ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର59 Views
16 Min Read

ଆଦିବାସୀ ହେବା ଏକ ଅନ୍ତରାଷ୍ଟ୍ରୀୟ ପାପ କି?

ପାଠକେ! ଆମ ପ୍ରାତଃଭ୍ରମଣ ଗୋଷ୍ଠୀରୁ ଜନୈକ ଶିକ୍ଷିତ ବ୍ୟକ୍ତି ଗଗରାଇବାବୁ ଦୁଇଦିନ ତଳେ ଆମକୁ ଏକ ପ୍ରଶ୍ନ ପଚାରି ଚକିତ କରିଦେଲେ ଯେ ଆଜ୍ଞା ଆଦିବାସୀ ହେବାଟା ପାପ କି? ଆମେ କହିଥିଲୁ-କାଇଁ, ନାଁ ତ । ହେଲେ ଆପଣଙ୍କୁ କାହିଁକି ସେମିତି ଲାଗୁଛି? ସେ କହିଥିଲେ ଏଇ ଆଦିବାସୀ ଲୋକଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କ ପ୍ରତି କିଛି ଜାଣିବା ଶୁଣିବା ଲୋକଙ୍କର ଯେଉଁ ପ୍ରକାରର ବ୍ୟବହାର ହେଉଛି ତାକୁ ଦେଖିଲା ପରେ ମୋର କାହିଁକି ଗୋଟେ ଧାରଣା ହେଉଛି ଯେ ଆଦିବାସୀ ହେବାଟା ହିଁ ପାପ। ଆମେ ପଚାରିଲୁ – କାଇଁ କ’ଣ ଦେଖିଲେ ଆପଣ ? ସିଏ କହିଲେ-ଆଜ୍ଞା! ଗୋଟିଏ ଖବର ପ୍ରକାଶ ପାଇଲା। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ବନ୍ଦ। ସେଥିରେ ଲେଖାହେଲା ଯେ – ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ପୁଣି କେବେ କରାଯିବ ଜଣାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କାହିଁ କୌଣସି ଗୋଟିଏ ବି ଜାଗାରେ ତ ଲେଖା ହେଲାନି ଯେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ସେମିତି ଆପଣ ଦେଖନ୍ତୁ ଯେଉଁଠି ଭଲ କାର୍ଯ୍ୟ କରିଥିବାରୁ ଖବର ବାହାରୁଛି ସେଠାରେ କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଏପରିକି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ମଧ୍ୟ କୁହାଗଲା ଯେ ୨୦୦ ଚାଷୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ।

ଏବେ ଗୋଟିଏ ମଜାଦାର କଥା ଘଟିଲା । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଇ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ଏକ ଯୋଜନା ‘ହର୍ ଘର୍ ତିରଙ୍ଗା’ର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ସେଥିରେ ସେ ଗୋଟିଏ ବ୍ୟାନର ଉପରେ ଦସ୍ତଖତ କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ। ଏଥିରେ କିଛି ଅସୁବିଧା ନଥିଲା। କିନ୍ତୁ କିଛି ଲୋକ ଏଥିରେ ଅସୁବିଧା ଦେଖିପାରିଲେ ଓ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ କହିଲେ ଯେ ଓଡ଼ିଆ ଅସ୍ମିତା ମାଡ଼ ଖାଇଗଲା। କେମିତି ଓ କିପରି ମାଡ଼ ଖାଇଲା ? ସେମାନଙ୍କ କହିବାନୁଯାୟୀ ଶବ୍ଦଟା ‘ତ୍ରିରଙ୍ଗା’ ହୋଇଥାଆନ୍ତା। ତିରଙ୍ଗା ନୁହେଁ। ତିରଙ୍ଗା ଓଡ଼ିଆ ଶବ୍ଦ ନୁହେଁ । ବାବୁମାନେ କିନ୍ତୁ ବୁଝିଲେ ନାହିଁ ଯେ ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲି ନୁହେଁ ଯେ କୌଣସି ଉଚ୍ଚଜାତିର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ସେ ସେଥିରେ ଦସ୍ତଖତ କରିଥାଆନ୍ତେ । କାରଣ କାର୍ଯ୍ୟକ୍ରମର ନାଁ ଥିଲା ‘ହର୍ ଘର୍ ତିରଙ୍ଗା’ । ଏ କାର୍ଯ୍ୟକ୍ରମଟି ଯେହେତୁ ଦିଲ୍ଲୀରେ ଜନ୍ମ ନେଇଛି, ତେଣୁ ଏହା ହିନ୍ଦୀ ଭାଷା ଅନୁଯାୟୀ ହୋଇଛି- ହର ଘର ତିରଙ୍ଗା । ଇଁରାଜୀରେ ଯେଉଁ tricolour ତାର ହିନ୍ଦୀ ହେଉଛି ତିରଙ୍ଗା ? ତାକୁ ସଂସ୍କୃତ ଆଧାରିତ ହିନ୍ଦୀ କଲେ ସିଏ ହେବ । କିନ୍ତୁ ଯେହେତୁ ସିଏ କାର୍ଯ୍ୟକ୍ରମର ନାଁ ଉପରେ ଦସ୍ତଖତ କଲେ ସିଏ ଲେଖା ହୋଇଥିଲା ମୂଳ – ହର ଘର ତିରଙ୍ଗା । ଯେତେବେଳେ ରାଜ୍ୟସ୍ତରରେ ନାଆଁଟିକୁ ଓଡ଼ିଆ ଅନୁବାଦ କରି କାର୍ଯ୍ୟକ୍ରମ କରାଯିବ ତାହା ହେବ ‘ପ୍ରତି ଘରେ ତ୍ରିରଙ୍ଗା’ ନହେଲେ ‘ଘରେ ଘରେ ତ୍ରିରଙ୍ଗା’ । ତାହେଲେ ବାବୁ ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲି କେମିତି ଭୁଲ କରିଦେଲେ ଓ ଓଡ଼ିଆ ଅସ୍ମିତା ମାଡ଼ ଖାଇଗଲା କିପରି ବୋଲି କୁହାଯାଉଛି?

ସେହିପରି ସମ୍ପ୍ରତି ଲୋକ ଟିଭିରେ ଦେଖିଲେ ଏବଂ ଆଲୋଚନା ବି ହେଲା ଯେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରଗୃହମନ୍ତ୍ରୀଙ୍କ ସାଙ୍ଗରେ ଚାଲିବା ପାଇଁ ଏତେ ବ୍ୟଗ୍ର ହୋଇପଡ଼ିଲେ ଯେ ଶାହଙ୍କ ସାଙ୍ଗରେ ଚାଲୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ହାତରେ ପେଲିଦେଲେ । ଯେଉଁବାବୁ ଏଭଳି ଗୁଣ୍ଡାଗର୍ଦ୍ଦି କଲେ ସେ କାଳେ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ । ତାହେଲେ ଆପଣ କୁହନ୍ତୁ ଏଥିରୁ ଆମେ କ’ଣ ବୁଝିବା? ଆଦିବାସୀ ହେବାଟା ଏକ ରାଷ୍ଟ୍ରୀୟ ପାପ ନା ନୁହେଁ ? ଆମପାଖରେ ତାଙ୍କର କିଛି ଉତ୍ତର ନଥିଲା ।

ଏ ସରକାର ନିଜେ ପୁଣି କିଛି କରିବ ନା ନାହିଁ?

ପାଠକେ! ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ଏହା ଭିତରେ ତିନିମାସ ଚାଲିଲାଣି । ହେଲେ ରାଜ୍ୟରେ ନୂଆ କିଛି ହୋଇଥିବା ବା ହେଉଥିବା କଥା କାହିଁ କେହି ଦେଖି ପରୁନାହାନ୍ତି । ସେହି ନବୀନ ସରକାରର ଯୋଜନାରେ ରଙ୍ଗମାରି ନାଁ ବଦଳାଯାଇ ଚାଲୁଛି । ଏଇ (୭୮ତମ) ସ୍ୱାଧୀନତା ଦିବସ ଥିଲା ମୋହନ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସ୍ୱାଧୀନତା ଦିବସ । ବିଭିନ୍ନ ମନ୍ତ୍ରୀମାନେ ବିଭିନ୍ନ ସ୍ଥାନକୁ ଯାଇ ଦେଶର ଏକ ଶୁଭକାର୍ଯ୍ୟ (ଜାତୀୟ ପତାକା ଉତ୍ତୋଳନ)କଲେ । କିନ୍ତୁ ଏହି ଶୁଭ ଅବସରରେ କେହି କାହିଁ କେଉଁଠି କିଛି ନୂଆ କଥା କହିଲେନି ଯେଉଁଥିରୁ ସାଧାରଣ ଲୋକଙ୍କୁ କିଛି ଅଧିକ ସୁବିଧା ସୁଯୋଗ ମିଳିବ ।

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ବାବୁ ତ ସେହି ପୁରୁଣା କଥା ଦୋହରାଇଲେ ଯେ ୨୦୩୬ ବେଳକୁ ରାଜ୍ୟର ଅର୍ଥନୀତି କାଳେ ୫୦୦ ବିଲିଅନ ଡଲାର ଅର୍ଥନୀତି ହୋଇ ଯାଇଥିବ । ୨୦୪୭ବେଳକୁ ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହୋଇ ଯାଇଥିବ । ଆଜ୍ଞା ମୋହନ ବାବୁ ! ଏ ୨୦୩୭ ପୁଣି ୨୦୪୭ କିଏ ଦେଖିଛି ? ଆପଣ ଆଗେ ଏ ପ୍ରଧାନ ଓ ଷଡଙ୍ଗୀଙ୍କ କବଳରୁ ୨୦୨୪ଟାକୁ ପାରକରନ୍ତୁ ଆଜ୍ଞା ।

