ଇଷ୍ଟଇଣ୍ଡିଆ କମ୍ପାନୀର ଭାରତରେ ଡେରାଠାରୁ ଆଗକୁ

20 Min Read

“The colony of civilized nation, which takes possession, either of waste country or of one so thinly inhabited, that the natives easily give place to the new settlers, advance more rapidly to wealth and greater than any other human society –Adam Smith, An inquiry into the nature and cause of the wealth of nations (1766)

ଆଡାମ ସ୍ମିଥଙ୍କ ଏହି କଥା ପର୍ତ୍ତୁଗୀଜ, ଡଚ, ଓଲନ୍ଦାଜ ଓ ବ୍ରିଟିଶମାନଙ୍କର ଦକ୍ଷିଣ ପୂର୍ବ ଏସିଆରେ ଡେରା ପକେଇବା କଥା ସୂଚାଏ । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ୟୁରୋପ ମହାଦେଶ କୃଷି ଓ ପଶୁପାଳନ କରି ସମୃଦ୍ଧ ହେଲାଣି । ଘୋଡ଼ା ଯୋଚି ଜମି ଚାଷ । ଘୋଡ଼ା, ଗାଈ ଗୋରୁ, ଘୁଷୁରି ଗୋବର ଖତ କରି ଜମିରେ ପକାନ୍ତି । ମାଟିର ଯତ୍ନ ନେବାରେ ସାମାନ୍ୟ ହେଳା କରନ୍ତି ନାହିଁ । ନାତିଶୀତୋଷ୍ଣ ଜଳବାୟୁ । କୃଷି ଓ ଗୋପାଳନ ପାଇଁ ଖୁବ ଉପଯୋଗୀ ହୁଏ । ଗହମ, ବାର୍ଲି, ଓଟ୍, ଫଳ ଓ ପନିପରିବା ପ୍ରଚୁର ଉତ୍ପାଦନ ହୁଏ । ଗାଈ, ଗୋରୁ ପାଳି କ୍ଷୀର, ଛେନା, ଲହୁଣୀ ତ ପାଇଲେ । ଗୋମାଂସ ବି ମିଳିଲା । ଚାରଣ ଭୂମିର ଅଭାବ ନାହିଁ । ଛେଳି, ମେଣ୍ଢା ପାଳି ମାଂସ ତ ପାଇଲେ, ପଶମ ସଂଗ୍ରହ କରି ପୋଷାକ ବି କଲେ । ଘୁଷୁରିମାନଙ୍କ ପାଇଁ ପ୍ରକୃତିରୁ ଯଥେଷ୍ଟ ଖାଦ୍ୟ । ଗୋଟିଏ ଗୋଟିଏ ଘୁଷୁରି ଥରକେ ୧୦/୧୨ ଛୁଆ ଦେଲେ । ଘୁଷୁରି ମାଂସ ବି ଯାହାକୁ ଯେତେ । ଭଲ ଖାଇଲେ । ଭଲ ପିନ୍ଧିଲେ । ପୃଥିବୀରେ ୟୁରୋପ ମହାଦେଶର ବାସିନ୍ଦା ପ୍ରଥମେ ଶିକ୍ଷା, ସ୍ୱାସ୍ଥ୍ୟରକ୍ଷାର ଅଧିକ ସୁବିଧା, ଜମେଇ ପାରିଲେ । ଲୋକସଂଖ୍ୟା ବଢୁଛି । ମୁଣ୍ଡ ଧରିଛି । ଆଗକୁ କ’ଣ କରିବେ । ଅବଶ୍ୟକତାରୁ ଉଦ୍ଭାବନ (Necessity is the mother of invention) । ବେଳ ଥାଉଥାଉ ଅନ୍ୟ ଦେଶକୁ ମେଲିବା । ହଜାରେ ବର୍ଷ ଆଗରୁ ଭାବନା, ଯୋଜନା ।

ପଶ୍ଚିମ ୟୁରୋପ ଓ ଭୂମଧ୍ୟ ସାଗରୀୟ ଦେଶମାନଙ୍କୁ ମହାସାଗର, ସାଗର ଲାଗିଛି । ପଶ୍ଚିମରେ ଆଟଲାଣ୍ଟିକ ମହାସାଗର, ଦକ୍ଷିଣରେ ଭୂମଧ୍ୟସାଗର । ବିଲାତ (England), ଫ୍ରାନ୍ସ, ଇଟାଲୀ, ସ୍ପେନ, ପର୍ତ୍ତୁଗାଲ, ଡେନମାର୍କ, ନରୱେ, ସୁଇଡେନ ଦେଶମାନେ ସମୁଦ୍ରକୁ ଲାଗିଛନ୍ତି । ଜଳଯାତ୍ରାକୁ ପାଗ ଭିଡିଲେ । ପାଲଟଣା ଜାହାଜ ତିଆରି କଲେ । ନାବିକ କମ୍ପାସ ତିଆରି କରି ଅକ୍ଷାଂଶ, ଦ୍ରାଘିମା ଠଉରେଇବା ଜାଣିଦେଲେ । ସ୍ପେନ ଓ ପର୍ତ୍ତୁଗାଲ ଜଳଯାତ୍ରାରେ ଆଗୁଆ । ୧୪୯୨ ଅକ୍ଟୋବର ୧୧ । କଲମ୍ବସ ଭାରତ ଆବିଷ୍କାର କରିବାକୁ ମନସ୍ଥ କରି ଆମେରିକା ନିକଟ ପଶ୍ଚିମଭାରତ ଦ୍ୱୀପପୁଞ୍ଜରେ ପହଞ୍ଚନ୍ତି । ଭାସ୍କୋଡାଗାମା ପର୍ତ୍ତୁଗାଲ ରାଜାଙ୍କୁ ମନାଇ ଜଳଯାତ୍ରା ଆରମ୍ଭ କରନ୍ତି । ସେ ଭାରତକୁ ଯିବେ । ଆଫ୍ରିକାର ପଶ୍ଚିମ ଉପକୂଳରେ ଆଟଲାଣ୍ଟିକ ମହାସାଗରର ଦକ୍ଷିଣକୁ ଜାହାଜମାନଙ୍କୁ ଆଗାନ୍ତି । ଆଫ୍ରିକାର ଉତ୍ତମାଶା ଅନ୍ତରୀପ ଦେଇ ଭାରତ ମହାସାଗରରେ ଯାତ୍ରା । ପୁଣି ଉତ୍ତରକୁ ଜାହାଜ ଭିଡି ୧୪୯୮ ମେ ୨୦ରେ କେରଳର କାଲିକଟ ବନ୍ଦରରେ ଜାହାଜମାନ ଲଗାନ୍ତି । ଭାସ୍କୋଡାଗାମା ଓ ପର୍ତ୍ତୁଗୀଜ ବଣିକଙ୍କ କଥା ଆମେ ଆଗରୁ ଲେଖିଛୁ ।

