ଭାଷାଭିତ୍ତିରେ ଗଠିତ ହୋଇଥିବା ଭାରତର ପ୍ରଥମ ରାଜ୍ୟ ଓଡ଼ିଶା । ଓଡ଼ିଶା – ଓଡ଼ିଆମାନଙ୍କ ପାଇଁ ଓଡ଼ିଶା । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ସେତେବେଳେ ଅନେକ ଓଡ଼ିଆ ଅଞ୍ଚଳ ଓଡ଼ିଶାର ସୀମା ସରହଦ ଭିତରକୁ ଆସିପାରି ନଥିଲା । ତା’ର କାରଣ ଇଂରେଜ ସରକାରଙ୍କ ବୈମାତୃକ ଭାବ ବୋଲି କେତେକାଂଶରେ ଗ୍ରହଣ କରାଯାଇପାରେ । ପ୍ରସ୍ତାବିତ ନୂତନ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଗଠିତ ସୀମା କମିଟି (ଓଡ଼ନେଲ କମିଟି)ର ସଭ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ସଭ୍ୟଙ୍କ ମତାମତକୁ ନିରାଧାର ମନେକରି କମିଟିର ଅଧ୍ୟକ୍ଷ ମି.ଓଡ଼ୋନେଲ ଦକ୍ଷିଣର ଅନେକ ଓଡ଼ିଆ ଅଞ୍ଚଳକୁ ବାଦ ଦେଇଥିଲେ ନୂତନ ଓଡ଼ିଶାରୁ । ଏପରିକି ପାରଳା ମହାରାଜାଙ୍କ ଅଧିନସ୍ଥ ତାଙ୍କ ନିଜ ଜମିଦାରୀର ଅଧିକାଂଶ ଅଞ୍ଚଳ ସେଭଳି ଭାବରେ ବାଦ୍ ପଡ଼ିଯାଇଥିଲା । ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ତତ୍କାଳୀନ ଓଡ଼ିଶା ଉପ-ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆମାନଙ୍କର ପ୍ରତିନିଧି ତଥା ଓଡ଼ିଶା ସୀମା କମିଟିର ଅନ୍ୟତମ ସହଯୋଗୀ ସଭ୍ୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାହାଙ୍କ ନିଜ ଜମିଦାରୀ ହିଁ ନୂତନ ଓଡ଼ିଶା ସହ ସମ୍ପୂର୍ଣ୍ଣ ସାମିଲ ହୋଇପାରିଲା ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରଥମ ଗୋଲଟେବୁଲ ବୈଠକରେ ମହାରାଜାଙ୍କ ପ୍ରଦତ୍ତ ଯୁକ୍ତି ସମ୍ବଳିତ ଏବଂ ହୃଦୟସ୍ପର୍ଶୀ ରକ୍ଷଣ ତଥା ସଭ୍ୟମାନଙ୍କୁ ପ୍ରଦତ୍ତ ସ୍ମାରକ ପତ୍ରଟିଏର ପ୍ରଭାବ ଏତେ ଦିଗନ୍ତ ପ୍ରସାରୀ ହୋଇପାରିଥିଲା ଯେ ସେହି ବୈଠକରେ ସାମାନ୍ୟତମ ବିରୋଧର ସମ୍ମୁଖୀନ ନହୋଇ ସେହି ପ୍ରସ୍ତାବଟି ସର୍ବସମ୍ମତ୍ତ ରୂପେ ଗୃହୀତ ହୋଇଥିଲା । ପରିଣାମତଃ ସେହିଠାରୁ ହିଁ ଭାଷାଭିତ୍ତିରେ ନୂତନ ଓଡ଼ିଶା ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୀତିଗତ ଭାବେ ସରକାର ଘୋଷଣା କରିଥିଲେ ନୂତନ ଓଡ଼ିଶା ଗଠନ ପାଇଁ । ତା’ର ପରବର୍ତ୍ତୀ ପଦକ୍ଷେପ ଥିଲା ପ୍ରସ୍ତାବିତ ନୂତନ ପ୍ରଦେଶ ପାଇଁ ସୀମା ନିର୍ଦ୍ଧାରଣ । ସେହି କମିଟିରେ ମଧ୍ୟ ମହାରାଜା ଥିଲେ ସହଯୋଗୀ ସଭ୍ୟ । ତାଙ୍କର ଜମିଦାରିର ଓଡ଼ିଶା ସହ ସମ୍ମିଶ୍ରଣ ପାଇଁ ଅନେକ ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପିତ ହୋଇଥିଲା । ତେଲୁଗୁ ସମ୍ପ୍ରଦାୟରୁ ଅନେକ ବ୍ୟକ୍ତି ତଥା ଅନୁଷ୍ଠାନ ସେମାନଙ୍କର ଓଡ଼ିଶା ସହ ମିଶ୍ରଣ ପାଇଁ ସାକ୍ଷ୍ୟ ପ୍ରଦାନ କରିଥିଲେ । ତଥାପି ଓଡ଼ିଆଙ୍କ ପାଇଁ ଗଠିତ ହେଉଥିବା ଓଡ଼ିଶାରେ ପାରଳା ମହାରାଜାଙ୍କ ଜମିଦାରୀର ତେଲୁଗୁ ପ୍ରଜାଗଣ କାଳେ ଉଚିତ ନ୍ୟାୟ ପାଇପାରିବେ ନାହିଁ ଆଶଙ୍କା କରିଥିଲେ ସୀମା କମିଟିର ଅଧ୍ୟକ୍ଷ ମି.ଓଡ଼ୋନେଲ । ପୁରୀ ଶ୍ରୀମନ୍ଦିରର ରୀତିନୀତି ତଥା ଓଡ଼ିଶା ସମ୍ପ୍ରଦାୟର ସାମାଜିକ/ସାଂସ୍କୃତିକ ଚେତନା ପ୍ରବାହ ଯେ ପାରଳା ରାଜ୍ୟରେ/ଜନଗଣଙ୍କ ମଧ୍ୟରେ ପ୍ରବାହିତ – ମହାରାଜାଙ୍କ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରି ନଥିଲେ ଅଧ୍ୟକ୍ଷ ମହୋଦୟ । ତେଣୁ ଏକତରଫା ଭାବେ ଆପଣାର ମତାମତ ଅନୁଯାୟୀ ଓଡ଼ିଶା ପ୍ରଦେଶ ପାଇଁ ଯେଉଁ ସୀମା ନିର୍ଦ୍ଧାରଣ କରିଥିଲେ ସେଥିରେ ପାରଳା ଏବଂ ଜୟପୁର ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇନଥିଲା । ଜଣେ ଗଭର୍ଣ୍ଣରଶାସିତ ପ୍ରଦେଶରୂପେ ଓଡ଼ିଶା ଗଠିତ ହେବା ନେଇ ଯେଉଁ ସରକାରୀ ଶ୍ୱେତପତ୍ର ୧୯୩୩ ମସିହା ମାର୍ଚ୍ଚ ୧୭ତାରିଖ ଦିନ ପ୍ରକାଶିତ ହୋଇଥିଲା, ସେଥିରେ ଅନ୍ତର୍ଭୁକ୍ତ ଥିଲା ।
୧. ବିହାର-ଓଡ଼ିଶା ପ୍ରଦେଶରୁ ଓନିଶା ଡିଭିଜନର କଟକ, ପୁରୀ ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳ
୨. କେନ୍ଦ୍ରପ୍ରଦେଶରୁ ଖଡ଼ିଆଳ ଏବଂ ପଦ୍ମପୁର ତାଲୁକାର ପଦ୍ମପୁର ଜମିଦାର ସମେତ କୁହାକୁଣ୍ଡା, ବୋଡ଼ିମାଳ, ପାଂଚପୁଡ଼ିଆ, ବ୍ରହ୍ମପୁର ଏବଂ ଠାକୁରପଲ୍ଳୀ ଗ୍ରାମ
୩. ମାନ୍ଦ୍ରାଜ ପ୍ରଦେଶରୁ ପାରଳାଖେମୁଣ୍ଡି ଏବଂ ଜଳନ୍ତରକୁ ବାଦ୍ ଦେଇ ଗଞ୍ଜାମ ମାଳ ଅଂଚଳ ଏବଂ
୪. ଗଞ୍ଜାମର ଘୁମୁସର, ଆସିକା, ସୋରଡ଼ା, କୋଦଳା ଓ ଛତ୍ରପୁର ତାଲୁକା ସମେତ ଇଛାପୁର ତାଲୁକାର ସୁରଙ୍ଗୀ, ଜରଡ଼ା, ଚିକିଟି ଏବଂ ବ୍ରହ୍ମପଚୁର ତାଲୁକାର ଉତ୍ତରାଞ୍ଚଳ ।
ଶ୍ୱେତପତ୍ର ପ୍ରକାଶ ପାଇବା ପରକ୍ଷଣରୁ ହିଁ ଓଡ଼ିଆ ଜନଗଣଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଖୋଦ୍ ସୀମା କମିଟିର ଭାରତୀୟ ସଭ୍ୟ ଶ୍ରୀ ତରୁଣରାମ ଫୁକନ ଅତ୍ୟନ୍ତ ନୈରାଶ୍ୟଜନକ ଭାବେ ମାର୍ଚ୍ଚ ୨୨ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆପଣାର ମତ ରଖିଥିଲେ ଯେ ପ୍ରସ୍ତାବିତ ନୂତନ ଓଡ଼ିଶାର ‘ଅଗ୍ରଗଣ୍ୟ ନେତା ପାରଳା ମହାରାଜାଙ୍କ ଜମିଦାରୀ, ଯେଉଁଠି ତେଲୁଗୁମାନେ ରାଜାଙ୍କ ସହ ଓଡ଼ିଶାରେ ରହିବାପାଇଁ ଆଗ୍ରହୀ ସେହି ଅଞ୍ଚଳ ସବୁ ଓଡ଼ିଶା ସହ ଯୁକ୍ତହେବା ଉଚିତ ଥିଲା ।’ (ସତ୍ୟନାରାୟଣ ମହାପାତ୍ର ଗଜପତି କୃଷ୍ଣଚନ୍ଦ୍ରଦେବ – ପୃ.୩୪୧.୩୪୨) । ଅନୁରୂପ ଭାବରେ ସୀମା କମିଟିର ଅନ୍ୟତମ ସଭ୍ୟ ଶ୍ରୀ ଏଚ୍.ଏମ୍. ମେହେଟ୍ଟା ଏସୋସିଏଟ୍ ପ୍ରେସକୁ ଏକ ବିବୃତ୍ତି ଦେଇଥିଲେ ଯେ -‘ପାରଳା ଜମିଦାର ଏକ ସମ୍ପୂର୍ଣ୍ଣ ଓଡ଼ିଆ ଅଞ୍ଚଳ’ । ମହାରାଜାମାନଙ୍କର ଉଦାରତା ଓ ଉତ୍ତମ ଶାସନରେ ଆକୃଷ୍ଟ ହୋଇ ନିକଟସ୍ଥ ମାନ୍ଦ୍ରାଜ ଅଞ୍ଚଳର ବହୁ ତେଲୁଗୁ ଏହି ରାଜ୍ୟକୁ ଚାଲି ଆସିଥିଲେ ନିରପେକ୍ଷ ଶାସନ ଭିତରେ ରହିବାପାଇଁ । ଅତଏବ ବର୍ତ୍ତମାନ ଯଦିବା ସେଠାରେ ସଂଖ୍ୟାତ୍ମକ ଦୃଷ୍ଟିରେ ତେଲୁଗୁମାନେ କିଞ୍ଚିତ ସଂଖ୍ୟାଧିକ, ତଥାପି ସେମାନେ ମହାରାଜାଙ୍କ ସହିତ ଓଡ଼ିଶାରେ ମିଶିବାକୁ ମଧ୍ୟ ଆଗ୍ରହୀ । ଯଦି ପାରଳା ଓଡ଼ିଶା ସହ ଯୁକ୍ତ ନହୁଏ ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସେଇ ପୁରାତନ ସୌହାର୍ଦ୍ଦ୍ୟ ହୁଏତ ରହିବ ନାହିଁ । ସେଭଳି ୯୬% ଭାଗ ଓଡ଼ିଆ ଥିବା ଜୟପୁର ମାଳ ଅଞ୍ଚଳ ଓଡ଼ିଶା ସହ ସାମିଲ ହୋଇ ନପାରିବା ଦୁର୍ଭାଗ୍ୟ ବିଷୟ ।
ଓଡ଼ିଶା ସଂକ୍ରାନ୍ତୀୟ ଶ୍ୱେତପତ୍ର ପାରଳା ମହାରାଜାଙ୍କୁ ଗଭୀର ନୈରାଶ୍ୟ ଭିତରକୁ ଠେଲି ଦେଇଥିଲା । ହତାଶା ଏବଂ କେବଳ ହତାଶା ଭାବ । ଦୂର ଆକାଶର ଏକ ନୀଳତାରକା ପୁଣି ଏକ ନୂତନ ଆଲୋକ ଦେଖାଇଥିଲା ମହାରାଜାଙ୍କୁ । କାରଣ ଭାରତ ଶାସନ ସଂସ୍କାରର ଏକ ଅଙ୍ଗ ହୋଇଥିବା ଦୃଷ୍ଟିରୁ ଶ୍ୱେତପତ୍ର ସମ୍ପର୍କୀୟ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବା ସହ ଲଣ୍ଡନରେ ମିଳିତ ସଂସଦୀୟ କମିଟି ହାତରେ ନ୍ୟସ୍ତ ହେଲା । ତାହାକୁ ପ୍ରଭାବିତ କରିବାପାଇଁ ପୁଣିଥରେ ମହାରାଜା ଲଣ୍ଡନ ଗସ୍ତ କରିଥିଲେ ଏବଂ ପାରଳା ଏବଂ ଜୟପୁରକୁ ଓଡ଼ିଶାରେ ମିଶାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ସେଥିପାଇଁ ମିଳିତ ସଂସଦୀୟ କମିଟି ସମେତ ଇଂରେଜ ସରକାରଙ୍କ ଉଚ୍ଚତମ ମହଲରେ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ ; ସ୍ମାରକପତ୍ରମାନ ପ୍ରଦାନ କରିଥିଲେ । ସେସବୁ ଅଞ୍ଚଳ ବ୍ୟତୀତ ନୂତନ ଓଡ଼ିଶା ଗ୍ରହଣୀୟ ନୁହେଁ ବୋଲି ଓଡ଼ିଶାର ଛତ୍ରେ ଛତ୍ରେ ମୁଣ୍ଡ ଟେକିଥିବା ଆନେ୍ଦାଳନ ସମ୍ପର୍କରେ ବିଶେଷ ବିବରଣୀମାନ ପ୍ରଦାନ କରିଥିଲେ ।
ଇଂଲଣ୍ଡ୍ ପାର୍ଲାମେଣ୍ଟର ଉଭୟ ସଂସଦର ୧୬ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ୧୯୩୩ ଅପ୍ରେଲମାସରେ ଗଠିତ ହୋଇଥିଲା ଜଏଣ୍ଟ ପାର୍ଲାମେଣ୍ଟାରି କମିଟି । ଉକ୍ତ କମିଟିର ଅଧ୍ୟକ୍ଷ ଥିଲେ ଲର୍ଡ଼ ଲିନ୍ ଲିଖ୍ ଗୋ । ତାଙ୍କ ସହ ପାରଳା ମହାରାଜାଙ୍କ ବ୍ୟକ୍ତିଗତ ବନ୍ଧୁତା ଥିଲା ଅତୀତରେ, ୧୯୨୭ ମସିହାରେ ଭାରତୀୟ ରାଜକୀୟ କୃଷି କମିଶନର ସେ ଅଧ୍ୟକ୍ଷ ଥିବାବେଳେ ମହାରାଜା ଜଣେ ମାତ୍ର ଭାରତୀୟ ସଦସ୍ୟ ରହି ଏକତ୍ର ପ୍ରାୟ ଦୁଇବର୍ଷ ପାଇଁ ଭାରତୀୟ କୃଷି / କୃଷକଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ । ତେଣୁ ପାରଳା ଏବଂ ଜୟପୁର ଅଞ୍ଚଳ ସମ୍ପର୍କରେ ଯଥାର୍ଥ ହୃଦୟଙ୍ଗମ କରାଇପାରିବେ ବୋଲି ଆଶା ପୋଷଣ କରିଥିଲେ । ସେଇ ଆଶା କେତେକାଂଶରେ ସଫଳ ହୋଇଥିଲା ମଧ୍ୟ ।
ସାଇମନ କମିଶନଙ୍କ ପରାମର୍ଶ ଅନୁଯାୟୀ ଭାରତର ଭବିଷ୍ୟତ ଶାସନ ସଂସ୍କାର ଚୂଡ଼ାନ୍ତ ରୂପରେଖ ଦେବାପାଇଁ ସେହି ସଂସଦୀୟ କମିଟି ହିଁ ଥିଲା ସର୍ବୋଚ୍ଚ କ୍ଷମତାସମ୍ପନ୍ନ । ତା’ର ସୁପାରିଶ ଉପରେ ହିଁ ପ୍ରତିଷ୍ଠିତ ୧୯୩୫ ଭାରତ ଶାସନ ଆଇନ । ତେବେ ସେହି କମିଟିର ବିଚାର ପରିସରଭୁକ୍ତ କେତେଗୁଡ଼ିଏ ବିବଦମାନ ବିଷୟରେ ଅଧିକ ଅନୁସନ୍ଧାନ ପାଇଁ କେତୋଟି ସବ୍ କମିଟି ଗଠିତ ହୋଇଥିଲା । ଭାରତ ବିଭାଗ ସଚିବ ସାର୍ ସାମୁଏଲ ହୋର୍ଙ୍କ ଅଧ୍ୟକ୍ଷତା ଏବଂ ଅନ୍ୟ ଆଠଜଣ ସଦସ୍ୟଙ୍କୁ ନେଇ ସେଭଳି ଗୋଟିଏ ସବ୍ କମିଟି ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ବିଷୟକ ଅନୁସନ୍ଧାନ ପାଇଁ । ମହାରାଜାଙ୍କ ନେତୃତ୍ୱରେ ଓଡ଼ିଆ ପ୍ରତିନିଧିଗଣ ସେହି ସବ୍ କମିଟିକୁ ୧୯୩୩ ଜୁଲାଇ ତିନି ତାରିଖ ଦିନ ଏକ ସ୍ମାରକ ପତ୍ର ଦେବା ସଙ୍ଗେ ସଙ୍ଗେ ବିଶେଷ ଆଲୋଚନା କରିଥିଲେ । ତା’ର ସାତଦିନ ପରେ, ଜୁଲାଇ ୧୦ତାରିଖ ଦିନ ସେଠି ଉପସ୍ଥିତ ତେଲୁଗୁ ପ୍ରତିନିଧିଗଣଙ୍କ ସ୍ମାରକପତ୍ର ମଧ୍ୟ ଗ୍ରହଣ କରିଥିଲେ । ସେଥିରେ ସେମାନେ ଋଷିକୁଲ୍ୟା ନଦୀର ସମୁଦାୟ ଦକ୍ଷିଣାଞ୍ଚଳ ଆନ୍ଧ୍ର ସହ ରହିବା ଦାବୀ ଉପସ୍ଥାପିତ କରିଥିଲେ । କିନ୍ତୁ ସେଥିପାଇଁ ଯୁକ୍ତି ସବୁ ଅତ୍ୟନ୍ତ ଶିଥିଳ ଥିଲା ।
ତେବେ ସବ୍କମିଟି ନିକଟରେ ଉପସ୍ଥାପିତ ଯେଉଁସବୁ ବିଷୟରେ ଅଧିକ ଅନୁଧ୍ୟାନ କରିଥିଲେ ସେଥିମଧ୍ୟରେ ଥିଲା–
୧)ଓଡ଼ିଶା ସହ ବ୍ରହ୍ମପୁର ସହର ଯୁକ୍ତ ହେବା
୨)ନୂତନ ଓଡ଼ିଶା ସହ ଜୟପୁର ଅଞ୍ଚଳର ସମ୍ମିଶ୍ରଣ
୩)ପାରଳାଖେମୁଣ୍ଡି ଜମିଦାରୀ କିମ୍ବା ଏହାର ଅଂଶବିଶେଷ ଓଡ଼ିଶା ସହ ସାମିଲ ହେବା ଏବଂ
୪)ମହେନ୍ଦ୍ରଗିରିରେ ଗ୍ରୀଷ୍ମକାଳୀନ ରାଜଧାନୀ ସ୍ଥାପନ ଉଦେ୍ଦଶ୍ୟରେ ନୂତନ ଓଡ଼ିଶାର ସୀମା ସରହଦ ବୃଦ୍ଧି କରାଯିବା ।
ସବ୍କମିଟି ୧୯୩୩ ନଭେମ୍ବର ୬ତାରିଖ ଦିନ ଓଡ଼ିଶା ସୀମା କମିଟିର ଅଧ୍ୟକ୍ଷ ମି. ଓଡ଼ୋନେଲ୍ ଙ୍କ ସହ ବିଚାର ବିମର୍ଷ କରିବା ପରେ ଭାରତ ସରକାର ତଥା ମାନ୍ଦ୍ରାଜ ସରକାରଙ୍କ ମତାମତ ସଂଗ୍ରହ କରିଥିଲେ । ତା’ପରେ ସେମାନେ ମତ ରଖିଥିଲେ ଯେ, ଛତ୍ରପୁର ପରିବର୍ତ୍ତେ ବ୍ରହ୍ମପୁର ଦକ୍ଷିଣ ପୂର୍ବାଞ୍ଚଳରେ ମୁଖ୍ୟ କେନ୍ଦ୍ର ହେବା ଉପଯୁକ୍ତ । ପୁଣି ଜୟପୁର ଅଞ୍ଚଳକୁ ନୂତନ ଓଡ଼ିଶା ସହ ଯୁକ୍ତ କରାଯିବା ପାଇଁ ସୁପାରିଶ କରିଥିଲେ ସୁଦ୍ଧା ମହେନ୍ଦ୍ରଗିରି ପ୍ରସ୍ତାବକୁ ସ୍ୱୀକାର କରିନଥିଲେ । ପରିଣାମତଃ ପାରଳା ଅଞ୍ଚଳ ପାଇଁ ସେମାନଙ୍କ ସମ୍ବେଦନା ଅତ୍ୟନ୍ତ ଦୁର୍ବଳ ଥିଲା ଯଦିବା ସଭ୍ୟଗଣ ପାରଳା ମହାରାଜାଙ୍କ ପ୍ରତି ଦରଦ ପ୍ରକାଶ କରିଥିଲେ । ଜମିଦାରୀରେ ତେଲୁଗୁ ଭାଷାର ପ୍ରାବଲ୍ୟ ଥିଲା ତା’ର ଏକମାତ୍ର କାରଣ । ସେହି କାରଣରୁ ହିଁ, ପରବର୍ତ୍ତୀ କାଳରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ତଥା ତକ୍ରାଳ ସେହି ପାର୍ଲାମେଣ୍ଟାରୀ କମିଟିର ସଭ୍ୟ କ୍ଲେମେଣ୍ଟ ଅଟଲି ଓଡ଼ିଶାରେ ପାରଳାର ସମ୍ମିଶ୍ରଣ ସମ୍ପର୍କରେ ପ୍ରତିକୂଳ ମତ ପୋଷଣ କରିଥିଲେ ଏବଂ ସୁପାରିଶବେଳେ ତାହା ପ୍ରାଧାନ୍ୟ ଲାଭ କରିଥିଲା ।
ନୂତନ ଓଡ଼ିଶା ସହ ପାରଳା ଜମିଦାରୀର ସମ୍ମିଶ୍ରଣ ସମ୍ପର୍କରେ ସଂସଦୀୟ ସବ୍ କମିଟି ସୁପାରିଶ କରିବା ଆଶା କ୍ଷୀଣଥିବା ବିଷୟ ମହାରାଜା ଅବଗତ ହୋଇଥିଲେ ଇଂଲଣ୍ଡର ଜଣେ ବନ୍ଧୁଙ୍କ ଠାରୁ । ସେଥିପାଇଁ ସାରା ଓଡ଼ିଶାରେ ପ୍ରବଳ ପ୍ରତିବାଦାତ୍ମକ ଆନ୍ଦୋଳନ ତ ହୋଇଥିଲା ନିଶ୍ଚୟ । କିନ୍ତୁ ତଥାପି ସମୟ, ପରିବେଶ ଓ ପରିସ୍ଥିତିର ପ୍ରବଳ ଚାପରେ ନିଷ୍ପେଷିତ ହୋଇ ତାଙ୍କର ମୂଳଦାବୀକୁ ପରିବର୍ତ୍ତନ କରିବା ପାଇଁ ମନସ୍ଥ କରିଥିଲେ । ସେ ସ୍ଥିର ନିଶ୍ଚୟ ହୋଇଥିଲେ ସମଗ୍ର ଜମିଦାରୀରେ ଥିବା ତେଲୁଗୁ ଭାଷାଧ୍ୟୁଷିତ ଅଞ୍ଚଳ ସବୁକୁ ଓଡ଼ିଶା ସହ ସମ୍ମିଶ୍ରଣ କରାଇବା କାଠିକର ପାଠ ହେବ ସାମ୍ପ୍ରତିକ ପରିସ୍ଥିତିରେ । ତେଣୁ ଜମିଦାରୀ ଅଞ୍ଚଳକୁ ଭାଷା ଭିତ୍ତିରେ ଦୁଇ ଭାଗ କରାଯାଇ ଅଧିକାଂଶ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ଓଡ଼ିଶାରେ ଏବଂ ଅଧିକାଂଶ ତେଲୁଗୁ ଅଧ୍ୟୁଷିତ ଅଞ୍ଚଳ ଆନ୍ଧ୍ର ସହ ଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଦିଆଗଲେ ତାହା ସରକାରଙ୍କ ପାଇଁ ଗ୍ରହଣୀୟ ହୋଇପାରେ । ଉଭୟ ସମ୍ପ୍ରଦାୟର ଭବିଷ୍ୟତ ହିତ ସାଧନ ପାଇଁ ଏହା ହିଁ ପ୍ରକୃଷ୍ଟ ହେବ ବୋଲି ସେ ହୃଦବୋଧ କରିଥିଲେ । ଆପଣାର ଜମିଦାରକୁ ଖଣ୍ଡ ଖଣ୍ଡ କରିବା ଯଦିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ଆନ୍ଧ୍ର ଜନଗଣ/ମାନ୍ଦ୍ରାଜ ସରକାର ତଥା ବ୍ରିଟିଶ ଶାସନର ଅସହଯୋଗ ମନୋଭାବ ଯୋଗୁଁ ସେଭଳି କରାଯିବା ନିଷ୍ପତ୍ତି ସେ ବାଧ୍ୟହୋଇ ଗ୍ରହଣ କରିଥିଲେ । ୧୯୩୪ ଫେବୃୟାରୀ ୨୩ରେ ସେଇ ସମ୍ପର୍କିତ ଏକ ବିସ୍ତୃତ ସ୍ମାରକପତ୍ର ମାନ୍ଦ୍ରାଜ ଗଭର୍ଣ୍ଣର ସାର ଜର୍ଜ୍ ଫ୍ରେଡ଼ରିକ୍ ଷ୍ଟାନ୍ଲେଙ୍କୁ ପ୍ରଦାନ କରିବାସହ ମାର୍ଚ୍ଚ ୧୭ତାରିଖ ଦିନ ବଡ଼ଲାଟଙ୍କ ନିକଟକୁ ସେ ସମ୍ପର୍କରେ ଏକ ଅନୁରୋଧ ପତ୍ର ଲେଖିଥିଲେ ମାନ୍ଦ୍ରାଜରୁ । ଏହି ପରିବର୍ତ୍ତିତ ଦାବୀ ଉଭୟ ଓଡ଼ିଆ ଏବଂ ତେଲୁଗୁ ସମ୍ପ୍ରଦାୟ ସମେତ ମାନ୍ଦ୍ରାଜ ସରକାରୀ କଳକୁ ସନ୍ତୁଷ୍ଟ କରିପାରୁଥିବା କାରଣରୁ ନୂତନ ଓଡ଼ିଶାର ଦକ୍ଷିଣ ସୀମା ନିର୍ଦ୍ଧାରଣ ହେବା ପର୍ଯ୍ୟନ୍ତ ସଂଶୋଧିତ ସୀମା ପ୍ରକାଶନ ବନ୍ଦ ରଖାଯାଉ ବୋଲି ମଧ୍ୟ ଅନୁରୋଧ ଜଣାଇଥିଲେ ।
୧୯୩୪ ଅପ୍ରେଲ ମାସରେ ଏକ ଓଡ଼ିଆ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ମହାରାଜା ସାକ୍ଷାତ କରିଥିଲେ ଭାରତର ବଡ଼ଲାଟ ଲର୍ଡ଼ ୱିଲିଙ୍ଗଟନ୍ ଙ୍କୁ । ତାଙ୍କ ସହ ଥିଲେ ଶ୍ରୀ ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ମାନେ । ୧୯୩୧ ଜନଗଣନା ଆଧାରରେ ଓଡ଼ିଆ/ତେଲୁଗୁ ଆଧିକ୍ୟ ଅଞ୍ଚଳ ସବୁ ଚିହ୍ନଟ କରି ଓଡ଼ିଶା ଓ ଆନ୍ଧ୍ର ସହ ସମ୍ମିଳିତ କରାଇବା ପାଇଁ ମାନଚିତ୍ର ପ୍ରସ୍ତୁତ କରି ବଡ଼ଲାଟଙ୍କୁ ପ୍ରଦାନ କରାଯାଇଥିଲା । ସେହି ମାନଚିତ୍ର ସହ ବଡ଼ଲାଟ ସହମତ ହେବା ସହ ଅନୁକୂଳ ସୁପାରିଶ କରି ଭାରତ ବିଭାଗ ସଚିବ ସାର୍ ସାମୁଏଲ ହୋର୍ଙ୍କ ନିକଟକୁ ପ୍ରେରଣ କରିଥିଲେ । ତାହାକୁ ମିଃ. ହୋର୍ ମଧ୍ୟ ସ୍ୱୀକାର କରିଥିଲେ ।
