ଯୁଗେ ଯୁଗେ ଆମ ସମସ୍ତଙ୍କ ପାଇଁ ବିଶ୍ୱାସର ଦେବତା, ବିସ୍ମୟ ତଥା ଆକର୍ଷଣର କେନ୍ଦ୍ର ପାଲଟିଥିବା ହିମାଳୟ ଓ ଏଭରେଷ୍ଟ ଆଜି ଅହରହ ମଣିଷର ନିର୍ଯାତନାର ଶିକାର ହୋଇ ଚାଲିଛନ୍ତି । ଅଳିଆ ଗଦାରେ ପରିଣତ ହେବାକୁଗଲାଣି ଭଗବାନଙ୍କର ସ୍ୱରୂପ ବୋଲି ନେପାଳରେ ପୂଜା ପାଉଥିବା ଏଭରେଷ୍ଟ । ଏହାକୁ ନେଇ ବିଶ୍ୱବ୍ୟାପି ଉଦବେଗ । ଇତିମଧ୍ୟରେ ଭାରତ ଓ ନେପାଳର ଅନ୍ୟତମ ପବିତ୍ର ପୂଜ୍ୟ କାଳୀ ଗଣ୍ଡକୀ ନଦୀ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏଥିସହିତ ଲକ୍ଷାଧିକ ମଣିଷଙ୍କର ଆରାଧ୍ୟ ପବିତ୍ର ଶାଳଗ୍ରାମ ଶିଳା ଆଜି ସନ୍ତାପିତ ହୋଇ ନିଜର ଶିଥିଳ ଅସ୍ମିତାକୁ ଆଉ କେତେଦିନ କାଳୀ ଗଣ୍ଡକୀ ନଦୀର ଅବବାହିକାରେ ଧରି ରଖିବେ, ତାହା ଏକ ବିରାଟ ପ୍ରଶ୍ନରୂପେ ଉଭାହେଲାଣି । ଇତିମଧ୍ୟରେ ହିମାଳୟର ହିମବାହ ନିଜର ଧ୍ୱଂସସାଧନ ପ୍ରକ୍ରିୟାରେ ସାମିଲ ହୋଇଗଲେଣି । ମନୁଷ୍ୟକୃତ ବିପଦ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ପବିତ୍ର ହିମାଳୟ, ଏଭରେଷ୍ଟ, ଗଣ୍ଡକୀ ନଦୀ ଏବଂ ଶାଳଗ୍ରାମ ଶିଳା ବର୍ତ୍ତମାନ ମରଣ ମୁହଁରେ ମୁର୍ମୁଷୁ ଅବସ୍ଥାରେ ଛଟପଟ ହେଉଥିବାବେଳେ କିନ୍ତୁ କୃର ମଣିଷହାତରୁ ବଞ୍ଚିବାର କୌଣସି ଆଶା ଦେଖାଯାଉ ନାହିଁ । ହିମାଳୟର ହିମବାହ, ଗଣ୍ଡକୀ ନଦୀ ଅବବାହିକା, ଜୀବନ୍ତ ଶାଳଗ୍ରାମ ଶିଳା ଓ ଏଭରେଷ୍ଟ ପାଦଦେଶର ବିଭିନ୍ନ ଅଞ୍ଚଳର ବିସ୍ତୃତ ରିପୋର୍ଟ ।
ଏଭରେଷ୍ଟରେ ଭିଡ଼ ଓ ଆବର୍ଜନା
ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ଏବେ ଖଚାଖଚ୍ ଭିଡ଼ । ବିଶ୍ୱର ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପାଇଁ ଆଗ୍ରହୀ ପର୍ବତାରୋହୀମାନେ ବିକଳ ହୋଇ ଧାଉଁଛନ୍ତି । ବହୁ ଅଭିଯାତ୍ରୀ ଏବଂ ସେମାନଙ୍କ ଗାଇଡମାନେ ମୃତ୍ୟୁବରଣ କରିବା ଅଥବା ନିରୁଦ୍ଦିଷ୍ଟ ହୋଇଯାଇଥିବା ସତ୍ତ୍ୱେ ଏହି ଭିଡ଼ରେ କୌଣସି ପରିବର୍ତ୍ତନ ଆସିନାହିଁ । ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ବହୁସଂଖ୍ୟକ ପର୍ବତାରୋହୀଙ୍କର ସର୍ପିଳ ଧାଡ଼ି ବହୁ ଉଚ୍ଚରେ ଥିବା ତଥା ‘ମୃତ୍ୟୁର ଇଲାକା’ରେ କୁଖ୍ୟାତି ଅର୍ଜନ କରିଥିବା ହିମବାହ ଦେଇ ଶିଖର ଆଡ଼କୁ ଲମ୍ବିଛନ୍ତି । ଅତ୍ୟୁଚ୍ଚରେ ଥିବା ଏହି ଅଞ୍ଚଳକୁ ମୃତ୍ୟୁର ଇଲାକାବୋଲି କୁହାଯାଏ କାରଣ ସେଠାରେ ବାୟୁମଣ୍ଡଳ ଏତେ ପତଳା ଯେ ସେଠାରେ ସ୍ୱାଭାବିକ ଭାବରେ ନିଃଶ୍ୱାସ ପ୍ରଶ୍ୱାସ ନେଇ ହୁଏନାହିଁ ଏବଂ ପର୍ବତାରୋହୀମାନଙ୍କୁ ବଞ୍ଚି ରହିବା ସକାଶେ ଅତିରିକ୍ତ ଅମ୍ଳଜାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।
୨୦୨୪ ମଇ ୨୦ତାରିଖରେ ରେକର୍ଡ କରାଯାଇଥିବା ଏହି ମାନବୀୟ ଟ୍ରାଫିକ୍ ଜାମ୍ର କାରଣ ହେଲା ସଂପ୍ରତି ଏହି ପର୍ବତ ଆରୋହଣ ସକାଶେ ଅନୁକୂଳ ପାଗର ଏକ ଅବଧିର ଉପଲବ୍ଧତା । ଅନୁକୂଳ ପାଗର ଏହି ଅବଧିରେ ଏଭରେଷ୍ଟ ଶିଖରରେ ସଫଳତାର ସହ ପହଞ୍ଚିବା ଅପେକ୍ଷାକୃତ ଭାବେ କମ୍ ବିପଦପୂର୍ଣ୍ଣ ହୋଇଥାଏ । ସ୍ଥାନୀୟ ପାଣିପାଗର ପୂର୍ବାନୁମାନ କରୁଥିବା ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ ଅନୁକୂଳ ପାଗର ଏହି ଅବଧି ଚଳିତ ସପ୍ତାହର ଶେଷ ଆଡ଼କୁ ଶେଷ ହୋଇଯିବ । ଏହାର ଅର୍ଥ ହେଲା ଯେ ଆଉ ଦୁଇ / ତିନିଦିନ ପର୍ଯ୍ୟନ୍ତ ଏଭରେଷ୍ଟ ଗିରିଶୃଙ୍ଗକୁ ଲମ୍ବିଥିବା ରାସ୍ତାଟି ଗିରିଶୃଙ୍ଗ ବିଜୟ କରିବାକୁ ଯାଉଥିବା ପର୍ବତାରୋହୀମାନଙ୍କ ଖୁବ୍ ବେଶି ଭିଡ଼ ଲାଗି ରହିବ ।
ପରିତାପର ବିଷୟ ଯେ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ପର୍ବତାରୋହୀମାନେ ଚିନ୍ତା ଉଦ୍ରେକକାରୀ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି । ପର୍ବତାରୋହଣ ସହ ସଂପୃକ୍ତ କର୍ତ୍ତୃପକ୍ଷ ନିକଟରେ ଘୋଷଣା କରିଛନ୍ତି ଯେ ଶିଖରର ନିକଟବର୍ତ୍ତୀ ହେବାପରେ କେନିଆର ଜଣେ ପର୍ବତାରୋହୀ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କର ନେପାଳି ଗାଇଡ୍ ଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ । ସେହିପରି ଗତ ୨୧ତାରିଖ ସକାଳେ ବ୍ରିଟେନର ପର୍ବତାରୋହୀ ଡାନିଏଲ୍ ପଲ୍ ପିଟରସନ୍ (୪୦ ବର୍ଷ) ଏବଂ ତାଙ୍କର ଗାଇଡ୍ ପାସ୍ ତେନ୍ସି ଶେରପା (୨୩ ବର୍ଷ) ଏଭରେଷ୍ଟର ଶିଖରରେ ପହଞ୍ଚିବାରେ ସଫଳ ହୋଇଥିଲେ । କିନ୍ତୁ ତା’ ପରଠାରୁ ସେମାନଙ୍କର ଖୋଜଖବର ମିଳିଲା ନାହିଁ । ଏଭରେଷ୍ଟ ଶୃଙ୍ଗ ବିଜୟର କେଇ ମିନିଟ୍ପରେ ସେମାନେ ଓହ୍ଲାଉଥିବା ବେଳେ ବରଫରେ ଗଳି ପଡ଼ିଥିଲେ । କେନିଆର ଯୋସୁଆ ଚେରୁଇୟୋଟ୍ କିରୁଇ (୪୦ ବର୍ଷ) ଏବଂ ତାଙ୍କର ୪୪ବର୍ଷ ବୟସ୍କ ନେପାଳି ଗାଇଡ୍ ନୱାଙ୍ଗ୍ ଶେରପାଙ୍କ ସହ ବୁଧବାର (୨୨ ତାରିଖ) ଦିନ କୌଣସି ଯୋଗାଯୋଗ ସ୍ଥାପନ କରାଯାଇ ପାରିଲା ନାହିଁ । ଫଳସ୍ୱରୂପ ପର୍ବତ ଶିଖରରେ ସେମାନଙ୍କୁ ଖୋଜାଖୋଜି କରିବା ତଥା ଉଦ୍ଧାର କରିବା ପାଇଁ ଗୋଟିଏ ଦଳକୁ ନିୟୋଜିତ କରାଗଲା । ‘ଏହି ଦଳ କେନିଆର ପର୍ବତାରୋହୀଙ୍କୁ ଏଭରେଷ୍ଟ ଶୃଙ୍ଗ ଏବଂ ହିଲାରୀ ଷ୍ଟେପ୍ ମଧ୍ୟରେ ମୃତ ଅବସ୍ଥାରେ ପାଇଥିଲେ । ମାତ୍ର ତାଙ୍କର ନେପାଳି ଗାଇଡ୍ ଙ୍କର ଖୋଜଖବର ଏ ଯାଏ ମିଳୁନାହିଁ’ବୋଲି ବେସ୍ କ୍ୟାମ୍ପରେ ଥିବା ନେପାଳ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ।
ବ୍ରିଟେନର ପର୍ବତାରୋହୀ ଡାନିଏଲ୍ ପଲ୍ ଙ୍କ ସହ ଘଟିଥିବା ଦୁର୍ଘଟଣା ହୃଦୟକୁ ଥରାଇ ଦେବାପରି । ବିଶ୍ୱର ସର୍ବୋଚ୍ଚ ଶିଖରର ଠିକ୍ତଳେ କାନ୍ଥ ପରି ଏକ ତୀଖ ପଥର ରହିଛି । ଏହି କାନ୍ଥରୁ ବାହାରିଥିବା ଏକ ଝୁଲନ୍ତା ଶିଳା ଓ ବରଫଖଣ୍ଡ ହଠାତ୍ ଭାଙ୍ଗି ଯାଇଥିଲା ଏବଂ ଡାନିଏଲ୍ ତଥା ତାଙ୍କର ଗାଇଡ୍ ଙ୍କ ସହ ଆଉ କେତେଜଣ ପର୍ବତାରୋହୀ ବରଫରେ ଖସଡ଼ି ତିଦ୍ଦତ ଆଡ଼କୁ ଚାଲିଯାଇଥିଲେ’’ ବୋଲି ଏଭରେଷ୍ଟ ବେସ୍ କ୍ୟାମ୍ପରେ ଥିବା ଗୋଟିଏ ଦଳର ସଦସ୍ୟ ଗଣମାଧ୍ୟମକୁ କହିଥିଲେ ।
ଡାନିଏଲ୍ ପିଟରସନ୍ ଙ୍କ ଦଳରେ ଥିବା ଜଣେ ଶେରପା କହିଛନ୍ତି ଯେ ସେମାନଙ୍କର ପର୍ବତାରୋହୀ ଦଳ ସଫଳତାର ସହ ଶିଖରରେ ପହଞ୍ଚି ଯାଇଥିଲେ । ମାତ୍ର କର୍ତ୍ତୃପକ୍ଷଙ୍କୁ ଏହି ଖବର ଜଣାଯିବା ପୂର୍ବରୁ ଦୁଇଜଣଯାକ ହଜିଗଲେ ।
‘ପ୍ରତ୍ୟକ୍ଷଦର୍ଶୀମାନେ ଜଣାଇଛନ୍ତି ଯେ ସମ୍ମିଟରିଜ ଓ ସାଉଥ ସମ୍ମିଟ ମଧ୍ୟରେ ଏହି ଘଟଣାଟି ଘଟିଛି ଏବଂ କେତେକ ପର୍ବତାରୋହୀ କାଙ୍ଗସୁଙ୍ଗ ଫେସ୍ରେ କେତେକ ପର୍ବତାରୋହୀ ତୁଷାରରେ ବୋହିଗଲେ’ ବୋଲି ସେ କହିଛନ୍ତି । ‘ଆମର ସ୍ୱତନ୍ତ୍ର ଖୋଜାଖୋଜି ଓ ଉଦ୍ଧାର ଦଳଗୁଡ଼ିକୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ସେମାନେ ଆମର ହଜିଯାଇଥିବା ପର୍ବତାରୋହୀମାନଙ୍କୁ ଖୋଜିବା ସକାଶେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପର୍ବତାରୋହୀମାନଙ୍କ ପରିବାରମାନଙ୍କୁ ପ୍ରତି ସମବେଦନା ଜ୍ଞାପନ କରୁଛୁ ଏବଂ ସେମାନଙ୍କ ସକାଶେ ପ୍ରାର୍ଥନା କରୁଛୁ ।’ ଏଭରେଷ୍ଟ ଏବଂ ଏହା ଚାରିକଡ଼ର ଶୃଙ୍ଗଗୁଡ଼ିକର ରାସ୍ତା ସବୁଠାରୁ ଅନୁକୂଳ ପାଣିପାଗରେ ମଧ୍ୟ ବେଶ୍ ବିପଦପୂର୍ଣ୍ଣ । ଗତ ୨୦ ତାରିଖ ଦିନ ଲୋତ୍ସେ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ରୁମାନିଆର ଜଣେ ପର୍ବତାରୋହୀ ନିଜ ତମ୍ବୁରେ ଶୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଲୋତ୍ସେ ହେଉଛି ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ।
କ୍ରମାଗତ ଭାବେ ପର୍ବତାରୋହଣକାରୀମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ନେପାଳର ଅର୍ଥନୀତି କ୍ଷେତ୍ରରେ ସ୍ୱାଗତଯୋଗ୍ୟ ଅଭିବୃଦ୍ଧି ଆଣିଛି । ଏହା ସଙ୍ଗେ ସଙ୍ଗେ ବିଶ୍ୱର ବିଭିନ୍ନ କୋଣରୁ ଆସୁଥିବା ପର୍ବତାରୋହୀମାନଙ୍କୁ ପ୍ରସ୍ତୁତ କରିବାରେ ତଥା ଶିଖରରେ ପହଞ୍ଚାଇବାରେ ସହାୟତା କରିବାରେ ସାରା ଜୀବନ ଲଗାଇ ଦେଇଥିବା ଗାଇଡମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିଛି । ପର୍ବତାରୋହୀମାନେ ମୁଖ୍ୟତଃ ଏଭରେଷ୍ଟ ଶୃଙ୍ଗ ଏବଂ ଆଖପାଖର ପର୍ବତ ଆରୋହଣ କରିବା ସକାଶେ ଏଠାକୁ ଆସି ଥାଆନ୍ତି । କିନ୍ତୁ ପର୍ବତାରୋହଣ ଫଳରେ ଆର୍ଥିକ ବିକାଶ ହେବା ସଙ୍ଗେ ସଙ୍ଗେ ପ୍ରଦୂଷଣକୁ ଚିନ୍ତାଜନକ ସ୍ତରରେ ପହଞ୍ଚାଇ ଦେଇଛି । ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ପାହାଡ଼ଗୁଡ଼ିକରେ ଏବେ ପ୍ରାୟ ୫୦ ଟନ୍ରୁ ମଧ୍ୟ ଅଧିକ ପରିମାଣର ଆବର୍ଜନା ପଡ଼ିରହିଛି । ଅନ୍ୟ ପକ୍ଷରେ ବେସ୍ କ୍ୟାମ୍ପରେ ପ୍ରତ୍ୟେକଟି ପର୍ବତାରୋହଣ ଋତୁରେ ୭୫ଟନ୍ ଆବର୍ଜନା ସୃଷ୍ଟି ହୁଏ ।
ଆବର୍ଜନା ସମସ୍ୟା ଏବେ ଏତେ ଉତ୍କଟ ଆକାର ଧାରଣ କରିଛି ଯେ ପର୍ବତାରୋହୀମାନଙ୍କୁ ନିଜର ମଳକୁ ବୋହି ପର୍ବତର ପାଦଦେଶକୁ ଆଣିବାକୁ ବାଧ୍ୟ କରାଯାଇପାରେ । ଏଭରେଷ୍ଟ ଗିରିଶୃଙ୍ଗ ନେପାଳର ଖୁମ୍ବୁ ଅଞ୍ଚଳରେ ଥିବା ସାଗାମାର୍ଥା ଜାତୀୟ ଉଦ୍ୟାନ ମଧ୍ୟରେ ଅବସ୍ଥିତ । ୟୁନେସ୍କୋ ବିଶ୍ୱ ଐତିହ୍ୟ ଅଞ୍ଚଳ ରୂପେ ଘୋଷିତ ୧,୨୪,୦୦୦ ହେକ୍ଟର ପରିମିତ ସ୍ଥାନରେ ଏଭରେଷ୍ଟ ସମେତ ଆହୁରି ଅନେକଗୁଡ଼ିଏ ସୁଉଚ୍ଚ ଗିରିଶୃଙ୍ଗ ରହିଥିବା ସଙ୍ଗେସଙ୍ଗେ ପ୍ରାୟ ୨୦୦ଟି ଶେରପା ଗ୍ରାମ ରହିଛି । ବହୁ ବର୍ଷ ଧରି ଏହି ଜାତୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ୨୦୧୪ରୁ ୨୦୧୭ ମଧ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା ।
ସାଗମାର୍ଥା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରାୟ ୭୦୦୦ ଲୋକ ସ୍ଥାୟୀ ଭାବରେ ବସବାସ କରୁଥିବା ବେଳେ ପ୍ରତ୍ୟେକବର୍ଷ ଏଠାକୁ ପ୍ରାୟ ୬୦ହଜାର ପର୍ଯ୍ୟଟକ ଏବଂ ହଜାର ହଜାର ସଂଖ୍ୟକ ନେପାଳି ଗାଇଡ୍ ଆସିଥାନ୍ତି । ଆକଳନ କରାଯାଇଛି ଯେ ପ୍ରତ୍ୟେକ ବର୍ଷ ଏହି ପାର୍କ ଭିତରକୁ ୯୦୦ରୁ ୧୦୦୦ ଟନ୍ର କଠିନ ଆବର୍ଜନା ପ୍ରବେଶ କରିଥାଏ । ଏହି ଆବର୍ଜନାର ଏକ ସିଂହଭାଗ ପାର୍କ ଭିତରେ ହିଁ ରହିଯାଏ । ସମସ୍ୟାଟି ଏତେ ଉକôଟ ହୋଇଗଲା ଯେ ଆବର୍ଜନାର ସ୍ତରକୁ ନିୟନ୍ତ୍ରଣାଧୀନ କରିବାକୁ ୧୯୯୧ ମସିହାରେ ସାଗରମଥା ପ୍ରଦୂଷଣ ନିୟନ୍ତ୍ରଣ କମିଟି ଗଠନ କରାଗଲା । ଏହି ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବେ ଏଭରେଷ୍ଟ ବେସ୍ କ୍ୟାମ୍ପରୁ ତଥା ଜାତୀୟ ଉଦ୍ୟାନର ଚଲାପଥରୁ ଆବର୍ଜନା ସଂଗ୍ରହ କାର୍ଯ୍ୟର ତଦାରଖ କରୁଛି । ଏହା ସଙ୍ଗେସଙ୍ଗେ ୨୦୧୪ ମସିହାରୁ ଏହି ନିୟମ କରାଯାଇଛି ଯେ ବେସ୍ କ୍ୟାମ୍ପରୁ ଆଗକୁ ଯାଇଥିବା ପ୍ରତ୍ୟେକ ପର୍ବତାରୋହୀ ଫେରିବାବେଳେ ନିଜ ସହ ୧୮ ପାଉଣ୍ଡ୍ ବା ୮ କିଲୋଗ୍ରାମ୍ ଆବର୍ଜନା ଆଣିବେ । ନ ହେଲେ ସେମାନେ ଜମା କରିଥିବା ୪,୦୦୦ ଡଲାର ଜମାରାଶି ହରାଇବେ ।
ଆବର୍ଜନା ପର୍ବତରେ ପରିଣତ ହେଲାଣି ଏଭେରେଷ୍ଟ!
