ଆଉରେଙ୍ଗଜେବ୍ ଙ୍କ ଠାରୁ (୧୬୫୮-୧୭୪୮) କ୍ଲାଇବଙ୍କ ପର୍ଯ୍ୟନ୍ତ

ନଟବର ଷଡ଼ଙ୍ଗୀ Natabar Sadangi
ନଟବର ଷଡ଼ଙ୍ଗୀ Natabar Sadangi102 Views
22 Min Read

ପାଠକ ବନ୍ଧୁମାନଙ୍କ ପାଖେ ମୋର ପୁଣି ସଫେଇ । ଏ ପର୍ଯ୍ୟନ୍ତ ଆପଣମାନେ ମୋର ପାଞ୍ଚଟି ଲେଖା ପଢ଼ି ମତେ ସହଯୋଗ କରିଛନ୍ତି, ମୁଁ କୃତଜ୍ଞ । ସବୁଜ ବିପ୍ଳବର ଗୁମର କଥାକୁ ଆସିବା ପୂର୍ବରୁ ଆଉ ୧୫/୨୦ ଲେଖା ଆପଣମାନଙ୍କ ପାଇଁ ଲେଖିବାକୁ ଭାବିଛି । ପିଲାଦିନେ ୧୯୪୭-୪୮ ମସିହାରେ ଖଣ୍ଡିଏ ବହି ଆମେ ପଢିଥିଲୁ ‘‘Our India’’ । ଲେଖକ ମହାରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ମିନୋ ମାସାନି । ବହିଟି ସ୍ୱାଧୀନତା ଆଗରୁ ଚାଷ ଓ ଚାଷୀକୁ ଆଧାର କରି ଲେଖା ଯାଇଥିଲା । ସମସ୍ତେ କୁହନ୍ତି “ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର” । କଥାର ଦ୍ୱିତୀୟ ଭାଗଟି ଠିକ । ଚାଷୀ କାଳକାଳକୁ ଦୁନିଆକୁ ଖାଦ୍ୟ ଯୋଗାଉଛି । ପ୍ରଥମ ଭାଗଟିରେ ସତ ଅଛି , ମିଛ ବି ଅଛି । ସତ ଏହିକି ଚାଷୀ କମାଉଥିବା ସବୁଜ ଧାନ କ୍ଷେତ, ରଙ୍ଗ ବେରଙ୍ଗର ପାଚିଲା ଧାନକ୍ଷେତକୁ ଦେଖିଲେ ତାର ଭୋକିଲା ପେଟ କ୍ଷଣକ ପାଇଁ ପୁରି ଗଲାଭଳି ଲାଗେ । ସୋରିଷ ଫୁଲ ଫୁଟି କିଆରି ହଳଦୀ ଗଣ୍ଠି ଦେଖାଯାଉଛି । ଚାଷୀ ଜାଣୁଛି ସେ ଆଉ ୧୫/୨୦ ଦିନ ପରେ ସୋରିଷ ଅମଳ କରିବ । ଗାଁ ଘଣାରେ ସୋରିଷ ପେଡେଇ ତାର ଡାଲି, ତରକାରୀ, ବାଇଗଣ ପୋଡାରେ ଘଣା ସୋରିଷ ତେଲ ପକେଇବ ତ ପେଟ ପୁରିଯାଏ ।

ଘରକୁ ଫେରିଲା । ଘରଣୀକୁ ଆନନ୍ଦରେ ଗଦ ଗଦ ହୋଇ କହୁଛି, “ସନା ମା, ଏସନ ଧାନ କାଚିଦେଇଛି । ଗୁଣ୍ଠ ୩୦/୩୫ ଗୌଣି ପଡିବ । ତୋ ପାଇଁ କସ୍ତା ଖଣ୍ଡେ, ସନା ପାଇଁ ପେଣ୍ଟ ଖଣ୍ଡେ ଆଣିବି । କୋଚିଲା ତଳ ବିଲରେ ସୋରିଷ ୨୦/୨୫ ଗୌଣି ପାଇବା । ତେଲ ପେଡି ଆଣିଲେ ତୁ ଗୋଟେ ଆରିସା ପିଠା ପାଗ କରିବୁ ….” । “କଣ ଗୁଡେ ପାଗଳ ଭଳି କହିଯାଉଛୁ । ଅଇନେ ବିଲରୁ ଆସିଲୁ । କଣ ଖାଇବୁ? ମୁଢି ଯାହା ଥିଲା ସନାକୁ ଦେଲି । ଆଉ କିଛି ନାହିଁ । ଖୁଦ ଦିଟା ଅଛି ଭାଜୁଛି । ଖୁଦ ଭଜା ବତୁରାଇ ଗୁଡ ଟିକେ ପକେଇଦେବି । କସ୍ତା ଆଣିବୁ କହିଲୁ । ଏଇନେତ ଚିରାଲୁଗା ଦିହ ମେଲା । ମୁଣ୍ଡକୁ ପାଉନି । ତୋ କଥା ଶୁଣିବାକୁ ଭଲ ଲାଗୁଛି ସେତିକି ଢେର” । ବିଲାତ ଶାସନ କାଳରେ ଆମ ଚାଷୀର ଦୁଃଖ ନଦେଖିଲା ଲୋକ ବିଶ୍ୱାସ କରିପାରିବ ନାହିଁ । ମୁଁ ପାଖରୁ ଦେଖିଛି ତ । ମୋ ଆଖି ଆଗକୁ ସେ ଦୟନୀୟ ଚିତ୍ର ଆସି ଯାଉଛି ।

‘‘Our India’’ରେ ସେଇ କଥା ମାସାନିଜୀ ଲେଖିଥିଲେ । ଚାଷୀର ହାଡ଼ ମାଳ ଦେହ ଚିତ୍ର । କୁଡିଆ ଘର ଚାଳରେ ଚାରିଆଡେ କଣା । ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ରଙ୍କର ଯାତାୟତ । ପିଲାର ଗୁଡମ ପେଟ । ୩୦ ବର୍ଷର ଯୁବତୀ ସ୍ତ୍ରୀର ଗାଲ ପଶିଯାଉଛି । ବଳଦ ଦିଟାଙ୍କର ପେଟ ଲାଗିଯାଉଛି । ଚିତ୍ର ସହ ବର୍ଣ୍ଣନା । ଆମେ ନରିଶୋରେ ଗୋଟିଏ କୃଷି ସଂଗ୍ରହାଳୟ ଆରମ୍ଭ କରିଛୁ । ଅତୀତର କୃଷି ଉପକରଣ, ଚଳଣି ସାମଗ୍ରୀ ଖୋଜି ସଂଗ୍ରହାଳୟରେ ରଖିଛୁ । ଆମ ଭବିଷ୍ୟତ ପିଢ଼ି ପଢ଼ିବେ, ଚିତ୍ର ଦେଖିବେ ଜାଣିବେ । ଯେଉଁ ଚାଷୀ ଆମ ପେଟକୁ ଦାନା ଯୋଗାଉଛି, ଫିରିଙ୍ଗି ଶାସନକାଳରେ ତାର କି ବିକଳ ଅବସ୍ଥା ଥିଲା । ତେବେ କଣ ଆଜିର ଚାଷୀଟି ହସ ଖୁସିରେ ଅଛି? ସରକାର ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖବର କାଗଜ, ସଭାସମିତି, ରେଡିଓ ଦୂରଦର୍ଶନରେ ଚାଷୀର କଲ୍ୟାଣ, ଚାଷୀର ଆୟ ଦୁଇ ଗୁଣ, ଚାଷୀ ପାଇଁ କାଳିଆ,ଗୋରା ସାହାଯ୍ୟ କଥା କହୁଥିବା ପଢୁଛୁ, ଦେଖୁଛୁ, ଶୁଣୁଛୁ । “କହିବୋଲି ପାରିଲା ଯିଏ ସଢା ଚୁଙ୍ଗୁଡି ବିକିଲା ସିଏ” । ସବୁ ମିଛ । ସ୍ୱାଧୀନତା ପୂର୍ବରୁ ମକଦ୍ଦମ, ଜମିଦାରମାନେ ଘିଅ ଖାଇ କ୍ଷୀରରେ ହାତ ଧୋଉଥିଲେ । ଆଜି ସେଇ ବଡ଼ ଚାଷୀ ଶତକଡା ୫/୬ ଭାଗ ଘିଅ ମହୁରେ ଭାସୁଛନ୍ତି । ଛୋଟ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକ ସେଇ ମିନୋ ମାସାନିଙ୍କ ଚାଷୀ ଅବସ୍ଥା ଭୋଗୁଛନ୍ତି । ଜନକଲ୍ୟାଣ ସରକାରଙ୍କର ପାରିବାପଣ !

ବ୍ରିଟିଶ ଶାସନକାଳରେ ଚାଷୀ ଓ ଚାଷ କଥାକୁ ଶୀଘ୍ର ଆସିବା । ଏପର୍ଯ୍ୟନ୍ତ ଆମେ ଚାଷୀର ଲଙ୍ଗଳ ଉଦ୍ଭାବନ ଠାରୁ ସିନ୍ଧୁ ସଭ୍ୟତା କାଳରେ ଚାଷୀର ପ୍ରଗତି କଥା କମ୍ ବେଶି ଜାଣିଲେ । ସିନ୍ଧୁ ସଭାତ୍ୟ ୩/୪ ହଜାର ବର୍ଷ ତଳର କଥା । ସେତେବେଳକୁ ଘୃଣ୍ୟ ଜାତିବାଦ ଜନ୍ମ ନେଇନି । ଚାଷୀ, ଶ୍ରମିକ, କାରିଗର,ବଣିକ ସମସ୍ତଙ୍କର ଗୋଟିଏ ଜାତି, ମଣିଷ ଜାତି । କାନ୍ଧକୁ କାନ୍ଧ ମିଶାଇ ସମସ୍ତେ ଲାଗିଥିଲେ । ସିନ୍ଧୁ ସଭ୍ୟତା କାଳରେ ଆମ ଦେଶର ପ୍ରଗତି ଚିତ୍ର ଆମେ ମହେଞ୍ଜୋଦାର, ହରପ୍ପାର ମାଟିତଳୁ ପାଇଛୁ । ଇଟାଘର, ପାଇଖାନା, ଇଟା ପଥରରେ ନାଳ, ଶସ୍ୟାଗାର, କୃଷି ଯନ୍ତ୍ରପାତି କଣ ଯେ ନଥିଲା ଲେଖିଲେ ଯୁଗ ପାଇଯିବ । ହରପ୍ପା କୃଷି ଇତିହାସରୁ ଜାଣିବାକୁ ମିଳେ ଚାଷୀମାନେ ଗହମ, ଯଅ, ମଟର, ରାଶି, ତରଭୁଜ, ଖଜୁରୀ ଏବଂ କପା ମଧ୍ୟ ଚାଷ କରୁଥିଲେ । କାର୍ବନ ଡେଟିଙ୍ଗରୁ ଜଣାଯାଏ ଏସବୁ ଖ୍ରୀ.ପୂ ୨୧୩୦-୨୦୦୦ ମଧ୍ୟରେ ଚାଷ କରଯାଇଥିଲା । (The Indus Civilization by Mortimer Wheeler, p35)

ଖ୍ରୀ.ପୂ ୧୫୦୦ ରୁ ୧୦୦୦ମଧ୍ୟରେ ଆର୍ଯ୍ୟମାନଙ୍କ ଦ୍ୱାରା (କାସ୍ପିୟାନ ସାଗର ଅଞ୍ଚଳ ଓ ଇରାନରୁ ଆର୍ଯ୍ୟମାନେ ଆସିଥିଲେ) ବେଦର ଆବିର୍ଭାବ । ବେଦର ଭାରତ ପାଇଁ ବଡ଼ ଅବଦାନ “ଘୃଣ୍ୟ ଜାତିବାଦ” । ବେଦ ୪ ଜାତିକୁ ଜନ୍ମ ଦିଏ । ବ୍ରାହ୍ମଣଟି ଛତିଶି ପାଟକର ରାଜା । ତା ମୁତରେ ଦୀପ ଜଳିବ, ଜଳୁଛି, ଆଉ କେତେଦିନ ଜଳିବ! ଚାଷୀଟି ଏହି ସମୟରୁ ଛୋଟ ଜାତିରେ ଗଣା ହେଲା । ତାର ସମାଜରେ ଶୂଦ୍ରଭଳି ସ୍ଥାନ । ଚାଷୀ ଖଟିବ । ବ୍ରାହ୍ମଣ, କ୍ଷତ୍ରିୟଙ୍କ ପାଟିକୁ ଗୁଣ୍ଡା ଯିବ । ଅଛୁଆଁ ନହେଲେ ବି ବ୍ରାହ୍ମଣ ବୈଶ୍ୟ ହାତରୁ ପାଣି ପିଇବନି । ଖ୍ରୀ.ପୂ ୩୨୬-୨୯୮ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ ଚାଲେ । ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସଙ୍କ ଭ୍ରମଣ ବୃତ୍ତାନ୍ତ ‘ଇଣ୍ଡିକା’ (Indica)ରୁ ଚାଷୀ ଓ ଚାଷ ସମ୍ପର୍କରେ ବିସ୍ତୃତ ବିବରଣୀ ମିଳେ । ସଂକ୍ଷେପରେ, ଚନ୍ଦ୍ରଗୁପ୍ତ ଚାଷୀଙ୍କ ପାଇଁ ଉଦାର ନୀତି ଗ୍ରହଣ କରିଥିଲେ । ମାତ୍ର ଅର୍ଥମନ୍ତ୍ରୀ ଚାଣକ୍ୟ ଚାଷୀଙ୍କଠାରୁ ଫସଲର ତିନିଭାଗରୁ ଏକ ଭାଗ ଖଜଣା ଆଦାୟ କରୁଥିବା ଅର୍ଥଶାସ୍ତ୍ରରେ ଉଲ୍ଲେଖ ଅଛି । ଚାଣକ୍ୟ ବ୍ରାହ୍ମଣ । ତେଣୁ ଚାଷୀମାନଙ୍କୁ ସେ ଛୋଟଆଖିରେ ଦେଖୁଥିଲେ । ତାଙ୍କ ଶାସନ ବ୍ୟବସ୍ଥାରେ ଉଗ୍ର ‘ଜାତିବାଦ’ର ପ୍ରଭାବ ଥିଲା । ଚାଷୀଟିକୁ ଶୂଦ୍ରଭଳି ଛୋଟ ଆଖିରେ ଦେଖୁଥିଲେ ।

