୧୯ ଜୁନ ୧୯୫୯। ଦୀଲ୍ଳୀଠାରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସାମ୍ବାଦିକ ସମ୍ମିଳନୀ । ଜଣେ ସାମ୍ବାଦିକ ଜାଣିବାକୁ ଚାହିଁଲେ ମୁନ୍ଧ୍ରା – ଜୀବନ ବୀମା କାଣ୍ଡ ଉପରେ ହୋଇଥିବା ତଦନ୍ତର ନିଷ୍କର୍ଷ ଉପରେ ନେହରୁଙ୍କ ମନ୍ତବ୍ୟ । ନେହରୁ କହିଥିଲେ୧(ପୃ ୧୯୫) “ଯଦି ତୁମେ ବିଶ୍ୱାସ କର ଯେ ମୁନ୍ଧ୍ରା ଠାରୁ ଅଢେଇ ଲକ୍ଷ ଟଙ୍କା ପାଇ ଏହି ଚୁକ୍ତି ହୋଇଛି, ତାହାହେଲେ ଯିଏ ଏପରି ଧାରଣା ଦେଉଛନ୍ତି ତାଙ୍କଠାରେ ବୁଦ୍ଧିର ଅଭାବ ରହିଛି, ସେ ପଛକେ ହାଇକୋର୍ଟ ବିଚାରପତି ହୁଅନ୍ତୁ ।” ନେହରୁଙ୍କର ଏପରି ମନ୍ତବ୍ୟ ସମ୍ବାଦ ପତ୍ରରେ ଏକ ଚର୍ଚ୍ଚିତ ବିଷୟ ହୋଇଗଲା । କଲିକତା ଉଚ୍ଚନ୍ୟାୟାଳୟର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରୁଥିବା ସାପ୍ତାହିକ ପ୍ରକାଶନ The Calcutta Weekly Notes ଲେଖିଲେ ନେହରୁଙ୍କର ଏପରି ମନ୍ତବ୍ୟ ‘ସାରା ଦେଶରେ ନ୍ୟାୟପାଳିକାର ପ୍ରତିଷ୍ଠା ଓ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରିଛି ।’ କଲିକତା ଓକିଲ ସଂଘ ନେହରୁଙ୍କର ଏପରି ମନ୍ତବ୍ୟକୁ ନିନ୍ଦା କରି ଏକ ପ୍ରସ୍ତାବ ଗ୍ରହଣ କଲା ଯେଉଁଠାରେ କୁହାଗଲା୧(ପୃ ୧୯୬), “କଲିକତା ଓକିଲ ସଂଘର ଏହି ସଭା ତୀବ୍ରଭାବରେ ନାପସନ୍ଦ କରେ ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଭିଭିଆନ ବୋଷଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେହରୁଙ୍କର ଅପମାନଜନକ ମନ୍ତବ୍ୟକୁ । ଏହି ସଭାର ଦୃଢ ମତ ଯେ ଜଣେ ପ୍ରତିଷ୍ଠିତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ତଦନ୍ତ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପରି ମନ୍ତବ୍ୟ ସାର୍ବଜନିକ ଜୀବନରେ ଅସାଧୁତାକୁ ପ୍ରୋତ୍ସାହିତ କରିବ ଏବଂ ଏହାକୁ କୈାଣସି ସର୍ତ ବିନା ନିନ୍ଦା କରାଯିବା ଉଚିତ ।”
ମୁନ୍ଧ୍ରା – ଜୀବନ ବୀମା କାଣ୍ଡ କଣ?
ଶିଳ୍ପପତି ହରିଦାସ ମୁନ୍ଧ୍ରାଙ୍କ ବ୍ୟବସାୟରେ ଜୀବନ ବୀମା କର୍ପୋରେସନ, ୧୯୫୭ ମସିହାରେ ୧.୨୬ କୋଟି ଟଙ୍କା ନିବେଶ କରିଥିଲା । ସେ ପର୍ଯ୍ୟନ୍ତ ଜୀବନ ବୀମା କର୍ପୋରେସନ ଏତେ ବଡ ଆକାରର କାରବାର କରି ନ ଥିଲା । ଏହି ନିବେଶ ହୋଇଥିଲା ମୁନ୍ଧ୍ରା ବ୍ୟବସାୟର ଅଂଶଧନ କିଣାଯାଇ । କିନ୍ତୁ ଏହାକୁ ଖୋଲା ବଜାରରେ କିଣାଯାଇ ନ ଥିଲା, ଘରୋଇ କାରବାରରେ କିଣା ଯାଇଥିଲା । ଏବଂ ବଜାର ମୂଲ୍ୟଠାରୁ ବେଶୀ ଦରରେ କିଣାଯାଇଥିଲା୧(ପୃ ୧୯୪-୫) । ଏଥିରେ ଦୁର୍ନୀତିର ଅଭିଯୋଗ ହୋଇଥିଲା ଓ ସମୁଦାୟ କାରବାରର ତଦନ୍ତ ପାଇଁ ଦାବି ହୋଇଥିଲା । ୧୬ ଡିସେମ୍ବର ୧୯୫୭ ଦିନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧୀ ଲୋକସଭାରେ ଏହି ଦାବି କରିଥିଲେ୨(ପୃ ୨୭୯-୮୪) । ମୁନ୍ଧ୍ରାଙ୍କର ଘରୋଇ କମ୍ପାନୀରେ ଭାରତ ସରକାରଙ୍କର ରାଷ୍ଟ୍ରାୟତ୍ତ ସଂସ୍ଥାର ପୁଂଜି ନିବେଶ ହେବା ଫିରୋଜଙ୍କ ପାଇଁ ଗ୍ରହଣୀୟ ହେଉ ନଥିଲା । ସେ ତାଙ୍କର ଅଭିଭାଷଣରେ କହିଥିଲେ୨(ପୃ ୨୮୪) , “ମୁଁ ରାଷ୍ଟ୍ରାୟତ୍ତ ସଂସ୍ଥାର ସମର୍ଥକ । ଜୀବନ ବୀମାର ଜାତୀୟକରଣକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମୁଁ ଜଣେ ଥିଲି । ମୁଁ ଲଜ୍ଜିତ ନୁହେଁ କୈାଣସି ତଦନ୍ତର ସାମନା କରିବାକୁ । ମୁଁ ଚାହେଁ ଲୋକେ ଜାଣନ୍ତୁ, ମୁଁ ଚାହେଁ ସରକାର ଜାଣନ୍ତୁ ଏବଂ ମୁଁ ଚାହେଁ ସଂସଦର ସଭ୍ୟମାନେ ଜାଣନ୍ତୁ ଯେ ରାଷ୍ଟ୍ରାୟତ୍ତ ସଂସ୍ଥାରେ ଯଦି ଏପରି ଘଟେ, ଆମେ ପ୍ରସ୍ତୁତ ତଦନ୍ତ ସାମନା କରିବାକୁ ଓ ଏହାର ଗଭୀରତାକୁ ଯିବାକୁ । ” ଏକ ଗୃହ କମିଟି ଦ୍ୱାରା ଏହି ତଦନ୍ତ ହେଉ ବୋଲି ଫିରୋଜ ଦାବି କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ୨(ପୃ ୨୮୪), “ମୁଁ ପସନ୍ଦ କରିବି ଏକ ଗୃହ କମିଟି । ମୁଁ ନ୍ୟାୟିକ ଶବ୍ଦ ଦ୍ୱାରା ବେଶୀ ସମ୍ମୋହିତ ନୁହେଁ । ମୁଁ ଭାବେ ଯେ ଆମେ ବେଶ ସକ୍ଷମ । ମୁଁ ଭାବୁଛି ଏହି ତଦନ୍ତକୁ ଆମେ ଚଳାଇ ପାରିବା ।” ଅର୍ଥାତ୍ ଫିରୋଜ ନ୍ୟାୟିକ ତଦନ୍ତ ପାଇଁ ଦାବି କରି ନ ଥିଲେ । କିନ୍ତୁ ଏହାର ତଦନ୍ତ ପାଇଁ ନିଯୁକ୍ତ ହୋଇଥିଲେ ବମ୍ବେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଏମ୍ ସି ଛାଗଲା । ଛାଗଲା କମିଶନ ତାଙ୍କ ତଦନ୍ତର ନିଷ୍କର୍ଷରେ କହିଥିଲେ୨(ପୃ ୧୯୬), “ମୋ ମତରେ, ଯାହା ହେଉ ନା କାହିଁକି, ଏହା ସ୍ପଷ୍ଟ ଯେ ସାମ୍ବିଧାନିକଭାବେ ମନ୍ତ୍ରୀ ହିଁ ତାଙ୍କ ସଚିବଙ୍କ ଦ୍ୱାରା କାରବାର ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ପାଇଁ ଦାୟୀ । ଏହା ସ୍ପଷ୍ଟ ଯେ ଜଣେ ମନ୍ତ୍ରୀ ହିଁ ତାଙ୍କ ଅଧୀନସ୍ଥଙ୍କ କାର୍ଯ୍ୟ ପାଇଁ ଦାୟୀତ୍ୱ ନେବା ଉଚିତ । ସେମାନଙ୍କ ପଛରେ ସେ ଆଶ୍ରୟ ନେଇ ପାରିବେ ନାହିଁ ବା ସେମାନଙ୍କ କାର୍ଯ୍ୟକୁ ଅସ୍ୱୀକାର କରିପାରିବେ ନାହିଁ ।” ଏହା ପରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଟି ଟି କ୍ରିଷ୍ଣମାଚାରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଓ ଏହା ନେହରୁଙ୍କୁ ବେଶ ବାଧିଥିଲା । କିନ୍ତୁ ଏହି ବ୍ୟାପାରରେ ଯେଉଁ ଅଧୀନସ୍ଥ କର୍ମଚାରୀମାନେ ସମ୍ପୃକ୍ତ ଥିଲେ ଯେପରି ତକ୍ରାଳୀନ ଅର୍ଥ ସଚିବ ଏଚ ଏମ ପଟେଲ, ଜୀବନ ବୀମା କର୍ପୋରେସନ ଅଧ୍ୟକ୍ଷ ଜି ଆର କାମତ ଏବଂ ପରିଚାଳନା ନିର୍ଦେଶକ ଏଲ ଏସ ବୈଦ୍ୟନାଥନଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଭାରତ ସରକାର ମଇ ୧୯୫୮ରେ ନିଯୁକ୍ତ କଲେ ମାନ୍ୟବର ବିଚାରପତି ଭିଭିଆନ ବୋଷଙ୍କ ଅଧ୍ୟକ୍ଷତାରେ ଏକ ବୋର୍ଡ ଅଫ ଇନକ୍କାରୀ । ତଦନ୍ତରେ ସେ ଦର୍ଶାଇଲେ ଯେ ଏହି ଅଧିକାରୀମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଠିକ୍ । ଅର୍ଥାତ୍ ଅଭିଯୋଗ ଯେ ଏହି ଅଧିକାରୀମାନଙ୍କ ସମ୍ପୃକ୍ତିରେ ଜୀବନ ବୀମା ମୁନ୍ଧ୍ରାଙ୍କ କମ୍ପାନୀର ଅଂଶ ଧନ ବଜାର ମୂଲ୍ୟଠାରୁ ଅଧିକ ପଇସା ଦେଇ କିଣିଛି ତାହା ଠିକ୍ । ସେ ମଧ୍ୟ ତାଙ୍କ ତଦନ୍ତରେ ପାଇଲେ ଯେ ଜୀବନ ବୀମା କର୍ପୋରେସନ ଏପରି କରିଛି, ଉତ୍ତରପ୍ରଦେଶ କଂଗ୍ରେସକୁ ଦେଢ ଲକ୍ଷଟଙ୍କା ଏବଂ କେନ୍ଦ୍ରୀୟ କଂଗ୍ରେସକୁ ଏକ ଲକ୍ଷ ଟଙ୍କା ମୁନ୍ଧ୍ରା ଦେଇଥିବା ଚାନ୍ଦା ବଦଳରେ୧(ପୃ ୧୯୫) ।
ଭିଭିଆନ ବୋଷ(ଜନ୍ମ ୯ ଜୁନ ୧୮୯୧ ମୃତୁ୍ୟ ୨୯ ନଭେମ୍ବର ୧୯୮୩)ଙ୍କର ଏପରି ନିଷ୍କର୍ଷର ପ୍ରତିକ୍ରିୟାରେ ହିଁ ନେହରୁ ଉଲ୍ଲିଖିତ ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ ବହୁ ସମାଲୋଚିତ ମନ୍ତବ୍ୟ । ଭିଭିଆନ ବୋଷ ୫ ମାର୍ଚ୍ଚ ୧୯୫୧ରୁ ୮ ଜୁନ ୧୯୫୬ ଯାଏ ସୁପ୍ରିମ କୋର୍ଟର ବିଚାରପତି ଥିଲେ । ଅବସର ନେବା ପରେ ତତ୍କାଳୀନ ସୁପ୍ରିମ କୋର୍ଟର ମୁଖ୍ୟବିଚାରପତିଙ୍କ ଅନୁରୋଧ କ୍ରମେ, ସମ୍ବିଧାନର ଧାରା ୧୨୮ ଅନୁସାରେ ଭିଭିଆନ ବୋଷ ପୁନର୍ବାର ଦ୍ୱିତୀୟ ଥର ପାଇଁ ସୁପ୍ରିମ କୋର୍ଟରେ ବିଚାରପତି ନିଯୁକ୍ତି ଗ୍ରହଣ କରିଥିଲେ ଓ ସେପ୍ଟେମ୍ବର ୯, ୧୯୫୭ରୁ ସେପ୍ଟେମ୍ବର ୩୦, ୧୯୫୮ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ୩(ପୃ ୩୬) । ଏହା ପୂର୍ବରୁ ସମ୍ବିଧାନର ଏହି ଧାରାର ପ୍ରୟୋଗ କରାଯାଇ ସୈୟଦ ଫଜଲ ଅଲିଙ୍କୁ ୧୫ ଅକ୍ଟୋବର ୧୯୫୧ରୁ ୩୦ ମଇ ୧୯୫୨ ପର୍ଯ୍ୟନ୍ତ ଓ ଏନ ସି ଆୟାରଙ୍କୁ ୫ ସେପ୍ଟେମ୍ବର ୧୯୫୫ ରୁ ୩୧ ଅକ୍ଟୋବର ୧୯୫୫ ତଥା ୧ ଡିସେମ୍ବର ୧୯୫୫ରୁ ୧୧ ମଇ ୧୯୫୬ ଦୁଇଟି ଖଣ୍ଡରେ ପୁନଃନିଯୁକ୍ତି ଦିଆଯାଇଥିଲା୩(ପୃ ୨୨,୩୪) । ଫଜଲ ଅଲି ମଇ ୧୯୫୨ରେ ଇସ୍ତଫା ଦେଇ ନେହରୁଙ୍କ ଅନୁରୋଧରେ ଓଡିଶାରେ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ ଓ ୧୯୫୪ ର ପ୍ରଥମ କେତୋଟି ମାସ ଯାଏ ଏହି ପଦବୀରେ ଥିଲେ୩(ପୃ ୨୨) ।
ଏହିଠାରେ ଉଲ୍ଲେଖ କରିବା ପ୍ରାସଂଗିକ ହେବ ଯେ ମୁନ୍ଧ୍ରା -ଜୀବନ ବୀମା କାଣ୍ଡ ସ୍ୱାଧୀନ ଭାରତରେ ପ୍ରଥମ ବିତ୍ତିୟ ଦୁର୍ନୀତି ଥିଲା । ହରିଦାସ ମୁନ୍ଧ୍ରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ କାରାଦଣ୍ଡ ଭୋଗିଥିଲେ ।
ମନ୍ତବ୍ୟ ପାଇଁ ଅନୁତପ୍ତ ନେହରୁ
ନେହରୁଙ୍କ ମନ୍ତବ୍ୟକୁ ନିନ୍ଦା କରି କଲିକତା ଓକିଲ ସଂଘ ତାଙ୍କର ଉପରୋକ୍ତ ପ୍ରସ୍ତାବକୁ ନେହରୁଙ୍କ ନିକଟକୁ ୧୯ ଜୁନ ୧୯୫୯ଦିନ ପଠାଇ ଦେଇଥିଲେ । ଏହି ପ୍ରସ୍ତାବ ପାଇ ନେହରୁ ନିଜ ମନ୍ତବ୍ୟ ପାଇଁ ଦଃଖ ପ୍ରକାଶ କରି ୨୩ ଜୁନ ଦିନ ଲେଖିଥିଲେ୧(ପୃ ୧୯୬-୭), “ମୁଁ ଉଚିତ ମନେ କରେ ଏହା କହିବାକୁ ଯେ ସାମ୍ବାଦିକ ସମ୍ମିଳନୀରେ ମୋର ମନ୍ତବ୍ୟର ଏପରି ବ୍ୟାଖ୍ୟା ହେବା ଯେ ଏହା ଶ୍ରୀ ଭିଭିଆନ ବୋଷ ବା ଅନ୍ୟ କୈାଣସି ବିଚାରପତିଙ୍କ ପ୍ରତି ଅପମାନଜନକ , ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ମୁଁ ଶ୍ରୀଯୁକ୍ତ ଭିଭିଆନ ବୋଷଙ୍କୁ ଅତି ସମ୍ମାନ ଦୃଷ୍ଟିରେ ଦେଖେ ଏବଂ ତାଙ୍କ ବିରୁଦ୍ଧରେ କିଛି କହିବା ମୋର କଦାପି ଉଦେ୍ଦଶ୍ୟ ନ ଥିଲା ।…ମୋର ମନ୍ତବ୍ୟ ଉଦ୍ଦେଶ୍ୟହୀନ (casually) ଭାବେ ହୋଇଥିଲା ….ମୁଁ ହୃଦୟଂଗମ କରେ ଯେ ଏହି ଭଳି ମନ୍ତବ୍ୟ ଉଦ୍ଦେଶ୍ୟହୀନ ହେଲେ ମଧ୍ୟ ମୋର ଏହା କରିବା ଉଚିତ ନ ଥିଲା ଏବଂ ଏଥିପାଇଁ ମୁଁ ଦୁଃଖିତ ।” ଏହାର ୩ ଦିନ ପରେ, ୨୬ ଜୁନ ଦିନ, ଶ୍ରୀଯୁକ୍ତ ଭିଭିଆନ ବୋଷଙ୍କୁ କ୍ଷମା ମାଗି ନେହରୁ ଲେଖିଥିଲେ୧(ପୃ ୧୯୭), “ମୋର ମନ୍ତବ୍ୟ ପାଇଁ ମୁଁ ମୋର ଅନୁଶୋଚନା ବ୍ୟକ୍ତିଗତ ଭାବେ ଆପଣଙ୍କ ନିକଟରେ ବ୍ୟକ୍ତ କରିବାକୁ ଚାହୁଁଛି । ଦୀଲ୍ଲୀଠାରେ ସାମ୍ବାଦିକ ସମ୍ମିଳନୀରେ ଏପରି ମନ୍ତବ୍ୟ କରିଥିଲି । ମୁଁ ପୂର୍ଣ୍ଣତଃ ହୃଦୟଂଗମ କରେ ଯେ ଏପରି ମନ୍ତବ୍ୟ ଅନୁଚିତ ଥିଲା ଏବଂ ଏପରି କହିବା ପାଇଁ ମୁଁ ମୋ ନିଜକୁ ଅନୁମତି ଦେବା ଉଚିତ ନ ଥିଲା । ମୋତେ କରାଯାଉଥିବା ପ୍ରଶ୍ନ ଦ୍ୱାରା ମୁଁ ବୋଧହୁଏ ହଠାତ୍ ଏହା ଜାଣି ପାରିଲି ନାହିିଁ,ଏବଂ ସେ ସମୟରେ ମୁଁ ଆହୁରି ଅନେକ ଅନ୍ୟ ବିଷୟ ମଧ୍ୟ ଭାବୁଥିଲି……ମୋର ବିଶ୍ୱାସ ମୁଁ କରିଥିବା ଅଶିଷ୍ଟତା ପାଇଁ ଆପଣ ମୋର କ୍ଷମା ପ୍ରର୍ଥନାକୁ ସଦୟତାର ସହ ଗ୍ରହଣ କରିବେ ।” ସେହି ୨୬ ଜୁନ ଦିନ ନେହରୁ ତତ୍କାଳୀନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି (୧୯୫୦-୫୯) ଏସ ଆର ଦାସ(ସୁଧୀ ରଂଜନ ଦାସ)ଙ୍କ ନିକଟକୁ ଲେଖିଥିଲେ୧(ପୃ ୧୯୭), “ମୁଁ ଆପଣଙ୍କ ନିକଟରେ ମୋର ଗଭୀର ଅନୁଶୋଚନା ବ୍ୟକ୍ତ କରି କହି ପାରେ କି ଯେ ସାମ୍ବାଦିକ ସମ୍ମିଳନୀରେ ମୁଁ ନିଜକୁ ଭସାଇ ନେଲି ଏବଂ ଏପରି କିଛି କହିଦେଲି ଯାହା ମୋର କହିବା ଉଚିତ ନ ଥିଲା । ତାହା ଅଶିଷ୍ଟତା ଥିଲା ଯାହା ପାଇଁ ମୁଁ ଖୁବ ଅନୁତପ୍ତ । କାରଣ ମୁଁ ସବୁବେଳେ ବିଶ୍ୱାସ କରି ଆସିଛି ଯେ ନ୍ୟାୟପାଳିକା ଏବଂ ବିଶେଷତଃ ସୁପ୍ରିମ କୋର୍ଟର ବିଚାରପତିଗଣ ଉଚ୍ଚତମ ବିଚାର ଓ ସମ୍ମାନର ଅଧିକାରୀ ।” ନେହରୁଙ୍କର କ୍ଷମା ପ୍ରାର୍ଥନାର ଉତ୍ତରରେ ଭିଭିଆନ ବୋଷ ଲେଖିଥିଲେ୧(ପୃ ୧୯୮), “ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ଆପଣଙ୍କ ମନ୍ତବ୍ୟକୁ ଗମ୍ଭୀରତାର ସହ ନେଇ ନାହିିଁ ଏବଂ ତିଳେ ମାତ୍ର ମୁଁ ବିବ୍ରତ ହୋଇ ନ ନାହିଁ । ମୁଁ ଜାଣିଛି ଆପଣଙ୍କ ମସ୍ତିଷ୍କରେ କେତେ ବିଷୟ ରହିଛି ଏବଂ ଭଲ ଭାବରେ ବୁଝିଛି କିପରି କ୍ଳାନ୍ତ ଥିବା ସମୟରେ ବିରକ୍ତ ମୁହୂର୍ତରେ ଜଣେ ଏପରି କିଛି କହିଦେଇ ଥାଏ ଯାହା ସେହି ଅର୍ଥରେ ସେ ଚାହିଁ ନ ଥାଏ । ମୁଁ ଅନୁତପ୍ତ ଯେ ଏହି ବ୍ୟାପକ ଜନ ବିବାଦର ମୁଁ କାରଣ ହୋଇଛି ।” ଭିଭିଆନ ବୋଷଙ୍କର ଏପରି ଉତ୍ତର ପାଇଁ ବୋଷଙ୍କୁ ନେହରୁ କୃତଜ୍ଞତା ଜଣାଇଥିଲେ, ୩୦ ଜୁନ ଦିନର ଫେରନ୍ତା ପତ୍ରରେ । ନେହରୁ ଓ ବୋଷଙ୍କ ମଧ୍ୟରେ ଏକ ବୁଝାମଣା ଯେ ହୋଇଛି ସେଥିରେ ସନ୍ତୋଷ ଜଣାଇ ମୁଖ୍ୟ ବିଚାରପତି ସୁଧୀ ରଂଜନ ଦାସ ଭିଭିଆନ ବୋଷଙ୍କୁ ଲେଖିଥିଲେ୧(ପୃ ୨୦୦), “ମୁଁ ଖୁସି ଯେ ଭୁଲ ବୁଝାମଣା ଦୂର ହୋଇଛି ଏବଂ ଆପଣ ପ୍ରଧାନମନ୍ତ୍ରୀଙ୍କ ଭାବ(gestures) ଗୁଡିକ ପ୍ରତି ସେହି ସଦୟତାର(graciously) ସହ ପ୍ରତିକ୍ରିୟା କରିଛନ୍ତି ଯେଉଁ ଭଳି ଭାବେ ସେ କରିଥିଲେ ।” ଏହାର ଉତ୍ତରରେ ଭିଭିଆନ ବୋଷ ନେହରୁଙ୍କ ମନ୍ତବ୍ୟ ସମ୍ପର୍କରେ ମୁଖ୍ୟ ବିଚାରପତି ଏସ ଆର ଦାସଙ୍କୁ ଲେଖିଥିଲେ୧(ପୃ ୨୦୦), “ମୁଁ କଦାପି ସେ ମନ୍ତବ୍ୟକୁ ଗମ୍ଭୀରତାର ସହ ନେଇ ନାହିଁ , ଏବଂ ନେହରୁଙ୍କ ବୁଦ୍ଧିମତା ପ୍ରତି ମୋର ଏତେ ବେଶୀ ସମ୍ମାନ ରହିଛି ଯେ ଏହା ସମ୍ଭବ ନୁହେଁ ମାନିବା ଯେ ସେ ପ୍ରକୃତରେ ଭାବୁଥିବେ ଯେଉଁ ବ୍ୟକ୍ତି ଜଣକୁ ତାଙ୍କରି ସରକାର ସୁପ୍ରିମ କୋର୍ଟରେ ବସାଇଛନ୍ତି ତାଙ୍କଠାରେ ବୁଦ୍ଧିର ଅଭାବ ଥିବ! ତାଙ୍କର ମନ୍ତବ୍ୟ ଏପରି ଯାହା ଆମ ଭିତରୁ କେହି ହେଲେ ଏକ କ୍ଷଣିକ ବିରକ୍ତି ସମୟରେ କହି ଦେଇ ପାରିଥାନ୍ତା । ସାମ୍ବାଦିକ ସମ୍ମିଳନୀ ବେଶ ବିରକ୍ତିକର ଅବସ୍ଥା ବିଶେଷତଃ ଯେତେବେଳେ ଜଣେ କ୍ଲାନ୍ତ ଏବଂ ତୁମ ଉପରେ ନିକ୍ଷେପ ହେଉଛି ପ୍ରଶ୍ନବାଣ । ମୁଁ ଏହା ବୁଝେ ଏବଂ ସବୁ ସମୟରେ ବୁଝି ଆସିଛି । ଯାହାହେଉ, ଜଣେ ଭଦ୍ରଲୋକ ପରି ଯାହା ସେ ନିଶ୍ଚୟ ଅଟନ୍ତି, ସେ ଖୁବ ସୁନ୍ଦର ଭାବେ ଏହାର ସଂଶୋଧନ କରିଛନ୍ତିି । ” ଯେଉଁ ପତ୍ରିକାରେ (Calcutta Weekly Notes) ମତ ପ୍ରକାଶ ପାଇଥିଲା ଯେ ନେହରୁଙ୍କର ମନ୍ତବ୍ୟ ସାରା ଦେଶରେ ‘ନ୍ୟାୟପାଳିକାର ପ୍ରତିଷ୍ଠା ଓ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରିଛି’ ସେହି ପତ୍ରିକାରେ, ନେହରୁଙ୍କର କ୍ଷମା ପ୍ରାର୍ଥନା ପରେ, ପ୍ରକାଶ ପାଇଲା୧(ପୃ ୨୦୧)- “ନେହରୁ ପ୍ରକୃତରେ ହେଉଛନ୍ତି ଜଣେ ମହାନ ବ୍ୟକ୍ତି ଯାହାଙ୍କର ରହିଛି ସାହାସ ଏବଂ ମର୍ଯ୍ୟାଦାବୋଧ ଏହା ସ୍ୱୀକାର କରିବାକୁ ଯେ ସେ ଭୁଲ କରିଛନ୍ତି ତାହା ଯେତେ ଉଦ୍ଦେଶ୍ୟହୀନ ଓ ଅକସ୍ମାତ୍ ହେଉ ନା କାହିଁକି ।…..ଆମେ ବହୁ ଦିନରୁ ମାନି ଆସିଛୁ ଯେ ଶ୍ରୀ ଜବାହାରଲାଲ ନେହରୁ ନିଜ ଭିତରେ ଉଭୟ ପୂର୍ବ ଓ ପଶ୍ଚିମର ମହାନ ପରମ୍ପରା ସମାହିତ କରିଛନ୍ତି । ଏବଂ ଆମେ ଖୁସିର ସହିତ ଏହା ଲିପିବଦ୍ଧ କରୁଛୁ ଯେ ଯେଉଁ ଘଟଣାର ଇଂଗିତ ଏଠାରେ କରାଯାଇଛି ତାହା ଦର୍ଶାଏ ତାଙ୍କର ମାନସିକ ଓ ନୈତିକ ଉଚ୍ଚତା । ”
ନେହରୁଙ୍କର ଏପରି ଆଚରଣକୁ ‘vintage ethics’(ପୂରାତନ ନୈତିକତା)ର ଉଦାହରଣ୧(ପୃ ୨୦୨) ବୋଲି କୁହନ୍ତି Judges of the Supreme Court of India,1950-89 ର ଲେଖକ Geoge H Gadbois Jr.(ଜନ୍ମ୧୯୩୬ ମୃତ୍ୟୁ୨୦୧୭) । ଯଦିଓ ବିଚାରପତି ଛାଗଲା ଓ ବିଚାରପତି ବୋଷଙ୍କ ତଦନ୍ତ ରିପୋର୍ଟର ନିଷ୍କର୍ଷ ଦ୍ୱାରା ବେଶ ଆହତ ହୋଇଥିଲେ, ତଥାପି ଏମାନଙ୍କ ବିରୋଧରେ କୈାଣସି ବିଦ୍ୱେଷ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କର ନ ଥିଲା କାରଣ ଏହା ପରେ ମଧ୍ୟ ସେ ବିଚାରପତି ଛାଗଲାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତର ରାଜଦୂତ କରି ପଠାଇଥିଲେ ଓ ବିଚାରପତି ବୋଷଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଦନ୍ତ (ଯେପରି ଡାଲମିଆ -ଜୈନ ତଦନ୍ତ କମିଶନ) ର ଦାୟିତ୍ୱ ଦେଇଥିଲେ୩(ପୃ ୩୭) । Gadbois Jr.ଙ୍କ ଭାଷାରେ୩(ପୃ ୩୭), “ନେହରୁଙ୍କର ନ୍ୟାୟପାଳିକା ପ୍ରତି ସମ୍ମାନର ଏହା କେତୋଟି ଦୃଷ୍ଟାନ୍ତମାନଙ୍କ ମଧ୍ୟରେ ଉଦ୍ଧରଣୀୟ ।”( “These are among many illustrations of Nehru’s respect for the judiciary.”) Gadbois Jr. ସେ ସମୟର ବିଚାରପତିଗଣଙ୍କ ଠାରୁ ସାକ୍ଷାତକାର ନେବା ଅବସରରେ ଜାଣୁଥିଲେ ଯେ ନେହରୁଙ୍କର ଏପରି ଆଚରଣ ନ୍ୟାୟପାଳିକାକୁ ସୁଦୃଢ କରିଥିଲା୧(ପୃ ୨୦୨) ।
ବ୍ୟବହୃତ ଉପାଦାନ ସୂଚୀ
1.Republic of Rhetoric, Abinav Chandrachud, Penguin Random House India, 2017
- Feroze, the forgotten Gandhi, Bertil Falk, Roli Books, 2018
- Judges of the Supreme Court of India(1950-1989), George H Gadbois, Jr. , Oxford University Press, 2011
Comments
0 comments