ପର୍ତ୍ତୁଗୀଜମାନେ ଖୁବ ସହଜରେ ଗୋଆ, ଡାମନ୍ ଡିଉରେ ଉପନିବେଶ ସ୍ଥାପନ କରନ୍ତି । ଗୋଆର ଝିଅମାନଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ପର୍ତ୍ତୁଗୀଜମାନେ ସେମାନଙ୍କ ସହିତ ଦୈହିକ ସମ୍ପର୍କ ଜମେଇଲେ । ପର୍ତ୍ତୁଗାଲରେ ଥିବା ସେମାନଙ୍କ ସ୍ତ୍ରୀମାନେ ଭାରତ ଗରମ ଦେଶ ଜାଣି ଆସିବାକୁ ମନା କରନ୍ତି । ପର୍ତ୍ତୁଗୀଜମାନେ ଏଠାରେ ବଂଶ ବିସ୍ତାର କଲେ । ତେଣୁ ଗୋଆର ଆଜିକା ବାସିନ୍ଦାମାନଙ୍କର ବାପା, ଜେଜେବାପାମାନେ ପର୍ତ୍ତୁଗୀଜ, ମା’ମାନେ ଭାରତୀୟ । ମା’ମାନଙ୍କର ପ୍ରଭାବ ସେମାନଙ୍କ ଉପରେ ଅଧିକ ପଡିଲା । ତେଣୁ ସେମାନେ ପକ୍କା ଭାରତୀୟ ହୋଇ ଅଛନ୍ତି । (Ecological Imperialism- Alfred Wö Crosby –page 135) । ୧୫୯୮ ଏପ୍ରିଲ ୨ରେ ହଲାଣ୍ଡ ଜାହାଜ ବି ଭାରତରେ ଲାଗିଲା । ୧୬୦୨ରେ ଡଚ ଇଷ୍ଟଇଣ୍ଡିଆ କମ୍ପାନୀର ଆବିର୍ଭାବ । (A History Of Agriculture In India Vol-II page 339)

ଭାରତ ଘିଅମହୁରେ ଭାସୁଥିବା ବିଦେଶୀମାନଙ୍କ ପାଖରେ ଖବର ଥାଏ । କି ରସ ଲାଗିଛି ଗୋଟିଏ ପରେ ଗୋଟିଏ ଦେଶ ଭାରତମୁହାଁ । ଇଂରେଜ ଏକା ମାଧିଆ ବାଇଶି ପଣ । ୧୬୦୦ ଖ୍ରୀ.ଅ. । ବିଲାତରେ ରାଣୀ ଏଲିଜାବେଥଙ୍କ ରାଜତ୍ୱ । ବିଲାତ ପାଖେ ଖବର ପହଞ୍ଚିଲାଣି ପର୍ତ୍ତୁଗାଲ ପରେ ପରେ ହଲାଣ୍ଡରୁ ୪ଟି ଜାହାଜ ୧୫୯୫ ଏପ୍ରିଲ୨ ଉତ୍ତମାଶା ଦେଇ ଭାରତରେ ପହଞ୍ଚିଲାଣି । ୩୧ ଡିସେମ୍ବର ୧୬୦୦ । ରାଣୀ ଏଲିଜାବେଥ ଗୋଟିଏ ଘୋଷଣାନାମା ଦସ୍ତଖତ କରନ୍ତି । “Governor and company of merchants of London trading to the east India” କର୍ପୋରେସନକୁ ଭାରତରେ ବେପାର ବଣିଜ କରିବାକୁ ଅନୁମତି ମିଳିଯାଏ । ୧୨ମାର୍ଚ୍ଚ ୧୬୧୨ । ଇଷ୍ଟଇଣ୍ଡିଆ କମ୍ପାନି ସୁରାଟ, ଅହମଦାବାଦ, ଗୋଘା (Gogha) ଏବଂ Khambayରେ କଳକାରଖାନା ବସାଇବା ପାଇଁ ମୋଗଲ ବାଦଶାହା ଜାହାଙ୍ଗୀର ଫର୍ମାନ (farman) ମଞ୍ଜୁର କରନ୍ତି । ସୁରାଟ ଇରେଂଜମାନଙ୍କ ପ୍ରଥମ ବସତି । ମହୁ ଯେଉଁଠି, ପିମ୍ପୁଡ଼ି ସେଇଠି । ଇଷ୍ଟଇଣ୍ଡିଆ କମ୍ପାନି ମୁହଁରେ ଲାଗିଛି । ୧୬୧୫ ଫେବୃୟାରୀ ୭ । କମ୍ପାନୀ ପ୍ରତିନିଧି ମି.ଏଡୱାର୍ଡସ ଜାହାଙ୍ଗୀରଙ୍କ ଦରବାରରେ ପହଞ୍ଚି ତାଙ୍କୁ ବିଲାତ ଉପହାରରେ ପୋତିପକାନ୍ତି । ମୋଗଲ ସାମ୍ରାଜ୍ୟରେ ସ୍ଥାୟୀ ବ୍ୟବସାୟ ବଣିଜ କରିବାପାଇଁ ଫର୍ମାନଟିଏ ହାସଲ କରନ୍ତି । ସାର ଟମାସ୍ ରୋ ୧୦ ଜାନୁୟାରୀ ୧୬୧୬ରେ ଜାହାଙ୍ଗିରଙ୍କ ଦରବାରରେ ଆଣ୍ଠୁଭାଙ୍ଗି ରାଜକୀୟ କାଇଦାରେ ଅଭିବାଦନ ଜଣାଇବା କଥା ଆମେ ପ୍ରସଙ୍ଗ କ୍ରମେ ଆଗରୁ ଲେଖିଛୁ ।

