ସମ୍ବିଧାନ ସୁରକ୍ଷାରେ ଗଣମାଧ୍ୟମ

ଭଳି ଏକ ଶିରୋନାମାରେ ଗତ ଜୁଲାଇ ୨୧, ୨୦୨୪ ଦିନ ରାଉରକେଲାର ପ୍ରତିଷ୍ଠିତ ସଂସ୍ଥା ‘କଲ୍ଚରାଲ ଏକାଡ଼େମୀ’ ତରଫରୁ ଏକ ବକ୍ତୃତାର ଆୟୋଜନ କରାଯାଇଥିଲା । ଆମେ ଆୟୋଜକମାନଙ୍କୁ ଧନ୍ୟବାଦ ଦେବା କଥାଯେ ବର୍ଷ ବର୍ଷ ଧରି ସେମାନେ ଯେଉଁ ଆଲୋଚନାମାନ ପତ୍ରପତ୍ରିକା ଦିବସରେ କରିଆସୁଥିଲେ ଏହିଥର ସମ୍ବିଧାନର ସୁରକ୍ଷା କ୍ଷେତ୍ରରେ ‘ଗଣମାଧ୍ୟମ’ କେତେ କାମ କରୁଛି, ତାହାର ଏକ ସମୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗଣମାଧ୍ୟମ ସମ୍ବିଧାନର ସୁରକ୍ଷା କେତେ କରୁଛି, ତାହା ବିଗତ କିଛିବର୍ଷର ଘଟଣାକ୍ରମ ଦେଖିଲେ ସ୍ପଷ୍ଟ ବାରି ହେଇଯାଉଛି । ଗୋଟିଏ କଥା କିନ୍ତୁ ଭାରତର ଜନଗଣ ଆଜିର ଦିନରେ ଦେଖି ଚାଲିଛନ୍ତି ଯେ ଗଣମାଧ୍ୟମ କିପରି ସମ୍ବିଧାନକୁ ବିପନ୍ନ କରୁଥିବା ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ଯେତେବେଳେ ଅଧିକ ଲାଭର ନିର୍ଭରଯୋଗ୍ୟ ପ୍ରତିଶୃତି ମିଳୁଛି ସେତେବେଳେ ଗଣମାଧ୍ୟମ ସଂସ୍ଥାମାନେ କାହାକୁ ଦେଖିବେ: ପ୍ରତିଶୃତି ଦେଉଥିôବା ଲୋକଟିକୁ ବା ଶାସକବର୍ଗକୁ ନା ଭାରତର ସମ୍ବିଧାନକୁ!

ଗଣମାଧ୍ୟମ କହିଲେ ଆଜିର ଦିନରେ ଖବରକାଗଜ/ପତ୍ରପତ୍ରିକା ହେଉ ବା ଟିଭି ଚ୍ୟାନେଲ୍ ହୁଅନ୍ତୁ ଅଥବା ଡିଜିଟାଲ୍ ଖବର ମାଧ୍ୟମଗୁଡ଼ିକ ହୁଅନ୍ତୁ ; ଯେଉଁମାନେ ବିନା ବିଜ୍ଞାପନରେ ଦିନଟିଏ ବି ତିଷ୍ଠି ରହିପାରିବେ ନାହିଁ, ସାଧାରଣତଃ ସେମାନଙ୍କୁ ବୁଝାଏ । ଆମେ ଆଗରୁ କହିସାରିଛୁ ଯେ ଏଭଳି ଗଣମାଧ୍ୟମ ପାଇଁ ଆଜିର ଦିନରେ ସୁବର୍ଣ୍ଣଯୁଗ ଆସିଛି । ଆଶାତୀତ ଲାଭ କରିହେବ ଏବଂ ଜନମତକୁ ପ୍ରଭାବିତ କରି ପ୍ରଭାବଶାଳୀ ଗୋଷ୍ଠିର ସ୍ୱାର୍ଥକୁ ଆଗକୁ ନେଇହେବ । ସେମାନଙ୍କ ଆଗରେ ଦୁଇଟି ରାସ୍ତା ରହିଛି; ଗୋଟିଏ ହେଲା ଗଣମାନଙ୍କ ପାଇଁ ମାଧ୍ୟମ ହୋଇ ଗଣମାନଙ୍କ କଥା ଶାସକବର୍ଗ ଓ ଅବଶିଷ୍ଟ ସମାଜକୁ ଜଣାଇବା ଏବଂ ଅନ୍ୟଟି ହେଲା ଆର୍ଥିକ ପୁଞ୍ଜି ବା ଥିଲାବାଲାଙ୍କର ପ୍ରତିନିଧି ସାଜି ସେମାନଙ୍କର ସ୍ୱାର୍ଥ ସାଧନ କରିବା, ଯେଉଁ ରାସ୍ତାଟିକୁ ଅଧିକାଂଶ ଗଣମାଧ୍ୟମ ଆପଣାଇ ସାରିଛନ୍ତି । ଗଣମାନଙ୍କ ପାଇଁ ଯଦି କାମ କରିବାର ଉଦ୍ଦେଶ୍ୟ ରୁହନ୍ତା, ତେବେ ଯାଇ ସେମାନେ ସମ୍ବିଧାନରେ ଗଣମାନଙ୍କର ସୁରକ୍ଷା ଓ ଅଧିକାର ପାଇଁ କ’ଣ ସବୁ ବ୍ୟବସ୍ଥା ରହିଛି ବୁଝିବା ପାଇଁ ପ୍ରୟାସ କରିଥାନ୍ତେ ଏବଂ ସେ ସବୁର ଉଲ୍ଲଂଘନ ବେଳେ ସ୍ୱର ଉଠାଇଥାନ୍ତେ । ସମ୍ବିଧାନର ଧାରା ୧୯(୧)(କ)ରେ ଯେଉଁ “କହିବାର ବା ଅଭିବ୍ୟକ୍ତିର ମୌଳିକ ଅଧିକାର” ଜନଗଣଙ୍କୁ ଦିଆଯାଇଛି, ତାହାର ସୁଯୋଗ ନେବାପାଇଁ ଗଣମାଧ୍ୟମ ସାମୂହିକ ଭାବେ ଚାହିଁଥିଲେ ସେମାନେ ପ୍ରବଳ ପରାକ୍ରମୀ ଶାସକଦଳ ଥିଲେବି ଖାତିର ନକରି ଜନଗଣଙ୍କ କଥା ଓ ବ୍ୟଥା ଉପସ୍ଥାପନ କରିପାରିଥାନ୍ତେ । କିନ୍ତୁ ସେମାନେ ଲାଭ ଓ ଲୋଭର ରାସ୍ତାଟିକୁ ବାଛିନେଲେ । ଏହାର ପରିଣାମସ୍ୱରୂପ ଜନଗଣଙ୍କର ମୌଳିକ ଅଧିକାର ଯେ କେବଳ ବିପନ୍ନ ହେଉ ନାହିଁ ବରଂ ଏହି ଅଧିକାରର ଉଲଙ୍ଘନକାରୀ ମାନେ ଗଣମାଧ୍ୟମର ସୁରକ୍ଷା ପାଇ ଆସିଛନ୍ତି ।

ଆମେ ଆଗରେ ଥିବା ଗବେଷଣାରୁ ମିଳୁଥିବା ତଥ୍ୟ ଗୁଡ଼ିକୁ ଯଦି ଏକାଠି କରି ଦେଖିବା, ତେବେ ଜଣାପଡ଼ିବ ଯେ ଗଣମାଧ୍ୟମର ପ୍ରାଥମିକତା ତାଲିକାରେ ଗଣମାନେ ନାହାଁନ୍ତି । ସେମାନେ ଯେଉଁ ପଥରେ ଚାଲିଛନ୍ତି ଯଦି ପଛକୁ ଟିକେ ଚାହିଁବେ ତାହାହେଲେ ହିଁ ଯାଇ ଗଣମାନେ ଦେଖାଯିବେ । କିନ୍ତୁ ତଥ୍ୟ କହୁଛି ସେମାନେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । ଏବେ ଗଣମାଧ୍ୟମ ସାଙ୍ଗରେ ମନୋରଞ୍ଜନ କ୍ଷେତ୍ରକୁ ଏକାଠି ଦେଖାଯାଉଛି । ଏହାର ଅନ୍ୟ ଏକ କାରଣ ହୋଇପାରେ ଯେ ଉଭୟ କ୍ଷେତ୍ର କମ୍ପାନୀମାନଙ୍କ ସୌଜନ୍ୟରୁ ମନୋରଞ୍ଜନ କ୍ଷେତ୍ରରେ ପରିଣତ ହୋଇଯାଇଛନ୍ତି । ଏହି କ୍ଷେତ୍ରର ଅଭିବୃଦ୍ଧିର ଯାତ୍ରାପଥଟି ରୋମାଞ୍ଚକର । ଏମାନଙ୍କର ସାମଗ୍ରିକ କାରବାର ଯାହା ୨୦୧୯ବେଳକୁ ୧୭ହଜାର ୩ଶହ କୋଟି ଟଙ୍କାଥିଲା, ତାହା ୨୦୨୪ ବେଳକୁ ୨ଲକ୍ଷ ୫୫ହଜାର କୋଟି ଟଙ୍କାରେ ଆସି ପହଞ୍ଚିଲା ଏବଂ ଆକଳନ କରାଯାଇଛି ଯେ ୨୦୨୬ ବେଳକୁ ୩ଲକ୍ଷ ୮୦ହଜାର କୋଟି ଟଙ୍କାରେ ପହଞ୍ଚିବ । ଏଭଳି ଆକଳନ ଜଣାଶୁଣା କମ୍ପାନୀମାନେ କରିଚାଲିଛନ୍ତି । ଭାରତରେ ଡିଜିଟାଲ୍ କ୍ଷେତ୍ରର ବିକାଶ ମୋଦୀଙ୍କ ଶାସନରେ ବେଶ୍ ପ୍ରାଧାନ୍ୟ ପାଇଆସିଛି । ଡିଜିଟାଲ ଇଣ୍ଡିଆ ନାମରେ ଶିଳ୍ପପତି ମୁକେଶ ଅମ୍ବାନୀ ୨ଲକ୍ଷ ୫୦ହଜାର କୋଟି ଟଙ୍କା ଖର୍ଚ୍ଚକରି ଡିଜିଟାଲ ଭିତ୍ତିଭୂମିର ନିର୍ମାଣ କରିଚାଲିଛନ୍ତି । ଯେହେତୁ ଆଣ୍ଡ୍ରଏଡ଼୍ ମୋବାଇଲ୍ ଫୋନ୍ ସେଟ୍ ର ବ୍ୟାପକ ବିକ୍ରି ଚାଲିଛି ଏବେ ଆମ ଲୋକମାନେ ବିଶେଷ କରି ଯୁବଗୋଷ୍ଠି ପକେଟ୍ ଭିତରେ ରଖୁଥିବା ମୋବାଇଲ୍ ଫୋନ୍ ସେଟ୍ ରେ ତତ୍କାଳିକ ଖବର ସବୁ ପାଇଯିବାରେ ଅସୁବିଧା କିଛି ନାହିଁ । ଏହି ଗଣମାଧ୍ୟମ ଶିଳ୍ପର ନିଜର ଆକଳନ ଅନୁଯାୟୀ ପାରମ୍ପରିକ ଗଣମାଧ୍ୟମ ଯଥା- ଟେଲିଭିଜନ ଓ ରେଡ଼ିଓର ବଜାରରେ ଯଥାକ୍ରମେ ୮୦କୋଟି ଓ ୪୦କୋଟି ଖାଉଟି ଅଛନ୍ତି ତେବେ ଡିଜିଟାଲ୍ ଗଣମାଧ୍ୟମର ବଜାରଟି ବଢ଼ି ବଢ଼ି ଚାଲିଛି ଏବଂ ଏଥିରେ ୬୦କୋଟି ଖାଉଟି ଅଛନ୍ତି । ଏମାନଙ୍କ ତୁଳନାରେ ଛାପା ଗଣମାଧ୍ୟମର ବଜାରଟି ବଡ଼ ନୁହଁ ଏବଂ ଏଥିରେ ମାତ୍ର ୩୦କୋଟି ଖାଉଟି ଅଛନ୍ତି । ଆମେ ଏଠି ଖାଉଟି ଶବ୍ଦଟି ନିଜେ ଆଣି ନାହୁଁ । ଏବେ ଖବରକାଗଜ ପଢ଼ୁଥିବା ବା ଟେଲିଭିଜନ ଦେଖୁଥିବା ଲୋକଙ୍କୁ ପାଠକ ବା ଦର୍ଶକ କୁହାଯାଉ ନାହିଁ । ଶିଳ୍ପର ନୂତନ ସଂଜ୍ଞା ନିରୂପଣରେ ଏମାନେ ସମସ୍ତେ ‘ଖବର ଖାଉଟି’ ହୋଇସାରିଛନ୍ତି । ଅର୍ଥାତ୍ ଏମାନେ ଖାଦ୍ୟ ଦରବ ଭଳି ଖବର ଖାଇବେ ଏବଂ ଗଣମାଧ୍ୟମ ସଂସ୍ଥାମାନେ କିଛି ପାଉଣା ନେଇ ଖବର ପରିବେଷଣ କରିବେ । ଏମିତିରେ ଶିଳ୍ପସଂସ୍ଥା ମାନଙ୍କର ନିଜର ତଥ୍ୟ ଅନୁଯାୟୀ ଆମ ଗଣମାନେ ୨ଲକ୍ଷ ଘଣ୍ଟାର ଖବର ଓ ମନୋରଞ୍ଜନ ବର୍ଷକୁ ଖାଉଛନ୍ତି । ତଥାପି ଶିଳ୍ପପତି ମାନଙ୍କର ଚିନ୍ତାଯେ ଭାରତର ୩ଭାଗରୁ ଏକଭାଗ ଲୋକଙ୍କ ପାଖରେ ଟେଲିଭିଜନ ନାହିଁ, ଭାରତର ଅର୍ଦ୍ଧାଧିକ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି ନାହିଁ ଏବଂ ୧୦ଜଣଙ୍କ ଭିତରୁ ଜଣଙ୍କ ପାଖରେ ହିଁ ବ୍ରଡ଼ବ୍ୟାଣ୍ଡ୍ ସଂଯୋଗ ରହିଛି । ଏହି ସବୁ ତଥ୍ୟ ସେମାନେ ଆମକୁ ଜଣାଇବା ପାଇଁ ଗବେଷଣା କରିନାହାଁନ୍ତି । ସେମାନଙ୍କର ଉଦ୍ଦେଶ୍ୟ ଗଣମାଧ୍ୟମ ଶିଳ୍ପର ବିକାଶ ପାଇଁ ଆଗକୁ କଣ କଣ ସମ୍ଭାବନା ସବୁ ରହିଛି ଏବଂ ତାହାକୁ କିପରି ବିନିଯୋଗ କରାଯାଇ ପାରିବ । ଗଣମାଧ୍ୟମର ସ୍ୱାଧୀନତା ଆଗକୁ କ’ଣ ରହିବ ଏଥିରୁ ଆମେ ପୂର୍ବାନୁମାନ କରିପାରିବା ।

ଗଣମାଧ୍ୟମ ଚଳାଉଥିବା ଲୋକମାନେ ଅନ୍ୟସବୁ ବେପାରରେ ପଶିବା, ଯେଉଁଠି ଶାସକବର୍ଗଙ୍କର ଅନୁଗ୍ରହ ବିନା ବେପାର କରିବା ଅସମ୍ଭବ ଏବଂ କେବଳ ରାଜସ୍ୱ ବୃଦ୍ଧି ଗଣମାଧ୍ୟମର ଏକ ମାତ୍ର ଲକ୍ଷ୍ୟ ହୋଇଯିବା କଥାଟି ସମ୍ବିଧାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଚାଲିଛି । ୨୦୨୩ ମସିହାରେ ଭାରତର ଟେଲିଭିଜନମାନେ ବିଜ୍ଞାପନ ଆକାରରେ ୨୯ହଜାର ୭ଶହ କୋଟି ଟଙ୍କା ପାଇଥିଲେ । କୁହାଯାଉଛି ଯେ ପୂର୍ବବର୍ଷ ତୁଳନାରେ ଏହା ଟିକେ କମିଯାଇଛି । ସେହିଭଳି ଆଉ ଏକ ରିପୋର୍ଟରେ ସୂଚନା ମିଳୁଛି ଯେ ଛାପା ଗଣମାଧ୍ୟମର ଆୟ ଯାହା ୨୦୨୧ରେ ୧୬ହଜାର ୫ଶହ ୯୫କୋଟି ଟଙ୍କା ଥିଲା, ତାହା ୨୦୨୨ବେଳକୁ ୧୮ହଜାର ୪ଶହ କୋଟି ଟଙ୍କାରେ ପହଞ୍ଚିଲା ଏବଂ ୨୦୨୩ରେ ୧୯ ହଜାର ୨ଶହ ୫୦କୋଟି ଟଙ୍କାରେ ପହଞ୍ଚିଥିଲା । ଭାରତର ଛାପା ଗଣମାଧ୍ୟମ ବିଜ୍ଞାପନ ବଜାରରେ ସବୁଠାରୁ ଅଧିକ ଆୟ କରିଛି । ପଡ଼ୋଶୀ ଚୀନ୍’ର ଗଣମାଧ୍ୟମ ବିଜ୍ଞାପନ ବଜାରରେ ଆୟ ପ୍ରାୟତଃ କିଛି ନାହିଁ । ଅଧିକ ବିଜ୍ଞାପନ ପାଇବାର ପ୍ରତିଯୋଗିତା ଭାରତରେ ଗଣମାଧ୍ୟମକୁ ଉଭୟ ସମ୍ବିଧାନ ଓ ଗଣମାନଙ୍କ ନିକଟରୁ ଦୂରେଇ ନେଇ ଚାଲିଛି । ଅଧିକ ବିଜ୍ଞାପନ ଓ ନିଉଜ୍ ପ୍ରିଣ୍ଟ (ଖବରକାଗଜ ଛପାଇବା ପାଇଁ ସରକାରୀ ଦରରେ ମିଳୁଥିବା କାଗଜ) ପାଇବା ଆଶାରେ ଖବରକାଗଜମାନେ ପ୍ରାୟ ପାଠକଙ୍କ ସଂଖ୍ୟା ମିଛରେ ବଢ଼ାଇ ଦେଇଥାନ୍ତି ।

ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଦିନକୁ ଦିନ ଖରାପ ହୋଇଚାଲିଥିବା ଯୋଗୁଁ ପଶ୍ଚିମଦେଶର ମଧ୍ୟବିତ୍ତ ଶ୍ରେଣୀର ଏବଂ ସାଧାରଣ ଲୋକଙ୍କର କ୍ରୟଶକ୍ତି ଦିନକୁ ଦିନ ହ୍ରାସ ହୋଇ ଚାଲିଛି ଓ ପୁଞ୍ଜିଲଗାଣର କ୍ଷେତ୍ର ସବୁ ସଙ୍କୁଚିତ ହୋଇଚାଲିଛି ଯାହା ଫଳରେ ସେହି ସବୁ ଦେଶମାନଙ୍କରେ ପୁଞ୍ଜି ଲଗାଣ ପାଇଁ ବା ଟଙ୍କା ଖଟାଇବା ପାଇଁ କମ୍ପାନୀମାନେ ଚାହୁଁ ନାହାଁନ୍ତି । ସେହି ସବୁ ଦେଶରେ ଯାହାବି ଜଳ, ଜମି ଓ ଜଙ୍ଗଲ ଥିଲା ସବୁ ଘରୋଇ କମ୍ପାନୀମାନଙ୍କର ମାଲିକାନାକୁ ଆସି ସାରିଛି ବା ନାମକୁ ମାତ୍ର ରାଷ୍ଟ୍ର ନିୟନ୍ତ୍ରଣରେ ରହିଛି । ବଜାର ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ୍ ଗୁଡ଼ିକ ଭାରତ ଭଳି ଦେଶ ମାନଙ୍କରେ ମହଜୁଦ ରହିଛି । ଏଠି କୁହାଯାଇ ପାରେଯେ ‘ବିକଶିତ’ ଦେଶମାନଙ୍କରେ ପ୍ରାକୃତିକ ସମ୍ବଳଗୁଡ଼ିକ ପ୍ରାୟତଃ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିବା ବେଳେ, ଭାରତ ଭଳି ‘ବିକାଶଶୀଳ’ ଦେଶ ମାନଙ୍କରେ ପ୍ରାକୃତିକ ସମ୍ପଳଗୁଡ଼ିକର ନିୟନ୍ତ୍ରଣ ଘରୋଇ କମ୍ପାନୀମାନଙ୍କ ହାତକୁ ଏଯାବତ୍ ପୁରାପୁରି ଯାଇନାହିଁ ଯଦିଓ ଯିବାର ପ୍ରକ୍ରିୟା ଜାରି ରହିଛି । ଭାରତ ଭଳି ‘ବିକାଶଶୀଳ’ ଦେଶମାନଙ୍କରେ ପ୍ରାକୃତିକ ସମ୍ବଳ (ଖଣିଜ ପଥର, ଜଙ୍ଗଲ ଓ ଜଳସମ୍ପଦ)ର ଲୁଣ୍ଠନ ଓ ନିୟନ୍ତ୍ରଣ କାମଟି ଘରୋଇ କମ୍ପାନୀମାନଙ୍କ ହାତକୁ ଯାଇ ପାରୁନାହିଁ ଯେହେତୁ ପ୍ରତିଟି କ୍ଷେତ୍ରରେ ଜନ ପ୍ରତିରୋଧ ଜାରି ରହିଛି । ବର୍ତ୍ତମାନର ସରକାର କେତେ ଚେଷ୍ଟା କଲେ ବି ଏବଂ ଅନୁସୂଚିତ ଅଞ୍ଚଳରେ (ଯେଉଁଠି ପ୍ରାକୃତିକ ସମ୍ପଦ ଭରି ରହିଛି) ଆଦିବାସୀ ଓ ପାରମ୍ପାରିକ ଜଙ୍ଗଲଜୀବୀଙ୍କର ସୁରକ୍ଷା ପାଇଁ ଦେଇଥିବା ପେସା ଆଇନ୍-୧୯୯୬, ଜଙ୍ଗଲ ଅଧିକାର ଆଇନ-୨୦୦୬, ଅନ୍ୟାନ୍ୟ ଜମି ଅଧିଗ୍ରହଣ ସମ୍ପର୍କିତ ସଂଶୋଧନ ଆଇନ(୨୦୧୩) ଇତ୍ୟାଦି ସବୁକୁ କମ୍ପାନୀମାନଙ୍କ ହିତରେ କୋହଳ କରାଇ ଚାଲିଥିଲେ ବି ସେହି ସବୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିପାରି ନାହାଁନ୍ତି । ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିବାଦର ସ୍ୱର ବଢ଼ି ବଢ଼ି ଚାଲିଛି । ଏହି ସମ୍ବଳର ଲୁଣ୍ଠନ ପାଇଁ ଚାଲିଥିବା ଷଡ଼ଯନ୍ତ୍ର ଓ ସେହି ଷଡ଼ଯନ୍ତ୍ର ବିରୋଧରେ ପ୍ରତିବାଦ ଯେଉଁ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି ସେଥିରେ ଲୁଣ୍ଠନକାରୀଙ୍କ ସପକ୍ଷରେ ଏବଂ ପ୍ରତିବାଦକୁ ଦମନ କରିବା କ୍ଷେତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ କେତେକ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ରହି ଆସିଛି । ଅର୍ଥାତ୍ ଗଣମାଧ୍ୟମକୁ ହାତବାରିସୀ ନକରି କୌଣସି କର୍ପୋରେଟ ଶକ୍ତି ଲୋକଙ୍କ ହାତରୁ ଜମି, ଜଙ୍ଗଲ ଏବଂ ଅନ୍ୟାନ୍ୟ ସମ୍ବଳ ନେଇ ପାରିବେ ନାହିଁ ।

କୁହାଯାଉଛିଯେ ପଶ୍ଚିମ ଦେଶମାନଙ୍କରେ ପ୍ରଗତିର ପଥଟି ଏବଂ ଆର୍ଥôକ ଅଭିବୃଦ୍ଧିଟି ଭାରତ ଭଳି କ୍ରମଶଃ ବଢ଼ି ଚାଲିଥିବା ବଜାର ସହିତ ଯୋଡ଼ି ହୋଇ ରହିଛି । ଉପନିବେଶବାଦ ହଟିଯିବାର ଭ୍ରମଟିଏ ସୃଷ୍ଟି ହେବା ଫଳରେ ପୁଞ୍ଜିଲଗାଣ ନାମରେ ସେହି ଉପନିବେଶବାଦ ଶକ୍ତିମାନେ ଭାରତରେ ପ୍ରବେଶ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ଏଭଳି ଉଦ୍ୟମ ପାଇଁ ୯୦ଦଶକରେ ଆରମ୍ଭ ହୋଇଥିବା ଆର୍ଥôକ ସଂସ୍କାର କାର୍ଯ୍ୟକ୍ରମଟି ବେଶ୍ ସହାୟକ ହୋଇଛି । ପୂର୍ବ ଉପନିବେଶ ଢାଞ୍ଚାରେ ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ନିଜ ନିୟନ୍ତ୍ରଣରେ ରଖୁଥିଲା । ଏବେକାର ନୂଆ ଉପନିବେଶବାଦରେ ଗୋଟିଏ ଦେଶକୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ନିଜ ନିୟନ୍ତ୍ରଣରେ ରଖିବାର ପ୍ରଚେଷ୍ଟା କରୁଛନ୍ତି । ଯେହେତୁ ସେମାନଙ୍କର କୌଣସି ଭୌଗଳିକ ପରିସୀମା ନାହିଁ , ସେମାନଙ୍କୁ ଦେଶର ଏବଂ ଜନଗଣଙ୍କର ଶତ୍ରୁ ହିସାବରେ ବିଚାର କରିବା ଆମ ଲୋକମାନଙ୍କ ପାଇଁ ସହଜ ହେଉନାହିଁ । ଯଦିଓ ମାଳିପର୍ବତ, ସିଜିମାଳି, ନିୟମଗିରିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଯାଏଁ ସବୁଠି ଏହି ଶକ୍ତିମାନଙ୍କୁ ଲୋକେ ଚିହ୍ନଟ କରି ପ୍ରତିରୋଧ କରୁଛନ୍ତି । କିନ୍ତୁ ରାଜ୍ୟର ବା ଦେଶର ଅବଶିଷ୍ଟ ଅଞ୍ଚଳରେ ଏହାର କୌଣସି ପ୍ରଭାବ ନାହିଁ ଯେହେତୁ ଗଣମାଧ୍ୟମ ଏହି ନୂଆ ଉପନିବେଶକାରୀମାନଙ୍କର ହିତରେ କାମକରି ପ୍ରତିବାଦର ଖବର ପ୍ରସାର କରୁନାହାଁନ୍ତି ।

ଏହି ସବୁକଥା କେବଳ ପ୍ରାକୃତିକ ସମ୍ବଳର ଲୁଣ୍ଠନ, ଲୁଣ୍ଠନର ପ୍ରତିବାଦ ଏବଂ ଆମର ଖାଉଟି ହେବାର ଅଭ୍ୟାସକୁ ଅଧିକ ସୃଦୃଢ଼ କରିବାରେ ସୀମିତ ନୁହେଁ । ସବୁ କାମପାଇଁ ଏକ ସହଜ ବାତାବରଣ ଓ ଗ୍ରହଣ କରିବାରେ ମାନସିକତା ସୃଷ୍ଟି କରିବା ଅଧିକ ଜରୁରୀ ବୋଲି ଏହି ସବୁ ମିଳିତ ଶକ୍ତିମାନେ ଅନୁଭବ କରିଥାନ୍ତି । ସେମାନେ ଏହି କାମଟି କରିବା ପାଇଁ ଗଣମାଧ୍ୟମକୁ ଏକ ବ୍ରହ୍ମଅସ୍ତ୍ର ହିସାବରେ ପ୍ରୟୋଗ କରିଥାନ୍ତି । ସେଥିରେ କେବଳ ଖବର ପରିବେଷଣକୁ ପ୍ରାଧାନ୍ୟ ଦିଆଯାଇ ନଥାଏ ବରଂ ଗ୍ରହଣ କରିବାର ମାନସିକତା ସୃଷ୍ଟି କରିବା ପାଇଁ ଟିଭି ଧାରାବାହିକ/ ମନୋରଞ୍ଜନ ଓ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ଅଧିକ ସମୟ ପରିବେଷଣ କରାଯାଇଥାଏ । ଦର୍ଶକମାନଙ୍କୁ ଏକୁଟିଆ କରାଇବା, ସେମାନଙ୍କ ଭିତରେ ହାଲକା ମନୋଭାବ ସୃଷ୍ଟି କରାଇବା, ନ୍ୟାୟପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଉଥିବା ଜନ ପ୍ରତିବାଦ ପ୍ରତି ଉଦାସୀନ ମନୋଭାବ ସୃଷ୍ଟି କରିବା ଇତ୍ୟାଦି କାମ ନିରନ୍ତର ଚାଲିଥାଏ । ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲାଯେ ପ୍ରଶ୍ନ ନକରି ଗ୍ରହଣ କରିବାର ମାନସିକତାଟିକୁ ସୁଦୃଢ଼ କରାଇବା । ଏହି ସବୁକଥା ଅଣରାଜନୈତିକ ଜଣାପଡ଼ୁଥିଲେ ବି ବାସ୍ତବରେ ଏହା ଜନବିରୋଧି ଏବଂ ଦେଶର ସାର୍ବଭୌମତ୍ୱକୁ ବିପନ୍ନ କରୁଥିବା ଏକ ଭୟଙ୍କର ରାଜନୀତି । ଆମେ ପୂର୍ବରୁ କହିସାରିଛୁ ଯେ ସ୍ୱାଧିନତା ପରେ ଆମେ ଯେଉଁ ଶିକ୍ଷାନୀତି ଗ୍ରହଣ କରିଆସିଛେ ସେଥିରେ କେଉଁ ସରକାର ଅମଳରେ କ’ଣ ପରିବର୍ତ୍ତନ ଆସିଥିଲେ ବି ମୁଖ୍ୟତଃ ଆମର ଭବିଷ୍ୟତର ପିଢ଼ିମାନଙ୍କୁ ଅଣରାଜନୈତିକ କରାଇବା/ ରାଜନୀତି ପ୍ରତି ବିମୁଖ କରାଇବା ଏବଂ ପ୍ରଶ୍ନ ନକରି ସବୁ କଥାକୁ ଗ୍ରହଣ କରିବାରେ ମାନସିକତା ସୃଷ୍ଟି କରିବାରେ ସଫଳ ରୂପରେ କାମ କରିଆସିଛି । ବର୍ତ୍ତମାନର ଶାସକବର୍ଗ ଯେଉଁ ସାମ୍ପ୍ରଦାୟିକ ସଂଗଠନର ଦୃଢ଼ ଭିତ୍ତିଭୂମି ଦେଶବ୍ୟାପି ନିର୍ମାଣ କରିଚାଲିଛନ୍ତି ଏବଂ ତାହା ବି ବିନା ପ୍ରତିବାଦରେ, ଆମ ପିଲାମାନେ ଯେ ପ୍ରଶ୍ନ କରିବା ଆଗକୁ ଶିଖିପାରିବେ, ସେ ଆଶା ଅନ୍ତତଃ ଦେଖାଯାଉ ନାହିଁ । ସେଥିପାଇଁ ଏବେ ପୂର୍ବ ଅପେକ୍ଷା ଅଧିକ ଉଗ୍ର ଭାବେ ଗଣମାନଙ୍କୁ ଅଣରାଜନୈତିକ କରାଇବାର ପ୍ରକଳ୍ପଟିକୁ ଗଣମାଧ୍ୟମକୁ ଆୟୁଧକରି ବହୁରାଷ୍ଟ୍ରୀୟ ବଜାର ଶକ୍ତିମାନେ ନେଇଚାଲିଛନ୍ତି, ଯେଉଁମାନେ ଭାରତକୁ ଏକ ଅସହାୟ ନୂଆ ଉପନିବେଶ ଭାବେ ତିଆରି କରିବାପାଇଁ ଲାଗି ପଡ଼ିଛନ୍ତି । ବିଡ଼ମ୍ବନାର କଥାଯେ ଭାରତର ଶାସକଶ୍ରେଣୀ ଏବଂ ଗାଁଠାରୁ ଆରମ୍ଭ କରି ସହରଯାଏଁ ଲୋକଙ୍କ ସହ ସମ୍ପର୍କଥିବା କୁହାଳିଆ ଶ୍ରେଣୀ କୌଣସି କଥାର ଭବିଷ୍ୟତର ପରିଣାମକୁ ବୁଝିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ସେମାନେ ଗଣମାଧ୍ୟମର ରାଜନୀତି, ଅର୍ଥନୀତି ବା ସାମ୍ପ୍ରତିକ ରାଜନୈତିକ ଅର୍ଥନୀତି ସମ୍ପର୍କରେ ଲୋକଙ୍କୁ ବା ବୁଝାଇବେ କେମିତି!

ଗୋଟିଏ କଥା ଆଗକୁ ସ୍ପଷ୍ଟ ଜଣାପଡ଼ୁଛିଯେ ଦିନକୁ ଦିନ ଆମ ଗଣମାଧ୍ୟମ ଅଧିକରୁ ଅଧିକ ହୃଷ୍ଟପୁଷ୍ଟ ହୋଇ ଚାଲିବେ ଯଦି ସେମାନେ ପୁଞ୍ଜି ଲଗାଉଥିବା ଲୋକମାନଙ୍କର ଅଘୋଷିତ ପ୍ରତିନିଧି ଭାବେ କାମ କରିବେ । ଗଣମାଧ୍ୟମ ଯେତେ ଅଧିକ ପରିପୁଷ୍ଟ ହେବ, ଗଣମାନେ ସେତିକି ପୁଷ୍ଟିହୀନତାର ଶିକାର ହେବେ । ଗଣମାନଙ୍କର ମୁକ୍ତିର ସାଥି ହିସାବରେ ଖବରକାଗଜମାନେ ଅତୀତରେ ବେଶ ଭଲଭାବେ କାମ କରିଆସିଥିଲେ । ମହାତ୍ମା ଗାନ୍ଧୀଙ୍କ ସମ୍ପାଦିତ ଓ ଗୁଜୁରାଟ ଭାଷାରେ ପ୍ରକାଶିତ ‘ନବଜୀବନ’ (୧୯୧୯), ତାଙ୍କ ସମ୍ପାଦିତ ‘ୟଙ୍ଗ୍ ଇଣ୍ଡିଆ’ (୧୯୧୯), ‘ହରିଜନ’ (୧୯୧୯) ଓ ସାମାଜିକ ବିଷମତା ବିରୋଧରେ ଡଃ ବି.ଆର. ଆମ୍ବେଦକରଙ୍କର ‘ମୂକନାୟକ’ (୧୯୨୦) ଇତ୍ୟାଦିଙ୍କ ଉଦାହରଣ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏବେ ସମୟ ଆସିଛି ସେଭଳି ସମ୍ବାଦପତ୍ରଗୁଡ଼ିକର ସୃଷ୍ଟି ଏବଂ ପ୍ରସାରଣ ପାଇଁ; ଯଦି ଆମେ, ଆମ ପିଲା ମାନେ ଏବଂ ସେମାନଙ୍କର ପିଲାମାନେ ଶାନ୍ତିରେ ଏବଂ ଅପେକ୍ଷାକୃତ ଖୁସିରେ ବଞ୍ଚିବା ପାଇଁ ଚାହୁଁଛନ୍ତି । କେଉଁମାନେ ଆମ ବିକାଶ ପକ୍ରିୟାରେ ଲାଭବାନ ହେଉଛନ୍ତି ଏବଂ କେଉଁମାନେ ଏଥିପାଇଁ ମୂଲ୍ୟ ଦେଉଛନ୍ତି ଓ ଏସବୁରେ ଆମର ଭୂମିକାଟି କ’ଣ ରହିଛି ଆମେ ଅନ୍ତତଃ ଆମ ପିଲାମାନଙ୍କ ସାଙ୍ଗରେ ଆଲୋଚନା କରିବାକଥା । ଯଦି ଏଭଳି ଆଲୋଚନା ହୁଏ ତେବେ ଗଣମାଧ୍ୟମ କେବଳ ସମ୍ବିଧାନ ସୁରକ୍ଷାରେ ଆସୁ ଏହି ଭାବନା ମନରେ ରହିବନାହିଁ ଏବଂ ଆମ ଅଜାଣତରେ ଆମେ ସମସ୍ତେ କେବଳ ସମ୍ବିଧାନ ନୁହଁ ମାନବ ସଭ୍ୟତାର ସୁରକ୍ଷା ପାଇଁ ଅଣ୍ଟାଭିଡ଼ି ଆଗେଇ ଆସିଯିବା ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.