ସାମରିକ ଶିଳ୍ପ ହାତମୁଠାରେ ବିଶ୍ୱ

ସେପ୍ଟେମ୍ବର ୨୮,୨୦୨୪ଦିନ ଗୋଟିଏ ବଡ଼ଖବର ବିଶ୍ୱବାସୀଙ୍କୁ ଚକିତ କରିଥିଲା । ପ୍ରାୟ ଗୋଟିଏ ବର୍ଷଧରି ଇସ୍ରାଇଲ୍ ଓ ହମାସ୍ ଭିତରେ ଚାଲିଥିବା ଯୁଦ୍ଧ ଚରମସୀମାରେ ପହଞ୍ଚିଲା , ଯେତେବେଳେ ଇସ୍ରାଇଲ୍ ବିମାନବାହିନୀ ତରଫରୁ ୧୦ଟନ୍ ଓଜନର ଏକ ବଙ୍କରଭେଦୀ ବୋମା ଆକ୍ରମଣରେ ଲେବାନନ୍ର ସକ୍ରିୟ ଥିବା ପ୍ରତିରୋଧ ଆନ୍ଦୋଳନ ହେଜବୁଲ୍ଲାର ମୁଖ୍ୟ ସୟଦ୍ ହସନ୍ ନସ୍ରୁଲ୍ଲାଙ୍କ ସମେତ ତାଙ୍କର ଅନେକ ବରିଷ୍ଠ ସହକର୍ମୀ ନିହତ ହୋଇଥିଲେ । ବେରୁଟ୍ ସ୍ଥିତ ଗୋଟିଏ ବିରାଟବଡ଼ କୋଠା ସମୂହ ଯେଉଁଠି ସାଧାରଣ ଲୋକେ ବସବାସ କରନ୍ତି, ତାକୁ ବୋମାମାଡ଼ କରି ଇସ୍ରାଇଲ୍ ଧ୍ୱସଂ କରିଦେଇଥିଲା । ଗୋଟିଏ ହିସାବରୁ ଜଣାପଡ଼ୁଛି ଯେ ଅକ୍ଟୋବର ୨୦୨୩ରେ ଏଯାବତ୍ ଲେବାନନ୍ ଉପରେ ୮ହଜାର ଥର ଆକ୍ରମଣ କରି ଇସ୍ରାଇଲ୍ ମୃତ୍ୟୁର ବିଭୀଷିକା ଜାରିରଖିଛି । ଅନ୍ୟପଟେ ଇସ୍ରାଇଲ୍ ସେନା ଲେବାନନ୍ ସୀମାରେ ଆକ୍ରମଣ କରି ଭିତରକୁ ପ୍ରବେଶ କରିବା ପାଇଁ ସମରସଜ୍ଜା ଚାଲିଛି ବୋଲି ଶୁଣିବାକୁ ମିଳୁଛି । ପୂର୍ବରୁ ଇସ୍ରାଇଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମିଳିତ ଜାତିସଂଘରେ ଉଦବୋଧନ ଦେଇ କହିସାରିଛନ୍ତି ଯେ ସେ ତାଙ୍କର ଆକ୍ରମଣ ଜାରିରଖିବେ ଏବଂ ସେତିକିବେଳେ ଶତ୍ରୁପକ୍ଷ ସହ ଥିବାର ଅଭିଯୋଗକରି ଇରାନ୍ କୁ ତାଗିଦ୍ କରି କହିଥିଲେ ଯେ ଇରାନ୍ ର ଏମିତି କୌଣସି ଗଳିନାହିଁ ଯାହା ତାଙ୍କୁ ଅଜଣା ଅଛି ଏବଂ ସେ ଆକ୍ରମଣ କରିପାରିବେ ନାହିଁ । ନସ୍ରୁଲ୍ଲାଙ୍କର ଜଘନ୍ୟ ହତ୍ୟାକୁ ଆମେରିକାରର ରାଷ୍ଟ୍ରପତି ସମର୍ଥନ କରିଥିଲାବେଳେ ଯେଉଁ ବଙ୍କରଭେଦୀ ବୋମା ତାଙ୍କର ହତ୍ୟାପାଇଁ ଇସ୍ରାଇଲ୍ ପ୍ରୟୋଗ କରିଥିଲା, ତାହା ଆମେରିକା ହିଁ ଯୋଗାଇ ଦେଇଥିଲା । ଇସ୍ରାଏଲ୍ ତରଫରୁ ଆକ୍ରମଣକୁ ଯଦିଓ ଆମେରିକା ଏବଂ ଏମାନଙ୍କର ମିତ୍ର ଶକ୍ତିମାନେ ହମାସ୍ ତରଫରୁ ଇସ୍ରାଇଲ୍ ଉପରେ ଅକ୍ଟୋବର ୨୦୨୩ରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ଏକ ପ୍ରତିଶୋଧ ବୋଲି କହିଛନ୍ତି; କିନ୍ତୁ ଆମେରିକାରେ ନାଗରିକମାନଙ୍କର ପ୍ରବଳ ପ୍ରତିବାଦ ଚାଲିଛି ଏବଂ ଶାନ୍ତି ଫେରାଇ ଆଣିବାପାଇଁ ଆମେରିକାର ସରକାରଙ୍କ ଉପରେ ସେଠାକାର ନାଗରିକ ସଂଗଠନମାନେ ଚାପ ପକାଉଛନ୍ତି ।

ଏପ୍ରିଲ୍ ୨୦୨୩ରେ ଆମେରିକାର ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବୀ ନୋଆମ୍ ଚମସ୍କି ଅଲ୍ ଜଜୀରା ଟିଭିର ଏଲିୟାହୁ ଫ୍ରିଡମ୍ୟାନଙ୍କୁ ଏକ ସାକ୍ଷ୍ୟାତକାର ଦେଇ କହିଥିଲେ ଯେ ଆଗକୁ ବିଭୀଷିକାର ଦିନ ଆସୁଛି । ମାନବ ସଭ୍ୟତା ରହିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି, କାହିଁକିନା ବିଶ୍ୱ ଏବେ ଆଣବିକ ଯୁଦ୍ଧର ଆତଙ୍କ ଭିତରକୁ ଠେଲି ହୋଇଯାଉଛି । କେବଳ ସେତିକି ନୁହଁ ଆସନ୍ନ ଜଳବାୟୁ ବିପର୍ଯ୍ୟୟର ଆତଙ୍କ ବଢ଼ି ବଢ଼ି ଚାଲିଛି । ଏଭଳି ଏକ ଆତଙ୍କର ବଡ଼ ଶିକାର ମାନଙ୍କ ଭିତରେ ଇସ୍ରାଏଲ୍ ହିଁ ରହିବ । ସେ ଅନୁତାପ କରି କହୁଥିଲେ ଯେ ଇସ୍ରାଏଲ୍ ସମେତ ବିଶ୍ୱର ନେତାମାନେ ଏଭଳି ଏକ ବିପର୍ଯ୍ୟୟ ଆଡ଼କୁ ଦୌଡ଼ି ଚାଲିଛନ୍ତି । ସେ ପ୍ରାୟ ଅଧିକାଂଶ ଯୁଦ୍ଧ ପାଇଁ ଆମେରିକାର ନେତୃତ୍ୱଙ୍କୁ ଦାୟୀ କରୁଛନ୍ତି । ଆମେରିକୀୟ ନେତୃତ୍ୱ ବିଶ୍ୱସାରା ଯେଉଁ ଯୁଦ୍ଧର ବିଭୀଷିକା ପ୍ରସ୍ତୁତ କରୁଛି ତାହାର ଭୟଙ୍କର ପରିଣାମ ସାଧାରଣ ଲୋକମାନେ ଭୋଗୁଛନ୍ତି । କିନ୍ତୁ ଯେଉଁମାନେ ଯୁଦ୍ଧ କରାଉଛନ୍ତି ସେମାନଙ୍କ ମନରେ କେବେ ବି ଅନୁଶୋଚନା ନାହିଁ । ୨୧ବର୍ଷ ତଳେ ଆମେରିକାର ଇରାକ୍ ଆକ୍ରମଣ ଏକ ବଡ଼ ଅପରାଧ ଥିଲା; ଏହିକଥା ଆମେରିକାର କୌଣସି ରାଷ୍ଟ୍ରପତି ଏଯାବତ୍ ସ୍ୱୀକାର କରିନାହାଁନ୍ତି, ଯଦିଓ ମିଛ କାରଣ ଦେଖାଇ ଏଭଳି ଏକ ଯୁଦ୍ଧକରି ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଥିଲା ତାହାର ପ୍ରମାଣ ଦୁଇ ଦଶନ୍ଧି ଧରି ଆମେ ପାଇ ଆସୁଛନ୍ତି । ଅର୍ଥାତ୍ ଆମେରିକାର ରାଷ୍ଟ୍ରପତିମାନଙ୍କ ପାଇଁ ଯୁଦ୍ଧ ବା ଅକାରଣରେ ଆକ୍ରମଣ କରିବା ବା ଆକ୍ରମଣକାରୀଙ୍କୁ ନିଜ ସ୍ୱାର୍ଥ ପାଇଁ ସମର୍ଥନ ଯୋଗାଇବା ଏବଂ ଅପରାଧ ଗୁଡ଼ିକ ଜଣାପଡ଼ିଲା ପରେ ଟିକିଏ ବି ଅନୁଶୋଚନା ନ କରିବା ଯେମିତି ସେମାନଙ୍କ ରାଷ୍ଟ୍ରର ଏକ ଅଘୋଷିତ ନୀତି ହୋଇଯାଇଛି । ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଆମେରିକୀୟ ନୀତିର ସବୁଠାରୁ କଠୋର ଓ ନିଷ୍ଠୁର ସନ୍ତାନ । ପାଲେସ୍ଥିନୀୟମାନଙ୍କୁ ନିଜର ଗୋଟିଏ ଦେଶ ବସାଇବା ପାଇଁ ନଦେବା ଏବଂ ଯାହାବି ଛୋଟ ଛୋଟ ଦୁଇଟି ଭୂଖଣ୍ଡ ୱେଷ୍ଟବ୍ୟାଙ୍କ ଓ ଗାଜାରେ ଅଛି ସେହି ସବୁକୁ ବଳପ୍ରୟୋଗ କରି ଦଖଲକୁ ନେଇଆସିବା କାମଟି ନେତାନ୍ୟାହୁଙ୍କ କଠୋର ହାତରେ ସମ୍ଭବ ହୋଇପାରିଛି । ସବୁବେଳେ ତାଙ୍କ ପ୍ରତି ଆମେରିକାର ସାମରିକ ଓ କୂଟନୈତିକ ସମର୍ଥନ ରହିଆସିଛି । ତେବେ ଚମସ୍କି ନିଜ ସାକ୍ଷାତ୍କାରରେ ଆଉଗୋଟିଏ କଥା ସାମ୍ନାକୁ ଆଣିଛନ୍ତି । ତାଙ୍କ ମତରେ ଗତ ୨୦ରୁ ୩୦ ବର୍ଷ ଭିତରେ ଯଦିଓ ଆମେରିକାର ଉଦାରବାଦୀ ଇହୁଦୀମାନେ ଇସ୍ରାଇଲର ପାଲେଷ୍ଟାଇନ୍ ବିରୋଧି ନୀତିକୁ ସମର୍ଥନ କରୁନାହାଁନ୍ତି କିନ୍ତୁ ଏହି ସମୟ ଭିତରେ ଧାର୍ମିକ ସମୁଦାୟମାନେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପଛରେ ଦୃଢ଼ଭାବରେ ଛିଡ଼ା ହୋଇଛନ୍ତି ।

ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ନେତାନ୍ୟାହୁଙ୍କ ବିରୋଧରେ ନିଜ ଦେଶରେ ଅନେକ ଅଭିଯୋଗ ରହିଆସିଛି । ନିର୍ବାଚନ (୨୦୨୨)ରେ ତାଙ୍କର ବିବାଦୀୟ ବିଜୟଠାରୁ ଆରମ୍ଭ କରି ସୁପ୍ରିମକୋର୍ଟକୁ ନିଜ ଦଖଲକୁ ଆଣିବାପାଇଁ ସେ କରିଥିବା ପ୍ରୟାସ ଯାଏଁ ନେତାନ୍ୟାହୁଙ୍କ ବିରୋଧରେ ଅଭିଯୋଗଗୁଡ଼ିକର ଏକ ଲମ୍ବା ତାଲିକା ଅଛି । ନିଜ ଦେଶରେ ଲୋକପ୍ରିୟତା ହରାଇଥିବା ଏହି ନେତା ଯୁଦ୍ଧ ଓ ଆକ୍ରମଣ ମାଧ୍ୟମରେ ଇସ୍ରାଏଲ୍ ଭିତରେ ଏକ ଜାତୀୟତାବାଦ ସୃଷ୍ଟି କରିବାପାଇଁ ଆମେରିକାର ପ୍ରତ୍ୟକ୍ଷ ସମର୍ଥନରେ ନିଜର କୁପ୍ରୟାସ ଜାରି ରଖିଛନ୍ତି । ବିଶ୍ୱର ପ୍ରାୟ ଅନେକ ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହୋଇଆସୁଥିବା ରାଷ୍ଟ୍ରମୁଖ୍ୟମାନେ ଅଧିକରୁ ଅଧିକ ଏକଛତ୍ରବାଦୀ ହେବା ଏବଂ ଜନମତକୁ ଭ୍ରୂକ୍ଷେପ ନକରିବା ପ୍ରାୟ ଗୋଟିଏ ଧାରା ହୋଇଗଲାଣି । ଏମିତିକି ନିଜ ଦେଶର ତଥାକଥିତ ନିରପେକ୍ଷ ନିର୍ବାଚନ ଆୟୋଗ ଏବଂ ପ୍ରମୁଖ ସରକାରୀ ସଂସ୍ଥା ଓ ଅନ୍ୟପଟେ ପ୍ରମୁଖ କର୍ପୋରେଟ୍ ଗଣମାଧ୍ୟମମାନଙ୍କୁ ହାତବାରିସୀ କରି କିଛି ଏକଛତ୍ରବାଦୀ ତୁହାକୁ ତୁହା ନିର୍ବାଚନରେ ବିଜୟଲାଭ କରି ଆସୁଛନ୍ତି । ଇସ୍ରାଇଲ୍ର ନେତାନ୍ୟାହୁ, ରଷିଆର ପୁଟିନ୍ ଏବଂ ଭାରତର ମୋଦୀଙ୍କ ସମ୍ପର୍କରେ ଏହିଭଳି ଅଭିଯୋଗମାନ ରହିଆସିଛି । ସାଧାରଣତଃ ଦେଖାଯାଉଛି ଯେ ଏକଛତ୍ରବାଦୀ ଶାସକମାନେ ‘ଗଣତାନ୍ତ୍ରିକ’ ପଦ୍ଧତିରେ ନିର୍ବାଚନ ଜିତି ଆସିଲେବି ସେମାନେ ଗଣମାନଙ୍କୁ ଆଦୌ ହିସାବକୁ ନିଅନ୍ତି ନାହିଁ ବରଂ କର୍ପୋରେଟ ପୁଞ୍ଜିପାଇଁ ଗଣମାନଙ୍କୁ ଦମନକରି ବା ଉପେକ୍ଷାକରି କାମ କରିଥାନ୍ତି । ଏବେ ସମୟ ଆସିଛି ବିଶ୍ୱର ସାମରିକ କମ୍ପାନୀମାନଙ୍କ ପାଇଁ ସମସ୍ତେ ଯେମିତି ନିଜ ପାଇଁ ପ୍ରଚୁର ଲାଭ ଯୋଗଡ଼ କରିପାରିବେ ।

ସ୍ୱିଡ଼େନ ସ୍ଥିତ ଅନ୍ତରାଷ୍ଟ୍ରୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନର ଏକ ଆକଳନ ଅନୁଯାୟୀ ବିଶ୍ୱରେ ଏବେ କ୍ରମାଗତ ଭାବେ ୯ବର୍ଷ ଧରି ସାମରିକ ଖର୍ଚ୍ଚ ବଢ଼ିବଢ଼ି ଚାଲିଛି । ୨୦୨୩ରେ ବିଶ୍ୱର ସମୁଦାୟ ସାମରିକ ଖର୍ଚ୍ଚଥିଲା ୨ହଜାର ୪ଶହ ୪୩ବିଲିୟନ ଆମେରିକୀୟ ଡଲାର । ଗୋଟିଏ ବିଲିୟନ ୧୦୦କୋଟି ସହ ସମାନ । ସେହିଭଳି ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୮୩ଟି ଭାରତୀୟ ଟଙ୍କା । ନିଜେ ହିସାବଟି କରିଦେଲେ ଭାରତୀୟ ଟଙ୍କାରେ ଏହି ସାମରିକ ଖର୍ଚ୍ଚର ମୂଲ୍ୟ କେତେହେବ ବୁଝି ହୋଇଯିବ । ଏହି ପ୍ରତିଷ୍ଠାନର ଗବେଷଣା କହୁଛିଯେ ୨୦୨୨ ତୁଳନାରେ ୨୦୨୩ରେ ସାମରିକ ଖର୍ଚ୍ଚ ୬.୮ ପ୍ରତିଶତ ବଢ଼ିଛି ଯାହାକି ଗତ ୯ବର୍ଷ ଭିତରେ ସବୁଠାରୁ ଅଧିକ । ତେବେ ଏହି ସମୁଦାୟ ସାମରିକ ଖର୍ଚ୍ଚର ଏକ ସିଂହଭାଗ ଅର୍ଥାତ୍ ୭୪ପ୍ରତିଶତ ଯାହାର ମୂଲ୍ୟ ୧ହଜାର ୭ଶହ ୯୯ ବିଲିୟନ ଆମେରିକୀୟ ଡ଼ଲାର ହେବ, ତାହା ଆମେରିକା, ଚୀନ୍, ଋଷିଆ ଓ ଭାରତ ସମେତ ୧୦ଟି ଦେଶ କରିଛନ୍ତି । ଆମେରିକା ନିଜ ସାମଗ୍ରିକ ଜାତୀୟ ଉତ୍ପାଦନର ୩.୪ପ୍ରତିଶତ ବା ୯ଶହ ୧୬ ବିଲିୟନ୍ ଡ଼ଲାର ସାମରିକ ଖର୍ଚ୍ଚକରି ଶୀର୍ଷରେ ଥିଲାବେଳେ, ଚୀନ୍ ସାମଗ୍ରିକ ଜାତୀୟ ଉତ୍ପାଦନର ୧.୭ପ୍ରତିଶତ ବା ୨ଶହ ୯୬ବିଲିୟନ ଆମେରିକୀୟ ଡଲାରର ସାମରିକ ଖର୍ଚ୍ଚକରି ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ନିଜ ସାମଗ୍ରିକ ଜାତୀୟ ଉତ୍ପାଦନର ୫.୯ପ୍ରତିଶତ ବା ୧ଶହ ୯ବିଲିୟନ ଆମେରିକୀୟ ଡ଼ଲାର ଖର୍ଚ୍ଚକରି ୠଷିଆ ତୃତୀୟ ସ୍ଥାନରେ ଥିଲାବେଳେ, ଆମଦେଶ ଭାରତ ନିଜ ଜାତୀୟ ଉତ୍ପାଦନର ୨.୪ପ୍ରତିଶତ ଅର୍ଥାତ୍ ୮୩.୬ବିଲିୟନ ଆମେରିକୀୟ ଡ଼ଲାର ଖର୍ଚ୍ଚକରି ବିଶ୍ୱ ସାମରିକ ଖର୍ଚ୍ଚ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ସବୁଠାରୁ ବିଡ଼ମ୍ବିତ ସ୍ଥିତିରେ ଅଛି ଅଷ୍ଟମ ସ୍ଥାନରେ ଥିବା ୟୁକ୍ରେନ୍ ଦେଶ । ସେମାନେ ନିଜ ଜାତୀୟ ଉତ୍ପାଦନର ୩୭ପ୍ରତିଶତ ଅର୍ଥତ୍ ୬୪.୮ବିଲିୟନ୍ ଆମେରିକୀୟ ଡ଼ଲାର ସାମରିକ ଖର୍ଚ୍ଚ କରୁଛନ୍ତି । ଏଠି ଗୋଟିଏ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି ଯାହାବି ଖର୍ଚ୍ଚ ହେଉଛି ସବୁ ସାମରିକ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ନିଜ ଲାଭର ପାଣ୍ଠିକୁ ନେଉଛନ୍ତି । ଯେଉଁ ଦେଶ ଆକ୍ରମଣ କରୁଛି ଏବଂ ଯେଉଁ ଦେଶ ତାହାର ପ୍ରତିରୋଧ କରୁଛି; ଉଭୟେ ଏହି ବହୁରାଷ୍ଟ୍ରୀୟ ସାମରିକ କମ୍ପାନୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଏମିତିକି ଯୁଦ୍ଧର ଭୟ ସୃଷ୍ଟି କରିମଧ୍ୟ ଭାରତ ଓ ପାକିସ୍ତାନ ଭଳି ଦେଶମାନଙ୍କୁ ଅସ୍ତ୍ରଶସ୍ତ୍ର ବିକ୍ରି କରାଯାଉଛି । ଯେତେବେଳେ ଧନୀଦେଶମାନଙ୍କ ସହିତ ଅପେକ୍ଷାକୃତ ଗରିବ ଦେଶମାନେ ଯୁଦ୍ଧରେ ମାତିବେ ବା ଯୁଦ୍ଧର ଭୟ ଦୁଇଟି ଅପେକ୍ଷାକୃତ ଗରିବ ଦେଶମାନଙ୍କ ମଧ୍ୟରେ ସୃଷ୍ଟି କରାଯିବ ତେବେ ସେଠି ସବୁଠାରୁ ଯନ୍ତ୍ରଣା ଭୋଗିବେ ନିଜ ଦେଶର ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପିଇବାପାଣି, ବସ୍ତ୍ର ଓ ବାସଗୃହ ପାଇଁ ସଂଘର୍ଷ କରୁଥିବା ସାଧାରଣ ମଣିଷମାନେ । ଯଦି ୟୁକ୍ରେନ ଭଳି ଗୋଟିଏ ଦେଶ ୧ଶହ ଟଙ୍କା ଉତ୍ପାଦନ କଲାବେଳେ ସେଥିରୁ ୩୭ଟଙ୍କା କେବଳ ଯୁଦ୍ଧ ଅସ୍ତ୍ରଶସ୍ତ୍ର କିଣିବାରେ ଖର୍ଚ୍ଚକରେ ତେବେ ସେ ଦେଶର ଆର୍ଥିକ ଅବସ୍ଥା କ’ଣ ହେବ ଅନୁମାନ କରାଯାଇପାରେ । ଇସ୍ରାଏଲର ପାଲେଷ୍ଟାଇନ୍ ବିରୋଧି ଆକ୍ରମଣ ଯାହାଗୋଟିଏ ପଟେ ଲେବାନନ୍ ଓ ଅନ୍ୟପଟେ ଇରାନ୍କୁ ସ୍ପର୍ଶ କରୁଛି ତାହାରି ପଛରେ ଆମେରିକା ସବୁ ସହଯୋଗ ଯୋଗାଉଥିବା ବେଳେ ଇସ୍ରାଏଲ୍ ଆକ୍ରମଣର ଶିକାର ହେଉଥିବା ନିରୀହ ଆରବୀୟମାନଙ୍କ ପାଖକୁ ସାଧାରଣ ସ୍ୱାସ୍ଥ୍ୟସେବା ବି ପହଞ୍ଚି ପାରୁନାହିଁ । ଶିଶୁ ଓ ମହିଳାମାନେ ଅଧିକ ଯନ୍ତ୍ରଣାର ଶିକାର ହେଉଛନ୍ତି । ତେବେ ସମବେଦନା ତ ନାହିଁ ବିଶ୍ୱର କେଉଁଠି ବି ଯଦି କିଛି ପ୍ରତିବାଦ ହୁଏ ତାହାର ପ୍ରଭାବ ରାଷ୍ଟ୍ରନେତାଙ୍କ ଉପରେ ଆଦୌ ପଡ଼ୁନାହିଁ ।

ସେପ୍ଟେମ୍ବର ୧୧,୨୦୦୧ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ଅନ୍ୟ କେତେକ ସ୍ଥାନରେ ବିବାଦୀୟ ବିମାନ ଆକ୍ରମଣ ପରଠାରୁ ବିଶ୍ୱରେ ଇସ୍ଲାମ୍ ବିରୋଧି ପ୍ରଚାର ଓ ପ୍ରସାରର ସବୁଠାରୁ ଅଧିକ ଲାଭ ବିଶ୍ୱର ସାମରିକ ଶିଳ୍ପ ନେଇଛି । ତାହାପର ଠାରୁ ହିଁ ବିଶ୍ୱରେ ଦକ୍ଷିଣପନ୍ଥୀ ଏକଛତ୍ରବାଦୀ ଶାସକ ମାନଙ୍କର ଅଭୂତପୂର୍ବ ଅଭ୍ୟୁଦୟ ଘଟିଛି । ବିଶ୍ୱର ବହୁରାଷ୍ଟ୍ରୀୟ ସାମରିକ କମ୍ପାନୀମାନେ ଯେ ଏହା ପଛରେ ନାହାଁନ୍ତି ଏହି କଥା ବିଶ୍ୱାସ କରିହେବ ନାହିଁ । ଏହି କମ୍ପାନୀମାନେ ଯୁଦ୍ଧପାଇଁ ବୈଧତା ଯୋଗାଡ଼ କରିବାରେ ଏବଂ ସାମରିକ ଖର୍ଚ୍ଚପାଇଁ ବାତାବରଣ ସୃଷ୍ଟି କରିବାରେ ଗଣମାଧ୍ୟମକୁ ଯେ ବ୍ୟବହାର କରୁନାହାଁନ୍ତି ଏହି କଥା ମଧ୍ୟ ଅସ୍ୱୀକାର କରିହେବ ନାହିଁ । ସେଥିପାଇଁ ଆମକୁ ପୁଣିଥରେ ନୋଆମ୍ ଚମସ୍କିଙ୍କ ପାଖକୁ ଫେରିବାକୁ ପଡ଼ିବ । ତାଙ୍କ ଭାଷାରେ ‘ଆମେ ପ୍ରତ୍ୟେକଥର ଯେତେବେଳେ ସାମରିକ ଖର୍ଚ୍ଚଟି ବଢ଼ାଉଛୁ, ଆମେ ପ୍ରକୃତରେ ନିଜଉପରେ ହିଁ ଆକ୍ରମଣ କରୁଛୁ’ । ଯଦି ସାମରିକ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତମୁଠାରୁ ବିଶ୍ୱକୁ ମୁକ୍ତ କରିବାର ଅଛି ଏହି ବାର୍ତ୍ତାଟି ସବୁ ଶାନ୍ତିପ୍ରିୟ ନାଗରିକଙ୍କ ପାଖରେ ପହଞ୍ଚିବା ଦରକାର ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.