ଗଣତନ୍ତ୍ର ସମସ୍ତଙ୍କ ପାଇଁ ସମାନ ପରିସ୍ଥିତି ସୃଷ୍ଟି ପାଇଁ ଥିବା ଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧ ହୁଏନା — ଏହା କେବଳ ସମାନ ସୁଯୋଗ ସୃଷ୍ଟିର ଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧ ହୋଇଥାଏ — ଇରଭିଙ୍ଗ୍ କ୍ରିସ୍ତୋଲ । (Democracy does not guarantee equality of conditions — it only guarantees equality of opportunity. — Irving Kristol) କିନ୍ତୁ ସାମାନ୍ୟତମ ଚିନ୍ତା କରିପାରୁ ଥିବା ଯେକୌଣସି ବ୍ୟକ୍ତି ମୁହୁର୍ତ୍ତକରେ ବୁଝିଯିବ ଯେ ସମାନ ପରିସ୍ଥିତି ବିନା ସମାନ ସୁଯୋଗ ନିରର୍ଥକ — ଶୂନ୍ୟ ।
ବର୍ତ୍ତମାନ ଚାଲୁଥିବା ପ୍ରକ୍ରିୟାକୁ ଆମେ ଅନୁଧ୍ୟାନ କଲେ ଦେଖିବା ଯେ ସମାଜରୁ ତଥାକଥିତ ସମାନ ସୁଯୋଗ ମଧ୍ୟ ଧିରେ ଧିରେ ଅପସରି ଯାଉଛି । ଅଧିକରୁ ଅଧି ଅସମାନ ସମାଜଟିଏ ସୃଷ୍ଟି ହେଉଛି । ଏହି କଥା ଘଟିବାର କାରଣ ହେଲା ତଥାକଥିତ ଗଣତାନ୍ତ୍ରିକ ସରକାରଗୁଡ଼ିକ ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି । ଜନଗଣ ଯଦି ଏପରି ଏକ ଦେଶ ବା ସମାଜ ଗଠନ କରିବାକୁ ଚାହାନ୍ତି, ଯେଉଁଥିରେ ସରକାର ସମାନ ସୁଯୋଗ ସୃଷ୍ଟିର ଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ପାଇଁ ସମାନ ପରିସ୍ଥିତି ସୃଷ୍ଟି ପାଇଁ ଥିବା ଦାୟିତ୍ୱ ପ୍ରତି ଅଙ୍ଗୀକାର ମଧ୍ୟ ଥିବ, ତେବେ ଗଣତାନ୍ତ୍ରିକ ସରକାରଟି ଜନଗଣଙ୍କ ନିକଟରେ ଉତ୍ତରଦାୟୀ ହେବା ଆବଶ୍ୟକ । ଭୋଟଦାନ ଅଧିକାର ଜନଗଣଙ୍କର ରହିଛି । କିନ୍ତୁ ନିର୍ବାଚନଧାରା ଓ ଭୋଟଦାତାଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ମୋତେ ଥରେ ଶାଶୁ-ବୋହୁ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ମନେ ପକେଇଦିଏ । ବୋହୁ ଶାଶୁଙ୍କୁ କହିଲା: “ହଇଗୋ ମାଁ, ଭାଇଟା ଆସିଛି, ଘରକୁ ଡାକୁଛି । ତମେ ହଁ କଲେ ଯିବି, ନାହିଁ କଲେ ଯିବି । ଯିବି ନା ନାହିଁ କହିଲ? ” ଏହା ଶୁଣି ଶାଶୁ କହିଲା: “ହଇଲୋ ଏ ରାଣ୍ଡର ଝୀଅ! ମୁଁ ଯଦି ହଁ କଲେ ଯିବୁ, ନାହିଁ କଲେ ମଧ୍ୟ ଯିବୁ, ତେବେ ମତେ ପଚାରୁଛୁ କାହିଁକି?” ଶାଶୁ ଭଳିଆ ଭୋଟଦାତାମାନେ ଗାଳି ମଧ୍ୟ ଦେଇପାରିବେନି । ସୁନାପିଲାଭଳି କେବଳ ଭୋଟ ଦେବେ ।