ଭାରତରେ ଉପନିବେଶ ସ୍ଥାପନ କରିବା ପାଇଁ ଶେଷ କଳାକାର ଫ୍ରାନ୍ସ । ଭାରତରେ ପ୍ରଥମେ ଫରାସୀ କାରଖାନା (First French Factory) ୧୬୬୮ସୁରାଟରେ ସ୍ଥାପନ ହୁଏ । ପଣ୍ଡିଚେରୀ ଓ ବଙ୍ଗଳାର ଚନ୍ଦନନଗରରେ ୧୬୭୪ରେ ବାଣିଜ୍ୟ କୋଠି ବସାନ୍ତି । ୧୬୪୩ ରୁ ୧୭୧୫ଫ୍ରାନସରେ ଚତୁର୍ଦ୍ଦଶ ଲୁଇଙ୍କ ଶାସନ । କୃଷି, ଶିଳ୍ପ ଓ ବାଣିଜ୍ୟର ଗୁରୁତ୍ୱ ସେ ବୁଝିଥିଲେ । ପଣ୍ଡିଚେରୀ, ମାଡ୍ରାସରେ ଫଳ ଚାଷ, ବିଶେଷତଃ ଅଙ୍ଗୁର ଚାଷପାଇଁ ଫରାସୀ କମ୍ପାନୀ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଏ । ଜାଉ ଖିଆକୁ ପେଜ ଖିଆ ସହିପାରେନି । ବିଲାତ ଇଷ୍ଟଇଣ୍ଡିଆ କମ୍ପାନିର ଫରାସୀ କମ୍ପାନୀର କାୟା ବିସ୍ତାର ଅସହ୍ୟ ହୁଏ । ସମସ୍ତେ ହାତ ହତିଆର ଧରି ଆସିଛନ୍ତି । ଦୁଇ କମ୍ପାନୀ ଭିତରେ ଘମାଘୋଟ ଲଢ଼େଇ । ଚାରି ଚାରିଟା ଯୁଦ୍ଧ । ଯୁଦ୍ଧରେ ଫରାସୀ ହାରିଯାଏ ।

ପଣ୍ଡିଚେରୀ ଫରାସୀ ହାତରୁ ଖସିଯାଏ । ୧୭୫୨ରୁ ଇଷ୍ଟଇଣ୍ଡିଆ କମ୍ପାନୀ କ୍ଲାଇବଙ୍କୁ ପଠାଇ ତାଙ୍କର ବିସ୍ତାରବାଦି (Imperialism) ଯୋଜନା ଆରମ୍ଭ କରିଦିଏ । କ୍ଲାଇବ ଜଣେ ଦୁର୍ଦ୍ଦକ୍ଷ ସେନାପତି । ଫରାସୀ କମ୍ପାନୀର ଡାଇରେକ୍ଟର ଜେନେରାଲ ଡ୍ୟୁପ୍ଲେକ୍ସ କ୍ଲାଇବଙ୍କ ଦ୍ୱାରା ପରାସ୍ତ ହୁଅନ୍ତି । ୧୭୬୩ରେ ବିଲାତ ଓ ଫ୍ରାନ୍ସ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୁଏ । ଫରାସୀ ପଣ୍ଡିଚେରୀକୁ ଫେରିପାଏ । ୧୭୬୩ଠାରୁ ବ୍ରିଟିଶ ଭାରତରେ ନିରଙ୍କୁଶ ଶାସନ କରିବାରେ ଲାଗିଗଲା ।

ଏ ପର୍ଯ୍ୟନ୍ତ ଭାରତୀୟ ଚାଷ ଓ ଚାଷୀ ସୁଖେ ଦୁଃଖେ ଚଳୁଥାନ୍ତି । କ୍ଲାଇବ ଜଣେ ଅତ୍ୟାଚାରୀ ବ୍ରିଟିଶ ଅଧିକାରୀ । ୧୭୬୩ଠାରୁ ଚାଷୀମାନଙ୍କ ପୁଣି ଦୁର୍ଦ୍ଦିନ ଆରମ୍ଭ ହୋଇଗଲା । ୨୩ ଜୁନ ୧୭୫୭ । କ୍ଲାଇବ ବଙ୍ଗଳାର ନବାବ ସିରାଜୁଦ୍ଦିନଙ୍କୁ ପରାସ୍ତ କରି ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପକାଇଲେ । କଲିକତାର ଦକ୍ଷିଣକୁ ପ୍ରାୟ ୯୦୦ବର୍ଗ କିଲୋମିଟର ୨୪ ପରଗନାର ଜମିଦାର ବନିଗଲେ ଇଷ୍ଟଇଣ୍ଡିଆ କମ୍ପାନୀ । କ୍ଲାଇବ ଭାରତ ଶାସନ ସମୟରେ ବଙ୍ଗଳାକୁ ଲୁଟ କରିଥିବାର ଯଥେଷ୍ଟ ପ୍ରମାଣ ଅଛି । ୧୭୬୬ଠାରୁ ୧୭୭୦ ବଙ୍ଗଳା, ଓଡ଼ିଶା ଓ ବିହାରରେ କ୍ରମାଗତ ଦୁର୍ଭିକ୍ଷ ହେଲା । ପ୍ରାୟ କୋଟିଏ ଲୋକ ଖାଦ୍ୟ ବିନା ହା ଅନ୍ନ ଚିତ୍କାର କରି ରାସ୍ତା କଡରେ ମରିପଡିଲେ । କ୍ଲାଇବ ଶାସନ କାଳରେ କୃଷିକୁ ଅଣଦେଖା କରିବା, ଚାଷୀ ଉପରେ ଅତ୍ୟଧିକ କର ବସାଇବା ଏବଂ ଦୁର୍ଭିକ୍ଷର ଭୟାବହତା ସମୟରେ ଯେପରି ଭାବେ ଚାଷୀଙ୍କଠାରୁ ନିର୍ମମଭାବେ କର ଆଦାୟ କଲେ ମାନବ ଇତିହାସରେ ଏହା ବିରଳ ଘଟଣା । ରାସ୍ତାରେ ମୁଣ୍ଡମାଳ, କ୍ଷେତରେ ଉତ୍ପାଦନ ନାହିଁ । ଖଜଣା ଆଦାୟ କମିବ କଣ, ବଢ଼ିଲା । ୧୭୬୮ର ଖଜଣାଠାରୁ ୧୭୭୧ରେ ଅଧିକ କର ଆଦାୟ ହୋଇଥିବା ହଣ୍ଟରଙ୍କ ରିପୋର୍ଟରୁ ଜଣାପଡ଼େ । କ୍ଲାଇବଙ୍କର କୃଷକବିରୋଧୀ ନୀତି ଏହାର ମୁଖ୍ୟ କାରଣ ବୋଲି ଐତିହାସିକ ରମେଶଚରଣ ଦତ୍ତ କୁହନ୍ତି । କ୍ଲାଇବଙ୍କ ଭଳି ଏତେ ବଡ଼ ଖଳନାୟକ, ବିଷୟରେ ଆସନ୍ତୁ ଅଧିକ ଜାଣିବା ।

ମନ୍ଦିରା ନାୟର:- କ୍ଲାଇବଙ୍କ କଳା କାରନାମା ଓ ଲୁଟକୁ ଆଧାର କରି କେରଳର କୋଟାୟମରୁ ପ୍ରକାଶିତ “The Week” ମାଗାଜିନରେ ଗୋଟିଏ Article ଅଗଷ୍ଟ ୨୩, ୨୦୨୦ ସଂଖ୍ୟାରେ ପ୍ରକାଶ ପାଇଥିଲା । ମନ୍ଦିରା ନାୟରଙ୍କ ଲିଖିତ ଏହି article ରେ ପଲାସି ଯୁଦ୍ଧ ସମ୍ପର୍କରେ ବିସ୍ତୃତ ବିବରଣୀ ମିଳେ । ପ୍ରତ୍ୟକ୍ଷ ଯୁଦ୍ଧରେ ସିରାଜୌଦ୍ଦଲାଙ୍କୁ ପରାସ୍ତ କରିବା କ୍ଲାଇବଙ୍କ ପାଇଁ ଅସମ୍ଭବ ଥିଲା । ଆମ ଓଡ଼ିଶାରେ ପାଇକବିଦ୍ରୋହ ବେଳେ ଶିଖି ମନାଇ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଦ୍ୱାରା ହିଁ ବକ୍ସି ଜଗବନ୍ଧୁ ଓ ଦଳବେହେରା ପରାସ୍ତ ହେବା ସମ୍ଭବ ହୋଇଥିଲା । ସେଇଥିପାଇଁ ଏବେ ମଧ୍ୟ ଶିଖି ମନାଇ ନିମକ ହାରାମ ଜାଗିର କଥାଟି ଲୋକଙ୍କ ଭିତରେ ଅଛି । କୁରାଢୀରେ କାଠ ବେଣ୍ଟ ଖଣ୍ଡେ ନ ଲାଗିଲେ ଗଛକଟା ସମ୍ଭବ ନୁହେଁ । ସିରାଜଙ୍କ ବିରୁଦ୍ଧରେ ବିଶ୍ୱାସଘାତକ କାର୍ଯ୍ୟ କରିବାକୁ କ୍ଲାଇବ ମୀରଜାଫରକୁ ହାତ କରନ୍ତି । ସିରାଜୌଦ୍ଦଲା ମୀରଜାଫରକୁ ସନ୍ଦେହ କରି ତାଙ୍କ ଦାୟିତ୍ୱ କମାଇ ଦେଇଥାନ୍ତି । କ୍ଲାଇବ ଏହି ସୁଯୋଗଟି କାମରେ ଲଗାଇଲେ । ସିରାଜ ଯୁଦ୍ଧରେ ହାରିଲେ ମୀରଜାଫରଙ୍କୁ ବଙ୍ଗଳା ନବାବ ପଦ ମିଳିବ ପ୍ରତିଶୃତି ଦେଲେ ।

ଯୁଦ୍ଧପାଇଁ ଅର୍ଥ ଦରକାର । ମହତାବ ରାଏ ଓରଫ ଜଗତ ସେଠ କଲିକତାରେ ବ୍ୟାଙ୍କ ପରିବାରର ମୁଖ୍ୟ । ମହତାବ ରାଏଙ୍କ ପରିବାରକୁ ମୋଗଲ ବାଦଶାହାମାନେ ‘ଜଗତ ସିଂହ’ଅର୍ଥାତ ପୃଥିବୀର ବ୍ୟାଙ୍କର ପଦବୀ ଦେଇଥାନ୍ତି । ମନ୍ଦିରା ନାୟର ଲେଖନ୍ତି, “While jafar’s treachery is well known, the role of jagat seth plays in this conspiracy to replace siraj has been lost except in academic circles, According to the ‘siyar ul mutakherin, a history of mahomedan power in India during the last century’ jagat seths offered the British three crore rupees for the campaign against Siraj””

ସେତେବେଳେ ବଙ୍ଗଳା ଭାରତର ସବୁଠାରୁ ଧନଶାଳୀ ରାଜ୍ୟ ଥିଲା । ଜଗତ ସେଠଙ୍କ ବ୍ୟାଙ୍କରେ ସବୁ ଟଙ୍କା କାରବାର ହେଉଥାଏ । ନବାବଙ୍କ ଭୂରାଜସ୍ୱ ମଧ୍ୟ ଏହି ବ୍ୟାଙ୍କ ଆଦାୟ କରେ । ବ୍ୟାଙ୍କ ତ ଟଙ୍କା କରଜ ଲଗାଏ । ନବାବ ମଧ୍ୟ ବ୍ୟାଙ୍କରୁ କରଜ ନିଅନ୍ତି । କଲିକତା, ଢାକା, ଦିଲ୍ଲୀ, ପାଟଣା ଭଳି ସହରମାନଙ୍କରେ ମଧ୍ୟ ବ୍ୟାଙ୍କର ଶାଖା ଥାଏ । ‘ଜଗତ ସିଂହ’ଙ୍କୁ ଆଜିକାର ଆଦାନୀ, ଅମ୍ବାନୀ କୁହାଯାଇପାରେ । ଜଗତ ସେଠଙ୍କ କାହିଁକି ସିରାଜ ଉପରେ ରାଗ? ଇଷ୍ଟ୍ଇଣ୍ଡିଆ କମ୍ପାନୀ ତ ବଙ୍ଗଳାରେ ରହି ସେତବେଳକାର ଶହ ଶହ କୋଟି ଟଙ୍କା ଇଲାକାରୁ ଆଦାୟ କରୁଛି । ଜଗତ ସେଠଙ୍କ ବ୍ୟାଙ୍କରେ ଜମା କରୁଛି । ସିରାଜ ଜଗତ ସେଠ ଉପରେ ୩ କୋଟି ଟଙ୍କା ଆଟିକା କରନ୍ତି । ନବାବ ତ । ଜଗତ ସେଠ ଟଙ୍କା ଦାଖଲ ନ କଲାରୁ ସିରାଜ ଠାଏ ଠାଏ ଦି ଚାପୁଡା ଲଗାଇ ଦିଅନ୍ତି । ଏହି ହେଲା ମଞ୍ଜି କଥା । ବର୍ତ୍ତମାନ ଜଗତ ସେଠ ଲାଗିଗଲା ସିରାଜକୁ ଗାଦୀରୁ ହଟାଇବ । କ୍ଲାଇବଙ୍କ ଯୋଜନା ମିରଜାଫର ହାତକୁ ଆଣିବା ଦେଖି ଜଗତ ସେଠ ମଉକା ପାଇଲେ । ଜଗତ ସେଠ ଠଉରେଇଲେ, ସିରାଜକୁ ଗାଦୀରୁ ହଟାଇବାକୁ ବର୍ତ୍ତମାନ ଆସିଗଲା ସୁବର୍ଣ୍ଣ ସୁଯୋଗ । ସନ୍ଦିପ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲିଖିତ “Palassy, The Battle that changed the course of Indian history” ରେ କୁହନ୍ତି “They (jagat seths) are, I can say, the movers of the revolution, without them they would never have carried out what they have” । ଲୋକସଭା ସାଂସଦ ଶଶି ଥରୁର ଲେଖନ୍ତି “Clive is rightly reviled, but we should know that he was financed by jagat seths because they were sick of exaction of Siraj-Ud-Daula” । ଜଗତ ସେଠ ସିରାଜଙ୍କ ଘୋର ଶତୃ ପାଲଟି ଯାନ୍ତି । ସିରାଜଙ୍କ ସମ୍ପର୍କରେ ବହୁ ତଥ୍ୟ ତ ଜଗତ ସେଠଙ୍କ ପାଖେ ଥାଏ । ସେମାନେ ବିଲାତ କମ୍ପାନୀର ଏଜେଣ୍ଟ ଭଳି କାମ କଲେ । ସେମାନେ ମଧ୍ୟ ସିରାଜଙ୍କ ଦରବାରରେ ଜଣେ ଗୁପ୍ତଚର ନିଯୁକ୍ତ କଲେ । ଜାଲ ବିଛେଇ ସିରାଜ ଉପରେ ଆକ୍ରୋଶ ସାଧିବାରେ ସଫଳ ହେଲେ । ସିରାଜ ପଲାସି ଯୁଦ୍ଧରେ ହାରିଲେ । କମ୍ପାନୀର ମୂଳଦୁଆ ପଡ଼ିଲା ।

