ପ୍ରଥମ ସାଧାରଣ ନିର୍ବାଚନ (୨୫ ଅକ୍ଟୋବର ୧୯୫୧ ରୁ ୨୧ ଫେବୃଆରୀ ୧୯୫୨) ଆରମ୍ଭ ହୋଇଯାଇଥାଏ । ୫୩ଟି ରାଜନୈତିକ ଦଳ ଓ ୫୩୩ ସ୍ୱାଧୀନ ପ୍ରାର୍ଥୀ, ୪୮୯ଟି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା କରୁଥାନ୍ତି । ଏହାର ୪ ଦିନ ପୂର୍ବରୁ ୨୧ ଅକ୍ଟୋବର ୧୯୫୧ ଦିନ ସ୍ଥାପନା ହୋଇଥାଏ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ରାଜନୈତିକ ଅଂଗ ଅଖିଳ ଭାରତୀୟ ଜନସଂଘ, ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ନେତୃତ୍ୱରେ ଓ ଅଂଶ ଗ୍ରହଣ ମଧ୍ୟ କରୁଥାଏ ନିର୍ବାଚନରେ। ଏହି ୨୧ ଅକ୍ଟୋବର ଦିନ ଶ୍ୟାମାପ୍ରସାଦ ମୁଖର୍ଜୀ କହିଥିଲେ୧(ପୃ ୫୨୦), “ଭାରତରେ ଆଜି ସାମ୍ପ୍ରଦାୟିକତା ନାହିଁ ମୁସଲମାନ ତୋଷଣ ନୀତି ବ୍ୟତିତ ଯାହା ନେହରୁ ଏବଂ ତାଙ୍କର ବନ୍ଧୁମାନେ ଆରମ୍ଭ କରିଛନ୍ତି ଆଗାମୀ ନିର୍ବାଚନରେ ସେମାନଙ୍କର ଭୋଟ ଜିଣିବା ପାଇଁ । ଆମ ଦେଶରେ ଆଜି ପ୍ରାଦେଶିକତା ଏବଂ ଅନ୍ୟ ପ୍ରକାରର ଶ୍ରେଣୀ ବା ଜାତିର ବିଭେଦ ରହିଛି । ସାମ୍ପ୍ରଦାୟିକତାର ବିଳାପ ଯାହା ନେହରୁ କରୁଛନ୍ତି ତାହା ଦେଶ ସମ୍ମୁଖରେ ଥିବା ବାସ୍ତବ ସମସ୍ୟାରୁ ଦୃଷ୍ଟି ଆଡେଇ ଦେବା ପାଇଁ।” ଉଲ୍ଲେଖ ଯୋଗ୍ୟ ଯେ ଅଖିଳ ଭାରତୀୟ ଜନସଂଘର ସ୍ଥାପନା ପୂର୍ବରୁ ଶ୍ୟାମାପ୍ରସାଦ ମୁଖର୍ଜୀ ହିନ୍ଦୁ ମହାସଭାର,୧୯୪୩ରୁ ୧୯୪୭ ପର୍ଯ୍ୟନ୍ତ , ସଭାପତି ଥିଲେ । ଜବାହାରଲାଲ ନେହରୁଙ୍କର ନେତୃତ୍ୱରେ ଗଠିତ ସ୍ୱାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳରେ ସେ ହୋଇଥିଲେ ଶିଳ୍ପ ଏବଂ ଯୋଗାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ, ୧୫ ଅଗଷ୍ଟ ୧୯୪୭ରୁ ୬ ଏପ୍ରିଲ ୧୯୫୦ ପର୍ଯ୍ୟନ୍ତ । ଆଜିକାର ଭାରତୀୟ ଜନତା ପାର୍ଟି ଉକ୍ତ ଭାରତୀୟ ଜନସଂଘର ରାଜନୈତିକ ଉତ୍ତରାଧିକାରୀ ।
ତେବେ ଶ୍ୟାମାପ୍ରସାଦଙ୍କର ଉପରୋକ୍ତ ମନ୍ତବ୍ୟର ପ୍ରତିକ୍ରିୟାରେ ନେହରୁ ବୋଧହୁଏ ଜଣାଉଥିଲେ ତାଙ୍କର ସ୍ପଷ୍ଟ ମତ, ଏବଂ ୧ ନଭେମ୍ବର ୧୯୫୧ ଦିନ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିଲେ୧(ପୃ ୫୧୯-୨୧) ,
“ମୁଁ ଏବେ ବି ଭାବୁଛି, ଯାହା ମୁଁ ଅନେକ ସମୟରେ କହିଛି, ଯେ ଆଜି ସବୁଠାରୁ ବଡ ବିପଦ ହେଉଛି ସମ୍ପ୍ରଦାୟିକତା ଓ ବିଚ୍ଛିନ୍ନତାବାଦ । କେତେକ ବ୍ୟକ୍ତି ଏଥିପାଇଁ ମୋତେ ସମାଲୋଚନା କରୁଛନ୍ତି ଏବଂ ଘୋଷଣା କରୁଛନ୍ତି ଯେ ଭାରତରେ ସାମ୍ପ୍ରଦାୟିକତା ବୋଲି କିଛି ନାହିଁ । ଏହା ଅତୀତର କଥା । ଅଧିକାଂଶ ଏହି ସମାଲୋଚକ ଆଜି ସାମ୍ପ୍ରଦାୟିକ ସଂଗଠନରେ କାର୍ଯ୍ୟ କରନ୍ତି ଏବଂ ସେମାନେ ନିଜେ ଅତ୍ୟନ୍ତ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଭୂମିକା ନିର୍ବାହ କରନ୍ତି । ସେମାନେ କେବଳ ଅନ୍ୟ ଗୋଷ୍ଠୀ ଭିତରେ ସାମ୍ପ୍ରଦାୟିକତା ଦେଖନ୍ତି, ନିଜ ଗୋଷ୍ଠୀ ଭିତରେ ନୁହେଁ ।
“ଏହା ଏକ ତଥ୍ୟ ଯେ ବିଭାଜନ ଏବଂ ତାର ପରିଣତିରେ, ଯେତେବେଳେ ମୁସଲମାନ ସାମ୍ପ୍ରଦାୟିକତାକୁ ପ୍ରାୟ ବାହାର କରି ଦିଆଗଲା, ପାକିସ୍ତାନକୁ ପଠାଇ ଦିଆଗଲା ଯେଉଁଠାରେ ତାହା ବେଶ ବିକଶିତ ହେଲା, ସେତେବେଳେ ଏହାର ପରିଣତିରେ ଭାରତରେ ମଧ୍ୟ ହିନ୍ଦୁ ଓ ଶିଖ ସାମ୍ପ୍ରଦାୟିକତା ଏବଂ ବିଚ୍ଛିନତାବାଦୀ ମନୋବୃତ୍ତି ଉତ୍ସାହିତ ହେଲା । ଏହା ଜାତୀୟତା ଏବଂ ସଂସ୍କୃତି ନାଁ ରେ ବିକଶିତ ହେଲା । ସେମାନେ ବହୁତ ଉଚ୍ଚସ୍ୱରରେ ଡାକରା ଦେଲେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ, ଏପରି କି ଯୁଦ୍ଧ ପାଇଁ, ଏବଂ ସରକାରୀ ନୀତିକୁ ପାକିସ୍ତାନ ତୋଷଣ(appeasement of Pakistan) କହି ସମାଲୋଚନା କଲେ । ଏହି ବ୍ୟକ୍ତିମାନେ ଯେଉଁମାନଙ୍କ ଭିତରେ ଅଧିକାଂଶ ଭାରତର ସ୍ୱାଧୀନତା ପାଇଁ ପ୍ରାୟ କିଛି କରିନାହାନ୍ତି, ସେମାନେ ତାର ଉଗ୍ର ସମର୍ଥକ ସାଜିଛନ୍ତି, ସେମାନଙ୍କର ଭାରତ ଅବଶ୍ୟ ସେହିମାନଙ୍କ ମଧ୍ୟରେ ସୀମିତ ଯେଉଁମାନେ ସେମାନଙ୍କ ସହ ରାଜି ହୋଇଥାନ୍ତି ।
“ସଂକୀର୍ଣ୍ଣ ମାନସିକତାର ଉତ୍ଥାନ ବିଭିନ୍ନ ରୂପରେ ବିଚ୍ଛିନ୍ନତାବାଦକୁ ସାରାଦେଶରେ ପ୍ରସାରିତ କଲା, ଯାହା ଭାରତର ଐକ୍ୟକୁ ବିପନ୍ନ କରିଲା, ଯେଉଁ ଐକ୍ୟ ଗଢିବା କଂଗ୍ରେସର ଲକ୍ଷ୍ୟ ଥିଲା ଏବଂ ଯାହାକୁ ଅନେକାଂଶରେ ସଫଳତାର ସହ କରିଥିଲା । ଶିଖ ମାନେ ଏକ ଅଲଗା ରାଷ୍ଟ୍ର ବା ଅତି କମରେ ଏକ ପ୍ରଦେଶ ଦାବି କଲେ । ଭାଷା ଭିତ୍ତିକ ରାଜ୍ୟ ପାଇଁ ଦାବି ବେଶ ମୁଖର ହେଲା କିଛି ମୈାଳିକ ତଥ୍ୟ ଓ ରାଜିନାମା ସତ୍ତ୍ଵେ । ଜାତିଆଣ ଗୋଷ୍ଠୀ ଗୁଡିକ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ବିଷୟରେ ଚିନ୍ତା ନ କରି କେବଳ ନିଜ ବିଷୟରେ ଚିନ୍ତାକରିବା ଆରମ୍ଭ କଲେ । ଏପରିକି କଂଗ୍ରେସ ମଧ୍ୟ ଏହି ଭଳି ପ୍ରବଣତା ଦ୍ୱାରା ପ୍ରଭାବିତ ହେଲା ଏବଂ କଂଗ୍ରେସ ଭିତରେ ଅନେକେ ଏହାର ବଶୀଭୂତ (succumb) ହେଲେ ।
“ଆମକୁ କୁହାଯାଉଛି ଯେ ସାମ୍ପ୍ରଦାୟିକତା ଏବଂ ବିଚ୍ଛିନ୍ନତାବାଦର କୈାଣସି ବିଶେଷତ୍ୱ ନାହିଁ ଏବଂ ଭାରତର ପ୍ରକୃତ ସମସ୍ୟା ହେଉଛି ଦାରିଦ୍ର୍ୟ ଏବଂ ବେକାରୀ ଏବଂ ସେହି ଭଳି କିଛି । ଅବଶ୍ୟ, ଭାରତର ପ୍ରାଥମିକ ସମସ୍ୟା ହେଉଛି ଅର୍ଥନୈତିକ ଏବଂ ଆଉ ସବୁର ସ୍ଥାନ ଏହା ପରେ । କିନ୍ତୁ ସେ ସମସ୍ୟାକୁ ପ୍ରଭାବୀ ଢଂଗରେ ସମାଧାନ କରିବାକୁ ହେଲେ, ଧାରଣା ଓ ପ୍ରୟାସ ମଧ୍ୟରେ ଏକ ପ୍ରକାର ଐକ୍ୟ ରହିବା ଉଚିତ । ଯଦି ବିଚ୍ଛିନ୍ନତାବାଦୀ ଏବଂ ସାମ୍ପ୍ରଦାୟିକ ଧାରଣାରେ ବୃଦ୍ଧି ହୁଏ, ତାହାହେଲେ ମୁଖ୍ୟ ସମସ୍ୟାର ସମାଧାନକୁ ସେମାନେ କଠିନ କରି ଦିଅନ୍ତି । ଯଦି ଦେଶର କୈାଣସି ଅଂଚଳରେ ବିଶୃଂଖଳ ପରିସ୍ଥିତି ଥାଏ, ତାହାହେଲେ ଏହି ପରିସ୍ଥିତିକୁ ମୁକାବିଲା କରିବାରେ ରାଷ୍ଟ୍ରର ଶକ୍ତି ଅପଚୟ ହୋଇଥାଏ ଏବଂ ଅନ୍ୟ ସବୁ ବିଷୟ, ଯେତେ ଗୁରୁତ୍ୱ ପୂର୍ଣ୍ଣ ହେଲେ ମଧ୍ୟ, ଗୈାଣ ହୋଇ ଯାଏ । ତେଣୁ ସାମ୍ପ୍ରଦାୟିକ ଓ ବିଚ୍ଛିନତାବାଦୀ ପ୍ରବଣତାକୁ ପଣ୍ଡ କରିବା ଏବଂ ତାକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିବାର ଗୁରୁତ୍ୱ ପ୍ରାଥମିକ, ଯଦି ଭାରତର ଅର୍ଥନୈତିକ ଦୁଃସ୍ଥିତିର ମୂଳ ସମସ୍ୟାର ସମାଧାନ ଦିଗରେ ଆଗେଇବାକୁ ହୁଏ । ଏହି ଦୁଇଟି ପରସ୍ପର ସହିତ ସମ୍ପର୍କିତ ଏବଂ ପରସ୍ପରକୁ ପ୍ରଭାବିତ କରନ୍ତି, ତେଣୁ ଦୁହିଁଙ୍କର ସମାଧାନ ଏକସଂଗରେ ହେବା ଉଚିତ । କିନ୍ତୁ ଯଦି ଆମେ ସାମ୍ପ୍ରଦାୟିକ ମନୋଭାବକୁ ବଢିବା ପାଇଁ ଅନୁମତି ଦେଉ, ତାହାହେଲେ ଏହା ନିଶ୍ଚିତ ଯେ ସାମାଜିକ ପ୍ରତିକ୍ରିୟା ମଧ୍ୟ ବୃଦ୍ଧି ପାଇବ ଏବଂ ଅର୍ଥନୈତିକ ପ୍ରଗତିକୁ ବାଧା ଦେବ ।
“ଅଣ-କଂଗ୍ରେସ ଲୋକଙ୍କ ପାଖରୁ ସମାଲେଚନା ହେବା ମୁଁ ବୁଝି ପାରୁଛି । କିନ୍ତୁ ଏହା ମୋତେ ଆଶ୍ଚର୍ଯ୍ୟ କରୁଛି ଯେ କେହି କଂଗ୍ରେସ ବ୍ୟକ୍ତି ନିଜକୁ ଓ ଅନ୍ୟମାନଙ୍କୁ କିପରି ବିଭ୍ରାନ୍ତ କରିପାରେ ଏହା ଭାବିବାକୁ ଯେ ଏହି ବିପଜ୍ଜନକ ପ୍ରବଣତା ଗୁଡିକୁ ଆମେ ଅଣଦେଖା କରିପାରିବା । ଯେହେତୁ ଆମେ ସେଗୁଡିକୁ କେତେକାଂଶରେ ଅଣଦେଖା କରିଲୁ, ସେମାନେ ବୃଦ୍ଧି ପାଇଲେ ଏବଂ ସାରା ଦେଶ ଉପରେ ଛାୟା ବିସ୍ତାର କଲେ, ଏବଂ କଂଗ୍ରେସରେ ଏକ ଆନ୍ତରିକ ଦୁର୍ବଳତା ସୃଷ୍ଟି କଲେ । ଏହି ସମସ୍ୟା ପ୍ରତି ଏକ ସିଧାସଳଖ ଓ ସାମନା-ସାମନି ଦୃଷ୍ଟିକୋଣ ଯୋଗୁଁ ଏବେ ଗୋଟିଏ ପରିବର୍ତନ ଆସିଛି ଏବଂ ଅଧିକାଂଶ ବ୍ୟକ୍ତି ଯେଉଁମାନେ ଭୁଲ ଦିଗରେ ଚାଲିଯାଇଥିଲେ, ସେମାନେ ନିଜକୁ ଫେରାଇ ଆଣିଛନ୍ତି । ଏହି ପ୍ରୟାସରେ କୈାଣସି ଶୀଥିଳତା ଆସିବା ଉଚିତ ନୁହେଁ ବା ଆସି ପାରେ ନା । ମୁଁ ଏହା ଦୋହରାଇବାକୁ ଚାହେଁ ଯେ ଆମ ଜାତୀୟ ଆନ୍ଦୋଳନର ଯାହା ଆଧାର ଓ ଯାହା ଭାରତରେ ସମସ୍ତ ପ୍ରଗତିର ମୂଳଦୁଆ, ତାହାକୁ ପରିତ୍ୟାଗ କରିବା ଅପେକ୍ଷା ନିର୍ବାଚନରେ ପରାଜୟ ବରଂ ଶ୍ରେୟସ୍କର ।”
