ଭଗବାନ କେତେ ପ୍ରକାରର? ଏହି ପ୍ରଶ୍ନଟି ମଣିଷ ଜାତିକୁ ପଚରା ଯାଉ ଅବା ବ୍ୟକ୍ତିଗତ ଭାବେ ଜଣେ ମଣିଷକୁ ପଚରା ଯାଉ, କାହାରି ପକ୍ଷରେ ବି ଏହା ପ୍ରଥମ ସ୍ତରର ପ୍ରଶ୍ନ ନୁହେଁ । ଏହା କୋର୍ଟରେ ଓକିଲମାନଙ୍କ “ମଦ ପିଇବା ଛାଡ଼ିଲଣି? ହଁ ନା ନାହିଁ? — କୁହ ।” ଭଳି ଏକ ପ୍ରଶ୍ନ । ଓକିଲମାନଙ୍କ ପ୍ରଶ୍ନରେ ମଦ ପିଇବା କଥାଟାକୁ ସତ ବୋଲି ଧରି ନିଆଯାଇ ଥାଏ । ତାରି ଭିତ୍ତିରେ ହିଁ ଏହି — ଛାଡ଼ିବା, ନଛାଡ଼ିବା — ପ୍ରଶ୍ନଟି କରାଯାଇ ଥାଏ । ତେଣୁ “ଭଗବାନ କେତେ ପ୍ରକାରର?” — ଏହି ପ୍ରଶ୍ନଟି ହେଉଛି ଦ୍ୱିତୀୟ ସ୍ତରର ପ୍ରଶ୍ନ । ପ୍ରଥମ ସ୍ତରର ପ୍ରଶ୍ନ ହେଲା: “ଭଗବାନ ଅଛନ୍ତି କି ନାହିଁ?” ପ୍ରଥମ ସ୍ତରର ପ୍ରଶ୍ନଟିକୁ ଯଦି ଜଣେ ମଣିଷକୁ ପଚରା ଯାଏ, ତେବେ ସେ କହିପାରେ, “ଭଗବାନ ନାହାନ୍ତି ।” ଅବା “ଭଗବାନ ଅଛନ୍ତି।” ଯଦି ମଣିଷ ଜାତି ପାଖରେ ଏହି ପ୍ରଶ୍ନଟିକୁ ରଖାଯାଏ, ତେବେ କେତେକ କହିବେ, “ଭଗବାନ ନାହାନ୍ତି ।” ଏବଂ ଆଉ କେତେକ କହିବେ “ଭଗବାନ ଅଛନ୍ତି ।” ଯେଉଁମାନେ ଭଗବାନ ନାହାନ୍ତି ବୋଲି କହିବେ ସେମାନଙ୍କ କ୍ଷେତ୍ରରେ ଦ୍ୱିତୀୟ ସ୍ତରର ପ୍ରଶ୍ନଟିର କୌଣସି ମାନେ ରହେନା। ସେମାନଙ୍କ ପାଇଁ ଏହି ପ୍ରଶ୍ନଟି ଶିରଃ ନାସ୍ତି ଶିରଃ ପୀଡ଼ା ସମ ହେବ। ଯେଉଁମାନେ ଭଗବାନ ଅଛନ୍ତି ବୋଲି କହିବେ କେବଳ ସେହିମାନଙ୍କ କ୍ଷେତ୍ରରେ ହିଁ ଏହି ଦ୍ୱିତୀୟ ସ୍ତରର ପ୍ରଶ୍ନଟି ଅର୍ଥପୂର୍ଣ୍ଣ ଏବଂ ସେହିମାନେ ହିଁ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ନିତାନ୍ତ ଭାବେ ଯୋଗ୍ୟ।
