ଅଷ୍ଟମ ଶତାବ୍ଦୀ ଠାରୁ ଷୋଡଶ ଶତାବ୍ଦୀ ମଧ୍ୟରେ ଭାରତୀୟ କୃଷି ଓ କୃଷକ

25 Min Read

କୌଣସି ଦେଶର ଇତିହାସ ତାର ପଡୋଶୀ ଦେଶମାନଙ୍କୁ ବିଚାରକୁ ନନେଇ ଲେଖାଯାଇ ପାରିବ ନାହିଁ । ଭାରତର ଇତିହାସ ମଧ୍ୟ ଆରବ, ତୁର୍କୀ, ଇରାନ, ମଧ୍ୟ ଏସିଆ, ଆଫଗାନ ସ୍ଥାନ ଓ ଉତ୍ତର ପଶ୍ଚିମରେ ଚୀନର ସମସାମୟିକ ଘଟଣାବଳି ଦ୍ଵାରା ପ୍ରଭାବିତ ହୋଇଛି। ସପ୍ତମ ଶତାବ୍ଦୀରେ ଆରବରେ ଇସଲାମ ଧର୍ମ ମୁଣ୍ଡ ଟେକେ । ଆରବର ଲୋକ ମାନେ ଖୁବ ସାହସୀ, କଳା , ଗଣିତ,ବିଜ୍ଞାନ,ଜ୍ୟୋର୍ତିବିଦ୍ୟାରେ ଖୁବ ପାରଙ୍ଗମ ଥାନ୍ତି । ଅଷ୍ଟମ ଶତାବ୍ଦୀ ବେଳକୁ ଆରବର ମୁସଲମାନମାନେ ପଶ୍ଚିମରେ ସ୍ପେନ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିପାରିଥିଲେ । କିଛି ଲୋକ ଚାଷ କରୁଥିଲେ । କିନ୍ତୁ ଚାଷ ସେମାନଙ୍କର ମୁଖ୍ୟ ଜୀବିକା ନଥିଲା । ଓଟ ଓ ଘୋଡା ଚଢି ବେପାର ବଣିଜ କରିବା ସେମାନଙ୍କର ଜୀବନ ଧାରା ଥିଲା । ତେଣୁ ମୁସଲମାନ ଐତିହାସିକ ମାନେ ଚାଷୀ ଓ ଚାଷର ସ୍ଥିତି ସମ୍ପର୍କରେ ବିଶେଷ ଗୁରୁତ୍ଵ ନଦେଇ ସେମାନଙ୍କର ବାଣିଜ୍ୟ ବ୍ୟବସାୟକୁ ପ୍ରାଧାନ୍ୟ ଦେଇଛନ୍ତି । ବସ୍ତୁତଃ ଇସଲାମ ଗୋଟିଏ ସହରି ଧର୍ମ । ଐତିହାସିକମାନଙ୍କର ଧାରଣା ଥିଲା ଚାଷ ଏକ ମାମୁଲି କାମ ଏବଂ ଚାଷୀ ମାନଙ୍କର ସମାଜରେ ଗୁରୁତ୍ଵ ନଥିଲା ।

ବାଗଦାଦର ଇବନ ହୁକାଲ ଜଣେ ଭୂଗୋଳ ବିଶାରଦ ଥିଲେ । ୯୪୩ ଖ୍ରୀଷ୍ଟାଦ୍ଦରେ ସେ ଭାରତର ସିନ୍ଧୁ ପ୍ରଦେଶକୁ ଭ୍ରମଣରେ ଆସିଥିଲେ । ଭାରତ ସମ୍ପର୍କରେ ସେ ଲେଖିଥିବା କିତାବୁ –ମୁସାଲିକ-ୱାମାଲିକ ରେ ସେତେବେଳେ ମୁସଲମାନ ଶାସନ କରୁଥିବା ସିନ୍ଧୁର ଗ୍ରାମ, ସହର, ଗ୍ରାମବାସି ଓ ଚାଷ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ରଖିଛନ୍ତି । ସେତେବେଳେ ସିନ୍ଧୁ ପ୍ରଦେଶ ଶସ୍ୟ ଉତ୍ପାଦନରେ ଖୁବ ଆଗରେ ଥାଏ । ଆରବ ଦେଶରୁ ମୁସଲମାନ ବଣିକମାନେ ଘୋଡାରେ ଆସି ସିନ୍ଧୁ ପ୍ରଦେଶରେ ବେପାର ବଣିଜ କରୁଥିଲେ । ଲୁହାରେ ତିଆରି ଖଣ୍ଡା, ତୀର, ବର୍ଚ୍ଛା ଭଳି ଅସ୍ତ୍ର କିଣାବିକା ମୁସଲମାନଙ୍କର ପ୍ରମୁଖ ବ୍ୟବସାୟ ଥିଲା । ଚାଷ ବାସ ପାଇଁ ପାଣିର ଅଭାବ ପଡୁଥିଲା । ଜଳସେଚନର ବ୍ୟବସ୍ଥା ନଥିଲା । ପର୍ସିୟାନ ହୁଇଲରେ ପାଣି ଉଠାଇ କେହି କେହି ଜମିରେ ମଡାଉଥିଲେ । ବର୍ଷା ଅଭାବରୁ ବହୁତ ଚାରଣ ଭୂମି ଥିଲା । ତେଣୁ ଚାଷ ସହିତ ବହୁ ଲୋକ ଗୋପାଳନ କରୁଥିଲେ । ସିନ୍ଧୁର ବାସିନ୍ଦାମାନଙ୍କୁ ଜାଟ (jat) କୁହାଯାଉଥିଲା। ଗହମ ଓ ବାଜରାରେ ରୁଟି, ଖେସାରୀ ଡାଲି ଖାଉଥିଲେ । ମାଛ ଓ ବତକ, ହଂସରାଡି ଭଳି ପକ୍ଷୀ ଶିକାର କରି ମାଂସ ଖାଉଥିଲେ । କୁରୁଦୁଷ ମାନେ ଅନ୍ୟାନ୍ୟ ଖାଦ୍ୟ ସହିତ ଖିର, ଛେନା, ଦହିବି ଖାଉଥିଲେ ।

ମରର୍କ୍କୋରୁ ସିନ୍ଧୁକୁ ଆସିଥିବା ଭ୍ରମଣ କାରୀ ଆର ଇଦ୍ରିସ ଏକାଦଶ ଶତାବ୍ଦୀରେ ଭାରତର ଜନଜୀବନ ସମ୍ପର୍କରେ କୁହନ୍ତି ,”ଭାରତରେ ସତୋଟି ଜାତି ଥିଲା । ଶାସକ ଶ୍ରେଣୀର ଲୋକମାନଙ୍କୁ ‘ସାକ୍ରିୟା’ କୁହାଯାଉଥିଲା । ସେମାନେ ସମ୍ରାନ୍ତ ଶ୍ରେଣୀ । କେବଳ ସାକ୍ରିୟା ମାନେହିଁ ଦେଶ ଶାସନ କରିପାରୁଥିଲେ । ବ୍ରାହ୍ମଣମାନେ ଦ୍ଵିତୀୟ ଜାତି । ଧର୍ମ ଉପାସନା, ଧର୍ମ ପ୍ରଚାର, ପୁରୋହିତି ସେମାନଙ୍କର କାମ । ସେମାନେ ମଦ ଛୁଉଁ ନଥିଲେ । ସାକ୍ରିୟାମାନଙ୍କୁ ଛାଡିଦେଲେ ଅନ୍ୟ ଜାତିର ଲୋକମାନେ ବ୍ରାହ୍ମଣମାନଙ୍କୁ ସନମାନ କରନ୍ତି । ତୃତୀୟ ଜାତି କ୍ଷତ୍ରିୟ ଏମାନେ ଶାସକ ଗୋଷ୍ଠୀଙ୍କ ଦରକାର ପଡିଲେ ଯୁଦ୍ଧ କରନ୍ତି । ଚାଷୀମାନଙ୍କୁ ଡରାଇ ଧମକାଇ ଶସ୍ୟ ଲୁଟି ନିଅନ୍ତି । କ୍ଷତ୍ରିୟ ମାନେ ବ୍ରାହ୍ମଣ ଝିଅକୁ ବିବାହ କରିପାରିବେ । ମାତ୍ର ସେମାନଙ୍କ ଝିଅକୁ ବ୍ରାହ୍ମଣ ବିବାହ କରିପାରିବେ ନାହିଁ । ଚତୁର୍ଥ ଶ୍ରେଣୀ ଶୂଦ୍ର । ଏମାନେ ଚାଷୀ ଓ ଶ୍ରମିକ । ଶୂଦ୍ରମାନଙ୍କୁ ଛୋଟ ଆଖିରେ ସାକ୍ରିୟା, ବ୍ରାହ୍ମଣ ଓ କ୍ଷତ୍ରିୟମାନେ ଦେଖନ୍ତି । ମାତ୍ର ସେଇମାନଙ୍କ କମେଇ ଖାଇ ବଞ୍ଚନ୍ତି । ବୈଶ୍ୟ ମାନେ ୫ମ ଜାତି । ଏମାନେ କୁଟୀର ଶିଳ୍ପ, ହସ୍ତଶିଳ୍ପ ସୁନା, ରୂପା ଅଳଙ୍କାର ତିଆରି, ଲୁଗା ବୁଣା ବୁଣି କରିବା ସହିତ ବେପାର ବଣିଜ ବି କରନ୍ତି । ସନ୍ଧାକିଆ ୬ଷ୍ଠ ଜାତି । ଏମାନେ ନାଚ ଗୀତ କରନ୍ତି । ଏମାନଙ୍କ ଝିଅ ମାନେ ଖୁବ ସୁନ୍ଦର । ସେମାନେ ମଧ୍ୟ ପୁଅମାନଙ୍କ ସହିତ ନାଚ ଗୀତ କରି ଜୀବିକା ନିର୍ବାହ କରନ୍ତି । ୭ମ ଜାତି ଜାତିୟା । ଏମାନେ ବାଦ୍ୟ ଜନ୍ତ୍ର ତିଆରି କରନ୍ତି । ଢୋଲ, ମହୁରି ବଜାନ୍ତି । ଏମାନେ ସବୁଠାରୁ ଛୋଟ ଜାତି ବୋଲି ଅନ୍ୟମାନେ ବିଚାର କରନ୍ତି । ସବୁ ଯୁଗରେ ସବୁ ସମୟରେ ଚାଷୀ ଭାଇଟି ସମଯରେ ଅଣଦେଖା ହୋଇଥାଏ ।

ଭାରତୀୟମାନଙ୍କ ଚରିତ୍ର ସଂମ୍ବଧରେ ଇଦ୍ରିସ ଲେଖିଛନ୍ତି , “ଭାରତୀୟ ମାନେ ନ୍ୟାୟ କୁ ଖୁବ ସମ୍ମାନ କରନ୍ତି । ମିଛ କହିବା ବା କାହାକୁ ଠକିବା ପାପ ବୋଲି ମନେ କରନ୍ତି । ଚାଷୀ ମାନେ ଖୁବ ପରିଶ୍ରମୀ । ସବୁବେଳେ କାମରେ ଲାଗିଥାନ୍ତି । ଗହମ, ବାଜରା,ବାର୍ଲି ଓ ଡାଲି ଜାତୀୟ ଫସଲ ଚାଷ କରନ୍ତି । ଆଖୁ ଓ ଖଜୁର ଚାଷ କରି ପ୍ରଚୁର ଗୁଡ ଓ ଖଜୁର ଉତ୍ପାଦନ କରନ୍ତି । ସିନ୍ଧୁରେ ଖୁବ ଗହମ । ଚାଷୀ ମାନେ ଖରାକୁ ନଡରି ଖୁବ ଖଟୁଥାନ୍ତି । ଜମି ଖୁବ ଉର୍ବର । ଉତ୍ପାଦନ ଅଧିକା । ଗାଁ ଓ ସହରରେ ଇଟା ଓ ଟାଇଲ ରେ ଘର । ବେପାର ବଣିଜ ଖୁବ ଜମିଥାଏ । ପ୍ରଚୁର ମାଛ । ମାଂସ ଶସ୍ତା । ଦେଶୀ ବିଦେଶୀ ଫଳ ବି ମିଳେ । ଭଲ ଖାଆନ୍ତି । ଯାନୀ ଯାତ୍ରା ମଉଜ ମଜଲିସ ବି କରନ୍ତି । ଶଗଡ ଗାଡିରେ ଖାଦ୍ୟ ଶସ୍ୟ ସହରକୁ ବୁହା ବୁହି ହେଉଥିଲା । ବଳଦମାନଙ୍କୁ ଚାଷୀ ଓ ବ୍ୟବସାୟିମାନେ ଖୁବ ହେପାଜତ କରୁଥିଲେ । ଧାନ, ମଟର, ବିନ୍ସ, ଗହମ, ଡାଲି ଜାତୀୟ ଶସ୍ୟ, ନଡିଆ, ଗୋଲ ମରୀଚ ଓ ମସଲା ଭଳି ବହୁବିଧି ଫସଲ ଚାଷୀ ମାନେ ଚାଷ କରୁଥିଲେ । ଚାଷୀ ମାନେ ପରିଶ୍ରମୀ ଥିଲେ । ଶାସକ ଗୋଷ୍ଠୀଙ୍କ ପାଖେ ସାହାଯ୍ୟ ପାଇଁ ଗୋଡ ଭାଙ୍ଗି ଠିଆ ହେଉନଥିଲେ । ଶାସକ ମାନେ ମଧ୍ୟ ଚାଷୀ କୁ ଭଲମନ୍ଦରେ ଚାହୁଁ ନଥିଲେ । ଚାଷୀ ଆତ୍ମନିର୍ଭର ଥିଲେ । ସ୍ୱାଭିମାନୀ ଥିଲେ ।

ଇଦ୍ରିସ ପୁଣି ଲେଖିଛନ୍ତି, “ଯଦି ଶାସକ କେନାଲ ଖୋଳି ପାଣିର ବ୍ୟବସ୍ଥା କରିଥାନ୍ତି ଚାଷୀମାନେ ଫସଲର ଦୁଇପଞ୍ଚମାଂସ ଖଜଣା ଦେଉଥିଲେ । ପର୍ସିଆନ ହୁଇଲ ବା ଅନ୍ୟ କିଛି ନିଜ ଚେଷ୍ଟାରେ ଚାଷୀ ଜମିରେ ପାଣି ମଡାଉଥିଲେ ଫସଲର ଦଶ ଭାଗରୁ ତିନି ଭାଗ ଖଜଣା ପଇଠ କରିବାକୁ ପଡୁଥିଲା । ପାଣିର ଯଦି କୌଣସି ସୁବିଧା ନଥାଇ ବର୍ଷା ଉପରେ ନିର୍ଭର କରି ଚାଷ ହେଉହାଏ ସେପରି କ୍ଷେତ୍ରରେ ଫସଲର ଏକ ଚତୃଥାଂସ ଖଜଣା ଦେବାକୁ ପଡିଥାଏ । ଗାଁ କୁ ମୁସଲମାନ ଭ୍ରମଣକାରୀ ଆସିଲେ ପ୍ରତି ପରିବାର ୩ ଦିନ ପାଇଁ ତାଙ୍କର ଖାଇବା ପିଇବା ବୁଝିବାକୁ ବାଧ୍ୟ କରାଯାଉଥିଲା । ହିନ୍ଦୁମାନଙ୍କୁ ମୁସଲମାନ ଧର୍ମ ଗ୍ରହଣକରିବାକୁ ବାଧ୍ୟ କରାଯାଉଥିଲା । ଯେଉଁମାନେ ଧର୍ମାନ୍ତିକରଣ ପାଇଁ ଅମଙ୍ଗ ହେଉଥିଲେ ସେମାନଙ୍କଠାରୁ ଜୋର ଜବରଦସ୍ତ ଜିଜୀୟା କର ଅସୁଲ କରାଯାଉଥିଲା । (Elliot and Dowson-The History of India-vol-02) ଏହି ସମୟରେ ସିନ୍ଧୁ ଓ ପଶ୍ଚିମ ପଞ୍ଜାବରେ ବହୁ ସଂଖ୍ୟକ ହିନ୍ଦୁ ଇସଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ ।

ଭାରତରେ ତୁର୍କୀ ମୁସଲମାନ ମାନଙ୍କର ରାଜତ୍ଵ ୯୯୮ ଖ୍ରୀ ଅ ଠାରୁ ଆରମ୍ଭ ହୁଏ । ମହମଦ ଗଜନି, ମହମଦ ଘୋରୀ ଏବଂ ଦାସବଂଶର ରାଜତ୍ଵ ୯୯୮ ଖ୍ରୀ.ଅ ଠାରୁ ୧୨୯୦ ପର୍ଯ୍ୟନ୍ତ ଜାହିର ହୋଇଥିଲା । ଦାସ ବଂଶର ରାଜତ୍ଵ ସମୟରେ ମରକ୍ଳୋରୁ ଇବନବତୁତା ଭରତ ଆସିଥିଲେ । ଇବନବତୁତାଙ୍କ ଭ୍ରମଣ କାହାଣୀରେ ଭାରତରେ ମୁସଲମାନ ରାଜତ୍ଵ, ଶିକ୍ଷା, ସ୍ଥପତି, କୃଷି, ବାଣିଜ୍ୟ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ମିଳେ । ମହମଦ ଗଜନି ଜଣେ ଧର୍ମାନ୍ଧ ଥିଲେ । ଐତିହାସିକ ସାର ହେନେରୀ ଇଲିଅଟ ଲେଖିଛନ୍ତି “ମହମଦ ୧୭ଥର ଭରତ ଆକ୍ରମଣ କରିଥିଲେ । ସେ ବହୁ ସଂଖ୍ୟକ ବନ୍ଦୀଙ୍କୁ ଦାସ ଭାବେ ବ୍ୟବହାର କରୁଥିଲେ । ଦାସଙ୍କୁ ସାଙ୍ଗରେ ଆଣି ସେ ଭାରତ ପହଞ୍ଚନ୍ତି । ସେମାନଙ୍କ ମଧ୍ୟରେ ବହୁତ ମିସ୍ତ୍ରୀ ଥାନ୍ତି । ଆଫଗାନସ୍ଥାନର ଗଜନୀରେ ମସଜିଦ ଓ ରାଜ ପ୍ରସାଦ ତିଆରି ପାଇଁ ସେମାନଙ୍କୁ ମଧ୍ୟ କାମରେ ଲଗାଉଥିଲେ” । ୧୦୦୧ ଖ୍ରୀ.ଅରେ ଗଜନୀ ପଞ୍ଜାବର ରାଜା ଜୟପାଳଙ୍କୁ ପରାସ୍ତ କରି ପଞ୍ଜାବ ଦଖଲ କରିଥିଲେ । ଖ୍ରୀ.ଅ ୧୦୦୯, ୧୦୧୮, ୧୦୨୪ରେ ସେ ଯଥାକ୍ରମେ କଙ୍ଗରା,ମଥୁରା ଓ ସୋମନାଥ ମନ୍ଦିର ଲୁଣ୍ଠନ କରି ଗଜନିକୁ ସୁନା, ରୂପା, ହୀରା ବୋହିନେଉଥିଲେ । ଅବଶ୍ୟ ଜ୍ଞାନୀ ପଣ୍ଡିତମାନଙ୍କୁ ସେ ସମ୍ମାନ କରୁଥିଲେ । ପର୍ସିଆନ କବି ଫିରଦୂସଙ୍କୁ ପାଖରେ ରଖି ତାଙ୍କ ଶାସନ ବିଷୟରେ ଲେଖିବା ପାଇଁ ବ୍ୟବହାର କରୁଥିଲେ । ଚାଷୀମାନଙ୍କ ଠାରୁ ଜୋର ଜବରଦସ୍ତ ଖଜଣା ଆଦାୟ କରିବା ବ୍ୟତୀତ ସେ ଚାଷୀ ବା ଚାଷ ପାଇଁ ସାମାନ୍ୟ ଦ୍ରୁଷ୍ଟି ମଧ୍ୟ ଦେଇନଥିଲେ ।

ମହମଦ ୧୦୩୦ ଖ୍ରୀ.ଅ ରେ ମଲେ । ମରିବାର ଦୁଇଦିନ ଆଗରୁ ସେ ଭାରତରୁ ବୋହି ଆଣିଥିବା ସୁନା, ରୂପା, ହୀରା, ନୀଳା ସବୁକୁ ତାଙ୍କ ଆଗରେ ରଖିବାକୁ କୁହନ୍ତି । ସେ ଖୁବ କଞ୍ଜୁସ ଥିଲେ। କାହାରିକୁ ରତିଏ ସୁନା ବି ଦେଇ ନଥିଲେ । ବରାଦ ଅନୁସାରେ ସବୁ ଅଳଙ୍କାର ତାଙ୍କ ଆଗରେ ବଗିଚାରେ ଖେଳେଇ ରଖାଗଲା । ଫୁଲ ଭଳି ଲାଲ , ହଳଦିଆ, ବାଇଗଣି ରଙ୍ଗରେ ବଗିଚା ଝଲସୁ ଥାଏ । ସୁନା ରୂପା ରତ୍ନମାନଙ୍କୁ ଦେଖି ସେ ଦୁଃଖରେ ଭୋ ଭୋ ହୋଇ କାନ୍ଦି ପକାଇଲେ । ଦୁଇ ଦିନ ପରେ ମହମଦଙ୍କର ମୃତ୍ୟୁ ହେଲା । ମହମଦଙ୍କର ସାମ୍ରାଜ୍ୟ ପଞ୍ଜାବ ଠାରୁ କାସ୍ପିଆନ ସାଗର ପର୍ଯ୍ୟନ୍ତ ବିସ୍ତୃତଥିଲା । ଭିନସେଣ୍ଟ ସ୍ମିଥ ତାଙ୍କ ବିଷୟରେ ଲେଖିଛନ୍ତି “so far as India was concerned Mahamad was simply a bandit operating on a large scale” – (History of Agriculture in India, Vol-11 )

ଭାରତରେ ମୁସଲମାନଙ୍କର ମୂଳଦୁଆ ମହମଦ ଘୋରୀଙ୍କ ସମୟରେ ପଡିଥିଲା । ଘୋରୀ ଗଜନିର ରାଜ୍ୟପାଳ ଥିଲେ । ୧୧୮୨ଖ୍ରୀ.ଅରେ ସେ ସିନ୍ଧୁ ଓ ପଞ୍ଜାବ ଆକ୍ରମଣ କରନ୍ତି ।୧୧୯୨ଖ୍ରୀ.ଅରେ ପୃଥୀରାଜଙ୍କୁ ଯୁଦ୍ଧରେ ପରାସ୍ତ କରି ସେ ରାଜପୁତମାନଙ୍କ ଶାସନ ସମାପ୍ତ କରିଥିଲେ । ୧୧୯୪ ଖ୍ରୀ.ଅରେ ଘୋରୀଙ୍କର ସେନାପତି କୁତବୁଦ୍ଧିନ ଆଇବାକ ବାରଣାସୀ ଦଖଲ କରନ୍ତି । ୧୧୯୯ ଖ୍ରୀ.ଅ ରେ ଘୋରୀ ବିହାର ଦଖଲ କରି ନାଲନ୍ଦା ବିଶ୍ଵବିଦ୍ୟଳୟକୁ ଭାଙ୍ଗିଚୁରମାର କରିଦେଲେ । ନାଳନ୍ଦାର ବିରାଟ ପାଠାଗାରକୁ ପୋଡି ଧ୍ଵଂସକଲେ। ବହୁ ବୁଦ୍ଧ ସନ୍ୟାସୀ ଓ ଲଣ୍ଡିତ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲେ । ୧୨୦୦ ଖ୍ରୀ.ଅ ସୁଦ୍ଧା ରାଜସ୍ଥାନ,ଗୁଜୁରାଟ ବ୍ୟତୀତ ସମସ୍ତ ଉତ୍ତର ଭାରତ ମହମଦ ଘୋରୀଙ୍କ ଦଖଲକୁ ଆସିଯାଇଥିଲା ।

ଭାରତୀୟ ସୈନ୍ୟବାହିନୀ ହାରିଲେ କାହିଁକି ? ହିନ୍ଦୁ ସୈନ୍ୟମାନଙ୍କର ହାରିବାର ମୁଖ୍ୟ କାରଣ ଥିଲା ହିନ୍ଦୁ “ଜାତି” ପ୍ରଥା । ଯୁଦ୍ଧ କେବଳ କ୍ଷତ୍ରିୟ ଓ ରାଜପୁତମାନଙ୍କର କାମ ଥିଲା । ଅନ୍ୟ ଜାତିର ବହୁ ସମର୍ଥ ଲୋକ ଥିଲେ ମଧ୍ୟ ସେମାନଙ୍କୁ ମୁସଲମାନ ସୈନ୍ୟମାନଙ୍କ ବିପକ୍ଷରେ ଲଢେଇ ପାଇଁ ସୁଯୋଗ ନଥିଲା । ଅଧିକନ୍ତୁ ହିନ୍ଦୁ ରାଜା ମାନଙ୍କର ଜାତୀୟତା ଭାବ ନଥିଲା । ସେମାନଙ୍କର ନିଜ ନିଜ ଭିତରେ କ୍ଷମତା ପାଇଁ ଦ୍ଵନ୍ଦ ଥାଏ । ପୃଥିବୀରାଜ ଚୌହାନ ଙ୍କ ହାରିବା ପଛରେ ଜୟଚନ୍ଦ୍ର ଙ୍କ ବିଶ୍ଵାସଘାତକ ତା ପ୍ରମାଣ । ଖ୍ରୀ ଅ ୧୨୦୬ ରୁ ୧୨୯୦ ଦାସ ବଂଶର ରାଜତ୍ଵ । କୁତବଉଦ୍ଦିନ ଆଇବାକ (୧୨୦୬-୧୨୧୦) ଇଲତୁତ ମିସ(୧୨୧୦-୧୨୩୦ ),ସୁଲତାନ ରେଜିୟା (୧୨୩୦-୧୨୪୦ ),ନାସିରୁଦ୍ଦିନ(୧୨୪୬-୧୨୬୬) , ବଲାନ (୧୨୬୬-୧୨୭୬ ) ଦାସ ବଂଶର ସୁଲତାନ ମାନେ ଦିଲ୍ଲୀରେ ଶାସନ କରୁଥିଲେ । ସେତେବେଳେକୁ ଚେଙ୍ଗିଜ ଖାଁ ଏସିଆର ବହୁ ଦେଶ ଆକ୍ରମଣ କରି ପୋଡି ଜାଳି ଲକ୍ଷ ଲକ୍ଷ ଖ୍ରୀଷ୍ଟିୟାନ , ମୁସଲମାନ ଓ ଚୀନାମାନଙ୍କୁ ମାରି ଶୁଆଇଦେଇଥାନ୍ତି । ସୌଭାଗ୍ୟ କ୍ରମେ ଚେଙ୍ଗିଜ ଖାଁ ଭାରତ ଆକ୍ରମଣ କରିବା ପୂର୍ବରୁ ୧୨୨୭ ଖ୍ରୀ.ଅ ରେ ତାଙ୍କର ମୃତ୍ୟୁ ହୁଏ । ଦାସ ବଂଶ ସୁଲତାନମାନେ ମଧ୍ୟ ଲୁଣ୍ଠନ କରିଥିଲେ । କେବଳ ସୁଲତାନ ରେଜିୟା, ଇଲତୁତ ମିସଙ୍କ ଝିଅ ଜଣେ ବିଦୁଷୀ,ନ୍ୟାୟପରାୟଣ । ଦୟାଳୁ, ପ୍ରଜାବଶ୍ଚଳ ଶାସକ ଥିଲେ । କୃଷି ଓ କୃଷକଙ୍କ ଉପରେ ସେମାନଙ୍କର ନାଲି ଆଖି ପଡିନଥାଏ । ହାଣ କାଟରୁ ଚାଷୀମାନେ ବଞ୍ଚି ଯାଇଥିଲେ । ବୋଧ ହୁଏ ସୁଲତାନ ମାନଙ୍କର ମୁଣ୍ଡକୁ ଆସିଛି ଦରକାର ପାଇଁ । ସୈନ୍ୟବାହିନୀ ପାଇଁ ଖାଦ୍ୟ ତ ଦରକାର । ଚାଷୀମାନଙ୍କ ଉପରେ ଅତ୍ୟାଚାର କଲେ ଖାଦ୍ୟ ସମସ୍ୟା ଉପୁଜିପାରେ !

ଭାରତରେ ହିନ୍ଦୁ ରାଜା ମାନେ ଦୁର୍ବଳ ଶାସକ । ତୁର୍କୀ, ଆଫଗାନସ୍ଥାନ, ଆରବାରୁ ମୁସଲମାନ ମାନଙ୍କ ଭାରତ ଆକ୍ରମଣ ପାଇଁ ସୁଯୋଗ ଆଣୁଥାଏ । ଏବେ ତୁର୍କୀରୁ ଖିଲିଜମାନେ ଆସି ଭାରତ ଦଖଲ କରନ୍ତି । ଖିଲିଜ ଶାସକମାନେ ମଧ୍ୟ ଲୁଣ୍ଠନ କରିବା, ସାଧାରଣ ନାଗରିକମାନଙ୍କୁ ହତ୍ୟାକରି ଧନ ସମ୍ପତି ବୋହିନେବା କାମରେ ଲାଗିଗଲେ । ଖିଲିଜ ଶାସକମାନଙ୍କ ମଧ୍ୟରେ ଆଲ୍ଲାଉଦ୍ଦିନଖିଲିଜ ଅତନ୍ତ୍ୟ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ଭାରତର ଗ୍ରାମାଞ୍ଚଳରେ ହିନ୍ଦୁ ଚାଷୀମାନେ ବସବାସ କରୁଥିବା ବେଳେ ସହରରେ ମୁସଲମାନମାନେ ରହି ବେପାର, ବଣିଜ , ଲୁଟକରୁଥାନ୍ତି । ଆଲ୍ଲାଉଦ୍ଦିନଙ୍କ ଶାସନ କାଳରେ ଭାରତୀୟ ଚାଷୀମାନଙ୍କର ଯେପରି ଦୟନିୟ ସ୍ଥିତି ତାଙ୍କ ଆଗରୁ ବା ତାଙ୍କ ପରେ ଚାଷୀମାନେ ସେପରି ନିର୍ଯ୍ୟାତିତ ହୋଇନାହାନ୍ତି । ଚାଷୀ ମାନଙ୍କଠାରୁ ଫସଲର ଦୁଇ ଭାଗରୁ ଭାଗେ ଖଜଣା ଜୋର ଜବରବସ୍ତ ଆଦାୟ କରାଗଲା । ଜମିଦାର ବା ମକଦ୍ଦମମାନଙ୍କ ଠାରୁ ଜମି ଛଡାଇ ନିଆଗଲା । ଗୋରୁ ଗାଈ ଚରିବା ପାଇଁ ରାଜା ମାନେ ଚାରଣ ଭୂମିର ବ୍ୟବସ୍ଥା କରିଥିଲେ । ଆଲ୍ଲାଉଦ୍ଦିନ ଗୋରୁ, ଗାଈ, ଛେଳି, ମେଣ୍ଢା ବା ମଇଁଷିମାନଙ୍କ ଉପରେ ମୁଣ୍ଡ ଗଣତିରେ ଚାରଣ ଟିକସ ଆଦାୟ କଲେ ।

ଆଇନ କରାଗଲା ହିନ୍ଦୁ ମାନେ ଘୋଡା ଚଢି ପାରିବେ ନାହିଁ । ଆମୋଦ ପ୍ରମୋଦ ଯାନିଯାତ୍ରା କରିପାରିବେ ନାହିଁ । ମୁଣ୍ଡ ତଳକୁ କରି ଚାଲିବେ । ଖଜଣା ଦେବା ଡେରି କଲେ ମାଡ ଚାବୁକ ଦେଇ ଖଜଣା ଆଦାୟ କରାଗଲା । ଫଳତଃ ଦାରିଦ୍ର ବଢି ଚାଲିଲା । ଚାଷୀ ମାନଙ୍କର ଅଣ୍ଟା ଭାଙ୍ଗି ଗଲା । ସେମାନଙ୍କୁ ଭିକାରି କରିଦିଆଗଲା ।କୌଣସି ଚାଷୀ ଜମିଦାର ବା ମକଦ୍ଦମ ଖାଦ୍ୟ ଶସ୍ୟ ସାଇତି ରଖିଛିତ ଶାସକ କର୍ମଚାରୀ ଜବରବସ୍ତି ଘରେ ପଶି ଶସ୍ୟ ନେଇଯାଉଥିଲେ । ଭାରତର କୃଷି ଓ କୃଷକର ଏପରି ଦୟନିୟ ସ୍ଥିତି ସମୟରେ ୟୁରୋପରେ ଚାଷୀମାନେ ଖୁବ ଆନନ୍ଦରେ ଥିବା ଐତିହାସିକ କାରର୍ଟନ ହାଏ କୁହନ୍ତି ।

୧୩୨୧ -୧୩୨୫ ଗ୍ୟାସ ଉଦ୍ଦିନ ତୋଗଲକ ଦିଲ୍ଲୀ ସିଂହାସନ ଦାଖଲ କରନ୍ତି । ତାଙ୍କ ଶାସନ ପଞ୍ଜାବ ସିନ୍ଧୁଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।ଆଲ୍ଲାଉଦ୍ଦିନ ଙ୍କ ଶାସନ କାଳରେ ଚାଷୀ ମାନଙ୍କର ଦୟନିୟ ସ୍ଥିତି ସେ ବୁଝିଥିଲେ । ଜିଆ ଉଦ୍ଦିନ ବାରନି ଟାରିକ-ଇ-ଫିରାଜ ସାହିରେ ବର୍ଣ୍ଣନା କରିଛନ୍ତି, ସୁଲତାନ ଖୁବ ଦୟାଳୁ ଶାସକ ଥିଲେ । ରାଜସ୍ୱ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେକି ଚାଷୀ ଠାରୁ ଉତ୍ପାଦନର ୧୦ ଭାଗରୁ ଭାଗେ ଖଜଣା ଆଦାୟ କରିବେ । କ୍ଷୁଦ୍ର ଚାଷୀ ମାନଙ୍କ ଠାରୁ ୧୧ ଭାଗରୁ ଭାଗେ ଆଦାୟ ହେବ । ରାଜସ୍ୱ ଅଧିକାରୀ ମାନେ ସୁନିଶ୍ଚିତ କରିବେ କି ପ୍ରତିବର୍ଷ ଅଧିକରୁ ଅଧିକ ଜମିରେ ଚାଷ ହେବ ଏବଂ ଉତ୍ପାଦନ ବଢିବ । ଖଜଣା ଆଦାୟ ଦରକାର ପଡିଲେ କୋହଳ କରାଯିବ ଯେପରିକି ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ । ଚାଷୀ ମାନଙ୍କ ଠାରୁ ଅଧିକ ଖଜଣା ଆଦାୟ ଦ୍ଵାରା ବହୁତ ଦେଶ ଦରିଦ୍ର ହେଇଯାଇଥିବା ନଜିର ଅଛି”।(zia-Ud-din-barni-Tarikh-i-Firoz shahi,in Elliot and Dowson , The History of India –vol-III)

ଇବନ ବତୁତା ଚତୁର୍ଦଶ ଶତାଦ୍ଦି ମଧ୍ୟ ଭାଗରେ ମର୍କ୍କୋରୁ ଭାରତ ପରିଭ୍ରମଣ ଆସିଥିଲେ । ତାଙ୍କର ଦେଶ ଭ୍ରମଣରେ ଖୁବ ଆଗ୍ରହ ଥିଲା ।ସେ ନିଜକୁ Traveller of Islam ବୋଲି କହୁଥିଲେ । ତାଙ୍କ ଭ୍ରମଣ କାହାଣୀ ଭାରତରେ ଗୋଟିଏ ଅନ୍ଧକାର ଯୁଗକୁ ସୁଚାଏ । ସୁଲତାନ କୁବେ- ଉଃଡି- ଡିନ ଙ୍କ ଠାରୁ ସୁଲତାନ ମହମଦ ବିନ ତୋଗଲକ ପର୍ଯ୍ୟନ୍ତ ମୁସଲମାନ ଶାସକ ମାନେ ଲୁଣ୍ଠନ, ବିଳାସ ବ୍ୟସନ ଜୀବନ କଟାଇବା ସହିତ ଭାରତୀୟ ହିନ୍ଦୁ ମାନଙ୍କୁ ନିର୍ଯ୍ୟାତନା ଦେବା, ମୁତ୍ୟୁ ଦଣ୍ଡ ଦେବା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି । ମୁସଲମାନ ଶାସକ ଗୋଷ୍ଠୀ ସହିତ ହିନ୍ଦୁ ମାନଙ୍କର କିଛି ସାମାଜିକ ସମ୍ପର୍କ ନଥିଲା । ଭାରତରେ ସତୀଦାହଭଳି ଏକ ଘୃଣ୍ୟ ପ୍ରଥା ପ୍ରଚଳନ ଥିଲା । ବିଧବା ମାନଙ୍କୁ ସେମାନଙ୍କ ମୃତ ସ୍ଵାମୀ ସହିତ ଦାହ କରିବାରେ ବ୍ରାହ୍ମଣ , ପୁରୋହିତ, ସମାଜପତିମାନେ ଖୁବ ଯାକ ଯମକରେ ଏକ ଉତ୍ସବ ଭଳି ଉପଭୋଗ କରୁଥିଲେ । ଗଙ୍ଗା ଉପତ୍ୟକାରେ ଚାଷୀମାନଙ୍କ ଉପରେ ଏତେ ବେଶି କର ବସାଇଥିଲେ ଯେ ଅନେକ ଚାଷୀ ଚାଷ ଛାଡିଦେଇଥିଲେ । ଅବଶ୍ୟ କେତେକ ସୁଲତାନ ଚାଷୀମାନଙ୍କୁ ସାହାଯ୍ୟ କରୁଥିଲେ । ଖାଦ୍ୟ ଶସ୍ୟ ଉତ୍ପାଦନ କମିଯିବାରୁ ଦିଲ୍ଲୀରେ ଦୁର୍ଭିକ୍ଷ ପଡିଥିଲା । ରାଜ ଦରବାରରେ ନାଚ , ଗୀତ,ବିଳାସ ବ୍ୟସନରେ ରାଜ ପରିବାର ମାନେ ପ୍ରଚୁର ଅର୍ଥ ଅପଚୟ କରୁଥିଲେ ।ଚାଷୀ ଓ ଗ୍ରାମବାସୀ ମାନେ ଦୋଳ ଯାତ୍ରା , ରଜ ,ଦଶହରା ,ଦୀପାବଳି ଭଳି କୃଷି ଭିତିକ ପର୍ବ ପର୍ବାଣି ପାଳନ କରୁଥିଲେ ।

ସୁଲ୍ତାନ ମାନେ ରାଜ୍ୟର ସବୁ ଉର୍ବର ଜମି ନିଜ ମାଲିକାନାରେ ରଖୁଥିଲେ । ସରକାରୀ ତହବିଲରୁ ରୁ ଅମାପ ଅର୍ଥ ଖର୍ଚ୍ଚ କରି ଏହି ସବୁ ଜମିରୁ ଶସ୍ୟ ଉତ୍ପାଦନ କରାଇଲେ।

“ସୁଲତାନମାନଙ୍କ ଶାସନ କାଳରେ ଆମ୍ବ, କମଳା, ପଣସ ଜାମୁ , ମହୁଆ, ଅଙ୍ଗୁରୁ, ନଡିଆ, କେରଳରେ ମସଲା ଚାଷ, ଛାଇପାଇଁ ବରଗଛ ମାନ ଲଗାଇଥିଲେ । ଖାଦ୍ୟ ଶସ୍ୟ ଭାବେ ଧାନ, ଗହମ, ବାଜରା, ମଣ୍ଡିଆ ଚାଷ ହେଉଥିଲା । ଡାଲି ଜାତୀୟ ଶସ୍ୟମାନଙ୍କ ମଧ୍ୟରେ ମୁଗ, ବିରି, ଖେସାରୀ, ବୁଟ ଓ ମଟର ପ୍ରଧାନ ଥିଲା । ରାଜ ପରିବାର ଠାରୁ ଗାଁ ରେ ଥିବା ଚାଷୀ ଘରେ ମଧ୍ୟ ଚାଉଳ, ମୁଗଡାଲି ଘିଅରେ ଖେଚୁଡି ରେ ଖୁବ ଆଦର ଥିଲା । କେତେକ ଡାଲି ଜାତୀୟ ଫସଲ ଗୋ ଖାଦ୍ୟ ପାଇଁ ଚାଷ କରାଯାଉଥିଲା । ଚିନାବାଦାମ, ଆଖୁ, କପା ଭଳି ଅର୍ଥକାରୀ ଫସଲ ମଧ୍ୟ ଚାଷ କରାଯାଉଥିଲା । ଲଙ୍ଗଳ, ଶଗଡର ବ୍ୟବହାର ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଖାଯାଉଥିଲା । ବଳଦ ମାନଙ୍କୁ ଚାଷୀ ମାନେ ଖୁବ ହେପାଜତ କରୁଥିଲେ । ଚାଷୀ ନିଲଠା ।ରାଜା, ସୁଲତାନ, ଜମିଦାର ମାନଙ୍କ ସାହାଯ୍ୟ ବିନା ସେମାନେ ଚାଷରେ ମାତିଥାନ୍ତି । (Gibb,H.A.R. The Travells of Hbn Battula ,PP-609-612 )

କେରଳର କାଲିକଟ ଠାରୁ ଯାଇ ଇବନ ବୁଗୁତା ବଙ୍ଗଳାର ପହଞ୍ଚନ୍ତି । ବଙ୍ଗଳାରେ ପ୍ରଚୁର ଓ ଶସ୍ତା ଖାଦ୍ୟ ଶସ୍ୟ ତାଙ୍କୁ ଅଭିଭୁତ କରିଥିଲା । ବଙ୍ଗଳା ସମ୍ପର୍କରେ ଇବନ ବତୁତା ଲେଖିନ୍ତି “ବଙ୍ଗଳା ଗୋଟିଏ ବିଶାଳ ରାଜ୍ୟ । ଏଠାରେ ପ୍ରଚୁର ଧାନ ଚାଷ କରାଯାଉଛି । ମୁଁ ଏପରି କୌଣସି ସ୍ଥାନ ଦେଖିନାହିଁ ଯେଉଁଠାରେ ବଙ୍ଗଳାଭଳି ଶସ୍ତାରେ ଆବଶ୍ୟକୀୟ ସାମଗ୍ରୀ ମିଳୁଛି । ଅନ୍ୟ ପକ୍ଷରେ ବଙ୍ଗଳାର ଜନ ଜୀବନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ପାଇଲି ନାହିଁ ।ବୋଧହୁଏ ସୁଲତାନ ମାନଙ୍କର ବାରମ୍ବାର ଆକ୍ରମଣ ଓ ଲୁଟ ଯୋଗୁ ଲୋକ ମାନେ ମ୍ରିୟମାଣ ହୋଇଛନ୍ତି । ଏଠାରେ ଗୋଟିଏ ଡିରାମ ବଦଳରେ(Dhiram, Coinage during sultan Rule 1 dhiram in 14th century is equivalent to 01 paise of Indian coin -2024 nearly )ସାତଟି ବଡ କୁକୁଡା ,ଗୋଟିଏ ଡିରାମ ରେ ୧୫ ଟି ବତକ, ୨ ଟି ଡିରାମ ବଦଳରେ ଗୋଟିଏ ବଡ ମେଣ୍ଢା ବିକ୍ରି ହେଉଥିବା ମୁଁ ଦେଖିଲି । ଖଣ୍ଡେ ଖୁବ ଚିକ୍କଣ ୧୨ ହାତୀ ଶାଢୀ ବା ଧୋତି ୨ ଡିରାନରେ ବିକ୍ରି ହେଉଥିବା ମୁଁ ଦେଖିଲି । ଗୋଟିଏ ସୁନ୍ଦରୀ ଦାସୀ ଝିଅ ଏକ ସ୍ଵର୍ଣ୍ଣ ଡିରାନ ବଦଳରେ କିଣାଯାଇ ପାରୁଥିଲା ।

ତୁର୍କୀ ସ୍ଥାନରେ ଘୋଡା ପାଳି ବେପାରୀ ମାନେ ଭାରତରେ ଘୋଡା ବିକ୍ରି କରିବା ମୁସଲମାନମାନଙ୍କର ଗୋଟିଏ ଲାଭଦାୟକ ବ୍ୟବସାୟ ଥିଲା । ଗୋଟିଏ ସୁସ୍ଥ ସବଳ ଘୋଡାର ମୂଲ୍ୟ ଏକ ଡ଼ିନାର ଥିଲା (1 dinar in 2024-Rs.2341 Indian coin equivalent to 0.10paise of Indian coin in 15th century ) .

(Gibb,H.A.R.Rehla of Ibn Battuta trade in Asia and Afric ,PP267,145-146)

ପାଠକ ବନ୍ଧୁ ମାନେ ଭାବୁଥିବେ “ସବୁଜ ବିପ୍ଳବର ଗୁମର କଥା” ନଲେଖି ଏତେ ସବୁ ଇତିହାସ କାହିଁକି ଲେଖୁଛି । ଆପଣମାନଙ୍କୁ ମୁଁ ନମ୍ରତାର ସହିତ ଜଣାଇବାକୁ ଚାହୁଁଛିଯେ ଭାରତରେ ଚାଷ ଓ ଚାଷୀ କେଉଁ ପ୍ରକାର ବିବର୍ତ୍ତନ ଧାରାରେ ଗତି କରି “ସବୁଜ ବିପ୍ଳବ ଭଳି ବିଷ ଚାଷ” ପାଖରେ ପହଞ୍ଚିଛି , କମ୍ପାନୀ ବିହନ ,ବିଷ ରସାୟନ ବ୍ୟବହାର ନକରି ସେ କିଭଳି ହଜାର ହଜାର ବର୍ଷ ଧରି ସଫଳ ଭାବେ ଚାଷ କରିପାରୁଥିଲା ଏସବୁ ପ୍ରାସଙ୍ଗିକ ମନେକରେ । ପାଠକ ବନ୍ଧୁ ମାନଙ୍କ ସହଯୋଗ କାମନା କରି ଆଗକୁ ଯାଉଛି ।

ଆମେ ଜାଣୁଚ୍ଛେ ଭାରତର ହିନ୍ଦୁ ଶାସକ ଗୋଷ୍ଠୀର ଅପାରଗତା ଯୋଗୁଁ ବିଦେଶରୁ ମୁସଲମାନ ମାନେ ଆମ ଦେଶରେ ପ୍ରାୟ ହଜାର ହଜାର ବର୍ଷ ଶାସନ କଲେ ।ଚାଷୀ ମାନଙ୍କୁ କେତେକ ସୁଲତାନ ବା ବାଦଶାହା ମଧ୍ୟ ଶୋଷଣ କରିଛନ୍ତି । ମାତ୍ର ଏତେ ଘାତ ପ୍ରତିଘାତ ଭିତରେ ଚାଷୀ ଥକି ଯାଇନି । ଲହଡି ଭାଙ୍ଗି ଅଣ୍ଟା ସିଧାକରି ଥରକୁଥର ଠିଆହୋଇଛି । ଏ କଥାକୁ ମଧ୍ୟ ଦୃଷ୍ଟି ଦେବାଯେ ବହୁ ବାଧା ବିଘ୍ନ ସତ୍ତ୍ୱେ ପ୍ରତ୍ୟକ ଚାଷୀ ପରିବାର ପ୍ରତି ବର୍ଷ ୩୦/ ୪୦ ପ୍ରକାର ଫସଲ ଚାଷ କରିପାରିଛି । ଘିଅ, ଦୁଧ, ମାଛ, ମାଂସ ପର୍ଯ୍ୟାପ୍ତ ପନିପରିବା ସହିତ ଖାଦ୍ୟ ଶସ୍ୟ ଓ ତୈଳବୀଜ ଉତ୍ପାଦନ କରି ଦେଶକୁ ଯୋଗାଇଛି ଏବଂ ନିଜେ ମଧ୍ୟ ଭଲ ଗଣ୍ଡେ ଖାଇପାରିଛି । ଦିନକେ ୪ ବକତ ଖାଇବା ଯୋଗାଡ କରି ପାରୁଥିଲେ ।ହାତ ଅରଜିଲେ ଦାନ୍ତ ଖାଏ ପର ଦେଉଥିଲେ ଉଘଊଥାଏ ।ତାର ନିଜ କମେଇ ସେ ନିଜେ ଖାଉଥିଲା । ଇଂରେଜ ସରକାରଙ୍କ ବିରୁଦ୍ଧରେ ୧୮୫୭ ରେ ଐତିହାସିକ କୃଷକ ବିଦ୍ରୋହ କରି ଫିରିଙ୍ଗି ଶାସନକୁ ଦୋହଲାଇ ଦେଇଥିଲା ସେହି ଚାଷୀ । ସେ କଥାକୁ ପରେ ଆସିବା ।

୧୩୫୧ ରୁ ୧୩୮୮ ଫୋରୋଜ ସାହା ତୋଗଲକଙ୍କ ଶାସନ । ଫିରୋଜ କୃଷି ର ଉନ୍ନତି ଓ ଉତ୍ପାଦ ବୃଦ୍ଧି ଉପରେ ଗୁରୁତ୍ଵ ଦିଅନ୍ତି । ପୂର୍ବତନ ସୁଲତାନ ମାନେ ଚାଷୀ ଙ୍କ ଠାରୁ ଜମି ବ୍ୟାଜପ୍ତ କରି ସରକାରୀ ଖାତାରେ ରଖିଥିଲେ । ଫିରୋଜ ଚାଷୀ ମାନଙ୍କୁ ନିଜ ନିଜ ର ଜମି ଫେରେଇ ଦେଲେ । ସେ ପଶ୍ଚିମ ଯମୁନା କେନାଲ ଖୋଲାଇ ଶୁଷ୍କ ଜମିକୁ ପାଣି ଯୋଗାଇଲେ ।ଜମିରେ କେନାଲରୁ ପାଣି ଯୋଗାଣ ପାଇଁ ଖୁବ କମ କର ଆଦାୟ କଲେ । ଯଦି କୌଣସି ଗ୍ରାମ ବା ଅଞ୍ଚଳରେ ଚାଷୀ ମାନେ କେନାଲ ପାଣି ପାଇଲେ ନାହିଁ, ଉତ୍ପାଦନ କମିଗଲା ସେ ଭାରପ୍ରାପ୍ତ ଅଧିକାରୀଙ୍କୁ ବରଖାସ୍ତ କଲେ । ଖାଦ୍ୟ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଲା ଯେହେତୁ ଯମୁନା କେନାଲରୁ ଜଳସେଚନ ଯୋଗୁଁ ଉତ୍ପାଦନ ପର୍ଯ୍ୟାପ୍ତ ହେଲା । ଆଗରୁ ସୁଲତାନ ମାନେ ଚାଷୀ ପାଇଁ ଗୋଟିଏ ଗାଈ ରଖି ବଳକା ଗାଇକୁ ନେଇ ଯାଉଥିଲେ । ସରକାରୀ ନିର୍ଦ୍ଧାରିତ ଖଜଣା ଠାରୁ ଚାଷୀ ଠାରୁ ଅଧିକ ଆଦାୟ କଲେ ।ସମ୍ପୃକ୍ତ ଅଧିକାରୀ ଦଣ୍ଡିତ ହେଉଥିଲା । ରାଜ ଦରବାର ପାଇଁ ଆବଶ୍ୟକ ପଦାର୍ଥ ବଜାର ଦରରେ କିଣା ହେଲା ।

ଫିରୋଜ ସାହାଙ୍କ ଶାସନ କାଳରେ ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ଖୁବ ସ୍ଵଚ୍ଛଳ ହୋଇଥିଲା । ଚାଷୀ ମାନେ ଭଲ ଘର ତିଆରି କରିପାରିଲେ । ଆମାରରେ ଶସ୍ୟ ଭରି ରଖିପାରିଲେ । ଅଧିକ ସମ୍ପତି , ଘୋଡା ,ଘରର ଅସବାପତ୍ର କିଣି ପାରିଲେ ।

ଫିରୋଜ ସାହା ଦିଲ୍ଲୀ ପାଖାପାଖି ୧୨୦୦ ବଗିଚା ତିଆରି କରାଇଥିଲେ । ପ୍ରତ୍ୟକ ବଗିଚାରେ ଅନ୍ୟାନ୍ୟ ଫଳ ସହିତ ଧଳା ଓ କଳା ଅଙ୍ଗୁର ଉତ୍ପାଦନ ହେଉଥିଲା ।ଚାଷୀ ମାନଙ୍କ ଠାରୁ ବଗିଚାରୁ ଉତ୍ପାଦନ ପାଇଁ ଖୁବ କମ କର ଆଦାୟ ହେଉଥିଲା । ୧୩୮୮ ମସିହା । ୮୩ ବର୍ଷ ରେ ଫିରୋଜ ସାହା ଙ୍କର ମୃତ୍ୟୁ ହୁଏ । ମୃତ୍ୟୁ ପରେ ସରକାର ରେ ବହୁ ବିଶୃଙ୍ଖଳା ଦେଖା ଗଲା ।କେନ୍ଦ୍ରୀୟ ଶାସନ ଭାଙ୍ଗି ପଡିବାରୁ ଦେଶରେ ଛୋଟ ଛୋଟ ରାଜା ମୁଣ୍ଡ ଟେକିଲେ ।ମୋଟା ମୋଟି ଦେଶରେ ଅରାଜକତା ବ୍ୟାପିଗଲା।

୧୩୯୮ ରେ ମୋଗଲ ମାନଙ୍କର ଜଣେ ସେନାପତି ତୈମୁର ସିନ୍ଧୁ ଦାଖଲ କରନ୍ତି । ତୈମୁର ଜଣେ ଅତ୍ୟାଚାରୀ ସୁଲତାନ ଥିଲେ । ସେ ଭାରତରେ ଲକ୍ଷ ଲକ୍ଷ ହିନ୍ଦୁ ମାନଙ୍କୁ ହତ୍ୟା କରି ଦିଲ୍ଲୀରୁ ଧନ ସମ୍ପତି, ସୁନା, ରୂପା।ହୀରା, ନୀଳା ସମର କନ୍ଦକୁ ବୋହିନେଲେ । ତୈମୁରର ଙ୍କ ଶାସନ କାଳରେ ଦିଲ୍ଲୀରେ ଦୁର୍ଭିକ୍ଷ ପଡିଲା । ସମୟ କ୍ରମେ ଇବ୍ରାହିମ ଲୋଦି ଦିଲ୍ଲୀ ଶାସନ ଗାଦିରେ ବସିଥିଲେ । ମୋଗଲ ସମ୍ରାଟ ବାବର ୧୫୨୬ ଏପ୍ରିଲ ୨୧ ରେ ପାନିପଥ ଠାରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ଦିଲ୍ଲୀ ସିଂହାସନ ଦଖଲ କଲେ । ବାବରଙ୍କା ରାଜତ୍ଵ କାଳରେ ଉତ୍ତର ଭାରତରେ ଭଲ ବର୍ଷା ହେଉଥିଲା । ବର୍ଷା ପାଣି ଓ କେବନାଳ ପାଣି ଯୋଗୁଁ ଉତ୍ପାଦନ ଆଖିଦୃଷ୍ଟିଆ ଅଭିବୃଦ୍ଧି ଘଟିଥିଲା । ଫଳତଃ ଖାଦ୍ୟ ପଦାର୍ଥର ମୂଲ୍ୟ ଖୁବ କମ ରହିଥିଲା । ଚାଷୀ ବା ସାଧାରଣ ବ୍ୟକ୍ତିର ଦୈନିକ ଖର୍ଚ୍ଚ ଅସମ୍ଭବ ଭାବେ କମିଗଲା ।

୧୫୨୬ ଠାରୁ ୧୫୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ବାଦଶାହା ବାବର ଶାସନ କରନ୍ତି । ବାବର ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କଲେ । ବାବରଙ୍କର ୨୬ ଡିସେମ୍ବର ୧୫୩୦ ରେ ମୃତ୍ୟୁ ହୁଏ । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଜୀବନୀ “ବାବର ନାମା” ଲେଖିଯାଇଛନ୍ତି । ବାବର ନାମା ବାବରଙ୍କର ଶାସନ , ଭାରତର କୃଷି, ବାଣିଜ୍ୟ ଜନ ଜୀବନ ସମ୍ବଦ୍ଦରେ ବିସ୍ତୃତ ବିବରଣୀ ଦିଏ । ବାବର ନାମାକୁ ଭାରତରେ ପ୍ରଥମ ପ୍ରାକୃତିକ ଇତିହାସ (First Book of Natural History)ମାନ୍ୟତା ଦିଆଯାଏ । ଭାରତ ଓ ଭାରତୀୟଙ୍କ ବିଷୟରେରେ ସେ ଲେଖିଛନ୍ତି “India is a remarkable fine country . It is quite a different world, compared with our countries . Its hills and rivers, its forest and plains, its animals and plants, it s inhabitants and their languages, Its wind and rains are all of different nature . No sooner you have passed the river Sind than the country, the trees, the stones, the wandering tribes, the manners and customs of the people are all entirely those of Hindusthan .

ଭାରତରେ ସମସ୍ତ ପ୍ରାକୃତିକ ସମ୍ପଦ ,ବିଭବ ଓ ମଣିଷର ବୈଶିଷ୍ଟ ସମ୍ପର୍କରେ ଆଉ ଅଧିକ କଣ କୁହାଯାଇପାରେ !

ବାବର ନାମାରେ ବାବର ଲେଖନ୍ତି “ଭାରତ ଗୋଟିଏ ବିରାଟ ଦେଶ । ଲୋକ ମାନଙ୍କ ପାଖରେ ଗାଁ ରୁ ସହର ପର୍ଯ୍ୟନ୍ତ ଅପର୍ଯ୍ୟାପ୍ତ ସୁନା ,ରୂପା ଥିଲା । ବର୍ଷା ଋତୁ ଅତନ୍ତ୍ୟ ମନୋରମ ଥିଲା । ବେଳେ ବେଳେ ଏକାଦି କ୍ରମେ ୧୦/୧୫ ଏପରିକି ୨୦ ଦିନ ବର୍ଷା ହୁଏ (ଯାହାକୁ ଆମେ ଆଗେ କହୁଥିଲୁ “ମେଘ ଝଡି ଲଗାଇଛି” ) ବର୍ଷା ସମୟରେ ବାୟୁ ଚଳାଚଳ ଅତନ୍ତ୍ୟ ଆମୋଦ ଦାୟକ । ବାୟୁ ମଣ୍ଡଳର ତାପ କମିଯାଇ ପ୍ରକୃତି ଶୀତଳ ହୋଇଥାଏ (memoirs of zehir–md-din Mumahad Baabar translated by john Leyden and wiiliam Erekine-pp201,243)

ଚାଷୀମାନେ ଖୁବ ସରଳ, କଠିନ ପରିଶ୍ରମୀ, ବାଉଁଶ ନଡାରେ ଘର ତିଆରି । ସେମାନେ ଜଳାଶୟ କୂଅ ଖୋଳି ଜମିକୁ ପାଣି ମଡାଉଛନ୍ତି । ଘଞ୍ଚ ଜଙ୍ଗଲ, ଗାଁ ଗଣ୍ଡା, ପାହାଡ ପର୍ବତ ଚାରିଆଡେ । ଘର ତିଆରି କରିବାକୁ ଯଥେଷ୍ଠ କାଠ ବି ମିଳୁଛି (Wood is Unlimited)। ସେମାନେ ଜମିରେ ସୁନା ଫଳାଉଛନ୍ତି । ପୋଷାକ ପାତ୍ର ଖୁବ ସାଧା ସିଧା । ଗାମୁଛା ଖଣ୍ଡିଏ ପିନ୍ଧି ଆଉ ଖଣ୍ଡିଏ ମୁଣ୍ଡରେ ଠେକା ଭିଡିଥାନ୍ତି । ମହିଳା ମାନେ ଲମ୍ବା ଶାଢୀ ପିନ୍ଧନ୍ତି । ଅଣ୍ଟାରେ ପିନ୍ଧି ଦିହରେ ଗୁଡାଇ ମୁଣ୍ଡରେ ପକାଇ ଥାନ୍ତି ।(Beve ridge,A.S Babarnama-pp446,487,488)

ପର୍ସିୟାନ ହୁଇଲ ଦ୍ଵାରା ଚାଷୀମାନେ ତିରୋଟ ସମୟରେ କୁଅରୁ ପାଣି ଉଠାଇ ମଡାନ୍ତି “ଚରସା” ଅନ୍ୟ ଏକ ପ୍ରକାର ଯେଉଁଥିରେ ଗୋଟିଏ ଚମଡା ତିଆରି ବାଲଟି ସାହାଯ୍ୟରେ କୁଅରୁ ଶଗଡି ଦ୍ଵାରା ପାଣି ଉଠାଇ ଜମିକୁ ନିଅନ୍ତି । ଜଣେ ଲୋକ ବଳଦ ଅଡାଉଥିବ । ଅନ୍ୟ ଜଣେ ବାଲିତିରେ ଉଠୁଥିବା ପାଣିକୁ ଜମିକୁ ଢାଳୁଥିବ । ବାବର ଏପରି ଲକ୍ଷ ରଖିଥିଲେ ବଳଦ ବୁଲିଲା ବେଳେ ତାର ପରିସ୍ରା ଓ ଗୋବର ପଡି ବୁଲା ରାସ୍ତା କାଦୁଅ, ଅପରିଷ୍କାର (polluted) ହୋଇଯାଇଥାଏ । (Beve ridge,A.S Babarnama-pp446,487,488)

ବାବର ଫୁଲ, ଫଳ, ବଗିଚା ଭଲପାଉଥିଲେ । କାବୁଲରେ ସେ ୧୧ ଟି ବଡ ବଡ ବଗିଚା କରାଇଥିଲେ । ବଗିଚାକୁ ମୁସଲମାନ ମାନେ “ବାଗ” କୁହନ୍ତି । ଆଗ୍ରା ତୋଲପୁର ଏବଂ ଦିଲ୍ଲୀକୁ ଲାଗି ବହୁତ ବଡ ବଡ ବାଗ ଉତାରି ସେଥିରେ ଫୁଲ, ଫଳ ଲଗାଇବା ସହ ପୁଷ୍କରଣୀ ମାନ ତିଆରି କରାଇ ଥିଲେ । ଆମ ପୁରାଣ ବର୍ଣିତ ପ୍ରମୋଦ ଉଦ୍ୟାନ ପରି ବାବର ପ୍ରତି ବାଗରେ ବସି ପ୍ରକୃତିର ସୌନ୍ଦର୍ଜ୍ୟ ଉପଭୋଗ କରିବା ପାଇଁ ଅଟ୍ଟାଳିକାମାନ ତିଆରି କରାଇଥିଲେ । ବଗିଚାରେ ଆମ୍ବ, ପଣସ , ଖଜୁର, ଜାମୁ, ତେନ୍ତୁଳି, ମହୁଆ ଭଳି ବଡ ବଡ ଗଛ ଲାଗୁଥିଲା । କମଳା, ବେଦନା, ସପେଟା, ସେଓ, ଲେମ୍ବୁ, ଅଁଳା ଭଳି ଫଳଗଛ ମାନ ମଧ୍ୟ ଥାଏ । ନାନା ଜାତିର ଦେଶୀ ବିଦେଶୀ ଫୁଲରେ ବାଗ ଗୁଡିକ ମହକୁଥାଏ । ବଗିଚାମାନେ କଣ ଛୋଟିଆ ଗୋଟେ ଗୋଟେ ବାଗ ୫/୧୦ ଏକରରୁ କମ ନଥିଲା ।

ବାବର ଚାଷୀମାନଙ୍କ ପାଇଁ ସମ୍ବେଦନଶୀଳ ଥିଲେ । ଖଜଣାରେ ରିହାତି ଦେଇଥିଲେ । ଯମୁନା କେନାଲର ସଂପ୍ରସାରଣ କରିଥିଲେ । ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେଲେ କର ଛାଡ କରୁଥିଲେ । ଗୋରୁ ,ଗାଈ ,ଛେଳି ,ମେଣ୍ଢାଙ୍କ ପାଇଁ ପର୍ଯ୍ୟାପ୍ତ ଚାରଣ ଭୂମି ଖଞ୍ଜିଥିଲେ । ମୋଟାମୋଟି ଭାବେ ବାବରଙ୍କ ସମୟରେ ଚାଷୀ ମାନେ ଶାନ୍ତିରେ ନିଶ୍ଵାସ ମାରିପାରୁଥିଲେ ।ଏଇଠି ରଖିବା । ଆଗକୁ ହୁମାୟନଙ୍କ ଠାରୁ ଆରମ୍ଭ କରିବା ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone