(ପୁଞ୍ଜିବାଦ ଓ ସାମ୍ୟବାଦ ଉଭୟଙ୍କର ଲକ୍ଷ୍ୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସମ୍ପୂର୍ଣ୍ଣ ଓଲଟା — ପରସ୍ପର ବିରୋଧୀ । ଉଭୟେ ବିଜ୍ଞାନର ଆବିଷ୍କାରଗୁଡ଼ିକୁ କାମରେ ଲଗାଇବା ସପକ୍ଷରେ । କିନ୍ତୁ ପୁଞ୍ଜିବାଦ ଯେଉଁଠି ମୁଷ୍ଟିମେୟ ଲୋକଙ୍କର ଲାଭ ପାଇଁ ମଣିଷ ସମାଜର ଜୀବନକୁ ନରକରେ ପରିଣତ କରିବା ପାଇଁ ତିଆର, ସେଇଠି ସାମ୍ୟବାଦ ମୁଷ୍ଟିମେୟ ଲୋକଙ୍କର ସ୍ୱାର୍ଥ ପାଇଁ ନୁହେଁ, ସମଗ୍ର ମଣିଷ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ସୁଖସାମଗ୍ରୀର ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର, ବ୍ୟଗ୍ର । ଅଥଚ ଯେତେଦିନ ପର୍ଯ୍ୟନ୍ତ ବସ୍ତୁସମୂହ ଲାଭ ପାଇଁ ତିଆରି ହେଉଥିବ ସେତେଦିନ ପର୍ଯ୍ୟନ୍ତ ବେକାରୀ ସମସ୍ୟାର ଦୂରୀକରଣ ପାଇଁ ଯେଉଁ ବାଟ — ସମୟକୁ ବାଣ୍ଟିକରି ସମସ୍ତଙ୍କୁ କାମ ଦେବାର ଯେଉଁ ବାଟ — ସେହି ବାଟଟି ଧରି ହେବନି ।)
ସଂସାରରେ ବିନା କାରଣରେ କୌଣସି ଘଟଣା ଘଟେନା । କାରଣର ଉପସ୍ଥିତିରେ କାର୍ଯ୍ୟ ସଙ୍ଘଟିତ ହୋଇଥାଏ । ପୁଞ୍ଜିବାଦ ମଧ୍ୟ ଜନ୍ମ ନେଇଥିଲା ସେତେବେଳେ ଯେତେବେଳେ ତାକୁ ଜନ୍ମ ଦେଲା ଭଳି କାରଣ ବା ପରିସ୍ଥିତିସମୂହ ଉତ୍ପନ୍ନ ହୋଇଥିଲା — ଅର୍ଥାତ୍ (୧) ଅଳ୍ପ ପରିଶ୍ରମ ଅବା ବିନା ପରିଶ୍ରମରେ ଧନୀ ହେବା ପାଇଁ ବର୍ତ୍ତମାନ ମଣିଷର ସ୍ୱାଭାବିକ ଇଚ୍ଛା, (୨) ମେସିନ୍ର ଆବିଷ୍କାର ଦ୍ୱାରା ଅଳ୍ପ ପରିଶ୍ରମର ପ୍ରତିବଦଳରେ ବହୁତ ଜିନିଷ ତିଆରି କରି, ଶସ୍ତା ଦରରେ ବିକ୍ରି କରି ତହିଁରୁ ଲାଭ ପ୍ରାପ୍ତିର ସୁବିଧା, (୩) ମେସିନ୍ ଦ୍ୱାରା ତିଆରି ଜିନିଷ ସହ ବଜାରରେ ଟକ୍କର ଦେଇ ନପାରିବା କାରଣରୁ କାରିଗରମାନଙ୍କର ତରଫରୁ ହେଉଥିବା ପ୍ରତିଯୋଗିତାର ଅନ୍ତ ହେବା, (୪) ଅଧିକ ଜ୍ଞାନର ଆବଶ୍ୟକତା ନଥିବା ଦୃଷ୍ଟିରୁ ମେଣ୍ଢାମୁଣ୍ଡିଆ ମଣିଷଙ୍କ ଦ୍ୱାରା ମଧ୍ୟ ମେସିନ୍ ସାହାଯ୍ୟରେ ସୁନ୍ଦର ସୁନ୍ଦର ବସ୍ତୁ ତିଆରି କରି ପାରିବାର ଶକ୍ତି ଭଳି କାରଣମାନ ପୁଞ୍ଜିବାଦକୁ ଜନ୍ମ ଦେଲା । ଠିକ୍ ସେହି ଭଳି ସାମ୍ୟବାଦ — ବା ଆମେ ଯାହାକୁ କହୁ ବୈଜ୍ଞାନିକ ସାମ୍ୟବାଦ — କେବଳ ସେତେବେଳେ ଆବିର୍ଭାବ ହେଲା ଯେତେବେଳେ ତାକୁ ଜାତ କଲା ଭଳି କାରଣମାନ ବିଦ୍ୟମାନ ହେଲା ।
ଯେଉଁ ଦ୍ରବ୍ୟର ପ୍ରସ୍ତୁତିରେ ମଣିଷର ଶ୍ରମ ଯେତେ ଅଧିକ ନିୟୋଜିତ ହୁଏ, ତାହାର ଦାମ ସେତେ ଅଧିକ ହୁଏ — ଏକଥା ବୁଝିବା କଠିନ ନୁହେଁ। ଖୋଳାଖୋଳି କାମ ଅତି ପରିଶ୍ରମ ସାପେକ୍ଷ । ବେଳେବେଳେ ଏହି କଠିନ ପରିଶ୍ରମ ବୃଥା ହୋଇଥାଏ ତ ବେଳେବେଳେ ଫଳପ୍ରଦ ହୋଇ ହୀରା ଖଣ୍ଡେ ମିଳିଥାଏ । ଅର୍ଥାତ୍ ଖଣ୍ଡିଏ ହୀରାରେ ଏହି ସମସ୍ତ ନିଷ୍ପଳ ଓ ସଫଳ ପରିଶ୍ରମ ଯୋଡ଼ା ହୋଇଥାଏ, ତେଣୁ ତାର ମୂଲ୍ୟ ଏତେ ବେଶି ହୋଇଥାଏ। ଯଦି ଜଣେ ମଣିଷକୁ ଦିନେ ଓଳିଏର ପରିଶ୍ରମରେ କୋହିନୂର ହୀରା ମିଳି ଯାଉଥାନ୍ତା, ତେବେ ତାର ଦାମ ଏତେ ହେଉ ନଥାନ୍ତା । ହାତ ତିଆରି ଜିନିଷଗୁଡ଼ିକର ଦାମ ଟିକିଏ ଅଧିକ ହୋଇଥାଏ, କାରଣ ସେଥିରେ ମଣିଷର ଶ୍ରମ ଅଧିକ ଲାଗିଥାଏ । ମଣିଷର ପରିଶ୍ରମ କମ୍ ପରିମାଣରେ ଲାଗୁଥିବାରୁ ମେସିନ୍ ଦ୍ୱାରା ପ୍ରସ୍ତୁତ ଜିନିଷର ଦାମ ମଧ୍ୟ କମ୍ ହେଉଛି । ମେସିନ୍ଗୁଡ଼ିକର ଏକ ପ୍ରଧାନ କାମ ହେଲା ଜିନିଷଗୁଡ଼ିକର ଉତ୍ପାଦନ କରିବାରେ ମଣିଷର ଶ୍ରମଶକ୍ତିକୁ ଯେତେ କମ୍ ବ୍ୟବହାର କରାଯାଇ ପାରିବ ତାହା କରିବା । ପରିଣାମ ଏୟା ହୁଏ ଯେ ମେସିନ୍ଗୁଡ଼ିକର ବ୍ୟବହାର ଦ୍ୱାରା କୌଣସି ଏକ ପରିମାଣର ବସ୍ତୁ ତିଆରି କରିବା ପାଇଁ ତୁଳନାତ୍ମକ ଭାବେ ଅଧିକ ପରିମାଣର ମଣିଷର ଶ୍ରମର ଆବଶ୍ୟକତା ହୁଏ ନାହିଁ, ଯେତେ ପରିମାଣର ଶ୍ରମ ସେହି ବସ୍ତୁସମୂହକୁ ହାତରେ ତିଆରି କଲାବେଳେ ଆବଶ୍ୟକ ହୋଇଥାଏ । ହାତତନ୍ତ କଥା ନିଆଯାଉ । ତହିଁରେ ଜଣେ ଲୋକ ପ୍ରତି ଦିନ ଆଠ ଘଣ୍ଟା ପରିଶ୍ରମ କରି ଅତି କଷ୍ଟରେ ଦଶ ବାର ଗଜ ଲୁଗା ବୁଣି ପାରିବ, କିନ୍ତୁ ତାଠାରୁ ମଧ୍ୟ କମ୍ ଜାଣିଥିବା ଜଣେ ଲୋକ ଲୁଗାକଳକୁ ଯାଇ ସେହି ସମୟରେ ଷାଠିଏ ସତୁରୀ ଗଜ ଲୁଗା ବୁଣିପାରେ ଏବଂ ମେସିନ୍ର ଯେତେ ଯେତେ ଉନ୍ନତି ହେଉଥିବ, ତାର ଏହି ବୁଣିବାର ଶକ୍ତି ସେତେ ସେତେ ବଢ଼ି ଚାଲିଥିବ । ଆଠ ଘଣ୍ଟାରେ ଜଣେ ଲୋକ ଷାଠିଏ ସତୁରୀ ଗଜ ଲୁଗା ବୁଣିବାର ଅର୍ଥ ହେଲା ଛ ଜଣଙ୍କର କାମ ଜଣେ ଲୋକ ଦ୍ୱାରା କରାଇବା, ଏବଂ ଏହାର ଦ୍ୱିତୀୟ ଅର୍ଥ ହେଲା ମେସିନ୍ ଯୋଗୁଁ ପାଞ୍ଚ ଜଣ ଲୋକଙ୍କୁ କାମରୁ ବଞ୍ଚିତ କରାଇବା । — ପାଞ୍ଚ ଜଣଙ୍କୁ ବେକାର କରିବା ।
ମେସିନ୍ ମଣିଷର କାମକୁ ଛଡ଼ାଇ ନିଏ, ଏହି କଥା ବୁଝିବା ପାଇଁ ତତ୍କାଳୀନ ଇଂଲଣ୍ଡର ଅଶିକ୍ଷିତ ଶ୍ରମିକମାନଙ୍କୁ ମଧ୍ୟ ସମୟ ଲାଗି ନଥିଲା ଏବଂ କାଳକ୍ରମେ ଉନବିଂଶ ଶତାବ୍ଦିର ଆରମ୍ଭରେ ଇଂଲଣ୍ଡର ଶ୍ରମିକ ଓ କାରିଗରମାନେ କେତେକ ମିଲ୍କୁ ଭଙ୍ଗାରୁଜା କରି ନଷ୍ଟ କରିଥିବା ମଧ୍ୟ ଆମେ ଦେଖୁଁ । ତଥାପି ଏହି ଚିନ୍ତା ସେତେଟା ଭୟଙ୍କର ହୋଇପାରି ନଥିଲା । ତାର କାରଣ ହେଲା ସେତେବେଳ ପର୍ଯ୍ୟନ୍ତ ମେସିନ୍ର ପ୍ରସାର ମାତ୍ର ଅତି ଅଳ୍ପ କେତୋଟି ଦେଶରେ ହୋଇ ପାରିଥିଲା ଏବଂ ଜିନିଷଗୁଡ଼ିକର ବିକ୍ରି ପାଇଁ ଦୁନିଆଁର ସବୁ ବଜାର ଖୋଲା ଥିଲା । ଅନ୍ୟ ଭାବରେ କହିବାକୁ ଗଲେ ବଜାରରେ ଯେତେ ପରିମାଣର ଜିନିଷର ଚାହିଦା ଥିଲା ମେସିନ୍ ସେତେବେଳେ ସେହି ପରିମାଣର ଜିନିଷ ଉତ୍ପାଦନ କରିପାରୁ ନଥିଲା । ତେଣୁ ସେହି ଆରମ୍ଭ ଯୁଗରେ ଲାଭର ନିଶ୍ଚିତତା ଥିବା ଓ କ୍ଷତିର ଭୟ ନଥିବା ଯୋଗୁଁ ନୂଆ ନୂଆ କଳକାରଖାନା ଖୋଲା ଯାଉଥିଲା ଏବଂ ଗୋଟିଏ ନୂଆ କାରଖାନା ଖୋଲିବାର ଅର୍ଥ ହେଲା ଆହୁରି ଅଧିକ ଶ୍ରମିକଙ୍କୁ କାମ ମିଳିବା । ଏହି କାରଣରୁ ଉନବିଂଶ ଶତାବ୍ଦିର ପ୍ରଥମ ପଚିଶ ବର୍ଷ କାଳରେ ସେଠିକାର ଶ୍ରମିକମାନଙ୍କର ପୁଞ୍ଜିପତି ବିରୋଧୀ ଭାବନା ସେତେଟା ଜୋରଦାର ନଥିଲା । କିନ୍ତୁ ଗୋଟିଏ ଦେଶକୁ କଳକାରଖାନା ଦ୍ୱାରା ହେଉଥିବା ଲାଭକୁ ଦେଖି ୟୁରୋପର ଅନ୍ୟ ଦେଶଗୁଡ଼ିକ ଦୀର୍ଘ ଦିନ ପର୍ଯ୍ୟନ୍ତ କିପରି ଚୁପ୍ ହୋଇ ବସିଥାନ୍ତେ? ଅନ୍ୟାନ୍ୟ ଦେଶଗୁଡ଼ିକରେ ମଧ୍ୟ କଳକାରଖାନା ଖୋଲିଯିବା ଫଳରେ ବଜାରକୁ ବହୁତ ଜିନିଷ ଆସିବାରେ ଲାଗିଲା । ତଥାପି ପ୍ରଥମେ ଖୋଲିଥିବା କଳକାରଖାନାଗୁଡ଼ିକ ଯେତେ ପରିମାଣର ଶ୍ରମିକଙ୍କୁ ବେକାର କରି ଦେଇଥିଲା, ଏବେ ଯଥେଷ୍ଟ ସଂଖ୍ୟାରେ ନୂଆ କାରଖାନାମାନ ନ ଖୋଲିବାରୁ ସେହି ବେକାରମାନଙ୍କୁ କାମ ଦିଆଯାଇ ପାରିନଥିଲା । ଦ୍ୱିତୀୟ କଥା ହେଲା ମେସିନ୍ଗୁଡ଼ିକରେ ସର୍ବଦା ନୂଆ ନୂଆ ସଂସ୍କାର ଆଣିବା ଫଳରେ ଗୋଟିଏ ପୁରୁଣା ମେସିନ୍ରେ ଏକ ନିର୍ଦ୍ଦିଷ୍ଟ ପରିମାଣର କାମ ପାଇଁ ଦଶଜଣଙ୍କର ଆବଶ୍ୟକ ପଡ଼ୁଥିଲା ବେଳେ ଏକ ଉନ୍ନତ ଧରଣର ମେସିନ୍ରେ ତାର ଅଧେ ସଂଖ୍ୟାର ଲୋକଙ୍କର ଆବଶ୍ୟକ ହେଲା । ଏହିଭାବେ ବିଜ୍ଞାନର ଉନ୍ନତି ଓ ନୂଆ ନୂଆ ଆବିଷ୍କାର ବେକାରମାନଙ୍କର ସଂଖ୍ୟାରେ ଆହୁରି ବୃଦ୍ଧି ଘଟାଇବାରେ ସହାୟକ ବୋଲି ସିଦ୍ଧ ହେଲା । ଅବଶ୍ୟ ଏହା ସତ୍ୟ ଯେ କେତେକ ଜିନିଷକୁ ବ୍ୟବହାର କରିବା ପାଇଁ ଆଗେ କମ୍ ଲୋକ ଥିଲେ, କିନ୍ତୁ ଶସ୍ତା ହେବା କାରଣରୁ ଲୋକମାନେ ସେଗୁଡ଼ିକୁ ବହୁ ପରିମାଣରେ ବ୍ୟବହାର କରିବାରେ ଲାଗିଲେ । ତେବେ ବି ଖରିଦଦାରଙ୍କ ସଂଖ୍ୟାରେ ସେହି ଅନୁସାରେ ବୃଦ୍ଧି ଘଟୁ ନଥାଏ, ଯେଉଁ ଅନୁପାତ ଓ ପରିମାଣରେ ବେକାରମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିଲା ।
ଏପରି ଅବସ୍ଥାରେ ମେହନତି ମଣିଷ ଦେଖିଲେ ଯେ ଏକ ପକ୍ଷରେ ସେମାନଙ୍କୁ କାରଖାନାରେ କାମ ମିଳୁନାହିଁ ଅଥଚ ଅନ୍ୟ ପକ୍ଷରେ ସେମାନଙ୍କର ସ୍ୱତନ୍ତ୍ର ରୋଜଗାରର ମାଧ୍ୟମ — କାରିଗରୀ କର୍ମଶାଳା ବା କୃଷିକ୍ଷେତ୍ର — ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି । ଭୋକିଲା ପେଟ ଏକ ସାଧାରଣ ବୁଦ୍ଧି ସମ୍ପନ୍ନ ମଣିଷକୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଦିଏ । ଶ୍ରମିକମାନେ ଏକ ପକ୍ଷରେ ନିଜନିଜକୁ ଏହିଭାବେ ଅସହାୟ ଅବସ୍ଥାରେ ପାଇଲେ ଓ ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ କିଛି ହିଁ ଦିନରେ କୋଟିପତି ହେବାଟା ଦେଖିଲେ । ଏହି ଧନ ଖୋଦ୍ ଶ୍ରମିକମାନଙ୍କର ପରିଶ୍ରମ ଫଳରେ ହିଁ ଯେ ପୁଞ୍ଜିଭୂତ ହୋଇଛି ଏକଥା ବୁଝିବାରେ ସେମାନଙ୍କ ପକ୍ଷେ କଷ୍ଟ ହେଲାନି ।
ପୁଞ୍ଜିବାଦ ଯେଉଁଠି ଶ୍ରମିକମାନଙ୍କ ପାଇଁ ଯନ୍ତ୍ରଣାର ଏତେ ବିଷୟବସ୍ତୁ ଏକାଠି କଲା ସେଇଠି ସେମାନଙ୍କ ପାଇଁ ଏକ ବଡ଼ ଧରଣର ଲାଭ ମଧ୍ୟ କଲା । ସେହି ଲାଭ ହେଲା — ବହୁତ ବଡ଼ ବଡ଼ ସଂଖ୍ୟାରେ ଶ୍ରମିକମାନଙ୍କୁ କାରଖାନା ପାଖରେ ଏକାଠି ହେବାର ସୁଯୋଗ — ସଂଗଠିତ ହେବାର ସୁଯୋଗ । କୃଷି କ୍ଷେତ୍ରର ଶ୍ରମିକମାନେ ଏଣେତେଣେ ବିଛେଇ ହୋଇ ରହିବା ଯୋଗୁଁ ସଂଗଠିତ ହୋଇ ନପାରି ସେମାନଙ୍କର ଦୁଃଖକଷ୍ଟକୁ ଚୁପ୍ଚାପ୍ ସହି ଯାଉଥିବା ବେଳେ କାରଖାନାର ଶ୍ରମିକମାନେ ସଂଗଠିତ ହୋଇ ଆନ୍ଦୋଳନ କରିବାର ଶକ୍ତି ପ୍ରଦର୍ଶନ କରୁଥିଲେ । ପ୍ରାରମ୍ଭ କାଳରେ ରୋଗ ଓ ତାର ନିଦାନର ଜ୍ଞାନ ଯେତେ ଝାପ୍ସା ହେଲେ ମଧ୍ୟ, ସେମାନେ ସେହି ସମୟରୁ ହିଁ ବଞ୍ଚିବା ପାଇଁ ନିଜନିଜର ହାତଗୋଡ଼ ହଲାଇବା ଆରମ୍ଭ କରି ଦେଇଥିଲେ । ମଣିଷ ଜାତିରେ ଏପରି ମଧ୍ୟ ଲୋକ ରହି ଆସିଛନ୍ତି, ଯେଉଁମାନେ ନିଜେ ସୁଖରେ ରହିଥିଲେ ବି ଅନ୍ୟର ଦୁଃଖ ସମ୍ପର୍କରେ ଚିନ୍ତା କରିବା ଓ ତାକୁ ଦୂର କରିବା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ପାରନ୍ତି । ଯେତେବେଳେ ପୁଞ୍ଜିବାଦ ନଥିଲା ଅବା ତାର ଦୋଷତୃଟିକୁ ଏତେ ଭୟଙ୍କର ରୂପରେ ଦେଖିବା ସମ୍ଭବ ନଥିଲା, ସେହି ସମୟରେ ମଧ୍ୟ ଏପରି ଲୋକ ଜନ୍ମ ହୋଇଥିଲେ ଯେଉଁମାନେ କି ଅଧିକ ସମାନତାର ପ୍ରଚ଼ାର କରିଥିଲେ । ଗୌତମ ବୁଦ୍ଧ ଅଢ଼େଇ ହଜାର ବର୍ଷ ପୂର୍ବେ ନିଜର ଭିକ୍ଷୁମାନଙ୍କ ମଧ୍ୟରେ ଜୀବନର କାମରେ ଆସୁଥିବା ଜିନିଷଗୁଡ଼ିକର ଆବଶ୍ୟକତା ଦେଖି କେବଳ ସମାନ ଭାବରେ ବାଣ୍ଟିବାର ନିୟମ କରି ନଥିଲେ, ବରଂ ବ୍ୟକ୍ତିଗତ ସମ୍ପତ୍ତିର ସୀମାକୁ ଅତ୍ୟନ୍ତ ଛୋଟ କରି ସଂଘ ବା ସମୁଦାୟର ସମ୍ପତ୍ତିର ସୀମାକୁ ବହୁତ ବଢ଼େଇ ଦେଇଥିଲେ । ପଞ୍ଚମ ଶତାବ୍ଦୀରେ ଇରାନ୍ର ମଜ୍-ଦକ୍ ମଧ୍ୟ ସେୟା କରିଥିଲେ । ନବମ ଶତାବ୍ଦୀର ମଧ୍ୟ କାଳରେ ତିବ୍ୱତର ସମ୍ରାଟ ମୁନି-ଚନ୍-ପୋ ମଧ୍ୟ ତିନି ଥର ନିଜ ରାଜ୍ୟରେ ଧନସମ୍ପତ୍ତିକୁ ସମାନ ସମାନ ଭାବରେ ବାଣ୍ଟି ଦେଇଥିଲେ। ଏହି ଧରଣର ଉଦାହରଣ ସଂସାରର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ମିଳି ପାରିବ । କିନ୍ତୁ ଯେଉଁ ସାମ୍ୟବାଦ ପୁଞ୍ଜିବାଦୀ ରୋଗର ଅସଲ ଔଷଧ, ତାହା କୌଣସି ବ୍ୟକ୍ତିବିଶେଷର ଉଦାରପଣିଆର ପରିଣାମ ନୁହେଁ । ଏହି ଧରଣର ଉଦାର ହୃଦୟର ବ୍ୟକ୍ତିମାନେ ଅତୀତରେ ଚିନ୍ତା କରୁଥିଲେ ଏବଂ ଏହି ବିଂଶ ଶତାବ୍ଦୀରେ ମଧ୍ୟ କିଛି ଲୋକ ଏପରି ଚିନ୍ତା କରୁଛନ୍ତି ଯେ ସବୁ ଅନର୍ଥର ମୂଳ ଏହି ମେସିନ୍ଗୁଡ଼ିକୁ ହିଁ କାହିଁକି ସଂସାରରୁ ବିଦା କରିଦିଆ ନଯିବ । ଯେଉଁ ସାମ୍ୟବାଦ ପୁଞ୍ଜିବାଦର ରୋଗଗୁଡ଼ିକର ପରମ ଔଷଧ ବୋଲି ମାନ୍ୟତା ପାଇଛି ତାହା ହେଉଛି ବୈଜ୍ଞାନିକ ସାମ୍ୟବାଦ ଯାହା ବିଜ୍ଞାନର ଦାନଗୁଡ଼ିକୁ କାମରେ ଲଗାଏ ଓ ଉନ୍ନତିର ରାସ୍ତା ସର୍ବଦା ଖୋଲା ରଖେ ତଥା ପୁଞ୍ଜିବାଦ ଦ୍ୱାରା ସୃଷ୍ଟ ବିପତ୍ତିଗୁଡ଼ିକୁ ଦୂର କରେ । ଯେପରି ବିଜୁଳିବତୀକୁ ଫୁଙ୍କି ଲିଭାଯାଇ ପାରିବନି, ସେପରି ବିଜ୍ଞାନ ଦ୍ୱାରା ଉତ୍ପନ୍ନ ହୋଇଥିବା ସମସ୍ୟାଗୁଡ଼ିକୁ ଅନ୍ଧ ତପସ୍ୟା ଦ୍ୱାରା ଦୂର କରାଯାଇ ପାରିବନି। ବୈଜ୍ଞାନିକ ସାମ୍ୟବାଦୀମାନେ ଏହା ଭଲ ରୂପେ ବୁଝିଛନ୍ତି ଯେ ବିଜ୍ଞାନର ଆବିଷ୍କାର ସ୍ୱତଃ ମନ୍ଦ ନୁହେଁ । ଯେତେବେଳେ ଏହି ଆବିଷ୍କାରଗୁଡ଼ିକର ବ୍ୟବହାର ବ୍ୟକ୍ତିଗତ ଲାଭ ପାଇଁ କରାଗଲା ସେତେବେଳେ ବେକାରୀ ଭଳି ଏକ ସମସ୍ୟା ଜାତ ହେଲା । ଏଣୁ ବୈଜ୍ଞାନିକ ସାମ୍ୟବାଦୀମାନେ କହନ୍ତି ଯେ ବିଜ୍ଞାନର ଆବିଷ୍କାରଗୁଡ଼ିକୁ ମୁଷ୍ଟିମେୟ ମଣିଷର ଲାଭ ପାଇଁ ବ୍ୟବହାର ନକରି ସାରା ସମାଜର ମଙ୍ଗଳ ପାଇଁ ବ୍ୟବହାର କରାଯିବା ଉଚିତ । ଯଦି ବିଜ୍ଞାନ ଛଅ ଜଣଙ୍କର କାମକୁ ଜଣେ ମଣିଷ କରି ପାରିବା ଭଳି ଅବସ୍ଥା ସୃଷ୍ଟି କରି ପାରୁଛି, ତେବେ ଅନ୍ୟ ପାଞ୍ଚ ଜଣଙ୍କର କାମ ଛଡ଼େଇ ସେମାନଙ୍କୁ ଭୋକଉପାସରେ ମାରିବା ଉଚିତ ନୁହେଁ, ବରଂ କାମର ସମୟକୁ ସେହି ଛଅ ଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯିବା ଉଚିତ । ଛଅ ଜଣ ଲୋକ ଯେତିକି ପରିମାଣର ଲୁଗା ବାର ଘଣ୍ଟାରେ ତିଆରି କରି ପାରୁଥିଲେ, ସେହି ପରିମାଣର ଲୁଗାକୁ ଯଦି ମେସିନ୍ ସାହାଯ୍ୟରେ ଜଣେ ଲୋକ ବାର ଘଣ୍ଟାରେ ତିଆରି କରି ପାରିବ, ତେବେ ବାର ଘଣ୍ଟାର କାମକୁ ସେହି ଛଅ ଜଣଙ୍କ ମଧ୍ୟରେ ଦୁଇ ଦୁଇ ଘଣ୍ଟା କରି ବାଣ୍ଟି ଦିଆଯାଇ ପାରିବ । ବେକାରୀ ସମସ୍ୟାର ଏହା ଏକ ଭଲ ସମାଧାନ — ଯାହା ସାମ୍ୟବାଦ ଉତ୍ଥାପନ କରେ । ଏହି କଥାରୁ ଏହା ମଧ୍ୟ ବୁଝା ପଡ଼େ ଯେ, ପୁଞ୍ଜିବାଦ ଓ ସାମ୍ୟବାଦ ଉଭୟଙ୍କର ଲକ୍ଷ୍ୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଓଲଟା । ଉଭୟେ ବିଜ୍ଞାନର ଆବିଷ୍କାରଗୁଡ଼ିକୁ କାମରେ ଲଗାଇବା ସପକ୍ଷରେ, କିନ୍ତୁ ପୁଞ୍ଜିବାଦ ଯେଉଁଠାରେ ମୁଷ୍ଟିମେୟ ଲୋକଙ୍କର ଲାଭ ପାଇଁ ମଣିଷସମାଜର ଜୀବନକୁ ନରକରେ ପରିଣତ କରିବା ପାଇଁ ତିଆର, ସେଠାରେ ସାମ୍ୟବାଦ ମୁଷ୍ଟିମେୟ ଲୋକଙ୍କର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମଗ୍ର ମଣିଷସମାଜର କଲ୍ୟାଣ ଲକ୍ଷ୍ୟରେ ସୁଖସାମଗ୍ରୀର ବୃଦ୍ଧି ଘଟାଇବା ପାଇଁ ବଦ୍ଧ ପରିକର । ଯେତେଦିନ ପର୍ଯ୍ୟନ୍ତ ବସ୍ତୁଗୁଡ଼ିକ ଲାଭ ପାଇଁ ତିଆରି ହେଉଥିବ ସେତେଦିନ ପର୍ଯ୍ୟନ୍ତ ବେକାରୀ ସମସ୍ୟାର ଦୂରୀକରଣ ପାଇଁ ଯେଉଁ ବାଟ — କାର୍ଯ୍ୟସମୟର ଘଣ୍ଟାଗୁଡ଼ିକୁ ବାଣ୍ଟି ସମସ୍ତଙ୍କୁ କାମଦେବା ବାଟ — ସେହି ବାଟ ଧରି ହେବନି । ବାସ୍ତବରେ ସାଇକଲଟିଏ ସେତେବେଳ ପର୍ଯ୍ୟନ୍ତ ଠିଆ ଅବସ୍ଥାରେ ଥିବ ଯେତେବେଳ ପର୍ଯ୍ୟନ୍ତ ତାହା ଚାଲୁଥିବ; ଠିକ୍ ସେହି ଭଳି ପୁଞ୍ଜିବାଦ ସେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରିବ ଯେତେଦିନ ପର୍ଯ୍ୟନ୍ତ ପୁଞ୍ଜିପତିମାନଙ୍କର, ମୁଷ୍ଟିମେୟ ଲୋକଙ୍କର ଲାଭ ହେଉଥିବ । ଲାଭ ସେମାନଙ୍କ ପାଇଁ ଜୀବନ-ମରଣ ପ୍ରଶ୍ନ ।
ଆଜିକାଲି ଦୁନିଆଁରେ ସବୁ ଜାଗାରେ ମଣିଷ ଅସୁବିଧା ମଧ୍ୟରେ ହିଁ ବଞ୍ଚୁଥିବା ଦେଖା ଯାଉଛନ୍ତି । କେବଳ କାରଖାନାର ମାଲିକ ଓ ବେପାରୀମାନେ ବଜାରର ମାନ୍ଦା ଅବସ୍ଥା ସମ୍ପର୍କରେ ଆପତ୍ତି କରୁନାହାନ୍ତି, ଗାଁର ଚାଷୀ ତଥା ଦେଶବିଦେଶର ଶ୍ରମିକମାନେ ମଧ୍ୟ ଭଲରୂପେ ଏହାର ଅନୁଭବ କରୁଛନ୍ତି । ସହରର କାରଖାନାଗୁଡ଼ିକରେ କାମ କରୁଥିବା ମଜଦୁରମାନଙ୍କ ଅବସ୍ଥା ସମ୍ପର୍କରେ କିଛି କହିବାର ନାହିଁ । ୟୁରୋପ ଓ ଆମେରିକା ମହାଦେଶର ଉଦ୍ୟୋଗୀ ଦେଶଗୁଡ଼ିକରେ ବେକାରମାନଙ୍କ ସଂଖ୍ୟା କୋଟି କୋଟି ହେଲାଣି, ଫଳରେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ ଜିନିଷଗୁଡ଼ିକ ମିଳିବା ମଧ୍ୟ କଷ୍ଟକର ହେଲାଣି । ବିଗତ ଦିନରେ ସେଠାରେ ଜୀବନ ପ୍ରତି ବିତୃଷ୍ଣ ହୋଇ ଅନେକ ସ୍ତ୍ରୀପୁରୁଷ ଆତ୍ମହତ୍ୟା କରିଛନ୍ତି । ମଣିଷମାନଙ୍କର ଏତେ ବଡ଼ ସଂଖ୍ୟାକୁ ଏତେ କଷ୍ଟରେ ରଖି ଅଳ୍ପ ସଂଖ୍ୟକ କିଛି ଲୋକ ସୁଖରେ ରହିବା କୌଣସି ବି ଦୃଷ୍ଟିକୋଣରୁ ଭଲ ବୋଲି କୁହାଯାଇ ପାରିବ ନାହିଁ ।
ପୁଞ୍ଜିବାଦର ଦୁଷ୍ପରିଣାମ କେବଳ ବେକାର ସମସ୍ୟା ନୁହେଁ । ପୁଞ୍ଜିବାଦ ମଣିଷ ଜାତି ପ୍ରତି ଆହୁରି ଭୟଙ୍କର ଏକ ବିପତ୍ତି ଆଣିବାର କାରଣ ହୋଇଛି । ସେହି ଭୟଙ୍କର ବିପତ୍ତି ହେଲା ମହାଯୁଦ୍ଧ, ଯାହା ସଂସାରର ଶାନ୍ତିକୁ ଭାଙ୍ଗି ଚୁରମାର କରିଦେବ । ପ୍ରତ୍ୟେକ ପୁଞ୍ଜିବାଦୀ ଦେଶ ଚାହୁଁଛି ଯେ ତାର କାରଖାନାଗୁଡ଼ିକ ଚାଲୁଥାଉ । କିନ୍ତୁ କାରଖାନାଗୁଡ଼ିକ ସେପର୍ଯ୍ୟନ୍ତ ଚାଲୁ ରହିଥିବ ଯେପର୍ଯ୍ୟନ୍ତ ତିଆରି ହେଉଥିବା ଜିନିଷଗୁଡ଼ିକ ବିକ୍ରି ହେଉଥିବ । ଆମେ କହି ରଖିଛୁ ଯେ ଉନବିଂଶ ଶତାବ୍ଦିର ପ୍ରଥମ ପଚାଶ ବର୍ଷ ପର୍ଯ୍ୟନ୍ତ ଦୁନିଆଁରେ ବହୁତଗୁଡ଼ିଏ ନୂଆ ବଜାର ଅଛୁଆଁ ହୋଇ ପଡ଼ି ରହିଥିଲା । କିନ୍ତୁ ଗତ ଶହେ ବର୍ଷରେ ହାଲ୍ ଏକେବାରେ ବଦଳି ଗଲା । ଏବେ ଜିନିଷର ବିକ୍ରି ପାଇଁ ତ କୌଣସି ଅଜ୍ଞାତ ବଜାର ନାହିଁ । ବସ୍ତୁତଃ ସଂସାରର ସମସ୍ତ ବ୍ୟବସାୟରହିତ ଦେଶଗୁଡ଼ିକୁ ପୁଞ୍ଜିବାଦୀ ଦେଶମାନେ ନିଜନିଜ ମଧ୍ୟରେ ବାଣ୍ଟି ଦେଇଛନ୍ତି । ଦିନେ ଇଂଲଣ୍ଡ ଦୁନିଆଁର ଅଧିକାଂଶ ବଜାରର ମାଲିକ ଥିଲା । ପୁଣି ଜର୍ମାନୀ କାରଖାନାଗୁଡ଼ିକୁ ବଢ଼େଇ ନିଜ ପାଇଁ ବଜାର ମଧ୍ୟ ବଢ଼େଇବା ପାଇଁ ଛାହିଁଲା । ପରିଣାମ ହେଲା ଗତ ଭୟଙ୍କରୀ ୟୁରୋପୀୟ ମହାଯୁଦ୍ଧ। ଏହି ଯୁଦ୍ଧ ଚାଲୁଥିବା ବେଳେ ହିଁ ମଇଦାନ ଖାଲି ଦେଖି ଆମେରିକା ଓ ଜାପାନ ବଜାରକୁ ହସ୍ତଗତ କରିବାରେ ଲାଗିଲେ । ସେମାନଙ୍କର କାରଖାନାଗୁଡ଼ିକ ବହୁତ ଅଧିକ ସଂଖ୍ୟାରେ ଜିନିଷ ତିଆରି କରିବାରେ ଲାଗିଲେ । ଯୁଦ୍ଧ ବନ୍ଦ ହେବାର ଏତେ ଦିନ ପରେ ମଧ୍ୟ ଆଜି ଅବସ୍ଥା କଣ? ଯଦି ଆମେରିକାର ଜିନିଷଗୁଡ଼ିକୁ ଇଂଲଣ୍ଡ ନିଜ ସାମ୍ରାଜ୍ୟ ଭିତରକୁ ଆଣିବାକୁ ଦିଅନ୍ତା ନାହିଁ ଏବଂ ଆଣିବାକୁ ଦେବାର ଅର୍ଥ ନିଜ ଜିନିଷର ବିକ୍ରିରେ ହ୍ରାସ ଘଟେଇବା, ତେବେ ଆମେରିକା ସୁଯୋଗ ଖୋଜୁଥାନ୍ତା କିପରି ଇଂଲଣ୍ଡର ପ୍ରଭୂତ୍ୱକୁ ହଟେଇବ । ଏହି କଥା ଆହୁରି ଉଗ୍ର ରୂପରେ ଜାପାନ ସମ୍ପର୍କରେ କୁହାଯାଇ ପାରେ । ଅସଲ କଥା ହେଲା ଗଣତିରେ ଦୁଇ ଖଣ୍ଡ ରୋଟି ଅଛି, କିନ୍ତୁ ତାକୁ ଖାଇବାକୁ ଡଜନ ଡଜନ ମୁହଁ ଆଁ କରି ରହିଛନ୍ତି ।
ସଂସାରର ରାଷ୍ଟ୍ରଗୁଡ଼ିକ ଏହି ଅଶାନ୍ତିକୁ ଭଲଭାବେ ବୁଝୁଛନ୍ତି ଏବଂ ଏହି କାରଣରୁ ହିଁ ନିରସ୍ତ୍ରୀକରଣ ପାଇଁ ଏତେ ଚେଷ୍ଟା ଚାଲିଛି । ତେବେ ବି ନିଜ ମାଲର ବିକ୍ରି ପାଇଁ ବଜାର ଛଡ଼ାଛଡ଼ି ଯେଉଁ ପର୍ଯ୍ୟନ୍ତ ଚାଲିଥିବ, ସେହି ପର୍ଯ୍ୟନ୍ତ ସଂସାରର ମୁଣ୍ଡ ଉପରେ ଝୁଲୁଥିବା ଯୁଦ୍ଧର ତରବାରୀକୁ ଆଡ଼େଇ ଦେଇ ହେବନି । ବଜାର ଓ କଞ୍ଚାମାଲ ପାଇଁ ନୂଆ ନୂଆ ଦେଶ ଉପରେ ଅଧିକାର ଜମେଇବାର ଲୋଭ ୨୧ ବର୍ଷ ପରେ ପୁଣି ଜର୍ମାନୀକୁ ଭାଗ୍ୟ ପରୀକ୍ଷା କରିବା ପାଇଁ ବାଧ୍ୟ କରିଦେଲା । ଏବଂ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ କଲା । ସୋଭିୟେତ ସଙ୍ଘ ଉପରେ ଆକ୍ରମଣ କରି କିପରି ସେ ଯୁଦ୍ଧର ସ୍ୱରୂପକୁ ବଦଳେଇ ଦେଲା ଆମେ ତାହା ଅନ୍ୟତ୍ର ଲେଖି ସାରିଛୁ । ବର୍ତ୍ତମାନ ତ ପୁଞ୍ଜିବାଦ ହିଁ ଦୁନିଆଁର ବଡ଼ ବଡ଼ ଲଢ଼େଇର ଏକମାତ୍ର କାରଣ। ବଜାରଗୁଡ଼ିକ କମି ଯିବାଟା ଆଉ ଏକ କାରଣ ହେଇ ମୁଣ୍ଡ ଟେକୁଛି । ପୂର୍ବେ ଯେଉଁ ଦେଶଗୁଡ଼ିକ ଶିଳ୍ପ କାରିଗରୀରୁ ବଞ୍ଚିତ ଥିଲେ ସେଗୁଡ଼ିକ ମଧ୍ୟ ଅତି କ୍ଷିପ୍ର ଗତିରେ ନିଜନିଜର କଳକାରଖାନା ବଢ଼େଇ ଚାଲିଛନ୍ତି । ଭାରତ କଥା ହିଁ ବିଚାର କରନ୍ତୁ । ଯୁଦ୍ଧ ପୂର୍ବରୁ ଭାରତ ନିଜ ଆବଶ୍ୟକ ଲୁଗାର ମାତ୍ର ଏକ ପଞ୍ଚମାଂଶ ମଧ୍ୟ ବଡ଼ କଷ୍ଟରେ ତିଆରି କରି ପାରୁଥିବା ସ୍ଥଳେ ବର୍ତ୍ତମାନ ପ୍ରାୟ ସବୁ ଲୁଗା ନିଜ ଦେଶ ଭିତରେ ହିଁ ତିଆରି କରି ପାରୁଛି । ଲଣ୍ଠନ, ଫାଉଣ୍ଟେନ୍ ପେନ୍, ପେନ୍ସିଲ୍, ବ୍ରସ୍, ବ୍ଲେଡ଼୍, ବେଟେରୀ ଭଳି ଶହ ଶହ ଜିନିଷ ଯୁଦ୍ଧ ପୂର୍ବରୁ ଭାରତରେ ତିଆରି ହେଉ ନଥିଲା, କିନ୍ତୁ ବର୍ତ୍ତମାନ ସେଗୁଡ଼ିକର ଉତ୍ପାଦନ ପାଇଁ ଅନେକ କାରଖାନା ଖୋଲି ଗଲାଣି । ଏତେଗୁଡ଼ିଏ ଜିନିଷ ତିଆରି ହେବାର ଅର୍ଥ ହେଲା, ଅନ୍ୟ ଦେଶଠାରୁ ସେହି ଜିନିଷର ବଜାରକୁ ଛଡ଼ାଇ ନେବା। ଆଗ କାଳରେ ଏପରି ବହୁତ ଶିଳ୍ପକାରଖାନାବିହିନ ଦେଶ ଥିଲା, ଯେଉଁଠି ଆଜି କଳ କାରଖାନାର ସଂଖ୍ୟା ବଢ଼ି ଚାଲିଛି । ଋଷ, ଯେଉଁଠି ପୂର୍ବେ ବହୁତ କମ୍ ଜିନିଷ ତିଆରି ହେଉଥିଲା, ଆଜି ଦ୍ୱିତୀୟ ଆମେରିକା ହେବାକୁ ଯାଉଛି । ଚୀନ, ତୁର୍କୀର କଥା ଛାଡ଼ନ୍ତୁ, ଆଜି ତ ଆଫଗାନିସ୍ଥାନ, ଇରାନ୍ ଭଳି ଦେଶରେ ମଧ୍ୟ କଳ କାରଖାନା ଖୋଲୁଛି ।
ବଜାର ଛଡ଼ାଛଡ଼ି-ଝମ୍ପାଝମ୍ପି ପ୍ରକ୍ରିୟାରୁ ଜାତ ସଂସାର ପ୍ରତି ଯୁଦ୍ଧ ବିଭୀଷିକା କଥା ଆମେ ଆଗରୁ କହି ରଖିଛେ । ମେସିନ୍ର ପ୍ରୟୋଗରେ ମଣିଷକୁ ବେକାର କରିବା, ନୂଆ ନୂଆ ଆବିଷ୍କାର ଦ୍ୱାରା ବେକାର ସଂଖ୍ୟା ଆହୁରି ବଢ଼ିବା, ପୁଣି ବଜାର କମିବା — ଅଭାବୀ ସ୍ଥିତାବସ୍ଥାକୁ ସୁଦୃଢ଼ କରୁଛି । ବେକାର ସମସ୍ୟାକୁ ଆହୁରି ଭୟଙ୍କର ରୂପ ଦେବା ପାଇଁ ଏୟା ହିଁ ଯଥେଷ୍ଟ ଥିଲା, କିନ୍ତୁ ପ୍ରତି ଦଶ ବର୍ଷରେ ହେଉଥିବା ପୃଥିବୀର ଜନଗଣନାକୁ ଦେଖିଲେ ଜଣାପଡ଼େ ଯେ ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି । କେବଳ ଭାରତରେ ହିଁ ୧୯୨୧ ରୁ ୧୯୪୧ ମସିହା ପର୍ଯ୍ୟନ୍ତ କୋଡ଼ିଏ ବର୍ଷ ମଧ୍ୟରେ ଛଅ କୋଟିରୁ ଅଧିକ ଲୋକ ବଢ଼ିଛନ୍ତି । ପୁଞ୍ଜିବାଦ ମୁଷ୍ଟିମେୟ ଲୋକଙ୍କୁ ଧନୀ କରି ସେମାନଙ୍କ ପାଇଁ ସୁଖ ଓ ବିଲାସର ନୂଆ ନୂଆ ସାମଗ୍ରୀ ଯୋଗାଇ ପାରେ । ଅଧିକରୁ ଅଧିକ ମୂଲ୍ୟବାନ ମଟର ଗାଡ଼ି ଯହିଁରେ ହାତଗୋଡ଼ ହଲାଇବାକୁ ପଡ଼ିବନି, ଠିକ୍ ସେହି ଭଳିଆ ମହଲ ଏବଂ ତାକୁ ସଜେଇବା ପାଇଁ ହଜାର ହଜାର ଜିନିଷ, ପେରିସ୍ରୁ ପ୍ରତିଦିନ ବାହାରୁଥିବା ନୂଆ ନୂଆ ଫେସନ ଏବଂ ଏହି ଧରଣର ବହୁତ ପ୍ରକାରର ବିଳାସ ସାମଗ୍ରୀ ନିଶ୍ଚିତ ଭାବେ ହାଜର କରିପାରିବ, କିନ୍ତୁ ସର୍ବଗ୍ରାସୀ ଯୁଦ୍ଧ ଓ ବେକାରୀ ଭଳି ସାଧାରଣ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତା ଠାରେ ଆଶା ରଖିବା ଦୁରାଶା ମାତ୍ର । ଏହି ସମସ୍ୟାଗୁଡ଼ିକ ବର୍ତ୍ତମାନ ମଣିଷ ଜାତିର ଜୀବନମରଣର ପ୍ରଶ୍ନ ହୋଇଗଲାଣି । ଯୁଦ୍ଧର ଆଶଙ୍କା କଥା ବିଚାର କରନ୍ତୁ । ଏପରି ଏପରି ହତିଆର, ଏପରି ଏପରି ବିଶାକ୍ତ ଗ୍ୟାସ, ଏମିତି ଭୟଙ୍କର କୀଟାଣୁମାନ ବିଜ୍ଞାନ ମଣିଷର ହାତରେ ଟେକି ଦେଇଛି ଯେ ସେ ଯଦି ଶାନ୍ତିର ରାସ୍ତା ଖୋଜି ବାହାର ନକରେ ତେବେ ମାନବ ସମାଜର ସର୍ବନାଶ ହେବ ହିଁ ହେବ । ଭାବି ଦେଖନ୍ତୁ: ଜଣେ ଲୋକର ପକେଟରେ କାଳିଭରା ଫାଉଣ୍ଟେନ୍ ପେନ୍ ବଦଳରେ ସେହି ପ୍ରକାରର ଏକ କାଚର ନଳିରେ ଏପରି ଭୟଙ୍କର କୀଟାଣୁମାନ ରହିଛି, ଯାହାକୁ କି ସେହି ଲୋକଟି ଉଡ଼ାଯାହାଜରେ ନେଇ ନ୍ୟୁୟର୍କ ବା ଲଣ୍ଡନ ଭଳି ସହରରେ ଛାଡ଼ି ଦେଉଛି ଏବଂ କିଛି ଘଣ୍ଟା ମଧ୍ୟରେ ଏତେ ବଡ଼ ସହରର କୁଢ଼ କୁଢ଼ ମୁର୍ଦ୍ଦାର ଦେଖା ଦେଉଛି । ଏହା କାଳ୍ପନିକ କଥା ନୁହେଁ। ବିଜ୍ଞାନପ୍ରସୂତ ଯୁଦ୍ଧ ସମ୍ବନ୍ଧୀୟ ଆବିଷ୍କାରଗୁଡ଼ିକ ଆଜିକାଲି ଏହି ଧରଣର ହିଁ ହେଉଛି ।
ପୁଞ୍ଜିବାଦର ଆହୁରି ଅନେକ ଦୁଷ୍ପରିଣାମ ଗଣତି କରାଯାଇ ପାରିବ । ପୁଞ୍ଜିବାଦର ଭୟଙ୍କର ପରିଣାମ ମଧ୍ୟ ଏହା ଯେ ବହୁତ ଲୋକଙ୍କୁ ତାହା ଘୋର ଦରିଦ୍ରତା ମଧ୍ୟରେ ରଖୁଛି । ଆମେ ଏମିତି ଅନେକ ପିଲାଙ୍କୁ ଦେଖୁଛେ ଯେଉଁମାନେ କି ଅତି ଉତ୍ତମ ପ୍ରତିଭା ସମ୍ପନ୍ନ । ଯଦି ସେମାନଙ୍କୁ ସୁଯୋଗ ମିଳନ୍ତା, ତେବେ ସେମାନେ ଭଲ ଗଣିତଜ୍ଞ, ବୈଜ୍ଞାନିକ, କଳାକାର ହୋଇ ପାରନ୍ତେ, କିନ୍ତୁ ସେମାନଙ୍କ ପିତାମାତାଙ୍କ ପାଖରେ ଏତେ ଧନ ନାହିଁ ଯେ ନିଜ ନିଜ ପିଲାମାନଙ୍କୁ ସେମାନଙ୍କର ରୁଚି ଓ ଯୋଗ୍ୟତା ଅନୁସାରେ ଆବଶ୍ୟକ ଶିକ୍ଷା ଦେଇ ପାରିବେ । ଅନ୍ୟ ପକ୍ଷରେ ଧନୀ ପିତାମାତାମାନେ ସେମାନଙ୍କର ପ୍ରତିଭାହୀନ ସନ୍ତାନମାନଙ୍କ ପାଇଁ ମଧ୍ୟ କୋଟି କୋଟି ଟଙ୍କା ବରବାଦ କରୁଛନ୍ତି । ପୁଞ୍ଜିବାଦ ଯୋଗୁଁ ହିଁ ଓକିଲାତି ଭଳି ପେଷା ବଞ୍ଚିଛି । ଯେଉଁ ପୁଞ୍ଜିବାଦ ପ୍ରତିଭାକୁ ଜାଳିପୋଡ଼ି ପାଉଁଶ କରିବାରେ ମଶାଣିର ଭୂମିକା ନେଉଛି, ସେହି ପୁଞ୍ଜିବାଦ ନ ରହିଲେ ମଣିଷ ସମାଜର ସୁଖସାମଗ୍ରୀରେ କୌଣସି ପ୍ରକାର କମ୍ ହୋଇ ଯିବନି ।
ଅନେକ କାରଣ ମଧ୍ୟରୁ ଏଗୁଡ଼ିକ ହେଲା କିଛି କାରଣ ଯାହା ସଂସାରରେ ସାମ୍ୟବାଦକୁ ଜନ୍ମ ଦେଲା ।
(ସାମ୍ୟବାଦର ଜନ୍ମ କାହିଁକି? ଲେଖକ-ରାହୁଳ ସାଂକୃତ୍ୟାୟନ , ଅନୁବାଦ-ଅଧ୍ୟାପକ ନୀଳମଣିସାହୁ)
[ଏହି ଲେଖାଟି ସମଦୃଷ୍ଟି (ଖଣ୍ଡ 1, ସଂଖ୍ୟା 1, 16-30 ଜୁନ୍ 2006) ରେ ପ୍ରକାଶିତ ହୋଇଥିଲା]
e-mail: neelamanisahu@rediffmail.com
Comments
0 comments