ହୃଷୀକେଶଙ୍କ କଥାସାହିତ୍ୟରେ ମାନବିକ ସ୍ଖଳନର ଚିତ୍ର

12 Min Read

ବ୍ୟକ୍ତିଗତ, ସ୍ୱାର୍ଥପର ଓ ଆତ୍ମକୈନ୍ଦ୍ରିକ ଜୀବନ ପରିଧି ମଧ୍ୟରେ ରହି ବସ୍ତୁବାଦୀ ଜୀବନ ବଞ୍ଚୁଥିବା ମଣିଷର ସ୍ୱରୂପ ଉଦ୍ଘାଟନ କରିବାରେ ଔପନ୍ୟାସିକ ଡଃ ହୃଷୀକେଶ ପଣ୍ଡା ଖୁବ୍ ଦକ୍ଷ । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଏକ ଅର୍ଥସର୍ବସ୍ୱ ଜୀବନଦର୍ଶନ ଆରମ୍ଭହୋଇ ଓଡ଼ିଶାର ସାମାଜିକ ଜୀବନକୁ କଳୁଷିତ କରିବାକୁ ଚେଷ୍ଟା କରିଛି ଏବଂ ପରବର୍ତ୍ତୀ କାଳରେ ବ୍ୟକ୍ତିଚରିତ୍ରକୁ ପ୍ରଭାବିତ କରି ତା’ର ନୈତିକଶକ୍ତିକୁ ଦୁର୍ବଳ କରିଦେଇଛି । ସାମାଜିକ ଜୀବନର ଏହି ନୈତିକ ଅଧୋଃଗତି ଫଳରେ ଶୋଷକ ଓ ନିର୍ଯାତକ ଗୋଷ୍ଠୀ ସମାଜରେ ନିନ୍ଦିତ ହେବା ବଦଳରେ ‘ମାନ୍ୟଗଣ୍ୟ’ର ସମ୍ମାନ ଓ ଯଶ ପ୍ରତିଷ୍ଠା ଲାଭକଲେ । ସେମାନଙ୍କୁ ପରଦାଚ୍ୟୁତ କରି ସର୍ବସମ୍ମୁଖରେ ତା’ର ବାସ୍ତବ ସ୍ୱରୂପ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଛନ୍ତି, କଥାକାର ଶ୍ରୀଯୁକ୍ତ ପଣ୍ଡା । ବ୍ୟକ୍ତିଗତ ଜୀବନ ମଧ୍ୟରେ ବାସ୍ତବ ଜୀବନର ଅର୍ଥ ଖୋଜୁଖୋଜୁ ଆଶା-ନିରାଶା, ପ୍ରେମ-ପ୍ରତାରଣା, ସ୍ୱପ୍ନଭଙ୍ଗତା ଆଦିକୁ ସାଉଁଟି ଏକ ବିଭଙ୍ଗ ବ୍ୟକ୍ତିତ୍ୱକୁ ଖୋଜିପାଆନ୍ତି ସେ । ବ୍ୟକ୍ତିର ସ୍ୱାର୍ଥ-ସର୍ବସ୍ୱତାପୂର୍ଣ୍ଣ ଅପରିଣାମଦର୍ଶିତା, ସଂଗୁପ୍ତ ଭାବନାର ବୈଚିତ୍ର୍ୟମୟ ରୂପ, ମଣିଷର ମାନବିକଶୂନ୍ୟ କାର୍ଯ୍ୟକଳାପ, ବସ୍ତୁବାଦର କଳଙ୍କିତ ରୂପ, ଅର୍ଥଲିପ୍ସୁ ମନୋଦ୍ଦଶାର ବିବିଧ କ୍ରିୟାଦିକୁ ବୈଚିତ୍ର୍ୟମୟ ରୂପରେ ପ୍ରକାଶକରି ମାନବ ଜୀବନକୁ ଶୃଙ୍ଖଳିତ କରିବାର ପ୍ରଚେଷ୍ଟାରେ ଅଗ୍ରସର ।

ଡଃ ପଣ୍ଡାଙ୍କର ପ୍ରତ୍ୟେକଟି ଉପନ୍ୟାସକୁ ଅବଲୋକନ କଲେ ସେଥିରେ ମାନବିକ ସ୍ଖଳନର ଦୃଶ୍ୟକୁ ପାଠକ ଭେଟେ । “ଶୂନ ସାଙ୍ଗେ ସାମୟିକ ସନ୍ଧି” ଠାରୁ “ସମସ୍ତେ ତ ଜାଣିଥିଲେ” ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଉପନ୍ୟାସ ମଧ୍ୟରେ ନୈତିକ ସ୍ଖଳନର ଚିତ୍ର ଦୃଷ୍ଟିଗୋଚର ହୁଏ । ସେ ସନାତନର ଆମେରିକା ଯିବା ନେଇ କିରାଣିର ଲାଞ୍ଚ ଓ ଘୁଷୁଖୋର ମନୋବୃତ୍ତି ହେଉ ଅବା ରିକ୍ସାବାଲାର କୁନ୍ତୀପ୍ରତି ଅସଦାଚରଣ, ରିମାନର ଶ୍ରୁତିପ୍ରତି ଶଠତା ଓ ଲମ୍ପଟତା ପ୍ରଦର୍ଶନ, ଶାସନପୁରୀ ସନ୍ନ୍ୟାସୀ ରାଓର ଶୁକ୍ରା ଓ ଗୁରେଇ ପ୍ରତି ଅସ୍ୱାଭାବିକ ବ୍ୟବହାର, ଧରମପାଲର ଅସାଧୁ କାର୍ଯ୍ୟକଳାପ, ଭୁବନେଶ୍ୱରର ଶ୍ରଦ୍ଧାଞ୍ଜଳି ପ୍ରତି ଅମାନବିକ ଓ ପୈଶାଚିକ ମନୋବୃତ୍ତି ଓ ରେଭେନ୍ସା ସାହେବଙ୍କର ଓଡ଼ିଶାବାସୀଙ୍କ ପ୍ରତି ନିଷ୍ଠୁର ମନ୍ତବ୍ୟ, ଶ୍ୱେତଲିଙ୍ଗର ମୂଳ ନାରୀ ଅଧିବାସୀଙ୍କ ପ୍ରତି ଅସଦାଚରଣ ମାନବିକତାଶୂନ୍ୟ କାର୍ଯ୍ୟକଳାପ ଭାବେ ବର୍ଣ୍ଣନା କରାଯାଇଛି ।

ହୃଷୀକେଶ ମଣିଷର ମାନବିକ ସ୍ଖଳନର ଚିତ୍ର ମାଧ୍ୟମରେ ପାଠକ ଅନ୍ତରରେ ମାନବବାଦୀ ଚିନ୍ତାଧାରାର ବୀଜରୋପଣ କରିବାକୁ ଚେଷ୍ଟା କରିଛନ୍ତି । ଏ ପରିପ୍ରେକ୍ଷୀରେ ତାଙ୍କ ପ୍ରଥମ ଉପନ୍ୟାସ ‘ଶୂନ୍ ସାଙ୍ଗେ ସାମୟିକ ସନ୍ଧି’କୁ ପର୍ଯ୍ୟାଲୋଚନା କରାଯାଉ । ଜୀବନଯୁଦ୍ଧରେ ଅସ୍ତବ୍ୟସ୍ତ ସନାତନ ଜଣେ ଅପରିଚିତା ନାରୀଠାରୁ ଦୂରେଇ ଯିବାକୁ ସ୍ଥିରକରି ବଦଳି ନେଇଯାଇଛି କେଉଁ ଏକ ଦୂର ସହରକୁ । ମନଟି ତା’ର ଯେଉଁ ଶାନ୍ତି ଉଦ୍ଦେଶ୍ୟରେ ଉକ୍ତ ଅପରିଚିତ ସହରକୁ ଧାବମାନ କରିଥିଲା, ସେଠାରେ ମଧ୍ୟ ନିଜକୁ ନିଃସଙ୍ଗ ପାଇ କବାଟ ଖୋଲି ପ୍ରକୃତିକୁ ଉପଭୋଗ କରୁଥିବା ସମୟରେ ଯୌନାବେଗର ଉତ୍କୋଟ ତାଡ଼ନାର ବଶବର୍ତ୍ତୀ ହୋଇ ଗାଈ ଚରାଉଥିବା ସ୍ତ୍ରୀଲୋକଟି ପ୍ରତି ଅଶାଳୀନ ଇଙ୍ଗିତଟି ମାନବିକ ସ୍ଖଳନର ଚିତ୍ରକୁ ତୋଳିଧରେ । ଦାରିଦ୍ର୍ୟତାର ବଶବର୍ତ୍ତୀ ହୋଇଥିବା ନାରୀଟି ଅର୍ଥାକୃଷ୍ଟି ଯୋଗୁଁ ଦେହସୁଖ ଦେବାକୁ ରାଜି ହୋଇଥିଲେ ମଧ୍ୟ ଆଉ ପାଞ୍ଚଟଙ୍କା ପାଇଁ ଅଳି କରିଥିବା ସମୟରେ ସନାତନର ରୁକ୍ଷ ଶବ୍ଦମାନଙ୍କରୁ ତା’ର ରୁଗଣ ମାନସିକତାର ପରିଚୟ ମିଳେ । “ଚୋପ୍ ଶାଳୀ, ଆଉ ଟଙ୍କା ଫଙ୍କା ନାହିଁ ।” xxx ତୋ ବୟସ କେତେ? (୧) ସ୍ୱପ୍ନଭଙ୍ଗ, ନିଃସଙ୍ଗ ଜୀବନରେ ରାହା ଖୋଜି ଅଣନିଃଶ୍ୱାସୀ, ହୋଇ ପଡିଥିବା କୁନ୍ତୀପ୍ରତି ସମ୍ଭାବ୍ୟ ଅସଦାଚରଣ କରିବାକୁ ଯାଉଥିବା ରିକ୍ସାବାଲାର ନୈତିକତାଶୂନ୍ୟ କାର୍ଯ୍ୟକୁ “ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତ”କୁ ଉପନ୍ୟାସ ମାଧ୍ୟମରେ ଉପସ୍ଥାପନା କରି ସମାଜରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ଗୋବିନ୍ଦର କୁନ୍ତୀର ବାନ୍ଧବୀ ସୁନ୍ଦରୀ ଓ ଦମିସହ ରତିକ୍ରୀଡା ଯାହା ସଭିଙ୍କ ଅଗୋଚରରେ ଥିଲା ଏବଂ ଦମିର ବାପା ତହସିଲଦାର ବାବୁଙ୍କୁ ସ୍କୁଲର ବାର୍ଷିକୋତ୍ସବରେ ହତ୍ୟା କରି ଚୁପ୍ ଚାପ ଫେରାର ହୋଇଯିବା ଗୋବିନ୍ଦର ନୈତିକ ଅଧଃପତନର ଚିତ୍ରକୁ ଉଜ୍ଜୀବିତ କରାଏ । ଭାନୁର କୁନ୍ତୀପ୍ରତି ଶାରୀରିକ ଓ ଆର୍ଥିକ ଶୋଷଣ ଏବଂ ଶେଷରେ ଏନିଗ୍ମା ନାମକ ନର୍ସକୁ ବିବାହ କରିବାରେ ମାନବିକ ସ୍ଖଳନର ଚିତ୍ର ପାଠକଙ୍କ ଦୃଷ୍ଟି ପଥାରୁଢ଼ ହୁଏ ।

ମଣିଷ ମଣିଷ ଭିତରେ ମମତା ହିଁ ମାନବିକତା ବୋଧକୁ ଗାଢ଼କରେ । ସାମ୍ପ୍ରତିକ କାଳରେ ମାନବିକ ମୂଲ୍ୟବୋଧକୁ ପୁରାତନ ବିବେଚନା କରି ଏହାକୁ ଆଧୁନିକତାର ବିରୋଧୀଭାବେ ଗ୍ରହଣ କରାଯାଉଛି । ଏହାର କାରଣ ହେଉଛି ମଣିଷ ହୃଦୟରୁ ବିବେକକୁ ବିଦାୟ ଦେଇ ଆବେଗହୀନ ଯନ୍ତ୍ରତୁଲ୍ୟ କାର୍ଯ୍ୟକରୁଛି । ଯାହା ‘ସୁନାପୁଟର ଲୋକେ’ ଉପନ୍ୟାସର ଶାସନପୁରୀ ସନ୍ନ୍ୟାସୀ ରାଓର ଗୁରେଇ ଶୁକ୍ରା ପ୍ରତି ଆବେଗହୀନ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡେ । କଙ୍କଡାଗଡିଆ ବିଦ୍ୟୁତଶକ୍ତି ପ୍ରକଳ୍ପରେ ସରକାରଙ୍କ ଦ୍ୱାରା ସ୍ଥାନାନ୍ତରିତ ହୋଇ ବାସସ୍ଥାନ ଅନ୍ୱେଷଣରେ ଯିବା ସମୟରେ ଡୁଜରର ଭୟଙ୍କର ଗର୍ଜନ ଓ ଲୋକମାନଙ୍କର ଇତଃସ୍ତତଃ ଧାବମାନ ଓ କୋଳାହଳରେ ଗୁରେଇ ଓ ଶୁକ୍ରାଙ୍କର ପିଲାଦିହେଁ କେଉଁଠି ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ଗୁରେଇ ଓ ଶୁକ୍ରା ଆବେଗପ୍ରବଣ ବାତ୍ସଲ୍ୟ ମମତାର ବନ୍ଧନରେ ବନ୍ଦୀହୋଇ ଅନେକଜାଗା ଘୂରି ବୁଲିଛନ୍ତି । ଗୁରେଇର ଖୀରଭର୍ତ୍ତି ଥନ ତା’ ମାତୃବତ୍ସଳ ସ୍ନେହର ପ୍ରତୀକ ହୋଇ ବୋହିଚାଲିଛି । କିଂକର୍ତ୍ତବ୍ୟବିମୂଢ଼ ଭାବେ ଦୁହେଁ ଶାସନପୁରୀ ସନ୍ନ୍ୟାସୀ ରାଓର ଦ୍ୱାରସ୍ଥ ହେବାବେଳେ ଶାସନପୁରୀର ମାନବିକତାଶୂନ୍ୟ ମନ୍ତବ୍ୟ ସେମାନଙ୍କୁ ଖଣ୍ଡିଆ ଖାବରା କରିଦେଇଛି । “ହ୍ୟାପ ବୋକା ଗୁରା କିରେ? ହ୍ୟାପ୍ ଛୁଆ ଦି’ଟା ଜନମ କରିବାକୁ କେତେଦିନ ଲାଗିଥାନ୍ତା ଯେ ଏମିତି ଘୂରିବୁଲୁଛ? ମୋତେ ଦେଖ, ଶଳା ମୋ ଛୁଆଙ୍କର ହିସାବ ତ ମୁଁ ରଖି ପାରୁନାହିଁ, XXX ଯାଗ୍ୟାଃ ପଳା ।”