ଯଦିଚ ଯେଉଁମାନେ ଈଶ୍ୱରବିଶ୍ୱାସୀ କେବଳ ସେହିମାନଙ୍କ କ୍ଷେତ୍ରରେ ହିଁ ଏହି ପ୍ରଶ୍ନଟି ଅର୍ଥପୂର୍ଣ୍ଣ, ଅନ୍ୟମାନେ ନିରପେକ୍ଷ ଭାବେ ଏହି ପ୍ରଶ୍ନଟିର ବିଚାର କରି ପାରନ୍ତି ।
ଭଗବାନ କଥା କହିବା ମାତ୍ରେ ଧର୍ମ କଥା ମନକୁ ଆସେ । ହିନ୍ଦୁ, ଖ୍ରୀଷ୍ଟିଆନ୍, ଇସ୍ଲାମ୍, ବୌଦ୍ଧ, ଜୈନ, ୟିହୁଦି, ଆଦି ବହୁ ଧର୍ମ ସଂସାରରେ ରହିଛି । ଈଶ୍ୱର ଏକ ବୋଲି ସମସ୍ତ ଧର୍ମ କହନ୍ତି । କେଡ଼େ ସୁନ୍ଦର କଥା! ସବୁ ମଣିଷ ସେଇ ଏକା ଈଶ୍ୱରଙ୍କ ସନ୍ତାନ! ମଣିଷମାନେ ସମସ୍ତେ ସେଇ ଏକା ପରିବାରର! କିନ୍ତୁ ବାସ୍ତବରେ ତାହା ଘଟେନା । ଧର୍ମ ନାମରେ ଆଜି ମଣିଷମାନେ ଭାଗ ଭାଗ । ଧର୍ମ ନାମରେ କେତେ ଯୁଦ୍ଧ ନ ହୋଇଛି, କେତେ ରକ୍ତପାତ ନ ହୋଇଛି, କେତେ ମଣିଷଙ୍କୁ ଜୀଅନ୍ତା ପୋଡ଼ା ନ ଯାଇଛି, କେତେ ସମ୍ପତ୍ତି ପୋଡ଼ାଜଳା ନଷ୍ଟଭ୍ରଷ୍ଟ ନ ହୋଇଛି!! କାରଣ ଜଣେ ମଣିଷ “ଈଶ୍ୱର ଏକ” ବୋଲି କହିଲା ବେଳେ ମନରେ ଏହି କଥା ରଖିଥାଏ ଅବା ଅସ୍ପଷ୍ଟରେ କହିଥାଏ ଯେ କେବଳ ମୋ ଧର୍ମର ଈଶ୍ୱର ହିଁ ଏକମାତ୍ର ସତ୍ୟ । କାହା ଧର୍ମର ଈଶ୍ୱର ସତ୍ୟ ଓ କାହା ଧର୍ମର ଈଶ୍ୱର ମିଥ୍ୟା ଜାଣିବାର କୌଣସି ନିଶ୍ଚିତ ଉପାୟ ନାହିଁ । ଧର୍ମ ସମ୍ପର୍କୀତ ସମସ୍ତ ବିଷୟ କେବଳ ବିଶ୍ୱାସର କଥା । ବିଶ୍ୱାସ ବଳରେ ଗୋଟିଏ ଧର୍ମର ଅନୁଗାମୀମାନଙ୍କ ପାଇଁ ସେହି ଧର୍ମର ସମସ୍ତ ବିଷୟ ସତ୍ୟ । ଅନ୍ୟ ଧର୍ମର ଅନୁଗାମୀମାନଙ୍କୁ ସେ କହିଥାଏ ଯବନ, କାଫର୍, infidel, ଇତ୍ୟାଦି। କଥା ସେତିକିରେ ସୀମିତ ରହେନା । ନିଜ ଧର୍ମର ଅନୁଗାମୀମାନଙ୍କର ସଂଖ୍ୟା ବୃଦ୍ଧି ସହ ଜଡ଼ିତ ଥାଏ ନିଜ ସୁଖ ସମୃଦ୍ଧିର ବୃଦ୍ଧି । ତେଣୁ ସଂଖ୍ୟା ବଢ଼େଇବା ପାଇଁ ଯୁଦ୍ଧ, ସଂଖ୍ୟା ବଢ଼େଇବା ପାଇଁ ରକ୍ତପାତ, ସଂଖ୍ୟା ବଢ଼େଇବା ପାଇଁ ଜଳାପୋଡ଼ା!
