କଂଗ୍ରେସ ସଂସଦୀୟ ଦଳର ଅନୁରୋଧକୁ ଗ୍ରହଣକରି କଂଗ୍ରେସ ଦଳର ବରିଷ୍ଠନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହିସାବରେ କାମ ଆରମ୍ଭ କରିଦେଇଛନ୍ତି । ସେ ଯେତେବେଳେ ବିରୋଧି ଦଳରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗତ ୧୦ବର୍ଷ ଧରି ଉଠାଇ ଆସିଥିଲେ, ସେତେବେଳେ ତାଙ୍କ ସାମ୍ନାରେ ଥିଲେ ଏକ ବିରାଟ ଶାସକ ଦଳ । ସଂଖ୍ୟାଗରିଷ୍ଠତା (୩୦୩) ସେମାନଙ୍କ ପାଖରେ ଏତେବେଶୀ ଥିଲା ଯେ ସଂସଦରେ ବିଶେଷ କରି ଲୋକସଭାରେ ବିରୋଧି ଦଳର ସଦସ୍ୟମାନଙ୍କର ଗୁଣାତ୍ମକ ପ୍ରଶ୍ନଗୁଡ଼ିକୁ ହେୟ ମନେକରିବା ଏବଂ ସେ ସବୁର ଉତ୍ତର ନଦେବା ଓ ଯଦି ଶାସକଦଳ ବା ଏହାର ସର୍ବମୟକର୍ତ୍ତା ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନଗୁଡ଼ିକ ଅପ୍ରୀତିକର ଲାଗୁଥିଲା ତେବେ ସାଂସଦମାନଙ୍କୁ ଲୋକସଭାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ବାହାର କରିଦେବା ଇତ୍ୟାଦି ଘଟଣାସବୁ ଦେଖିବାକୁ ମିଳୁଥିଲା । ଏମିତିକି ଲୋକସଭାରେ ବକ୍ତବ୍ୟ ରଖିଲାବେଳେ ରାହୁଲଙ୍କର ମାଇକ୍ରୋଫୋନଟିକୁ ବେଳେବେଳେ ବନ୍ଦ କରିଦିଆଯାଉଥିଲା ବୋଲି ଅଭିଯୋଗ ମଧ୍ୟ ହେଉଥିଲା । ବିଶେଷ କରି ଗତ ୫ବର୍ଷ ଭିତରେ ରାହୁଲଙ୍କର ଲୋକସଭାରେ ଏବଂ ସଂସଦ ବାହାରେ ଭୂମିକାଟି ଆକ୍ରମଣାତ୍ମକ ଥିଲା । ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଜାନୁଆରୀ ୨୪, ୨୦୨୩ରେ ପ୍ରଘଟ ହେବାପରେ ନରେନ୍ଦ୍ର ମୋଦୀଙ୍କର ପୃଷ୍ଠପୋଷକ ଉଦ୍ୟୋଗପତି ଯେ ମାତ୍ର ୧୦ବର୍ଷ ଭିତରେ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ରୂପେ ପରିଗଣିତ ହେଇଥିଲେ, ତାଙ୍କର କଳା କାରନାମା ପଦାକୁ ଆସିଥିଲା । ରାହୁଲ ଗାନ୍ଧୀ ସଂସଦ ଭିତରେ ଏହି ରିର୍ପୋଟକୁ ଆଧାର କରି ବିଶେଷ ବିତର୍କ ଉପସ୍ଥାପନ କରିଥିଲେ ଯାହାର ସିଧାପ୍ରସାରଣ ସଂସଦ ଟିଭି ମାଧ୍ୟମରେ ହେଉଥିବା ଯୋଗୁଁ ଭାରତର ଜନଗଣ ପ୍ରଥମଥର ପାଇଁ ଆଦାନୀଙ୍କର କଳାକାରନାମା ସମ୍ପର୍କରେ ହେଉଥିବା ଅଭିଯୋଗ ଗୁଡ଼ିକୁ ଜାଣିବାକୁ ପାଇଲେ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ, ଏହି ଘଟଣା ପ୍ରଘଟ ହେବା ପୂର୍ବରୁ ଭାରତର ଏକମାତ୍ର ଅପେକ୍ଷାକୃତ ସ୍ୱାଧୀନ ଗଣମାଧ୍ୟମ ଏନ୍.ଡ଼ି.ଟିଭିର ମାଲିକାନା ଗୌତମ ଆଦାନୀଙ୍କ ହାତକୁ ଚାଲି ଯାଇଥିଲା । ସେହି ଦୃଷ୍ଟିରୁ କୌଣସି ଗଣମାଧ୍ୟମରେ ଏହି ‘ହିଣ୍ଡେନବର୍ଗ ରିସର୍ଚ୍ଚ’ର ତଥ୍ୟଗୁଡ଼ିକ ଆଲୋଚିତ ହେଉନଥିଲା । ରାହୁଲ କେବଳ ଗୌତମ ଆଦାନୀଙ୍କ କଥା ଆଲୋଚନା କରିନଥିଲେ ବରଂ ରାଫେଲଠାରୁ ଆରମ୍ଭ କରି ମୋଦୀ ସରକାରଙ୍କର ଯେତେଯେତେ କର୍ପୋରେଟ ପ୍ରୀତିରେ ନୀତି ନିଷ୍ପତ୍ତି ନିଆଯାଉଥିଲା ସେସବୁର ଜୋରଦାର ବିରୋଧ ସଂସଦ ଭିତରେ ସ୍ପଷ୍ଟ ଭାଷାରେ କରୁଥିଲେ । ଗତ ୨୦୧୪-୨୦୨୪ ଭିତରେ ରାହୁଲଙ୍କ ସମେତ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୈତ୍ର ଏବଂ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଯାଏଁ ହାତଗଣତି ମାତ୍ର କେତେଜଣ ସାଂସଦ ବିରୋଧିଦଳ ନେତା ହିସାବରେ ପରିଗଣିତ ହେଉଥିଲେ ।
ରାହୁଲ ଗାନ୍ଧୀଙ୍କର ଯାତ୍ରାଟି ସହଜ ନଥିଲା । ତାଙ୍କ ପଛରେ ତାଙ୍କଦଳର ପୁରୁଖା ନେତାମାନେ ମଧ୍ୟ ନଥିଲେ । ଭାରତୀୟ ଜନତା ପାର୍ଟିର ଆଇ.ଟି ସେଲ ଦ୍ୱାରା ରାହୁଲଙ୍କ ବିରୋଧରେ ୨୪ଘଣ୍ଟିଆ ପ୍ରଚାର ଅଭିଯାନ ମଧ୍ୟ ଚାଲିଥିଲା । ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ଯେଉଁ କୁତ୍ସାରଟନା କରାଯାଉଥିଲା , ତାହାର ମୁକାବିଲା କରିବାପାଇଁ ରାହୁଲ ସକ୍ଷମ ହୋଇପାରୁନଥିଲେ । ତାଙ୍କୁ ଜଣେ ‘ପପ୍ପୁ’ ଓ ଅଜ୍ଞାନ ଯୁବକ ହିସାବରେ ଭାଜପା ତରଫରୁ ଚିତ୍ରିତ କରାଯାଇଥିଲା । ଗତ ଦୁଇଟି ଲୋକସଭା ନିର୍ବାଚନରେ (୨୦୧୪ ଓ୨୦୧୯) ଦଳର ପରାଜୟ ହେତୁ ରାହୁଲ ନିଜକୁ କଂଗ୍ରେସ ଦଳର ସର୍ବୋଚ୍ଚ ଦାୟିତ୍ୱରୁ ଦୂରେଇ ରଖିଥିଲେ । ସମସ୍ତେ ଧରିନେଲେ ଯେ ରାହୁଲ ଓ କଂଗ୍ରେସ ସବୁଦିନ ପାଇଁ ମୂଲ୍ୟହୀନ ହୋଇ ରହିଯିବେ । ଭାଜପା ଦଳ ତରଫରୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ଜଣେ ସମ୍ରାଟ, ବିଶ୍ୱଗୁରୁ ଏବଂ ତ୍ରିକାଳ ବିଜୟୀ ରୂପେ ଉପସ୍ଥାପନ କରାଯାଉଥିଲା । ସବୁବେଳେ କର୍ପୋରେଟ ଗଣମାଧ୍ୟମ ମୋଦୀଙ୍କୁ କୌଣସି ଆଖିଦୃଷ୍ଟିଆ ଦକ୍ଷତା ନଥାଇ ମଧ୍ୟ ସର୍ବୋଚ୍ଚ ସ୍ତରରେ ରଖୁଥିବା ବେଳେ ରାହୁଲଙ୍କ ବ୍ୟକ୍ତିତ୍ୱକୁ ନ୍ୟୁନ କରିବା ଏବଂ ସେ ଉଠାଉଥିବା ପ୍ରଶ୍ନଗୁଡ଼ିକୁ ଚପାଇ ଦେବା ପାଇଁ ଅହରହ ଉଦ୍ୟମ କରିଆସୁଥିଲେ । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ରାହୁଲ ଗାନ୍ଧୀ ଜଣେ ‘ପରିବାରବାଦ’ ଭିତରୁ ଆସିଥିବା ବ୍ୟକ୍ତି ହିସାବରେ ନୁହଁ; ବରଂ ଜଣେ ଜନଗଣଙ୍କର ଦରଦୀ ବନ୍ଧୁ ହିସାବରେ ନିଜକୁ ସଫଳଭାବେ ଉପସ୍ଥାପିତ କରାଇ ପାରିଲେ । ଭୁଷୁଡ଼ି ଯାଇଥିବା କଂଗ୍ରେସ ସଂଗଠନକୁ ସଜାଡ଼ିବା କାମରେ ନିଜକୁ ନିୟୋଜିତ କଲେ ଏବଂ ଜଣେ ସୌଖିନ୍ ପରିବାର ଲୋକ ହିସାବରେ ନୁହଁ ବରଂ କର୍ମଜୀବୀ ମଣିଷମାନଙ୍କର ସମତୁଲ ଜଣେ ମଣିଷ ହିସାବରେ କେତୋଟି କାମ ହାତକୁ ନେଇଥିଲେ । ବିଭିନ୍ନ ସମୟରେ ଟ୍ରକ୍ ଡ଼୍ରାଇଭର ଠାରୁ ଆରମ୍ଭ କରି ଠେଲା ବେପାରୀଙ୍କ ଯାଏଁ ମେହନତୀ ମଣିଷମାନଙ୍କର ଜୀବନ ସଂଘର୍ଷକୁ ବୁଝିବା ପାଇଁ ସେ ଚେଷ୍ଟା କରୁଥିବାର ଖବର ବିକଳ୍ପ ଗଣମାଧ୍ୟମରେ ଦେଖିବାକୁ ମିଳୁଥିଲା । କିନ୍ତୁ ଯେଉଁ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ରାହୁଲ ଗାନ୍ଧୀଙ୍କୁ ଜଣେ ଗଣନେତା ହିସାବରେ ଉପସ୍ଥାପିତ କରିଥିଲା, ତାହାଥିଲା ପ୍ରଥମ ପର୍ଯ୍ୟାୟର ‘ଭାରତ ଯୋଡ଼ ଯାତ୍ରା’ ଏବଂ ଦ୍ୱିତୀୟ ପର୍ଯ୍ୟାୟର ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା ।’
ଭାରତ ଯୋଡ଼ ଯାତ୍ରା ସେ ଆରମ୍ଭ କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଙ୍କ ଉପସ୍ଥିତିରେ । ସେପ୍ଟେମ୍ବର ୭,୨୦୨୨ ଦିନ ତାମିଲନାଡ଼ୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାଟି ୧୩୬ ଦିନ ଏବଂ ୪୦୮୦ କିଲୋମିଟର ଅତିକ୍ରମ କରି ଜାନୁଆରୀ ୩୦, ୨୦୨୩ ଦିନ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ସମାପ୍ତି ହୋଇଥିଲା । ଏହି ପଦଯାତ୍ରା ଆରମ୍ଭବେଳେ ଅନେକ କଟୁ ସମାଲୋଚନାର ଶରବ୍ୟ ହେଇଥିଲା । ଯାତ୍ରା ସମ୍ପର୍କରେ ଭାଜପାର ଆଇ.ଟି ସେଲ୍ ଏବଂ ବରିଷ୍ଠ ନେତାମାନେ ବିଦ୍ରୁପକରି ଅନେକ ବିଭ୍ରାନ୍ତିକର ତଥ୍ୟ ମଧ୍ୟ ଉପସ୍ଥାପନ କରିଚାଲିଥିଲେ । କିନ୍ତୁ ରାହୁଲ କୌଣସି କଥାରେ ପ୍ରଭାବିତ ହୋଇନଥିଲେ ଏବଂ ନିଜ ଯାତ୍ରାପଥରେ ଅନେକ ଯୁବକ, କୃଷକ, କର୍ମଜୀବୀ ଓ ସମାଜରେ ପ୍ରଭାବଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିଜ ଆଡ଼କୁ ଆଣିପାରିଥିଲେ । ସବୁଠି ଶାସକ ଦଳର ବିଭାଜନ ରାଜନୀତି ସମ୍ପର୍କରେ ଉଲ୍ଲେଖକରି ଭାଇଚାରା ଏବଂ ସଂପ୍ରୀତିର ବାର୍ତ୍ତା ସେ ଦେଇ ଚାଲିଥିଲେ । ତାଙ୍କର ଉକ୍ତି ‘ନଫରତ୍ କି ବଜାରମେ, ମୋହବତ୍ କି ଦୁକାନ’ ଯୁବଗୋଷ୍ଠିମାନଙ୍କୁ ବେଶୀ ପ୍ରଭାବିତ କରିଥିଲା । ଯେତେବେଳେ ସାରାଦେଶରେ ‘ଜୟ ଶ୍ରୀରାମ’, ‘ଜୟ ବଜରଙ୍ଗବାଲୀ’ ଏବଂ ‘ହର ହର ମହାଦେବ’ ଭଳି ନାରାକୁ କର୍ପୋରେଟ ଗଣମାଧ୍ୟମ ଓ ସାଧାରଣ ହିନ୍ଦୁଙ୍କର ଧାର୍ମିକ ଭାବଧାରାକୁ ଆୟୁଧ କରି ସର୍ବବ୍ୟାପି କରାଯାଉଛି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷ କରି ମୁସଲମାନମାନଙ୍କ ଭିତରେ ଭୟ ସଂଚାର କରାଯାଉଛି, ଠିକ୍ ସେତିକିବେଳେ ଘୃଣାକୁ ପରିତ୍ୟାଗ କରି ପ୍ରୀତିକୁ ପାଥେୟ କରିବା ଭଳି ବାର୍ତ୍ତା ଆଡ଼କୁ ଯୁବଗୋଷ୍ଠି ଆକୃଷ୍ଟ ହେବା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଭଲ ସୂଚନା । ରାହୁଲଙ୍କ ଯାତ୍ରା ପଥରେ ସେ ଜୀବନ ଜୀବିକାର ସ୍ଥିତି, ବର୍ଦ୍ଧିତ ବେରୋଜଗାରୀ ଓ ବର୍ଦ୍ଧିତ ଅସମାନତା ପ୍ରସଙ୍ଗ ଉପରେ ଅନେକ ଅନ୍ତରଙ୍ଗ ଆଲୋଚନା ମଧ୍ୟ କରିଥିଲେ । ଏହି ‘ଭାରତ ଯୋଡ଼ ପଦଯାତ୍ରା’ ଶେଷ ହେବାବେଳକୁ ରାହୁଲ ଗାନ୍ଧୀ ଭିନ୍ନ ଏକ ରାଜନେତା ହିସାବରେ ନିଜକୁ ଉପସ୍ଥାପିତ କରିପାରିଥିଲେ ।
ଦ୍ୱିତୀୟ ଚରଣରେ ଆରମ୍ଭ ହୋଇଥିଲା ତାଙ୍କର ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ । ଏହି ଯାତ୍ରାଟି ପଦ ଯାତ୍ରା ନଥିଲା । ଯାତ୍ରାର ଆରମ୍ଭ ହୋଇଥିଲା ହିଂସା ଜର୍ଜରିତ ଉତ୍ତରପୂର୍ବ ଭାରତର ମଣିପୁର ରାଜ୍ୟର ଥୋବାଲ୍ ନାମକ ସ୍ଥାନରୁ । ଜାନୁଆରୀ ୧୪, ୨୦୨୪ରେ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଚ୍ଚ ୧୬, ୨୦୨୪ରେ ମୁମ୍ବାଇଠାରେ ସମାପ୍ତ ହୋଇଥିଲା । ଏକ ବର୍ଷରୁ ଉର୍ଦ୍ଧ କାଳ ଧରି ମଣିପୁର ଜାତିଆଣ ହିଂସାରେ ଜଳୁଛି । କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିବା ତ ଦୂରର କଥା, ସଂସଦ ଭିତରେ ଥରୁଟିଏ ନିଜର ଚିନ୍ତା ବା ଉଦ୍ ବେଗ ପ୍ରକାଶ କରିବାର ଦେଖାଯାଇ ନାହିଁ । ବରଂ ମଣିପୁରର ଅସହାୟ ଜନଗଣ ସରକାରଙ୍କର ସହଯୋଗ ପାଇଁ ଆକୁଳ ନିବେଦନ କରୁଥିବା ବେଳେ ଆମେ କର୍ପୋରେଟ୍ ଗଣମାଧ୍ୟମରେ ନୃତନ ସଂସଦ ଭବନର ଭବ୍ୟ ଉଦଘାଟନ ସମାରୋହର ମନୋରମ ଦୃଶ୍ୟ ନିଜ ଘରର ଟିଭି ପରଦାରେ ଦେଖି ଭାବବିହ୍ୱୋଳ ହେଇଚାଲିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏକ ସଂଗ୍ରହାଳୟରୁ ଉଦ୍ଧାର ହୋଇଥିବା ତାମିଲ ରାଜଦଣ୍ଡକୁ ଧରି ବ୍ରାହ୍ମଣ ପୁରୋହିତଙ୍କ ଗହଣରେ ନୂଆ ସଂସଦ ଭବନରେ ପ୍ରବେଶ କରୁଥିବାବେଳେ, ତାହା ଆମ ଭାରତୀୟମାନଙ୍କର ଏକ ବଡ଼ ମନୋରଞ୍ଜନ ଥିଲା । ରାହୁଲ ହୁଏତ ଭାବୁଥିଲେ ଏହି ଘଟଣାଟି ଥିଲା ମଣିପୁରବାସୀଙ୍କ ପାଇଁ ଏକ ନିଷ୍ଠୁର ଉପହାସ । ସେଥିପାଇଁ ହୁଏତ ମଣିପୁର ରାଜ୍ୟରୁ ହିଁ ନିଜର ‘ନ୍ୟାୟ ଯାତ୍ରା’ ଆରମ୍ଭ କରିଥିଲେ ।
ଉଭୟ ଯାତ୍ରା ରାହୁଲ ଗାନ୍ଧୀଙ୍କୁ ସର୍ବଭାରତୀୟ ସ୍ତରରେ ନରେନ୍ଦ୍ର ମୋଦୀଙ୍କ ଜଣେ ଭଲ ବିକଳ୍ପ ହିସାବରେ କେବଳ ନୁହଁ; ବରଂ ଜଣେ ଦରଦୀ ରାଜନେତା ହିସାବରେ ପରିଚିତି ଦେଇଥିଲା । ରାହୁଲଙ୍କର କାର୍ଯ୍ୟକ୍ରମଗୁଡ଼ିକରେ କେତେ ଅସଲ ଦରଦ ଥିଲା ଏବଂ କେତେ ଛଳନା ଥିଲା, ତାହା ତାଙ୍କର ଭବିଷ୍ୟତର କାର୍ଯ୍ୟକ୍ରମଗୁଡ଼ିକରୁ ଜଣାପଡ଼ିବ । କିନ୍ତୁ ଜଣେ ଛଳନାମୟ ନେତୃତ୍ୱକୁ ମୁକାବିଲା କରୁଥିବା ହେତୁ ରାହୁଲଙ୍କ ଆଦର ବଢ଼ିବା ଏକ ସ୍ୱାଭାବିକ କଥା । ସମୀକ୍ଷକମାନେ କୁହନ୍ତି ଯେ ରାହୁଲ ନିଜର ଉଭୟ ଯାତ୍ରାରେ ଯେଉଁସବୁ ସ୍ଥାନ ସ୍ପର୍ଶ କରିଥିଲେ, ଅଧିକାଂଶ ସ୍ଥାନରେ ୨୦୨୪ ସାଧାରଣ ନିର୍ବାଚନର ଫଳ ବିରୋଧିଙ୍କ ସପକ୍ଷରେ ଯାଇଛି । କିନ୍ତୁ ଏହି କଥା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ରାହୁଲଙ୍କ କଂଗ୍ରେସର କାୟା ଶାସକ ଭାଜପା ଦଳର ଛାୟା ସହିତ ମଧ୍ୟ ତୁଳନୀୟ ସ୍ଥିତିରେ ନାହିଁ । ଭାଜପାର ସବୁଠାରୁ ବଡ଼ଶକ୍ତି ହେଉଛି ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆର.ଏସ୍.ଏସ୍) ଏବଂ ସେମାନଙ୍କର ଛାୟାତଳେ ଗଢ଼ିଉଠିଥିବା ଅନେକ ଗଣସଂଗଠନ ଯେଉଁମାନେ ଭାଜପାର ସୁରକ୍ଷା କବଚ ଭଳି କାମ କରିଆସିଛନ୍ତି । ଏହି ସବୁ ସଂଗଠନ ଗୁଡ଼ିକରେ ୧୦କୋଟିରୁ ଉର୍ଦ୍ଧ ଉର୍ତ୍ସଗୀକୃତ କର୍ମୀ ଦେଶସାରା କାମ କରୁଛନ୍ତି । କଂଗ୍ରେସର ସଂଗଠନ ବୋଲି କିଛି ନାହିଁ । ଯାତ୍ରା ବା ଅଭିଯାନ ସଂଗଠନର ଭ୍ରମ ସୃଷ୍ଟି କରିପାରେ, କିନ୍ତୁ ସେସବୁ ସଂଗଠନର ବିକଳ୍ପ ହୋଇପାରିବେ ନାହିଁ । ଭାଜପା ଓ ଆର.ଏସ୍.ଏସ୍ ଭିତରେ ଥିବା ମିଛିମିଛିକା ମତଭେଦର ପ୍ରଚାର ଚାଲିଥିବାବେଳେ ଏହି କଥା ଭୁଲିଯିବା ଉଚିତ୍ ହେବ ନାହିଁ ଯେ ଗତ ୧୦ବର୍ଷର ମୋଦୀ ଶାସନ ସଂଘ ପରିବାର ସଂଗଠନ ଗୁଡ଼ିକୁ ଅର୍ଥବଳ ଯୋଗାଇବା ଏବଂ ଅଧିକ ବ୍ୟାପକ କରାଇବାରେ ସବୁଠାରୁ ବଡ଼ ଯୋଗଦାନ କରିଆସିଛି । ଏହି ସହଯୋଗଟି ବାଜପେୟୀଙ୍କ ସମୟରେ ହୋଇପାରିନଥିଲା ଏବଂ ତାହାର କାରଣ ମଧ୍ୟ ଅଛି । ତେବେ କର୍ପୋରେଟ ପୁଞ୍ଜିର ପତିଆରାକୁ ପ୍ରତିଷ୍ଠିତ କରାଇଥିବା ମୋଦୀଙ୍କର ଶାସନର ସବୁଠାରୁ ଅଧିକ ଲାଭ ସଂଘ ପରିବାରକୁ ମିଳିଛି । ସଂଘ ପରିବାର କେବେବି ନିଜ ହାତରୁ ରାଜନୀତିକ କ୍ଷମତା ଚାଲିଯିବା କଥାକୁ ପସନ୍ଦ କରିବେ ନାହିଁ । ସେହି ଦୃଷ୍ଟିରୁ ଦେଖିଲେ ଏକ ରୁଗ୍ଣ କଂଗ୍ରେସ ଦଳର ମଙ୍ଗ ଧରିଥିବା ରାହୁଲ ଗାନ୍ଧୀ ନିଜ ଦଳକୁ ଏକକ ସଂଖ୍ୟାଗରିଷ୍ଠ ଦଳ ହିସାବରେ ଲୋକସଭାରେ ଆଗାମୀ ନିର୍ବାଚନରେ ମଧ୍ୟ ପ୍ରତିଷ୍ଠିତ କରାଇବା ସହଜ ହେବ ନାହିଁ । କଂଗ୍ରେସ ଦଳର ରାଜନୈତିକ ସଂଗଠନ ଯଦି ଦେଶବ୍ୟାପି ମଜବୁତ୍ ନ ରହେ, ତେବେ ରାହୁଲ ସବୁବେଳେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିବା ଜଣେ ରାଜନେତା ହିସାବରେ ରହିବାକୁ ପଡ଼ିବ । ଅବଶ୍ୟ ଭାରତୀୟ ଗଣତନ୍ତ୍ରକୁ ଏକ ସମାବେଶୀ ଗଣତନ୍ତ୍ର ହିସାବରେ ଯଦି ଦେଖିବା ପାଇଁ ଚାହିଁବା ; ତେବେ ଏଠି ଏକକ ସଂଖ୍ୟାଗରିଷ୍ଠ ଦଳ ନୁହଁ ବରଂ ଏକାଠି ହୋଇଥିବା ସମୂହ ଶାସନରେ ରହିବା ଉଚିତ୍ ହେବ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ୩୦୩ର ବଳରେ ଯେଉଁ ସ୍ୱେଚ୍ଛାଚାରୀ ଶାସନ ୧୦ବର୍ଷ ଧରି ଚଳାଇଥିଲେ, ତାହା ୨୦୨୪ର ନିର୍ବାଚନ ପରେ ୨୪୦ର ବଳରେ କରିପାରିବେ ନାହିଁ । ସେହି ଦୃଷ୍ଟିରୁ ଯଦିଓ ୧୦ବର୍ଷପରେ ଜଣେ ବିରୋଧି ଦଳର ନେତା ମାନ୍ୟତା ପାଇଥିବା ଲୋକଙ୍କୁ ଆମେ ଲୋକସଭାରେ ଦେଖିବା କିନ୍ତୁ ଗଠବନ୍ଧନ ରାଜନୀତିର ଚାପ ପ୍ରମୁଖ ବିରୋଧିଦଳ ଉପରେ କ’ଣ ରହିବ ତାହା ଅଧିବେଶନ ଗୁଡ଼ିକ ଆଗକୁ ଚାଲିବାବେଳେ ଜଣାପଡ଼ିବ । ଆମେ କିନ୍ତୁ ରାହୁଲଙ୍କଠାରୁ ଏହା ଆଶା ରଖିବା ଯେ ନିଜ ଦଳର ସଂଗଠନକୁ ସେ ମଜବୁତ୍ କରାଇବା ସହ ଅନ୍ୟ ସହଯୋଗୀ ଦଳମାନଙ୍କ ସହିତ ନିଜର ସମ୍ପର୍କ ଏବଂ ସେମାନଙ୍କର ରାଜନୈତିକ ବୁଝାମଣା ମାର୍ଜିତ କରିବା ପାଇଁ ଉଦ୍ୟମ କରିବେ । ଏଥର ସଂସଦରେ ବାମପନ୍ଥୀ ଦଳମାନଙ୍କର କିଛି ପ୍ରମୁଖ ନେତା ଉପସ୍ଥିତ ରହିବେ ରାହୁଲଙ୍କ ନିଜ ବୁଝାମଣାକୁ ଅଧିକ ପରିପକ୍ୱ କରାଇବାରେ ସାହାଯ୍ୟ କରିବାପାଇଁ । ଗୋଟିଏ ଭୟ ସବୁବେଳେ ବିରୋଧି ଦଳମାନଙ୍କ ପାଇଁ ରହିବ ଯେ ସେମାନେ ଖୋଲାଖୋଲି କର୍ପୋରେଟ ଶକ୍ତିମାନଙ୍କ ବିରୋଧରେ ସବୁସ୍ଥାନରେ ଏକାସ୍ୱରରେ କହିପାରିବେ ନାହିଁ । ବିରୋଧି ଦଳମାନଙ୍କର ମଧ୍ୟ ଭୟ ରହିବ ଯେ ସେମାନଙ୍କୁ ଯେମିତି କେହି ‘ବିକାଶ ବିରୋଧି’ ବା ‘ଅଭିବୃଦ୍ଧି ବିରୋଧି’ ନ କୁହନ୍ତୁ । ଏମିତିରେ ବି କାଳେ ଭାଜପା ଏବଂ ସଂଘ ପରିବାର ତାଙ୍କୁ ‘ହିନ୍ଦୁ ବିରୋଧି’ କହି ହିନ୍ଦୁମାନଙ୍କର ଭୋଟକୁ ପ୍ରଭାବିତ କରିବ, ସେଥିପାଇଁ ‘ମୁସଲମାନ୍’ ଶବ୍ଦ ଉଚ୍ଚାରଣ କରିବା ଏମାନେ ଛାଡ଼ି ସାରିଲେଣି । ‘ମୁସଲମାନ୍’ଙ୍କ ସ୍ଥାନରେ ଏମାନେ ସଂଖ୍ୟାଲଘୁ ଶଦ୍ଦର ବ୍ୟବହାର କରିବା ଆରମ୍ଭ କଲେଣି । ସମ୍ବିଧାନଟିକୁ ହାତରେ ଧରି ଶାସକ ଦଳ ପ୍ରତି ଏକ ନୂଆ ଆହ୍ୱାନ ସୃଷ୍ଟି କରୁଥିଲେ ମଧ୍ୟ ନିଜ ଭିତରେ ଦଳିତଙ୍କ ପ୍ରତି ଚେତନା କେତେ ଦୃଢ଼ ରହିଛି, ତାହା ଏବେ ବି ପ୍ରଶ୍ନବାଚୀ ଭିତରେ । ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ନିଜର ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଚେତନା କେତେ ବ୍ୟାପକ ଓ ସୃଦୃଢ଼ କରିବାରେ ରାହୁଲ ସଫଳ ହେଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ । କେବଳ ତାଙ୍କର ବ୍ୟକ୍ତିଗତ ରାଜନୀତିର ଭବିଷ୍ୟତ ପାଇଁ ନୁହଁ ବରଂ ସାମାଜିକ ବିଷମତା ଏବଂ ବିବିଧତା ଭିତରେ ପୁଞ୍ଜି ଓ ସାମ୍ପ୍ରଦାୟିକତାବାଦର ଦୌରାତ୍ମ୍ୟ ଦେଇ ଗତି କରୁଥିବା ଭାରତୀୟ ସମାଜର ଭବିଷ୍ୟତ ପାଇଁ ବର୍ତ୍ତମାନର ବିରୋଧ ରାଜନୀତି କେଉଁ ସ୍ୱରୂପ ନେଉଛି ତାହା ଜାଣିବା ପାଇଁ ସଚେତନଶୀଳ ମଣିଷମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।
Comments
0 comments