ମାନଚିତ୍ର ଜାତୀୟତାବାଦ

13 Min Read

ଦେଶକୁ ନେଇ କିଏ କ’ଣ ଭାବୁଛନ୍ତି ଆମେ ପ୍ରାୟ ଜାଣନ୍ତି ନାହିଁ । କିଛି କୁହାଳିଆ ଲୋକ ଯାହା କୁହନ୍ତି, କହି ନପାରୁଥିବା ଲୋକେ ବା ଯାହା କଥାକୁ କେହି ଶୁଣନ୍ତି ନାହିଁ, ସେହିଭଳି ଲୋକଙ୍କର ଶୁଣିବା ଛଡ଼ା ଅନ୍ୟ କିଛି ବାଟ ନାହିଁ । ସେହି ଲୋକମାନଙ୍କ ବାଟ ହୁଡ଼େଇବା କାମଟି ବି କୁହାଳିଆ ଲୋକମାନେ କରିଥାନ୍ତି । କାଶ୍ମୀରକୁ ନେଇ ଗତ ୭୨ବର୍ଷ ଧରି ଯାହା ଶୁଣାଯାଉଛି ତାହା କୁହାଳିଆ ଲୋକଙ୍କ ବକ୍ତବ୍ୟ । କାଶ୍ମୀରରେ ଯାହା ଘଟିଚାଲିଛି ତାକୁ ନେଇ କୁହାଳିଆମାନେ ଯେଉଁ ତତକ୍ଷଣିକ ପାଣ୍ଡିତ୍ୟ ଦେଖାନ୍ତି ତାକୁ ଇତର ଲୋକେ ବେଦବଚନ ଭାବି ମାନିନିଅନ୍ତି । କିଏ କ’ଣ କହିବା ପଛରେ କିଭଳି କାରଣ ଅଛି ବା ପ୍ରତିଟି ବଚନର ଅଦୃଶ୍ୟ ପୃଷ୍ଠପୋଷକ କିଏ, ସେ ପ୍ରଶ୍ନ ଆସିବ ବା କେମିତି! ଆମର ତଥାକଥିତ ଶିକ୍ଷିତବର୍ଗ ମାନବବାଦୀ ଜାତୀୟତାବାଦ ନୁହେଁ ବରଂ ବେଶୀ ବିଶ୍ୱାସ କରନ୍ତି ମାନଚିତ୍ରବାଦୀ ଜାତୀୟତାବାଦ ଉପରେ । ଭାରତରେ ଏହି ମାନଚିତ୍ରବାଦୀ ଜାତୀୟତାବାଦ ଯେଉଁ ଅବୁଝାମଣା ସୃଷ୍ଟି କରିଛି, ତାହାର ଶିକାର ହେଉଛନ୍ତି କୋଟି କୋଟି ଭାରତୀୟ । ଉଦାହରଣସ୍ୱରୂପ ନିଆଯାଇପାରେ ଭାରତୀୟ ମାନଚିତ୍ରରେ ଥିବା କାଶ୍ମୀର ସମତେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନେଇ ଭାରତର ସୀମାରେଖା ଭିତରେ ଥିବା ଅନ୍ୟ ରାଜ୍ୟର ବାସିନ୍ଦାମାନଙ୍କ ଭାବନା ଏବଂ ସେ ଭାବନାକୁ ଗୋଟିଏ ନିର୍ଦ୍ଦିଷ୍ଟ ଅମାନବିକ ରାସ୍ତାରେ ନେଉଥିବା କୁହାଳିଆ ସମାଜ ଓ ସେମାନଙ୍କର ସକଳ ସଂସ୍ଥା – ଗଣମାଧ୍ୟମ ସମେତ । କାଶ୍ମୀର ବା ଉତ୍ତର ପୂର୍ବାଞ୍ଚଳର ବାସିନ୍ଦାମାନଙ୍କୁ ଭଲପାଇବା ବା ନିକଟରୁ ଚିହ୍ନିବା ତଥା ବୁଝିବା କାମଟି ଅବଶିଷ୍ଟ ଭାରତୀୟମାନେ କରନ୍ତି ନାହିଁ । ଏମାନଙ୍କ ଭିତରେ ଯେଉଁମାନେ ମଧ୍ୟବିତ୍ତ ବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ସେମାନଙ୍କ ପାଇଁ କାଶ୍ମୀର ବା ଉତ୍ତର-ପୂର୍ବ ରାଜ୍ୟସମୂହ ଗୋଟିଏ ଗୋଟିଏ ପର୍ଯ୍ୟଟନ ତଥା ଅବସର ବିନୋଦନ କ୍ଷେତ୍ର । ସେମାନେ କେବଳ ଭାରତର ମାନଚିତ୍ରଟିକୁ ଦେଖି ସମ୍ପୃକ୍ତ ଅଞ୍ଚଳ ସବୁ ଭାରତର ବୋଲି ଗର୍ବ ଓ ଗୌରବ ଅନୁଭବ କରନ୍ତି । ‘ଅଖଣ୍ଡ ଭାରତର’ ଅଂଶଗୁଡ଼ିକୁ ଯଦି କିଏ ସ୍ପର୍ଶ କରେ ଏମାନେ ନିଜର ଶରୀର ଯେମିତି କିଏ ସ୍ପର୍ଶ କଲା ଏପରି ଭାବି ତୀବ୍ର ପ୍ରତିକ୍ରିୟା ରଖୁଥିବା ଲୋକମାନଙ୍କର ନିରୀହ ସମର୍ଥକ ସାଜିଥାନ୍ତି । କାଶ୍ମୀର ଲୋକେ ବା ମଣିପୁର ବା ନାଗାଲାଣ୍ଡର ଲୋକେ କେଉଁଭଳି ଜୀବନ ବିତାଉଛନ୍ତି ଏବଂ ସେମାନଙ୍କର ଜୀବନର ଦୁଃଖ, ଦୁର୍ଦ୍ଦଶା, ଯନ୍ତ୍ରଣା, ଯାତନା କ’ଣ ସବୁ ରହିଛି – ଏକଥା ପର୍ଯ୍ୟଟକ ଭାରତୀୟ ବା ମାନଚିତ୍ର ଜାତୀୟତାବାଦୀ ମାନେ ବୁଝନ୍ତି ନାହିଁ ବା ବୁଝିବାର ପ୍ରୟାସଟିଏ ମଧ୍ୟ କରନ୍ତି ନାହିଁ । ଯେଉଁ ଭାରତୀୟମାନେ ବଞ୍ଚôବା ପାଇଁ ସଂଘର୍ଷ କରି ଆସିଛନ୍ତି ସେମାନେ ମାନଚିତ୍ର ଜାତୀୟତାବାଦ ନୁହେଁ ବରଂ ସେମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ମାନବବାଦୀ ଜାତୀୟତାବାଦରେ ବିଶ୍ୱାସ ରଖିଥାନ୍ତି । ଖଣ୍ଡାଧାର ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୁୟାଁ ମହାସର୍ଦ୍ଦାର ବିଲୁଆ ନାୟକଙ୍କ ପାଖକୁ ଯାଇ ପଚାରନ୍ତୁ ଯେ କାଶ୍ମୀରକୁ ନେଇ ସେ କେତେ ଚିନ୍ତିତ ! ନିୟମଗିରି ପାହାଡ଼କୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ଡଙ୍ଗରିଆ ସେନାପତି ଲଦ ସିକକାଙ୍କୁ ପଚାରନ୍ତୁ ସେ କାଶ୍ମୀର ସମ୍ପର୍କରେ କେତେ ଚିନ୍ତିତ ! ଅବେଳରେ ଆତ୍ମହତ୍ୟା କରି ଜୀବନ ହାରିଥିବା ଜଣେ ଚାଷୀଙ୍କ କନ୍ୟା ଦିପ୍ତିଙ୍କୁ ପଚାରନ୍ତୁ ସେ କାଶ୍ମୀର ପାଇଁ କେତେ ଚିନ୍ତିତ! ମୁଣ୍ଡର ଝାଳ ତୁଣ୍ଡରେ ମାରି ସକାଳୁ ସଂଜ ଅକ୍ଳାନ୍ତ ପରିଶ୍ରମ କରୁଥିବା ଶ୍ରମଜୀବୀମାନଙ୍କୁ ପଚାରନ୍ତୁ ସେମାନେ କାଶ୍ମୀର ପାଇଁ କେତେ ଚିନ୍ତିତ? ହଁ, ଏମାନେ ହୁଏତ ଆମ ଅପେକ୍ଷା ବେଶି ଚିନ୍ତିତ ଜଣାପଡ଼ିବେ କିନ୍ତୁ ସେମାନଙ୍କୁ ସବୁ କଥା ଭଲରେ ସ୍ପଷ୍ଟ ଓ ନିରପେକ୍ଷ ଭାବେ ବୁଝାଇ ଦେଲେ ହୁଏତ କହିବେ -ହଁ ଆମେ ଚିନ୍ତିତ କାଶ୍ମୀର ନୁହେଁ, କାଶ୍ମୀରବାସୀଙ୍କ ପାଇଁ । ଯେଉଁସବୁ କଥା ଆମେ କାହାକୁ ଜାଣିବାକୁ ଦେଉନାହାନ୍ତି, ସେ ସବୁ କଥା ଏମାନେ ବା ଜାଣିବେ କେମିତି? କାଶ୍ମୀର ସମ୍ପର୍କରେ ଶିକ୍ଷିତ ଭାରତୀୟମାନେ ପ୍ରାୟତଃ କିଛି ଜାଣନ୍ତି ନାହିଁ । ଯେଉଁମାନେ ବୁଝିବାର ପ୍ରୟାସ କରନ୍ତି ତାଙ୍କୁ ‘ଦେଶଦ୍ରୋହୀ’, ‘ଦେଶ ବିରୋଧୀ’ ସମ୍ବୋଧନ କରି ପ୍ରାୟୋଜିତ ଗାଳି ସବୁ କରାଯାଇଥାଏ । ଅନେକ ସେ ଭିତରୁ ନିରୁତ୍ସାହିତ ହୋଇ ନୀରବ ହୋଇଯାଆନ୍ତି ।

