛି । ମୁହାଣରେ ବେକୱାଟରରେ ଯେପରି ମାଛ ମିଳୁଥିଲା, ତାହା କମିବାରେ ଲାଗିଛି । ଯଦି ପିପଳାପଙ୍କା ଡ୍ୟାମ ହୁଏ, ତାହାହେଲେ ସମ୍ପୂର୍ଣ୍ଣ ଭାବେ ନଦୀ ଶୁଖିଯିବ ଓ ନିର୍ମାଣ ପରେ ପାଞ୍ଚବର୍ଷ ମଧ୍ୟରେ ମୃତନଦୀରେ ପରିଣତ ହେବ । ଏବେ ଛତ୍ରପୁର-ଗଂଜାମ ଅଞ୍ଚଳର ନଦୀକୂଳିଆ ଗାଁମାନଙ୍କରେ ନଦୀରୁ ଜଳଯୋଗାଣ ହେଉଥିବା ବୋରୱେଲରୁ ଲୁଣିଆ ପାଣି ଆସୁଛି, କୂଅମାନଙ୍କରେ ମଧ୍ୟ । ମଧୁରଜଳ ଶୂନ୍ୟ ହୋଇଗଲେ ଗଂଜାମ ମୁହାଣରେ ହଜାର ହଜାର ଅଲିଭ ରିଡ଼ଲେ କଇଁଛମାନଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟିହେବ । ତେଣୁ ଏହା ସହ ପିପଳପଙ୍କା ଜଙ୍ଗଲ ଧ୍ୱଂସ ହେବା ସହ ୨୩ଖଣ୍ଡ ଗ୍ରାମ ଡୁବିଯିବ ଓ ସେଠାର ଆଦିବାସୀ ସମେତ ଶହ ଶହ ଗ୍ରାମବାସୀ ବିସ୍ଥାପିତ ହେବେ, ଜୀବିକା ହରାଇବେ ଓ ଶହ ଶହ ଏକର ·ଷଜମି ମଧ୍ୟ ବୁଡ଼ିଯିବ । ତେଣୁ ବର୍ତ୍ତମାନର ନୂତନ ସରକାର ଏସବୁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ଅନ୍ତତଃ ମୂଳସ୍ରୋତକୁ ଅଟକାଉଥିବା ଓ ସମୁଦ୍ର ମୁହାଣରେ ସଂକଟ ସୃଷ୍ଟି କରିବାକୁ ପିପଳପଙ୍କା ପରି ପ୍ରକଳ୍ପଗୁଡ଼ିକୁ ବାତିଲ କରିବା ବିଜ୍ଞତାର ପରିଚୟ ହେବ ଯାହାଦ୍ୱାରା ନଦୀଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ ନିଶ୍ଚିତ ହୋଇପାରିବ । ଜଳସେଚନ ପାଇଁ ହେଉକି କଂପାନୀ-ସହରୀକରଣ ପାଇଁ ହେଉ ନଦୀର ମୂଳସ୍ରୋତକୁ ମାରି ଦେଇ ବନ୍ଧବାନ୍ଧିବା ସାଧାରଣ ଜନତା ସମେତ ଜୀବଜଗତ ପ୍ରତି ହାନିକାରକ । ନାଗରିକ ରୂପେ ଆମ ସମସ୍ତଙ୍କ କର୍ତ୍ତବ୍ୟ ନଦୀଶଯ୍ୟାକୁ ସଫା ରଖିବା, ନଦୀ ବାଲି ଚୋରିକୁ ଅଟକାଇବା ଓ ନଈର ଦୁଇ କୂଳେ ବନୀକରଣ କରିବା । ସରକାର ଛୋଟ ଛୋଟ ନଦୀଗୁଡ଼ିକୁ ଅବହେଳିତ ଅବସ୍ଥାରୁ ଉଦ୍ଧାର କରିବାପାଇଁ ଗ୍ରାମ ପଞ୍ଚାୟତ ଜରିଆରେ ନଦୀଭିତରେ ବୃଦ୍ଧିପାଉଥିବା ଗଛଲତାକୁ ହଟାଇବା ସହ ରାସାୟନିକ ପ୍ରଦୂଷଣରୁ ମୁକ୍ତ ରଖିବାକୁ ବ୍ୟାପକ ପଦକ୍ଷେପ ଓ ପ୍ରଦୂଷଣ ନିରୋଧ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ସ୍ୱତନ୍ତ୍ର ଯୋଜନା କରିବା ଏକାନ୍ତ ଜରୁରୀ । ଜଳସେଚନ ପାଇଁ ଋଷିକୂଲ୍ୟାର ସମସ୍ତ ଉପନଦୀରେ ନିର୍ମିତ ଜଳଭଣ୍ଡାର ଗୁଡ଼ିକରୁ ପଙ୍କ-ମାଟି ବାହାର କରି ଅଧିକ ଜଳ ରଖିବା ପାଇଁ ଯୋଜନା ଏକାନ୍ତ ଜରୁରୀ ଓ ବର୍ଷା ଜଳକୁ ଦୁଇ କୂଳରେ ଥିବା ବଡ଼ ବଡ଼ ପୁଷ୍କରିଣୀ, ତାମ୍ପରାଗୁଡ଼ିକରେ ସାଇତି ରଖିବା ପାଇଁ ବ୍ୟବସ୍ଥା କରାଯାଇପାରିବ । ତେଣୁ ସରକାରଙ୍କ ପକ୍ଷରେ ପ୍ରଥମେ ନଦୀର ସୁରକ୍ଷା ଓ ବିକଳ୍ପ ଜଳ ସଂରକ୍ଷଣ ପାଇଁ ଯୋଜନା ଏକାନ୍ତ କାମ୍ୟ । ପ୍ରକଳ୍ପ ନାମରେ ନଦୀକୁ ମାରିଲେ ସଭ୍ୟତା ମରିବ, ମାନବିକତା ପ୍ରତି କୁଠାରଘାତ ହେବ ।
Comments
0 comments