କମ୍ପାନୀ ୧୭୬୫ରେ କ୍ଲାଇବଙ୍କୁ କଲିକତାର ଗଭର୍ଣ୍ଣର ଏବଂ କମାଣ୍ଡର-ଇନ-ଚିଫ୍କୁ ପଦୋନ୍ନତି ଦିଅନ୍ତି । କ୍ଲାଇବଙ୍କର କମ୍ପାନୀ ଡାଇରେକ୍ଟରମାନଙ୍କୁ ପ୍ରଥମ ଅଭିଯୋଗ ଯେ ଭାରତରେ କାର୍ଯ୍ୟରତ ଚାକିରିଆମାନେ ଖୁବ ଦୁର୍ନୀତିଗ୍ରସ୍ତ । ସେମାନେ କମ୍ପାନୀ ପଇସା ବାଟମାରଣା କରିବା ସହିତ ବିଳାସବ୍ୟସନରେ ପର୍ଯ୍ୟାପ୍ତ ଖର୍ଚ୍ଚ କରୁଛନ୍ତି । ଦୁର୍ନୀତିକୁ ସେ ଦୃଢ଼ହସ୍ତରେ ଦମନ କଲେ । ୧୭୬୫ରେ କ୍ଲାଇବ ଦିଲ୍ଲୀର ବାଦଶାହାଙ୍କ ସହିତ ଚୁକ୍ତି ଦ୍ୱାରା ଇଷ୍ଟଇଣ୍ଡିଆ କମ୍ପାନୀକୁ କୋଟା ଓ ଆଲ୍ଲାହାବାଦ ପ୍ରଦେଶର ଦେୱାନ ଓ ଶାସକ କ୍ଷମତା ମିଳିଗଲା । କ୍ଲାଇବ ୧୭୬୭ରେ ଭାରତ ଛାଡ଼ିଲେ । ପରେ ଜଣାପଡିଲା କ୍ଲାଇବ ଭାରତକୁ ଲୁଟ୍କରି ପର୍ଯ୍ୟାପ୍ତ ଧନ ସମ୍ପତ୍ତି ଲୁଟି ନେଇଛନ୍ତି । ସେ ଚାଲୁଣି, ଆଗରୁ ଛୁଞ୍ଚିକି କହୁଥିଲେ ।

୧୧ଜୁନ ୨୦୨୦ରେ ବିଲାତର ଗାର୍ଡିୟାନ ଖବର କାଗଜରେ ଐତିହାସିକ William darlymple ଲେଖନ୍ତି “Robert Clive was a vicious asset-stripper. His statue has no place on Whitehall. Honoring the man once known as Lord Vulture is a testament to British ignorance of our imperial past” ଇଉଲିୟମ ଡାର୍ଲିଂପିଲ “The Anarchy:- The Relentless rise of the East India Company” ର ଲେଖକ ।

କ୍ଲାଇବ ଭାରତରୁ ଫେରିଲା ପରେ ବିଲାତରେ ତାକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଏ । ବିଲାତର ରାଜା ତାକୁ ବିଲାତ ସାମ୍ରାଜ୍ୟ ପ୍ରତିଷ୍ଠାର ସମସ୍ତ ଶ୍ରେୟ ଦିଅନ୍ତି । ପରବର୍ତ୍ତୀ ସମୟରେ ବିଲାତର ପାର୍ଲାମେଣ୍ଟ ହାଉସ ପଛରେ ହ୍ୱାଇଟହଲ ଆଗରେ କ୍ଲାଇବଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ହୁଏ । ୧୯୧୧ ମସିହା । ଲର୍ଡ କର୍ଜନ ଏହି ପ୍ରତିମୂର୍ତ୍ତିକୁ ପତାକା ଦେଖାଇ ଉଦଘାଟନ କରନ୍ତି । କିନ୍ତୁ କାହିଁକି ଶହେବର୍ଷ ପରେ ବିଲାତର ସଚେତନ ନାଗରିକମାନେ କ୍ଲାଇବର ପ୍ରତିମୂର୍ତ୍ତିକୁ ହ୍ୱାଇଟହଲରୁ ଉଠାଇଦେବା ପାଇଁ ଦାବି କରନ୍ତି? କାହିଁକି କ୍ଲାଇବଙ୍କର ବିରୁଦ୍ଧରେ ଜନ ଅସନ୍ତୋଷ? ସଂକ୍ଷେପରେ କାରଣ କ୍ଲାଇବ ଭାରତକୁ ଲୁଟ୍ କରିଛନ୍ତି । କ୍ଲାଇବଙ୍କ ପ୍ରଥମ କିସ୍ତି ଲୁଟ ପରିମାଣ ୨୫୦ ନିୟୁତ ପାଉଣ୍ଡ । ଭାରତୀୟ ମୁଦ୍ରାରେ ଆଜି ଏହାର ମୂଲ୍ୟ ୨୬୩୬ କୋଟି ପ୍ରାୟ (ଦୁଇ ହଜାର ଛଅ ଶହ ଛତିଶି କୋଟି ଟଙ୍କା) । ୧୭୭୪ରେ କ୍ଲାଇବ ଆତ୍ମହତ୍ୟା କରିଥିଲେ । କିନ୍ତୁ କାହିଁକି? ଯେତେବେଳେ ବିଲାତର ସେ ଜଣେ ଅତ୍ୟନ୍ତ ଘୃଣ୍ୟବ୍ୟକ୍ତି ବୋଲି ରାସ୍ତାଘାଟରେ ନିନ୍ଦିତ ହେଲେ । ଅସହ୍ୟ ହେଲା ଲୁଟ୍ର ପରିଣାମ । ଲୁଟ୍ ପୁଣି କେତେବେଳେ, ଯେତେବେଳେ ବଙ୍ଗଳାରେ ଦୁର୍ଭିକ୍ଷ ଯୋଗୁଁ ୩ ନିୟୁତ ଲୋକ ମରିଛନ୍ତି । ହୋରାସ ୱାଲପୋଲ ଲେଖନ୍ତି “ Clive’s death followed soon after two whistle blowers had revealed the scale of devastation and asset stripping of Bengal under his rule. We have murdered, deposed, plundered and usurped, say what think you of the famine in Bengal, in which three Million perished, being caused by monopoly of provisions by the East India Company?” ଲଣ୍ଡନରେ ଗୋଟିଏ ବ୍ୟଙ୍ଗାତ୍ମକ ଲେଖା ପ୍ରକାଶ ପାଇଥିଲା ଯେଉଁଥିରେ କ୍ଲାଇବଙ୍କୁ ‘ଲର୍ଡ ଭଲଚର’(ଶାଗୁଣା ବାବୁ) ବୋଲି ନାମିତ କରାଯାଇଥିଲା । ନ୍ୟାୟ ଓ ମାନସିକତା ପ୍ରତି ସେ କର୍ଣ୍ଣପାତ କରୁନଥିଲେ ଏବଂ ଲୁଟେରା ସର୍ଦ୍ଦାର ଥିଲେ । ଆମର ମୁଖ୍ୟ ପ୍ରସଙ୍ଗ ଯଦି ଚାଷ ଓ ଚାଷୀ; କ୍ଲାଇବଙ୍କ କାର୍ଯ୍ୟଧାରାରେ କଣ ଯଥେଷ୍ଟ ପ୍ରମାଣ ମିଳୁନାହିଁ କି ସେ କୃଷକବିରୋଧୀ ଥିଲେ, କୃଷକଙ୍କୁ ଲୁଣ୍ଠନ କରୁଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାରେ “Black Lives Matter”(BLM) ଆନ୍ଦୋଳନ ତେଜିଲା ତ, ବିଲାତରେ କ୍ଲାଇବଙ୍କ ବର୍ଣ୍ଣବିଦ୍ୱେଷ, ଲୁଟ, ସାମ୍ରାଜ୍ୟ ବିସ୍ତାର ନୀତି ଏବଂ ଅତ୍ୟାଚାର ବିଲାତର ଜାତୀୟ ମର୍ଯ୍ୟାଦାକୁ ଗଭୀର ଆଘାତ କଲା । ଗାର୍ଡିୟନ କାଗଜ ଲେଖେ “Indians in Particular, have bitter memories of British rule. In their eyes we came as looters, and subjected them to centuries of humiliation, The economic figures speak of themselves. In 1600, when The East India Company was Founded, Britain was generating 1.8% of the world’s GDP, While India was producing 22.5%by the peck of the Raj, had more or less been reversed . India was reduced from the world’s leading manufacturing nation to a symbol of famine and destruction”! ଆମ ଭାରତୀୟମାନଙ୍କ ପାଇଁ ଏଥିରୁ ସ୍ପଷ୍ଟ ହୁଏ ଯେ (୧) ୧୬୦୦ ମସିହାବେଳକୁ ଭାରତ ପୃଥିବୀର ଏକ ବିଶେଷ ଅର୍ଥନୈତିକ ସମୃଦ୍ଧ ଦେଶ ଥିଲା । କମ୍ପାନୀ ରାଜତ୍ୱଯୋଗୁ ଆମେ ଏବେ ଦରିଦ୍ର, ଭୋକିଲା ଦେଶ ପାହ୍ୟାକୁ ଖସିପଡିଲୁ । ତଥାପି ବିଡ଼ମ୍ବନା ଯେ ଏବେ ସ୍ୱାଧିନତାର ୭୭ବର୍ଷ ପରେ ବି କିଛି ଭାରତୀୟ ଅଛନ୍ତି ଯେଉଁମାନେ କୁହନ୍ତି “ ବ୍ରିଟିଶ ଶାସନ ଭଲ ଥିଲା, ବାଘ ଛେଳିକୁ ଏକା ତୁଠରେ ପାଣି ପିଆଉଥିଲା” ଅଜ୍ଞତା!

ବିଲାତର ୱେଲସ (Wales)ରେ ପୋଇସ୍ କ୍ୟାସଲ (Powis Castle) କ୍ଲାଇବଙ୍କ ବଙ୍ଗଳା । କ୍ଲାଇବ ଏବଂ ତାଙ୍କର ବଡ଼ ପୁଅ ଏଡୱାର୍ଡଙ୍କ ସୂତ୍ରରୁ ପ୍ରକାଶ ପୋଇସ କ୍ୟାସଲରେ ଭାରତରୁ ଲୁଟି ଆଣିଥିବା (plunder) ମୂଲ୍ୟବାନ ବସ୍ତୁ ସବୁ ସର୍ବସାଧାରଣ ଦେଖିବା ପାଇଁ ରଖାଯାଇଛି । କ୍ଲାଇବଙ୍କର ଭାରତରୁ ପ୍ରଥମ ଲୁଟର ପରିମାଣ ୨୫୦ମିଲିୟନ ପାଉଣ୍ଡ । ଭାରତୀୟ ମୁଦ୍ରାରେ ୨୬୩୬ କୋଟି (ଦୁଇହଜାର ଛଅ ଶହ ଛତିଶି କୋଟି) ଟଙ୍କା ପ୍ରାୟ । ଏତେ ଟଙ୍କା ଦେଖିଲେ ତ ଆଖି ଖୋସି ହୋଇଯିବ । ବିଶ୍ୱାସ କରିବାକୁ କଷ୍ଟ ହେବ । କ୍ଲାଇବ ୧୭୬୫ ମସିହାରେ ତାଙ୍କ ସ୍ତ୍ରୀ ମାର୍ଗାରେଟ ନିକଟକୁ ଭାରତରୁ ଗୋଟିଏ ବାକ୍ସ ପଠାଇଥିଲେ । ବାକ୍ସରେ ହୀରା, ରୁବି ଏବଂ ମୁକ୍ତା ଭର୍ତ୍ତି ଥିଲା ଯାହାର ମୂଲ୍ୟ ସେତେବେଳେ ୪୨,୦୦୦ ରୂପା ଟଙ୍କା ସଙ୍ଗେ ସମାନ ହୋଇପାରେ । ଆଜିକା ମୂଲ୍ୟରେ ପ୍ରାୟ ଚାରିକୋଟି ଅଠାଅଶି ଲକ୍ଷ ଅଠାଅଶି ହଜାର ଟଙ୍କା । ଖଣ୍ଡିଏ ଉଜ୍ଜଳ ହୀରା ଓଜନ ୨୦ ରତି, ଗୋଟିଏ ହୀରା ମୁଦି, ୨୦ ଖଣ୍ଡ ହୀରା, ହୀରା ଖଚିତ ଗୋଟିଏ ରୁବି ମୁଦି, ୧୦୩ଟି ମୁକ୍ତା ବାକ୍ସରେ ଥିବା ଐତିହାସିକ ଡାର୍ଲିଂପିଲ “The Anarchy: The East India Company, Corporate Violence, and the pillage of an Empire”” ପୁସ୍ତକରେ ଲେଖନ୍ତି । ଭାରତକୁ କ୍ଲାଇବଙ୍କ ଲୁଟର ଏହା ୨ ପ୍ରତିଶତ ହୋଇପାରେ । ଭାରତରୁ ହୀରା, ନୀଳାଖଚିତ ଫାସ୍କ, ସୁନାରେ ତିଆରି ‘ହୁକା’ ସିରାଜୌଦ୍ଦଲା ବସୁଥିବା ହୀରାଖଚିତ ପାଲିଙ୍କି, ଟିପୁ ସୁଲତାନଙ୍କ ଘୋଡା, ବିଲାତର ସଂଗ୍ରହାଳୟମାନଙ୍କରେ ପ୍ରଦର୍ଶିତ ବହୁ ମୂଲ୍ୟବାନ ପଦାର୍ଥ । କ୍ଲାଇବଙ୍କ ପାରିବା ପଣ! ଉଇଲିୟମ ଡାର୍ଲିଂପିଲ କୁହନ୍ତି ୱେଲସପୋଇସ କ୍ୟାସଲରେ ଯେତେ ସବୁ ମୋଗଲ ସଂଗ୍ରହାଳୟରୁ ଚୋରି ଜିନିଷ ଅଛି, ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ (National Museum, Delhi)ରେ ଏତିକି ନଥିବ । କ୍ଲାଇବଙ୍କ ଉତ୍ତରାଧିକାରୀମାନେ ସେଥିରୁ ଅନେକ ଦୁର୍ଲଭ ପଦାର୍ଥ ବିକି ଦେଲେଣି ।

୨୦୦୪ ମସିହାରେ ଗୋଟିଏ ରନôଖଚିତ ଫ୍ଲାସ୍କ ସହିତ ୫ଟି ହୀରା ଖଚିତ ପଦାର୍ଥ ୨୯,୧୭,୨୫୦ ପାଉଣ୍ଡରେ ବିକ୍ରି କରିଛନ୍ତି (ଭାରତୀୟ ମୁଦ୍ରାରେ ୩୦କୋଟି ଟଙ୍କା) । ପିଷ୍ଟଲ ସହିତ ଗୋଟିଏ ଗୁପ୍ତି (ବିଭିନ୍ନ ପ୍ରକାର ଫୁଲର ସୁନା ଖଞ୍ଜା ଆକୃତି ଯାହାକି ୭.୫ ଲକ୍ଷ ପାଉଣ୍ଡରେ (ଭାରତୀୟ ମୁଦ୍ରାରେ ୭ କୋଟି ୫୦ ଲକ୍ଷ ଟଙ୍କା)ରେ ନିଲାମ ହୋଇଥିଲା । ଐତିହାସିକ ଡାର୍ଲିଂପିଲ ଏହି ସବୁ ମୂଲ୍ୟବାନ ଜିନିଷ କଥା ଲେଖିବା ସହିତ ପୁଣି ଲେଖନ୍ତି “A pale green nephrite jade bowl for 53.775 pound (Rs 5,37,00,000), a fly whisk, made with banded agate and inset with rubies for 9,01,125 pound (Rs 9,50,00,000) a hookah with sapphires on a blue enamel field, which chistie’s says was a Mughal favorite .His eldest son Edward and his wife ,Hence Henrieeta clive, added to the collection at Powis castle . Among them is a Tiger’s head in solid gold, studded with diamonds emeralds and rubies – One of the eight finials on Tipu Sultan’s Thrones. It was given to Lade Henrietta as a souvenir, When Tipu’s Gold throne was being broken up for sale.

କ୍ଲାଇବଙ୍କ ଲୁଟ୍ରେ ପୁଣି ଥିଲା ଟିପୁଙ୍କ ବ୍ଲଣ୍ଡରବସ୍ ବନ୍ଧୁକ, ଟିପୁଙ୍କ ଦାମିକା ସ୍ଳିପର ଏବଂ ଟିପୁଙ୍କ ଟେଣ୍ଟ । ଏସବୁ ମଧ୍ୟ ପୋଇସ୍ କ୍ୟାସଲରେ ପ୍ରଦର୍ଶିତ । ୨୦୦୯ରେ ଏଥିରୁ ଗୋଟିଏ ପ୍ରାୟ ୪ କୋଟି ଟଙ୍କାରେ ନିଲାମ ହୋଇଥିଲା । କ୍ଲାଇବ ଲୁଟ ସମ୍ପର୍କରେ ଆମେ ଏତେ କଥା ଲେଖୁଛୁ ଏଇଥିପାଇଁ ଯେ ଆମେ ଜାଣିବା ଭାରତ ୧୭ଶତାବ୍ଦୀ ସମୟକୁ କେତେ ବଡ଼ ଧନୀକ ରାଷ୍ଟ୍ର ଥିଲା । ଗୋଟିଏ ସଭ୍ୟ ଦେଶ ବୋଲି ଗର୍ବ କରୁଥିବା ବିଲାତ ଜାଣିକରି ମଧ୍ୟ ଏତେ ବଡ଼ ଦୁର୍ନୀତିକୁ କିପରି ପ୍ରୋତ୍ସାହନ ଦେଉଥିଲା । କ୍ଲାଇବର ଏହି ଲୁଟ ଭାରତର କୋଟି କୋଟି ଚାଷୀ ଭାଇଙ୍କର ମେହେନତର କମେଇ । ଚାଷୀମାନେ ଇଷ୍ଟଇଣ୍ଡିଆ ଶାସନ କାଳରେ ଲୁହ ନ କାନ୍ଦି ରକ୍ତ କାନ୍ଦିଛନ୍ତି । ଦାରିଦ୍ର୍ୟ, ଅନାହାର, ଦୁର୍ଭିକ୍ଷ ସତ୍ତ୍ୱେ କ୍ଲାଇବ ଚାଷୀଙ୍କଠାରୁ ବନ୍ଧୁକ ମୁନରେ ଖଜଣା ଆଦାୟ କରିଛି । ଆମ ଭବିଷ୍ୟତ ବଂଶଧରମାନେ କ୍ଲାଇବର ଏହି ଲୁଟ ଓ କୃଷକ ନିର୍ଯାତନା ବିଷୟରେ ଜାଣିବା ଦରକାର । କ୍ଲାଇବ ଭଳି ଜଣେ ଡକାୟତ ସର୍ଦ୍ଦାର, ଲୁଟେରାର ପ୍ରତିମୂର୍ତ୍ତି ବହୁ ପ୍ରତିବାଦ ସତ୍ତ୍ୱେ ଆଜି ମଧ୍ୟ ବିଲାତ ସରକାରଙ୍କ କେନ୍ଦ୍ରସ୍ଥଳ ବୈଦେଶିକ ଅଫିସ (Foreign office) ପାଖରେ ଠିଆ ହୋଇଛି । ବିଲାତ ସରକାର ଲଜ୍ଜିତ ହଉ ନାହିଁ? ଏଇଭଳି ଜଣେ ଦସ୍ୟୁ କୌଣସି ସମ୍ମାନର ଅଧିକାରୀ ହୋଇନପାରେ । statueକୁ କାଳ ବିଳମ୍ବ ନକରି ତାଡି ଫୋପାଡି ଦବା ବା କୌଣସି ଏକ ସଂଗ୍ରହାଳୟରେ ରଖାଯିବା ଜରୁରୀ ।

ବିଲାତର ଛାତ୍ର, ଶିକ୍ଷକ, ସାଧାରଣ ନାଗରିକ ଏବେ ମଧ୍ୟ ଅଜ୍ଞ ଅଛନ୍ତି । ଭାରତରେ ଉପନିବେଶ ସ୍ଥାପନ କରିବାପାଇଁ କେତେ ଅତ୍ୟାଚାର ଓ ଲୁଣ୍ଠନ କମ୍ପାନୀମାନେ କରିଛନ୍ତି । ବିଲାତ ଭାରତ ଦଖଲ କରି କିଭଳି ବର୍ଣ୍ଣବୈଷମ୍ୟ ଏବଂ ବିସ୍ତାରବାଦି ନୀତି ଗ୍ରହଣ କରିଛି । ବିଲାତ ଏଠି ପାଇଁ ନିନ୍ଦିତ ହେବା ଜରୁରୀ । ଶଶି ଥରୁର ଭାରତର ସୁଯୋଗ୍ୟ ସନ୍ତାନ, ସେ ବିଲାତ ମାଟିରେ ଠିଆହୋଇ କ୍ଲାଇବଙ୍କ statueକୁ ହଟାଇବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ଆମ କେନ୍ଦ୍ର ସରକାର ବିଲାତ ସରକାର ନିକଟରେ ଦୃଢ଼ ଦାବି କରିବା ଦରକାର । ବିଲାତ ଜାଲିୱାନାବାଲାବାଗ ହତ୍ୟାକାଣ୍ଡ ପାଇଁ ଯେପରି କ୍ଷମା ମାଗିଛି, ଇଷ୍ଟଇଣ୍ଡିଆ କମ୍ପାନୀ ଓ କ୍ଲାଇବଙ୍କ ମାତ୍ରାଧିକ କାର୍ଯ୍ୟ ପାଇଁ ଅବିଳମ୍ବେ କ୍ଷମା ମାଗୁ । ଘଟଣାର ଗୁରୁତ୍ୱ ଉପଲବ୍ଧି କଲେ ଏଭଳି ଦାବି ମଧ୍ୟ ଅବାସ୍ତବ ହେବନି । କ୍ଲାଇବ ଶବକୁ କବରରୁ କାଢି ସାଧାରଣରେ ଫାଶୀ ଦିଆଯାଉ । କ୍ଲାଇବ ଭଳି ଗୋଟିଏ ସଇତାନ ପାଇଁ ମୁଁ ଆପଣ ମାନଙ୍କର ଏତେ ସମୟ ନେଲି କ୍ଷମା ମାଗୁଛି । ମୋତେ ବାଧୁଛି । ହାଡ କଟ କଟ ଡାକୁଛି । ନିକଟରେ ପାଇଲେ ସେ ସଇତାନକୁ କାମୁଡି ରାମ୍ପୁଡି ପକାନ୍ତି । ଆପଣମାନେ ବି ତ ଭାରତୀୟ । ଆପଣମାନଙ୍କ ମନରେ ଅନୁରୂପ ଭାବନା ନିଶ୍ଚୟ ଆସୁଥିବ । ମୁଁ ଜାତୀୟତା କଥା କହୁନି । ମାନବବାଦକୁ କ୍ଲାଇବ ହତ୍ୟା କରିଛି । ଇଂରେଜ ଏହାର ସ୍ରଷ୍ଟା । କ୍ଲାଇବ କାରନାମା ଏକ ଅସଭ୍ୟ, ବର୍ବର ବ୍ୟକ୍ତିତ୍ୱର ପ୍ରତୀକ । ଆର ଥରକୁ ଅପେକ୍ଷା ରଖିବା ପାଇଁ ଅନୁରୋଧ ରହିଲା ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone