ପଣ୍ଡିତ ଜବାହାରଲାଲ ନେହେରୁ, ଭାରତର ପ୍ରଧାନମନ୍ତ୍ରୀ ଭାବେ, ପ୍ରାଦେଶିକ ସରକାରଙ୍କ ମୁଖ୍ୟମାନଙ୍କୁ ତାଙ୍କ କାର୍ଯ୍ୟକାଳରେ ପ୍ରତିପକ୍ଷରେ ଅର୍ଥାତ୍ ପନ୍ଦର ଦିନରେ ପତ୍ର ଲେଖୁଥିଲେ । ଏହି ଅଭ୍ୟାସ ଭାରତ ସ୍ୱାଧୀନ ହେବାର ମାତ୍ର ୨ମାସ ପରେ, ୧୫ ଅକ୍ଟୋବର ୧୯୪୭ରୁ ୨୧ ଡିସେମ୍ବର ୧୯୬୩ ଯାଏ ଅବ୍ୟାହତ ରହିଥିଲା । ମଇ ୨୭, ୧୯୬୪ ଦିନ ଜବାହାରଲାଲଙ୍କର ମୃତ୍ୟୁ ହୋଇଥିଲା । ଏହି ପତ୍ରଗୁଡିକ ୫ଟି ଖଣ୍ଡରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଛି, ୧୯୮୫-୮୯ ମଧ୍ୟରେ । ଏହାର ମୁଖବନ୍ଧରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଓ ଜବହାରାଲାଲଙ୍କ ପୌତ୍ର ରାଜୀବ ଗାନ୍ଧୀ ଲେଖିଥିଲେ୧, “ଏହି ପାକ୍ଷିକ ପତ୍ରଗୁଡିକ ବହୁ ଦିନରୁ ରାଷ୍ଟ୍ର ଗଠନରେ ଓ ଉନ୍ମୁକ୍ତ ଶାସନ କଳା (open statecraft)ରେ ମୌଳିକ ପାଠ (basic text) ଭାବେ ବିଚାର କରାଯାଇଛି ।”(“These fortnightly letters have long been regarded as a basic text in nation -building and in open statecraft.”) ଏହିଭଳି ପତ୍ର ଲେଖିବା ପଛରେ ଜବାହାରଲାଲଙ୍କ ବିଚାରକୁ ପ୍ରତିଧ୍ୱନିତ କରି ରାଜୀବ ମୁଖବନ୍ଧରେ ଲେଖିଥିଲେ୧, “ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁଙ୍କର ବିଶ୍ୱାସ ଥିଲା ଯେ ସଂସ୍ଥା ଏବଂ ପରମ୍ପରା ଗଠନ କରିବାର କାର୍ଯ୍ୟ ଦାବି କରେ, ଯାହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ତାଙ୍କର ସହକର୍ମୀମାନଙ୍କୁ ସେ ଜଣାନ୍ତୁ ତାଙ୍କ ନିଷ୍ପତ୍ତି ଏବଂ ଅନୁସୃତି କାର୍ଯ୍ୟଧାରା ପଛରେ କାରଣ । ସମ୍ମତି ଏବଂ ବୃହତ୍ତର ସାମାଜିକ ନ୍ୟାୟ ଜରିଆରେ ପରିବର୍ତ୍ତନ ଥିଲା ପଣ୍ଡିତଜୀଙ୍କ ପ୍ରଧାନମନ୍ତ୍ରୀତ୍ୱର ଭାବ ସଂଗୀତ (theme songs) । ସଠିକ ଲକ୍ଷ୍ୟ ସଠିକ ଉପାୟ ସହିତ ମେଳ ଖାଇବା ଉଚିତ, ଏହା ଉପରେ ସେ ଜୋର ଦେଉଥିଲେ । ସେ ଚାହୁଁଥିଲେ ଭାରତୀୟ ସମାଜକୁ ରାଜନୈତିକ ସ୍ୱାଧୀନତା ଏବଂ ସାମାଜିକ ସମାନତାର ନୂତନ ଧାରଣା ସହ ମିଶାଇ (to leaven) ପରିବର୍ତ୍ତନ କରିବା । ” ଏହି ପତ୍ର ଗୁଡିକରୁ ଉଲ୍ଲେଖନୀୟ ଉଦ୍ଧୃତି ଗୁଡିକୁ ଏକତ୍ରିତ କରି ସମ୍ପାଦିତ ସଙ୍କଳନର ମୁଖବନ୍ଧରେ ସମ୍ପାଦକ ମାଧବ ଖୋସଲା ଲେଖନ୍ତି୨(ପୃ ୫), “ଏକ ରାଷ୍ଟ୍ର ଗଢ଼ିବା, କେବଳ ଶାସନ କରିବା ନୁହେଁ, ନେହେରୁଙ୍କର ଥିଲା ଅନନ୍ୟ ଦାୟିତ୍ୱ । ପତ୍ରଗୁଡିକ ରାଷ୍ଟ୍ର ଗଠନ ଉଦ୍ୟୋଗର କେବଳ ଅନୁଶୀଳନ ନୁହେଁ -ଏଗୁଡ଼ିକ ତାହାର ଉପାଦାନର ଅଂଶ ।”(“Making a nation, rather than merely administering it ,was Nehru’s unique responsibility. The letters not only analyse that enterprise of nation-building-they themselves were part of its ingredients. ”)
ପ୍ରଧାନମନ୍ତ୍ରୀ, ଜବାହାରଲଙ୍କର ସ୍ୱାଧୀନ ଭାରତ ପାଇଁ ଚିନ୍ତା ଆରମ୍ଭ ହୋଇଯାଇଥିଲା ୧୪-୧୫ ଅଗଷ୍ଟ ୧୯୪୭ ମଧ୍ୟରାତ୍ରରୁ, ସ୍ୱାଧୀନ ଭାରତର ପ୍ରଥମ ମୁହୂର୍ତ୍ତରୁ, ଯେତେବେଳେ ସେ ସମ୍ବିଧାନ ସଭାରେ ତାଙ୍କର ବକ୍ତବ୍ୟ ରଖୁଥିଲେ A Tryst with Destiny (‘ନିୟତି ସହ ଏକ ମିଳନ’) ଯାହା ଶିରୋନାମାରେ ପ୍ରସିଦ୍ଧି ଲାଭ କରିଛି । ଏହି ଐତିହାସିକ ଅଭିଭାଷଣଟିକୁ ଆଜି ସ୍ମରଣ କରିବା ପ୍ରାସଙ୍ଗିକ ହେବ । ଏହି ଅଭିଭାଷଣଟି ଥିଲା ଏହିଭଳି, (ଓଡ଼ିଆ ଅନୁବାଦ: ବୀରେନ୍ଦ୍ର ନାୟକ)-
ନିୟତି ସହ ମିଳନ
“ବହୁବର୍ଷ ପୂର୍ବେ ଆମର ନିୟତି(destiny) ସହ ଏକ ମିଳନ(tryst) ହୋଇଥିଲା, ଏବଂ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମେ ଆମର ପ୍ରତିଜ୍ଞାକୁ ପୂରଣ କରିବୁ, ସମ୍ପୂର୍ଣ୍ଣ ଭାବେ ବା ପୂର୍ଣ୍ଣ ମାତ୍ରାରେ ନ ହେଲେ ମଧ୍ୟ ବେଶ୍ ପର୍ଯ୍ୟାପ୍ତ ମାତ୍ରାରେ (very substantially) ।
“ମଧ୍ୟରାତ୍ରରେ, ଯେତେବେଳେ ସାରା ବିଶ୍ୱ ଶୋଇଛି, ଭାରତ ଜାଗ୍ରତ ହୋଇ ଉଠିବ ଜୀବନ ଏବଂ ସ୍ୱାଧୀନତା ପ୍ରତି । ଏକ ମୁହୂର୍ତ୍ତ ଆସେ, ଯାହା କିନ୍ତୁ କ୍ୱଚିତ ଇତିହାସରେ ଆସିଥାଏ, ଯେତେବେଳେ ଆମେ ପୁରାତନରୁ ବାହାରି ଆସୁ ନୂତନ ଆଡକୁ, ଯେତେବେଳେ ଏକ ଯୁଗର ଅନ୍ତ ହୁଏ, ଏବଂ ଯେତେବେଳେ ରାଷ୍ଟ୍ରର ଆତ୍ମା, ଯାହା ବହୁଦିନରୁ ଚାପି ହୋଇ ରହିଛି, କହିବାର ଶକ୍ତି ପାଏ ।
“ଏହି ଗମ୍ଭୀର ମୁହୂର୍ତ୍ତରେ ଏହା ଉପଯୁକ୍ତ ହେବ ଭାରତ ଏବଂ ତାର ଜନଗଣ ଏବଂ ମାନବତାର ବିଶାଳ ଲକ୍ଷ୍ୟପ୍ରତି ଆମେ ଶପଥ ନେବା ସେବା ସମର୍ପଣର ।
“ଇତିହାସର ଭୋର ବେଳାରେ ଭାରତ ଆରମ୍ଭ କରିଥିଲା ତାର ଅନ୍ତହୀନ ଅନ୍ୱେଷଣ ଏବଂ ପଥହୀନ ଶତକ ପୂର୍ଣ୍ଣ ହୋଇଛି ତାର ଉଦ୍ୟମ ଦ୍ୱାରା ଏବଂ ତାର ସଫଳତା ଓ ବିଫଳତାର ଐଶ୍ୱର୍ଯ୍ୟ ଦ୍ୱାରା । ସୌଭାଗ୍ୟ କାଳରେ ହେଉ ବା ଦୁର୍ଭାଗ୍ୟ ସମୟରେ ହେଉ; ସେ କଦାପି ସେ ଅନ୍ୱେଷଣକୁ ଦୃଷ୍ଟିଛଡ଼ା କରିନାହିଁ ବା ଭୁଲିଛି ସେ ଆଦର୍ଶକୁ ଯାହା ତାକୁ ଶକ୍ତି ଦେଇଛି । ଆଜି ଆମେ ସେହି ଦୁର୍ଭାଗ୍ୟ ସମୟକୁ ସମାପ୍ତ କରୁଛୁ ଏବଂ ଭାରତ ତା ନିଜକୁ ପୁଣି ଆବିଷ୍କାର କରୁଛି ।
“ଯେଉଁ ସଫଳତାର ଉତ୍ସବ ଆମେ ଆଜି ପାଳନ କରୁଛୁ ତାହା ମାତ୍ର ଏକ ପାହାଚ, ସୁଯୋଗର ଏକ ଉନ୍ମୋଚନ, ଆହୁରି ଉଚ୍ଚତର ବିଜୟ ଏବଂ ସଫଳତା ଦିଗରେ, ଯାହା ଆମକୁ ଅପେକ୍ଷା କରିଛି । ଆମେ କ’ଣ ଯଥେଷ୍ଟ ସାହସୀ ଓ ବୁଦ୍ଧିମାନ ଏହି ସୁଯୋଗକୁ ଉପଲବ୍ଧି କରିବା ପାଇଁ ଏବଂ ଭବିଷ୍ୟତର ଆହ୍ୱାନକୁ ଗ୍ରହଣ କରିବା ପାଇଁ?
“ସ୍ୱାଧୀନତା ଓ କ୍ଷମତା ଦାୟିତ୍ୱ ଆଣେ । ଦାୟିତ୍ୱ ନିର୍ଭର କରେ ଏହି ଜନ ପରିଷଦ ଉପରେ, ଯାହା ଭାରତର ସାର୍ବଭୌମ ଜନଗଣଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ସାର୍ବଭୌମ ସଂସ୍ଥା । ସ୍ୱାଧୀନତାର ଜନ୍ମ ପୂର୍ବରୁ ଆମେ ସମସ୍ତ ଗର୍ଭକଷ୍ଟ ସହ୍ୟ କରିଛୁ, ଏବଂ ଏହି ଦୁଃଖର ସ୍ମୃତିରେ ଆମର ହୃଦୟ ବେଶ୍ ଓଜନିଆ ହୋଇଛି । କେତେକ କଷ୍ଟ ଏବେ ମଧ୍ୟ ଅବ୍ୟାହତ ରହିଛି । ଯାହାହେଉ, ଅତୀତ ବିତି ଯାଇଛି, ଏବଂ ଏହା ହେଉଛି ଭବିଷ୍ୟତ ଯାହା ବର୍ତ୍ତମାନ ଆମକୁ ଇସାରା ଦ୍ୱାରା ଆହ୍ୱାନ କରୁଛି ।
“ଭବିଷ୍ୟତ ଆରାମ ବା ବିଶ୍ରାମ ନେବାର ସମୟ ନୁହଁ, ବରଂ ନିରବିଚ୍ଛିନ୍ନ ପ୍ରଚେଷ୍ଟାର ସମୟ ଯେପରିକି ଆମେ ପୂରଣ କରିପାରିବୁ ଆମର ଶପଥ ଗୁଡିକୁ ଯାହା ଆମେ ବହୁବାର କରିଆସିଛୁ ଏବଂ ଯାହା ଆଜି ଆମେ କରିବୁ । ଭାରତ ପାଇଁ ସେବାର ଅର୍ଥ ଦୁଃଖ କଷ୍ଟରେ ଥିବା ଲକ୍ଷ-ଲକ୍ଷ ଲୋକଙ୍କର ସେବା । ଏହାର ଅର୍ଥ ଦାରିଦ୍ର୍ୟ, ଅଜ୍ଞତା, ବ୍ୟାଧି ଏବଂ ସୁଯୋଗରେ ଅସାମନତାର ସମାପ୍ତି ।
“ଆମ ପିଢ଼ିର ସବୁଠାରୁ ମହାନ ବ୍ୟକ୍ତିଙ୍କର ମହତ୍ତ୍ୱ୍ୱାକାଂକ୍ଷା ଥିଲା ପ୍ରତ୍ୟେକଙ୍କ ଆଖିରୁ ଲୁହର ପ୍ରତିଟି ବିନ୍ଦୁ ପୋଛିବା । ହୋଇପାରେ ଏହା ଆମ ଶକ୍ତିର ବାହାରେ, କିନ୍ତୁ ଯେତେବେଳେ ଯାଏ ଲୁହ ଏବଂ ଦୁଃଖ କଷ୍ଟ ରହିଥିବ, ସେତେବେଳ ଯାଏ ଆମର ଏହି କାର୍ଯ୍ୟ ଶେଷ ହେବ ନାହିଁ ।
“ତେଣୁ, ଆମକୁ ପରିଶ୍ରମ କରିବାକୁ ପଡ଼ିବ ଏବଂ କାର୍ଯ୍ୟ କରିବାକୁ ପଡିବ, ଏବଂ ଆମର ସ୍ୱପ୍ନ ଗୁଡିକୁ ବାସ୍ତବ କରିବା ପାଇଁ କଠୋର ପରିଶ୍ରମ କରିବାକୁ ହେବ । ଏହି ସ୍ୱପ୍ନଗୁଡିକ ଭାରତ ପାଇଁ, କିନ୍ତୁ ସେ ଗୁଡିକ ମଧ୍ୟ ବିଶ୍ୱପାଇଁ, ସବୁ ରାଷ୍ଟ୍ରପାଇଁ ଏବଂ ଜନଗଣଙ୍କ ପାଇଁ, ସେ ଗୁଡିକ ଘନିଷ୍ଠ ଭାବେ ପରସ୍ପର ସହିତ ଏପରି ଯୋଡ଼ି ହୋଇଛନ୍ତି ଯେ କେହି କଳ୍ପନା କରିପାରିବ ନାହିଁ ଯେ ଏହାକୁ ଛାଡ଼ି ସେ ଅଲଗା ରହିପାରିବ ।
“କୁହାଯାଏ ଶାନ୍ତି ହେଉଛି ଅବିଭାଜ୍ୟ; ସେହି ଭଳି ସ୍ୱାଧୀନତା, ସେହିଭଳି ବର୍ତ୍ତମାନ ସମୃଦ୍ଧି, ଏବଂ ସେହିଭଳି ମଧ୍ୟ ବିପତ୍ତି, ଏହି ଏକକ ବିଶ୍ୱରେ, ଯାହାକୁ ବିଚ୍ଛିନ୍ନ ଅଂଶରେ ଆଉ ବିଭାଜିତ କରାଯାଇ ନ ପାରେ ।“ଭାରତୀୟ ଜନଗଣଙ୍କୁ, ଯେଉଁମାନଙ୍କର ଆମେ ପ୍ରତିନିଧି, ଆମେ ନିବେଦନ କରୁ ସେମାନେ ଆସ୍ଥା ଏବଂ ଆତ୍ମବିଶ୍ୱାସ ସହିତ ଏହି ମହାନ ଦୁଃସାହସିକ କାର୍ଯ୍ୟରେ ଆମ ସହିତ ଯୋଗ ଦେବେ । ଏହା ସମୟ ନୁହେଁ କ୍ଷୁଦ୍ର ଏବଂ ବିଧ୍ୱଂସକାରୀ ସମାଲୋଚନାର, ସମୟ ନୁହେଁ ଶତ୍ରୁ ଭାବ ପ୍ରକଟପାଇଁ ବା ଅନ୍ୟ ଉପରେ ଦୋଷାରୋପ କରିବାପାଇଁ । ଆମକୁ ଗଢ଼ିବାକୁ ହେବ ସ୍ୱାଧୀନ ଭାରତର ଏକ ସମ୍ଭ୍ରାନ୍ତ ପ୍ରାସାଦ ଯେଉଁଠାରେ ତାର ପିଲାମାନେ ବସବାସ କରି ପାରିବେ ।
ମହାଶୟ, ମୋର ସାଦର ନିବେଦନ,
“ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଉ ଯେ
(୧) ମଧ୍ୟରାତ୍ରୀର ଶେଷ ଘଂଟା ବାଜିବା ପରେ, ଏହି ଅବସରରେ ସମ୍ବିଧାନ ସଭାର ସମସ୍ତ ସଭ୍ୟ ନିମ୍ନଲିଖିତ ଶପଥ ନେଉଛୁ: ‘ଏହି ଗମ୍ଭୀର ମୁହୂର୍ତ୍ତରେ ଯେତେବେଳେ ଭାରତର ଜନଗଣ, ବହୁ କଷ୍ଟ ଏବଂ ତ୍ୟାଗ ଦେଇ ସ୍ୱାଧୀନତା ହାସଲ କରିଛନ୍ତି, ମୁଁ………., ଭାରତର ସମ୍ବିଧାନ ସଭାର ସଭ୍ୟ, ସମସ୍ତ ବିନମ୍ରତାର ସହ ନିଜକୁ ଭାରତ ଏବଂ ତାର ଜନଗଣର ସେବା ପାଇଁ ଉତ୍ସର୍ଗ କରୁଛି ଯେପରି ଏହି ପ୍ରାଚୀନ ଭୂମି ବିଶ୍ୱରେ ତାର ସଠିକ ସ୍ଥାନ ହାସଲ କରିବ ଏବଂ ବିଶ୍ୱ ଶାନ୍ତି ତଥା ମାନବ ସମାଜର କଲ୍ୟାଣର ଅଭିବୃଦ୍ଧି ପ୍ରତି ସମ୍ପୂର୍ଣ୍ଣ ଭାବରେ ଓ ସ୍ୱେଚ୍ଛାରେ ତାର ଅବଦାନ କରିବ ।’
(୨) ଯେଉଁ ସଭ୍ୟମାନେ ଏହି ଅବସରରେ ଉପସ୍ଥିତ ନାହାନ୍ତି ସେମାନେ ଶପଥ ନେବେ ଯେତେବେଳେ ସେମାନେ ପରବର୍ତ୍ତୀ ଅଧିବେଶନରେ ଯୋଗ ଦେବେ ।”
ଏହି ଅଭିଭାଷଣରେ ନେହେରୁଙ୍କର ନିଜ ଦେଶକୁ ଗଢ଼ିବାର ସଙ୍କଳ୍ପ କେବଳ ପ୍ରତିଧ୍ୱନିତ ହୁଏ ନାହିଁ, ସମସ୍ତ ବିଶ୍ୱ, ମାନବ ସମାଜର କଲ୍ୟାଣ ପାଇଁ ଭାରତ ଯେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ଏପରି ବିଶ୍ୱାସ ମଧ୍ୟ ପ୍ରତିଧ୍ୱନିତ ହୋଇଥିଲା । ସଂକୀର୍ଣ୍ଣ ରାଷ୍ଟ୍ରବାଦ ନୁହେଁ ବରଂ ଉଦାର ମାନବତାବାଦ ସ୍ଥାପନାର ଲକ୍ଷ୍ୟ ଏହି ସଦ୍ୟ ସ୍ୱାଧୀନ ରାଷ୍ଟ୍ରର ଯେ ଲକ୍ଷ୍ୟ, ତାହା ଏହି ଅଭିଭାଷଣରୁ ସ୍ପଷ୍ଟ ହେଉଥିଲା । ଏକ ଉଦାରଚେତା ଭାରତୀୟ ସମାଜ ଗଠନର ସ୍ୱପ୍ନ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନେହେରୁ ।
ପାକ୍ଷିକ ପତ୍ର ଲିଖନର ପର୍ଯ୍ୟାୟ : ପ୍ରଥମ ପତ୍ର
ଉପରୋକ୍ତ ଅଭିଭାଷଣର ଦୁଇମାସ ପରେ ୧୫ ଅକ୍ଟୋବର ୧୯୪୭ ଦିନ ପାକ୍ଷିକ ପତ୍ର ଲିଖନର ପର୍ଯ୍ୟାୟ ଆରମ୍ଭ କରିଥିଲେ ଜବାହାରଲାଲ । ଏହି ପତ୍ରରେ ସେ ଲେଖିଥିଲେ୨(ପୃ୨୩-୨୮), “ମୁଁ ଆପଣମାନଙ୍କୁ ଅଗଷ୍ଟ ମାସର ମଝିଆ ମଝି ସମୟରେ ପରାମର୍ଶ ଦେଇଥିଲି ଯେ ଆପଣମାନେ ପ୍ରତ୍ୟେକ ପକ୍ଷରେ ମୋତେ ଚିଠି ଲେଖିବେ ଏବଂ ମୁଁ ପ୍ରତିଶୃତି ଦେଇଥିଲି ଯେ ଏହାର ଉତ୍ତରରେ ମୁଁ ଚିଠି ଲେଖିବି । ମୁଁ ଆଶା କରୁଥିଲି ଯେ ଏହାଦ୍ୱାରା ଆପଣଙ୍କ ପ୍ରଦେଶରେ ଯାହା ଘଟୁଛି ତାହା ସହିତ ମୋର ସମ୍ପର୍କ ରହିବ ଏବଂ ଆପଣମାନଙ୍କୁ ମୁଁ ଜଣାଇ ପାରିବି କେନ୍ଦ୍ରରେ କଣ ଘଟୁଛି । କେବଳ ସେତିକି ନୁହେଁ ବରଂ ଜଣାଇବି ଅନ୍ୟ ପ୍ରଦେଶରେ କଣ ଘଟୁଛି ଯାହାର ପ୍ରଭାବ ଦେଶର ଅନ୍ୟ ଅଂଚଳ ଉପରେ କିପରି ପଡ଼ିପାରେ । ଏହି କାର୍ଯ୍ୟକ୍ରମକୁ ଆମେ କାଏମ ରଖି ପାରିଲୁ ନାହିଁ ।……ମୋର ଆଶଙ୍କା ଯେ ୧୫ ଅଗଷ୍ଟ ପରେ ହୋଇଥିବା ଘଟଣାଗୁଡିକର ଚାପ ଆମକୁ ଅଭିଭୂତ କରି ପକାଇଛି । ତଥାପି ଏହିପରି ବ୍ୟତିକ୍ରମୀ ଚାପର ସମୟରେ ଯେପରି ବର୍ତ୍ତମାନ କାଳରେ,ଏହା ସାଧାରଣ ସମୟଠାରୁ ଅଧିକ ଜରୁରୀ ଯେ ଆମେ ପରସ୍ପର ସହିତ ଅତି ନିକଟ ସମ୍ପର୍କରେ ରହିବା ଉଚିତ ଯାହା ଦ୍ୱାରା ଆମେ ଏକ ସମ୍ମିଳିତ ଉଦ୍ୟମ ଦ୍ୱାରା ଆମ ସମ୍ମୁଖରେ ଥିବା ଗମ୍ଭୀର ବିପଦକୁ ଅତିକ୍ରମ କରିପାରିବା । ତେଣୁ ମୋର ପ୍ରସ୍ତାବ ଯେ ଆମେ ପ୍ରତି ୧୫ ଦିନରେ ପତ୍ର ବିନିମୟର ଅଭ୍ୟାସ କରିବା ଏବଂ ମୋର ଅଭିପ୍ରାୟ ଯେ ପ୍ରତି ମାସର ପହିଲା ଓ ୧୫ତାରିଖ ଦିନ ଆପଣମାନଙ୍କୁ ପତ୍ର ଲେଖିବି । ଏହାର ଅର୍ଥ ନୁହେଁ ଯେ ଆପଣମାନେ ଯଦି ଆବଶ୍ୟକ ମନେ କରନ୍ତି ତାହାହେଲେ ଅଧିକ ଥର ମୋ ପାଖକୁ ଲେଖି ପାରିବେ ନାହିଁ ।” କେଉଁ ଚାପ ଦ୍ୱାରା ଅଭିଭୂତ ହେବା କଥା ନେହେରୁ କହୁଥିଲେ? ଭାରତ ଭୂଖଣ୍ଡର ବିଭାଜନ ପରେ ଉଗ୍ର ସାମ୍ପ୍ରଦାୟିକ ଦଙ୍ଗାର ବିଭୀଷିକା, ଶରଣାର୍ଥୀଙ୍କର ଥଇଥାନ ସମସ୍ୟା, ସଂଖ୍ୟାଲଘୁ ମୁସଲମାନଙ୍କୁ ସୁରକ୍ଷା ଦେବାର ଅପରିହାର୍ଯ୍ୟତା, ସଂଖ୍ୟାଗରିଷ୍ଠ ସମୁଦାୟକୁ ସଂଯମିତ କରିବାର ଉଦ୍ୟମ, ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି- ନିଶ୍ଚିତ ଭାବେ ସଦ୍ୟ ସ୍ୱାଧୀନ ଭାରତର ପ୍ରଶାସନ ଉପରେ ଅଭୂତପୂର୍ବ ଚାପ ସୃଷ୍ଟି କରିଥିବ । କିନ୍ତୁ ଏହିପରି ଚାପକୁ ମୁକାବିଲା କରିବାରେ ପ୍ରଶାସନ ଯେ ସମର୍ଥ ହୋଇଥିଲା, ତାହା ଉପରୋକ୍ତ ପତ୍ରରେ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଉଥିଲେ ଯେତେବେଳେ ସେ ଲେଖୁଥିଲେ୨(ପୃ୨୩-୨୮), “ଯଦି ପଶ୍ଚିମ ଉତ୍ତରପ୍ରଦେଶରେ ବିଶୃଂଖଳାକୁ ଅଟକାଇ ଦିଆଯାଇ ନଥାନ୍ତା, ତାହା ଶେଷରେ ଏହା ପୂର୍ବକୁ ବ୍ୟାପି ଥାନ୍ତା, ବିହାର ଏବଂ ପଶ୍ଚିମବଙ୍ଗ ଆଡକୁ, ଏବଂ ସମୁଦାୟ ଉତ୍ତରଭାରତରେ ଅରାଜକତା ସୃଷ୍ଟି ହୋଇଥାନ୍ତା । ଏପରି ପରିସ୍ଥିତିରେ, ବିଶୃଂଖଳା କେବଳ ଉତ୍ତରଭାରତରେ ସୀମିତ ହୋଇ ରହିନଥାନ୍ତା । ସେତେବେଳେ ଆମେ ସମ୍ମୁଖୀନ ହୋଇଥାନ୍ତେ, ନୀରିହ ଲୋକଙ୍କର ନିଷ୍ଠୁର ସାମୂହିକ ହତ୍ୟା ଏବଂ ସମ୍ପତ୍ତିର ବିନାଶ ବ୍ୟତୀତ, ଏକ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ଯୋଗାଯୋଗର ସ୍ଥିତି, ଖାଦ୍ୟଯୋଗାଣରେ ଅବ୍ୟବସ୍ଥା ଏବଂ ମହାମାରୀ ରୋଗର ପ୍ରସାର । ପ୍ରକୃତରେ ଦେଖିଲେ, ଦେଶରେ ସମ୍ପୂର୍ଣ୍ଣ ଅରାଜକତାର ସମ୍ମୁଖୀନ ଆମେ ହୋଇଥାନ୍ତେ ଏବଂ ସମୁଦାୟ ସାମ୍ବିଧାନିକ ରାଷ୍ଟ୍ରର ବିନାଶର ସମ୍ମୁଖୀନ ହୋଇଥାନ୍ତେ । ଆମେ ସେ ବିପଦରୁ ବାହାରି ଆସିଛୁ । ତଥାପି ଅବିରାମ ସତର୍କତା (Unceasing vigilance)ର ଆବଶ୍ୟକତା ରହିଛି…..” । କଣ ପାଇଁ ଅବିରାମ ସତର୍କତାର ଆବଶ୍ୟକତା? ଯେପରି ନ ବ୍ୟାପେ ଏହି ଧାରଣା ଯେ କେନ୍ଦ୍ର ସରକାର ମୁସଲମାନଙ୍କ ପ୍ରତି ତୁଷ୍ଟିକରଣ ନୀତି ଅବଲମ୍ବନ କରୁଛି । ନେହେରୁଙ୍କ ଭାଷାରେ, ଏପରି ଧାରଣା୨(ପୃ୨୩-୨୮) , “ସମ୍ପୂର୍ଣ୍ଣ ଅବାନ୍ତର (complete nonsense) ଦୁର୍ବଳତା ବା ତୁଷ୍ଟିକରଣର କୋଣସି ପ୍ରଶ୍ନ ଉଠୁନାହିଁ । ଆମର ଏଠି ସଂଖ୍ୟାଲଘୁ ମୁସଲମାନଙ୍କର ସଂଖ୍ୟା ଏତେ ବେଶୀ ଯେ ସେମାନେ ଅନ୍ୟ କେଉଁଠିକି ଚାହିଁଲେ ମଧ୍ୟ ଯାଇପାରିବେ ନାହିଁ । ସେମାନେ ଭାରତରେ ହିଁ ରହିବେ । ଏହା ହିଁ ମୂଳ କଥା ଯାହା ଉପରେ କୌଣସି ତର୍କର ଅବକାଶ ନାହିଁ । ପାକିସ୍ଥାନରୁ ଯେକୌଣସି ଉସକାଣି ହେଉନା କାହିଁକି ଏବଂ ସେଠାରେ ଅଣ-ମୁସଲମାନଙ୍କ ପ୍ରତି ଅସମ୍ମାନ ଓ ଆତଙ୍କ ପ୍ରଦର୍ଶନ ହେଉ ନା କାହିଁକି, ଆମକୁ ଏହି ସଂଖ୍ୟାଲଘୁଙ୍କ ପ୍ରତି ସଭ୍ୟ ଆଚରଣ କରିବାକୁ ହେବ । ସେମାନଙ୍କୁ ନିରାପତ୍ତା ଦେବାକୁ ହେବ ଏବଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକର ଅଧିକାର ଦେବାକୁ ହେବ । ଯଦି ଆମେ ଏହା କରିବାରେ ଅସଫଳ ହେଉ ତାହାହେଲେ ଏକ ପୂଯଭରା ବଥ(a festering sore) ସୃଷ୍ଟି ହେବ ଯାହା ଆମର ସମୁଦାୟ ରାଜନୈତିକ କାୟା (body politic)କୁ ବିଷାକ୍ତ କରିଦେବ ଏବଂ ସମ୍ଭବତଃ ଏହାକୁ ଧ୍ୱଂସ କରିଦେବ । ଉପରନ୍ତୁ ଆନ୍ତର୍ଜାତିକ ମଂଚରେ ଆମେ ଆଜି କଠୋର ବିଚାରର ସମ୍ମୁଖୀନ ହୋଇଛୁ । ଜାତିସଂଘରେ ଥିବା ଆମର ପ୍ରତିନିଧିମଣ୍ଡଳରୁ ଜାଣିବାକୁ ପାଇଛି ଯେ ନିକଟ ଅତୀତର ଦୁଃଖଦ ଘଟଣା ପୂର୍ବରୁ ଯେଉଁ ମିତ୍ରଭାବ ଭାରତ ପ୍ରତି ଥିଲା ତାହା ବଦଳି ଯାଇଛି ଏବଂ ଆମକୁ ଅବିଶ୍ୱାସର ସହିତ ଦେଖାଯାଉଛି, ପ୍ରାୟ ଏକ ପ୍ରକାର ହେୟ ଭାବର ସହିତ । ଆମେ ଏହିପରି ଧାରଣାକୁ ଅଣଦେଖା କରିପାରିବା ନାହିଁ । ଆମେ ଅନେକ ଜିନିଷ ପାଇଁ ଆନ୍ତର୍ଜାତିକ ସଦଭାବନା ଉପରେ ନିର୍ଭରଶୀଳ ବିଶେଷତଃ ବିଭାଜନ ପରଠାରୁ । ନୈତିକ ବିଚାରକୁ ବାଦ୍ ଦେଇ କେବଳ ନିରୋଳା ନିଜ ସ୍ୱାର୍ଥଦୃଷ୍ଟିରୁ ଚାହିଦା ହେଉଛି ଯେ ବିଶ୍ୱଜନମତ ସଂଖ୍ୟାଲଘୁଙ୍କ ପ୍ରତି ଆମର ବ୍ୟବହାର ସନ୍ଦର୍ଭରେ ଆମ ପକ୍ଷରେ ରହିବା ଉଚିତ ।”
ନେହେରୁ ସାମ୍ପ୍ରଦାୟିକତାକୁ ନେଇ ଏତେ ଆଶଙ୍କିତ ଥିଲେ ଯେ ଏହି ପତ୍ରରେ ନେହେରୁ ପ୍ରାଦେଶିକ ମୁଖ୍ୟମାନଙ୍କ ବିଚାର ପାଇଁ ଉତ୍ଥାପିତ କରିଥିଲେ, ଲୋକ ସେବାରେ (public services) ନିୟୋଜିତ ସଂସ୍ଥାଗୁଡିକ ଯେପରି ସାମ୍ପ୍ରଦାୟିକ ରାଜନୀତିର ଭୂତାଣୁର ସଙ୍କ୍ରମଣରୁ ଦୂରାଇ ରୁହନ୍ତି ତାହାର ଆବଶ୍ୟକତା ଉପରେ । ସେ ଦର୍ଶାଇଥିଲେ ଯେ କିପରି ପାକିସ୍ଥାନରେ ଲୋକସେବା ସଂସ୍ଥାଗୁଡ଼ିକ ତାଙ୍କ ଦେଶର ସରକାରଙ୍କ ହାତରୁ ଖସିଯାଇଛି ଓ ଏହି ସଂସ୍ଥାଗୁଡିକରେ ବିଶୃଙ୍ଖଳାକୁ ନେଇ ମହମଦ ଅଲି ଜିନ୍ନା କିପରି ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ପାକିସ୍ଥାନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି, ଭବିଷ୍ୟତରେ ଏହା ଆହୁରି ଗମ୍ଭୀର ହୋଇପାରେ । ଏହି ସୂଚନା ଦେବା ସହିତ ନେହେରୁ ଲେଖୁଥିଲେ, “ସାମଗ୍ରିକ ଦୃଶ୍ୟକୁ ବିଚାର କଲେ, ଏହି ପ୍ରସଙ୍ଗରେ ଆମେ ଭାଗ୍ୟବାନ ଏବଂ ମୋଟାମୋଟି କୁହାଯାଇପାରେ ଯେ ଆମେ ଲୋକସେବାର ଶୁଦ୍ଧତାକୁ ସାମ୍ପ୍ରଦାୟିକତା ଭୂତାଣୁର ସଙ୍କ୍ରମଣରୁ ରକ୍ଷା କରିପାରିଛୁ । କିନ୍ତୁ ପୂର୍ବ ପଂଜାବରେ କିଛି ତୃଟି ବିଚ୍ୟୁତି ଅଛି ବିଶେଷତଃ ପୁଲିସ ବିଭାଗରେ; ଏବଂ ଆମେ ଯଦି ସଜାଗ ନ ରହିବା, ତାହାହେଲେ ଏହି ବ୍ୟାଧି ବ୍ୟାପିବ । ସେତେବେଳେ ଆମ ସାମ୍ନାରେ ସାଂଘାତିକ ପରିସ୍ଥିତି ଉପୁଜିବ ଉଦାହରଣସ୍ୱରୂପ ସରକାର ଥାଇ ମଧ୍ୟ ନିଜର କୌଣସି ନିଷ୍ପତ୍ତିକୁ ତା ନିଜର ଭୃତ୍ୟଙ୍କ ଦ୍ୱାରା କାର୍ଯ୍ୟକାରୀ କରାଇ ପାରୁନଥିବ; ଯେପରି ଦକ୍ଷିଣ ଆମେରିକାର ଗଣତନ୍ତ୍ରରେ ବାରମ୍ବାର ଘଟୁଛି । ମୁଁ ଆପଣମାନଙ୍କୁ କହିବି ଯେ ଆପଣମାନେ କୌଣସି ସୁଯୋଗ ଦେବେ ନାହିଁ ଯାହାଦ୍ୱାରା ସରକାରୀ ଭୃତ୍ୟଙ୍କ ଦ୍ୱାରା ସରକାରଙ୍କ ନୀତିର ନିଷ୍ଠାପର କାର୍ଯ୍ୟକାରିତାରେ ଶିଥିଳତା ଆସିବ, ବିଶେଷତଃ ସଂଖ୍ୟାଲଘୁଙ୍କ ପ୍ରତି ନ୍ୟାୟୋଚ୍ଚିତ ବ୍ୟବହାର କ୍ଷେତ୍ରରେ । ଯଦି ଏହିଥିରେ କୌଣସି ତୃଟି ବିଚ୍ୟୁତିକୁ ଆମେ କ୍ଷମା କରିଦେଉ , ତାହାହେଲେ ଆମେ ବହୁ ଗମ୍ଭୀର ବିପଦଗୁଡିକୁ ହିଁ ଏ ଦେଶର ଭବିଷ୍ୟତ ପାଇଁ ଛାଡ଼ି ଯିବା ।” ଆଜିକାର ଦୃଶ୍ୟ କଣ ନେହେରୁ ସତର୍କ କରାଇ ଦେଇଥିବା ତୃଟି ବିଚ୍ୟୁତିକୁ କ୍ଷମା ଦେବାର ପରିଣତି? ବିଚାରସାପେକ୍ଷ ।
ତୃତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ରାଷ୍ଟ୍ର ଅର୍ଥନୀତିର ଦୁଃସ୍ଥିତି, “our economic position is really quite serious” ସେ ଚିନ୍ତିତ ଥିଲେ ଦରଦାମରେ ଅସ୍ୱାଭାବିକ ବୃଦ୍ଧିକୁ ନେଇ । ଏପରି ବୃଦ୍ଧିର କାରଣ, ସେ ପ୍ରାଦେଶିକ ମୁଖ୍ୟଙ୍କୁ ଲେଖୁଥିଲେ, ଭୋଗ୍ୟବସ୍ତୁ (consumable goods)ଉତ୍ପାଦନରେ ହ୍ରାସ । ସେ ଚିନ୍ତିତ ଥିଲେ ଖାଦ୍ୟ ସାମଗ୍ରୀର ଯୋଗାଣ ପାଇଁ ବିଦେଶ ଉପରେ ଆମର ନିର୍ଭରଶୀଳତାକୁ ନେଇ । ଏପରି ସ୍ଥିତିର ସମାଧାନ ହେଉଛି ଅଧିକ ଉତ୍ପାଦନ । ତେଣୁ ସେ ପ୍ରାଦେଶିକ ମୁଖ୍ୟଙ୍କୁ ଲେଖୁଥିଲେ୨(ପୃ୨୩-୨୮), “ଆପଣମାନେ ଏହି ବିଷୟକୁ ନିଜ ବିଚାର ଭିତରେ ଗୁରୁତ୍ୱ ଦେବେ ଓ ଦେଖିବେ ଯେପରି ସମସ୍ତ ପ୍ରକାରର ପ୍ରଭାବୀ ପଦକ୍ଷେପ ନିଆଯାଏ ଯାହାଦ୍ୱାରା ଉତ୍ପାଦନରେ ବୃଦ୍ଧି ହେବ..’ ଅର୍ଥନୈତିକ ସମସ୍ୟାର ଅନୁଧ୍ୟାନ ପାଇଁ ଏକ କ୍ୟାବିନେଟ ସବ-କମିଟି ଗଠନ କରାଯାଇଛି ବୋଲି ସେ ପ୍ରାଦେଶିକ ମୁଖ୍ୟଙ୍କୁ ଜଣାଇଥିଲେ ଓ ପ୍ରତିଶୃତି ଦେଇଥିଲେ ଯେ ଏହି କମିଟିର ମୁଖ୍ୟ ସୁପାରିଶଗୁଡ଼ିକୁ ସେମାନଙ୍କୁ ଜଣାଇବେ ଯାହା ସେମାନଙ୍କ ପ୍ରଦେଶପାଇଁ ଅନୁକୂଳ ହୋଇପାରେ ।
ତାଙ୍କର ଏହି ପତ୍ରରେ ଚତୁର୍ଥ ଉଲ୍ଲିଖିତ ବିଷୟ ଥିଲା ଶରଣାର୍ଥୀଙ୍କ ପୁନର୍ବାସ ସମ୍ପର୍କରେ । ସେ ପୁନର୍ବାସ ମନ୍ତ୍ରଣାଳୟର ଏକ ପତ୍ର ପ୍ରତି ପ୍ରାଦେଶିକ ମୁଖ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେମାନେ ଏହି ପତ୍ରକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଆଶା ପ୍ରକାଶ କରିଥିଲେ ।
ସ୍ୱାଧୀନତାପ୍ରାପ୍ତିର ମାତ୍ର ଦୁଇମାସ ମଧ୍ୟରେ ପ୍ରାଦେଶିକ ସରକାରଙ୍କ ମୁଖ୍ୟମାନଙ୍କ ସହ ପତ୍ର ବିନିମୟର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱ ଦେବା ଓ ସେମାନଙ୍କଠାରୁ ସେମାନଙ୍କ ପ୍ରଦେଶ ସମ୍ପର୍କରେ ଜାଣିବା ଓ ସେମାନଙ୍କୁ ଉତ୍ତରରେ ପତ୍ର ଲେଖିବାର ପ୍ରତିଶୃତିରେ ସଂଘୀୟ ବ୍ୟବସ୍ଥା ପ୍ରତି ନେହେରୁଙ୍କର ବିଶ୍ୱାସ ପ୍ରତିଫଳିତ ହେଉଛି । ଏହି ପତ୍ରରେ ସେ ଯେତେବେଳେ ମୁସଲମାନ ତୁଷ୍ଟିକରଣ ଅପବାଦର ଅଯୌକ୍ତିକତା, ସଂଖ୍ୟାଲଘୁଙ୍କୁ ନିରାପତ୍ତାର ଆବଶ୍ୟକତା, ରାଜନୀତି ଓ ଲେକସେବାକୁ ସାମ୍ପ୍ରଦାୟିକତା ଭୂତାଣୁର ସଙ୍କ୍ରମଣରୁ ସୁରକ୍ଷିତ ରଖିବାର ଅପରିହାର୍ଯ୍ୟତା ଓ ଭାରତ ପ୍ରତି ଅନୁକୂଳ ବିଶ୍ୱଜନମତର ଗୁରୁତ୍ୱ, ପ୍ରାଦେଶିକ ମୁଖ୍ୟମାନଙ୍କୁ ଜଣାଉଥିଲେ, ସେତେବେଳେ ସେ କ’ଣ ଦେଖିପାରୁଥିଲେ ଯେ ଏହି ପ୍ରସଙ୍ଗଗୁଡ଼ିକ ଭାରତୀୟ ରାଜନୀତିରେ, ପ୍ରଶାସନରେ, ସଂସ୍କୃତିରେ ବାରମ୍ବାର ଉଠିବ ଓ ସମାଜକୁ ଆନ୍ଦୋଳିତ କରିବ? ସେଇଥିପାଇଁ କ’ଣ ସେ ସତର୍କ କରାଉଥିଲେ ଯେ ଏହି ପ୍ରସଙ୍ଗଗୁଡ଼ିକୁ ଗମ୍ଭୀରତା ସହ ନେବାପାଇଁ ଓ ଯଦି “କୌଣସି ତୃଟି ବିଚ୍ୟୁତିକୁ ଆମେ କ୍ଷମା କରି ଦେଉ ତାହାହେଲେ ଆମେ ବହୁ ଗମ୍ଭୀର ବିପଦଗୁଡିକୁ ହିଁ ଏ ଦେଶର ଭବିଷ୍ୟତ ପାଇଁ ରଖିଯିବା”? ଏହି ପ୍ରସଙ୍ଗଗୁଡିକ ଯେତେବେଳେ ଜବାହରଲାଲଙ୍କ ଚିନ୍ତାରେ ପ୍ରକଟିତ ହେଉଥିଲା ସେତେବେଳେ ସମ୍ବିଧାନ ସଭା ସ୍ୱାଧୀନ ଭାରତ ପାଇଁ ନୂତନ ସମ୍ବିଧାନ ପ୍ରଣୟନର ଉଦ୍ୟମ କରୁଥିଲା ଯାହା ଏହି ପ୍ରଥମ ପତ୍ର ଲେଖାହେବାର ପ୍ରାୟ ଅଢ଼େଇବର୍ଷ ପରେ ଶେଷ ହୋଇଥିଲା ଓ ଏହି ପ୍ରସଙ୍ଗଗୁଡିକୁ ସମ୍ବିଧାନରେ ସ୍ଥାନିତ କରାଯାଇଥିଲା, ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବାର ବ୍ୟବସ୍ଥା ହେଲା, ଆଇନ ସମ୍ମୁଖରେ ଧର୍ମ ବର୍ଣ୍ଣ ଜାତି ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ବୋଲି କୁହାଗଲା, ସୁବିଧା ସୁଯୋଗକ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ ବୋଲି କୁହାଗଲା, ଧର୍ମନିରପକ୍ଷେତା, ସଂଘୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଗଲା । ପରବର୍ତ୍ତୀକାଳରେ, ସମ୍ବିଧାନ ପ୍ରଣୟନର ପ୍ରାୟ ୨୩ ବର୍ଷ ପରେ୩(ପୃ ୬୧), ସମ୍ବିଧାନର ‘ମୌଳିକ ଗଠନ ମତବାଦ’ (Basic Structure Theory) ଅନ୍ତର୍ଗତ ସମ୍ବିଧାନର ଯେଉଁ ଚରିତ୍ରଗୁଡିକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଚିହ୍ନଟ କରିଲେ ସେଥିରେ ରହିଲା ଧର୍ମନିରପେକ୍ଷତା ଓ ସଂଘବାଦ । ସମ୍ବିଧାନର ସଂଶୋଧନ ଯେପରି କରାଗଲେ ମଧ୍ୟ ସମ୍ବିଧାନର ମୌଳିକ ଗଠନରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ଅର୍ଥାତ୍ ଧର୍ମନିରପେକ୍ଷତା ଓ ସଂଘବାଦକୁ ଆମ ସମ୍ବିଧାନରୁ, କୌଣସି ସଂଶୋଧନ ଦ୍ୱାରା ବାଦ ଦିଆଯାଇ ପାରିବନାହିଁ । ଏହା ପରେପରେ, ୧୯୭୬ରେ, ୪୨ତମ ସଂଶୋଧନ ଦ୍ୱାରା ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମ ନିରପେକ୍ଷ’ (secular) ଶବ୍ଦ ଉଲ୍ଲେଖ ହୋଇଥିଲା, ‘ସମାଜବାଦ’ (socialist)ଶବ୍ଦ ସହ । ଯାହା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି । ନେହେରୁଙ୍କର ଚିନ୍ତା ସାମ୍ବିଧାନିକ ହୋଇଛି ।
କିନ୍ତୁ ଏ ସବୁ ସତ୍ତ୍ୱେ ଆଜି ଭାରତୀୟ ସମାଜରେ ବର୍ଦ୍ଧିଷ୍ଣୁ ସାମ୍ପ୍ରଦାୟିକତା, ବିଶେଷତଃ ମୁସଲମାନଙ୍କ ପ୍ରତି ବିଦ୍ୱେଷ ଦେଖିଲେ, ନେହେରୁଙ୍କର ଆଶଙ୍କା ସତ୍ୟ ହେଉଛି କି? ଯାହାକୁ ଅବହେଳା କରାଯିବା ଆଦୌ ଉଚିତ ନୁହେଁ ବୋଲି ସେ ସତର୍କ କରାଇ ଦେଉଥିଲେ, ସେଥିରେ ଆମେ ଅସଫଳ ହୋଇଛୁ କି? ଏହି ଅସଫଳତା ଯୋଗୁଁ ଏକ ପୂଯ ଭରା ବଥ ସୃଷ୍ଟି ହୋଇଛି କି ଯାହା ଭାରତୀୟ ସମାଜର ରାଜନୈତିକ କାୟାକୁ ବିଷାକ୍ତ କରୁଛି?
କହିବା ବାହୁଲ୍ୟ ଯେ ନେହେରୁଙ୍କ ଚିନ୍ତା ଆଜି ମଧ୍ୟ ପ୍ରାସଙ୍ଗିକ ହୋଇରହିଛି ।
ବ୍ୟବହୃତ ଉପାଦାନ ସୂଚୀ
1.Jawaharlal Nehru , Letters to Chief Ministers: 1947-1964, Vol.1, 1947-1949, General Editor-G Parthasarthi, Government of India
2.Letters For A Nation From Jawaharlal Nehru to His Chief Ministers: 1947-1963, edited by Madhav Khosla, Penguin Random House, 2014
3.The Court and the Constitution of India: Summits and Shallows, O. Chinnappa Reddy, Oxford University Press, 2008, p.61
Comments
0 comments