ଅଶୋକଙ୍କ ଶାସନକାଳରେ ଜାତିପ୍ରଥାକୁ ସେ ଉଠାଇ ଦେଇଥିଲେ । ବୁଦ୍ଧଙ୍କର ମାନବଧର୍ମକୁ ଆଧାରକରି ସେ ଶାସନ କଲେ । ଗୁପ୍ତ ଯୁଗରେ ପୁଣିଥରେ ଜାତିବାଦ ମୁଣ୍ଡ ଟେକିଲା ଏବଂ ହର୍ଷଙ୍କ ରାଜତ୍ୱ ଶେଷ ପର୍ଯ୍ୟନ୍ତ ଜାତିଗତ ପ୍ରାଧାନ୍ୟ ବଳବତ୍ତର ରହିଥିଲା । ମାତ୍ର ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଠାରୁ ହର୍ଷ, କନିଷ୍କଙ୍କ ଶାସନକାଳ ପର୍ଯ୍ୟନ୍ତ ୫୦୦ବର୍ଷ ଚାଷ ଓ ଚାଷୀଙ୍କର ସୁବର୍ଣ୍ଣ ଯୁଗ ଥିଲା । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଆମେ ଆଗରୁ ରଖିଛୁ । ଚୀନ ପରିବ୍ରାଜକ ଫାହିୟାନ ଓ ହୁଏନଂସା ଦୀର୍ଘ ସମୟ ଭାରତରେ ରହି ଯେଉଁ ଭ୍ରମଣ ବୃତ୍ତାନ୍ତ ରଖିଯାଇଛନ୍ତି, ସେଥିରେ ଚାଷ ଓ ଚାଷୀଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଅଛି । ମୌର୍ଯ୍ୟ ଶାସନକାଳରେ ଚାଷୀଠାରୁ ଏକ ତୃତୀୟାଂଶ କର ଆଦାୟ ଦେଉଥିଲା । ଅଶୋକ ଏହି କର ଖୁବ କୋହଳ କରି ଫସଲର ଏକ ଦଶମାଂଶ କର ଧାର୍ଯ୍ୟ କଲେ ଏବଂ ଏହି ହାର ମୁସଲମାନ ରାଜତ୍ୱ ଆରମ୍ଭ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହି ସମୟରେ କୃଷି ପରାଶର, କାଶ୍ୟପେୟଙ୍କ ରଚିତ କାଶ୍ୟପିୟ କୃଷି ସୁକ୍ତି, ସୁରପଲ ଲେଖିଥିବା ବୃକ୍ଷାୟୁର୍ବେଦ ମହାନ ଗ୍ରନ୍ଥମାନ ଆଜିର କୃଷି ବିଜ୍ଞାନୀମାନଙ୍କ ପାଇଁ ସହାୟକ ପୁସ୍ତକ ହୋଇପାରେ ।

ଅଷ୍ଟମ ଶତାବ୍ଦୀଠାରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତରେ ମୁସଲମାନ ରାଜତ୍ୱ । ମୁସଲମାନ ଐତିହାସିକମାନଙ୍କ ଦ୍ୱାରା ରଚିତ ପୁସ୍ତକରୁ ଜଣାଯାଏ ଯେ ଇସଲାମ ଗୋଟିଏ ସହରୀ ଧର୍ମ । ମୁସଲମାନ ଶାସକମାନେ ଦେଶ ଶାସନ କରିବା, ବାଣିଜ୍ୟ ବ୍ୟବସାୟପାଇଁ ଅଧିକ ଧ୍ୟାନ ଦେବା ଏବଂ ସହରୀ ଜୀବନ ଯାପନ କରିବାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ସେମାନଙ୍କ ମତରେ କୃଷି ଗୋଟିଏ ମାମୁଲି କାମ ଏବଂ ଚାଷୀମାଙ୍କର କୌଣସି ବିଶେଷ ଭୂମିକା ନାହିଁ । (The History Of India As Told By Its Own Historians first written by Henry Elliot and later on edited and revised by John Dowson, vol.I, pp ix-xx ) ଏଠି କହିଦିଏଯେ ସିପାହୀ ବିଦ୍ରୋହ ପରେ ଯେଉଁ ଇତିହାସ ୟୁରୋପୀୟ ମାନେ ଲେଖିଛନ୍ତି ସେ ସବୁକୁ ସମୀକ୍ଷା କରି ଗ୍ରହଣ କରିବା ଉଚିତ୍ ଯେହେତୁ ଇଂରେଜ ମାନଙ୍କର ସୂଚୀରେ ହିନ୍ଦୁ ମୁସଲମାନ କରି ଭାରତୀୟ ମାନଙ୍କୁ ଭାଗ ଭାଗ କରିବାର ଉଦେଶ୍ୟ ଥିଲା)

““One is constrained to remark that it is agriculture and the condition of cultivation which were of least interest to the Muhammedan Historians. May be it was due to the fact that Islam is an urban religion, and the emphasis on the part of muhammedan elite was on administration, trade, commerce and urban life. As such they considered agriculture as an insignificant activity, not worthy of notice and those who practiced it as persons of no importance. (History of Agriculture in India by M.S Randhawa,vol-ii,page-iv”. ଯେତେବେଳେ କେତେକ ପ୍ରଶସ୍ଥମନା ମୁସଲମାନ ସୁଲତାନ ଭାରତ ଶାସନ କରିଛନ୍ତି, ସେମାନେ ଚାଷୀମାନଙ୍କ ପାଇଁ ସମ୍ବେଦନଶୀଳ ଥିବା ଦେଖାଯାଇଛି । ଚାଷୀମାନେ ଖୁସିରେ ରହିଛନ୍ତି ତ ଦେଶର ଆର୍ଥିକ ଅଭିବୃଦ୍ଧି ଘଟିଛି ଏବଂ ଲୋକେ ସୁଖରେ ଅଛନ୍ତି । ଫିରୋଜସାହା ତୁଗଲୋକ, ଶେରସାହା ଏବଂ ଆକବରଙ୍କ ରାଜତ୍ୱ ଏହାର ଉଦାହରଣ ।

ଆଫଗାନିସ୍ଥାନର ଧର୍ମାନ୍ଧ ମୁସଲମାନ ଲୁଟେରା ମହମ୍ମଦ ଗଜନି ((Mahamud Ghaznavi (AD 998-1030) ଭାରତକୁ ସତର ଥର ଆକ୍ରମଣ କରିଥିଲା (Sir Henry Elliot) । ପଞ୍ଜାବ ଦଖଲ କରି କାଙ୍ଗରା (୧୦୦୯), ମଥୁରା (୧୦୧୮) ଏବଂ ସୋମନାଥ (୧୦୨୪)ରେ ମନ୍ଦିର ଲୁଣ୍ଠନ କରି ସୁନା, ରୁପା, ହୀରା, ନୀଳା ସବୁ ଗଜନିକୁ ବୋହିନେଲା । ୭ମ ଶତାବ୍ଦୀ ଠାରୁ ଆରବ, ଆଫଗାନିସ୍ଥାନ ଓ ଇରାନରୁ ମୁସଲମାନ ଘୋଡ଼ାରେ ଚଢ଼ି ସୈନ୍ୟ ସାମନ୍ତ ଧରି ଭାରତ ଭିତରେ ପଶିଗଲେ ଏବଂ ଲୁଣ୍ଠନରେ ଲାଗିଗଲେ । ଏଇଠି ଆମେ ଭାବିବା କଥା ହଜାର ହଜାର ମାଇଲରୁ ଶତ୍ରୁ ଆସି ଆମଦେଶକୁ ଲୁଣ୍ଠନ କରୁଛି । ଆମ ରାଜା, ସୈନ୍ୟମାନେ କଣ ଶୋଇଥିଲେ । ଭାରତର ଶାସକଗୋଷ୍ଠି ସ୍ୱାର୍ଥକେନ୍ଦ୍ରିକ ହୋଇ ବିଳାସ ବ୍ୟସନରେ ମଜଗୁଲ ଥାନ୍ତି । ଆମେ ଆଗରୁ ଲେଖିଛୁ କ୍ଷତ୍ରୀୟମାନେ ସୈନ୍ୟବାହିନୀରେ ନିଯୁକ୍ତ ହୋଇଥାନ୍ତି । ଉଗ୍ର ଜାତିପ୍ରଥାର ସଂକୀର୍ଣ୍ଣତା ଶାସକ ଓ କ୍ଷତ୍ରିୟମାନଙ୍କୁ ଗ୍ରାସ କରିଥାଏ । ଅନ୍ୟ ଜାତିର ଲକ୍ଷ ଲକ୍ଷ ସବଳ, ଶକ୍ତିବାନ ଯୁବକ ଥିଲେ ମଧ୍ୟ ଅଂହକାରୀ କ୍ଷତ୍ରିୟମାନେ ସେମାନଙ୍କୁ ସୈନ୍ୟବାହିନୀରେ ନିଯୁକ୍ତିକୁ ବିରୋଧ କରୁଥିଲେ । ତଥାକଥିତ ଉଚ୍ଚଜାତିର ଲୋକମାନଙ୍କର ଜାତି ରାଜନୀତି ଭାରତରେ ମୁସଲମାନଙ୍କର ପ୍ରବେଶ ଓ ଦୌରାତ୍ମ୍ୟର ମୁଖ୍ୟ କାରଣ ।

ମହମ୍ମଦ ଗଜନିଙ୍କଠାରୁ ଆଉରେଙ୍ଗଜେବଙ୍କ ପର୍ଯ୍ୟନ୍ତ ମୁସଲମାନ ଶାସକମାନଙ୍କ ମଧ୍ୟରେ ଘିୟାସଉଦ୍ଦିନ ତୋଗଲକ(ଖ୍ରୀ.ଅ ୧୩୨୧-୧୩୨୫), ସେରଶାହା(୧୫୪୦-୧୫୪୫) ଏବଂ ଆକବର (୧୫୫୪-୧୬୦୫) ଚାଷ ଓ ଚାଷୀମାନଙ୍କ କଲ୍ୟାଣ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ଆଲ୍ଲାଉଦ୍ଦିନ ଖିଲଜି (୧୨୯୬-୧୩୧୬) ଏବଂ ଆଉରେଙ୍ଗଜେବ (୧୬୫୮ -୧୭୦୬) ଏହି ଦୁଇ ଜଣ କୃଷି ଓ କୃଷକ ମାନଙ୍କ ପାଇଁ ଯମସଦୃଶ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଚାଷୀ ଆନ୍ଦୋଳନକୁ କଠୋରଭାବେ ଦମନ କରୁଥିଲେ । ଆଉରେଙ୍ଗଜେବ ଫସଲର ଅର୍ଦ୍ଧେକ ଉତ୍ପାଦନ ଖଜଣା ରୂପେ ଆଦାୟ କଲେ । ବଳଦ, ଗାଈ, ଗୋରୁ ଶଗଡ ପାଇଁ ଟିକସ, ଚାରଣ ଭୂମି ପାଇଁ ପଶୁ ସଂଖ୍ୟା ଅନୁପାତରେ ଖଜଣା ଆଦାୟ କରୁଥିଲେ । ଆକବରଙ୍କ ରାଜତ୍ୱ କାଳରୁ ଆଉରେଙ୍ଗଜେବଙ୍କ ପର୍ଯ୍ୟନ୍ତ ମୋଗଲ ସରକାରଙ୍କ ଭୂରାଜସ୍ୱ କିପରି ବଢି ବଢି ଚାଲିଥିଲା ତାହାର ଏକ ତାଲିକା :-

ଆକବର -୧୫୯୪ -୧୮, ୬୫୦, ୦୦୦ ପାଉଣ୍ଡ

ଶାହାଜାହାନ- ୧୬୫୫ – ୩୦, ୩୦୦, ୦୦୦ ପାଉଣ୍ଡ

ଆଉରେଙ୍ଗଜେବ -୧୬୯୭ – ୪୩, ୫୦୦,୦୦୦ ପାଉଣ୍ଡ

ଧର୍ମାନ୍ତରୀକରଣ ପାଇଁ ମୁସଲମାନ ଶାସକମାନେ ହିନ୍ଦୁମାନଙ୍କୁ ବାଧ୍ୟ କରୁଥିଲେ । ଯେଉଁ ହିନ୍ଦୁମାନେ ଇସଲାମ ଧର୍ମ ଗ୍ରହଣ କରିବା ମନାକଲେ ସେମାନଙ୍କ ଉପରେ ଜିଜିୟା କର ବସାଇଲେ । ଲକ୍ଷ ଲକ୍ଷ ନିରୀହ ଭାରତୀୟଙ୍କୁ ମୁସଲମାନ ଶାସକମାନେ ମାରି ଶୁଆଇଦେଇଛନ୍ତି । ଯୁବତୀ ଝିଅ, ସ୍ତ୍ରୀ ମାନଙ୍କୁ ଜବରଦସ୍ତ ବିବାହ କରିଛନ୍ତି । ଲକ୍ଷ ଲକ୍ଷ ଝିଅ, ପୁଅକୁ ଆଫଗାନ, ଇରାନକୁ ନେଇଯାଇ ଦାସ ଭାବେ ଖଟାଉଛନ୍ତି ।

ଆଉରଙ୍ଗଜେବଙ୍କ ଶାସନ କାଳରେ ଭାରତରେ ଚାଷୀମାନଙ୍କର ଦୟନୀୟ ଅବସ୍ଥା ସମ୍ପର୍କରେ ୟୁରୋପିୟାନ ପରି ବ୍ରାଜକମାନେ କୁହନ୍ତି । ““As regards the peasantry and their condition, We have reliable evidence in the observation of European travelers who travelled in India in the seventeenth century . Peter Mundy tells us that the peasants near Agra were treated as ‘Turks treat Christians’ taking from them all they can get their labour, leaving them nothing but their bad,mudwalled, ill thatched houses and few cattle to till the ground besides other miseries”। ପେଲସାର୍ଟ (pelsart) ଯେ କି ଜାହାଙ୍ଗୀରଙ୍କ ଶାସନ କାଳରେ ଆଗ୍ରାରେ ଥିଲେ କହୁଥିଲେ । “The land would give a plentiful, or even an extraordinary yield, if the peasants were not so cruelly and pitilessly oppressed, for village which owing to some small shortage of produce, are unable to pay the full amount of revenue . Their farms are made prize, so to speak, by their masters or governors, and wives and children sold on pretext of a charge of rebellion. Some peasants abscond to escape their tyranny, and take refuse with Rajas who are in rebellion and consequently the fields lie empty and unsown, and grow into wilderness. Such oppression is exceedingly prevalent in this country”. (Travels in the Mughal Empire by F. Bernier, P-205)

Jeane-Baptise Tavernier ଜଣେ ଫରାସୀ ଜହୁରି ଏବଂ ବ୍ୟବସାୟୀ । ୧୬୩୮ରୁ ୧୬୮୮ ମ୍ମରେ ସେ ଛଅ ଥର ଭାରତ ଆସିଛନ୍ତି । “The peasants have for their sole garment a scrap of cloth to cover their pants which natural modesty requires should be concealed; and that they are reduced to poverty, because if the governors become aware that they possess any property they seize it straight way by right or by force. You may see in the India whole Province like deserts from whence the peasants have fled on account of the oppression of governor”. (Travels in India by Jean-Baptiste Tavernier and Valentine Ball, P.392). ଜହାଙ୍ଗୀରଙ୍କ ଦରବାରକୁ ବିଲାତରୁ ଦୂତ ସାର ଟମାସୋରୋ ଆସିଛନ୍ତି । ତାଙ୍କର ପ୍ରତ୍ୟକ୍ଷ ଦର୍ଶୀ ବିବରଣୀ ““The people of India live as fishes do in the sea. The great ones eat up the little. For the first the farmer robs the peasants, the gentleman robs the farmers, the greater robs the lesser, and asking the king robs all”. (The agrarian system of Mughal India by Irfan Habibi) ଚାଷୀ କହିଲେ Tavernier ଜାଗିଦାରମାନଙ୍କୁ ସୁଚେଇଛନ୍ତି ଏବଂ ଓମାର ଓ ମାନସୁବେଦାରମାନଙ୍କୁ ଭଦ୍ର ଲୋକ ଭାବିଛନ୍ତି । ଓମାର, ମାନସୁବେଦାର ଏବଂ ଜାଗିଦାରମାନେ ଉଚ୍ଚଶ୍ରେଣୀର ସୁବିଧାବାଦୀ ଶ୍ରେଣୀ । ଚାଷୀମାନଙ୍କୁ ଲୁଣ୍ଠନ କରି ସେମାନେ ବିଳାସ ବ୍ୟସନ ଓ ନିଶା ପାଣିରେ ମଜଗୁଲ ରହୁଥିଲେ । ସେମାନେ ଅସୁଲ କରୁଥିବା ରାଜସ୍ୱ ଭୂଉନ୍ନୟନ କିମ୍ବା କୃଷକ କଲ୍ୟାଣରେ ଖର୍ଚ୍ଚ କରୁନଥିଲେ । ଫଳତଃ ଚାଷୀମାନଙ୍କର ଦୁଃଖ ଦୁର୍ଦଶା ଆଉରେଙ୍ଗଜେବ ଓ ପରବର୍ତ୍ତୀ ମୋଗଲ ଶାସକମାନଙ୍କ ସମୟରେ ଅସହ୍ୟ ହୋଇପଡିଥିଲା ।

ଚାଷୀମାନେ ଆଉରେଙ୍ଗଜେବଙ୍କ କଠୋର ନୀତିରେ ତଳିତଳାନ୍ତ ହୋଇ ସତନାମି ଓ ଶିଖମାନଙ୍କର ଆଉରେଙ୍ଗଜେବ ବିରୋଧୀ ଶକ୍ତିଶାଳୀ ବିଦ୍ରୋହରେ ସାମିଲ ହୋଇଥିଲେ । ଜମିଦାରମାନେ ମଧ୍ୟ ଏହି ବିଦ୍ରୋହରେ ସାମିଲ ହୋଇଗଲେ ଜାଟ କୃଷକମାନେ ମଧ୍ୟ ଆଉରେଙ୍ଗଜେବଙ୍କ ବିରୁଦ୍ଧରେ ବିଦ୍ରୋହ କଲେ (୧୬୭୯-୧୭୦୭) । ଶିବାଜୀଙ୍କ ଶାସନ କାଳରେ କୃଷକମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଆମେ ଆଗରୁ ଲେଖିଛୁ । ଏଥି ମଧ୍ୟରେ ପଞ୍ଜାବର ଗୁରୁଗୋବିନ୍ଦ ସିଂହ ଏବଂ ତାଙ୍କର ଶିଷ୍ୟମାନେ ମୋଗଲ ବିରୁଦ୍ଧରେ ଏକ ସଶସ୍ତ୍ର ବିଦ୍ରୋହର ସୂତ୍ରପାତ କରନ୍ତି । ପୂର୍ବ ପଞ୍ଜାବରେ ଆରମ୍ଭ ହୋଇଥିବା ଭୂସଂସ୍କାରକୁ ଶିଖମାନେ ପ୍ରତ୍ୟାଖାନ କରି ମୋଗଲ ଶାସନ ବିରୁଦ୍ଧରେ ବିଦ୍ରୋହ କରନ୍ତି । ୧୭୧୬ -୧୭୬୮ ଶିଖମାନଙ୍କ ପାଇଁ ଜୀବନ ମରଣ ସଂଗ୍ରାମର ସମୟଥିଲା । ଶକ୍ତିଶାଳୀ ମୋଗଲ ସୈନ୍ୟ ବାହିନୀକୁ ପ୍ରତିରୋଧ କରିବା ପାଇଁ ଶିଖମାନେ ଗରିଲା ଯୁଦ୍ଧ ଚଳେଇଲେ । ପର୍ସିୟାନ ଲୁଟେରା ନାଦିରସାହା ସହିତ ସେମାନଙ୍କର ମୁକୁବିଲା ହୁଏ । ନାଦିରସାହା ଜଣେ ଖଣ୍ଟ । ସେ ଇରାନ ଶାସକମାନଙ୍କ ମଧ୍ୟରେ ଜଣେ କ୍ଷମତାଶାଳୀ ଶାସକ ଥିଲେ । ୧୭୩୬ରୁ ୧୭୪୭ ସେ ଇରାନ ସାହା ଭାବେ ଶାସନ କରୁଥିଲେ ।

ମୋଗଲ ଶାସକ ଶାହାଜାହାନଙ୍କ ଶାସନ କାଳରେ ମୟୂର ସିଂହାସନ ତିଆରି ହୁଏ । ଏହି ସିଂହାସନରେ ବହୁ ମୂଲ୍ୟବାନ ସୁନା, ହୀରା, ନୀଳା, ମୋତି, ମାଣିକ୍ୟ, ଖଞ୍ଜା ଯାଇଥିଲା । ଏହି ମୂଲ୍ୟବାନ ଧାତୁଗୁଡିକ ଏତେ ଉଜ୍ଜଳ ଦେଖାଯାଉଥିଲା ଯେ ରାତି ଅନ୍ଧାରରେ ଏମାନେ ଝଲସୁଥିଲେ । ଶାହାଜାହାନଙ୍କ ଶାସନର ସପ୍ତମ ବର୍ଷ ୧୬୩୫ ମାର୍ଚ୍ଚ ୨୨ ତାରିଖ ଦିନ ମୟୂର ସିଂହାସନ ଔପଚାରିକ ଭାବେ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବର ଉଦ୍ଘାଟନ କରାଯାଇ ଦିଲ୍ଲୀର ଲାଲକିଲାର ଦେୱାନିଖାସରେ ସ୍ଥାପିତ ହୋଇଥିଲା । ଶାହାଜାହାନଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ଆଉରେଙ୍ଗଜେବ (ରାଜକୀୟ ନାମ ଆଲମଗିରି) ଏହି ସିଂହାସନ ଆରୋହଣ କରିଥିଲେ । ୧୭୩୯ମସିହାରେ ନାଦିରସାହା ଭାରତ ଆକ୍ରମଣ କରିଥିଲା । ସେହି ସମୟରେ ନାଦିରସାହା ବହୁତ ମୂଲ୍ୟବାନ ଅଳଙ୍କାର ସହିତ ମୟୂର ସିଂହାସନକୁ ଚୋରିକରି ଇରାନ ଚମ୍ପଟ ମାରିଲା । ଏହି ମୂଲ୍ୟବାନ ସିଂହାସନ ତିଆରି ପାଇଁ ସାତବର୍ଷ ସମୟ ଲାଗିଥିଲା । ୧୬୩୪ ମସିହାରେ ସେ ସମୟରେ କୋଟିଏଟଙ୍କା ଖର୍ଚ୍ଚରେ ତିଆରି ହୋଇଥିଲା ମୟୂର ସିଂହାସନ ।

ମୟୂର ସିଂହାସନ ଓ କୋହିନୁର ହୀରା । ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ । ଏ କଥା ସତ ଯେ ଚାଷୀ, ଶ୍ରମିକ, କାରିଗରର ମେହନତ ଏହି ସମୃଦ୍ଧିର ହେତୁ । ଏମାନେ କମେଇବେ । ରାଜା, ମକଦ୍ଦମ, ସୁଲତାନ, ବାଦଶାହାମାନେ ବାଲା ବାଡେଇ ଖାଇବେ । ପିଇବେ(ନାଲିପାଣି), ଦାରି, ନାରୀ କରିବେ । ଏମାନଙ୍କୁ ଚାରି ଖୁଣ ମାଫ । ଶାସକମାନଙ୍କ ଦ୍ୱାରା ଅତ୍ୟାଚାରିତ ଚାଷୀ, ଶ୍ରମିକ ବା କାରିଗରମାନେ ଚିର ଦାରିଦ୍ର୍ୟ ଯନ୍ତ୍ରଣା ଭୋଗୁଥିବେ । ନ ଖାଇ, ନ ପିଇ ପେଟ ଲାଗିଯାଉଥିବ । ଶାସକଶ୍ରେଣୀର ପାଲିଙ୍କି ଉପରେ ପାଟ ଛତା । ପ୍ରଜାମାନେ ଲଜ୍ଜା ନିବାରଣ ପାଇଁ କନା ଖଣ୍ଡେ ପାଉନଥିବେ । ଚାଷୀଟି ମୁଣ୍ଡ ଝାଳ ତୁଣ୍ଡରେ ମାରି ଲୁହ ନ କାନ୍ଦି ରକ୍ତ କାନ୍ଦୁଥିବ । ରକ୍ତକୁ ପାଣି ଫଟାଇ ଖଟୁଥିବ । ଏଇ ଖଟଣିର ସିଂହ ଭାଗ ରଜା, ବାଦଶାହାମାନେ ବିଳାସ ବ୍ୟସନକରି ବହୁମୂଲ୍ୟ ସିଂହାସନରେ ବସୁଥିଲେ । ହୀରା, ନୀଳା, ମୋତି ମାଣିକରେ ନିଜର ରାଣୀମାନଙ୍କ ଶରୀର ମଣ୍ଡନ କରୁଥିଲେ ।

କୋହିନୁର ହୀରା ପ୍ରଥମେ କୃଷ୍ଣାନଦୀର କୋଲାପୁରରୁ ମିଳିଥିଲା । ମିରଜୁମଲା ଏହି ହୀରାକୁ ଶାହାଜାହାନଙ୍କୁ ଉପହାର ଦେଇଥିଲେ । ସମୟ କ୍ରମେ ପଞ୍ଜାବର ଶାସକ ମହାରାଜା ରଣଜିତ୍ ସିଂହଙ୍କ ହାତକୁ ଏହି ହୀରା ଆସିଲା । ପଞ୍ଜାବର ରାଜା ମହାରାଜା ରଣଜିତ୍ ସିଂହ, ତାଙ୍କର ବିଧବା ରାଣୀ ଜିନ୍ଦନ ଏବଂ ପରବର୍ତ୍ତୀ ଶିଖର ରାଜାମାନେ କୋହିନୁର ହୀରାର ଉତ୍ତରାଧିକାରୀ ଥିଲେ । ୧୮୪୮ ମସିହା ବେଳକୁ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନିର ଚେର ଲାଗିଗଲାଣି । ସେତେବେଳକୁ ଲର୍ଡ ଡେଲହାଉସ କଲିକତାରେ କମ୍ପାନୀରେ ଗଭର୍ଣ୍ଣର ଜେନେରାଲ ଥିଲେ । ୧୮୪୯ରେ ପଞ୍ଜାବର ଶିଖ ରାଜାଙ୍କର ବିରୁଦ୍ଧରେ ବ୍ରିଟିଶ ଉପନିବେଶର ସଶସ୍ତ୍ର ସଂଗ୍ରାମ ହୁଏ । ଯୁଦ୍ଧରେ ଜିତି କୋହିନୁର ହୀରା ଲୁଟ କଲେ । ତତକାଳୀନ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୁକୁଟରେ କୋହିନୁର ହୀରା ଝଲକିଲା । ରାଣୀ ଏଲିଜାବେଥ ସେଇ ରାଜମୁକୁଟ ପିନ୍ଧୁଥିଲେ । ଏଲିଜାବେଥଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଏହି ହୀରା Tower of London Jewel houseରେ ଲକ୍ଷ ଲକ୍ଷ ଦର୍ଶକ ଦେଖୁଛନ୍ତି । କେତେ ସୁନା, ହୀରା, କେତେ ମୂଲ୍ୟବାନ ଧାତୁ ଭାରତରେ ନଥିଲା ! ମହମ୍ମଦ ଘୋରୀଙ୍କଠାରୁ କ୍ରମାଗତ ଭାବେ ସବୁ ସୁଲତାନ, ବାଦଶାହା, ଇଷ୍ଟ ଇଣ୍ଡିଆ କମ୍ପାନୀର ଡକାୟତ (!) ଲର୍ଡ କ୍ଲାଇବ ଭାରତର ଏହି ସବୁ ମୂଲ୍ୟବାନ ରତ୍ନକୁ ଲୁଟ କରି ଆମ ଦେଶକୁ ଖୋଳ କରିଦେଲେ ।

ମୟୂର ସିଂହାସନ ସପ୍ତଦଶ ଶତାବ୍ଦୀର କଥା । ପ୍ରବନ୍ଧର ଶୀର୍ଷକ ଆଉରେଙ୍ଗଜେବ ଠାରୁ କ୍ଲାଇବଙ୍କ ସମୟ ସୀମା ଭିତରର ଘଟଣା । କୋହିନୁର ହୀରା ୧୮୪୮-୪୯ ଲର୍ଡ ଡ଼େଲହାଉସଙ୍କ ସମୟ । ମୟୂର ସିଂହାସନ ଓ କୋହିନୁର ହୀରା ଆମଦେଶର ଦୁଇଟି ଅମୂଲ୍ୟ ସମ୍ପଦ ଲୁଟେରାମାନେ ଲୁଟିନେଲେ । ଦୁଇଟି କଥାକୁ ଏକାଠି ଉପସ୍ଥାନ କରାଯାଇଛି ଦୁଇଟି କାରଣରୁ । ମୁସଲମାନ ଶାସକମାନେ ଦିଅଁ ଖାଇ, ଖଟୁଲି ଖାଇ, ପୂଜକକୁ ଖାଇବା ପର୍ଯ୍ୟନ୍ତ ଆମ ଦେଶକୁ ସର୍ବସ୍ୱାନ୍ତ କରିଛନ୍ତି । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ବାଣିଜ୍ୟ କାରବାର କରିବ କହି ଆସିଲା । ବୁଢୀଟି ଛୋଟିଆ ଚାଳ ଘରଟିରେ ଅଛି । ଓଟ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ କହି ବୁଢୀ ଘରେ ବେକ ପୁରାଇଲା । ଧୀରେ ଧୀରେ ବୁଢୀ ଘର ଦଖଲ କରିଗଲା । ବୁଢୀ ରହେ କେଉଁଠି? ଇଷ୍ଟଇଣ୍ଡିଆ କମ୍ପାନୀ “ଓଟ” ବାଣିଜ୍ୟ କୋଠିଟିଏ ପାଇଁ ମୋଗଲ ବାଦଶାହାଙ୍କୁ ବିଲାତର ବିଳାସ ସାମଗ୍ରୀ ଦେଇ ସୁରାଟରେ ଡେରା ପକାଉ ପକାଉ ଦେଶଟାକୁ ଦଖଲ କରିଗଲା । ସଭ୍ୟଲୋକ ବୋଲି ଗର୍ବ କରୁଥିବା ବିଲାତ ଭଦ୍ରଲୋକ ମୁଖାପିନ୍ଧା ଡକାୟତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ପ୍ରଥମ କାରଣ ।

ଦ୍ୱିତୀୟ କାରଣ ସାତସମୁଦ୍ର ତେର ନଈ ପାରହୋଇ ବିଦେଶୀ ଡକାୟତମାନେ ଆମର ଏତେ ବଡ ଦେଶ ଦଖଲ କଲେ । ଆମେ କରୁଥିଲୁ କଣ? ଆମେ ପୃଥିବୀର ଗୋଟିଏ ଜନବହୁଳ ଦେଶ । ୫୦୦/୭୦୦ ବର୍ଷ ତଳେ ୧୦/୧୨ କୋଟି ଲୋକେ ତ ଥିବେ । ଜଣକେ ଗୋଟେ ଠେଙ୍ଗାକୁ ଶତ୍ରୁ ପକ୍ଷର ଖଣ୍ଡା, ତଲୱାର ବା ବନ୍ଧୁକ ଗୋଳା ବାରୁଦ ନାହିଁ । ମାରି ଶୁଆଇ ଦେଇଥାନ୍ତେ । ଖୋର୍ଦ୍ଧା ପାଇକମାନେ ତ ପୁଣି ଫିରିଙ୍ଗିକୁ ଆଣ୍ଠେଇ ଦେଇଥିଲେ । କାହିଁକି ଆମେ ମଲାମୂଷା ଭଳି ପଡି ରହିଥିଲୁ? ‘ଜାତି’,‘ଜାତି’ ଆମକୁ ଖାଇଲା । ଶାସକମାନେ ବ୍ରାହ୍ମଣ, କ୍ଷତ୍ରିୟମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଲେ । କେବଳ କ୍ଷତ୍ରିୟମାନେ ସୈନ୍ୟବାହିନୀ ପାଇଁ ମନୋନୀତ ହେଲେ । ଲକ୍ଷ ଲକ୍ଷ ସମର୍ଥ ଯୁବକ ବୈଶ୍ୟ, ଶୂଦ୍ରମାନଙ୍କ ମଧ୍ୟରେ ଥିଲେ ମଧ୍ୟ ସେମାନଙ୍କୁ ଯୁଦ୍ଧ ପାଇଁ ସୁଯୋଗ ମିଳିଲା ନାହିଁ । କ୍ଷତ୍ରିୟମାନେ ବୈଶ୍ୟ, ଶୂଦ୍ରମାନଙ୍କର ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ପ୍ରବଳ ବିରୋଧ ଜାରି ରଖିଥାନ୍ତି । ଶାସକମାନେ ତ ଖାଇ, ପିଇ ବିଳାସ ବ୍ୟସନରେ ମଜଗୁଲ । ଦେଶ ଭାସି ଯାଉ । ଅଯୋଗ୍ୟ ଶାସକମାନଙ୍କ ପାଇଁ ଦେଶ ଭାସିଗଲା । ଆଜି କିଛି ଲୋକ ଶୁଖିଲା ବାହାଦୁରି ଦେଖାନ୍ତି ଆମେ ଖାଣ୍ଟି ଆର୍ଯ୍ୟ । ଆମର ବେଦ, ଗୀତା, ପୃଥିବାର ସବୁଠାରୁ ମୂଲ୍ୟବାନ ଧର୍ମ ଗ୍ରନ୍ଥ । ଆମେ ଇତିହାସକୁ ବିକୃତ କରି ସ୍କୁଲ, କଲେଜ ପିଲାଙ୍କୁ ମିଛ ମଡାଉଛୁ । ‘ଜାତି’ ଭୂତ ଆଜି ବି ଡରାଉଛି । ସରକାରଙ୍କୁ ଜାତି ଭୂତ ଡର ଛାଡୁନି ରାମ ଭୋଇ, ଗୋପାଳ କାଣ୍ଡିକି ଛାଡିବ କେତେକେ । ଆମ୍ବେଦକର ନାହିଁ କି ପେରିୟାର ନାହିଁ ! ଆଇନ ତା ବାଟରେ । ସରକାର ତା ବାଟରେ । ଦଳିତ କାଗଜକଲମରେ ଛୁଆଁ । କାମରେ ଅଛୁଆଁ । ଠିକିଲେ ଶିଖନ୍ତି । ଇହିହାସରୁ ଆମେ ଶିଖିଛୁ କଣ?

ଅସରନ୍ତି ଗପ । ରାତି ପାହିଯିବ ଗପ ସରିବନି । ଏବେ ଜାଣିବା ବିଦେଶୀମାନେ ଆମ ଦେଶରେ କେବେ ଓ କିପରି ଡେରା ପକାଇଲେ । ପର୍ତ୍ତୁଗୀଜଙ୍କ କଥା ଆମେ ଆଗରୁ ଜାଣିଲେ । ଭାସ୍କୋଡାଗାମା ୧୪୯୮ ମେ ୨୦ ତାରିଖରେ କେରଳର କାଲିକଟ ବନ୍ଦରରେ ତାଙ୍କର ନୌଭେଳା ପହଞ୍ଚାନ୍ତି । ସେତେବେଳକୁ ଉତ୍ତର ଭାରତରେ ରାଜା ଥାନ୍ତି ସିକନ୍ଦର ଲୋଦୀ । ୟୁସୁଫ ଆଦିଲସାହା ବୀଜାପୁରର ରାଜା ଏବଂ ଅହମଦ ନିଜାମ ସାହା ଅହମଦନଗରର ରାଜା ଥାନ୍ତି । ବାବର ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ ପୂର୍ବରୁ ପର୍ତ୍ତୁଗୀଜମାନେ ଭାରତରେ ବାଣିଜ୍ୟ କାରବାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଗୋଆ, ଡାମନ, ଡିଉ ପର୍ତ୍ତୁଗୀଜମାନଙ୍କର ଦଖଲକୁ ଆସିଲା । ପର୍ତ୍ତୁଗୀଜମାନେ ଭାରତକୁ ବହୁତପ୍ରକାର ବିଦେଶୀ ଫଳ, ପନିପରିବା ଓ ଫୁଲ ମଞ୍ଜି ଆଣି ଚାଷ କରାଇଥିବା କଥା ଆମେ ଆଗରୁ ଲେଖିଛୁ ।

୧୫୯୫ ଏପ୍ରିଲ ୨ ତାରିଖ । ଉତ୍ତମାଶା ଅନ୍ତରୀପ ଦେଇ ହଲାଣ୍ଡରୁ ଭାରତକୁ ୪ଟି ଜାହାଜ ଆସେ । ୧୬୦୨ରେ କେତୋଟି ଛୋଟ ଛୋଟ କମ୍ପାନୀ ମିଶି ଡଚ ଇଷ୍ଟ୍ଇଣ୍ଡିଆ କମ୍ପାନୀ ଗଢ଼ନ୍ତି । ୧୬୦୩ ଜାନୁୟାରୀ ୬ । ଡଚମାନେ ବହୁତ ଗୁଡିଏ ଛୋଟ ବଡ଼ ଜାହାଜଚର ଭାରତରେ ପହଞ୍ଚି ପର୍ତ୍ତୁଗୀଜମାନଙ୍କୁ ଗୋଆରୁ ବାହାର କରିବାକୁ ଯୁଦ୍ଧ କରନ୍ତି । ସେମାନେ ଧୀରେ ଧୀରେ ପର୍ତ୍ତୁଗୀଜ ଦଖଲ ଅଞ୍ଚଳକୁ ବହୁତ ନିଜ ଅକ୍ତିଆରକୁ ଆଣିଲେ । ୧୬୬୨ ଫେବୃୟାରୀ । ଡଚ ସୈନ୍ୟମାନେ କୋଲାମ ନିଜ ଅକ୍ତିଆରକୁ ନେଇ କୋଚିନ ଆକ୍ରମଣ କରନ୍ତି । ନାୟାରମାନଙ୍କୁ ବିଦା କରି ରାଣୀଙ୍କୁ ବନ୍ଦୀ କଲେ ।

୧୬୦୦ ଡିସେମ୍ବର ୩୧ରେ ବିଲାତର ରାଣୀ ଏଲିଜାବେଥ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସ୍ୱୀକୃତି ଦିଅନ୍ତି । ୧୬୧୬ ମାର୍ଚ୍ଚ ୨୬ରେ ସାର ଟୋମାସରୋ ଜାହାଙ୍ଗୀରଙ୍କ ଦରବାରରେ ପହଞ୍ଚନ୍ତି ଏବଂ ଜାହାଙ୍ଗୀର ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ କରି ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର ବେପାର ନିଶ୍ଚିତ କରିଦିଅନ୍ତି । କମ୍ପାନୀ ଆଗ୍ରା, ଅହମଦାବାଦ, ବରହାନପୁର (Burhanpur), ଭରୁଚ (ବର୍ତ୍ତମାନର ବରୋଦା) ଏବଂ ସୁରାଟରେ ୧୬୧୮ବେଳକୁ କାରଖାନାମାନ ସ୍ଥାପନ କରନ୍ତି । ପୂର୍ବ ଭାରତରେ ମସୁଲି ପଟମ ଏବଂ ପୋଡାପଲ୍ଲୀରେ ମଧ୍ୟ ଇଷ୍ଟଇଣ୍ଡିଆ କମ୍ପାନୀ ସେହି ସମୟରେ କାରଖାନା ମାନ ବସାଇଲା । (History of Agriculture in India,vol-II by M.S. Randhawa) । ଇଷ୍ଟ୍ଇଣ୍ଡିଆ କମ୍ପାନୀ କରିତ କାରନାମା, ଚାଷୀ ଓ ଚାଷର ଭାଗ୍ୟ ବିପର୍ଯ୍ୟୟ ସମ୍ପର୍କରେ ଆଗକୁ ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone