ଆମ ସ୍ୱାଧୀନତାର ଅର୍ଥ କ’ଣ, ଆମେ ଭୁଲି ସାରିଲେଣି । ଆମ ପିଲାମାନେ ବା ଏହାର ମହତ୍ୱ ବୁଝିବେ କେମିତି? ଇଷ୍ଟ୍ଇଣ୍ଡିଆ କମ୍ପାନୀ ଦ୍ୱାରା ଆସିଥିବା ବ୍ରିଟିଶ ଶାସନ ବିରୁଦ୍ଧରେ ଯେତେବେଳେ ଜନ ଜାଗରଣ ସୃଷ୍ଟି ହୋଇଥିଲା, ବହୁ ମେଧାବୀ ପିଲା ପାଠ ଛାଡ଼ି ସେଥିରେ ମାତିଥିଲେ । ଶିକ୍ଷା ପ୍ରଥମେ ନା ସ୍ୱାଧୀନତା ପ୍ରଥମେ-ଏଭଳି ଏକ ପ୍ରଶ୍ନ ସେମାନଙ୍କୁ ଆନ୍ଦୋଳିତ କରିଥିଲା । ଏହି ପ୍ରଶ୍ନ ହିଁ ଶିକ୍ଷାର ପ୍ରଥମ ପାହାଚ ଭଳି କାମ କରିଥିଲା । ଏହି ଅଧାରୁ ପାଠ ଛାଡ଼ି ଆଜାଦୀ ପାଇଁ ଲଢ଼େଇ କରିଥିବା ପିଲାଙ୍କ ଭିତରୁ ଅନେକ ପରେ ଯେଉଁ ଜ୍ଞାନର ଭଣ୍ଡାର ଆମପାଖରେ ଛାଡ଼ି ଦେଇଗଲେ, ବିଶ୍ୱବିଦ୍ୟାଳୟର ବିଦ୍ୱାନମାନେ ସେଭଳି କାମ କରିପାରିବେ ନାହିଁ । ବେଶୀ ପାଠ ପଢିନଥିବା ମନମୋହନ ଚୌଧୁରୀଙ୍କ ରଚନାବଳୀ ଏଯାଏଁ ଶ୍ରେଷ୍ଠ ଓ ଦିଗଦର୍ଶୀ ସାହିତ୍ୟ ହିସାବରେ ବିବେଚିତ । ଆମେ ଆମ ଜାତି ଓ ତା’ର ଭବିଷ୍ୟତ ଓ ମାନବ ସଭ୍ୟତାର ଭବିଷ୍ୟତ ପ୍ରତି ଘୋର ଅନ୍ୟାୟ କରି ଚାଲିଛେ । ଆମ ପିଲାମାନଙ୍କୁ ପ୍ରଥମ ଦିନରୁ ହିଁ ନିଜ ଦେଶ, ସ୍ୱାଧୀନତା ପାଇବାର ଅର୍ଥ, ଦେଶ ବିଭାଜିତ ହେବାର ପରିଣାମ, ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ସେମାନଙ୍କୁ ଶିକ୍ଷା ଦେବାକଥା । ଆମେ କେବଳ ପିଲାଟି କେତେ ଭଲ ପାଠପଢ଼ି ଭଲ ଚାକିରୀଟିଏ କରିବ, ସେଥିପାଇଁ ବ୍ୟସ୍ତ । ଆମ ସରକାରମାନେ ମଧ୍ୟ ବଜାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେଇ ଇତିହାସ ଜ୍ଞାନଟକୁି ଜଳାଞ୍ଜଳି ଦେଇଛନ୍ତି । ୧୯୫୮-୫୯ କ୍ୟୁବା ବିପ୍ଳବ ପରେ ଯେତେବେଳେ ଫିଡେଲ କାଷ୍ଟ୍ରୋଙ୍କ ନେତୃତ୍ୱରେ ଏକ ନୂଆ ସରକାର ଏବଂ ନୂଆ ବ୍ୟବସ୍ଥା ସେ ଦେଶରେ ଆସିଲା, ସେମାନେ ନିଷ୍ପତ୍ତି ନେଲେ ପ୍ରଥମେ ପିଲାଙ୍କୁ ଇତିହାସ ପଢ଼ାଇବେ । କ୍ୟୁବାର ପରିସ୍ଥିତି କଣ ଥିଲା, କେଉଁମାନେ ଶାସନ କରୁଥିଲେ, କଣ ପାଇଁ ବିପ୍ଳବ କରାଗଲା, କଣ ସବୁ ବଳିଦାନ ଦେବାକୁ ପଡ଼ିଲା, ଏହି ବିପ୍ଳବର ସୁଫଳ ଦୀର୍ଘସ୍ଥାୟୀ କରିବାକୁ ହେଲେ ଆମକୁ ଆଜିଠୁ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଇତ୍ୟାଦି । ସେଥିପାଇଁ ସେଠି ଶିକ୍ଷା ଆନେ୍ଦାଳନ ଆରମ୍ଭ ହୋଇଥିଲା । ଆମଦେଶର ସ୍ୱାଧୀନତା ହାସଲ ପରେ ଆମେ ପ୍ରଥମେ ଇତିହାସଟିକୁ ନିଜେ ଭୁଲିଗଲେ । ଯାହା ଡଃ ବୀରେନ୍ଦ୍ର ନାୟକଙ୍କ ଅନୁବାଦିତ ବଲରାଜ ସାହାଣୀଙ୍କ ଜେଏନୟୁ ଦୀକ୍ଷାନ୍ତ ଭାଷଣରେ କୁହାଯାଇଛି, ଆମେ ଦାସତ୍ୱ ମାନସିକତାରୁ ମୁକ୍ତ ହୋଇପାରିନାହୁଁ । ଆମେ କେଉଁ ଶିକ୍ଷା ନିଜ ପିଲାଙ୍କୁ ଦେବା ଓ ଦେଶ ପାଇଁ ଦେବା, ଏବଂ ତାହା ନିଜ ଦେଶର ଭାଇଚାରାକୁ କେମିତି ମଜବୁତ୍ କରିବ ତଥା ଦେଶ ନିର୍ମାଣରେ ସାହାଯ୍ୟ କରିବ, ସେକଥା ନିଜେ ଚିନ୍ତାକଲେ ନାହିଁ । ଚିନ୍ତା କରିବାର ଠିକାଟି ଅନ୍ୟ କାହାକୁ ଦେଇଦେଲେ । ୨୦୦ବର୍ଷର ଦାସତ୍ୱ କେବଳ ନୁହଁ,ଏକ ସାମନ୍ତବାଦୀ ବ୍ୟବସ୍ଥାର ଦାୟାଦ ହିସାବରେ ଆମେ ସବୁବେଳେ ଦାସଶ୍ରେଣୀଟିଏ ସୃଷ୍ଟି କରିବାର ଚେତନା ଭିତରେ ବୁଡ଼ିରହିଲେ । ଡାକ୍ତର, ଇଞ୍ଜିନିୟର, ମ୍ୟାନେଜର ସୃଷ୍ଟି କରିବାରେ ଆମେ ଏତେ ଅନ୍ଧଭାବେ ମାତିଛେ ଯେ ଆମେ ଗୋଟିଏ ଇତିହାସକୁ ବୁଝିନଥିବା, ନିଜ ସମାଜକୁ ଜାଣିନଥିବା, ତଥା ମାନବସମାଜର ଭବିଷ୍ୟତ କ’ଣ ହେବ, ଏଭଳି କଥା ନିଜ ଚିନ୍ତା କରିବାର ଢାଞ୍ଚା ଭିତରକୁ ଆଣିପାରୁନଥିବା ଅପାରଗ ଓ ଅଥର୍ବ ଯନ୍ତ୍ରବତ୍ ମଣିଷଗୁଡ଼ିଏ ଗଢ଼ିବସିଲେ । ସେମାନେ ଆଜି ହିଂସ୍ର ଓ ସାମାନ୍ୟତମ ଉସୁକାଣର ବି ଶିକାର ହୋଇ ପ୍ରତିକ୍ରିୟାଶୀଳ ହୋଇଯାଉଛନ୍ତି । ଯେଉଁ ଜାତି ତାର ପିଲାମାନଙ୍କୁ ଇତିହାସ ଶିକ୍ଷା ଦେଇପାରୁନି, ସେ ଜାତି କେବେ ଇତିହାସ ସୃଷ୍ଟି କରିପାରିବନି,କେବଳ ଅନ୍ୟ କାହାର ନିର୍ମାଣରେ ସମ୍ମାନହୀନ ଶ୍ରମିକର କାମଟିଏ କରି ସେ ଗଭୀର ଆତ୍ମତୃପ୍ତି ପାଇବ ଯଦି ତା’ ପକେଟରେ କିଛି ଅଧିକ ଟଙ୍କା ବା ଡଲାର ଭରି ଦିଆଗଲା ବା କୌଣସି ଏକ ନୂଆ ଭୂଖଣ୍ଡରେ ସେମାନଙ୍କ ପାଦଟିକକ ପଡ଼ିଗଲା ।
ଅଧିକାଂଶ ଯୁବପିଢ଼ି ଜାଣନ୍ତି ନାହିଁ ଯେ ୧୮୫୭ର ପ୍ରଥମ ସ୍ୱାଧୀନତା ଆନେ୍ଦାଳନ ଏକ କୃଷକ ଆନ୍ଦୋଳନ ଥିଲା । କୃଷକମାନଙ୍କ ପ୍ରତି କଠୋର ନିର୍ଯାତନା ସେମାନଙ୍କୁ ଅତିଷ୍ଠ କରିଥିଲା ଓ ଇଂରେଜମାନଙ୍କ ପ୍ରତି ବିଦ୍ରୋହୀ ମନୋଭାବକୁ ଜନ୍ମ ଦେଇଥିଲା । ସେହି କୃଷକମାନଙ୍କର ସଂଘର୍ଷର କାହାଣୀ ସ୍ୱାଧୀନତାପରେ ବି ସରିନାହିଁ । ଖରାପ ପାଣିପାଗ, ମରୁଡ଼ି, ବ୍ୟବସାୟିକ ଚାଷର ବିଫଳତା, ସାହୁକାରମାନଙ୍କ ଅତ୍ୟାଚାର ଏବଂ ଇଂରେଜମାନେ ଶୋଷକଶ୍ରେଣୀକୁ ସୁରକ୍ଷା ଦେବା ଇତ୍ୟାଦି କଥାକୁ ନେଇ୧୮୭୦ଦଶକରେ ଚାଷୀମାନେ ଗଭୀର ଅସନ୍ତୋଷ ଥିଲେ । ସେଥିପାଇଁ ଦକ୍ଷିଣଭାରତରେ ୧୮୭୫ରୁ ୧୮୭୭ ମସିହା ଭିତରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଋଣଦାତାମାନଙ୍କର ଦୌରାତ୍ମ୍ୟକୁ ସୀମିତ ରଖିବାପାଇଁ ବ୍ରିଟିଶ ସରକାର ଦାକ୍ଷିଣାତ୍ୟ କୃଷକ ରିଲିଫ୍ ଆକ୍ଟ-୧୮୭୯ ମସିହାରେ ଆଣିଥିଲେ । ଅଭିଯୋଗ ହେଲା ଯେ ଇଂରେଜ ଏହି କାନୁନଟିକୁ ସବୁଆଡ଼େ ଲାଗୁ ନକରି ନିଜ ଦେଶକୁ ନେବାପାଇଁ ହେଉଥିବା କପାଚାଷ ଅଞ୍ଚଳରେ ହିଁ ପ୍ରୟୋଗ କରୁଥିଲେ । ୨୦୧୨ରେ ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋର ତଥ୍ୟ ମୁତାବକ ଭାରତରେ ପ୍ରତି ଦୁଇ ଲକ୍ଷ ଲୋକରେ ତିନିଜଣ କୃଷକ ଆତ୍ମହତ୍ୟା କରୁଛନ୍ତି । ପ୍ରତିଲକ୍ଷରେ ୧.୪ରୁ ୧.୮ କୃଷକ ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ଇତିହାସର ପୃଷ୍ଠାଗୁଡ଼ିକ କହୁଛି କୃଷକ ଆତ୍ମହତ୍ୟା ଜାରି ରହିଛି । ସବୁଠାରୁ ଅଧିକା ଆତ୍ମହତ୍ୟା ଘଟିଛି ଜୀବିକା ହରାଉଥିବା ଲୋକମାନଙ୍କର ଯେଉଁମାନେ ଅଣକୃଷି କାମକରି ବଞ୍ଚୁଥିଲେ । ୧୮୯୭ରେ ଏଭଳି ଲୋକଙ୍କର ସଂଖ୍ୟା ଥିଲା ଏକଲକ୍ଷରେ ୭୯, କେବଳ ମଧ୍ୟଭାରତରେ । ୧୮୫୦ରୁ ୧୯୪୦ ମସିହା ଯାଏଁ ଜୀବିକାରୁ ଉଦ୍ ବାସ୍ତୁ ହେଉଥିବା ଲୋକଙ୍କର ଆତ୍ମହତ୍ୟା ସମଗ୍ର ଭାରତବର୍ଷରେ ଜାରି ରହିଥିଲା । ସ୍ୱାଧୀନତା ପରେ ଆଶା କରାଯାଉଥିଲା ଏହି ଅମାନବିକ ଅନ୍ୟାୟର ପୂର୍ଣ୍ଣଚ୍ଛେଦ ପଡ଼ିବ, କିନ୍ତୁ ତାହା ହେଲା ନାହିଁ । କୃଷି, କୃଷକ, ଗ୍ରାମାଞ୍ଚଳର ଅଣକୃଷିଜୀବୀଙ୍କ ଜୀବିକା ଇତ୍ୟାଦିକୁ ଅଣଦେଖାକରି ନୀତି ନିର୍ଦ୍ଧାରଣ କରାଗଲା । ଇଣ୍ଟରନେଟ ତଥ୍ୟରୁ ଜଣାପଡ଼େ ଯେ ୧୯୬୬ ମସିହାରେ ତାମିଲନାଡ଼ୁ ରାଜ୍ୟରେ ହେଉଥିବା କୃଷକ ଆତ୍ମହତ୍ୟାକୁ ଯେଉଁ ବିଶାରଦମାନେ ଅନୁଧ୍ୟାନ କରୁଥିଲେ, ସେମାନେ ପରାମର୍ଶ ଦେଇଥିଲେ ଯେ ଅର୍ଗାନ୍-ଫସ୍ଫରସ ବଣ୍ଟନରେ କଟକଣା ଆଣିବା ପାଇଁ । ୧୯୭୯ ପଶ୍ଚିମବଙ୍ଗର କୃଷକ ଆତ୍ମହତ୍ୟା ଅନୁଧ୍ୟାନ କରିଥିବା ବିଶାରଦଜଣକ ମଧ୍ୟ କୀଟନାଶକ ଯୋଗାଣକୁ ବନ୍ଦ କରିବାପାଇଁ ମତ ଦେଇଥିଲେ । ଆଜି ମଧ୍ୟ ବଢ଼ି ଚାଲିଥିବା କୃଷକ ଆତ୍ମହତ୍ୟା ପାଇଁ ମନ୍ସାଣ୍ଟୋର ବିହନ ଓ କୀଟନାଶକକୁ ବିଶାରଦମାନେ ଦାୟୀ କରୁଛନ୍ତି । ପାଖାପାଖି ୩ଲକ୍ଷ କୃଷକ ଏ ଭିତରେ ଆତ୍ମହତ୍ୟା କରିସାରିଲେଣି । କୀଟନାଶକ ପିଇ ଆତ୍ମହତ୍ୟା କରୁଥିବା ଦୃଷ୍ଟିରୁ କୀଟନାଶକ ବିକ୍ରୀକୁ ବନ୍ଦ କରିବାପାଇଁ ହାସ୍ୟାସ୍ପଦ ପରାମର୍ଶମାନ ମଧ୍ୟ ଦିଆଯାଉଛି । ଅନେକ କୃଷକ ତ ଫାଶୀରେ ନିଜକୁ ଝୁଲାଇ ଦେଉଛନ୍ତି । ସେମାନଙ୍କୁ କେମିତି ବନ୍ଦ କରିବେ? ଆମ କୃଷି ଓ କୃଷକ ବିନାପୁଞ୍ଜିରେ କେମିତି ଚାଷ କରିବେ ଏବଂ ବିହନ ସେମାନଙ୍କ ପାଖରେ ରହିବ, କୃଷି ଉପକରଣ ତଥା ଜଳସେଚନ ସେମାନେ କେମିତି ସୁବିଧାରେ ପାଇବେ, ତଥା ଯାହା ଆଦାୟ କଲେ, ତାହାର ବଳକାଟି କେମିତି ସୁଲଭଦରରେ ବିକ୍ରୀ କରିପାରିବେ ଏବଂ ଯଦି ଫସଲ ଅମଳରେ ବିଫଳ ହୁଅନ୍ତି,କେମିତି ଉପଯୁକ୍ତ କ୍ଷତିପୂରଣ ପାଇବେ, ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ କୃଷି ଶ୍ରମିକମାନଙ୍କୁ କେମିତି ପେନସନ୍ ମିଳିବ, ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା ସବୁ କୃଷି ଶ୍ରମିକ, ନାମକୁ ମାତ୍ର ଚାଷୀ ଓ କ୍ଷୁଦ୍ରଚାଷୀ ପାଇବେ, ଇତ୍ୟାଦି ସମ୍ପର୍କରେ ଆମ ସରକାରମାନେ ସମ୍ପୂର୍ଣ୍ଣଭାବେ ଉଦାସୀନ । ତେଣୁ କୀଟନାଶକ ବନ୍ଦ କଲେ ବି କୃଷକ ଆତ୍ମହତ୍ୟା ବନ୍ଦ ହେବ ନାହିଁ । କାହିଁକି ନା ଆମ ନୀତି ମାଧ୍ୟମରେ ଆମେ ନିଶ୍ଚିତ କରିଛେ ଯେ କୃଷକଟି ଆତ୍ମହତ୍ୟା କରିବ । ତା ଜମିଟା ବଡ଼ ଚାଷୀ ନେବେ, କମ୍ପାନୀମାନେ ନେବେ, ବା ବ୍ୟବସାୟିକ କୃଷିସଂସ୍ଥା ନେବେ । ଆମର ପିଜ୍ଜା ଖିଆ ଯୁବପିଢ଼ି ଚାଷୀ କିଏ ଜାଣିନି । ଆମେ ଯେଉଁ ଶିକ୍ଷାନୁଷ୍ଠାନ ଭିତରେ ଭର୍ତ୍ତି କରି ସେମାନଙ୍କୁ ବାହାର କରୁଛୁ, ସେଠି କୃଷି ଓ କୃଷକକୁ ବୁଝିବାର ଆବଶ୍ୟକତା ନାହିଁ । କୃଷକଟିଏ ଫାଶୀଖୁଣ୍ଟରେ ନିଜକୁ ଝୁଲେଇ ଦେବାର ଦୃଶ୍ୟ ଦେଖି ସେମାନେ ତାକୁ ଯଦି ଏକ ବ୍ୟଙ୍ଗ ଚିତ୍ର ଭାବୁଥିବେ, ଆମେ ଚକିତ ହେବାର କିଛି ନାହିଁ । ଏଥିପାଇଁ ଆମେ ବାପା,ମା ମାନେ ଶହେରୁ ଅଶୀଭାଗ ଦାୟୀ । କାରଣ ସରକାରଟା ଆମର ନୁହଁ ଏବଂ ଭଲ ଶିକ୍ଷା କେବେ ଦେଇପାରିବ ନାହିଁ ।
