ଜବାହାରଲାଲ ନେହରୁଙ୍କ ପ୍ରଥମ ଟେଲିଭିଜନ ସାକ୍ଷାତକାର

ଜୁନ ମାସ ୧୯୫୩ । ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ । ୨ଜୁନ ୧୯୫୩ରେ ଏଲିଜାବେଥ ଦ୍ୱିତୀୟଙ୍କ ରାଜ୍ୟାଭିଷେକ(coronation)ରେ ଯୋଗ ଦେଇଥିଲେ ନେହରୁ । ୩ ଜୁନରୁ ୯ ଜୁନ ଯାଏ ରାଷ୍ଟ୍ରମଣ୍ଡଳ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ, ପଣ୍ଡିତ ନେହରୁ । ଏହି ସମୟରେ ଇଂଲଣ୍ଡର ପ୍ରତିଷ୍ଠିତ ସମ୍ବାଦ ସରବରାହ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC ) ଚାହିଁଥିଲା ନେହରୁଙ୍କ ସହ ଏକ ଟେଲିଭିଜନ ସାକ୍ଷାତକାର । ଏହି ସାକ୍ଷାତକାର ହୋଇଥିଲା ଲଣ୍ଡନ ସ୍ଥିତ ବିବିସି ସ୍ଟୁଡିଓରେ । ଏହା ଥିଲା ନେହରୁଙ୍କର ପ୍ରଥମ ଟେଲିଭିଜନ ସାକ୍ଷାତକାର ।

ନେହରୁଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇବାକୁ ଯାଇ BBC ସାମ୍ବାଦିକ କହିଥିଲେ , “ଶୁଭ ସନ୍ଧ୍ୟା । ଏହି ସପ୍ତାହରେ ପୂର୍ବ ଅପେକ୍ଷା ଆମର ଅଧିକ ଧ୍ୟାନ ଏସିଆ ଉପରେ । ଏହା ଆମର ସୈାଭାଗ୍ୟ ଯେ ଆଜି ରାତିରେ ଆମ ସ୍ଟୁଡିଓରେ ନିଜେ ଉପସ୍ଥିତ ଅଛନ୍ତି ଏସିଆର ସବୁଠାରୁ ପ୍ରମୁଖ ରାଜନାୟକ(statesman) ଓ ଭାରତର ପ୍ରଧାନମନ୍ତ୍ରୀ । ମିଷ୍ଟର ନେହରୁ, ଆପଣ ଏଠାକୁ ଆସିଥିବାରୁ ମୁଁ ଆପଣଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ । ମୁଁ ମୋ ତରଫରୁ ଓ ଏଠାରେ ଉପସ୍ଥିତ ସମସ୍ତଙ୍କ ତରଫରୁ ତଥା ଆମକୁ ଦେଖୁଥିବା ଦର୍ଶକଙ୍କ ତରଫରୁ ଏହା କହିବାକୁ ଚାହେଁ ଯେ ମୁଁ ବିଶେଷ ଭାବରେ ଆପଣଙ୍କ ପ୍ରତି କୃତଜ୍ଞ କାରଣ ମୋ ଜାଣିବାରେ ଆପଣଙ୍କର ଏହା ଟେଲିଭିଜନରେ ପ୍ରଥମ ଥର ପାଇଁ ଆବିର୍ଭାବ । ”

ଏହାର ଉତ୍ତରରେ ନେହରୁ କହିଥିଲେ, “ହଁ, ଏହା ପ୍ରଥମ ଥର ପାଇଁ ଯେତେବେଳେ ମୁଁ ଏହି ଅଗ୍ନି ପରୀକ୍ଷା(ordeal)ର ସମ୍ମୁଖୀନ ହେଉଛି । ପ୍ରକୃତରେ ମୁଁ ଟେଲିଭିଜନ ବିଷୟରେ ବହୁତ କମ ଜାଣିଛି, କେବଳ ଯାହା ଏ ବିଷୟରେ ଶୁଣିଛି ।”

ବିବିସି ସାମ୍ବାଦିକ: “ଯଦି ଅନୁମତି ଦିଅନ୍ତି ତାହାହେଲେ ମୁଁ ଆପଣଙ୍କୁ ଏପରି ବ୍ୟକ୍ତିମାନଙ୍କ ସହ ପରିଚୟ କରାଇବାକୁ ଚାହେଁ ଯେଉଁମାନେ ଆପଣଙ୍କ ସମୟକୁ ଆଦୈା କଠିନ କରିବେ ନାହିଁ । ମୋ ବାମ ପଟରେ ବସିଛନ୍ତି Kingsley Martin ଯିଏ New Statesman and Nation ର ସମ୍ପାଦକ । ତାଙ୍କ ସେପଟେ ବସିଛନ୍ତି Sunday Times ସମ୍ପାଦକ H B Hudson ଏବଂ ସବା ଶେଷ ଆଡକୁ ବସିଛନ୍ତି The Economist ର ବୈଦେଶିକ ବ୍ୟାପାର ସମ୍ପାଦକ Donald McLaughlin ଯିଏ ଆପଣଙ୍କୁ ପ୍ରଥମ ପ୍ରଶ୍ନ କରିବେ । ”

Untitled Design 4 300x169

Donald McLaughlin: “ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଯେତେବେଳେ ଭାରତକୁ ଫେରିବେ ଲୋକେ ଆପଣଙ୍କୁ ପଚାରିବେ ଯେ ରାଜ୍ୟାଭିଷେକ ସମ୍ପର୍କରେ ଆପଣ କଣ ଭାବନ୍ତି- ଆପଣ ସେମାନଙ୍କୁ କଣ କହିବେ ?”

ନେହରୁ: “ହଁ, ସେମାନଙ୍କୁ ମୋତେ ବହୁତ କଥା କହିବାକୁ ହେବ । କିନ୍ତୁ ମୁଖ୍ୟ ରୂପରେ, ଏହା ଅନେକ ଦୃଷ୍ଟିରୁ ବହୁତ ଆକର୍ଷକ ଥିଲା । ମୋତେ ଯାହା ସବୁଠାରୁ ବେଶୀ ପ୍ରଭାବିତ କରିଥିଲା, ପ୍ରଦର୍ଶିତ ମନୋରଂଜନ ବ୍ୟତୀତ, ତାହା ହେଉଛି ଏଠାରେ ଲାଗି ଥିବା ଲୋକ ଗହଳି ଓ ସେମାନଙ୍କର ବ୍ୟବହାର । ଯାହା ଦେଖି କେହି ହେଲେ ଲଣ୍ଡନର ଲୋକ ଗହଳିକୁ ପସନ୍ଦ କରିବା ଆରମ୍ଭ କରିଦେବ, ବିଶେଷତଃ ଏହା ଦେଖି ଯେ ସେମାନେ ଖରାପ ପାଗରେ ମଧ୍ୟ କେତେ ଉତ୍ସାହର ସହ ଆନନ୍ଦ ଉପଭୋଗ କରୁଛନ୍ତି । ”

Donald McLaughlin: “ତାହା ହେଲେ ରାଜ୍ୟାଭିଷେକକୁ ଆପଣ ଆସିବା ଭାରତରେ ସମାଲୋଚିତ ହେବ ନାହିଁ?”

ନେହରୁ: ଏହା (ସମାଲୋଚନା) ଥିଲା ଯେତେବେଳେ ମୁଁ ଆସିଲି । ନିଃସନ୍ଦେହ ଏହା ହେବ ଯେତେବେଳେ ମୁଁ ଫେରିବି । କିନ୍ତୁ ଏହାର ପରିଣାମ ବିଶେଷ କିଛି ହେବ ନାହିଁ । ”

Kingsley Martin: “ଆମେ ସମସ୍ତେ ଭଲ ଭାବରେ ବୁଝିଛୁ- କାହିଁକି ରାଷ୍ଟ୍ରମଂଡଳ(Commonwealth) ଭିତରେ ଭାରତ ଏକ ଗଣରାଜ୍ୟ ହେବାର ନିଷ୍ପତ୍ତି ନେଇଛି । କିନ୍ତୁ ଯାହା ମୁଁ ଉଲ୍ଲେଖନୀୟ ମନେ କରେ ତାହା ହେଉଛି ଆମ ଅତୀତ ଇତିହାସ ସମ୍ପର୍କରେ ବ୍ରିଟିଶ ଦୃଷ୍ଟିକୋଣ ପ୍ରତି କାହିଁକି ଭାରତରେ ଏତେ କମ ତିକ୍ତତା, ଯାହା ଦର୍ଶାଏ ଭାରତ ଏକ ପ୍ରଶଂସନୀୟ ଉଦାର ଦେଶ । କଣ ଆପଣ ସ୍ପଷ୍ଟ କରିପାରିବେ କାହିଁକି ଏପରି ଉଲ୍ଲେଖ ଯୋଗ୍ୟ, ଅସାଧରଣ କ୍ଷମାଶୀଳତା?”

ନେହରୁ: “ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ, ମୋର ମନେ ହୁଏ , ଆମେ ଦୀର୍ଘ ସମୟ ଯାଏ ଘୃଣା କରିପାରୁନା ବା ସେପରି ତୀବ୍ରତାର ସହ କରିପାରୁନା । କିନ୍ତୁ ମୁଖ୍ୟତଃ ମୁଁ ଭାବୁଛି ଏହାର କାରଣ ହେଉଛି ଗତ ଦଶନ୍ଧି ଦଶନ୍ଧି ଧରି ମିଷ୍ଟର ଗାନ୍ଧୀ ଆମକୁ ଦେଇଥିବା ପୃଷ୍ଠଭୂମି ।”

Kingsley Martin: “ଆପଣ ମଧ୍ୟ ନିଜେ ୧୬ ବର୍ଷ ଧରି ଜେଲରେ ରହିଲେ । କିନ୍ତୁ ଆପଣଙ୍କଠାରେ କୈାଣସି ତିକ୍ତତା ଦେଖାଯାଏ ନାହିଁ । ତାହା ପ୍ରକୃତରେ ଆଶ୍ଚର୍ଯ୍ୟ କରେ ।” ।

ନେହରୁ: “ଅଳ୍ପ ସମୟ ପାଇଁ କେହି ଜେଲ ଯିବା ଭଲ କଥା ।”

H B Hudson:“ଏବଂ ତାପରେ ସାତ ବର୍ଷ ପ୍ରଧାନମନ୍ତ୍ରୀ ରହିବା । ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ , ପ୍ରଧାନମନ୍ତ୍ରୀ ମହୋଦୟ, ଯେ ଯେତେବେଳେ ଆପଣ ଏହି ସାତବର୍ଷକୁ ଫେରି ଚାହାନ୍ତି ଓ ସ୍ମରଣ କରନ୍ତି ଯାହା ଭାରତ ସ୍ୱାଧୀନତା ପାଇବା ସମୟରେ ଆପଣ ଆଶା କରିଥିଲେ , ଆପଣ କଣ ଅନୁଭବ କରନ୍ତି ଯେ ସେହି ବର୍ଷ ଗୁଡିକ ସନ୍ତୋଷଜନକ ସଫଳତାର ବର୍ଷ ଥିଲା ନା ନୈରାଶ୍ୟର ?”

ନେହରୁ: “ଉଭୟ । ମୁଁ ଭାବୁଛି ଆମେ ନିଶ୍ଚିତ ବହୁତ କିଛି ହାସଲ କରିଛୁ ଏବଂ ହାସଲ ମଧ୍ୟ କରି ନାହୁଁ । ତେଣୁ ଏହା ଉଭୟ ସନ୍ତୋଷଜନକ ଓ ସନ୍ତୋଷଜନକ ନୁହେଁ ମଧ୍ୟ ।”

H B Hudson: “ଏହାକୁ ଟିକିଏ ବିସ୍ତାରିତ କରିବେ କି? କେଉଁଥିରେ ଆପଣ ନିରାଶ ହୋଇଛନ୍ତି?”

ନେହରୁ: “ଏହା ବେଶ ବଡ ପ୍ରଶ୍ନ । ଭାରତରେ ଅନେକ ବିଷୟ ଅଛି ।”

H B Hudson: “ ଗଣତନ୍ତ୍ର ଏବଂ ଭାରତରେ ରାଜନୈତିକ ଗଣତନ୍ତ୍ରର ପ୍ରଗତିକୁ ନେଇ, ମୁଁ ଯଦି ଏକ ସୁରାକ ଦେଇ ପାରେ ?”

ନେହରୁ: “ସାଧାରଣ ଭାବରେ କହିଲେ, ମୁଁ କହିବି ଯେ ରାଜନୈତିକ ଦୃଷ୍ଟିରୁ ଆମେ ଦେଶର ଐକ୍ୟ(unity)କୁ ଆଗେଇ ନେଇଛୁ, ପୂରାତନ ରାଜକୀୟ ରାଜ୍ୟ(princely States)ଗୁଡିକୁ ସାମିଲ କରିଛୁ, ସାଧାରଣ ନିର୍ବାଚନ କରାଇଛୁ ଯାହାର ଆକାର ବେଶ ଉଲ୍ଲେଖନୀୟ ଏବଂ ଏକ ଭଲ ଗଣତନ୍ତ୍ରୀକ ଢାଂଚାର ନିର୍ମାଣ କରିଛୁ । ଯାହା ଆମକୁ ବିବ୍ରତ କରୁଛି ତାହା ହେଉଛି ଅର୍ଥନୈତିକ ଦିଗ । ମୁଁ ବିଶ୍ୱାସ କରେ ଯେ ଆମେ ଏଥିରେ ପ୍ରଗତି କରିଛୁ । କିନ୍ତୁ ମୁଁ ଚାହେଁ ଯେ ଆମର ପ୍ରଗତି ଆହୁରି କ୍ଷୀପ୍ର ହେବା ଉଚିତ ।”

BBC : “ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ପଚାରିପାରେ କି, ଆପଣ ଏହା ଭାବୁଛନ୍ତି ନା ନାହିଁ ଯେ ଅର୍ଥନୈତିକ ପ୍ରଗତି ଯେଉଁ ଗତିରେ ହେଉଛି ତାହା ଜନସଂଖ୍ୟା ବୃଦ୍ଧିର କ୍ଷିପ୍ରତା ସହିତ କ’ଣ ତାଳ ଦେଇପାରିବ? ଅର୍ଥାତ୍, କଣ ସମ୍ଭାବନା ଅଛି ଭାରତ କାଳକ୍ରମେ ଖାଦ୍ୟରେ ଅଳ୍ପ-ବହୁତ ଆତ୍ମନିର୍ଭରଶୀଳ ହୋଇପାରିବ?”

ନେହରୁ: “କେବଳ ସମ୍ଭାବନା ନୁହେଁ, ମୁଁ ତ ଦେଖୁଛି ନିଶ୍ଚିତତା, କାଳକ୍ରମେ ନୁହେଁ ବରଂ ନିକଟ ଭବିଷ୍ୟତରେ, ବର୍ଷେ ଦୁଇ ବର୍ଷ ଭିତରେ ।”

Kingsley Martin: “ଧାର୍ମିକ ପକ୍ଷ, ଯାହା ବହୁତ ସନ୍ତୋଷଜନକ ଏବଂ ଏ ସମ୍ପର୍କରେ ଆପଣଙ୍କର ବକ୍ତବ୍ୟ ବେଶ ଆଶା ସୃଷ୍ଟି କରେ । କିନ୍ତୁ ଭାରତରେ ଏକ ବଡ ସମସ୍ୟା ରହିଛି । ମୁଁ ଏହାକୁ ଏପରି କହିବି । ଆପଣ ଅତୀତରେ କହିଥିଲେ ଆପଣ ଭାରତକୁ ଏକ ଧର୍ମନିରପେକ୍ଷ ଗଣତନ୍ତ୍ର କରିବାକୁ ଚାହାନ୍ତି ଯେଉଁଠାରେ ଅଳ୍ପସଂଖ୍ୟକ ଶାନ୍ତିରେ ରହିବେ । କଣ ଆପଣଙ୍କୁ ଲାଗୁଛି ଯେ ଏପରି ହେଉଛି? ମୁଁ ଜାଣିଛି ଯେ ଏହା ଆପଣଙ୍କର ମୁଖ୍ୟ ସିଦ୍ଧାନ୍ତମାନଙ୍କ ମଧ୍ୟରେ ଅନ୍ୟତମ । ଆପଣ କଣ ମନେ କରନ୍ତି ଯେ ଏହା ଆପଣ ହାସଲ କରିପାରିଛନ୍ତି ? ଧାର୍ମିକ ଉଗ୍ରତା କଣ ହ୍ରାସ ପାଇଛି? ଆପଣ କଣ ମନେ କରନ୍ତି ଯେ ଏହି ସମସ୍ୟାକୁ ଆପଣ କାବୁ କରିପାରିଛନ୍ତି?”

ନେହରୁ: “ଏହା ଠିକ ଯେ ଆମେ ଏହାକୁ କାବୁ କରିଛୁ । କିନ୍ତୁ ମୁଁ କହି ପାରିବି ନାହିଁ ଯେ ଆମେ ଏହାକୁ ସମାପ୍ତ କରି ଦେଇଛୁ । ଆମକୁ ବର୍ତମାନ ମଧ୍ୟ ଏହାକୁ ସାମନା କରିବାକୁ ପଡୁଛି । କିନ୍ତୁ ଗତ ନିର୍ବାଚନରୁ ଜଣା ପଡିଲା ଯେ ଭାରତର ଲୋକେ ଏହାକୁ ସାଧାରଣତଃ ପସନ୍ଦ କରୁ ନାହାନ୍ତି । ”

Kingsley Martin: “ଏବଂ ଜାତି?”

ନେହରୁ: “ବହୁ ପ୍ରକାରର ଜାତି ଅଛନ୍ତି ଯେଉଁମାନେ ନିର୍ବାଚନ ଦୃଷ୍ଟିକୋଣରୁ ରାଜନୀତିରେ ହସ୍ତକ୍ଷେପ କରନ୍ତି । ଯେପରି ଜଣେ ବ୍ୟକ୍ତି ତା ନିଜ ଜାତିର ପ୍ରାର୍ଥୀକୁ ଭୋଟ ଦେବାର ବିକଳ୍ପ ବାଛି ପାରେ । ଦୁର୍ଭାଗ୍ୟ ବଶତଃ ଏହା ଏବେ ବି ରହିଛି । ଆମେ ତାହା ବିରୋଧରେ ଲଢିବାର ପ୍ରଚେଷ୍ଟା କରୁଛୁ ।”

H B Hudson: “ଏହି ସମସ୍ତ ପରିସ୍ଥିତି ଦୃଷ୍ଟିରୁ, ଯେପରି ଜାତି ବ୍ୟବସ୍ଥା, ଅର୍ଥନୈତିକ ଦାରିଦ୍ର୍ୟ, ଏବଂ ଧନ ଓ ଦାରିଦ୍ର୍ୟ ମଧ୍ୟରେ ବୈଷମ୍ୟ, ମନେ ହୁଏ ନାହିଁ କି ସାମ୍ୟବାଦ ପାଇଁ ଏଠାରେ ଏକ ବିରାଟ ସୁଯୋଗ ସୃଷ୍ଟି କରାଯାଉଛି? ଏହା ଏକ ବାସ୍ତବ ବିପଦ ନୁହେଁ କି ଯାହା ମନ୍ଥର ତଥା ବ୍ୟାପକ ଆକାରର ପଶ୍ଚିମା ଗଣତନ୍ତ୍ର ଅପେକ୍ଷା, ଭାରତର ଜନଗଣଙ୍କର କଳ୍ପନାକୁ ସହସା ଆକ୍ରାନ୍ତ କରିବ ଏବଂ ସେମାନଙ୍କ ପାଇଁ ଅଧିକ ଗ୍ରହଣୀୟ ମନେ ହେବ? ”

ନେହରୁ: “ଆମେ ଯେତେବେଳେ ସାମ୍ୟବାଦ ବିଷୟରେ କଥା ବାର୍ତା ହେଉଛୁ, ସେତେବେଳେ ଆପଣ ଏହାର ଅନେକ ଅର୍ଥ କରି ପାରନ୍ତି । ଆପଣ ଯେଉଁ ଅର୍ଥ କରୁଛନ୍ତି ତାହା ହେଉଛି ଅସ୍ପଷ୍ଟ ସାମ୍ୟବାଦୀ ଆବେଦନ(appeal)ଯାହାର ବେଶ ପ୍ରଭାବ ରହିଛି । କିନ୍ତୁ ଆପଣ ଯଦି କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକଳାପ ଦେଖିବେ ତାହାର ଆବେଦନ ବହୁତ ସୀମିତ ।”

Donald McLaughlin: “ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଭାବୁଛି ଆମେ ଯେଉଁ ଅର୍ଥରେ କହୁଛୁ ତାହା ହେଉଛି ସାମ୍ୟବାଦ, ତାହାର କଠୋରତା ଏବଂ ବେଗ ଦ୍ୱାରା ଅର୍ଥନୈତିକ ଫଳ ଦେଇଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥା ଠାରୁ ଏହାର କ୍ଷିପ୍ରତା ବେଶ ଅଧିକ ହୋଇଥାଏ । କଣ ଭାରତରେ ଆପଣଙ୍କର ଏହି ମତ?”

ନେହରୁ: “ଏହା ହୋଇପାରେ । ଏହା ମଧ୍ୟ କିଛି ବିଶୃଂଖଳା ସୃଷ୍ଟି କରେ । ଏହା ସୃଷ୍ଟି କରିପାରେ ବିଘଟନ(disruption) ଓ ଅରାଜକତା । ଅନ୍ୟ ପରିଣାମ ହାସଲ କରିବାକୁ ଯାଇ, ବର୍ତମାନ ପାଇଁ,ପ୍ରକୃତରେ, ବିଘଟନ କରିବାର ଚେଷ୍ଟା କରିପାରେ । ”

Donald McLaughlin: “ଏହି ସବୁ ବିଷୟରେ ଭାବୁଥିବା ଭାରତୀୟ କଣ ଚୀନ ଯାହା କରିବାକୁ ଚେଷ୍ଟା କରୁଛି ତାହା ଦ୍ୱାରା ପ୍ରଭାବିତ ହେଉ ନାହାନ୍ତି?”

ନେହରୁ: “ହଁ, ଚୀନରେ ଯାହା ଘଟୁଛି ସେମାନେ ତାହା ଦ୍ୱାରା ବେଶ ପ୍ରଭାବିତ । ବ୍ୟକ୍ତିଗତ ସ୍ତରରେ ଯଦିଓ ମୁଁ ଚୀନରେ ଯାହା ହେଉଛି ତାହାର ପ୍ରଶଂସା କରେ, ମୁଁ ଭାବେ ଯେ ଆମେ ମଧ୍ୟ ଅନେକ କିଛି କରିଛୁ ଯାହାର ପ୍ରଶଂସା ଚୀନରେ ହୋଇପାରେ ।”

Donald McLaughlin: “ଆପଣ କ’ଣ ସନ୍ତୁଷ୍ଟ ଯେ ଆପଣଙ୍କର ପଦ୍ଧତି ସେପରି ଉତ୍ତମ ଯେପରି ଚୀନର ପଦ୍ଧତି ?”

ନେହରୁ: “ମୁଁ ତୁଳନା କିପରି କରିବି? ଦୁହିଁଙ୍କର ଆଧାର ଯେ ଭିନ୍ନ ।”

Donald McLaughlin: “ଏପରି ତୁଳନା ଏସିଆରେ ହେଉ ତାହାକୁ ହିଁ ଆମେ ଅପେକ୍ଷା କରୁଛୁ ।”

ନେହରୁ: “ହଁ , ତୁଳନା କରାଯିବ କିନ୍ତୁ ହାସଲ ହୋଇଥିବା ପରିଣାମ ସନ୍ଦର୍ଭରେ ।”

H B Hudson: “କଣ ଭାରତ ଓ ଚୀନ ମଧ୍ୟରେ ଏସିଆର ନେତୃତ୍ୱ ପାଇଁ କୈାଣସି ପ୍ରକାର ପ୍ରତିଦ୍ୱନ୍ଦିତା ଅଛି?”

ନେହରୁ: “ ପ୍ରତିଦ୍ୱନ୍ଦିତାର କୈାଣସି ଅର୍ଥ ନାହିଁ ବା ଏପରି କୈାଣସି ପରିସ୍ଥିତି ଅଛି । ସୁଦୂର ଭବିଷ୍ୟତରେ କଣ ହେବ ତାହା ବିଷୟରେ ମୁଁ ଜାଣେ ନାହିଁ ।”

Kingsley Martin: “ଆମେ ବରଂ ଏହାକୁ ଏହିପରି ଉପସ୍ଥାପିତ କରିବା । ମୁଁ ଭାବେ ଯେ ଅନେକ ଲୋକ ଜମି ସମସ୍ୟାକୁ ଏକ ପରୀକ୍ଷା ବୋଲି ଭାବନ୍ତି । ଏସିଆରେ ଜାତୀୟତା ଆଉ ଏକ ଫାଶ ହେବାକୁ ଯାଉଛି । ଜମି ସମସ୍ୟାକୁ ଚୀନ ନାଟକୀୟ ଭାବେ ସମାଧାନ କରିଛି । ବର୍ତମାନ ଆମକୁ ଲାଗୁଛି ଭାରତ ତାର ଜମି ସମସ୍ୟାକୁ ନାଟକୀୟ ନୁହେଁ ବରଂ ସ୍ୱୟଂକ୍ରିୟ ଭାବେ (automatically) ସମାଧାନ କରିବ । ବର୍ତମାନ ଭାରତରେ ଲୋକେ ଅନୁଭବ କରନ୍ତି ଯେ ଜମି ସମସ୍ୟା ସମାଧାନରେ ଭାରତ ବେଶ ମନ୍ଥର । ଆପଣ ଏ ସମ୍ପର୍କରେ ଆମକୁ କିଛି ସୁରାକ ଦେବେ ?”

ନେହରୁ: “ଏହା ସମ୍ପୂର୍ଣ୍ଣ ସତ୍ୟ । ଆମେ ମନ୍ଥର । ଗୋଟିଏ କାରଣ ହେଉଛି ଯେହେତୁ ଗଣତାନ୍ତ୍ରିକ ପ୍ରକ୍ରିୟା ହେଉଛି ମନ୍ଥର । ଆଉ ଗୋଟିଏ କାରଣ ହେଉଛି ଆମର ସମ୍ବିଧାନ ବ୍ୟକ୍ତିର ଅଧିକାର ଓ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦିଏ ଯାହା ଅଦାଲତ ଦ୍ୱାରା ସ୍ୱୀକୃତି ପାଏ ଯାହା ଫଳରେ ଆମର ବହୁ ବୈଧାନିକ ପଦକ୍ଷେପ ଅଦାଲତରେ ଝୁଲି ରହିଛି । ”

Donald McLaughlin: “କିନ୍ତୁ ଏହା ବ୍ୟତୀତ, ପ୍ରଧାନମନ୍ତୀ ମହେଦୟ, ଆପଣ କଣ କହିବେ ଯେ ଚୀନରେ ବ୍ୟବହାର ହେଉଥିବା ପଦ୍ଧତି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ସମ୍ବିଧାନ ଏବଂ ସମାଜର ଆତ୍ମାର ବିରୋଧୀ ? ମୁଁ ଦମନ ମୂଳକ ପଦ୍ଧତି କଥା କହୁଛି । ”

ନେହରୁ: “ନିଃସନ୍ଦେହ କେତେକ ପଦ୍ଧତି ସେପରି ହୋଇପାରେ । କିନ୍ତୁ ମୁଁ ସବୁ ପଦ୍ଧତି ସମ୍ପର୍କରେ ଏହା କହି ନ ପାରେ । ମୋ ଅନୁମାନରେ ସେଠାରେ ଜମି ସମସ୍ୟାର ସମାଧାନ ବେଶି କିଛି ଦମନ ମୂଳକ ହୋଇ ନାହିଁ । ବରଂ, ବିଶେଷ ଭାବରେ, ଏହା ସମ୍ପୃକ୍ତ ଚାଷୀମାନଙ୍କର ସମ୍ମତିରେ ହିଁ ହୋଇଛି ।”

BBC : “ପ୍ରଧାନମନ୍ତ୍ରୀ ମହୋଦୟ, ଯାହା ମୋତେ ଓ ଆମ ଭିତରେ ଅନେକଙ୍କୁ ଚିନ୍ତିତ କରାଏ ତାହା ହେଉଛି ଆପଣଙ୍କର ଗଣତାନ୍ତ୍ରୀକ ବ୍ୟବସ୍ଥା, ଯାହା ଯଦିଓ ଆମ ଦେଶରେ ବେଶ ପ୍ରଶଂସନୀୟ, କିନ୍ତୁ କୈାଣସି ବିରୋଧୀ ପକ୍ଷ ସେଥିରେ ଦେଖାଯାଆନ୍ତି ନାହିଁ । ଆପଣଙ୍କୁ ବିରୋଧ କରୁଥିବା କେହି ନେତା ଦେଖାଯାଆନ୍ତି ନାହିଁ । ଆପଣ କଣ ଭାବିବେ, ଯଦି ମୁଁ ଧୃଷ୍ଟତା କରେ ଏହା ପଚାରିବାକୁ, ଯେ ଯଦି ଆପଣଙ୍କୁ ଅବସର ନେବାକୁ ପଡେ ତାହାହେଲେ କ’ଣ ହେବ? କଂଗ୍ରେସରେ ଆପଣଙ୍କର କେହି ଉତ୍ତରାଧିକାରୀ ଅଛନ୍ତି କି? ବିରୋଧୀଙ୍କ ଭିତରେ କେହି ଉତ୍ତରାଧିକାରୀ ଅଛନ୍ତି କି?”

ନେହରୁ: “ଆପଣ କେଉଁ ଅର୍ଥରେ କହୁଛନ୍ତି ଯେ ବିରୋଧୀ ନାହାଁନ୍ତି? ଆମ ଲୋକସଭାରେ ସଭ୍ୟ ସଂଖ୍ୟା ୫୦୦ । ଆମେ ହେଉଛୁ ୩୫୦ । ବିରୋଧୀଙ୍କ ସଂଖ୍ୟା ୧୫୦ । ଏହା ସତ୍ୟ ଯେ ବିରୋଧୀ ଚାରି ବା ଅଧିକ ସଂଖ୍ୟକ ଦଳରେ ବିଭାଜିତ । ବଡ ବିରୋଧୀ ଦଳ ନାହିଁ । ଆମର ଦୁଇ ଦଳ ବ୍ୟବସ୍ଥା ନୁହେଁ । ଏହାକୁ ଆମେ ଲଦି ଦେଇ ପାରିବୁ ନାହିଁ ।”

BBC : “ପ୍ରଧାନମନ୍ତ୍ରୀ ମହୋଦୟ, ଯଦି ଏପରି ହୁଏ ଆପଣ ତାହାକୁ ସ୍ୱାଗତ କରିବେ କି? ”

ନେହରୁ: “ହଁ, ଯଦି ଏକ ଯଥେଷ୍ଟ ଆକାରରେ ବଡ ଦଳ ହୁଏ ଯିଏ କ୍ଷମତାକୁ ଆସିବା ପାଇଁ ଚିନ୍ତା କରୁଥାଏ, ଆମେ ଏହାକୁ ସ୍ୱାଗତ କରିବୁ । ତା ନ ହେଲେ ବିରୋଧୀ ଦଳ ଗୁଡିକ ସମ୍ପୂର୍ଣ୍ଣ ଦାୟିତ୍ୱହୀନ ହୋଇଥାନ୍ତି । ଯେତେବେଳେ କ୍ଷମତାକୁ ଆସିବାର କୈାଣସି ଆଶା ଦେଖନ୍ତି ନାହିଁ ସେମାନେ ଯାହା ଚାହାନ୍ତି ତାହା କୁହନ୍ତି ଓ କରନ୍ତି । କିନ୍ତୁ ଆମର ଏକ ବିରୋଧୀ ଦଳ ଅଛି ଏବଂ ଭଲ ବିରୋଧୀ ଦଳ ଅଛି ଉଭୟ ସଂସଦରେ ଏବଂ ବାହାରେ ଯାହାର ସାମନା ଆମେ ନିରନ୍ତର କରୁଛୁ ।”

H B Hudson: “ତାହାହେଲେ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ କୈାଣସି ସହସା ବିପଦ କମ୍ୟୁନିଷ୍ଟଙ୍କ ଠାରୁ ବା କମ୍ୟୁନିଜିମ ଠାରୁ ଭାରତରେ ଦେଖୁ ନାହାନ୍ତି ? ବାହାରୁ ଭାରତ ପ୍ରତି କୈାଣସି ବିପଦ କମ୍ୟୁନିଷ୍ଟଙ୍କ ଚାପରୁ ଏବଂ ବିସ୍ତାରବାଦରୁ ସହସା ଦେଖୁଛନ୍ତି କି ଯେପରି ଆଫଗାନିସ୍ଥାନ, ତିବତ ଇତ୍ୟାଦି ଦେଇ ବା ଦକ୍ଷିଣ-ପୂର୍ବ ଏସିଆରେ ବିଜୟ ହାସଲ କରି ?”

ନେହରୁ: “ଆଭ୍ୟନ୍ତରୀଣ ସ୍ଥିତି ଯେପରି ହେଉ ବା ନ ହେଉ, ମୁଁ ବାହାରୁ ଭାରତ ପ୍ରତି ଆଦୈା କୈାଣସି ବିପଦ ଦେଖୁନାହିଁ, କମ୍ୟୁନିଷ୍ଟଙ୍କ ଠାରୁ ହେଉ ବା ଅନ୍ୟ କୈାଣସି ସ୍ରୋତରୁ ହେଉ ।”

Kingsley Martin: “ପାକିସ୍ତାନ ସହ ସମ୍ପର୍କର କ’ଣ ହେବ? ଅସୁବିଧା ଗୁଡିକୁ ଦୁର କରିବା ସମ୍ପର୍କରେ ଆପଣ ଆଶାବାଦୀ କି? ଆପଣ ବିଭିନ୍ନ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ତ ଭେଟୁଛନ୍ତି ।”

ନେହରୁ: “ହଁ, ଆମ ସମ୍ପର୍କରେ ବହୁତ ଉନ୍ନତି ହୋଇଛି । ଆମର ପରସ୍ପର ପ୍ରତି ମନୋବୈଜ୍ଞାନିକ ଦୃଷ୍ଟିକୋଣରେ ଅପେକ୍ଷାକୃତ ସୁଧାର ହୋଇଛି । ମୁଁ ଭାବୁଛି ଆମେ ଧୀରେ ଧୀରେ ଆମର ଅଧିକାଂଶ ସମସ୍ୟାର ସମାଧାନ କରି ଦେବୁ । ସବୁ ସମସ୍ୟାର ସମାଧାନ ପାଇଁ ଟିକିଏ ସମୟ ଲାଗିବ । କିନ୍ତୁ ମୁଁ ଭାବୁଛି ଆମେ ଠିକ ବାଟରେ ଅଛୁ ।”

BBC : “କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ, ମୋର ଭୟ ଯେ କୋରିଆ ସହ ସନ୍ଧି ପରେ ଚୀନ ଅନ୍ୟ ଅଂଚଳକୁ ନିଜର ବିସ୍ତାର କରିପାରେ । ଅବଶ୍ୟ ସିଧା ସଳଖ ଭାରତ ଭିତରକୁ ନୁହେଁ, କାରଣ ହିମାଳୟକୁ ଲଂଘିବା ସହଜ ନୁହେଁ ଅଳ୍ପ କେତେଜଣ ପର୍ବତାରୋହୀଙ୍କୁ ବାଦ ଦେଲେ । କିନ୍ତୁ ବିପଦ ହେଉଛି ଯେ ସେମାନେ ଦକ୍ଷିଣ-ପୂର୍ବ ଏସିଆର କେତେକ ଅଂଚଳକୁ ବିସ୍ତାରିତ ହୋଇ ପାରନ୍ତି ଏବଂ ଆପଣଙ୍କ ପାଶ୍ୱର୍ବର୍ତୀ ଅଂଚଳ ପ୍ରତି ବିପଦ ସୃଷ୍ଟି କରିପାରନ୍ତି । ଆପଣ କଣ ଭାବୁଛନ୍ତି ଯେ ଏପରି ବିପଦ ରହିଛି, ଯେପରି ଶ୍ୟାମ(Siam,Thailand) ଏବଂ ବର୍ମା ଭିତରକୁ ଚୀନର ବିସ୍ତାର ଯୋଗୁଁ ବିପଦ?”

ନେହରୁ: “ମୁଁ ଭାବୁଛି ଏ ମତ ସମ୍ପୂର୍ଣ୍ଣ ଭୁଲ । ମୁଁ ଭାବୁ ନାହିଁ ଚୀନରେ ପରିବର୍ତନ ଆସିବା ପରଠାରୁ ବିସ୍ତାର କରିବାର ଇଚ୍ଛା ଚୀନ ଭିତରେ ଜାଗ୍ରତ ହୋଇଛି । ସେମାନଙ୍କର ନିଜର ବହୁତ ସମସ୍ୟା ରହିଛି । ଏବଂ ଯେତେଦୂର ଭାରତର କଥା , ଆମର ସେମାନଙ୍କ ସହିତ ଖୁବ ବନ୍ଧୁତ୍ୱ ପୂର୍ଣ୍ଣ ସମ୍ପର୍କ ରହିଛି ।”

BBC : “କୋରିଆ ବିଷୟରେ କଣ କୁହାଯିବ, ଯଦିଓ ଆମକୁ ଏହା ବିସ୍ତାରବାଦୀ ମନେ ହୁଏ ।”

ନେହରୁ: “ କୋରିଆରେ ୪୮ତମ ସମାନ୍ତର(48th Parallel)କୁ ଅତିକ୍ରମ କରିବା ଯାଏ, ଚୀନର କୈାଣସି କାର୍ଯ୍ୟକଳାପର ସୂଚନା ନ ଥିଲା । ଅତିକ୍ରମ କରିବା ପରେ ହିଁ, ମୋ ମନରେ ଏ ବିଷୟରେ ସନ୍ଦେହ ନାହିଁ ଯେ ଚୀନର ଭୟ ହୋଇଥିବ ଯେ ତା ନିଜର ମୂଳଭୂମି ଉପରେ ଆକ୍ରମଣ ହେବାକୁ ଯାଉଛି । ଯେତେବେଳେ ସେ ବିନ୍ଦୁର ଅତିକ୍ରମଣ ହେଉଥିଲା ସେତେବେଳେ ସେମାନେ ଆମକୁ କହୁଥିଲେ ଯେ ସେମାନେ ସବୁ ପଟୁ ବିପଦ ଦେଖୁଛନ୍ତି । ସ୍ମରଣ କରନ୍ତୁ କିପରି ଅନେକ ଲୋକ କହୁଥିଲେ ଯେ ଆସନ୍ତୁ ଚୀନକୁ ଆକ୍ରମଣ କରିବା ଏବଂ ଲୋକଙ୍କ ସରକାରକୁ ସମାପ୍ତ କରିଦେବା । ତେଣୁ ନିରୋଳା ଭୟରୁ ହିଁ ମୁଁ ଭାବୁଛି ସେମାନେ ଏପରି ପ୍ରତିକ୍ରିୟା କରୁଥିଲେ ଏବଂ ସେଇଥିରେ ସେମାନେ ଛନ୍ଦି ହୋଇଯାଇଛନ୍ତି ।”

H B Hudson: “ପ୍ରଧାନମନ୍ତ୍ରୀ ମହୋଦୟ, ଦକ୍ଷିଣ-ପୂର୍ବ ଏସିଆର ଦେଶ ଗୁଡିକ ପ୍ରତି କମ୍ୟୁନିଷ୍ଟଙ୍କ ଠାରୁ କଣ ବିପଦ ନାହିଁ, କ୍ଷମା କରିବେ, ଚୀନର ସେହି ନୀତି ଠାରୁ ଯାହା ଅନୁସାରେ ବିଦେଶରେ ରହୁଥିବା ଚୀନା ଲୋକଙ୍କୁ ଚୀନ ନିଜର ନାଗରିକ ବୋଲି ବିଚାର କରେ ଏବଂ ଉତ୍ସାହିତ କରେ ନାହିଁ ବା ସେମାନଙ୍କୁ ଅନୁମତି ଦିଏ ନାହିଁ ସେ ଦେଶରେ, ଯେପରି ମାଲୟରେ , ପୂର୍ଣ୍ଣ ନାଗରିକ ହେବା ପାଇଁ । ”

ନେହରୁ: “ବୋଧହୁଏ, ଏପରି ଅଛି, କିନ୍ତୁ ଏହାର ନୀତି ସହିତ କୈାଣସି ସମ୍ପର୍କ ନାହିଁ । ଏହା ଚୀନା ଲୋକଙ୍କର ଗୋଟିଏ ସହଜାତ ବୈଶିଷ୍ଟ୍ୟ ଯାହା ତାଙ୍କ ଭିତରେ ରହିଥାଏ ସେମାନେ ଯେଉଁଠାକୁ ଯାଆନ୍ତୁ ନା କାହିଁକି; ଏହିପରି ହିଁ ମୁଁ ଏହାକୁ ବୁଝିଛି ।”

Kingsley Martin: “ପ୍ରଧାନମନ୍ତ୍ରୀ ମହୋଦୟ , ଆପଣ ଠିକ କହୁଛନ୍ତି । ଏସିଆରେ ଆପଣ ଏକ ବଡ ବିଷୟ ବୋଲି ଯାହା ଭାବୁଛନ୍ତି ତାହା ମଧ୍ୟ ସେହିପରି ଆଫ୍ରିକାରେ, ଏହା ହେଉଛି ମହାନ ଜାତୀୟତା ଭାବର ଉଦ୍ଭବ ଯେପରି ମୁଁ ଆପଣଙ୍କର ବକ୍ତବ୍ୟରୁ ବୁଝୁଛି ।”

ନେହରୁ: “କିନ୍ତୁ ଆପଣ ଦେଖନ୍ତୁ, ଦେଶରେ, ଏବଂ ଇତିହାସ ଦୃଷ୍ଟିରୁ ସବୁଠାରୁ ବଡ ଜିନିଷ ଯାହା ଘଟିଛି ବା ଘଟୁଛି ତାହା ହେଉଛି ଏସିଆରେ ଓ ଆଫ୍ରିକାର କିଛି ଅଂଶରେ, ଏକ ଜାଗରଣ ବା ଉତ୍ଥାନର ପରିପ୍ରକାଶ । ଏହା ଏକ ବିରାଟ କଥା ଯାହା ଏସିଆର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଢଂଗରେ ବୃଦ୍ଧି ପାଉଛି । କିନ୍ତୁ ଏହା ପୂରାତନ ଧାରାକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେଇଛି । ଚୀନରେ ଏହା ଗୋଟିଏ ବାଟରେ ହେଲାବେଳେ ଭାରତରେ ଏହା ଭିନ୍ନ ବାଟରେ ହୋଇଛି । ଆମେ ବ୍ରିଟେନ ସହିତ ବର୍ମାରେ, ଦକ୍ଷିଣପୂର୍ବ ଏସିଆରେ ଏକ ଶାନ୍ତିପୂର୍ଣ୍ଣ ସମାଧାନରେ ପହଁଚିଛୁ । ସବୁଠାରେ ଏହାର ସ୍ୱରୂପ ଭିନ୍ନ ହୋଇଛି । ଗୋଟିଏ ଦୃଷ୍ଟିରୁ ତିନି ଶହ ବା ଚାରି ଶହ ବର୍ଷର ଇଉରୋପୀୟ ଆଧିପତ୍ୟ ପରେ ସେମାନେ ନିଜ ଅକ୍ତିଆର ଭିତରକୁ ଆସିଛନ୍ତି , କେତେବେଳେ ସଠିକ ଭାବରେ ହେଉ ବା ବେଠିକ ଭାବରେ ହେଉ । ଏହାକୁ ବୁଝିବାକୁ ହେବ । ଏହାକୁ ପ୍ରଶଂସା କରିବାକୁ ହେବ, ବୁଝିବାକୁ ହେବ, ଏହା ଉପରେ କେବଳ କ୍ରୋଧ କରିବାକୁ ହେବ ନାହିଁ ବା ନାପସନ୍ଦ କରିବାକୁ ହେବ ନାହିଁ । ପ୍ରାୟ କେତେକାଂଶରେ, ଭିନ୍ନ ବାଟରେ ଏହାହିଁ ଆଫ୍ରିକାରେ ହେଉଛି ।”

BBC : “ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ କଣ ଭାବନ୍ତି ଯେ ଇଉରୋପୀୟମାନେ ବୁଝି ପାରୁଛନ୍ତି ଆଫ୍ରିକାରେ ଯାହା ଘଟୁଛି ନା ସେମାନେ ସେହି ଭୁଲ କରିବାକୁ ଯାଉଛନ୍ତି ଯାହା ସେମାନେ ୩୦୦ ବର୍ଷ ଧରି ଏସିଆରେ କରୁଥିଲେ ?”

ନେହରୁ: “ମୋର ଭୟ ଯେ ସେମାନେ ସେପରି ଭୁଲ କରୁଛନ୍ତି । ପ୍ରଶ୍ନ ନୁହେଁ ଯେ ସେମାନେ ଏପରି ଭୁଲ କରିବା ପାଇଁ ତାଙ୍କର କୈାଣସି ବାଧ୍ୟବାଧ୍ୟକତା ରହିଛି । ମନେ ରଖିବା ଉଚିତ ଯେ ଆଫ୍ରିକା ସବୁଠାରୁ ବିଷାଦଗ୍ରସ୍ତ ମହାଦେଶ ହୋଇ ରହି ଆସିଛି ଯେଉଁଠାରେ ଶହ ଶହ ବର୍ଷ ଧରି ସେଠାକାର ଅଧିବାସୀ ଅତି କଷ୍ଟ ଭୋଗି ଆସୁଛନ୍ତି । ସେମାନେ ଅନ୍ୟମାନଙ୍କ ଭଳି ବିକଶିତ ନୁହନ୍ତି, ବୋଧହୁଏ ଏଥିପାଇଁ ଯେ ସେମାନେ ସୁଯୋଗ ପାଇ ନାହାନ୍ତି । ସେମାନଙ୍କୁ ସୁଯୋଗ ମିଳିଲେ, ନିଃସନ୍ଦେହ ସେମାନେ ବିକଶିତ ହେବେ । ଯାହା ଅଫ୍ରିକାରେ ହେଉଛି, ଉତତର , ପୂର୍ବ ବା ପଶ୍ଚିମରେ, ତାହା ମୋତେ ଅତ୍ୟନ୍ତ କ୍ଷୁବ୍ଧ କରିଛି । ଆଫ୍ରିକାର କେବଳ ଉଜ୍ଜଳ ଅଂଚଳ, ଏହା ଯଦି ମୁଁ କହିପାରେ, ତାହା ହେଉଛି Gold Coast(ପଶ୍ଚିମ ଆଫ୍ରିକାର ବ୍ରିଟିଶ ଉପନିବେଶ ଯାହା ଆଜି ଗଣରାଜ୍ୟ ଘାନା ନାମରେ ପରିଚିତ ) ଓ ନାଇଜେରିଆର କିଛି ଅଂଶ ।”

Donald McLaughlin: “ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଏହା ଦ୍ୱାରା କହୁ ନାହାନ୍ତି କି ଆଫ୍ରିକାର ସବୁ ଅଂଚଳ ପାଇଁ ଗୋଟିଏ ସମାଧାନ ଓ ଗୋଟିଏ ପ୍ରକାରର ଆଲୋଚନା ରହିଛି? ଏହି ମହାଦେଶର ବିଭିନ୍ନ ଅଂଶରେ ସମସ୍ୟା ଭିନ୍ନ ଭିନ୍ନ ନୁହେଁ କି?”

ନେହରୁ: “ହଁ, ସମସ୍ୟା ଭିନ୍ନ ଭିନ୍ନ, କିନ୍ତୁ ବାଟ ଗୋଟିଏ । ଆଫ୍ରିକାର ଅଧିବାସୀଙ୍କ ପ୍ରତି ବନ୍ଧୁତ୍ୱ ଓ ସହାନୁଭୂତିର ବାଟ ।”

H B Hudson: “କିନ୍ତୁ Gold Coast ଏବଂ ନାଇଜେରିଆ ଭଳି ଦେଶ, ଯେଉଁଠାରେ ଇୟୁରୋପୀୟମାନେ ସେମାନଙ୍କର ସ୍ଥାୟୀ ଆବାସ କରନ୍ତି ନାହିଁ ସେ ଦେଶ ଗୁଡିକ, ଓ ଦକ୍ଷିଣ ଆଫ୍ରିକା ସଂଘ, ଦକ୍ଷିଣ ରୋଡେସିଆ ଏବଂ କେନିଆ ପରି ଦେଶ ଯେଉଁଠାରେ କେବଳ ଇଉରୋପୀୟ ଗୋଷ୍ଠୀ ସ୍ଥାୟୀ ଭାବରେ ବାସ କରୁଛନ୍ତି ସେପରି ନୁହେଁ, ବରଂ ସେମାନେ ମଧ୍ୟ ଯେଉଁମାନଙ୍କର ଅନ୍ୟ କେଉଁଠାରେ ଘର ଦ୍ୱାର ନାହିଁ ଓ ସେମାନେ ପୁରୁଷ ପୁରୁଷ ଧରି ଏହି ଅଂଚଳରେ ବସବାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ସିଧାସଳଖ ବୈଷମ୍ୟ ନାହିଁ କି?”

ନେହରୁ: “ଅବଶ୍ୟ ସମସ୍ୟା ଗୁଡିକ ଭିନ୍ନ । ତେବେ ଯେତେ ସଂଖ୍ୟାରେ ୟୁରୋପୀୟମାନେ ସେଠାରେ ରହିଲେ ମଧ୍ୟ ଆଫ୍ରକାର ଅଧିବାସୀଙ୍କର ଜନସଂଖ୍ୟା ତା ଠାରୁ ଯଥେଷ୍ଟ ଅଧିକ ହେବ । ଦୁଇଟି ବିକଳ୍ପ ଅଛି, ସେମାନେ ପରସ୍ପର ସହିତ ସହଯୋଗ କରି ଚଳିବେ ବା ଜଣେ ଅନ୍ୟଜଣକୁ ଦମନ କରିବ । ଯଦି ୟୁରୋପୀୟମାନେ ଅଫ୍ରିକାର ଅଧିବାସୀଙ୍କୁ ଦମନ କରିବା ପାଇଁ ଚେଷ୍ଟା କରନ୍ତି ତାହା ହେଲେ ଏକ ଏପରି ସମୟ ଆସିବ ଯେତେବେଳେ ଆଫ୍ରିକାର ଲୋକେ ୟୁରୋପୀୟମାନଙ୍କୁ ଦମନ କରିବେ ଏବଂ ସେମାନଙ୍କୁ ବିତାଡିତ କରିଦେବେ କାରଣ ଆଫ୍ରିକୀୟଙ୍କର ସଂଖ୍ୟା ୟୁରୋପୀୟମାନଙ୍କ ସଂଖ୍ୟା ଠାରୁ ଅଧିକ ।”

Donald McLaughlin: “ପ୍ରଧାନମନ୍ତ୍ରୀ ମହାଶୟ, ଜାତିସଂଘରେ ଏହା ଦ୍ୱାରା ଗୋଟିଏ ସମସ୍ୟା ଉପୁଜିଛି । ଏହା କହିବା ଠିକ ହେବ ଯେ ଆଫ୍ରିକାରେ ବ୍ରିଟିଶ ଏବଂ ଅନ୍ୟ ୟୁରୋପୀୟ ନୀତି ସମ୍ପର୍କରେ ଭାରତ ଏବଂ ଅନ୍ୟ ଏସିଆର ରାଷ୍ଟ୍ର ଗୁଡିକ ସେମାନଙ୍କର ଅତି ଦୃଢ ମତ ବ୍ୟକ୍ତ କରିଛନ୍ତି । ଆପଣ କଣ ଭାବୁଛନ୍ତି ଏହା ଦ୍ୱାରା ବର୍ଣ୍ଣ ସମ୍ପର୍କର ସୁଧାରକୁ ଆପଣ ସାହାଯ୍ୟ କରୁଛନ୍ତି ନା ଏହାକୁ ଅଧିକ ତିକ୍ତ କରୁଛନ୍ତି ।”

ନେହରୁ: “ମୋର ମନେ ପଡୁନାହିଁ ଯେ ଆଫ୍ରିକାରେ ବ୍ରିଟିଶ ନୀତି ସମ୍ପର୍କରେ ଆମେ ଜାତିସଂଘରେ ବେଶୀ କିଛି କହିଛୁ । ଆମେ ଅନେକ କଥା କହିଛୁ ଦକ୍ଷିଣ ଆଫ୍ରିକାର ସ୍ଥିତି ସମ୍ପର୍କରେ ଏବଂ (ଉତ୍ତର ଆଫ୍ରିକା, ଫରାସୀ ଉତତର ଆଫ୍ରିକାର) ମରକକୋ ଏବଂ ଟ୍ୟୁନିସିଆ ସମ୍ପର୍କରେ ।”

Donald McLaughlin: “ଆପଣ କଣ ଭାବନ୍ତି ଯେ ଏହା ଆଫ୍ରିକୀୟମାନଙ୍କ ସହିତ ସମସ୍ୟାର ସମାଧାନ କରିବାରେ ଫରାସୀଙ୍କୁ ସାହାଯ୍ୟ କରିବ ?”

ନେହରୁ: “ମୁଁ ଭାବୁଛି ଏହା ଏକ ଜିଜ୍ଞାଷୁ (curious) ପ୍ରଶ୍ନ । ଯେପରି କୁହାଯାଉଛି ଯେ ତୁମ ଚାରିପଟେ ଘଟୁଥିବା ଅନିଷ୍ଟ ସମ୍ପର୍କରେ କିଛି କୁହା ଯିବା ଉଚିତ ନୁହେଁ, ପଛକେ ପରିସ୍ଥିତି ଆହୁରି ଖରାପ ହେଉଥାଉ । ମୋର ପ୍ରକୃତରେ ମନେ ହୁଏ, ଯେହେତୁ କୈାଣସି ଏକ ପରିସ୍ଥିତିରେ, ମୁଁ ଭାରତର ପ୍ରଧାନମନ୍ତ୍ରୀ ହେଲି, ମୋତେ ମୋ ନିଜ ଉପରେ ସବୁବେଳେ ନିୟନ୍ତ୍ରଣ ରଖିବାକୁ ପଡିବ ଯେ ମୁଁ କ’ଣ କହୁଛି । ଅନ୍ୟଥା ମୁଁ ଘର ଉପରୁ ଚିକ୍ରାର କରି କହିବି କ’ଣ ଘଟୁଛି ସାରା ପୃଥିବୀରେ ଏବଂ ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ , ଏବେ ଯେପରି ଚୁପ ଅଛି ସେପରି ନଥାନ୍ତି । ”

Kingsley Martin: “ଆପଣ କଣ କିଛି ଫରକ ଅନୁଭବ କରୁଛନ୍ତି, ସେହି ଦେଶମାନଙ୍କ ମଧ୍ୟରେ ଅର୍ଥାତ୍ ଭାରତୀୟ ରହୁଥିବା ଦେଶ ଓ ଅନ୍ୟମାନେ ରହୁଥିବା ଦେଶମାନଙ୍କ ମଧ୍ୟରେ? ମୋତେ ଲାଗୁଛି ଯେଉଁ ଦେଶରେ ଅଧିକ ସଂଖ୍ୟକ ଭାରତୀୟ ଅଛନ୍ତି, ଯେପରି କେନିଆରେ, ଯେଉଁଠାରେ ୟୁରୋପୀୟଙ୍କ ଠାରୁ ଦୁଇଗୁଣ ଅଧିକ ଭାରତୀୟ ରହୁଛନ୍ତି, ସେପରି ଦେଶ ପ୍ରତି ଆପଣଙ୍କର ବିଚାର ସାମନ୍ୟ ଭିନ୍ନ ।”

ନେହରୁ: “ହଁ, ଆମେ ସେଠାକାର ଭାରତୀୟଙ୍କୁ ବର୍ଷ ବର୍ଷ ଧରି କହିଆସିଛୁ ଯେ ସେମାନେ ଆଫ୍ରିକାର ଅଧିବାସୀମାନଙ୍କ ସହ ସହଯୋଗ କରିବା ଉଚିତ, ସେମାନେ ଆଫ୍ରିକାର ଅଧିବାସୀଙ୍କୁ ଶୋଷଣ କରିବା ଉଚିତ ନୁହେଁ ବା ସେମାନଙ୍କର କୈାଣସି ସୁଯୋଗ ନେବା ଉଚିତ ନୁହେଁ । ଏବଂ ଆମେ ତାଙ୍କର କୈାଣସି ବିଶେଷ ସୁବିଧା ପାଇଁ ଦାବିକୁ ସମର୍ଥନ କରିବୁ ନାହିଁ ଯାହା ଆଫ୍ରିକାର ଅଧିବାସୀଙ୍କ ପାଇଁ ପ୍ରତିକୂଳ ହେବ । ଯଦି ତୁମେ ଆଫ୍ରିକାର ଅଧିବାସୀଙ୍କ ସହିତ ଚଳି ପାରିବ ନାହିଁ, ତାହାହେଲେ ତୁମକୁ ଆଫ୍ରିକାରୁ ବାହାରି ଯିବାକୁ ହେବ -ଏହା ଆମେ ଭାରତୀୟଙ୍କୁ କହିଛୁ ।”

Kingsley Martin: “କିନ୍ତୁ ରାଷ୍ଟ୍ରମଣ୍ଡଳ ସମ୍ମିଳନୀରେ ଆପଣ ଦକ୍ଷିଣ ଆଫ୍ରିକା ସ୍ଥିତି ଉପରେ କୈାଣସି ବିଶେଷ ଆଲୋଚନା କରନ୍ତି ନାହିଁ । ଆପଣ ବୋଧହୁଏ ଭାବନ୍ତି ଏହା ରାଷ୍ଟ୍ରମଣ୍ଡଳର ବିଷୟ ନୁହେଁ, ଜାତିସଂଘର ବିଷୟ ।”

BBC : “ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଏହି ପ୍ରସଂଗରେ ପଚାରିବାକୁ ଚାହିୁଁଛି ଯେ ରାଷ୍ଟ୍ରମଣ୍ଡଳର ଆଜି କେଉଁ ପ୍ରକାରର ଭୂମିକା ଆପଣ ବିଶ୍ୱରେ ଦେଖୁଛନ୍ତି । ଆମେ କଥା ହୋଇଛୁ ଜାତିସଂଘ ବିଷୟରେ, ଏବଂ ଏସିଆ ତଥା ବିଶ୍ୱରେ ଭାରତର ଭୂମିକା ବିଷୟରେ । ଏବେ ଯେତେବେଳେ ଆପଣ ସିଧାସଳଖ ରାଷ୍ଟ୍ରମଣ୍ଡଳ ସମ୍ମିଳନୀରୁ ଆସିଛନ୍ତି, ସେତେବେଳେ ରାଷ୍ଟ୍ରମଣ୍ଡଳର କି ପ୍ରକାର ଭୂମିକା ଦେଖୁଛନ୍ତି ?”

ନେହରୁ: “ମୁଁ ଭାବୁଛି ରାଷ୍ଟ୍ରମଣ୍ଡଳର ଏପରି ବିକାଶର ବେଶ ଗୁରୁତ୍ୱ ରହିଛି । ମୁଁ ଏବେ କହି ପାରିବି ନାହିଁ ଯେ ଏହାର ଭବିଷ୍ୟତ ସ୍ୱରୂପ ବା ଆକାର ବା ମହତ୍ତ୍ୱ୍ୱ କେଉଁ ପ୍ରକାର ହେବ ? ବିଭିନ୍ନ ଦେଶର ଲୋକଙ୍କ ଭିତରେ ଏହି ପ୍ରକାରର ମିଳାମିଶା, ବିଭିନ୍ନ ସ୍ୱାର୍ଥ , ବିଭିନ୍ନ ଦୃଷ୍ଟିକୋଣର ଲୋକ ପରସ୍ପର ସହିତ ମିଶିବା ଏବଂ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ଭିତରେ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିବା ବହୁତ ବଡ କଥା । ତେଣୁ ମୁଁ ଏପରି ପ୍ରଶ୍ନ ଉତ୍ଥାପନ କରିବାକୁ ଚାହେଁ ନାହିଁ ଯାହା ଏହାର ଭୂମିକାକୁ ବଦଳାଇ ଦେବ, ଓ ଏହାକୁ ଏକ ସର୍ବୋପରି ସଂଗଠନ(super state)ରେ ପରିଣତ କରିଦେବ ଯାହା ପରିଣତିରେ ଏହାକୁ ପ୍ରାୟ ଭାଂଗି ଦେବ ।”

Donald McLaughlin: “ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ । ମୁଁ ଯାହା ପଚାରୁ ଥିଲି ସେ ପ୍ରଶ୍ନକୁ ଫେରୁ ଥିବାରୁ ଆପଣ ମତେ କ୍ଷମା କରିବେ । ଅନ୍ୟ ଦେଶମାନଙ୍କରେ ଯାହା କିଛି ଘଟୁଛି ସେ ବିଷୟରେ ନୈତିକ ଦୃଷ୍ଟିକୋଣ ବ୍ୟକ୍ତ କରିବା ପାଇଁ ଆପଣ ଅତି ସ୍ପଷ୍ଟ ଭାବରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଅଧିକାର ସମ୍ପର୍କରେ କହିଛନ୍ତି ।”

ନେହରୁ: “ମୁଁ ଭିନ୍ନ କିଛି କହିଛି । ମୁଁ କହୁଥିଲି ଯେ ପ୍ରଧାନମନ୍ତ୍ରୀ ଭାବେ ମୋ ନିଜକୁ ସଂଯମିତ କରିବାକୁ ହେବ । ମୁଁ କହୁଥିଲି ଯେ ମୁଁ ଯଦି ପ୍ରଧାନମନ୍ତ୍ରୀ ହୋଇ ନ ଥାନ୍ତି ତାହାହେଲେ ଏହା କରୁଥାନ୍ତି ।”

Donald McLaughlin: “କ୍ଷମା କରିବେ, ଆପଣ ଯାହା କହିଲେ ମୋ ପ୍ରଶ୍ନ ତା ପ୍ରତି ଇଂଗିତ କରେ ନାହିଁ । ଆପଣ କଣ ଭାବୁଛନ୍ତି ଯେ ରାଷ୍ଟ୍ରମଣ୍ଡଳ ଭିତରେ ସଭ୍ୟମାନେ ବ୍ୟକ୍ତିଗତ ସ୍ତରରେ ଅନ୍ୟମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ସେମାନଙ୍କର ମତ ବ୍ୟକ୍ତ କରିବା ଉଚିତ ? ଆପଣଙ୍କ ବିଚାରରେ ଏହା କ’ଣ ଏକ ସୁସ୍ଥ ଆଚରଣ ?”

ନେହରୁ: “ଆମେ ସରକାରଙ୍କ କଥା କହୁଛେ ନା ସରକାରରେ ଥିବା ବ୍ୟକ୍ତିଙ୍କ କଥା କହୁଛେ । ସାଧାରଣତଃ, ସରକାରରେ ଥିବା ବ୍ୟକ୍ତିମାନେ ଏପରି କରିବା ଉଚିତ ନୁହେଁ । କିନ୍ତୁ ଏହା ମଧ୍ୟରେ ବିଭାଜନ ରେଖା ଟାଣିବା ବେଶ କଷ୍ଟ । ଦକ୍ଷିଣ ଆଫ୍ରିକା ପ୍ରଶ୍ନକୁ ନିଆଯାଉ, ଯାହାକୁ ଆମେ ଜାତିସଂଘରେ ସର୍ବସାଧାରଣଙ୍କ ଗୋଚରରେ ଉତ୍ଥାପିତ କରିଲୁ । ଆମେ ଆଗତ କରିଥିବା ପ୍ରସ୍ତାବକୁ ଜାତିସଂଘ ଅନୁମୋଦନ କଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଏହାକୁ ପ୍ରତ୍ୟାଖ୍ୟାନ କଲା ଓ ଆଡେଇ ଦେଲା । ବର୍ତମାନ କ’ଣ ଆମେ ସେ ସମ୍ପର୍କରେ ନୀରବ ରହିବା? ସ୍ୱାଭାବିକ, ଆମକୁ କିଛି କହିବାକୁ ହେବ । ଶିଷ୍ଟାଚାର ଏବଂ ଡ୍ରଇଂ ରୁମ ଶିଷ୍ଟାଚାର ବହୁତ ଭଲ । କିନ୍ତୁ ଯେତେବେଳେ ନିଆଁ ଲାଗିଥିବ, ଆମେ ଏପରି ବ୍ୟବହାର କରିପାରିବା ନାହିଁ ଯେପରି ଆମେ ଡ୍ରଇଂ ରୁମରେ ବସିଛୁ । ଯେତେବେଳେ ବିଶ୍ୱ ପ୍ରତି ବିପଦ ଦେଖାଯାଉଛି ସେତେବେଳେ ଏହା ବ୍ୟକ୍ତିଗତ ସ୍ତରର ବିଷୟ ନୁହେଁ । ଯେତେବେଳେ କୈାଣସି ନୀତିର ପ୍ରଚଳନ ହେଉଛି ଯାହା ସାରା ଏସିଆ ଓ ଆଫ୍ରିକାକୁ ବିପଦରେ ପକାଇପାରେ, ସେତେବେଳେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ ରହିବା ଅତ୍ୟନ୍ତ ଭୁଲ । ପ୍ରଧାନମନ୍ତୀ ଭାବେ ଏହା କେହି କରେ ନାହିଁ । ପ୍ରଧାନମନ୍ତ୍ରୀ ଭାବେ ମୁଁ ନୀରବ ରହିବି ନାହିଁ ।”

Kingsley Martin: “ମୁଁ ବୁଝୁଛି । ଯଦି ମୁଁ ପଚାରେ, ମୋ ବିଚାରରେ ଯାହା ଏକ ୬୪ ଡଲାରର ପ୍ରଶ୍ନ, କ’ଣ ପ୍ରଧାନମନ୍ତ୍ରୀ ଭାବନ୍ତି ଯେ ଅବଶିଷ୍ଟ ବିଶ୍ୱ ପ୍ରତି ରୁଷୀୟ ନୀତି, ରୁଷୀୟ ମନୋବୃତ୍ତିରେ କୈାଣସି ପରିବର୍ତନ ପ୍ରକୃତରେ ଆସିଛି ? ନିକଟରେ ରୁଷର ଆଭ୍ୟନ୍ତରୀଣ ଓ ବର୍ହିଦେଶ ନୀତିରେ ପରିବର୍ତନର ବିବେଚନା ସେ କିପରି କରନ୍ତି? ଏହା କ’ଣ ବହୁତ କ୍ଳିଷ୍ଟ ପ୍ରଶ୍ନ?”

ନେହରୁ: “ଏହା କଷ୍ଟ, ଏହି ଅର୍ଥରେ ଯେ ନିର୍ଦ୍ଦିଷ୍ଟ ଭାବରେ ଜଣେ କିଛି କହି ପାରିବ ନାହିଁ । କିନ୍ତୁ ମୋ ଦୃଷ୍ଟିରେ ଓ ବେଶ ନିଶ୍ଚିତ ଦୃଷ୍ଟିରେ ପରିବର୍ତନ ତ ଆସିଛି, ଏକ ଉଲ୍ଲେଖନୀୟ ପରିବର୍ତନ ହୋଇଛି ଏବଂ ରୁଷ ନିଶ୍ଚିତ ରୂପରେ ଚାହୁଁଛି, ଯାହାକୁ ଶାନ୍ତି କହିବି, ଯେ କୈାଣସି କାଳଖଣ୍ଡ ପାଇଁ ହୋଇପାରେ; କହି ପାରବି ନାହିଁ ଯେ ଏହା ହେବ ସବୁ ସମୟ ପାଇଁ ।”

H B Hudson: “ଆପଣ କହୁ ନାହାନ୍ତି ତ ସେମାନେ ସାରା ବିଶ୍ୱ ଉପରେ କମ୍ୟୁନିଷ୍ଟ ଆଧିପତ୍ୟ ସାବ୍ୟସ୍ତ କରି ବିଶ୍ୱ ବିପ୍ଳବ ସଂଗଠିତ କରିବାର ଆଦର୍ଶକୁ ତ୍ୟାଗ କରି ଦେଇଛନ୍ତି ?”

ନେହରୁ: “ମୁଁ କହି ପାରିବି ନାହିଁ । କିନ୍ତୁ ମୁଁ ଏହାକୁ ଏହି ଭଳି କହିବି ଯେ ସେମାନେ ହୁଏତ ଭାବୁଥିବେ ଏପରି କୈାଣସି ଦୁଃସାହସିକ କାର୍ଯ୍ୟରେ ନ ମାତି ଯାହା ଯୁଦ୍ଧ ଏବଂ ଅସ୍ଥିରତା ସୃଷ୍ଟି କରିବ, ରୁଷରେ ଆଭ୍ୟନ୍ତରୀଣ ପରିଣାମର ପ୍ରଦର୍ଶନ କରାଯାଇପାରଲେ ବିଶ୍ୱ ବିପ୍ଳବକୁ ଆହୁରି ବେଶୀ ଆଗକୁ ନିଆ ଯାଇପାରିବ ।”

Kingsley Martin: “କେଉଁ ଆଧାରରେ ଆପଣ ଏକ ବଡ ଶକ୍ତି ସମ୍ମିଳନୀରୁ କିଛି ପରିଣାମର ଆଶା କରିପାରୁଛନ୍ତି?”

ନେହରୁ: “ମୁଁ ନିଶ୍ଚିତ ଭାବରେ ଭାବୁଛି ଯେ ବର୍ତମାନ ସମ୍ମିଳନୀ ପାଇଁ ସଠିକ ସମୟ ଆସିଛି ଯେତେବେଳେ ଏହାର ପରିଣାମ ଉପଲବ୍ଧ ହେବା ଉଚିତ ।”

Donald McLaughlin: “ଆପଣ କ’ଣ ଭାବନ୍ତି ଯେ ଭାରତ ସରକାରର ଉପସ୍ଥିତି ବିନା ଚାରି ଶକ୍ତି(ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟ ବ୍ରିଟେନ, ଫ୍ରାନ୍ସ ଏବଂ ସୋଭିଏଟ ରୁଷ) ସମ୍ମେଳନ ଏସିଆର ପ୍ରଶ୍ନକୁ ପର୍ଯ୍ୟାପ୍ତଭାବେ ସମାଧାନ କରି ପାରିବ ? ଏହା ହୋଇପାରେ କି , କ୍ଷମା କରିବେ, ଦକ୍ଷିଣ ଏସିଆ ।”

ନେହରୁ: “ଏସିଆ ଅର୍ଥାତ୍……”

Donald McLaughlin: “ସୁଦୂର ପୂର୍ବ ଏବଂ ମଧ୍ୟ ଏସିଆ ।”

ନେହରୁ: “ମଧ୍ୟ ଏସିଆ? ମଧ୍ୟ ଏସିଆ କହିଲେ କଣ ବୁଝୁଛନ୍ତି?”

Donald McLaughlin: “କ୍ଷମା କରିବେ, ଦକ୍ଷିଣ ଏସିଆ ।”

ନେହରୁ: “ଆଚ୍ଛା ଦକ୍ଷିଣ ଏସିଆ । ଏହା ସତ୍ୟ ଯେ ଏସିଆର ସେଠାରେ ପ୍ରତିନିଧିତ୍ୱ ହେବା ଆବଶ୍ୟକ । ଏସିଆର ଦେଶମାନେ ଯେ ପ୍ରଭାବିତ ।”

Donald McLaughlin: ତେଣୁ ଚାରି ଶକ୍ତି ସମ୍ମେଳନ ପରେ ଆପଣ କିଛି ବଡ ହେବାର ଅପେକ୍ଷା କରୁଛନ୍ତି ଯେଉଁଥିରେ ଭାରତ ଅଂଶ ଗ୍ରହଣ କରିପାରେ, ବା ଆପଣଙ୍କ ବିଚାରରେ ଜାତିସଂଘର କାର୍ଯ୍ୟ ପ୍ରଣାଳୀ ଯଥେଷ୍ଟ ଅଟେ, ଥରେ ଯଦି ଏହାକୁ ବ୍ୟବହାର କରିବାର ଇଚ୍ଛାଶକ୍ତି ଥାଏ ?”

ନେହରୁ: “ମୁଁ ଜାଣେ ନା । ଜାତିସଂଘରେ ବହୁତ ପରିବର୍ତନ ଆସିଛି । ଯେପରି ଆପଣ ଜାଣନ୍ତି, ଅନେକେ ଯୁକ୍ତି କରୁଛନ୍ତି ଯେ ଏହି ଅନୁଷ୍ଠାନ ତାର ବର୍ତମାନ ସ୍ୱରୂପରେ କାଏମ ରହିବ ନା ନାହିଁ । ଏହା ଆରମ୍ଭ ହୋଇଥିଲା ଏକ ସାର୍ବଜନୀନ ସଂଗଠନ(universal body) ଭାବରେ ଯେଉଁଥିରେ ପ୍ରତ୍ୟେକ ସ୍ୱାଧୀନ ଦେଶ ଅନ୍ତର୍ଭୁକ୍ତ ହୋଇପାରିବେ । ବର୍ତମାନ କେତେକ ବଡ ବଡ ସ୍ୱାଧୀନ ଦେଶକୁ ଏଥିରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ମୋର ବିଚାରରେ ଏହା ଜାତିସଂଘର ମୂଳ ଧାରଣାର ସମ୍ପୂର୍ଣ୍ଣ ବିରୋଧୀ । ଉଦାହରଣ ସ୍ୱରୂପ ଚୀନକୁ ଏହା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ । ଏହା ଚୀନକୁ ବା ଚୀନ ଅଧିବାସୀଙ୍କ ସରକାରକୁ ଚାହିଁବା ନ ଚାହିଁବାର ପ୍ରଶ୍ନ ନୁହେଁ, ପ୍ରଶ୍ନ ହେଉଛି ତଥ୍ୟ ବା ବସ୍ତବିକତାକୁ ସ୍ୱୀକାର କରିବା । ଯଦି ଆପଣ ଏହା କରୁ ନାହାନ୍ତି ତାହେଲେ ଚୀନ ଉପରେ ଏହାର ବେଶୀ ପ୍ରଭାବ ପଡୁ ନାହିଁ, ବେଶୀ ପ୍ରଭାବ ପଡୁଛି ଜାତିସଂଘ ଉପରେ ।”

BBC : “ଆପଣ କ’ଣ ଭାବୁଛନ୍ତି କୋରିଆ ସହିତ ସନ୍ଧି ପରେ, ଚୀନକୁ ଆଣିବା ସମ୍ଭବ ହେବ? ଏବେ କ’ଣ ଆଉ ପ୍ରତିବନ୍ଧକ ଅଛି?”

ନେହରୁ: “ମୁଁ ଆଶା କରୁଛି ଏହା ସମ୍ଭବ ହେବ । ଏବଂ ମୋର ବିଶ୍ୱାସ ଯେ ଘଟଣାଦିର ଚାପ ଏହାକୁ ସମ୍ଭବ କରିବ । ଏହା କିଛି ସମୟ ନେଇପାରେ, ସହସା ସନ୍ଧି ପରେ ହୁଏତ ନୁହେଁ ।”

BBC : “ଯଦି ଆପଣ ବରମୁଡା ସମ୍ମିଳନୀରେ ଉପସ୍ଥିତ ହେଉଥାନ୍ତେ, ଶ୍ରୀଯୁକ୍ତ ଆଇଜେନହ୍ୱାରାଙ୍କ ଉପରେ କେଉଁ ପ୍ରକାରର ଚାପ ପକାଇବା ଉଚିତ ବୋଲି ଆପଣ ଭାବୁଥାନ୍ତେ? ଚୀନର ପ୍ରବେଶ ସମ୍ପର୍କରେ କେଉଁ ପ୍ରକାରର ବୁଝାମଣାର ସମ୍ଭାବନା ଆପଣ ଦେଖୁଛନ୍ତି ? ସୁଦୂର ପୂର୍ବ ସମ୍ପର୍କରେ ଆପଣ କେଉଁ ପ୍ରକାର ସମାଧାନ ଦେଖୁଛନ୍ତି ଯାହାର ଆଲୋଚନା ବରମୁଡା ସମ୍ମିଳନୀରେ ହେବା ଉଚିତ?”

ନେହରୁ: “ଆପଣ ନିଶ୍ଚିତ ଆଶା କରୁ ନାହାନ୍ତି ମୋର କହିବା ଯେ ମୁଁ ବରମୁଡାରେ କଣ ହେବ ବୋଲି ଆଶା କରୁଛି ଏହାକୁ ଛାଡି ଯେ ପରେ ଜାତିସଂଘରେ ଚୀନର ପ୍ରବେଶ ପ୍ରଶ୍ନ ଉଠିବ ହିଁ ଉଠିବ । କୋରିଆ ସନ୍ଧି ଆଲୋଚନାରେ ହେଉ ବା ଏହା ପରେ କୈାଣସି ରାଜନୈତିକ ସମ୍ମିଳନୀରେ ହେଉ, ଚୀନ ସେଠାରେ ରହିବ ହିଁ ରହିବ, ଏହା କହିବା କଣ ଅସଂଗତ ? ସେଠାରେ ଚୀନ ଅଛି, ଯୁକ୍ତରାଷ୍ଟ୍ର ଆମେରିକା ଅଛି, ବ୍ରିଟିଶ ଅଛି, ଅନ୍ୟାନ୍ୟ ଦେଶ ଅଛନ୍ତି । ସେମାନେ ଏକାଠି ହେଉଛନ୍ତି ସମସ୍ୟାର ବିଚାର ପାଇଁ । ଯେତେବେଳେ ବଡ ବଡ ସମସ୍ୟାର ବିଚାର ଏହି ଭଳି କରାଯାଉଛି ସେତେବେଳେ ଆଉ କେଉଁ ସ୍ୱୀକୃତିର ଆବଶ୍ୟକତା ଅଛି? ଏହା ପରେ, ଏହା ଅସଂଗତ ମନେ ହୁଏ କହିବା ଯେ ଆମେ ତୁମକୁ ଅନୁମତି ଦେବୁ ନାହିଁ ଅନ୍ୟ ବିଷୟରେ କହିବାକୁ ବା ଜାତିସଂଘରେ ପ୍ରବେଶ କରିବାକୁ ।”

H B Hudson: “ପ୍ରଧାନମନ୍ତ୍ରୀ ମହାଶୟ, ଆପଣ କ’ଣ ରାଜି ହେବେ ଯେ ଆଂଗ୍ଲ ଆମେରିକା, ବ୍ରିଟିଶ ଆମେରିକା , ବ୍ରିଟିଶ ରାଷ୍ଟ୍ରମଣ୍ଡଳ ଆମେରିକା, ଯଦି ଆପଣ ଏପରି କୁହନ୍ତି, ସେମାନଙ୍କ ମଧ୍ୟରେ ବୁଝାମଣାର ଏକ ବିଶେଷ ମୂଲ୍ୟ ରହିଛି ଆମ ଗଣତନ୍ତ୍ରର ସାଧାରଣ ଆଦର୍ଶର ସୁରକ୍ଷା ପାଇଁ ?”

ନେହରୁ: “ହଁ, ନିଶ୍ଚିତ ଭାବରେ ।”

H B Hudson: “ଏପରି ଲକ୍ଷ୍ୟ ରହିବାରେ, ତା ନିଜର ଏକ ମୂଲ୍ୟ ରହିଛି । କିନ୍ତୁ ଏକ ସାଲିସ ଆବଶ୍ୟକ ହୋଇ ପାରେ ଆମ ତରଫରୁ, ସେ ଅନ୍ୟ ପକ୍ଷ ସହିତ ଯେଉଁମାନଙ୍କ ନୀତି ସହିତ ଆମେ ଶତ ପ୍ରତିଶତ ଆଖି ମିଶାଇ ପାରୁନା ।”

ନେହରୁ: “ଶ୍ରୀଯୁକ୍ତ ହଡସନ, ରାଜନୈତିକ ବ୍ୟକ୍ତିମାନେ ସବୁବେଳେ ସାଲିସ କରିଥାନ୍ତି । ସେମାନଙ୍କୁ କରିବାକୁ ପଡିଥାଏ । କିନ୍ତୁ ଗୋଟିଏ ପ୍ରବଣତା ଅଛି, ଯଦି ମୁଁ ଏହା କହି ପାରେ, ଇଉରୋପ ଏବଂ ଆମେରିକାର ରାଜନାୟକମାନେ ବିଶ୍ୱକୁ ଇଉରୋପ ଏବଂ ଆମେରିକାରୁ ଦେଖୁଛନ୍ତି । ଯଦି ଏହି ସମାନ ବିଶ୍ୱକୁ ବା ସମାନ ନୀତିକୁ ଆମେ, କୁହାଯାଉ ଦୀଲ୍ଳୀ ବା କରାଚୀରୁ ଦେଖିବା ତାହାହେଲେ ବିଶ୍ୱ ସାମାନ୍ୟ ଭିନ୍ନ ଦିଶିବ । ଭୁଗୋଳର ଭୂମିକା ଅଛି । ଚୀନର ପ୍ରଶ୍ନକୁ ନିଆଯାଉ । ଇଉରୋପ ଏବଂ ଆମେରିକାର ଲୋକଙ୍କ ପାଇଁ ଚୀନ ଏକ ବହୁ ଦୂରରେ ଥିବା ଦେଶ । କିନ୍ତୁ ଚୀନର ଭାରତ ସହିତ ସୀମା ଯେତେବେଳେ ୨୦୦୦ ମାଇଲ ସେତେବେଳେ ଦୃଶ୍ୟ କିଛି ଭିନ୍ନ ହେବ ।”

H B Hudson: “ମୁଁ ନିଶ୍ଚିତ ସ୍ୱୀକାର କରିବି ଯେ ଏସିଆରେ ଆପଣଙ୍କର ଅବଦାନ ଅମୁଲ୍ୟ ଅଟେ । ମୁଁ କେବଳ ଏହା ହିଁ ଜଣାଉଥିଲି ।”

ନେହରୁ: “ମୁଁ ଯେପରି କହିଛି ତାହା ହେଉଛି ମୂଲ୍ୟ(value) । ରାଷ୍ଟ୍ରମଣ୍ଡଳ ସମ୍ମିଳନୀର ବୈଶିଷ୍ଟ୍ୟ ହେଉଛି ଏଠାରେ ବିଭିନ୍ନ ଦୃଷ୍ଟିକୋଣ ଉଚ୍ଚାରିତ ହୁଏ, ହୁଏତ ସେମାନଙ୍କ ମଧ୍ୟରେ କିଛିଟା ବିବାଦ ହୋଇପାରେ କିନ୍ତୁ ବନ୍ଧୁତ୍ୱ ପୂର୍ଣ୍ଣ ଭାବେ, ଯାହା ଆଗେଇ ନେଇ ପାରେ ଏକ ଭଲ ବୁଝାମଣା ଆଡକୁ ।”

Donald McLaughlin: “ପ୍ରଧାନମନ୍ତ୍ରୀ ମହାଶୟ, ଆପଣଙ୍କର ଗୋଟିଏ ସମସ୍ୟା ବହୁ ବର୍ଷ ଧରି ରହିଆସିଛି ଯାହା ଆପଣଙ୍କର ସାଲିସ କରିବାର ସାମର୍ଥ୍ୟକୁ ପରୀକ୍ଷା କରିଛି । ମୁଁ ଆପଣଙ୍କୁ ପଚାରି ପାରେ କି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯେଉଁ ଅସୁବିଧା ସବୁ ରହିଛି ତାହାର ସମାଧାନ ପାଇଁ ଜାତିସଂଘର ସହଯୋଗ ସାହାଯ୍ୟକାରୀ ହୋଇଛି କି?”

ନେହରୁ: “ବୋଧହୁଏ ନୁହେଁ ।”

Donald McLaughlin: “ଜାତିସଂଘ ସାହାଯ୍ୟ କରି ନାହିଁ?”

ନେହରୁ: “ସମସ୍ତ ଭଲ ଉଦେଶ୍ୟ ସତ୍ତ୍ୱେ , ଏହା ସାହାଯ୍ୟକାରୀ ବୋଲି ପ୍ରମାଣିତ ହୋଇ ନାହିଁ । କାରଣ ତୃତୀୟ ପକ୍ଷର ସାହାଯ୍ୟ ଅପେକ୍ଷା ସମସ୍ୟାର ସମାଧାନ ସିଧା ସଳଖ ଅଧିକ ସହଜରେ ହୋଇପାରେ ।”

Untitled Design 3 300x169

Kingsley Martin: “ଏହା ଏପରି ନୁହେଁ କି କାଶ୍ମୀର ବିବାଦରେ ଉଭୟ ପକ୍ଷ ପ୍ରଥମେ ସମୁଦାୟ ଅଂଚଳ ଉପରେ ଆଇନଗତ ଦାବି କରୁଥିଲେ? କିନ୍ତୁ ଉତତରରେ ପାକିସ୍ଥାନ ଏବଂ ଭାରତ ହାତରେ ଜାମ୍ମୁ ଏପରି ଯଦି ବୁଝାମଣା ହୋଇପାରନ୍ତା, ତାହାହେଲେ ସମ୍ପୂର୍ଣ୍ଣ ସମାଧାନ ହୋଇ ଯାଆନ୍ତା?”

ନେହରୁ: “ଏହା ସତ । କିନ୍ତୁ ଆପଣ ମନେ ରଖିବା ଉଚିତ ଯେ ଜାତିସଂଘକୁ ଯିବାର ପ୍ରଥମ କାରଣ ଥିଲା ଏକ ସାଧାରଣ ବିଷୟ, ତାହା ହେଉଛି ପାକିସ୍ଥାନର ଆକ୍ରମଣ, ଏହା ହିଁ ଥିଲା ବିଷୟ । ମୂଁ ସ୍ୱୀକାର କରୁଛି ଆପଣ ଯାହା କହୁଛନ୍ତି । ଯଦି ଆପଣ ବିଷୟଟିକୁ ସାମଗ୍ରିକ ଭାବରେ ବିଚାର କରିବେ, ବିଷୟଟି ବେଶ ଜଟିଳ ଯାହାକୁ କୈାଣସି ସରଳ ଉପାୟରେ ସମାପ୍ତ କରିହେବ ନାହିଁ ।”

Kingsley Martin: “ତେଣୁ ଜାତିସଂଘ ଆଇନଗତ ଚର୍ଚ୍ଚା ପାଇଁ ଠିକ ନୁହେଁ ।”

BBC : “ଶ୍ରୀଯୁକ୍ତ ନେହରୁ, ଆଜି ରାତି ପାଇଁ ଆମ ସମୟ ସରି ଆସିଲାଣି । ମୁଁ ଆମମାନଙ୍କ ତରଫରୁ ଏବଂ ଆମ ବିଭାଗ ତରଫରୁ ଧନ୍ୟବାଦ ଦେବି ଆପଣଙ୍କ ଉତ୍ତର ପାଇଁ ଯାହା ଆପଣ ପ୍ରଧାନମନ୍ତ୍ରୀ ଭାବେ ଦେଇଛନ୍ତି ଓ ଯାହା ପଣ୍ଡିତ ନେହରୁଙ୍କ ଠାରୁ ଆମେ ପାଇଛୁ । ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦେବି ଏବଂ ଯେ କୈାଣସି ସମୟରେ ଇଂଲଣ୍ଡ ଆସିବାକୁ ସ୍ୱାଗତ କରିବି,ଏବଂ ଆଶା କରିବି ଯେ ଆପଣ ପୁଣି ଟେଲିଭିଜନରେ ଆମକୁ ଉଦବୋଧନ ଦେବେ । ଧନ୍ୟବାଦ୍ । ”

ନେହରୁ:“ଧନ୍ୟବାଦ୍ । ମୁଁ ଯେତେ ଖରାପ ହେବ ବୋଲି ଭାବୁଥିଲି ସେପରି ହୋଇ ନାହିଁ ଗତ ଅଧ ଘଂଟାର କଥାବର୍ତାରେ । ପ୍ରକୃତରେ ସମୟ ଖୁବ ଶୀଘ୍ର ଚାଲିଗଲା । ମୁଁ ଆଶ୍ଚର୍ଯ୍ୟ ହେଉଛି ଏହା ସରିଗଲା । ବୋଧହୁଏ ଏଇଥି ପାଇଁ ଯେ ଆପଣମାନଙ୍କର ପ୍ରଶ୍ନ ଗୁଡିକ ଖୁବ ରୋଚକ ଥିଲା ଏବଂ ମୁଁ ସେଥିରେ ଜଡିତ ହୋଇଗଲି । ଯାହାହେଉ ଏହା ଖୁବ ସୁଖକର ସମୟ ଥିଲା । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ୍ ଦେବି । ମୁଁ ସେମାନଙ୍କୁ ମଧ୍ୟ ଶୁଭକାମନା ଜଣାଇବି ଯେଉଁମାନେ ଏହାକୁ ପରେ ଶୁଣିବେ । ଶୁଭ ରାତ୍ରୀ ।”

ବ୍ୟବହୃତ ଉପାଦାନ ସୂଚୀ

1.https://youtu.be/YPN_M7Ve2ug?si=0higk_5obGgX–KA(Hindi);

ସଂଗ୍ରହ ଓ ଅନୁବାଦ:ବୀରେନ୍ଦ୍ର ନାୟକ

Comments

0 comments

Share This Article