“ଆମେ କେତେ ସ୍ୱାଧୀନ ? ” ଏହି ପ୍ରଶ୍ନଟିର ଉତ୍ତର ଖୋଜିବାକୁ ଗଲେ ଆମକୁ ଆଉ ଏକ ହଜାର ଏକ ପ୍ରଶ୍ନର ସମ୍ମୁଖୀନ ହେଲା ଭଳି ଲାଗେ । ପ୍ରଥମ ପ୍ରଶ୍ନ ହେଲା, ଏହି ଆମେ ଟା କିଏ? ଅନ୍ୟ ଭାବରେ କହିଲେ, ଏହି ପ୍ରଶ୍ନଟିରେ ବ୍ୟବହୃତ ହୋଇଥିବା “ଆମେ” ପଦଟି କାହାକୁ ବୁଝାଏ? ଭାରତ ଯେତେବେଳେ ବ୍ରିଟିଶ ଶାସନାଧୀନରେ ଥିଲା ସେତେବେଳେ “ଆମେ ପରାଧୀନ” କହିଲେ ଯାହାକୁ ବୁଝାଉ ଥିଲା, ଅଗଷ୍ଟ ୧୫, ୧୯୪୭ ରେ ଭାରତ ସ୍ୱାଧୀନ ହେବା ଦିନ ଆଉ ସେମାନଙ୍କୁ ବୁଝାଇଲା ନାହିଁ । ତା ପୂର୍ବ ଦିନ ଏହି “ଆମେ” ରୁ ଭାଗେ ଯାଇ ପାକିସ୍ଥାନ ଗଠନ କରି ସାରିଥିଲେ । “ଆମେ” ଟା ଦୁଇ ଭାଗ ହୋଇ ଯାଇଥିଲା । ପାକିସ୍ଥାନରେ ଥାଇ ଭାଗେ “ଆମେ ସ୍ୱାଧୀନ” ବୋଲି କହିଲା ବେଳେ ବିଖଣ୍ଡିତ ଭାରତରେ ଥାଇ ଆର ଭାଗକ “ଆମେ ସ୍ୱାଧୀନ” ବୋଲି କହିଲେ । ଇତି ମଧ୍ୟରେ ଦୁଇ ଭାଗ ତିନି ଭାଗରେ ପରିଣତ ହୋଇ ୧୯୭୧ ରେ ବଙ୍ଗଳାଦେଶ ସୃଷ୍ଟି ହେବା ପରେ ସେଠି ଥାଇ ଭାଗେ ପୁଣି କହିଲେ “ଆମେ ସ୍ୱାଧୀନ” । ପରାଧୀନ କାଳରେ “ଆମେ ପରାଧୀନ” କହିଲେ “ଆମେ” ଯାହାଙ୍କୁ ବୁଝାଉ ଥିଲା, ଆଜି ଆଉ ସେମାନଙ୍କୁ ବୁଝାଉ ନାହିଁ । “ଆମେ” ଟା ଭାଙ୍ଗି “ଆମେ” ଆଉ “ସେମାନେ” ରେ ପରିଣତ ହୋଇ ଗଲାଣି ।
ପୁଣି “ମୁଁ(କ) କେତେ ସ୍ୱାଧୀନ?”, “ମୁଁ(ଖ) କେତେ ସ୍ୱାଧୀନ?”, “ମୁଁ(ଗ) କେତେ ସ୍ୱାଧୀନ?” … ଭଳି ଏକବଚନ ପ୍ରଶ୍ନଗୁଡ଼ିକୁ ଆମେ ସାଧାରଣତଃ “ଆମେ କେତେ ସ୍ୱାଧୀନ?” ଭଳି ବହୁବଚନ ପ୍ରଶ୍ନରେ ପ୍ରକାଶ କରୁଥିଲେ ମଧ୍ୟ ଏକବଚନ ପ୍ରଶ୍ନଗୁଡ଼ିକର ଅର୍ଥର ସମଷ୍ଟିକୁ ବହୁବଚନ ପ୍ରଶ୍ନଟି ପ୍ରକାଶ କରେ ବୋଲି କୁହାଯାଇ ପାରେନା । ଏଠାରେ “ମୁଁ” ବ୍ୟକ୍ତି ସ୍ୱାଧୀନତାକୁ ବୁଝାଉଥିଲା ବେଳେ “ଆମେ” ସାମୁହିକ ସ୍ୱାଧୀନତାକୁ ବୁଝାଏ । ଅଥଚ “ମୁଁ(କ) ଆମ୍ବ ଖାଉଛି ।”, “ମୁଁ(ଖ) ଆମ୍ବ ଖାଉଛି ।”, “ମୁଁ(ଗ) ଆମ୍ବ ଖାଉଛି ।” … ଭଳି ଏକବଚନ ବାକ୍ୟଗୁଡ଼ିକୁ “ଆମେ ଆମ୍ବ ଖାଉଛୁ ।” ଭଳି ବହୁବଚନ ବାକ୍ୟରେ ପ୍ରକାଶ କଲେ ଏକବଚନ ବାକ୍ୟଗୁଡ଼ିକର ଅର୍ଥର ସମଷ୍ଟିକୁ ବହୁବଚନ ବାକ୍ୟଟି ପ୍ରକାଶ କରେ ବୋଲି ଧରା ଯାଇଥାଏ ।
ଓକିଲମାନେ “ଆମେ କେତେ ସ୍ୱାଧୀନ ?” ବୋଲି ପ୍ରଶ୍ନ କଲେ ଓକିଲମାନେ ଏକ ଗୋଷ୍ଠୀ ଭାବରେ କେତେ ସ୍ୱାଧୀନ ବୋଲି ପ୍ରଶ୍ନ କରା ଯାଇଥାଏ । ଜଣେ ଓକିଲ ଏକ ବ୍ୟକ୍ତି ଭାବେ କେତେ ସ୍ୱାଧୀନ ତାହା ସେହି ପ୍ରଶ୍ନଟିର ଅର୍ଥର ଅନ୍ତର୍ଗତ ନୁହେଁ ।
ବିଶ୍ୱ ବାଣିଜ୍ୟ ସଂଘ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଆଦିଙ୍କ ଚାପରେ ପଡ଼ି ଆମ ସରକାର ଆମର ସାର୍ବଭୌମତ୍ୱ ତଥା ଜାତୀୟ ସ୍ୱାର୍ଥକୁ ବଳି ପକେଇ ବହୁଦେଶୀୟ ପୁଞ୍ଜିପତିଙ୍କ ସ୍ୱାର୍ଥରେ ଆମ ଦେଶର ପ୍ରସ୍ତୁତି-ଧାରା ଆଧାରିତ ପେଟେଣ୍ଟ ଆଇନ ବଦଳେଇ ପ୍ରସ୍ତୁତ-ବସ୍ତୁ ଆଧାରିତ ପେଟେଣ୍ଟ ଆଇନ ଗ୍ରହଣ କଲେ । ସେହି ପରିପ୍ରେକ୍ଷୀରେ ଆମେ ଯଦି “ଆମେ କେତେ ସ୍ୱାଧୀନ ?” ବୋଲି ପ୍ରଶ୍ନ କରି, ଯାହା ଉତ୍ତର ପାଇବା ସେଥିରେ ଅସନ୍ତୁଷ୍ଟ ହୋଇ, ଅର୍ଥନୈତିକ ସଂସ୍କାର ଆଳରେ ଯାହା କିଛି ପରିବର୍ତ୍ତନ ଅଣା ଯାଇଛି ସେଗୁଡ଼ିକୁ ପୁଣି ଯଦି ଆମେ ବଦଳାଉ ତେବେ ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ ଢୋଲ ଭିତରେ ମୂଷା ଭଳି ଖୋଦ ଆମ ଦେଶରେ ସଦ୍ୟ ଜାତ ହୋଇଥିବା ବହୁଦେଶୀୟ ପୁଞ୍ଜିପତିମାନେ କହିବେ ଆମେ ସ୍ୱାଧୀନ ନୋହୁଁ । କାରଣ ସକଳ ଦେଶର ସମସ୍ତ ବହୁଦେଶୀୟ ପୁଞ୍ଜିପତିମାନଙ୍କର ଅସଲ ଉଦ୍ଦେଶ୍ୟ ହେଲା ଭିନ୍ନ ଭିନ୍ନ ଦେଶକୁ ନିଜର ପୁଞ୍ଜିର ଅବାଧ ଗତି ଜାରି ରଖିବା, ବିଭିନ୍ନ ଦେଶରେ ଅବାଧ ବାଣିଜ୍ୟ କରିବା ତଥା ତହିଁରୁ ଜାତ ଲାଭର ଅବାଧ ଅଧିକାରୀ ହେବା । ସ୍ୱାଧୀନତାର ଅର୍ଥ ସେମାନଙ୍କ ପାଇଁ କେବଳ ଲାଭ, ଆହୁରି ଲାଭ, ତହିଁରୁ ବଳି ଲାଭ ।
ତେଣୁ ଏହି ସଂକ୍ଷିପ୍ତ ଆଲୋଚନାରୁ ଏହି କଥା ସ୍ପଷ୍ଟ ଯେ — “ଆମେ କେତେ ସ୍ୱାଧୀନ ?” — ଏହି ପ୍ରଶ୍ନରେ “ଆମେ” ପଦଟି ଆଉ ଏଣିକି ଆମ ଦେଶର ସମସ୍ତ ନାଗରୀକଙ୍କୁ ବୁଝେଇବ ନାହିଁ । ତେବେ ଆମ ଆଲୋଚନାରେ “ଆମେ” ପଦଟି କାହାକୁ ବୁଝେଇବ ତାହା ସ୍ଥିର କରିବାକୁ ହେବ ।
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ବହୁମତ ଶାସନ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳ ଭିତ୍ତି । ଭାରତର ଅଧିକାଂଶ ନାଗରୀକ ଯେଉଁ ଦଳ ସପକ୍ଷରେ ଭୋଟ ଦିଅନ୍ତି ସେହି ଦଳ ଶାସନ କରେ । କିନ୍ତୁ ଯେଉଁ ଗୋଷ୍ଠୀ ବା ଦଳ ଶାସନ କରେ ତା ପଛରେ ବାସ୍ତବରେ ଅଧିକାଂଶ ନାଗରୀକଙ୍କ ସମର୍ଥନ ଥାଏ କି ନା ତାହା ବିଚାର କରିବା କଥା । ଭାରତରେ ଯେଉଁମାନେ ବୟସରେ ଅଠର ବର୍ଷରୁ କମ୍ ସେମାନଙ୍କର ଭୋଟ ଦେବାର ଅଧିକାର ନାହିଁ, ଅଥଚ ବେଳେବେଳେ ସରକାରଙ୍କର ନିଷ୍ପତ୍ତି ଏମାନଙ୍କର ସ୍ୱାର୍ଥର ପରିପନ୍ଥୀ ହୋଇପାରେ । ଉଦାହରଣ ସ୍ୱରୂପ, ଯେପରି ବର୍ତ୍ତମାନ ଚାଲିଥିବା ଶିକ୍ଷାର ଘରୋଇକରଣ ପ୍ରକ୍ରିୟା ଏମାନଙ୍କର ଭବିଷ୍ୟତକୁ ଅନ୍ଧକାରମୟ କରେ ।
ପ୍ରାପ୍ତବୟସ୍କଙ୍କ ମଧ୍ୟରୁ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ନଥାଏ ସେମାନେ ତ ଭୋଟଦାନରୁ ବଞ୍ଚିତ ହୁଅନ୍ତି । ଯେଉଁମାନଙ୍କ ନାମ ଭୋଟର ତାଲିକାରେ ଥାଏ ସେମାନେ ସମସ୍ତେ ଭୋଟ ଦିଅନ୍ତିନି । ସେମାନଙ୍କ ମଧ୍ୟରୁ ଶତକଡ଼ା ୫୦ ରୁ ୭୦ ଭାଗ ପର୍ଯ୍ୟନ୍ତ ଭୋଟ ଦିଅନ୍ତି। ଯେଉଁ ଦଳର ବା ଗୋଷ୍ଠୀର ଅଧିକାଂଶ ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି ସେହି ଦଳ ବା ଗୋଷ୍ଠୀ ସରକାର ଗଠନ କରେ, ଅଥଚ ତାହା ଦିଆ ଯାଇଥିବା ଭୋଟର ସାଧାରଣତଃ ଶତକଡ଼ା ୨୫ ରୁ ୩୫ ଭାଗ ଭୋଟ ହିଁ ପାଇଥାଏ। ପୁଣି ଦଳ ମଧ୍ୟର ଗୋଷ୍ଠୀକନ୍ଦଳ କଥା ଅଛି । ଗୋଷ୍ଠୀକନ୍ଦଳ ରହୁଛି ବୋଲି ତ ବେଳେ ବେଳେ ସରକାରର ପତନ ଘଟୁଛି ତଥା ଆୟାରାମ ଗୟାରାମଙ୍କ ପ୍ରାଧାନ୍ୟ ବଢ଼ୁଛି । ଗୋଷ୍ଠୀକନ୍ଦଳ ଜନ ସମର୍ଥନକୁ ଆହୁରି କମାଇ ଦିଏ । ତଥାପି ଶାସନ କରୁଥିବା ଦଳଟି ଆମେ ନିର୍ବାଚନରେ ଜିଣିଛୁ ଓ ଆମ ପଛରେ ବହୁଳ ଜନ ସମର୍ଥନ ରହିଛି ବୋଲି ବାହୁସ୍ଫୋଟ ମାରନ୍ତି । ନିଜର ନିର୍ବାଚନ ପ୍ରତିଶ୍ରୁତିର ପରିସର ମଧ୍ୟରେ କାର୍ଯ୍ୟ କରିବା ତେଣିକି ଥାଉ ଦେଶର ଗତିକୁ ସଂପୂର୍ଣ୍ଣ ରୂପେ “ପିଛେ ମୁଡ୍” କରିବାକୁ ମଧ୍ୟ ପଛାନ୍ତିନି । ସମ୍ବିଧାନରେ “ସମାଜବାଦ” ପଦଟି ରହିଛି, ଅଥଚ ଦେଶଟିକୁ ପୁରା ଦମ୍ରେ ପୁଞ୍ଜିବାଦୀ ପଥରେ ଦୌଡ଼ା ଯାଉଛି । ଏହି “ପିଛେ ମୁଡ୍” ପାଇଁ କେହି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଭଳି ମନେ ହୁଏନା । ଏପରି ମୌଳିକ ପରିବର୍ତ୍ତନ ବେଳେ, କୌଣସି ମୂଖ୍ୟ ଜାତୀୟ ବିଷୟ ସମ୍ପର୍କରେ ଅବା କୌଣସି ସଙ୍କଟ କାଳରେ ଜନମତ ସଂଗ୍ରହ କରିବାର ବ୍ୟବସ୍ଥା (referendum) ଭାରତର ସଂବିଧାନରେ ହିଁ ନାହିଁ ।
ମଣିଷ ଦେହରେ ଅଦରକାରୀ appendix ବା ଉପାଙ୍ଗ ରହିଲା ଭଳି ସମ୍ବିଧାନରେ “ସମାଜବାଦ” ପଦଟି ରହିଛି । ଆପେଣ୍ଡିସାଇଟିସ୍ (Appendicitis) ବା ଉପାଙ୍ଗ ରୋଗ ହେଲେ ଦେହ ଯନ୍ତ୍ରଣାରେ ସଢ଼େ, ଉପାଙ୍ଗକୁ କାଟି ଫୋପାଡ଼ିବା ଆବଶ୍ୟକ ହୁଏ, କିନ୍ତୁ ସାମ୍ବିଧାନିକ “ସମାଜବାଦ” ଓ ବାସ୍ତବିକ ପୁଞ୍ଜିବାଦ ମଧ୍ୟରେ କିଛି ଦ୍ୱନ୍ଦ୍ୱ ହୁଏନା ବୋଲି ବୋଧ ହୁଏ ପଦଟି ସେମିତି ରହିଛି ।
ପୁଣି ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ନିଜନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି, ଜନତାଙ୍କ ନିକଟରେ କୁଢ଼ କୁଢ଼ ପ୍ରତିଶ୍ରୁତି ଦିଅନ୍ତି। ଭୋଟରମାନେ ଯିଏ ଯେଉଁ ଦଳକୁ ବିଶ୍ୱାସ କଲା, ଯେଉଁ ଦଳଟି ଆସ୍ଥାଭାଜନ ହେଲା, ସେହି ଦଳକୁ ଭୋଟ ଦିଅନ୍ତି । ଏହି ଭାବେ ବହୁ ସଂଖ୍ୟକ ଭୋଟରଙ୍କ ଭୋଟ ପାଇ ଗୋଟିଏ ଦଳ ବା କେତେକ ଦଳ ମିଶି ସରକାର ଗଠନ କରନ୍ତି । କିନ୍ତୁ ନିର୍ବାଚନ ପରେ ପରେ ସେମାନଙ୍କର ନିର୍ବାଚନ ଇସ୍ତାହାର ତଥା ପ୍ରତିଶ୍ରୁତିଗୁଡ଼ିକୁ ଭୁଲି ଯାଆନ୍ତି । ବିଶ୍ୱାସ ଭଙ୍ଗ କରନ୍ତି । ଅଥଚ ବିଶ୍ୱାସ ଭଙ୍ଗ ଅପରାଧ ସେମାନଙ୍କୁ ଲାଗୁ ହୁଏନା। ବିଶ୍ୱାସ ଭଙ୍ଗ ଅପରାଧରେ ସେମାନଙ୍କୁ କୋର୍ଟକଚେରୀକୁ ଟାଣିବାର ଆଇନଗତ ବ୍ୟବସ୍ଥା ନାହିଁ, ସେମାନଙ୍କର ବିଚାର ହୁଏନା । ହୁଏତ ଆଉ ଗୋଟିଏ ନିର୍ବାଚନରେ ସେମାନଙ୍କ ବଦଳରେ ଆଉ କାହାକୁ ନିର୍ବାଚିତ କରାଯାଇପାରେ । କିନ୍ତୁ ସେହି ଅନ୍ୟମାନେ କ୍ଷମତାକୁ ଯାଇ ପୁଣି ସେହି ଏକା କଥା କରିବେ । କାରଣ ଶାସନ ବ୍ୟବସ୍ଥାରେ କାହାକୁ ଉତ୍ତରଦାୟୀ କରା ଯାଇନି ।
ଯେହେତୁ ନ୍ୟଞ୍ଜର୍ଥକ ଭୋଟ ଦେବାର ଅଧିକାର ଭୋଟରମାନଙ୍କର ନାହିଁ, ଭୋଟରମାନେ ନିର୍ବାଚନକୁ ବାସନ୍ଦ କଲେ ମଧ୍ୟ ନିର୍ବାଚନ ପରିଚାଳନା କରାଯାଇ କାଁ ଭାଁ ପଡ଼ିଥିବା ଭୋଟକୁ ଗଣତି କରାଯାଇ କେଉଁ ଦଳ ଜିତିଲା କେଉଁ ଦଳ ହାରିଲା ସ୍ଥିର କରାଯାଇ ସରକାର ଗଠନ କରା ଯାଇଥିବା ନଜିର ମଧ୍ୟ ରହିଛି । ଅତୀତରେ ଆସାମରେ ଠିକ୍ ସେହି କଥା ଘଟିଥିଲା । ଅପରପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବାଟା ଯେପରି ଭାରତର ହିନ୍ଦୁ ପରିବାରଗୁଡ଼ିକର ଏକ ସାମାଜିକ ଚଳଣି, ଠିକ୍ ସେପରି ନିର୍ବାଚନଟା ଏକ ସାମ୍ବିଧାନିକ ଆବଶ୍ୟକତା । ଯେଉଁ ଭୋଟରର ଷୋଳଅଣା ଇଚ୍ଛା ଅଛି ସେ ଭୋଟ ଦେଉ, ଯେଉଁ ଭୋଟରର ନାହିଁ ସେ ନଦେଉ । ତଥାପି ନିର୍ବାଚନ ହେବ, ପଡ଼ିଥିବା ଭୋଟ ଭିତ୍ତିରେ ଯେଉଁ ଦଳ ସରକାର ଗଢ଼ିବା କଥା ଗଢ଼ିବ। ସେଥିରେ ପୁଣି ଜଣେ ପ୍ରାର୍ଥୀ ନିଜର ଅମାନତ ହରେଇ ମଧ୍ୟ ନିର୍ବାଚନ ଜିଣିବାର ସମ୍ଭାବନା ରହିଛି। ତେଣୁ ବେଳେବେଳେ ମନେ ହୁଏ ଆମ ଦେଶରେ ଚାଲିଥିବା ନିର୍ବାଚନ ଏକ ପ୍ରହସନ ।
ଇତି ମଧ୍ୟରେ ଭାରତରେ ନିର୍ବାଚନ ମଧ୍ୟ ପୁଞ୍ଜିର ଏକ ଖେଳ ହୋଇ ସାରିଲାଣି । ଶାସନ ବ୍ୟବସ୍ଥାର ସବା ତଳ ସ୍ତର, ପଞ୍ଚାୟତ ନିର୍ବାଚନରେ ଆଜିକାଲି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଥିବା ଦେଖା ଯାଉଛି । ତେବେ ବିଧାନସଭା ଓ ଲୋକସଭା ସଭ୍ୟ ପଦ ପାଇଁ କେଉଁ ପରିମାଣର ଅର୍ଥ ବ୍ୟୟ କରା ଯାଉଥିବ ତାହା ସହଜରେ ଅନୁମେୟ । ଗଣତାନ୍ତ୍ରିକ ସରକାର ଲୋକଙ୍କର, ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ବୋଲି ପାଠ୍ୟପୁସ୍ତକରେ ଲେଖି ଛାତ୍ରଛାତ୍ରୀଙ୍କୁ ଘୋଷା ଯାଉଥିଲେ ମଧ୍ୟ ବାସ୍ତବରେ ଏହା ଧନୀଙ୍କର, ଧନୀଙ୍କ ଦ୍ୱାରା ଓ ଧନୀଙ୍କ ପାଇଁ ହୋଇ ଯାଇଛି । ତେଣୁ ଆଜିର ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ କେବଳ ସେହିମାନେ ଅଂଶଗ୍ରହଣ କରି ପାରିବେ ଯେଉଁମାନଙ୍କ ନିକଟରେ ଆବଶ୍ୟକୀୟ ପୁଞ୍ଜି ରହିଛି । ଭାରତର ଅଧିକାଂଶ ଲୋକଙ୍କ ନିକଟରେ ଏହି ବିପୁଳ ପରିମାଣର ଅର୍ଥର ଘୋର ଅଭାବ । ତେଣୁ ସେମାନେ ଏହି ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀ ଭାବେ ଅଂଶଗ୍ରହଣ କରିବା ଆଶା ଅତି କ୍ଷୀଣ । ଯେଉଁମାନଙ୍କର ଆର୍ଥିକ ସାମର୍ଥ୍ୟ ରହିଛି ସେମାନେ ପ୍ରାର୍ଥୀ ହେଉଛନ୍ତି, ଜିଣିଲେ ଶାସନ କ୍ଷମତାରେ ଅଂଶୀଦାର ହେଉଛନ୍ତି, ନିଜର ସ୍ୱାର୍ଥସାଧନ କରି ଚାଲିଛନ୍ତି । ସାଧରଣ ମଣିଷ ଅବହେଳିତ ହୋଇ ରହିଛନ୍ତି। ଏହି ଅବହେଳିତ ମଣିଷମାନେ ନିର୍ବାଚନ ପରେ କୁମ୍ଭକର୍ଣ୍ଣ ଭଳି ଶୁଅନ୍ତି ପୁଣି ଆଉ ଏକ ନିର୍ବାଚନର ଲାଉଡ୍ସ୍ପିକର ଏମାନଙ୍କୁ ଭୋଟ ଦେବା ପାଇଁ ଉଠେଇବା ପର୍ଯ୍ୟନ୍ତ । କିନ୍ତୁ ସ୍ୱାଧୀନ ମଣିଷ ତ ତାର ନିଜର ସ୍ୱାଧୀନତାର ଅହରହ ପ୍ରହରୀ ।
ଏହି ଲେଖାରେ “ଆମେ” ପଦଟି ଏହି ସାଧାରଣ ମଣିଷଙ୍କୁ ବୁଝେଇବ ଏବଂ ସେମାନେ କେତେ ସ୍ୱାଧୀନ ତାହା ସେମାନେ ନିଜେ ବିଚାର କରି ଦେଖିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ଏକ ଦର୍ପଣ ପ୍ରସ୍ତୁତ କରିବା ଏହି ଲେଖାର ଉଦ୍ଦେଶ୍ୟ ।
ଆର୍ଥିକ ଦୃଷ୍ଟିରୁ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବା ସାମର୍ଥ୍ୟକୁ ଯଦି ଆମେ “ସ୍ୱାଧୀନ” ପଦର ସଂଜ୍ଞାସୂଚକ ଗୁଣ ବୋଲି ଧରିବା ତେବେ ଯେଉଁମାନଙ୍କର ସାମର୍ଥ୍ୟ ଅଛି ସେମାନେ ସ୍ୱାଧୀନ ବୋଲି ଧରାଯିବ, ଅନ୍ୟମାନେ ଏହି ତଥାକଥିତ ସ୍ୱାଧୀନ ବ୍ୟକ୍ତିଙ୍କ ଦୟା ଉପରେ ନିର୍ଭରଶୀଳ ବୋଲି କୁହାଯିବ ।
୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେଲା । ଇଂରେଜମାନଙ୍କର ଜାତୀୟ ପତାକା ୟୁନିଅନ ଜ୍ୟାକକୁ ଓହ୍ଲେଇ ସ୍ୱାଧୀନ ଭାରତର ଜାତୀୟ ପତାକା ରୂପେ ତ୍ରିରଙ୍ଗାକୁ ଉଡ଼ାଗଲା । ଗଭର୍ଣ୍ଣର-ଜେନେରାଲ ହିସାବରେ ଲର୍ଡ଼ ମାଉଣ୍ଟବେଟେନଙ୍କ ସ୍ଥାନ ନେଲେ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ । ଏହା ଛଡ଼ା ଯାହା ଯେମିତି ଥିଲା ତାହା ସେମିତି ରହିଲା । ସେହି ଅଫିସରବର୍ଗ, ସେହି ସୈନ୍ୟବାହିନୀ, ସେହି ପୋଲିସ । ବ୍ରିଟିଶ୍ ଅମଳରେ ଗୋରା ସାହେବଙ୍କୁ ଏମାନେ ସଲାମ ମାରୁଥିଲେ, ବର୍ତ୍ତମାନ ସଲାମ ମାରିଲେ କ୍ଷମତାସୀନ ନେତାଙ୍କୁ । ବ୍ରିଟିଶ୍ ଅମଳରେ ବ୍ରିଟିଶ୍ ସ୍ୱାର୍ଥରେ ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଜନତାଙ୍କୁ ଦମନ-ଶୋଷଣ କରୁଥିଲେ, ସ୍ୱାଧୀନତା ପ୍ରାପ୍ତି ପରେ କ୍ଷମତାସୀନ ଦଳର ସ୍ୱାର୍ଥରେ ଦମନ-ଶୋଷଣ କଲେ ବିରୋଧୀ ଦଳ ଓ ସାଧାରଣ ଜନତାଙ୍କୁ। ଉଭୟ ଶାସନରେ ସାଧାରଣ ଜନତାର ଦଶା ପ୍ରାୟ ଏକା ରହିଲା । ୧୯୫୦ ଜାନୁଆରୀ ୨୬ରେ ଏକ ନୂଆ ସମ୍ବିଧାନର ଭିତ୍ତିରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଘୋଷଣା କରାଗଲା, ଅଥଚ ପୂର୍ବ ଭଳି ଶାସନ ଯେମିତି ଚାଲୁଥିଲା ସେମିତି ଚାଲିଲା । ସାଧାରଣ ମଣିଷ ପାଇଁ କିଛି ଫରକ ପଡ଼ିଲାନି ।
ସ୍ୱାଧୀନତା ସଂଗ୍ରାମରେ ବିଭିନ୍ନ ରାଜନୈତିକ ଦଳ ଓ ମତାମତର ଲୋକେ ଯୋଗ ଦେଇଥିଲେ । ସେମାନଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଥିଲା ଭିନ୍ନ ଭିନ୍ନ । ଦୁଇଟି ଚରମ ମତକୁ ନେଲେ, କାହା ପାଇଁ ଇଂରେଜ ଭାରତ ଛାଡ ଲକ୍ଷ୍ୟ ଥିଲା ତ ଆଉ କାହା ପାଇଁ ରାଜନୈତିକ-ସାମାଜିକ-ଆର୍ଥିକ ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ଲକ୍ଷ୍ୟ ଥିଲା । ଅନ୍ୟ ମତାମତଗୁଡ଼ିକ ଏହି ଦୁଇ ଚରମ ମତର ମଝାମଝିରେ କେଉଁଟା କେଉଁଠି ରହିଲା । ଇଂରେଜମାନେ ଭାରତ ଛାଡ଼ିବା ପରେ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ପୂର୍ଣ୍ଣ ହେଲା ବୋଲି କେତେକ ପର୍ବ ପାଳିଲା ବେଳେ ଅନ୍ୟ କେତେକ ଭାବିଲେ ଇଂଲଣ୍ଡର ଜମିଦାର-ପୁଞ୍ଜିପତି ଶ୍ରେଣୀ ଭାରତର ଜମିଦାର-ପୁଞ୍ଜିପତି ଶ୍ରେଣୀ ହାତରେ ଶାସନ ଭାର ଟେକି ଦେଲେ, ଯାହା ଦ୍ୱାରା ସାଧାରଣ ମଣିଷର ରାଜନୈତିକ-ସାମାଜିକ-ଆର୍ଥିକ ସ୍ଥିତିରେ କୌଣସି ପ୍ରକାର ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟିବା ଆଶା କ୍ଷୀଣ । ତେଣୁ ଏହି ସ୍ୱାଧୀନତା ଏକ ପ୍ରତାରଣା ବୋଲି ସେମାନେ କହି ବୁଲିଲେ । ଯେଉଁମାନଙ୍କ ସ୍ୱାର୍ଥରେ ଏହି ମୂଲ୍ୟାୟନ କରାଯାଇଥିଲା, ସେମାନେ ଏହାକୁ ବୁଝିବା ପାଇଁ ଅକ୍ଷମ ଥିଲେ । ତାହା ବୁଝିବା ଭଳି ସେମାନଙ୍କର ରାଜନୈତିକ ଚେତନାର ବିକାଶ କରାଯାଇ ନଥିଲା । ସ୍ୱାଧୀନତା ପ୍ରାପ୍ତିର ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ପରେ ମଧ୍ୟ ସେହି ଦିଗରେ ସାଧାରଣ ମଣିଷର ରାଜନୈତିକ ଚେତନାରେ ସେଭଳି କିଛି ବିକାଶ ଘଟିଥିବା ଭଳି ମନେ ହୁଏନା । ତେଣୁ ତାର ନିଜର ସାମାଜିକ ଦୁଃସ୍ଥିତିର କାର୍ଯ୍ୟକାରଣ ସମ୍ପର୍କ ସେ ସମାଜ ମଧ୍ୟରେ ନଖୋଜି ଭାଗ୍ୟ ଆଦରି ପଡ଼ି ରହିଛି । ଖାଇବାକୁ ପାଉନି ତ କପାଳରେ ଲେଖା, ବେକାର ଅଛି ତ କପାଳରେ ଲେଖା, ଆକାଶଛୁଆଁ ଦରରେ ଔଷଧ କିଣି ନ ପାରି ରୋଗରେ ସଢ଼ୁଛି ତ କପାଳରେ ଲେଖା, ଋଣ ପରିଶୋଧ କରି ନ ପାରି ଚାଷୀ ଆତ୍ମହତ୍ୟା କରୁଛି ତ କପାଳରେ ଲେଖା । ଜୀବନର ସବୁ କଥା କପାଳରେ ଲେଖା । ସେମାନେ ଅନ୍ଧକାରରେ ସଢ଼ୁଛନ୍ତି । ଏହି ସାମାଜିକ ଜୀବନର ସମସ୍ୟାବଳୀର ସମାଧାନର ବାଟ ଏହି ସମାଜ ମଧ୍ୟରେ ଖୋଜିବା ପାଇଁ ସେମାନଙ୍କ ହାତରେ କେହି ଖଣ୍ଡିଏ ଖଣ୍ଡିଏ ଟର୍ଚ୍ଚ ଧରାଉ ନାହିଁ । ଏମାନଙ୍କ ହାତରେ ଟର୍ଚ୍ଚ ଦେଲେ ହୁଏତ ଏମାନେ ଚଲାକ୍ ହୋଇଯାଇ ସେମାନଙ୍କର ସ୍ଥିତିକୁ ଦୋହଲେଇବେ, ସେପରି ଭୟ ହୁଏତ ଥାଇପାରେ । ମାଛ ଦେଇ ଦେବ କିନ୍ତୁ ଗାଡ଼ିଆ ଦେଖେଇବ ନାହିଁ ରୀତିରେ ଦେଶରେ ରାଜନୀତି ଚାଲିଛି ।
ଯଦି ଜ୍ଞାନକୁ ସ୍ୱାଧୀନତାର ମାପକାଠି କରାଯାଏ ତେବେ ଏମାନେ ସ୍ୱାଧୀନ କି ନା ସେମାନେ ନିଜେ ବିଚାର କରନ୍ତୁ ।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ହିଁ ବ୍ୟକ୍ତି-ସ୍ୱାଧୀନତାର ଦୁର୍ଗ ବୋଲି କୁହା ଯାଇଥାଏ । ଅନ୍ୟ ଶାସନ ବ୍ୟବସ୍ଥାରେ ବ୍ୟକ୍ତି-ସ୍ୱାଧୀନତା ବିପନ୍ନ ବୋଲି ଧରାଯାଏ । ତେଣୁ ସ୍ୱତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱର ଧ୍ୱଜା ଉଡ଼ାଇ ଇତିହାସରେ ଗଣତନ୍ତ୍ର ପାଇଁ ସଂଗ୍ରାମ ଚାଲିଥିଲା । ଅଥଚ ଗଣତନ୍ତ୍ରର ଏହି ତିନୋଟି ଗୁଣ ମଧ୍ୟରୁ ମନେ ହୁଏ ସମାନତା ଗୁଣଟିର ପ୍ରାଧାନ୍ୟତା ବେଶି ଓ ଏହା ଅଧିକ ଭିତ୍ତିମୂଳକ । କାରଣ ଏହି ସମାନତା ଗୁଣଟି ସମାଜରେ ଠିକ୍ ରୂପେ ପରିପ୍ରକାଶ ନ ପାଇଲେ ଅନ୍ୟ ଦୁଇଟି ଗୁଣ ମଧ୍ୟ ଯଥାର୍ଥ ଭାବେ କାର୍ଯ୍ୟକ୍ଷମ ହେବେନି । ଅସମାନତାର ଚାପରେ ସ୍ୱତନ୍ତ୍ରତା ଓ ଭ୍ରାତୃତ୍ୱ ଉଭୟେ କ୍ଷତିଗ୍ରସ୍ତ ହେବେ । କିନ୍ତୁ ଗଣତନ୍ତ୍ରରେ ସମାନତାର ଚରିତ୍ର ସମ୍ପର୍କରେ ଇର୍ଭିଙ୍ଗ୍ କ୍ରିସ୍ତୋଲ୍ କହିଛନ୍ତି, “Democracy does not guarantee equality of conditions — it only guarantees equality of opportunity.” (ଅର୍ଥାତ୍ ଗଣତନ୍ତ୍ର ସମାନ ଅବସ୍ଥା ସୃଷ୍ଟି କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇ ନଥାଏ — ଏହା କେବଳ ସମାନ ସୁଯୋଗ ସୃଷ୍ଟି କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇ ଥାଏ ।) ସମାନ ଅବସ୍ଥାର ଅଭାବରେ ସମାନ ସୁଯୋଗ କେତେ ଯେ ଅର୍ଥହୀନ ତାହା ସହଜରେ ଯେ କେହି ଲୋକ ବୁଝି ପାରିବେ । ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସଂରକ୍ଷିତ ଜାତି, ଉପଜାତି ଓ ପଛୁଆ ବର୍ଗର ଲୋକଙ୍କ ପୁଅଝୀଅଙ୍କ ପାଇଁ କେତେକ ଚାକିରୀର ସୁଯୋଗ ସୃଷ୍ଟି ହୋଇଛି ସତ, କିନ୍ତୁ ସମାନ ଅବସ୍ଥାର ଅଭାବରୁ ସେହି ସୁଯୋଗକୁ ସେମାନେ ଉପଭୋଗ କରିପାରୁ ନାହାଁନ୍ତି । ଫଳରେ ଚାକିରୀ ଖାଲି ଥିଲେ ମଧ୍ୟ ଆଗୁଆ ଜାତିର ପୁଅଝୀଅମାନେ ସେଗୁଡ଼ିକୁ ପାଆନ୍ତିନି, କାରଣ ସେଗୁଡ଼ିକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନେ ମଧ୍ୟ ପାଆନ୍ତିନି, କାରଣ ପାଇ ପାରିବା ଭଳି ଅବସ୍ଥା ସେମାନଙ୍କ ପାଇଁ ସୃଷ୍ଟି ହୋଇନି । ଉଭୟ ଗୋଷ୍ଠୀ ହତାଶ ହୁଅନ୍ତି । ସାମାଜିକ ଅସନ୍ତୋଷ ବଢ଼େ।
ଗଣତନ୍ତ୍ରରେ ଆମେ ସମସ୍ତଙ୍କୁ ସମାନ ସୁଯୋଗ ଦେଇଛୁ ବୋଲି କହିବା ଟା ବଡ଼ କଥା ନୁହେଁ, ସେହି ସୁଯୋଗକୁ ଉପଭୋଗ କରିବା ପାଇଁ ସମସ୍ତଙ୍କ ପାଇଁ ସମାନ ଅବସ୍ଥା ସୃଷ୍ଟି କରିବାଟା ହେଲା ବଡ଼ କଥା । କାରଣ ସମାନ ଅବସ୍ଥାର ଅଭାବରେ ସମାନ ସୁଯୋଗ କେବଳ କାଗଜରେ ହିଁ ରହିଯାଏ । ଅତୀତର ସାଧାରଣ ଶିକ୍ଷା ବ୍ୟବସ୍ଥା ଆଜିର ସମସ୍ତ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୃଷ୍ଟି କରିଛି — ଅଥଚ କାହାର ସାମାଜିକ ଚେର ଧନୀ ଘରେ ଥିଲା ତ କାହାର ଗରୀବ ଘରେ, କାହାର ଆଗୁଆ ଜାତିରେ ଥିଲା ତ କାହାର ପଛୁଆ ଜାତିରେ । ସମାନ ସୁଯୋଗ ସହ ସମାନ ଅବସ୍ଥା ଥିବା ଯୋଗୁଁ ଗରୀବ, ପଛୁଆ ଜାତିର ପୁଅଝୀଅମାନେ କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ସହ ଆଜି ସମାଜର ଆଗ ଧାଡ଼ିରେ ଅଛନ୍ତି । ଶିକ୍ଷା କ୍ଷେତ୍ରରେ ଥିବା ସେହି ସମାନ ଅବସ୍ଥା ଧୀରେ ଧୀରେ ଅପସରି ଯାଉଛି । ବାପାମାଙ୍କ ପକେଟକୁ ଧରି ବିଭିନ୍ନ ପରିବେଶରେ ଆଜିକାଲି ପିଲାମାନଙ୍କୁ ଶିକ୍ଷା ଦିଆ ଯାଉଛି । ଯାହାକୁ ସାଧାରଣ ଶିକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି ତାହା ବାପାମା ଛେଉଣ୍ଡ ପିଲା ଭଳି ପଡ଼ି ରହିଛି । ତାହାର ଯତ୍ନ ନେବାକୁ କେହି ନାହିଁ । ବରଂ ସାଧାରଣ ଶିକ୍ଷା ବ୍ୟବସ୍ଥାଟିକୁ ସେହି ଅବସ୍ଥାକୁ ଠେଲି ଦିଆଯାଉଛି ଯେପରି ସ୍ଥିତିବାନ ଲୋକଙ୍କ ପୁଅଝୀଅଙ୍କୁ ପ୍ରତିଯୋଗୀତାରେ ପଛରେ ପକେଇ ଗରୀବ, ପଛୁଆ ବର୍ଗର ପୁଅଝୀଅମାନେ ସାମାଜିକ ସିଡ଼ିରେ ଉପରକୁ ଉଠିବା ସୁଯୋଗରୁ ବଞ୍ଚିତ ହେବେ ।
ଯେଉଁମାନଙ୍କର ପୁଅଝୀଅ ଏହି ସାଧାରଣ ଶିକ୍ଷା ବ୍ୟବସ୍ଥାର ବାହାରେ ଶିକ୍ଷା ଲାଭ କରୁଛନ୍ତି, ସେମାନେ ସମସ୍ତେ ଏକା ମାତ୍ରାରେ ଆନନ୍ଦିତ ହେବାର କୌଣସି କାରଣ ନାହିଁ । ଅବସ୍ଥା ଓ ସୁଯୋଗ ଉଭୟର ମାତ୍ରା ରହିଛି । ଅବସ୍ଥାର ମାତ୍ରା ସୁଯୋଗର ମାତ୍ରାକୁ ନିୟନ୍ତ୍ରଣ କରୁଛି । ଅବସ୍ଥା ଯେତେ ଭଲ ସୁଯୋଗ ସେତେ ବେଶି । ଅବସ୍ଥା ଓ ସୁଯୋଗକୁ ଯଦି ସ୍ୱାଧୀନତାର ମାପକାଠି କରିବା ତେବେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯେତେଟା ସ୍ୱାଧୀନ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟର ଆପେକ୍ଷିକ ଭାବେ ଅବିକଶିତ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ସେତେଟା ସ୍ୱାଧୀନ ନୁହଁନ୍ତି । ସ୍ଥିତିବାନ ଲୋକଙ୍କ ପୁଅଝୀଅମାନେ ଯେତେଟା ସ୍ୱାଧୀନ ସ୍ଥିତିହୀନ ଲୋକଙ୍କ ପୁଅଝୀଅମାନେ ସେତେଟା ସ୍ୱାଧୀନ ନୁହଁନ୍ତି ।
ଅତୀତରେ ଅବାଧ ବ୍ୟକ୍ତି ସ୍ୱାଧୀନତା ଓ ଅବାଧ ବ୍ୟବସାୟର ଆଳରେ ଓ ସେଗୁଡ଼ିକର ଅପବ୍ୟବହାର କରି ପୁଞ୍ଜିପତିମାନେ ଶ୍ରମିକ ଶ୍ରେଣୀ ତଥା ସାଧାରଣ ମଣିଷକୁ ଶୋଷଣ ତଥା ଅତ୍ୟାଚାର ମଧ୍ୟ ଦେଇ ଯେଉଁ ଦୁସ୍ଥ ଅବସ୍ଥା ମଧ୍ୟକୁ ଠେଲି ଦେଲେ ତାରି ଯୋଗୁଁ ସମାଜବାଦୀ ଚିନ୍ତାଧାରାର ଆବିର୍ଭାବ ହେଲା । ସମାଜବାଦୀ ଆନ୍ଦୋଳନର ବଳିଷ୍ଠତାକୁ ଦେଖି ବିପ୍ଳବକୁ ଏଡ଼େଇବା ପାଇଁ କେତେକ ରାଷ୍ଟ୍ର କିଛିକିଛି ଜନହୀତକର କାର୍ଯ୍ୟ କଲେ । କିନ୍ତୁ ୧୯୧୭ର ଋଷ ବିପ୍ଳବ ପରେ ସେହି ଦେଶରେ କୃଷକ, ଶ୍ରମିକମାନଙ୍କ ପାଇଁ ଯେଉଁ ଭୂସ୍ୱର୍ଗ ସୃଷ୍ଟି ହେଲା ଓ ବିଭିନ୍ନ ଦେଶର ବୁଦ୍ଧିଜୀବୀମାନେ ଯେଉଁ ଭାବରେ ତାହାର ଉଚ୍ଛ୍ୱସିତ ବର୍ଣ୍ଣନା କଲେ ତାରି ଚାପରେ ଅନେକ ରାଷ୍ଟ୍ର ନିଜନିଜକୁ ଜନମଙ୍ଗଳ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ବାଧ୍ୟ ହେଲେ । ଅଥଚ ସୋଭିୟେତ୍ ୟୁନିଅନର ପତନ ପରେ ପରେ ସେପରି ଚାପର ଅଭାବରୁ ଏହି ଜନମଙ୍ଗଳ ରାଷ୍ଟ୍ରଗୁଡ଼ିକ ଧୀରେ ଧୀରେ ଉଭେଇ ଯାଉଛି । ଫଳରେ ଜନମଙ୍ଗଳ ରାଷ୍ଟ୍ରରେ, ଉଦାହରଣ ସ୍ୱରୂପ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତଥା ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ମଣିଷ ଯେଉଁ ସୁବିଧା ଟିକକ ପାଉଥିଲା ତାହା କରଛଡ଼ା ହେଇ ଯାଉଛି । ମଣିଷ ଆହୁରି ଅଧିକ ଦୁଃଖ ଆଡ଼କୁ ଅଗ୍ରସର ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଇତ୍ୟାଦି ଆଉ ସରକାରଙ୍କ ଦାୟିତ୍ୱ ହେଇ ରହୁନାହିଁ । ସେଗୁଡ଼ିକ ପୁଞ୍ଜିପତିଙ୍କ ବ୍ୟବସାୟରେ ପରିଣତ ହେଲାଣି — ସେମାନଙ୍କ ଲାଭ ପାଇଁ । କେବଳ ସେତିକି ନୁହେଁ ଜଳ, ଜମି, ଜଙ୍ଗଲ, ଖଣି, ପାହାଡ଼ପର୍ବତ, ଇତ୍ୟାଦି ସେମାନଙ୍କ ହାତକୁ ଟେକି ଦେବା ପାଇଁ ଆଇନକାନୁନ ହେଲାଣି ।
ରାଷ୍ଟ୍ରର ହସ୍ତକ୍ଷେପ ମାଧ୍ୟମରେ ସୁଖସୁବିଧା ସୃଷ୍ଟିକୁ ଯଦି ସ୍ୱାଧିନତାର ଏକ ଅଙ୍ଗ ବୋଲି ଧରାଯାଏ, ତେବେ ସାଧାରଣ ମଣିଷ ପାଖରୁ ସେହି ସ୍ୱାଧୀନତା ଧୀରେ ଧୀରେ ଉଭେଇ ଯାଉଛି।
ଯୁକ୍ତରାଷ୍ଟ୍ର ଆମେରିକାକୁ ପୃଥିବୀର ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ । ତାର “ସ୍ୱାଧୀନତାର ଘୋଷଣାପତ୍ର” (Declaration of Independence) ରେ ଲେଖା ଅଛି: “We hold these truths to be self-evident, that all men are created equal, that they are endowed by their Creator with certain unalienable Rights, that among these are Life, Liberty and the pursuit of Happiness. That to secure these rights, Governments are instituted among Men, deriving their just powers from the consent of the governed, That whenever any Form of Government becomes destructive of these ends, it is the Right of the People to alter or to abolish it, and to institute new Government, laying its foundation on such principles and organising its powers in such form, as to them shall seem most likely to effect their Safety and Happiness. Prudence, indeed, will dictate that Governments long established should not be changed for light and transient causes; and accordingly all experience hath shown, that mankind are more disposed to suffer, while evils are sufferable, than to right themselves by abolishing the forms to which they are accustomed. But when a long train of abuses and usurpations, pursuing invariably the same Object evinces a design to reduce them under absolute Despotism, it is their right, it is their duty, to throw off such Government, and to provide new Guards for their future security. — Such has been the patient sufferance of these Colonies; and such is now the necessity which constrains them to alter their former Systems of Government.” (“ଆମ୍ଭେମାନେ ଏହି ସତ୍ୟଗୁଡ଼ିକୁ ସ୍ୱତଃସିଦ୍ଧ ବୋଲି ଗ୍ରହଣ କରୁ ଯେ ସମସ୍ତ ମଣିଷ ସମାନ ଭାବେ ସୃଷ୍ଟି ହୋଇଛନ୍ତି, ସେମାନଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କୁ ପ୍ରଦାନ କରିଛନ୍ତି କେତେକ ଅବିଚ୍ଛେଦ୍ୟ ଅଧିକାର ଯାହା ମଧ୍ୟରେ ରହିଛି ଜୀବନ, ସ୍ୱାଧୀନତା ଏବଂ ସୁଖର ସନ୍ଧାନ, ଏହି ଅଧିକାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଲୋକଙ୍କ ମଧ୍ୟରେ ସ୍ଥାପନା କରା ଯାଇଥାଏ ସରକାର ଯାହା ତାର ଶାସନ କ୍ଷମତା ପାଇଥାଏ ଶାସିତଙ୍କ ସମ୍ମତ୍ତିରୁ, ଯେତେବେଳେ କୌଣସି ଧରଣର ସରକାର ଏହି ଲକ୍ଷ୍ୟଗୁଡ଼ିକର ବିନାଶକାରୀ ହୁଏ ଲୋକଙ୍କର ଅଧିକାର ଅଛି ତାକୁ ବଦଳେଇବା ଅବା ଉଚ୍ଛେଦ କରିବା ପାଇଁ ତଥା ସ୍ଥାପନା କରିବା ପାଇଁ ଏକ ନୂତନ ସରକାର ଯାହାର ଭିତ୍ତି ଏପରି ନୀତି ଉପରେ ପ୍ରତିଷ୍ଠା ହୋଇଥିବ ତଥା ଯାହାର ଶାସନ କ୍ଷମତା ଏପରି ଭାବରେ ସଂଗଠିତ ହୋଇଥିବ ଯାହା ଦ୍ୱାରା ସେମାନଙ୍କର ନିରାପତ୍ତା ଓ ସୁଖ ସୁରକ୍ଷିତ ରହିବ ବୋଲି ସେମାନଙ୍କୁ ହୃଦ୍ବୋଧ ହେଉଥିବ । ଅଥଚ କୌଣସି ପ୍ରକାର ଉଡ଼ାଣିଆ ତଥା କ୍ଷଣସ୍ଥାୟୀ କାରଣରୁ ଗୋଟିଏ ସରକାରକୁ ନ ବଦଳେଇବା ପାଇଁ ବିବେକ ନିର୍ଦ୍ଦେଶ ଦେଇଥାଏ, ତଦନୁସାରେ ସମସ୍ତ ଅନୁଭୂତି ଦର୍ଶାଏ ଯେ ସେମାନେ ପରିଚିତ ଥିବା ଶାସନ ବ୍ୟବସ୍ଥାକୁ ବଦଳେଇ ସେମାନଙ୍କର ଅବସ୍ଥାକୁ ଠିକ୍ କରିବା ପରିବର୍ତ୍ତେ ମଣିଷ ଜାତି ସେମାନଙ୍କର ସାଧ୍ୟ ମତେ ଦୁଃଖକଷ୍ଟ ସହି ଯାଆନ୍ତି । କିନ୍ତୁ ଯେତେବେଳେ ସେଇ ଏକା ଲକ୍ଷ୍ୟ ନେଇ ସମ୍ପାଦନ କରା ଯାଉଥିବା ଅନ୍ୟାୟ ଓ ଅତ୍ୟାଚାରର ଏକ ଲମ୍ବା ଧାଡ଼ି ନିଃସନ୍ଦେହରେ ଏପରି ଏକ ଯୋଜନାର ସୂଚନା ଦିଏ ଯେ ସେମାନଙ୍କୁ ଏକ ନିରଙ୍କୁଶ ସ୍ୱେଚ୍ଛାଚାରୀ ଶାସନ ମଧ୍ୟକୁ ଠେଲି ଦିଆଯାଉଛି, ତେବେ ସେଇ ଭଳିଆ ସରକାରକୁ ଫୋପାଡ଼ି ଦେଇ ସେମାନଙ୍କର ଭବିଷ୍ୟତର ସୁରକ୍ଷା ପାଇଁ ନୂତନ ରକ୍ଷକମାନଙ୍କୁ ସ୍ଥାପନା କରିବା ସେମାନଙ୍କର ଅଧିକାର, ସେମାନଙ୍କର କର୍ତ୍ତବ୍ୟ । — ଏହା ଥିଲା ଏହି ଉପନିବେଶଗୁଡ଼ିକର ଧୈର୍ଯ୍ୟଶୀଳ ସହନଶୀଳତା, ଏବଂ ଆଜିର ଆବଶ୍ୟକତା ଏପରି ଯେ ସେମାନଙ୍କର ପୂର୍ବର ଶାସନ ପଦ୍ଧତିକୁ ବଦଳେଇବା ପାଇଁ ସେମାନଙ୍କୁ ବାଧ୍ୟ କରେ ।”) ଉପନିବେଶଗୁଡ଼ିକର ଆରମ୍ଭ କାଳରେ ତ ସେମାନେ ପରାଧୀନ ଅନୁଭବ କରୁ ନଥିଲେ, କିନ୍ତୁ ପରବର୍ତ୍ତୀ କାଳର ଅନୁଭୂତି ସ୍ୱାଧୀନତା ପାଇଁ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ସେମାନଙ୍କୁ ବାଧ୍ୟ କରିଥିଲା । ପରିଶେଷରେ ଏହି ଯୁଦ୍ଧରେ ସେମାନେ ବିଜୟୀ ହୋଇଥିଲେ ଓ କଲୋନୀଗୁଡ଼ିକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଷ୍ଠା କରିଥିଲେ । ଆମ ଦେଶରେ ଯେ ଆଜି ସଂପୂର୍ଣ୍ଣ ରୂପେ ଶାନ୍ତି ବିରାଜୁଛି ଏ କଥା ନୁହେଁ । ଅସନ୍ତୋଷର ପରିପ୍ରକାଶ ଘଟୁଛି — କେତେବେଳେ ଶାନ୍ତିପୂର୍ଣ୍ଣ ମାର୍ଗରେ ତ କେତେବେଳେ ହିଂସାର ବାଟରେ । ହିଂସା ପଥର ଯାତ୍ରୀଙ୍କ ମଧ୍ୟରେ କିଏ ବିଛିନ୍ନତାବାଦୀ ତ କିଏ ସଂଗ୍ରାମ କରୁଛି ପୁଞ୍ଜିର ଆକ୍ରମଣରୁ ସାଧାରଣ ମଣିଷକୁ ରକ୍ଷା କରିବା ପାଇଁ । ପରିଶେଷରେ ଜନସାଧାରଣଙ୍କ ଅସନ୍ତୋଷର ଗୁଣ ଓ ପରିମାଣ ତଥା ଭାଷାରେ ସେଗୁଡ଼ିକର ପରିସ୍ଫୁଟନ ତଥା ସେମାନଙ୍କର ଅଙ୍ଗୀକାରବଦ୍ଧତା ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କେବଳ ବାହୁବଳ ନୁହେଁ ।
ଜଣେ ବହୁରାଷ୍ଟ୍ରୀୟ ପୁଞ୍ଜିପତି ତାର ପୁଞ୍ଜିର ଅଭିବୃଦ୍ଧି ପାଇଁ ସୁଯୋଗର ସନ୍ଧାନରେ ସରକାରଙ୍କ ସହ ଦେଖା କରିବାକୁ ଚାହିଁଲେ ସମଗ୍ର ଶାସନ କଳ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷାରେ ରହେ । ଅଥଚ ଖାଦ୍ୟ ଅଭାବରୁ କୋଇଲି ଖାଉଥିବା ଆଦିବାସୀ ସରକାରଙ୍କୁ ତାର ଦୁଃଖ ଜଣେଇବା ପାଇଁ ବାହାରିଲେ ଶାସନ କଳ ଓ ତାର ଚାମଚାମାନେ ଗାଁରୁ ହିଁ ତାକୁ ଛେକିବା ପାଇଁ ଆଗଭର ହୁଅନ୍ତି । ଆଦିବାସୀ ବାପୁଡ଼ା କେତେ ସ୍ୱାଧୀନ !
ଏହିପରି ଜୀବନର ବହୁ ଦିଗ ସମ୍ପର୍କରେ ବହୁ ପ୍ରଶ୍ନ କରାଯାଇ ପାରେ ଓ ଆମେ କେତେ ସ୍ୱାଧୀନ ତାହା ନିର୍ଦ୍ଧାରଣ କରାଯାଇ ପାରେ ।
ଜୀବନର ବହୁ ଦିଗ, ଜୀବନରେ ବହୁ ସମସ୍ୟା । ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ଶକ୍ତିରେ ହିଁ ନିହିତ ଥାଏ ମଣିଷର ସ୍ୱାଧୀନତା । ଆବଶ୍ୟକତାକୁ ସ୍ୱୀକାର କରିବା, ଉପଲବ୍ଧି କରିବା ଓ ତାକୁ ଅତିକ୍ରମ କରିବାରେ ହିଁ ନିହିତ ମଣିଷର ସ୍ୱାଧୀନତା । ଏହି ସଂସାରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନର ବାଟ ଏହି ସଂସାରରେ ହିଁ ଖୋଜିବାକୁ ହେବ ।
ଦୁଃଖୀ ମଣିଷକୁ ଦୁଃଖଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଗୌତମ ବୁଦ୍ଧ ଦୁଃଖ, ଦୁଃଖର କାରଣ, କାରଣର ନିରାକରଣରେ ଦୁଃଖର ନିରାକରଣ ଓ ତାର ମାର୍ଗ କଥା କହିଥିଲେ । ପଶ୍ଚିମ ଜଗତରେ ଏଇ ଷୋଡ଼ଶ ଶତାବ୍ଦୀରେ ଫ୍ରାନ୍ସିସ୍ ବେକନଙ୍କ ସମୟରେ କାର୍ଯ୍ୟ-କାରଣ ସମ୍ପର୍କୀତ ଆଲୋଚନା ଆରମ୍ଭ ହୋଇଥିଲା । ଅନ୍ୟମାନେ ସେହି ତତ୍ତ୍ୱର ବିକାଶ ଘଟେଇ ଥିଲେ । ତାକୁ ଆଧାର କରି ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଅପାର ବିକାଶ ଘଟିଛି ଓ ମଣିଷ ପାଇଁ ଅପାର ସୁଖ ସମ୍ପଦ ସୃଷ୍ଟି କରିଛି । ଅଥଚ ଅଢ଼େଇ ହଜାର ବର୍ଷ ପୂର୍ବେ ଗୌତମ ବୁଦ୍ଧ କାର୍ଯ୍ୟ-କାରଣ ସମ୍ପର୍କୀତ ଢାଞ୍ଚା ମଣିଷ ସମ୍ମୁଖରେ ରଖି ଯାଇଛନ୍ତି । ମଣିଷମାନେ ବୁଦ୍ଧଙ୍କୁ ପୂଜା କରୁଛନ୍ତି, ଅଥଚ ସେ ଛାଡ଼ି ଯାଇଥିବା କାର୍ଯ୍ୟ-କାରଣ ସମ୍ପର୍କୀତ ଢାଞ୍ଚାକୁ ପ୍ରୟୋଗ କରୁ ନାହାଁନ୍ତି । ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।
ଯଦି ତାହା ପ୍ରୟୋଗ କରନ୍ତେ, ତେବେ କହନ୍ତେ: “ଗରିବୀ ଯଦି ଅଛି, ଗରିବୀର କାରଣ ଅଛି, କାରଣର ନିରାକରଣରେ ଗରିବୀ ଦୂର ହେବ, ସେଥିପାଇଁ ମାର୍ଗ ଖୋଜ । ବେକାରୀ ଯଦି ଅଛି, ବେକାରୀର କାରଣ ଅଛି, କାରଣର ନିରାକରଣରେ ବେକାରୀ ଦୂର ହେବ, ସେଥିପାଇଁ ମାର୍ଗ ଖୋଜ।” ଇତ୍ୟାଦି । କିନ୍ତୁ ମଣିଷ ତା କରୁନାହିଁ । କାର୍ଯ୍ୟ-କାରଣ ଭିତ୍ତିକ ବିଜ୍ଞାନ ଦତ୍ତ ସୁଫଳ ସେ ଭୋଗ କରୁଛି । ଅଥଚ ତାର ପରମ୍ପରାଗତ ବିଚାରଧାରା ଓ ବିଜ୍ଞାନର ସଦା ବିକାଶମୂଖୀ ଜ୍ଞାନ ମଧ୍ୟରେ କିଛି ବିରୋଧଭାବ ରହିଛି କି ନା ତାହା ସେ ଜାଣିବାକୁ ଚେଷ୍ଟା କରୁନି। ଅନେକ ଅଧ୍ୟାପକ ବ୍ୟକ୍ତିଗତ ଜୀବନରେ ସୃଷ୍ଟିତତ୍ତ୍ୱରେ ବିଶ୍ୱାସ କରୁଛନ୍ତି ତ ଅଧ୍ୟାପନା କ୍ଷେତ୍ରରେ ବିବର୍ତ୍ତନବାଦ ପଢ଼ାଉଛନ୍ତି । ଏହି ଦୁଇଟି ବିଷୟ ଏକାବେଳେକେ ସତ ହେବ କିପରି? — ଏହି ଭଳିଆ ପ୍ରଶ୍ନ ସେମାନେ କେବେ କରନ୍ତିନି । ସାଧାରଣ ମଣିଷ କିପରି ବା ସେପରି ପ୍ରଶ୍ନ କରନ୍ତେ ?
ଆବଶ୍ୟକତାକୁ ସ୍ୱୀକାର କରି, ଉପଲବ୍ଧି କରି ତାକୁ ଅତିକ୍ରମ କରିବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ-କାରଣ ସମ୍ପର୍କୀତ ଢାଞ୍ଚାକୁ ପ୍ରୟୋଗ କରି ଯିଏ ଯେତେ ବେଶି ଜ୍ଞାନ ଆହରଣ କରି ପାରିଲା ସିଏ ସେତେ ବେଶି ସ୍ୱାଧୀନ। ଅଜ୍ଞାନ ରୁପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଗତି କରିବା ହିଁ ସ୍ୱାଧୀନତା ।
ଏଠାରେ ଆଉ ଗୋଟିଏ କଥା ଉପସ୍ଥାପନ କରିବା ଉଚିତ ମନେ କରୁଛି । ଜଣେ ମଣିଷ ସ୍ୱାଧୀନ କି ନୁହେଁ, ଏହି ଉପଲବ୍ଧି ନିର୍ଭର କରେ ତାର ଧାରଣାଜାଲ ଓ ତହିଁରୁ ପ୍ରସୂତ ଦୃଷ୍ଟିକୋଣ ଉପରେ । ଯେପରି ଏକ ଭାବବାଦୀ ଧାରଣାଜାଲରେ ଦେବଦେବୀ, ଭୂତପ୍ରେତ, ଇତ୍ୟାଦିର ବାସ୍ତବତାକୁ ଗ୍ରହଣ କରା ଯାଉଥିବା ବେଳେ ଏକ ବସ୍ତୁବାଦୀ ଧାରଣାଜାଲରେ ସେଗୁଡ଼ିକ ଅବାସ୍ତବ ବୋଲି ବିଚାର କରା ଯାଇଥାଏ । ଠିକ୍ ସେପରି ଗୋଟିଏ ଧାରଣାଜାଲରେ ବାନ୍ଧି ହୋଇଥିବା ଯାଏଁ ଜଣେ ମଣିଷ ନିଜକୁ ସ୍ୱାଧୀନ ମନେ କରିପାରେ, ଅଥଚ ସେହି ଧାରଣାଜାଲକୁ ଫୋପାଡ଼ି ଦେଇ ଅନ୍ୟ ଏକ ଧାରଣାଜାଲକୁ ଆବୋରି ନେଲେ ସେହି ମଣିଷ ନିଜକୁ ପରାଧୀନ ମନେ କରିପାରେ । ଭିନ୍ନ ଭିନ୍ନ ଧାରଣାଜାଲ ଦୃଷ୍ଟିରୁ ଏହାର ବିଚାର କରନ୍ତୁ:
ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା ।
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ ଦୁଃଖଭାଗ ଭବେତ ।
(ସମସ୍ତେ ସୁଖରେ ରହନ୍ତୁ, ସମସ୍ତେ ସୁସ୍ଥ ହୁଅନ୍ତୁ, ସମସ୍ତେ ଉତ୍ତମ ମାର୍ଗ ଦେଖନ୍ତୁ ତଥା କେହି ଦୁଃଖ ନ ପାଆନ୍ତୁ ।)
ଏହି ଶ୍ଳୋକଟିକୁ ହଜାର ହଜାର ବର୍ଷ ଧରି ମଣିଷ ଦୋହରାଇ ଆସିଛି ପ୍ରାର୍ଥନା ଆକାରରେ। ଏହାକୁ ଯଦି ମଣିଷ ଜାତି ପାଇଁ ମଣିଷର ପ୍ରାର୍ଥନାତ୍ମକ ଅଭିଳାଷ ବା ସଦିଚ୍ଛା ବୋଲି ଆପଣଙ୍କ ଧାରଣାଜାଲରେ ବିଚାରିବେ ତେବେ ଆପଣ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି ଆପଣ ନିଜକୁ ସ୍ୱାଧୀନ ମନେ କରି ପାରନ୍ତି । କିନ୍ତୁ ଆପଣଙ୍କ ଧାରଣାଜାଲ ଯଦି ଏଗୁଡ଼ିକୁ ମଣିଷ ଜାତିର ଅଧିକାର ବୋଲି ବିଚାର କରିବ ତେବେ ସେଗୁଡ଼ିକ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଆପଣ ନିଜକୁ ପରାଧୀନ ମନେ କରିବେ । ଏହି ଶ୍ଳୋକଟିରେ ଆପଣଙ୍କର ଅଧିକାର ଓ କର୍ତ୍ତବ୍ୟ ଉଭୟ ରହିଲା। “ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା । ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ।” ଆପଣଙ୍କ ଅଧିକାର କଥା କହେ, ଅଥଚ “ମା କଶ୍ଚିତ ଦୁଃଖଭାଗ ଭବେତ ।” କହେ ଆପଣଙ୍କ କର୍ତ୍ତବ୍ୟ କଥା । ମହାତ୍ମା ଗାନ୍ଧି ଈଷାବାସ୍ୟ ଉପନିଷଦ ର ପ୍ରଥମ ଶ୍ଳୋକଟିକୁ ପ୍ରାଧାନ୍ୟତା ଦେଇ କହିଥିଲେ ଯେ ଏହି ପ୍ରଥମ ଶ୍ଳୋକଟିକୁ ଛାଡ଼ି ପ୍ରାଚୀନ ଭାରତର ସମସ୍ତ ଜ୍ଞାନ ଯଦି ଲୁପ୍ତ ହୋଇ ଯାଇଥାନ୍ତା, ତେବେ ଏହି ଏକମାତ୍ର ଶ୍ଳୋକର ନିହିତାର୍ଥରୁ ସେହି ସମସ୍ତ ଜ୍ଞାନର ଉଦ୍ଧାର କରାଯାଇ ପାରିଥାନ୍ତା । ଠିକ୍ ସେପରି “ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା । ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ ଦୁଃଖଭାଗ ଭବେତ ।” ର ନିହିତାର୍ଥରୁ ମଣିଷର ସମସ୍ତ ଅଧିକାର ଓ କର୍ତ୍ତବ୍ୟ ସ୍ଥିର କରାଯାଇ ପାରିବ ।
ଅତୀତ କାଳରେ ମଣିଷ ଯେଉଁ ଧାରଣାଜାଲ ମଧ୍ୟରେ ବଞ୍ଛୁଥିଲା ତାହା ଧୀର, ମନ୍ଥର ଗତିରେ ପରିବର୍ତ୍ତନ ହେଉଥିଲେ ସୁଦ୍ଧା ଅପରିବର୍ତ୍ତନୀୟ ମନେ ହେଉଥିଲା, ବିକଳ୍ପହୀନ ମନେ ହେଉଥିଲା । କିନ୍ତୁ ଆଜିକାଲି ଜ୍ଞାନର ବିକାଶଧାରା ଏତେ ପ୍ରଖର ଯେ ନୂତନ ଜ୍ଞାନ ଆମର ଧାରଣାଜାଲକୁ ବିବାଦଗ୍ରସ୍ତ କରି ଦେଉଛି, ପ୍ରଶ୍ନ ଜର୍ଜ୍ଜରୀତ କରି ଦେଉଛି । ଧାରଣାଜାଲକୁ ସଜାଡ଼ିବା ବା ତାର ବିକଳ୍ପର ସନ୍ଧାନ କରିବା ପାଇଁ ଆମକୁ ବାଧ୍ୟ କରୁଛି । ତେଣୁ ନିଜନିଜର ଧାରଣାଜାଲର ପରିପ୍ରେକ୍ଷୀରେ ନିଜନିଜର ସ୍ୱାଧୀନତାର ସଂଜ୍ଞା ଦେବେ ଅବା ନିଜନିଜର ସ୍ୱାଧୀନତାର ସଂଜ୍ଞାର ଭିତ୍ତିରେ ନିଜନିଜର ଧାରଣାଜାଲକୁ ସଜାଡ଼ିବେ ବିଚାର କରନ୍ତୁ ।
email: neelamanisahu@rediffmail.com
[ଏହି ଲେଖାଟି ସମଦୃଷ୍ଟି (ଖଣ୍ଡ 1, ସଂଖ୍ୟା 11, 16-31 ଡିସେମ୍ବର 2006) ରେ ପ୍ରକାଶିତ ହୋଇଥିଲା]
Comments
0 comments