(୨) ମଣିଷର ମାନବିକ ସ୍ଖଳନର ବିକୃତାବସ୍ଥା ଦର୍ଶନର ଅଭିଳାଷରେ ଔପନ୍ୟାସିକ କେଶବର ସାନପୁଅର କିଛି ଦୁର୍ବୃତ୍ତମାନଙ୍କ ଦ୍ୱାରା ଲୋମହର୍ଷଣକାରୀ ମୃତ୍ୟୁବରଣକୁ ଉପସ୍ଥାପନ କରିଛନ୍ତି । ମଣିଷ ଯେତେବେଳେ ବିବେକଶୂନ୍ୟ ଅବସ୍ଥାରେ ପାଦ ଦିଏ, ସେ ପୈଶାଚିକ ପ୍ରବୃତ୍ତିକୁ ନିଜମଧ୍ୟରେ ସମାହିତ କରି ଯାବତୀୟ କୁକର୍ମରେ ଜଡ଼ିତ ରହେ । ଶୀତର ପ୍ରକୋପ ଓ ମଶାର ଉତ୍ପୀଡ଼ନରେ ମଟର ଗ୍ୟାରେଜ ସାମ୍ନାରେ ଶୋଇଥିବା କେଶବର ସାନପୁଅକୁ କିଛି ବିକୃତ ମାନସିକତା ସମ୍ପନ୍ନ ବ୍ୟକ୍ତି ଲୋଲୁପଦୃଷ୍ଟି ପକାଇ ପୌଶାଚିକ ଆନନ୍ଦ ସନ୍ଧାନରେ ଅଗ୍ରସରପୂର୍ବକ ତା ମଳଦ୍ୱାରରେ ପମ୍ପ ଖୁନ୍ଦିଦେଇ ନାକ ଓ ପାଟିକୁ ଶ୍ୱାସରୁଦ୍ଧ କରିବା ଦ୍ୱାରା ତା ସମଗ୍ର ଶରୀର ଖଣ୍ଡବିଖଣ୍ଡିତ ହୋଇ ବିକ୍ଷିପ୍ତ ହୋଇଯାଇଛି ଚତୁଃଦିଗରେ । ଉପରୋକ୍ତ ବର୍ବର ମାନସିକତା ସନ୍ଦର୍ଶନରେ ପାଠକ ଏକ ନରପିଶାଚର ବାସ୍ତବ ରୂପକୁ ଅତିନିକଟରୁ ଦେଖେ । ଏହି ବର୍ବରୋଚିତ କାଣ୍ଡ ମଧ୍ୟରେ ମାନବିକ ବ୍ୟକ୍ତିସତ୍ତାକୁ କ୍ଷୁଣ୍ଣ କରୁଥିବା ସଭ୍ୟ ମଣିଷର ଭଦ୍ରମୁଖାତଳେ ଆଶ୍ରୟ ନେଇଥିବା ସେଇ ନରରାକ୍ଷସକୁ ସନ୍ଧାନକରିଛନ୍ତି ଔପନ୍ୟାସିକ ଶ୍ରୀଯୁକ୍ତ ପଣ୍ଡା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଦସ୍ୟୁ’ ମାଧ୍ୟମରେ । ନାମକରଣ ସହ ସାମଞ୍ଜସ୍ୟ ରଖୁଥିବା ଉପନ୍ୟାସଟି ଭୁବନେଶ୍ୱର ନାମକ ବ୍ୟକ୍ତିବିଶେଷର ଅମାନବୀୟ କାର୍ଯ୍ୟକଳାପକୁ ବଖାଣିବା ସମୟରେ ମଣିଷ ମଧ୍ୟରେ ‘ଦସ୍ୟୁ’ର ସନ୍ଧାନ କରିଛନ୍ତି ଔପନ୍ୟାସିକ । ରାଜନୀତି କ୍ଷେତ୍ରରେ ଜଣେ କ୍ଷମତାସୀନ ବ୍ୟକ୍ତିଭାବରେ ପରିଚିତ ଭୁବନେଶ୍ୱର ବାସ୍ତବ ଜୀବନରେ ଜଣେ ନଂପୁସକ ହୋଇଥିବାରୁ ରତିକ୍ରୀଡ଼ାର ପ୍ରତ୍ୟକ୍ଷ ସୁଖରୁ ବଂଚିତ ହୋଇ ନିଜର କାମବିଳାସକୁ ପ୍ରଶମିତ କରିବାକୁ ଯାଇ ଭିନ୍ନଭିନ୍ନ ପୁରୁଷମାନଙ୍କ ସହ ଶ୍ରଦ୍ଧାଞ୍ଜଳିକୁ ସମ୍ଭୋଗ କରିବାର ଦେଖି ଆନନ୍ଦ ଲାଭକରେ । ତା’ର ପୈଶାଚିକ ଆନନ୍ଦଲାଭ ଯେ ଗୋଟିଏ ନାରୀର ଜୀବନ ମୃତ୍ୟୁର କାରଣ ହୋଇପାରେ ତାହା ପୂର୍ବାନୁମାନ କରି ମଧ୍ୟ ଏକ ଡାକ୍ତରୀ ଟିମ୍ର ସହଯୋଗରେ ଶ୍ରଦ୍ଧାଞ୍ଜଳିକୁ ହାଇ ପାୱାର ମେଡିସିନ ଓ ଇଞ୍ଜେକସନ ଦେଇ ପୁନର୍ବାର କାମବାସନାରେ ନିଯୁକ୍ତ କରିବାକୁ ବାଧ୍ୟ କରୁଥିଲା । କୌଣସି ଡାକ୍ତର ଏଭଳି ଅମାନବୀୟ କାର୍ଯ୍ୟ କରିବାକୁ ଅନିଛା ପ୍ରକାଶ କଲେ ତାକୁ ମାଲକାନଗିରି ବଦଳିପାଇଁ ଧମକ ପ୍ରଦାନକରେ । ଶ୍ରଦ୍ଧାଞ୍ଜଳିର ବାରମ୍ବାର ଅନୁରୋଧ ସତ୍ତ୍ୱେ ତା’ ତନୁତୀର୍ଥକୁ ଅତି ବୀଭତ୍ସ ଭାବରେ ରତିକ୍ରୀଡ଼ାରେ ନିୟୋଜିତ କରିଛି । ଘୃଣ୍ୟ ପାଶବିକତାର ସମସ୍ତ ସୀମା ଟପିଯାଇଥିବା ଭୁବନେଶ୍ୱର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି କହିଛି- “ଭୁବନେଶ୍ୱରଟା ଗୋଟେ ନଂପୁସକ ପିଶାଚ, ବଳାତ୍କାର ପାଇଁ ଏତେସବୁ ଦଣ୍ଡ ଅଛି, ନଂପୁସକ ପିଶାଚ ପାଇଁ କିଛି ଦଣ୍ଡ ନାହିଁ, ଯୋଉ ଲୋକ ବଂଚି ଥାଉଥାଉ ପିଶାଚ, ସେ ମରିଗଲେ କ’ଣ ହେବ?”(୩) ଦସ୍ୟୁ ଉପନ୍ୟାସର ଅନେକ ସ୍ଥଳରେ ପାଠକ ମାନବିକ ମୂଲ୍ୟବୋଧର ଅଧଃପତନର ଗନ୍ଧ ବାରିପାରେ । କେବଳ ଯେ ଭୁବନେଶ୍ୱର ଚରିତ୍ରଟିର ଅଧଃପତନକୁ ଚିତ୍ରଣ କରାଯାଇଛି ତାହାନୁହେଁ, ପୋଲିସ କନଷ୍ଟେବଳ ଭୋବନୀ ବାବୁ, ଶ୍ରଦ୍ଧାଞ୍ଜଳି, ସୁବୁଦ୍ଧି ଆଦି ଅନେକ ଚରିତ୍ରର ଅଧଃପତନକୁ ଦେଖାଇବାକୁ ପ୍ରୟାସ କରିଛନ୍ତି ଔପନ୍ୟାସିକ । ସୁବୁଦ୍ଧିର କ୍ଷମତା ଓ ଅର୍ଥପିପାସୁ ମନ ସ୍ତ୍ରୀ ଶ୍ରଦ୍ଧାଞ୍ଜଳିକୁ ଭୁବନେଶ୍ୱର ନିକଟରେ ବିକ୍ରି କରିଦେଇଛି । “XXX ଖାଲି ଶ୍ରଦ୍ଧାଞ୍ଜଳି ରହେ । ସେ ନିଗମ ଅଧ୍ୟକ୍ଷ ଚାକିରି କେମିତି ପାଇଲି? ଶ୍ରଦ୍ଧାଞ୍ଜଳିକୁ ଶ୍ରଦ୍ଧାଞ୍ଜଳି ଦେଲି ।”(୪) ଉପରୋକ୍ତ ବକ୍ତବ୍ୟ ମଧ୍ୟରେ ଅମାନବିକତାର ଅତ୍ୟନ୍ତ ନୀଚ୍ଚସ୍ୱରୂପକୁ ଦର୍ଶାଯାଇଛି । ସେହିପରି ଭୋବନିବାବୁ ବେଶ୍ୟାମାନଙ୍କୁ କୁଣ୍ଡଭିତରେ ମାଛ, କଙ୍କଡା, ସିଙ୍ଗିମାଛ ମାନଙ୍କ ସହ ଭର୍ତ୍ତିକରି ସେମାନଙ୍କ ଚିତ୍କାର ଶୁଣି ଆତ୍ମସନ୍ତୋଷ ଲାଭ କରିଛି । ଶ୍ରଦ୍ଧାଞ୍ଜଳିର ଭୁବନେଶ୍ୱର ନିକଟରେ ଦେହ ଦାନ ନିମିତ୍ତ ଆତ୍ମସମର୍ପଣ ଓ ମାତୃହନ୍ତା ରୂପଟିକୁ ଦେଖିଲେ ମନରେ ବିକାର ଭାବନା ଜନ୍ମଲାଭ କରେ ।

ବସ୍ତୁବାଦୀ ଭୋଗସର୍ବସ୍ୱ ଜୀବନ ସହ ତାଳଦେଇ ବଞ୍ଚୁଥିବା ଔପନ୍ୟାସିକଙ୍କ ଚରିତ୍ରମାନଙ୍କ ମଧ୍ୟରେ ଯେଉଁ ଉପନ୍ୟାସରେ ନାରୀର ବୈଚିତ୍ର୍ୟମୟ ରୂପ ସଂଦର୍ଶନ ହୁଏ, ତାହାହେଉଛି ‘ସୁବର୍ଣ୍ଣଦ୍ୱୀପ’ ଉପନ୍ୟାସ । ଯାହା ମାଣିତ୍ରୀ ଓ ହିମାନୀ ଚରିତ୍ର ଅନୁଶୀଳନରେ ସ୍ପଷ୍ଟ ହୋଇଯାଏ । ମାଣିତ୍ରୀର ଅଭିଷେକ ପ୍ରତି ଅହେତୁକ ଆକର୍ଷଣ ଓ ନିଜସ୍ୱାମୀ ପ୍ରତି ବେଖାତିର ମନୋଭାବ, ହିମାନୀର ଅଭିଷେକ ନିକଟକୁ ମିଥ୍ୟା ଆରୋପ ଲଗାଇ ଛାଡପତ୍ର ନିମନ୍ତେ ଆବେଦନ ଓ ଛୁଆମାନଙ୍କୁ ପିତୃସ୍ନେହରୁ ବଂଚିତ କରାଇବାର କଠୋରତା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । “ଅଭିଷେକ ହିମାନୀ ହିମାନୀ ଡାକିଲା, କିନ୍ତୁ ହିମାନୀ ପିଲାଦିହିଁଙ୍କୁ ଘୋଷାରି ଘୋଷାରି ଘର ଭିତରକୁ ଚାଲି ଯାଇଥିଲା, ଓ ବନ୍ଦ କରିଦେଇଥିଲା ।”(୫) ନାରୀ ଚରିତ୍ରର ବ୍ୟତିକ୍ରମ ଭାବେ ହିମାନୀ ଓ ମାଣିତ୍ରୀ ଚରିତ୍ର ଚିତ୍ରିତ । ଧରମପାଲ, ଚନ୍ଦ୍ରବଦନ, ଡଃ ବ୍ୟାଡ, ହର, ଏସପି ସାବଙ୍କ ଚରିତ୍ରର ଅନୁଶୀଳନରେ ଏକ ମାନବିକତାଶୂନ୍ୟ ବ୍ୟକ୍ତିଙ୍କୁ ପାଠକ ଭେଟେ । ରିମାନ୍ର ଲମ୍ପଟତା ଓ ଶଠତା ଗୁଣ ଯେ ମଣିଷର ନୈତିକ ସ୍ଖଳନର ଏକ ସଠିକ ଆକଳନ କରେ ତାହା ‘ଶ୍ରୁତି:୧୯୯୪’ ଉପନ୍ୟାସର ବିଷୟବସ୍ତୁ ଅବଲମ୍ବନରେ ଦୃଷ୍ଟି ପଥାରୁଢ଼ ହୁଏ । ଶ୍ରୁତି ଭଳି ଜଣେ ସଚ୍ଚୋଟ ଅବିବାହିତା ନାରୀକୁ ମିଥ୍ୟା ପ୍ରେମଜାଲରେ ଫସାଇତାକୁ ଆର୍ଥିକ, ଶାରୀରିକ ଓ ମାନସିକ ଶୋଷଣକରି ଯେଉଁ କଟୁକ୍ତି ଓ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି, ତାହା ବାସ୍ତବିକ ନିନ୍ଦନୀୟ । ରିମାନ ତା’ର ସମ୍ଭ୍ରାନ୍ତ ଚେହେରା, ଚାତୁର୍ଯ୍ୟପୂର୍ଣ୍ଣ କଥାମାଧ୍ୟମରେ ଶ୍ରୁତିକୁ ସେୟାର ମାର୍କେଟରେ ଇନଭେଷ୍ଟମେଣ୍ଟ କରିବା ପାଇଁ ପ୍ରରୋଚିତ କରାଇ ବାରମ୍ବାର ଅର୍ଥ ହଡପକରି ଫେରସ୍ତ କରିନାହିଁ । ବରଂ ଅପମାନଭରା ବାକ୍ୟ ପ୍ରୟୋଗ କରି ରିକ୍ତହସ୍ତରେ ଫେରାଇ ଦେଇଛି । ବାପାଙ୍କ ମେଡିକାଲ ଖର୍ଚ୍ଚ ଉଠାଇବା ନିମନ୍ତେ ଅକ୍ଷମ ଶ୍ରୁତି ନଗଦ ପଇସା ଫେରସ୍ତ ପାଇବା ନିମନ୍ତେ ମିନତୀ କଲାବେଳେ ରିମାନର ଉକ୍ତିଥିଲା- “ଆଗେ ତୋ ବାପା ମରିସାରୁ, ତାପରେ ଯାଇ ତୋତେ ପଇସା ଦେବି ।”(୬) ଶ୍ରୁତିର କୁମାରୀତ୍ୱ ଲୁଣ୍ଠନପରେ ପ୍ରତାରଣାପୂର୍ବକ ଇଙ୍ଗିତ କରି ଶ୍ରୁତିର ପ୍ରଶ୍ନକୁ ଅତି ଅମାନବିକ ଭାବେ ଉତ୍ତର ଦେଇକହିଛି- “କୁମାରୀତ୍ୱ ଏପରି ରୋଗନୁହେଁ ଯେ ଏହାର ଚିକିତ୍ସା ନାହିଁ ।”(୭) ବାରମ୍ବାର ଅର୍ଥ ଫେରସ୍ତ ନିମନ୍ତେ ଜିଦ୍ଦି କରିବାରୁ ରିମାନର ଉତ୍ତର ମଧ୍ୟରେ ମାନବିକ ସ୍ଖଳନକୁ ପାଠକ ଭେଟେ । ରିମାନର ଉତ୍ତରଥିଲା- “ଆଉ ତୋତେ ନେଇ ଯୋଉ ଷ୍ଟାର ହୋଟେଲମାନଙ୍କରେ ରଖୁଥିଲି, ଖୁଆଉଥିଲି, ପିଆଉଥିଲି, ସେ ପଇସା କିଏ ଦେବ?” (୮) ରିମାନ୍ ଚରିତ୍ରକୁ ବିଶ୍ଳେଷଣ କଲେ ପାଠକ ଏକ ନିଷ୍ଠୁରତାପୂର୍ଣ୍ଣ ଆବେଗହୀନ ଲମ୍ପଟରେ ପରିପୂର୍ଣ୍ଣ ଅର୍ଥଲିପ୍ସୁ ବ୍ୟକ୍ତିତ୍ୱକୁ ଭେଟେ । ଯିଏ ସାମାଜିକ ଜୀବନ ନିମନ୍ତେ କୀଟଂଦ୍ରଷ୍ଟ ସଦୃଶ । ଶ୍ରୁତିର ବଡ଼ଭଉଣୀର ସ୍ୱାର୍ଥପରତା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଗୋଟିଏ ପଟେ ନାରୀ, ଅନ୍ୟପଟେ ଡାକ୍ତରାଣୀ ହୋଇ ମଧ୍ୟ ଆବେଗହୀନ ଓ ବିବେକଶୂନ୍ୟ ଭାବେ ନିଜକୁ ପରିଚିତ କରାଏ । ନିଜ ବଡ଼ଭଉଣୀକୁ ଷ୍ଟୋନମ୍ୟାନ ସହ ତୁଳନା କରି ସେ ଯେ ଗୋଟେ ନିଷ୍ଠୁର ମାନବିକତାଶୂନ୍ୟ ମେଡିକାଲ କଲେଜରୁ ପାସ୍ କରିଛି, ଯାହା ଶ୍ରୁତିର ଏପରି ବକ୍ତବ୍ୟ ମଧ୍ୟରେ ନିଜ ବଡ଼ଭଉଣୀର ହୃଦୟହୀନତାକୁ ପ୍ରକାଶ କରେ ।

ବର୍ଣ୍ଣବୈଷମ୍ୟ ଓ ଜାତିଭେଦର ସମାଜ ବ୍ୟବସ୍ଥା ମଧ୍ୟରେ ନିଜଦେଶରେ ଉପନିବେଶବାଦୀ ଶାସନର ଛତ୍ରଛାୟା ତଳେ ଅହରହ ସଂଗ୍ରାମ ଚଳାଇଥିବା ମୂଳ-ଅଧିବାସୀଙ୍କ କରୁଣାପୂର୍ଣ୍ଣ କାହାଣୀଠୁ ଇଂରେଜ କ୍ୟାପଟେନ ଭାଟିନିଆଁ, ଶ୍ୱେତଲିଙ୍ଗ, କେକ୍ ଓ ଅଦିତି ପରି ଚରିତ୍ରର ଅନ୍ତରାଳରେ ମାନବୀୟ ସ୍ଖଳନକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ‘ହସ ଓ ଇତିହାସ’ ଉପନ୍ୟାସରେ ବର୍ଣ୍ଣିତ । ଗୋରାଲୋକଙ୍କ ସପକ୍ଷରେ ରହି ନିଜଜାତିକୁ ସଶକ୍ତ ଓ ସମୃଦ୍ଧ କରିବା ଉଦେ୍ଦଶ୍ୟରେ କ୍ୟାପଟେନ ଭାଟିନିଆଁ ଓ ଶ୍ୱେତଲିଙ୍ଗର କାର୍ଯ୍ୟକଳାପ ନିତାନ୍ତ ଘୃଣ୍ୟ । ଶ୍ୱେତଲିଙ୍ଗର କଳା ନାରୀମାନଙ୍କୁ ବୀର୍ଯ୍ୟ ଶୁକ୍ରଦ୍ୱାରା ଆବଦ୍ଧକରି ନାରୀମାନଙ୍କ ଅସ୍ତିତ୍ୱ ପ୍ରତି ହେୟଜ୍ଞାନ ପ୍ରଦର୍ଶନ ଓ ଶ୍ୱେତଲିଙ୍ଗ ପୁରଷ୍କାର ମାଧ୍ୟମରେ ଇଂରେଜ ଜାତିକୁ ସଶକ୍ତ କରେଇବାର ନିଚ୍ଚମନସ୍କତା ପ୍ରଦର୍ଶନ ଜରିଆରେ ମାନବିକ ମୂଲ୍ୟବୋଧର ପତନ ହୋଇଛି । ଶିଶୁହତ୍ୟା ଓ ନରହତ୍ୟା ସହ ନାରୀ ବଳାତ୍କାର ଭଳି ଜଘନ୍ୟ କାଣ୍ଡ ଓ ଅଦିତିର ନିଜ ନାତୁଣୀ ଲୋହିତାୟନୀର ବଳି ଚଢ଼ାଇବାର ଜଘନ୍ୟତା ମଧ୍ୟରେ ରୁଗ୍ଣ ମାନସିକତାକୁ ପାଠକ ସଂଦର୍ଶନ କରେ ।

‘ଗର୍ବ କରିବାର କଥା’ ଓ ‘ସମସ୍ତେ ତ ଜାଣିଥିଲେ’ ଉଭୟ ଉପନ୍ୟାସ ଭିନ୍ନଭିନ୍ନ ସମୟ ଓ ପୃଷ୍ଠଭୂମିରେ ରଚିତ ହୋଇଥିଲେ ମଧ୍ୟ ଏହା ମାନବୀୟ ସ୍ଖଳନର ଚରମତାକୁ ତୋଳିଧରେ । ‘ଗର୍ବ କରିବାର କଥା’ ଉପନ୍ୟାସରେ ବର୍ଣ୍ଣିତ ଚାର୍ନିକ, ରେଭେନ୍ସା ସାହେବ, ସୁଜା ଖାନ୍ ଆଦି ଚରିତ୍ରର ମାନବିକତାହୀନ କାର୍ଯ୍ୟକଳାପ ବର୍ଣ୍ଣିତ । ଚାର୍ନିକର ବାଲେଶ୍ୱର, ରେମୁଣା ବନ୍ଦରମାନଙ୍କରେ ନରହତ୍ୟାର ଲୋମହର୍ଷଣକାରୀ ଦୃଶ୍ୟ, ସୁଜା ଖାନ୍ର ନିଜ ସ୍ତ୍ରୀ ଆଜି ମୁନିସାର ମୁଣ୍ଡକାଟ ଓ ରେଭେନ୍ସା ସାହେବଙ୍କ ନ’ଅଙ୍କ ଦୁର୍ଭିକ୍ଷର ପୃଷ୍ଠଭୂମିରେ ଓଡ଼ିଶା ଲୋକଙ୍କ ଦୟନୀୟ ଅବସ୍ଥାକୁ ଦେଖି ଦେଉଥିବା ମନ୍ତବ୍ୟ ଖୁବ୍ ନିନ୍ଦନୀୟ । ରାସ୍ତାଘାଟରେ ମୃତ ଅବସ୍ଥାରେ ପଡିଥିବା ଶବକୁ ଦେଖି ରେଭେନ୍ସା ସାହେବଙ୍କ ଉକ୍ତିଥିଲା- “ଫୁଙ୍ଗୁଳା, ଉଡୈସା ଦେହ, ଏଇଥିପାଇଁ ତାଙ୍କୁ ଓଡ଼ିଶା କୁହାଯାଏ ।”(୯) ବୁଭୁକ୍ଷୁ ଲୋକଙ୍କ ମୃତଶରୀର ପ୍ରତି ଉପରୋକ୍ତ ଅସହିଷ୍ଣୁ ମନ୍ତବ୍ୟ ଅଗ୍ରହଣୀୟ । ଦୟାଶୀଳର ବନବାସୀଙ୍କଠାରୁ ଅର୍ଥ ଠକାମୀ ମାନବିକ ସ୍ଖଳନର ଅନ୍ୟଏକ ଚିତ୍ରପ୍ରଦାନ କରେ, ଯାହା ‘ସମସ୍ତେ ତ ଜାଣିଥିଲେ’ଉପନ୍ୟାସରୁ ଉଦ୍ଧୃତ ।

ବ୍ୟକ୍ତିଗତ ସ୍ୱାର୍ଥ ଲାଳସା ମଣିଷର ନୈତିକତାଶୂନ୍ୟ କାର୍ଯ୍ୟକଳାପକୁ ସୂଚାଇ ଦେବାକୁ ସତତ ପ୍ରୟାସ କରିଛନ୍ତି ଔପନ୍ୟାସିକ ଡଃ ପଣ୍ଡା ନିଜ ଉପନ୍ୟାସ ମଧ୍ୟରେ । ଅଳ୍ପବହୁତ ମାନବିକ ସ୍ଖଳନର ଚିତ୍ରକୁ ଉପସ୍ଥାପିତ କରିବାର ଉଦ୍ଦେଶ୍ୟ ସମାଜରେ ‘କୁ’ ଓ ‘ସୁ’ ମଧ୍ୟରେ ପାର୍ଥକ୍ୟ ଚେତାଇ ଦେଇ ସମାଜକୁ ସଂସ୍କାରମୁଖୀ ଓ ବିକଶିତ କରିବା ।

ସହାୟକ ଗ୍ରନ୍ଥସୂଚୀ:

୧. ପଣ୍ଡା, ହୃଷୀକେଶ- ଶୂନ ସାଙ୍ଗେ ସାମୟିକ ସନ୍ଧି- ପୃଷ୍ଠା- ୮୦- ଗ୍ରନ୍ଥମନ୍ଦିର କଟକ, ପ୍ରଥମ ପ୍ରକାଶ ଜୁନ୧୯୮୪

୨. ପଣ୍ଡା, ହୃଷୀକେଶ- ସୁନାପୁଟର ଲୋକେ- ପୃଷ୍ଠା, ୪୯- ଗ୍ରନ୍ଥମନ୍ଦିର, କଟକ, ପ୍ରଥମ ପ୍ରକାଶ ଏପ୍ରିଲ୍୧୯୯୧ ।

୩. ପଣ୍ଡା, ହୃଷୀକେଶ- ଦସ୍ୟୁ – ପୃଷ୍ଠା-୯୪- ଗ୍ରନ୍ଥମନ୍ଦିର, କଟକ, ପ୍ରଥମ ପ୍ରକାଶ ୨୦୦୨

୪. ତତ୍ରୈବ- ପୃଷ୍ଠା- ୮

୫. ପଣ୍ଡା, ହୃଷୀକେଶ- ସୁବର୍ଣ୍ଣଦ୍ୱୀପ- ପୃଷ୍ଠା- ୧୧୨- ଫ୍ରେଣ୍ଡସ୍ପବ୍ଲିଶର୍ସ, କଟକ, ପ୍ରଥମ ପ୍ରକାଶ ୧୯୯୪

୬. ପଣ୍ଡା, ହୃଷୀକେଶ- ଶ୍ରୁତି- ୧୯୯୪- ପୃଷ୍ଠା-୧୫୩- ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ପ୍ରଥମ ପ୍ରକାଶ ୧୯୯୫

୭. ତତ୍ରୈବ- ପୃଷ୍ଠା, ୯୫

୮. ତତ୍ରୈବ- ପୃଷ୍ଠା, ୧୪୮

୯. ପଣ୍ଡା, ହୃଷୀକେଶ- ଗର୍ବ କରିବାର କଥା- ପୃଷ୍ଠା- ୪୩୬- ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ପ୍ରଥମ ପ୍ରକାଶ ୨୦୧୦

Comments

0 comments

Share This Article