ଆମ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ସଂଗ୍ରାମୀମାନଙ୍କର ଆଉ ଏକ ବଡ଼ ବିଫଳତା ହେଲା ଅନ୍ତଃରାଷ୍ଟ୍ରୀୟ ଷଡ଼ଯନ୍ତ୍ରରେ ହୋଇଥିବା ଦେଶ ବିଭାଜନଟିକୁ ସେମାନେ ବନ୍ଦ କରିପାରିଲେନି । ଷଡ଼ଯନ୍ତ୍ରଟିକୁ ହୁଏତ ବୁଝିପାରିଲେନି କହି ଆମେ ସେମାନଙ୍କୁ କ୍ଷମା ଦେଇପାରିବା । ତେବେ ବିଭାଜନ ଯୋଗୁଁ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିଥିଲା, ତାର ପରିଣାମ ସେମାନେ ପରପିଢ଼ିକୁ ବୁଝାଇ ପାରିଲେ ନାହିଁ । ବିଶ୍ୱ ଇତିହାସରେ ସବୁଠାରୁ ଜଘନ୍ୟ ଗଣହତ୍ୟା ବିଭାଜନ ଯୋଗୁଁ ଘଟିଲା । ଭାରତର ନେତୃତ୍ୱ ଏତେ ଅନ୍ଧ ଥିଲା ଯେ ସ୍ୱାଧୀନତା ଦିବସର ଅନେକ ଦିନ ଆଗରୁ ସେମାନେ ଗାନ୍ଧିଜୀଙ୍କୁ ଅଦରକାରୀ କରିସାରିଥିଲେ । ଭାରତକୁ ବିଭାଜିତ କରିବାପାଇଁ ପାଶ୍ଚାତ୍ୟ ଶକ୍ତିମାନେ ଇଂଲଣ୍ଡର ନେତୃତ୍ୱରେ ଯେଉଁ ଦୁଇଟି ଗୋଷ୍ଠୀକୁ ପ୍ରୟୋଗ କରିଥିଲେ, ଯଥା ମୌଳବାଦୀ ହିନ୍ଦୁ ସଙ୍ଗଠନ ( ହିନ୍ଦୁ ମହାସଭା ଓ ଏବକାର ସଂଘ ପରିବାର) ଏବଂ ମୁସଲମ୍ ଲିଗ୍ ଯାହା ଅନେକ ମୌଳବାଦୀ ଓ ହିଂସ୍ର ମୁସଲିମ ସଙ୍ଗଠନରେ ରୂପାନ୍ତରିତ ହୋଇସାରିଛି । ସମସ୍ତେ ଆଜି ବି ସକ୍ରିୟ ଏବଂ ଆଗ ଅପେକ୍ଷା ଅଧିକ ଉଗ୍ର ଓ ଅଧିକ ସଶସ୍ତ୍ର । ଆମେରିକା ଓ ୟୁରୋପର ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ ଶିଳ୍ପ ଏମାନଙ୍କର ପୃଷ୍ଠପୋଷକ । ଏଭଳି ଏକ ଇତିହାସର ନିର୍ମାଣ ବିଭାଜନ ଯୋଗୁଁ ହୋଇଥିଲା । ଏବଂ ତାହାର ପରିଣାମ ଆଜି ଏବଂ ଆଗାମୀକାଲି ବି ଦେଖିବାକୁ ମିଳିବ । ଉଭୟ ଦେଶର ଶାସକମାନଙ୍କ ଦାୟିତ୍ୱହୀନ ଭୂମିକା ଯୋଗୁଁ ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଗୃହ ବିଭାଗ ଓ ସେନା ବିଭାଗଗୁଡ଼ିକ ଅନ୍ୟ ଦେଶଟିରେ ଅସ୍ଥିରତା ସୃଷ୍ଟି କରିବା, ଅଶାନ୍ତ ରଖିବା ଏବଂ ଅନ୍ୟକୁ ଦୁର୍ବଳ କରିବା କାମରେ ଲାଗିପଡ଼ିଲେ । ଏହି ଘୃଣ୍ୟ କାମ ପାଇଁ ସାଧାରଣଙ୍କ ଲୋକଙ୍କର ଅର୍ଥନେଇ ହଜାର ହଜାର କୋଟି ଟଙ୍କାର ପ୍ରତିରକ୍ଷା ଓ ଗୋଇନ୍ଦା ବଜେଟ ମଧ୍ୟ ତିଆରି କରାଗଲା । ଭାରତର ପ୍ରତିରକ୍ଷା ବଜେଟ ସମଗ୍ର ବଜେଟର ୫୦ଭାଗରୁ ବି ଅଧିକ ହୋଇଚାଲିଛି । ଯଦି ପ୍ରଶ୍ନ କରନ୍ତି କାହାକୁ ଆଖି ଆଗରେ ରଖି ଆମେ ଏଭଳି ଏକ ଦରିଦ୍ର ଦେଶର ଅଧାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି? ଉତ୍ତରମିଳିବ ପାକିସ୍ତାନ । ପାକିସ୍ତାନ ଗୋଟିଏ ଛୋଟ ଦେଶହେଲେ ବି ଭାରତକୁ ଲକ୍ଷ୍ୟରେ ରଖି ତାର ପ୍ରତିରକ୍ଷା ଖର୍ଚ୍ଚ ବଢ଼ାଇ ଚାଲିଛି । ଉଭୟଦେଶର ଦରିଦ୍ର ଲୋକମାନଙ୍କ ଭିତରେ ଏଭଳି ଏକ ଭାବନା ଭର୍ତ୍ତି କରିଦିଆଯାଇଛିି- ଯଦି ଆଜି କେଉଁଠି କିଛି ଅଶାନ୍ତି ଦେଖାଯାଉଛି, ସେମାନେ ଭାବୁଛନ୍ତି ଆମ ପଡ଼ୋଶୀଟି ସେଥିପାଇଁ ଦାୟୀ । ଆମ ଯୁବପିଢ଼ିଙ୍କୁ ଇତିହାସ ପଢ଼ାଯାଉନି । ନଚେତ ସେମାନେ ପଚାରିଥାନ୍ତେ ୧୮୫୭ର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଯେଉଁମାନେ ଭାଇ-ଭାଇ ହୋଇ ଲଢ଼ିଥିଲେ ଏବଂ ପରେ ଅନେକ ବ୍ରିଟିଶ ବିରୋଧୀ ସଂଘର୍ଷରେ ଏକାଠି ବଳିଦାନ ଦେଇଥିଲେ, ଆଜି ସେମାନଙ୍କ ଦାୟାଦମାନେ ଆମେ ସମସ୍ତେ ଆଜି ସେମାନଙ୍କ ପ୍ରତି ଏଭଳି ଘୃଣ୍ୟ ଶ୍ରଦ୍ଧାଞ୍ଜଳି କାହିଁକି ଦେଉଛେ? ଇତିହାସକୁ ପରିତ୍ୟାଗ କରିବା, ନବୁଝିବା ବା ଜାଣିଶୁଣି ଅବୁଝାମଣା ସୃଷ୍ଟି କରିବା ବା ଭୁଲ ଭାବେ ଉତ୍ତର ପିଢ଼ି ଆଗରେ କଥାଗୁଡ଼ିକୁ ଉପସ୍ଥାପନ କରିବା ମାନବ ସଭ୍ୟତା ବିରୁଦ୍ଧରେ ଏକ ଜଘନ୍ୟ ଓ ଅକ୍ଷମଣୀୟ ଅପରାଧ କହିଲେ ଅତୁ୍ୟକ୍ତି ହେବନାହିଁ ।
ଏଭଳି କହିବାର ଅନ୍ୟ ଏକ ଉଦେ୍ଦଶ୍ୟ ହେଉଛି ଦେଶରେ ହିନ୍ଦୁ-ମୁସଲିମ୍ ଭେଦଭାବକୁ ନେଇ ଚାଲିଥିବା ଘଟଣାପ୍ରବାହ ସମ୍ପର୍କରେ ସାମାନ୍ୟ ଆଲୋକପାତ କରିବା, ଯାହା ପାକିସ୍ତାନରେ ଭାରତବିରୋଧୀ ମନୋଭାବର ପ୍ରସାର ଓ ଭାରତ ତଥା ବିଶ୍ୱରେ ମୁସଲିମ୍ ବିରୋଧୀ ଅଭିଯାନ ଦ୍ୱାରା ଅଧିକ ତ୍ୱରାନ୍ୱିତ ହୋଇଛି । ଆଜି ଆମ ଦେଶରେ ଏକ ଶୀତଳ ଛାୟାଯୁଦ୍ଧର ପୃଷ୍ଠଭୂମି ନିର୍ମାଣ ହୋଇସାରିଛି । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ୟାକୁବ ମେମୋନଙ୍କ ଫାଶୀଦେବା ଘଟଣାରେ । କାଲିର ଖବରକାଗଜକୁ ବି ଭଲକି ପଢ଼ିନଥିବା ଆଜିର ଆଇଟି ଯୁଗର ଯୁବକ-ଯୁବତୀମାନଙ୍କଠାରୁ ଆରମ୍ଭ କରି ମନୁସଂହିତା ଉପରେ ଗଭୀର ବିଶ୍ୱାସ ରଖିଥିବା ଧର୍ମାବତାରଙ୍କ ଯାଏଁ କହୁଛନ୍ତି ଯେ ୧୯୯୩ ମାର୍ଚ୍ଚ ୧୨ରେ ବମ୍ବେଠାରେ ବୋମା ବିସ୍ଫୋରଣ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରାୟ ୨୫୬ ନିରୀହ ଲୋକଙ୍କ ମୃତ୍ୟୁପାଇଁ ୟାକୁବ ମେମୋନଙ୍କୁ ଫାଶୀ ଦିଆଯାଉ ନଚେତ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପରିବାରଙ୍କୁ ସାନ୍ତ୍ୱନା ମିଳିବ ନାହିଁ । ନ୍ୟାୟ ମିଳିବା ତ ସମ୍ଭବପର ନୁହଁ, ଏଠିକେବଳ ଆତ୍ମସନ୍ତୋଷ ଓ ସାନ୍ତ୍ୱନାର କଥାପଡ଼ିଛି । ଏହି ଘଟଣାରେ ଫାଶୀ ପାଉଥିବା ଲୋକଟିର ସମ୍ପୃକ୍ତି କ’ଣ? ସେ ପ୍ରକୃତରେ ସାମିଲ କି ନାହିଁ! ବା କେଉଁଭଳି ସମ୍ପୃକ୍ତି ଥିଲା ଓ କିଏ କହିଲା କେଉଁ ତଥ୍ୟର ଆଧାରରେ ଯେ ସେ ସମ୍ପୃକ୍ତ ଥିଲା । ଏ ଘଟଣାରେ ଆଉ କିଏ ସମ୍ପୃକ୍ତ ଥିଲେ ଏବଂ ସେମାନଙ୍କ ତୁଳନାରେ ଏହି ଲୋକଟି କେଉଁ ଭଳି ଅଧିକ ଦାୟୀ ଇତ୍ୟାଦି ସରଳ ପ୍ରଶ୍ନ ବି ପଚାରିବା ପାଇଁ ଆମେ ପ୍ରସ୍ତୁତ ନୁହଁ । ଯଦି ଅପରାଧୀକୁ ପାଇଲ ନାହିଁ, ତା ଭାଇ,ବନ୍ଧୁ କୁଟୁମ୍ବ ଯାହାକୁ ପାଇବ ତାକୁ ଧରି ନେଇ ଫାଶୀ ଦେଇଦିଅ-ଏହି ନ୍ୟାୟରେ ୟାକୁବ ମେମୋନଙ୍କୁ ଫାଶୀ ଦିଆଯାଇଛି । ଏକଥା ଅଧିକାଂଶ ମୁସଲିମ ବିରୋଧୀ ଭାରତୀୟମାନେ ବୁଝିବାପାଇଁ ପ୍ରସ୍ତୁତ ନୁହଁ । ଅପରାଧୀ କାହିଁକି ଅପରାଧୀ ହେଲା, ଇତ୍ୟାଦି କଥା ତ ବୁଝିବାପାଇଁ କେହି ବି ପ୍ରସ୍ତୁତ ନୁହଁ । ତେବେ ଏଠି ଆମେ କିଛି କଥା ମନେ ପକାଇଦବା ଉଚିତ ହେବ ।
ମାର୍ଚ୍ଚ ୧୨, ୧୯୯୩ ଯେଉଁ ବମ୍ବେ ବୋମା ବିସ୍ଫୋରଣରେ ୨୫୦ରୁ ଅଧିକ ନୀରିହ ଲୋକଙ୍କ ଜୀବନ ଗଲା, ଏବଂ ଯେଉଁଥିପାଇଁ କି ଆଜି ଜଣକୁ ଜବରଦସ୍ତ ଦାୟୀ କରି ଫାଶୀ ଦିଆଗଲା, ତାହାର ଠିକ୍ ୩ମାସ ପୂର୍ବରୁ ଦେଶରେ ଏକ ଭୟଙ୍କର ମୁସଲିମ୍ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା ବିଜେପି ଓ ସଂଘ ପରିବାର ନେତୃତ୍ୱରେ ଯେଉଁଥିରେ କେବଳ ବମ୍ବେ ସହରରେ ୯୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ସର୍ବାଧିକ ଲୋକେ ମୁସଲିମ ସମ୍ପ୍ରଦାୟର ଥିଲେ । ଡିସେମ୍ବର ୬, ୧୯୯୨ର ଆଡ଼ଭାନି ସେନା ଯେତେବେଳେ ବାବ୍ରୀ ମସଜିଦ୍ ଭାଙ୍ଗିଲେ, ତାପରେ ସମଗ୍ରଦେଶରେ ହିନ୍ଦତ୍ୱବାଦୀ ସଂଘ ପରିବାର ତରଫରୁ ବିଜୟ ଯାତ୍ରା ଚାଲିଥିଲା । ଏହି ବିଜୟଯାତ୍ରାରେ ଏବ ବିରାଟ ପଟୁଆର ବମ୍ବେ ସହରରେ ମଧ୍ୟ ଚାଲିଥିଲା । ଏହି ପଟୁଆର ହିଁ ହିଂସାକାଣ୍ଡ ସୃଷ୍ଟିକଲା ଯାହାର ପ୍ରତିକ୍ରିୟାରେ କିଛି ହିଂସ୍ର ମୁସଲମାନ ମଧ୍ୟ ସାମିଲ ହୋଇଥିଲେ । ତେବେ ଯେହେତୁ ଶିବସେନାର ଦୁର୍ଗ ବମ୍ବେରେ ଡିସେମ୍ବର୬,୧୯୯୨ରୁ ୨୬ ଜାନୁଆରୀ ୧୯୯୩ ଯାଏଁ ହିଂସାକାଣ୍ଡ ଜାରି ରଖିଲା, ୯୦୦ନିରୀହ ଲୋକ ମୃତ୍ୟୁବରଣ କରିଥିଲେ, ଯେଉଁମାନଙ୍କ ଭିତରୁ ୮୦୦ରୁ ଅଧିକ ଥିଲେ ମୁସଲିମ ସମ୍ପ୍ରଦାୟର ପୁରୁଷ-ନାରୀ ଓ ଶିଶୁ । ଅନେକ ମୁସଲମାନ ମହିଳା ଗଣଧର୍ଷଣର ମଧ୍ୟ ଶିକାର ହେଲେ । ସେଥିପାଇଁ ମହାରାଷ୍ଟ୍ରରେ ତକ୍ରାଳୀନ କଂଗ୍ରେସ ସରକାର ନ୍ୟାୟମୂର୍ତ୍ତି ବି.ଏନ୍ ଶ୍ରୀକ୍ରିଷ୍ଣାଙ୍କୁ ନେଇ ଏକ କମିଶନ ଗଢ଼ିଥିଲେ । ଶିବସେନା-ବିଜେପି ସରକାର କ୍ଷମତାକୁ ଆସିବା ପରେ ୧୯୯୬ର ଏହି କମିଶନଟିକୁ ଭାଙ୍ଗିଦେଲେ । ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଯେ ପରେ ଗୁଜୁରାଟ ମୁସଲିମ୍ ନରସଂହାରକୁ ମଧ୍ୟ ନିନ୍ଦା କରି ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଧର୍ମ ପାଳନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ, ତୁରନ୍ତ ଶ୍ରୀକୃଷ୍ଣ କମିଶନକୁ ପୁନଃଗଠନ କରିବାପାଇଁ ଆଦେଶ ଦେଇଥିଲେ । ଶିବସେନା ସରକାର କମିଶନ ତ ପୁନଃଗଠନ କଲେ କିନ୍ତୁ ଡିସେମ୍ବର୬,୧୯୯୨ର ଜାନୁଆରୀ ୨୬, ୧୯୯୩ ଯାଏଁ ଚାଲିଥିବା ମୁସଲିମ ନରସଂହାର ଘଟଣା ସମେତ ମାର୍ଚ୍ଚ ୧୨, ୧୯୯୩ର ବମ୍ବେ ବିସ୍ଫୋରଣକୁ ମଧ୍ୟ ଅନୁସନ୍ଧାନ କରିବାକୁ କମିଶନକୁ ନିର୍ଦ୍ଦେଶ ଦେଲେ । ୧୯୯୮ ମସିହାରେ ଶ୍ରୀକୃଷ୍ଣ କମିଶନଙ୍କ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଯେଉଁ ମାର୍ଚ୍ଚ୧୨, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ମରିଥିବା ନିରୀହ ୨୫୬ଲୋକଙ୍କ ପାଇଁ ଜୁଲାଇ ୩୦, ୨୦୧୫ରେ ଫାଶୀ ଦିଆଗଲା, ତାହା ବାବ୍ରୀ ମସଜିଦ୍ ଭଙ୍ଗାଯିବା ପରବର୍ତ୍ତୀ ଅବସ୍ଥାରେ ୧୯୯୨ ଡିସେମ୍ବର ଓ ୧୯୯୩ ଜାନୁଆରୀର ନିରୀହ ମୁସଲମାନଙ୍କୁ ହତ୍ୟା କରାଯାଇଥିବା ଘଟଣାର ଏକ ପ୍ରତିକ୍ରିୟା ଥିଲା । ଏହିପ୍ରତିକିୟାକୁ କେହି ବି ଗ୍ରହଣ କରିପାରିବେ ନାହିଁ ବା ଗଣହତ୍ୟାର ପ୍ରତିକ୍ରିୟା ଆଉ ଏକ ଗଣହତ୍ୟା ହୋଇପାରିବ ନାହିଁ । ତେବେ କେବଳ ଏଠି ଆମେ ଆଶା କରିବା ଯେ ଏଭଳି ଘଟଣାର ପୁନରାବୃତ୍ତି