ପୋଲାଭରମ୍ !

ଥରକୁ ଥର କେନ୍ଦ୍ର ଓ ରାଜ୍ୟରେ ଶାସନଗାଦିକୁ ଆସିଥିବା ସରକାରମାନେ ସାଧାରଣ କୃଷକ ଓ କୃଷିଜୀବୀଙ୍କୁ କ୍ରମାଗତ ଭାବେ ଅଣଦେଖା କରିଆସୁଥିବା ବେଳେ ଏବଂ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ଅଣଚାଷ କାମପାଇଁ ବା ଶିଳ୍ପ ପାଇଁ ବିନା ବିଚାରରେ ଦେଇ ଚାଲିଥିବାବେଳେ, ହଠାତ୍ ପୁଣି ଜଳସେଚନଟି ସରକାରମାନଙ୍କର କାର୍ଯ୍ୟସୂଚୀକୁ କେମିତି ଆସିଲା(?), ଅନେକଙ୍କ ମନରେ କୌତୁହଳ ସୃଷ୍ଟି କରିବା ସ୍ୱାଭାବିକ । ସବୁଜ ବିପ୍ଳବର ବାହାନାରେ ଅନେକ ଜଳସେଚନ ପ୍ରକଳ୍ପ ହାତକୁ ନିଆଗଲା । ସେ ମଧ୍ୟରୁ କେତେ ସାଧାରଣ ଚାଷୀର ସେବାରେ ଆସିଲା ଓ ଆଉ କେତେ ଶିଳ୍ପସଂସ୍ଥାର କାମରେ ଲାଗିଲା, ଓଡ଼ିଶାର ରେଙ୍ଗାଲୀ ପ୍ରକଳ୍ପ ତା’ର ଏକ ଜ୍ୱଳନ୍ତ ନମୂନା । ହୀରାକୁଦର ପାଣିରୁ ଚାଷୀଙ୍କୁ ବଞ୍ଚିତ କରି ଶିଳ୍ପସଂସ୍ଥାମାନଙ୍କୁ ଦିଆଯାଉଛି ବୋଲି ପଶ୍ଚିମଓଡ଼ିଶାର ଚାଷୀକୂଳ ଦୀର୍ଘ ୫/୬ବର୍ଷ ହେବ ଜୋରଦାର ଆନ୍ଦୋଳନ ଜାରି ରଖିଛନ୍ତି । ଫେଲିକ୍ସ ପାଡ଼େଲ ଓ ସମରେନ୍ଦ୍ର ଦାସ ‘ସମଦୃଷ୍ଟି’ର ପୃଷ୍ଠାରେ ଆଗରୁ କହିସାରିଛନ୍ତି ଯେ, ବିଶ୍ୱରେ ଯେତେସବୁ ଚର୍ଚ୍ଚିତ ନଦୀବନ୍ଧ ଯେଉଁସବୁ ଦେଶରେ ହୋଇଛି, ତାହା କେମିତି କୃଷି ନୁହଁ, ଅନ୍ୟସବୁ କାରଣ ପାଇଁ କରାଯାଇଛି । ଏବେ ବିଶ୍ୱରେ ନିର୍ମାଣ ମାଫିଆ(ଯେଉଁମାନେ କେବଳ ଭିତ୍ତିଭୂମି/କୋଠାବାଡ଼ି/ନଦୀବନ୍ଧ/ ରାସ୍ତା ତିଆରି କରି ନିଜ ପ୍ରାଚୁର୍ଯ୍ୟ ନିର୍ମାଣ କରନ୍ତି) ମାନେ ଏଭଳି କ୍ଷେତ୍ରସବୁ ଖୋଜୁଛନ୍ତି ଯେଉଁଠି ତାଙ୍କୁ ପର୍ଯ୍ୟାପ୍ତ ପରିମାଣର ଲାଭ ମିଳିବ । ଏହି ମାଫିଆଙ୍କର ସବୁଦଳର ନେତୃବର୍ଗ ଓ ଅମଲାମାନଙ୍କ ସାଙ୍ଗରେ ନିବିଡ଼ ସମ୍ପର୍କ । ଆଜି ଯଦି ପୋଲାଭରମ୍ ବନ୍ଧ କାମର ଠିକା ନେଇଥିବା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆନ୍ଧ୍ରମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସମ୍ପର୍କୀୟଙ୍କୁ ନମିଳି ଓଡ଼ିଶାର ମହିମା ମିଶ୍ର ବା ନବ ଦାସଙ୍କୁ ମିଳିଥାନ୍ତା, ହୁଏତ ପୋଲାଭରମ ବିତର୍କରସ୍ୱରୂପ ଭିନ୍ନ ହୋଇଥାନ୍ତା ।

ପୋଲାଭରମ୍ ପ୍ରକଳ୍ପ ଭଳି ଅନେକ ପ୍ରକଳ୍ପ ଅନେକ ବର୍ଷ ହେଲା ସ୍ୱପ୍ନ ଓ ସମ୍ଭାବନା ସ୍ତରରେ ରହିଆସିଛି । ତାକୁ ବାସ୍ତବ ରୂପ ଦେବାପାଇଁ ଯେତେବେଳେ ଉଦ୍ୟମ ହେଉଛି, ସେତେବେଳେ ଆମକୁ ଭାବିନେବାକୁ ହେବ ଯେ, ଏହିସବୁ ପ୍ରକଳ୍ପର ଆବଶ୍ୟକତା ଆଦୌ ନାହିଁ । ଅତଏବ, ଆମକୁ ବୁଝିବାକୁ ପଡ଼ିବ ଯେଉଁସବୁ କାରଣ ଯୋଗୁଁ ଗୋଟିଏ ପ୍ରକଳ୍ପକୁ ଜାତୀୟ ସ୍ୱାର୍ଥ, ରାଜ୍ୟର ସ୍ୱାର୍ଥ, କୃଷିର ସ୍ୱାର୍ଥ ବା ବିକାଶର ଆବଶ୍ୟକତା ହିସାବରେ ଉପସ୍ଥାପନ କରାଯାଉଛି , ତା’ର ଅସଲ କାରଣ ସବୁ କ’ଣ? ଏକଥା ଆମକୁ ମାନିନେବାକୁ ହେବ ଯେ, କୌଣସି ବି ଦଳର ସରକାରଙ୍କ କାର୍ଯ୍ୟସୂଚୀରେ ସାଧାରଣ ଭାରତୀୟ ନାହାନ୍ତି । ତା’ହେଲେ ଯାଇ ଏମାନଙ୍କ ଘୋଷିତ ଉଦେଶ୍ୟ ଓ ପ୍ରକୃତ ଉଦେଶ୍ୟ ଭିତରେ ଥିବା ଅନ୍ତରଟି ଆମ ଆଖିକୁ ଦେଖାଯିବ ।

ପୋଲାଭରମ୍ର ଘୋଷିତ ଉଦେଶ୍ୟ ଭିତରେ ଥିଲା ଯେ ଏହି ପ୍ରସ୍ତାବିତ ପ୍ରକଳ୍ପଟି ୮୦ହଜାର ନିୟୁତ କୁ୍ୟବିକ ମିଟର ପାଣି ଦୁଇଟି କେନାଲ ମାଧ୍ୟମରେ ବାହାରକୁ ନେବ । ଦକ୍ଷିଣପାଶ୍ୱର୍ର ୧୭୪କି.ମି. ଲମ୍ବା କେନାଲରେ ଏଠାରୁ ପାଣି ଯିବ କ୍ରିଷ୍ଣାନଦୀ ଅବବାହିକାକୁ । ଅନ୍ୟ କେନାଲଟି ବାମ ପାଶ୍ୱର୍ରେ ୧୮୧କି.ମି. ଲମ୍ବା ରାସ୍ତାରେ ବିଶାଖାପାଟଣା ସହରକୁ ଯିବ । ପୋଲାଭରମ୍ ର ପାଣି କ୍ରିଷ୍ଣା, ପୂର୍ବ ଓ ପଶ୍ଚିମ ଗୋଦାବରୀ ତଥା ବିଶାଖାପାଟଣାମ୍ ଜିଲ୍ଲାର ୭.୨୧ଲକ୍ଷ ଏକରଜମିକୁ ପାଣି ମଡ଼ାଇବ । ଏଥିସହିତ ୬୬୦ ମେଗାୱାଟ ବିଦ୍ୟୁତଶକ୍ତି ମଧ୍ୟ ଉତ୍ପାଦନ କରିବ ।