ଭାରତର ବିଭାଜନ ସହ କାଶ୍ମୀର ସମସ୍ୟା ଲାଗି ରହିଛି । ଭାରତ ବିଭାଜିତ ହୋଇନଥିଲେ ଯେ ସୀମାନ୍ତର ଜଟିଳ ପରିସ୍ଥିି କେବେ ଉପୁଜି ନଥାନ୍ତା, ଏଭଳି ଭାବିବା ଭୁଲ୍ । କାଶ୍ମୀର, ପାକିସ୍ଥାନ, ଆଫଗାନିସ୍ତାନ ଯେଉଁ ଭୌଗୋଳିକ ସ୍ଥିତିରେ ଅଛନ୍ତି; ସାମରିକ ସାମ୍ରାଜ୍ୟବାଦୀମାନେ କେବେ ବି ଏହି ଅଞ୍ଚଳଗୁଡ଼ିକୁ ଶାନ୍ତିରେ ରହିବା ପାଇଁ ଦିଅନ୍ତେ ନାହିଁ । ଆଜି କେବଳ କାଶ୍ମୀର ନୁହେଁ, ପାକିସ୍ତାନର ସୀମାନ୍ତ ପ୍ରଦେଶଗୁଡ଼ିକ ଏବଂ ଆଫଗାନିସ୍ଥାନରେ ଅଶାନ୍ତିର ନିଆଁରେ ଜଳୁଛି । ଏସବୁ ଇଲାକାରେ ଶାନ୍ତି ଏକ କଷ୍ଟ ସ୍ୱପ୍ନ ବା ଅଭିଳାଷ ବୋଲି ଲୋକେ ମନେକରନ୍ତି । ୨୦୦୧ମସିହା ପରଠାରୁ ଆଜିଯାଏଁ ଆଫଗାନିସ୍ଥାନର ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ୧ଲକ୍ଷ ୧୧ହଜାର ସାଧାରଣ ଲୋକ, ସୈନିକ ଏବଂ ସଶସ୍ତ୍ର ବିଦ୍ରୋହୀ ମୃତ୍ୟୁବରଣ କରିଛନ୍ତି । ଏହି ସଂଘର୍ଷଜନିତ ପରୋକ୍ଷ କାରଣ ଯୋଗୁଁ ଅଧିକ ୩ଲକ୍ଷ ୬୦ହଜାର ଲୋକ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି ମାତ୍ର ୨୦ବର୍ଷ ଭିତରେ । କେତେ ଲୋକଙ୍କର ଜୀବିକା ଯାଉଛି ତାହାର ହିସାବ ବି କହିହେବନି । ଯାହାକୁ ଆମେ ଚିରଶତ୍ରୁ ଭାବୁଛେ, ଏବଂ ଯାହାକୁ ଧ୍ୱଂସ କରିଦେବା ପାଇଁ ପାଗଳ ଭଳି ଆହ୍ୱାନ ଦେଉଛେ, ସେହି ପାକିସ୍ଥାନରେ ୩୫ହଜାର ଲୋକ ଆତଙ୍କବାଦୀ କାର୍ଯ୍ୟକଳାପରେ ମୃତ୍ୟୁବରଣ କରିଛନ୍ତି କେବଳ ୨୦୦୧ରୁ ୨୦୧୧ ଭିତରେ । ଏହି ୧୦ବର୍ଷ ଭିତରେ ପାକିସ୍ଥାନ ପ୍ରାୟ ୭୫ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି ।

ନରେନ୍ଦ୍ର ମୋଦୀ ଦିଲ୍ଲୀ ସିଂହାସନରେ ବସିବା ବର୍ଷ ଅର୍ଥାତ୍ ୨୦୧୪ରେ ପାକିସ୍ଥାନରେ ୧୭ଟି ଆତଙ୍କବାଦୀ ହିଂସା ଘଟଣା ଘଟିଥିଲା ଯେଉଁଥିରେ ୨,୪୧୨ଜଣ ମୃତ୍ୟୁ ଘଟିଥିଲା ଏବଂ ୩,୩୯୫ଜଣ ଲୋକ କ୍ଷତବିକ୍ଷତ ହୋଇଥିଲେ । ସେହିପରି ୨୦୧୫ ମସିହାରେ ପାକିସ୍ଥାନରେ ୨୨ଟି ଆତଙ୍କବାଦୀ ହିଂସା ଘଟିଥିଲା ଯେଉଁଥିରେ ୧୬୦୬ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୧୮୪୩ଜଣ ଲୋକ କ୍ଷତବିକ୍ଷତ ହୋଇଥିଲେ । ମୋଦୀଙ୍କ ଶାସନ ଭାରତରେ ତୃତୀୟ ବର୍ଷରେ ପହଞ୍ଚିଥିବାବେଳେ ପାକିସ୍ଥାନରେ ୨୦୧୬ମସିହାରେ ୨୩ଟି ଆତଙ୍କବାଦୀ ହିଂସା ଘଟିଥିଲା ଏବଂ ସେଥିରେ ୧୦୮୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୩୩୭ଜଣ କ୍ଷତବିକ୍ଷତ ହୋଇଥିଲେ । ଗୋଟିଏ ସମୟରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ସୃଷ୍ଟି କରି ବିଶେଷକରି ସୋଭିଏତ୍ ସଂଘର ଆଫଗାନିସ୍ଥାନ ଦଖଲ ବିରୁଦ୍ଧରେ କାମ କରିବା ପାଇଁ ଆମେରିକୀୟ ଗୋଇନ୍ଦା ସଂସ୍ଥା ସି.ଆଇ.ଏ. ସହାୟତାରେ କରାଯାଇଥିଲା । ଭାରତରେ ମଧ୍ୟ ସି.ଆଇ.ଏ.ର ଦଲାଲମାନେ ଅନେକବର୍ଷ ଧରି କାମ କରିଆସିଛନ୍ତି । ତେବେ ସୋଭିଏତ୍ ସଂଘର ବିଲୟ ପରେ ମଧ୍ୟ ଏହି ସଶସ୍ତ୍ର ସଙ୍ଗଠନଗୁଡ଼ିକ ପୂର୍ବ ପରି ସକ୍ରିୟ ରହିଲେ ଓ ରାଷ୍ଟ୍ର ଶକ୍ତି ସହ ମୁକାବିଲା ନୀତି ଅବଲମ୍ବନ କଲେ । ଏବେ ତ ଆତଙ୍କବାଦୀ ସଙ୍ଗଠନମାନଙ୍କର ମୂଳ ପୃଷ୍ଠପୋଷକ ହେଉଛନ୍ତି ବିଶ୍ୱର ପ୍ରତିରକ୍ଷା ଶିଳ୍ପ । ଏହି ପ୍ରତିରକ୍ଷା ଶିଳ୍ପ ରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଯୋଗାଇଥାନ୍ତି ଏବଂ ରାଷ୍ଟ୍ରଶକ୍ତିକୁ ବିରୋଧ କରୁଥିବା ଗୋଷ୍ଠୀକୁ ମଧ୍ୟ ଏମାନେ ଅସ୍ତ୍ରଶସ୍ତ୍ର ଯୋଗାଇଥାନ୍ତି । ସେହି ଦୃଷ୍ଟିରୁ ଦେଖିଲେ ଆମକୁ କାଶ୍ମୀର ପରିସ୍ଥିତି ଆଲୋଚନା କଲାବେଳେ ଭୌଗୋଳିକ ଆତଙ୍କବାଦ ଏବଂ ଏହାର ପୃଷ୍ଠପୋଷକମାନଙ୍କ କଥା ବିଚାରକୁ ନେବାକୁ ପଡ଼ିବ ।

କାଶ୍ମୀର ପୁଲ୍ୱାମାଠାରେ ଭାରତୀୟ ଅର୍ଦ୍ଧସାମରିକ ବାହିନୀର ସୈନିକମାନଙ୍କ ସାମରିକ ଯାନଗୁଡ଼ିକ ଉପରେ ଯେଉଁଭଳି ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରାଗଲା, ସେଥିରେ ୪୦ଜଣ ସିପାହୀ ମୃତ୍ୟୁବରଣ କଲେ ଏବଂ ସେମାନଙ୍କ ଭିତରେ ଦୁଇଜଣ ଓଡ଼ିଆ ମଧ୍ୟ ଥିଲେ । ସମସ୍ତେ ଗରିବ ପରିବାରର । ଏଭଳି ଜଘନ୍ୟକାଣ୍ଡକୁ ଯେଉଁଭଳି ଭାଷାରେ ନିନ୍ଦା କଲେ ବି କମ୍ ହେବ । ଭାରତର ସୁରକ୍ଷା ଆଭ୍ୟନ୍ତରୀଣ ହେଉ ବା ବୈଦେଶିକ; ତା’ର ଠିକାଟି କେବଳ ଗରିବ ଭାରତୀୟମାନଙ୍କ ଉପରେ ଲଦି ଦିଆଯାଉଛି । ସେଥିପାଇଁ ସମ୍ଭ୍ରାନ୍ତ ଶାସକମାନଙ୍କର କିଛି ଦାୟିତ୍ୱବୋଧ ନଥାଏ ଏବଂ ବେପରୁଆ ଭାବେ ନୀତିନିଷ୍ପତ୍ତି ନେଇ ଏମାନଙ୍କୁ ବଳିରେ ଚଢ଼ାନ୍ତି । ମଲେ କ୍ଷତିପୂରଣ ରାଶିର ଘୋଷଣା । ମଧ୍ୟବିତ୍ତ ଶ୍ରେଣୀ ଓ ଗଣମାଧ୍ୟମ ଏଭଳି ଭାବାବେଗ ସୃଷ୍ଟି କରନ୍ତି ଯେ କିଛିଦିନ ପାଇଁ ନିଜ ଲୋକଙ୍କୁ ହରେଇଥିବା ପରିବାର ଭାବିନିଅନ୍ତି ଯେ ସେମାନେ ସହିଦ ହୋଇଥିବା ନିଜ ଲୋକଟି ପାଇଁ କେତେ ଗର୍ବିତ । ତା’ପରେ ଆରମ୍ଭ ହୁଏ ସେମାନଙ୍କ ଜୀବନର ଅସଲ ସଂଘର୍ଷ । ସେତେବେଳକୁ ପାଖରେ ଛିଡ଼ାହେବା ପାଇଁ କିଏ ବି ନଥାଏ । ୧୯୧୭ ମସିହାରେ ଗାନ୍ଧୀଙ୍କୁ ମରଣ ମୁହଁରୁ ବଞ୍ଚାଇ ନିଜ ଜୀବନରୁ ନିଦ ହଜାଇଥିବା ମୁସଲିମ ରୋଷେୟାଟିକୁ ସ୍ୱାଧୀନ ଭାରତ ଭୁଲିଗଲା । ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ବିହାର ଗସ୍ତବେଳେ ଅଚାନକ ନଜର ପଡ଼ିଥିବା ଏହି ଯନ୍ତ୍ରଣା ଜର୍ଜରିତ ମଣିଷଟିକୁ ଅନେକ ପ୍ରତିଶ୍ରୁତି ଦିଆଗଲା । ଅନେକ ଦିନରୁ ସେ ଚାଲିଗଲେଣି । ତାଙ୍କର ପିଲାମାନେ ବି ଚାଲିଗଲେଣି । ଏବେ ଦୁଃସ୍ଥ ଅବସ୍ଥାରେ ଥିବା ନାତି-ନାତୁଣି ବାର ଦୁଆର ହେଉଛନ୍ତି – ଗାନ୍ଧୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିବା ଉପାଖ୍ୟାନଟିର ୧୦୨ବର୍ଷ ବିତିଗଲାଣି । ବିଚରା ସହିଦମାନଙ୍କୁ ବା ପଚାରେ କିଏ? ଏହି କଥାଟିକୁ ନିକଟରେ ସାମାଜିକ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଥିଲା ।

ମିଛ ଦେଶଭକ୍ତର ନାରା ଦେଉଥିବା ଲୋକେ ସାମାଜିକ ଗଣମାଧ୍ୟମଗୁଡ଼ିକୁ ବ୍ୟବହାର କରି ଏବଂ ହିଂସା ସୃଷ୍ଟି କରିବାପାଇଁ ପ୍ରବର୍ତ୍ତାଉଥିବା ଟିଭି ଚ୍ୟାନେଲମାନଙ୍କରେ ଭାଗନେଇ ଅନେକ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ରଖିଥାନ୍ତି । ସାଧାରଣ ଲୋକଙ୍କୁ ପ୍ରଶ୍ନ କରିବାର ସୁଯୋଗ ନଥାଏ । ପୁଲ୍ୱାମାରେ ଯେଉଁ ଆତଙ୍କବାଦୀ ଆକ୍ରମଣ ଘଟିଲା ତାହାର ପୂର୍ବ ସୂଚନା କ’ଣ କିଛି ମିଳିନଥିଲା? ଯଦି ମିଳିଥିଲା ତେବେ କାର୍ଯ୍ୟାନୁଷ୍ଠାନ ନନେବା ପଛର କାରଣ କ’ଣ ଓ ଦାୟୀ କିଏ? ଯଦି ପୂର୍ବସୂଚନା କିଛି ମିଳି ନଥିଲା ତେବେ ଆମ ଗୋଇନ୍ଦା ସଂସ୍ଥାମାନେ କରୁଛନ୍ତି କ’ଣ? ସମଗ୍ର ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳଙ୍କ ଶାସନରେ ଆସିବା ପୂର୍ବରୁ ହିଁ ସୁରକ୍ଷାବଳଙ୍କ ଅଧିନରେ ରହିଆସିଛି । ସେଠି ସାଧାରଣ ଲୋକେ ସହଜରେ ଯିବାଆସିବା କରିପାରୁ ନାହାନ୍ତି । ଯାନବାହନ ଚଳାଚଳ କମ୍ ଏବଂ ପ୍ରତିଟି ଯାନବାହନ ଉପରେ ସୁରକ୍ଷାବଳଙ୍କ ନଜର । ଏପରି ଏକ ପରିସ୍ଥିତିରେ ମାରାତ୍ମକ ବିସ୍ଫୋରକ ଧରି ଗୋଟିଏ ଯାନ ଆସିପାରିଲା ଏବଂ ତାଙ୍କୁ ସୁରକ୍ଷା ବାହିନୀଙ୍କ ଗାଡ଼ିପାଖକୁ ଆସିବାକୁ ସୁଯୋଗ ଦିଆଗଲାକେମିତି? ଯଦି କାଶ୍ମୀରକୁ ସୁରକ୍ଷା ବାହିନୀଙ୍କ ରାଜ୍ୟରେ ପରିଣତ କଲାପରେ ବି ଏଭଳି ଆକ୍ରମଣ ହୋଇପାରୁଛି, ତେବେ ଆମ ନୀତିଗୁଡ଼ିକର ସମୀକ୍ଷା ନିହାତି ଜରୁରୀ । ସୁରକ୍ଷା ବଳ ବଢ଼ାଇ କାଶ୍ମୀରରେ ଶାନ୍ତି ଫେରାଇ ଆଣିହେବନି, ପୁଲୱାମା ଘଟଣା ତାହାର ଏକ ନଗ୍ନ ଉଦାହରଣ । କାଶ୍ମୀରରେ ଭାରତୀୟ ରାଷ୍ଟ୍ରର ବିଫଳତା ଗୋଟିଏ ସରକାରର ନୁହେଁ ବରଂ ସମଗ୍ର ଦେଶର ବିଫଳତା । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନଥିବା ବେଳେ ଯାହା କହୁଥିଲେ ଏବଂ ଏବେ ଯାହା କରୁଛନ୍ତି ତାହା ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉନ୍ମୋଚିତ କରୁଛି । କିନ୍ତୁ ସମାଧାନର ସୂତ୍ର ତାଙ୍କ ପାଖରେ ନାହିଁ । ଅଧିକାଂଶ ଭୁଲ ନୀତି କଂଗ୍ରେସ ଅମଳରୁ ହିଁ ଆରମ୍ଭ ହେଇଛି -ସୁତରାଂ କଂଗ୍ରେସ ବି ଯେ ଗୋଟିଏ ସମାଧାନର ବାଟ ଖୋଜୁଛି ତାକୁ ଗ୍ରହଣ କରାଯାଇ ପାରିବନି । ଏସବୁ ଭିତରେ ଆମେ ଦେଖୁଛୁ ଯେ ଯାହା ଦିନେ କାଶ୍ମୀରରେ କେବଳ ସଶସ୍ତ୍ର ବିଦ୍ରୋହୀଙ୍କ ପାତାଳି କାର୍ଯ୍ୟକ୍ରମ ଥିଲେ ତାହା କାଶ୍ମୀରବାସୀଙ୍କ ପ୍ରତି ରାଷ୍ଟ୍ରୀୟ ଅନ୍ୟାୟପୂର୍ଣ୍ଣ ମନୋଭାବ ଯୋଗୁଁ ଏବଂ ଅବଶିଷ୍ଟ ଭାରତୀୟଙ୍କ ବିମୁଖ ଭାବନା ଯୋଗୁଁ ଏକ ଗଣଆନ୍ଦୋଳନରେ ପରିଣତ ହୋଇଯାଇଛି । ତାହା ବି ମାତ୍ର କେତୋଟି ବର୍ଷ ଭିତରେ । ଯେଉଁ ପିଲାଟି ଆତ୍ମଘାତୀ କାର୍ଯ୍ୟ କରି ବିସ୍ଫୋରକ ନେଇ ସୈନିକମାନଙ୍କ ଗାଡ଼ିରେ ଧକ୍କା ଦେଲା ସେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଦିନେ ଅତ୍ୟାଚାରିତ ହୋଇଥିଲା ଏବଂ ତାହାର ପ୍ରତିଶୋଧ ପାଇଁ ସୁଯୋଗ ଖୋଜିବା ଭିତରେ ଜୈସ-ଇ-ମହମ୍ମଦ୍ ଆତଙ୍କୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା । ଯେଉଁ ଯୁବକ ଓ ପିଲାମାନେ ସେନାବାହିନୀ ଉପରକୁ ଦିନେ ପଥର ଫୋପାଡ଼ିଥିଲେ ସେମାନଙ୍କ ହାତରେ ଏ.କେ.୪୭ ବନ୍ଧୁକ ଅବା ଆର.ଡି.ଏକ୍ସ ବିସ୍ଫୋରକ ଦେଲା କିଏ? ଏବଂ ଏଥିପାଇଁ ଅବସର ସୃଷ୍ଟି କଲା କିଏ? ଗତ ୭୨ବର୍ଷ ଭିତରେ କାଶ୍ମୀରବାସୀଙ୍କୁ ସ୍ନେହ ଓ ଭଲପାଇବା ଆମେ କ’ଣ ଦେଇପାରିଛେ? ପଥର ଫୋପାଡ଼ୁଥିବା ପିଲାକୁ ଆମେ ନିଜର କରିବାରେ ବିଫଳ ହେବାଦ୍ୱାରା ଏବଂ ସେମାନଙ୍କୁ ଅଧିକ ଅତ୍ୟାଚାର କରାଯିବା ଦ୍ୱାରା ସେମାନେ ବିଦ୍ରୋହୀମାନଙ୍କ ଆଡ଼କୁ ଟାଣି ହୋଇଗଲେ । ଜଣେ ମନସ୍ତତ୍ତ୍ୱବିତ୍ ୱାଜେଦା ଖାନ୍ଙ୍କ ମତରେ କାଶ୍ମୀର ଯୁବକମାନଙ୍କ ଭିତରେ ବିଦ୍ରୋହ ମନୋଭାବ ବଢ଼ିଚାଲିଛି । ସେମାନଙ୍କ ବାପା-ମା’ଙ୍କ ସହ ସେମାନଙ୍କର ମାନସିକ ଦୂରତା ବି ବଢ଼ିଚାଲିଛି । ବର୍ତ୍ତମାନର ରାଜନୈତିକ ପରିସ୍ଥିତି ପାଇଁ ଯୁବପିଢ଼ି ବାପା-ମା’ମାନଙ୍କୁ ଦାୟୀ କରୁଛନ୍ତି ଯେ ସେମାନେ କିଛି ଏ ବାବଦରେ କାମ କରିନାହାନ୍ତି । ଏବେ ସେମାନେ ନିଜ ବାଟ ନିଜେ ଖୋଜୁଛନ୍ତି ଏବଂ ଅଧିକ ଆକ୍ରାମକ ହୋଇ କୌଣସି କର୍ତ୍ତୃତ୍ୱକୁ ମାନୁନାହାନ୍ତି । ଏକୁଟିଆ ନୁହେଁ, ଏକାଠି ହୋଇ ଦଳ ତିଆରି କରିବା ସେମାନଙ୍କ ପ୍ରମୁଖ କାମ ହୋଇଛି । କାଶ୍ମୀରରେ ଶିକ୍ଷା ଓ ନିଯୁକ୍ତିର ସ୍ଥିତି ଅତି ଶୋଚନୀୟ । ଏପରି ସ୍ଥଳେ ବର୍ଷ ବର୍ଷ ଧରି ସ୍କୁଲ, କଲେଜ ବନ୍ଦ ହେବା ମଧ୍ୟ ଯୁବପିଢ଼ିର ଚିନ୍ତା ବଢ଼ାଇ ଚାଲିଛି । ଭାରତୀୟ ରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତୀୟମାନେ ଏମାନଙ୍କୁ ନିଜର ଭାବୁ ନଥିବା ବେଳେ ଏମାନେ ଭାବପ୍ରବଣତା ଓ ଉତ୍ସୁକତାର ଶିକାର ହେବା ସ୍ୱାଭାବିକ । ଏଭଳି ଏକ ଉତ୍ସୁକତାର ଶିକାର ହୋଇ ଫେବୃୟାରୀ ୧୪, ୨୦୧୯ଦିନ ଜଣେ ଯୁବକ ୪୦ଜଣଙ୍କର ଜୀବନ ନେବା ପାଇଁ ପଛେଇ ନାହାନ୍ତି । ଏପଟେ କାଶ୍ମୀରର ଅନେକ ବୃଦ୍ଧ ବାପା-ମା’ ନିଜର ଭେଣ୍ଡିଆ ପୁଅମାନଙ୍କୁ ହରାଉଛନ୍ତି ।

ଅବଶ୍ୟ ଫେବୃୟାରୀ ୧୪ର ଘଟଣା ଭାରତୀୟ ରାଷ୍ଟ୍ରର ନିରାପତ୍ତା ବାହିନୀର ସତର୍କତା ବିଫଳତାର ଚରମ ଦୃଷ୍ଟାନ୍ତ ବହନ କରୁଛି । ୨୫୦୦ ସୈନିକ ୭୮ଟି ଗାଡ଼ିରେ ଗୋଟିଏ ଦିଗରେ ଯାତ୍ରା କରିବା କେତେ ବୁଦ୍ଧିମାନର କାମ ଅନେକ ବୁଦ୍ଧିଥିବା ଲୋକେ ପ୍ରଶ୍ନ କରିଛନ୍ତି । ଯବାନମାନଙ୍କୁ କାହିଁକି ଉଡ଼ାଜାହାଜରେ ଯିବାପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଲାନି ସେଥିପାଇଁ ମଧ୍ୟ ପ୍ରଶ୍ନ ଉଠୁଛି । ଫେବୃୟାରୀ ୮ତାରିଖରୁ ଏଭଳି ଏକ ଆକ୍ରମଣର ପୂର୍ବସୂଚନା ମଧ୍ୟ ମିଳିଥିଲା । ତା’ସତ୍ତ୍ୱେ ବି ସତର୍କତା ଅବଲମ୍ବନ କରାଗଲା ନାହିଁ । ପୁଣି ଏତେ ପରିମାଣର ବିସ୍ଫୋରକ ଆସିଲା କେଉଁଠୁ ଏବଂ ବିସ୍ଫୋରକ ବୋଝେଇ ଯାନଟିକୁ କେଉଁଠି କେମିତି ଅଟକାଇ ଦିଆଯାଇ ପାରିଲା ନାହିଁ, ଇତ୍ୟାଦି ପ୍ରଶ୍ନ ଆସୁଛି । ପ୍ରଧାନମନ୍ତ୍ରୀ ତ କେବେ ବି ଉତ୍ତର ଦେବେ ନାହିଁ । ବରଂ ବିଭିନ୍ନ ଆଳ ଦେଖାଇ ଭାରତୀୟମାନଙ୍କୁ ଅଧିକ ହିଂସ୍ର ପ୍ରତିକ୍ରିୟା ରଖିବା ପାଇଁ ଉସୁକାଇବେ । ପ୍ରଧାନମନ୍ତ୍ରୀଙ୍କ ମୁଖାର୍ମୀ ଏବଂ ବେପରୁଆ ମନ୍ତବ୍ୟ ଯୋଗୁଁ ଆଜି ସମଗ୍ର ଦେଶରେ ଗୋଟିଏ ପ୍ରତିହିଂସାର ବାତାବରଣ ସୃଷ୍ଟି ହୋଇଛି । ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଦେଶରେ ହିଂସା ଓ ପ୍ରତିହିଂସା ପାଇଁ ଡାକରା ଦେଲାଭଳି କାମ କରୁଛନ୍ତି । ଅନେକ ରାଜ୍ୟରେ କାଶ୍ମୀରରୁ ଆସି ପଢ଼ୁଥିବା ବା ବ୍ୟବସାୟ କରୁଥବା ଲୋକମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଗଲାଣି – ଯେମିତି ୧୯୮୪ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ୍ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ମାନଚିତ୍ରବାଦୀ ଭାରତୀୟମାନେ ମାନବବାଦକୁ ହରାଇ ବସିବା ଦେଶପାଇଁ ସବୁଠାରୁ ଅଧିକ ଦୁଃଖଦ ପରିସ୍ଥିତି ନେଇ ଆସିଛି । ଜନଗଣଙ୍କ ଭିତରୁ ମାନବବାଦ ହଜିଯିବାଟା ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଓ ତାହାର ବଳିଷ୍ଠ ଶାସକମାନଙ୍କ ପାଇଁ ଏକ ସୁଯୋଗ- ଆତଙ୍କ ସୃଷ୍ଟି କରି ନିଜର କୁଶାସନ ପ୍ରତି ବୈଧତା ସୃଷ୍ଟି କରିବା ପାଇଁ । ଚିନ୍ତାଶୀଳ ଭାରତୀୟମାନେ ପ୍ରଶ୍ନ କରିବା ଦରକାର ଯେ କେଉଁ କଥାଟି ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭୌଗୋଳିକ କ୍ଷେତ୍ର କାଶ୍ମୀର ବା ସେମାନଙ୍କ ମନ ଓ ହୃଦୟ । କାଶ୍ମୀରକୁ ଆମେ ନିଜ ଦଖଲରେ ରଖିବା ପାଇଁ ଯେତେ ବ୍ୟୟବହୁଳ ଉଦ୍ୟମ କଲେ ବି କାଶ୍ମୀରବାସୀ ଆମ ସହ ରହିବେ ନାହିଁ । ବରଂ କାଶ୍ମୀରବାସୀଙ୍କୁ ଯଦି ସମଗ୍ର ଦେଶ ଓ ରାଷ୍ଟ୍ର ଭଲପାଇବା ଦେଇପାରିବ, ସେମାନେ ନିଜେ ଭାରତୀୟ ହେଇ ରହିବା ପାଇଁ ଗୌରବ ଅନୁଭବ କରିବେ । ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ ଅଖଣ୍ଡ ଭାରତବର୍ଷ ବୋଲି କିଛି ନଥିଲା । ଖଣ୍ଡିତ ଭାରତକୁ ଏକାଠି ଗୋଟିଏ ଛତ୍ରତଳକୁ ଆଣିବା କାମଟି ଉପନିବେଶବାଦର ଅନେକ ଦୋଷତ୍ରୁଟି ଥାଇ ମଧ୍ୟ କରାଯାଇ ପାରିଥିଲା । ଭୌଗୋଳିକ ସୀମାଗୁଡ଼ିକୁ ହଟେଇ ଦେଇ ଗୋଟିଏ ପରିଧି ଭିତରକୁ ନେଇଆସିଲେ ଅଖଣ୍ଡ ଭାରତ ନିର୍ମାଣ କରିହେବ ନାହିଁ । ଯଦି ଭଲପାଇବା, ଆଦର କରିବା, ମଣିଷକୁ ମଣିଷ ଭଳି ଦେଖିବା ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ନାହିଁ ତେବେ ଆମେ କେବଳ ଏକ ହୃଦୟହୀନ ଜାତୀୟତାବାଦ ନିର୍ମାଣ କରିପାରିବା । କିନ୍ତୁ ମାନବବାଦୀ ଜାତୀୟତାବାଦ ସୃଷ୍ଟି ନହୋଇପାରିଲେ କୌଣସି ଜାତିକୁ ଦେଶ ନାଁରେ ଏକାଠି ରଖିହେବ ନାହିଁ ।

(ଏହି ଲେଖା ଟି ସମଦୃଷ୍ଟି,୧୬-୨୮ ଫେବୃଆରୀ ୨୦୧୯ ରେ ପ୍ରକାଶିତ ହୋଇଥିଲା)

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.