ଯେ କୈାଣସି ଉପାୟରେ ନିର୍ବାଚନରେ ବିଜୟ ହାସଲ କରିବା, ସାମ୍ପ୍ରଦାୟିକତା -ସଂକୀର୍ଣ୍ଣତାକୁ ଜନଗଣଙ୍କ ମଧ୍ୟରେ ପ୍ରସାରିତ କରି ନିର୍ବାଚନରେ ବିଜୟୀ ହେବାର ପ୍ରବଣତାକୁ, ଉପରୋକ୍ତ ଉଦ୍ଧୃତିରେ, ନେହରୁ ପ୍ରତ୍ୟାଖ୍ୟାନ କରୁଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଏପରି ମତ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ସମୟରେ ହିଁ ପୋଷଣ କରୁଥିଲେ । କିନ୍ତୁ ମୋଟ ଉପରେ ଯେଉଁ ନିର୍ବାଚନ ପଦ୍ଧତି ସ୍ୱାଧୀନ ଭାରତରେ ପ୍ରଚଳନ ହେଉଥିଲା ତାହା ଉପରେ ଯେପରି ନେହରୁ ସନ୍ତୁଷ୍ଟ ନ ଥିଲେ । ଏହି ପତ୍ରରେ ସେ ଲେଖିଥିଲେ୧(ପୃ ୫୧୯), “ମୁଁ ସ୍ୱୀକାର କରେ ଯେ ମୁଁ ଦେଖୁଛି ଏ ନିର୍ବାଚନ ବେପାର ଅତ୍ୟନ୍ତ ନୈରାଶ୍ୟଜନକ । ଏବଂ ମୁଁ ନିଜକୁ ବେଳେ ବେଳେ ପଚାରେ ଏହି ପ୍ରକାରର ଗଣତନ୍ତ୍ରକୁ କଣ ଉନ୍ନତ କରାଯାଇପାରିବ ନାହିଁ-ଯାହା ମଣିଷ ପ୍ରକୃତିରେ ଥିବା ଅବାଂଛନୀୟ ବୈଶିଷ୍ଟ୍ୟ ଗୁଡିକୁ ବାହାରକୁ ନେଇ ଆସୁଛି. ଯେପରି କ୍ଷମତା ଓ ପଦବୀ ପାଇଁ ଲାଳସା, ତାର ଆହରଣ ଲାଳସା, ଅନ୍ୟର ଲାଭ-କ୍ଷତି ବିଚାର ନ କରି କେବଳ ନିଜର ପ୍ରଗତି ପାଇଁ ତାର ଆଗ୍ରହ, ବଡ ବଡ ସମସ୍ୟା ପ୍ରତି ତାର ସମସ୍ତ ପରିପ୍ରେକ୍ଷ ହରାଇବା ଏବଂ କିଛି କ୍ଷୁଦ୍ର ବ୍ୟକ୍ତିଗତ ବିଜୟକୁ ଦୃଷ୍ଟିରେ ରଖି ସବୁ ବିଷୟର ବିଚାର କରିବା ।” ସେ ତ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ମନ୍ତବ୍ୟ କରି ଲେଖିଥିଲେ୧(ପୃ ୫୧୯), “ସାଧାରଣ ନିର୍ବାଚନ ପାଖେଇ ଆସିବା ଏବଂ ଏଥି ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି କରିବାରେ ଯେଉଁ ପରିମାଣରେ କାର୍ଯ୍ୟ ଓ ବ୍ୟସ୍ତତା ଆବଶ୍ୟକ ହେଉଛି ତାହା ପୀଡାଦାୟକ, ପ୍ରାୟ ଏକ ଦୁଃସ୍ୱପ୍ନ ସଦୃଶ । ”
ଏହା ବୋଧହୁଏ ଏକ ସଂଯୋଗ ଯେ ଯେତେବେଳେ ଅନୁସୃତ ନିର୍ବାଚନ ପଦ୍ଧତିକୁ ନେଇ ନେହରୁ ଅସନ୍ତୋଷ ବ୍ୟକ୍ତ କରୁଥିଲେ ସେତେବେଳେ ଓଡିଶାରେ ଗାନ୍ଧୀଙ୍କ ଅନୁୟାୟୀ ଗୋପବନ୍ଧୁ ଚୈାଧୁରୀ ଏହି ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ନେଉଥିଲେ ଓ ଏହାକୁ ସର୍ବସାଧାରଣଙ୍କୁ ଏକ ପ୍ରଚାର ପତ୍ର ଜରିଆରେ ଜଣାଉଥିଲେ । ଏହି ପ୍ରଚାରପତ୍ରରେ ତାଙ୍କ ଛଡ଼ା ଅନ୍ୟ କେତେଜଣ ସହକର୍ମୀଙ୍କର ମଧ୍ୟ ସ୍ୱାକ୍ଷର ଥିଲା । ତାଙ୍କର ଗୋଟିଏ ଧାରଣା ହୋଇଥିଲା୨(ପୃ ୩୧୩), “ଭୋଟ ବାଟରେ ପାଠୁଆ ଲୋକେ ଓ ପଇସାବାଲା ଲୋକେ କ୍ଷମତା ବଢାଇଥାନ୍ତି, ଅପାଠୁଆ, ଗରିବ ଲୋକେ ନୁହନ୍ତି । ଯଦି ପାଠୁଆ ଓ ପଇସାବାଲାଙ୍କ କ୍ଷମତା ଊଣା କରିବାକୁ ଉପାୟ କରି ନହେବ, ତେବେ ଭୋଟ ବାଟରେ ଶାସନ ଗଢିଲେ ଜନସାଧାରଣଙ୍କର କିଛି ଉପକାର ହେବ ନାହିଁ । ପାଠୁଆ, ଧନୀ ଲୋକେ ହିଁ ନିଜର କ୍ଷମତା ବଢ଼ାଇବେ ।” ସେ ଚାହୁଁଥିଲେ୩, “ବର୍ତର୍ମାନ ଅତି ଜରୁରୀ ଲୋଡ଼ା ଜନତାଙ୍କ ମଧ୍ୟରେ ଶକ୍ତିର ସଂଚାର, ଯାହା ବଳରେ ଜନତା ବାଟ ହୁଡିଥିବା ସରକାରୀ କଳକୁ ଯେକୌଣସି ମୁହୂର୍ତର୍ରେ ବାଟକୁ ଆଣିପାରିବେ, ତାଙ୍କୁ (ଜନତାଙ୍କୁ) ସେମିତି ପୁଣି ଆଉ ଥରେ ଭୋଟ ଲଢ଼େଇଯାକେ ୫/୭ବର୍ଷ ଅନାଇ ବସିବାକୁ ନ ପଡ଼େ ।” ଏହାକୁ ବୁଝାଇବାକୁ ଯାଇ ସେ ଲେଖନ୍ତି୩, “ଗୋଟିଏ ଦଳଉପରେ ଖୁବ ଭରସା କରି, ଦଳଙ୍କୁ ସରକାର ଗଢ଼ିବାକୁ ଭୋଟରେ ପଠାଇଦେଲେ । ମାତ୍ର ହଠାତ୍ ଦେଖାଗଲା, ତାଙ୍କର ଅଯୋଗ୍ୟତାରୁ ଲୋକେ ଦାନାକନା ନ ପାଇ ଲଙ୍ଗଳା ହୋଇ ଗଡ଼ି ମଲେ । ସେ ଅବସ୍ଥାର ପ୍ରତିକାର ପାଇଁ ଲୋକଙ୍କ ହାତରେ ଶକ୍ତି ଥିବା ଚାହି, ନଚେତ ଶୁଖିଲା ଭୋଟ ଅଧିକାରର ମୂଲ୍ୟ କିଛି ନାହିଁ ।” ଭୋଟ ଗଣତନ୍ତ୍ରରେ Majority-Minority ବ୍ୟବସ୍ଥାକୁ ଗୋପବାବୁ ପ୍ରଶ୍ନ କରୁଥିଲେ, Majority ତାର ନିଷ୍ପତ୍ତିକୁ Minorityଉପରେ ଲଦିବ ହିଁ ଲଦିବ । ସେ ବିଶ୍ୱାସ କରୁଥିଲେ୪ ଯେ ‘ଏକାବନ-ଅଣଚାଷ ଭୋଟ ପ୍ରଥାରେ କିଛି ହେବ ନାହିଁ ।…ଏ ଭଳି ଗଣତନ୍ତ୍ର ଦ୍ୱାରା ଆମର ଦୁଃଖ ଯିବ ନାହିଁ ।’ ।
ସ୍ୱାଧୀନୋତ୍ତର ଭାରତରେ ପ୍ରଥମ ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାକୁ ନେହରୁ ପ୍ରଶ୍ନ କରୁଥିଲେ ଓ ଗୋପବନ୍ଧୁ ଚୈାଧୁରୀ ମଧ୍ୟ ପ୍ରଶ୍ନ କରୁଥିଲେ । ହୁଏତ ଆହୁରି ଅନେକେ ପ୍ରଶ୍ନ କରିଥିବେ । ସେ ପ୍ରଶ୍ନ ଆଜି ମଧ୍ୟ ପ୍ରତିଧ୍ୱନିତ ହେଉଛି ଯଦିଓ ଇତ୍ୟବସରରେ ୧୮ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ବ୍ୟାଲଟ ପତ୍ରରେ ମତଦାନ ପଦ୍ଧତି ସ୍ଥାନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିମ)ରେ ମତଦାନ ହେଉଛି । ଏହାକୁ ନେଇ ବହୁ ବିବାଦ ଗଣମାଧ୍ୟମରେ ଉଠିଛି ଓ ଉଠୁଛି । ୧୮ଶ ନିର୍ବାଚନରେ ବ୍ୟାପକ ବିଭ୍ରାଟ ହୋଇଛି ବୋଲି୫ Vote For Democracy ନାମକ ଏକ ସଂଗଠନ ଦ୍ୱାରା Conduct of Loksabha Elections 2024 : Analysis of ‘Vote Manipulation’ and Misconduct during Voting and Counting’ ଶିରୋନାମାରେ ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି । ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ବଢି ବଢି ଚାଲିଛି ଯେଉଁମାନଙ୍କ ନାଁରେ ବିଭିନ୍ନ ଆପରାଧିକ ମାମଲା ପଂଜୀକୃତ ହୋଇଛି । Association of Democratic reforms ନାମକ ଏକ ସଂଗଠନ ଜାରି କରିଥିବା ସୂଚନା ଅନୁ୍ୟାୟୀ୬ ୧୮ଶ ଲୋକସଭାରେ ୪୬ ପ୍ରତିଶତ ନିର୍ବାଚିତ ସଦସ୍ୟ(୨୫୧)ଙ୍କ ବିରୋଧରେ ଅପରାଧିକ ମାମଲା (ଯେପରି ଧର୍ଷଣ, ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ବିଭିନ୍ନ ଅପରାଧ) ପଂଜୀକୃତ ହୋଇଛି ଯାହା ମଧ୍ୟରେ ୧୭୦ (୩୧ ପ୍ରତିଶତ) ଜଣଙ୍କ ବିରୋଧରେ ସଂଗୀନ ଅପରାଧିକ ମାମଲା ପଂଜୀକୃତ ହୋଇଛି । ଏହି ପ୍ରତିଶତ ୧୭ଶ ଲୋକ ସଭାରେ ଯଥାକ୍ରମେ ଥିଲା ୪୩ ଓ ୨୯ ପ୍ରତିଶତ । କୋଟିପତି ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ୧୭ଶ ଲୋକସଭାରେ ଏହା ୮୮ ପ୍ରତିଶତ ହୋଇଥିବା ସମୟରେ , ୧୮ଶ ଲୋକସଭାରେ ଏହା ୯୩ ପ୍ରତିଶତ ହୋଇଛି । ଆକଳନରେ ହାରାହାରି ସମ୍ପତ୍ତି ୪୬.୩୪ କୋଟି ଟଙ୍କା ବୋଲି ଜଣାପଡେ ।
କହିବା ବାହୁଲ୍ୟ ଯେ ପ୍ରଥମ ନିର୍ବାଚନ ବେଳେ ନିର୍ବାଚନର ପଦ୍ଧତିକୁ ନେଇ, ଏହାର ସୀମିତତାକୁ ନେଇ ଓ ସେତେବେଳକାର ରାଜେନୈତିକ ପରିବେଶକୁ ନେଇ ଯେଉଁ ଚିନ୍ତା ଜବାହାରଲାଲ ନେହରୁ ବା ଗୋପବନ୍ଧୁ ଚୈାଧୁରୀ ବ୍ୟକ୍ତ କରିଥିଲେ ସେ ଚିନ୍ତା, ଆଜିକା ରାଜନୈତିକ ପରିବେଶରେ, ଅଧିକ ଗମ୍ଭୀର ହୋଇଛି, ପ୍ରତ୍ୟେକ ଗଣତନ୍ତ୍ରପ୍ରେମୀ, ଜନମଂଗଳରେ ବିଶ୍ୱାସୀ ବ୍ୟକ୍ତିଙ୍କୁ ନିଃସନେ୍ଦହ ବିଚଳିତ କରୁଛି । ତେଣୁ ପ୍ରାସଂଗିକ ତ ନିଶ୍ଚୟ ।
ବ୍ୟବହୃତ ଉପାଦାନ ସୂଚୀ
୧.Jawaharlal Nehru, Letters to Chief Ministers :1947-1964, Vol.2 (1950-1952), General Editor: G Parthasarathi, Government of India, 1986
୨.ଧୂଳିମାଟିର ସନ୍ଥ, ଗୋପୀନାଥ ମହାନ୍ତି, ବିଦ୍ୟାପୁରୀ, ଅଗଷ୍ଟ ୧୯୮୫
୩.ନିର୍ବାଚନର ମାପକାଠି,ଗ୍ରାମସେବକ,ଅଗଷ୍ଟ ୧୯୫୧
୪.ଗଣତନ୍ତ୍ର ଓ ଲୋକଶକ୍ତି, ଗ୍ରାମସେବକ,୨୯/୬/୧୯୫୩
୫. Report Authored and Compiled by Vote for Democracy (VFD), Maharashtra under the guidance of
experts MG Devasahayam (Retd.IAS), Dr Pyara Lal Garg(retired professor of pediatric surgery) and Professor Harish Karnick(Professor, Department of Computer Science and Engineering, IIT , Kanpur)
- https://en.wikipedia.org/wiki/18th_Lok_Sabha
Comments
0 comments