ପୁଣିଥରେ ହିଣ୍ଡେନବର୍ଗ

ଭାରତର ଲୋକମାନଙ୍କର ଏବଂ ସେମାନଙ୍କୁ ନେତୃତ୍ୱ ଦେଉଥିବା ରାଜନୈତିକ ଦଳ ଓ ନାଗରିକ ସମାଜମାନଙ୍କର ମହନୀୟତା ଅତୁଳନୀୟ । ଭାରତର ଗଣମାଧ୍ୟମ ମଧ୍ୟ ସେହି ମହନୀୟତାକୁ ମଜବୁତ ରଖିବାରେ ୨୪ଘଣ୍ଟା କାମ କରି ଆସିଛନ୍ତି । ଅଚାନକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବିମୁଦ୍ରାୟନର ଘୋଷଣା (ନଭେମ୍ବର ୮,୨୦୧୬) ଯେତେ ଅକଥିନୀୟ ଯନ୍ତ୍ରଣା ସୃଷ୍ଟି କରିଥିଲେ ବି ଆମ ମହନୀୟ ଲୋକମାନେ ନିଜ ସ୍ମୃତିରେ ତାକୁ ସ୍ଥାନ ଦେଇନାହାନ୍ତି । ଯେତେବେଳେ ଓଡ଼ିଶାର ଖଣି ଦୁର୍ନୀତିକୁ ନେଇ ଏମ୍.ବି ଶାହା କମିସନଙ୍କ ରିପୋର୍ଟ ଅଦାଲତରେ ଦାଖଲ କରାଗଲା (ଜାନୁଆରୀ ୨୭,୨୦୧୪) ଏବଂ ସେଥିରେ ୫୯ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ପ୍ରଘଟ କରାଯାଇଥିଲା ସେତେବେଳେ ମଧ୍ୟ ଓଡ଼ିଶାର ଲୋକମାନଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା, ପ୍ରତିବାଦ ତ ଦୂରର କଥା । ସେହି ଦୃଷ୍ଟିରୁ ଜାତୀୟ ସ୍ତରରେ ହଲ୍ ଚଲ ସୃଷ୍ଟି କଲାଭଳି ଯେତେ ଘଟଣା ଘଟିଲେ ବି ପ୍ରତିକ୍ରିୟା ବା ପ୍ରତିବାଦ ଦେଖିବାକୁ ମିଳିନଥାଏ । ଯେତେବେଳେ ଗୋଟିଏ ଦେଶ, ଗୋଟିଏ ଟିକସ ନାଁରେ ଜି.ଏସ୍.ଟି (ଦ୍ରବ୍ୟ ଓ ସେବା କର) ସମଗ୍ର ଦେଶରେ ଲାଗୁ କରାଗଲା (ଜୁଲାଇ ୧,୨୦୧୭) ଲୋକମାନଙ୍କ କଥା ତ ପରେ ଆସିବ, ଆମ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠି ଅଧିକ ଅସୁବିଧାରେ ପଡ଼ିଲେ, ରାଜ୍ୟମାନେ ସଂଘିୟ ବ୍ୟବସ୍ଥା ଭିତରେ ଥିବା ନିଜର ଆର୍ଥିକ ସ୍ୱାୟତ୍ତତା ବି ହରାଇଲେ ଯେଉଁଥିରେ ସବୁଠାରୁ ଅସୁବିଧାଜନକ ଆର୍ଥିକ ସ୍ଥିତିକୁ ଠେଲି ହୋଇଗଲେ ଅଣଭାଜପା ମେଣ୍ଟର ରାଜ୍ୟ ସରକାରମାନେ; ସେତେବେଳେ ମଧ୍ୟ ପ୍ରତିବାଦ କିଛି ହେଲା ନାହିଁ । ନିଜର ସଂସଦରେ ଥିବା ସଂଖ୍ୟା ଗରିଷ୍ଠତାକୁ ଅସ୍ତ୍ର କରି ମୋଦୀ ସରକାର ଯେତେ ଯେତେ ବିମାନବନ୍ଦର, ସମୁଦ୍ର କୂଳର