ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ନବକୃଷ୍ଣ ଚୌଧୁରୀଙ୍କ ୩୫ତମ ପୂଣ୍ୟତିଥି ପାଳନ ହେବା ଅବସରରେ ଆଲୋଚନା ପାଇଁ ଏକ ଉପଯୁକ୍ତ ଅଥଚ ସରଳ ଶିରୋନାମା ହୋଇପାରେ ‘ଗାନ୍ଧୀ ଓ ନବକୃଷ୍ଣ’-ଏହା ହୁଏତ ଆଲୋଚନା ସଭାର ଆୟୋଜକ ଲୋହିଆ ଏକାଡେମୀ ଅନୁଭବ କରିଥିଲେ । ଏହି ଆଲୋଚନା ସଭାରେ ଯୋଗ ଦେଇ ଏହି ଲେଖକ ଯେଉଁ ମତ ରଖିଥିଲା, ତାହାର ଏକ ସମ୍ପାଦିତ ଅଂଶ ହେଉଛି ଏହିପରି ।
ଗାନ୍ଧୀଙ୍କ ପ୍ରଭାବରେ ନବକୃଷ୍ଣ
ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ଅଂଶ ଗ୍ରହଣରୁ, ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ନବକୃଷ୍ଣଙ୍କର । ସେତେବେଳେ ତାଙ୍କର ବୟସ କୋଡ଼ିଏ, ୧୯୨୧-୨୨ ମସିହା । ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ, ଏକଦା ମଧୁସୂଦନ ଦାସଙ୍କ ଜୁନିଅର ଥିଲେ, ଉକ୍ରଳ ସମ୍ମିଳନୀରେ ଆଗଧାଡ଼ିର ନେତା ଥିଲେ । ତେଣୁ ଘରେ ଏକ ପରିବେଶ ଥିଲା ଯାହାକୁ ରାଜନୈତିକ କୁହାଯାଇପାରେ । ତାଙ୍କରି ଭାଷାରେ୧, ‘ପିଲା ଦିନୁ ତ ଆମ ଘରେ ରାଜନୀତି ଚର୍ଚ୍ଚା ଚାଲିଥାଏ । ତେଣୁ ସେହି ବୟସରେ ଆମେ ଉକ୍ରଳ ସମ୍ମିଳନୀକୁ ସମସ୍ତଙ୍କ ସହିତ ଯାଉଥିଲୁ । ବୟସ ତ ହୋଇନଥିଲା ବୁଝିବାର କିଛି । ତଥାପି ଯୋଗ ଦେଉଥୁଲୁ । ସେତେବେଳେ ସ୍ୱରାଜ୍ୟ ଆନ୍ଦୋଳନ ମଧ୍ୟ ଚାଲୁଥାଏ ।’ ଅଗ୍ରଜ ଗୋପବନ୍ଧୁ ଚୌଧୁରୀ ଚାକିରୀରୁ ଇସ୍ତଫା ଦେଇ (୧୯୨୧ମସିହା ପ୍ରଥମାର୍ଦ୍ଧରେ) ଅସହଯୋଗ ଆନ୍ଦୋଳନରେ ପରିବାର ସହ ଝାସ ଦେବାର ନିଷ୍ପତ୍ତି ଶୁଣାଇଲେଣି । ନବକୃଷ୍ଣ ଗାନ୍ଧୀଙ୍କ ଅସହଯୋଗ ଡାକରା ଦ୍ୱାରା ଏପରି ପ୍ରଭାବିତ ହୋଇଥିଲେ ଯେ ମଧୁସୂଦନ ଦାସଙ୍କ ଦ୍ୱାରା ବିହାର-ଓଡ଼ିଶା ମନ୍ତ୍ରିମଣ୍ଡଳରେ ଯୋଗ ଦେବାକୁ (Minister of theLocal Self-Government ଭାବେ ୧୯୨୧ ମସିହାରେ ଯୋଗଦେଲେ ଓ ୧୯୨୩ରେ ଇସ୍ତଫା ଦେଲେ ) ତାଙ୍କର ଅନ୍ୟ ତରୁଣ ବନ୍ଧୁଙ୍କୁ ନେଇ ସେ ଦୃଢ଼ ବିରୋଧ କରିବାକୁ ଆଗେଇ ଆସିଥିଲେ ଓ କଟକଠାରେ ୧୯୨୧ରେ ମୁକୁନ୍ଦପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା୨ । ପରବର୍ତ୍ତୀକାଳରେ ମୁକୁନ୍ଦ ପ୍ରସାଦ ଦାସ ବିଧାନସଭାର ବାଚସ୍ପତି ହୋଇଥିଲେ (୨୮ ଜୁଲାଇ ୧୯୩୭ରୁ ୨୯ ମଇ ୧୯୪୬) । କିନ୍ତୁ ନବବାବୁଙ୍କର ମଧୁବାବୁଙ୍କୁ ବିରୋଧ ଭାଉଜ ରମା ଦେବୀଙ୍କ ପାଇଁ ଅଶ୍ୱସ୍ତିକର ଥିଲା । କାରଣ ମଧୁସୂଦନ ଦାସ ଥିଲେ ରମା ଦେବୀଙ୍କ ବଡ଼ବାପା । ରମାଦେବୀଙ୍କ ଭାଷାରେ୩,’ନାଗପୁର କଂଗ୍ରେସର (୩୫ତମ ଅଧିବେଶନ, ଡିସେମ୍ବର ୨୬-୩୦, ୧୯୨୦ ) ପ୍ରସ୍ତାବରେ ସରକାରଙ୍କ ସଙ୍ଗେ ଅସହଯୋଗ କରିବାକୁ ସ୍ଥିର କରାଯାଇଥିଲା ।….ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାର ବର୍ଷେ, ଦୁଇବର୍ଷ ପୂର୍ବରୁ ନବବାବୁ, ନିକୁଞ୍ଜ ବାବୁ(ନିକୁଞ୍ଜକିଶୋର ଦାସ, ମାମୁଁ ରାଜକିଶୋର ଦାସଙ୍କ ପୁଅ), ନିତ୍ୟାନନ୍ଦ କାନୁନ୍ ଗୋ , ପ୍ରହ୍ଲାଦ ସାହୁ, ବଶିର ସାହେବ, ଭାଗୀରଥୀ ମହାପାତ୍ର ପ୍ରଭୃତି ମିଶି ଗୋଟିଏ ପାଠାଗାର କରିଥାନ୍ତି । ଦୁଇ ତିନୋଟି ଆଲମିରାରେ ବହିଥାଏ । ପାଠାଗାରର ନାମ ଭାରତୀ ମନ୍ଦିର । ସନ୍ଧ୍ୟାବେଳେ ସେଠି ଏକାଠି ହୋଇ ପଢ଼ାପଢ଼ି ଓ ଚର୍ଚ୍ଚା-ଆଲୋଚନା ଚାଲେ । ଦେଶର ଏ ଉତ୍ତେଜନାପୂର୍ଣ୍ଣ ବାୟୁମଣ୍ଡଳ ଭିତରେ ମଧୁସୂଦନ ଦାସ ମନ୍ତ୍ରୀତ୍ୱ ଗ୍ରହଣ କରିବା କଥାକୁ ଭାରତୀ ମନ୍ଦିରର ସଭ୍ୟମାନେ ନାପସନ୍ଦ କଲେ । ଏହି ନାପସନ୍ଦକୁ କିପରି ପ୍ରମାଣ କରିବେ, ସେ ବିଷୟରେ ଆଲୋଚନା କରି ସ୍ଥିରକଲେ ଯେ କୁଟାରେ ମଧୁବାବୁଙ୍କର ପ୍ରତିମୂର୍ତ୍ତି ତିଆରି କରି ନଇବାଲିରେ ସଭାକରି ତାକୁ ପୋଡ଼ିବେ । …ମଧୁବାବୁଙ୍କ ପ୍ରତିମର୍ତ୍ତିୂ ନଡ଼ାରେ ତିଆରି ହୋଇ ସାଧାରଣ ସଭାରେ ପୋଡ଼ା ହେବା ସିଦ୍ଧାନ୍ତ ସବୁ ମୁଁ ଶୁଣୁଥାଏ । ମୋହରି ଭାଇ, ଭଣଜା, ଦିଅର ତ ସେମାନଙ୍କ ଭିତରେ ଅଛନ୍ତି; ଯେ ଯାହା କରୁ, ଜଣେ ଲୋକର ପ୍ରତିମୂର୍ତ୍ତି ତିଆରି କରି ପୋଡ଼ିବା କଥାଟା ମୋତେ ଆଦୌ ଭଲ ଲାଗୁନଥାଏ ।” ନବବାବୁଙ୍କର ଏହି ବ୍ୟବହାର ପାଇଁ ତାଙ୍କ ପ୍ରତି ‘ଦୁରାଚାରୀ’ ଶବ୍ଦ ପ୍ରୟୋଗ କରାଯାଇଛି ଅବଶ୍ୟ ବହୁ ବର୍ଷ ପରେ ୨୦୦୯ ମେ- ଜୁନରେ୪ ।
ଗାନ୍ଧୀ ପ୍ରଭାବର ଶିଥିଳତା
କିନ୍ତୁ ମାତ୍ର ୧୨ବର୍ଷ ପରେ, ୧୯୩୩ ବେଳକୁ ନବବାବୁ ଗାନ୍ଧୀଙ୍କ ଆନ୍ଦୋଳନରେ ବୈପ୍ଳବିକ ଚେତନା ହ୍ରାସ ପାଇବାର ଅଭିଯୋଗ କଲେଣି ଓ ଗାନ୍ଧୀବାଦକୁ ଏକ ଭିନ୍ନ ବ୍ୟୁତ୍ପତି ଦେଲେଣି । ସତେ ଯେପରି ଗାନ୍ଧୀବାଦ ପ୍ରତି ତାଙ୍କର ମୋହଭଙ୍ଗ ହେଲାଣି, ଅନ୍ତତଃ ଏହାର ସ୍ୱାଧୀନତାର ଲକ୍ଷ୍ୟ ହାସଲ ଦିଗରେ ଲଢୁଆ ଶକ୍ତିର ଅଭାବ ଦେଖି । ଏହା ସ୍ପଷ୍ଟ ହୁଏ୫, ନବକୃଷ୍ଣ ଜବାହାରଲାଲ ନେହେରୁଙ୍କୁ ଲେଖିଥିବା ଏକ ପତ୍ର (୮/୯/୧୯୩୩)ରୁ । ଏହି ପତ୍ରରେ ସେ ଦର୍ଶାଇଥିଲେ ଯେ ଗାନ୍ଧୀବାଦର ଦୁଇଟି ଦିଗ ରହିଛି । ଗୋଟିଏ ଦିଗ ହେଉଛି ‘ବ୍ୟକ୍ତିର ନୈତିକ ଅଭ୍ୟୁତ୍ଥାନ ଆଭିମୁଖ୍ୟକାମୀ ଗାନ୍ଧିବାଦ’ ଓ ଅନ୍ୟଟି ହେଉଛି ‘ବୈପ୍ଳବିକ ଆନ୍ଦୋଳନର ପଦ୍ଧତିଦାୟକ ଗାନ୍ଧିବାଦ’ ନବକୃଷ୍ଣଙ୍କ ମତରେ ଏହି ଦୁଇଟି ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା । ସେ ଲେଖିଥିଲେ, “ସ୍ୱାଧୀନତା ଲାଭ ଆମର ଆଶୁ ରାଜନୈତିକ ଲକ୍ଷ୍ୟ । ସେହି ଲକ୍ଷ୍ୟସାଧନ ବିଚାରରୁ ପ୍ରଥମୋକ୍ତ ମାର୍କା ଗାନ୍ଧିବାଦର ଉପଯୋଗିତା ବହୁତ କମ୍ । ଯେଉଁ ଗାନ୍ଧିବାଦ ଆମକୁ ମାନ୍ଦା ଦଳିଆଙ୍କଠାରୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଅସଙ୍ଗଠିତ ହିଂସା ଓ ରାଜନୈତିକ ହତ୍ୟା ଆଦି ହତାଶାମୂଳକ ଅନ୍ଧଗଳିରୁ ନୂଆବାଟ ଦେଖାଇଲା ସେହି ଧରଣର ଗାନ୍ଧିବାଦ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟକ୍ଷଭାବରେ ଉପଯୋଗୀ । ଆତ୍ମଘାତୀ ଓ ଅଦୂରଦର୍ଶୀ ହିଂସାରେ ଛନ୍ଦି ହୋଇ ପଡ଼ିଥିବା ବିଶ୍ୱ ଲାଗି ଲଢ଼ୁଆ ଗାନ୍ଧିବାଦ ହିଁ ଗାନ୍ଧିଜୀଙ୍କର ମୌଳିକ ଅବଦାନ । ଏହି ଧରଣର ଗାନ୍ଧିବାଦ ଆମ ଦେଶରେ ନୂଆ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଛି । ସେହିବାଟରେ ଠିକଣା ଭାବରେ ଶେଷ ପର୍ଯ୍ୟନ୍ତ ଚାଲିଲେ ଆମର ବିଜୟ ସୁନିଶ୍ଚିତ ।” ଅଥଚ ଏହି ଚିଠିରେ ହିଁ ଗାନ୍ଧିବାଦ ତାର ଲଢୁଆ ଚରିତ୍ର ହରାଇଛି ବୋଲି ଇଙ୍ଗିତ କରିଛନ୍ତି ଯେତେବେଳେ ସେ ଲେଖୁଛନ୍ତି, “ଗାନ୍ଧିଜୀ ଦ୍ୱିତୀୟବାର ଅନଶନ ପରେ, ଜେଲରୁ ଆସିଲା ପରଠାରୁ, ସାଧାରଣ ମଣିଷର ବିଚାର ଓ ବୋଧଗମ୍ୟ ହେଲା ଭଳି ଢଙ୍ଗରେ ନ କହି, ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି ଓ ତାକୁ ବୁଝାଉଛନ୍ତି ଯାହାକୁ କି ସାଧାରଣ ଲୋକ ବୁଝିପାରିବ ନାହିଁ ଓ ତା’ପଛରେ ବୋଧଗମ୍ୟ ଯୁକ୍ତି ନାହିଁ । ତାଙ୍କ କହିବାରୁ ଜଣାଯାଏ ଯେଭଳି ସେ କୌଣସି ଅଲୌକିକ ଆଧ୍ୟାତ୍ମିକ ଅନୁଭୂତି ଲାଭ କରି, ଯାହା ଦିଗଦର୍ଶନ ପାଇଲେ, ତାହାହିଁ କହୁଛନ୍ତି ଓ କରୁଛନ୍ତି । ଆମେ ସେ ସବୁ ପଢ଼ି ବାଉଳା ହୋଇଯାଉଛୁ । ଏହା ଫଳରେ ଦେଶରେ ଚାଲିଥିବା ଆନ୍ଦୋଳନର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି ।” ଆଉ ଏକ ସ୍ଥାନରେ ସେ ଲେଖୁଛନ୍ତି, “କରାଚୀ କଂଗ୍ରେସ ପୂର୍ବରୁ ବି କଂଗ୍ରେସ ଅନୁଷ୍ଠାନ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଥିଲା । ୧୯୨୯ ମସିହା ମଇ ୨୯ ଓ ୨୫ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟି ଏହା ଗ୍ରହଣ କରିଥିଲା; ଦ୍ୱିତୀୟ ଗୋଲଟେବୁଲ ବୈଠକରେ ମହାତ୍ମା ଗାନ୍ଧୀ ନିଜେ ବି ଏହା ସ୍ପଷ୍ଟ କହିଥିଲେ । ଏପରିକି ନିରନ୍ନଙ୍କ ଲାଗି ଧନୀକଶ୍ରେଣୀର ଲୋପ କଥା ବି ସେ ଉକ୍ତ ବୈଠକରେ ଉଲ୍ଲେଖ କରିଥିଲେ । ଦୁଃଖର କଥା ଯେ, ଏଥିପାଇଁ ଯେଉଁ ସାହସ ଦରକାର କଂଗ୍ରେସ ସେଭଳି ସାହସ ଦେଖାଇ ପାରିନାହିଁ । କୁହାଯାଇପାରେ ଯେ, ଗାନ୍ଧିବ୍ୟକ୍ତି ଭାବରେ ନିଜ ଢଙ୍ଗରେ ସେହି ସାମାଜିକ ସମାନତା ପାଇଁ କିଛି କାର୍ଯ୍ୟ କରୁଛନ୍ତି । କିନ୍ତୁ ତା’ଙ୍କ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଏକ ପ୍ରଥମ ଶ୍ରେଣୀ ବୈପ୍ଳବିକ ଆନ୍ଦୋଳନ ହେବା ପରିବର୍ତ୍ତେ ପୂରାପୁରି ଏକ ସଂସ୍କାରମୂଳକ କାର୍ଯ୍ୟରେ ପର୍ଯ୍ୟବସିତ ହୋଇଛି ।” ଗାନ୍ଧୀବାଦର ବୈପ୍ଳବିକ ଚରିତ୍ର ଦୁର୍ବଳ ହେବା ୩୨ବର୍ଷୀୟ ନବକୃଷ୍ଣଙ୍କୁ ବିବ୍ରତ କରୁଥିବାବେଳେ, ଓ ସତ୍ୟ ଓ ଅହିଂସାକୁ ଭିତ୍ତି କରି ସ୍ୱରାଜ ହାସଲ କରିବା ଉପରେ ଗାନ୍ଧୀ ଗୁରୁତ୍ୱ ଦେଉଥିବାବେଳେ, ନବକୃଷ୍ଣ ନେହେରୁଙ୍କୁ ଲେଖୁଥିଲେ,“…ଅସାଧାରଣ ପରିସ୍ଥିତିରେ ନିଜେ ମାରିବା ଓ ମାରିବା ଲାଗି ଅନ୍ୟକୁ ଉତ୍ସାହିତ କରିବା ଭଳି ହିଂସା ମଧ୍ୟ ସତ୍ୟାଗ୍ରହର ପରିପନ୍ଥୀ ନୁହେଁ, ଏପରିକି ସତ୍ୟାଗ୍ରହର ସହାୟକ ବୋଲି ବିଚାର କରାଯାଏ ।”
ସମାଜବାଦୀ ଧାରଣା ଓ ଗାନ୍ଧୀଙ୍କ ଅଶ୍ୱସ୍ତି
ନେହେରୁଙ୍କୁ ଉପରୋକ୍ତ ପତ୍ର ଲେଖିବାର ପ୍ରାୟ ୬ମାସ ପୂର୍ବରୁ, ୧୯୩୩ ମସିହା ଫେବୃଆରୀ ମାସରେ, ମାର୍କ୍ସଙ୍କ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ଯେଉଁ କେତେଜଣ ବ୍ୟକ୍ତି ‘ଉକ୍ରଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ର ସ୍ଥାପନା କଲେ ସେଥିରେ ଅଗ୍ରଣୀ ଭୂମିକା ଥିଲା ନବକୃଷ୍ଣ ଚୌଧୁରୀଙ୍କର । ଏହା ସଙ୍ଗଠନଟି ଥିଲା ଭାରତବର୍ଷର ପ୍ରଥମ ସମାଜବାଦୀ ସଙ୍ଗଠନ । ୧୯୩୪ ମସିହାରେ କଂଗ୍ରେସ ଭିତରେ ଜାତୀୟସ୍ତରରେ ଏକ ଗୋଷ୍ଠୀ ଗଢ଼ାହେଲା୬, Congress Socialist Party, ଯାହାର ନେତୃତ୍ୱ ନେଇଥିଲେ ସମାଜବାଦୀ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଜୟପ୍ରକାଶ ନାରାୟଣ । ଆଦର୍ଶର ସାମ୍ୟ ଥିବାରୁ Congress Socialist Partyରେ ସାମିଲ ହୋଇଗଲା ‘ଉକ୍ରଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ କିନ୍ତୁ କଂଗ୍ରେସ ଭିତରେ ଏପରି ଏକ ଗୋଷ୍ଠୀର ଆବିର୍ଭାବକୁ ଗାନ୍ଧୀ ଗ୍ରହଣ କରି ପାରୁ ନଥିଲେ । ବରଂ କଂଗ୍ରେସ ଭିତରେ ଏପରି ଏକ ସଂଗଠନ ସହିତ ସେ ରହି ପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏବଂ କଂଗ୍ରେସ ସହ ତାଙ୍କର ସମ୍ପର୍କ ଛିନ୍ନ ହେବାର ଏକ କାରଣ ହୋଇପାରେ ବୋଲି ସୂଚନା ଦେଇଥିଲେ । ତାଙ୍କ ଭାଷାରେ୭, “ସମାଜବାଦୀ ଗୋଷ୍ଠୀର ଗଠନକୁ ମୁଁ ସ୍ୱାଗତ କରିଛି । ସେମାନଙ୍କ ମଧ୍ୟରୁ ଅନେକେ ସମ୍ମାନାଷ୍ପଦ ଓ ଆତ୍ମ-ତ୍ୟାଗୀ ସହକର୍ମୀ । ଏହା ସତ୍ତ୍ୱେ ସେମାନଙ୍କ ଦ୍ୱାରା ପ୍ରାଧିକୃତ (authorised) ପାମ୍ପଲେଟରେ ପ୍ରକାଶିତ କାର୍ଯ୍ୟକ୍ରମଗୁଡ଼ିକ ସନ୍ଦର୍ଭରେ ମୋର ସେମାନଙ୍କ ସହିତ ମୌଳିକ ମତପାର୍ଥକ୍ୟ ରହିଛି । କିନ୍ତୁ ମୁଁ କଦାପି ସେମାନଙ୍କ ସାହିତ୍ୟରେ ପ୍ରକାଶିତ ଧାରଣାର ପ୍ରସାରକୁ ଚାପି ଦେବିନାହିଁ, ଏପରିକି ନୈତିକ ଚାପ ପକାଇ, ଯାହା ମୁଁ କରି ପାରନ୍ତି । ସେହି ଧାରଣାଗୁଡିକ ମଧ୍ୟରୁ କେତେକ ମୋ ପାଇଁ ଯେତେ ଅରୁଚିକର ହେଲେ ହେଁ, ମୁଁ ସେହି ଧାରଣାର ମୁକ୍ତ ଅଭିବ୍ୟକ୍ତିରେ ହସ୍ତକ୍ଷେପ କରିବି ନାହିଁ । ଯଦି ସେହି ଧାରଣାଗୁଡ଼ିକର କଂଗ୍ରେସ ଭିତରେ ପ୍ରଭାବ ବୃଦ୍ଧି ଘଟେ, ଯାହା ହୋଇପାରେ ମଧ୍ୟ, ତାହାହେଲେ ମୁଁ କଂଗ୍ରେସରେ ରହିପାରିବି ନାହିଁ ।” କହିବା ବାହୁଲ୍ୟ ଯେ ନବକୃଷ୍ଣ ଏକ ସମୟରେ ଯେଉଁ ବିଚାର ପୋଷଣ କରୁଥିଲେ, ସେହି ବିଚାର କଂଗ୍ରେସ ଭିତରେ ପ୍ରସାର ହେବା ଗାନ୍ଧୀ ଚାହୁଁ ନଥିଲେ । ତା ନହେଲେ ସେ କୁହନ୍ତେ ନାହିଁ ,ଏହା ହେଲେ, ‘I cannot remain in Congress. ଏହା ଯେପରି ଗାନ୍ଧୀଙ୍କର ଚରମ ବାଣୀ ଥିଲା ବା ପ୍ରକାରାନ୍ତରେ ଧମକ ଥିଲା । କିନ୍ତୁ ଗାନ୍ଧୀଙ୍କ ନେତୃତ୍ୱରେ ଲଢୁଆ ଶକ୍ତି କ୍ଷୀଣ ହେବା, ବିଶେଷତଃ ଅର୍ଥନୈତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମରେ କଂଗ୍ରେସ ଦଳର ଆନ୍ତରିକତାର ଅଭାବ ଦେଖି ନବକୃଷ୍ଣ ନୈରାଶ୍ୟଗ୍ରସ୍ତ ହେଉଥିଲେ ଓ ଏହା ସେ ଜବାହାରଲାଲଙ୍କୁ ଜଣାଇଥିଲେ । ଏହାର କାରଣ ଦର୍ଶାଇ ସେ ଲେଖିଥିଲେ୫, ‘ଉଚ୍ଚ ଏବଂ ମଧ୍ୟବିତ୍ତଶ୍ରେଣୀର ଲୋକେ ୧୯୩୦ରେ ଯେଉଁ ପର୍ଯ୍ୟନ୍ତ ଯାଇଥିଲେ, ତା’ଠାରୁ ଅଧିକ ଆଗେଇବାକୁ ଅନିଚ୍ଛୁକ । କାରଣ ଅଧିକ ଲଢୁଆ କାର୍ଯ୍ୟକ୍ରମ ନିଆଗଲେ ସେମାନଙ୍କ ସମ୍ପତ୍ତି ଉପରେ ଆଂଚ ଆସିବ ।”(ପୃ ୭୫) ଏହି ନୈରାଶ୍ୟର ପ୍ରତିଫଳନ ମଧ୍ୟ ଦେଖୁ ଚାରି ବର୍ଷ ପରେ, ଯେତେବେଳେ ବିଧାନସଭାରେ ୩୦ ଅଗଷ୍ଟ ୧୯୩୭ ଦିନ Government of India Act 1935 ୧୯୩୫ ବିରୋଧରେ ବିତର୍କରେ ଭାଗନେଇ ସେ କହୁଥିଲେ୮, ‘ଦେଶରେ ଏପରି ଅନେକ ଛୋଟ ଛୋଟ ସମସ୍ୟା ଅଛି ଯାହା ସମାଧାନ କଲେ ଲୋକଙ୍କର ବିଶେଷ ଉପକାର ହେବ, ମାତ୍ର କଂଗ୍ରେସ ସେ ଦିଗରେ କିଛି କରୁନାହିଁ – କେବଳ ଗୋଟିଏ ଆଦର୍ଶ ନେଇ ରହିଛି ।…. ଦେଖାଯାଉ ବର୍ତ୍ତମାନ ଦେଶର ସମସ୍ୟା କ’ଣ? ଦେଶ କହିଲେ ଆମେ ଯେତେ ଜଣ ପ୍ରତିନିଧି ଏ ଗୃହରେ ଅଛୁ ସେମାନେ ନୁହନ୍ତି ; ସେମାନଙ୍କର ପ୍ରକୃତ ରୂପ -ପ୍ରକୃତ ଚିତ୍ର ଆଡ଼କୁ ଦୃଷ୍ଟି ଦିଅନ୍ତୁ – ଗତ ନିର୍ବାଚନ ସମୟରେ ହଜାର ହଜାର ସଂଖ୍ୟାରେ ଯେଉଁ ନଗ୍ନ ଶରୀର ଅର୍ଦ୍ଧଭୁକ୍ତ ଅସ୍ଥିକଙ୍କାଳସାର ଲୋକମାନେ ଭୋଟ ଦେବାକୁ ଆସିଥିଲେ ସେମାନଙ୍କ ଆଡ଼କୁ ଦୃଷ୍ଟି ଦିଅନ୍ତୁ -ସେମାନଙ୍କର ଆଶା କ’ଣ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ -ଆମ୍ଭେମାନେ ସେଇମାନଙ୍କର ପ୍ରତିନିଧି ହୋଇ ଆସିଥିଲେ ସୁଦ୍ଧା ନିଜର ଶ୍ରେଣୀ ସଂଶର୍ଗରେ ରହି ଆମ୍ଭେମାନେ ସେହିମାନଙ୍କର ପ୍ରତିନିଧି ବୋଲି ଭୁଲିଯାଉ । ସେମାନେ ବୋଇଲେ ଶତକରା ଅନେଶତ ଜଣ, ଯେଉଁମାନେ ଚାଷ କରି ରହିଛନ୍ତି ଓ କଳକାରଖାନାରେ ରହିଛନ୍ତି । ସେହି ଲୋକମାନଙ୍କର ସମସ୍ୟା ହେଉଛି ପ୍ରଥମ କଥା।’ ସଂଖ୍ୟା ୯୯ ଅନେକଙ୍କୁ ସ୍ମରଣ କରାଇ ଦେଇପାରେ୯ ୨୦୧୧ ମସିହାରେ ହୋଇଥିବା Occupy Wall Street movement ର Slogan ‘We are the 99%’ ବା ନିକଟ ଅତୀତରେ ପ୍ରକାଶିତ ବୈଷମ୍ୟ ସମ୍ପର୍କରେ ତଥ୍ୟ୧୦ ଯେ କିପରି ମାତ୍ର ଶତକଡ଼ା ୧ଭାଗ ଲୋକଙ୍କ ଅକ୍ତିଆରରେ ରାଷ୍ଟ୍ରସମ୍ପତ୍ତିର ଶତକଡ଼ା ୫୧.୫୩ ଭାଗ ସମ୍ପତ୍ତି ରହିଛି ଓ ଶତକଡ଼ା ୧୦ ଭାଗଙ୍କ ଅକ୍ତିଆରରେ ରାଷ୍ଟ୍ର ସମ୍ପତ୍ତିର ଶତକଡ଼ା ୭୭. ୪ଭାଗ ସମ୍ପତ୍ତି ରହିଛି । ନବବାବୁ ଅବଶ୍ୟ ସଚେତନ ଥିଲେ ଯେ୮ ‘କଂଗ୍ରେସ ଭିତରେ, ବଡ଼ ବଡ଼ ମହାଜନ, ଜମିଦାର, ପୁଞ୍ଜିପତି, ଖୁବ ସମ୍ପତ୍ତିବାନ ମଧ୍ୟବିତ୍ତ ଲୋକ ଓ ଗରିବ ଶ୍ରମିକ ମଧ୍ୟ ଅଛନ୍ତି ଯେଉଁମାନଙ୍କର ଜମିବାଡି କିଛି ନାହିଁ କି vested interestରେ କିଛି ସମ୍ପର୍କ ନାହିଁ । ଏପରି ସ୍ଥଳେ economic programme ରେ କଂଗ୍ରେସ ଭିତରେ ଅନେକ ସମୟରେ ଟଣାଓଟରା ହେବା ସ୍ୱାଭାବିକ ।” ଓ ଏହା ସହିତ ମଧ୍ୟ ସେ ସଚେତନ ଥିଲେ ଯେ ଚାଷୀର (Tillers of the soil) ସ୍ୱାର୍ଥରେ କହୁଥିବା ତାଙ୍କ ଭଳି ଲୋକଙ୍କ ସଂଖ୍ୟା ବେଶ୍ କମ୍ । ତାଙ୍କରି ଭାଷାରେ ‘ବଡ଼ ଦୁଃଖର ବିଷୟ, କଂଗ୍ରେସରେ ମୋ ଭଳିଆ ଲୋକଙ୍କର ସଂଖ୍ୟା ଖୁବ ଅଳ୍ପ ।’ (Madras Estates Land (Orissa Amendment) Bill, 1937 _ 4th February 1938 ଦିନ ହୋଇଥିବା ବିତର୍କରେ ନବକୃଷ୍ଣଙ୍କ ମନ୍ତବ୍ୟ) ଆଜକୁ ୮୦ବର୍ଷ ତଳେ କୁହାଯାଇଥିବା ଏହି ଧାଡ଼ିଗୁଡିକ ଆଜି ମଧ୍ୟ ପ୍ରାସଙ୍ଗିକ ମନେହୁଏ ନାହିଁକି? ବିଶେଷତଃ ଯେତେବେଳେ ସଂସଦରେ କୋଟିପତିଙ୍କ ସଂଖ୍ୟାରେ କ୍ରମାନ୍ୱୟରେ ବୃଦ୍ଧି ଘଟି ଚାଲିଛି୧୧, ୨୦୦୯ରେ ଏହା ୫୮ ପ୍ରତିଶତ ଥିଲା, ୨୦୧୪ରେ ଏହା ହେଲା ୮୨ ପ୍ରତିଶତ, ୨୦୧୯ରେ ଏହା ହୋଇଛି ୮୮ ପ୍ରତିଶତ, ଓ ସେପଟେ ବିଲିଅନାଆରଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି (୧୯୮୭ରେ ଗୋଟିଏ୧୨ (ବିରଳା ପରିବାର)ରୁ ଆଜି୧୩ ୧୧୯) ।
ସାମ୍ପ୍ରଦାୟିକତାର ସମାଧାନ
ଗାନ୍ଧୀଙ୍କ ଦୃଷ୍ଟିରେ
କଂଗ୍ରେସ ସମ୍ପର୍କରେ ନବବାବୁଙ୍କର ଉପରୋକ୍ତ ନୈରାଶ୍ୟଜନକ ମନ୍ତବ୍ୟର ଚାରିବର୍ଷ ପରେ ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଦିନ ସାରା ଭାରତ କଂଗ୍ରେସ କମିଟିର ବମ୍ବେଠାରେ ଅନୁଷ୍ଠିତ ଅଧିବେଶନକୁ ଉଦ୍ବୋଧନ ଦେଇ ମହାତ୍ମାଗାନ୍ଧୀ କହିଥିଲେ କଂଗ୍ରେସରେ ବିଶ୍ୱାସରେ ହିଁ ନିହିତ ରହିଛି ସାମ୍ପ୍ରଦାୟିକତା ସମସ୍ୟାର ସମାଧାନ । ତାଙ୍କ ଭାଷାରେ୧୪, “ଡକ୍ଟର ମୁଂଜେ ଓ ଶ୍ରୀ ସାବରକରଙ୍କ ପରି ଯେଉଁ ହିନ୍ଦୁମାନେ ତରବାରୀର ସିଦ୍ଧାନ୍ତ (doctrine of the sword)ରେ ବିଶ୍ୱାସ କରନ୍ତି ସେମାନେ ଚାହିଁ ପାରନ୍ତି ମୁସଲମାନଙ୍କୁ ହିନ୍ଦୁଙ୍କ ଅଧୀନରେ ରଖିବା ପାଇଁ । ମୁଁ ସେହିଭଳି ଗୋଷ୍ଠୀକୁ ପ୍ରତିନିଧିତ୍ୱ କରେ ନାହିଁ । ମୁଁ କଂଗ୍ରେସକୁ ପ୍ରତିନିଧିତ୍ୱ କରେ ।….ତୁମେ ଯଦି କଂଗ୍ରେସକୁ ଅବିଶ୍ୱାସ କର, ତାହାହେଲେ ତୁମେ ଜାଣିଥାଅ ଯେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଯୁଦ୍ଧ ସବୁବେଳ ପାଇଁ ଲାଗି ରହିଥିବ, ଏବଂ ଏହି ରାଷ୍ଟ୍ର ଯୁଦ୍ଧ ଓ ରକ୍ତପାତ କରିବାରେ ହିଁ ଲାଗିଥିବ । ଯଦି ଏହିଭଳି ଯୁଦ୍ଧ ଆମର ଭାଗ୍ୟ ହୁଏ, ତାହାହେଲେ ଏହା ଦେଖିବାକୁ ମୁଁ ବଂଚିବି ନାହିଁ ।” ଆଜି ଗାନ୍ଧୀ ନାହାନ୍ତି, କଂଗ୍ରେସରେ ବିଶ୍ୱାସ ହ୍ରାସ ପାଇଛି । ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଅବିଶ୍ୱାସ ବଢ଼ିବାରେ ଲାଗିଛି ।
କିନ୍ତୁ ଉପରୋକ୍ତ ମନ୍ତବ୍ୟର ଚାରିବର୍ଷ ପୂର୍ବରୁ ମାର୍ଚ୍ଚ ୨୫, ୧୯୩୮ ଦିନ ଗାନ୍ଧୀସେବା ସଂଘର ଏକ ଅଧିବେଶନକୁ ଉଦବୋଧନ ଦେଇ ଗାନ୍ଧୀ ହିନ୍ଦୁ -ମୁସଲମାନ ସମସ୍ୟାର ସମାଧାନ ଅସ୍ପୃଶ୍ୟତାର ବିଲୋପରେ ରହିଛି ବୋଲି ସ୍ପଷ୍ଟଭାଷାରେ କହିଥିଲେ୧୫, “ସନାତନୀମାନେ ବିଶ୍ୱାସ କରନ୍ତି ଯେ ଅସ୍ପୃଶ୍ୟତା ହିନ୍ଦୁବାଦ (Hinduism)ର ଏକ ଅଂଶ ଅଟେ । ସେହିଭଳି ମୁସଲମାନ ଓ ଖ୍ରିଷ୍ଟିଆନମାନେ ମଧ୍ୟ ଭାବନ୍ତି ଯେ ହିନ୍ଦୁବାଦ ‘ସ୍ପର୍ଶ କର ନାହିଁ’ ବାଦ (‘don’t- touchism’)ଛଡ଼ା ଆଉ କିଛି ନୁହେଁ । ତୁମେ ହିନ୍ଦୁ-ମୁସଲମାନ ସମସ୍ୟାର ସମାଧାନ କରିପାରିବ ନାହିଁ ଯେତେଦିନ ଯାଏ ଅସ୍ପୃଶ୍ୟତାର ଦାଗକୁ ନ ଲିଭାଇଛ ।” ହିନ୍ଦୁ ମୁସଲମାନ ଏକତା ଗାନ୍ଧୀଙ୍କର ଏକାନ୍ତ କାମ୍ୟଥିଲା, ତାହାର ଏକ ନିଷ୍ଠାପର ଅଭିବ୍ୟକ୍ତି ଆମେ ପାଉ ଯେତେବେଳେ ସେ Council of All India Muslim League ର ସଦସ୍ୟ ମାନଙ୍କୁ କୁହନ୍ତି୧୬ (ଫେବୃଆରୀ ୨୮, ୧୯୩୧), “ମୁଁ ତୁମକୁ ଆଶ୍ୱସ୍ତ କରିପାରେ ଯେ ହିନ୍ଦୁ-ମୁସଲମାନ ଐକ୍ୟ ପାଇଁ ଉଦ୍ୟମ ମୋର ପିଲାବେଳ ଓ ଯୌବନକାଳର ଲାଳନ ପାଳନ ତଥା ତାଲିମ ଭିତରେ ମଧ୍ୟ ଥିଲା । ଏହାକୁ କେହି ମୋର ବୃଦ୍ଧ ବୟସର ଖିଆଲ ବୋଲି କହି ଖାରଜ କରିବା ଉଚିତ ନୁହେଁ ।… ମୋତେ ଏହି ଆଦର୍ଶ ପାଇଁ ମୃତୁ୍ୟବରଣ କରିବାକୁ ପଡ଼ିପାରେ, ଏହାଦ୍ୱାରା ମୁଁ ହୃଦୟର ଶାନ୍ତି ହାସଲ କରିପାରିବି ।” ଗାନ୍ଧୀ ସାମ୍ପ୍ରଦାୟିକତାର କେତେ ବିରୋଧୀ ଥିଲେ ସତରେ ଯେତେବେଳେ ସେ କହୁଥିଲେ୧୭, “ଯଦି ମୋର କ୍ଷମତା ଥାନ୍ତା, ମୁଁ ସେ ସବୁ ସାହିତ୍ୟକୁ ନିଷିଦ୍ଧ କରି ଦିଅନ୍ତି ଯାହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଶ୍ରେଣୀ ଶ୍ରେଣୀ ମଧ୍ୟରେ, ଓ ବର୍ଣ୍ଣ ମଧ୍ୟରେ ସାମ୍ପ୍ରଦାୟିକତା, ଧର୍ମାନ୍ଧତା, ଶତ୍ରୁତା ଓ ଘୃଣା ଉଦ୍ରେକ କରିବାପାଇଁ ସୃଷ୍ଟି କରାଯାଇଛି ।” କିନ୍ତୁ ଏହି ସବୁ ବକ୍ତବ୍ୟ ରଖିବାର ବହୁ ପୂର୍ବରୁ, ଭାରତରେ ପାଦ ଦେବାର ମାତ୍ର ଚାରିବର୍ଷ ପରେ (ଏପ୍ରିଲ ୧୯୧୯) ଗାନ୍ଧୀ ‘ହିନ୍ଦୁ-ମୁସଲମାନ ଏକତା ପାଇଁ ଶପଥ‘(Vow of Hindu-Muslim Unity) ଶିରୋନାମାରେ ଏକ ଚିଠା ପ୍ରସ୍ତୁତ କରିଥିଲେ ଓ ନିମ୍ନୋକ୍ତ ଶପଥ ଉଭୟ ହିନ୍ଦୁ ଓ ମୁସଲମାନ ନେବେ ଏହି ଆବେଦନ କରିଥିଲେ୧୮–
“ଭଗବାନଙ୍କୁ ସାକ୍ଷୀ ରଖି ଆମେ ହିନ୍ଦୁ ଓ ମୁସଲମାନ ଘୋଷଣା କରୁ ଯେ ଆମେ ପରସ୍ପର ସହ ଏପରି ବ୍ୟବହାର କରିବୁ ଯେପରି କି ଆମେ ଗୋଟିଏ ପିତାମାତାଙ୍କର ସନ୍ତାନ, ଆମଭିତରେ କୌଣସି ପାର୍ଥକ୍ୟ ରହିବ ନାହିଁ, ଜଣକର ଦୁଃଖ ଅନ୍ୟ ଜଣକର ଦୁଃଖ ହେବ ଏବଂ ଏହାକୁ ଦୂର କରିବା ପାଇଁ ଜଣେ ଜଣକୁ ସାହାଯ୍ୟ କରିବ । ଆମେ ପରସ୍ପରର ଧର୍ମ ଓ ଧର୍ମୀୟ ଭାବନାକୁ ସମ୍ମାନ କରିବୁ ଏବଂ ଧର୍ମୀୟ କାର୍ଯ୍ୟକ୍ରମର ପାଳନରେ କେହି କାହାର ବାଧକ ହେବୁ ନାହିଁ । ଧର୍ମ ନାଁରେ ପରସ୍ପର ପ୍ରତି ହିଂସ୍ର ହେବାରୁ ନିବୃତ୍ତ ହେବୁ ।”
ଏହା ଲେଖିବା ପୂର୍ବରୁ ସେହି ଚିଠାରେ ଗାନ୍ଧୀ କ୍ଷୋଭର ସହ ଲେଖିଥିଲେ, “ହିନ୍ଦୁ ସମାଜରେ ଆମେ କୁଣ୍ଠିତ ହେଉନାହୁଁ ମୁସଲମାନଙ୍କ ସମ୍ପର୍କରେ କଥାବାର୍ତ୍ତା ବେଳେ ଅଶୋଭନୀୟ ଭାଷା ପ୍ରୟୋଗ କରିବାକୁ । ବିପରୀତ କ୍ରମେ ସେମାନେ (ମୁସଲମାନ ମାନେ) ମଧ୍ୟ । ଅନେକେ ବିଶ୍ୱାସ କରନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକ ବଦ୍ଧମୂଳ (ingrained), ଅନୁନ୍ମୂଳନୀୟ (ineradicable) ବିଦ୍ୱେଷ ରହିଛି । ଅନେକ ସ୍ଥାନରେ ଆମେ ଦେଖୁଛୁ ଯେ ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ବିରୋଧରେ ଅବିଶ୍ୱାସ ପୋଷଣ କରୁଛି । ଜଣେ ଅନ୍ୟ ଜଣକୁ ଭୟ କରୁଛି । ” କହିବା ବାହୁଲ୍ୟ ଯେ ଗାନ୍ଧୀ ସାମ୍ପ୍ରଦାୟିକତାର ସମାଧାନ ପାଇଁ ଭାବାତ୍ମକ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଥିଲେ; ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାବାତ୍ମକ ସଂହତି ଆସିପାରିଲେ ସାମ୍ପ୍ରଦାୟିକତାର ସମାଧାନ ସମ୍ଭବ-ଏହା ଗାନ୍ଧୀ ଭାବୁଥିଲେ । ସାମ୍ପ୍ରଦାୟିକତା ସମସ୍ୟାର ସମାଧାନରେ ଅର୍ଥନୈତିକ ସ୍ଥିତିର ଯେ ଏକ ଭୂମିକା ଥାଇପାରେ ତାହାର କୌଣସି ସୂଚନା ଆମେ ଏହି ସମସ୍ୟା ଉପରେ ଗାନ୍ଧୀଙ୍କର ବକ୍ତବ୍ୟମାନଙ୍କରୁ ଏଯାବତ୍ ପାଇ ନାହୁଁ ।
ନବକୃଷ୍ଣଙ୍କ ଦୃଷ୍ଟିରେ
କିନ୍ତୁ ନବକୃଷ୍ଣଙ୍କର ବକ୍ତବ୍ୟରୁ ଏହି ସୂଚନା ମିଳେ ଯେତେବେଳେ ସେ ୨୨ସେପ୍ଟେମ୍ବର ୧୯୩୭ ଦିନ, Withdrawal of 1935 Act etc ଉପରେ ବିତର୍କରେ ଭାଗନେଇ ବିଧାନସଭାରେ କୁହନ୍ତି୮, “ଯେ ପର୍ଯ୍ୟନ୍ତ ଅର୍ଥନୀତିମୂଳକ ଆନ୍ଦୋଳନ କରା ନ ଯିବ ସେ ପର୍ଯ୍ୟନ୍ତ communal problem ନିଶ୍ଚୟ ରହିଥିବ । ଏହି ଅର୍ଥନୀତି ଭାବରେ ଆନ୍ଦୋଳନ ଚାଲିଲେ ହିନ୍ଦୁ ମୁସଲମାନ ଜନସାଧାରଣ ଭିତରେ କିଛି ପ୍ରଭେଦ ରହିବ ନାହିଁ । ଏହି ଅର୍ଥନୀତିକୁ ଆଗ କରି ଆନ୍ଦୋଳନ ଚଳାଇଲେ ଜନସାଧାରଣଙ୍କ ଉଦ୍ଧାର ହେବ ।” ଏପରି ବିଶ୍ୱାସ ପଛରେ ଦୃଷ୍ଟାନ୍ତର ନଜିର ଦେଇ ସେହି ବିତର୍କରେ କୁହନ୍ତି୮, “ଯେଉଁ ଜନସାଧାରଣଙ୍କ ଭିତରେ ସାମ୍ପ୍ରଦାୟିକ ଭେଦଭାବ ଏତେ ଅଛି ବୋଲି ଆମ୍ଭେମାନେ କହୁଥାଇଁ ପ୍ରକୃତରେ ସେମାନଙ୍କ ମଧ୍ୟରେ ତାହା ନାହିଁ । ଆଜି ସେ କଥା ଯୁକ୍ତପ୍ରଦେଶ ଓ ବିହାରରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ସେଠାରେ କିପରି ହିନ୍ଦୁ ମୁସଲମାନ ଚାଷୀ ଏକତ୍ର, ସେଠାରେ କିପରି ହିନ୍ଦୁଚାଷୀ ହିନ୍ଦୁ ଜମିଦାର ବିରୁଦ୍ଧରେ, ମୁସଲମାନ ଚାଷୀ ମୁସଲମାନ ଜମିଦାର ବିରୁଦ୍ଧରେ ଏବଂ ହିନ୍ଦୁ ମୁସଲମାନ ଚାଷୀ ଏକମତ ହୋଇ ହିନ୍ଦୁ ମୁସଲମାନ ଜମିଦାର ବିରୋଧରେ ଲଢାଇ କରୁଛନ୍ତି ତାହା ସମସ୍ତେ ଜାଣୁଥିବେ ।” ନିଶ୍ଚିତ ଭାବରେ ଟ୍ରଷ୍ଟିସିପ୍ରେ ବିଶ୍ୱାସ କରୁଥିବା ଗାନ୍ଧୀ ଜମିଦାର ବିରୋଧରେ ଚାଷୀର ଲଢ଼େଇରେ ସାମ୍ପ୍ରଦାୟିକତା ସମସ୍ୟାର ସମାଧାନ ଦେଖନ୍ତେ କିପରି? କେହି କେହି ନବକୃଷ୍ଣଙ୍କର ଏହି ଦୃଷ୍ଟିକୋଣରେ ଭଗତ ସିଂହଙ୍କ ଧାରଣାର ପ୍ରତିଫଳନ ଦେଖୁଥିବେ । ଭଗତ ସିଂହ ଜୁନ ୧୯୨୮ରେ ଲେଖିଥିଲେ୧୯, “ଯଦି ଆମେ ଏହି ଦଙ୍ଗା ପଛରେ ଥିବା ଅସଲ କାରଣ ଜାଣିବାକୁ ଚାହୁଁ ତାହାହେଲେ ଆମେ ଦେଖିବା ଯେ ଏହା ଅର୍ଥନୈତିକ ।” “If we wish to know the moot reason for these riots , we will find that it is economic one.” ପୁନଶ୍ଚ ବିଧାନସଭାରେ ଉପରୋକ୍ତ ବିତର୍କରେ ଭାଗ ନେଇ ନବକୃଷ୍ଣ ଦେଖୁଥିଲେ ଏକ ନୂତନ ସମ୍ବିଧାନ ପ୍ରଣୟନ ଓ ପ୍ରଚଳନର ସମ୍ଭାବନା ଯେଉଁଥିରେ ସାମ୍ପ୍ରଦାୟିକତାର ଗନ୍ଧ ନ ଥିବ । ତାଙ୍କ ଭାଷାରେ୮, “…ଏକ ଉପେଯାଗୀ ଶାସନ ଖସଡ଼ା ଗଢ଼ିବାକୁ ଆମ୍ଭମାନଙ୍କୁ Adult suffrage ଗୋଟିଏ Constituent Assembly ଡାକିବାକୁ ହେବ । ମୁଁ ଭଲକରି କହିପାରେ ଯେ ସେତେବେଳେ ଜନସାଧାରଣଙ୍କ ଭିତରୁ communal feeling ଉଭେଇ ଯାଇଥିବ ଏବଂ ସେତେବେଳେ ବ୍ରିଟିଶ ସରକାର vested interestଙ୍କର ଭେଦଭାବ ଜାତ କରିବାର କ୍ଷମତା ଶିଥିଳ ହୋଇଯାଇଥିବ । ସେତେବେଳେ ଲୋକଙ୍କ ମଧ୍ୟରେ ବିପ୍ଳବଭାବ ପୂରାମାତ୍ରାରେ ହୋଇଥିବ ଏବଂ ସାମ୍ରାଜ୍ୟବାଦ ଶକ୍ତିକୁ ପରାଜିତ କରିବାର ସାହସ ହୋଇଥିବ । ସେହି Constituent Assemblyରେ ହିଁ ଆମ୍ଭେମାନେ ଆମ୍ଭମାନଙ୍କର ଭାଗ୍ୟ ବିଧାନ କରିପାରିବା ।” ମନେ ରଖିବାକୁ ହେବ ଯେ ଏହା ସେ କହୁଥିଲେ Government of India Act 1935କୁ ବିରୋଧ କରି ଯାହା ବ୍ରିଟିଶ ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିଲା, ଭାରତରେ ଶାସନ ବ୍ୟବସ୍ଥାର ପରିଚାଳନ ପାଇଁ । ଆମ ଦେଶ କିପରି ଚାଲିବ ତାହାର ବିଧାନ ଆମଦେଶରେ ହେବ, ବିଦେଶରେ ପ୍ରସ୍ତୁତ ସମ୍ବିଧାନରେ ଆମଦେଶ ଚାଲିବ ନାହିଁ -ଏହା ହିଁ ଥିଲା ବିରୋଧର ମୂଳ । ୭ ବର୍ଷ ପରେ ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭାର ଗଠନ ହେଲା । କିନ୍ତୁ ନା ଏହି ସଭା Adult suffrage basis ରେ ଗଠନ ହୋଇପାରିଥିଲା ନା ସେତେବେଳକୁ ‘communal feeling ଯାଇଥିଲା । ବରଂ ଲୋମହର୍ଷଣକାରୀ ଦଙ୍ଗା ସେତେବେଳେ ହୋଇଥିଲା । ବ୍ରିଟିଶ ସରକାର ନଥିଲେ ସତ, କିନ୍ତୁ ତାଙ୍କ ଦ୍ୱାରା ରୋପିତ ଭେଦଭାବର ମଞ୍ଜି ବଂଚି ରହିଥିଲା । ନବକୃଷ୍ଣ ନିଶ୍ଚିତ ଥିଲେ ଯେ ବ୍ରିଟିଶ ସରକାରଙ୍କ ଭେଦଭାବ ବା ‘divide and rule ନୀତି’ର ପରିଣତି ହେଉଛି ସାମ୍ପ୍ରଦାୟିକତା । ଏହି ନୀତିର ଉଚ୍ଛେଦ ଯେତେ ଦିନ ଯାଏ ନ ହୋଇଛି ସେତେ ଦିନ ଯାଏ, ନବକୃଷ୍ଣ ବିଧାନସଭାରେ କହୁଥିଲେ୮, “ହିନ୍ଦୁ ପ୍ରାଣରେ ମୁସଲମାନ ପ୍ରତି ଆଶଙ୍କା ରହିଥିବ ଏବଂ ମୁସଲମାନ ପ୍ରାଣରେ ହିନ୍ଦୁ ପ୍ରତି ଆଶଙ୍କା ରହିଥିବ । ସେଥିପାଇଁ ମୁଁ ଆଜି କହିବାକୁ ଯାଉଛି ଯେ କି ହିନ୍ଦୁ କି ମୁସଲମାନ ନିଜ ନିଜର ସ୍ୱାର୍ଥରକ୍ଷା ସକାଶେ ଏହି ମୂଳ କାରଣର ଉଚ୍ଛେଦ ସାଧନ କରିବା ଦରକାର ।” ମୁସଲମାନ ସଦସ୍ୟ ମାନ୍ୟବର ମୌଲବୀ ଲତିଫୁର ରହମାନଙ୍କର ମଧ୍ୟ ଏହି ମତ ତାହା ତାଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଥିଲା ଓ ସେ ଗୃହରେ ଏହା ସ୍ୱୀକାର କରି କହିଥିଲେ, “ମାନ୍ୟବର ସଭ୍ୟ ଲତିଫୁରଙ୍କ ବକ୍ତୃତା ଶୁଣି ସମସ୍ତଙ୍କ ମନରେ ଆନନ୍ଦ ହେବ ଯେ ସେ ଏହି ସାମ୍ପ୍ରଦାୟିକ ଭାବର ମୂଳ କାରଣ ଉପଲବ୍ଧି କରିଛନ୍ତି । ସେଥିପାଇଁ ସେ ଏହାର ମୂଳ କାରଣ ବ୍ରିଟିଶ ସରକାରଙ୍କ ୟସଙ୍ଖସୟର ବଦ୍ଭୟ କ୍ସଙ୍କକ୍ଷର ନୀତିକୁ ନିନ୍ଦା କରିଛନ୍ତି ।”
କହିବା ବାହୁଲ୍ୟ ଯେ ସାମ୍ପ୍ରଦାୟିକତା ବିରୋଧୀ ଗାନ୍ଧୀ ଓ ନବକୃଷ୍ଣଙ୍କର ସାମ୍ପ୍ରଦାୟିକତାର ସମାଧନ ପ୍ରତି ଦୃଷ୍ଟିକୋଣରେ ପାର୍ଥକ୍ୟ ଥିଲା ଯାହା ବୁଝିବା ପାଇଁ ଆହୁରି ଗଭୀର ଅଧ୍ୟୟନର ଆବଶ୍ୟକତା ଅଛି ।