ସ୍ୱାଧୀନତା ଦିବସରେ କଟକରେ ଜଣେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ମହିଳାମାନଙ୍କ ପାଇଁ ଗୋଟିଏ ଦିନ ପିରିୟଡ ଲିଭ୍ ଦେବେ । ଗୋଟିଏ ପାଖ ଗାଁ’ର ଜଣେ ମହିଳା ଶ୍ରୀମତୀ ପ୍ରଧାନଙ୍କୁ ସେ ବିଷୟରେ ଫୋନ କରି ପଚାରିବାରୁ ସିଏ ଆମକୁ ପଚାରିଲେ ସେଇଟା କ’ଣ ନୂଆ ଭତ୍ତା । ତମେ କାହାକୁ କହି ଆମର ଗୋଟା ସେଥିରୁ କରେଇ ଦଉନା । ଗୃହିଣୀଜଣକ ଆମକୁ ପରିହାସ ଛଳରେ ଯାହା କହିଲେ ତାର ମର୍ମାର୍ଥ ଅତି ସହଜ । ଏ ଯୋଜନାରୁ ଭୁବନେଶ୍ୱରର ବା ରାଜ୍ୟର କିଛି ସରକାରୀ(ବା ବେସରକାରୀ) ଚାକିରୀ କରିଥିବା ମହିଳା ଉପକୃତ ହେବେ । ହେଲେ ତାଙ୍କ ସଂଖ୍ୟା କେତେ? ସିଏ କ’ଣ ଗୋଟା ସାଧାରଣ ଲୋକଙ୍କ ପାଇଁ ହୋଇଥିବା ଯୋଜନା ହେଲା କି? ସାଧାଣଣ ମହିଳା ବା ଶିଶୁଙ୍କ ପାଇଁ ଏ ସରକାରର କିଛି ନୂଆ ଯୋଜନା ହେବ କି?

ସୁଦୂର ମାଲକାନାଗିରିକି ଚାଲନ୍ତୁ । ସେଠାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବେ । ମନ୍ତ୍ରୀ କହୁଛନ୍ତି ଏହା ଯୁକ୍ତ ୩ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି କରିବ । ହେଲା! ଏହା ଅତି ଜରୁରୀ (ଆବଶ୍ୟକ କରଣୀୟ) ଓ ଜରୁରୀ (ଆଶୁକରଣୀୟ) ବୋଲି ଆମେ ଧରିନେବା । ହେଲେ ବିଷ୍ଣୁନନ୍ଦନ! ଏଗୁରା ତ ସବୁ ପୁରୁଣା ଯୋଜନା । ଯେତେବେଳେ ଏବେର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ଆପଣଙ୍କ ପିତାଶ୍ରୀ ବିଷ୍ଣୁ ଭାଇ ବିଧାୟକ ଥିଲେ ଏଇଟା ସେହି ଅମଳର ଯୋଜନା । ନବୀନ ବାବୁଙ୍କ; ବେଳେ ପ୍ରତିଦିନ କେତେ ନା କେତେ ଯୋଜନା ହେଉଥିଲା । ତାଙ୍କର ପୁରା ଯୋଜନା କାରଖାନା ଥିଲା । ଏ ଯୋଜନାଟା ମଧ୍ୟ ସେଇଥିରୁ ଉତ୍ପାଦିତ ଗୋଟିଏ ପରିକଳ୍ପନା ମାତ୍ର ଥିଲା । ପରେ ଏହା ଅନେକ ଛେଉଣ୍ଡ ଯୋଜନାଙ୍କ ମଧ୍ୟରୁ ଗୋଟିଏ ହୋଇ ରହି ଯାଇଥିଲା । ତେଣୁ ଆପଣ ସେଥିରେ ନୂଆ କ’ଣ କଲେ? ତା ପରେ ଆଜ୍ଞା ଏ ଯୁକ୍ତ ତିନି କଲେଜରେ କ’ଣ କେହି ଆଉ ପାଠ ବେଶି ପଢ଼ୁଛନ୍ତି । ଏହି ସାମ୍ବାଦିକ ଭୁବନେଶ୍ୱର ପାଖ(ଚନ୍ଦକା) ଏକ କଲେଜରେ ଅଧ୍ୟକ୍ଷ (ପ୍ରିନ୍ସିପାଲ) ଥିଲା । ସୁର ରାଉତରାୟ ତାର ସେକ୍ରେଟାରୀ ଥିଲେ । ଏବେ ସେ କଲେଜକୁ ଦେଖିବାକୁ ଯାଇଥିଲା । ଆମବେଳେ ସିଏ ଟିଣ ଘରେ ଚାଲୁଥିଲା ଏବେ ଦି ଚାରି ବଖରା କୋଠାଘର ହେଲାଣି । କିନ୍ତୁ ପିଲା କାହାନ୍ତି । ତେଣୁ ହେ ପବନସୂତ ରାମଭକ୍ତମାନେ । କିଛି ନୂଆ ଚିନ୍ତା କର । କେଉଁପାଠ ପିଲାଙ୍କ କାମରେ ଲାଗିବ ଓ ପିଲାମାନେ ତାକୁ ପଢ଼ିବାକୁ ଚାହିଁବେ, କ’ଣ କଲେ ରାଜ୍ୟର ମହିଳା ଓ ଶିଶୁ ମାନଙ୍କର ଜୀବନର ମାନ ଉନ୍ନତ ହେବ ସେ ବିଷୟରେ ଟିକେ ଚିନ୍ତା କରି କିଛି ଆଖିଦୃଶିଆ ଯୋଜନା କର । ତାହେଲେ ଯାଇ ନାବାଳିକୀ କଟିବ ।

ପଇସା ପାଇଁ ଘାଇ, ଦଙ୍ଗା ମୂଳରେ ଗାଈ

ପାଠକେ ! ପାଂଚ ଛଅଦିନ ବର୍ଷା ଲାଗି ରହିଲା। ବଡ଼ ବିରକ୍ତିକର। ସେହି ସମୟକୁ ସନ୍ଧ୍ୟାରେ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ନାତିର ଜନ୍ମଦିନ ଆସର ପଡିଥିଲା । ଜଣେ ବୁଢ଼ାଯନ୍ତ୍ରୀ ଫୋନ କରି କହିଲେ ବାହାରନ୍ତୁ ମୁଁ ଗାଡ଼ି ନେଇ ଯାଉଛି । ପହଂଚି ଦେଖିଲୁ ଯନ୍ତ୍ରୀ ତାଙ୍କ ଗ୍ରୁପର କେତେଜଣ ବିଶେଷ ସାଙ୍ଗଯନ୍ତ୍ରୀମାନଙ୍କ ପାଇଁ ନିଜ ପ୍ରାସାଦର ଗୋଟିଏ ବାଲକୋନୀରେ ଗୋଟିଏ ଅଲଗା ମଦ ଆସରର ବ୍ୟବସ୍ଥା କରାଇଛନ୍ତି । ସେଥିରେ ଆମକୁ ବସାଇ ଦେଇଥିଲେ । ସେଠି ତିନିଜଣ ସର୍କାରୀବାବୁ ଥିଲେ ଏବଂ କଥା ହେଉଥିଲେ । ପ୍ରଥମ ଜଣକ କହିଥିଲେ-ଏ ଶ.. ଛତିଶଗଡ଼ ତ ହଜାରେ ବନ୍ଧ ପକେଇ ସବୁ ପାଣି ଅଟକେଇଲା । ହୀରାକୁଦରେ ତ ପାଣି ନାଇଁ ଆଉ ନଈକି ଆସିବ କ’ଣ? ଆଉ ଜଣେ କହିଥିଲେ-ସମୟଟା ଖରାପ୍ । ସିଆଡ଼େ ଭିଜିଲାନ୍ସ ଚଢାଉ, ଇଆଡ଼େ ନଈରେ ତ ପାଣି ନାହିଁ ଶ.. କାଙ୍ଗାନ କରିଦେବେ ଆଉ । କିଛି ନାହିଁ ଶୁଖିଲା । ଆମକୁ ଯିଏ ସେ ଆସରକୁ ନେଇଥିଲେ ସିଏ ମଧ୍ୟ ଜଣେ ବୁଢ଼ାଯନ୍ତ୍ରୀ କିନ୍ତୁ ସ୍ୱାସ୍ଥ୍ୟଅବସ୍ଥା ଠିକ ନଥିବାରୁ ମଦଫଦ ଛାଡ଼ି ଦେଇଛନ୍ତି । ତେବେ ବର୍ଷାଦିନିଆ ସଂଜରେ ଲୋଭ କିଏ ଛାଡ଼େ କି? ଦି ପେଗ୍ ମାରିଦେଇ ସିଏ କେବଳ ଚିଙ୍ଗୁଡ଼ି, ଚିକେନ୍, ମଟନ, କଙ୍କଡାରୁ ତିଆରି ଗରମ ଗରମ ପକୋଡ଼ା ଖାଇ ଯାଉଥାଆନ୍ତି । ମୁଁ କହିଲି ସେମାନେ କୋଉ କଥା କହୁଛନ୍ତି? ଯନ୍ତ୍ରୀ କହିଥିଲେ -ଘାଇ କଥା ଆଉ କ’ଣ? ଏବେ ଆଉ ଘାଇ କାହିଁ ନା । ଆଗେ କେତେ ଘାଇ ହେଉଥିଲା? ଘାଇ ହେଲାକ୍ଷଣି ଆମର ସାମ୍ବାଦିକ ଦରକାର ପଡ଼ନ୍ତି । ଏଡେ ଏଡ଼େ ଅକ୍ଷରରେ ବାହାରି ପଡ଼େ-ଲୋକଙ୍କ ଜୀବନ ବିପଦାପନ୍ନ । ସରକାର ବାହାରି ପଡ଼ନ୍ତି, ମରାମତି ହେବ । ପଇସା ଗଦା ହେଲା । ଆମ କଥାରେ କଥା ଯୋଡ଼ି ହୋ ହୋ ହସି ଜଣେ ପ୍ରବଳ ମଦ ପିଇଦେଇଥିବା ଯନ୍ତ୍ରୀ କହିଲେ-ବନ୍ୟା ହେଲା ଲକ୍ଷ୍ମୀ । ସମସ୍ତଙ୍କୁ ରୋଜଗାର ଦିଏ । ଏବେ କାଇଁ । ଶ୍ରାବଣମାସୁଟାରେ ପରା ଛୁଆସବୁ ନଈ ଭିତରେ କ୍ରିକେଟ ଖେଳୁଛନ୍ତି ଆଉ ହବ କ’ଣ?

