୧୮୧୩ ବେଳକୁ ଭାରତୀୟ ଚାଷୀମାନେ ପ୍ରାୟ ୧୦୦ବର୍ଷ ଫିରିଙ୍ଗି ଶାସନର ଅତ୍ୟାଚାର, ଜୁଲୁମ ବା ନିର୍ଯାତନା ଭୋଗିଲେଣି । ଚାଷୀ, ମୂଲିଆ, ସାଧାରଣ ମଣିଷମାନେ ସବୁ ଯୁଗରେ ଜାଣନ୍ତି କାମ କରିବେ । ଖଟିବେ । ପେଟକୁ ଗଣ୍ଡେ ଖାଇବେ । ପରିବାର ପୋଷିବେ । ଆଣ୍ଠୁ ଲୁଚୁ ନଥିବା ଖଣ୍ଡେ ପିନ୍ଧି ମୁଣ୍ଡରେ ଠେକାଟିଏ ରଖିପାରିଲେ ସେମାନଙ୍କ ପାଇଁ ଯଥେଷ୍ଟ । ଶାସକଗୋଷ୍ଠୀର ତଳ ଠାରୁ ଉପର ପର୍ଯ୍ୟନ୍ତ ଏଇ ଲୋକମାନଙ୍କୁ ହିସାବରେ ନିଅନ୍ତି ନାହିଁ । କାମ ମନକୁ ନ ପାଇଲେ ମାଡ଼ପିଟ ମଧ୍ୟ କରନ୍ତି ।
ଐତିହାସିକମାନେ କୁହନ୍ତି ଏସିଆ ମହାଦେଶରେ ବିଭିନ୍ନ ଦେଶର ସରକାରମାନେ ରାଜାରାଜୁଡା ଶାସନ କାଳଠାରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ମୁଖ୍ୟତଃ ତିନୋଟି ବିଭାଗଦ୍ୱାରା ଦେଶ ଶାସନ କରୁଥିଲେ । ଅର୍ଥ, ଲୁଟ ଏବଂ ଯୁଦ୍ଧ ବା ଅନ୍ୟଦେଶକୁ ଲୁଣ୍ଠନ । ବିଲାତରୁ ଇଷ୍ଟଇଣ୍ଡିଆ କମ୍ପାନୀ ଆସି ପଲାସି ଯୁଦ୍ଧରେ ସିରାଜୌଦଲ୍ଲାକୁ ପରାସ୍ତ କଲା । ବଙ୍ଗ, ଓଡିଆ ଓ ବିହାର ଶାସନ ନିଜହାତକୁ ନେଲା । କ୍ଲାଇବଙ୍କର ମୁଖ୍ୟ କାମ ରହିଲା ଅର୍ଥ ଓ ଯୁଦ୍ଧ । ଚାଷୀ ବା ସାଧାରଣ ମଣିଷର ସୁବିଧା ପାଇଁ ଜଳସେଚନ, ରାସ୍ତାଘାଟ ତିଆରି, ସ୍କୁଲ ବସାଇବା ଭଳି କାମ ସେମାନଙ୍କ ଆଖିକୁ ଦିଶିଲା ନାହିଁ । ଅଧିକନ୍ତୁ ଚାଷୀ ଉପରେ ଅତିରିକ୍ତ ଖଜଣା ବସାଇ ଚାଷୀକୁ ତଳି ତଳାନ୍ତ କଲା । ଚାଷ ଭୁଶୁଡି ପଡ଼ିଲା ।
କାର୍ଲମାକ୍ସ ଭାରତରେ ବିଲାତ ଶାସନ ଉପରେ ଲେଖନ୍ତି, England has broken down the entire frame work of Indian society, without any symptoms of reconstitution yet appearing. This loss of the old world, with no gain of a new one, impacts a particular kind of melancholy to the present day misery of the Hindu, and separates Hindustan, ruled by Britain, from all its ancient traditions, and from the whole of its past history” (The first Indian war of Independence 1857-1859- Karl Marks & F.Engels, The British Rule in India, London, Friday June 10, 1853 page -14)..
ଆମଦେଶର ବହୁ ବୁଦ୍ଧିଜୀବୀ ଏପରି କୁହନ୍ତି ଯେ ବିଲାତ ସରକାର ଭାରତରେ ରାଜତ୍ୱ କରିବାଦ୍ୱାରା ଦେଶରେ ରେଳଗାଡ଼ି ଚାଲିଲା । ରାସ୍ତା ଘାଟ ହେଲା । ଏହିପରି ବହୁବିଧ ଉନ୍ନତି ହୋଇଛି । ମାର୍କସ କୁହନ୍ତି, ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ରେଳରାସ୍ତା କରିବା ତା ନିଜ ସ୍ୱାର୍ଥ ପାଇଁ । ଚା, ନୀଳ, ଅଫିମ, ବିଲାତ ଓ ତାର କେତେକ ଉପନିବେଶ ପାଇଁ ଖାଦ୍ୟ ଭାରତରୁ ବିଦେଶକୁ ପଠାଯିବ । କମ୍ପାନୀର ବେପାର ବଢ଼ିବ । ଦେଶ ଭିତରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଅଳ୍ପଖର୍ଚ୍ଚରେ ନବା ଆଣିବା ପାଇଁ ରେଳ ଲାଇନ ସହାୟକ ହବ । ଫୋର୍ଟଉଲିୟମର ଭାରପ୍ରାପ୍ତ ଅଧିକାରୀ କଲୋନେଲ ୱାରେନ ବିଲାତର ହାଉସ ଅଫ୍ କମନ୍ସରେ ବକ୍ତବ୍ୟ ରଖିଥିଲେ, ““Railways will afford the means of diminishing the amount and the cost of the military establishment. The practicability of receiving intelligence from distant parts of the country in as many from as at present it requires days and even weeks, and of sending instructions with troops and stores, in the more brief period, are consideration which cannot be too highly estimated . Troops can be kept at more distant and healthier stations than at present, and much loss of life from sickness by this means be spared . Stores could not to the same extent be required at various depots, and the loss by decay and the destruction incidental to the climate, would also be avoided the numbers of troops might be diminished in direct proportion to their effectiveness” (the first Indian war of Indipendence,1857-1859,Karl Marks & F. Engels . The British Rule in India, July 22,1853 page 36)..
ରେଳରାସ୍ତା, ରେଳଗାଡ଼ି କଥା ଜାଣିବା ଆଉ କଣ ବାକି ରହିଲା?
ଶିକ୍ଷା । ମହାତ୍ମା ଗାନ୍ଧୀ ୧୯୩୧ ମସିହାରେ ଲଣ୍ଡନର ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାସନାଲ ଆଫାୟାରସ ମିଟିଂରେ କହିଥିଲେ । “I say without fear of my figures being challenged successfully that to-day India is more illiterate than it was fifty or hundred year ago. Because the British administration when they come to India, instead of taking lots of things as they were, began to root out that and the beautiful tree perished”. Asking The Earth – Winin Pereira and Jermemy Seabrook page-2. ଗାନ୍ଧୀଙ୍କୁ ମିଥ୍ୟା ପ୍ରମାଣିତ କରିବାକୁ ଭାରତରେ ବ୍ରିଟିଶ ଶିକ୍ଷା ସର୍ଭେ କରାଇଲା । ସର୍ଭେ ରିପୋର୍ଟରେ ଗାନ୍ଧୀଙ୍କ ବୟାନ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହେଲା । ତତ୍କାଳୀନ ବିଲାତର ସାକ୍ଷରତାଠାରୁ ଭାରତର ସାକ୍ଷରତା ଅଧିକା ଥିବା ଜଣାପଡ଼ିଲା ।
କପାଚାଷ ଓ କପା ତିଆରି ଲୁଗାପଟା ବ୍ୟବସାୟ ପାଇଁ ଭାରତ ୧୮୦୦ ଖ୍ରୀ.ଅ ପୂର୍ବରୁ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଐତିହାସିକ ଇରଫାନ ହବିବ People’s History of India -28 ରେ ଲେଖନ୍ତି “Before 1800 India was both the largest grower of cotton and the largest producer of cotton goods in the world .(Indian Economy 1858-1914- Irfan Habib page 92) । କୃଷିକାର୍ଯ୍ୟ ବ୍ୟତୀତ ହସ୍ତତନ୍ତ ଶିଳ୍ପରେ ଭାରତର ସର୍ବାଧିକ ଶ୍ରମିକ ନିଯୁକ୍ତି ପାଉଥିଲେ । ସେ କଥାକୁ ପରେ ଆସିବା । ଇଷ୍ଟଇଣ୍ଡିଆ କମ୍ପାନୀର ଭାରତରେ ରେଳରାସ୍ତା, ରାସ୍ତାଘାଟ ତିଆରି ସହିତ ତାର ସ୍ୱାର୍ଥ ଯେ ଅଧିକ ଜଡ଼ିତ ଥିଲା, ଏହା ଦର୍ଶାଇବା ପାଇଁ ଏସବୁର ଅବତାରଣା । ଚାଷୀ ଓ ଶ୍ରମିକମାନଙ୍କର ଦାରିଦ୍ର୍ୟ କମ୍ପାନୀ ରାଜତ୍ୱ କାଳରେ ବଢ଼ିଚାଲିଥିଲା । ନିଜେ କମ୍ପାନୀ ଗଭର୍ଣ୍ଣର ଜେନେରାଲମାନେ କହିଛନ୍ତି ।
ଲର୍ଡ ଉଇଲିୟମ ବେଣ୍ଟିକ ୧୮୩୫ରେ ଭାରତ ଛାଡ଼ିଲେ । ତାଙ୍କର ଅବସର ପରେ ସେ ଅନୁଭବ କଲେ ଯେ ବିଲାତ ଶାସନ ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । ““On his retirement, Bentinck continued to take interest in Indian Problems being a man with conscience, he told a committee of the house of commoners in 1837. British rule so far had been worse even than Muslim. cold, selfish and unfeeling ; The iron hand of power on the one side, monopoly and exclusion on the other”. (The History of Agriculture in India – Vol-iii page-91 by M.S Randhawa). ଅବସରପରେ ଗଭର୍ଣ୍ଣର କହୁଛନ୍ତି । ଗାଁ ଗଣ୍ଡାରେ କଥା ଅଛି ହନୁ ମଲାବେଳକୁ ସତ କହିଲା । ଗଭର୍ଣ୍ଣର ଜେନେରାଲମାନେ କାର୍ଯ୍ୟକାଳ ମଧ୍ୟରେ କୃଷକ ଶୋଷଣ ଓ ଲୁଣ୍ଠନ ଅବ୍ୟାହତ ରଖିଥାନ୍ତି । ଚାକିରିରୁ ଅବସର ନେଲେ ବହୁକଥା କହିପାରନ୍ତି । କୁମ୍ଭୀର କାନ୍ଦଣା ।
ଖଜୁରୀଗଛର କିସ ବାହୁନିବି ମୂଳରୁ ପାହାଚ ପାହାଚ । ଶିକ୍ଷାକୁ ଆସିବା । ମାଡ୍ରାସ ପ୍ରେସିଡେନ୍ସିରେ ୧୮୨୨ଗଭର୍ଣ୍ଣର ମୁନରୋ ଶିକ୍ଷା ସର୍ଭେ କରାଇଥିଲେ । ସେହିପରି ବମ୍ବେ ପ୍ରେସିଡେନ୍ସିରେ ୧୮୨୪ ଏବଂ ବିହାର, ବଙ୍ଗଳାରେ ୧୮୨୫ରେ ଉଇଲିୟମ ଆଡାମ ଏବଂ ପଞ୍ଜାବରେ ଶିକ୍ଷା ନିର୍ଦ୍ଦେଶକ ଜି.ଉବ୍ୱିର ଲିଟନର ୧୮୮୨ରେ ଶିକ୍ଷା ସର୍ଭେ କରାଇଥିଲେ । ୧୮୩୫ ସର୍ଭେରେ ଆଡମ ଜାଣିଲେ ଯେ ବଙ୍ଗଳା-ବିହାରର ପ୍ରତି ଗାଁରେ ସ୍କୁଲଟିଏ ଥିଲା । ମାଡ୍ରାସ ଓ ପଞ୍ଜାବ ସର୍ଭେରୁ ମଧ୍ୟ ଅନୁରୂପ ତଥ୍ୟ ମିଳିଥିଲା । ବମ୍ବେ ଗଭର୍ଣ୍ଣର କାଉନ୍ସିଲର ପ୍ରିଣ୍ଡର ଗାଷ୍ଟ ୧୮୨୧ରେ କୁହନ୍ତି ““There is hardly a village, great or small, throughout our territories, in which there is not at least one school and in the larger villages more; many in every town …. Where young natives are taught reading, writing and arithmetic upon a system so economical….and at the same time so simple and effective that there is hardly a cultivator or petty dealer who is not competent to keep his own accounts with a degree of accuracy…. Beyond what we meet with amongst the lower orders in our own county; which the more splendid dealers and bankers keep their book with a degree of ease conscience and clearness, I rather think fully equal to those of any British merchants”.
(Asking The Earth – Winin Pereira and Jermemy Seabrook page 19-20)
ଭାରତର ଗାଁଗଣ୍ଡାରେ ଭାରତୀୟ ଶିକ୍ଷାବ୍ୟବସ୍ଥା ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଅନ୍ତତଃ ଗ୍ରାମାଞ୍ଚଳରେ ଜାରି ଥିଲା । ଗାଁରେ ପ୍ରାଥମିକ ସ୍କୁଲଟିଏ ଥିଲା । କିନ୍ତୁ ପ୍ରତି ସାହିରେ ଚାହାଳି ଥିଲା । ଗାଁ ଅବଧାନ ପିଲାଙ୍କୁ ପିଣ୍ଡାରେ ବସାଇ ପଢ଼ାଉଥିଲେ । ମୁଁ ୨/୩ବର୍ଷ ଚାହାଳିରେ ପଢ଼ିଛି । ପଚିଶିକ ପଣିକିଆ, କଡାଗଣ୍ଡା କାଣୀବିଶ୍ୱା, ପାହିଅଣା, ବର୍ଣ୍ଣବୋଧ ଓ ରାମକୃଷ୍ଣ ନନ୍ଦଙ୍କ ସାହିତ୍ୟ ସୋପାନ ପଢ଼ିଛୁ । ସନ୍ଧ୍ୟାବେଳେ ଅବଧାନେ ସତର ଫଳା, ମାନସାଙ୍କ ପଚାରନ୍ତି । ଆମ ଗାଁରେ କାଙ୍ଗାଳି ଷଡ଼ଙ୍ଗୀ ଜଣେ ଲୋକ ୬୦/୭୦ବର୍ଷ । ମାଛମଞ୍ଜି ଭଳି ଅକ୍ଷର । ବିଦେଶରେ ସାନଭାଇ ଥାଏ । ଚିଠି ଲେଖନ୍ତି ଖଣ୍ଡିଏ କାର୍ଡରେ ଦିପଟେ ୪୦ଧାଡ଼ି ଲେଖନ୍ତି । ମହାଭାରତ, ପଞ୍ଚତନ୍ତ୍ର, ହିତୋପଦେଶ ଗପ ଆମକୁ ଶୁଣାନ୍ତି । ପ୍ରାୟ ବଡ଼ ଲୋକ କୁହନ୍ତି ହରଗୁଣ ଫେଡ଼ ମିଶା-ଆଉ ସବୁପାଠ ଫସର ଫସା । ଦୋକାନ ହିସାବ, ଧାନ ଅମଳ ହିସାବ, ମୂଲିଆ ହିସାବ ତୁଣ୍ଡେ ତୁଣ୍ଡେ ନିର୍ଭୁଲ । ଗାଁ ମାଷ୍ଟ୍ରଙ୍କର ଦରମା ମାସକୁ ୨ଟଙ୍କା, ଘରେ ଘରେ ପାଳି ଖାଆନ୍ତି । ଗାଁ ଚୌକିଦାର! ବିଲାତ ସରକାରଙ୍କୁ ଗାଁ ଗଣ୍ଡାର ଭଲ ମନ୍ଦ ଖବର ଦେବେ । ଚୋର ଜଗିବେ । ଗାଁଦାଣ୍ଡରେ କୁହାଟ ୨/୪ ଥର ମାରି ମକଦ୍ଦମଙ୍କ ଉଚ୍ଚ ପିଣ୍ଢାରେ ଢୁଳେଇବେ, ନାହିଁ ତ ଚୋର ସଙ୍ଗେ ମିଶି ଚୋରି କରିବେ । ଦରମା ମାସକୁ ୫ଟଙ୍କା । ଏକାତୁଠରେ ବାଘ ଛେଳି ପାଣି ପିଏଇବା ଫିରିଙ୍ଗି ଶାସନରେ ଆମ ଜାତୀୟ ଶିକ୍ଷାପ୍ରତି ଘୃଣ୍ୟ ମାନସିକତାର ପ୍ରମାଣ ଆଉ ଅଧିକ କଣ ହୋଇପାରେ?
ଭାରତରେ ନାଳନ୍ଦା ବିଶ୍ୱବିଦ୍ୟାଳୟ, ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ହଜାର ଦେଢ଼ହଜାର ବର୍ଷ ପୂର୍ବେ ହଜାର ହଜାର ଛାତ୍ରଙ୍କ ଉଚ୍ଚଶିକ୍ଷା ଦେବାକୁ ସକ୍ଷମ ହୋଇଥିଲା । ଚୀନ, ଜାପାନ ଓ ଅନ୍ୟାନ୍ୟ ବିଦେଶୀ ଛାତ୍ର ଭାରତକୁ ଆସି ଏହି ବିଶ୍ୱବିଦ୍ୟାଳୟରେ ପଢ଼ି ଶିକ୍ଷା ସମ୍ମାନ ହାସଲ କରିବା କାହାଣୀ ନୁହେଁ, ତଥ୍ୟ ଭାବରେ ଆଧାରିତ । ୧୮୦୦ ଖ୍ରୀ.ଅ ପର୍ଯ୍ୟନ୍ତ ବିଲାତରେ ଭାରତର ଲୋକସଂଖ୍ୟା ଓ ସ୍କୁଲସଂଖ୍ୟା ଅନୁପାତରେ କମ ସ୍କୁଲ ଥିଲା । ୧୮୧୧ ଖ୍ରୀ.ଅକୁ ବିଲାତରେ ଲୋକସଂଖ୍ୟା ମାଡ୍ରାସ ଲୋକସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଥିଲା । ବିଲାତରେ ସେହି ସମୟରେ ବିଭିନ୍ନ ସ୍କୁଲରେ ପଢୁଥିବା ମୋଟ ଛାତ୍ରସଂଖ୍ୟା ୭୫୦୦୦ ଥିଲାବେଳେ ମଦ୍ରାସ ସ୍କୁଲମାନଙ୍କର ଛାତ୍ର ସଂଖ୍ୟା ଏହାର ପ୍ରାୟ ଦୁଇଗୁଣ ଥିଲା । ବିଲାତରେ ସ୍କୁଲଗୁଡିକ ସପ୍ତାହକୁ ୩ଘଣ୍ଟା ଚାଲୁଥିବାବେଳେ ମାଡ୍ରାସ ସ୍କୁଲଗୁଡିକରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ମଝିରେ୨ଘଣ୍ଟା ଖାଇବା ଛୁଟି) ଚାଲୁଥିଲା । ଆମ ଗାଁ ସ୍କୁଲ ତ ଏହିପରି ଚାଲେ । ମଝିରେ ଘଣ୍ଟେ ୨ଘଣ୍ଟା ଖାଇବା ଛୁଟି । ହିସାବ ରଖିବା, ବହି ପଢ଼ିବା, ଚିଠି ଲେଖିବାରେ ପ୍ରାଥମିକ ସ୍କୁଲରେ ଆମେ ଦୋରସ୍ତ ହୋଇଥିଲୁ । ଏତେ ସଫେଇ ଆମେ ଏଇଠି ପାଇଁ ଦେଉଛୁ ଯେ ବିଲାତ ସରକାରର ଆମ ଶିକ୍ଷାପାଇଁ ଶୂନ ଅବଦାନ ଥିଲା ।
ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ଚାଲିଲା ତ ଆମ ଶିକ୍ଷାଉପରେ ହାମଲା ହେଲା । ସରକାର ଶିକ୍ଷାପାଇଁ ଟଙ୍କାଟିଏ ଦେଇନଥାନ୍ତି । ରାଜା, ଜମିଦାର, ମକଦ୍ଦମମାନେ ସ୍କୁଲ ଚଲାନ୍ତି । କମ୍ପାନୀ ୧୦୦ବର୍ଷ ଆଗକୁ ଦେଖୁଛି । ଭାରତୀୟମାନେ ଶିକ୍ଷିତ ହୋଇଗଲେ ଆଗକୁ କାଳେ ଆଖି ଦେଖେଇବେ । ଶହ ଶହ ହଜାର ହଜାର ସ୍କୁଲକୁ ବିଭିନ୍ନ ଆଳରେ ଜୋର ଜବରବସ୍ତ ବନ୍ଦ କରିଦେଲେ । ଗାଁ ସ୍କୁଲ ଚଳାଇବା ପାଇଁ ଜମିଦାର ନିଷ୍କର ଜମି ଖଞ୍ଜିଥିଲେ । ଜମିର ଆୟରୁ ମାଷ୍ଟରେ ଦରମା ନେବେ । ସ୍କୁଲ ଘର ତିଆରି ହବ । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି । ଫିରିଙ୍ଗି ଶାସକ ସ୍କୁଲ ପାଇଁ ବରାଦଥିବା ଜମି ଛଡ଼ାଇ ନେଲେ ଏବଂ ଖଜଣା ବସେଇଲେ । ଆମ ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ପଡ଼ିଲା ।
ଆସିଗଲେ ମାକଉଏଲ । ଭାରତୀୟ ଛାତ୍ରମାନେ ଇଂରାଜୀ ପଢ଼ିବେ । ବାବୁ ହେବେ । କମ୍ପାନୀରେ କିରାଣୀ ଚାକିରି କରିବେ ।୧୮୩୫ ମସିହା । ଲର୍ଡ ଉଇଲିଅମ ବେଣ୍ଟିକ ଇଷ୍ଟ୍ଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନେରାଲ । କଲିକତା, ଦିଲ୍ଲୀ, ମାଡ୍ରାସ ଓ ବମ୍ବେରେ ଥିବା ଧନୀକଶ୍ରେଣୀ ବ୍ୟକ୍ତିମାନଙ୍କ ସମର୍ଥନରେ ଭାରତରେ ଇଂରାଜୀ ମାଧ୍ୟମରେ ଶିକ୍ଷାବ୍ୟବସ୍ଥାଟିଏ ଜନ୍ମ ନିଏ । ବେଣ୍ଟିକଙ୍କ ଆଇନ ପରାମର୍ଶଦାତା ଲର୍ଡମାକୁଏଲ “ଇଂରାଜୀ ଭାଷା ନୀତି” ପ୍ରଚଳନ କରାଇଲେ । ଇଂରାଜୀ ମାଧ୍ୟମରେ ଶିକ୍ଷା ଓ ପ୍ରଶାସନ ଲାଗୁହେଲା । ମାକୁଏଲ ଇଂରାଜୀ ଶିକ୍ଷା ସପକ୍ଷରେ କହିଲେ, ““The Indian themselves were demanding to be taught English and to be given a key to western knowledge ବିଶେଷ କରି ବଙ୍ଗାଳୀମାନଙ୍କର ଇଂରାଜୀ ପଢ଼ିବାର ଆଗ୍ରହଥିବା ଦର୍ଶାଇ ସେ ପୁଣି ଲେଖିଲେ It is unusual to find even in the literary circles of the continent ,any foreigner who can express himself in English with so much facility and correctness as we find in many Hindoos.(A History of Agriculture in India ,MS Randhwa –vol-3 page-86) ମାକଉଏଲଙ୍କ ଇଂରାଜୀ ଶିକ୍ଷାପାଇଁ ଯୁକ୍ତି ଥିଲା “ସଂସ୍କୃତ ଖୁବ କଷ୍ଟ ସମସ୍ତେ ପଢ଼ି ପାରୁନାହାନ୍ତି । ଆରବିକ ଓ ପର୍ସିଆନ ମଧ୍ୟ ଭାରତୀୟମାନଙ୍କ ପାଇଁ ଅବୋଧ୍ୟ । ଭାରତୀୟମାନେ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଦ୍ୟା ଓ ଦର୍ଶନରେ ବିଲାତ ସମକକ୍ଷ ହୋଇପାରୁନାହାନ୍ତି । ଇଂରାଜୀ ମାଧ୍ୟମରେ ପଢ଼ିଲେ ସେମାନେ ଅଧିକ ଜାଣିପାରିବେ । ରାଜା ରାମମୋହନ ରାୟ, ଯାହାଙ୍କୁ ଭାରତୀୟ ନବଜାଗରଣର ପିତା ମନେ କରାଯାଉଥିଲା ସେ ମଧ୍ୟ ଇଂରାଜୀ ଶିକ୍ଷାକୁ ଦୃଢ଼ ସମର୍ଥନ କଲେ । ମାକଉଏଲଙ୍କ ମତ ହେଲା “We must at present do our best to form a class who may be interpreters between us and the millions whom we govern, a class of person, Indian in blood and colour, but English in taste, in opinion, in moral and in intellect”. ଇଂରାଜୀ ପଢ଼ା ଭାରତୀୟମାନେ ଇଂରାଜୀ ପଢ଼ିନଥିବା ନିଜ ଦେଶବାସୀଙ୍କୁ ଘୃଣା କରିବା ବ୍ୟବସ୍ଥାଟିର ମୋହର ଦିଆଗଲା ମାର୍ଚ୍ଚ ୧୮୩୫ । ଭାରତର ଗଣିତଜ୍ଞ ଆର୍ଯ୍ୟଭଟ୍ଟ, ବାଣ ରାଜନୀତି ବିଶାରଦ ଚାଣକ୍ୟ ଗଣିତରେ ଶୂନର ପ୍ରୟୋଗ ପିଥାଗୋରାସଙ୍କ ଆଗରୁ ବାଇନୋମିଆଲ ଉପପାଦ୍ୟରେ ଜ୍ଞାନ, ଈଊକ୍ଲିଡଙ୍କ ଆଗରୁ ଜ୍ୟାମିତିର ଜ୍ଞାନ ଏବଂ ବୀଜଗଣିତ ଭାରତୀୟମାନଙ୍କର ଥିବା ଇଂରାଜୀ ପଣ୍ଡିତମାନେ ସ୍ୱୀକାର କରିଛନ୍ତି । କଥା ଅଛି ରାଜା କେବେ ଭୁଲ କରନ୍ତି ନାହିଁ । King never error । ଫିରିଙ୍ଗି ସରକାର କହୁଛନ୍ତି କେଉଁ ଭାରତୀୟଙ୍କ ଜିଭରେ ହାଡ଼ ଅଛି ବିରୋଧ କରିବ ।
ଆଜି ଆମେ ଦେଶସାରା ଯେତେ ଚିକ୍ରାର କଲେ ମଧ୍ୟ ମାତୃଭାଷାରେ ଶିକ୍ଷା ଆଉ ସମ୍ଭବ ନୁହେଁ । ଶାସକବର୍ଗଙ୍କ ଭଣ୍ଡ ଶିକ୍ଷା ନୀତି, ସଭାସମିତିରେ ମାତୃଭାଷା ଶିକ୍ଷାପାଇଁ ଯେତେ ଭାଷଣ ବାଜି କଲେ ମଧ୍ୟ ସେଇ ଉଚ୍ଚବର୍ଗ ମାନଙ୍କର ପୁଅ, ଝିଅ, ନାତିନାତୁଣୀମାନେ ମମି, ଡାଡି ସ୍କୁଲରେ ପଢୁଛନ୍ତି । ମିଛ ଆମ ଶାସକଗୋଷ୍ଠୀଙ୍କୁ କ୍ୟାନ୍ସର ଭଳି ଗ୍ରାସିଗଲାଣି । ତଥାପି ସୁଅର ଉଜାଣି ଉଠୁଛି କିଏ ଆମେ ସୁଅ ମୁହଁର ପତର ପରି ଭାସିଯାଉଛୁ । ଭୋଟ ରାଜନୀତି ଆମକୁ ଅନ୍ଧ କରିଚାଲିଛି! ପାଠ ଶାଠ କଥା ଉପରେ ଏତେ ମୁଣ୍ଡ ଦଉଛେ କାହିଁକି ନା ଆମ ଚାଷୀ ଭାଇ, ମୂଲିଆ, ସାଧାରଣ ମଣିଷମାନେ ଏଇ ଇଂରାଜୀ ପାଠ ପଢ଼ି ପାରୁନାହାନ୍ତି ବୋଲି କମ୍ପାନୀ ସମୟରେ ତ ନିର୍ଯାତିତ, ଶୋଷିତ ଥିଲେ ଆଜିବି ଯେଉଁ ଚିମିରେକୁ ସେଇ ଚିମିରେ । ଅନ୍ନଦାତା କହି ଭିତରେ ପରିହାସ କରୁଥିବା ଶାସକଗୋଷ୍ଠୀ ଆଜିବି ଚାଷୀଟିକୁ ହୀନଆଖିରେ ଦେଖିବାର ତ୍ରୁଟି କରୁନାହାନ୍ତି!
ବିଲାତ ଶାସନକାଳରେ ଚାଷୀ ଓ ସାଧାରଣ ନାଗରିକଙ୍କୁ ଶୋଷଣ ନିର୍ଯାତନା ଗୋଟିଏ ଉଦାହରଣ ରଖି ଏଥରର ଲେଖାସାରିବା ।
୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ଅନ୍ୟାନ୍ୟ ବହୁ କାରଣମାନଙ୍କ ମଧ୍ୟରୁ କମ୍ପାନୀ ବାହାଦୁର ମଳିମୁଣ୍ଡିଆ ଚାଷୀ, ଶ୍ରମିକମାନଙ୍କୁ କିପରି ଯନ୍ତ୍ରଣା ଦେଉଥିଲେ ଜାଣିଲେ ପାଠକବନ୍ଧୁମାନଙ୍କ ରକ୍ତ ଟକ ଟକ ଫୁଟିବ । ମାରିବି ବା ମରିବି ଭାବନା ମନକୁ ଆସିଯିବ । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତୀୟମାନଙ୍କ ସୁଖ ସୁବିଧା ପାଇଁ ନିରନ୍ତର ପ୍ରଚେଷ୍ଟାରେ ଅଛି, ଏହିପରି ଏକ ପ୍ରଚାର ୟୁରୋପ ମହାଦେଶର ଇଂରେଜ ସରକାର ଚାଲୁ ରଖିଥାଏ । ମାତ୍ର ଇଷ୍ଟଇଣ୍ଡିଆ କମ୍ପାନୀ ଭାରତୀୟମାନଙ୍କୁ କିଭଳି ଅତ୍ୟାଚାର ବା ଯନ୍ତ୍ରଣା (Torture) ଦେଉଥିଲା ୧୮୫୬ ଓ ୧୮୫୭ ବିଲାତ ପାର୍ଲ୍ଲିଆମେଣ୍ଟରେ ହାଉସ ଅଫ୍ କମନସ୍ରେ ସରକାରୀ ଦସ୍ତାବିଜ (Blue Book)ରେ ଉଲ୍ଲେଖ ଅଛି । (Blue Book –East India Torture London 1855 -57 ) । ବିଲାତ ସରକାର ୟୁରୋପ ମହାଦେଶରେ ନିଜର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର native ମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗୋଟିଏ କମିଶନ ଗଢିଥିଲେ ଯାହାର ନାମ Torture Commission ରଖାଯାଇଥିଲା । ଏହି କମିଶନ ମାଡ୍ରାସରେ Torture କେସ୍ ମାନ ଅନୁଧ୍ୟାନ କରି ବିଲାତ ସରକାରଙ୍କୁ ୧୮୫୫ ରେ ଗୋଟିଏ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟରେ କମିଶନ ପ୍ରକାଶ କରିଥିଲା ଯେ ଭାରତରେ ରାଜସ୍ୱ ଆଦୟ ପାଇଁ କମ୍ପାନୀ ପ୍ରଜାମାନଙ୍କୁ ନିର୍ଯାତନା ଦେଉଥିବାର ଯଥେଷ୍ଟ ପ୍ରମାଣ ଥିଲା ।
Torture କମିଶନ ରିପୋର୍ଟରେ ପ୍ରକାଶ ପାଇଥିଲା ““One thing which had impressed the commission even more painfully than the conviction that Torture exists; it is the difficulty of obtaining redress which confronts the injured parties.
କମିଶନ କେଉଁ କାରଣରୁ ପ୍ରଜା ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ ସେଥିପାଇଁ ୩ ଗୋଟି କାରଣ ଉଲ୍ଲେଖ କରିଛନ୍ତି ।
୧- କଲେକ୍ଟରଙ୍କୁ ଅଭିଯୋଗ ଦେବା ଏବଂ ତାରିଖ ମୁତାବକ ଶୁଣାଣି ପାଇଁ ହାଜର ହେବା ଅତନ୍ତ୍ୟ ବ୍ୟୟସାପେକ୍ଷ ଏବଂ ସମୟ ଖର୍ଚ୍ଚ ।
୨-ଡାକଦ୍ୱାରା ଅଭିଯୋଗ ପଠାଇଲେ ଅଭିଯୋଗଟି ଅବିକଳ ପୁଣି ତହସିଲଦାର, ଜିଲ୍ଲା ପୋଲିସ ବା ରାଜସ୍ୱ ଅଧିକାରୀ ପାଖକୁ ପଠାଇ ଦିଆଯିବ । ଏମାନେ ଏକା ଲୋକ ଯିଏକି ନିଜେ ବା ନିଜ ଦ୍ୱାରା ନିୟୋଜିତ ପୋଲିସ ଅଧିକାରୀମାନଙ୍କ ଦ୍ୱାରା ଅନ୍ୟାୟ କରିଛନ୍ତି ।
୩- ଯଦିବି ପ୍ରଜା ପ୍ରତି ଅନ୍ୟାୟ କରାଯାଇଛି ବୋଲି କମିଶନ ହୃଦବୋଧ କରେ, ଖୁବ ବେଶିରେ ରାଜସ୍ୱ ଆଦାୟକାରୀ ତଳିଆ କର୍ମଚାରୀଙ୍କୁ ପଚାଶ ଟଙ୍କା ଜୋରିମାନା ବା ୧ମାସ ସଜା ଶୁଣାଯାଏ । ବେଳେବେଳେ କେସକୁ ସର୍କିଟ କୋର୍ଟକୁ ପଠାଇ ଦିଆଯାଉଥିଲା । ତିନି ସେଣାରେ ପାଣି ବୋହିବା ଚାଷୀଟି ପ୍ରତି ଅସମ୍ଭବ ବ୍ୟାପାର । ତେଣୁ ଅଧିକ ଖଜଣା ପଇଠକରି ମୁଣ୍ଡ ଆଉଁସି ଘରେ ରୁହେ । ସମୁଦାୟ ପ୍ରକ୍ରିୟାରୁ ଏକଥାଟି ପ୍ରମାଣିତ ହୁଏଯେ ଫିରିଙ୍ଗି ଶାସନକାଳରେ ଚାଷୀଉପରେ ଅକଥନୀୟ ଅତ୍ୟାଚାର, ବାରମ୍ବାର ଖଜଣା ବୃଦ୍ଧିକରି ଜୋର ଜବରବସ୍ତ ଆଦାୟ କରିବା ସରକାରଙ୍କ ସୁଶାସନର ପ୍ରମାଣ!
ଭାରତବର୍ଷରୁ କ୍ରମାଗତ ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବା ପାଇଁ କମ୍ପାନୀ ବାହାଦୁରଙ୍କ ଗୋରା ଅଧିକାରୀମାନେ ପ୍ରଜାମାନଙ୍କୁ ଶୋଷଣ ଓ ନିର୍ଯାତନା ଦେଉଥିବାର Torture Commission ଯଥେଷ୍ଟ ପ୍ରମାଣ ପାଉଥିଲେ । ମାତ୍ର ଏହି ଅପରାଧ ପାଇଁ କମିଶନ ଗୋରା ଅଫିସରଙ୍କୁ ଦୋଷ ନଦେଇ ଭାରତୀୟ ରାଜସ୍ୱ ଅଧିକାରୀମାନଙ୍କୁ ଦାୟୀ କରୁଥିଲେ । କମିଶନର ଏପରି ଭ୍ରାନ୍ତ ଓ ଅମୂଳକ ମାନସିକତାକୁ ପ୍ରଶ୍ନ କରି ମାଡ୍ରାସର ନାଗରିକ କମିଟି ୧୮୫୬ରେ ବିଲାତ ପାର୍ଲାମେଣ୍ଟରେ ଗୋଟିଏ ଅଭିଯୋଗ ରଖିଥିଲେ । କମିଶନ ବିରୁଦ୍ଧରେ ଅଭିଯୋଗ ଥିଲା (୧) କମିଶନ କେବେ ବି ସ୍ଥାନୀୟ ତଦନ୍ତ ନକରି କେବଳ ମାଡ୍ରାସରେ ରହୁଥିଲା (୨) ଅଭିଯୋଗର କାରଣ କେବେବି ଅନୁସନ୍ଧାନ କରୁନଥିଲା । ଗୋରା ସାହେବମାନେ ସତରେ ରାଜସ୍ୱ ଆଦାୟ ପାଇଁ ପ୍ରଜାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଥିଲେ ଯଥେଷ୍ଟ ପ୍ରମାଣ ପାଉଥାନ୍ତେ ୩) ଭାରତୀୟ ରାଜସ୍ୱ ନିମ୍ନ ଅଧିକାରୀମାନଙ୍କ ଉପରେ ଉପରିସ୍ଥ ଗୋରା ଅଧିକାରୀମାନେ କିପରି ବର୍ଷକୁ ବର୍ଷ ଅଧିକ ଖଜଣା ଅସୁଲ ପାଇଁ ବାଧ୍ୟ କରୁଥିଲେ ସ୍ଥାନୀୟ ତଦନ୍ତ କରୁଥିଲେ ପ୍ରମାଣ ପାଉଥାନ୍ତେ ଯାହା କମିଶନ କେବେ କରୁନାହିଁ ।
ଗୋରାସାହାବମାନଙ୍କର ନିର୍ଯାତନାର କେତୋଟି ଉଦାହରଣ-
ମରୁଡି ପଡିଛି । ଫସଲ ନାହିଁ । ଚାଷୀ ଖଜଣା ପଏଠ କରିପାରୁନି । ତହସିଲଦାରମାନେ ଦାଢେ ନ ଛାଡନ୍ତି । ପ୍ରଜାମାନଙ୍କୁ ବାଧ୍ୟ କରନ୍ତି ଖଜଣା ଚୁକ୍ତି ମୁତାବକ ଭରିବା ପାଇଁ । ଗୋଡତଳେ ତାତିଲା ବାଲି, ଉପରେ ମୁଣ୍ଡ ଫଟା ଖରା । ସକାଳୁ ସନ୍ଧ୍ୟାପର୍ଯ୍ୟନ୍ତ ଖଜଣା ଖିଲାପକାରୀ ପ୍ରଜାମାନଙ୍କୁ ଆଣ୍ଠେଇ ଘୋଡାଭଳି ରଖି ପିଠିରେ ପଥର ବସ୍ତା ଲଦି ଦିଆଯାଏ । ଜୁନ, ଜୁଲାଇ, ଅଗଷ୍ଟ ତିନିମାସ ଏହି ନୃଶଂସ କାର୍ଯ୍ୟକ୍ରମ ଚାଲୁ ରହେ । କଲେକ୍ଟର ପାଖରେ ଅଭିଯୋଗ କଲେ ମଧ୍ୟ ନ୍ୟାୟ ମିଳେ ନାହିଁ । ପ୍ରଜାମାନଙ୍କଠାରୁ ଜମି ଛଡାଇ ନିଆଯାଏ ଏବଂ ଅନ୍ୟକୁ ବିକ୍ରି କରିଦିଆ ଯାଏ । ସ୍ତ୍ରୀ ଲୋକମାନେ ମଧ୍ୟ ଏହି କଠୋର ନିର୍ଯାତନାରୁ ବାଦ ପଡନ୍ତି ନାହିଁ । କମିଶନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜଣେ ଭାରତୀୟ ଖ୍ରୀଷ୍ଟିୟାନ ଏହିପରି ଉତ୍ତର ଦେଇଥିଲେ ““when a European or native regiment passes through, all the ryots are pressed to bring provision…..should any of them ask for the price of the articles,they are severely tortured” ” ଫିରିଙ୍ଗି ସୈନ୍ୟ ବାହିନୀର ବୁଟି!
Comments
0 comments