ନଘଟୁ । ଆମ ମନକୁ ପ୍ରଶ୍ନ ଆସିବା କଥା ଯେ କ’ଣ ବମ୍ବେ ବିସ୍ଫୋରଣର ଯେଉଁ ଲୋକମାନେ ମଲେ ସେମାନେ ହିଁ କେବଳ ନିରୀହ ଥିଲେ ଏବଂ ତାର ଦୁଇମାସ ପୂର୍ବରୁ ଯେଉଁ ୯୦୦ ଲୋକ ମୃତ୍ୟୁବରଣ କଲେ, ସେମାନେ ସମସ୍ତେ ଅପରାଧୀ ଥିଲେ? ଯଦିବି ଆମେ ଭାବୁଛେ ଯେ ବମ୍ବେ ବୋମା ବିସ୍ଫୋରଣର ନିରୀହ ଶିକାରମାନଙ୍କୁ ସାନ୍ତ୍ୱନା ମିଳିବ ଜଣେ ତଥାକଥିତ ଅପରାଧୀକୁ ଫାଶୀଦେଲେ, ତେବେ ତାର କିଛିସପ୍ତାହ ପୂର୍ବରୁ ଅକାରଣରେ ମରିଥିବା ୯୦୦ ଲୋକଙ୍କର ଆତ୍ମୀୟମାନଙ୍କୁ ସାନ୍ତ୍ୱନା ଦେବାପାଇଁ ଆମେ କରିଚେ କ’ଣ? ଶ୍ରୀକୃଷ୍ଣ କମିଶନଙ୍କ ରିପୋର୍ଟକୁ ଶିବସେନା ସରକାର ଗ୍ରହଣ କଲେନି । ଯେଉଁ ଶିବସେନା ଏମପି ମଧୁକର ସାରପଟଦାରଙ୍କୁ ମୁଖ୍ୟତଃ ଦାୟୀ କରାଗଲା, ଶୁଣାଣୀ ପରେ ବମ୍ବେ ଅଦାଲତ ତାଙ୍କୁ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ଓ ତତକ୍ଷଣାତ ତାଙ୍କୁ ଜାମିନ ମିଳିଗଲା । ୨୦୧୦ରେ ଏହି ମହାଶୟଙ୍କ ମୃତ୍ୟୁ ଯାଏଁ ସେ ଦଣ୍ଡ ପାଇନାହାନ୍ତି । ଏଦେଶରେ ସବୁଠାରୁ ବଡ଼ ଆତଙ୍କବାଦୀ ବାଲ୍ ଥାକରେ କୌଣସି ବି ଦଣ୍ଡ ନପାଇ ମୁତ୍ୟୁବରଣ କଲେ । ତାଙ୍କ ସମ୍ପର୍କରେ ଶ୍ରୀକୃଷ୍ଣ କମିଶନ ଯାହା କହିଥିଲେ, ତାହା ଚର୍ଚ୍ଚାକୁ ମଧ୍ୟ ଆସୁନାହିଁ । ଇଣ୍ଟରନେଟରେ ଏବେ ବି ଉପଲବ୍ଧ ଏହି ରିପୋର୍ଟରେ କୁହାଯାଇଥିଲା ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶିବସେନା ଓ ଶିବ ସୈନିକମାନେ ମୁସଲମାନମାନଙ୍କ ଉପରେ ଏବଂ ସେମାନଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରୁଥିଲେ । ଏଥିପାଇଁ ଶାଖା ପ୍ରମୁଖ ସ୍ତରରୁ ଶିବସେନାର ମୁଖ୍ୟ ବାଲ୍ ଥାକରେଙ୍କ ଯାଏଁ ତାଙ୍କୁ ଦିଗଦର୍ଶନ ଦେଉଥିଲେ- ““there is no doubt that the Shiv Sena and the Shiv Sainiks took the lead in organising attacks on Muslims and their properties under the guidance of several leaders from th level of Sakha Pramukhs to that of Shiv sena chief Bal Thackray”.. ( BN Srikrishna Committee report, 1998)
୧୯୬୯ରେ ଗୁଜୁରାଟରେ ମୁସଲିମ ବିରୋଧୀ ହିଂସା ଯେଉଁଥିରେ ୬୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିଲେ, ୧୯୮୦ର ମୁରାଦାବାଦ୍, ୧୯୮୩ର ନେଲି ଗଣହତ୍ୟା, ୧୯୮୭ର ହାସିମ୍ପୁରାର ମୁସଲମାନ ଯୁବକଙ୍କ ଜଘନ୍ୟ ଗଣହତ୍ୟା, ୧୯୯୮ର ଭାଗଲପୁର ହିଂସା, ୨୦୦୨ର ଗୁଜୁରାଟ ନରସଂହାର, ୨୦୦୬ର ମାଲେଗାଓଁ ବୋମା ବିସ୍ଫୋରଣ, କେଉଁଥିରେ ଉଗ୍ର ହିନ୍ଦୁ ଗଣହତ୍ୟାକାରୀ ବା ସେମାନଙ୍କ ପୃଷ୍ଠପୋଷକମାନଙ୍କୁ ଦଣ୍ଡ ଦିଆଯାଇପାରିନାହିଁ । ଆଜି ଯଦି ଆମେ କେବଳ ମୁସଲିମ୍ ବୋଲି ଜଣକୁ ଧରି ଉପଯୁକ୍ତ ଭାବେ ବିଚାର ନକରି ଫାଶୀଖୁଣ୍ଟରେ ଲେଉଟାଇ ଦେଉଛନ୍ତି, ଭାରତ ଏକ ହିନ୍ଦୁ ରାଷ୍ଟ୍ରବୋଲି ଯଦି କେହି ଅଭିଯୋଗ କରେ, ଆମେ ତାହାର କି ଉତ୍ତର ରଖିବା?
ଆମ ବିଚାରରେ ମୃତ୍ୟୁଦଣ୍ଡକୁ ଉଠାଇ ଦେବାଟା ସବୁଠାରୁ ଭଲ ହେବ । କେବଳ ଏଥିପାଇଁ ନୁହେଁ ଯେ ଶାସ୍ତି ଦେବା ନାଁରେ ଆମେ କାହାର ବଞ୍ଚିବାର ଅଧିକାରକୁ ହନନ କରୁଛନ୍ତି ଏବଂ ସେଥିପାଇଁ ୧୫୦ଟି ଦେଶ ଏଯାଏଁ ମୃତ୍ୟୁଦଣ୍ଡକୁ ଉଠାଇ ସାରିଛନ୍ତି । ବରଂ ଭାରତ ପରିପ୍ରେକ୍ଷୀରେ ଆମେ ଏଥିପାଇଁ ମୃତ୍ୟୁଦଣ୍ଡ ଉଠେଇ ଦେବାପାଇଁ ମଧ୍ୟ କହିବୁ ଯେ ବିଷମତାରେ ଭରପୁର ଭାରତୀୟ ସମାଜରେ ବିଷମତା ଓ ଭେଦଭାବର ଶିକାର ହେଉଥିବା ବର୍ଗର ଲୋକେ ଅପରାଧ କରନ୍ତୁ ବା ବ ନକରନ୍ତୁ, ଯଦି ପ୍ରମାଣିତ କରାଗଲା ଯେ ସେମାନେ ଏକ ନିର୍ଦ୍ଦିଷ୍ଟ ଅପରାଧ କରିଛନ୍ତି, ତେବେ ସେମାନେ ହିଁ ଫାଶୀଦଣ୍ଡ ପାଇବେ । ପ୍ରଭାବଶାଳୀବର୍ଗର ଲୋକେ ଫାଶୀଦଣ୍ଡ ପାଇବେ ନାହିଁ । ଯଦି ବି କ୍ୱଚିତ କିଏ ଆଜୀବନ କାରାଦଣ୍ଡ ପାଏ, ତାହା ଏକ ବିରଳ ଘଟଣା ହେବ । ଏମିତିରେ ବି ଉଚ୍ଚବର୍ଗ ଓ ପ୍ରଭାବଶାଳୀବର୍ଗର ଅପରାଧ ଅଭିଯୁକ୍ତମାନେ ବା ଅପରାଧୀମାନେ ଜେଲ ଭିତରେ ପଂଚତାରକା ହୋଟେଲର ବିଳାସ ପାଉଥିବା ବେଳେ ଅବହେଳିତ ବର୍ଗର ମଣିଷମାନେ ଛେଳି ଓ କୁକୁରଠୁ ହୀନ ଜୀବନ କଟାଉଛନ୍ତି । ମୃତ୍ୟୁଦଣ୍ଡ ଦେବାପାଇଁ ଆମ ପୋଲିସ ଓ ନ୍ୟାୟ ପ୍ରକ୍ରିୟାରେ ଭାଗ ନେଉଥିବା ସଂସ୍ଥାମାନେ ଯେମିତି ଚାହିଁବେ, ସେମିତି ବିଚାରପତିମାନେ ମଧ୍ୟ କହିବେ । ଯଦିକେହି ଅପସରି ନିଆଯାଇଥିବା ଟାଡା ଆଇନ ବା ଅନ୍ ଲ ଫୁଲ ପ୍ରିଭେନ୍ସନ୍ ଆକ୍ଟ ଭଳି କଳା ନିୟମରେ ବିଚାରକୁ ଆସିଲା, ତେବେ ତାହାର ଦଣ୍ଡ ପୂର୍ବରୁ ନିର୍ଦ୍ଧାରିତ ହୋଇ ସାରିଥାଏ । ସେ ତାର ପକ୍ଷମଧ୍ୟ ଉଚିତ ଭାବେ ରଖିପାରିବ ନାହିଁ । ତେଣୁ ସବୁ ଦୃଷ୍ଟିକୋଣରୁ ସରକାରୀ ପ୍ରୋତ୍ସାହନରେ ଚାଲିଥିବା କୃଷକର ଆତ୍ମ ନିର୍ବାଚିତ ଫାଶୀ ହେଉ ବା ପୋଲିସ ପ୍ରଶାସନର ଫାଶୀ; ଭାରତ ଭଳି ଏକ ମୁକ୍ତ ଗଣତନ୍ତ୍ରରେ ପ୍ରୋତ୍ସାହିତ ଫାଶୀ ହେଉ ବା ବିଚାର ବ୍ୟବସ୍ଥା ନିର୍ଦ୍ଦେଶିତ ଫାଶୀ; ଏକ ଦୁଃସ୍ଥ, ହୀନ ଓ ଅସହନଶୀଳ ମାନସିକତାର ସନ୍ତକ ବହନ କରୁଛି ମାତ୍ର । ଆମେ ସମସ୍ତେ ଫାଶୀକୁ ବିରୋଧ କରିବା ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ।
From Samadrusti Digital Archive (1-15 August 2015)
Comments
0 comments