ଯନ୍ତ୍ରୀ କହିଲେ ଆହେ ଭାଇ ଜାଣିଚ? ଦିନ ଥିଲା ଯେତେବେଳେ ବଡ଼ ବନ୍ୟାଆସିଲେ ଆମ ସରକାରୀ ଯନ୍ତ୍ରୀମାନଙ୍କ ପତ୍ନୀମାନେ କୁରୁଳି ଉଠୁଥିଲେ । କାରଣ ବନ୍ୟା ଆସିଲେ ସାଙ୍ଗରେ ଘାଇ ହେବାର ଜବରଦସ୍ତ ସମ୍ଭାବନାଗୁଡ଼ିକୁ ବୋହି ଆଣୁଥିଲା । ଥରେ ଜଣେ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ସାଙ୍ଗଙ୍କୁ କାଳେ ପଚାରିଥିଲେ ଯେ ତମର କେତୁଟା ? ପ୍ରଥମ ମହିଳାଜଣକ କହିଥିଲେ ହେ ମୋର ମୋଟେ ୧୨ ଟା । ଦ୍ୱିତୀୟ ମହିଳାଜଣକ ଉତଫୁଲ୍ଲିତ ହୋଇ କହିଥିଲେ ହେ ମୋର ଏଥର ବଡ଼ଛୋଟକିରି ୨୫ଟା ଘାଇ ।

ସେ ଆସରରୁ ଫେରି ଘରେ ପହଂଚିଲା କ୍ଷଣି ଜଣେ କମ୍ରେଡଙ୍କର ଫୋନ ବାଜିଲା । ଫୋନ୍ ଉଠାଉ ଉଠାଉ ସିଏ କହିଲା- ପୁଲିସ କ’ଣ କରୁଛି? ମୁଁ କହିଲି କାଇଁ କ’ଣ ହେଲାକି? ହେଇନି ହବ । ଦଙ୍ଗା ହବ । ମୁଁ ପଚାରିଲି କେଉଁଠି? କହିଲା ବାଳକାଟି ବାଲିଅନ୍ତାରେ ହବ । ମୁଁ କହିଲି କ’ଣ ପାଇଁ? ସିଏ କହିଲା- ଗାଈ ପାଇଁ । ଆଏ ବୁଲାଗୋରୁ ଚୋରି କଥାକୁ ନେଇ ସ୍ଥାନୀୟ ମୁସଲମାନଙ୍କର ଗୁଡ଼ାଏ ମାଂସଦୋକନକୁ କିଏ ସବୁ ଭାଙ୍ଗି ପକେଇଲେଣି । ମୁଁ ପଚାରିଲି କିଏ? ଉତ୍ତରରେ ସିଏ ଯାହା କହିଲେ ତାର ସାରମର୍ମ ହେଉଛି -ଇତି ମଧ୍ୟରେ କାଳେ କିଛି ବାହାରିଆ ଲୋକ ସହଜରେ ଅଧିକ ପଇସା ରୋଜଗାର ଆଶାରେ ରାତିରେ ଆସି ବିଭିନ୍ନ ସ୍ଥାନରୁ ରାସ୍ତାରେ ବୁଲୁଥିବା ବା ଶୋଇ ଶେଇ ପାକୁଳି କରୁଥିବା ବୁଲାଗୋରୁମାନଙ୍କୁ ଟ୍ରକରେ ଉଠାଇ ନେଇ କୁଆଡ଼େ ପଳାଉଛନ୍ତି । ପ୍ରଚାର ହୋଇ ସାରିଛି ଯେ ସେମାନେ ସବୁ ମୁସଲମାନ ଲୋକ । ଓଡ଼ିଶାର ବୁଲାଗୋରୁଙ୍କୁ ଉଠାଇ ନେଇ କଲିକତାରେ ବିକି ଦେଉଛନ୍ତି । ସେସବୁ ଗୋମାଂସ ହୋଇ ବିକ୍ରୀ ହେଉଛି । ଗତକାଲି ରାତିରେ ବାଳକାଟି ରଥୀଜେମା ପାଖରେ କିଛି ଲୋକ ଗୋରୁ ଉଠାଇଥିବାର ଜାଣି ସ୍ଥାନୀୟ ଯୁବକମାନେ ଆଖପାଖର ୧୨ଟା ଛେଳିମାଂସ ଦୋକାନକୁ ଭାଙ୍ଗି ଦେଇଛନ୍ତି । ଆଜି ସ୍ଥାନୀୟ ମୁସଲମାନମାନେ କହୁଛନ୍ତି ଯେ ସେମାନେ ତ ଗାଈ ଉଠାଉ ନାହାନ୍ତି । ତାଙ୍କ ଦୋକାନ କାଇଁ ଭଙ୍ଗାଗଲା । ତେଣୁ ସେମାନେ ରାଗିକରି ଅଛନ୍ତି । କେତେବେଳେ କ’ଣ ହୋଇଯିବ କିଛି କହି ହେବ ନାହିଁ । ମନେ ମନେ କହିଲି- ସିଏ ଘାଇ ହେଉ କି ଗାଈ । ବେଆଇନ୍ ପଇସା ରୋଜଗାରର ନିଶା କି କି ଦିନ ନ ଦେଖେଉଛିରେ ଭାଇ । ମଣିଷଗୁଡ଼ା ଖାଲି କିଲିବିଲି ସିନା ।

ଏ ବାବାଟିକୁ ଜେଲରୁ ଏତେ ଛୁଟି ମିଳୁଛି କେମିତି?

ସମ୍ପ୍ରତି ଏକ ହିନ୍ଦୀ ଘରୋଇ ଟିଭି ଚ୍ୟାନେଲରେ ଏକ ଚାଂଚଲ୍ୟକର ତଥ୍ୟପ୍ରଦାନ କରାଯାଇଛି । ତଥ୍ୟଟି ହେଉଛି ଭଣ୍ଡ ରାମରହିମ ବାବା ବିଷୟରେ । ଏ ଲୋକଟି ନିଜ ନାବାଳିକା ଶିଷ୍ୟାସହିତ ଯୌନ କାରବାରରେ ସମ୍ପୃକ୍ତ ରହିବାଠାରୁ ଆରମ୍ଭ କରି ନରହତ୍ୟା, ନାରୀଧର୍ଷଣ ଆଦି ନାନା ଭ୍ରଷ୍ଟାଚାରରେ ଲିପ୍ତଥିଲା ବୋଲି ଧରାପଡ଼ିବା ପରେ ସେସବୁର ବିଚାର କରି କୋର୍ଟ ତାକୁ କେତେକ ମୋକଦ୍ଦମାରେ ଅପରାଧୀ କହିବା ସହିତ ତାଙ୍କୁ ଜେଲ ପଠାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଲୋକଟିକୁ ଜେଲରୁ ବାରମ୍ବାର ଛୁଟି ମିଳିଯାଉଛି ଅର୍ଥାତ୍ ପାରୋଲରେ ଯିବାକୁ ଦିଆଯାଉଛି । ବର୍ଷକ ୩୬୫ଦିନରୁ ୨୫୫ ଦିନ ଏହି ବାବାଜଣକ ଜେଲରେ ନରହି ଜେଲ ବାହାରେ କଟାଉଛନ୍ତି । ଏହା କେବଳ ବେଆଇନ ଭାବରେ କ୍ଷମତାର ଅପବ୍ୟବହାର କରି କରାଯାଉଛି ବୋଲି ଭାରତୀୟମାନେ ଭାବୁଛନ୍ତି । ଉଦାହରଣସ୍ୱରୂପ ଏହି ବାବାକୁ ୨୧ଅକ୍ଟୋବର ୨୦୨୦ରେ ଗୋଟିଏ ଦିନର ପାରୋଲରେ ଜେଲରୁ ଛଡା ଯାଇଥଲା । ପୁଣି ୨୧ ମଇ ୨୦୨୧ରେ ପାରୋଲରେ ଛଡ଼ାଗଲା । ପୁଣି ୭ ଫେବୃଆରୀ ୨୦୨୨ରେ ଛଡ଼ାଗଲା । ଏଥର ୨୧ଦିନ ଛୁଟି ବା ପାରୋଲ ମିଳିଗଲା । ସେହିବର୍ଷ ଜୁନମାସରେ ବାବାଟିକୁ ପୁରା ଗୋଟିଏ ମାସ ପାରୋଲରେ ଛାଡ଼ି ଦିଆଗଲା । ସେହିବର୍ଷ ଅକ୍ଟୋବର ମାସରେ ଅର୍ଥାତ୍ ୧୪ ଅକ୍ଟୋବର ୨୦୨୨ରେ ବାବାକୁ ୪୦ ଦିନର ଛୁଟି ମିଳିଗଲା । ତା’ପରବର୍ଷ ୨୦୨୩ରେ ବାବାକୁ ପୁଣି ୪୦ଦିନର ଛୁଟି ମିଲିଲା ୨୦୨୩ରେ ତାକୁ ତିନିଥର ଜେଲରୁ ଲମ୍ବା ଛୁଟି ମିଳିଛି । ଥରେ ହେଉଛି ୨୧ ଜାନୁଆରୀ ୨୦୨୩, ସେଦିନ ତାକୁ ୪୦ଦିନ ପାଇଁ ଛୁଟି ମିଳିଲା । ପୁଣି ୨୦ ଜୁଲାଇ ୨୦୨୩ ସେଦିନ ୩୦ ଦିନପାଇଁ ଛୁଟି ମିଳିଲା । ପୁଣି ୨୧ନଭେମ୍ବର ୨୦୨୩ରେ ବାବାଙ୍କୁୁ ୨୧ ଦିନ ପାଇଁ ଛୁଟି ମିଳିଗଲା । ଚଳିତବର୍ଷ ଅର୍ଥାତ୍ ୨୦୨୪ରେ ତାକୁ ଜେଲରୁ ସବୁଠୁ ଲମ୍ବା ଛୁଟି ମିଳିଛି ୫୦ଦିନର । ୯ ଜାନୁଆରୀ ୨୦୨୪ ତାରିଖ ଦିନ ତାକୁ ୫୦ ଦିନର ପାରୋଲରେ ଛାଡି ଦିଆ ଯାଇଥିଲା । ଏଇ ତିନିଦିନ ତଳେ ଅର୍ଥାତ୍ ୧୨ ଅଗଷ୍ଟ ୨୦୨୪ ତାରିଖରେ ତାକୁ ୨୧ଦିନ ଯାଏ ପାରୋଲରେ ଛଡ଼ାଯାଇଛି । ଅର୍ଥାତ୍ ଏହି ଲେଖାଟି ଲେଖା ହେଲାବେଳକୁ ଅପରାଧୀଜଣକ ଜେଲରେ ନାହିଁ, ଛୁଟିରେ ଅଛି । ବର୍ଷକ ୩୬୫ଦିନରୁ ଏହି ବାବାଜଣକ ପାଖାପାଖି ୨୫୫ ଦିନ ଜେଲ ବାହାରେ ଛୁଟିରେ ରହିଲେଣି ।

ପାଠକେ! ଏହା ହେଉଛି ଦେଶର ଦୁର୍ଭାଗ୍ୟ ଯେ ଏ ଲୋକଟି ସେହିଭଳି ଏକ ତାରିଖରେ ଜନ୍ମ ହୋଇଥିଲା ଯେଉଁ ତାରିଖରେ ଭାରତବର୍ଷ ସ୍ୱାଧୀନ ହୋଇଥିଲା । ୧୫ଅଗଷ୍ଟ ୧୯୬୭ ତାରିଖ ଦିନ ଲୋକଟି ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାର ଶ୍ରୀଗୁରୁସର ମୋଡଡିଆ ଗାଁ’ରେ ଜନ୍ମଗ୍ରହଣ କରିଥିଲା । ତାଙ୍କ ବାପାଙ୍କ ନାଁ ମଘର ସିଂହ ଯିଏ କି ଜାଟ୍ ଶିଖ ପରିବାରର ଲୋକଥିଲେ । ମା ଥିଲେ ନସିବ କୌର । ମଘର ସିଂହ ଜଣେ ଜମିଦାର ଥିଲେ । ସେ କିନ୍ତୁ ‘ଡ଼େରା ସଚ୍ଚା ସୌଦା’ ବା ଡିଏସ୍ଏସ୍ ନେତା ଶାହ ସତନାମ ସିଂହଙ୍କର ପ୍ରଚଣ୍ଡ ଭକ୍ତ ଥିଲେ । ରାମରହିମ୍ ପିଲାବେଳୁ ବାପାଙ୍କ ସହିତ ଡେରା (ଧର୍ମ ସଙ୍ଗମ)କୁ ଯାଆନ୍ତି । ଶାହ ସତନାମ ସିଂହ ତାଙ୍କୁ ମାତ୍ର ୭ବର୍ଷ ବୟସରେ ଡେରାରେ ସାମିଲ କରିଥିଲେ । ମାତ୍ର ୨୩ବର୍ଷ ବୟସରେ (କୁହାଯାଏ ବନ୍ଧୁକ ଦେଖେଇ) ରାମରହିମ୍ ସତନାମ ସିଂହଙ୍କ ଜାଗା ନେଇଗଲେ । ସେତେବେଳେ ସେ ନିଜକୁ ‘ହଜୁର ମହାରାଜ ଗୁରୁମିତ୍ ରାମ ରହିମ୍’ ବୋଲି ଘୋଷଣା କରିଦେଲେ । ବାବା ହୋଇ ରାମରହିମ୍ ହରଜିତ କୌରଙ୍କୁ ବିବାହ କରିଥିଲେ ଯିଏ ଦୁଇଟି ଝିଅ ଓ ଗୋଟିଏ ପୁଅଙ୍କୁ ଜନ୍ମ ଦେଇଛନ୍ତି-ଅମରପ୍ରିତ୍, ଚରଣପ୍ରିତ୍ ଏବଂ ଯଶମିତ୍ । ଏହା ବା’ଦେ ରାମରହିମ୍ ପ୍ରିୟଙ୍କା ତନେଜା ବୋଲି ଗୋଟିଏ ଝିଅକୁ ନିଜର ଧର୍ମଝିଅ କରାଇ ତା ନାଁ ସ୍ନେହରେ ହନିପ୍ରିତ୍ ରଖିଥିଲେ । ହନିପ୍ରିତକୁ ରାମରହିମ ନିଜ ଝିଅ ବୋଲି କହୁଥିଲେ ବି ପ୍ରକୃତରେ ସେ ତାଙ୍କର ରକ୍ଷିତା ଥିଲେ ବୋଲି ଲୋକେ କହିଥା’ନ୍ତି । ତାଙ୍କୁ ସିନେମାରେ ପୁରାଇବେ ବୋଲି ରାମରହିମ ନିଜେ ଗୋଟିଏ ସିନେମା କରିଥିଲେ ଓ ସେଥିରେ ନିଜେ ହୀରୋ ହୋଇଥିଲେ । ଏଇ ସିନେମାର ପ୍ରଚାର(ପ୍ରୋମୋ) ପାଇଁ ବହୁବର୍ଷ ତଳେ ରାମରହିମ ଭୁବନେଶ୍ୱର ଆସିଥିଲେ ଓ ଏକ ଦାମୀହୋଟେଲ ‘ଟ୍ରାଇଡେଂଟ’ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠାକୁ ଏହି ସାମ୍ବାଦିକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ସେତେବେଳେ ଏହି ସାମ୍ବାଦିକ ବାବାଙ୍କୁ ପଚାରିଥିଲା ଯେ ସେ ତ ଡେରା ସଚ୍ଚା ସୌଦା ଭଳି ଏକ ଧର୍ମୀୟସଂସ୍ଥାର ମୁଖ୍ୟ ପୁରୋଧାଃ । ପୁଣି ଏ ସିନେମାରେ କ’ଣ ହୀରୋ ହେଲଣି ? ତା ପରେ ଇଏ ତ କୌଣସି ଧର୍ମ ସମ୍ବନ୍ଧୀୟ ସିନେମା ବି ନୁହେଁ । ଏହାର ଜବାବରେ ବାବା କହିଥିଲେ-‘ମେରେ ପାସ କଇ ହୁନର (Skill) ହୈ ବଚ୍ଚା’ । ପାଠକେ! ଏଇଟା ଏକଦମ ସତକଥା । ବାବାଙ୍କ ପାଖରେ ବହୁତ କଳା ଥିଲା ଯେଉଁଥିରେ ନାରୀ ଧର୍ଷଣ ଓ ନରହତ୍ୟା ବି ସାମିଲ ଥିଲା ବୋଲି ପରେ ଜଣା ପଡ଼ିଥିଲା । ଏଇଥିରେ ବାବାଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇ ସାରିଛି । ବାବା ଏବେ ଜେଲ ଖଟୁଛନ୍ତି । କିନ୍ତୁ ବାବାଙ୍କୁ ଜେଲ ଭଲ ଲାଗୁନାହିଁ । ତେଣୁ ୩୬୫ରୁ ୨୫୫ଦିନ ବାବା ଜେଲ ବାହାରେ । ଛୁଟି ବା ପାରୋଲରେ ରହି ପାରୁଛନ୍ତି ।

ପାରୋଲ କ’ଣ? – ପାରୋଲ ହେଉଛି ସଜା କାଟୁଥିବା ବ୍ୟକ୍ତି ପାଇଁ ଏକ ସାମୟିକ ମୁକ୍ତି । The conditional release of a prisoner from prison, prior to fulfillment of the maximum sentence..Parole is the conditional release of an inmate prior to the completion of his prison sentence, after he agrees to follow very specific rules and regulations.

କେତୋଟି ଅତି ଗୁରୁତର ସ୍ଥିତିକୁ ଦେଖି ପାରୋଲ ଦିଆଯାଇଥାଏ । ହେଲେ ଏ ବାବୁଙ୍କୁ ୩୬୫ ଦିନରୁ ୨୫୫ ଦିନ ପାରୋଲ ମିଳିଛି କେମିତି? ଉତ୍ତର ହେଲା ଭୋଟ୍ ରାଜନୀତି । ବାବାଙ୍କ ପୁଅ ଜସମିତ୍ ଯେଉଁ ହସନମିତ ନାମକ ମହିଳାଜଣଙ୍କୁ ବିବାହ କରିଛନ୍ତି ସିଏ ହେଉଛନ୍ତି ବିଶିଷ୍ଟ ଜାଟ୍ ନେତା, କଂଗ୍ରେସର ବରିଷ୍ଠ ନେତା ହରମିନ୍ଦର ସିଂହ ଯଶୀଙ୍କ ଝିଅ । ପୁଣି ଡିଏସଏସ ବା ଡେରା ସଚ୍ଚା ସୌଦା ହେଉଛି ଜାଠ୍ମାନଙ୍କର ସବୁଠୁ ବଡ଼ ଡେରା ବା ସଂସ୍ଥା । ସେଥିରେ ୭୦% ହେଉଛନ୍ତି ଦଳିତ । ଇସଲାମିକ ଧର୍ମଗୁରୁମାନେ ଯେପରି ଫତୱା ଜାରୀ କରନ୍ତି ସେହିପରି ଡେରାଗୁଡ଼ିକର ମୁଖ୍ୟମାନେ ମଧ୍ୟ ସେମାନଙ୍କ ସଂସ୍ଥାର ସଦସ୍ୟମାନଙ୍କୁ କେଉଁ ପାର୍ଟିକୁ ଭୋଟ ଦିଆଯିବ ସେକଥାର ଫରମାନ୍ ଜାରୀ କରନ୍ତି । ସେଥିରେ ସ୍ଥଳବିଶେଷରେ ଗୋଟିଏ ଦଳର ଜିତିବା ଓ ହାରିବା ମଧ୍ୟ ନିର୍ଭର କରିଥାଏ । ଶୁଣାଯାଏ ଯେ ବାବା ରାମରହିମ୍ କାଳେ ବିଜେପି ଓ କଂଗ୍ରେସ ଉଭୟଙ୍କ ପ୍ରାର୍ଥୀମାନଙ୍କ ପକ୍ଷରେ ଫରମାନ୍ ଜାରୀ କରି ସେମାନଙ୍କୁ ଜିତାଇଥାଆନ୍ତି ।

ଆମେ ଭାବୁଛୁ ଏଥର ପାଠକେ ବୁଝିଯିବେଣି କେମିତି ଜଣେ ନରହତ୍ୟା, ଧର୍ଷଣ ଅପରାଧୀ କଏଦୀକୁ ବର୍ଷକୁ ୨୫୫ ଦିନ ଛୁଟି ମିଳିଯାଉଛି ।

Comments

0 comments

Share This Article