ସହିଦ ଭଗତ ସିଂ ସାମ୍ପ୍ରଦାୟିକ ଦଙ୍ଗା ଓ ତାର ପ୍ରତିକାର

11 Min Read

(୧୯୧୯ର ଜାଲିଆଁୱାଲା ବାଗ୍ ହତ୍ୟାକାଣ୍ଡ ପରେ ବ୍ରିଟିଶ୍ ସରକାର ସାମ୍ପ୍ରଦାୟିକ ଦଙ୍ଗାର ପ୍ରଚାର ପ୍ରସାର ଭଲ ଭାବେ କରିବା ଆରମ୍ଭ କରିଦେଲା । ତାହାର ପ୍ରଭାବରେ ୧୯୨୪ରେ କୋହାଟରେ ଅତୀବ ଅମାନବୀୟ ଢଙ୍ଗରେ ହିନ୍ଦୁ-ମୁସ୍‌ଲିମ୍ ଦଙ୍ଗା ହେଲା । ତାପରେ ଦେଶର ରାଜନୈତିକ ଚିନ୍ତା ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଲମ୍ବା ବାଦାନୁବାଦ ଚାଲିଲା । ସାମ୍ପ୍ରଦାୟିକ ଦଙ୍ଗାର ଅବସାନ କରିବା ଆବଶ୍ୟକତା ସମସ୍ତେ ତ ଅନୁଭବ କଲେ, କିନ୍ତୁ କଂଗ୍ରେସ ନେତାମାନେ ହିନ୍ଦୁ-ମୁସ୍‌ଲିମ୍ ନେତାମାନଙ୍କ ମଧ୍ୟରେ ଏକ ରାଜିନାମା ଲେଖାଇ ଦଙ୍ଗା ବନ୍ଦ କରିବାର ଯତ୍ନ କଲେ ।

ଭାରତରେ ବୈପ୍ଳବିକ ଆନ୍ଦୋଳନ ସହ ଯେଉଁମାନେ ସଂଶ୍ଳିଷ୍ଟ ଥିଲେ ସେମାନେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଥିଲେ । ଭଗତ ସିଂ ଓ ତାଙ୍କର ସାଥୀମାନେ ସେତେବେଳେ ଯାହା ଚିନ୍ତା କରିଥିଲେ ଏହି ଲେଖାଟି ସେହି ଚିନ୍ତାର ଫଳ । ଏହା ଜୁନ୍‌, ୧୯୨୮ରେ କିରତୀ ପତ୍ରିକାରେ ପ୍ରକାଶିତ ହୋଇଥିଲା ।)

ଭାରତବର୍ଷର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ । ଗୋଟିଏ ଧର୍ମର ଅନୁଗାମୀମାନେ ଅନ୍ୟାନ୍ୟ ଧର୍ମର ଅନୁଗାମୀମାନଙ୍କର ପ୍ରାଣାନ୍ତକ ଶତ୍ରୁ ହୋଇଛନ୍ତି । ଏବେ ଏମିତି ହୋଇଛି ଯେ ଗୋଟିଏ ଧର୍ମରେ ରହିବା ଅର୍ଥ ଅନ୍ୟାନ୍ୟ ଧର୍ମର ଅନ୍ଧ ଶତ୍ରୁ ହେବା । ଯଦି ଏହି କଥାରେ ବର୍ତ୍ତମାନ ବିଶ୍ୱାସ ହେଉନି, ତେବେ ଲାହୋରରେ ହୋଇଥିବା ସଦ୍ୟ ଦଙ୍ଗାକୁ ଦେଖି ନିଅନ୍ତୁ । ମୁସଲମାନମାନେ କେଉଁ ଭାବରେ ନିର୍ଦ୍ଦୋଷ ଶିଖ, ହିନ୍ଦୁମାନଙ୍କୁ ମାରିଛନ୍ତି ଓ କେମିତି ଶିଖମାନେ ମଧ୍ୟ ଯେଉଁଠି ବଳ ପାଇଛି କୌଣସି ସୁଯୋଗ ହାତଛଡ଼ା କରି ନାହାଁନ୍ତି । ଅମୁକ ଲୋକ ଦୋଷ କରିଥିବା ହେତୁ ଏହି ହାଣକାଟ ହୋଇନି, ହୋଇଛି ଅମୁକ ଲୋକ ହିନ୍ଦୁ ହୋଇଥିବା ଯୋଗୁଁ ଅବା ମୁସଲମାନ ଅବା ଶିଖ ହୋଇଥିବା ଯୋଗୁଁ । ବାସ୍‌, କୌଣସି ବ୍ୟକ୍ତିର ଶିଖ ବା ହିନ୍ଦୁ ହେବାଟା ହିଁ ଯଥେଷ୍ଟ ଥିଲା ମୁସଲମାନ ହାତରୁ ହାଣ ଖାଇବା ପାଇଁ, ଠିକ୍ ସେମିତି କୌଣସି ବ୍ୟକ୍ତିର ମୁସଲମାନ ହେବାଟା ହିଁ ଏକବାରେ ଯୁକ୍ତିସଙ୍ଗତ ଥିଲା ତାର ଜୀବନ ନେବା ପାଇଁ । ଯଦି ସ୍ଥିତି ଏୟା ତେବେ ଈଶ୍ୱର ହିଁ ଭାରତର ମାଲିକ ।

ଏପରି ପରିସ୍ଥିତିରେ ଭାରତର ଭବିଷ୍ୟତ ଅତ୍ୟନ୍ତ ଅନ୍ଧକାରମୟ ଦେଖା ଯାଉଛି । ଏହି “ଧର୍ମଗୁଡ଼ିକ” ଭାରତର ଭେଳା ବୁଡ଼ଉଛନ୍ତି । ଏବଂ ଏହି ଧାର୍ମିକ ଦଙ୍ଗା ଭାରତବର୍ଷର ପିଛା ଧରିବା କେବେ ଛାଡ଼ିବ ବର୍ତ୍ତମାନ ଜଣା ପଡ଼ୁନାହିଁ । ସଂସାରର ନଜରରେ ଭାରତର ବଦନାମ କରୁଛି ଏହି ଦଙ୍ଗା । ଆମେ ଦେଖୁଛୁ ଯେ ଏହି ଅନ୍ଧବିଶ୍ୱାସର ସ୍ରୋତରେ ସମସ୍ତେ ଭାସୁଛନ୍ତି । କୌଣସି ବିରଳା ହିଁ ହିନ୍ଦୁ, ମୁସଲମାନ ବା ଶିଖ ହୋଇ ବି ମୁଣ୍ଡକୁ ଥଣ୍ଡା ରଖିଥାଏ, ବାକି ସମସ୍ତେଁ ଠେଙ୍ଗା-ବାଡ଼ି, ଖଣ୍ଡା-ଛୁରୀ ଧରି ପରସ୍ପରର ମୁଣ୍ଡ ଫଟେଇ ମରନ୍ତି । ବାକି ଯେଉଁ କେତେକ ବଳକାବଳକି ଥାଆନ୍ତି ସେମାନଙ୍କ ମଧ୍ୟରୁ କେତେକ ଫାଶିକାଠ ଚଢ଼ନ୍ତି ଓ ଆଉ କେତେକଙ୍କୁ ଜେଲ ମଧ୍ୟକୁ ଫୋପାଡ଼ି ଦିଆ ଯାଏ । ଏତେ ରକ୍ତପାତ ହେବା ପରେ ଏହି “ଧାର୍ମିକ ଲୋକମାନଙ୍କ” ଉପରେ ଇଂରେଜ ସରକାରଙ୍କ ଲାଠି ବରଷେ । ତେବେ ଯାଇ ଏମାନଙ୍କ ମୁଣ୍ଡରେ ଥିବା ପୋକ ଶାନ୍ତ ହୁଅନ୍ତି ।

ଯେତେ ଦୂର ଦେଖା ଯାଇଛି, ଏହି ଦଙ୍ଗା ପଛରେ ସାମ୍ପ୍ରଦାୟିକ ନେତା ଓ ଖବରକାଗଜବାଲାଙ୍କ ହାତ ଅଛି । ଏହି ସମୟରେ ଭାରତର ନେତାମାନେ ଏମିତି ପୋଖରୀ ପାଣି କରିଛନ୍ତି ଯେ ଚୁପ୍ ରହିଲେ ହିଁ ଭଲ। ସେହି ନେତାମାନେ ଯେଉଁମାନେ ଭାରତକୁ ସ୍ୱତନ୍ତ୍ର କରିବାର ଗୁରୁ ଭାର ନିଜନିଜର ମୁଣ୍ଡ ଉପରେ ଲଦି ହୋଇ ରହିଥିଲେ ଆଉ ଯେଉଁମାନେ “ସମାନ ରାଷ୍ଟ୍ରୀୟତା”, “ସ୍ୱରାଜ-ସ୍ୱରାଜ” ଆଦି ନାରାକୁ ଗଳା ଫଟେଇ ରଡ଼ି କରି ମଧ୍ୟ ଥକୁ ନଥିଲେ, ଆଜି ହୁଏତ ମୁହଁ ଲୁଚେଇ ଚୁପ୍‌ଚାପ୍ ବସିଛନ୍ତି ଅବା ଧର୍ମାନ୍ଧତାର ଏହି ସ୍ରୋତରେ ଭାସି ଯାଉଛନ୍ତି । ମୁହଁ ଲୁଚେଇ ବସିବା ଲୋକଙ୍କ ସଂଖ୍ୟା ବି କଣ କମ୍‌? କିନ୍ତୁ ଏପରି ନେତା ଯେଉଁମାନେ ସାମ୍ପ୍ରଦାୟିକ ଆନ୍ଦୋଳନ ସହ ଜଡ଼ିତ ହୋଇ ଯାଇଛନ୍ତି, ଏମିତି ମାଟି ଆଡ଼େଇଲେ ତ ଶହ ଶହ ସଂଖ୍ୟାରେ ବାହାରି ଆସୁଛନ୍ତି । ଯେଉଁ ନେତାମାନେ ଆନ୍ତରିକତା ସହ ସମସ୍ତଙ୍କର ଭଲ ଚାହୁଁଛନ୍ତି, ଏମିତି ତ ସଂଖ୍ୟାରେ ସେମାନେ ବହୁତ କମ୍‌, ତଥାପି ସାମ୍ପ୍ରଦାୟିକତାର ବଢ଼ି ଏତେ ପ୍ରବଳ ହୋଇଛି ଯେ ସେମାନେ ମଧ୍ୟ ଏହାକୁ ରୋକିପାରୁ ନାହାଁନ୍ତି। ଏମିତି ଲାଗୁଛି ଯେମିତି ଭାରତରେ ନେତୃତ୍ୱର ଦିବାଲିଆ ଝଣ୍ଡା ଉଡ଼ୁଛି ।

ଅନ୍ୟ ଭଦ୍ରଲୋକମାନେ ଯେଉଁମାନେ ସାମ୍ପ୍ରଦାୟିକ ଦଙ୍ଗାଗୁଡ଼ିକରେ ଘିଅ ଢ଼ାଳି ବିଶେଷ ଭାବେ ଅଂଶଗ୍ରହଣ କରି ଆସୁଛନ୍ତି ସେମାନେ ହେଲେ ଖବରକାଗଜବାଲାମାନେ ।

ଦିନ ଥିଲା ଯେତେବେଳେ ସମ୍ବାଦପତ୍ର ବ୍ୟବସାୟକୁ ଏକ ଶ୍ରେଷ୍ଠ ବ୍ୟବସାୟର ମାନ୍ୟତା ମିଳୁଥିଲା, କିନ୍ତୁ ଆଜି ସେ ବ୍ୟବସାୟ ଅତି ଗନ୍ଧିଆ ହୋଇ ପଡ଼ିଛି । ଏହି ଲୋକମାନେ ଜଣକୁ ଅନ୍ୟ ଜଣଙ୍କ ବିରୁଦ୍ଧରେ ଉସ୍କାଇବା ଭଳି ବଡ଼ ବଡ଼ ମୋଟା ମୋଟା ହେଡିଙ୍ଗ୍ ଦେଇ ଲୋକମାନଙ୍କର ଚିନ୍ତାକୁ ଉତ୍ତେଜିତ କରୁଛନ୍ତି ଏବଂ ପରସ୍ପରର ମୁଣ୍ଡକୁ ଫୁଟବଲ କରାଉଛନ୍ତି। ଗୋଟିଏ ଦୁଇଟି ଯାଗାରେ ନୁହେଁ, ଅନେକ ଯାଗାରେ ଏଥିପାଇଁ ଦଙ୍ଗା ହୋଇଛି ଯେ ସ୍ଥାନୀୟ ସମ୍ବାଦପତ୍ରଗୁଡ଼ିକ ଅତି ଉତ୍ତେଜନାପୂର୍ଣ୍ଣ ଲେଖା ଲେଖିଥିଲେ । ଏପରି ଲେଖକ, ଯାହାର ହୃଦୟ ଓ ମନ ଉଭୟେ ଏପରି ଦିନରେ ବି ଶାନ୍ତ ରହେ, ବହୁତ କମ୍ ଅଛନ୍ତି ।

ସମ୍ବାଦପତ୍ରଗୁଡ଼ିକର ଅସଲ କର୍ତ୍ତବ୍ୟ ହେଉଛି ଲୋକଙ୍କୁ ଶିକ୍ଷା ଦେବା, ସେମାନଙ୍କ ଭିତରୁ ସଂକୀର୍ଣ୍ଣତା ଦୂର କରିବା, ସାମ୍ପ୍ରଦାୟିକ ଭାବନା ହଟେଇବା, ପରସ୍ପର ମଧ୍ୟରେ ମିତ୍ରତା ବଢ଼େଇବା, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା, ଭାରତର ଯୌଥ ରାଷ୍ଟ୍ରୀୟତା ବନେଇ ରଖିବା। କିନ୍ତୁ ଏମାନେ ଅଜ୍ଞାନ ପ୍ରସାର, ସଂକୀର୍ଣ୍ଣତା ପ୍ରଚାର, ଲୋକଙ୍କୁ ସାମ୍ପ୍ରଦାୟିକ କରିବା, ସେମାନଙ୍କ ମଧ୍ୟରେ ଲଢ଼େଇ ଝଗଡ଼ା କରେଇବା ଓ ଭାରତର ଯୌଥ ରାଷ୍ଟୀୟତାକୁ ନଷ୍ଟ କରିବାକୁ ହିଁ ମୁଖ୍ୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏହି କାରଣରୁ ଭାରତର ବର୍ତ୍ତମାନ ଦଶା ସମ୍ପର୍କରେ ଚିନ୍ତା କଲେ ଆଖିରୁ ରକ୍ତ ହିଁ ଲୁହ ଆକାରରେ ଗଡ଼ୁଛି ଓ ମନରେ ପ୍ରଶ୍ନ ଉଠୁଛି “ଭାରତର କଣ ହେବ?”

ଯେଉଁ ଲୋକମାନେ ଅସହଯୋଗ ଦିନର ଉତ୍ସାହ, ଉଦ୍ଦିପନାକୁ ଜାଣିଛନ୍ତି, ସେମାନଙ୍କୁ ଏହି ସ୍ଥିତି ଦେଖି କାନ୍ଦ ମାଡ଼ୁଛି । କାହିଁ ସେ ଦିନ ଯେତେବେଳେ ସ୍ୱତନ୍ତ୍ରତାର ଝଲକ ସାମନାରେ ଦେଖା ଯାଉଥିଲା ଆଉ କାହିଁ ଆଜିର ଦିନ ଯେତେବେଳେ ସ୍ୱରାଜ୍ୟ ହିଁ ଏକ ସ୍ୱପ୍ନ ତୁଲ୍ୟ ହୋଇ ଯାଇଛି। ବାସ୍‌, ଏହା ହେଉଛି ତୃତୀୟ ଲାଭ ଯାହା ଏହି ଦଙ୍ଗାରୁ ଅତ୍ୟାଚାରୀମାନଙ୍କୁ ମିଳିଲା । ସେହି ଅମଳାତନ୍ତ୍ର — ଯାହାର ସ୍ଥିତି ପ୍ରତି ଏମିତି ବିପଦ ସୃଷ୍ଟି ହୋଇ ସାରିଥିଲା ଯେ ସେ ଆଜି ଯିବ, କାଲି ଯିବ ବୋଲି ଭାବୁଥିଲେ — ଆଜି ନିଜର ଚେରକୁ ଏତେ ମଜବୁତ୍ କରି ସାରିଛି ଯେ ତାକୁ ହଲେଇବା ଆଉ କୌଣସି ମାମୁଲି କାମ ହୋଇ ରହିନି ।

ଯଦି ଏହି ସାମ୍ପ୍ରଦାୟିକ ଦଙ୍ଗାଗୁଡ଼ିକର ମୂଳ ଖୋଜିବା ତେବେ ଏହାର କାରଣ ଆର୍ଥିକ ବୋଲି ଆମକୁ ଜଣା ପଡ଼ୁଛି । ଅସହଯୋଗର ଦିନମାନଙ୍କରେ ନେତା ଓ ସାମ୍ବାଦିକମାନେ ବହୁତ ବଳିଦାନ ଦେଇଛନ୍ତି । ସେମାନଙ୍କର ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିଲା । ଅସହଯୋଗ ଆନ୍ଦୋଳନ ମନ୍ଥର ହୋଇଯିବା ପରେ ନେତାମାନଙ୍କ ଉପରେ ଅବିଶ୍ୱାସ ଭାବ ସୃଷ୍ଟି ହେଲା, ଯାହା ଫଳରେ ଆଜିକାଲିର ବହୁତ ସାମ୍ପ୍ରଦାୟିକ ନେତାମାନଙ୍କର ଧନ୍ଦା ନଷ୍ଟଭ୍ରଷ୍ଟ ହେଇଗଲା । ସଂସାରରେ ଯାହା ବି କାମ ହେଉଛି ତାର ଅନ୍ତରାଳରେ ପେଟର ପ୍ରଶ୍ନ ନିଶ୍ଚୟ ରହିଛି । କାର୍ଲ ମାର୍କ୍ସଙ୍କ ତିନୋଟି ବଡ଼ ସିଦ୍ଧାନ୍ତ ମଧ୍ୟରୁ ଏହା ଏକ ମୁଖ୍ୟ ସିଦ୍ଧାନ୍ତ ଅଟେ । ଏହି କାରଣାତ୍ମକ ସିଦ୍ଧାନ୍ତର ସତ୍ୟତା ପ୍ରମାଣିତ କରି ତବଲିଗ୍‌, ତନକିମ୍‌, ସୁଦ୍ଧି ଆଦି ସଂଗଠନମାନ ଆରମ୍ଭ ହୋଇଛି ଏବଂ ଏହି କାରଣରୁ ଆଜି ଆମର ଏହି ଦୁର୍ଦ୍ଦଶା ହୋଇଛି, ଯାହା ଅବର୍ଣ୍ଣନୀୟ ।

ବାସ୍‌, ସମସ୍ତ ପ୍ରକାର ଦଙ୍ଗାର ପ୍ରତିକାର ଯଦି କାହା ଦ୍ୱାରା ହୋଇପାରେ ତେବେ ତାହା ଭାରତର ଆର୍ଥିକ ସ୍ଥିତିରେ ସଂସ୍କାର ଦ୍ୱାରା ହିଁ ହୋଇ ପାରିବ, କାରଣ ଭାରତର ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତି ଏତେ ଖରାପ ଯେ ଗୋଟିଏ ଲୋକ ଅନ୍ୟ ଗୋଟିଏ ଲୋକକୁ ଚାରଣିଟିଏ ଦେଇ ତାହା ଦ୍ୱାରା ଆଉ କାହାକୁ ଅପମାନିତ କରେଇ ପାରେ । ଭୋକ ଓ ଦୁଃଖରେ ଆତୁର ମଣିଷ ସବୁ ସିଦ୍ଧାନ୍ତକୁ ଥାକ ଉପରେ ଥୋଇ ଦିଏ । ସତ କଥା, ମରୁଥିବା ଲୋକ କଣ ବା ନ କରି ପାରେ!

କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆର୍ଥିକ ସଂସ୍କାର ଆଣିବା ଅତ୍ୟନ୍ତ କଠିନ କଥା, କାରଣ ସରକାର ବିଦେଶୀ ଅଟେ ଓ ତାହା ଲୋକଙ୍କର ପରିସ୍ଥିତିକୁ ସୁଧାରିବା ପାଇଁ ଦେବନି । ଏଣୁ ଲୋକମାନେ ଅନ୍ୟ ସମସ୍ତ କଥାକୁ ପଛରେ ପକେଇ ମନ, ଧ୍ୟାନ, ପ୍ରାଣ ଦେଇ ଏହା ବିରୁଦ୍ଧରେ ଲାଗିବା ଆବଶ୍ୟକ ଏବଂ ଯେତେ ଦିନ ପର୍ଯ୍ୟନ୍ତ ସରକାର ନ ବଦଳିଛି, ଶାନ୍ତିରେ ନିଶ୍ୱାସ ମାରିବା ଉଚିତ ନୁହେଁ ।

ଲୋକମାନଙ୍କୁ ପରସ୍ପର ମଧ୍ୟରେ ଲଢ଼ିବାରୁ କ୍ଷାନ୍ତ କରିବା ପାଇଁ ଶ୍ରେଣୀ ଚେତନାର ଆବଶ୍ୟକତା ରହିଛି । ଗରିବ ଶ୍ରମିକ ଓ କୃଷକମାନଙ୍କୁ ସ୍ପଷ୍ଟ ରୂପେ ବୁଝେଇ ଦେବା ଆବଶ୍ୟକ ଯେ ପୁଞ୍ଜିପତି ହିଁ ତୁମର ଅସଲ ଶତ୍ରୁ, ତେଣୁ ତୁମେମାନେ ସେମାନଙ୍କର ଷଢ଼ଯନ୍ତ୍ର ଠୁଁ ଦୂରେଇ ରହିବା ଓ ସେମାନଙ୍କର ବଶ୍ୟବର୍ତ୍ତି ହୋଇ କିଛି ନ କରିବା ଉଚିତ । ସଂସାରର ସମସ୍ତ ଗରିବଙ୍କର — ଜାତି, ରଙ୍ଗ, ଧର୍ମ ବା ରାଷ୍ଟ୍ରର ଭେଦଭାବ ନଥାଇ — ଅଧିକାର ତ ସମାନ । ତୁମର ମଙ୍ଗଳ ଏଥିରେ ଯେ ତୁମେ ଧର୍ମ, ରଙ୍ଗ, ବଂଶ ଏବଂ ରାଷ୍ଟ୍ରୀୟତା ଓ ଦେଶର ଭେଦଭାବ ଲୋପ କରି ଏକଜୁଟ୍ ହୁଅ ଓ ସରକାରୀ ଶକ୍ତିକୁ ନିଜ ହାତକୁ ନେବା ପାଇଁ ଉଦ୍ୟମ କର । ଏହି ଉଦ୍ୟମ ଦ୍ୱାରା ତୁମର କିଛି କ୍ଷତି ହେବନି, କିନ୍ତୁ ଦିନେ ନାଁ ଦିନେ ତୁମର ଶିକୁଳି କଟିଯିବ ଓ ତୁମକୁ ଆର୍ଥିକ ସ୍ୱାଧିନତା ମିଳିଯିବ ।

ଯେଉଁମାନେ ଋଷିଆର ଇତିହାସ ଜାଣନ୍ତି, ସେମାନଙ୍କୁ ଜଣା ଯେ ଜାରଙ୍କ ସମୟରେ ସେଠାରେ ମଧ୍ୟ ଏହି ଭଳିଆ ହିଁ ପରିସ୍ଥିତି ଥିଲା, ସେଠି ବି ଅନେକ ଗୋଷ୍ଠୀ ରହୁଥିଲେ ଓ ପରସ୍ପର ମଧ୍ୟରେ ଝଗଡ଼ାଝାଟି କରୁଥିଲେ । କିନ୍ତୁ ଯେଉଁ ଦିନଠୁଁ ସେଠି ଶ୍ରମିକ-ଶାସନ ହେଲା, ସେଠିକାର ନକ୍ସା ହିଁ ବଦଳି ଗଲା । ବର୍ତ୍ତମାନ ସେଠି ଆଉ କେବେ ବି ଦଙ୍ଗା ହେଇନି। ଏବେ ସେଠି ସମସ୍ତଙ୍କୁ “ମଣିଷ” ବୋଲି ଧରା ଯାଉଛି, “ଧର୍ମଜନ” ନୁହେଁ। ଜାରଙ୍କ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା, ଏଣୁ ସବୁ ଦଙ୍ଗା ଫିସାଦ ହେଉଥିଲା । କିନ୍ତୁ ଏବେ ଋଷିଆର ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରି ଗଲାଣି ଓ ସେମାନଙ୍କ ମଧ୍ୟରେ ଶ୍ରେଣୀ-ଚେତନା ଆସି ଗଲାଣି । ଏଣୁ ବର୍ତ୍ତମାନ ସେଠାରୁ କେବେ କୌଣସି ଦଙ୍ଗାର ଖବର ଆସୁନି ।

ଏହି ଦଙ୍ଗାଗୁଡ଼ିକୁ ନେଇ ଏମିତି ତ ଅନେକ ଅତି ନିରାଶାଜନକ ଖବରମାନ ଶୁଣିବାକୁ ମିଳୁଥିଲା, କିନ୍ତୁ କଲିକତାର ଦଙ୍ଗାରେ ଗୋଟିଏ ଖୁସିର କଥା ଶୁଣିବାକୁ ମିଳିଲା । ତାହା ଏହା ଯେ ସେହି ଦଙ୍ଗାରେ ଟ୍ରେଡ୍ ୟୁନିଅନର ଶ୍ରମିକମାନେ ଭାଗ ନେଇ ନଥିଲେ କି ସେମାନେ ପରସ୍ପର ମଧ୍ୟରେ କଳିଝଗଡ଼ା କରି ନଥିଲେ । ବରଂ ହିନ୍ଦୁ-ମୁସଲମାନ ସମସ୍ତେ ଅତି ପ୍ରେମରେ କାରଖାନା, ଇତ୍ୟାଦିରେ ଉଠାବସା କରୁଥିଲେ ଓ ଦଙ୍ଗାକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଥିଲେ। ଏହା ଏଥି ପାଇଁ ସମ୍ଭବ ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଶ୍ରେଣୀ-ଚେତନା ଜାଗ୍ରତ ହୋଇ ସାରିଥିଲା ଓ ସେମାନେ ନିଜ ଶ୍ରେଣୀର ହିତକୁ ଭଲ ରୂପେ ଜାଣି ସାରିଥିଲେ । ଶ୍ରେଣୀ-ଚେତନା ହେଉଛି ସେହି ସୁନ୍ଦର ଉପାୟ ଯାହା ସାମ୍ପ୍ରଦାୟିକ ଦଙ୍ଗାକୁ ଅଟକେଇ ପାରିବ ।

ଏହି ଖୁସୀ ଖବର ମଧ୍ୟ ଆମ କାନରେ ପଡ଼ିଛି ଯେ ଭାରତର ନବଯୁବକମାନେ ବର୍ତ୍ତମାନ ପରସ୍ପର ମଧ୍ୟରେ ଝଗଡ଼ା ଲଗାଉ ଥିବା ଅବା ଘୃଣା କରିବା ଶିଖାଉ ଥିବା ଧର୍ମଗୁଡ଼ିକ ପ୍ରତି ବିରକ୍ତ ହୋଇ ହାତ ଧୋଇ ବସୁଛନ୍ତି । ସେମାନଙ୍କ ମନ ବର୍ତ୍ତମାନ ଏତେ ଖୋଲା ଯେ ସେମାନେ ଭାରତର ଲୋକଙ୍କୁ ଧର୍ମର ନଜରରେ — ହିନ୍ଦୁ, ମୁସଲମାନ ବା ଶିଖ — ରୂପରେ ନ ଦେଖି ପ୍ରଥମେ ମଣିଷ, ପରେ ଭାରତବାସୀ, ରୂପରେ ଦେଖୁଛନ୍ତି । ଭାରତର ଯୁବକମାନଙ୍କ ମଧ୍ୟରେ ଏପରି ଚିନ୍ତା ଜନ୍ମ ହେଇଥିବା ହେତୁ ଜଣା ପଡ଼ୁଛି ଯେ ଭାରତର ଭବିଷ୍ୟତ ସ୍ୱର୍ଣ୍ଣାଭ ହେବ ଓ ଭାରତବାସୀମାନଙ୍କୁ ଏହି ଦଙ୍ଗା, ଇତ୍ୟାଦିକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ରହିବନି, ବରଂ ଭଲରୁ ଆହୁରି ଭଲ ଭାବେ ପ୍ରସ୍ତୁତ ହୋଇ ଉଦ୍ୟମ କରିବା ଜରୁରି ହେବ ଯେପରି ଏଭଳି ବାତାବରଣ ସୃଷ୍ଟି ହେବନି, ଯା ଫଳରେ ଦଙ୍ଗା ହିଁ ହେବନି ।

୧୯୧୪-୧୫ର ସହିଦମାନେ ଧର୍ମକୁ ରାଜନୀତିରୁ ଅଲଗା କରି ଦେଇଥିଲେ । ସେମାନେ ବୁଝିଥିଲେ ଯେ ଧର୍ମ ହେଉଛି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବ୍ୟାପାର, ସେଥିରେ ଅନ୍ୟ କାହାର ଦଖଲ ଦେବାର ଅଧିକାର ନାହିଁ । ରାଜନୀତିରେ ମଧ୍ୟ ଏହାକୁ ପ୍ରବେଶ କରାଇବା ଉଚିତ ନୁହେଁ, କାହିଁକି ନା ଏହା ସମସ୍ତଙ୍କୁ ଗୋଟିଏ ଜାଗାରେ ଏକାଠି କରି କାମ କରେଇ ଦେବନି । ଏଥିପାଇଁ ଗଦର ପାର୍ଟି ଭଳି ଆନ୍ଦୋଳନ ଏକଜୁଟ ଓ ଏକପ୍ରାଣ ହୋଇ ରହିଲା, ଯହିଁରେ ଶିଖମାନେ ଏକକୁ ଆରେକ ରୀତିରେ ଫାସିଖୁଣ୍ଟରେ ଝୁଲିଗଲେ ଓ ହିନ୍ଦୁ-ମୁସଲମାନମାନେ ମଧ୍ୟ ପଛକୁ ରହିଲେନି।

ଏହି ସମୟରେ କିଛି ଭାରତୀୟ ନେତା ମଧ୍ୟ ମଇଦାନକୁ ଓହ୍ଲେଇଛନ୍ତି, ଯେଉଁମାନେ ଧର୍ମକୁ ରାଜନୀତି ଠୁଁ ଅଲଗା କରିବାକୁ ଚାହୁଁଛନ୍ତି । ଝଗଡ଼ାର ଅନ୍ତ ପାଇଁ ଏହା ମଧ୍ୟ ଏକ ସୁନ୍ଦର ବିଧାନ ଓ ଆମେ ଏହାର ସମର୍ଥନ କରୁ।

ଧର୍ମକୁ ଯଦି ରାଜନୀତି ଠୁଁ ଅଲଗା କରି ଦିଆଯିବ ତେବେ ରାଜନୀତିରେ ଆମେ ସମସ୍ତେ ଏକାଠି ହୋଇ ପାରିବା । ଧର୍ମରେ ହୁଏତ ଅଲଗା ଅଲଗା ଥାଇ ପାରୁ ।

ଆମର ବିଶ୍ୱାସ ଯେ ଭାରତର ସଚ୍ଚୋଟ ସହାନୁଭବୀମାନେ ଆମେ ସୂଚୀତ କରିଥିବା ପ୍ରତିକାର ବ୍ୟବସ୍ଥା ଉପରେ ନିଶ୍ଚୟ ବିଚାର କରିବେ ଓ ଭାରତରେ ଏହି ସମୟରେ ଯେଉଁ ଆତ୍ମଘାତୀ କାର୍ଯ୍ୟ ହେଉଛି, ସେଥିରୁ ଆମକୁ ରକ୍ଷା କରିବେ ।

ଭାଷାନ୍ତର

ଅଧ୍ୟାପକ ନୀଳମଣି ସାହୁ

[ଏହି ଲେଖାଟି ସମଦୃଷ୍ଟି (ଖଣ୍ଡ 2, ସଂଖ୍ୟା 7, 16-30 ସେପ୍ଟେମ୍ବର 2006)ରେ ପ୍ରକାଶିତ ହୋଇଥିଲା]

email: neelamanisahu@rediffmail.com

Comments

0 comments

Share This Article