ପ୍ରଥମ ଓଡ଼ିଆ ଏଭେରେଷ୍ଟ ଆରୋହୀ ଗଣେଶ ଜେନା କୁହନ୍ତି, “ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଏବଂ ବିଶ୍ୱ ତାପନବୃଦ୍ଧିର ପ୍ରଭାବ ଏଭରେଷ୍ଟ ପର୍ବତର ଉପରେ ପଡ଼ିଲାଣି । ଏହି କାରଣରୁ ଏଭରେଷ୍ଟ ଶୃଙ୍ଗ ତାପମାତ୍ରା ବର୍ତ୍ତମାନ ‘ମାଇନସ୧୯ ଡିଗ୍ରୀ ସେଲସିୟସରେ ପହଞ୍ଚିଲାଣି । ଏହାର ପରିଣାମ ସ୍ୱରୂପ ଏଭେରେଷ୍ଟ ପର୍ବତାରୋହୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସମାନୁପାତରେ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗର ହିମବାହ ଉପରେ ମନୁଷ୍ୟକୃତ ଆବର୍ଜନା ପରିମାଣ ବଢ଼ି ବଢ଼ି ଚାଲିଛି । ଏହା ପରିବେଶବିତ୍ ଙ୍କ ମଧ୍ୟରେ ଚିନ୍ତା ଉଦ୍ରେକ କରିଛି । ଚଳିତବର୍ଷ ଯେତିକି ଅଳିଆ ଏଭେରେଷ୍ଟରୁ ସଫା କରାଯାଇଛି ଏହାକୁ ଦେଖିଲେ ଲାଗୁଛି ଖୁବଶୀଘ୍ର ଏହା ଏକ ଅଳିଆ ପର୍ବତ ହୋଇଯିବ । ଏହି କାରଣରୁ ଏହାକୁ ବର୍ତ୍ତମାନ ପୃଥିବୀର ‘ସର୍ବୋଚ୍ଚ ଅଳିଆ ଗଦା’ ବୋଲି ନାଁ ଦିଆଗଲାଣି ।’
ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଏହି ଅଳିଆ ଗଦାରୁ ଆବର୍ଜନା ପରିଷ୍କାର କରାଯାଇଥାଏ । କେହି କେବେ ଦିନେ ଭାବିନଥିଲେ ପୃଥିବୀର ସର୍ବୋଚ୍ଚ ଶିଖର ଏଭେରେଷ୍ଟ ବନ୍ଧ୍ୟା ପର୍ବତର ୮୮୪୮ ମିଟର ଉପରେ ଏତେ ବିଶାଳ ପରିମାଣରେ ମଣିଷ ଆବର୍ଜନା ଜମା କରିବ । ଏଭେରେଷ୍ଟ ପର୍ବତକୁ ଏହି ମନୁଷ୍ୟକୃତ ଭୟଙ୍କର ଆବର୍ଜନା ବିପଦରୁ ଉଦ୍ଧାର କରିବା ପାଇଁ ୨୦୧୯ ମସିହାରୁ ନେପାଳ ସରକାରଙ୍କ ସେନା ବାହିନୀ ପକ୍ଷରୁ ଦୁଇମାସ ଧରି ‘ଆବର୍ଜନା ମୁକ୍ତ ଏଭେରେଷ୍ଟ’ ଅଭିଯାନ ପରିଚାଳନା କରାଯାଉଛି । ଏହି ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ହଜାର ହଜାର ଟନ ଆବର୍ଜନା ଏଭେରେଷ୍ଟ ଉପରୁ ସଫା କରାଯାଉଛି ।
ନେପାଳୀ ସେନାବାହିନୀ ପକ୍ଷରୁ ଗତ ପ୍ରାୟ ଦୁଇମାସ ଧରି ଚାଲିଥିବା ଆବର୍ଜନା ମୁକ୍ତ ଏଭେରେଷ୍ଟ ଅଭିଯାନ ୨୦୨୪’ ରେ ଚାରୋଟି ପର୍ବତାରୋହୀଙ୍କ ମୃତ ଶରୀର ଓ ଗୋଟିଏ ମାନବ କଙ୍କାଳ ଅବଶେଷ ସହିତ ୧୧,୦୦୦କିଲୋଗ୍ରାମ ବର୍ଜ୍ୟବସ୍ତୁ ଅପସାରଣ କରିବାରେ ଏକ ବଡ଼ ସଫଳତା ମିଳିପାରିଛି । ନେପାଳୀ ସେନା ଏଭରେଷ୍ଟର ଥିବା ଉଚ୍ଚତମ ପର୍ବତ ଲ୍ହୋତ୍ସେ ଏବଂ ନୁପ୍ଟସେ ଅଞ୍ଚଳକୁ ଆବର୍ଜନା ସଫା କରିବା ଅଭିଯାନରେ ଏହା ଏକ ବଡ଼ ସଫଳତା ।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ଆଜିର ଜଳବାୟୁ ପରିବର୍ତ୍ତନ ବିପଦ ମାଡି ଆସୁଥିବା ସମୟରେ ଏଭରେଷ୍ଟର ଭଙ୍ଗୁର ଉଚ୍ଚ ଅଞ୍ଚଳରେ ମନୁଷ୍ୟକୃତ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରଖିବା । ମେଜର ଆଦିତ୍ୟ କାର୍କୀଙ୍କ ନେତୃତ୍ୱରେ ଏକ ୧୨ଜଣିଆ ଟିମ୍ ଚଳିତ ଅଭିଯାନରେ ସାମିଲ ହୋଇଥିଲେ । ଏହି ଟିମ୍ ଙ୍କ ସହାୟତା କରୁଥିଲେ ୧୧ ଜଣିଆ ଏକ ଶେରପା ଦଳ । ଏହି ଅଭିଯାନ ଗତ ଏପ୍ରିଲ ୧୧ ତାରିଖରେ ଆରମ୍ଭ ହୋଇ ଗତ ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସରେ ଶେଷ ହୋଇଛି ।
ନେପାଳ ସେନାଧ୍ୟକ୍ଷ ପ୍ରଭୁରାମ ଶର୍ମା ଏହି ୫୫ ଦିନିଆ ଅଭିଯାନର ସଫଳ ସମାପନ ଉତ୍ସବ ପାଳନ ଅବସରରେ ସୂଚନା ଦେଇ କହିଛନ୍ତି, “ପ୍ରତିକୂଳ ପାଗ ଓ ପରିସ୍ଥିତି ସତ୍ତ୍ୱେ ଏହି ଅଭିଯାନ ଭଲ ସଫଳତା ପାଇଛି । ଏହି ଅଭିଯାନରେ ସାମିଲ ହୋଇଥିବା ଶେରପା ଗାଇଡ଼ ଟିମର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଭରେଷ୍ଟ ବେସ୍ କ୍ୟାମ୍ପ ତଳେ ଥିବା ନାମଚେ ବଜାରକୁ ଜୈବିକ ବର୍ଜ୍ୟବସ୍ତୁ ଅଣାଯାଇ ଏହାକୁ ସାଗରମାଥା ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଏସ୍ପିସିସି)କୁ ହସ୍ତାନ୍ତର କରାଯାଇଥିଲା । ନନ୍-ବାୟୋଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁ ଓ ମୃତଦେହ କାଠମାଣ୍ଡୁ ଅଣାଯାଇଥିଲା । ପ୍ରତିବର୍ଷ ଏଭେରେଷ୍ଟ ଆରୋହୀଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ପାଇବା କାରଣରୁ ଆବର୍ଜନା ଗଦାହେବା ଏକ ବିରାଟ ସମସ୍ୟାରେ ପରିଣତ ହୋଇଛି । ୨୦୧୯ରେ ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ଏଭରେଷ୍ଟ ଶୃଙ୍ଗ ପର୍ବତାଞ୍ଚଳରୁ ୧୨ଟି ମୃତଦେହ ଓ ୧୮୦ ମେଟ୍ରିକ୍ ଟନ୍ ଆବର୍ଜନା ସଂଗ୍ରହ କରାଯାଇଛି” ।
ରାତିରେ ଏଭରେଷ୍ଟ ଉପରେ ଭୟଙ୍କର ବିକଟାଳ ଶବ୍ଦ ଶୁଭେ କାହିଁକି?
୨୦୧୮ ମସିହାରେ ହିମବାହ ବିଶେଷଜ୍ଞ ଡକ୍ଟର ଇଭୋଜେନି ପୋଡଲସ୍କିଙ୍କ ନେତୃତ୍ୱରେ ଗବେଷକମାନଙ୍କର ଏକ ଦଳ ଏଭରେଷ୍ଟର ହିମବାହ ଉପରେ ଗବେଷଣା ଆରମ୍ଭ କଲେ । ପୋଡଲସ୍କି ହେକାଇଡୋ ବିଶ୍ୱବିଦ୍ୟାଳୟର ମେରୁ ଗବେଷଣା କେନ୍ଦ୍ରରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରନ୍ତି । ଏହି ଗବେଷକମାନଙ୍କର ଲକ୍ଷ୍ୟ ଥିଲା ହିମାଳୟ ଅଞ୍ଚଳରେ ଭୀତି ସୃଷ୍ଟିକାରୀ ରାତ୍ରୀକାଳୀନ ଭୟଙ୍କର ବିକଟାଳ ଶବ୍ଦର ରହସ୍ୟର କାରଣ ଖୋଜି ବାହାର କରିବା । ଏହି ଗବେଷକମାନେ ଟ୍ରାକାର୍ଡିଙ୍ଗ ଓ ଟ୍ରାମ୍ୱାଉ ହିମବାହର ମଝିରେ ସେମାନେ ଗବେଷଣା ପାଇଁ ନିଜର କ୍ୟାମ୍ପ ପକାଇ ରହିଥିଲେ । ଏହି ଅଞ୍ଚଳଟି ସମୁଦ୍ର ପତ୍ତନଠାରୁ ୩ କିଲୋମିଟର ଉଚ୍ଚରେ ଅବସ୍ଥିତ ଅଟେ । ଏହିଠାରୁ ସ୍ପଷ୍ଟରୂପେ ଏଭରେଷ୍ଟ ଉପରେ ସମସ୍ତ ପ୍ରକାର ଅନୁଧ୍ୟାନ କରାଯାଇପାରିବ । ହାଡ ଫଟାଇ ଦେଉଥିବା ଶୀତରେ ଡକ୍ଟର ପୋଡଲସ୍କି ଏଭରେଷ୍ଟର ସେହି ଭୟଙ୍କର ବିକଟାଳ ଶବ୍ଦର ପ୍ରକରଣକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କଲେ । ଏହାପରେ ହିମବାହର କମ୍ପନକୁ ମାପିବା ପାଇଁ ଏକ ସ୍ୱତନ୍ତ୍ର ସେନସର ବ୍ୟବହାର କରି ସୃଷ୍ଟି ହେଉଥିବା ବିଭିନ୍ନ କମ୍ପନକୁ ମାପିବା ସହିତ ଅନ୍ୟ ତଥ୍ୟ ସଂଗ୍ରହ କରିଥିଲେ ।
ଗବେଷକମାନେ ଅନୁଧ୍ୟାନ କରି ଜାଣିପାରିଥିଲେ ସୂର୍ଯ୍ୟାସ୍ତ ପରେ ହଠାତ ସ୍ଥାନୀୟ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଯାଏ । ଏହାସହିତ ଭାଙ୍ଗୁଥିବା ବରଫର ବିସ୍ଫୋରକ ଶବ୍ଦ ମଧ୍ୟରେ ଏକ ଅଦ୍ଭୁତ ସମ୍ପର୍କ ରହିଛି ବୋଲି ଜାଣିବାକୁ ପାଇଥିଲେ । ଗବେଷକମାନେ ପ୍ରତିଷ୍ଠିତ ଜର୍ନାଲ ଜିଓ-ଫିଜିକାଲ ରିସର୍ଚ୍ଚ ଲେଟରରେ ପ୍ରକାଶିତ ସନ୍ଦର୍ଭରେ ଦର୍ଶାଇଥିଲେ, “ଦିନ ଓ ରାତ୍ରୀର ତାପମାତ୍ରାର ଉତ୍ତାପରେ ହଠାତ ସୃଷ୍ଟି ହେଉଥିବା ତାରତମ୍ୟ, ଏବଂ ହିମବାହ ମଧ୍ୟରେ ଏହି ଉତ୍ତାପର ତାରତମ୍ୟ ଯୋଗୁଁ ସୃଷ୍ଟି ହେଉଥିବା କମ୍ପନ ମଧ୍ୟରେ ରହିଥିବା ଅତ୍ୟନ୍ତ ସୂକ୍ଷ୍ମ ସମ୍ପର୍କ ଉପରେ ଏହି ଭୀତି ପ୍ରଦର୍ଶକ ବିକଟାଳ ଶବ୍ଦର କାରଣକୁ ନେଇ ଆଲୋକପାତ କରିଥିଲେ । ହିମବାହର ଉପତ୍ୟକାରେ ରାତିରେ ଭାଙ୍ଗୁଥିବା ବରଫ ଓ ତଳେଥିବା ଶିଳାସ୍ତର ଫାଟିବାରୁ ଏଭଳି ଶବ୍ଦର ସୃଷ୍ଟି ହୋଇଥାଏ । ତୁଷାର ଝଡର ଗୁରୁ ଗମ୍ଭୀର ପବନ ଏହି ଶବ୍ଦକୁ ବହୁଦୂରକୁ ଉଡ଼ାଇ ନେଇଯାଇଥାଏ । ଆଜିର ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ବିପଦ ଏହାକୁ ଅଧିକ ତୀବ୍ରତର କରିଛି ବୋଲି ସେମାନେ ବର୍ଣ୍ଣନା କରିଛନ୍ତି । ଏହି ପଥପ୍ରଦର୍ଶନକାରୀ ଗବେଷଣା ହିମବାହ ଉପରେ ଅନେକ ଲୁଚିଥିବା ତଥ୍ୟ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲାବେଳେ ସମ୍ବେଦନଶୀଳ ପରିସଂସ୍ଥାନ ଉପରେ ମାନବୀୟ ପ୍ରଭାବର ବିପଦକୁ ଦର୍ଶାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ପ୍ରଖ୍ୟାତ ପର୍ବତାରୋହୀ ଡେଭ ଭାନ୍ନ ଏହି ବିକଟାଳ ଶବ୍ଦକୁ ଅତ୍ୟନ୍ତ ଜୀବନ୍ତଭାବରେ ବର୍ଣ୍ଣନା କରିଛନ୍ତି । ତାପମାତ୍ରା ବୃଦ୍ଧି କାରଣରୁ ଏହି ଭୟଙ୍କର ଶବ୍ଦ ବର୍ତ୍ତମାନ ଅଧିକ ତୀବ୍ର ହେଲାଣି ।
ହିମାଳୟ ଓ ଏଭରେଷ୍ଟ ସମ୍ପର୍କିତ କିଛି ତଥ୍ୟ
ହଜାର ହଜାର ବର୍ଷ ଧରି ହିମାଳୟ ମାନବ ଜାତିକୁ ବିମୁଗ୍ଧ କରିଆସିଛି । ବିଶ୍ୱର ଅଧିକାଂଶ ଉଚ୍ଚତମ ଶିଖର, ବିଶାଳ ହିମବାହ ଏବଂ ବିପୁଳସଂଖ୍ୟକ ଉଦ୍ଭିଦ ଓ ପ୍ରାଣୀଙ୍କର ଉପସ୍ଥିତି ଯୋଗୁଁ ହିମାଳୟ ପର୍ବତଶ୍ରେଣୀକୁ ପୃଥିବୀର ସବୁଠାରୁ ବେଶି ଜଣାଥିବା ପର୍ବତଶ୍ରେଣୀ ରୂପେ ବିବେଚନା କରାଯାଏ । ତେବେ, ନିଜର ଏତେ ପ୍ରସିଦ୍ଧି ସତ୍ତ୍ୱେ ଏଯାବତ୍ ହିମାଳୟ ବହୁ ରହସ୍ୟରେ ଆବୃତ୍ତ ହୋଇରହିଛି । ଏହି ଅଞ୍ଚଳର ମନୋମୁଗ୍ଧକାରୀ ଇତିହାସ, ଅନନ୍ୟ ଜଳବାୟୁ ଏବଂ ଏହା ଏବେ ସମ୍ମୁଖୀନ ହେଉଥିବା ବିବିଧ ଆହ୍ୱାନଗୁଡ଼ିକ ମଧ୍ୟରୁ କେତୋଟିକୁ ଏଠାରେ ଉପସ୍ଥାପିତ କରାଯାଉଛି ।
ପାକିସ୍ତାନ ଅଧିକୃତ କାଶ୍ମୀରର ନଙ୍ଗ ପର୍ବତ ଶିଖର ଠାରୁ ଆରମ୍ଭ କରି ତିଦ୍ଦତ ସ୍ଥିତ ନାମ୍ଜାଗବାରୱା ଶୃଙ୍ଗ ପର୍ଯ୍ୟନ୍ତର ଦୂରତା ହେଲା ୧୫୫୦ ମାଇଲ୍ ବା ୨୫୦୦ କିଲୋମିଟର । ହିମାଳୟ ପର୍ବତଶ୍ରେଣୀ ପରିବ୍ୟାପ୍ତ ହୋଇ ରହିଥିବା ପ୍ରାୟ ୨,୩୦,୦୦୦ ବର୍ଗ ମାଇଲ୍ ବା ୫,୯୫,୦୦୦ ବର୍ଗ କିଲୋମିଟର ଅଞ୍ଚଳର ଅଧିକାଂଶ ଅଞ୍ଚଳ ଭାରତ, ନେପାଳ ଏବଂ ତିଦ୍ଦତରେ ଅବସ୍ଥିତ । ଏହି ପର୍ବତଶ୍ରେଣୀର କିଛିଅଂଶ ଚୀନ୍ ଓ ପାକିସ୍ତାନରେ ମଧ୍ୟ ରହିଛି ।
ସମୁଦ୍ର ପତନଠାରୁ ୨୯,୦୩୨ ଫୁଟ ବା ୮,୮୪୯ ମିଟରର ଆଖି ପାଉ ନଥିବା ଉଚ୍ଚତାର ଏଭରେଷ୍ଟ ଶୃଙ୍ଗ ହେଉଛି ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ । ଏଭରେଷ୍ଟ ଏହି ଉଚ୍ଚତମ ଗିରିଶୃଙ୍ଗର ଏକମାତ୍ର ନାମ ନୁହେଁ । ନେପାଳ ଓ ତିଦ୍ଦତର ସୀମାରେ ଥିବା ଏହି ପର୍ବତର ସଂସ୍କୃତ ନାମ ‘ସାଗରମଥା’, ଯାହାର ଅର୍ଥ ହେଲା ‘ସ୍ୱର୍ଗର ଶିଖର’ । ତିଦ୍ଦତୀୟ ଭାଷାରେ ଏଭରେଷ୍ଟର ନାମ ‘ଚୋମୋଲୁଙ୍ଗମା’ ଯାହାର ଅର୍ଥ ହେଲା ‘ଉପତ୍ୟକାର ଦେବୀ’ । ଭାରତର ସର୍ଭେୟର ଜେନେରାଲ୍ ଥିବା ଇଂରେଜ ସାର୍ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ୧୮୬୫ ମସିହାରେ ଏହି ପର୍ବତ ଶିଖରର ନାମ ଏଭରେଷ୍ଟ ରଖାଯାଇଥିଲା ।
ଅଳ୍ପ କେଇବର୍ଷ ପୂର୍ବ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ତିଦ୍ଦତୀୟ ମାଳ ଅଞ୍ଚଳରେ ଥିବା ଏହି ଉଚ୍ଚତମ ପର୍ବତମାଳାରେ ୨୫୦୦ ବର୍ଷ ପୂର୍ବ କାଳରେ କେହିହେଲେ ବସବାସ କରୁ ନଥିଲେ । ମାତ୍ର ନିକଟରେ ‘ଚୁସାଙ୍ଗ’ଠାରେ ମିଳିଥିବା ପଦ ଚିହ୍ନର ବିଶ୍ଳେଷଣରୁ ଜଣାପଡ଼ିଛି ସମୁଦ୍ର ପତନ ଠାରୁ ୪୨୦୦ ମିଟର ଉଚ୍ଚ ଏହି ସ୍ଥାନରେ ୭,୪୦୦ରୁ ୧୨,୬୦୦ ବର୍ଷ ମଧ୍ୟରେ ମଣିଷମାନେ ସ୍ଥାୟୀ ଭାବେ ବସବାସ କରୁଥିଲେ!
ଆଜିକାଲି ହିମାଳୟ ପାର୍ବତ୍ୟାଞ୍ଚଳରେ ବିଭିନ୍ନ ଜନଜାତିର ମଣିଷମାନେ ବସବାସ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ହିମାଳୟ ପାର୍ବତ୍ୟାଞ୍ଚଳର ସବୁଠାରୁ ଉତ୍ତରକୁ ଥିବା ଅଞ୍ଚଳରେ ତିଦ୍ଦତୀୟ ଏବଂ ତିଦ୍ଦତ ଓ ବ୍ରଭଦେଶୀ ଭାଷାଭାଷୀ ଲୋକମାନେ ବସବାସ କରୁଥିବାବେଳେ ଏହାର କେନ୍ଦ୍ରୀୟ ଏବଂ ସବୁଠାରୁ ଦକ୍ଷିଣ ଦିଗରେ ବସବାସ କରୁଥିବା ଅଧିବାସୀମାନେ ଭାରତୀୟ ଇଉରୋପୀୟ ଭାଷା କୁହନ୍ତି । ତମାଙ୍ଗ ଜନଜାତିର ଲୋକମାନେ ମଧ୍ୟ ଏଠାରେ ବସବାସ କରୁଛନ୍ତି ଏବଂ ଏହି ଅଞ୍ଚଳରେ ପ୍ରାୟ ୧୬ଲକ୍ଷ ତମାଙ୍ଗ ବସବାସ କରନ୍ତି ।
ଅପହଞ୍ଚ ଅଞ୍ଚଳ, ଆକାଶକୁ ଛୁଉଁଥିବା ଉଚ୍ଚତା ଏବଂ ପ୍ରାୟତଃ ସମ୍ପୂର୍ଣ୍ଣ ରୂପେ ବସବାସ ଅନୁପଯୋଗୀ ଜଳବାୟୁ ଯୋଗୁଁ ସବୁ ଯୁଗରେ ଏଭରେଷ୍ଟ ଗିରିଶୃଙ୍ଗକୁ ପର୍ବତାରୋହଣର ସବୁଠାରୁ ବଡ଼ ଆହ୍ୱାନ ରୂପେ ବିବେଚନା କରାଯାଇ ଆସିଛି । କିନ୍ତୁ ଏଭରେଷ୍ଟ ବିଜୟର ସର୍ବପ୍ରଥମ ଉଦ୍ୟମ ୧୯୨୧ ମସିହାରେ କରାଯାଇଥିଲା ଯେତେବେଳେ ବ୍ରିଟିଶ୍ ସେନାର ଅଧିକାରୀ, ଅଭିଯାତ୍ରୀ ଏବଂ ସର୍ଭେୟରମାନେ ମାଉଣ୍ଟ ଏଭରେଷ୍ଟ କମିଟି ମାଧ୍ୟମରେ ଏଭରେଷ୍ଟ ଆରୋହଣର ପ୍ରାୟସ କରିଥିଲେ । ଏତେ ଉଚ୍ଚତାକୁ ଚଢ଼ିବା ପାଇଁ ଉପକରଣର ଅଭାବ ଯୋଗୁଁ ଏହି ଦଳର ଜଣେ ସଦସ୍ୟ ହୃଦ୍ଘାତଯୋଗୁଁ ମୃତ୍ୟୁବରଣ କରିଥିଲେ ଏବଂ ଏଭରେଷ୍ଟ ବିଜୟ ଅସଂପୂର୍ଣ୍ଣ ରହିଗଲା । ତେବେ, ଏହି ଅଭିଯାନ ଯୋଗୁଁ ପରବର୍ତ୍ତୀ କାଳରେ ଏଭରେଷ୍ଟ ଆରୋହଣ କରିବା ସକାଶେ ଏକ ଅନୁକୂଳ ରାସ୍ତା ଖୋଜାଯାଇ ପାରିଥିଲା । ୧୯୩୩ ମସିହା ବେଳକୁ ଏଭରେଷ୍ଟ ଆରୋହଣ ସକାଶେ ଅନେକଗୁଡ଼ିଏ ଅସଫଳ ପ୍ରୟାସ କରାଯାଇ ସାରିଥିଲା । କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି ମଧ୍ୟ ସଫଳ ହୋଇ ନ ଥିଲା । ତେବେ ସ୍କଟଲାଣ୍ଡର ଦୁଇଜଣ ପାଇଲଟ ଲ୍ୟୁଟନାଣ୍ଟ ଡେଭିଡ ମ୍ୟାକ୍ଲନ୍ଟାୟାର ଏବଂ ସାର୍ ଡଗ୍ଲାସ୍-ଡଗ୍ଲାସ୍-ହାମିଲଟନ ୩ ଏପ୍ରିଲ, ୧୯୩୩ ମସିହାରେ ଏହି ବିଶ୍ୱପ୍ରସିଦ୍ଧ ପର୍ବତମାଳାର ଉପର ଦେଇ ଉଡ଼ିଥିଲେ । ଏହି ପର୍ବତ ଉପରଦେଇ ଉଡ଼ିବାରେ ସେମାନେ ଥିଲେ ପ୍ରଥମ ମଣିଷ । ସେହି ସମୟରେ ଏହି ପାଇଲଟ ଦ୍ୱୟ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଚିତ୍ରୋତ୍ତଳନ କରିଥିଲେ । ସେହିପରି ୧୯୩୬ ମସିହାରେ ମଧ୍ୟ ଏକ ବ୍ରିଟେନ୍ବାସୀମାନଙ୍କ ଦ୍ୱାରା ପର୍ବତାରୋହଣ ପାଇଁ ଅନ୍ୟ ଏକ ପ୍ରୟାସ କରାଯାଇଥିଲା । ମାତ୍ର ଖରାପ ପାଗଯୋଗୁଁ ଏହି ଅଭିଯାନକୁ ମଧ୍ୟ ବାଧ୍ୟହୋଇ ଫେରି ଆସିବାକୁ ପଡ଼ିଥିଲା ।
ପରବର୍ତ୍ତୀ କାଳରେ ଜଣେ ଡାକ୍ତର ତଥା ପର୍ବତାରୋହୀ ମାଇକେଲ୍ ୱାର୍ଡ, ୧୯୫୩ ସେହି ଫଟୋଗୁଡ଼ିକର ଫୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ ଯାହାକି ୧୯୫୩ର ଏଭରେଷ୍ଟ ବିଜୟ ପାଇଁ ବାଟ ଫିଟାଇଥିଲା । ୧୯୫୩ ମସିହା ମଇ ୨୯ତାରିଖ ଦିନ ନ୍ୟୁଜିଲାଣ୍ଡର ପର୍ବତାରୋହର ସାର୍ ଏଡମଣ୍ଡ ହିଲାରୀ ଏବଂ ନେପାଳର ଶେରପା ତେଞ୍ଜିଙ୍ଗ ନର୍ଗେ ପ୍ରଥମ ଥର ପାଇଁ ଏଭରେଷ୍ଟରେ ପାଦ ଥାପିଥିଲେ ।
ଅଧିକାଂଶ ଶେରପା ନେପାଳ ସୋଲୁ, ଖୁମ୍ବୁ ବା ଫରକ୍ ଅଞ୍ଚଳର ପୂର୍ବ ଭାଗରେ ବସବାସ କରନ୍ତି । ତେବେ, କେତେକ ଶେରପା ବେଶ୍ ପଶ୍ଚିମକୁ ରଲ୍ୱାଲିଙ୍ଗ୍ ଉପତ୍ୟକା ଏବଂ କାଠମାଣ୍ଡୁର ଉତ୍ତରରେ ଥିବା ହେଲାମ୍ବୁ ଅଞ୍ଚଳରେ ବାସ କରିଥାଆନ୍ତି । ପାଙ୍ଗବୋଚେ ହେଉଛି ନେପାଳରେ ଶେରପାମାନଙ୍କର ସର୍ବପ୍ରାଚୀନ ଗ୍ରାମ, ଯାହାକି ପ୍ରାୟ ୩୦୦ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା । ଶେରପାମାନେ ହେଉଛନ୍ତି ତିଦ୍ଦତୀୟ ମୂଳ ଜନଜାତି ଗୋଷ୍ଠୀ ଭୋତିଆମାନଙ୍କର ଅଂଶବିଶେଷ, ଯେଉଁମାନେ କି ଉତ୍ତର-ପୂର୍ବ ନେପାଳର ଅନେକଗୁଡ଼ିଏ ଉଚ୍ଚ ଉପତ୍ୟକାରେ ବସବାସ କରନ୍ତି । ସେମାନେ ‘ନିଙ୍ଗ ମା ପା’ ବା ତିଦ୍ଦତୀୟ ବୌଦ୍ଧ ଧର୍ମର ପୁରୁଣା ସଂସ୍କରଣର ଅନୁଗାମୀ । ତିଦ୍ଦତୀୟ ଭାଷାରେ ‘ଶାର ପା’ର ଅର୍ଥ ହେଲା ପୂର୍ବାଞ୍ଚଳୀ, ଯାହାକି ସେମାନଙ୍କର ମୂଳ ଆବାସ ତିଦ୍ଦତର ପୂର୍ବାଞ୍ଚଳକୁ ସୂଚାଇ ଥାଏ ।
୨୦୧୦ ମସିହା ମଇମାସରେ ଜୋର୍ଡାନ ରୋମେରୋ ଏଭରେଷ୍ଟ ଆରୋହଣ କରିଥିବା ସର୍ବକନିଷ୍ଠ ପର୍ବତାରୋହୀ ହେବାର ଗୌରବ ଅର୍ଜନ କରିଥିଲେ । ମାତ୍ର ୧୩ ବର୍ଷ ୧୦ ମାସ ୧୦ ଦିନର ବୟସରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ । ଏହି କୀର୍ତ୍ତିମାନକୁ ଅନନ୍ୟ କରୁଥିବା ଆଉ ଏକ କାରଣ ହେଲା ଯେ ରୋମାରୋ ପୃଥିବୀର ସାତଟି ମହାଦେଶର ଉଚ୍ଚତମ ଶୃଙ୍ଗ ଆରୋହଣ ଆହ୍ୱାନର ଶେଷ ପର୍ବତ ରୂପେ ଏଭରେଷ୍ଟ ଆରୋହଣ କରିଥିଲେ । ଏହି ଆମେରିକୀୟ କିଶୋର ମାତ୍ର ନଅ ବର୍ଷ ବୟସରେ ଏକ ଭିତ୍ତିଚିତ୍ରକଳା ଦେଖି ସାତଟି ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିବା ସକାଶେ ପ୍ରେରଣା ପାଇଥିଲେ ।
ଯେଉଁ ପର୍ବତକୁ କେହି ଜୟଲାଭ କରିନାହାନ୍ତି
୬,୯୯୩ ମିଟର ବା ୨୨,୯୪୩ ଫୁଟ ଉଚ୍ଚ ମାଚାପୁଚାରେ ଶୃଙ୍ଗ ହିମାଳୟ ପର୍ବତମାଳାର ଉଚ୍ଚ ଶୃଙ୍ଗମାନଙ୍କ ମଧ୍ୟରେ ଗଣା ଯାଉ ନଥିଲେ ମଧ୍ୟ, ଏହା ପର୍ବତାରୋହୀମାନଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି । ଉତ୍ତର-କେନ୍ଦ୍ରୀୟ ନେପାଳରେ ଅବସ୍ଥିତ ଏହି ଶୃଙ୍ଗକୁ କେହି କେବେହେଲେ ଜୟ କରିପାରି ନାହାନ୍ତି । ଏହାର କାରଣ ଜଣେ ବ୍ରିଟିଶ୍ ସାମରିକ ଅଫିସ-ର୍ ଜିମ୍ମି ରବର୍ଟସ୍ । ୧୯୫୭ ମସିହାରେ ସେ ମାଚାପୁଚାରେ ପର୍ବତ ଆରୋହଣ କରିବାର ପ୍ରୟାସ କରିଥିଲେ । ମାତ୍ର ଖରାପ ପାଗଯୋଗୁଁ ତାଙ୍କୁ ପର୍ବତାରୋହଣ ବନ୍ଦ କରି ଫେରି ଆସିବାକୁ ପଡ଼ିଥିଲା । ବିଚିତ୍ର କଥା ହେଲା ଯେ ପର୍ବତାରୋହଣ ପରେ ରବର୍ଟସ୍ ନେପାଳ ସରକାରଙ୍କୁ ମାଚାପୁଚାରେ ପର୍ବତ ଆରୋହଣକୁ ନିଷିଦ୍ଧ କରିବାକୁ ଅନୁରୋଧ କରିଥିଲେ ଏବଂ ନେପାଳ ସରକାର ମଧ୍ୟ ଏଥିରେ ରାଜି ହୋଇଥିଲେ । ପାଖର ଗାଁ ଚୋମେରାଙ୍ଗରେ ବସବାସ କରୁଥିବା ଗୁରୁଙ୍ଗ ଲୋକମାନେ ଏହି ପର୍ବତକୁ ପବିତ୍ର ବୋଲି ମାନି ଥାଆନ୍ତି ।
କୃତ୍ରିମ ହିମବାହ
ହିମାଳୟର ପାର୍ବତ୍ୟାଞ୍ଚଳରେ ହଠାତ୍ ବନ୍ୟା ଆସିଯିବା ପରେ ସମସ୍ୟା ରହିଛି । ମାତ୍ର ଏହା ଏକମାତ୍ର ସମସ୍ୟା ନୁହେଁ । ଭାରତୀୟ ହିମାଳୟ ଅଞ୍ଚଳରେ ଥିବା ଲଦାଖ ହେଉଛି ବିଶ୍ୱର ଶୁଷ୍କତମ ଅଞ୍ଚଳଗୁଡ଼ିକ ମଧ୍ୟରେ ଅନ୍ୟତମ । ବିଗତ ବର୍ଷମାନଙ୍କରେ ଏପ୍ରିଲ ଓ ମଇ ମାସରେ ଏହି ଅଞ୍ଚଳରେ ଘୋର ଜଳସଂକଟ ଦେଖାଦେଉଛି । ଏହି ସମସ୍ୟାର ନିରାକରଣ ସକାଶେ ବୈଜ୍ଞାନିକମାନେ ଅନେକଗୁଡ଼ିଏ କୃତ୍ରିମ ହିମବାହ ସୃଷ୍ଟି କରିଛନ୍ତି ଯେଉଁଗୁଡ଼ିକୁ ସ୍ତୁପ ବୋଲି କୁହାଯାଏ । ଏହି ସ୍ତୁପରେ ଜଳ ସଞ୍ଚିତ ହୋଇ ବରଫ ଆକାରରେ ରହିଥାଏ ଏବଂ ଖରାଦିନେ ବରଫ ତରଳିବା ଫଳରେ ଆଖପାଖର ଗ୍ରାମବାସୀମାନେ ପାଣି ପାଇ ଥାଆନ୍ତି । ଜଣେ ଭାରତୀୟ ଇଞ୍ଜିନିଅର୍ ସୋନମ୍ ୱାଙ୍ଗଚୁକ୍ ୨୦୧୩ ମସିହାରେ ଏହାର ଉଦ୍ଭାବନ କରିଥିଲେ । ପରବର୍ତ୍ତୀ କାଳରେ ଆବେର୍ଦିନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ଆହୁରି ବିକଶିତ କରିଥିଲେ ।
ସନ୍ତାପିତ ଶାଳଗ୍ରାମ
ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ହିମାଳୟ ଅଞ୍ଚଳର ବନ ଧର୍ମରୁ ଅନୁଗାମୀମାନେ ଶାଳଗ୍ରାମକୁ ପୂଜା କରିଆସୁଛନ୍ତି । ଶାଳଗ୍ରାମ ହେଉଛି ଏକ ଆଦିମଶ୍ରେଣୀ ପ୍ରାଣୀ ଏମୋନାଇଟ୍ର ଜୀବାଶ୍ମ ରୂପ । ଏଗୁଡ଼ିକ ବିଲୁପ୍ତ ହୋଇଯାଇଥିବା ପ୍ରାଣୀ ଯାହାର ସାଦୃଶ୍ୟ ବର୍ତ୍ତମାନର ଅକ୍ଟୋପସ୍, ସ୍କୁଇଡ୍ ଇତ୍ୟାଦିଙ୍କ ସହ ସାଦୃଶ୍ୟ ରହିଛି ।
ଉତ୍ତର ନେପାଳ ଅଞ୍ଚଳର ଏକ ଅପହୁଞ୍ଚ ଇଲାକା- ମୁସ୍ତାଙ୍ଗର କାଳୀ ଗଣ୍ଡକୀ ନଦୀର ଉପତ୍ୟକାରେ ଶାଳଗ୍ରାମ ସବୁ ମିଳିଥାଏ । ଶାଳଗ୍ରାମ ପଥରଗୁଡ଼ିକୁ ମୂଳତଃ ହିନ୍ଦୁ ଦେବତା ବିଷ୍ଣୁଙ୍କର ରୂପ ବୋଲି ବିବେଚନା କରାଯାଇଥାଏ । କାରଣ ଏହି ପଥରଗୁଡ଼ିକ ମଣିଣଙ୍କ ଦ୍ୱାରା ସୃଷ୍ଟ ନୁହେଁ, ସେହି ଭୂଖଣ୍ଡରୁ ସୃଷ୍ଟି ଶାଳଗ୍ରାମଙ୍କର । ବିଶ୍ୱାସ କରାଯାଏ ଯେ ଶାଳଗ୍ରାମଙ୍କର ନିଜସ୍ୱ ଚେତନା ରହିଛି । ଫଳସ୍ୱରୂପ ଘରେ ଏବଂ ମନ୍ଦିରରେ ଶାଳଗ୍ରାମମାନଙ୍କୁ ସ୍ଥାନିତ କରାଯାଇଛି ଯେଉଁଠାରେ ସେମାନଙ୍କୁ ଜୀବନ୍ତ ଠାକୁର ରୂପେ ପୂଜା କରାଯାଏ ଏବଂ ଜନଗୋଷ୍ଠୀର ସକ୍ରିୟ ସଦସ୍ୟ ରୂପେ ମଧ୍ୟ ବିବେଚନା କରାଯାଏ ।
ହୋଲି ୱାଲ୍ଟର୍ସ କୁହନ୍ତି, ‘ଆଠ ହଜାର ମିଟର ଉଚ୍ଚର ଗିରିଶୃଙ୍ଗ ମଧ୍ୟଦେଇ ପ୍ରବାହିତ ହେଉଥିବା ନଦୀ କଡ଼େକଡ଼େ ଗଲାବେଳେ ଆମେମାନେ ଦ୍ରୁତ ପ୍ରବହମାନ ସ୍ରୋତରେ ଶାଳଗ୍ରାମକୁ ଖୋଜୁଥିଲୁ । ଆମେ ପହଞ୍ଚି ଆଣିପାରୁଥିବା କୌଣସି ଶାଳଗ୍ରାମ ମିଳିଲେ ଆମେମାନେ ତାକୁ ସଂଗ୍ରହ କରିନେଉଥିଲୁ । ତା’ ପରଠାରୁ ଜଣେ ନୃତତ୍ତ୍ୱବିତ୍ ରୂପେ ନେପାଳ ଓ ଭାରତର ଭକ୍ତମାନଙ୍କ ସହ କାର୍ଯ୍ୟ କରିବାବେଳେ ମୁଁ ଶାଳଗ୍ରାମକୁ ନେଇ ବହୁପ୍ରକାରର ପୂଜାପଦ୍ଧତି ଓ ରୀତିନୀତିର ଦଲିଲକରଣ କରିଛି । ୨୦୨୦ ମସିହାରେ ମୁଁ ମୋର ପ୍ରଥମ ନୃବଂଶ ବିଜ୍ଞାନ ରିପୋର୍ଟ ପ୍ରକାଶ କଲି ଯାହାର ନାମ ଥିଲା, ‘ନେପାଳ ହିମାଳୟ ଅଞ୍ଚଳରେ ଶାଳଗ୍ରାମ ତୀର୍ଥ’ ।
ଦକ୍ଷିଣ ଏସୀୟ ଏବଂ ବିଶ୍ୱର ହିନ୍ଦୁ ଜନସାଧାରଣଙ୍କ ମଧ୍ୟରେ ଶାଳଗ୍ରାମ ତୀର୍ଥ କରିବା କେତେ ଲୋକପ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ସେ କଥା ମୁଁ ଏହି ରିପୋର୍ଟରେ ଦର୍ଶାଇଛି । ତେବେ, ମୋର ବର୍ତ୍ତମାନର କାର୍ଯ୍ୟର ଲକ୍ଷ୍ୟ ହେଉଛି ଯେ ଜଳବାୟୁ ପରିବର୍ତ୍ତନ ଏବଂ ଛୋଟ ଛୋଟ ପଥର ସଂଗ୍ରହ କିପରି ନଦୀର ଗତିପଥକୁ ବଦଳାଇ ଦେଉଛି, ଯାହାଫଳରେ ଶାଳଗ୍ରାମ ପାଇବା କଷ୍ଟକର ହୋଇପଡ଼ିବା ଯୋଗୁଁ ଶାଳଗ୍ରାମ ତୀର୍ଥ ବିପଦଗ୍ରସ୍ତ ହୋଇପଡ଼ିଛି ।’’
ଜୀବନ୍ତ ଜୀବାଶ୍ମ
ଶାଳଗ୍ରାମର ପୌରାଣିକ ବ୍ୟାଖ୍ୟାନ ଦୁଇଟି କିମ୍ବଦନ୍ତୀ ସହ ଜଡ଼ିତ । ଏହା ମଧ୍ୟରୁ ପ୍ରଥମଟି ବରାହ, ପଦ୍ମ ଏବଂ ବ୍ରହ୍ମବୈବର୍ତ୍ତ ଏପରି ତିନୋଟି ପୁରାଣରେ କ୍ରମାଗତ ଭାବେ ବର୍ଣ୍ଣିତ ହୋଇଛି । ଏହି କାହାଣୀର ତିନୋଟିଯାକ ରୂପରେ ବର୍ଣ୍ଣନା ଅଛି ଯେ ପରମ ସ୍ରଷ୍ଟା ବିଷ୍ଣୁଙ୍କୁ ତୁଳସୀ ଅଭିଶାପ ଦେଇଥିଲେ । ତୁଳସୀକୁ ବୃନ୍ଦା ବୋଲି ମଧ୍ୟ କୁହାଯାଇଥାଏ । ତୁଳସୀ ଏପରି ଅଭିଶାପ ଦେବାର କାରଣ ହେଲା ଯେ ବିଷ୍ଣୁଦେବ ଛଳନାରେ ତୁଳସୀଙ୍କର ସତୀତ୍ୱ ହରଣ କରିଥିଲେ । ତୁଳସୀଙ୍କ ସ୍ୱାମୀ ଜଳନ୍ଧର ଶିବଙ୍କର ତୃତୀୟ ନେତ୍ରରୁ ଜନ୍ମ ନେଇଥିଲେ । ସେ ବ୍ରହ୍ମାଙ୍କଠାରୁ ଏହି ବର ପାଇଥିଲେ ଯେ ତାଙ୍କର ସ୍ତ୍ରୀଙ୍କର ସତୀତ୍ୱ ତାଙ୍କୁ ଯେ କୌଣସି ଯୁଦ୍ଧରେ ଅଜେୟ କରି ରଖିବ । ତେଣୁ ବିଷ୍ଣୁ ଜଳନ୍ଧରଙ୍କର ଛଦ୍ମ ରୂପ ଧାରଣ କରି ତୁଳସୀଙ୍କ ପବିତ୍ରତା ନଷ୍ଟ କରିଥିଲେ ଯେପରିକି ଶିବ ଯୁଦ୍ଧକ୍ଷେତ୍ରରେ ଜଳନ୍ଧରଙ୍କୁ ବଧ କରିପାରିବେ ।
ଏପରି ଛଳନାରେ ପ୍ରତାରିତା ହେବା ପରେ ତୁଳସୀ କ୍ରୋଧାନ୍ୱିତା ହୋଇ ନିଜକୁ ଏକ ନଦୀରେ ରୂପାନ୍ତରିତ କରିଦେଇଥିଲେ । ସେ ହେଲେ କାଳୀ ଗଣ୍ଡକୀ ନଦୀ । ସେ ମଧ୍ୟ ବିଷ୍ଣୁଙ୍କୁ ନଦୀରେ ଗଡୁଥିବା ଗୋଟିଏ ପଥର କରିଦେଲେ ଯାହା ହେଲା ଶାଳଗ୍ରାମ । ଏପରି ଭାବରେ ବିଷ୍ଣୁ (ଶାଳଗ୍ରାମ ପଥର) ସବୁଦିନେ ତାଙ୍କଠାରୁ (ନଦୀ) ଜନ୍ମହେବେ, ଯାହାକି ହେବ ତାଙ୍କର ସ୍ୱାମୀଙ୍କୁ ମାରି ତାଙ୍କୁ ବିଧବା କରିଥିବାର କାର୍ମିକ ପ୍ରାୟଶ୍ଚିତ ହେବ । ତେଣୁ ମୁସ୍ତାଙ୍ଗର ସେହି ଭୂଭାଗ ତୁଳସୀ ଓ ବିଷ୍ଣୁଙ୍କର ଶରୀରକୁ ଦର୍ଶାଇଥାଏ ଏବଂ ସେମାନଙ୍କ ଦ୍ୱାରା ଶାଳଗ୍ରାମ ପଥରର ସୃଷ୍ଟି କାଳୀ ଗଣ୍ଡକ ନଦୀର ଏକ ନୈସର୍ଗିକ ସୃଜନକୁ ବୁଝାଇଥାଏ ।
ଶାଳଗ୍ରାମଙ୍କ ସଂପର୍କରେ ଅନ୍ୟ କିମ୍ବଦନ୍ତୀଟି ଶଙ୍ଖ ପୁରାଣରେ ବର୍ଣ୍ଣିତ ହୋଇଛି । ଏଥିରେ କୁହାଯାଇଛି ଯେ ବଜ୍ରକୀଟ (ଘଡ଼ଘଡ଼ିରୁ ସୃଷ୍ଟ ପୋକ) ଭୌତିକ ରୂପେ ପଥରରେ କଣା କରି ଶାଳଗ୍ରାମ ଭିତରର କୁଣ୍ଡଳୀ ଆକାରକୁ ସୃଷ୍ଟି କରିଥାଏ ।
ତେଣୁ ଏହି ଉଭୟ କିମ୍ବଦନ୍ତୀ ମିଳିତ ଭାବେ ଶାଳଗ୍ରାମର ଉତ୍ପତ୍ତିକୁ ଦର୍ଶାଇଥାଏ । ପ୍ରଥମ କିମ୍ବଦନ୍ତୀ ମୁତାବକ ବିଷ୍ଣୁ ନେପାଳର କାଳୀ ଗଣ୍ଡକୀ ନଦୀରେ ଦେଖାଯାଉଥିବା ଏକ ପଥରରେ ଅବସ୍ଥାନ କରନ୍ତି । ଦ୍ୱିତୀୟ କିମ୍ବଦନ୍ତୀଟି ଏ କଥା ଦର୍ଶାଇଥାଏ ଯେ କିପରି ବଜ୍ରକୀଟ ଶାଳଗ୍ରାମକୁ ଅନନ୍ୟ ଭାବେ ମସୃଣ କରିଥାଏ ଏବଂ ଶାଳଗ୍ରାମ ଭିତରେ ତଥା ବାହାରେ କୁଣ୍ଡଳୀର ଆକୃତି ସୃଷ୍ଟି କରିଥାଏ ।
ଶାଳଗ୍ରାମ ପର୍ଯ୍ୟଟନ
ଶାଳଗ୍ରାମ ସନ୍ଧାନରେ ପର୍ଯ୍ୟଟକମୋନ ହିମାଳୟର ବହୁ ଉଚ୍ଚଅଞ୍ଚଳକୁ ଆସି ଥାଆନ୍ତି । ଶାଳଗ୍ରାମ ପର୍ଯ୍ୟଟକମାନେ ବର୍ଷର ଦୁଇଟି ଋତୁରେ ଏଠାକୁ ଆସି ଥାଆନ୍ତି । ସାଧାରଣତଃ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଏବଂ ପୁଣିଥରେ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏହି ପର୍ଯ୍ୟଟକମାନେ ଆସି ଥାଆନ୍ତି । ଫଳରେ ପର୍ଯ୍ୟଟକମାନଙ୍କ ଜୁଲାଇ ମାସର ମୌସୁମୀ ବର୍ଷା ଏବଂ ଡିସେମ୍ବର ମାସର ତୁଷାରପାତର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।
ବର୍ତ୍ତମାନର ଶାଳଗ୍ରାମ ପର୍ଯ୍ୟଟକମାନେ ଦାମୋଦର କୁଣ୍ଡକୁ ଯାଇ ନଥାନ୍ତି । ଦାମୋଦର କୁଣ୍ଡ ହେଉଛି ହିମବାହ ଦ୍ୱାରା ସୃଷ୍ଟ ଏକ ହ୍ରଦ ଏବଂ ଏହାର ଜୀବାଶ୍ମ ଶଯ୍ୟା ହେଉଛି ଶାଳଗ୍ରାମର ସୃଷ୍ଟିସ୍ଥାନ । ଏହାର ଏକ ମୁଖ୍ୟ କାରଣ ହେଲା ଯେ ପର୍ଯ୍ୟଟକମାନଙ୍କୁ ଉପର ମୁସ୍ତାଙ୍ଗ ଅଞ୍ଚଳରେ ପ୍ରବେଶ କରିବାର ଅନୁମତି ଦିଆଯାଇ ନଥାଏ ।
ଉପର ମୁସ୍ତାଙ୍ଗ ଓ ତଳ ମୁସ୍ତାଙ୍ଗର ସୀମା ହିସାବରେ ଠିଆହୋଇଛି କାଗବେନି ଗାଁ । ଶାଳଗ୍ରାମ ପର୍ଯ୍ୟଟକମାନଙ୍କ ରାସ୍ତାରେ ଏହା ହେଉଛି ଏକ ମୁଖ୍ୟ କେନ୍ଦ୍ର । ଏହି ଗାଁଟି କାଳୀଗଣ୍ଡକୀ ନଦୀର କୂଳରେ ଅବସ୍ଥିତ । ଯେଉଁ ଅଳ୍ପ କେତେକ ସ୍ଥାନରେ ପର୍ଯ୍ୟଟକମାନେ ନିଜେ ନଦୀର ଅଳ୍ପ ପାଣିରେ ଚାଲି ଚାଲି ଶାଳଗ୍ରାମ ଖୋଜି ପାରିବେ ସେଗୁଡ଼ିକ ମଧ୍ୟରେ ଏହି ଗାଁ ପାଖ ନଦୀ ଖଣ୍ଡଟି ଅନ୍ୟତମ । ଏଠାରେ ନଦୀରେ ପର୍ଯ୍ୟଟକମାନେ ଶାଳଗ୍ରାମ ଖୋଜିବା ସଙ୍ଗେ ସଙ୍ଗେ ନଈବାଲିରେ କେଉଁଠି ଗୋଟିଏ କଳା କୁଣ୍ଡଳୀ ଦେଖାଯାଉଛି ସେକଥା ଖୋଜି ଶାଳଗ୍ରାମ ପାଇପାରିବେ ।
ଶାଳଗ୍ରାମ ଯାତ୍ରାର ଶେଷ ଲକ୍ଷ୍ୟସ୍ଥଳ ହେଉଛି ପ୍ରାୟ ୪୦୦୦ ମିଟର ଉଚ୍ଚରେ ଥିବା ମୁକ୍ତିନାଥ ମନ୍ଦିର । ଏଠାରେ ହିନ୍ଦୁ, ବୌଦ୍ଧ ଏବଂ ବନ ଧର୍ମାବଲମ୍ବୀମାନଙ୍କ ସକାଶେ ପୂଜାସ୍ଥଳୀମାନ ରହିଛି । ହିନ୍ଦୁମାନଙ୍କର ଉପାସନାସ୍ଥଳୀ ହିସାବରେ ମୁକ୍ତିନାଥରେ ଏକ ମୂଳ ମନ୍ଦିର ରହିଛି ଯାହାକି ବିଷ୍ଣୁଙ୍କର ଆବାସ । ଏହା ସଙ୍ଗେ ସଙ୍ଗେ ଏଠାରେ ୧୦୮ଟି ପ୍ରାକୃତିକ ଜଳଫୁଆରା ରହିଛି । ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ସେ ସଂଗ୍ରହ କରିଥିବା ଶାଳଗ୍ରାମଙ୍କ ସହ ସ୍ନାନ କରିବାକୁ ପଡ଼ିଥାଏ । ପାହାଡ଼ରେ ଥିବା ଏକ ଜଳ ଉତ୍ସରୁ ଏହି ଫୁଆରାଗୁଡ଼ିକ ବାହାରିଥାଏ । ଏହି ଫୁଆରାଗୁଡ଼ିକୁ ତୀର୍ଥଯାତ୍ରୀ ଓ ଶାଳଗ୍ରାମକୁ ମୁସ୍ତାଙ୍ଗ ପାଣିରେ ସ୍ନାନ କରିବାର ଶେଷ ସୁଯୋଗ ପ୍ରଦାନ କରିଥାଏ ।
ମୁକ୍ତିନାଥରେ ପାହାଡ଼ ପାଖରୁ ଫୁଟି ବାହାରିଥିବା ଫୁଆରା ପାଖରେ ‘ଜ୍ୱାଳା ମାରି’ ବା ଅଗ୍ନିଙ୍କର ମା’ଙ୍କ ଆସ୍ଥାନ ରହିଛି । ଏଠାରେ ଗୋଟିଏ ସ୍ଥାନରୁ ନିରନ୍ତର ଭାବେ ପ୍ରାକୃତିକ ଗ୍ୟାସ୍ ବାହାରି ଜଳିଥାଏ । ହିମାଳୟରେ ନିରନ୍ତର ପ୍ରବାହିତ ହେଉଥିବା ବାୟୁ ବାୟୁ ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ । ଏହା ସହ ଶାଳଗ୍ରାମ ସେଠାରେ ପଥର ଚତୁର୍ଥୀ ତତ୍ତ୍ୱ ରୂପେ ସେଠାରେ ଥାଏ । ତେଣୁ ଜ୍ୱାଲା ମାରି, ପବନ, ଜଳତତ୍ତ୍ୱ (ଫୁଆରା) ଓ ଶାଳଗ୍ରାମଙ୍କ ପଥର- ଏ ସବୁ ବନ ଧର୍ମାବଲମ୍ବୀମାନଙ୍କର ପବିତ୍ର ତତ୍ତ୍ୱଗୁଡ଼ିକ ଏକତ୍ରିତ ହୋଇଥାନ୍ତି । ତେଣୁ ମୁକ୍ତିନାଥ ହେଉଛି ବନ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ଅନନ୍ୟ ଉପାସନାସ୍ଥଳୀ ।
ଶାଳଗ୍ରାମ ଓ ଜଳବାୟୁ ପରିବର୍ତ୍ତନ
ଏହି ପରମ୍ପରାଗୁଡ଼ିକ ସମ୍ମିଳିତ ଭାବେ ଗଣ୍ଡକୀ ନଦୀରୁ ସଦ୍ୟ ସଂଗୃହୀତ ଶାଳଗ୍ରାମଗୁଡ଼ିକୁ ରୀତିନୀତି ମୁତାବକ ସେମାନଙ୍କର ଉପାସନା କରୁଥିବା ଲୋକମାନଙ୍କର ଜୀବନକୁ ସ୍ୱାଗତ କରିଥାଏ । କିନ୍ତୁ ଶାଳଗ୍ରାମଗୁଡ଼ିକ ମିଳିବା କ୍ରମଶଃ ହ୍ରାସ ପାଇଚାଲିଛି । ଜଳବାୟୁ ପରିବର୍ତ୍ତନ, ହିମବାହଗୁଡ଼ିକ ଶୀଘ୍ର ତରଳିବା ଏବଂ କାଳୀଗଣ୍ଡକୀ ନଦୀଶଯ୍ୟାରୁ ଛୋଟ ଛୋଟ ପଥର ଖଣ୍ଡମାନ ସଂଗ୍ରହ କରାଯିବା ଫଳରେ ନଦୀର ଗତିପଥ ବଦଳି ଯାଉଛି ।
ପ୍ରତ୍ୟେକ ବର୍ଷ ନଦୀରେ ପୂର୍ବାପେକ୍ଷା ଅଳ୍ପସଂଖ୍ୟକ ଶାଳଗ୍ରାମ ମିଳୁଛନ୍ତି । ଏହାର କାରଣ ହେଲା ଦକ୍ଷିଣ ତିଦ୍ଦତୀୟ ମାଳ ଅଞ୍ଚଳରୁ ଆସୁଥିବା ହିମବାହର ବରଫ ତରଳା ପାଣିରେ କାଳୀଗଣ୍ଡକୀ ପୁଷ୍ଟ ହୁଏ । କିନ୍ତୁ ଧୀରେ ଧୀରେ ହିମବାହଗୁଡ଼ିକ ବିଲୁପ୍ତ ହୋଇଯାଉଥିବା କାରଣରୁ ନଦୀ ଧୀରେ ଧୀରେ କ୍ଷୀଣକାୟା ହୋଇଯାଉଛି ଏବଂ ଏପରି ଜୀବାଶ୍ମ ଶଯ୍ୟାରୁ ଦୂରେଇ ଯାଉଛି ଯେଉଁଠାରେ ପଥରଗୁଡ଼ିକ ଶାଳଗ୍ରାମ ହେବା ସକାଶେ ଆବଶ୍ୟକ ଆମୋନାଇଟ୍ ରହିଛି ।
ବର୍ତ୍ତମାନ ମଧ୍ୟ ପ୍ରତ୍ୟେକ ଥର ମୁସ୍ତାଙ୍ଗ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତତଃ କେତେଟି ଶାଳଗ୍ରାମ ପାଇ ପାରୁଛନ୍ତି । କିନ୍ତୁ ଶାଳଗ୍ରାମ ପାଇବା କ୍ରମଶଃ କଠିନତର ହୋଇଚାଲିଛି । ତେବେ ଥରଟିଏ ଜଣେ ତୀର୍ଥଯାତ୍ରୀ ମୁକ୍ତିନାଥଠାରେ ନୂଆ କରି ମିଳିଥିବା ଶାଳଗ୍ରାମମାନଙ୍କୁ ପୂଜା କରି ସେମାନଙ୍କର ଜୀବନକୁ ସ୍ୱାଗତ କରିସାରିବା ପରେ ସେମାନେ ମୁସ୍ତଙ୍ଗ ଛାଡ଼ି ନିଜ ଘରକୁ ଫେରି ଆସିବାର ସମୟ ହୋଇଯାଏ ।
ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ଅନେକଙ୍କ ସକାଶେ ଏକ ମଧୁର ତିକ୍ତ ଅନୁଭୂତି । କାରଣ ସେମାନେ ସେମାନଙ୍କ ପରିବାରକୁ ନୂତନ ଶାଳଗ୍ରାମ ଠାକୁରଙ୍କୁ ନେଇ ଯାଉଛନ୍ତି । କିନ୍ତୁ ତୀର୍ଥଯାତ୍ରୀମାନଙ୍କୁ ଦୁଃଖ ମଧ୍ୟ ଲାଗେ ଯେ ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ହିମାଳୟର ସୌନ୍ଦର୍ଯ୍ୟକୁ ଛାଡ଼ି ସେମାନଙ୍କୁ ଫେରି ଆସିବାକୁ ପଡ଼ିବ । ସେମାନଙ୍କୁ ସେହି ସ୍ଥାନ ଛାଡ଼ିବାକୁ ପଡ଼ିବ ଯେଉଁଠାରେ ଆରାଧ୍ୟ ଦେବତା ପୃଥିବୀକୁ ଆସନ୍ତି ।
ସେହିସ୍ଥାନରୁ ଫେରିବାବେଳେ ପ୍ରତ୍ୟେକ ତୀର୍ଥଯାତ୍ରୀ ଏହି ଆଶା ରଖିଥାନ୍ତି ଯେ ଭବିଷ୍ୟତରେ ସେମାନେ ସେଇ ରାସ୍ତାଦେଇ ପୁଣିଥରେ ଶାଳଗ୍ରାମମାନଙ୍କ ଜନ୍ମସ୍ଥାନକୁ ଫେରି ଆସିବେ । ସେମାନଙ୍କର ବିଶ୍ୱାସ ଯେ ସେତେବେଳେ ମଧ୍ୟ ନଦୀରୁ ଶାଳଗ୍ରାମମାନେ ମିଳିବେ ।
ମାତ୍ର ବହୁବର୍ଷ ଧରି କାଳୀଗାଣ୍ଡକୀ ନଦୀର ଶୋଷଣ ଅବାରିତ ଭାବରେ ଜାରି ରହିଛି । ଗଣ୍ଡକୀ ନଦୀର ସୁରକ୍ଷା ସକାଶେ ଗଣ୍ଡକୀ ପ୍ରାଦେଶିକ ସରକାର ନଦୀ ଆଧାରିତ ପଦାର୍ଥଗୁଡ଼ିକର ଖନନ ଓ ଆହରଣକୁ ପ୍ରତିହତ କରିବାକୁ ମାର୍ଗଦର୍ଶିକାମାନ ପ୍ରସ୍ତୁତ କରିଥିଲେ ମଧ୍ୟ କ୍ରସର ଉଦ୍ୟୋଗୀମାନେ ନଦୀ ଆଧାରିତ ପଦାର୍ଥଗୁଡ଼ିକର ବ୍ୟବହାରକୁ ବନ୍ଦ କରିନାହାନ୍ତି ।
ଏହି ଉଦ୍ୟୋଗୀମାନେ ନାମକୁ ମାତ୍ର ଟେଣ୍ଡର ନେଇ ସ୍ପଷ୍ଟ ଦିବାଲୋକରେ ବଡ଼ ବଡ଼ ଯନ୍ତ୍ରପାତିମାନ ବ୍ୟବହାର କରି ନଦୀଶଯ୍ୟାରେ ମିଳୁଥିବା ବିଭିନ୍ନ ସାମଗ୍ରୀର ବେଆଇନ ଆହରଣ ଜାରି ରଖିଛନ୍ତି । ସ୍ଥାନୀୟ ସରକାର ଏବଂ ସଂପୃକ୍ତ ସଂସ୍ଥାମାନେ ନଦୀର ଶୋଷଣର ମୂକ ଦର୍ଶକ ହୋଇ ରହିଛନ୍ତି । ଦୁର୍ଭାଗ୍ୟର ବିଷୟ ଯେ ବାଗଲୁଙ୍ଗ ଏବଂ ପର୍ବତ ଜିଲ୍ଲାଗୁଡ଼ିକୁ ଯୋଡ଼ିବା ସକାଶେ ନିର୍ମାଣ କରାଯାଇଥିବା ପୋଲଟି ନେପାଳର ଦୀର୍ଘତମ ପୋଲ ହୋଇଥିଲେ ମଧ୍ୟ ବିଗତ କେଇବର୍ଷ ହେଲା ପୋଲ ତଳୁ ପଥରର ଆହରଣ କରାଯାଇ ଆସୁଛି ।
ବେଆଇନ ତଥା ଅତିମାତ୍ରାରେ ନଦୀଶଯ୍ୟାରୁ ପଥର ଆହରଣ କରାଯିବା ଫଳରେ ଗଣ୍ଡକୀ ନଦୀ ତା’ର ଗତିପଥ ବଦଳାଉଛି । ଅନ୍ୟ ପକ୍ଷରେ ନଦୀର ଅବାରିତ ଶୋଷଣ ଫଳରେ ଶାଳଗ୍ରାମ ମଧ୍ୟ ଉଭେଇ ଯିବାକୁ ବସିଲେଣି । କେବଳ କାଳୀ ଗଣ୍ଡକୀ ନଦୀରେ ଶାଳଗ୍ରାମ ମିଳିଥାଆନ୍ତି ଯାହାକି ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ସବୁଠାରୁ ମହାର୍ଘ୍ୟ ବସ୍ତୁ ।
ଗଣ୍ଡକୀ ପ୍ରାଦେଶିକ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟ ପ୍ରକ୍ରିୟା ଆଇନ ଅନୁଯାୟୀ ପଥର, ଛୋଟ ପଥର, ବାଲି, ମାଟି ଇତ୍ୟାଦିର ଖନନ ଓ ଆହରଣ ସକାଶେ ଡୋଜର, ଏକ୍ସାଭେଟର, ଲୋଡର ଇତ୍ୟାଦିର ବ୍ୟବହାର ଜାତୀୟ ଜଙ୍ଗଲ, ସଂରକ୍ଷିତ ଅଞ୍ଚଳ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କରାଯାଇ ପାରିବ ନାହିଁ । ଅନ୍ୟ ଅଞ୍ଚଳ ପାଇଁ କେବଳ ପାରିବେଶିକ ପ୍ରଭାବ ଆକଳନ ରିପୋର୍ଟରେ ଅନୁମୋଦିତ ଉପକରଣ ଗୁଡ଼ିକୁ ବ୍ୟବହାର କରାଯାଇ ପାରିବ ।
ତେବେ ବାଙ୍ଗଲୁଙ୍ଗ ଓ ପର୍ବତ ଜିଲ୍ଲାଗୁଡ଼ିକରେ ସ୍ଥାନେ ସ୍ଥାନେ ଏହି ସମ୍ବଳଗୁଡ଼ିକର ବ୍ୟାପକ ଶୋଷଣ କରାଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ମାତ୍ର ସଂପୃକ୍ତ ସଂସ୍ଥା, ପୁଲିସ ବା ସ୍ଥାନୀୟ ଜନସାଧାରଣ ନିୟମ ଖିଲାପକାରୀମାନଙ୍କୁ ନିୟନ୍ତ୍ରିତ ତଥା ଦଣ୍ଡିତ କରିବା ସକାଶେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।
Comments
0 comments