ଆମଠୁଁ ଭଲ ପିଲାଙ୍କ ବୁଦ୍ଧି
ଧର୍ମ ସମ୍ପର୍କରେ
ଲିଓ ଟଲଷ୍ଟୟ
ଉପସ୍ଥାପନା: ଅଧ୍ୟାପକ ନୀଳମଣି ସାହୁ
ପୁଅ — ମା! ଆଜି ଆୟା କାହିଁକି ସୁନ୍ଦର ଲୁଗାପଟା ପିନ୍ଧିଛି? ଆଉ ମୋତେ କାହିଁକି ସେ ସେଇ ନୂଆ କମିଜ୍ଟା ପିନ୍ଧଉଛି?
ମା — ଆଜି ପରା ପର୍ବ ଦିନ, ଆଉ ଆମେ ସମସ୍ତେ ଚର୍ଚ୍ଚକୁ ଯାଉଛେ ।
ପୁଅ — କି ପର୍ବ?
ମା — ଆରୋହଣ ଦିବସ ।
ପୁଅ — ଆରୋହଣ ଦିବସ ବୋଇଲେ କଅଣ?
ମା — ଏଇ ଦିନ ଯିଶୁଖ୍ରୀଷ୍ଟ ସ୍ୱର୍ଗାରୋହଣ କରିଥିଲେ ।
ପୁଅ — ଏଇ ସ୍ୱର୍ଗାରୋହଣର ମାନେ କଅଣ?
ମା — ତାର ମାନେ ସେ ସ୍ୱର୍ଗକୁ ଉଡ଼ି ଯାଇଥିଲେ ।
ପୁଅ — କେମିତି ଉଡ଼ିଲେ? ତାଙ୍କର ପଖୀ ସାହାଯ୍ୟରେ?
ମା — ଆରେ ବାବା, ତାଙ୍କର ପଖୀଫଖୀ କିଛି ନଥିଲା । ସେମିତି ସେ ସିଧାସଳଖେ ସ୍ୱର୍ଗକୁ ଉଡ଼ିଗଲେ । ସେ ଭଗବାନ । ତାଙ୍କ ଦ୍ୱାରା ସବୁକିଛି ସମ୍ଭବ ।
ପୁଅ — କିନ୍ତୁ ସେ କେଉଁଠିକୁ ଉଡ଼ିଲେ? ବାପା ତ କହୁଥିଲେ ଆକାଶରେ ଆଦୌ ସେମିତି କିଛି ନାହିଁ । ଏୟା ସେୟା ରହିଛି ବୋଲି ଆମେ କେବଳ ଭାବୁଛେ । ସେଠି ଉପରେ ତ ତାରା ଛଡ଼ା ଆଉ କିଛି ନାହିଁ । ତାରା ପଛକୁ ତାରା, ତା ପଛକୁ ପୁଣି ତାରା, ତା ପଛକୁ… ତା ପଛକୁ… ତାରା ହିଁ ତାରା, ତାର ଅନ୍ତ ନାହିଁ ବୋଲି ସେ କହୁଥିଲେ । ଆଉ ସେ ଉଡ଼ିଲେ କେଉଁଠିକୁ?
ମା — (ମୁରୁକି ହସି) ଏବେ ତୁ ତ ସବୁ କଥା ବୁଝି ପାରିବୁନି । ତୋତେ ବିଶ୍ୱାସ କରିବାକୁ ପଡ଼ିବ ।
ପୁଅ — କଅଣ ମୋତେ ବିଶ୍ୱାସ କରିବାକୁ ହେବ?
ମା — ବଡ଼ ଲୋକମାନେ ତୋତେ ଯାହା କହିବେ ତାହା ବିଶ୍ୱାସ କରିବାକୁ ହେବ ।
ପୁଅ — କିନ୍ତୁ ମୁଁ ଯେତେବେଳେ ତମକୁ କହିଲି ଯେ ଲୁଣ ପକେଇ ଦେଇଥିବା ହେତୁ ଜଣେ ଲୋକ ମରିବାକୁ ଯାଉଛି, ତମେ ତ ମୋତେ ବାଜେ କଥାରେ ବିଶ୍ୱାସ ନ କରିବାକୁ କହିଲ ।
ମା — ଠିକ୍, ବାଜେ କଥାରେ ବିଶ୍ୱାସ କରିବୁନି ।
ପୁଅ — ହେଲେ କେଉଁଟା ବାଜେ କଥା ଆଉ କେଉଁଟା ବାଜେ କଥା ନୁହେଁ ମୁଁ ଜାଣିବି କେମିତି?
ମା — ପ୍ରକୃତ ଧର୍ମ ଯାହା କହୁଛି, ତାକୁ ତତେ ବିଶ୍ୱାସ କରିବାକୁ ହେବ, ବାଜେ କଥାକୁ ନୁହେଁ।
ପୁଅ — ତାହେଲେ ପ୍ରକୃତ ଧର୍ମ କେଉଁଟା?
ମା — ଆମ ଧର୍ମ ହେଉଛି ପ୍ରକୃତ ଧର୍ମ । (ମନ ଭିତରେ) ଡର ମାଡ଼ୁଛି! ମୁଁ ନିଜେ ବାଜେ କଥା କହୁନି ତ? (କହିଲେ) ଯା, ଚର୍ଚ୍ଚକୁ ଯିବା ପାଇଁ ଆମେ ପ୍ରସ୍ତୁତ ହୋଇ ସାରିଲୁଣି ବୋଲି ବାପାଙ୍କୁ କହିବୁ, ଆଉ ତୋ କୋଟ୍ଟା ନେଇ ଆସିବୁ ।
ପୁଅ — ଚର୍ଚ୍ଚ ପରେ ଆମକୁ ଚକଲେଟ୍ ମିଳିବ ତ?
ଉପସ୍ଥାପକଙ୍କ ମନ୍ତବ୍ୟ — ପ୍ରବାଦ ରହିଛି ଯେ “ମୂର୍ଖର ପ୍ରଶ୍ନବାଣ ପାଖେ ମହାଜ୍ଞାନୀ ହାର ମାନିବେ ।” (“A fool can ask more questions than a thousand wise men can answer.”) ଲିଓ ଟଲଷ୍ଟୟ ଆଉ ଗୋଟିଏ ଗପରେ ଲେଖିଛନ୍ତି ଏହି ପ୍ରବାଦଟିରେ “ମୂର୍ଖ” ସ୍ଥାନରେ “ପିଲା” ହିଁ ଯଥାର୍ଥ ହେବ: “ପିଲାର ପ୍ରଶ୍ନବାଣ ପାଖେ ମହାଜ୍ଞାନୀ ହାର ମାନିବେ ।” ପିଲାଟିଏ ପ୍ରଥମେ ମଣିଷ ହୋଇ ଜନ୍ମ ହୋଇଥାଏ । ଜାଣିବା ପାଇଁ ମଣିଷ ଜାତିର ସ୍ୱଭାବଗତ ପ୍ରବୃତ୍ତି ଯୋଗୁଁ ପିଲାଟିଏ ବି “କଅଣ”, “କାହିଁକି”, “କିପରି” ଭଳି ପଦମାନ ଲଗେଇ ନିଜକୁ ଓ ଅନ୍ୟମାନଙ୍କୁ ଅଗଣିତ ପ୍ରଶ୍ନ ପଚାରେ । ସଂସାରକୁ ଜାଣିବା ପାଇଁ ଚେଷ୍ଟା କରେ । କେତେକ ପ୍ରଶ୍ନର ଉତ୍ତର ସେ ନିଜେ ପାଇଥାଏ ଓ ଆମେମାନେ କେତେକ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରୁ । ହେଲେ ତାର ସମସ୍ତ — କଅଣ? କାହିଁକି? କିପରି? — ପ୍ରଶ୍ନର ଉତ୍ତର ଦେବା ଆମ ପକ୍ଷରେ ସମ୍ଭବ ହୋଇ ନଥାଏ । କେତେକ ପ୍ରଶ୍ନର ଉତ୍ତର ତକ୍ଷଣି ଦିଆଯାଇ ପାରେ, ଆଉ କେତେକର ପରେ ଦିଆଯାଇ ପାରେ, ତେବେ ଆଉ କେତେକ ପ୍ରଶ୍ନର ଉତ୍ତର କେବେ ବି ଦିଆଯାଇ ନପାରେ । କେବେ ବି ଦିଆଯାଇ ପାରିବନି କହିବା ଅର୍ଥ ହେଲା ଉତ୍ତରଟି ନିର୍ଦ୍ଦିଷ୍ଟ ରୂପେ ସତ ନା ମିଛ ତାହା ବିଚାର କରିବା ଦୃଷ୍ଟିରୁ ଦିଆଯାଇ ପାରିବ ନାହିଁ । ସଂସାରଟା କାହିଁକି ରହିଛି? ସଂସାରଟା ରହିଛି ତ ରହିଛି, କିନ୍ତୁ କାହିଁକି ରହିଛି ଏହାର ଉତ୍ତର ସତ୍ୟାସତ୍ୟ ବିଚାର ଦୃଷ୍ଟିରୁ କେହି କେବେ ଦେଇ ପାରିବେନି । ବିଭିନ୍ନ ଧର୍ମ ଏହି ପ୍ରଶ୍ନର ଉତ୍ତର ବିଭିନ୍ନ ଭାବରେ ଦେବାକୁ ଚେଷ୍ଟା କରିଛନ୍ତି, ସଂସାର ପ୍ରତି ବିଭିନ୍ନ ମୂଲ୍ୟ ଆରୋପଣ କରିବା ପାଇଁ ଚେଷ୍ଟା କରିଛନ୍ତି । ସ୍ଥିର ଚିତ୍ତରେ ଉତ୍ତରଗୁଡ଼ିକର ବିଚାର କଲେ ସେଗୁଡ଼ିକ ପରସ୍ପରବିରୋଧୀ ମନେ ହୁଏ । ସେଗୁଡ଼ିକ ସବୁ ସତ ବୋଲି ପ୍ରମାଣ କରିବା କଷ୍ଟସାଧ୍ୟ । ଯେଉଁଠି ଧର୍ମ ନିର୍ଦ୍ଦିଷ୍ଟ ଭାବେ କୌଣସି କଥା କହୁଛି, ତେବେ ତାର ସତ୍ୟାସତ୍ୟ ଜାଣିବା ସହଜସାଧ୍ୟ ହେଇ ଯାଉଛି । ଖ୍ରୀଷ୍ଟିଆନ୍ ପଣ୍ଡିତମାନେ ଗଣନା କରି ତିନି ଚାରି ହଜାର ବର୍ଷ ପୂର୍ବେ ଏକ ନିର୍ଦ୍ଦିଷ୍ଟ ଦିନ ଈଶ୍ୱର ସଂସାରକୁ ସୃଷ୍ଟି କରିଥିଲେ ବୋଲି କହିଲେ । ପରେ ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଶାରଦମାନେ ମିଶରର ନୀଳ, ମେଶୋପୋଟାମିଆର ଟାଇଗ୍ରୀସ୍ ଓ ଇଉଫ୍ରେଟିସ୍ ଏବଂ ଭାରତର ସିଦ୍ଧୁ ନଦୀମାନଙ୍କର ଉପତ୍ୟକାରେ ପ୍ରାଚୀନ ସଭ୍ୟତାମାନଙ୍କର ତଥ୍ୟସବୁ ପାଇଲେ । ସେସବୁ ଈଶ୍ୱର ସଂସାରକୁ ସୃଷ୍ଟି କରିବା ସମ୍ପର୍କରେ ଖ୍ରୀଷ୍ଟିଆନ୍ ପଣ୍ଡିତମାନେ ଗଣନା କରି କହିଥିବା ଦିନଠାରୁ ଆହୁରି ପୂର୍ବକାଳର ବୋଲି ପ୍ରମାଣିତ ହୋଇଥିଲା । ଫଳରେ ଖ୍ରୀଷ୍ଟିଆନ୍ ପଣ୍ଡିତମାନଙ୍କ କଥା ଭୁଲ ପ୍ରମାଣିତ ହୋଇଥିଲା । ପୁଣି ବିବର୍ତ୍ତନବାଦ ତ କହୁଛି ଆଜିର ମଣିଷ ଲକ୍ଷ ଲକ୍ଷ ବର୍ଷର ବିବର୍ତ୍ତନର ଫଳ । ତେଣୁ ସତ୍ୟାସତ୍ୟର ସାମନା କରିବା ବଡ଼ କଷ୍ଟ । ବିଶ୍ୱାସ କରିଦେଲେ କଥା ସରିଲା ।
ପ୍ରଶ୍ନ ପଚାରି ପିଲାଟିଏ ଜାଣିବାକୁ ଚାହେଁ । ଯେହେତୁ ସେ ଜାଣିବାକୁ ଚାହେଁ, ତାର ଜ୍ଞାନର ଅଭିବୃଦ୍ଧି ପାଇଁ ଆମର ଉତ୍ତର ଜ୍ଞାନ ଉପରେ ପ୍ରତିଷ୍ଠିତ ହେବା ଉଚିତ, ବିଶ୍ୱାସ ଉପରେ ନୁହେଁ । କିନ୍ତୁ ଯେହେତୁ ତାର ସବୁ ପ୍ରଶ୍ନର ଉତ୍ତର ଜ୍ଞାନ ଭିତ୍ତିରେ ଦେଇ ପାରିବାନି, ଅନେକ ସ୍ଥଳରେ ଆମେ ତାକୁ ବିଶ୍ୱାସ କରିବାକୁ କହିଥାଉ । ଜାଣିବା ପ୍ରବୃତ୍ତିର ମଣିଷ ଛୁଆକୁ ବିଶ୍ୱାସ ଆଡ଼କୁ ମଙ୍ଗେଇବା ପାଇଁ ନୂଆ ଲୁଗାପଟା, ପିଠାପଣା, କେକ୍ ଚକଲେଟ୍, ଯାନିଯାତ୍ରା ଆଦିର ପ୍ରଲୋଭନ ଥାଏ । ଅବିଶ୍ୱାସ କଲେ କାନମୋଡ଼ା, ଗାଳିଗୁଲଜ, ସମାଲୋଚନା ସାମନାରେ ମୁଣ୍ଡ ନୁହାଁଇବାକୁ ବି ପଡ଼ିଥାଏ । ବିଶ୍ୱାସ ଭିତ୍ତିରେ ଶିକ୍ଷା ଦେଇ ଦେଇ ଆମେ ମଣିଷ ଛୁଆମାନଙ୍କୁ ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟିଆନ୍, ଆଦି ବିଭିନ୍ନ ଧର୍ମର ଅବା ବ୍ରାହ୍ମଣ, କରଣ, ଆଦି ବିଭିନ୍ନ ଜାତିର ମଣିଷ ଭାବରେ ଭାଗ ଭାଗ କରି ଦେଉ । ଏପରି ମଣିଷମାନଙ୍କ ନିକଟରେ ଜ୍ଞାନ ଗୌଣ ହୋଇଯାଏ, ଆଉ ବିଶ୍ୱାସ ବୀରଦର୍ପରେ ମୂଖ୍ୟ ହୋଇ ଉଭା ହୁଏ । ପୃଥିବୀ ସମତଳ ବୋଲି ବିଶ୍ୱାସ କରୁଥିବା ଲୋକେ ପୃଥିବୀ ଗୋଲ୍ ବୋଲି କହିବା ଲୋକଙ୍କୁ କି ଦଣ୍ଡ ନ ଦେଇଛନ୍ତି! ସଂସାରର କେନ୍ଦ୍ରରେ ପୃଥିବୀ ଓ ତାର ଚାରିପଟରେ ଚନ୍ଦ୍ର ଭଳି ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରଗୁଡ଼ିକ ଘୁରି ବୁଲୁଛନ୍ତି ବୋଲି ଲୋକେ ବିଶ୍ୱାସ କରୁଥିଲେ । ଜ୍ଞାନ ଦୃଷ୍ଟିରୁ ଆଉ କେତେକ କହିଲେ ସଂସାର କଥା ତେଣିକି ଥାଉ, ଆମ ସୌରଜଗତର କେନ୍ଦ୍ରରେ ବି ପୃଥିବୀ ନାହିଁ, ରହିଛି ସୂର୍ଯ୍ୟ, ଏବଂ ପୃଥିବୀ ସମେତ ଅନ୍ୟ ଗ୍ରହଗୁଡ଼ିକ ସୂର୍ଯ୍ୟ ଚାରିପଟରେ ଘୁରୁଛନ୍ତି । ଏହା କହିଥିବା ଯୋଗୁଁ କି ଅତ୍ୟାଚାର ନ ସହିଛନ୍ତି ସେମାନେ! ଏ କ୍ଷେତ୍ରରେ ଶେଷରେ ଜ୍ଞାନର ବିଜୟ ହୋଇଛି । ଜ୍ଞାନର ବିସ୍ଫୋରଣ ହେଉଥିଲେ ବି ବିଶ୍ୱାସର ବପୁ ଭାଙ୍ଗିନି । ଆଜି ବି ବଳବତ୍ତର ହେଇ ରହିଛି । ବିଶ୍ୱାସ ଯୋଗୁଁ ଆଜି ବି ଅନ୍ୟାୟ ଅତ୍ୟାଚାର ହେଉଛି । ତାର କାରଣ ହେଲା ପିଲାଟି ବେଳୁଁ ବିଶ୍ୱାସ ଆମ ଜୀବନର ଭିତ୍ତି ହୋଇ ଯାଇଛି । ଜାଣିବା ପାଇଁ ମଣିଷର ସ୍ୱଭାବଗତ ପ୍ରବୃତ୍ତି ପିଲାଙ୍କ ପାଖରେ ସ୍ପଷ୍ଟ ରୂପରେ ଦେଖା ଦେଇଥାଏ ଓ ପିଲାଟି ବେଳୁ ତାହା ହିଁ ସେମାନଙ୍କ ଜୀବନର ଭିତ୍ତି ହେବା ଆବଶ୍ୟକ । ଆମେ ପିଲାଟିର ସବୁ ପ୍ରଶ୍ନର ଉତ୍ତର ଦେଇ ପାରିବାନି । ଠିକ୍ କଥା । ତେବେ ଆମେ ବିଶ୍ୱାସର ଇନ୍ଦ୍ରଜାଲ ଭିତରକୁ ପିଲାଟିକୁ ଟାଣି ନ ନେଇ ୱିଲିଏମ୍ ଯୋନସ୍ଙ୍କ ମା କହିଲା ଭଳି ତ କହି ପାରିବା: “ବାବୁରେ ପଢ଼ିଲେ ଜାଣିବୁ ।”
[ଏହି ଲେଖାଟି ସମଦୃଷ୍ଟି (ଭାଗ 7, ସଂଖ୍ୟା 15, 1-15 ଅଗଷ୍ଟ 2013) ରେ ପ୍ରକାଶିତ ହୋଇଥିଲା। ସମ୍ପାଦକଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ]
Comments
0 comments