କ୍ଲାଇବ ୧୭୬୭ରେ ଭାରତରୁ ବିଦା ହେଲେ । କ୍ଲାଇବ୍ ପରେ ଇଷ୍ଟଇଣ୍ଡିଆ କମ୍ପାନୀ ୱାରେନ ହେଷ୍ଟିଙ୍ଗସଙ୍କୁ କଲିକତାର ଗଭର୍ଣ୍ଣର ନିଯୁକ୍ତ କଲେ । ହେଷ୍ଟିଙ୍ଗସଙ୍କ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବିଲାତ ପାର୍ଲିଆମେଣ୍ଟ ତାଙ୍କୁ ଭାରତରେ ପ୍ରଥମ ଗଭର୍ଣ୍ଣର ଜେନେରାଲ ପାହ୍ୟାକୁ ଉନ୍ନୀତ କଲେ । ଆମ ଲେଖାର ଉଦ୍ଦେଶ୍ୟ ଭାରତରେ କୃଷି ଓ କୃଷକର ସ୍ଥିତି କିଭଳି ସମୟକ୍ରମେ ପରିବର୍ତ୍ତିତ ହେଉଛି, କଣ କଣ ସମସ୍ୟା ମୁକାବିଲା କରୁଛି ଜାଣିବା । କେତେକ ଐତିହାସିକ ହେଷ୍ଟିଙ୍ଗସଙ୍କ ଶାସନକୁ ଖୁବ ତାରିଫ କରି ଲେଖିଛନ୍ତି । ସତ୍ୟର ଅପଳାପ । ହେଷ୍ଟିଙ୍ଗସଙ୍କ ଶାସନକାଳରେ ବଙ୍ଗଳା, ବିହାର ଓ ଓଡ଼ିଶାରେ ଭୟଙ୍କର ଦୁର୍ଭିକ୍ଷ । ପ୍ରାୟ ୧୦ନିୟୁତ (୧ କୋଟି) ଲୋକ ହା ଅନ୍ନ ହା ଅନ୍ନ ଚିତ୍କାର କରି ଟଳିପଡ଼ିଲେ । ଐତିହାସିକ ଡବ୍ଲୁ ଡବ୍ଲୁ ହଣ୍ଟର ଲେଖନ୍ତି, “ଗୋପାଳମାନେ ସେମାନଙ୍କର ଗୋରୁଗାଈ ବିକିଦେଲେ । ଚାଷୀମାନେ କୃଷି ଉପକରଣ କବାଡ଼ିଆଙ୍କୁ ବିକିଦେଲେ । ଉକ୍ରଟ ଖାଦ୍ୟାଭାବରୁ ବିହନକୁ ବି ରାନ୍ଧି ଖାଇଦେଲେ । ପୁଅ, ଝିଅମାନଙ୍କୁ ବିକ୍ରି କରିଦେଲେ । ଶେଷକୁ ପତ୍ର, ଘାସ ସିଝାଇ ଖାଇଲେ । ୧୭୭୦ ଜୁନରେ କମ୍ପାନୀର ରେସିଡେଣ୍ଟ ଜାଣିବାକୁ ପାଇଲେ ଯେ ଜୀବନ ବିକଳରେ ଲୋକେ ମଲା ମଣିଷ ମାଂସ ବି ରାନ୍ଧି ଖାଉଛନ୍ତି । ଦିନ ରାତି ଭୋକିଲାମାନେ ଗାଁରୁ ସହରକୁ ଧାଡ଼ି ଲଗାଇଲେ । ହଇଜା ବସନ୍ତ ବ୍ୟାପିଗଲା । ଶବମାନଙ୍କ ଦୁର୍ଗନ୍ଧରେ ସହରର ସୁସ୍ଥ ଲୋକମାନଙ୍କୁ ଅସହ୍ୟ ହେଲା । ଦୁଇ ପିଢ଼ି ଯାଏ ପୂର୍ବଭାରତର ଲୋକସଂଖ୍ୟା କମ୍ ରହିଛି” (Hunter W.W Annal of Rural India, page-53-5” A history of Agriculture in India – vol III-page 16&19)
ପ୍ରଜାମାନଙ୍କର ଏପରି ବିକଳ ଅବସ୍ଥାରେ ବି କମ୍ପାନୀ ଭୂରାଜସ୍ୱ ଅସୁଲ କରିବାରେ ସାମାନ୍ୟ କୋହଳ କରିନାହିଁ । ୧୭୭୧ର ରାଜସ୍ୱ ଆଦାୟ ୧୭୬୮ଠାରୁ ଅଧିକ ପଇଠ ହୋଇଛି । ହେଷ୍ଟିଙ୍ଗସ ତାଙ୍କ ଶାସନ ଦକ୍ଷତା ବିଲାତରେ ଥିବା କମ୍ପାନୀ ଡାଇରେକ୍ଟରଙ୍କୁ ୧୯୭୨ରେ ଜଣାଇବାକୁ ଯାଇ ଲେଖିଲେ “ମରୁଡ଼ିଜନିତ କୃଷି ଉତ୍ପାଦନ ଅହେତୁକ ଭାବେ କମିଯାଇଥିଲେ ମଧ୍ୟ ୧୭୭୧ରେ ରାଜସ୍ୱ ଆଦାୟ ୧୭୬୮ଠାରୁ ଅଧିକ ହୋଇଛି । ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବର୍ଷ ରାଜସ୍ୱ ଅସୁଲ କମିବା କଥା । ମାତ୍ର କମ୍ପାନୀ ଦୃଢ଼ତାର ସହ ଜୋର ଜବରବସ୍ତ ରୟତଙ୍କଠାରୁ ରାଜସ୍ୱ ଅସୁଲ କରିଥିବାରୁ ପରିମାଣ କମିବା ପରିବର୍ତ୍ତେ ବଢ଼ି ଚାଲିଛି” (Extract from india office record quoted in Hunter’s Annals of Rural Bengal –A History of Agriculture in India vol-lll page-16-21) । ଏହି ରିପୋର୍ଟରୁ ସ୍ପଷ୍ଟ ପ୍ରମାଣ ମିଳୁନାହିଁ ଯେ ଇଷ୍ଟଇଣ୍ଡିଆ କମ୍ପାନୀ ଅତ୍ୟାଚାରୀ ଥିଲା? ଚାଷ ବିପର୍ଯ୍ୟୟ ହେବା ଏବଂ ଚାଷୀ ବିପନ୍ନହେବା ବିଲାତ ସରକାରଙ୍କର ସୁଶାସନର ଏକ ସଫଳ କାହାଣୀ (!)