ମୌଲବୀ ଲତିଫୁର ରହମାନ
ଉଲ୍ଲେଖଯୋଗ୍ୟ ଯେ ମୌଲବୀ ଲତିଫୁର ରହମାନ କଂଗ୍ରେସ ଦଳର ସଦସ୍ୟ ନଥିଲେ । ବରଂ ସେ ଥିଲେ ମହାରାଜା ପାରଳାଖେମଣ୍ଡିଙ୍କର ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ପ୍ରଥମ ତିନିଜଣିଆ ମନ୍ତ୍ରିମଣ୍ଡଳ (୧ଏପ୍ରିଲ ୧୯୩୭ ରୁ ୧୮ ଜୁଲାଇ ୧୯୩୭)ରେ Public Works, Local Self-Government and Forests ମନ୍ତ୍ରୀ ଥିଲେ । ମୌଲବୀ ଲତିଫୁର ରହମାନ ହେଉଛନ୍ତି ସେହି ବ୍ୟକ୍ତି ଯିଏ ବିଧାନସଭାରେ ନବକୃଷ୍ଣ ଓଡ଼ିଆରେ ଭାଷଣ ଦେବାକୁ ପ୍ରଶ୍ନ କରିଥିଲେ । ନବକୃଷ୍ଣ ଚୌଧୁରୀ ପ୍ରଥମରୁ ହିଁ ତାଙ୍କର ବକ୍ତବ୍ୟ ଓଡ଼ିଆରେ ହିଁ ରଖୁଥିଲେ । The Orissa Money Lenders’ Bill, 1937 ଉପରେ ବିତର୍କରେ ଭାଗ ନେଇ (୨୮ଜାନୁଆରୀ ୧୯୩୮ଦିନ) ନବକୃଷ୍ଣ ଯେତେବେଳେ ନିଜ ବକ୍ତବ୍ୟ ଓଡ଼ିଆରେ ରଖୁଥିଲେ ସେତେବେଳେ ବିଧାୟକ ମାନ୍ୟବର ମୌଲବୀ ଲତିଫୁର ରହମାନ ବାଚସ୍ପତି ମହୋଦୟଙ୍କୁ ପଚାରିଥିଲେ, “Sir, is he entitled to speak in Oriya when he knows English ?” ୧୯୩୫ ମସିହା ଭାରତ ଆଇନର ଧାରା ୩୯ଅନୁସାରେ ବିଧାନସଭାରେ ସମସ୍ତ କାର୍ଯ୍ୟକ୍ରମ ଇଂରାଜୀରେ ହିଁ କରାଯିବ ବୋଲି ବ୍ୟବସ୍ଥା ଥିଲା । ଯଦି କେହି ଇଂରାଜୀ ଭାଷା ସହିତ ଅପରିଚିତ ବା ଯଥେଷ୍ଟ ଭାବେ ପରିଚିତ ନୁହେଁ, ତାହାହେଲେ ତାଙ୍କପାଇଁ ଗୃହ ଏକ ନିଷ୍ପତ୍ତି ନେଇ ପାରିବେ ଯାହାଦ୍ୱାରା ସେ ଇଂରାଜୀ ଭାଷା ବ୍ୟତିରେକେ ଅନ୍ୟଭାଷାରେ ତାଙ୍କ ବକ୍ତବ୍ୟ ରଖି ପାରିବେ । ସେଇଥିପାଇଁ ମୌଲବୀ ସାହେବ ପ୍ରଶ୍ନ କରୁଥିଲେ । ଯାହାର ଉତ୍ତରରେ ବାଚସ୍ପତି ମହୋଦୟ (ମୁକୁନ୍ଦ ପ୍ରସାଦ ଦାସ) କହିଥିଲେ, “He has never spoken in English.” ତେଣୁ ଓଡ଼ିଆ ଆଫିସିକ ଭାଷା ଆଇନ ହେବାର ବହୁପୂର୍ବରୁ ନବକୃଷ୍ଣ ଓଡ଼ିଆକୁ ଆଫିସିକ ଭାଷା କରିବାର ନିଅଁ ପକାଉଥିଲେ ।
ମୌଲବୀ ଲତିଫୁର ରହମାନ ସ୍ମରଣୀୟ କାରଣ ଉକ୍ରଳ ବିଶ୍ୱବିଦ୍ୟାଳୟ ବିଧେୟକ-୧୯୪୨ ଉପରେ ବିତର୍କରେ (୩୦ ଜୁନ ୧୯୪୩) ଭାଗ ନେଇ ସେ ପ୍ରତିପାଦିତ କରୁଥିଲେ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ । କୁଳପତିଙ୍କ ନିଯୁକ୍ତି ଉପରେ । ସେ କହୁଥିଲେ, “We must make it clear that the Vice-Chancellor must not be a limb of the Government. We also want to make it clear that the Vice-Chancellor should be an agent of the Government.” ଉକ୍ରଳ ବିଶ୍ୱବିଦ୍ୟାଳୟ ବିଧେୟକ-୧୯୪୨ ଆଗତ କରିଥିଲେ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର (୧୯୩୯ ମସିହାରୁ କଂଗ୍ରେସ ଛାଡ଼ି ଦେଇଥିଲେ) । ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି । ମୌଲବୀ ଲତିଫୁର ରହମାନଙ୍କର ଦୃଷ୍ଟିକୋଣର ପ୍ରତିଧ୍ୱନି ଆମେ ପାଉ ନବକୃଷ୍ଣଙ୍କ ଉକ୍ତିରେ ଯେତେବେଳେ ସେ କୁହନ୍ତି୧, “ମୋ ମତରେ ଶିକ୍ଷା ସମ୍ପୂର୍ଣ୍ଣଭାବେ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବା ଉଚିତ ।”
ଉପସଂହାର
ଗାନ୍ଧୀବାଦୀ ଥିଲେ ନବକୃଷ୍ଣ-ଏହା ଅବିସମ୍ବାଦିତ ସତ୍ୟ । ତା ନ ହେଲେ ସେ ୧୯୭୮ ମସିହା ମାର୍ଚ୍ଚ ୫ ତାରିଖ ଦିନ ଏହି ଲେଖକ ଓ ଶ୍ରୀଯୁକ୍ତ ଗୁରୁ ମହାନ୍ତିଙ୍କୁ ସାକ୍ଷାତକାର ଦେଇ କହି ନ ଥାନ୍ତେ୧, “…ମୁଁ ୧୯୪୮ରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲି । କାରଣ ଆମେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଭାବି ଚାଲିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳର ଆଭିମୁଖ୍ୟ ତା ହୋଇପାରିଲା ନାହିଁ । ବରଂ ଠିକ ଓଲଟା ହେଲା । ତେଣୁ ଲୋକଙ୍କ ସହିତ କିଛି ସମ୍ପର୍କ ରହିଲା ନାହିଁ ।” ୧୯୪୮ ମସିହା ନବକୃଷ୍ଣଙ୍କ ରାଜନୈତିକ ଜୀବନରେ ଏକ Turning point ଥିଲା । ତାଙ୍କରି ଭାଷାରେ, “ସେତେବେଳେ ଠିକ ଗାନ୍ଧୀଙ୍କର ହତ୍ୟା (୩୦ ଜାନୁଆରୀ ୧୯୪୮) ଓ ମୋ ପୁଅର ମୃତ୍ୟୁ (ମାର୍ଚ୍ଚ ୧୨, ୧୯୪୮) ପ୍ରାୟ ଏକ ସଙ୍ଗରେ ହେଲା । ମୁଁ ଭାରି ବିବ୍ରତ ହୋଇ ପଡିଥିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ Disillusionmentମଧ୍ୟ ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତିରେ ରହିବାଟା ଭୁଲ । ତେଣୁ ମୁଁ ୧୯୪୮ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ (ଏପ୍ରିଲ ୨୩) ବେସିକ ଶିକ୍ଷା ପ୍ରଚାର ଦାୟିତ୍ୱରେ ରହିଲି ।” କିନ୍ତୁ ଗାନ୍ଧୀଙ୍କ କେତେକ ବିଚାର ସହ ନବକୃଷ୍ଣ ଯେ ଏକ ମତ ହେଉ ନଥିଲେ, ବିଶେଷତଃ ୩୦ଦଶକରେ ଓ, ଯେତେବେଳେ ସେ ସମାଜବାଦୀ ଚିନ୍ତାଧାରାରେ ଆବିଷ୍ଟ ଥିଲେ, ଓ ସମସ୍ୟାର ସମାଧାନ କ୍ଷେତ୍ରରେ ଭିନ୍ନ ଦୃଷ୍ଟିକୋଣ ପୋଷଣ କରୁଥିଲେ- ତାହାର କେତୋଟି ଦୃଷ୍ଟାନ୍ତ ମାତ୍ର ଏହି ନିବନ୍ଧରେ ପରିବେଶିତ ହୋଇଛି । ହୁଏତ ଏହିପରି ଆହୁରି ଅନେକ ଦୃଷ୍ଟାନ୍ତ ଥିବ ଯାହା ଅଧିକ ଅଧ୍ୟୟନରୁ ବାହାରିପାରେ । ତେବେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଉପରେ ଉପଲବ୍ଧ ସାହିତ୍ୟର ପରିମାଣରେ ଅସମାନତା ଏକ ବଡ଼ ପ୍ରତିବନ୍ଧକ ହୋଇ ପାରେ । ଗାନ୍ଧୀ ନିଜେ ବହୁତ ଲେଖିଛନ୍ତି ଯାହା ସଂରକ୍ଷିତ ହୋଇ ରହିଛି । ନବବାବୁ ନିଜେ ବହୁତ କମ୍ ଲେଖିଛନ୍ତି । ଗାନ୍ଧୀ ଅନେକ ସାକ୍ଷାତକାର ଦେଇଛନ୍ତି । ନବବାବୁଙ୍କର ସାକ୍ଷାତକାର କେବଳ ଗୋଟିଏ ଯାହା ସେ ୫ମାର୍ଚ୍ଚ ୧୯୭୮ଦିନ ଦେଇଥଲେ ଏହି ଲେଖକ ଓ ଗୁରୁ ମହାନ୍ତିଙ୍କୁ । ଗାନ୍ଧୀ ନିଜେ ନିଜ ସମ୍ପର୍କରେ ଲେଖିଥିଲେ । ନବବାବୁ ନିଜ ସମ୍ପର୍କରେ କେଉଁଠି କିଛି ଲେଖି ଥିବାର ନଜିର ନାହିଁ । ଗାନ୍ଧୀଙ୍କର ଜୀବନୀ ବହୁ ଲେଖକ ଲେଖିଛନ୍ତି, ତାଙ୍କ ଜୀବଦ୍ଦଶାରେ ଓ ପରେ । ଏବେ ବି ଚାଲିଛି, ଯେପରି ୨୦୧୮ରେ ପ୍ରକାଶିତ ରାମଚନ୍ଦ୍ର ଗୁହଙ୍କର ୧୧୨୯ ପୃଷ୍ଠାର ପୁସ୍ତକ Gandhi: The years that changed the world, 1914-1948 । କିନ୍ତୁ ନବବାବୁଙ୍କ ଜୀବଦ୍ଦଶାରେ ତାଙ୍କର କୌଣସି ଜୀବନୀ ଲେଖା ଯାଇ ନାହିଁ । ବରଂ ଯେଉଁମାନେ ଲେଖିବାକୁ ଚାହିଁଛନ୍ତି ତାଙ୍କୁ ସେ ନିରୁତ୍ସାହିତ କରିଛନ୍ତି -ଏପରିକି ସେମାନଙ୍କୁ ଶପଥ କରାଇଛନ୍ତି ନ ଲେଖିବା ପାଇଁ । ଏହାର ଯୋଗ୍ୟ ସେ ନିଜକୁ ମନେ କରିନାହାନ୍ତି । ଅବଶ୍ୟ ତାଙ୍କର ମୃତ୍ୟୁ ପରେ ତାଙ୍କ ଉପରେ ଅନୁନ୍ୟ ଚାରୋଟି ଜୀବନୀ ପ୍ରକାଶ ପାଇଛି, ଯାହା ଓଡ଼ିଶାର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କର ବୋଧହୁଏ ହୋଇନାହିଁ । କିନ୍ତୁ ନବକୃଷ୍ଣ ଥିଲେ ପ୍ରଖର ବିଧାୟକ । ବିଧାନସଭାରେ ତାଙ୍କର ଅଭିଭାଷଣଗୁଡ଼ିକ ବେଶ୍ ଦୀର୍ଘ ହେଉଥିଲା । ଏହି ଭାଷଣଗୁଡ଼ିକରୁ ହିଁ ତାଙ୍କର ରାଜନୈତିକ ଦର୍ଶନର ଆଭାସ ଜଣେ ଗବେଷକ ପାଇପାରେ । ଯୁବ ଗୋଷ୍ଠୀ ଭିତରେ ଏହିଭଳି ଗବେଷକମାନେ ବାହାରିବା ସବୁଠାରୁ ଅଭିନନ୍ଦନୀୟ ଦୃଶ୍ୟ ହୁଅନ୍ତା ଓ ତାହାର ପ୍ରଭାବ ସୁଦୂର ପ୍ରସାରୀ ହୁଅନ୍ତା । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଯୁବଗୋଷ୍ଠୀ ସଠିକ ମୂଲ୍ୟାୟନ କରି ପାରନ୍ତା ।
କିନ୍ତୁ ଆଜି ଯାହା ବିବ୍ରତ କରୁଛି ତାହା ହେଉଛି ରାଷ୍ଟ୍ରୀୟସ୍ତରରେ ସରକାରୀ କାର୍ଯ୍ୟକ୍ରମ ଭାବେ ମାନ୍ୟତା ପାଇଥିବା ଗାନ୍ଧୀଙ୍କର ୧୫୦ଜୟନ୍ତୀ ବର୍ଷ ପାଳନ ବେଳେ ସରକାରୀ ଦଳର ଲୋକସଭା ପ୍ରାର୍ଥୀ, ପ୍ରଜ୍ଞା ସିଂହ ଠାକୁର, ନିର୍ବାଚନ ପ୍ରଚାର ସମୟରେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି ଘୋଷଣା କରନ୍ତି୨୦ ଓ ଜଣେ ଅତ୍ୟନ୍ତ ଟାଣୁଆ ରାଜନୈତିକ ବ୍ୟକ୍ତିତ୍ୱ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟରେ ହରାଇ୨୧, ବିଜୟୀ ମଧ୍ୟ ହୁଅନ୍ତି । ଏହା ଭୋପାଳ ସହରକୁ ଗଣମାଧ୍ୟମରେ ସେହିଭଳି ଚର୍ଚ୍ଚିତ କରିଦିଏ ଯେପରି ୧୯୮୪ରେ ହୋଇଥିବା ଗ୍ୟାସ ଟ୍ରାଜେଡି୨୨ ବିଶ୍ୱର ସବୁଠାରୁ ବଡ଼ କ୍ଷତିକାରୀ ଔଦ୍ୟୋଗିକ ବିପତ୍ତି (‘world’s worst industrial disaster’ ) ଭାବେ ଏହି ସହରକୁ ଗଣମାଧ୍ୟମରେ ଚର୍ଚ୍ଚିତ କରିଦେଇଥିଲା । ଅବଶ୍ୟ ଏହିପରି ବକ୍ତବ୍ୟ ପାଇଁ ପ୍ରଜ୍ଞା କ୍ଷମା ମାଗିଛନ୍ତି୨୩ । ଏହାସତ୍ତ୍ୱେ ତାଙ୍କ ଦଳର ସର୍ବୋଚ୍ଚ ନେତା, ନରେନ୍ଦ୍ର ମୋଦୀ, ତାଙ୍କୁ ହୃଦୟରୁ କଦାପି କ୍ଷମାଦେବେ ନାହିଁ ବୋଲି କହିଛନ୍ତି୨୪ । ଅବଶ୍ୟ ଏ ସମସ୍ତ ପ୍ରକରଣ, ଗଡସେଙ୍କୁ ଦେଶଭକ୍ତ ଘୋଷଣା, କ୍ଷମାପ୍ରାର୍ଥନା ଓ ଏହି ପ୍ରାର୍ଥନାକୁ ମୋଦୀଙ୍କର ଅସ୍ୱୀକାର, ନିର୍ବାଚନ ସମୟରେ ହିଁ ହୋଇଛି, ବୋଧହୁଏ ନିର୍ବାଚନରେ ଏହାର ପ୍ରତିକୂଳ ପ୍ରଭାବ ଆଶଙ୍କାରେ । କାରଣ ଦଳ ତରଫରୁ ଏହି ବକ୍ତବ୍ୟପାଇଁ ଦଶଦିନ ଭିତରେ କୈଫିୟତ ଦେବାପାଇଁ କୁହାଯାଇଥିଲେ ମଧ୍ୟ, ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ପ୍ରଜ୍ଞାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାର ଖବର ଏ ପର୍ଯ୍ୟନ୍ତ ଗଣମାଧ୍ୟମରେ ନାହିଁ । ଏହି ଘଟଣାରୁ ଜଣାପଡୁଛି ଯେ ଗାନ୍ଧୀଙ୍କ ହତ୍ୟା ଏକ ସମ୍ବେଦନଶୀଳ ବିଷୟ ବୋଲି ବିଚାର କରୁଥିବା ସମୂହ ସଙ୍କୁଚିତ ହୋଇଚାଲିଛି । ସେହି ସମୂହର ବିସ୍ତାର ହେଉଛି ଯେଉଁମାନେ ଗାନ୍ଧୀଙ୍କ ହତ୍ୟାକୁ ଯଥାର୍ଥ ମନେକରନ୍ତି । ଯଦିଓ ଭାରତୀୟ ଜନତା ପାର୍ଟିର ପୂର୍ବ ଅବତାର ଅଖିଳ ଭାରତୀୟ ଜନସଂଘର ଏକଦା ତୁଙ୍ଗନେତା ବଲରାଜ ମାଧୋକ ଏପରି କାର୍ଯ୍ୟକୁ ନାଥୁରାମଙ୍କ ‘କୁକୃତ୍ୱ’ ବୋଲି ବିଚାର କରୁଥିଲେ୨୫ ଓ ତାଙ୍କୁ ‘ହିନ୍ଦୁତ୍ୱର ଘାତକ’ ବୋଲି ଅଭିହିତ କରିଥିଲେ । ସେ ନାଥୁରାମଙ୍କ ଭୂମିକାକୁ ବିଚିତ୍ର ଦୃଷ୍ଟିରେ ଦେଖୁଥିଲେ ଯେପରି ତାଙ୍କ ବିଚାରରେ ‘ଗଡସେଙ୍କ କୁକୃତ୍ୱ ହିଁ ଗାନ୍ଧିଜୀଙ୍କୁ ନୂତନ ଜୀବନ ଦେଇଦେଲା । ସେ ସହିଦ ହୋଇଗଲେ ଓ ସାତ୍ୱାଧାରୀ ଲୋକେ ତାଙ୍କ ନାଁରେ ସେ କାର୍ଯ୍ୟଗୁଡ଼ିକ କଲେ ଯାହା ସେ ବଂଚିଥିଲେ ହୁଏତ ସେମାନେ କରିପାରି ନ ଥାନ୍ତେ ।’ ବଲରାଜଙ୍କ ବିଶ୍ୱାସ ଥିଲା ଯେ ଯେଉଁ ସଂଖ୍ୟାରେ ଶରଣାର୍ଥୀ ଦୀଲ୍ଲୀ ଆସୁଛନ୍ତି, ‘ଯଦି ଏହି ସ୍ଥିତି ଅବ୍ୟାହତ ରହିଥାନ୍ତା ତାହାହେଲେ ସେ (ଗାନ୍ଧିଜୀ) ସମ୍ପୂର୍ଣ୍ଣ ପ୍ରଭାବହୀନ ହୋଇଯାଇଥାନ୍ତେ ଓ ନିଜେ ହିଁ ନିଜର ମୃତ୍ୟୁବରଣ କରିଥାନ୍ତେ ।’ ବଲରାଜ ଆଜି ବଂଚିଥିଲେ ହୁଏତ ଖୁସି ହେଉଥାନ୍ତେ ଦେଖି ଯେ ଗାନ୍ଧୀଙ୍କ ପ୍ରଭାବ କିପରି ଅଧିକରୁ ଅଧିକ ହ୍ରାସପାଇ ଚାଲିଛି । ଆଉ ନବକୃଷ୍ଣ ବଂଚିଥିଲେ ସଂଖ୍ୟାଗରିଷ୍ଠ ସମୁଦାୟ ଭିତରେ ବର୍ଦ୍ଧିଷ୍ଣୁ ସାମ୍ପ୍ରଦାୟିକତା ଦେଖି ନିଶ୍ଚିତ ଆଜି ପ୍ରଶ୍ନ କରିଥାନ୍ତେ – ଏହା ହିଁ କଣ ‘ନୂଆ ଭାରତ’ର ସ୍ୱରୂପ?
ବ୍ୟବହୃତ ଉପାଦାନ ସୂଚୀ
୧. ଗୁରୁ ମହାନ୍ତି ଓ ବୀରେନ୍ଦ୍ର ନାୟକଙ୍କୁ ୫ ମାର୍ଚ୍ଚ ୧୯୭୮ଦିନ ଅନୁଗୋଳଠାରେ ଏକ ସାକ୍ଷାତକାର ଦେଇ କହିଥିଲେ ଯାହା ପାକ୍ଷିକ ‘ବାର୍ତ୍ତାବହ’ରେ ପ୍ରକାଶିତ ହୋଇଥିଲା ।
୨.A Great Pioneer by Mukunda Prasad Das, in MADHUSUDAN DAS :His Life and Achievements ,Editor: Debendra Kumar Dash ,PRAGATI UTKAL SANGHA , Rourkela ,2002, p.28
୩.ଜୀବନପଥେ, ପ୍ରଥମ ସଂସ୍କରଣ, ୧୯୮୪, ପୃ ୪୫-୪୮
୪.‘ନବକୃଷ୍ଣ ଚୌଧୁରୀ କ’ଣ ଦୁରାଚାରୀ? ବୀରେନ୍ଦ୍ର ନାୟକ, ସମଦୃଷ୍ଟି , ୧ ଜୁଲାଇ-୧୫ ଜୁଲାଇ, ୨୦୦୯
୫. ଅନିର୍ବାଣ, ପଦ୍ମଚରଣ ନାୟକ, ପ୍ରଥମ ସଂସ୍କରଣ, ୧୯୯୬, ପୃ-୭୨-୭୬
୬.Mahatma : Life of Mohandas Karamchand Gandhi, D. G. Tendulkar, vol. 3, p.274, Publications Division, Government of India
- Mahatma : Life of Mohandas Karamchand Gandhi, D. G. Tendulkar, vol. 3, p.297, Publications Division, Government of India
- Nabakrushna Chaudhuri Assembly Speeches: A Digital Compilation , Srujanika , Jagmara, Bhubaneswar
- We are the 99% – Wikipedia https://en.wikipedia.org/wiki/We_are_the_99
- Oxfam Report: Wealth Of 9 Richest Indians Equivalent To Bottom 50% Of Country , https://www.ndtv.com/india-news/richest-9-indians-wealth-equivalent-to-bottom-50-of-the-coun.
- With 6% Rise, 88% Newly Elected MPs Are Crorepatis:ADR Report | NewsClick https://www.newsclick.in/Parliament-Members-MPs-Crorepati
- Forbes History: The Original 1987 List Of International Billionaires, https://www.forbes.com/sites/seankilachand/2012/03/21/forbes-history-the-original-1987-list-of-international-billionaires/#f2bd4b0447e8
- Explained: The rise of India’s new billionaires and the fall of the old , https://www.business-standard.com/article/companies/explained-the-rise-of-india-s-new-billionaires-and-the-fall-of-the-old-119050800146_1.html
- Mahatma : Life of Mohandas Karamchand Gandhi, D. G. Tendulkar, vol. 6, p.158, Publications Division, Government of India
15.Mahatma : Life of Mohandas Karamchand Gandhi, D. G. Tendulkar, vol. 4, p.239, Publications Division, Government of India(p. 54, vol. 3)
16.Mahatma : Life of Mohandas Karamchand Gandhi, D. G. Tendulkar, vol. 3, p.54, Publications Division, Government of India( 1936, p. 70, vol 4, Mahatma)
17.Mahatma : Life of Mohandas Karamchand Gandhi, D. G. Tendulkar, vol. 4, p.70, Publications Division, Government of India
18.Makers of Modern India, Ramachandra Guha, Penguin Books, 2012, pp.173-174
- Communal Riots and Their Solutions, Bhagat Singh, June 1928, in Inquilab: Bhagat Singh on Religion and Revolution, S Irfan Habib (ed.), Sage, 2018, p.15
- Pragya Singh Thakur calls Nathuram Godse a patriot; The Hindu,New Delhi, May 16, 2019 , Election Commission seeks report ,https://www.thehindu.com/elections/lok-sabha-2019/pragya-singh-thakur-calls-nathuram-godse-a-patriot-bjp-disagrees/article27149158.ece
21.Pragya hands big defeat to Digvijaya , The Telegraph, 24.05.2019, https://www.telegraphindia.com/india/pragya-hands-big-defeat-to-digvijaya/cid/1691142
- Bhopal disaster, WikipediA, https://en.wikipedia.org/wiki/Bhopal_disaster
- Under fire, BJP’s Pragya Thakur apologises for calling Godse a ‘deshbhakt’ ,By Express Web Desk |New Delhi | Updated: May 16, 2019 ,https://indianexpress.com/elections/pragya-singh-thakur-nathuram-godse-terrorist-deshbhakt-lok-sabha-elections-kamal-haasan5731029/
- Will never forgive Pragya Thakur for her remarks on ‘Bapu’: PM Modi , livemint, 17 May 2019,https://www.livemint.com/politics/news/will-never-forgive-pragya-thakur-for-her-remarks-on-bapu-pm-modi-1558091629326.htm
୨୫. ଜିନ୍ଦଗୀ କା ସଫର-୧, ବଲରାଜ ମାଧୋକ, ହିନ୍ଦୁ ଓା୍ୱର୍ଲଡ୍ ପବ୍ଲିକେଶନସ୍ , ନୂଆଦିଲ୍ଲୀ, ୧୯୯୪, ପୃ -୧୧୯
Comments
0 comments