ବନ୍ଦର, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଭିତ୍ତିଭୂମି ସବୁ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ହାତରେ ଟେକିଦେଲେ ସେତେବେଳେ ମଧ୍ୟ ପ୍ରତିବାଦ କିଛି ନାହିଁ । ଯେଉଁଠି ବି ପ୍ରତିବାଦ ହେଉଛି ସାଧାରଣ ଲୋକଙ୍କ ପାଖକୁ ଖବରଟି ପହଞ୍ଚେନାହିଁ ଯେ ସେମାନେ ଅସଲ କ୍ଷତିଟିକୁ ସହିବାକୁ ଯାଉଛନ୍ତି । ପ୍ରତିବାଦ ହୁଅନ୍ତା କି ନାହିଁ ତାହା ଭିନ୍ନ କଥା । ଏମିତିରେ ଦେଖିବାକୁ ଗଲେ ପ୍ରତିବାଦକୁ ସଙ୍ଗଠିତ କରି ଆଗକୁ ନେବାକୁ ପଡ଼ିଥାଏ । ଯେଉଁ ଶକ୍ତି ମାନେ ଏହି ସବୁ କାମ କରିଆସୁଥିଲେ ଆର୍ଥିକ ଉଦାରବାଦର ଅଦୃଶ୍ୟ ପ୍ରଭାବଶାଳୀ ଚାପରେ ଧିରେ ଧିରେ ସେମାନେ ସମସ୍ତେ ଯେମିତି ନିଷ୍କ୍ରିୟ ଏବଂ ନିଷ୍ପ୍ରଭ ହୋଇଚାଲିଛନ୍ତି । ଏହି ଭିତରେ ଅନେକ ପ୍ରସଙ୍ଗ ଆସିଛି କିନ୍ତୁ ହିନ୍ଦୁ ମୁସଲମାନ ଅଣପ୍ରସଙ୍ଗ ଭିତରେ ଛନ୍ଦି ହୋଇଯାଇଥିବା ଭାରତୀୟମାନେ ସେଥିରୁ ମୁକ୍ତ ନ ହୋଇ ବରଂ ବିଶ୍ୱଗୁରୁ ହେବାର ସ୍ୱପ୍ନ ଦେଖୁଛନ୍ତି । ସବୁଠାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଭାରତର ତଥାକଥିତ ଶିକ୍ଷିତ ଶ୍ରେଣୀ । ଭାରତର ଶିକ୍ଷା କେଉଁ ପ୍ରକାର ଜ୍ଞାନ ଏବଂ ମଣିଷ ପଣିଆ ଶିଖାଉଛି ତାହା ପ୍ରଶ୍ନବାଚୀ ଭିତରେ ଥିବାବେଳେ, ଏବେକାର ଶିକ୍ଷାନୀତି ଅଧିକ ବିଭ୍ରାନ୍ତିପୂର୍ଣ୍ଣ ମାନସିକତା ସମାଜରେ ପ୍ରସାରିତ କରିବା କାମରେ ଲାଗିସାରିଛି । କେତୋଟି ସଂଗଠନକୁ ବାଦ୍ ଦେଲେ ସମାଜରେ ପ୍ରତିବାଦର ସ୍ୱର କିଛି ଶୁଣିବାକୁ ମିଳୁନାହିଁ ।

ଅନେକ ପ୍ରସଙ୍ଗ ଭିତରେ ରହିଛି ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ପ୍ରସଙ୍ଗ ଯାହା ଆମ ଲୋକମାନଙ୍କର ସ୍ମୃତିରୁ ଅପସରି ଯାଇଛି । ଏବେ ସେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଗବେଷଣା ସଂସ୍ଥାର ଆଉଏକ ରିପୋର୍ଟ ଗତ ଅଗଷ୍ଟ ୧୦, ୨୦୨୪ଦିନ ପ୍ରଘଟ ହୋଇ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହାର ପ୍ରଭାବ କେତେଦିନ ବା ରହିବ, ଅତୀତର ଅନୁଭୂତିରୁ ଅନୁମାନ କରିହେଉଛି । ତେବେ ଏବେକାର ରିପୋର୍ଟ ଆଡ଼କୁ ଯିବା ଆଗରୁ, ପୂର୍ବରୁ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ଆମେ କିଛିକଥା ମନେପକାଇବା ଜରୁରୀ ମନେହୁଏ । ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ସଂସ୍ଥାର ପ୍ରଥମ ଚାଞ୍ଚଲ୍ୟକର ରିପୋର୍ଟଟି ଲୋକଲୋଚନକୁ ଆସିଥିଲା ଜାନୁଆରୀ ୨୪,୨୦୨୩ ଦିନ । ସମଦୃଷ୍ଟିର ୧-୧୫ ଫେବୃଆରୀ ୨୦୨୩ ଓ ୧୬-୨୮ ଫେବୃଆରୀ ୨୦୨୩ ସଂଖ୍ୟାର ଦୁଇଟି ସମ୍ପାଦକୀୟରେ ଏହି ରିପୋର୍ଟ ସମ୍ପର୍କରେ ଆମର ସମୀକ୍ଷା ଓ ମତାମତ ରଖାଯାଇଥିଲା । ସେହି ସମୟରେ ଓଡ଼ିଶାର ଗଣମାଧ୍ୟମ ମାନେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ରିପୋର୍ଟକୁ ନେଇ କିଛି ସମୀକ୍ଷା କରିବାକଥା ଆମ ଦୃଷ୍ଟିକୁ ଆସିନଥିଲା । ହିଣ୍ଡେନବର୍ଗ କିଏ ଓ ସେମାନେ କେମିତି ଗୌତମ ଆଦାନୀଙ୍କ କଳାକାରନାମା କଥା ଗବେଷଣା କରି ଲୋକଲୋଚନକୁ ଆଣିଛନ୍ତି ସାଧାରଣଲୋକେ ବା ଜାଣିପାରନ୍ତେ କିପରି! ଓଡ଼ିଶା ଯେହେତୁ କେତୋଟି ହାତଗଣତି କମ୍ପାନୀମାନଙ୍କ ହାତକୁ ଚାଲିଯାଇଛି (ସରକାର ଯେଉଁ ଦଳର ଥାଉନା କାହିଁକି) ଏବଂ ଆଦାନୀ ସେ ଭିତରେ ପ୍ରମୁଖ ସ୍ଥାନରେ ଅଛନ୍ତି; ସେହି ଦୃଷ୍ଟିରୁ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଦ୍ୱାରା ପ୍ରକାଶିତ ପ୍ରଥମ ରିପୋର୍ଟଟି ଓଡ଼ିଶାର ଲୋକଙ୍କ ଭିତରେ ବେଶୀ ଆଲୋଚିତ ହେବା ଦରକାର ଥିଲା । କିନ୍ତୁ ସେଭଳି କିଛି ହେଲାନାହିଁ । ଏବେ ହିଣ୍ଡେନବର୍ଗଙ୍କର ଦ୍ୱିତୀୟ ରିପୋର୍ଟଟି ଆସିସାରିଛି ଯାହା ପ୍ରଥମ ରିପୋର୍ଟର ଅନୁସନ୍ଧାନ ଦାୟିତ୍ୱ ନେଇଥିବା ଏବଂ ଏଯାବତ୍ କୌଣସି ଚୁଡ଼ାନ୍ତ ରିପୋର୍ଟ ଦାଖଲ କରିପାରିନଥିବା ଭାରତର ଏକ ପ୍ରମୁଖ ସଂସ୍ଥା ସେବି (SEBI)ର ଭୂମିକାକୁ ବିବାଦ ଭିତରକୁ ନେଇ ଆସିଛି । ପ୍ରଥମ ରିପୋର୍ଟକୁ ମନେ ନରଖିଥିବା ଲୋକମାନେ ଏହି ଦ୍ୱିତୀୟ ରିପୋର୍ଟକୁ ବୁଝିବେ ବା କେମିତି ! ସେହିଭଳି ପ୍ରଥମ ରିପୋର୍ଟର ଉପଯୁକ୍ତ ସମୀକ୍ଷା କରିନଥିବା ଗଣମାଧ୍ୟମ ଏବେ ଦ୍ୱିତୀୟ ରିପୋର୍ଟକୁ ନେଇ କ’ଣ ବା ଲେଖିବେ! କିନ୍ତୁ ଗୋଟିଏ କଥା ଚାଲିବ ଯାହା ପ୍ରଥମ ରିପୋର୍ଟ ଆସିବା ପରେ ବି ଚାଲିଥିଲା । ଯେମିତିକି “ଏହି ଗବେଷଣା ସଂସ୍ଥାଟି ବିଦେଶୀ ଶକ୍ତିଙ୍କ ଦ୍ୱାରା ପରିଚାଳିତ ଯେଉଁମାନେ ଭାରତର ହିତ ଚାହୁଁନାହାଁନ୍ତି” ଏବଂ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଥମେ ଆଦାନୀ ଏବଂ ଏବେ ଆଦାନୀଙ୍କ କଳାକାରନାମାକୁ ଅନୁସନ୍ଧାନ କରୁଥିବା ସେବି ସଂସ୍ଥା ପଛରେ ପଡ଼ିଛନ୍ତି । ଆମ ଲୋକେ ଏଭଳି କଥାକୁ ମଧ୍ୟ ଯେମିତି ବିଶ୍ୱାସ କରିବେ ସେଥିପାଇଁ ୧୦କୋଟିରୁ ଅଧିକ ସଂଘ ପରିବାର ସଦସ୍ୟ ଓ ଅନୁଗାମୀମାନେ ମଧ୍ୟ କାମ କରିବେ । ତେବେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ନିଜର ଦୁଇ ବର୍ଷର ଗବେଷଣା ପରେ ଯେଉଁ ପ୍ରଥମ ରିପୋର୍ଟ ଉନ୍ମୋଚନ କରିଥିଲେ, ତାହା ନଜାଣି ଦ୍ୱିତୀୟ ରିପୋର୍ଟର ଗୁରୁତ୍ୱକୁ ବୁଝିହେବ ନାହିଁ । ପ୍ରଥମ ରିପୋର୍ଟ ସମ୍ପର୍କରେ ସେତେବେଳେ ଆମେ ଯାହା ଲେଖିଥିଲୁ ତାହା ନିମ୍ନରେ ଦିଆଗଲା ।

“ଏମାନଙ୍କର ଦୁଇବର୍ଷର ଗବେଷଣା ପରେ ସଂସ୍ଥାଟି ଜାଣିବାକୁ ପାଇଛନ୍ତି ଯେ ଭାରତର ଜଣେ ଲକ୍ଷ କୋଟିପତି, ଏସିଆର ସବୁଠାରୁ ଧନୀ ତଥା ବିଶ୍ୱର ତୃତୀୟ ଧନୀବ୍ୟକ୍ତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଘନିଷ୍ଠବନ୍ଧୁ ଶ୍ରୀ ଗୌତମ ଆଦାନୀଙ୍କ କମ୍ପାନୀସମୂହ ଖୋଲାଖୋଲି ଭାବେ ନିଜର ଅଂଶଧନ ଗୁଡ଼ିକୁ ହଟଚମଟ କରି, କୃତ୍ରିମ ଭାବେ ବୃଦ୍ଧିକରି ଏବଂ ଗୋଟିଏ ଦଶନ୍ଧି ଧରି ହିସାବଖାତାରେ ଜାଲିଆତି କରି ୧୨୦ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ପାଇଛନ୍ତି । ଗଣିତଟି ନିଜେ କରିଲେ ଅଧିକ ବୁଝିପାରିବା । ୧୦୦କୋଟିରେ ଗୋଟିଏ ବିଲିୟନ ହୁଏ । ୧୨୦ ବିଲିୟନ ଡଲାର ଅନ୍ୟଅର୍ଥରେ ୧୨ହଜାର କୋଟି