ଚାଷୀମାନଙ୍କ ଉପରେ ଅତ୍ୟାଚାର ଅବ୍ୟାହତ ରହିଛି । ଦୁର୍ଭିକ୍ଷରେ କୋଟିଏ ଲୋକ ମଲେଣି । କମ୍ପାନୀ ତ ଲୋକଦେଖାଣିଆ କଣ କିଛି କାମ କରିବ । ବଢ଼ି, ମରୁଡ଼ି, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଖାଦ୍ୟଶସ୍ୟ ମହଜୁଦ ରହିବା ଦରକାର । ହେଷ୍ଟିଙ୍ଗସ ୧୭୭୨ ମସିହାରେ ବିହାରର ପାଟଣାଠାରେ ଗୋଟିଏ ବିରାଟକାୟ ‘ଗ୍ରେନ ଗୋଲା’ ତିଆରି କରିଥିଲେ । ୯୬ ଫୁଟ ଉଚ୍ଚ ଇଟାରେ ତିଆରି ଘର । କାନ୍ଥ ମୋଟେଇ ୪/୫ ଫୁଟ । ଖାଦ୍ୟ ଶସ୍ୟ ଦୀର୍ଘ ବର୍ଷ ରହିଲେ ଯେପରି ନଷ୍ଟ ହେବନାହିଁ । ଆଜିବି ଏହି ବିରାଟ ଇଟାକୋଠିଟି ଭଙ୍ଗାରୁଜା ହୋଇ ଠିଆ ହୋଇଛି । ଗଛପତ୍ର ଲଟା ମାଡ଼ିଯାଇଛି । କେବେବି ଖାଦ୍ୟଶସ୍ୟ କୋଠରିରେ ରଖାଯାଇ ନାହିଁ । ଭୂତ କୋଠିଟିଏ ସାକ୍ଷୀପରି ପଡିରହିଛି । ବହୁ ଆଡ଼ମ୍ବରେ ଲଘୁକ୍ରିୟା । କେବଳ କମ୍ପାନୀ ନୁହେଁ । ଆମଦେଶର ସ୍ୱାଧୀନ ସରକାର ଏଭଳି ଦୃଷ୍ଟାନ୍ତରେ କମ୍ ନାହାନ୍ତି । ସରକାରୀ ଅର୍ଥ ଅମାପ ଅପବ୍ୟୟ ହେଲାବେଳେ ଆମ ଚାଷୀଭାଇର ସେଇ ଚାଳଛପର ଘରଖଣ୍ଡିକ । ସରକାରୀ ଘରଖଣ୍ଡେ ଲେଖାଏଁ କାହାକୁ କେମିତି ମିଳିଛି । ହେଲେ ୧୦ଫୁଟ୍ରେ ୧୦ଫୁଟ ଘରଖଣ୍ଡେ । ବାପ, ମା, ପୁଅ, ବୋହୂ ଓ ପିଲାପିଲି କଣ ସେଇ ଘରେ ଚଳିପାରିବେ? ଲୋକଲଜ୍ଜା ତ ଅଛି । ଚାଳଘରକୁ ଛାଡ଼ି ପାରୁନାହାନ୍ତି । ପ୍ରଚାରସର୍ବସ୍ୱ ସରକାରମାନେ କୁହନ୍ତି ଚାଷୀର ଆୟ ଦୁଇଗୁଣ ହେଲାଣି । ରାଜାଙ୍କ ଅଦୃଶ୍ୟ ପୋଷାକ ଯାହା ଚାଷୀର ଆୟ ଦୁଇଗୁଣ ସେଇଆ ।
କଟକ-ଭୁବନେଶ୍ୱର ରାସ୍ତାର ଫୁଲନଖରାଠାରୁ ୩/୪ମାଇଲ ପୂର୍ବକୁ ନିଆଳି ରାସ୍ତାର ବଡ଼ଝରିଲୋ ଗାଁରେ ୪୦/୫୦ବର୍ଷ ତଳେ ଗୋଟିଏ ଶୀତଳ ଭଣ୍ଡାର ତିଆରି ହେଲା । ଚାଷୀମାନେ ଆଳୁ,ପାନ,ପନିପରିବା ସାଇତି ପାରିବେ । କଟକ, ସଦର, ଗୋବିନ୍ଦପୁର, ନିଆଳି ଚାଷୀଙ୍କ ମୁହଁରେ ହସର ଲହଡ଼ି ଖେଳିଗଲା । ୨/୪ମାସ ଭିତରେ ଚାଷୀମୁହଁରେ ନୈରାଶ୍ୟର ସଙ୍କେତ । ଶୀତଳଭଣ୍ଡାରଟି ଦିନେ ବି କାର୍ଯ୍ୟକ୍ଷମ ହେଲା ନାହିଁ । ସରକାରଙ୍କ ଅପାରଗତା ଶୀତଳଭଣ୍ଡାରଟିକୁ ଗୋଟିଏ ଜଙ୍ଗଲକୁ ରୂପାନ୍ତରିତ କରିପାରିଛି । ଆମଦେଶରେ ୫ହଜାର ବର୍ଷ ପୂର୍ବରୁ ଚାଷୀମାନେ କୋଠି ତିଆରିକରି ଧାନ ସାଇତି ରଖିପାରୁ ଥିଲେ । ଚାଷୀ ବର୍ଷକ ଖାଇ ପରବର୍ଷକୁ ୨/୩ ମାସ ପାଇଁ ବଳକା ରଖିପାରୁଥିଲା । ଗାଁ ଗଣ୍ଡାରେ କଥା ଅଛି ମାସକୁ ସାଇତି ରଖିପାରିଲେ ବର୍ଷକୁ ପାଇବ । ବର୍ଷକୁ ସାଇତି ପାରିଲେ ଯୁଗକୁ ପାଇବ ।
୫୦୦୦ବର୍ଷ ତଳର ସିନ୍ଧୁ ସଭ୍ୟତାର ଧ୍ୱଂସାବଶେଷର ସନ୍ଧାନ ପାକିସ୍ଥାନର ହରପ୍ପା ଓ ମହେଞ୍ଜୋଦାରରୁ ମିଳିଛି । ମହେଞ୍ଜୋଦାରରୁ ମିଳିଥିବା ପ୍ରମାଣରୁ ଜଣାପଡ଼େ ସ୍ନାନାଗାରର ଦକ୍ଷିଣକୁ ୧,୩୫୦ ବର୍ଗ ପରିମିତ ଗୋଟିଏ ବିରାଟ ଇଟାତିଆରି ଚଟାଣ ଏବେ ବି ଅଛି । ପରସ୍ପରଠାରୁ ଅଣଓସାରିଆ ବାଟ ଥାଇ ୨୭ଟି ଛୋଟ ଛୋଟ ଶସ୍ୟାଗାର ଅଛି । ସମସ୍ତ କୋଠରି ଶସ୍ୟାଗାର ହୋଇଥିବା ବୁଝାପଡୁଛି । ହରପ୍ପାରେ ମଧ୍ୟ ଅବିକଳ ଇଟା ତିଆରି କୋଠିଟିଏ ଠାବ କରାଯାଇଛି । ହରପ୍ପା ଓ ମହେଞ୍ଜୋଦାରରେ ଥିବା ଏହି ବିରାଟକାୟ କୋଠରୀଗୁଡ଼ିକରେ ଖାଦ୍ୟ ଶସ୍ୟସଂଗ୍ରହ କରି ରଖାଯାଉଥିବା ପ୍ରମାଣ ମିଳୁଛି । ଏହି ଦୁଇନଗରୀକୁ ଲାଗି ଗ୍ରାମଗୁଡ଼ିକରୁ ଶାସକମାନେ ରାଜଭାଗ ବାବଦ ଶସ୍ୟ ଆଦାୟକରୀ ଏହି ସବୁ ଅମାରରେ ସାଇତି ରଖୁଥିଲେ । ତିରୋଟ ସମୟରେ ସାଧାରଣ ଅଭାବୀଲୋକଙ୍କୁ ବଣ୍ଟା ଯାଉଥିବା ଅନୁମାନ କରାଯାଏ ((Extract from india office record quoted in Hunter’s Annals of Rural Bengal –A History of Agriculture in India vol-lll page-16-21ରୁ ଅନୁବାଦିତ)
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଅଶୋକଙ୍କ ରାଜତ୍ୱ କାଳରେ ଗାଁ ଗାଁ ରେ ଶସ୍ୟାଗାର ନିର୍ମାଣ କରି ଖାଦ୍ୟ ମହଜୁଦ ରଖା ଯାଉଥିଲା ଏବଂ ପ୍ରଜାଙ୍କୁ ଅସମୟରେ ବଣ୍ଟା ଯାଉଥିଲା । ଅର୍ଥଶାସ୍ତ୍ର (୧୧.୧.୨୦-୨୨)ରେ ଚାଣକ୍ୟ ଉଲ୍ଲେଖ କରିଛନ୍ତି । ପ୍ରଜାମାନଙ୍କଠାରୁ ରାଜଭାଗ ଫସଲର ଏକ ତୃତୀୟାଂଶ ଆଦାୟ କରାଯାଉଥିଲା । ଐତିହାସିକ ଇରଫାନ ହବିବ ଲେଖନ୍ତି “”The taxes being set at particular shares of the produce imply that these were primarily collected in kind ,The produce ,then ,often needed to be stored in state granaries .Two inscriptions assigned on palaeographic grounds to the late years of Ashok or immediately afterwards,namely the Mahasthan stone plaque inscription from Bangaladesh and the Sohgaura bronze –plaque inscription from North eastern Uttarpradesh (Text well-preserved, but not yet fully understood ) contain official instructions with regard granaries (Kothagala /Kothogal)some of which could be three storeyed (seefig) paddy and other grain were apparently stored here to guard against future scarcities” (A peoples History of India ,Irfan Habib –Vivekanand Jha –page-37) । ଶସ୍ୟାଗାର ତିଆରି ହୋଇଥିଲା ଏବଂ ବ୍ୟବହାର ହେଉଥିଲା । ହେଷ୍ଟିଙ୍ଗସଙ୍କ ଗ୍ରେନଗୋଲା ଭଳି ଭୂତକୋଠି ହୋଇ ନଥିଲା । ଭାରତରେ କୃଷିସଭ୍ୟତା ଦଶହଜାର ବର୍ଷ ପୁରୁଣା । ସେ କାଳରେ ଆମ ଚାଷୀମାନଙ୍କ ଘରେ କୋଠି ଥାଏ । ମୁଁ ତ ଦେଖିଛି ଆମର କୋଠିଥିବା । କାଠ ବାଉଁଶରେ ତିଆରି । ମାଟି ଲେସା ଘରଭିତରେ ଛୋଟ ଘରଟିଏ ଭଳି । ଛୋଟ ବାଟଟିଏ । ଧାନ ଅମଳ ପରେ କୋଠିରେ ପଡ଼େ । ଭଲଦିନ ଦେଖି ନନା କୋଠି ଅନୁକୂଳ କରି ଧାନ କାଢ଼ନ୍ତି । ବୋଉ ଧାନ ଉଷାଏଁ । ଢିଙ୍କିରେ ଚାଉଳ କୁଟା ହୁଏ । ଅରୁଆ ଉସୁନା । ଆଉ ଅଛି? ଆଧୁନିକତା ସବୁ ଖାଇଗଲା । ଆଜି ନଈରେ ହଜେଇ ପୋଖରୀରେ ଖୋଜିଲେ ମିଳିବ କାହୁଁ । କେଉଠି କେମିତି ସଂଗ୍ରହାଳୟରେ ଛୋଟ କୋଠିର ନକଲ, ଢିଙ୍କିଟିଏ ଥାଇପାରେ । ଆମ କୃଷି ସଂସ୍କୃତିର ସେମାନେ ମୂକସାକ୍ଷୀ ।
ଭାରତରେ କମ୍ପାନୀର ଚାକିରିଆମାନେ ଅଧିକାଂଶ କମ୍ପାନୀ ଡାଇରେକ୍ଟରମାନଙ୍କର ସମ୍ପର୍କୀୟ । ସେମାନେ ଖୁବ ଦୁର୍ନୀତିଗ୍ରସ୍ତ । ଭୂ ରାଜସ୍ୱର ମୋଟା ଅଙ୍କ ସେମାନେ ଲୁଟ୍ କରୁଥିଲେ । କମ୍ପାନୀର ଗଜା ଟୋକାମାନେ ଆମଲୋକଙ୍କୁ Nativeକହି ଘୃଣା ଓ ତାଚ୍ଛଲ୍ୟ କରୁଥିଲେ । ସେମାନେ ଭାରତରେ ରହି ମଧ୍ୟ ବିଲାତରେ ଥିବାଭଳି ଭାବୁଥିଲେ । କମ୍ପାନୀ ପଇସା ତୋସରଫ କରି ମସ୍ତି କରୁଥିଲେ । ଭାରତରେ ଥିବା ବ୍ରିଟିଶରମାନେ ଦଳ ଦଳ ହୋଇ ଭାରତ ଆସୁଥିଲେ । ଖୁବ କମ୍ ସମୟ ଭିତରେ କୋଟିପତି ହୋଇ ଫେରୁଥିଲେ । ଚାଷୀ, ଶ୍ରମିକ ସାଧାରଣ ଭାରତୀୟ ମାନଙ୍କର ଦୁଃଖ ଓ ନିରାଶ ବଢ଼ି ଚାଲୁଥିଲା । ଶିକାରୀ ପକ୍ଷୀ ଭଳି ଦଳ ଦଳ ଆସି ପକେଟ, ସୁଟକେସ୍ ପୂର୍ଣ୍ଣ କରି ଫେରିଯାଉଥିଲେ । ଏଡମଣ୍ଡ ବୁର୍କେ ତାଚ୍ଛଲ୍ୟ କରି ଲେଖନ୍ତି,””Animated with all the avarice of age and all the impetusositity of youth , they roll in one after another ,wave after wave ,and there is nothing before the eyes of the natives, but an endless ,hopeless prospect of new flights of birds of prey and passage with appetites continually renewing for a food that is continually wasting Every rupee of profit made by English man is lost for every India”
(History of Agriculture in India –Vol-iii page 22 by MS Randwaya) ଏଥିରୁ ଆମକୁ ଯଥେଷ୍ଟ ପ୍ରମାଣ ମିଳୁନାହିଁ କି ଭାରତ ପ୍ରକୃତରେ ସୁନାର ଦେଶ ଥିଲା? ଏଥିରୁ ଆମେ ପ୍ରମାଣ ପାଉନାହୁଁ କି ଭାରତରେ ତତ୍କାଳୀନ ରାଜା, ମହାରାଜାମାନେ କେଡ଼େ ଦୁର୍ବଳ ଥିଲେ?
ବିଲାତ ସରକାର କମ୍ପାନୀ ସହାୟତାରେ ଅଧିକରୁ ଅଧିକ ସୁନା ଅଣ୍ଡା ଗୋଟାଉଛି । ଭୂରାଜସ୍ୱ କିଭଳି ଶୃଙ୍ଖଳାରେ ଆଦାୟ ହେବ । କମ୍ପାନୀ ତହବିଲକୁ ବର୍ଷକୁ ବର୍ଷ ଅଧିକ ପଇସା ଆସିବ, ସୁନା ଅଣ୍ଡାଦିଆ କୁକୁଡ଼ାଠାରୁ ଅଣ୍ଡା ସଂଗ୍ରହ ଜାରିରଖିବ । ଜଣେ ଟାଣୁଆ ଗଭର୍ଣ୍ଣରଙ୍କୁ ପଠାଇଲେ କର୍ଣ୍ଣୱାଲିସ । ତାଙ୍କ ରାଜତ୍ୱ କାଳରେ (୧୭୮୬-୧୭୯୩)ଚିରସ୍ଥାୟୀ ବନ୍ଦୋବସ୍ତ କରାଗଲା । ଅନେକ ଭାରତୀୟ ଐତିହାସିକ କର୍ଣ୍ଣୱାଲିସ ଶାସନକୁ ମଧ୍ୟ ଭୂରି ଭରି ପ୍ରଶଂସା କରି ଲେଖିଛନ୍ତି । ସେମାନେ ସହରୀ ଚଷମା ପିନ୍ଧି ଅକାଳନ କରିଛନ୍ତି । କଲିକତାର ବଡ଼ ବଡ଼ ଧନିକ ସମ୍ଭ୍ରାନ୍ତ ପରିବାରର ଜମିଦାରମାନଙ୍କ କୋଠାବାଡ଼ି, ଗାଡ଼ିଘୋଡ଼ା, କ୍ଲବ ପାର୍ଟିକୁ ଲକ୍ଷ୍ୟକରି ସେମାନେ ଧରି ନେଇଛନ୍ତି ଦେଶଟାସାରା ବୋଧେ ନାଲାନାଲ ହୋଇଯାଇଛନ୍ତି । ସେମାନଙ୍କ ତୃଣମୂଳ ଜ୍ଞାନ ସୀମିତ । ଚିରସ୍ଥାୟୀ ବନ୍ଦୋବସ୍ତରେ ଆଙ୍ଗୁଠିଗଣତି କଲିକତି ଜମିଦାରଙ୍କ ମାର୍ଫତ ଲକ୍ଷ ଲକ୍ଷ ଏକର ଜମି (ଗୋଟିଏ ଗୋଟିଏ ଇଲାକା) କମ୍ପାନୀ ଖଞ୍ଜିଦେଲା । ଜମିଦାରମାନେ ତାଙ୍କ ବରାଦରେ ଖଜଣା ଆଦାୟ କରିବେ । କମ୍ପାନୀରେ ଜମାଦେବେ । ଜମିଦାରମାନେ ତାଙ୍କ ଇଷ୍ଟେଟକୁ କେତୋଟି ତାଲୁକରେ ବିଭକ୍ତ କରି ପ୍ରତି ତାଲୁକରେ ଦେୱାନମାନଙ୍କୁ ନିଯୁକ୍ତ କଲେ । ଦେୱାନମାନେ ଗାଁ ଗାଁରେ ମକଦ୍ଦମମାନଙ୍କୁ ଖଜଣା ଆଦାୟ କ୍ଷମତା ଦେଲେ । ତିନି ଶେଣାରେ ପାଣି ବୁହା କଥା । ମକଦ୍ଦମମାନେ ପ୍ରଜାଙ୍କଠାରୁ ଖଜଣା ଅଦାୟ କରି ଦେୱାନଙ୍କୁ ପଇଠ ଦେବେ । ଦେୱାନମାନେ ସବୁ ମକଦ୍ଦମଙ୍କଠାରୁ ଖଜଣା ପାଇ ଜମିଦାରଙ୍କ ପକ୍ଷେ ଦାଖଲ କରିବେ । ଜମିଦାରମାନେ କମ୍ପାନୀ ଗଭର୍ଣ୍ଣରଙ୍କୁ ମୋଟ ଖଜଣା ହସ୍ତାନ୍ତର କରିବେ । ମକଦ୍ଦମ ଚାଷୀ ମାନଙ୍କଠାରୁ ଖେଂଟି ମାଲାମାଲ ଦେୱାନମାନେ ମକଦ୍ଦମଙ୍କଠାରୁ ବାଜେ ଖର୍ଚ୍ଚ ନାଁରେ ନିଜ ପାଇଁ ରକମ ଶୋଷିଲେ । ତାଙ୍କ ମାହାଲରୁ ଅସୁଲ ଖଜଣା ଜମିଦାରଙ୍କୁ ହିସାବ ମୁତାବକ ବୁଝାଇବେ । ଜମିଦାରମାନେ କମ୍ପାନୀ ନିଜାରତକୁ ଜମା ଦେବେ । ସମସ୍ତେ ଭିତିରିକଥା ବୁଝିଛନ୍ତି । ଦେୱାନମାନେ ଜମିଦାରଙ୍କ ଭିତିରିପାଉଣା ବାବଦ ମୋଟା ରକମ ହିସାବ ବାହାରେ ଦେଲେ । ଜମିଦାରମାନେ କମ୍ପାନୀ ଗଭର୍ଣ୍ଣରଙ୍କୁ ସୁନା, ରୁପା, ମୂଲ୍ୟବାନ ପଥର ଭଳି କୋଟି କୋଟି ଟଙ୍କାର ଥଳି ଭେଟିଦେଲେ । ପିମ୍ପୁଡି ଯେତେ ଖାଇଲେ, ମହୁ ତ ଅସରନ୍ତି ଭଣ୍ଡାର । କମ୍ପାନୀ ମାଲାମାଲ । ବିଚରା ଚାଷୀଟି! ଫସଲ ଧୋଇ, ମରୁଡିରେ ଯାଉ ମକଦ୍ଦମଙ୍କର ଦୟା ମାୟା ନାହିଁ । ଖଜଣା ଦାଖଲ କରିବ ମକଦ୍ଦମଙ୍କ ପାଉଣା ବାଜେ ଖର୍ଚ୍ଚ ବି ଭରିବ । ଏ ପାଉଣା ଖଜଣାର ୪ ଅଣାରୁ ୬ ଅଣା ପର୍ଯ୍ୟନ୍ତ । ମକଦ୍ଦମ ନାଲି ହୋଇଯିବେ । ଚାଷୀ ଶୂନ୍ୟଆକାଶକୁ ଚାହିଁ ଆଖିରୁ ଲୁହ ଗଡାଉଥିବ । ବେଡ଼ି ଉପରେ କୋରଡ଼ା । ପୁଣି ଦଶହରାକୁ ଭେଟି ।
ଚାଷୀ ବାସନା ଚାଉଳ, ମୁଗ ଡାଲି, ବାଡି ଘର ପରିବାପତ୍ର ମକଦ୍ଦମଙ୍କ ଆଟିକା ମୁତାବକ କଚେରୀରେ ଦାଖଲ କରିବେ । ଗୋପାଳ ନିଷ୍କର ଗୋଚରରେ ମଇଁଷି ଚରାଉଛନ୍ତି । ଦଶହରା ଭେଟି । ମୁଣ୍ଡ ପିଛା କ୍ଷୀର, ଛେନା, ଘିଅ ପହଞ୍ଚାଇବ । ଫାଙ୍କି ଦେବ! ସେ କଥା ନହୁଏ । ମକଦ୍ଦମ ଦେୱାନଙ୍କ ପାଖେ ଚୁଗୁଲି କରି ଚାଷୀଠାରୁ ଜମି ଛଡାଇନେବ । ଡର! ମକଦ୍ଦମ ଦେୱାନ ତାଙ୍କ ପାଉଣା ରଖି ଜମିଦାରଙ୍କ ପାଖେ ଦାଖଲ କରିବେ । ଜମିଦାର ଏତେ ଜିନିଷ କେଉଠି ଥୋଇବେ? ପ୍ରତି ଦଶହରାକୁ ୮/୧୦ ଟା ହଲରେ ମାଲ ଭର୍ତ୍ତି । ପୂଜାରେ କେତେ ଫୂର୍ତ୍ତି କରିବ କର । ଗଉଡର ଗୁହାଳ ଧୋଇ ଚମଡା ବେପାରୀର ବାହାଘର । ଚିରସ୍ଥାୟୀ ବନ୍ଦୋବସ୍ତରେ ଚାଷୀ ଶୋଷଣର ଆଉ ଅଧିକ କଣ ହୋଇଥାନ୍ତା?
ଚାଷୀ ଉପରେ କମ୍ପାନୀର ଅତ୍ୟାଚାର ସୀମା ରହିଲା ନାହିଁ । ଦୁଇଟି ଲୋମହର୍ଷଣ ଘଟଣାରୁ ଜାଣି ହେବ । କମ୍ପାନୀ ଗୁଣ୍ଡାମାନେ ଅନ୍ନଦାତାମାନଙ୍କ ଉପରେ ନିର୍ଦ୍ଦୟ, ନିଷ୍ଠୁର ବ୍ୟବହାର କରିଛନ୍ତି ତାର ଦୁଇଟି ନମୁନା । ବିଲାତ ସରକାରର ସାମ୍ରାଜ୍ୟବାଦୀ ନୀତି କେତେ ଭୟାନକ ଥିଲା । କମ୍ପାନୀ ଲାଭ ଓ ଲୋଭରେ ଅନ୍ଧ ହୋଇ କପା ଓ ଅଫିମ ଦୁଇଟି ରକ୍ତଶୋଷା ଫସଲ ଚାଷ କରେଇଲେ ।
ରକ୍ତଶୋଷା ଚାଷ–କପା (Blood Crops of India: Cotton)
କପାର ଇତିହାସ, ବଂଶାବଳୀ ଓ କିସମ: ପୃଥିବୀର ଦୁଇଟି ସମ ସାମୟିକ ଜଙ୍ଗଲି କପା କିସମ ଗଷ୍ପୀୟମ ଆରବୋ ଋୟନ (GA ) ଏବଂ ଗଷ୍ପୀୟମ ହେରାବିକମ (GH) ଏହି ଦୁଇଟି ଜଙ୍ଗଲି କପା କିସମ ଖ୍ରୀ.ପୂ ୧୪ଲକ୍ଷରୁ ୪.୫ଲକ୍ଷ ବର୍ଷ ହୋଇଥାଇ ପାରେ । ଏହି ଦୁଇ କିସମ ଜଙ୍ଗଲି କପାର ଜନ୍ମ ସ୍ଥାନ ଆଫ୍ରିକା ବୋଲି ପ୍ରତ୍ନତତ୍ତ୍ୱବିତମାନେ ପ୍ରମାଣ ଦେଇଛନ୍ତି । ପୂର୍ବ ଆଫ୍ରିକା ଓ ଭାରତ ମଧ୍ୟରେ ଆରବିଆ ବାଟେ ବାଣିଜ୍ୟ କାରବାର ହେଉଥିଲା । ବୋଧହୁଏ କପାର ମୂଳ ଜଙ୍ଗଲି କିସମ ଏହି ବାଣିଜ୍ୟ କାରବାର ମାଧ୍ୟମରେ ଭାରତରେ ପହଞ୍ଚିଛି । ଗସିପସ ଆର ବୋରିଅମ କପା ମଞ୍ଜି ମେହେରଗଡ (ବେଲୁଚିସ୍ଥାନ, ପାକିସ୍ତାନ)ରୁ ମିଳିଛି । କାର୍ବନ ଡେଟିଙ୍ଗରେ ଏହା ୭୦୦୦ବର୍ଷ ତଳର ହୋଇଥାଇ ପାରେ ବୋଲି କୁହାଯାଉଛି । ପୂର୍ବକାଳରେ ତମ୍ବାରେ ମାଳୀ ଗୁନ୍ଥା ହୋଇ ବ୍ୟବହାର ହେଉଥିବା ସିନ୍ଧୁସଭ୍ୟତାର ଧ୍ୱଂସାବଶେଷରୁ ପ୍ରମାଣ ମିଳିଛି । ଏହି ମାଳିର ସମୟ କାଳ ୮୦୦୦ବର୍ଷ ପୂର୍ବରୁ କୁହାଯାଇଛି । ସିନ୍ଧୁ ପ୍ରଦେଶ ଓ ପାକିସ୍ଥାନରେ ତନ୍ତୁରୁ ଲୁଗା ବୁଣା ହେଉଥିବା କପା ଠାବ କରାଯାଇଛି । ଖ୍ରୀ ପୂ ୫୨୫୦ରୁ ୪୭୫୦ ମଧ୍ୟରେ ପ୍ରସ୍ତୁତ କପା ଚାଦର ରୂପା ତିଆରି ଜାରରେ ଘୋଡା ହୋଇଥିବା ୧୯୨୯ ଖ୍ରୀ ଅ ରେ ମହେଞ୍ଜୋଦାର(ସିନ୍ଧୁ, ପାକିସ୍ତାନ)ରୁ ମିଳିଛି । ସେହିପରି ହରପ୍ପା(ପଞ୍ଜାବ, ପାକିସ୍ତାନ)ରୁ ଖ୍ରୀ ପୂ ୫୩୦୦ ରେ ପ୍ରସ୍ତୁତ କପାଲୁଗାର ଧଂସାବଶେଷ ମଧ୍ୟ ମିଳିଛି । ଏହି ସବୁ ପ୍ରମାଣରୁ ପ୍ରତ୍ନତତ୍ତ୍ୱବିତମାନେ କୁହନ୍ତି ସିନ୍ଧୁ ସଭ୍ୟତା ଖ୍ରୀ ପୂ ୩୦୦୦ ବେଳକୁ କପା ଚାଷ କଲାଣି । ଖ୍ରୀ ପୂ ୧୫୦୦ ବେଳକୁ ହିନ୍ଦୁ ଧର୍ମଗ୍ରନ୍ଥ ବେଦ ଶ୍ଳୋକରେ ‘କାର୍ପାସ’ର ଉଲ୍ଲେଖ ଅଛି ।
ଗ୍ରୀକ ଐତିହାସିକ ହେରାଡଟସ କହିଛନ୍ତି , “Indian cotton in the 5th century BCE as a wool exceeding in beauty and goodness that of sheep” ଏଥିରୁ ଜଣାପଡେ ସେ ପର୍ଯ୍ୟନ୍ତ ଗ୍ରୀସରେ କପାଚାଷ ପ୍ରବେଶ ହୋଇନାହିଁ । ଗ୍ରୀକ ବୀର ଆଲେକଜାଣ୍ଡର ଖ୍ରୀ ପୂ ୩୨୭-୩୨୫ରେ ଭାରତ ଆକ୍ରମଣ କରିଥିଲେ । ତାଙ୍କର ସୈନ୍ୟମାନେ ପଶମ ବସ୍ତ୍ର ପିନ୍ଧୁଥିଲେ । ଭାରତରେ ପହଞ୍ଚି ସେମାନେ କପା ତୁଳାରେ ତିଆରି ପୋଷାକ ପିନ୍ଧିଲେ । ତୁଳା ପୋଷାକ ପଶମ ପୋଷକଠାରୁ ମୁଲାମ ଲାଗିଲା । ଅନ୍ୟ ଜଣେ ଗ୍ରୀକ ଐତିହାସିକ ଷ୍ଟ୍ରାବୋ ଭାରତୀୟ କାର୍ପାସ ବସ୍ତ୍ର ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଛନ୍ତି । ଭାରତ ଓ ଆରବ ମଧ୍ୟରେ କାର୍ପାସ ବସ୍ତ୍ର ବ୍ୟବସାୟ ୧୩୦ ଖ୍ରୀ ଅ ବେଳକୁ ଜମିଯାଇଥିଲା ।
ଐତିହାସିକ ଇରଫାନ ହବିବ people’s history of India –pre historyରେ ଲେଖିଛନ୍ତି ,”Area of low rain fall could only have been secured by small dams thrown over drainage streams to retain water. such control over water probably enabled the people to domesticate cotton plants. A large number of charred cotton seed found in Mehergarh .constitute the earliest known occurrence (before 4000 BC) of this source of Textiles, and so marks a major event in the agricultural history of the world agricultural
ଇରଫାନ ହବିବ A people’s history of India – The Indus Civilisation ରେ ସୂଚାଇଛନ୍ତି; “Traces of fiber and the woven cloth were found at Mahenjodaro and these point to the species of India Tree Cotton (Gossy pium arboretum). The variety of cotton pods was annually harvested in the kharif season”.
ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣର ବିସ୍ତୃତ ବିବରଣୀ ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ “Indica”ରେ ଉଲ୍ଲେଖ କରିଛନ୍ତି । ସ୍ଥାବ୍ରୋ ଢଠ.୧.୨୦ XV.1.20 Arrian, indica XVIରୁ ସୂଚନା ମିଳେଯେ ଭାରତୀୟମାନେ କପାରୁ ଲୁଗା ତିଆରି କରି ପିନ୍ଧୁଥିଲେ । କପା ଗଛରୁ ଖୋସା ସଂଗ୍ରହ କରି ବୁଣାକାରମାନେ ଲୁଗା ବୁଣୁଥିଲେ । ସେତେବେଳ ସୁଦ୍ଧା ଅର୍ଥାତ ଖ୍ରୀ ପୂ ୩୨୭-୩୨୫ ପର୍ଯ୍ୟନ୍ତ କାପାର ଋତୁକାଳୀନ ଚାଷ ହୋଇନାହିଁ । ଉପରୋକ୍ତ ସମସ୍ତ ତଥ୍ୟରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ବ୍ୟବହାରିକ କପାର ପ୍ରଥମ ଚାଷ ଭାରତରେ ହୋଇଛି । ଖ୍ରୀ ପୂ ୫୦୦୦ ବର୍ଷ ଠାରୁ ଭାରତରେ କପା ଉତ୍ପାଦନ ଓ ଲୁଗା ବୁଣା ହୋଇଛି । ଭାରତ ପଛେପଛେ ଚୀନରେ କପା ଚାଷ ଓ ଲୁଗାବୁଣା ହୁଏ । ଆମେରିକା ବା ଅନ୍ୟ ପଶ୍ଚିମ ଦେଶମାନଙ୍କରେ ଭାରତର ବହୁ ପଛରେ କପା ଚାଷ ଆରମ୍ଭ ହୋଇଛି ।
କପାର ଜନ୍ମ ବୃତ୍ତାନ୍ତ, ବଂଶାବଳୀର ଦୀର୍ଘ ଉପସ୍ଥାପନା ପାଠକମାନଙ୍କୁ ବିରକ୍ତିକରମନେ ହୋଇପାରେ । କପାର ଜନ୍ମ ସ୍ଥାନ ଭାରତ ଓ ଭାରତରେ ହିଁ ପ୍ରଥମେ କପାରୁ ଲୁଗା ବୁଣି ଲୋକେ ପିନ୍ଧୁଥିଲେ, ଏହା ଜଣାଇବାକୁ ମୁଁ ଚେଷ୍ଟା କରିଛି । ଇଷ୍ଟ୍ଇଣ୍ଡିଆ କମ୍ପାନୀ ଭାରତରେ ଶାସନ କରିବା ସମୟରେ ଭାରତୀୟ ବୁଣାକାରମାନେ ବିଭିନ୍ନ କିସମର ଧୋତି ଶାଢ଼ୀ ବୁଣି ବିଦେଶକୁ ରପ୍ତାନି କରୁଥିବା ମଧ୍ୟ ଇତିହାସ କୁହେ । କପାଚାଷ ଓ ଖାଦ୍ୟଶସ୍ୟ ଚାଷ ସନ୍ତୁଳିତ ଥିଲା । ବିଲାତ ସରକାର କାହିଁକି ଭାରତୀୟ ଚାଷୀଙ୍କୁ ଖାଦ୍ୟଶସ୍ୟ ପରିବର୍ତ୍ତେ ଅଧିକ ଜମିରେ କପା ଚାଷ କରିବାକୁ ବାଧ୍ୟ କଲେ ଏବଂ ଏହାର ନିଷ୍ଠୁର ପରିଣତି କିପରି ଭାବରେ ଚାଷୀ ଭୋଗିଲା ପ୍ରାଞ୍ଜଳ ଭାବେ ବୁଝିଲେ ଆପଣମାନେ ନିଶ୍ଚୟ ବିଲାତ ସରକାରକୁ ଏହି ଅଭାବନୀୟ ଅପରାଧ ପାଇଁ କ୍ଷମା ମାଗିବାକୁ ବାଧ୍ୟ କରିବେ ।
କପାଚାଷ ପାଇଁ ନିଗିଡ଼ା କୃଷ୍ଣ କାର୍ପାସ ଊର୍ବର ମୂର୍ତ୍ତିକା ବିଶେଷ ଉପଯୋଗୀ । ଭାରତର ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ କପା ଚାଷ ପାଇଁ ବିଶେଷ ଉପଯୋଗୀ । ମୋଗଲ ଶାସନ କାଳରୁ ମହାରାଷ୍ଟ୍ରର ବେରାର (ବର୍ତ୍ତମାନର ଅମରାବତି, ଆକୋଲା, ବୁଲଡୋନା, ୟାଭାଟମାଲ ଜିଲ୍ଲା) ଚାଷୀମାନେ ଲୋକପ୍ରିୟ Ooamra wattleର କପା ଚାଷ କରି ଊନ୍ନତମାନର କପା ଉତ୍ପାଦନ କରୁଥିଲେ । ୧୬ଶ ଶତାବ୍ଦୀରେ ଆଉରଙ୍ଗଜେବଙ୍କ ଦାକ୍ଷିଣତ୍ୟ ଆକ୍ରମଣ ପାଇଁ କପାରୁ ସଂଗୃହୀତ ଟିକସ ପାଣ୍ଠି ଯୋଗାଉଥିଲେ । ପରବର୍ତ୍ତୀ ସମୟରେ ବେରାର ମାଲିକାନା ପାଇଁ ହାଇଦ୍ରାବାଦର ନିଜାମ, ଇଷ୍ଟଇଣ୍ଡିଆ କମ୍ପାନୀ ଏବଂ ମରହଟ୍ଟାମାନଙ୍କ ମଧ୍ୟରେ ତୀବ୍ର ବିବାଦ ମୁଣ୍ଡ ଟେକିଲା । ୧୮୧୮ରେ ମରହଟ୍ଟାମାନଙ୍କୁ ପରାସ୍ତ କରି ନିଜାମ ବେରାରକୁ ବନ୍ଧକ ରଖିଥିଲେ । ୧୮୫୩ରେ ଇଷ୍ଟଇଣ୍ଡିଆ କମ୍ପାନୀ ବଳପ୍ରୟୋଗ କରି ତାଙ୍କ ଶାସନ ଅଧିନକୁ ବେରାରକୁ ଆଣନ୍ତି । ୧୮୫୩ ବେଳକୁ ଶିଳ୍ପ ବିପ୍ଲବ ଯୋଗୁଁ ବିଲାତରେ ହସ୍ତତନ୍ତରେ ବଦଳରେ ସ୍ପିନିଙ୍ଗ ଜେନିରେ ସୂତାକଟା ଓ ଲୁଗା ବୁଣା ଆରମ୍ଭ ହୁଏ । ମାଞ୍ଚେଷ୍ଟର ଇଂଲଣ୍ଡର ଲୁଗାକଳର ପେଣ୍ଠସ୍ଥଳ । ଲୁଗାକଳ ପାଇଁ କପା ଆମେରିକାରୁ, ଆଉ ଭାରତରୁ ଆସୁଥାଏ । ଭାରତରେ ସେତେବେଳକୁ ହସ୍ତତନ୍ତରେ ବୁଣାକାରମାନେ ଅତି ଉଚ୍ଚକୋଟିର ଶାଢ଼ୀ, ଧୋତି ତିଆରି କରି ବିଦେଶକୁ ପଠାଇଥାନ୍ତି । ଦେଶର ଆଭ୍ୟନ୍ତରୀଣ ଆବଶ୍ୟକତା ପୂରଣ କରି ବଳକା କପା ଇଷ୍ଟଇଣ୍ଡିଆ କମ୍ପାନୀ ବିଲାତ ପଠାଉଥାଏ । ୧୮୬୧-୧୮୬୫ ଆମେରିକାରେ ଗୃହ ଯୁଦ୍ଧ । ଆମେରିକାରୁ ମାଞ୍ଚେଷ୍ଟରକୁ କପା ଆମଦାନୀ କମି ଯାଉଛି । ମାଞ୍ଚେଷ୍ଟର ଲୁଗାକଳ ଚାଲିବ କେମିତି? ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ କପାଚାଷ ପରିମାଣ ବଢ଼େଇବାକୁ ଯୋଜନା କରେ । ଆମେରିକାରେ ଗୃହଯୁଦ୍ଧ ତ ୧୮୬୧ରେ ଆରମ୍ଭ ହୁଏ । ଶୁଭସ୍ୟ ଶୀଘ୍ର । କମ୍ପାନୀ ସେହିବର୍ଷ ମହାରାଷ୍ଟ୍ରର ସହରଗୁଡିକ ରେଳଲାଇନ ଓ ପକ୍କାରାସ୍ତା ସହିତ ସଂଯୋଗ କରିବା ଆରମ୍ଭ କରିଦେଲା । ମାଞ୍ଚେଷ୍ଟର ଲୁଗାକଳକୁ ଭାରତରୁ ଅଧିକା କପା ରପ୍ତାନି ହେବ ।
୧୮୬୬ ମାଞ୍ଚେଷ୍ଟର ଚାମ୍ବର ଅଫ କମର୍ସ କଟନ କମିଶନ (Cotton Commission) ନିଯୁକ୍ତ ହୁଏ । ବେରାରରେ ଆମଦାନୀ ସମସ୍ତ କପା ମାଞ୍ଚେଷ୍ଟରକୁ ପଠାଇବା କଟନ କମିଶନଙ୍କ ଦାୟିତ୍ୱ ରହିଲା । ୧୮୭୦ ବେଳକୁ great India Peninsular Railway (Now central Railway)୧୫୦ ମାଇଲ ରେଳ ରାସ୍ତା ତିଆରି ହୋଇଗଲା । ବମ୍ବେରୁ ନାଗପୁର ଏବଂ ନାଗପୁର ଶାଖା ରେଳରାସ୍ତାରେ ୧୪ଟି ଷ୍ଟେସନ ପକ୍କା ରାସ୍ତା ସହିତ ସଂଯୋଗ କରାଗଲା । କପା ବଜାରକୁ ରେଳଷ୍ଟେସନ ସଂଯୋଗ କରାଗଲା । ୧୮୬୧ରେ ବେରାରରେ ୬୨୯୦୦୦ ଏକର ଜମିରୁ କପା ଅମଳ ହୋଇଥିଲା । ୧୮୮୦ ବେଳକୁ ଏହାର ଆୟତନ ୪ଗୁଣ ବଢ଼ିଗଲା । ବିଂଶ ଶତାବ୍ଦୀ ଆରମ୍ଭବେଳକୁ କେବଳ ବେରାର ଭାରତର କପା ଉତ୍ପାଦନର ୨୫ପ୍ରତିଶତ କଲାଣି । ଏପରିକି ଏହା ଇଜିପ୍ଟର ସମସ୍ତ କପା ଉତ୍ପାଦନଠାରୁ ଅଧିକ । “Berar had become a perfect garden of cotton” । କମ୍ପାନୀର ପୁଷ ମାସ ବେରାପୁର ସର୍ବନାଶ ।
୧୮୭୭ ଏବଂ ପୁଣି ୧୮୯୦ରେ ବେରାରରେ ଲକ୍ଷ ଲକ୍ଷ ଭୋକିଲା ପ୍ରାଣ ହରାଇଲେ । କାରଣ ସେତେବେଳକୁ ଆମେରିକାରେ ଗୃହଯୁଦ୍ଧ ଶେଷ ହୋଇଯାଇଛି । ଆମେରିକା ମାଞ୍ଚେଷ୍ଟରକୁ କପା ଗାଞ୍ଜି ଦେଉଛି । ବେରାର କପାର ଚାହିଦା କମିଗଲା । କପାଚାଷୀ ଅଭାବୀ ବିକ୍ରିର ଶିକାର ହେଲେ । କପା ପଇସାରେ ଖାଦ୍ୟ କିଣିବା ଯଥେଷ୍ଟ ହେଲାନାହିଁ । ବିଲାତର ମେଡିକାଲ ଜର୍ଣ୍ଣାଲ ଲ୍ୟାସେଣ୍ଟ ଆକଳନରେ ୧୮୯୦ ଦୁର୍ଭିକ୍ଷଜନିତ ମୃତ୍ୟୁ ସଂଖ୍ୟା ୧.୯କୋଟି ହୋଇଛି । ବେରାରରେ ସବୁଠାରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । Nelson, Amrobati District Gazetteers 1896 ଲେଖେ “Had Berar been on isolated tract, dependent on its own resources, it is possible there would have been no famine” । ହନୁ ମଲାବେଳକୁ ସତ କହୁଛି । ସଭ୍ୟ ବୋଲାଉଥିବା ବିଲାତ ସରକାରର ହିଂସ୍ର, ଅସଭ୍ୟ ରକ୍ତ ଶୋଷା ଚରିତ୍ରର ଜ୍ୱଳନ୍ତ ନିଦର୍ଶନ । (Ref-Blood crops of India -1:Cotton)
ରକ୍ତଶୋଷା ଚାଷ–ଅଫିମ (Blood crop of the empire: OPIUM)
ଅଫିମ ଏକ ଅବକାରୀ ମାଲ । ଗାଁ ଗଣ୍ଡାରେ ଏହାକୁ ଆପୁ ବି କୁହନ୍ତି । ୭୦/୮୦ବର୍ଷ ତଳର କଥା । ନିଆଳି (କଟକ ଜିଲ୍ଲା)ରେ ବାଞ୍ଛାନିଧି ସାହୁ ଓରଫ ବାଞ୍ଛା ମହାଜନ ଗଞ୍ଜେଇ ଅଫିମ ଦୋକାନ । ସନ୍ଧ୍ୟାବେଳେ ଖୁବ ଭିଡ଼ । ଗଞ୍ଜେଇଆ, ଅଫିମିୟା ଗଦା । ଗଞ୍ଜେଇ କଲି ଭାରି ନିଶା କୁହନ୍ତି । ଖଟିରେ ଚିଲମ ଲଗାଇ ସେହି ଦୋକାନ ଆଗରେ ଟାଣୁଥିବେ । ଜଣେ ଟାଣି ବନ୍ଧୁଙ୍କୁ ଚିଲମ ଧରେଇ ଦଉଥିବେ । ଧୂଆଁ ଦମ୍ ଦମ୍ କରି ଛାଡୁଥିବେ । ଗଞ୍ଜେଇର ଶୁଖିଲା ପତ୍ର । ତାର ନାମ ପତି । ବଟାହେଲେ ଭାଙ୍ଗ ନାଁ ନେଲା । ଟେଳା ଟେଳା କରି ପକେଇବେ । ମହାଦେବ ମନ୍ଦିରରେ ଭାଙ୍ଗ ହେବ । ପଣା । କ୍ଷୀର, ଛେନା, କଦଳୀ, ଭାଙ୍ଗ ବଟା ଏକାଠି ଗୋଳା ହେଲା । ଗିଲାସ ଥାଉ ନଥାଉ । ନଡ଼ିଆ ସଢ଼େଇରେ ପିଇଯାଉଥିବେ । ଓଜ ଅନୁସାରେ ୩/୪ ଏପରିକି ପକ୍କା ଭାଙ୍ଗୁଆମାନେ ୧୦/୧୨ସଢ଼େଇ ଚଢ଼େଇ ଦେବେ । ଢୁଳେଇବେ । ନାଇଁ ତ ଖଟ୍ୱାଙ୍ଗ ପୁରାଣ ପଢ଼ି ଗଡ଼ିଯାଉଥିବେ । ସେତେବେଳେ ମନ ଉଡୁଥିବ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଗୋଲ । ମୁଁ ଭାଙ୍ଗୁଆ ଗଞ୍ଜେଇଆଙ୍କଠାରୁ ଶୁଣିଛି ।
ଅଫିମ କାଳିଆ ଘୋଡ଼ା । ଅଫିମିଆମାନେ ତାକୁ କାଳିଆ କୃଷ୍ଣ ବି କୁହନ୍ତି । ସେ ମହାଶୟଙ୍କୁ ମୁଁ ଅତି ନିକଟରୁ ଦେଖିଛି । ମୋର ବନ୍ଧୁ ଅଭିର ବାପା ନିହାଲ ସିଂହ । ବାଞ୍ଛାନିଧି ସାହୁଙ୍କୁ ଗଞ୍ଜେଇ, ଅଫିମ କଟକରୁ ଆଣି ଯୋଗାନ୍ତି । ଅଫିମ ବି ଜୋର୍ଦାର ଅବକାରୀ । ଧରପଗଡ଼ ଅଛି । ଏକସାଇଜ ଇନ୍ସପେକ୍ଟର ମାସକେ ଥରେ ଦିଥର ଆସି କାରବାରର ହିସାବ ଦେଖନ୍ତି । ମହାଜନେ ଖୁବ୍ ଦେଖାଶୁଣା କରନ୍ତି । ଗୋଟେ ଭିଜିଟରେ ୨୦୦/୩୦୦ ଟଙ୍କା ଗୁଆଘିଅ ସେରେ ଦିସେରେ, ପଦ୍ମକେଶରୀ ଅରୁଆ ଚାଉଳ ୫/୭ ସେରେ ବାନ୍ଧିଦିଅନ୍ତି । ତଥାପି ହାକିମ ନାଲିଆଖି ଦେଖାଇଥାନ୍ତି । ଅନ୍ଧାରି ବେପାର ତ ଖୁବ ନାଳି । ମହାଜନେ ହାତଯୋଡ଼ି ଆଜ୍ଞାବହ ଦାସ ମୁଦ୍ରାରେ ହାକିମକୁ ବିଦା କରି ଦୀର୍ଘନିଶ୍ୱାସ ମାରନ୍ତି । ଅଫିମ କିଟି କିଟି କଳା ଇଟାଭଳି ଖଣ୍ଡ । ଏମାନେ ଅଭି ଘର ଖଟରେ ଯୋଡ଼ା ଅନ୍ଧାରି ବାକ୍ସରେ ଲୁଚିଥାନ୍ତି । କାଳେ ଧରପଗଡ଼ ହେବ । ଅଫିମର ଗୋଟେ ମଧୁରିଆ ବାସ ଅଛି । ବାସୀ ଫଟେଇବ । ଅଫିମ ବାସକୁ କାଟିବା ପାଇଁ ଖଟଘରେ ସବୁବେଳେ କର୍ପୁର ଧୂଆଁ, ଝୁଣା ଧୂଆଁ ଅତର ଛିଞ୍ଚା ହେଉଥିବ । ହାକିମ କେବେ ସରଜମିନିକୁ ଆସିବା ମୁଁ ଦେଖିନି । ବାଘକୁ ଫାଗର ଭୟ । ନିହାଲ ଅଜାଙ୍କ ମୁରାଟକୁ ମାନିବାକୁ ହେବ । ତଥାପି ଛାତି ଧକ ଧକ ପଡୁଥିବ । ଯଦି ଧରାପଡିଗଲେ ହାତକଡ଼ି । ଅଫିମ ଆଇନ ଭାରି କଡ଼ା ।
ଅଫିମର ଜନ୍ମସ୍ଥାନ ଭୂମଧ୍ୟସାଗର । ଗ୍ରୀସରେ ଅଫିମ କେତେ ବାଗରେ ବ୍ୟବହାର ହୋଇଥାଏ । ଅଫିମିଆ ଓଜ ଅନୁସାରେ ଅଫିମ ଗୁଳା ପାଟିରେ ପକାଇଦିଅନ୍ତି । ଅଫିମକୁ ଗରମ କରି ଧୂଆଁକୁ କେତେକ ଶୋଷନ୍ତି । ମୁଁ ଦେଖିଛି ନିହାଲ ଅଜା ଗୁଡ଼ ଗୁଡ଼ ସୁଟ କରିବା । କବିରାଜମାନେ ଓଷଧ ତିଆରିପାଇଁ ଅଫିମ ବ୍ୟବହାର କରନ୍ତି । ବିନ୍ଧା ଛିଟିକା କମାଇବା, ନିଦ କରାଇବା ପାଇଁ ଅଫିମ କାମ ଦିଏ । ଆମେରିକା ଗୃହଯୁଦ୍ଧ ବେଳେ ସାମୟିକ ଫୂର୍ତ୍ତି ପାଇଁ ସୈନ୍ୟମାନଙ୍କୁ ଅଫିମ ଦିଆ ହେଉଥିଲା । ମରଫିନ ସେତେବେଳକୁ (୧୮୬୧-୧୮୬୫) ଆବିର୍ଭାବ ହୋଇନାହାନ୍ତି । କାଳକ୍ରମେ ଅଫିମରୁ ମର୍ଫିନ ତିଆରି ହୁଏ । ମର୍ଫିନରୁ ହିରୋଇନ ଓ ହିରୋଇନରୁ ଚରସ । ଧୀରେ ଧୀରେ ଓଜ କମିଯାଉଛି । ନିଶା ବଢ଼ିଯାଉଛି । ମେସୋପୋଟାମିଆରେ ଖ୍ରୀ.ପୂ ୩୪୦୦ବେଳକୁ ପ୍ରଥମେ ଅଫିମ ଚାଷ ହେଉଥିବା ପ୍ରତ୍ନତତ୍ତ୍ୱବିତମାନେ କୁହନ୍ତି । ସୁମେରୁଆନମାନେ ଅଫିମ ଗଛ (poppy)କୁ (the joy plant) ବୋଲି କହୁଥିଲେ । ସୋରିଷ ଭଳି ଅଫିମ ଟିକେ ପକେଇଦେଲେ ମନ ଉଡୁଥିବ । ପୃଥିବୀ ଘୂରୁଥିବ । ଆନନ୍ଦ ନୁହେଁ ଆଉ କଣ ? ୨୦୦/୩୦୦ବର୍ଷ ତଳେ ମଦ (ବିଦେଶୀ ବୋତଲ) ତ ସେତେଟା ହାତ ବଜାରକୁ ଆସିନି । ଗଞ୍ଜେଇ, ଅଫିମ ଉପରେ ମାଡ଼ ।
ଅଫିମ ଗଛ (poppy) ର ମଞ୍ଜିରୁ ଅଫିମ ତିଆରି ହୁଏ । ଦକ୍ଷିଣ ପୂର୍ବ ଏସିଆର ଭାରତ ଆଫଗାନିସ୍ଥାନର ଚାଷୀ ଓ ବେପାରୀ ଏପରିକି ପର୍ତ୍ତୁଗୀଜମାନେ ଅଫିମ ଚାଷ ଓ ବେପାର ମୋଗଲଶାସନ ପର୍ଯ୍ୟନ୍ତ ଚଲାଉଥିଲେ । ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଚେର ମାଡ଼ିଗଲାଣି । ବେପାର ପାଇଁ ଆସିଛନ୍ତି । ଇଷ୍ଟଇଣ୍ଡିଆ କମ୍ପାନୀ ଅଫିମ ଚାଷ ଉପରେ ଗୁରୁତ୍ୱ ଦିଏ । ବିହାର ଏବଂ ଉତ୍ତରପ୍ରଦେଶରେ ୧୩ଲକ୍ଷ ଚାଷୀ ପରିବାର ପ୍ରାୟ ୧କୋଟି ଲୋକଙ୍କର ଭାଗ୍ୟ ନିୟନ୍ତ୍ରଣ କଲା ଅଫିମ (ଅଫିମ ଚାଷ) । ସେମାନଙ୍କର ଚାଷଜମିର ୨୫ରୁ ୫୦ ପ୍ରତିଶତ (ପ୍ରାୟ ୨.୪୬ ଲକ୍ଷ ଏକର) ଜମିରେ କେବଳ ଅଫିମ ଚାଷ ଚାଲିଲା । ଇଷ୍ଟଇଣ୍ଡିଆ କମ୍ପାନୀ ବରାଦରେ । ବେପାର ଚାଲିବ କେମିତି? ଇଷ୍ଟଇଣ୍ଡିଆ କମ୍ପାନୀ ଗୋଟିଏ ଅଫିମ ଏଜେନ୍ସି ଗଠନ କରେ । ଅଫିମ ଏଜେନ୍ସିରେ ୨୫୦୦ଗୁମାସ୍ତା (Clerks) । ୧୦୦ଟି ଶାଖା ଅଫିସ । ଭାରତୀୟ ଉପମହାଦେଶରେ ଇଷ୍ଟଇଣ୍ଡିଆ କମ୍ପାନୀର ବୃହତ୍ତମ ବ୍ୟବସାୟ ସଂସ୍ଥା-ଅଫିମ ଏଜେନ୍ସି । ବର୍ଷକୁ ହଜାର ହଜାର ଟନ ଅଫିମ ଉତ୍ପାଦନ ଓ ବେପାର ।
ଅଫିମ ଚାଷ ଓ ବେପାର ନିୟନ୍ତ୍ରଣ ପାଇଁ କମ୍ପାନୀ ଏଜେନ୍ସିକୁ ତାଗିଦ କରେ । ଏଜେନ୍ସି ଅଫିମ ଚାଷୀମାନଙ୍କୁ ବସାଇ ଉଠାଇ ଦେଉନି । ଚୁକ୍ତି ମୁତାବକ ଭଲ ଅଫିମ ଉତ୍ପାଦନ କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ ଭୟଭୀତ କରି ଅଧିକରୁ ଅଧିକ ଜମିରେ ଅଫିମ ଚାଷ କରାଏ । କାର୍ଯ୍ୟ ପରିଚାଳନା କରିବା ପାଇଁ ଭାରତୀୟମାନଙ୍କୁ ଠିକାଦାର ଏଜେଣ୍ଟ ଭାବେ ନିଯୁକ୍ତ ଦିଏ । ଏଜେଣ୍ଟମାନେ ଯେତେ ସେର ଅଫିମ ବେପାରକୁ ଯୋଗାଇବେ, ସେଇ ଅନୁସାରେ କମିଶନ ପାଇବେ । ଗଙ୍ଗା ନଦୀକୂଳ ପାଟନା ଓ ଗାଜିପୁରରେ ଦୁଇଟି ଅଫିମ ଶୋଧନ କାରଖାନା ବସିଲା । ଅଫିମ ଫଳର ଦୁଧିଆଳୀ ରସ(Latex)କୁ ଶୁଖାଇ ଇଟାଭଳି ମୁଣ୍ଡାମାନ ତିଆରି ହୁଏ । କାଠ ବାକ୍ସରେ ଅଫିମ ଭର୍ତ୍ତିକରି କମ୍ପାନୀ ଜାହାଜରେ ଚୀନକୁ ପଠାଏ । ଅଫିମ ବେପାର କରି ଇଷ୍ଟଇଣ୍ଡିଆ କମ୍ପାନୀ ଚୀନରେ ୨ଟି ଯୁଦ୍ଧ ଭିଆଇଥିଲା । ଏହି ଯୁଦ୍ଧକୁ ଅଫିମ ଯୁଦ୍ଧ (oppium War) କୁହାଗଲା । ଏହି ଯୁଦ୍ଧ ମାଧ୍ୟମରେ କମ୍ପାନୀ ହଂକଂ ଦଖଲକଲା । ଚୀନବାସୀଙ୍କୁ ଅଫିମିଆ କରିଦେଲା । ଚୀନରୁ ବିଲାତକୁ ଚା ପଠାଇବା ସହଜ ହୋଇଗଲା । ଭାରତରୁ ନିଶାପାଇଁ ଅଫିମ ବଦଳରେ ଚୀନରୁ ତାଙ୍କ ବାସନ (Porcelean pottery) ଏବଂ ରେଶମ(Silk)ବିଲାତକୁ ଚାଲାଣ କଲା । ପର୍ସିଆନ ବେପାରୀମାନେ ଖୁବ ଧନୀ । ଚୀନ ସହିତ ଅଫିମ ବେପାରରୁ ପାର୍ସିଆନ ମର୍ଚ୍ଚାଣ୍ଟମାନେ ଖୁବ ପଇସା କମାଇଲେ । ସେତେବେଳକୁ ବମ୍ବେର ବନ୍ଦର କାର୍ଯ୍ୟକ୍ଷମ ହେଲାଣି । ପାର୍ସିମାନେ ବମ୍ବେରେ ଲୁଗାକଳ ବସାଇଲେ । କଳ କାରଖାନା କରି ଖୁବ ପଇସା କମାଇଲେ ।
୧୮୩୦ରେ ୪୦୦୦ ସିନ୍ଧୁକ ଅଫିମ ବେପାରରୁ ଆରମ୍ଭ କରି ୧୮୮୦ ବେଳକୁ ୬୦୦୦୦ ସିନ୍ଧୁକ ଛୁଇଁଥିଲା ଭାରତରୁ ଇଂରେଜ ସରକାରଙ୍କ ତହବିଲକୁ ଅଫିମ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ଯୋଗାଉଥିଲା । ବିଲାତ ସରକାର ଏବଂ ବିଦେଶୀ, ଦେଶୀ ଓ ବେପାରୀମାନେ ଅଫିମ ବେପାରରେ ମାଲାମାଲ ହେଉଥିବାବେଳେ ଚାଷୀମାନଙ୍କ ପାଇଁ ଅଫିମ ଚାଷ ସମ୍ପୂର୍ଣ୍ଣ କ୍ଷତିକାରକ ଥିଲା । ଅଫିମ ଏଜେନ୍ସି ଚାଷୀମାନଙ୍କୁ ପ୍ରତିବର୍ଷ ଉତ୍ପାଦନ ସୀମା ବଢ଼ାଇବାକୁ ବାଧ୍ୟ କଲା । ଚାଷଜମିରୁ ସର୍ବାଧିକ ଜମି ଅଫିମ ଚାଷ କରିବାକୁ ବାଧ୍ୟ କରାଗଲା । ଲେଖି ପଢ଼ି ଜାଣି ନଥିବା ଚାଷୀମାନଙ୍କଠାରୁ କଠିନ ଚୁକ୍ତିପତ୍ରରେ ଦସ୍ତଖତ କରାଇ ଅଫିମ ଚାଷପାଇଁ କିଛି କିଛି ଆଡଭାନ୍ସ ଦେଲା । ଅଫିମ ବ୍ୟବସାୟ ଦାୟିତ୍ୱରେ ଥିବା ଜମିଦାରମାନେ ଚୁକ୍ତିଖିଲାପି ଚାଷୀଙ୍କୁ ଭୟଭୀତ କଲେ । ଜେଲ ଜୋରିମନା ଭୟ ଦେଖାଇଲେ । ଏପରିକି କେତେକଙ୍କୁ ଅପହରଣ କରିନେଲେ । ଚାଷୀମାନେ ଲୁହ ନ କାନ୍ଦି ରକ୍ତ କାନ୍ଦିଲେ । କମ୍ପାନୀର ଚାଷୀ ପ୍ରତି ଏପରି ଅମାନୁଷିକ ବ୍ୟବହାର ଇତିହାସରେ ବିରଳ । ୧୯୧୪ରେ ପ୍ରଥମ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଚୁକ୍ତି (International Opium Convert ion 1914) ଚୀନକୁ ଅଫିମ ରପ୍ତାନୀଉପରେ ଅଙ୍କୁଶ ଲଗାଇ ଦେଲେ । ତଥାପି ଆଜିବି ଭାରତ ବିଦେଶ ଔଷଧ ବଜାରରେ ଆଇନାନୁମୋଦିତ ଅଫିମ ଯୋଗାଣକାରୀ ଦେଶ । ବିଲାତରେ ଅଫିମ ରୟାଲ କମିଶନ ଦସ୍ତାବିଜରୁ କମ୍ପାନୀର ଅଫିମ ଚାଷୀ ଉପରେ ଜୁଲୁମ ପଢ଼ିଲେ ଜଣେ ଭାରତୀୟର ଛାତି ଥରିଯିବ । ରାଗରେ ମାରିବି ବା ମରିବି ଭାବ ମୁଣ୍ଡକୁ ଚହଟିଯିବ । ଦସ୍ତାବିଜରେ ଚାଷୀମାନଙ୍କ ପାଇଁ ଲେଖାଅଛି ,”You should sow poppy seed, but no other crop, in the best land and weed and irrigate the fields at the proper time. That in case you sow a less quantity of land than you have been engaged for, You will be liable to a penalty of three times the advance on the land found to be short under section 10, Act xiii of 1857 “ Royal commission of Opium Vol-2, 1895) କି ଆସ୍ପର୍ଦ୍ଧା, କି ଔଦ୍ଧତ୍ୟ ! କେତେ ଉଗ୍ର ଏହି ଇଷ୍ଟଇଣ୍ଡିଆ କମ୍ପାନୀ ଓରଫ ଇଂରେଜ ସରକାର । ଅସଭ୍ୟ ବର୍ବର ‘ସଭ୍ୟ’ ଖୋଳ ପିନ୍ଧି ଗୋଟେ ଦେଶକୁ ଲୁଟିନେଲେ । ଚାଷୀଙ୍କୁ ଦାଣ୍ଡର ଭିକାରି କରିଦେଲେ । ୧୦/୧୨ ହଜାର କିଲୋମିଟର ଦୂରରୁ ଆସି ୨୦୦ବର୍ଷ ଗୋଟେ ଦେଶରେ ଶାସନ କଲେ । ବିଲାତ ସରକାରଙ୍କୁ ନିନ୍ଦା ଓ ଭର୍ତ୍ସନା କରିବାକୁ ଶବ୍ଦର ନିଅଣ୍ଟ ହୋଇପାରେ । ମାତ୍ର ଲଜ୍ଜାଲାଗେ ସ୍ୱର୍ଣ୍ଣପ୍ରସୁ ବୀରପ୍ରସବା ଭାରତ, ଧର୍ମ ସଂସ୍କୃତି ଓ ସଭ୍ୟତା ପାଇଁ ଗର୍ବ କରୁଥିବା ଦେଶ ବିଲାତର ନାଲିଆଖି ଦେଖି ନୀରବ ହୋଇଗଲା ! ରଖୁଛି । ଆଗକୁ ଅପେକ୍ଷା କରିବା ।
Comments
0 comments