ପାରଳା ଜମିଦାରୀର ମାତ୍ର ଏକ ତୃତୀୟାଂଶ ଓଡ଼ିଶାର ଅଙ୍ଗୀଭୂତ ହୋଇଥିଲା । ଗୁଣପୁର -ପାରଳାଖେମଣ୍ଡି ରେଳଲାଇନ୍ ର ଠିକ୍ ଦକ୍ଷିଣ ଦିଗ ହୋଇଥିଲା ଆନ୍ଧ୍ର ଓଡ଼ିଶାର ସୀମାରେଖା । ପାରଳା ଜମିଦାରୀର ମୋଟ ପ୍ରାୟ ୧୬୬୫ ବର୍ଗ କିଲୋମିଟର ଅଞ୍ଚଳ ଭିତରୁ ପ୍ରାୟ ୪୯୫ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଜମିଦାରୀର ମୋଟ ୫୦୩ଗ୍ରାମ ମଧ୍ୟରୁ ୧୮୮ଟି ରୟତି ଗ୍ରାମ ରହିଥିଲା ଓଡ଼ିଶାରେ ।
ଓଡ଼ିଶା ଶ୍ୱେତପତ୍ରର ମୌଳିକ ନୀତିଗୁଡ଼ିକୁ ଭିତ୍ତି କରି ସୀମା ସମ୍ପର୍କିତ ଆବଶ୍ୟକୀୟ ପରିବର୍ତ୍ତନଟି ସହିତ ମିଳିତ ସଂସଦୀୟ କମିଟି ୧୯୩୪ ନଭେମ୍ବର ମାସରେ ଚୂଡ଼ାନ୍ତ ମତାମତ ପ୍ରଦାନ କରିଥିଲେ । ସେଇ ଆଧାରରେ ୧୯୩୫ ଫେବୃୟାରୀ ମାସରେ ବ୍ରିଟିଶ ପାର୍ଲାମେଣ୍ଟରେ ଭାରତବିଭାଗ ସଚିବ ଏକ ବିଲ୍ ଆଗତ କରିଥିଲେ ଏବଂ ତାହା ଅନୁମୋଦନ ଲାଭ କରିଥିଲା ଯାହାକି ୧୯୩୫ ଭାରତ ଶାସନ ଆଇନ ରୂପେ ପରିଚିତ । ସେଇ ଆଇନର ସୁଫଳ ହେଲା ଭାରତରେ ନୂତନ ପ୍ରଦେଶ ଓଡ଼ିଶା ଏବଂ ସିନ୍ଧୁ ପ୍ରଦେଶ । ତାହା କାର୍ଯ୍ୟରେ ପରିଣତ ହେବା ପାଇଁ ‘ଭାରତ ସରକାରଙ୍କ ଓଡ଼ିଶା ଗଠନ ଆଦେଶନାମା-୧୯୩୬’ ପ୍ରସ୍ତାବ ପାର୍ଲାମେଣ୍ଟରେ ୧୯୩୬ ଜାନୁଆରୀ ୨୧ତାରିଖ ଦିନ ପେସ୍ ହୋଇ ସମ୍ରାଟଙ୍କ ଅନୁମୋଦନ ଲାଭ କରିଥିଲା ୧୯୩୬ ମାର୍ଚ୍ଚ ତିନିତାରିଖ ଦିନ । ସେଇ ରାଜକୀୟ ଆଦେଶନାମା ହିଁ ଥିଲା ନୂତନ ପ୍ରଦେଶର ସାମ୍ବିଧାନିକ ଭିତ୍ତି । ସେତେବେଳ ପର୍ଯ୍ୟନ୍ତ ପାଞ୍ଚଟି ଜିଲ୍ଲା ବିଶିଷ୍ଟ ବିହାରସହ ଯୁକ୍ତ ହୋଇ ରହିଥିବା ଉପ-ପ୍ରଦେଶ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ଜନ୍ମଲାଭ କରିଥିଲା ଛଅଟି ଜିଲ୍ଲାକୁ ନେଇ ।
From Samadrusti Digital Archive (16-30 April 2018)
Comments
0 comments