ଶିଆଳି ଲତାରେ ବିଶ୍ରାମ ନେଉଥିବା ସମୟରେ କୃଷ୍ଣଙ୍କ ପାଦକୁ ହରିଣ କାନର ଭ୍ରମରେ ବ୍ୟାଧ ଶରବିଦ୍ଧ କରିଥିବା ପୌରାଣିକ କଥା ଆମେ ଶୁଣିଆସୁଛୁ । ସେହି ଶିଆଳିଲତା ଅଧିକ ମଜଭୁତ ଓ ଗଛରେ ମାଡ଼ି ତାର କାୟା ବିସ୍ତାର କରିଥାଏ । ଏହାର ଛାଲି ଓ ପତ୍ର ଉଭୟ ବନବାସୀମାନଙ୍କର ବ୍ୟବହାର ତଥା ଆୟର ମାଧ୍ୟମ ହୋଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାଏ । ଏହାର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ବନବାସୀମାନେ ତତ୍ପର । ଶିଆଳିଲତାର ପୁନର୍ଜନନ ପାଇଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରେ ବିଭିନ୍ନ ଗ୍ରାମରେ ଶିଆଳି ଉତ୍ସବ ପାଳନ କରାଯାଏ । ଅଭିନବ ଏହି ଉତ୍ସବକୁ ଜଗନ୍ନାଥଙ୍କର ସ୍ନାନପୂର୍ଣ୍ଣିମା ଦିନ ପାଳନ କରାଯାଏ । ଆଷାଢ଼ର ଆଗମନୀ ସହିତ ବର୍ଷାଋତୁର ପ୍ରାରମ୍ଭରେ ଜଙ୍ଗଲରେ ଶିଆଳି ମଞ୍ଜିକୁ ପୋତାଯାଏ । ପ୍ରାକୃତିକ ସୁରକ୍ଷାର ବଳୟରେ ପୂର୍ବରୁ ରହିଥିବା ଭିଜା ମାଟିରେ ଆଷାଢ଼ର ଗୋଟିଏ ଦୁଇଟି ବର୍ଷାରେ ମଞ୍ଜି ଅଙ୍କୁରିତ ହୋଇ ତା ଧାରାରେ ସେ ମାଡ଼ି ଚାଲେ ।
ଶିଆଳି ପତ୍ରରୁ ଖଲି ତିଆରି କରି ବିକ୍ରି କରିବା ଏହି ଅଞ୍ଚଳର ମହିଳାମାନଙ୍କ ରୋଜଗାରର ଏକ ମାଧ୍ୟମ । ଶିଆଳି ଛାଲିକୁ ଘର ଛପର ସମୟରେ ଓ ଅନ୍ୟ ବନ୍ଧାବନ୍ଧି କାମରେ ଲଗାଇଥାନ୍ତି । ଅନ୍ୟ ଦଉଡ଼ି ଅପେକ୍ଷା ଶିଆଳି ଛାଲି ଅଧିକ ଶକ୍ତ । କେନ୍ଦୁପତ୍ର ବାନ୍ଧିବା କାମରେ ଏହାର ବହୁଳ ବ୍ୟବହାର ହୋଇଥାଏ । ଆଦିମ ଜନଜାତି ମାଙ୍କିଡ଼ିଆଙ୍କ ଭଳି ଶିଆଳିଛାଲିରୁ ରସି ବା ଅନ୍ୟାନ୍ୟ ପ୍ରକ୍ରିୟାକରଣ ବସ୍ତୁ, ଏହି ଅଞ୍ଚଳରେ ତିଆରି ହୁଏ ନାହିଁ । ମାତ୍ର ପତ୍ରରୁ ଖଲି ପ୍ରସ୍ତୁତ ଓ ବିକ୍ରି ଘରେ ଘରେ ଦେଖିବାକୁ ମିଳେ ।
ଜଙ୍ଗଲରେ ଶିଆଳିପତ୍ରର ପରିମାଣରେ କ୍ରମାଗତ ହ୍ରାସ ହେବା ଫଳରେ ୨୦୦୬-୨୦୦୭ ମସିହାରେ ଶିଆଳିଲତାର ଉପଲବ୍ଧତାକୁ ବଢ଼ାଇବା ପାଇଁ ଏହି ଉତ୍ସବ ମାଧ୍ୟମରେ ଶିଆଳିର ସୁରକ୍ଷା ଓ ବୃଦ୍ଧିକୁ ଗ୍ରାମବାସୀମାନେ ଗୁରୁତ୍ୱ ଦେଲେ । ଉତ୍ସବରେ ଯୋଗଦେବା ପାଇଁ ମହିଳାମାନେ ବନ ଅଧିକାରୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ । ଉତ୍ସବ ପାଳନର ଏହା ପ୍ରାରମ୍ଭିକ ସମୟର କଥା – ବନ ଅଧିକାରୀ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଜଙ୍ଗଲ ସୁରକ୍ଷାକାରୀ ମହିଳାମାନଙ୍କୁ ରୁକ୍ଷ ଭାବରେ ପଚାରିଥିଲେ “ତୁମକୁ ଜଙ୍ଗଲ ଭିତରେ ଶିଆଳି ଲତା ଲଗାଇବାକୁ କିଏ ଅନୁମତି ଦେଲା?” ଜଙ୍ଗଲରେ ଶିଆଳି ଲଗାଇବା ଦ୍ୱାରା ଲତା ପ୍ରସାରିତ ହୋଇ ପୁଣି କୃଷ୍ଣଙ୍କ ଭଳି କେହି ବ୍ୟାଧର ଶିକାର ନ ହୁଅନ୍ତୁ ଓ ଦ୍ୱାପରଯୁଗର ଦୁର୍ଘଟଣାର ପୁନରାବୃତ୍ତି ନ ହେଉ, ବନ ଅଧିକାରୀଙ୍କ ସେଭଳି ଉଦେଶ୍ୟ ତ ନଥିଲା । କାରଣ ବିରକ୍ତି ପ୍ରକାଶ କରି ସେ ପୁଣି କହିଲେ “ ବଡ଼ଗଛକୁ ଠିକ୍ ଭାବରେ ବଢ଼ିବାକୁ ଦେଉ ନଥିବାରୁ ଜଙ୍ଗଲରୁ ଲତା ବୁଦା ସଫା କରି ଆମେ ବଡ଼ଗଛକୁ ବଢ଼ିବାକୁ ସୁଯୋଗ ଦେଉଛୁ, ଆଉ ତୁମେ ସେଠାରେ ଶିଆଳି ଲତା ଲଗାଇ ବନବିଭାଗର ବୈଜ୍ଞାନିକ ପରିଚାଳନା ପଦ୍ଧତିରେ ବ୍ୟାଘାତ କରୁଛ ।” ବନ ଅଧିକାରୀଙ୍କ ଏଭଳି ବ୍ୟବହାରରେ ଦୁଃଖିତ ତଥା ନିରାଶ ହୋଇ ମହିଳାମାନେ ଫେରି ଆସିଲେ । ମାତ୍ର ଶିଆଳି ଉତ୍ସବ ପାଳନକୁ ସେମାନେ ବନ୍ଦ କରିନଥିଲେ । ୧୧ବର୍ଷ ହେଲା କ୍ରମାଗତ ଭାବରେ ଏହା ପାଳନ ହୋଇ ଆସୁଛି ।
ଏହି ପ୍ରସଙ୍ଗର ସଂଯୋଗ ବନବିଭାଗର ସିଲ୍ଭି କଲ୍ଚରାଲ ଅପରେସନ ବା ଜଙ୍ଗଲର ପତଳୀକରଣ ସହିତ ରହିଛି । ନୂତନ ବୃକ୍ଷରୋପଣ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଯାଇ, ପୁଣି ଲତାଜାତୀୟ ପ୍ରଜାତି ଶାଳ, ପିଆଶାଳ, ଅସନ, ଗମ୍ଭାରୀ ଇତ୍ୟାଦି ମୂଲ୍ୟବାନ କାଠଗଣ୍ଡି ହେଉଥିବା ବୃକ୍ଷରେ ମାଡ଼ି ତାର ଅଭିବୃଦ୍ଧିରେ ବ୍ୟାଘାତ ନ କରନ୍ତୁ, ସେଥିପାଇଁ ଏହାକୁ କାଟି ସଫା କରିଦେବା ସେମାନଙ୍କର ବୈଜ୍ଞାନିକ ପରିଚାଳନା ପଦ୍ଧତିର ଏକ ଅଙ୍ଗ ହୋଇଥାଏ ।
ଜୈବ ବିବିଧତାର ସମୃଦ୍ଧିରେ ସମସ୍ତ ଲତା, ଗୁଳ୍ମ, ଛୋଟ ବୁଦା ଏପରିକି ଶୁଖିଲା, ମଲା ଗଛର ବି ଅବଦାନ ରହିଛି । ସୂକ୍ଷ୍ମ ଭାବରେ ଜୀବଜଗତ ପାଇଁ ସେମାନେ ଯୋଗଦାନ କରୁଛନ୍ତି । ଏହାକୁ ଅଣଦେଖା କରାଯାଇ ନପାରେ । ପ୍ରକୃତିର ବ୍ୟବସ୍ଥାରେ ବନବିଭାଗର ଏହା ଅନଧିକାର ହସ୍ତକ୍ଷେପ । ଦ୍ୱିତୀୟରେ ବନ୍ୟଜନ୍ତୁ ବିଶେଷ କରି ହାତୀ ତଥା ଅନ୍ୟାନ୍ୟ ତୃଣଭୋଜୀ ପ୍ରାଣୀମାନଙ୍କ ଏହା ଆହାର । ଜଙ୍ଗଲକୁ ଏଭଳି କ୍ଷୟ କରିବା ଓ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେବା ଦ୍ୱାରା ପ୍ରାକୃତିକ ଜଙ୍ଗଲ ଉପରେ ବିପରୀତ ପ୍ରଭାବ ପଡ଼ୁଛି । ବନ୍ୟଜନ୍ତୁର ବସତି ଓ ବଂଚିବାର ଧାରାରେ ଏହା ବ୍ୟାଘାତ ଆଣୁଛି । ତୃତୀୟରେ ଜଙ୍ଗଲରୁ କନ୍ଦା, ଲଇ, ପତ୍ର ଓ ଫୁଲକୁ ଜୀବିକାର ମାଧ୍ୟମ ଭାବରେ ଗ୍ରହଣ କରୁଥିବା ବନଜୀବୀଙ୍କ ଚଳିବା ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି ।
ସ୍ୱାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ ଜଙ୍ଗଲ ପ୍ରାଥମିକ ଭାବରେ ରାଜସ୍ୱ ସଂଗ୍ରହର ମୁଖ୍ୟ ଉତ୍ସ ଭାବରେ ଗଣା ଯାଉଥିଲା । ସିଧା ଓ ମୋଟା କାଠଗଣ୍ଡିର ଉତ୍ପାଦନକୁ ସେମାନେ ଗୁରୁତ୍ୱ ଦେଉଥିଲେ । ବିଶେଷ କରି ଜାହାଜ ନିର୍ମାଣ ଓ ରେଳଲାଇନ୍ର ସ୍ଲିପରରେ ଏହାର ବହୁଳ ବ୍ୟବହାର ହେଉଥିଲା । ଗୃହ ନିର୍ମାଣ ଓ ସାଜସଜ୍ଜାରେ ଏହା ବ୍ୟବହାର ହେବା ସହିତ ବ୍ୟବସାୟିକ ଉଦେଶ୍ୟରେ ବିଦେଶକୁ ରପ୍ତାନୀ ମଧ୍ୟ କରାଯାଉଥିଲା । ତେଣୁ ଜଙ୍ଗଲର ପରିଚାଳନାକୁ ସେହି ଢଙ୍ଗରେ ସେମାନେ କାର୍ଯ୍ୟକାରୀ କରୁଥିଲେ, ମାତ୍ର ଆଜି ପ୍ରାକୃତିକ ଜଙ୍ଗଲର ଉପାଦେୟତାକୁ କେବଳ ଉପନିବେଶ ସରକାରର ବ୍ୟବସାୟକୈନ୍ଦ୍ରୀକ ପରିଚାଳନା ଗଣ୍ଡି ମଧ୍ୟରେ ବାନ୍ଧି ଦେଇପାରିବା ନାହିଁ ।
ପରିତାପର ବିଷୟ ଆଜି ମଧ୍ୟ ସେହି ସମୟର ଜଙ୍ଗଲ ନିୟମ ଓ ପଦ୍ଧତିକୁ ଅନୁସରଣ ଓ ଅନୁକରଣ କରାଯାଉଛି । ଜଙ୍ଗଲର କାର୍ଯ୍ୟ ଯୋଜନା (working plan)କଥା ଦେଖାଯାଉ, ସମଗ୍ର ବନଖଣ୍ଡକୁ ଜଙ୍ଗଲ ବ୍ଲକରେ ବିଭକ୍ତ କରାଯାଇ, ସେହି ଜଙ୍ଗଲ ବ୍ଲକରୁ କୁପ୍ ରେ ଗଛ କଟା ହୁଏ । କାର୍ଯ୍ୟ ଯୋଜନା ୧୦ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥାଏ । ଆମ ରାଜ୍ୟରେ ଚଳିତବର୍ଷ ୩୪ଟି ବନଖଣ୍ଡରେ କାର୍ଯ୍ୟ ଯୋଜନା ଅନ୍ତର୍ଗତ ଗଛ କଟା ହୋଇଛି । ରାଜ୍ୟର ବିକାଶ ଯୋଜନା ନାମରେ ଖଣି, କଳକାରଖାନା, ନଦୀବନ୍ଧ, ରେଳଲାଇନ, ରାସ୍ତାର ପ୍ରଶସ୍ତିକରଣ ଇତ୍ୟାଦିରେ ଯେଉଁ ପରିମାଣରେ ଜଙ୍ଗଲ ନଷ୍ଟ ତଥା ଗଛ କଟାଯାଉଛି ତା’ସହିତ କାର୍ଯ୍ୟ ଯୋଜନାର ଗଛ କଟା ପରିବେଶକୁ ପ୍ରଭାବିତ କରୁ ନାହିଁ କି?
ନିକଟରେ ଖବରକାଗଜର ସମ୍ବାଦ ଅନୁସାରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟଯୋଜନାରେ ବନବିଭାଗ ଗଛ କାଟିବା ସମୟରେ ଗ୍ରାମବାସୀ ଗଛକୁ କୁଣ୍ଢାଇ ଧରି କାଟିବାକୁ ବିରୋଧ କରିଥିଲେ । କେନ୍ଦୁଝର ଜିଲ୍ଲାରେ ଖଣିଖାଦାନର ପ୍ରାବଲ୍ୟ ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଚାଲିଛି, ସେଥିରେ ପୁଣି କାର୍ଯ୍ୟଯୋଜନାର ଗଛକଟା ଓ ସାଗୁଆନ, ଆକାଶିଆ ଇତ୍ୟାଦି ରୋପଣପାଇଁ ପ୍ରାକୃତିକ ଜଙ୍ଗଲରେ ପ୍ରବେଶ ପରିବେଶକୁ ବିପର୍ଯ୍ୟସ୍ତ କରୁଛି । ସମ୍ବଲପୁର ଜିଲ୍ଲାରେ ବିକାଶ ଯୋଜନା ଓ କାର୍ଯ୍ୟ ଯୋଜନାରେ ଗଛ କଟାର ଯଦି ଆକଳନ କରାଯାଏ, ତେବେ ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁସାରେ କାର୍ଯ୍ୟ ଯୋଜନାରେ କଟାଯାଇଥିବା ବୃକ୍ଷର ଦୁଇଗୁଣ ରାଜପଥ ପ୍ରଶସ୍ତିକରଣ ପାଇଁ କଟାଯାଇଛି । ଯେଉଁ କାରଣ ପାଇଁ ହେଉ ପଛେ ମୋଟରେ ଯେତିକି ଗଛ କଟାଯାଉଛି ତାର ସମୀଚୀନତାକୁ ଦୃଷ୍ଟି ଦେବା ଆବଶ୍ୟକ ।
ଏଠାରେ ବନବିଭାଗର ଯୁକ୍ତି ରହେ, “ଏହା ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ, ଜଙ୍ଗଲରେ ଗଛର ପରିମାଣକୁ ଅନୁଧ୍ୟାନ କରି ପାକଳ ଗଛ (matured tree)କୁ ଚିହ୍ନଟ କରାଯାଏ । ମଞ୍ଜି ପ୍ରଦାନ କରିପାରୁଥିବା କିଛି ଗଛକୁ କାଟିବାରୁ ବାଦ୍ ଦିଆଯାଏ କାରଣ ଜଙ୍ଗଲ ବୃଦ୍ଧିରେ ସେହି ଗଛର ଯୋଗଦାନ ରହିବ । ମଝିରୁ ମଝିରୁ ପାକଳ ଗଛ କାଟିବା ଫଳରେ ଅନ୍ୟ ଗଛକୁ ସୂର୍ଯ୍ୟକିରଣ ଓ ସ୍ଥାନ ପର୍ଯ୍ୟାପ୍ତ ପରିମାଣରେ ମିଳିପାରେ ଓ ଉକ୍ତ ଗଛଗୁଡ଼ିକ ସଳଖ ଓ ସବଳ ଭାବରେ ବଢ଼ି ପାରନ୍ତି” । କେବଳ କାଠଗଣ୍ଡି ଅମଳକୁ ବାଦ୍ ଦେଲେ ଏହି ଯୁକ୍ତି କେବେ ମଧ୍ୟ ପ୍ରକୃତିସମ୍ମତ ନୁହେଁ । ପ୍ରାକୃତିକ ଜଙ୍ଗଲ ଓ ବନବିଭାଗ ଦ୍ୱାରା ପରିଚାଳିତ ଏକ ଜଙ୍ଗଲକୁ ତୁଳନା କରାଗଲେ ଏହାର ସ୍ପଷ୍ଟତା ଆପେ ଜଣାଯିବ । ପ୍ରାକୃତିକ ଜଙ୍ଗଲ ଅଧିକ ସମୃଦ୍ଧ ବା ପ୍ରକୃତିର ପରିଚାଳନା ବ୍ୟବସ୍ଥା ଅଧିକ ଉକ୍ରୃଷ୍ଟ । କାରଣ ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟରେ ବନବିଭାଗର ଏହି ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଏ ନାହିଁ । ଏପରି କି ଉଚ୍ଚତମ ନ୍ୟାୟାଳୟ ମଧ୍ୟ କିଛିବର୍ଷ ପୂର୍ବରୁ କାର୍ଯ୍ୟଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆଦେଶ ଦେଇଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଗ୍ରାମସଭାର ବିନା ଅନୁମତିରେ ସେମାନଙ୍କ ଦ୍ୱାରା ସୁରକ୍ଷିତ ଜଙ୍ଗଲ ମଧ୍ୟରେ କୌଣସି ବାହ୍ୟ ହସ୍ତକ୍ଷେପ ହୋଇପାରିବ ନାହିଁ । ଗ୍ରାମବାସୀଙ୍କ ପରିଚାଳନା ଯୋଜନା ମଧ୍ୟରେ ବନବିଭାଗର କାର୍ଯ୍ୟ ଯୋଜନାକୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯିବ, ଏହା ଉଲ୍ଲେଖ ଅଛି ।
‘କାର୍ଯ୍ୟ ଯୋଜନା ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ’ ଏହାର ବାସ୍ତବତା ଏହା କାର୍ଯ୍ୟକାରୀ ହୋଇଥିବା ଏକ ଅଞ୍ଚଳରୁ ପ୍ରତ୍ୟକ୍ଷ ହୋଇଥିବା ତଥ୍ୟକୁ ଏଠାରେ ଉପସ୍ଥାପନ କରିବା ଆବଶ୍ୟକ । ଜଙ୍ଗଲ ବ୍ଲକ୍ ଗୁଡ଼ିକରେ ଗଛ ଚିହ୍ନଟ କରିବାର ଦାୟିତ୍ୱ ବନବିଭାଗ ଶେଷ କରିବା ପରେ ଓଡ଼ିଶା ବନ ଉନ୍ନୟନ କରପୋରେସନ (OFDC)ଙ୍କୁ ଗଛ କାଟିବା ସହ ବୋହି ନେବାର ଦାୟିତ୍ୱ ହସ୍ତାନ୍ତର କରିଥାଏ । ମାତ୍ର କେତେ ଦାୟିତ୍ୱବାନ ଭାବରେ OFDC ତା’ର କାର୍ଯ୍ୟ ନିର୍ବାହ କରିଥାଏ ତାହା କ୍ଷେତ୍ରସ୍ଥଳକୁ ଯାଇ ନଦେଖିଲେ ବୁଝିହେବ ନାହିଁ । ଚିହ୍ନଟ ହୋଇଥିବା ଗଛକୁ କାଟିବା ସମୟରେ ଅନ୍ୟ ବଡ଼ଗଛ ଭାଙ୍ଗିଯାଏ, ଗଛକଟା ସରିବା ପରେ କାଠଗଣ୍ଡିକୁ ଜଙ୍ଗଲ ଭିତରୁ ମଜୁରିଆ ଦ୍ୱାରା ବୋହି ନେବାର ବ୍ୟବସ୍ଥା ହେବା ଉଚିତ୍, ମାତ୍ର ଏହା ଶ୍ରମବହୁଳ ଏବଂ ବ୍ୟୟବହୁଳ ହୋଇଥିବା ଯୋଗୁଁ ଏହା କରାନଯାଇ ଟ୍ରକ୍ କୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରାଇବା ପାଇଁ ରାସ୍ତା କରାଯାଏ । ସେଥିରେ ଛୋଟ ବଡ଼ ଗଛ କଟିବା ସହିତ ମାଟି ତଳ ମୂଳଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ । ଶେଷରେ ବଡ଼ଗଣ୍ଡିଗୁଡ଼ିକ କାଢ଼ି ନେବା ପରେ ଗଛର ଡାଳପତ୍ରକୁ ସେଠାରେ ସେଭଳି ଛାଡ଼ି ଦିଆଯାଏ । ସେଗୁଡ଼ିକୁ ଜାଳକାଠ ଭାବରେ ବିକ୍ରିକରିବା ପାଇଁ OFDCକୁ ନିର୍ଦ୍ଧେଶ ଥିଲେ ସୁଦ୍ଧା ତାହା ବୋହିବା ବ୍ୟୟସାପେକ୍ଷ ଓ ଲାଭକାରୀ ହୋଇନଥିବା କାରଣରୁ ତାହା ସ୍ଥାନାନ୍ତରିତ ହୁଏ ନାହିଁ ଓ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବାରେ ଏହା ସହାୟକ ହୋଇଥାଏ । ସେଥିରେ ପୁଣି ଜଙ୍ଗଲର ହାନୀ ହୁଏ । ବଡ଼ଗଛ କାଟିବା ସମୟରେ ସୁବ୍ୟବସ୍ଥିତ ଭାବରେ ଅନ୍ୟ ଗଛ ଯେପରି ଭାଙ୍ଗି ନଯାଏ ତାକୁ ଦୃଷ୍ଟି ଦେବା ଆବଶ୍ୟକ, ମାତ୍ର ତାହା ହୁଏନାହିଁ । ବନବିଭାଗ ନିକଟରେ ଏହି ଅଭିଯୋଗ ରଖିଲେ ସେମାନଙ୍କର ସହଜ ଉତ୍ତର ରହେ “ଆମେ OFDC ନିକଟରୁ ଜଙ୍ଗଲର କ୍ଷୟକ୍ଷତି ପାଇଁ ଫାଇନ୍ ଆଦାୟ କରିଦେଉ ।” ତେବେ ସେହି ଜୋରିମାନା କଣ ପରିବେଶର ବ୍ୟାପକ କ୍ଷୟକ୍ଷତିର ଭରଣା କରିପାରିବ?
ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଦେଖିବା କାର୍ଯ୍ୟଯୋଜନାରେ କଟାଯାଉଥିବା ଏହି ବହୁମୂଲ୍ୟ ଗଛଗୁଡ଼ିକ ଯାଏ କୁଆଡ଼େ । ଲୋକଙ୍କର କାଠ ଆବଶ୍ୟକତାକୁ ମେଣ୍ଟାଇବା ଏହାର ଉଦେଶ୍ୟ ବୋଲି କୁହାଯାଇଥାଏ । ତେବେ ଆମ ରାଜ୍ୟ ଜଙ୍ଗଲରୁ କଟାଯାଉଥିବା ଏହି କାଠ ଯେ ଆମ ରାଜ୍ୟରେ ବ୍ୟବହାର ହୁଏ ତାହା ନୁହେଁ । ବ୍ୟବସାୟିକ ସଂସ୍ଥା OFDC ଏହାର ନିଲାମ କରେ ଓ ଅନ୍ୟ ରାଜ୍ୟର କାଠ ବ୍ୟବସାୟୀମାନେ ଏହାକୁ ଅଧିକ ମୂଲ୍ୟ ଦେଇ ନିଲାମ ନିଅନ୍ତି । ରାଜ୍ୟର କ୍ଷୟମାନ ଜଙ୍ଗଲକୁ ଆହୁରି କଟାଯାଇ ପରିବେଶକୁ ଅସନ୍ତୁଳିତ କରି ମୂଲ୍ୟବାନ କାଠ ଚାଲିଯାଏ ଅନ୍ୟ ରାଜ୍ୟକୁ । ବିକାଶମୂଳକ କାର୍ଯ୍ୟପାଇଁ ଜଙ୍ଗଲ ଧ୍ୱଂସକୁ ବିରୋଧ କରିବା ଆଜିର ଦିନରେ ସବୁଠାରୁ ବଡ଼ ଅପରାଧ । ପୁଣି ବିଦେଶୀ ସରକାର ଦ୍ୱାରା ପ୍ରଚଳିତ ଆଇନକୁ ବିରୋଧ କରିବା ମଧ୍ୟ ସଦୃଶ ଅପରାଧ, ଶିଆଳି ଉତ୍ସବ ଭଳି । କାରଣ ଏହା ଅବୈଜ୍ଞାନିକ ଓ ବନବିଭାଗର କାର୍ଯ୍ୟ ପରିସରରେ ଅନଧିକାର ପ୍ରବେଶ ବୋଲି ଅଭିଯୋଗ ହୁଏ । ତେବେ ପ୍ରାକୃତିକ ଜଙ୍ଗଲର ଭବିଷ୍ୟତ କେଉଁଠି?
From Samadrusti Digital Archive (1-15 July 2018)
Comments
0 comments