ମୋଦୀ ଓ ରାହୁଲଙ୍କ ପୁନଶ୍ଚ ଆମେରିକା ଗସ୍ତ

13 Min Read

ଗତ ୧୦ବର୍ଷ ଭିତରେ ଆମେ ଅନେକବାର ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯିବାର ଦେଖି ଆସିଛୁ । ଆମେରିକା କାହିଁକି ; ଅଷ୍ଟ୍ରେଲିଆ ସମେତ ଅନେକ ଦେଶମାନଙ୍କୁ ମଧ୍ୟ ସେ ଯିବାର ଖବର ଆମ ଗଣମାଧ୍ୟମ ସୌଜନ୍ୟରୁ ଆମେ ପାଇଆସିଛୁ । ଏମିତିକି ଏହି ସବୁ ଦେଶମାନଙ୍କୁ ଗସ୍ତ କଲାବେଳେ କେଉଁ ପ୍ରକାର ‘ଉନ୍ମାଦନା’ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ତାହା ମଧ୍ୟ ଆମେ ଦେଖି ଆସିଛୁ । ତେବେ କାହା ମନରେ ବି ଜାଣିବା ପାଇଁ କୌତୁହଳ ସୃଷ୍ଟି ହୋଇନଥାଏ ଯେ ଏତେ ଉତ୍ସାହ ଉନ୍ମାଦନାର ସହ ଯେଉଁ ଲୋକମାନେ ଚଳଚ୍ଚିତ୍ର ତାରକାମାନଙ୍କ କ୍ଷେତ୍ରରେ ଯେଉଁଭଳି ଭାଗାବେଗ ପ୍ରକାଶ କରିଥାନ୍ତି, ସେମାନେ ଜଣେ ବିଦେଶୀ ରାଜନେତାଙ୍କ କ୍ଷେତ୍ରରେ କିଭଳି ସେହି ଏକାପ୍ରକାର ଆଚରଣ କରିପାରୁଛନ୍ତି । ଏହି ଲୋକମାନେ କିଏ(?)- ଏହି ପ୍ରଶ୍ନଟି ମଧ୍ୟ ଆମ ମନ ଭିତରକୁ ଆସିନଥାଏ । ଆମ ଗଣମାଧ୍ୟମ ଏଭଳି ଉପସ୍ଥାପନ କରିଥାନ୍ତି ଯେ ଗୋଟିଏ ପ୍ରକାର ବିଶ୍ୱାସ ଆମମାନଙ୍କ ମନରେ ସୃଷ୍ଟି ହୋଇଥାଏ ଯେପରିକି ଏହି ବିଦେଶୀମାନେ ଭାରତକୁ ଏବଂ ଏହାର ନେତୃତ୍ୱକୁ ପ୍ରକୃତରେ ବହୁତ ଭଲ ପାଉଛନ୍ତି ଏବଂ ସମ୍ମାନ ମଧ୍ୟ ଦେଉଛନ୍ତି । ଖୁବ୍ କମ୍ ଲୋକ ଜାଣିଥାନ୍ତି ଯେ ମୋଦୀଙ୍କର ପ୍ରତ୍ୟେକଟି ଆମେରିକା ସମେତ ବିଦେଶଗସ୍ତ ତାଙ୍କର ବନ୍ଧୁ ଶିଳ୍ପପତିମାନଙ୍କର ବ୍ୟବସାୟ କାରବାର ଆଗକୁ ନେବାପାଇଁ ଉଦ୍ଦିଷ୍ଟ । ଏମିତିରେ ପ୍ରଧାନମନ୍ତ୍ରୀମାନେ ବିଦେଶ ଗସ୍ତରେ ଗଲାବେଳେ ତାଙ୍କ ସହ ଯେଉଁ ବିରାଟଦଳ ଯାଇଥାନ୍ତି ସେ ଭିତରେ ଶିଳ୍ପପତିମାନେ ବି ଥାନ୍ତି । କିନ୍ତୁ ମୋଦୀଙ୍କର ବିଶେଷତ୍ୱ ହେଲା ଯେ ସେ କେବଳ କେତୋଟି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ସାଙ୍ଗରେ ନେଇ ଯାଇଥାନ୍ତି । ପୁଣି ଏହି ସବୁ ବାହାରେ ଯେଉଁ ଜନସଭା ଆୟୋଜନ କରାଯାଇଥାଏ ଏବଂ ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥାଏ ସେ ସବୁ ଜନସଭା ପ୍ରାୟତଃ ପ୍ରାୟୋଜିତ ହୋଇଥାଏ ଏବଂ ସଭାଟିକୁ ଆରମ୍ଭରୁ ଶେଷଯାଏଁ ସଂଘ ପରିବାରର ବିଦେଶୀ ସଂଗଠନ ଓ କର୍ପୋରେଟ ବନ୍ଧୁମାନେ ଆୟୋଜିତ କରିଥାନ୍ତି । ଉଦାହରଣସ୍ୱରୂପ ମୋଦୀ ଗତ ୧୦ବର୍ଷ ଭିତରେ ଆମେରିକାରେ ଯେତେ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରାୟ ସବୁଗୁଡ଼ିକ ପ୍ରାୟୋଜିତ ଥିଲାବୋଲି ବିକଳ୍ପ ଗଣମାଧ୍ୟମରୁ ଆମକୁ ସ୍ୱାଧିନଚେତା ୟୁଟୁ୍ୟବରମାନେ ଜଣାଇ ଆସିଛନ୍ତି । କୌତୁହଳର ବିଷୟ ଯେ ସବୁ ସଭାରେ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ହିଁ ଅଣାଯାଇଥାଏ ଏବଂ ସେଠି ଆମେରିକାର ଅନ୍ୟ ବାସିନ୍ଦାମାନଙ୍କର ଉପସ୍ଥିତି ପ୍ରାୟତଃ ନଥାଏ । ଯେଉଁ ‘ଭବ୍ୟ ସମ୍ବର୍ଦ୍ଧନା’ ଭାରତୀୟ ଗଣମାଧ୍ୟମରେ ୨୪ଘଣ୍ଟା ପ୍ରଚାରିତ ହେଉଥାଏ, ତାହା ପ୍ରକୃତରେ ବିଦେଶରେ ରହୁଥିବା ପ୍ରାୟୋଜିତ ବା ପ୍ରଭାବିତ ଭାରତୀୟମାନଙ୍କୁ ହିଁ ବୁଝାଏ ବୋଲି ସ୍ୱାଧିନଚେତା ସାମ୍ବାଦିକମାନେ କହି ଆସିଛନ୍ତି । ଅର୍ଥାତ୍ ଭାରତର ଆଦର ଓ ସମ୍ମାନ ମୋଦୀଙ୍କ ନେତୃତ୍ୱରେ ବହୁଗୁଣ ବଢ଼ିଯାଇଛି ଏଭଳି ଏକ ଧାରଣା ସୃଷ୍ଟି କରାଯାଇଥାଏ । ମୋଦୀ ତାଙ୍କ ଭାଷଣରେ ଅଧିକାଂଶରେ ପୂର୍ବ କଂଗ୍ରେସ ସରକାର ଓ ଏହାର ନେତୃତ୍ୱଙ୍କ ଉପରେ ଅତି ‘ଶ୍ରୁତିକଟୁ’ର ମନ୍ତବ୍ୟ ଦେବା ଏବଂ ସମବେତ ଜନତା ତାହାକୁ ଭରପୁର ଉପଭୋଗ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଥାଏ । ଏହି ସବୁ ଆମ ଗଣମାଧ୍ୟମମାନେ ବିନା ପ୍ରଶ୍ନରେ ଗ୍ରହଣ କରି ଦେଶଭିତରେ ମୋଦୀ ଭକ୍ତମାନଙ୍କର ମନୋରଞ୍ଜନ କରିବା କାମରେ ଲାଗିପଡ଼ିଥାନ୍ତି । କିନ୍ତୁ ଅସଲ ସତ୍ୟଟି ହେଲା ଯେ ମୋଦୀ କେବେ ଆମେରିକୀୟ ରାଷ୍ଟ୍ରଦ୍ୱାରା ପ୍ରାୟୋଜିତ କୌଣସି ସଭାରେ ଉଦ୍ବୋଧନ ଦେଇନାହାଁନ୍ତି । ସେ କେବଳ ଟେଲିପ୍ରିଣ୍ଟର ମାଧ୍ୟମରେ ଆମେରିକୀୟ କଂଗ୍ରେସରେ ଉଦ୍ବୋଧନ ଦେଇଛନ୍ତି ଯେଉଁ ସୁଯୋଗଟି ପ୍ରାୟ ଅଧିକାଂଶ ବିଦେଶୀ ରାଷ୍ଟ୍ରମୁଖ୍ୟ ବା ସରକାରଙ୍କର ମୁଖ୍ୟଙ୍କୁ ଦିଆଯାଇଥାଏ । ମୋଦୀଙ୍କର ଆମେରିକାରେ ଗତ ୧୦ବର୍ଷ ଭିତରେ ଏକମାତ୍ର ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ ୨୨ ଜୁନ୍ ୨୦୨୩ ଦିନ ଆମେରିକାର ରାଷ୍ଟ୍ରପତି ବାଇଡ଼େନ୍ ଙ୍କ ସହ ତାଙ୍କ ବାସଭବନ ହ୍ୱାଇଟ୍ ହାଉସ୍ଠାରେ ଆୟୋଜିତ ହୋଇଥିଲା ଏବଂ ପୂର୍ବରୁ କୁହାଯାଇଥିଲା ଯେ ସେ କେବଳ ସୀମିତ ପ୍ରଶ୍ନ ଉତ୍ତର ହେବ ବୋଲି । ସେଠିମଧ୍ୟ ‘ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲ୍’ର ପ୍ରତିନିଧି ସାବ୍ରିନା ସିଦ୍ଦିକୀ ଭାରତରେ ସଂଖ୍ୟାଲଘୁ ମାନଙ୍କର ମାନବିକ ଅଧିକାରର ଉଲଙ୍ଘନକୁ ନେଇ ମୋଦୀଙ୍କୁ ପ୍ରଶ୍ନ କରିଥିଲେ, ଯାହାଙ୍କୁ ପରେ ଅନେକ ନିର୍ଯାତନା ସହିବାକୁ ପଡ଼ିଥିଲା । ପରିସ୍ଥିତି ଏମିତି ହେଲା ଯେ ପରବର୍ତ୍ତୀ ସମୟରେ ଆମେରିକାର ଜାତୀୟ ନିରାପତ୍ତା ପରିଷଦର ମୁଖପାତ୍ର ଜନ୍ କିର୍ବୀ ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଡାକି କହିଲେ ଯେ ସାବ୍ରିନାଙ୍କ ପ୍ରତି ଯେଉଁ ଆକ୍ରୋଶମୂଳକ ଅପପ୍ରଚାର ଏବଂ ସାମାଜିକ ଗଣମାଧ୍ୟମରେ ଯେଉଁଭଳି ତାଙ୍କୁ ଅପମାନିତ କରାଯାଉଛି, ତାହା ଅଦୌ ଗ୍ରହଣୀୟ ନୁହେଁ ଏବଂ ଏହା ଗଣତନ୍ତ୍ରର ମୂଳ ନୀତିଗୁଡ଼ିକର ବିରୋଧାଚରଣ କରୁଛି ।

ତେବେ ବିଦେଶକୁ ଯାଇ ଭାରତର ରାଜନୀତି ଏବଂ ସମାଜକୁ ନେଇ ଯେଉଁକଥା ମୋଦୀ ଗତ ୧୦ବର୍ଷ ଭିତରେ ବିନା କୌଣସି ବାଧା ବା ପ୍ରତିବନ୍ଧକ ଥାଇ କରିଆସିଥିଲେ, ଗତ କିଛିବର୍ଷ ଭିତରେ ତାହା ଅସହଜ ହେଲାଭଳି ଲାଗୁଛି । ଏହାର ଏକମାତ୍ର କାରଣ ରାହୁଲ୍ ଗାନ୍ଧୀଙ୍କର ଆମେରିକା, ଇଂଲଣ୍ଡ ବା ନରୱେ ଭଳି ବିଦେଶ ଗସ୍ତ ନହେଲେ ବି, ଏହାଯେ ଏକ ପ୍ରମୁଖ କାରଣ; ତାକୁ ଅସ୍ୱୀକାର କରିହେବ ନାହିଁ । ଭାରତରେ ବି ମୋଦୀଙ୍କର ଯେଉଁ ପତିଆରା ରହିଆସିଥିଲା, ତାହା ବି ବିଭିନ୍ନ କାରଣରୁ ମଳିନ ପଡ଼ିଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପରେ ଏକ ଗଠବନ୍ଧନର ସାହାରାରେ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦୀ ପୁଣିଥରେ ଯଦି ଆମେରିକା ଗସ୍ତରେ ଯାଆନ୍ତି, ୨୮ସେପ୍ଟେମ୍ବର ୨୦୧୪ରେ ସେ ମାଡ଼ିସେନ୍ ସ୍କୋୟାର ଗାଡ଼େନ୍ ରେ ଯେଉଁ ସଭା କରି ବିପୁଳ ସମ୍ବର୍ଦ୍ଧନା ପାଇଥିଲେ; ତାହାର ପୁନରାବୃତ୍ତି ଯେ ହୋଇପାରିବ ଏହି ବିଶ୍ୱାସ ତାଙ୍କ ନିଜର ନଥିବ । ଗତ ୧୦ବର୍ଷ ତଳେ ଭାରତକୁ ‘ଗନେ୍ଧଗି’ (ମଇଳା) ଭିତରୁ ବାହାରକରି ଏକ ସ୍ୱଚ୍ଛ ଭାରତ ନିର୍ମାଣ କରିବାର ଯେଉଁ ସ୍ୱପ୍ନ ସେ ବାଣ୍ଟିଥିଲେ ଏବଂ ଦେଶ ଭିତରେ ଭାରତକୁ ଏକ ବିଶ୍ୱଗୁରୁ କରିବାରେ ସ୍ୱପ୍ନ ମଧ୍ୟ ଦେଖାଇଥିଲେ, ତାହା ଏବେ ପଦାରେ ପଡ଼ିସାରିଛି । ଭାରତୀୟ ସମାଜ ବେରୋଜଗାରୀ ଠାରୁ ଆରମ୍ଭ କରି ସାମ୍ପ୍ରଦାୟିକ ହିଂସା ଓ ବିଦ୍ୱେଷ ଭଳି ସମସ୍ୟାମାନଙ୍କ ଦ୍ୱାରା କଷ୍ଟ ଭୋଗିଚାଲିଛି । ଦେଢ଼ ବର୍ଷ ହୋଇସାରିଥିଲେ ବି ମଣିପୁର ରାଜ୍ୟ ଏବେ ବି ଜଳୁଛି ଏବଂ ପ୍ରତ୍ୟେକ ଦିନ ଗଣହତ୍ୟା ଚାଲିଥିବାର ଖବର ଭାରତୀୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ସେଠି ଭାଜପା ସରକାର ଚାଲିଥିଲେ ବି ପ୍ରଧାନମନ୍ତ୍ରୀ ମୋଦୀ ଥରୁଟିଏ ମଧ୍ୟ ଗସ୍ତ କରିନାହାଁନ୍ତି । ସବୁ କ୍ଷେତ୍ରରେ ସମସ୍ୟାର ତାଲିକାଟା ବଢ଼ିବଢ଼ି ଚାଲିଥିବା ବେଳେ ମୋଦୀ ଏବଂ ତାଙ୍କ ସରକାର ଭୟଙ୍କର ଭାବେ ଉଦାସୀନ ରହିଥିବା କଥା ସାଧାରଣ ଭାରତୀୟମାନେ ଅନୁଭବ କରିଆସିଛନ୍ତି । ଏହିପରି ଏକ ସମୟରେ ବ୍ୟବସାୟ ଓ ବାଣିଜ୍ୟକୁ ଅଧିକା ସୁନିଶ୍ଚିତ କରିବାପାଇଁ ସେ ଆମେରିକା ଭଳି ବିଦେଶ ଗସ୍ତ କଲେ ବି ଏବଂ ପ୍ରାୟୋଜିତ ଜନସଭାକୁ ଉଦ୍ ବୋଧନ ଦେଲେ ବି ତାଙ୍କର ସେହି ପୁରୁଣା ଆତ୍ମବିଶ୍ୱାସ ଯେ ସେହିଭଳି ଅବସ୍ଥାରେ ରହିଛି, ତାହା ଅନ୍ତତଃ ଆଜିର ଦିନରେ ଜଣାପଡ଼ୁ ନାହିଁ ।

ସେପ୍ଟେମ୍ବର ୨୦୨୪ ସୁଦ୍ଧା ମୋଦୀ ୭୯ଟି ବିଦେଶ ଗସ୍ତ କରିସାରିଛନ୍ତି ଏବଂ ଆମେରିକା ସମେତ ୭୦ଟି ଦେଶ ବୁଲି ସାରିଛନ୍ତି । ଏବେ ପୁଣିଥରେ ସେ ଆମେରିକା ଗସ୍ତରେ ଯିବାର ଅଛି । କିନ୍ତୁ ତାହା ପୂର୍ବରୁ ରାହୁଲ୍ ଗାନ୍ଧୀ ଏକ ସଂକ୍ଷିପ୍ତ ଆମେରିକା ଗସ୍ତକରି ଫେରି ଆସିଛନ୍ତି । ରାହୁଲ୍ ଙ୍କର ପ୍ରତ୍ୟେକଟି ଗସ୍ତପରେ ଭାରତରେ ସଂଘ ପରିବାର, ଭାଜପା ଏବଂ ପ୍ରଭାବିତ ଗଣମାଧ୍ୟମର ସୌଜନ୍ୟରୁ ତାଙ୍କୁ ଅନେକ କଠୋର ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଭାରତର ଲୋକସଭାର ବିରୋଧିଦଳ ନେତା ହୋଇଥିବା କଂଗ୍ରେସର ରାହୁଲ୍ ଗାନ୍ଧୀଙ୍କର ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇଥିବା ଆମେରିକା ଗସ୍ତ ସେପ୍ଟେମ୍ବର ୧୧ରେ ସରିଯାଇଛି । ଏହି ସଂକ୍ଷିପ୍ତକାଳ ଭିତରେ ସେ ଭାରତୀୟ ଓଭର୍ସିସ୍ କଂଗ୍ରେସର ପ୍ରାୟୋଜିତ ସଭା, ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ଇତ୍ୟାଦି କିଛି କାର୍ଯ୍ୟକ୍ରମରେ ଯୋଗଦେଇ ସିଧାସଳଖ ନିଜର ବକ୍ତବ୍ୟ ଓ ମତାମତ ସ୍ପଷ୍ଟଭାବରେ ରଖିଆସିଛନ୍ତି । ପ୍ରାୟ ସବୁଠାରେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଉଛି ଏବଂ ସେ ଉତ୍ତର ମଧ୍ୟ ରଖିଛନ୍ତି । କିଛି ପ୍ରଶ୍ନର ଉତ୍ତର ସେ ହୁଏତ ଜାଣିଶୁଣି ପ୍ରସଙ୍ଗଟି ସ୍ପର୍ଶକାତର ହୋଇଥିବା ଦୃଷ୍ଟିରୁ ଏଡ଼ାଇ ଦେଇଛନ୍ତି । ୨୦୨୨ରେ “ଭାରତ ଯୋଡ଼ୋ ପଦଯାତ୍ରା” ଏବଂ ୨୦୨୪ରେ “ଭାରତ ଯୋଡୋ ନ୍ୟାୟଯାତ୍ରା” ମାଧ୍ୟମରେ ରାହୁଲ୍ ଗାନ୍ଧୀ ଯେଉଁଭଳି ଭାବେ ପ୍ରାୟତଃ ଭାରତର ଅଧିକାଂଶ ପ୍ରାନ୍ତ ଗସ୍ତକରି ସବୁ ବର୍ଗ ଏବଂ ସବୁଶ୍ରେଣୀର ଲୋକମାନଙ୍କୁ ନିଜ ସହ ସାମିଲ୍ କରାଇପାରିଲେ; ସେଥିରେ ତାଙ୍କର ନିଜର ମନୋବଳ ଏବଂ ଆତ୍ମବିଶ୍ୱାସ ବଢ଼ିବା ସହ ଭାରତୀୟ ଜାତୀୟ କଂଗ୍ରେସର ପୁନଃଉଥାନ କରାଇବାରେ ଏକ ସଫଳ ପ୍ରୟାସ କରିଥିଲେ ବୋଲି ସମୀକ୍ଷକମାନେ କୁହନ୍ତି । ତେବେ ଏହି ଭାରତ ଯୋଡ଼ୋ ଯାତ୍ରା ପରେ ହିଁ ରାହୁଲ୍ ଙ୍କର ବିଦେଶଗସ୍ତ ଅଧିକ ରୋମାଞ୍ଚକର ହୋଇଛି । ରାହୁଲ୍ ଯାହା କୁହନ୍ତି, ଭାରତରେ ଗଣମାଧ୍ୟମ ତାକୁ ପ୍ରାୟତଃ ସ୍ଥାନ ଦେଇନଥାନ୍ତି । କିନ୍ତୁ ସେ ଯାହା କୁହନ୍ତି ତାହାର ସମାଲୋଚନାକୁ ଢେର ଅଧିକ ସ୍ଥାନ ଦେଇଥାନ୍ତି । ସେଥିପାଇଁ ସଂସଦରେ ଖୋଲାଖୋଲି କହିବା (ଯଦିଓ କିଛିକଥା ବିବରଣୀରୁ ବାଦ୍ ଦିଆଯାଉଥିବା ବେଳେ ଆଉ କିଛି କଥା ସଂସଦ ଟିଭିରେ ସିଧାପ୍ରସାରଣରୁ ବାଦ୍ ଦିଆଯାଇଥିବାର ଅଭିଯୋଗ ଶୁଣିବାକୁ ମିଳେ) ଏବଂ ବିଦେଶ ମାଟିରୁ ନିଜେ ଚାହୁଁଥିବା କଥାଗୁଡ଼ିକ କହି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଏକ ବିକଳ୍ପ ପନ୍ଥା ହୋଇପାରିଛି । ରାହୁଲଙ୍କର ଏବେକାର ଆମେରିକା ଗସ୍ତ ଯାହା ଆଶା କରାଯାଉଥିଲା, ଠିକ୍ ସେହିଭଳି ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ଦ୍ୱାରା କଠୋର ସମାଲୋଚନାର ଶରବ୍ୟ ହୋଇଛି । ତେବେ ରାହୁଲ୍ ଏମିତି କିଛି କହିନାହାଁନ୍ତି ଯାହା ସେ ଭାରତରେ କେବେ କହିନଥିବେ । ସେ ସେଭଳି କିଛି ପ୍ରତିକ୍ରିୟା ରଖିନାହାଁନ୍ତି ଯାହାର ପ୍ରଥମ କାର୍ଯ୍ୟଟି ସଂଘ ପରିବାର ବା ଭାଜପା ବା ମୋଦୀ ନିଜେ କରିନାହାଁନ୍ତି । ରାହୁଲ୍ ଙ୍କର ବକ୍ତବ୍ୟଗୁଡ଼ିକ ପ୍ରାୟତଃ ସନ୍ତୁଳିତ ଥିଲା ଏବଂ ସେ ଏଭଳି କିଛି କହିନାହାଁନ୍ତି ଯାହାର ସତ୍ୟତା ବା ତଥ୍ୟଗତ ଭିତ୍ତି ନଥିଲା । ସେ ଯେ ସବୁବେଳେ ମୋଦୀ ଏବଂ ତାଙ୍କ ସରକାରଙ୍କୁ ସମାଲୋଚନା କରୁଥିଲେ ତାହା ନୁହଁ; ବରଂ କେତେକ କ୍ଷେତ୍ରରେ ବିଶେଷ କରି ବିଦେଶ ନୀତିକୁ ନେଇ ସେ ମୋଦୀ ସରକାରଙ୍କ ସହ ଏକମତ ବୋଲି ମଧ୍ୟ କହିଛନ୍ତି । ଉଦାହରଣସ୍ୱରୂପ ଭାରତ ଆମେରିକାର ସମ୍ପର୍କକୁ ନେଇ ଭାରତର ନୀତି ପୂର୍ବରୁ ଯାହା ରହିଆସିଛି ତାହା ଏବେ ବି ଚାଲିଛି ବୋଲି ସେ କହିଛନ୍ତି । ମୋଦୀ ଯେ କୌଣସି ବ୍ୟତିକ୍ରମ କରିଛନ୍ତି ତାହା ନୁହଁ, ବରଂ ସମ୍ପର୍କର ଧାରାବାହିକତା ବରାବର ରହିଛିବୋଲି ସେ କହିଛନ୍ତି । ଏକଥା ମଧ୍ୟ କହିଛନ୍ତି ଯେ ଉଭୟ ଦେଶପାଇଁ ପାରସ୍ପରିକ ସମ୍ପର୍କର ଅନିର୍ବାର୍ଯ୍ୟତା ପ୍ରତ୍ୟେକ ଲୋକ ହୃଦୟଙ୍ଗମ କରନ୍ତି । ସେହିଭଳି ପାକିସ୍ତାନକୁ ନେଇ ପ୍ରଶ୍ନର ଉତ୍ତର ରଖି ସେ ମଧ୍ୟ କହିଛନ୍ତି ଯେ, ‘ପାକିସ୍ତାନ ଆମ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ହେତୁ ଦୁଇଦେଶ ଭିତରେ ସମ୍ପର୍କଟି ବାଧାପ୍ରାପ୍ତ ହେଉଛି । ଆମ ଦେଶରେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପଗୁଡ଼ିକୁ ଆମେ କେବେ ଗ୍ରହଣ କରିବୁ ନାହିଁ’ । ସେହିଭଳି କାଶ୍ମୀର ପ୍ରସଙ୍ଗରେ ମଧ୍ୟ କହିବାକୁ ଯାଇ ରାହୁଲ୍ କହିଛନ୍ତି ଯେ ଦୁଇଦେଶ ଭିତରେ କଥାବାର୍ତ୍ତା କରିବାପାଇଁ କାଶ୍ମୀର ଏକ ପ୍ରତିବନ୍ଧକ ନୁହେଁ । ଅର୍ଥାତ୍ ଆତଙ୍କବାଦ ସମ୍ପର୍କରେ ଯେଉଁ ଆଭିମୁଖ୍ୟ ମୋଦୀ ସରକାରଙ୍କର ଅଛି, ତାକୁ ସିଏ ସମର୍ଥନ କରୁଛନ୍ତି । ଅନ୍ୟପଟେ ଚୀନ୍ ଦ୍ୱାରା ଭାରତର ଲଦାଖରେ ୪ହଜାର ବର୍ଗ କିଲୋମିଟରରୁ ଅଧିକ ଜାଗା ଦଖଲ କରାଯିବା କଥାକୁ ନେଇ ସେ ଉଭୟ ମୋଦୀ ସରକାର ଏବଂ ଚୀନ୍ ନେତୃତ୍ୱଙ୍କୁ ଆକ୍ରମଣ କରିଛନ୍ତି । ଭାରତର ଅର୍ଥନୈତିକ ଆହ୍ୱାନଗୁଡ଼ିକ ଉପରେ କହିବାକୁ ଯାଇ ସେ ଚୀନ୍ର ଉତ୍ପାଦନ ଏବଂ ଉପକରଣ ପ୍ରସ୍ତୁତି ପକ୍ରିୟାକୁ ପସନ୍ଦ କରିଛନ୍ତି ଯାହାକୁ ନେଇ ସେମାନେ ଆମେରିକା ଓ ଭାରତ ସମେତ ସମଗ୍ର ବିଶ୍ୱର ବଜାରକୁ ନିଜ ହାତମୁଠାକୁ ନେଇ ପାରିଛନ୍ତି ବୋଲି ସେ କହିଛନ୍ତି । ରାହୁଲ୍ ଙ୍କର ଗୋଟିଏ ପ୍ରଶ୍ନ ଚିନ୍ତା ଉଦ୍ରେକକାରୀ ଥିଲା, ସେ ଯେତେବେଳେ କହିଥିଲେ ଯେ ଭାରତଭଳି ଏକ ଏକ ବିରାଟ ଜନସଂଖ୍ୟାର ଦେଶ ଯଦି ଉତ୍ପାଦନ, ନିର୍ମାଣ ଏବଂ ଉପକରଣ ପ୍ରସ୍ତୁତି କାମ କରିବ ନାହିଁ କେବଳ ଅନ୍ୟକାହାର ଉତ୍ପାଦନକୁ ନେଇ ବ୍ୟବହାର କରିବ ବା ତାହାର ଖାଉଟି ହେବ; ତାହାହେଲେ ସେଭଳି ଏକ ଅର୍ଥନୀତି ଭାରତ ଭଳି ଦେଶକୁ କେଉଁ ଆଡ଼କୁ ନେଇପାରିବ । ସେ ଆମେରିକା ପ୍ରତି କଟାକ୍ଷ କରି କହିଥିଲେ ଯେ ସେମାନେ ବି ଯେମିତି ଏକ ଖାଉଟି ସମୁଦାୟ ହୋଇଯାଇଛନ୍ତି ଏବଂ ନିଜେ ଉତ୍ପାଦନ ନକରି ଚୀନ୍ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାରରୁ କିଣୁଛନ୍ତି । ରାହୁଲ୍ ମନେ କରନ୍ତି ଯେ କେବଳ ସାମରିକ ଶକ୍ତି ରହିବା ଯଥେଷ୍ଟ ନୁହଁ । ଚୀନ୍ର ବି ଏକ ବଳିଷ୍ଠ ସାମରିକବାହିନୀ ଅଛି କିନ୍ତୁ ତାହାର ଶକ୍ତି ଆସୁଛି ସେମାନଙ୍କର ଉତ୍ପାଦନ କରିବା କ୍ଷମତାରୁ । ଯେତେବେଳେ ଆମେରିକୀୟମାନେ ବା ଭାରତୀୟ ମାନେ ଚୀନ୍ ଉତ୍ପାଦିତ ଦ୍ରବ୍ୟ କିଣୁଛନ୍ତି ତାହା ଚୀନ୍ କୁ ଶକ୍ତି ଯୋଗାଉଛି ।

ରାହୁଲ୍ ଗାନ୍ଧୀ ନିଜ ଗସ୍ତ ସମୟରେ ଗଭୀର ଆତ୍ମବିଶ୍ୱାସର ସହ ଅନେକ କଥା କହିଛନ୍ତି । ସବୁକଥା ଏଠି ଆଲୋଚନା କରିବା ସମ୍ଭବପର ନୁହେଁ । କିନ୍ତୁ ତାଙ୍କର ବକ୍ତବ୍ୟଗୁଡ଼ିକରେ ଯଦିଓ ସେ ଭାରତରେ ସଂଖ୍ୟାଲଘୁମାନଙ୍କର ମନରେ ଥିବା ଭୟକଥା କହିଛନ୍ତି ସେ କହିଲାବେଳେ ବା ଉଦାହରଣ ଦେଲାବେଳେ କେବେ ବି ମୁସଲମାନ ଶଦ୍ଦ ବ୍ୟବହାର କରିନାହାଁନ୍ତି । ବରଂ ଭିଡ଼ଭିତରେ ଜଣେ ଶିଖ୍ ସମୁଦାୟର ବ୍ୟକ୍ତିଙ୍କୁ ଛିଡ଼ା କରାଇ ତାଙ୍କ ପଗଡ଼ିକୁ ନେଇ ଅସୁରକ୍ଷାର ଉଦାହରଣ କହିଲାବେଳେ, ଭାରତରେ ପ୍ରକୃତରେ ଅସୁରକ୍ଷା ଭିତରେ ରହୁଥିବା ମୁସଲ୍ମାନମାନଙ୍କର କଥା ଅଦୌ କହିବାପାଇଁ ପସନ୍ଦ କରିନାହାଁନ୍ତି । ଭାରତରେ ଶିଖ୍ ମାନେ ଗୁରୁଦ୍ୱାରକୁ ଯିବାରେ ବାଧା ଦିଆଯାଉଥିବା ଆମ ନଜରକୁ ଆସିନାହିଁ କିନ୍ତୁ ମୁସଲମାନମାନେ ନମାଜ ପଢ଼ିବା ବେଳେ ପ୍ରତିବନ୍ଧକ ସାମ୍ନା କରୁଥିବା କଥା ଆମେ କିଛି ଗଣମାଧ୍ୟମ ସୌଜନ୍ୟରୁ ଜାଣିବାକୁ ପାଇଛେ । ଗତ ମାର୍ଚ୍ଚ ୮, ୨୦୨୪ଦିନ ମସଜିଦ ଭିତରେ ସ୍ଥାନ ନ ପାଇବାରୁ କିଛି ମୁସଲମାନ ଭକ୍ତ ରାସ୍ତା ଉପରେ ନମାଜ ପଢ଼ୁଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଦିଲ୍ଲୀ ପୋଲିସର ଜଣେ ସବ୍ଇନିସ୍ପେକ୍ଟର ମନୋଜ କୁମାର ତୋମାର କିଭଳି ତାଙ୍କୁ ଗୋଇଠା ମାରି ହଟାଇବା ପାଇଁ ଚେଷ୍ଟା କରିଥିଲେ, ତାହାର ଦୃଶ୍ୟ ଏବେ ବି ଇଣ୍ଟରନେଟ୍ ରେ ଉପଲବ୍ଧ । ରାହୁଲ୍ ସେହି ଉଦାହରଣଟି ଚାହିଁଥିଲେ ଦେଇପାରିଥାନ୍ତେ । କିନ୍ତୁ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ମଧ୍ୟ ପ୍ରମୁଖ ବିରୋଧି ଦଳର ନେତାମାନେ ‘ମୁସଲମାନ’ ଶବ୍ଦ ପ୍ରୟୋଗ ନକରି ‘ସଂଖ୍ୟାଲଘୁ’ ଶବ୍ଦକୁ ବିକଳ୍ପ ହିସାବରେ ବ୍ୟବହାର କରିଆସିବା କଥା ଆମେ ଜାଣିଛୁ । ହୁଏତ ଏହା ଏକ ରଣକୌଶଳ ହୋଇପାରେ, ଭାଜପା ହାତରେ ହିନ୍ଦୁବିରୋଧି କହି ଅଧିକ ସମାଲୋଚନାର ଶିକାର ନହେବା ପାଇଁ । କିନ୍ତୁ ତାହା ଜଣେ ଭଲ ରାଷ୍ଟ୍ରନାୟକ ହେବାର ଅଭିଳାଷ ରଖୁଥିବା ରାଜନୈତିକ ନେତୃତ୍ୱଙ୍କର ଦୁର୍ବଳ ଦିଗପ୍ରତି ଇଙ୍ଗିତ କରାଏ ।

ବିଦେଶ ମାଟିରେ ଭାରତର ରାଜନେତାମାନେ କିଏ କ’ଣ କହୁଛି ଓ କେତେ ଉନ୍ମାଦନା ସୃଷ୍ଟି କରିପାରୁଛି; ତାକୁ ନେଇ ଏକ ପ୍ରତିଯୋଗିତା ହେବା ଆମ ଦେଶବାସୀଙ୍କ ପାଇଁ ଖୁସି ହେଲାଭଳି କଥା ନୁହଁ । ପ୍ରକୃତରେ ଜବାହାରଲାଲ୍ ନେହେରୁଙ୍କ ପରେ ଭାରତ ଏଭଳି କୌଣସି ଦୂରଦୃଷ୍ଟିସମ୍ପନ୍ନ ଏବଂ ବ୍ୟାପ୍ତ ବୁଝାମଣା ଥିବା ରାଜନେତା ପାଇନାହିଁ । ନେହେରୁଙ୍କ ପ୍ରସଙ୍ଗରେ ଡଃ ବୀରେନ୍ଦ୍ର ନାୟକ ଅନେକ ତଥ୍ୟପୂର୍ଣ୍ଣ ଅନାଲୋଚିତ କଥା ଉପସ୍ଥାପନ କରିଚାଲିଛନ୍ତି । ନେହେରୁ ବି.ବି.ସିକୁ ଦେଇଥିବା ପ୍ରଥମ ଟିଭି ସାକ୍ଷାତାକାରଟିକୁ ଏଥର ସେ ଉପସ୍ଥାପନ କରିଛନ୍ତି । ଆପଣ ଯଦି ମୂଳରୁ ଶେଷଯାଏଁ ପଢ଼ିବେ, ବୁଝିହେବ ଯେ ସେହି ସ୍ତରକୁ ଯିବାପାଇଁ ମୋଦୀ କେବେ କେତେ ବିଦେଶ ଗସ୍ତ କଲେ ବି ସ୍ୱପ୍ନ ମଧ୍ୟ ଦେଖିପାରିବେ ନାହିଁ । ଯଦି ରାହୁଲ୍ ବି ସେଭଳି ସ୍ୱପ୍ନ ଦେଖନ୍ତି, ତେବେ ତାଙ୍କର ସାଧନା ଏବେ ବି ବହୁତ ପଛରେ ରହିଛି । ଯେହେତୁ ଭାରତୀୟମାନଙ୍କ ପାଖରେ ବିକଳ୍ପ ବହୁତ କମ୍ ଅଛି ଏବଂ ପ୍ରଗତିଶୀଳ ରାଜନୈତିକ ଦଳ ମାନଙ୍କର ଉଦାରବାଦୀ ଅର୍ଥନୀତି ଓ ବଜାରୀ ସଂସ୍କୃତି ପ୍ରଭାବରେ ମୂଲ୍ୟହୀନ ହେବାର ପକ୍ରିୟା ଚାଲିଛି, ଏହି ରାଜନେତାମାନେ ହିଁ ସେହି ସ୍ଥାନଟିକୁ ଅକ୍ତିଆର କରିବାପାଇଁ ପ୍ରତିଯୋଗିତା କରିବେ । ଭାରତୀୟ ମାନେ ଶୋଇରହି ଭଲଦିନ ଆସିବାର ଯଦି ସ୍ୱପ୍ନ ଦେଖୁଥିବେ ତେବେ ସେଭଳି ଦିନଟି କେବେ ଆସିବ, ତାହା କେହି ଭାବିପାରିବେ ନାହିଁ । ମୋଦୀ ଏବଂ ରାହୁଲ୍ ଙ୍କ ଆମେରିକା ଗସ୍ତ କେବଳ ଏକ ଚର୍ଚ୍ଚାର ବିଷୟବସ୍ତୁ ହୋଇ ରହିବ ଏବଂ ଆମେରିକୀୟ ବହୁରାଷ୍ଟ୍ର ପୁଞ୍ଜିକୁ ଧାରାବାହିକତାର ପ୍ରତିଶ୍ରୁତି ମଧ୍ୟ ମିଳିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.