ଓଡ଼ିଶା ସରକାର ଏଯାଏଁ ଓଡ଼ିଶାର କେଉଁ ଆବଶ୍ୟକତାକୁ ଏହି ପ୍ରକଳ୍ପ ପୂରଣ କରିବ, ଓଡ଼ିଶାର କେତେ କ୍ଷତି ହେବ ବା ଓଡ଼ିଶା ଏହି ପ୍ରକଳ୍ପରୁ କ’ଣ ପାଇବ ଓ କ’ଣ ହରାଇବ ତାହାର ଅନୁଧ୍ୟାନ ବା ଆକଳନ ସଠିକ୍ ଭାବେ କରିନାହାନ୍ତି । ବର୍ତ୍ତମାନ ଯାହାବି କ୍ଷତି ଅବା ଲାଭ କେବଳ ଆନ୍ଧ୍ର ସମ୍ପର୍କରେ ହିଁ ଜଣାପଡ଼ୁଛି । ଜୁଲାଇ ୨୯-୩୧, ୨୦୦୬ରେ ଉଚ୍ଚତମ ଅଦାଲତ ଜଙ୍ଗଲ ଖଣ୍ଡପୀଠକୁ ସାହାଯ୍ୟ କରୁଥିବା ଉଚ୍ଚକ୍ଷମତାସମ୍ପନ୍ନ କମିଟିର ଯେଉଁ ଦଳ ପୋଲାଭରମ୍ ଗସ୍ତ କରିଥିଲେ, ସେମାନେ ମଧ୍ୟ ଓଡ଼ିଶା ବା ଛତିଶଗଡ଼ ଗସ୍ତ କରିନାହାନ୍ତି । ଆନ୍ଧ୍ରପ୍ରଦେଶରେ ବି ସେମାନଙ୍କ ଗସ୍ତ ଅତି ସଂକ୍ଷିପ୍ତ ଥିଲା ଏବଂ କେବଳ ସରକାରୀ କଳ ସହ ଆଲୋଚନା କରି ଚାଲିଯାଇଥିବା ଯୋଗୁଁ ଏକ ବିବାଦୀୟ ଗସ୍ତ ହିସାବରେ ଦେଖାଯାଇଥିଲା । ବିଶ୍ୱର ଯେକୌଣସି ନଦୀବନ୍ଧ ବୁଡ଼ିଅଞ୍ଚଳର ହିତରେ ଆସିନାହିଁ । ପୋଲାଭରମ୍ ଓଡ଼ିଶାର ହିତରେ କେମିତି ଆସନ୍ତା? ଓଡ଼ିଶା କାହିଁକି ଖୋଦ୍ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହି ପ୍ରକଳ୍ପ ପ୍ରଭୂତ କ୍ଷତି ପହଞ୍ଚାଇବ-୨୭୬ଟି ଗାଁ, ୨ଲକ୍ଷ ୩୭ହଜାର ଲୋକ, ଲକ୍ଷ ଲକ୍ଷ ଏକରର ଚାଷଜମି, ଜଙ୍ଗଲଜମି, ଜଙ୍ଗଲ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ, ଜୀବନ-ଜୀବିକାର ଅନେକ ଉତ୍ସ ଇତ୍ୟାଦି ପାଣିଭିତରେ ବୁଡ଼ିଯିବ । ସେ ଭିତରେ ୫୩ଭାଗ ଆଦିବାସୀ ପାଣିରେ ସମାଧି ନେବେ, ସେମାନଙ୍କ ଭିତରେ ଅଛନ୍ତି କୋୟା ଓ କୋଣ୍ଡାରେଡ୍ଡୀ ସମ୍ପ୍ରଦାୟର ସଂଖ୍ୟାଧିକ ଆଦିବାସୀ । ଓଡ଼ିଶା ସରକାର ଏଯାଏଁ ଓଡ଼ିଶାବାସୀଙ୍କ ନିକଟରେ ପୋଲାଭରମ୍ କୁ ନେଇ ଏକ ସ୍ପଷ୍ଟ ଚିତ୍ର ଦେଇପାରିନାହାନ୍ତି । ବେଦାନ୍ତ ପ୍ରୀତିରେ ମସଗୁଲ୍ ବିଜୁ ଜନତା ଦଳର କିଛି ରାଜନୈତିକ ପ୍ରତିକ୍ରିୟା ଓ ଔପଚାରିକତା ଦୃଷ୍ଟିରୁ ସୁପ୍ରିମକୋର୍ଟର ଏକ ମାମଲାରେ ଭାଗନେବା ବ୍ୟତୀତ ପୋଲାଭରମ୍ ଦ୍ୱାରା ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ବୈଜ୍ଞାନିକ ତଥ୍ୟ ବା ଅନୁଧ୍ୟାନ ନାହିଁ । ଯଦି ପୋଲାଭରମ୍ କୁ ନେଇ ଏକ ଶ୍ୱେତପତ୍ର ପ୍ରକାଶନ ପାଇଁ ଅପାରଗ ବିରୋଧୀଦଳ ଆକସ୍ମିକ ଭାବେ ଦାବୀ କରନ୍ତି, ରାଜ୍ୟ ସରକାର ଅଡ଼ୁଆରେ ପଡ଼ିବେ । ଓଡ଼ିଶାର କେତେ ଅଞ୍ଚଳ ଜଳମଗ୍ନ ହେବ, ତା’ର କୌଣସି ସ୍ୱାଧୀନ ଅଧ୍ୟୟନ ଏଯାଏଁ ହୋଇନାହିଁ ।

ଅପରପକ୍ଷେ ପୋଲାଭରମ୍ ଏକ ଅବାସ୍ତବ ପ୍ରକଳ୍ପ ବୋଲି ଆରମ୍ଭରୁ ହିଁ କିଛି ବଳିଷ୍ଠ ଚିକ୍ରାର ଶୁଣିବାକୁ ମିଳୁଛି । ଗୀତମ ଇଞ୍ଜିନିୟରିଂ କଲେଜର ପ୍ରଫେସର ଟି. ଶିବାଜୀ ରାଓଙ୍କ ମତରେ, ନଦୀବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ଓ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ଭିତରେ ଥିବା ବଳକା ପାଣିଗୁଡ଼ିକ ପାଇଁ ବନ୍ଧର ବାମ ଓ ଡାହାଣ ପଟେ ଯେଉଁ ବଳକା ଜଳ ନିର୍ଗତ ରାସ୍ତା (ସ୍ପିଲ୍ ୱେ) ନିର୍ମାଣ କରାଯିବ , ତାହା ଯେଉଁଭଳି ପରିକଳ୍ପନା କରାଯାଉଛି ନିଶ୍ଚିତ ଭାବେ ଭୁଷୁଡ଼ିଯିବ; ଯାହାକି ୧୯୮୩ମସିହାରେ ଆନ୍ଧ୍ର ତଥା ଦେଶର ଜଣେ ସର୍ବୋଚ୍ଚ ବିଶେଷଜ୍ଞ ଡଃ.କେ.ଏଲ୍ ରାଓ ମତବ୍ୟକ୍ତ କରିଥିଲେ । ପ୍ରଫେସର ଶିବାଜୀ ରାଓ ପୁଣି କୁହନ୍ତି ଯେ, ଏହା ସ୍ପଷ୍ଟ ନୁହେଁ ଯେ ଓଡ଼ିଶା ଓ ଛତିଶଗଡ଼ ଏହି ପ୍ରକଳ୍ପଟିକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି । ବଳକା ୩୬ଲକ୍ଷ କୁ୍ୟସେକ ପାଣି ନିର୍ଗତ ହେବ ବୋଲି ଯାହା କୁହାଯାଉଛି ତାହା ପୁରୁଣା ଡିଜାଇନର ଅଂଶ ଯାହାକି ୫୦୦ବର୍ଷ ସୀମା ଢାଞ୍ଚାରେ ତିଆରି । କିନ୍ତୁ କେନ୍ଦ୍ରୀୟ ଜଳ ଆୟୋଗର ସର୍ତ୍ତାବଳୀ ଅନୁସାରେ ଏହି ବଳକା ପାଣି ରାସ୍ତାଟିକୁ ୧୦୦୦ ବର୍ଷ ସୀମା ଢାଞ୍ଚାରେ ତିଆରି କରିବାକୁ ପଡ଼ିବ । ତା’ହେଲେ ବଳକା ପାଣି ପରିମାଣ ୪୯.୫ଲକ୍ଷ କୁ୍ୟସେକ ହେବ ଏବଂ ବନ୍ଧର ଉଚ୍ଚତା ବି ବଢ଼ିଯିବ । ଯଦି ଉଚ୍ଚତା ବଢ଼ିବ, ଜଳମଗ୍ନ ବା ବୁଡ଼ି ଅଞ୍ଚଳର ସୀମା ବଢ଼ିବ ।

ତାଙ୍କମତରେ ପରିବେଶ ଆକଳନ, ସମ୍ଭାବ୍ୟ ବିପତ୍ତିର ବିଶ୍ଳେଷଣ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଇତ୍ୟାଦି ପୁରୁଣା ଢାଞ୍ଚା ଅନୁସାରେ ହେଇଛି । ପୁଣିଥରେ ଏସବୁ ଅନୁଧ୍ୟାନ କରାନଗଲେ ପ୍ରକୃତ ତଥ୍ୟ ଓ ବାସ୍ତବତା ସାମ୍ନାକୁ ଆସିବନି । ଶିବାଜୀ ରାଓଙ୍କ ଭାଷାରେ ଏନ୍.ଟି. ରାମାରାଓ ତାଙ୍କର ଗୋଟିଏ ଚଳଚ୍ଚିତ୍ର ‘ଉଡ଼ାତେ ଡାବୁ’ରେ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ, ପ୍ରଥମେ ସବା ଉପରଘରଟି ତିଆରି କରି ପରେ ତଳଘରଟି ତିଆରି କରିବ । ଆଜି ଆମର ନେତା ଓ ଅମଲାମାନେ ଏନ୍.ଟି. ରାମାରାଓଙ୍କ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକୁ ପୋଲାଭରମ୍ ନଦୀ ବନ୍ଧ ତିଆରି କରିବାବେଳେ କାମରେ ଲଗାଇଛନ୍ତି ।

ପୋଲାଭରମ୍ କୁ ନେଇ ଆମର ବିଚାର ସ୍ପଷ୍ଟ ହେବା ଉଚିତ । ଆମମତରେ ପୋଲାଭରମ୍ ର ଆବଶ୍ୟକତା ଆଦୌ ନାହିଁ- ଆନ୍ଧ୍ର, ଓଡ଼ିଶା ବା ଛତିଶଗଡ଼ କୌଣସି ରାଜ୍ୟରେ କୃଷକ/ଆଦିବାସୀ ପାଇଁ ଏପ୍ରକଳ୍ପର ଆବଶ୍ୟକତା ଆଦୌ ନାହିଁ । କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ପୋଲାଭରମ୍ ପ୍ରକଳ୍ପକୁ ସ୍ୱୀକୃତି ଦେବାଟା ଏକ ଭୁଲ୍ ନୁହେଁ, ଏକ ବଡ଼ ଧରଣର ଅପରାଧ । ତାଙ୍କ ପାଇଁ ଠିକ୍ ହେଇଥାନ୍ତା ଯଦି ସେ ହିମାଂଶୁ ଠକ୍କର, ଶ୍ରୀପଦ ଧର୍ମାଧିକାରୀଙ୍କ ଭଳି (ଯେମିତି ସେ ଏନ୍.ସି.ସାକ୍ସେନାକୁ ନେଇ କମିଟି କରିଛନ୍ତି) ନଦୀବନ୍ଧ ଉପରେ କାମ କରିଆସୁଥିବା ବିଶାରଦମାନଙ୍କୁ ନେଇ ତିନୋଟିଯାକ ରାଜ୍ୟର ପରିବେଶ ଆକଳନ ଓ କ୍ଷୟକ୍ଷତି ଆକଳନ କରି ସେହି ତଥ୍ୟ ବା ଅନୁସନ୍ଧାନ ଉପରେ ଆଧାର କରି ନିଷ୍ପତ୍ତି ନେଇଥାନ୍ତେ । ଯଦି ପୋଲାଭରମ୍ ସ୍ୱୀକୃତି ଦେବା ଏକ ରାଜନୈତିକ ନିଷ୍ପତ୍ତି ବୋଲି କେହି ଅଭିଯୋଗ କରେ, ସେଭଳି ଅଭିଯୋଗ ପଛରେ ଯାହା ରାଜନୀତି ଥିଲେ ବି ଜୟରାମ ତାକୁ ସାମ୍ନା କରିପାରିବେନି । ତାଙ୍କର ସର୍ତ୍ତମୂଳକ ସୁପାରିଶର କୌଣସି ଅର୍ଥ ନାହିଁ । ଯଦି ଆମେ ଓଡ଼ିଶାର କେତେ ଅଞ୍ଚଳ ଜଳମଗ୍ନ ହେବ ସ୍ୱାଧୀନଭାବେ ଆକଳନ କରିନାହାନ୍ତି, ତେବେ କେତେ ଦୀର୍ଘ ପ୍ରାଚୀର ନିର୍ମାଣ କରିବା କେମିତି ଜାଣିବା, ଯଦିଓ ଏଭଳି ଅବାସ୍ତବ ପରିକଳ୍ପନା ବିଶ୍ୱରେ କେବଳ ଭାରତୀୟମାନେ କରିପାରନ୍ତି, ଯାହାର ପ୍ରମାଣ ଆମେ ଆଗରୁ କୋଶୀ ନଦୀରେ ବନ୍ଧ ନିର୍ମାଣ କରି ଦେଖିସାରିଛନ୍ତି । କୋଶୀକୁ ଏବେ ବିହାରର ଦୁଃଖ କୁହାଯାଉଛି । ପ୍ରକୃତିରେ ଯେଉଁ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ରହିଆସିଛି, ସେଥିରେ ମଣିଷ ଯେବେ ବି ହସ୍ତକ୍ଷେପ କରିଛି, ତାହା ଅଧିକାଂଶରେ ଅନେକ ନୂଆ ବିପର୍ଯ୍ୟୟର ବାଟ ଖୋଲିଦେଇଛି ।

ଶାସକ ବିଜୁଜନତା ଦଳ ଯଦି କମ୍ପାନୀମାନଙ୍କର ଗୋଟିଏ ବୋକଚାବୁହା ଦଳ ହିସାବରେ ନିଜକୁ ଉପଯୋଗୀ କରାଇ ନଥାନ୍ତା, ପୋଲାଭରମ୍ ଭଳି ବିରାଟ ସମସ୍ୟାକୁ ଜନସାଧାରଣଙ୍କ ଆଗରେ ସଫଳତାର ସହ ଉପସ୍ଥାପନା କରିପାରିଥାନ୍ତା । ଆଜି ଯଦି ପୋସ୍କୋ ଓ ବେଦାନ୍ତକୁ ସବୁ ଅନୁମତି ମିଳିଯାଇଥାନ୍ତା, ପୋଲାଭରମ୍ ଏମାନଙ୍କ କାର୍ଯ୍ୟସୂଚୀକୁ ଆସିନଥାନ୍ତା । ନବୀନ ସରକାର କେବଳ ଔପଚାରିକତା ଦୃଷ୍ଟିରୁ ଏଯାଏଁ ପୋଲାଭରମ୍ କଥା ଉଠାଇ ଆସିଥିଲେ । ଏଥିରେ ନା ଥିଲା ମନ, ନା ଆନ୍ତରିକତା । ବେଦାନ୍ତରେ ଅସଫଳତା ଯୋଗୁଁ ଏମାନେ ପୋଲାଭରମ୍ କୁ ନେଇ ନିଜର ଆନ୍ତରିକତା ଥିଲାଭଳି ଏକ ଭ୍ରମ ସୃଷ୍ଟି କରିପାରିଛନ୍ତି । ଆଗରୁ କେବେ କୌଣସି ଗାଁର ବା ଗ୍ରାମବାସୀଙ୍କ ଚେହେରା ଦେଖିନଥିବା ବିଜେଡ଼ିର ବଡ଼ ନେତାମାନେ ମାଲକାନାଗିରିରେ ଯେଉଁ ପୋଲାଭରମ୍ ସମାବେଶର ନାଟକଟିଏ କଲେ, ତାହା ସେମାନଙ୍କ ସଙ୍ଗଠନ ଓ ପୋଲାଭରମ୍ କୁ ନେଇ ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ନଭେମ୍ବର ୨୬, ୨୦୦୫(ପ୍ରଜାତନ୍ତ୍ର, ୨୭ନଭେମ୍ବର, ୨୦୦୫) ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୋଲାଭରମ୍ ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରି, ନବୀନ ସରକାର କେମିତି ପୋଲାଭରମ୍ କୁ ନେଇ ଅଜ୍ଞ ଓ ଉଦାସୀନ ଅଛନ୍ତି, ସେକଥା କହିଥିଲେ । ରାଜ୍ୟ ସରକାରଙ୍କୁ କମ୍ପାନୀମାନଙ୍କ ବ୍ୟତୀତ ଅନ୍ୟ କାହାର ଚେହେରା ଦେଖାଯାଉ ନାହିଁ । ଏବେ ସେଇ କମ୍ପାନୀମାନେ ଅସୁବିଧାରେ ପଡ଼ିଥିବା ଯୋଗୁଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ବ୍ଲାକ୍ ମେଲ କରିବା ପାଇଁ ଯେ ପୋଲାଭରମ୍ କଥା ଉଠାଯାଉଛି, ଏକଥା ସବୁଆଡ଼େ ଚର୍ଚ୍ଚା ଚାଲିଛି । ପୋଲାଭରମ୍ କୁ ନେଇ ଯେଉଁ ସମାବେଶ ଓ ହେଲିକପ୍ଟର ଯାତ୍ରା ଚାଲିଛି, ତାହା ବି ଏହି କ୍ଷତିରେ ପଡ଼ିଥିବା କମ୍ପାନୀମାନଙ୍କ ସୌଜନ୍ୟରୁ ଆସିଥାଇ ପାରେ ବୋଲି ଅନେକଙ୍କର ଆଶଙ୍କା । ସେହି ଦୃଷ୍ଟିରୁ ପୋଲାଭରମ୍ କୁ ନିଷ୍ଠାପରଭାବେ ବିରୋଧ କରିବାକୁ ରାଜ୍ୟ ସରକାର ଅକ୍ଷମ ଯେହେତୁ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ (ଛୋଟ ହେଲେ ମଧ୍ୟ) ନେଇ ସମାନ ପ୍ରଶ୍ନ ଜଡ଼ିତଥିଲେ ବି ରାଜ୍ୟ ସରକାର ଉତଫୁଲ୍ଲିତ । ଏଣୁ ବେଦାନ୍ତଠୁ ଆରମ୍ଭ କରି ପୋଲାଭରମ୍ ଯାଏଁ ସବୁ ଜନବିରୋଧୀ ପ୍ରକଳ୍ପକୁ ବିରୋଧ କରିବାର ଦାୟିତ୍ୱ ଜନସାଧାରଣଙ୍କର । କୌଣସିଟି ଗୋଟିଏ ପ୍ରକଳ୍ପ ଜନସାଧାରଣଙ୍କର ବା ଚାଷୀ, ମୂଲିଆ-ଆଦିବାସୀଙ୍କ ପ୍ରକୃତ ବିକାଶ ପାଇଁ ଉଦ୍ଦିଷ୍ଟ ନୁହେଁ । ପ୍ରକୃତ ବିକାଶ କେମିତି ହେବା ଦରକାର, ସିଧାସଳଖ ଏଇ ଲୋକମାନଙ୍କୁ ପଚାରି ପ୍ରସ୍ତୁତ କରାଯାଉ । ଏମାନଙ୍କ ରକ୍ତ ପିଇ ଜୀଇଁଥିବା ବା ଜୀଇଁବାର ସ୍ୱପ୍ନ ଦେଖୁଥିବା ପରାଙ୍ଗପୁଷ୍ଟ ପ୍ରାଣୀମାନଙ୍କର ‘ବିଶେଷଜ୍ଞ’ମତ ନେଇ ବିକାଶର ନକ୍ସା ପ୍ରସ୍ତୁତ ନହେଉ ।

(ଏହି ଲେଖାଟି ସମଦୃଷ୍ଟି 16-30 ସେପ୍ଟେମ୍ବର 2010 ରେ ପ୍ରକାଶିତ ହୋଇଥିଲା)

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.