ଏକେଶ୍ୱରବାଦ ବନାମ ବହୁଦେବତାବାଦ ବିଷୟ ବିଚାର କଲେ, ଆମେ ଦେଖୁ ଯେ ପ୍ରାଚୀନ ଗ୍ରୀସୀୟ ଓ ରୋମୀୟ ବହୁଦେବତାବାଦର ପତନ ଘଟିଛି ଓ ତାର ସ୍ଥାନ ନେଇଛି ଖ୍ରୀଷ୍ଟିଆନ ଏକେଶ୍ୱରବାଦ । ଭାରତରେ କିନ୍ତୁ ଏକେଶ୍ୱରବାଦର ପ୍ରତିଷ୍ଠା ସତ୍ୱେ ବହୁଦେବତାବାଦ ବଞ୍ଚି ରହିଛି କେବଳ ଏକେଶ୍ୱରବାଦର ଲେପ ବୋଳି ହୋଇ — henotheism (ହେନୋଥେଇଜମ୍) ଆକାରରେ, ଯେଉଁ ଦିନ ଯେଉଁ ଦେବତାଙ୍କର ପୂଜା ହୁଏ ସେଇ ଦିନ ତାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଏ ଓ ତାଙ୍କଠାରେ ସର୍ବଶକ୍ତିମାନ, ସର୍ବବ୍ୟାପୀ ଆଦି ସର୍ବୋତ୍ତମ ଗୁଣଗୁଡ଼ିକୁ ଥାପନା କରା ଯାଇଥାଏ ।
ଏକେଶ୍ୱରବାଦକୁ ହିଁ ଧର୍ମ-ତାତ୍ତ୍ୱିକ ବିବର୍ତ୍ତନର ଅନ୍ତିମ ପର୍ଯ୍ୟାୟ ବୋଲି ବିଚାର କଲେ ମଧ୍ୟ, ସେଇ ଏକେଶ୍ୱରବାଦୀ ଧର୍ମଗୁଡ଼ିକ ମଧ୍ୟରେ ବିଭେଦ ଦେଖିବାକୁ ମିଳେ, ସମ୍ପ୍ରଦାୟ ଦେଖିବାକୁ ମିଳେ । ଖ୍ରୀଷ୍ଟଧର୍ମ ବିଭାଜିତ । — ତହିଁରେ ରୋମାନ କ୍ୟାଥଲିକ୍, ପ୍ରୋଟେଷ୍ଟାଣ୍ଟ୍, ଆଦି ବହୁ ସମ୍ପ୍ରଦାୟ ଦେଖିବାକୁ ମିଳେ । ଅନ୍ୟାନ୍ୟ ମୂଖ୍ୟ ଧର୍ମଗୁଡ଼ିକ ମଧ୍ୟ ବିଭିନ୍ନ କାରଣରୁ ବିଭାଜିତ ।
ହିନ୍ଦୁ ଧର୍ମରେ ପୁଣି ଗୁରୁ ପରମ୍ପରା ରହିଛି । ଏହି ପରମ୍ପରାରେ ଲୋକଙ୍କୁ କୁହାଯାଏ ଯେ ବିନା ଗୁରୁରେ ହରି ପ୍ରାପ୍ତି ଅସମ୍ଭବ । ପୁଣି ହରିଙ୍କୁ ଛାଡ଼ିବ କି ଗୁରୁଙ୍କୁ ଛାଡ଼ିବ ଏ ଭଳି ଏକ ପ୍ରଶ୍ନର କେବେ ସମ୍ମୁଖୀନ ହେଲେ, ହରିଙ୍କୁ ସିନା ଛାଡ଼ି ଦେବ ଗୁରୁଙ୍କୁ କେବେ ଛାଡ଼ିବନି । ଶେଷରେ, ହରି ଯିଏ ଗୁରୁ ସିଏ, ଗୁରୁ ଯିଏ ହରି ସିଏ । ଗୁରୁ ପରମ୍ପରାରେ ଗୁରୁଙ୍କ ନିନ୍ଦା ଶୁଣିବା ମହା ପାପ ବୋଲି ବିଚାର କରା ଯାଇଥାଏ । ଅନ୍ୟମାନଙ୍କ ଦ୍ୱାରା ଗୁରୁଙ୍କ ତତ୍ତ୍ୱର ଆଲୋଚନା ମଧ୍ୟ ଗୁରୁ ନିନ୍ଦା ବୋଲି ଶିଷ୍ୟଙ୍କ ଦ୍ୱାରା ବିଚାର କରା ଯାଇପାରେ । ସତ୍ୟାସତ୍ୟ ନିରୁପଣ କରିବା ଅସ୍ତ୍ରଟିକୁ ସିନ୍ଦୁକରେ ରଖି ତାଲା ପକେଇ ଦିଆଯାଏ । ସମସ୍ତ କଥା କେବଳ ବିଶ୍ୱାସର କଥା ହୋଇ ରହି ଯାଏ । ତେଣୁ ସାରା ସଂସାରରେ ଏହି ଧରଣର ବିଶ୍ୱାସ ଯେତେ ପ୍ରକାରର ଭଗବାନ ସେତେ ପ୍ରକାରର ।
ସମଦୃଷ୍ଟି (ଭା. ୩, ସଂ. ୫, ୧୬-୩୧ ଅଗଷ୍ଟ ୨୦୦୮) ରେ ପ୍ରକାଶିତ ହୋଇଥିଲା ।
Comments
0 comments