ଆବ୍ରାହମ୍ ଲିଙ୍କନ୍ ଗଣତନ୍ତ୍ରର ଯେଉଁ ସଜ୍ଞା ଦେଇଛନ୍ତି ତାହା ସର୍ବଜନବିଦୀତ । ସେ କହିଛନ୍ତି ଯେ ଗଣତନ୍ତ୍ର ହେଉଛି ଏପରି ଏକ ସରକାର ଯାହା ଜନଗଣଙ୍କର, ଜନଗଣଙ୍କ ଦ୍ୱାରା ଏବଂ ଜନଗଣଙ୍କ ପାଇଁ। କିନ୍ତୁ ବାସ୍ତବ ଜଗତରେ ଆମେ ଦେଖୁ ଯେ ଗଣତନ୍ତ୍ର ହେଉଛି ଏପରି ଏକ ସରକାର ଯାହା ଧନୀଙ୍କର, ଜନଗଣଙ୍କ ଦ୍ୱାରା ଏବଂ ଧନୀଙ୍କ ପାଇଁ । ଆମେ ଜନଗଣଙ୍କ ଦ୍ୱାରା ବୋଲି କହିଲେ କାରଣ ନିର୍ବାଚନରେ ସରକାର ବଦଳିଲେ ଲୋକେ ସଗର୍ବରେ ଧେଣ୍ଡୁରା ପିଟି କହନ୍ତି ଆମେ ସରକାରଟାକୁ ବଦଳେଇଦେଲୁ! ଅଥଚ ସେମାନଙ୍କର ଏହି ଗର୍ବ ଅନେକାଂଶରେ ଅତି ବିଭ୍ରାନ୍ତିକର, କାରଣ ନିର୍ବାଚନ କାଳରେ ପ୍ରଚାର ମାଧ୍ୟମ ଓ ଅର୍ଥ ଏକ ନିର୍ଣ୍ଣୟାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ଓ ଭୋଟଦାତାମାନେ କେଉଁ ଦଳକୁ ଭୋଟ ଦେବେ, କାହାକୁ ଭୋଟ ଦେବେ ସେଥି ପାଇଁ ସେମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏକ ପରିବେଶ ସୃଷ୍ଟି କରନ୍ତି । ପ୍ରଚାର ମାଧ୍ୟମର ବିଭିନ୍ନ ରୂପକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ପାଇଁ ତଥା ପ୍ରଚାର କାର୍ଯ୍ୟରେ ଅସଂଖ୍ୟ ମଣିଷଙ୍କୁ ନିଯୁକ୍ତି ଦେବା ପାଇଁ, ଭୋଟରଙ୍କୁ ଭୟଭୀତ କରିବା ଓ ଭୋଟକେନ୍ଦ୍ର ଜବରଦଖଲ ବେଳେ ପାଶବିକ ବଳ ପ୍ରୟୋଗ ପାଇଁ ଯେଉଁ ଅମାପ ଅର୍ଥ ଖର୍ଚ୍ଚ କରାଯାଏ ତାହା କିଏ କରି ପାରିବ? କେବଳ ସେମାନେ ଯେଉଁମାନଙ୍କ ପାଖେ ମୋଟା ମୋଟା ଟଙ୍କା ଥଳି ରହିଛି । ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରପତ୍ରରେ ଲେଖି ଥାଆନ୍ତି: ମୁଁ ନିମିତ୍ତ ମାତ୍ର। ବାସ୍ତବରେ ସେମାନେ ସତ କଥା ଲେଖିଥାନ୍ତି, କାରଣ କରି କରାଉ ଥିବା ଲୋକମାନେ ହେଲେ ଅନ୍ୟମାନେ — ପୁଞ୍ଜିପତିମାନେ । ଶେଷରେ ଆମର ଅନୁଭୂତି ଆମକୁ ଏହି ସିଦ୍ଧାନ୍ତରେ ପହଞ୍ଚାଏ ଯେ ପ୍ରଚଳିତ ଗଣତନ୍ତ୍ର ହେଉଛି ଏପରି ଏକ ସରକାର ଯାହା ଧନୀମାନଙ୍କର, ଧନୀମାନଙ୍କ ଦ୍ୱାରା ଓ ଧନୀମାନଙ୍କ ପାଇଁ । ଗଣତନ୍ତ୍ରରେ ଭୋଟକୁ ଗୁଳିଗୋଳାଠାରୁ ଅଧିକ ଶକ୍ତିଶାଳୀ ବୋଲି କୁହାଯାଏ, ତଥାପି ପୁଞ୍ଜି ଏହି ଦୁହିଟାଠୁଁ ବଳି ବଳଶାଳୀ — ସେମାନଙ୍କର ନିୟନ୍ତ୍ରଣକାରୀ।
ଗୋଟିଏ ସରକାର ବଦଳରେ ଜନଗଣ ଯେତେବେଳେ ଆଉ ଗୋଟିଏ ସରକାର ପତିଷ୍ଠା କରନ୍ତି ସେମାନଙ୍କର ଆଶା ଥାଏ ଯେ ନୂଆ ସରକାରଟି ସେମାନଙ୍କର ଆଶାଆକାଂକ୍ଷା ପୂରଣ କରିବ । କିନ୍ତୁ ନୂଆ ସରକାରଟି ମଧ୍ୟ ଜନଗଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ପୂରୁଣା ସରକାରର ଢଙ୍ଗରେ କାର୍ଯ୍ୟ କରେ । ଜନଗଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିଲା ନାହିଁ କହି ପାଞ୍ଚ ବର୍ଷ ଅନ୍ତେଃ ପୁଣି ଏହି ନୂଆ ସରକାରକୁ ମଧ୍ୟ ନିକମା କହି ଫୋପାଡ଼ି ଦିଆଯିବ । ଗୋଟିଏ ଦଳକୁ ଫୋପାଡ଼ି ଦିଆଯିବ ଓ ଅନ୍ୟ ଦଳକୁ ଗାଦିଷ୍ଠ କରାଯିବ । ଏହି କଥା ଏମିତି ଚାଲିଥିବ । ସରକାର ବଦଳେ, ଅଥଚ ନୀତି ବଦଳେନା, ଲୋକମାନଙ୍କର ଆଶାଆକାଂକ୍ଷା ପୂରଣ ହୁଏନା — ଏହା କିପରି ଘଟେ?
ଉଦାହରଣ ସ୍ୱରୂପ, କଂଗ୍ରେସ ପାର୍ଟି ସରକାରରେ ଥାଇ ଯେତେବେଳେ ଜଗତିକରଣ ପ୍ରକ୍ରିୟାର ସୂତ୍ରପାତ କଲେ, ସେତେବେଳେ ବିରୋଧୀ ପକ୍ଷର ଅନ୍ୟ ଦଳମାନେ ଏହାର ଘୋର ବିରୋଧ କରିଥିଲେ । କିନ୍ତୁ ବିରୋଧୀ ପକ୍ଷର ଏହି ଦଳମାନେ ଯେତେବେଳେ ପରବର୍ତ୍ତୀ କାଳରେ ଯୁକ୍ତ ସାମୁଖ୍ୟ ନାମରେ ହେଉ ଅବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ନାମରେ ହେଉ ସରକାର ଗଢ଼ିଛନ୍ତି ଜଗତିକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ଏବଂ କଂଗ୍ରେସ ପାର୍ଟି ବିରୋଧୀ ପକ୍ଷରେ ବସି କେତେବେଳେ ବା ଧୀର ଶାନ୍ତ ସ୍ୱରରେ, କେତେବେଳେ ବା ହିଂସ୍ର ଉଚ୍ଛୃଙ୍ଖଳ ରୂପରେ ନିଜେ ସୂତ୍ରପାତ କରିଥିବା ନୀତିର ବିରୋଧ କରିଛନ୍ତି । ଆମେ ଏହି କଥାଟିକୁ କୌଣସି ପ୍ରକାର ବିସ୍ତୃତ ବିବରଣୀକୁ ବିଚାରକୁ ନ ନେଇ ଅତି ସରଳ ଭାବରେ କହିଦେଲେ । କିନ୍ତୁ ନୀତିଗତ ପ୍ରଶ୍ନ ଉପରେ ସରକାରରେ ଥାଆନ୍ତୁ ବା ବିରୋଧ ପକ୍ଷରେ ଥାଆନ୍ତୁ ଦଳଗୁଡ଼ିକର ରାଜନୈତିକ ଆଚାରବିଚାର ପ୍ରାୟତଃ ଏକା — ଗାଦିରେ ଥିଲେ କାର୍ଯ୍ୟକାରୀ କର, ବିପକ୍ଷରେ ଥିଲେ ବିରୋଧ କର । ଏହି ସ୍ୱ-ବିରୋଧି ରାଜନୈତିକ ଆଚାରବିଚାର ସମ୍ଭବ କିପରି? ଏହି କଳିଯୁଗରେ ବିକ୍ରମାଦିତ୍ୟଙ୍କ ସିଂହାସନ କଣ ଓଲଟା ଫଳ ଦେଉଛି? ରାଜନୈତିକ ଦଳଗୁଡ଼ିକ ତଳେ ଠିଆ ହୋଇଥିଲେ ଜନସାଧାରଣଙ୍କ ଅଧିକାର ପାଇଁ ସଂଗ୍ରାମ କରିବେ ଅଥଚ ଗାଦିରେ ବସିଲେ ଜନସାଧାରଣଙ୍କ ସ୍ୱାର୍ଥକୁ ପଦଦଳିତ କରିବେ? ଏକ ଉପମା ମନକୁ ଆସୁଛି । ଟିଭିରେ ଥରକେ ଦଶପନ୍ଦର ମିନିଟ ପାଇଁ ଖବର ପଢ଼ନ୍ତି । ଏତେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଦୁଇ ଜଣ — ସାଧାରଣତଃ ଜଣେ ନାରୀ ଓ ଜଣେ ପୁରୁଷ — ଖବର ପଢ଼ନ୍ତି । ସମ୍ଭବତଃ ଦଶପନ୍ଦର ମିନିଟ କାଳ ଗୋଟିଏ ଲୋକର ମୁହଁକୁ ଚାହିଁ ରହିବାର ବିରକ୍ତିକର ସ୍ଥିତିରୁ ଦର୍ଶକମାନଙ୍କୁ ଉଦ୍ଧାର କରିବା ପାଇଁ ମୁହଁ ବଦଳେଇ ବଦଳେଇ ଦୁଇ ଜଣ ଖବର ପଢ଼ନ୍ତି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରୁ ଯିଏ ଖବର ପଢ଼ୁନା କାହିଁକି ଟିଭି ଚାନେଲର ସମ୍ବାଦ ସମ୍ପାଦକ ଯାହା ଲେଖି ଦେଇଥିବେ ଅକ୍ଷରେ ଅକ୍ଷରେ ତାହା ସେମାନେ ପଢ଼ିବାକୁ ବାଧ୍ୟ । ଟିକିଏ ଏପଟ ସେପଟ କରି ପଢ଼ିଲେ ବା ମନରୁ କହିଲେ ଶୃଙ୍ଖଳାଗତ ଶାସ୍ତିବିଧାନ ହୋଇପାରେ, ଚାକିରି ଯାଇପାରେ । ସେହିପରି ସରକାରଙ୍କ ନୀତି ବା କାର୍ଯ୍ୟକ୍ରମ ଲେଖିବା ଲୋକମାନେ ହେଲେ ବହୁଦେଶୀୟ ପୁଞ୍ଜିପତି ବା ପୁଞ୍ଜିପତି ଶ୍ରେଣୀ । ଯେଉଁ ଦଳ ସରକାର ଗଢ଼ୁ ନା କାହିଁକି ସେମାନଙ୍କର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ । ନଚେତ ଟ୍ରକ୍ରେ ବୋଝେଇ ହୋଇ ଟଙ୍କା ଆସିବ, ଏମ୍. ଏଲ୍. ଏ. ବା ଏମ୍. ପି.ମାନେ କିଣା ହେବେ, ବିଧାନସଭା ବା ଲୋକସଭାରେ ଅନାସ୍ଥାପ୍ରସ୍ତାବ ଆସିବ ଏବଂ ତାସର ଘର ଭୁଷୁଡ଼ି ପଡ଼ିଲା ଭଳି ସରକାର ଭୁଷୁଡ଼ି ପଡ଼ିବ। ତା ସ୍ଥାନରେ ଯେଉଁ ଦଳ ବା ମେଣ୍ଟ ବହୁଜାତୀୟ ପୁଞ୍ଜିପତିଙ୍କ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ସେମାନଙ୍କୁ ସନ୍ତୁଷ୍ଟ କରିବା ସମ୍ଭାବନା ଥିବ ସେହି ଦଳ ବା ମେଣ୍ଟକୁ ଏକ ନୂଆ ସରକାର ଗଢ଼ିବା ପାଇଁ ସୁଯୋଗ ଦିଆଯିବ । ବିଭିନ୍ନ ଦଳ ଦ୍ୱାରା ଏମ୍. ପି. ବା ଏମ୍. ଏଲ୍.ଏ.ମାନଙ୍କ କିଣାବିକା, ଆୟାରାମ ଓ ଗୟାରାମମାନଙ୍କ କ୍ରମବର୍ଦ୍ଧିଷ୍ଣୁ ତାଲିକା ଏବଂ ତାର ଇତିହାସ ତଥା ତତ୍ ସଂଶ୍ଳିଷ୍ଟ ଦୁର୍ନ୍ନୀତି ହେଲା ଏହି ଧାରାର କେତେକ ଦୃଷ୍ଟାନ୍ତ, କିନ୍ତୁ ଏହାର ଅନ୍ତଃରାଳରେ ଥିବା ହାତକୁ ଆମେ ଦେଖି ପାରୁନା । ଆମେ ଦେଖଣାହାରୀମାନେ କେବଳ କଣ୍ଢେଇ ନାଚ ଦେଖୁ, ଅଥଚ ଯେଉଁ ଆଙ୍ଗୁଠିଗୁଡ଼ିକ କଣ୍ଢେଇଗୁଡ଼ାକୁ ନଚାନ୍ତି ସେଗୁଡ଼ିକୁ ଆମେ ଦେଖି ପାରୁନା।
ନିର୍ବାଚନ କାଳରେ ଭୋଟଦାତାମାନଙ୍କୁ ପ୍ରଲୋଭିତ ଓ ପ୍ରଭାବିତ କରି ନିଜ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ଭୋଟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି । ସେଗୁଡ଼ିକରେ ସେମାନେ ଅସଂଖ୍ୟ କାମ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦିଅନ୍ତି, ପ୍ରତିଜ୍ଞାବଦ୍ଧ ହୁଅନ୍ତି — କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ । ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେବା ଓ ନିର୍ବାଚନ ପରେ ପ୍ରତିଶ୍ରୁତିଗୁଡ଼ିକ ଭୁଲିଯିବା, ପ୍ରତିଶ୍ରୁତି-ଭଙ୍ଗ ଅପରାଧ ଛଡ଼ା ଅନ୍ୟ କିଛି ନୁହେଁ । ଜଣେ ବ୍ୟବସାୟୀ ଯଦି ଜଣେ ଗ୍ରାହକଙ୍କଠାରେ ପ୍ରତିଶ୍ରୁତି-ଭଙ୍ଗ ଅପରାଧ କରେ, ତେବେ ଗ୍ରାହକ ଜଣକ ସେହି ବ୍ୟବସାୟୀଙ୍କୁ ନ୍ୟାୟାଳୟକୁ ଟାଣି ନ୍ୟାୟ ମାଗିପାରିବେ, କ୍ଷତିପୂରଣ ଦାବୀ କରିପାରିବେ। ଅଥଚ ଗୋଟିଏ ରାଜନୈତିକ ଦଳ ନିର୍ବାଚନ ବେଳେ ଭୋଟଦାତାଙ୍କ ନିକଟରେ ଅସଂଖ୍ୟ ପ୍ରତିଶ୍ରୁତି ଦେଇ, ପ୍ରତିଶ୍ରୁତି ପାଳନ ନକରି ଭୋଟଦାତାଙ୍କୁ ଠକି ଦେଲେ, ଭୋଟଦାତାଙ୍କ ନିକଟରେ ପ୍ରତିକାରର କୌଣସି ବାଟ ନାହିଁ । ଅତି ବେଶିରେ ପୁଣି ନିର୍ବାଚନ ଆସିଲେ ସରକାରଟାକୁ ବଦଳେଇ ଦେବେ — କିନ୍ତୁ ଫଳ ସେଇ ଏକା । ବ୍ୟକ୍ତିକୁ ଠକିଲେ ଦଣ୍ଡ, ଜାତିକୁ ଠକିଲେ ପାରିବାପଣିଆ ।
ତେଣୁ ଭାରତର ଜନସାଧାରଣ ନିର୍ବାଚନ ଇସ୍ତାହାରଗୁଡ଼ିକୁ ଆଇନଅଦାଲତର ବିଚାର ପରିସରଭୂକ୍ତ କରିବା ପାଇଁ ଦାବୀ କରିବା ଆବଶ୍ୟକତା ରହିଛି । ସେଗୁଡ଼ିକୁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଭୋଟଦାତାଙ୍କୁ ଦିଆଯାଇଥିବା ପ୍ରତିଜ୍ଞାପତ୍ର (promisory notes) ବୋଲି ବିଚାର କରିବାକୁ ହେବ । ତାହା ଯଦି ହୁଏ, ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ସରକାର ଓ ସରକାର ଗଢ଼ିଥିବା ଦଳ ବା ମେଣ୍ଟକୁ କୋର୍ଟକଚେରୀକୁ ଟାଣି ନ୍ୟାୟ ମଗାଯାଇ ପାରିବ ଓ ସେମାନଙ୍କୁ ଯଥୋଚିତ ଦଣ୍ଡ ଦିଆଯାଇ ପାରିବ । ଆମର ଗଣତନ୍ତ୍ରକୁ ଉତ୍ତରଦାୟୀ କରିବା ପାଇଁ ଭାରତର ନିର୍ବାଚନ କମିଶନ ମଧ୍ୟ ଆମର ରାଜନୈତିକ ଧାରାର ଏହି ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ଆମେ ଯେତେବେଳେ ଉତ୍ତରଦାୟୀ ଗଣତନ୍ତ୍ର ପ୍ରତିଷ୍ଠା କରିପାରିବା ସେତେବେଳେ ଆମର ଗଣତାନ୍ତ୍ରିକ ସରକାରଟି ବାସ୍ତବରେ ଜନଗଣଙ୍କର, ଜନଗଣଙ୍କ ଦ୍ୱାରା ତଥା ଜନଗଣଙ୍କ ପାଇଁ ହେବ ଓ ସେତେବେଳେ ଯାଇ ସରକାର ସମାନ ସୁଯୋଗ ସୃଷ୍ଟି ପାଇଁ ଅଙ୍ଗୀକାରବଦ୍ଧ ହେବା ସଙ୍ଗେ ସଙ୍ଗେ ସମାନ ପରିସ୍ଥିତି ସ୍ଥାପନା ପାଇଁ ଅଙ୍ଗୀକାରବଦ୍ଧ ହେବେ ।
କୃତଜ୍ଞତା ଜ୍ଞାପନ
(ମୂଳ ଇଂରାଜି ଲେଖାଟି “Breach of Trust: Election Manifestos Must Be Legally Enforceable” ନାମରେ The Statesman ରେ 13 ଫେବୃଆରୀ 2004 ରେ ପ୍ରକାଶିତ ହୋଇଥିଲା। ପରେ ପରେ ଏହି ଇଂରାଜି ଲେଖାଟିକୁ SARID, 675 Mass Avenue, Cambridge, MA02139, USA ଇଣ୍ଟେରନେଟରେ ପ୍ରକାଶ କରିଥିଲେ। )
e-mail: neelamanisahu@rediffmail.com
Comments
0 comments