ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର81 Views
16 Min Read

  • ମୁଖ୍ୟମନ୍ତ୍ରୀ ଜାଣନ୍ତୁ ଯେ ସିଏ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ

  • ବାଘ ପରିବାର ବୃଦ୍ଧି ଲାଗି ତଡ଼ା ଖାଇବେ ଆଦିବାସୀ

  • ପୋଲାଭରମକୁ ଆହୁରି ଉଚ୍ଚା କର

  • ଥୋବରା ପିଚାର ବଥ

  • ଏବେ ନବୀନବାବୁ ବୁଝିଯିବେ!

ମୁଖ୍ୟମନ୍ତ୍ରୀ ଜାଣନ୍ତୁ ଯେ ସିଏ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ

ପାଠକେ! ଏଇଟା ସଂଘୀବାଲାଙ୍କ ପ୍ରଚାରତନ୍ତ୍ର କରୁଛି କି କ’ଣ କେଜାଣି । ଏବେ ଜଣେ ବାବୁ ଆମକୁ ବୁଝାଇଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଯେଉଁ ଗଡ଼ବଡ଼ ସବୁ କରି ପକାଉଛନ୍ତି ତା ପଛରେ ଆଉ କିଛି ରହସ୍ୟ ଅଛି । ଆମେ କହିଲୁ-ସେଇଟା କ’ଣ? ବାବୁଜଣକ କହିଲେ ଉଚ୍ଚଜାତିର ଲୋକମାନେ ଜାଣିଶୁଣି ତାଙ୍କୁ ବଦନାମ କରାଉଛନ୍ତି । ଆମେ କହିଲୁ ଆପଣ ଏହାର ଗୋଟିଏ ପ୍ରମାଣ ଦେଇପାରିବେ? ବାବୁ କହିଲେ -ନିଶ୍ଚୟ । ଆମେ କହିଲୁ -ଯଥା! ବାବୁ କହିଲେ ଆପଣ ଉକ୍ରଳମଣି ଏପିସୋଡକୁ ନିଅନ୍ତୁ । ତାର ଭିଡିଓ ଦେଖନ୍ତୁ । ଆମେ କହିଲୁ ସାତଥର ଦେଖି ସାରିଲୁଣି । ସେଥିରେ ତ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କହୁଛନ୍ତି ଉକ୍ରଳମଣି ମଧୁସୂଦନ ଦାସ । ବାବୁ ପଚାରିଲେ ସାତଥର ଭିତରେ ଆପଣ କ’ଣ ଥରୁଟିଏ ଲକ୍ଷ୍ୟ କରି ନାହାନ୍ତି ଯେ ମୁଖ୍ୟମନ୍ତ୍ରୀ କିଛି ଗୋଟିଏ ପଢୁଥିଲେ । ସିଏ ଯେତେବେଳେ ସେକଥା କହୁଥିଲେ ତାଙ୍କୁ ମୁଣ୍ଡ ତଳକୁ ଥିଲା ଓ ସିଏ କିଛି ପଢୁଥିବା ପରି ଜଣାପଡ଼ୁଥିଲା କି ନାହିଁ? ନବୀନ ପଟ୍ଟନାୟକ ତ ସେଇଆ କରୁଥିଲେ । ତାଙ୍କୁ କାଗଜରେ ଯାହା ଲେଖି ଦିଆଯାଉଥିଲା ସିଏ ସେଇଟାକୁ ପଢୁଥିଲେ । ସେତେବେଳେ ଗୋପବନ୍ଧୁ ଦାଶଙ୍କୁ ସିଏ କ’ଣ କହିଥିଲେ? କାହିଁ ସେତେବେଳେ ତ ଏତେ ହଲ୍ଲାଗୁଲ୍ଲା ହେଉ ନଥିଲା । ଆମେ କହିଥିଲୁ -ବୁଝିଲ ବାବୁ! ତୁମେ ସେହି ଏକରେ ଏକ ମିଶାଇଲେ ୧୧ ହେବା କଥା କହୁଛ । ଯେଉଁଟା ହେଉଛି ଶୁଦ୍ଧ ଆରଏସ୍ଏସ୍ ଦୁର୍ବୁଦ୍ଧି । ହଇରେ ବାବୁ, ମୋହନ ମାଝି ପରା ଜଣେ ଶିକ୍ଷକ ଥିଲେ । କିଏ ଲେଖିଦେଲା ବୋଲି ତାଙ୍କର କ’ଣ ଏତିକି ସାଧାରଣ ଜ୍ଞାନ ହେଲାନି ଯେ ଉକ୍ରଳମଣି କାହାଙ୍କୁ କହନ୍ତି ଓ ମଧୁସୂଦନ ଦାସଙ୍କୁ କ’ଣ କହନ୍ତି! ସେହିପରି ଖେଳ ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାଁ’କୁ କାଟି ଦିଆଗଲା । ଯାହାକି ସରକାରୀଭାବେ ପ୍ରକାଶିତ ହେଲା । ଯେତେବେଳେ ଚାପ ପଡ଼ିଲା ମୁଖ୍ୟମନ୍ତ୍ରୀ କହିଲେ ନାଇଁ ନାଁ ବଦଳିବ ନାହିଁ । ଏହା ସହିତ ମୁଖ୍ୟମନ୍ତ୍ରୀ ଏକଥା ବି କହିଲେ ଯେ ନାଁ ବଦଳିବା କଥା ସିଏ ଗଣମାଧ୍ୟମରୁ ଜାଣିଲେ । ତାହେଲେ ସେ ନାଁକୁ କିଏ ବଦଳାଇ ଥିଲା? ଯଦି ମୁଖ୍ୟମନ୍ତ୍ରୀ ଏପରି ଅଜଣା ଚାଉଳର ଭାତ ଖାଇ ଚାଲିବେ, ତାହେଲେ କିଏ କେଉଁଦିନ ହୁଏତ ଓଡ଼ିଶା ନାଁଟାକୁ ବଦଳାଇ ‘ନାଗପୁର-୨’ କରିଦେବ । ସରକାରୀ ବିଜ୍ଞପ୍ତି ବି ପ୍ରକାଶିତ ହୋଇଯିବ । ଖେଳ ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାଁ କିଏ କାଟିଲା ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ଉଚିତ୍ ଥିଲା ନା ନାହିଁ? ମୋହନ ସରକାରଙ୍କର ଜଣେ ମନ୍ତ୍ରୀ କହୁଛନ୍ତି ଯେ ନବୀନ ପଟ୍ଟନାୟକ ମମତା ବାନାର୍ଜୀଙ୍କୁ ଆଳୁ ଟ୍ରକ ଛାଡିବାକୁ ଚିଠି ଲେଖିବାଟା ଶସ୍ତା ରାଜନୀତି । ହୋଇଥିବ । ହେଲେ ଯେଉଁବାବୁ ମାନେ ଏକଥା କହୁଛନ୍ତି ସେମାନଙ୍କୁ କେହି କ’ଣ ମମତା ବାନାର୍ଜୀଙ୍କୁ ଆଳୁ ଟ୍ରକ ଛାଡିବାକୁ ଚିଠି ଲେଖିବାକୁ ମନା କରିଥିଲା କି? ତମର ଶାସନ ଚାଲିଛି । ତମର ମୁଖ୍ୟମନ୍ତ୍ରୀ ଅଛନ୍ତି, ଯଦି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆଳୁ ଟ୍ରକ ନଛାଡ଼ିଲେ ତମ ପାଖରେ ଟେଲିଫୋନ କି ଚିଠି ଲେଖିବାର ବହୁ ମାଧ୍ୟମ ଅଛି । ତମେ ତାହା କରି ପାରିଥାଆନ୍ତ । ମିଛ ହେଉ ବା ସତ । ଏବେ ଲୋକେ କହୁଛନ୍ତି ନବୀନଙ୍କ ଫୋନ ପରେ ଆଳୁ ଟ୍ରକ ସବୁ ଓଡ଼ିଶାକୁ ଆସିଲା ଓ ଆଳୁ ଦର କିଲୋପ୍ରତି ୮୦ରୁ ୩୨ଟଙ୍କାକୁ ଖସିଲା । ନବୀନ ସରକାର ଚାଲୁଥିବା ବେଳେ ବିଜେପିର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କହୁଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନବୀନ ସରକାର ହଡ଼ପ କରି ଅଲଗା ନାଁ ଦେଇ ଓଡ଼ିଶାରେ ଚଳାଉଛନ୍ତି । ଏବେ ରାଜ୍ୟ ସରକାର ନବୀନ ସରକାରଙ୍କର ୪୦ଟା ଯୋଜନାକୁ ଅଲଗା ନାଁ ଦେଇ ଚଳାଉଛନ୍ତି । ସେ କଥା କ’ଣ ମୁଖ୍ୟମନ୍ତ୍ରୀ ଜାଣି ନିଜ ଯୋଜନା କରିବା ଉଚିତ୍ ନୁହେଁ? ତା ପଛରେ କ’ଣ କାହାରି ଚକ୍ରାନ୍ତ ଅଛି? ମୁଖ୍ୟମନ୍ତ୍ରୀ ଏକଥା ଗୁରୁତ୍ୱର ସହ ହୃଦୟଙ୍ଗମ କରିବା ଉଚିତ୍ ଯେ ଏବେ ସେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ । ସିଏ ଯଦି ଜାଣି ନପାରିବେ ତେବେ ତ ଏ ରାଜ୍ୟଟା ଭାସିଯିବ ।

ବାଘ ପରିବାର ବୃଦ୍ଧି ଲାଗି ତଡ଼ା ଖାଇବେ ଆଦିବାସୀ

ଇତିମଧ୍ୟରେ ଦେଶରେ ଆନ୍ତର୍ଜାତିକ ବ୍ୟାଘ୍ର-ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିଲ୍ଲୀର ଏକ ସଂସ୍ଥା (Rights and Risks Analysis Group – RRAG) ଗୋଟିଏ ରିପୋର୍ଟ ପ୍ରକାଶ କରିଛି; ଯାହାର ନାଁ ରଖାଯାଇଛି – India’s Tiger Reserves : Tribals get out : Tourists welcome ଏଭଳି ଏକ ଭୟଙ୍କର ଶୀର୍ଷକ ଦେଖି ଆମେ ଭିତରକୁ ଯାଇ ଯାହା ଜାଣିଲୁ କିଛି ଜଙ୍ଗଲରେ ବାଘସଂଖ୍ୟା ବଢ଼ାଇବା ପାଇଁ ସେଠାରେ କାହିଁ କେତେକାଳରୁ ରହି ଆସୁଥିବା ଆଦିବାସୀମାନଙ୍କୁ ସେମାନଙ୍କ ଭିଟାମାଟିରୁ ତଡ଼ି ବେଘର କରିବାର ଏକ ସରକାରୀ ପ୍ରୟାସ ହେଉଛି । ଏପରି ବ୍ୟବସ୍ଥା କରାଯିବା ପଛରେ କାଳେ ଦୁଇଟି କାରଣ ଅଛି ଗୋଟିଏ ହେଉଛି ବାଘ ପରିବାର ସ୍ୱଚ୍ଛନ୍ଦରେ ବିଚରଣ କରି ସଂଖ୍ୟା ବଢ଼ାଇବେ ଓ ଦ୍ୱିତୀୟରେ ସେମାନଙ୍କୁ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବାର ଦେଖିବା ପାଇଁ ଅଧିକ ପର୍ଯ୍ୟଟକ ଆସିବେ । ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ପଇସା ଆସିବ ।

ରିପୋର୍ଟ ମୁତାବକ ଦେଶର ବ୍ୟାଘ୍ର ପ୍ରକଳ୍ପ ବା Project Tiger ସଂସ୍ଥା ସ୍ଥିର କରିସାରିଛି ଯେ ବାଘବଂଶ ବୃଦ୍ଧି କରିବା ପାଇଁ ସାଢ଼େ ୫ଲକ୍ଷ ଆଦିବାସୀ, ମୂଳନିବାସୀଙ୍କୁ ତାଙ୍କ ଭିଟାମାଟିରୁ ତଡ଼ାଯିବ । ‘ସମଦୃଷ୍ଟି’ର ପାଠକମାନଙ୍କର ମନେ ଥାଇପାରେ ଯେ ୨୦୨୧ରେ ଆସିଥିବା ଏକ ରିପୋର୍ଟ ମୁତାବକ ଦେଶରେ ଥିବା ୫୦ଟି ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ବା Tiger Reserveରୁ ସରକାର ବାହାଦୁରଙ୍କ ଦ୍ୱାରା ୨ଲକ୍ଷ ୫୪ହଜାର ୭୯୪ ଜଣ ଆଦିବାସୀଙ୍କୁ ତାଙ୍କ ଭିଟାମାଟିରୁ ବେଘର କରାଯାଇଥିଲା । କିନ୍ତୁ ଏବେ ଏହି ବେଘରମାନଙ୍କ ସଂଖ୍ୟା ୯୬୭% ବଢ଼ିବ ବୋଲି ରିପୋର୍ଟ କହୁଛି । କାରଣ ୨୦୨୧ପରେ ଆଜି ପର୍ଯ୍ୟନ୍ତ ୪୮.୩୩୩ ଆଦିବାସୀ ସେମାନଙ୍କ ବାସସ୍ଥାନରୁ ତଡ଼ା ଖାଇସାରିଛନ୍ତି ଓ ଏବେବି ଖାଉଛନ୍ତି । ଏହି ଆଦିବାସୀମାନେ ଛଅଗୋଟି ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କାହିଁ କେତେକାଳରୁ ରହି ଆସୁଥିଲେ । ଏହି ଛଅଟି ସଂରକ୍ଷଣ କ୍ଷେତ୍ର ମଧ୍ୟରୁ ସବୁଠାରୁ ଅଧିକ ଲୋକ ରାଜସ୍ଥାନର କୁମ୍ଭାଲଗଡ଼ ସଂରକ୍ଷିତ ଜଙ୍ଗଲରୁ ତଡ଼ା ଖାଇଛନ୍ତି । ତାଙ୍କ ସଂଖ୍ୟା ୧ଲକ୍ଷ ୬୦ହଜାର ପାଖାପାଖି ହେବ । ୨୦୨୧ ପରେ ଦେଶରେ ବାଘ ବଂଶର ବିସ୍ତାର କରାଯିବା ପାଇଁ ମୋଟ ୨ଲକ୍ଷ ୯୦ହଜାର ଆଦିବାସୀ ତାଙ୍କ ଭିଟାମାଟିରୁ ବିସ୍ଥାପିତ ହୋଇ ସାରିଛନ୍ତି ବୋଲି ହିସାବ କରାଯାଉଛି । ମଧ୍ୟପ୍ରଦେଶର ନୌରାଦେହୀ ବନ୍ୟଜୀବ ଅଭୟାରଣ୍ୟରୁ ଏହି ସମୟରେ ୪୫ହଜାର ଆଦିବାସୀ ବେଘର ହୋଇଛନ୍ତି । ଉତ୍ତରପ୍ରଦେଶର ରାଣୀପୁର ବ୍ୟଘ୍ର ସଂରକ୍ଷଣ କ୍ଷେତ୍ରରୁ ମଧ୍ୟ ୪୫ହଜାର ଆଦିବାସୀଙ୍କୁ ବେଘର ହେବାକୁ ପଡ଼ିଛି ।

ପାଠକେ! କିଛି ବର୍ଷ ତଳେ ଆମେ ଦୈନିକ ସମାଜରେ ଏକ ଖବର ଲେଖିଥିଲୁ ଯାହାର ଶୀର୍ଷକ ଥିଲା- ‘ଆମକୁ ହାତୀରେ ଗଣନା କରାଯାଉ ।’ ଏପରି ଏକ ଦାବୀ ଚନ୍ଦକା ହାତୀ ଅଭୟାରଣ୍ୟର କୋର ଅଂଚଳ ଭିତରେ ଥିବା ଢୋଲକାଠ ଗାଁର ଲୋକମାନେ କରୁଥିଲେ । ସେମାନେ ସେପରି କହିବାର କାରଣ ଥିଲା ଯେ କିଛିଦିନ ପୂର୍ବରୁ ତାଙ୍କର ସେଠାରେ ହାତୀ ଗଣନା ହୋଇଥିଲା । ଜଙ୍ଗଲ ବିଭାଗର ବାବୁମାନେ ସେମାନଙ୍କୁ କହିଥିଲେ ଯେ ଏଠି ହାତୀ ରହିବେ । ତମେ ସବୁ ଚୁଡଙ୍ଗଗଡ କି କୃଷ୍ଣନଗର ସିଆଡ଼େ ସବୁ ଚାଲିଯା । ତେଣୁ ଲୋକେ କହିଥିଲେ ଆମକୁ ପଛେ ହାତୀରେ ଗଣନା କର, ଆମକୁ ଏଇଠି ରହିବାର ସୁଯୋଗ ଦିଅ ।

ପୋଲାଭରମକୁ ଆହୁରି ଉଚ୍ଚା କର

ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାର ଗୋଦାବରୀ ନଦୀ ଉପରେ ଏକ ବହୁମୁଖୀ ଜଳ ପରିଯୋଜନା କାମ ଚାଲିଛି । ଏହି ପ୍ରକଳ୍ପ ଫଳରେ ଗୁଡ଼ିଏ ଅଂଚଳ ବୁଡିଯିବ । ଗୁଡିଏ ଚାଷଜମି, ଜଙ୍ଗଲ ଅଂଚଳ, ଜଙ୍ଗଲରେ ଥିବା ଜୀବଜନ୍ତୁ ଆଦି ବୁଡ଼ିଯିବେ ବୋଲି ଆଶଙ୍କା କରି ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟ ଏହାକୁ କେବଳ ବିରୋଧ କରୁନାହାନ୍ତି, କୋର୍ଟକଚେରୀରେ ମକଦ୍ଦମା ପର୍ଯ୍ୟନ୍ତ ଚାଲିଛି । ୨୦୧୫ ଅକ୍ଟୋବର ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଭରମ ପ୍ରକଳ୍ପର ଶିଳାନ୍ୟାସ କଲେ ଓ ପରେ ଏହାକୁ ଏକ ଜାତୀୟ ପ୍ରକଳ୍ପରୂପେ ଘୋଷଣା କରିଦେଲେ । ଅର୍ଥ ଏଥିପାଇଁ ସମସ୍ତ ଖର୍ଚ୍ଚ କେନ୍ଦ୍ରସରକାର ବହନ କରିବେ । ଏବେ ମୋଦୀ ସରକାର ଅଳ୍ପମତରେ । ବିହାରର ନୀତୀଶ ଓ ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁଙ୍କ ସମର୍ଥନରେ ତାଙ୍କ ସରକାର ତିଷ୍ଠିଛି । ତେଣୁ ଚନ୍ଦ୍ରବାବୁଙ୍କୁ ଖୁସି କରିବାପାଇଁ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟରେ ପ୍ରଚୁର ଅର୍ଥ ଦିଆଯାଇଛି । ତେଣୁ କାମ ତ୍ୱରାନ୍ୱିତ ହେବ । ପାଠକେ! ଅନେକ ବିବାଦ ଭିତରେ ୨୦୧୭-୧୮ରେ ପୋଲାଭରମ ଠାରେ ୪୭,୭୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ କରାଯିବ ବୋଲି ସରକାର ସ୍ଥିର କରିଦେଲେ । ରାଜ୍ୟର ପଇସାଟିଏ ଖର୍ଚ୍ଚ ନଥିଲା । କାରଣ ଏହା କେନ୍ଦ୍ରୀୟ ପ୍ରକଳ୍ପ ହୋଇ ସାରିଥିଲା, ତେଣୁ ସବୁ ପଇସା କେନ୍ଦ୍ର ସରକାର ଦେବାକଥା ।

ପାଠକେ! ୧୯୪୧ରୁ ଏଭଳି ଏକ ପ୍ରକଳ୍ପ କରାଯିବାକୁ ନିଷ୍ପତ୍ତି ହେଲା । ୧୯୮୦ରେ ଆନ୍ଧ୍ରପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଟି. ଆଞ୍ଜେୟା ଏହାର ଭିତ୍ତିପ୍ରସ୍ତର ପକାଇଲେ । ୨୦୦୪ରୁ କାମ ଆରମ୍ଭ ହେଲା । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ପଶିଲେ । ଏହି ପ୍ରକଳ୍ପକୁ ନେଇ ଉଭୟ କେନ୍ଦ୍ର ଓ ତକ୍ରାଳୀନ ରାଜ୍ୟ ସରକାର ବେଶ୍ ଉତଫୁଲ୍ଲିତ ଥିବାବେଳେ ପ୍ରକୃତି ଓ ମଣିଷ ଜାତି ପ୍ରତି ଏହାର ସମ୍ଭାବ୍ୟ ବିପଦକୁ ଦେଖି ଦେଶର ବହୁ ପରିବେଶବିତ୍, ପ୍ରକୃତିପ୍ରେମୀ, ମାନବାଧିକାର ସଙ୍ଗଠନ, ସମାଜ ବିଜ୍ଞାନୀ, ବୁଦ୍ଧିଜୀବୀ ତଥା ରାଜନୈତିକ ଦଳ ବିରୋଧ କରିଥିଲେ । ସେମାନଙ୍କର କହିବା କଥା ଥିଲା ଏହା ପ୍ରଥମତଃ କେତୋଟି ଗାଁଁ’କୁ ବୁଡ଼ାଇଦେବ ଓ ସେଠାକାର ମଣିଷଙ୍କୁ ବେଘର କରିବା ସହିତ ସେମାନଙ୍କ ଗୃହପାଳିତ ପଶୁ ଓ ଚାଷଜମିକୁ ବୁଡାଇଦେବ । ଯା ଫଳରେ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଯିବ । ତା ସହିତ ଏହା ପ୍ରକୃତି ଓ ପରିବେଶର ବହୁ କ୍ଷତି କରିବ । ଏହା ଜଙ୍ଗଲକୁ ବୁଡାଇବ, ଜଙ୍ଗଲରେ ଥିବା ଜୀବଜନ୍ତଙ୍କୁ ବୁଡ଼ାଇବ ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦ ସବୁଙ୍କୁ ଡାକି ଆଣିବ । ବିଶେଷକରି ଯଦି ବଡ଼ ବର୍ଷା ହେଲା, ତେବେ ଉଦବୃତ୍ତ ବର୍ଷାଜଳ ଅନେକ କ୍ଷତି କରିବ । ବିଶେଷ କ୍ଷତିଗ୍ରସ୍ତ ମାଲକାନଗିରି ପରି ଆଦିବାସୀ ବହୁଳ ଜିଲ୍ଲାମାନେ ହେବେ ବୋଲି କୁହାଯାଇଥିଲା । କାରଣ ଏହି ଜିଲ୍ଲାର ଦୁଇପଟେ ଯେଉଁ ସାବେରୀ ଓ ସିଲେରୁ ନଦୀ ପ୍ରବାହିତ ହେଉଛନ୍ତି, ତାହା ମୋଟୁଠାରେ ମିଶଛନ୍ତି । ଏ ଦୁଇ ନଦୀର ସମ୍ପର୍କ ଗୋଦାବରୀ ସହିତ ରହୁଛି । ଏମାନେ ଗୋଦାବରୀରେ ପାଣି ଖଲାସ କରନ୍ତି । କିନ୍ତୁ ୪୭.୭୨ ମିଟର ଉଚ୍ଚା ବନ୍ଧ ହୋଇଗଲେ ଏମାନେ ଆଉ ପାଣି ଖଲାସ କରିବେ କ’ଣ ଓଲଟା ବନ୍ଧ ପାଣିକୁ ଆଣି ମାଲକାନଗିରିରେ ପୁରାଇବେ । ମୋଟୁ ହେଉଛି ଦକ୍ଷିଣାଂଚଳରେ ଓଡ଼ିଶାର ଶେଷ ଜନପଦ । ବନ୍ଧ ସମ୍ପୂର୍ଣ୍ଣ ନହୋଇ ମଧ୍ୟ ଏବେ ବର୍ଷାରେ ମୋଟୁର ଅନେକ ଅଂଚଳ ବୁଡ଼ିଯାଉଛି । ପ୍ରକୃତି ଯେପରି ବିକଟାଳ ରୂପ ଧାରଣ କଲାଣି ତାର ପରିଣାମ କ’ଣ ହେଉଛି ଆମେ ଏହି ପକ୍ଷରେ ଦେଖିଲେ ।

କେରଳର ୱାୟେନାଡ଼୍ରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟି କିପରି ୪୦୦ରୁ ଊଦ୍ଧ୍ୱର୍ ପାଖାପାଖି ଲୋକଙ୍କ ଜୀବନ ଚାଲିଗଲା ତାକୁ ତ ଆମେ ନଗଦାନଗଦୀ ସାମ୍ନା କରିଛେ । ତା ପୂର୍ବରୁ ୨୦/୨୧ ତାରିଖ ଦୁଇଦିନ ଧରି ହୋଇଥିବା ପ୍ରବଳ ବର୍ଷାରେ ଉତ୍ତର ପ୍ରଦେଶରେ ଯେଉଁ ସ୍ଥିତି ସୃଷ୍ଟି ହେଲା ସେଥିରେ ୧୨/୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଗଲା । ଉତ୍ତରାଖଣ୍ଡରେ ୫୦ରୁ ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ । ସେହି ସମୟରେ କେବଳ ଉତ୍ତର ପ୍ରଦେଶ ବୋଲି ନୁହେଁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୋଆ, କୋଙ୍କଣ ଅଂଚଳ ଆଦି ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତଘଟି ଅନେକ ଲୋକ ମୃତାହତ ହେବା ସାଙ୍ଗକୁ ଜଳବନ୍ଦୀ ହେଲେ । ଆମ ଓଡ଼ିଶାରେ ଆମେ ଯେଉଁ ମାଲକାନଗିରି ଜିଲ୍ଲା କଥା କହୁଛେ ସେଠାରେ ୨୦ ତାରିଖ ବେଳକୁ ୩୬ ଘଣ୍ଟା ଭିତରେ ୨୨୦ ମିଲିମିଟର ବର୍ଷା ହୋଇଗଲା । ଜୟପୁରରୁ ମୋଟୁ ଭିତରେ ରାସ୍ତା ବିଚ୍ଛିନ୍ନ ହୋଇ ପୋଲମାନଙ୍କ ଉପରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଚାଲିଲା । ଏହି ସମୟରେ ମାଲକାନଗିରି ଜିଲ୍ଲାରେ ୭୫୦୦ ଲୋକ ବନ୍ୟାବିତ୍ପାତରେ ପ୍ରଭାବିତ ହେଲେ । ଏସ୍ଆରସିଙ୍କ କହିବା ଅନୁଯାୟୀ ଜିଲ୍ଲାର ୧୧ଟି ଗ୍ରାମ ପଂଚାୟତର ୧୦୪୫ ଗାଁ ପାଣିଘେରରେ ଏବଂ ବିଚ୍ଛନ୍ନ ହୋଇ ରହିଲେ । ୧୨୧ଜଣ ଲୋକଙ୍କୁ ସରକାର ଜଳଭିତରୁ ସୁରକ୍ଷିତ ଜାଗାକୁ ଆଣି ନଥିଲେ ସେମାନଙ୍କ ଜୀବନ ଚାଲିଯାଇଥାଆନ୍ତା ।

ଏଭଳି ଅବସ୍ଥାରେ ମୋଦୀ ସରକାର ସରକାରରେ ରହିବା ପାଇଁ ମଣିଷ ଓ ପ୍ରକୃତି ସହିତ ଯେଉଁ ବେଆଇନ୍ ଖେଳ ଖେଳୁଛନ୍ତି, ତାର ପରିଣାମ ବିଚରା ସାଧାରଣ ମଣିଷ, ବିଶେଷକରି ଆଦିବାସୀମାନଙ୍କୁ ଭୋଗିବାକୁ ହେବ ।

ଥୋବରା ପିଚାର ବଥ

ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ଅନେକ ସ୍ଥାନରେ ପରାଜୟର ମୁଁହ ଦେଖିଥିଲା । କିନ୍ତୁ ଓଭରସ୍ମାର୍ଟ ପଲିଟିସିଆନ ଭାବେ ପରିଚିତ ନରେନ୍ଦ୍ର ମୋଦୀ ଏହାକୁ ମାନୁ ନଥିଲେ । ଲୋକସଭାରେ ବିଜେପି ଏବେ ଦୁଇଟି ଆଶାବାଡ଼ି ସାହାଯ୍ୟରେ ସରକାରରେ ଅଛି । ସେଥିରୁ ଗୋଟିଏ ହେଉଛି ନୀତୀଶ କୁମାରଙ୍କ ଭଳି ଲୋକଙ୍କର ଜଦ(ୟୁ)ଦଳ ଯିଏକି ଯେକୌଣସି ମୁହୂର୍ତ୍ତରେ ରଙ୍ଗ ବଦଳାଇ ନେଇପାରନ୍ତି । ବିଜେପି ପୂର୍ବ ସାଧାରଣ ନିର୍ବାଚନଠାରୁ ଏଥର ପାଖାପାଖି ୬୦ରୁ ଅଧିକ ଆସନ ହରାଇଛି । ତେଣୁ କଂଗ୍ରେସନେତ୍ରୀ ସୋନିଆ ଗାନ୍ଧୀ ଦି ହିନ୍ଦୁରେ କହିଥିଲେ ଯେ ଲୋକସଭା ନିର୍ବାଚନର ଫଳାଫଳକୁ ମୋଦୀ ଏପର୍ଯ୍ୟନ୍ତ ବୁଝି ପାରି ନାହାନ୍ତି । ଗତ ନିର୍ବାଚନରେ ବିଜେପିର ଅବସ୍ଥା କ’ଣ ହୋଇଛି, ସେକଥା ନରେନ୍ଦ୍ର ମୋଦୀ ଜାଣି ପାରୁନାହାନ୍ତି । ସେକଥାକୁ ଖାତିର ନକରି ପାଖାପାଖି ୫୦ ବର୍ଷ ତଳେ ଜାରୀ ହୋଇଥିବା ଏମରଜେନ୍ସୀ କଥାକୁ ଉଠାଇ ନରେନ୍ଦ୍ର ମୋଦୀ, ତାଙ୍କ ରାଷ୍ଟ୍ରପତି, ବାଚସ୍ପତି ସମେତ ସମସ୍ତେ ଲାଗିଛନ୍ତି ।

ଭୋଟର କ’ଣ କହୁଛନ୍ତି? ୨୦୨୪ର ସାଧାରଣ ନିର୍ବାଚନ ପରେ ଗତ ୧୦ତାରିଖରେ ଦେଶର ସାତଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଲା । ଯାହାକୁ ସାଧାରଣ ନିର୍ବାଚନ ପରର ପ୍ରଥମ ସେମିଫାଇନାଲ ବୋଲି କୁହାଯାଉଛି । ଏଗୁଡିକ ହେଉଛନ୍ତି ବିହାରର ରୁପୈଲି, ପଶ୍ଚିମବଙ୍ଗର ରାୟଗଞ୍ଜ, ଦକ୍ଷିଣ ରାଣାଘାଟ, ବାଗଡିହୀ, ମାଣିକତାଲା, ତାମିଲନାଡ଼ୁର ବିକ୍ରବଣ୍ଡୀ, ମଧ୍ୟପ୍ରଦେଶର ଅମରୱାଡ଼ା, ଉତ୍ତରାଖଣ୍ଡର ବଦ୍ରିନାଥ, ମଙ୍ଗଲୁର, ପଞ୍ଜାବର ଜଳନ୍ଧର, ପଶ୍ଚିମ ହିମାଚଳ ପ୍ରଦେଶର ଦେହରା, ହମିରପୁର, ନାଳଗଡ଼ ଆଦି । (ପାଠକେ ! ନାମଗୁଡ଼ିକରେ ଭୁଲଭାଲ ଥାଇପାରେ, ଟିକେ ଠିକ କରିନେବେ) ମୋଟ ୧୩ରୁ ବିଜେପି ମୋଟେ ୨ଟି ଆସନରେ ଜିତିଛି । କଂଗ୍ରେସ ୪ ଟି ଆସନ ଓ ଟିଏମସି ୪ଟି ଆସନରୁ ଜିତିଛନ୍ତି । ଡିଏମକେ ୧ ଓ ଆପ୍ ୧ ଆସନରୁ ଜିତିଛନ୍ତି । ଏମାନେ ସମସ୍ତେ ଇଣ୍ଡିଆ ମେଂଟର ପ୍ରାର୍ଥୀ ହୋଇଥିବା ବେଳେ ବିହାରରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଏନଡିଏର ନୀତୀଶ କୁମାରଙ୍କ ପ୍ରାର୍ଥୀଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ସାତ-ସାତଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପିର ଯେଉଁ ଦଶା ହୋଇଛି, ସେଥିରୁ ମୋଦୀ ଏଥର ଅନ୍ତତଃ ବୁଝିଯିବା ଉଚିତ୍ ଯେ ସିଏ କାଗଜପତ୍ରରେ ଥିଲେ ବି ବାସ୍ତବରେ ଭାରତର ପ୍ରଧାନମନ୍ତ୍ରୀ ନାହାନ୍ତି । ଶୁଣାଯାଉଛି ଯେ କେବଳ ମୋଦୀ ନୁହନ୍ତି, ମୋଦୀଙ୍କୁ ନିର୍ବାଚନରେ ଖର୍ଚ୍ଚ କରିବାପାଇଁ ପ୍ରଚୁର କଳାଟଙ୍କା ଯୋଗାଉଥିବା କର୍ପୋରେଟ ବୋପାମାନେ ମଧ୍ୟ କଥାଟିକୁ ବୁଝିଗଲେଣି । ତେଣୁ ସେମାନେ ମୋଦୀଙ୍କୁ କାଳେ ତାଗିଦ୍ କରି ଦେଇଛନ୍ତି ଯେ ତାଙ୍କ ସରକାର ତୁରନ୍ତ ୩ଟି ଶ୍ରମିକବିରୋଧୀ ଶ୍ରମକୋଡକୁ ଲାଗୁ କରନ୍ତୁ । ଏହି ଧନୀ ସଂସ୍ଥାମାନେ ନିର୍ବାଚନବେଳେ କେନ୍ଦ୍ର ସରକାରରେ ଥିବା ଦଳକୁ ଭଲ ଚାନ୍ଦା ଦେଇଛନ୍ତି । ତେଣୁ ସେମାନଙ୍କର ସ୍ୱର ଚଢ଼ିବା ଓ ଦାବି ବଢ଼ିବା ସ୍ୱାଭାବିକ । ସେମାନେ ସେମାନଙ୍କ କାରଖାନା ଓ ଖଣିଖାଦାନରେ ଉତ୍ପାଦନ ଖର୍ଚ୍ଚ କମ୍ କରିବାକୁ ଚାହାନ୍ତି । ସେକଥା ସେମାନେ କେବଳ ଶ୍ରମିକମାନଙ୍କୁ କମ ମଜୁରିରେ ଅଧିକ ଖଟାଇ କରିପାରିବେ । ସେମାନେ ଚାହାନ୍ତି ଶ୍ରମିକମାନେ ଯେତେ କମ ପଇସା ଦେଇ ଯେତେ ଅଧିକା କାମ କରିବେ ମାଲିକମାନଙ୍କୁ ସେତେ ଲାଭ ମିଳିବ । ସେଥିପାଇଁ ସେମାନେ ନୂଆ ଶ୍ରମକୋଡକୁ ତୁରନ୍ତ ଲାଗୁ କରାଇବାକୁ ଚାହୁଁଛନ୍ତି । ହେଲେ ଏବେ ମୋଦୀଙ୍କର ଯେଉଁ ଅବସ୍ଥା, ସେଥିରେ ସେ ଏହା କରାଇପାରିବେ କି ନାହିଁ; ସେଇଟା ଏବେକାର ସବୁଠାରୁ ବଡ଼ ପ୍ରଶ୍ନ ହୋଇଯାଇଛି ।

ଏବେ ନବୀନବାବୁ ବୁଝିଯିବେ!

୧୭ ଅପ୍ରେଲ ୧୯୯୭ରେ ବିଜୁ ବାବୁଙ୍କର ଦେହାନ୍ତ ହୋଇଗଲା । ମୃତ୍ୟୁ ପରେ ଜଣାପଡ଼ିଥିଲା ବିଜୁବାବୁ କେତେ ଲୋକପ୍ରିୟ ଥିଲେ । ଏହି ଲୋକପ୍ରିୟତାରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଓଡ଼ିଶା ଓ ଭାରତର ବହୁ ନେତା ଲାଗି ପଡ଼ିଥିଲେ । କିନ୍ତୁ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ ହିଁ ଶେଷରେ ଏହାକୁ ସଂସ୍ଥାଗତ କରାଇ ୨୬ ଡିସେମ୍ବର ୧୯୯୭ରେ ବିଜୁବାବୁଙ୍କ ନାଁଆରେ ଗୋଟିଏ ଆଂଚଳିକ ରାଜନୈତିକ ଦଳ ତିଆରି କରିଦେଲେ । ବିଜୁବାବୁ ଶେଷ ପର୍ଯ୍ୟନ୍ତ ଯେଉଁ ଜନତା ଦଳରେ ଥିଲେ , ତାହା ବିଭାଜିତ ହୋଇଗଲା । ପ୍ରଥମେ କିଛିବର୍ଷ କେନ୍ଦ୍ର ମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ୨୦୦୦ରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଲେ । ଅନ୍ୟାନ୍ୟ କଥା ସହିତ ବିଜୁବାବୁଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରର ଓଡ଼ିଶାକୁ ଅବହେଳା ଓ ଓଡ଼ିଶାର ବିକାଶ ବିଜେଡିର ରାଜନୈତିକ ପୁଞ୍ଜି ହୋଇଥିଲା । ପ୍ରଥମେ ରାଜନୈତିକ ନେତା ରାମକୃଷ୍ଣ ପଟ୍ଟନାୟକ, ଅଶୋକ ଦାସ, ତାପରେ ବିଜୟ ମହାପାତ୍ର, ପରେ ପ୍ୟାରୀମୋହନ ମହାପାତ୍ର ଓ ଶେଷକୁ ଭି.କେ. ପାଣ୍ଡିୟାନଙ୍କ ଜରିଆରେ ନବୀନବାବୁ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାର ମହୁ ଆସ୍ୱାଦନ କଲେ । ସେତେବେଳେ ନବୀନବାବୁ ବୁଝି ଯାଇଥିଲେ ରାଜନୀତିର ରଙ୍ଗ ବଡ଼ ଉଜ୍ଜ୍ୱଳ । ଧୁମ୍ ମିଠା । ହେଲେ ସେହି ଉଜ୍ଜଳତା ମଧ୍ୟ ବେଳେବେଳେ ଆଖି ଝଲସାଇ ଦିଏ । ନବୀନବାବୁଙ୍କର ମଧ୍ୟ ଝଲସି ଗଲା । ସେହି ଆଖିଝଲସା ଉଜ୍ଜ୍ୱଳତା ନବୀନବାବୁଙ୍କୁ ଅନ୍ଧ କରିଦେଲା । ୨୦୨୪ରେ ସେ ଦେଖିଲେ ରାଜନୈତିକ ଅନ୍ଧାରର ଚିତ୍ର ଯାହାକୁ ସେ ଏବେ ‘ଡାର୍କ ସାଇଡ’ ବୋଲି କହୁଛନ୍ତି । ନବୀନବାବୁ ଏବେ ବୁଝିବେ ଜାହାଜଟିଏ ବୁଡିବାବେଳେ କିଭଳି ମୂଷାମାନେ ଜୀବନ ବଂଚାଇବା ପାଇଁ ସେଥିରୁ ସମୁଦ୍ରକୁ ଡେଇଁ ଥାଆନ୍ତି । ଗତ ନିର୍ବାଚନ ବେଳୁ ଅନେକ ସୁବିଧାବାଦୀ ମୂଷା ବିଜେଡି ଜାହାଜରୁ ଡେଇଁ ବିଜେପି ଡଙ୍ଗାରେ ବସି ଯାଇଥିଲେ । ତାଙ୍କର ଲହୁଣି ଆସ୍ୱାଦନ ଜାରୀ ରହିଛି । ଯେତିକି ବାକିଥିଲେ ଯାହାଙ୍କୁ ନବୀନବାବୁ ନିଜର ଭାବିଥିଲେ ସେଥିରୁ ପ୍ରଥମ ମୂଷା ହେଉଛନ୍ତି ମମତା ମହାନ୍ତ । ସିଏ ପ୍ରମାଣ କଲେ ଯେ ୨୦୨୦ ଏପ୍ରିଲ ୩ ତାରିଖରେ ତାଙ୍କୁ ରାଜ୍ୟସଭାକୁ ପଠାଇବା ଦିନ ସିଏ ଯେଉଁ ନବୀନ ପଟ୍ଟନାୟକଙ୍କୁ ଦେଖିଥିଲେ ଏବେ ସିଏ ଆଉ ସେଇଆ ନାହାନ୍ତି । ତାଙ୍କ ଦଳ ବିଜେଡି ମଧ୍ୟ ସେହି ସ୍ଥାନରେ ନାହିଁ । ଏବେ ବିଜେପି । ଯେଉଁଥିରେ ମମତା ଖୁବ ଶୀଘ୍ର ଯୋଗଦେବେ ବୋଲି କୁହାଚାଲିଛି । ଆମେ ଜାଣିନାହୁଁ ଆଉ କିଏ କିଏ ମମତାଙ୍କ ପଦାଙ୍କ ଅନୁସରଣ କରିବେ । ତେବେ ଖୁବ ଶୀଘ୍ର ନବୀନବାବୁ ରାଜନୀତିର ଏହି ଭୟଙ୍କର କଥାଟିକୁ ସହଜରେ ବୁଝିପାରିବେ ବୋଲି ଅଶା କରାଯାଇପାରେ ।

Comments

0 comments

Share This Article