ମଣିଷ ଯେତେ ସଭ୍ୟ, ସେତେ କୁତ୍ସିତ । ସେ ଯେତେ ବିକଶିତ ସେତେ ଘୃଣିତ । ସେ ଯେତେ ବିଶ୍ୱସ୍ତ, ସେତେ କୃତଘ୍ନ । ଏହିକଥା କହିବାର ଆବଶ୍ୟକତା ଏହା ଯେ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ବିବାଦ ଯେତିକି ଉଠିଛି, ତାହା ଏକ ସାମାନ୍ୟ ଘଟଣା ନୁହେଁ । ଆଗକୁ ଅନେକ ବିଷମଞ୍ଜି ବୁଣିବାର ପ୍ରୟାସର ଅୟମାରମ୍ଭ ବୋଲି କୁହାଯାଇପାରେ ।
ସବୁଠାରୁ ବଡ଼ କଥା ଏହା ଯେ, ଓଡ଼ିଶାରେ ବ୍ରିଟିଶର ଦୁଇଶହ ବର୍ଷ ଶାସନକାଳରେ ଓଡ଼ିଆ ଭାଷାକୁ ବିକଶିତ କରାଯାଇଛି । ଆଜିକାଲିର ସାତ ଦଶନ୍ଧି ମଧ୍ୟରେ ଓଡ଼ିଆ ଭାଷାର ଯେଉଁ ବିକାଶ ଘଟିଛି, ଅତୀତ ବ୍ରିଟିଶ ଓଡ଼ିଶାରେ ତାହାର ବହୁଗୁଣ ବାସ୍ତବ ବିକାଶ ଘଟିଥିଲା । ବ୍ରିଟିଶ ଚାହିଁଥିଲେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଇଥାନ୍ତା । ମାତ୍ର ତାହା କରାଯାଇ ନଥିଲା । ସେ ସମୟରେ ଅନେକ ଭର୍ଣ୍ଣାକୁଲାର ସ୍କୁଲ ବ୍ରିଟିଶ ହିଁ ପ୍ରତିଷ୍ଠା କରିଥିଲା ।
ଓଡ଼ିଶାକୁ କାହିଁକି ବ୍ରିଟିଶ ଆସିଲେ, କାହିଁକି ସେମାନେ ଶାସନ କଲେ- ଏସବୁ ବିଷୟ ଅଲଗା କଥା । ମାତ୍ର ଯେହେତୁ ଏକ ନୂଆ ବିବାଦ ଠିଆ କରାଯାଇଛି, ସେହି କାରଣରୁ ସବିଶେଷ ବର୍ଣ୍ଣନା ଯଥାର୍ଥ ହେଉଛି ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କମିଶନର ଥୋମାସ ଏଡୱାର୍ଡ ରେଭେନ୍ସାଙ୍କୁ ସାଧାରଣ ଭାବେ ଜଣେ ବ୍ରିଟିଶ ଅଫିସର କହିବା ଠିକ୍ ନୁହେଁ । ଯେତେବେଳେ ଓଡ଼ିଆମାନେ କେବଳ ନିଜ ସୁଖ ଲାଗି ବ୍ୟସ୍ତଥିଲେ, ତତ୍କାଳୀନ ସାମନ୍ତବାଦୀ ରାଜାମାନେ ବ୍ୟକ୍ତିଗତ କ୍ଷମତା ସଂଗ୍ରହରେ ଲିପ୍ତ ଥିଲେ, ସେତେବେଳେ ରେଭେନ୍ସା ଚିନ୍ତା କରିଥିଲେ ଓଡ଼ିଆ ଭାଷାର ବିକାଶ ।୧୮୬୬ ଦୁର୍ଭିକ୍ଷ ଘଟଣାରେ ବେଶ୍ ବ୍ୟଥିତ ଥିଲେ ରେଭେନ୍ସା । ତେଣୁ ସେ ଶିକ୍ଷା କ୍ଷେତ୍ରରେ କିଛି ତ୍ୟାଗ କରିବା ଲାଗି ନିର୍ଣ୍ଣୟ ନେଇଥିଲେ । ଓଡ଼ିଶାରେ ଓଡ଼ିଆଭାଷାର ସଙ୍କଟନେଇ ସେ ବଙ୍ଗଳା ସରକାରଙ୍କୁ ଜଣାଇଥିଲେ । ରାଜ୍ୟରେ କଲେଜ ଶିକ୍ଷାର ଅଭାବ ହେତୁ ତାଙ୍କର ଉଦ୍ୟମ କ୍ରମେ କଟକ ଜିଲ୍ଲା ସ୍କୁଲରେ ଆରମ୍ଭ ହୋଇଥିଲା କଲେଜ ଶିକ୍ଷା । ଫଳରେ ରାଜ୍ୟରେ ଜାନୁଆରୀ ୧୮୬୮ରେ ୬ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ପ୍ରଥମ କଲେଜ । ପରେ ଏକ ପୂର୍ଣ୍ଣକାଳୀନ କଲେଜ ପ୍ରତିଷ୍ଠା ଲାଗି ରେଭେନ୍ସାଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ବଙ୍ଗଳା ସରକାର । ତେବେ ଗୋଟିଏ ସର୍ତ୍ତରେ । ତାହା ଥିଲା କଲେଜ ଲାଗି ଲୋକଙ୍କ ଦାନ ପରିମାଣ ଯଦି ୩୦ହଜାର ଟଙ୍କା ରହିବ, ତେବେ କଲେଜ ପ୍ରତିଷ୍ଠା ହେବ । ରେଭେନ୍ସା ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିଲେ । ଏହି ପ୍ରସ୍ତାବକୁ ବଙ୍ଗଳାର ଡିପିଆଇ ଏଚ. ଉଡ୍ରିଉ ସମର୍ଥନ କରିଥିଲେ । ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ଭାରତ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ବି୍ରିଟିଶ ଅଫିସର ତଥା ବଙ୍ଗଳା ସରକାରଙ୍କ ସଚିବ ଏଚ. ଜେ. ରେନୋଲ୍ଡସ । ରେଭେନ୍ସାଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ ମୟୂରଭଞ୍ଜ ରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ । ସେ ୨୦ହଜାର ଟଙ୍କା ଦାନ କରିଥିଲେ । ଫଳରେ ୧୮୭୬ରେ କଲେଜିଏଟ ସ୍କୁଲ ସରକାରୀ ଡିଗ୍ରୀ କଲେଜରେ ରୂପାନ୍ତରିତ ହେଲା । ଏହା କଲିକତା ବିଶ୍ୱବିଦ୍ୟାଳୟ ଅଧୀନରେ ରହିଲା । ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ସାମୁଏଲ ଏଜେର । ପ୍ରାଥମିକ ଭାବେ ଏହି କଲେଜରେ ଥିଲେ ମୋଟ ୧୯ଜଣ ଶିକ୍ଷାର୍ଥୀ । ଏହି କଲେଜର ନାମ କ’ଣ ରହିବ ସେ ନେଇ ବିତର୍କ ଚାଲିଲା । ଶେଷରେ ଏହାର ନାମ ରେଭେନ୍ସା କଲେଜ ରହିବ ବୋଲି ରାଜା କୃଷ୍ଣଚନ୍ଦ୍ର ପ୍ରସ୍ତାବ ଦେଇଥିଲେ । ଫଳରେ ୧୮୭୮ରେ ଥୋମାସ ଏଡୱାର୍ଡ ରେଭେନ୍ସାଙ୍କ ନାମରେ ଏହି କଲେଜ ନାମିତ ହୋଇଥିଲା । ୧୮୮୧ରେ ଏହାକୁ ପୂର୍ଣ୍ଣକାଳୀନ କଲେଜ ମାନ୍ୟତା ମିଳିଥିଲା । ଓଡ଼ିଶାର ବିକାଶ, ସାହିତ୍ୟ, ସଂସ୍କୃତି, ରାଜନୀତି, ସ୍ୱାଧୀନତା ସଂଗ୍ରାମ ଆଦି କ୍ଷେତ୍ରରେ ଯେଉଁ ଗୋଟିଏ ଅନୁଷ୍ଠାନର ସବୁଠାରୁ ଅଧିକ ଭୂମିକା ଥାଏ, ତାହା ହେଉଛି ରେଭେନ୍ସା କଲେଜ ।
ଯଦିଓ ୧୮୬୬ ଦୁର୍ଭିକ୍ଷ ଲାଗି ରେଭେନ୍ସାଙ୍କୁ ଦାୟୀ କରାଯାଉଛି ମାତ୍ର ବାସ୍ତବରେ ସେ ଦାୟୀ ନଥିଲେ । ଦାୟୀ ଥିଲା ପାଣିପାଗ ଅନିୟମିତତା, ଜମିଦାରମାନଙ୍କ ଲୋଭ ଚରିତ୍ର, ଯୋଗାଯୋଗ ଅଭାବ, ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ମାନସିକତାର ଅଭାବ, ଭୟଙ୍କର ଦୁର୍ଭିକ୍ଷ ପରେ ଭୟଙ୍କର ବର୍ଷା ଆଦି କାରଣ । ସ୍ୱାଧୀନତା ପରେ ବି ନଜରକୁ ଆସୁଛି ଅନେକ ରାଜ୍ୟରେ ଖାଦ୍ୟାଭାବ, ଅନାହାର ମୃତ୍ୟୁ, ରୋଗଜନିତ ଗଣମୃତ୍ୟୁ ଇତ୍ୟାଦି । କରୋନା ଏହାର ଏକ ବଡ଼ ଉଦାହରଣ । ଅକସ୍ମାତ ଏକ ବଡ଼ ବିପଦ ଆସିଲେ ତାହାକୁ ମୁକାବିଲା କରିବା କଷ୍ଟସାଧ୍ୟ ହୋଇଯାଏ । ଆଜିକାଲିର ଅତିବିଜ୍ଞାନ ଯୁଗରେ ବି ପୃଥିବୀ କରୋନା ମୁକାବିଲାରେ ହାରି ଯାଇଥିଲା । ଯଦ୍ଦ୍ୱାରା କୋଟି କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା ।
ରେଭେନ୍ସା ଚାହିଁଥିଲେ ରାଜ୍ୟରୁ ପର୍ଯ୍ୟାପ୍ତ ସମ୍ପତ୍ତି ଧରି ସ୍ୱଦେଶକୁ ଚାଲି ଯାଇଥାନ୍ତେ । ମାତ୍ର ଭୟଙ୍କର ଦୁର୍ଭିକ୍ଷ ସହ ତାଙ୍କ ନାମରେ ଅପବାଦ ସତ୍ତ୍ୱେ ସେ ଏଠାରେ ରହିଥିଲେ । ପଳାୟନପନ୍ଥୀ ସାଜି ନଥିଲେ ।
ଇତିହାସ ସର୍ବଦା ଇତିହାସ । ଆଜି ଯଦି ଆମେ କହିବା- ଅତୀତରେ ତୁର୍କୀ ଶାସକମାନେ ଆସି ଭାରତକୁ ଲୁଣ୍ଠନ କରିଥିଲେ । ଏଣୁ ବର୍ତ୍ତମାନ ତୁର୍କୀ ଉପରେ ଆକ୍ରମଣ କରାଯାଉ । ଏହା ସମ୍ଭବ କି?
ଏକଥା ସତ୍ୟ ଯେ, ବ୍ରିଟିଶମାନେ ଭାରତବାସୀଙ୍କୁ ଭୀଷଣ ଶୋଷଣ କରିଥିଲେ । ଅକଥନୀୟ ଅତ୍ୟାଚାର କରିଥିଲେ । ଏଠାରେ ବ୍ରିଟିଶକୁ ସମର୍ଥନ କରାଯାଉନାହିଁ । ମାତ୍ର ଏହାର ଅର୍ଥ ନୁହେଁ ଯେ, ସବୁ କ୍ଷେତ୍ରରେ ବ୍ରିଟିଶକୁ ସମାଲୋଚନା କରାଯିବ । ସେମାନଙ୍କ ଯୋଗୁ ତ ଆମେ ରେଳଲାଇନର ସୁଯୋଗ ପାଇଲେ । ସ୍ୱାଧୀନତା ପରେ ଯେପରି ଭାବେ ରେଳବାଇର ବିକାଶ ଚାଲିଛି, ତାହା ହାସ୍ୟାସ୍ପଦ । କେନ୍ଦ୍ର-ରାଜ୍ୟ କଳି ତ ସାଧାରଣ କଥା । ଯଦି ବ୍ରିଟିଶ ଓଡ଼ିଶାରେ ରେଳ ପ୍ରକଳ୍ପ କରି ନଥାନ୍ତା, ତେବେ ଆଜି ହୁଏତ ତାହାକୁ ଓଡ଼ିଶାବାସୀ ଦେଖିବାର ସୁଯୋଗ ପାଇନଥାନ୍ତେ । ସେହି ରେଳ ପ୍ରକଳ୍ପ ତ ରାଜ୍ୟବାସୀଙ୍କ ଅର୍ଥନୈତିକ ଲାଇଫଲାଇନ ସାଜିଛି । ଯେଉଁମାନେ ରେଭେନ୍ସାଙ୍କୁ ନରହନ୍ତା କହୁଛନ୍ତି କାହିଁକି ସେମାନେ ରେଳବାଇ କ୍ଷେତ୍ରରେ ଚୁପ୍ ଅଛନ୍ତି?
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିନାହିଁ । ଏହା କ୍ରମଶଃ ମୌଳବାଦୀ ରାଷ୍ଟ୍ର ଦିଗରେ ମୁହାଁଇଛି । ଆଇନ, ପୋଲିସ, ପ୍ରଶାସନକୁ ଧମୀୟ ଢାଞ୍ଚାରେ ବ୍ୟବହାର କରାଯାଉଛି । ହିନ୍ଦୁତ୍ୱ ଆହ୍ୱାନରେ ୫ଶହ ବର୍ଷର ବାବ୍ରି ମସଜିଦକୁ ଭାଙ୍ଗିଦିଆଗଲା । ହିନ୍ଦୁ ମୌଳବାଦୀଙ୍କ ଏସବୁ ଗୋଟିଏ ଗୋଟିଏ ପ୍ରକ୍ରିୟା । ୫୦୦ବର୍ଷ ତଳେ ଏକ ମନ୍ଦିରକୁ ମୁସଲମାନମାନେ ଭାଙ୍ଗି ଦେଇଥିବାରୁ ତାହାକୁ ହିନ୍ଦୁବାଦୀମାନେ ଭାଙ୍ଗି ଦେଇଥିଲେ । ୨ଶହ ବର୍ଷତଳେ ବି୍ରଟିଶମାନେ ତ ଭାରତକୁ ଶାସନ କରୁଥିଲେ । ସେହି ହିନ୍ଦୁବାଦୀମାନେ ଏବେ ବି୍ରଟେନ ଉପରେ କାହିଁକି ଆକ୍ରମଣ କରୁନାହାନ୍ତି? ଯେଉଁ ସଂସଦ ଭବନକୁ ବି୍ରଟିଶ ନିର୍ମାଣ କରିଥିଲା ସେହି ସଂସଦରେ ଆଜିଯାଏ ଅଧିବେଶନ ବସୁଥିଲା କାହିଁକି?
ଯେଉଁମାନେ ଆଜି ରେଭେନ୍ସାଙ୍କୁ ନରହନ୍ତା ବୋଲି କହୁଛନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଚାହୁଛନ୍ତି ସେମାନେ ଦୟାକରି ଇଂରାଜୀ ଭାଷାକୁ ଛାଡ଼ିପାରିବେ କି? ଏକଥା ସତ୍ୟ ଯେ, ବ୍ରିଟିଶ ବିରୋଧୀ ସଂଗ୍ରାମରୁ ହିଁ ସୃଷ୍ଟି ହୋଇଥିଲେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ଜବାହାରଲାଲ ନେହେରୁ, ବାଲଗଙ୍ଗାଧର ତିଳକ ପ୍ରମୁଖ । ଯଦି ବ୍ରିଟିଶ ନ ଆସିଥାନ୍ତା ତେବେ ଆଜିର ମହାତ୍ମା ଗାନ୍ଧୀ ଓ ଅନ୍ୟମାନେ ନଥାନ୍ତେ । ଆଜିର ଇତିହାସ ଅଲଗା କିଛି ହୋଇଥାନ୍ତା ।
କୌଣସି ସରକାର କୌଣସି ନାମର ପରିବର୍ତ୍ତନ କରିବା ଅନୁଚିତ । ଏହା ଇତିହାସ ପ୍ରତି ଘୋର ଅବମାନନା । ସତ୍ୟର ଧର୍ଷଣ । ସତ୍ୟକୁ ସର୍ବଦା ସତ୍ୟ ରହିବାକୁ ଦିଆଯାଉ । ନାମ ପରିବର୍ତ୍ତନ କରିଦେଲେ ମଣିଷ ଓ ସମାଜର ପରିବର୍ତ୍ତନ ହୋଇପାରିବ ନାହିଁ । କ୍ଷମତାକୈନ୍ଦ୍ରିକ ଏହି ଅପରାଧଠାରୁ ମଣିଷ ଦୂରେଇ ରହିବା ଆବଶ୍ୟକ । ଯେଉଁ ନେତାମାନେ ଆଜି ଏହି ସବୁ ପ୍ରସଙ୍ଗ ଉଠାଉଛନ୍ତି ସେମାନେ ହିଁ ଖୋଦ୍ ଭାରତୀୟତାବିରୋଧୀ । କିଛି ଶସ୍ତା ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିବାଲାଗି ଅନେକେ ଚାହାଁନ୍ତି । ହେଲେ ସେମାନେ ପରୋକ୍ଷରେ ବିଭାଜନ, ମୌଳବାଦ, ଅସହିଷ୍ଣୁତା ଆଦିର ପ୍ରଦର୍ଶକ ସାଜିଥାନ୍ତି ।
ଭାରତରେ ବି୍ରଟିଶ ଶାସନର କିଛି ଭଲ ପ୍ରଭାବ-
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶା ଓ ଭାରତରେ ଅନ୍ଧବିଶ୍ୱାସ, କୁତ୍ସିତ ପରମ୍ପରା, ଭ୍ରାନ୍ତ ଧାରଣା ଆଦି ଗଭୀରଭାବେ ଆଚ୍ଛାଦିତ ଥିଲା । ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଅନେକ ପରମ୍ପରା ଏତେ ବହୁଳଭାବେ ଜାବୋଡି ଧରି ରହିଥିଲା ଯେ, ସାମାଜିକ ସଂସ୍କାରକମାନେ ନାହିଁ ନଥିବା ପ୍ରତିବାଦର ସମ୍ମୁଖୀନ ହେଉଥିଲେ । ହିନ୍ଦୁଧର୍ମରେ ହେଉଥିବା ଯାଗଯଜ୍ଞରେ ନାନା ପ୍ରକାର ଅନ୍ଧବିଶ୍ୱାସ ରହିଥିଲା । ଲୋକମାନେ ଏହାକୁ ଦୂରେଇବାକୁ ବି ବିରୋଧ କରୁଥିଲେ । ମାତ୍ର ୟୁରୋପୀୟମାନଙ୍କ ପ୍ରବେଶ ପରେ ଅନେକ ଅନ୍ଧବିଶ୍ୱାସ ଦୂର ହେବାରେ ଲାଗିଲା ଏବଂ ଅଧିକାଂଶ ପ୍ରଗତିଶୀଳ ଆଇନ ତିଆରି କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ଶିକ୍ଷା ପ୍ରତିଷ୍ଠାନରେ ଧାର୍ମିକ ଶିକ୍ଷା ନଦେବା ନେଇ ୧୮୮୨ରେ ସରକାର ନିଷ୍ପତ୍ତି ନେଇଥିଲେ । ସମସ୍ତ ସରକାରୀ ଓ ବୋର୍ଡ ସ୍କୁଲରେ ସ୍କୁଲ ନିର୍ଘଣ୍ଟ ମଧ୍ୟରେ ଯେପରି ଧାର୍ମିକ ଶିକ୍ଷା ଦିଆଯିବ ନାହିଁ, ସେ ସମ୍ପର୍କରେ ବ୍ରିଟିଶ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ସେହିପରି ବ୍ରିଟିଶ ସରକାର ଅନ୍ୟ ଯେଉଁ ନିୟମାବଳୀ ଜାରି କରିଥିଲେ ସେଗୁଡିକ ହେଲା: ଧାର୍ମିକ ଶିକ୍ଷା ଦିଆଯିବ ନାହିଁ, ପାଠ୍ୟକ୍ରମରେ କୌଣସି ଧାର୍ମିକ ପ୍ରସଙ୍ଗ ସ୍ଥାନ ପାଇବ ନାହିଁ, ଶିକ୍ଷା କେବଳ ଉଚ୍ଚଜାତି ପାଇଁ ନୁହେଁ ବରଂ ସମସ୍ତେ ଶିକ୍ଷା ପାଇବେ, ବିଭିନ୍ନ ପ୍ରଥାରେ ରହିଥିବା ଅନ୍ଧବିଶ୍ୱାସ ଦୂର ଇତ୍ୟାଦି ।
ତତକାଳୀନ ସମାଜରେ ନାନାପ୍ରକାର ଅନ୍ଧବିଶ୍ୱାସ, କୁତ୍ସିତ ପରମ୍ପରା ପ୍ରତ୍ୟେକ ସମାଜରେ ବସାବାନ୍ଧି ରହିଥିଲା । ଶିକ୍ଷାବ୍ୟବସ୍ଥାରେ ମଧ୍ୟ ଏହା ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଜାତିବାଦୀ ସଂଗଠନ ଗଠିତ ହୋଇ କୁତ୍ସିତ ପରମ୍ପରାଗୁଡିକୁ ଅଧିକ ବଳଶାଳୀ କରାଯାଉଥିଲା । ତଥାକଥିତ ଧାର୍ମିକ ଦର୍ଶନ ଆଳରେ ବଳିପ୍ରଥା, ନରବଳି ପ୍ରଥା, ଦେବତା ପୂଜା, ଯାଗଯଜ୍ଞ ଆଦି ପ୍ରଚଳିତ ଥିଲା । ବ୍ରାହ୍ମଣପ୍ରଧାନ ସମାଜରେ ଏହିସବୁ ପ୍ରଥାକୁ ଦୂର କରିବା ଲାଗି ସେପରି ନେତୃତ୍ୱ ନଥିଲା । ବିଦ୍ୟାଳୟଗୁଡିକରେ ଧାର୍ମିକ ଶିକ୍ଷା ଦେଇ ଏହି ପରମ୍ପରାଗୁଡିକୁ ପିଲାଙ୍କ ମଧ୍ୟରେ ପ୍ରସାର କରାଯାଉଥିଲା । ଏଭଳି ଅନେକ କୁସଂସ୍କାର ଭାରତୀୟ ସମାଜରେ ଭରପୁର ରହିଥିଲା । ଇଂଗ୍ରେଜ ମାନେ ଆମ ଦେଶର ଯାହା ଲୁଣ୍ଠନ କରିଛନ୍ତି ତାକୁ ଅସ୍ୱୀକାର କରିହେବ ନାହିଁ । ତେବେ ଘୃଣ୍ୟ କୁସଂସ୍କାର ଗୁଡ଼ିକୁ ଦୂର କରିବାରେ ସେମାନଙ୍କର ଅବଦାନକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ।
Comments
0 comments