ସାଂସ୍କୃତିକ ଫାଶୀବାଦ

ବିନୋଦ
ବିନୋଦ88 Views
18 Min Read

ସଂସ୍କୃତିର ମହାକ୍ଷେତ୍ର କୁହାଯାଉଥିବା ଭାରତ କାହିଁକି ଏକ ସାଂସ୍କୃତିକ ବିଭୀଷିକା ବଳୟରେ? କାହିଁକି ଧାର୍ମିକ ବିଦ୍ୱେଷର ଘାଟ ମଧ୍ୟରେ ବିପଥଗାମୀ ପ୍ରଗତିଶୀଳ ସଂସ୍କୃତି? ସଂସ୍କୃତିର ଅବମୂଲ୍ୟାୟନ ଘଟିଛି ନା ଏହାକୁ ଜାଣିଶୁଣି ଫାଶୀବାଦୀ ଅଭିମୁଖୀ କରାଯାଇଛି ତାହାକୁ ନେଇ ପ୍ରଶ୍ନ । ଅଖଣ୍ଡ ଭାରତଠାରୁ ଆରମ୍ଭ କରି ବର୍ତ୍ତମାନର ବିକଶିତ ସଭ୍ୟତାର ସଂସ୍କୃତିର କାହିଁକି ଘଟିଛି ପତନ? ମଣିଷର ଚିନ୍ତାଧାରା ଏଥିଲାଗି ଦାୟୀ ନା ମାନସିକତାର ଏକ କୁଚ୍ଛ୍ର ସ୍ୱରୂପ ଏହାର କାରଣ? ଏସବୁ ପ୍ରଶ୍ନ ଜଣେ ସଚ୍ଚା ବୁଦ୍ଧିଜୀବୀର ମନକୁ ଆନ୍ଦୋଳିତ କରିବ ହିଁ କରିବ ।

କେହି ମାନନ୍ତୁ ବା ନ ମାନନ୍ତୁ ଭାରତରେ ଚାଲିଛି ସାଂସ୍କୃତିକ ଫାଶୀବାଦ । ଧାର୍ମିକ ମତାନ୍ଧତାକୁ ପାଥେୟ କରି ଏହାର ପରିସର ଯଥେଷ୍ଟ ବଢ଼ିବାରେ ଲାଗିଛି । ଫାଶୀବାଦର ବହୁ ନାୟକ ଭାରତରେ ଜନ୍ମିତ ହୋଇଥିବାବେଳେ ଦିନକୁ ଦିନ ଫାଶୀବାଦର ପ୍ରସାର ବ୍ୟାପକ ହେବାରେ ଲାଗିଛି । ଅତି ସୁନ୍ଦର ଉପାୟରେ ଏହାକୁ ଭାରତୀୟ ଜନସମାଜରେ ପ୍ରୟୋଗ କରାଯାଉଛି । ଜନମାନସ ବି କୌଣସିଟିର ଅନ୍ତର୍ନିହିତ ଉଦ୍ଦେଶ୍ୟର ସମୀକ୍ଷା ନକରି ଯେକୌଣସି ପ୍ରକାର ମନସ୍ତତ୍ତ୍ୱକୁ ଆପଣାଇ ନେଉଛନ୍ତି ।

ମଣିଷର ମସ୍ତିଷ୍କ ସବୁଠାରୁ ଉନ୍ନତ । ହେଲେ ଅନ୍ୟ ପ୍ରାଣୀ ଯେପରି ନିଜର ସହଜାତ ଗୁଣ ଅନୁସାରେ ଜୀବନ ପ୍ରଣାଳୀ ଆପଣାଇଥାନ୍ତି, ମଣିଷ ସେପରି କରେ ନାହି । ମଣିଷର ମସ୍ତିଷ୍କ ସର୍ବଦା ପରିବର୍ତ୍ତନଶୀଳ । ଏହାର ନୈସର୍ଗିକତା ଅଧିକାଂଶ ସମୟରେ ଅନ୍ୟଦ୍ୱାରା ପ୍ରଭାବିତ । ଏହି କାରଣରୁ କୌଣସି ଶିଶୁକୁ ବାଲ୍ୟକାଳରୁ ଭିନ୍ନ ଦିଗରେ ଅବଧାରିତ କରାଯାଇପାରେ । କୌଣସି ବ୍ୟକ୍ତିକୁ ବି ଅନ୍ୟକୌଣସି ଆଭିମୁଖ୍ୟରେ ବଦଳାଇ ଦିଆଯାଇପାରେ ।

ଫାଶୀବାଦ ଗଣତନ୍ତ୍ରକୁ ହତ୍ୟା କରେ । ମାନବିକ ଅଧିକାରକୁ କ୍ଷୁଣ୍ଣ କରେ । ଧର୍ମ-ଧର୍ମ ମଧ୍ୟରେ ବିଭାଜନକୁ ଅଧିକ ସୁଦୃଢ଼ କରେ । ଗୋଟିଏ ପ୍ରକାର ଧର୍ମୀୟ ଭାବନାକୁ ସମସ୍ତଙ୍କ ଉପରେ ଲଦିଦିଏ । ଏକ ଧର୍ମ-ଏକ ରାଷ୍ଟ୍ର ହିଁ ଏହାର ମୂଳମନ୍ତ୍ର । ବାକ୍ ସ୍ୱାଧୀନତାକୁ ପରାହତ କରିବା, ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା, ଗୋଟିଏ ଦୁଇଟି ରାଜନୈତିକ ଦଳକୁ ଛାଡ଼ି ଅନ୍ୟ ସମସ୍ତ ଦଳକୁ ଧ୍ୱଂସ କରିବା ହେଉଛି ଫାଶୀବାଦର ଆଭିମୁଖ୍ୟ । ଭାରତ ପରି ଏକ ରାଷ୍ଟ୍ରରେ ଏକ ନିର୍ଦ୍ଦିଷ୍ଟ ଧର୍ମର ତଥାକଥିତ ସେନାପତିମାନେ ଯେଉଁପରି ଭାବେ ଫାଶୀବାଦକୁ ସବୁସ୍ତରରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଚଳାଇଛନ୍ତି ତାହା ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର, ସଭ୍ୟତା, ସଂସ୍କୃତିର ମହାନତାକୁ ଧ୍ୱଂସ କରିଦେବ ।

ଗୋଟିଏ ପ୍ରକାର ପୋଷାକ ପିନ୍ଧି ଗୋଟିଏ ଧର୍ମର ତଥାକଥିତ ସୁରକ୍ଷା ଲାଗି ଯେଉଁମାନେ ମଇଦାନକୁ ଓହ୍ଲାଉଛନ୍ତି ସେମାନେ ନିଜ ହାତକୁ ଶାସନ କ୍ଷମତା ଆଣିବା ଲାଗି ନାନାପ୍ରକାର କୌଶଳ ଅବଲମ୍ବନ କରିଥାନ୍ତି । ସାଙ୍ଗଠନିକ ବିସ୍ତାର ଲାଗି ସେମାନେ ନାନା ପ୍ରକାର ଯୋଜନା କରିଥାନ୍ତି । ଅର୍ଥନୈତିକ ସାର୍ବଭୌମତ୍ୱକୁ ପ୍ରାଧାନ୍ୟ ଦେବା ବଦଳରେ ସେମାନେ ଧାର୍ମିକ ସାର୍ବଭୌମତ୍ୱକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ମଣିଷର ସ୍ପର୍ଶକାତର ଭାବନାକୁ ପୁଞ୍ଜି କରି ସେମାନେ ନାନାପ୍ରକାର ଧାର୍ମିକ ବିଭାଜନର ପନ୍ଥା ଆପଣାଇଥାନ୍ତି ।

ଭାରତରେ ସବୁ ପ୍ରକାର ନ୍ୟାୟ ବ୍ୟବସ୍ଥା, ବିଚାର ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା, ସାମ୍ବିଧାନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ମୌଳବାଦ ଶକ୍ତି ଅନ୍ୟ କିଛି ଚିନ୍ତା କରିଥାନ୍ତି । ସେମାନେ ଏସବୁ ପ୍ରତ୍ୟାଖ୍ୟାନ କରି ଏକ ଧାର୍ମିକ ନ୍ୟାୟିକ ବ୍ୟବସ୍ଥା ଗଠନ ଦିଗରେ ଅଭିପ୍ରେତ ଥାଆନ୍ତି ଯାହାକି ଆଫଗାନିସ୍ତାନର ତାଲିବାନ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଆଫଗାନିସ୍ତାନର ମୁସଲିମ ମୌଳବାଦୀ ଓ ଭାରତର ହିନ୍ଦୁ ମୌଳବାଦୀଙ୍କ ମଧ୍ୟରେ କୌଣସି ଫରକ ନାହିଁ । ସେଠାରେ ଯେପରି ଇସଲାମିକ ଶାସନ ନାମରେ ନାନା ପ୍ରକାର ଅବ୍ୟବସ୍ଥା ସୃଷ୍ଟି କରାଯାଇଛି ଭାରତ କ୍ଷେତ୍ରରେ ବି ଠିକ୍ ସେହିପରି ଏକ ପ୍ରକ୍ରିୟା ଜାରି ରହିଛି ।

ଭାରତରେ ଯେଉଁ ଫାଶୀବାଦ ଚାଲିଛି ତାହା ଧାର୍ମିକ ଫାଶୀବାଦ । ହିନ୍ଦୁ ଜାତୀୟତାବାଦ ନାମରେ ଏହି ଫାଶୀବାଦର କାୟା ଦୀର୍ଘ ଦଶନ୍ଧି ଧରି ଜାରି ରହିଛି । ଏହା ଭାରତୀୟ ଗଣତନ୍ତ୍ର ପ୍ରତି ଚାଲେଞ୍ଜ ହୋଇଥିଲେ ବି ଏହା ବିରୋଧରେ ନା ଜନମତ ଜାଗ୍ରତ ହେଉଛି ନା ପ୍ରଗତିଶୀଳ ଶକ୍ତି ଏକ ହେଉଛନ୍ତି । ଧାର୍ମିକ ଫାଶୀବାଦକୁ ଆଧାର କରି ଯେଉଁ ରାଜନୈତିକ ଦଳ ନିଜର କାୟା ବିସ୍ତାର କରୁଛି ତାହା ସମଗ୍ର ବ୍ୟବସ୍ଥାକୁ ଗ୍ରାସ କରିବା ଦିଗରେ ଅଗ୍ରସର । ଲୋକପ୍ରିୟ, ଜାତୀୟତାବାଦୀ, ହିନ୍ଦୁ ସୁରକ୍ଷାବାଦୀ ଆଦି ଅଳଙ୍କାର ଲଗାଇ ଯେଉଁ ରାଜନୀତି ଚାଲିଛି ତାହାର ପ୍ରଭାବ ସବୁଠି ପଡ଼ିସାରିଥିଲେ ବି ତାହାକୁ ହୃଦବୋଧ କରିବା ଦେଖାଯାଉ ନାହିଁ । ଧର୍ମ ପ୍ରବଣତା ଭିତରେ ଯେଉଁ ଫାଶୀବାଦର ମନ୍ତ୍ର ବ୍ୟାପକତା ଲାଭ କରୁଛି ତାହା ଏକ ମୌଳବାଦ ସରକାରକୁ ଗାଦିସୀନ କରିବାକୁ ସକ୍ଷମ ହେବ ।

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତ ଦଳ କୌଣସି ନା କୌଣସି ପ୍ରକାରେ ନିଜର ସ୍ଥିତି ବଜାୟ ରଖିବାକୁ ବ୍ୟଗ୍ର । ଏଥିଲାଗି କେଉଁ ଦଳର ଆଜେଣ୍ଡା କ’ଣ ତାହା ବିଚାର କରିବାକୁ କେହି ନାହାଁନ୍ତି କିମ୍ବା କାହାର ଏହି ମୌଳବାଦୀ ଆଭିମୁଖ୍ୟକୁ ବିରୋଧ କରିବାକୁ କେହି ନାହାଁନ୍ତି । ଏକ ଫାଶୀବାଦୀ ଶକ୍ତି ଗଣତନ୍ତ୍ରର ସମସ୍ତ ପ୍ରତିଷ୍ଠାନକୁ କବଳିତ କରିବା ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ କରାୟତ୍ତ କରିଥାଏ । ଏହି ଭୟଙ୍କର ପ୍ରକ୍ରିୟା ଯୋଗୁ ଗଣତନ୍ତ୍ର ବିଧ୍ୱଂସ ପଥରେ ଗତି କରେ ।

ହିନ୍ଦୁତ୍ୱ ଏକ କଳ୍ପନା । ହିନ୍ଦୁତ୍ୱର ଅର୍ଥ ଜାତୀୟତାବାଦ ନୁହେଁ । ମାତ୍ର ହିନ୍ଦୁତ୍ୱବାଦୀ ଶକ୍ତି ହିନ୍ଦୁତ୍ୱକୁ ଆଧାର କରି ଦେଶରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି ଯାହାକୁ ସେମାନେ ଜାତୀୟତାବାଦର ବିକଳ୍ପ ବୋଲି ଅପପ୍ରଚାର କରୁଛନ୍ତି । ବିଶେଷ କରି ଦକ୍ଷିଣପନ୍ଥୀ ଚିନ୍ତାଧାରା ସମ୍ପନ୍ନ ଶକ୍ତି ଏହି ପ୍ରକ୍ରିୟାକୁ ଆପଣାଇଥାନ୍ତି ।

କୌଣସି ରାଷ୍ଟ୍ରର ସର୍ବୋଚ୍ଚ ଶକ୍ତି ଜାତୀୟତାବାଦ ହେବା ଜରୁରୀ । ଧାର୍ମିକ ଶକ୍ତି ହେବା ଅନୁଚିତ । ଏହା ଯଦି ଘଟେ ତେବେ ଗଣତନ୍ତ୍ର ପ୍ରତି ବିପଦ ଅବଶ୍ୟମ୍ଭାବୀ । ହିଟଲର ଶାସନ କାଳରେ ଯେପରି ଇହୁଦୀମାନଙ୍କୁ ମୂଳପୋଛ କରିବାର ଶପଥ ନିଆଗଲା ସେହି ପ୍ରକ୍ରିୟା ବି ଭାରତରେ ଦେଖାଯାଉଛି । ଭାରତୀୟ ନୀରବଦ୍ରଷ୍ଟା ସାଜିଛନ୍ତି ।

ଫେବ୍ରୁଆରୀ ୨୦୦୨ ଗୋଧ୍ରା ଟ୍ରେନପୋଡ଼ି ଘଟଣା ପଛରେ ଯେ ମୁସଲମାନମାନେ ଥିଲେ, ଏହାର କୌଣସି ପ୍ରମାଣ ନାହିଁ । ଏପରିକି ଟ୍ରେନ ଭିତରେ ଥିବା ଗ୍ୟାସଟାଙ୍କିରୁ ନିଆଁ ଲାଗିଥିବା ନେଇ ଅନେକ ତଥ୍ୟ ରହିଛି । ତଥାପି ଏହାକୁ ଏହା ଏକ ଇସଲାମିକ ମୌଳବାଦ ବୋଲି କୁହାଯାଇ ନରସଂହାର କରାଗଲା ।

ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଦାବି କରିବା ବଦଳରେ ଫାଶୀବାଦୀ ଶକ୍ତି ଏହାକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଲାଗି ବ୍ୟଗ୍ର ହୋଇଛନ୍ତି । ହିନ୍ଦୁ ଏକ ଅବଧାରଣା । ଏକ ମତବାଦ । କାହା ଉପରେ ଏହାକୁ ଲଦିଦେବା ଅନୁଚିତ । ଜଣେ ହିନ୍ଦୁ ହିଁ ଭାରତରେ ରହିବ ବୋଲି ଦାବି କରାଯାଉଛି । ଜଣେ ଭାରତୀୟ ହିଁ ଭାରତରେ ରହିବ ବୋଲି ଦାବି କ୍ରମଶଃ ଦୂରେଇ ଯିବାରେ ଲାଗିଛି ।

ହିନ୍ଦୁତ୍ୱବାଦର ନାୟକ କେ.ବି.ହେଡଗେୱାର, ଏମ.ଏସ. ଗୋଲୱାକର, ଏମ.ଡି. ଦେଓରସ, କେ.ଏସ. ସୁଦର୍ଶନ, ମୋହନ ଭାଗବତ ପ୍ରମୁଖ ସିଧାସଳଖ ହିଟଲର ଆଦର୍ଶରେ ଅନୁପ୍ରାଣୀତ । ସେମାନେ ହିଟଲରଙ୍କ ଇହୁଦୀ ନିର୍ମୂଳ ଅଭିଯାନକୁ ସମର୍ଥନ କରିବା ପରି ଭାରତରେ ଅନ୍ୟ ଧର୍ମକୁ ନିର୍ମୂଳ ଅଭିଯାନରେ ସାମିଲ ଅଛନ୍ତି । କେବଳ ହିନ୍ଦୁ ସୁପରମାସିକୁ ସେମାନେ ପ୍ରାଧାନ୍ୟ ଦେଇଥାନ୍ତି । ଆରଏସ୍ଏସ୍ର କିଛି ନେତା ହିଟଲରଙ୍କୁ ସାକ୍ଷାତ କରିଥିଲେ । ଠିକ୍ ସେହିପରି ୧୯ ମାର୍ଚ୍ଚ ୧୯୩୧ରେ ଆରଏସ୍ଏସ୍ ସହ ସମ୍ପର୍କିତ ଜଣେ ନେତା ବି.ଏସ. ମୁଞ୍ଜେ ଇଟାଲୀ ଶାସକ ତଥା ଫାଶୀବାଦର ଜନକ ବେନିଟୋ ମୁସୋଲିନୀଙ୍କୁ ସାକ୍ଷାତ କରିଥିଲେ । ଆରଏସ୍ଏସ୍କୁ ଇଟାଲୀୟ ଫାଶୀବାଦ ଢାଞ୍ଚାରେ ପ୍ରତିଫଳିତ କରିବା ଥିଲା ତାଙ୍କର ଉଦେ୍ଦଶ୍ୟ । ସେହି ସମୟରେ ଅନେକ ରାଷ୍ଟ୍ରରେ ସମାଜବାଦୀ ଶାସନ ଚାଲିଥିବାବେଳେ ସେହି ସବୁ ରାଷ୍ଟ୍ରକୁ ନଯାଇ ସେ ଏକ ଫାଶୀବାଦୀ ରାଷ୍ଟ୍ରକୁ ଗସ୍ତ କରିବାର ଉଦେ୍ଦଶ୍ୟ ପ୍ରତିପାଦିତ ହୋଇଛି । ଉଭୟ ନାଜି ଓ ଫାଶୀବାଦ ପ୍ରତି ଆରଏସ୍ଏସ୍ ଆଦର୍ଶ ଅନୁପ୍ରାଣୀତ ଯେପରି ହୋଇପାରିବ ସେଥିଲାଗି ପ୍ରଥମରୁ ହିଁ ଚିନ୍ତା କରାଯାଇଥିଲା । ଏଥିଲାଗି ଖୋଦ୍ ଭାରତରେ ଆଇନ କାନୁନ, ସୁରକ୍ଷା ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା ରହିଥିଲେ ବି ଆରଏସ୍ଏସ୍ ନିଜସ୍ୱ ଆଦର୍ଶରେ ଆଉ ଏକ ସମାନ୍ତରାଳ ଗୁଣ୍ଡାଗର୍ଦ୍ଦି ବ୍ୟବସ୍ଥା ଦିଗରେ ଆଗ୍ରହୀ । ସେଥିଲାଗି ସେମାନେ ଠେଙ୍ଗା ଧରିଥାନ୍ତି । କୌଣସି ଏକ ରାଷ୍ଟ୍ରର ଗଣତାନ୍ତ୍ରିକ ଆଦର୍ଶକୁ ଆରଏସ୍ଏସ୍ ଗ୍ରହଣ ନକରି ନିଜର ମୌଳବାଦ ଆଦର୍ଶ କାର୍ଯ୍ୟ କରିବାକୁ ଚାହିଁଥାଏ । ବିଭିନ୍ନ ବିଜେପିଶାସିତ ରାଜ୍ୟରେ ତଥାକଥିତ ଏନକାଉଣ୍ଟର ନାମରେ କେବଳ ମୁସଲମାନମାନଙ୍କୁ ଗୁଳି କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ହିନ୍ଦୁ ଧର୍ମର ଅନେକ ହତ୍ୟାକାରୀ, ମାଫିଆ, ଗ୍ୟାଙ୍ଗଲିଡର ଆଦି ରହିଥିବା ସତ୍ତ୍ୱେ କେବଳ ମୁସଲମାନଙ୍କୁ ଟାର୍ଗେଟ କରାଯିବା ଏହାର ଉଦାହରଣ ।

ବିଭିନ୍ନ ମୁସଲିମ କୀର୍ତ୍ତିରାଜିକୁ ଧ୍ୱଂସ କରିବା, ନାମ ପରିବର୍ତ୍ତନ କରିବା, ଦୂରଦର୍ଶନର ଲୋଗୋକୁ ଗୈରିକ କରିବା ଆଦି ପ୍ରକ୍ରିୟା ଦେଖାଯାଇଛି । ଏହା ଆଗକୁ ଅଧିକ ଭୟଙ୍କର ହେବାର ସୂଚନା ମିଳୁଛି । ହିନ୍ଦୁ ମନ୍ଦିରରେ ଦିନରାତି ଭଜନ କୀର୍ତ୍ତନ କରିବାକୁ ଦିଆଯାଉଥିବାବେଳେ ମସଜିଦ ଗୁଡ଼ିକରେ ପ୍ରାର୍ଥନା ବନ୍ଦ କରିବା ଲାଗି ନିୟମ କରାଯାଉଛି । ଯେଉଁ କେନ୍ଦ୍ରୀୟ ଆଇନ ଅଣାଯାଉଛି ସେଥିରେ ହିନ୍ଦୁତ୍ୱକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ମୁସଲମାନବିରୋଧୀ ଆଭିମୁଖ୍ୟ ରହୁଛି । ନାଗରିକ ସଂଶୋଧନ ଆଇନ ଓ ନାଗରିକଙ୍କ ଜାତୀୟ ପଞ୍ଜିକା ପ୍ରସ୍ତୁତି ଏହାର ଉଦାହରଣ ।

ନାଜିବାଦର ଉଦ୍ଦେଶ୍ୟ ଥିଲା ‘ବିଶୁଦ୍ଧ ଜାତି’ ଅର୍ଥାତ ନାଜିମାନେ ହିଁ ବିଶୁଦ୍ଧ, ଅନ୍ୟମାନେ ଅଶୁଦ୍ଧ । ଠିକ୍ ସେହିପରି ଆରଏସ୍ଏସ୍ ଓ ବିଜେପି ସେହି ନୀତିକୁ ଆପଣାଇଛନ୍ତି । ଦୁର୍ଭାଗ୍ୟର ବିଷୟ ଏହି ଆଦର୍ଶକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ତଥାକଥିତ ସ୍ୱଦେଶୀ ଜେନେଟିକ ଡାଟାବେସ୍ ପ୍ରସ୍ତୁତ କରୁଛି ଯାହାକି ‘ବିଶୁଦ୍ଧ ଭାରତୀୟ’ଙ୍କୁ ଖୋଜିବାରେ ଲାଗିଛି ।

ବର୍ତ୍ତମାନ ସବୁଠି ଗଣମାଧ୍ୟମ ଉପରେ ଅଙ୍କୁଶ । ସରକାରଙ୍କ ସମର୍ଥନ ନଚେତ ବନ୍ଦ । ଅଧିକାଂଶ ରାଜ୍ୟରେ ବି ଏହି ପ୍ରକ୍ରିୟା ଦେଖାଯାଉଛି । ସରକାରୀ ଗଣମାଧ୍ୟମ ସଂସ୍ଥାରେ କେବଳ ଗୋଟିଏ ଆଦର୍ଶର ଖବର, କାର୍ଯ୍ୟକ୍ରମ ପ୍ରସାରିତ କରାଯାଉଛି ।

ଜଣେ ବ୍ୟକ୍ତି ଭାରତୀୟ ହେବା ବଦଳରେ ଜଣେ ଭାରତୀୟ ହିନ୍ଦୁ ହୋଇଥିବା ଜରୁରୀ-ଏହା ହିଁ ବିଜେପି ଓ ଆରଏସ୍ଏ ର ଆଦର୍ଶ ।

ଦେଶରେ ଗୋଟିଏ ରାଜନୈତିକ ଦଳ ରହିବା ସହ ଅନ୍ୟ ସମସ୍ତ ରାଜନୈତିକ ଦଳଙ୍କୁ ଖତମ୍ କରିବା, ଧମକ ଓ ଘୋଡ଼ା ବେପାର ଜରିଆରେ ଗଣତାନ୍ତ୍ରିକ ସରକାରକୁ ଭାଙ୍ଗିବା ବର୍ତ୍ତମାନ ବିଜେପିର ପ୍ରଥମ କାର୍ଯ୍ୟ ହୋଇଛି । ଏହି ପ୍ରକ୍ରିୟା ଆଗକୁ ଅଧିକ ଭୟଙ୍କର ରୂପ ନେବ ।

ନିଜର ମୁସଲିମବିରୋଧୀ ଆଭିମୁଖ୍ୟ ଯୋଗୁଁ ୨୦୦୫ରେ ନରେନ୍ଦ୍ର ମୋଦୀଙ୍କ ପ୍ରବେଶକୁ ନିଷିଦ୍ଧ କରିଥିଲା ଆମେରିକା । ମାତ୍ର ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ସେହି ଆମେରିକା ବିଭିନ୍ନ ବ୍ୟାବସାୟିକ ସ୍ୱାର୍ଥ ଲାଗି ରେଡ କାର୍ପେଟ ସ୍ୱାଗତ ଜଣାଇଥିଲା ।

ଦେଶରେ ଧାର୍ମିକ ଏକଛତ୍ରବାଦ ପ୍ରତିଷ୍ଠା କରିବା, ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିବା, ସାମରିକ ଶାସନ, କେନ୍ଦ୍ରୀଭୂତ ସ୍ୱତନ୍ତ୍ର, ବିରୋଧୀ ଦମନ, ବିଶୁଦ୍ଧ ଜାତି ମତବାଦ, ବ୍ୟକ୍ତିଗତ ଚିନ୍ତା, ଚେତନା, ଭାବନା, ଇଚ୍ଛାକୁ ଦମନ, ଅଧିକାରକୁ ହତ୍ୟା ଆଦି ହେଉଛି ହିନ୍ଦୁବାଦର ମୂଳମନ୍ତ୍ର । ଏହି ମନ୍ତ୍ର ଏବେ ସାରା ଦେଶକୁ ଗ୍ରାସ କରିବାରେ ଲାଗିଛି ।

ଗତ ୬ ଏପ୍ରିଲ ୨୦୨୪ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଆତଙ୍କୀକୁ ଦମନ କରିବା ଲାଗି ଭାରତ ପାକିସ୍ତାନ ଭିତରେ ପ୍ରବେଶ କରିପାରେ । ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ କି ଭୟଙ୍କର! ଏହାରି ମୂଳରେ ଏକ ନିର୍ଦ୍ଦିଷ୍ଟ ଧର୍ମର ରାଷ୍ଟ୍ରକୁ ସେ ଟାର୍ଗେଟ କରୁନାହାନ୍ତି କି? ସେ ଜାଣିବା ଦରକାର ଯେ, ଭାରତରେ ବି ଅନେକ ହିନ୍ଦୁ ଆତଙ୍କବାଦୀ ରହିଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ।

ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଆଲୋଚନା ହେଉଛି । ମାତ୍ର ଇସ୍ରାଏଲର ସାମରିକ ବ୍ୟବସ୍ଥା ଏତେ ଅଲଗା ଯେ, ତାହାର ମଡେଲ ଅନ୍ୟ କୌଣସି ରାଷ୍ଟ୍ରରେ ଦେଖିବାକୁ ମିଳେନାହିଁ । ପ୍ରତି ନାଗରିକ ପ୍ରତିରକ୍ଷା ବିଭାଗରେ ସାମିଲ ହେବା ନିହାତି ଜରୁରୀ । ଠିକ୍ ସେହିପରି ଭାରତରେ ବି ହିନ୍ଦୁତ୍ୱବାଦୀ ଶକ୍ତି ଏହି କାର୍ଯ୍ୟ କରିବାକୁ ଉଦ୍ୟତ । କେବଳ ଏତିକି ନୁହେଁ, ପ୍ରତି ନାଗରିକଙ୍କୁ ଆରଏସଏସ ସଦସ୍ୟ ହେବାକୁ ବାଧ୍ୟ କରାଯାଇପାରେ । ବର୍ତ୍ତମାନ ଚାଲିଥିବା ସରସ୍ୱତୀ ଶିଶୁ ମନ୍ଦିର ଢାଞ୍ଚାରେ ସମସ୍ତ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ । ସ୍କୁଲ, କଲେଜ ଶିକ୍ଷାରେ ଗୈରିକୀକରଣକୁ ବାଧ୍ୟତାମୂଳକ କରାଯିବ । ଜଣେ ଭାରତୀୟ ହେବାକୁ ହେଲେ ଭାରତୀୟତାର ମୂଳମନ୍ତ୍ର ହିନ୍ଦୁତ୍ୱକୁ ଗ୍ରହଣ କରିବାକୁ କରାଯିବ ବାଧ୍ୟତାମୂଳକ । ଉତ୍ତର ପ୍ରଦେଶରେ ଯେପରି ମଦ୍ରାସାଗୁଡ଼ିକ ଉପରେ ରୋକ୍ ଲଗାଯାଉଛି, କେବଳ ମୁସଲିମମାନଙ୍କୁ ଗ୍ୟାଙ୍ଗଷ୍ଟର କହି ହତ୍ୟା କରାଯାଉଛି ଠିକ୍ ସେହି ପ୍ରକ୍ରିୟା ସାରା ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବ । ଧର୍ମ ନିରପେକ୍ଷ ଶକ୍ତି, ପ୍ରଗତିଶୀଳ ଶକ୍ତି ଯେତେବେଳେ ନିରପେକ୍ଷ, ଚୁପ୍ ରହନ୍ତି ସେତେବେଳେ ହିଁ ଫାଶିଷ୍ଟ ଶକ୍ତିର ଉତ୍ଥାନ ହୋଇଥାଏ- ଯାହା ଭାରତରେ ଦେଖାଯାଉଛି ।

ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଇଟାଲୀରେ ଫାଶୀବାଦର ଉଦ୍ଭବ ହୋଇଥିଲା । ଦୁର୍ବଳ ଗଣତନ୍ତ୍ର, ବିଭାଜିତ ସମାଜ, ପ୍ରଗତିଶୀଳ ଗୋଷ୍ଠୀର ନୀରବତା, ସାମାଜିକ ପତନ ଆଦି ଅବସ୍ଥାରେ ଏକ ଭିନ୍ନ ଜାତୀୟତାବାଦର ଡାକରା ଦେଇଥିଲେ ବେନିଟୋ ମୁସୋଲିନୀ । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଫାଶୀବାଦ ରୂପେ ଜନ୍ମଗ୍ରହଣ କରିଥିଲା । ଠିକ୍ ସେହିପରି ଭାରତରେ ବି ହିନ୍ଦୁତ୍ୱବାଦୀ ଗୋଷ୍ଠୀ ଭିନ୍ନ ଜାତୀୟତାବାଦର ଆହ୍ୱାନ ଦେଉଛନ୍ତି ଯାହାକୁ ହିନ୍ଦୁତ୍ୱ ଫାଶୀବାଦ କହିଲେ ଭୁଲ୍ ହେବ ନାହିଁ ।

ଉଭୟ ନାଜିବାଦ ଓ ଫାଶୀବାଦରେ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ନିର୍ଦ୍ଦିଷ୍ଟ ଏକ ଧର୍ମର ଲୋକଙ୍କୁ ନିର୍ମୂଳ କରିବା ଲାଗି ଲକ୍ଷ୍ୟ ରହିଥିଲା । ଠିକ୍ ସେହିପରି ଭାରତରେ ବି ଏହି ପ୍ରକି୍ରୟା ଦେଖାଦେବାରେ ଲାଗିଛି । ବଳପୂର୍ବକ ବନ୍ଧ୍ୟାକରଣ, ନିର୍ଦ୍ଦିଷ୍ଟ ଧର୍ମର ବସ୍ତି ଉଚ୍ଛେଦ, ସମ୍ବିଧାନ ସଂଶୋଧନ ଆଦି ପ୍ରକ୍ରିୟା ସାଧାରଣ ହୋଇଥାଏ ।

୧୯୧୯ରେ ବେନିଟୋ ମୁସୋଲିନୀ ଇଟାଲିଆନ ଫାସେସ୍ ଅଫ୍ କମ୍ବାଟ ଗଠନ କରିଥିଲେ ଯାହାକି ଦୁଇବର୍ଷରେ ନ୍ୟାସନାଲିଷ୍ଟ ଫାଶିଷ୍ଟ ପାର୍ଟି ଭାବେ ପ୍ରତିଷ୍ଠିତ ହୋଇଥିଲା । ଫାଶିଷ୍ଟ ଶବ୍ଦର ଅର୍ଥ ହେଉଛି- ଏକଛତ୍ରବାଦ ନେତା, କେନ୍ଦ୍ରୀଭୂତ ଏକଛତ୍ର ଶାସନ, ସାମରିକବାଦ, କମ୍ୟୁନିଷ୍ଟ ଶାସନକୁ ଦମନ, ବଳପୂର୍ବକ ଦମନ, ଏକ ପ୍ରାକୃତିକ ସାମାଜିକ ବ୍ୟବସ୍ଥା ଉପରେ ବିଶ୍ୱାସ, ବ୍ୟକ୍ତିଗତ ଇଚ୍ଛାକୁ ଦମନ ।

ଶାରୀରିକ ବଳ ଅପେକ୍ଷା ବୌଦ୍ଧିକ ବଳ ଅଧିକ ଶକ୍ତିଶାଳୀ । ଉଭୟ ନାଜିବାଦ ଓ ଫାଶୀବାଦରେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିଲା । ଠିକ୍ ସେହିପରି ହିନ୍ଦୁତ୍ୱ ଶକ୍ତିକୁ ବୌଦ୍ଧିକ ସ୍ତରରେ ଯଥେଷ୍ଟ ଶକ୍ତିଶାଳୀ କରାଯାଉଛି ଏବଂ ପିଲାମାନଙ୍କୁ ସେମାନଙ୍କ ଅଗୋଚରରେ ଫାଶିଷ୍ଟ ମନୋବୃତ୍ତି ଆଡ଼କୁ ଅବଧାରିତ କରିଦିଆଯାଉଛି ।

୨୦୨୪ ଲୋକସଭା ନିର୍ବାଚନ ପ୍ରଚାରବେଳେ ହାଇଦ୍ରାବାଦର ବିଜେପି ପ୍ରାର୍ଥୀ ମାଧବୀଲତା ଏକ ରାଲିରେ ନିଜେ ଏକ ମସଜିଦ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ତୀରଚାଳନାର ଭଙ୍ଗୀ ପ୍ରଦର୍ଶନ କରିଥିଲେ । କେବଳ ସେ ନୁହଁନ୍ତି, ବିଜେପିର ଅନେକ ପ୍ରାର୍ଥୀ ଏଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି ଯାହାକି ଗଣତନ୍ତ୍ର ଲାଗି ଅତି ଭୟଙ୍କର ।

ହିଟଲର ଜର୍ମାନୀର ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ଯେଉଁଥିରେ ସେ ଗୋଟିଏ ଜାତିର ସୁପରମାସି ରହିବ, ଅନ୍ୟ କୌଣସି ଜାତି, ବର୍ଣ୍ଣ, ଧର୍ମର ସ୍ଥିତି ରହିବ ନାହିଁ, ବ୍ୟକ୍ତିଗତ ସ୍ୱାଧୀନତା ବୋଲି କିଛି ନଥିବ, ତଥାକଥିତ ରାଷ୍ଟ୍ରନୀତିକୁ ସମସ୍ତେ ମାନିବାକୁ ବାଧ୍ୟ ଇତ୍ୟାଦି । ଭାରତରେ ବି ଏପରି ସବୁ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି ।

ଭାରତ ପରି ଏକ ରାଷ୍ଟ୍ରରେ ଯେ କୌଣସି ମତବାଦର ବିକାଶ ସମ୍ଭବ । ଭାରତୀୟମାନଙ୍କ ଚରିତ୍ର ବିଶ୍ୱର ଅନ୍ୟ ସମସ୍ତ ଦେଶର ନାଗରିକଙ୍କ ଚରିତ୍ରଠାରୁ ଭିନ୍ନ । ଭାରତୀୟଙ୍କ ପରି ଅନ୍ଧବିଶ୍ୱାସୀ, ଧର୍ମୀୟ ମତବାଦୀ, ଅନୁଗାମୀପ୍ରବଣତା ଅନ୍ୟ କୌଣସି ଦେଶରେ ଦେଖାଯାନ୍ତି ନାହିଁ । ସେଥିଲାଗି ବିଶ୍ୱର ସବୁଠାରୁ ବେଶୀ ଧର୍ମୀୟ ସଂଘାତ ଭାରତରେ ହିଁ ଦେଖାଯାଇଥାଏ । ନିର୍ବାଚନରେ ଆର୍ଥିକ ପ୍ରଗତି ବଦଳରେ ଧର୍ମୀୟ ପ୍ରସଙ୍ଗକୁ ମୁଦ୍ଦା କରାଯାଏ ।

ଭାରତୀୟ ରାଜନୈତିକ ଦଳମାନେ ଆଜି ଯେଉଁ ପଦକ୍ଷେପ ନେଉଛନ୍ତି ୧୯୨୦ ବେଳକୁ ବେନିଟୋ ମୁସୋଲିନୀ ସେହି କାମ କରୁଥିଲେ । ଅର୍ଥାତ ଏକଛତ୍ରବାଦୀ ରାଷ୍ଟ୍ରନୀତି, ଫାଶୀବାଦୀ ଆଭିମୁଖ୍ୟ ସେହିକାଳର ଓ ବର୍ତ୍ତମାନର ପ୍ରାୟ ସମାନ ରହିଛି ।

ପ୍ରଗତିଶୀଳ ଶକ୍ତିଙ୍କ ଦମନ, ବିକାଶ ଆଭିମୁଖ୍ୟ ନେଇ ସଂଗ୍ରାମ କରୁଥିବା ବୁଦ୍ଧିଜୀବୀ, ଗୋଷ୍ଠୀ, ରାଜନୈତିକ ଦଳକୁ କୌଣସିମତେ ନିଷ୍କ୍ରିୟ କରିବା ଲାଗି ଫାଶୀବାଦୀ ଶକ୍ତି ଯେଉଁ ପଦକ୍ଷେପ ନିଏ ତାହାକୁ ଭାରତର ଅଧିକାଂଶ କ୍ଷମତାଶୀଳ ବର୍ଗ, ବ୍ୟବସାୟୀ ଗୋଷ୍ଠୀ, ଜମିଦାରବର୍ଗ ସମର୍ଥନ କରିଥାନ୍ତି । ହିନ୍ଦୁତ୍ୱ ଗୋଷ୍ଠୀ ଏହା କରୁଥିବାରୁ ଏହି ଗୋଷ୍ଠୀ ପ୍ରତି ପାଣ୍ଠିର ଅଭାବ କିମ୍ବା ମାନବ ଶକ୍ତିର ଅଭାବ ରହୁନାହିଁ । ସାମ୍ପ୍ରଦାୟିକ ଭାବନାଭିତ୍ତିକ ଫାଶୀବାଦୀ ଶକ୍ତିର ଚାଲ୍ କେବେ ବି ଶ୍ରମ ସଂସ୍କୃତିଭିତ୍ତିକ ନୁହେଁ । କେବଳ ମାନସିକ ବିଭ୍ରାନ୍ତିକୁ ଶୋଷଣ କରି ଧାର୍ମିକ ଧ୍ୱଜା ଉଡ଼ାଇବାର ପ୍ରବଣତା ଦେଖାଯାଇଥାଏ ।

ଭାରତରେ ପ୍ରଗତିଶୀଳ ରାଜନୈତିକ ଦଳ, ସାହିତ୍ୟିକ ଗୋଷ୍ଠୀ, ଜନଚେତନା ସୃଷ୍ଟିକାରୀ ବୁଦ୍ଧିଜୀବୀ ନାହାନ୍ତି । ଜନଗଣଙ୍କ ସ୍ୱର ପ୍ରତିଫଳିତ କରିବାର ସାମର୍ଥ୍ୟବିଶିଷ୍ଟ ଗଣମାଧ୍ୟମ ନାହିଁ । ଆଗ ପରି ବର୍ତ୍ତମାନ ରାଷ୍ଟ୍ରଭିତ୍ତିକ ଆନ୍ଦୋଳନ ନାହିଁ । କେବଳ ସ୍ୱାର୍ଥଭିତ୍ତିକ ଆନ୍ଦୋଳନ କିଛି ଗୋଷ୍ଠୀର ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବାରେ ଉଦ୍ଦିଷ୍ଟ । କମ୍ୟୁନିଷ୍ଟ ଦଳମାନେ ଏତେ ବିଭାଜିତ ଏବଂ ଏତେ ଦୁର୍ବଳ ଯେ, କୌଣସି ନକାରାତ୍ମକ ଶକ୍ତିର ମୁକାବିଲା କ୍ଷେତ୍ରରେ ସେମାନେ ଅକ୍ଷମ । କୌଣସି ପ୍ରକାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ସ୍ଥିତି ଜାହିର କରିବା ସେମାନଙ୍କ ଏକମାତ୍ର କାର୍ଯ୍ୟ ହୋଇଛି ।

ଏସବୁକୁ ଦୃଷ୍ଟିରେ ରଖି ଜର୍ଜ ଅରୱେଲ ୧୯୪୪ରେ କହିଥିଲେ- ରାଜନୀତିକୁ ଅବମୂଲ୍ୟାୟନ କରିବା ହିଁ ଫାଶୀବାଦର ମୁଖ୍ୟ ଉଦ୍ଦେଶ୍ୟ । ବାସ୍ତବରେ ରାଜନୀତି ନାମରେ ଧାର୍ମିକ ମତବାଦକୁ ବଳଶାଳୀ କରିବା, ମଣିଷ-ମଣିଷ ମଧ୍ୟରେ ବିଭାଜନକୁ ଧାର୍ମିକ ଭିତ୍ତିରେ କରିବା ହେଉଛି ଫାଶିଷ୍ଟ ଶକ୍ତିଙ୍କ ମୁଖ୍ୟ କାମନା ।

ହିଟଲର ଯେଉଁ ଜାତିଗତ ବିଶୁଦ୍ଧତାକୁ ଗୁରୁତ୍ୱ ଦେଉଥିଲେ ତାହାର ମୂଳମନ୍ତ୍ର ସେ ପ୍ରାଚୀନ ଗ୍ରୀକ୍ ସଭ୍ୟତାଠାରୁ ପାଇଥିଲେ । ପ୍ରାଚୀନ ଗ୍ରୀସର ସ୍ପାର୍ଟାରେ ଲିକୁର୍ଗସଙ୍କ ଶାସନରେ ସାମରିକ ପ୍ରଭୁତ୍ୱ ଓ ଜାତିଗତ ବିଶୁଦ୍ଧତାକୁ ଗୁରୁତ୍ୱ ଦିଆଯାଥିଲା । ଏହି ନୀତିରେ ହିଟଲର ଅନୁପ୍ରାଣୀତ ହୋଇଥିଲେ । ଏହି ନୀତିସ୍ରୋତକୁ ଆଣି ଭାରତରେ କାର୍ଯ୍ୟକାରୀ କରିଥିଲେ ହେଡଗେୱାର, ଗୋଲୱାକର ପ୍ରମୁଖ । ୧୯୩୦ ଦଶକରେ ବି ୟୁନିଭର୍ସାଲ ନିଗ୍ରୋ ଇମ୍ପୁ୍ରଭମେଣ୍ଟ ଆସୋସିଏସନର ନେତା ମାର୍କସ ଗାର୍ଭେ ସମାନ ଧରଣର ନୀତିରେ ସଂଗଠନ କରିଥିଲେ ।

ଫାଶୀବାଦ ଓ ନାଜିବାଦ କଦାପି ମଣିଷର ବିଶ୍ୱ ପରିଚୟକୁ ସ୍ୱୀକୃତି ଦିଏ ନାହିଁ । ବରଂ କୌଣସି ଏକ ଧର୍ମର ପ୍ରଭୁତ୍ୱକୁ ଗୁରୁତ୍ୱ ଦେଇଥାଏ । ସେହି ଧର୍ମର ଧର୍ମାବଲମ୍ବୀମାନଙ୍କୁ ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିବା ଲାଗି ଚେଷ୍ଟିତ ଥାଏ ।

ମହାନ ବିବର୍ତ୍ତନ ବିଜ୍ଞାନୀ ଚାର୍ଲସ ଡାରଉଇନଙ୍କ ବିବର୍ତ୍ତନବାଦକୁ ସାରା ବିଶ୍ୱ ଗ୍ରହଣ କରୁଛି । ମାତ୍ର ମୌଳବାଦୀ,ଫାସିସ୍ଟ ଶକ୍ତି, ନାଜିବାଦୀ ଶକ୍ତି ଏହାକୁ ମାନନ୍ତି ନାହିଁ । ସେମାନେ କୌଣସି ଜାତିର ଶ୍ରେଷ୍ଠତ୍ୱକୁ ହିଁ ଶ୍ର୍ରେୟ ଦିଅନ୍ତି । ସାରା ମଣିଷ ସମାଜକୁ ସେମାନେ ଏକ ବୋଲି ବିବେଚନା କରନ୍ତି ନାହିଁ । ମଣିଷ ରକ୍ତକୁ ସେମାନେ ଭାଗ ଭାଗ କରନ୍ତି । ଏହି କାରଣରୁ ତ ଅତୀତରେ କ୍ରୁଜେଡ, ୨୦୦୨ରେ ଗୋଧ୍ରା ଦଙ୍ଗା ପରି ଭୟଙ୍କର ଘଟଣାମାନ ଘଟିଆସିଛି ।

ଏହି ଶକ୍ତିମାନଙ୍କର କୌଣସି ଅର୍ଥନୈତିକ ପ୍ରଗତି, ସାମାଜିକ ପ୍ରଗତି, ଜାତୀୟ ପ୍ରଗତି ସଂକ୍ରାନ୍ତ ସ୍ୱତନ୍ତ୍ର ମଡେଲ ନାହିଁ । କେବଳ ଧାର୍ମିକ ଶୀର୍ଷତ୍ୱ ହିଁ ସବୁକିଛି ବୋଲି ସେମାନେ ବିଚାର କରନ୍ତି । ନିଜର ବୌଦ୍ଧିକତାକୁ ସ୍ୱାଧୀନ ରଖିବା ବଦଳରେ ସେମାନେ ତାହାକୁ ଧର୍ମୀୟ ମାନସିକତା ମଧ୍ୟରେ ବନ୍ଦୀ କରିରଖିଥାନ୍ତି । ସେମାନେ ନିପୀଡ଼ିତ ଜନଗଣଙ୍କ ଉତଥାନ ବଦଳରେ ଧାର୍ମିକ ଜାଗରଣକୁ ପ୍ରାଧାନ୍ୟ ଦେଇଥାନ୍ତି ।

ଭାରତରେ ହିନ୍ଦୁତ୍ୱବାଦୀ ଶକ୍ତିର କାର୍ଯ୍ୟକଳାପ ଅନେକ ସମୟରେ ଧର୍ମବିରୋଧୀ ହୋଇଥାଏ । ଭାରତରେ ମହାତ୍ମା ଗାନ୍ଧୀ ହତ୍ୟା, ଜରୁରୀକାଳୀନ ପରିସ୍ଥିତି ସମେତ କେତେକ ଘଟଣାରେ ହିନ୍ଦୁତ୍ୱବାଦୀ ସଂଗଠନକୁ ନିଷିଦ୍ଧ କରାଯାଇଥିଲା । ଭାରତରେ ଦେଖାଯାଏ ଏହି ଶକ୍ତି କିଛି ହିନ୍ଦୁ ଉତ୍ସବରେ ମୁଣ୍ଡ ଟେକନ୍ତି । ନାନା ପ୍ରକାର ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ସ୍ଲୋଗାନ ଦେଇଥାନ୍ତି । ମାତ୍ର ଏହି ସଂଗଠନ କେବେ ବି କୃଷକ ଉତ୍ଥାନ, ଶ୍ରମକ ବିକାଶ ଆଦି ଆନ୍ଦୋଳନରେ ସାମିଲ ହୋଇ ନଥାନ୍ତି । ସେମାନେ ଧାର୍ମିକ ମତବାଦକୁ ବଳଶାଳୀ କରିବା ଲାଗି ବିଭିନ୍ନ ଆଦର୍ଶଗତ କାର୍ଯ୍ୟକଳାପରେ ଲିପ୍ତ ଥାଆନ୍ତି ଯାହାକୁ ଜର୍ମାନୀ ଓ ଇଟାଲୀରେ ଦେଖାଯାଇଥିଲା ।

ପ୍ରଥମ ବିଶ୍ୱଯୁଦ୍ଧରେ ଫ୍ରାନ୍ସ, ବି୍ରଟେନ, ରୁଷିଆ, ଆମେରିକା ଓ ଜାପାନ ଗୋଟିଏ ପଟେ ରହିଥିବାବେଳେ ଅନ୍ୟ ପଟେ ରହିଥିଲେ ଜର୍ମାନୀ, ଅଷ୍ଟ୍ରିଆ -ହଙ୍ଗେରୀ, ଅଟୋମାନ ଓ ବୁଲଗେରିଆ । ତେବେ ଅଷ୍ଟ୍ରିଆ-ହଙ୍ଗେରୀ କବଳୁ ନିଜ ମାଟିକୁ ମୁକ୍ତ କରିବା ଲାଗି ବେନିଟୋ ମୁସୋଲିନୀ ଯେଉଁ ଆହ୍ୱାନ ଦେଇଥିଲେ ତାହା ଯଦିଓ ଜାତୀୟତାବାଦୀ ରୂପେ ପରିଗଣିତ ହୋଇଥିଲା ମାତ୍ର ତାହାରି ଭିତରେ ରହିଥିବା ଫାଶୀବାଦର ମୂଳମନ୍ତ୍ର ।

ଠିକ୍ ସେପରି ଭାରତରେ ଯେଉଁମାନେ ଜାତୀୟତାବାଦ କଥା କହୁଛନ୍ତି ସେମାନଙ୍କ ଉଦେ୍ଦଶ୍ୟ ଭିନ୍ନ ଏବଂ ଫାଶୀବାଦୀ ଢାଞ୍ଚାରେ ସେମାନେ ଧାର୍ମିକ ମହତ୍ତ୍ୱକୁ ଶୀର୍ଷ ସ୍ଥାନରେ ବସାଇବା ସହ ଭାରତୀୟ ସମାଜକୁ ବିଭାଜିତ କରିବା ଦିଗରେ ଉଦ୍ୟମ କରିଥାନ୍ତି ।

ପ୍ରାୟ ଏକ ସମୟରେ ତିନିଟି ଦେଶରେ ତିନି ପ୍ରକାର ଘଟଣା ଘଟୁଥିଲା । ଜର୍ମାନୀରେ ନାଜିବାଦ, ଇଟାଲୀରେ ଫାଶୀବାଦ ଓ ସୋଭିଏତ ରୁଷିଆରେ ସମାଜବାଦ ଜାରି ରହିଥିଲା । ହେଲେ ଭାରତୀୟ ହିନ୍ଦୁନେତାମାନେ ସମାଜବାଦ ପ୍ରତି ଆଗ୍ରହ ପ୍ରକାଶ କରିବା ବଦଳରେ ନାଜିବାଦ ଓ ଫାଶୀବାଦ ଆଡ଼କୁ ଆଗ୍ରହୀ ହୋଇଥିଲେ । ଏହାର କାରଣ ଥିଲା ସେତେବେଳର ଧାର୍ମିକ ରକ୍ଷଣଶୀଳ ଗୋଷ୍ଠୀ, ସାହୁକାର, ବ୍ରିଟିଶ ସପକ୍ଷବାଦୀ ଗୋଷ୍ଠୀ ଲାଗି ଆରଏସ୍ଏସ୍ ଏକ ସହାୟକ ଶକ୍ତି ଥିଲା । ସେଥିପାଇଁ ତ ଆଣ୍ଡାମାନ ସେଲୁଲାର ଜେଲରେ ବନ୍ଦୀ ଥିବା ନକଲି ଦେଶପ୍ରେମୀ ବିନୟ ଦାମୋଦର ସଭରକରଙ୍କୁ ମୁକ୍ତି ଦିଆଯାଇଥିଲା ।

କୌଣସି ପ୍ରକାର ଆହ୍ୱାନକୁ ସହଜରେ ଗ୍ରହଣ କରିବା ମଣିଷର ଏକ ଚରିତ୍ର । ସେଥିଲାଗି ତ ବିଶ୍ୱର ଅନେକ ସଂଗ୍ରାମ, ବିପ୍ଳବ ଘଟିଥିଲେ ବି ମଣିଷର ଚରିତ୍ର ଲାଗି ତାହା ବିଫଳ ହୋଇଯାଇଥାଏ । ଭାରତରେ ହିନ୍ଦୁତ୍ୱବାଦୀ ଆହ୍ୱାନକୁ କେହି ସହଜରେ ବିଶ୍ଲେଷଣ କରନ୍ତି ନାହିଁ । ତଥାକଥିତ ଧର୍ମୀୟ ପରମ୍ପରାରେ ଭାସିଯିବା ଲାଗି ସମସ୍ତେ ଚେଷ୍ଟା କରନ୍ତି । ଏକ ମନ୍ଦିରରେ ଉତ୍ସବ ହେଲେ ଯେପରି ସମସ୍ତେ ସେଥିରେ ନିଜକୁ ସାମିଲ କରିଦିଅନ୍ତି ଠିକ୍ ସେପରି ହିନ୍ଦୁତ୍ୱବାଦୀ ଶକ୍ତିଙ୍କ ଉଦ୍ୟମକୁ ଅପର୍ଯ୍ୟାପ୍ତ ସହଯୋଗ ମିଳିଥାଏ ଏବଂ ସେମାନଙ୍କ ସଦସ୍ୟ ସଂଖ୍ୟା ବଢ଼ିଥାନ୍ତି । ଦେଶକୁ ଏକ ବଡ଼ ବିପଦ ଆଡ଼କୁ ଯେ ନିଆଯାଉଛି ଏହାକୁ ସେମାନେ ଧରିପାରନ୍ତି ନାହିଁ ।

Comments

0 comments

Share This Article