ଡଲାରକୁ ବୁଝାଇବ । ଆଜିର ଦିନରେ ଗୋଟିଏ ଡଲାର ବଦଳରେ ୮୨ଭାରତୀୟ ଟଙ୍କା ମିଳିଥାଏ । ଅର୍ଥାତ୍ ୧୨ହଜାର କୋଟି ଡଲାରକୁ ଯଦି ୮୨ରେ ଗୁଣାଯିବ, ତେବେ ତାହା ୯ଲକ୍ଷ ୮୪ହଜାର କୋଟି ଟଙ୍କା ବା ପାଖାପାଖି ୧୦ଲକ୍ଷ କୋଟି ଟଙ୍କା ହେବ । ଗତବର୍ଷ ଭାରତ ସରକାରଙ୍କର ବାର୍ଷିକ ବଜେଟର ପରିମାଣ ୪୯ଲକ୍ଷ କୋଟିରୁ କିଛି ଅଧିକ ଟଙ୍କା ଥିଲା । ଅର୍ଥାତ୍ ଗୌତମ ଆଦାନୀଙ୍କ ‘ଅନୈତିକ’ ବ୍ୟବସାୟରୁ ମାତ୍ର କିଛିବର୍ଷରେ ମିଳିଥିବା ଟଙ୍କା ଭାରତର ବିଗତବର୍ଷର ବଜେଟର ୫ଭାଗରୁ ଗୋଟିଏ ଭାଗ ସହ ସମତୁଲ ହେବ । ଚିନ୍ତାର ବିଷୟ ଏହା ଯେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଅନୁସାରେ ୧୨୦ବିଲିୟନ ଆମେରିକୀୟ ଡଲାର ମଧ୍ୟରୁ ସର୍ବାଧିକ ୧୦୦ବିଲିୟନ ଡଲାର ଗୌତମ ଆଦାନୀଙ୍କୁ କେବଳ ଗତ ତିନିବର୍ଷ ମଧ୍ୟରେ ମିଳିଛି । ଏହା ସମ୍ଭବ ହୋଇଛି କେବଳ ନିଜର ପ୍ରମୁଖ ୭ଟି କମ୍ପାନୀର ଅଂଶଧନର ମୂଲ୍ୟକୁ କୃତ୍ରିମଭାବେ ବହୁ ପରିମାଣରେ ବଢ଼ାଇ ଦିଆଯାଇଥିବା ଯୋଗୁଁ । ଭାରତର ବ୍ୟବସାୟିକ ଇତିହାସରେ ଗୋଟିଏ ଟଙ୍କାର ମୂଲ୍ୟ ତିନିବର୍ଷ ଭିତରେ ୮ଶହ ୧୯ଟଙ୍କାରେ ପହଞ୍ଚିଯିବାର ବିସ୍ମୟକର ଉଦାହରଣ କେବେ ଦେଖିବାକୁ ମିଳିନଥିଲା । ଆଦାନୀଙ୍କର ୭ଟି ପ୍ରମୁଖ କମ୍ପାନୀ ନିଜ ଅଂଶଧନର ମୂଲ୍ୟ କୃତ୍ରିମ ଭାବେ କେବଳ ବୃଦ୍ଧି କରିଛନ୍ତି ତାହା ନୁହଁ, ସେମାନେ ମଧ୍ୟ ସରକାରୀ ଅର୍ଥଲଗାଣ ସଂସ୍ଥା ମାନଙ୍କଠାରୁ କୃତ୍ରିମଭାବେ ବଢ଼ାଇ ଦିଆଯାଇଥିବା ଅଂଶଧନକୁ ବନ୍ଧକ ରଖି ମାତ୍ରାଧିକ ଋଣ ମଧ୍ୟ ନେଇଛନ୍ତି । ଆଦାନୀଙ୍କ ପରିବାରର ୮ଜଣ ପ୍ରମୁଖ ସମ୍ପର୍କିୟ କମ୍ପାନୀର ୨୨ଜଣ ମୁଖ୍ୟ ନେତୃତ୍ୱଙ୍କ ଭିତରେ ଅଛନ୍ତି । ଏହା ଫଳରେ ଆର୍ଥିକ କାରବାରର ନିଷ୍ପତ୍ତି ଓ ନିୟନ୍ତ୍ରଣ ସମ୍ପୂର୍ଣ୍ଣଭାବେ ପରିବାର ହାତକୁ ଚାଲିଯାଇଛି । ଏହି କମ୍ପାନୀରେ କାମ କରୁଥିବା ପୂର୍ବତନ ପଦସ୍ଥ ଅଧିକାରୀମାନେ ମଧ୍ୟ ହିଣ୍ଡେନବର୍ଗଙ୍କୁ କହିଛନ୍ତିଯେ ଆଦାନୀ ଗୋଷ୍ଠିଟି ଏକ ପାରିବାରିକ ବ୍ୟବସାୟିକ ସଂସ୍ଥା ହୋଇଯାଇଛି ।

ଆଦାନୀଙ୍କ ଇତିହାସଟି ଆଗରୁ ମଧ୍ୟ ଭଲ ନଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି । ନିଜ ପରିବାରର ଲୋକେ ଅନ୍ୟ ଦେଶ ବା ଟିକସ ନପଡ଼ୁଥିବା ସ୍ଥାନଗୁଡ଼ିକୁ (ଯାହାକୁ ଟିକସର ସ୍ୱର୍ଗ କୁହାଯାଏ) ଯଥା ମରିସସ୍, ସଂଯୁକ୍ତ ଆରବ ଏମିରେଟସ୍ ଏବଂ କାରାବିୟନ ଦ୍ୱୀପପୁଞ୍ଜ ଗୁଡ଼ିକରେ ମିଛ କମ୍ପାନୀ (ଯାହାର କିଛି କାରବାର ନଥାଏ) ପ୍ରତିଷ୍ଠାକରି ମୂଳ ଆଦାନୀ କମ୍ପାନୀମାନଙ୍କ ଠାରୁ ଅର୍ଥଚାଲାଣ କରି ଆସିଛନ୍ତି । ୨୦୦୪-୨୦୦୫ ମସିହାରେ (ସେତେବେଳେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଥଲେ) ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀଙ୍କୁ ଭାରତ ସରକାରଙ୍କର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରାରେ ହୀରା କାରବାର କରୁଥିବାଯୋଗୁଁ ଅଭିଯୁକ୍ତ କରିଥିଲେ । ରାଜେଶ ଆଦାନୀଙ୍କୁ ଜାଲିଆତି ଓ ଟିକସ୍ ଫାଙ୍କିବା ଅଭିଯୋଗରେ ଦୁଇଥର ଜେଲ୍ ଯିବାକୁ ପଡ଼ିଥିଲା । ଏହି ମହାଶୟ ପରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହେଲେ । ସେହି ହୀରା କଳାବଜାର କାରବାରରେ ଆଦାନୀଙ୍କ ଅତି ନିକଟ ସମ୍ପର୍କିୟ ସମିର ଭୋରା ରିଙ୍ଗ ଲିଡ଼ର ଥିଲେ ବୋଲି ଏହି ନିର୍ଦ୍ଦେଶାଳୟ ଅଭିଯୋଗ ଆଣିଥିଲା । ପରେ ଏହି ମହାଶୟ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇପାରିଲେ । ରିପୋର୍ଟରେ କୁହାଯାଇଛି ଯେ ଆଦାନୀଙ୍କ ବଡ଼ଭାଇ ବିନୋଦ ଆଦାନୀ ମଧ୍ୟ ଏକ ବିଭ୍ରାନ୍ତିପୂର୍ଣ୍ଣ ଚରିତ୍ର ଥିଲେ । ସେ ସରକାରୀ ଅନୁସନ୍ଧାନଗୁଡ଼ିକର କେନ୍ଦ୍ରରେ ରହି ଆସିଛନ୍ତି । ମିଛକମ୍ପାନୀ ବିଦେଶରେ ଖୋଲି ତାହାରି ମାଧ୍ୟମରେ ପୁଞ୍ଜି କାରବାର କରିବା ତାଙ୍କର ଏକ ପ୍ରମୁଖ କାମ ରହିଆସିଛି । କେବଳ ମରିସସ୍ରେ ୩୮ଟି ମିଛ କମ୍ପାନୀ ଏବଂ ଏଥି ସହିତ ସାଇପ୍ରସ୍, ୟୁ.ଏ.ଇ, ସିଙ୍ଗାପୁର ଓ ଅନ୍ୟ କାର୍ବିୟନ ଦ୍ୱୀପଗୁଡ଼ିକରେ ମଧ୍ୟ ବିନୋଦ ମିଛ କମ୍ପାନୀର ସାମ୍ରାଜ୍ୟ ବିସ୍ତାର କରି ଆସିଛନ୍ତି । ରିପୋର୍ଟ ମୁତାବକ ଏହିସବୁ କମ୍ପାନୀ ମାନଙ୍କର ଠିକଣା, କର୍ମଚାରୀମାନଙ୍କ ନାମ ବା ଟେଲିଫୋନ୍ ନଂ ଖୋଜିଲେ ବି ମିଳିନଥାଏ । ସେହି ସବୁ ସତ୍ତ୍ୱେ ଆଦାନୀଙ୍କ ଭାରତୀୟ କମ୍ପାନୀମାନଙ୍କ ପାଇଁ ସେମାନେ ହଜାର ହଜାର କୋଟି ଡଲାରର ବିଦେଶୀ ପୁଞ୍ଜି ଯୋଗାଡ଼ କରିପାରିଛନ୍ତି । ନିଜ ପରିବାର ଦ୍ୱାରା ସର୍ବାଧିକ ଅଂଶଧନ ରଖିଥିବା ଯୋଗୁଁ ଆଦାନୀ କମ୍ପାନୀଗୁଡ଼ିକ ‘ପବ୍ଲିକ୍’ କମ୍ପାନୀ ପର୍ଯ୍ୟାୟଭୁକ୍ତ ହେବା କଥା ନୁହଁ । କିନ୍ତୁ ଆଦାନୀ ଗୃପ ପ୍ରତି ସରକାରଙ୍କର ‘ସେବି’ (SEBI) ସଂସ୍ଥା ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସବୁଠାରୁ କୌତୁହଳର କଥାଯେ ଆଦାନୀ ଏଣ୍ଟରପ୍ରାଇଜେସ୍ ଓ ଆଦାନୀ ଟୋଟାଲ୍ ଗ୍ୟାସ ନାମକ ଦୁଇଟି ବିରାଟ କମ୍ପାନୀର ବାର୍ଷିକ ଅଡ଼ିଟ୍ ଯେଉଁ ‘ସାହା ଧନ୍ଧାରିଆ ପାଟନରସ୍’ କରୁଛନ୍ତି ସେମାନଙ୍କର ବୟସ ୨୪ ଓ ୨୩ବର୍ଷ । ଏତେ ବିରାଟ କମ୍ପାନୀ କୌଣସି ଅଭିଜ୍ଞତା ନଥିବା ଅଡ଼ିଟରମାନଙ୍କୁ ନିଯୁକ୍ତ କରିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତି ସନ୍ଦେହ ବଢ଼ାଇବା ସ୍ୱାଭାବିକ । ରିପୋର୍ଟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି ଯେ, ଯେତେବେଳେ କି ଗୌତମ ଆଦାନୀ ଦାବି କରନ୍ତି ଯେ ସେ ସବୁ ସମାଲୋଚନାକୁ ଖୋଲାମନରେ ନେଇଥାନ୍ତି ଯେହେତୁ ସେଥିରୁ ତାଙ୍କୁ ଶିଖିବାର ସୁଯୋଗ ମିଳିଥାଏ, କିନ୍ତୁ ପ୍ରକୃତରେ ସେ ସେଭଳି କରିନ୍ତି ନାହିଁ । ତାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକ ବା ସମାଲୋଚକମାନଙ୍କୁ ସେ ସରକାରଙ୍କ ଉପରେ ଥିବା ନିଜର ପ୍ରଚଣ୍ଡ ପ୍ରଭାବକୁ ବ୍ୟବହାର କରି ଜେଲ୍କୁ ପଠାଇ ଦିଅନ୍ତି ବା ଆଇନଗତ ମାମଲାରେ ଛନ୍ଦି ଦିଅନ୍ତି ।”

ତେବେ ପ୍ରଥମ ରିପୋର୍ଟ ସମ୍ପର୍କରେ ଅଧିକ ଆଲୋଚନା ନକରି ଏତିକି କୁହାଯାଇ ପାରେ ଯେ ଉଚ୍ଚତମ ନ୍ୟାୟାଳୟଙ୍କର ସହମତିରେ ଏହାର ଅନୁସନ୍ଧାନ ଦାୟିତ୍ୱ ସେବି ସଂସ୍ଥା ନେଇଥିଲେ । ଏବେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ର ଦ୍ୱିତୀୟ ରିପୋର୍ଟଟି ସେବି ସଂସ୍ଥାର ମୁଖ୍ୟ ମାଧବୀ ବୁଚ୍ ଙ୍କ ବିବାଦୀୟ ଭୂମିକାକୁ ପଦାକୁ ଆଣିଛି । ମାଧବୀ ଏବଂ ତାଙ୍କ ସ୍ୱାମୀ ଧାବଲ୍ ବୁଚ୍ ଉଭୟେ ପରୋକ୍ଷଭାବେ ଆଦାନୀ କମ୍ପାନୀର ଆଉ ଏକ ସଂସ୍ଥା ସହିତ ଜଡ଼ିତ ରହିଛନ୍ତି । ମାଧବୀ ‘ଆଗୋରା ଆଡ଼ଭାଇଜରୀ’ ନାମକ ଏକ ସଂସ୍ଥା ଯାହା ଭାରତରେ ଅଛି ଏବଂ ‘ଆଗୋରା କନସଲଟିଙ୍ଗ’ ସଂସ୍ଥା ଯାହା ସିଙ୍ଗାପୁରରେ ଅଛି ଉଭୟର ସ୍ରଷ୍ଟା ଏବଂ ସେ ସେବିର ଅଧ୍ୟକ୍ଷ ହେବାପରେ ବି ତାଙ୍କ କମ୍ପାନୀ ଗୁଡ଼ିକ ସକ୍ରିୟ ଅଛନ୍ତି, ଲାଭ କରୁଛନ୍ତି ଏବଂ ଗୌତମ ଆଦାନୀଙ୍କ ବଡ଼ଭାଇ ବିନୋଦ ଆଦାନୀଙ୍କର ଦେଶ ବାହାରେ ଥିବା ସଂସ୍ଥାମାନଙ୍କ ସହ ଏହି କମ୍ପାନୀ ମାନଙ୍କର ସମ୍ପର୍କ ରହିଆସିଛି । ବିସ୍ତାର ରୂପେ ରିପୋର୍ଟର ସମୀକ୍ଷା ନକରି ଏତିକି କୁହାଯାଇ ପାରେ ଯେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ପ୍ରଥମ ରିପୋର୍ଟର ଅନୁସନ୍ଧାନ ଦାୟିତ୍ୱ ନେଇଥିବା ଭାରତ ସରକାରଙ୍କର ସଂସ୍ଥା ସେବିର ଅଧ୍ୟକ୍ଷା ମାଧବୀ ବୁଚ୍ ଜଣେ ନିରପେକ୍ଷ ବ୍ୟକ୍ତି ନୁହଁନ୍ତି ଏବଂ ଆଦାନୀ ସମୁଦାୟ ସହିତ ତାଙ୍କ ପରିବାରର ବ୍ୟବସାୟିକ ସମ୍ପର୍କ ରହିଛି ।

ଭାରତରେ ବ୍ୟବସାୟିକ କାରବାର ଅନୈତିକତାର ସବୁ ସୀମା ଟପି ସାରିଛି । ନିଜର ପରମ ବନ୍ଧୁ ଗୌତମ ଆଦାନୀଙ୍କ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରହିବା ଏହି ଅନୈତିକ ସମ୍ରାଜ୍ୟକୁ ଅଧିକ ମଜବୁତ୍ କରୁଛି । ଆମେ ଆଶାକରିବା ଭାରତର ରାଜନୈତିକ ଦଳମାନେ ଅର୍ଥନୈତିକ କାରବାର ପାଇଁ ନୂତନ ବିକଳ୍ପ ଖୋଜିବା ସହ ସାଧାରଣ ଲୋକଙ୍କୁ ଯାହା ଚାଲିଛି ସେ ସମ୍ପର୍କରେ ସମ୍ପୁର୍ଣ୍ଣ ଭାବରେ ଅବଗତ କରାଇବେ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.