ମଇ ୨୮, ୨୦୨୪ଦିନ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ କୋଭିଡ଼୍ ରେ ଆକ୍ରାନ୍ତ ହୋଇ ଅବେଳରେ ଚାଲିଯାଇଥିବା ଜଣେ ବିପ୍ଳବୀ ଏବଂ ବସ୍ତିବାସିନ୍ଦାଙ୍କ ସବୁ ସମୟର ସାଥି ଶିବରାମଙ୍କ ସ୍ମୃତିରେ ଜଳବାୟୁ ପରିବର୍ତ୍ତନ ଓ ଏହାର ରାଜନୈତିକ ପରିଣାମ ଉପରେ ଏକ ବକ୍ତୃତାର ଆୟୋଜନ ହୋଇଥିଲା । ବିଡ଼ମ୍ବନାର କଥାଯେ ଯେଉଁଥିରେ ଶିବରାମ ଚାଲିଗଲେ ସେହି କୋଭିଡ଼୍ ରୋଗଟି କରୋନା ଭୂତାଣୁ ଦ୍ୱାରା ସଂକ୍ରମଣ କରୁଥିଲା । ସେହି ସମୟରେ ଆମେ ଅଣଦେଖା କରି ଆସିଥିବା ଗୋଟିଏ ଚର୍ଚ୍ଚାର ବିଷୟ ଥିଲାଯେ କରୋନା ଭୂତାଣୁ ଜଳବାୟୁ ପରିବର୍ତ୍ତନର ଏକ ପରିଣାମ । ଏହି କଥାଟି କୌଣସି ସାଧାରଣ ଚର୍ଚ୍ଚାରୁ ଆସିନଥିଲା । ବିଶ୍ୱର କିଛି ପ୍ରମୁଖ ଗବେଷଣାତ୍ମକ ଅନୁଷ୍ଠାନ ଏହି ବାବଦରେ ନିଜର ଚିନ୍ତା ବ୍ୟକ୍ତ କରିଆସିଥିଲେ । ସେତେବେଳେ ପ୍ରସିଦ୍ଧ ହାର୍ଭାଡ଼୍ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ବିଦ୍ୟାଳୟ ତରଫରୁ ଏଭଳି ଏକ ଉଦବେଗ ପ୍ରକାଶ ପାଇଥିଲା । ଯଦିଓ କେଭିଡ଼୍-୧୯ର ଜଳବାୟୁ ପରିବର୍ତ୍ତନ ସହ ଥିବା ସମ୍ପର୍କର କୌଣସି ତଥ୍ୟଗତ ପ୍ରମାଣ ନାହିଁ, କିନ୍ତୁ ଏହିକଥା ବୈଜ୍ଞାନିକମାନେ କହୁଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବସତ୍ତାମାନଙ୍କ ପରସ୍ପର ସହିତ ସମ୍ପର୍କରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆସିଥାଏ । ଯାହାର ପରିଣାମସ୍ୱରୂପ ସଂକ୍ରମଣକାରୀ ଭୂତାଣୁ ମଣିଷ ପାଖକୁ ଆସିବାର ସମ୍ଭାବନା ବେଶୀଥାଏ । ଯେତେବେଳେ ଉତ୍ତାପ ବଢ଼ିଯାଏ ଉତ୍ତପ୍ତ ସ୍ଥଳଭାଗ ଓ ଜଳଭାଗର ପଶୁପକ୍ଷୀମାନେ ଅପେକ୍ଷାକୃତ ଶୀତଳ ସ୍ଥାନମାନଙ୍କୁ ଚାଲିଯାନ୍ତି । ଫଳରେ ସେମାନେ ନୂଆ ପଶୁପକ୍ଷୀ ମାନଙ୍କର ସଂସ୍ପର୍ଶରେ ଆସନ୍ତି ଏବଂ ନୂତନ ଭୂତାଣୁ ସେଠାକାର ପଶୁପକ୍ଷୀମାନଙ୍କ ପାଖରୁ ଆଣିଥାନ୍ତି । ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲାପରେ ଯେତେବେଳେ ମଣିଷ ଏହି ପଶୁପକ୍ଷୀମାନଙ୍କ ସଂସ୍ପର୍ଶରେ ଆସେ , ସେମାନେ ସଂକ୍ରମଣର ଶିକାର ହୁଅନ୍ତି । ତେବେ ଏହି ଭଳି ଆଲୋଚନା ବା ବିତର୍କ, କୋଭିଡ଼୍ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇ ଚାଲିଗଲାପରେ ଆଉ କେଉଁଠି ଦେଖିବାକୁ ମିଳୁନାହିଁ । ଜଳବାୟୁ ପରିବର୍ତ୍ତନର ଏଭଳି ଏକ ଦିଗ ନଥିଲେ (ଯାହାକୁ ନେଇ ଅନେକ ବିତର୍କ ବି କରିପାରନ୍ତି) ହୁଏତ ଶିବରାମଙ୍କ ଭଳି ଜଣେ ନିଷ୍ଠାପର ରାଜନୈତିକ କର୍ମୀଙ୍କୁ ଆମେ ହରାଇ ନଥାନ୍ତେ!
୧୯୯୪ ମସିହାରେ ଜଣେ ବନ୍ଧୁ ମନୀଷ୍ ଜୈନଙ୍କ ସୌଜନ୍ୟରୁ ଗୋଟିଏ ବହିର କିଛି ପୃଷ୍ଠାର ଜେରକ୍ସ କପି ମିଳିଥିଲା । ବହିଟି ୧୯୯୨ ମସିହାରେ ପ୍ରକାଶିତ ବିଶିଷ୍ଟ ଜନବାଦୀ ଚିନ୍ତକ ଓ ଲେଖକ ନୋଆମ୍ ଚମସ୍କିଙ୍କ ପୁସ୍ତକ ‘ବର୍ଷ ୫୦୧, ବିଜୟ ଜାରି ରହିଛି’ ((The Year 501, Conquest Continues)) ସେଥିରେ ସେ ୨୧୬ ପୂର୍ବରୁ ପ୍ରକାଶିତ ଆଦାମ୍ ସ୍ମିଥଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଦେଶମାନଙ୍କର ସମ୍ପଦ’(The Wealth of Nations)ର କିଛିବାକ୍ୟ ଉଦ୍ଧାର କରିଥିଲେ । ଯଦିଓ ପୂର୍ବରୁ ଆମେ ଏହି ପୃଷ୍ଠାରେ ଚମସ୍କିଙ୍କ ଏହି ପୁସ୍ତକକୁ ନେଇ ଆଲୋଚନା କରିଥିଲୁ ତେବେ ଆଦାମ୍ ସ୍ମିଥଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ବାକ୍ୟଗୁଡ଼ିକୁ ସ୍ଥାନିତ କରିନଥିଲୁ । ଏହି ବହିଟିରେ ବିଶ୍ୱର ଦୁଇଟି ପ୍ରମୁଖ ଘଟଣାକୁ ନେଇ କିଛି ଗୁରତ୍ୱପୂର୍ଣ୍ଣ କଥା କୁହାଯାଇଥିଲା ଯାହାକୁ ବିଶ୍ୱର ରାଜନୀତି ଓ ଅର୍ଥନୀତି ଚଳାଉଥିବା ଲୋକମାନେ କେବେ ବି ଗୁରୁତ୍ୱ ଦେଇନାହାଁନ୍ତି । କିନ୍ତୁ ସେହି ଦୁଇଟି ଘଟଣା ଯାହା ୟୁରୋପୀୟ ନାବିକମାନଙ୍କ ଦ୍ୱାରା ଆବିଷ୍କୃତ ୫୩୨ବର୍ଷ ପୂର୍ବରୁ ହୋଇଥିଲା, ତାହା ଆଜି ବିଶ୍ୱରେ ଏକ ଧ୍ୱଂସମୁଖୀ ରାଜନୀତି ଏବଂ ଅର୍ଥନୀତିକୁ ପ୍ରତିଷ୍ଠିତ କରିଥିବାବେଳେ ଜଳବାୟୁ ପରିବର୍ତ୍ତନକୁ ଏପରି ଏକ ଅବସ୍ଥାକୁ ନେଇ ଆସିଛିଯେ ଆମେ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରିପାରିବା ତାହାର ସମ୍ଭାବନା ଅନ୍ତତଃ ଆଜିର ଦିନରେ ଦେଖାଯାଉ ନାହିଁ । ଆଦାମ୍ ସ୍ମିଥ୍ କହିଥିଲେ ଯେ ଆମେରିକା ଓ କେପ୍ ଅଫ୍ ଗୁଡ଼ହୋପ (ଆଫ୍ରିକା ମହାଦେଶର ଏକ ସମୁଦ୍ରପଥ ସହ ଥିବା କେନ୍ଦ୍ର) ଦେଇ ଇଷ୍ଟ୍ଇଣ୍ଡିଜ୍ (ୟୁରୋପରୁ ସିଧାସଳଖ କୌଣସି ପ୍ରତିବନ୍ଧକ ନଥାଇ ଏସିଆ ମହାଦେଶକୁ ସ୍ପର୍ଶ କରିବାର ଜଳପଥ)ର ଆବିଷ୍କାର ଲିପିବଦ୍ଧ ହୋଇଥିବା ମାନବ ଇତିହାସର ସବୁଠାରୁ ବଡ଼ ଏବଂ ପ୍ରମୁଖ ଦୁଇଟି ଘଟଣା । ଏଥିରୁ କ’ଣ ଲାଭ ବା ଦୁର୍ଯୋଗ ମାନବ ସମାଜ ପାଇଁ ଆସିବ ତାହା ଜାଣିବା ପାଇଁ ମଣିଷର କୌଣସି ଦୂରଦର୍ଶୀ ଜ୍ଞାନ ନାହିଁ । ଏହି ୫୩୨ବର୍ଷ ସମୟକାଳ ଭିତରେ ମଣିଷ ପ୍ରମାଣିତ କରିଆସିଛି ଯେ ପ୍ରକୃତରେ ମଣିଷର ଦୂରଦର୍ଶୀ ସମ୍ପର୍ଣ୍ଣ ଜ୍ଞାନ ଆଜି ବି ନାହିଁ ।
ଆମେରିକା ଓ ଏସିଆରେ ଆବିଷ୍କାର ପୂର୍ବରୁ ଜଳବାୟୁରେ ଯେଉଁ ପରିବର୍ତ୍ତନ ହେଉ ନଥିଲା ତାହା ନୁହଁ । ପ୍ରକୃତି ନିଜ କାରଣଯୋଗୁଁ ନିଜ ଭିତରେ କିଛି ପରିବର୍ତ୍ତନ ଆଣିଥାଏ ଯାହାର ହାର ଅତି କ୍ଷୀଣ ଏବଂ ବିଶେଷ ପ୍ରଭାବ ଦେଖାଯାଇନଥାଏ । କିନ୍ତୁ ଆମେରିକାର ଆବିଷ୍କାର ଓ ଜଳପଥ ଦେଇ ଏସିଆର ଆବିଷ୍କାର ପରେ ୟୁରୋପୀୟ ଉପନିବେଶକାରୀମାନେ କିଛି ଭୂଖଣ୍ଡକୁ ନିଜ ଅକ୍ତିଆରକୁ ଆଣି ଯେଉଁଭଳି ଖଣିଜ ସମ୍ପଦ ଲୁଟ୍ କରିଚାଲିଲେ, ତାହା ପ୍ରକୃତିକୁ ବିପର୍ଯ୍ୟୟ ଆଡ଼କୁ ଟାଣିନେଲା । ୟୁରୋପରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ (୧୭୬୦-୧୮୪୦)କୁ ଅଧିକ ଇନ୍ଧନ ଯୋଗାଇଲା । ହାତରେ ଉଦ୍ଭାବନା କରାଯାଉଥିବା ମଣିଷର ଶ୍ରମକୁ ହ୍ରାସ କରିବାରେ ସାହାଯ୍ୟ କରୁଥିବା ‘ସିଡ଼୍ ଡ୍ରିଲ ’ (ବିହନ ରୋପଣ ପାଇଁ) କୃଷି କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିଥିଲା । ସେହିଭଳି ହସ୍ତତନ୍ତ କ୍ଷେତ୍ରରେ ମଧ୍ୟ କିଛି ଉଦ୍ଭାବନ ବୁଣାକାରମାନଙ୍କୁ ସାହାଯ୍ୟ କରୁଥିଲା । କିନ୍ତୁ ଯନ୍ତ୍ରର ଉଦ୍ଭାବନ ଓ କୋଇଲା ଭଳି ଜୀବାଶ୍ମ ଜାଳେଣୀ ବ୍ୟବହାର କରି ଶକ୍ତି ଉତ୍ପାଦନ କରିବା କେବଳ ଯେ ପ୍ରଦୂଷଣ ସୃଷ୍ଟିକଲା, ତାହା ନୁହେଁ; ଗୋଟିଏ ନୂଆ ଶ୍ରମିକ ଶ୍ରେଣୀ ସୃଷ୍ଟିକଲା ଓ ସେମାନଙ୍କ ଶ୍ରମର ଲୁଣ୍ଠନ ଏବଂ ଅନ୍ୟପଟେ ଉପନିବେଶ କରାଯାଇଥିବା ଭାରତ ଭଳି ଦେଶମାନଙ୍କରୁ ଅପର୍ଯ୍ୟାପ୍ତ ପରିମାଣର ଖଣିଜ ସମ୍ପଦ ଲୁଣ୍ଠନ ଏକ ଅସନ୍ତୁଳିତ ଆର୍ଥକ ପ୍ରଗତିର ନମୁନାମାନ ସୃଷ୍ଟିକରି ଚାଲିଲା । ଶ୍ରମିକମାନଙ୍କର ଅବସ୍ଥାକୁ ନେଇ ଏବଂ ଶିଳ୍ପବିପ୍ଳବର ଉତ୍ପାଦନ ପକ୍ରିୟାକୁ ନେଇ ଚିନ୍ତିତ କାର୍ଲ ମାର୍କ୍ସ (୧୮୧୮-୧୮୮୩) ଅନେକ ଐତିହାସିକ ସନ୍ଧର୍ବ ପ୍ରସ୍ତୁତ କଲେ । ବିଶ୍ୱରେ ପରବର୍ତ୍ତୀ ପର୍ଯ୍ୟାୟରେ କେତୋଟି ଦେଶରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆସିଲା ତାହାର ପ୍ରେରଣାର ସ୍ରୋତଥିଲା କାର୍ଲ ମାର୍କ୍ସଙ୍କ ସାମଗ୍ରିକ କୃତି । ଏକ ସୀମିତ ପୃଷ୍ଠାରେ ଏହାର ରାଜନୈତିକ ଓ ଅର୍ଥନୈତିକ ଦିଗଗୁଡ଼ିକୁ ଆଲୋଚନା କରିବା ସମ୍ଭବପର ନୁହଁ । ଏଠି କେବଳ ଜଳବାୟୁ ପରିବର୍ତ୍ତନ କଥାଟିକୁ ଅଳ୍ପକିଛି ଆଲୋଚନା କରାଯାଇପାରେ ।
ଶିଳ୍ପବିପ୍ଳବ କାର୍ଲ ମାର୍କ୍ସଙ୍କର ଚିନ୍ତନ ପ୍ରକ୍ରିୟାର ଢାଞ୍ଚାଟି ପ୍ରସ୍ତୁତ କରିଥିଲା ସତ ଏବଂ ସେଥିରେ ଶ୍ରମିକ ଶୋଷଣ, ଅର୍ଥନୈତିକ ବୈଷମ୍ୟ ଓ ପୁଞ୍ଜିବାଦ ସୃଷ୍ଟି କରୁଥିବା ଅସନ୍ତୁଳନ ଇତ୍ୟାଦି ଅନେକ କଥା ପ୍ରତିଫଳିତ ମଧ୍ୟ ହେଉଥିଲା । ମାର୍କ୍ସ ମଧ୍ୟ ପ୍ରକୃତିକୁ ଏକ ପଣ୍ୟଦ୍ରବ୍ୟ ହିସାବରେ ଦେଖିବା ଦ୍ୱାରା ଏବଂ ମଣିଷ ଓ ପ୍ରକୃତି ଭିତରେ ଥିବା ଜୈବିକ ସମ୍ପର୍କରେ ଅସନ୍ତୁଳନ ଆଣିବା ଦ୍ୱାରା ଏହାର କଣ ପରିଣାମ ହୋଇପାରେ, ତାଗିଦ୍ କରି ଯାଇଥିଲେ । କିନ୍ତୁ କୁହାଯାଉଛି ଯେ ମାର୍କ୍ସଙ୍କ ମୃତୁ୍ୟର ୧୩ବର୍ଷ ପରେ ଅର୍ଥାତ୍ ୧୮୯୬ରେ ବୈଜ୍ଞାନିକମାନେ କହିବା ଆରମ୍ଭ କଲେ କିଭଳି ଶିଳ୍ପ ବିପ୍ଳବ ଯୋଗୁଁ ଜଳବାୟୁରେ ପରିବର୍ତ୍ତନର ସଙ୍କେତ ମିଳୁଛି । ସ୍ୱିଡ଼େନ୍ର ଜଣେ ବୈଜ୍ଞାନିକ ସାଭାନ୍ତେ ଆରେହିନସ୍ (Svante Arrehinnus) ପ୍ରମାଣ ଦେଇ କହିଲେ ଯେ କିଭଳି କୋଇଲା ଜାଳି ଶକ୍ତି ଉତ୍ପାଦନ କରିବା ଦ୍ୱାରା ବାୟୁମଣ୍ଡଳକୁ ଅଧିକା ପରିମାଣରେ CO2 (କାର୍ବନ ଡାଇଅକ୍ସାଇଡ଼୍)ବା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣଜନିତ ଉତ୍ତାପ ବଢ଼ୁଛି । ସେ କହିବାର ୧୨୮ବର୍ଷ ଭିତରେ ଆଜି ତାପମାତ୍ରା ଅନ୍ତତଃ ଆମ ଦେଶରେ ୫୫ଡିଗ୍ରୀରେ ପହଞ୍ଚିଲାଣି । ଉପନିବେଶ ଦ୍ୱାରା ୟୁରୋପୀୟମାନେ କେବଳ ଯେ ଉପନିବେଶ ହୋଇଥିବା ଭାରତ ଭଳି ଦେଶମାନଙ୍କର ସମ୍ପଦ ଲୁଣ୍ଠନ କଲେ ନାହିଁ, ବରଂ ଏତେ ପରିମାଣରେ ସାମଗ୍ରୀ ଉତ୍ପାଦନ କଲେଯେ ପୁଣି ଲୁଣ୍ଠିତ ଦେଶ ମାନଙ୍କରେ ସେହିସବୁ ବିକ୍ରି କରିବାପାଇଁ ବଜାର ମଧ୍ୟ ସୃଷ୍ଟିକଲେ । ବଜାରରେ ସାମଗ୍ରୀ କିଣିବା ପାଇଁ ଉପଭୋକ୍ତାବାଦ ସୃଷ୍ଟି କରାଗଲା ଏବଂ ଯେମିତି ଅଧିକସଂଖ୍ୟକ ନୂଆକରି ସ୍ୱାଧୀନତାର ସୁଆଦ ଚାଖୁଥିବା ଲୋକମାନେ ସେହି ସବୁ କିଣିପାରିବେ ତାହାର ସୁଚିନ୍ତିତ ବନ୍ଦବସ୍ତ ମଧ୍ୟ କରାଗଲା । ଉପନିବେଶକାରୀମାନଙ୍କର ଜଘନ୍ୟ ଗଣହତ୍ୟାର କାହାଣୀ ଆମେରିକା ଏବଂ ଆଫ୍ରିକା ଭୂଖଣ୍ଡରୁ ଇତିହାସରେ ଲିପିବଦ୍ଧ ହୋଇରହିଛି । କିନ୍ତୁ ରକ୍ତ ନ ବୁହାଇ ଯନ୍ତ୍ରଣାଦେଇ ମଣିଷକୁ ମାରିବାର ପ୍ରକ୍ରିୟାଟି ଗରିବ ତଥାକଥିତ ମୁକ୍ତି ପାଇଥିବା ଦେଶ ମାନଙ୍କରେ ଚାଲିଛି । ପ୍ରଥମେ ଗୋଟିଏ ବଜାର ସୃଷ୍ଟିକରି ଏବଂ କୁହାଳିଆ ବର୍ଗଙ୍କ ଭିତରେ ବଜାରବାଦର ସଂସ୍କୃତି ସୃଷ୍ଟିକରି, ସରକାରମାନଙ୍କୁ ଖେଳନା କରି ଅଧିକ ଉତ୍ପାଦନ ଓ ଅଧିକ ଅଭିବୃଦ୍ଧିକୁ ରାଜନୈତିକ କାର୍ଯ୍ୟସୂଚୀରେ ଭର୍ତ୍ତି କରିଦିଆଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ସଂସ୍ଥା ଯଥା ବିଶ୍ୱବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ତଥା ସଂଯୁକ୍ତ ରାଷ୍ଟ୍ରର ସଂସ୍ଥାମାନଙ୍କୁ ହାତ ବାରିସିକରି ଅଧିକ ଉତ୍ପାଦନ ଓ ଅଧିକ ବଜାର ସୃଷ୍ଟିରେ ନୀତିଟିକୁ ଦୁର୍ବଳ ଦେଶମାନଙ୍କ ଉପରେ ଲଦି ଦିଆଯାଉଛି । ଅଧିକ ଉତ୍ପାଦନର ଅନ୍ୟଏକ ପରିଣାମ ହେଉଛି ଅଧିକ କୋଇଲା, ଅଧିକ ଲୁହାପଥର, ଅଧିକ ବକ୍ସାଇଟ୍ ଖଣି ଖନନ, ଅଧିକ ପରିବହନର ଭିତ୍ତିଭୂମି ସୃଷ୍ଟି, ଅଧିକ ଶିଳ୍ପ ପ୍ରତିଷ୍ଠା, ଅଧିକ ଜଳର ଉପଲବ୍ଧି ପାଇଁ ନଦୀ, ଜଳ ଭଣ୍ଡାର ଓ ଭୂତଳ ଜଳ ଉପରେ ନଜର, ଅଧିକ ସହରୀକରଣ ଏବଂ ଏହି ସବୁପାଇଁ ଅପର୍ଯ୍ୟାପ୍ତ ପରିମାଣରେ ଜଙ୍ଗଲ ଧ୍ୱଂସ । ମଧ୍ୟବିତ୍ତ ଶ୍ରେଣୀକୁ ମାଧ୍ୟମ କରି ସାଧାରଣ ମଣିଷଙ୍କ ପାଖରେ ସମଗ୍ର ପ୍ରକ୍ରିୟାଟିକୁ ବିନା ପ୍ରଶ୍ନରେ ଗ୍ରହଣ କରିବା ଏବଂ ଏମିତିକି ଉଦରସ୍ତ କିରିବା ପାଇଁ ଯେଉଁ ବଟିକାଟିଏ ପ୍ରସ୍ତୁତ କରାଯାଇଛି ତାହାର ନାଁ ହେଉଛି ‘ବିକାଶ’ । ସମଗ୍ର ବିଶ୍ୱରେ ଚାଲିଛି ସେହି ଗୋଟିଏ ‘ବିକାଶ’ର ଧାରା ଯାହାର ଭିତ୍ତିଭୂମି ୫୩୨ବର୍ଷ ତଳେ ଆମେରିକା ଓ କେପ୍ ଅଫ୍ ଗୁଡ଼ହୋପ (ଆଫ୍ରିକା ମହାଦେଶର ଏକ ସମୁଦ୍ରପଥ ସହଥିବା କେନ୍ଦ୍ର) ଦେଇ ୟୁରୋପୀୟ ମାନଙ୍କର ଜଳପଥ ମାଧ୍ୟମରେ ଏସିଆ ଆବିଷ୍କାରରୁ ଆରମ୍ଭ ହୋଇଥିଲା ।
ବିଭିନ୍ନ ଯୁଦ୍ଧ, ମହାଯୁଦ୍ଧ ଏବଂ ସୋଭିଏତ୍ ୟୁନିୟନର ବିଲୟପରେ ଭାରତ ସମେତ ବିଭିନ୍ନ ଦେଶରେ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ମାଧ୍ୟମରେ ଦେଶୀ ଅର୍ଥନୀତିଗୁଡ଼ିକୁ ବିଶ୍ୱର ଆର୍ଥକ ପୁଞ୍ଜିର ପତିଆରା ଭିତରେ ଥିବା ଅର୍ଥନୀତିଗୁଡ଼ିକ ସହ ଯୋଡ଼ିଦେବା ପରେ ଏହି ‘ବିକାଶ’ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା ଏବଂ ଏହାର ପରିଣାମ ଆଜି ଜନଗଣ ପ୍ରତ୍ୟେକ ସମୟରେ ଭୋଗୁଛନ୍ତି । ଜଳବାୟୁ ପରିବର୍ତ୍ତନ ସେହିଭିତରୁ ପ୍ରମୁଖ ଯାହାକି ଦରିଦ୍ର, ଭୂମିହୀନ, ଭାଗଚାଷୀ, କ୍ଷୁଦ୍ରଚାଷୀ, ମତ୍ସ୍ୟଜୀବୀ, ଜଙ୍ଗଲଜୀବୀ ଏବଂ ସବୁ ପ୍ରକାରର କାରିଗର ଓ ଶ୍ରମଜୀବୀମାନଙ୍କର ଜୀବିକାକୁ ବିପନ୍ନ କରିବା ସହ ଜୀବନ ବି ନେଇ ଚାଲିଛି । ଏହାକୁ ଏକ ପରିବେଶ ବିପନ୍ନ ହେବାର ପରିଣତି ହିସାବରେ ଦେଖିଲେ ଆମେ କେବଳ ପରିବେଶକୁ ଲକ୍ଷ କରି ପଦକ୍ଷେପ ପାଇଁ ପରାମର୍ଶ ଦେବା ଯେମିତି ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ସଂସ୍ଥା ମାନେ କରିଆସିଛନ୍ତି । ଏହାକୁ ଏକ ରାଜନୈତିକ ଅର୍ଥନୀତିର ନିଷ୍ଠୁର ପରିଣାମ ହିସାବରେ ଯଦି ଦେଖାଯାଏ ତେବେ ଆମେ ଏହି ରାଜନୈତିକ ଅର୍ଥନୀତିର ବିକଳ୍ପ ପାଇଁ ଚିନ୍ତା ଆରମ୍ଭ କରିପାରିବା ।
ଗତ କିଛିଦିନର ରିପୋର୍ଟ କହୁଛିଯେ ଅଧିକ ଉତ୍ତାପଯୋଗୁଁ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି ଏବଂ ଏଥିରୁ ଉଦ୍ଧାର ପାଇବାପାଇଁ ସରକାରଙ୍କ ପାଖରେ ବାଟ ନାହିଁ । ସବୁଠାରୁ ବିଡ଼ମ୍ବନାର କଥା ଯେ ଯେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୨ଡ଼ିଗ୍ରୀ ସେଲିସିୟସ ପହଞ୍ଚିଗଲାଣି ରାଷ୍ଟ୍ରୀୟସ୍ତରରେ ନିର୍ବାଚନ ଲଢ଼ୁଥିବା କୌଣସି ରାଜନୈତିକ ଦଳର ଇସ୍ତାହାରରେ ଉତ୍ତପ୍ତ ଜଳବାୟୁ ସ୍ଥାନ ପାଇପାରୁ ନାହିଁ । କିଛି କିଛି କ୍ଷୁଦ୍ର ରାଜନୈତିକ ଦଳ ଆଜିକାଲି ଜଳବାୟୁ ପରିବର୍ତ୍ତନକୁ ନିଜ ସୂଚୀରେ ସ୍ଥାନ ଦେଲାଭଳି ଲାଗୁଛି । କିନ୍ତୁ ପ୍ରମୁଖ ରାଜନୈତିକ ଦଳମାନେ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରମୁଖ ପ୍ରସଙ୍ଗ ହିସାବରେ ମାନିବାପାଇଁ ପ୍ରସ୍ତୁତ ନୁହଁନ୍ତି । ଏହାର ଅନ୍ୟ ଏକ କାରଣ ହେଉଛି ଯେ ସେମାନେ ଭଲଭାବେ ଜାଣିଛନ୍ତି ଜଳବାୟୁ ପରିବର୍ତ୍ତନ ସେମାନେ ଦୀକ୍ଷା ନେଇଥିବା ‘ବିକାଶ’ର ଏକ ତାର୍କିକ ପରିଣାମ । ଅର୍ଥାତ୍ ଯଦି ଜଳବାୟୁ ପରିବର୍ତ୍ତନ କଥା କୁହାଯାଏ ତେବେ ‘ବିକାଶ’ବିରୋଧି ଆଖ୍ୟା ପାଇବାର ସମ୍ଭାବନା ଥାଏ । ମଧ୍ୟବିତ୍ତ ଶ୍ରେଣୀ ‘ବିକାଶ’ ବିରୋଧି ମାନଙ୍କୁ ଗ୍ରହଣ କରନ୍ତି ନାହିଁ ଏଭଳି ଏକ ବିଶ୍ୱାସ ସାଧାରଣ ମଣିଷର ପ୍ରସଙ୍ଗକୁ ନେଇ କାମ କରିବା ପାଇଁ ସଙ୍କଳ୍ପ ନେଇଥିବା ରାଜନୈତିକ ଦଳମାନଙ୍କର ମଧ୍ୟ ଥାଏ । ଗଣମାଧ୍ୟମ ଉପରେ ‘ବିକାଶ’ ଯନ୍ତ୍ରର ପ୍ରଭାବ ଏତେ ବେଶି ଯେ ଜଳବାୟୁ ପରିବର୍ତ୍ତନର ଅସଲ କାରଣ ଓ ଏହାର ପରିଣାମ ଆଗକୁ କଣ ହେବାକୁ ଯାଉଛି କଥାଟି ଜନଗଣଙ୍କୁ ସେମାନେ ଜଣାଇବା ପାଇଁ ଅଦୌ ପ୍ରସ୍ତୁତ ନୁହଁନ୍ତି । ଜଳବାୟୁ ଜଳିବାର ବାସ୍ତବ ଚିତ୍ରପଟ ନାଁ ଆମ ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ମିଳୁଛି, ନାଁ ଆମ ଲୋକ ମାନଙ୍କୁ ଗଣମାଧ୍ୟମ ସୌଜନ୍ୟରୁ ମିଳୁଛି! ଅନ୍ଧାରରେ ରହି ଜଳବାୟୁ କଷଣ ସହିବା ବା ସହିନପାରି ମୃତ୍ୟୁମୁଖରେ ପଡ଼ିବା ବ୍ୟତୀତ ସଂଖ୍ୟାଧିକ ସାଧାରଣ ମଣିଷଙ୍କର ଅନ୍ୟକିଛି ବାଟ ନାହିଁ । ଯଦି ସମାଜ ନିରବ, ଶିକ୍ଷା ବ୍ୟବସ୍ଥା ନିରବ, ଗଣମାଧ୍ୟମ ନିରବ ଏବଂ ଶାସନ କ୍ଷମତାକୁ ଯିବାପାଇଁ ଆଶାୟୀ ରାଜନୈତିକ ଦଳମାନେ ନିରବ; ତେବେ ଆମେ କ’ଣ ଏହି ନିରବତାର ସଂସ୍କୃତି ଆଗରେ ନିଜକୁ ସମର୍ପଣ କରି ଚାଲିଥିବା!
ବିଶ୍ୱରେ ପ୍ରତିକ୍ରିୟା ଯେ ହେଉନାହିଁ, ତାହା ନୁହଁ । ସଚେତନଶୀଳ ବ୍ୟକ୍ତି ବା ଗୋଷ୍ଠୀମାନେ ସେମାନଙ୍କର ପ୍ରଭାବ ଯାହା ରହୁନା କାହିଁକି ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ପ୍ରତିବାଦ ଜାରି ରଖିଛନ୍ତି । ତେବେ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରକୃତି ଓ ପରିବେଶଜନିତ ସମସ୍ୟା ହିସାବରେ ଦେଖାଯାଉଛି । ୫୩୨ବର୍ଷ ତଳେ ଆରମ୍ଭ ହୋଇଥିବା ନୂତନ ମହାଦେଶ ମାନଙ୍କର ଆବିଷ୍କାର, ୟୁରୋପର ଶିଳ୍ପବିପ୍ଳବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଏହାର ପରବର୍ତ୍ତୀ ପୁନଃନିର୍ମାଣ ଓ ବିକାଶ ପଇଁ ବିଶ୍ୱସ୍ତରୀୟ ସଂସ୍ଥାମାନଙ୍କର ଗଠନ, ବିଶ୍ୱ ବାଣିଜ୍ୟ ସଂଗଠନର ନିର୍ମାଣ ଏବଂ ଏକ ଉଗ୍ରବାଦୀ ଅର୍ଥନୈତିକ ସଂସ୍କାର ପର୍ବ ଭଳି ବର୍ବର ଏବଂ ଅମାନବିକ ପତିଆରାର ପ୍ରତିଷ୍ଠା ପାଇଁ ହେଉଥିବା ବିଶ୍ୱ ଶକ୍ତିମାନଙ୍କର କାର୍ଯ୍ୟର ଏହା ଯେ ଏକ ତାର୍କିକ ପରିଣାମ; ଏହା ଆମେ ବୁଝିବା ପାଇଁ ଏବେ ବି ପ୍ରସ୍ତୁତ ନୋହୁଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ଯେଉଁ ‘ବିକାଶ’ର ଧାରାଟି ଶହଶହ ବର୍ଷ ଧରି ଚାଲି ଆସିଛି ତାକୁ ପ୍ରଶ୍ନ ନକରି ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବା ପାଇଁ ସଙ୍କଳ୍ପ ନନେଇ ଜଳବାୟୁ ପରିବର୍ତ୍ତନକୁ ଅଟକାଇ ପାରିବା ନାହିଁ । ଲକ୍ଷଲକ୍ଷ ହେକ୍ଟର ଜଙ୍ଗଲ ଧ୍ୱଂସ ହେବାର ପ୍ରକ୍ରିୟା ଅଗକୁ ବି ଚାଲିବ । ସାଧାରଣ ଲୋକଙ୍କୁ ପାଣି ମିଳିବ ନାହିଁ । ଜଳସଙ୍କଟ ଯୋଗୁଁ ପାଖରେ କିଛିଚାଷ ଜମି ଥିଲେ ବି ଚାଷ କରିହେବ ନାହିଁ । ଅଧିକ ଉତ୍ତାପ ଫସଲ ନଷ୍ଟ କରିଚାଲିବ । ଶ୍ରମଜୀବୀମାନେ କାମକୁ ଯାଇ ପାରିବେ ନାହିଁ । ଏମିତି ଅନେକ କଥା ଅଛି । ତେବେ ସେହି ରାଜନୈତିକ ଦଳମାନେ ଲୋକଙ୍କର ଆସ୍ଥାଭାଜନ ହେବାର ଅଧିକ ସମ୍ଭାବନା ରହିଛି ଯେଉଁମାନେ ସାଲିସହୀନ ଭାବେ ଏହି ‘ବିକାଶ’ର ଢାଞ୍ଚାଟିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସାହସ ଯୋଗାଡ଼ କରିପାରିବେ ଏବଂ ଏକ ନୂତନ ଢାଞ୍ଚା ଲୋକଙ୍କ ପାଖରେ ଥୋଇବା ପାଇଁ ନିଜକୁ ପ୍ରସ୍ତୁତ କରାଇ ପାରିବେ । ବିଶିଷ୍ଟ ଜୈବ ଚାଷୀ ନଟବର ଷଡ଼ଙ୍ଗୀ ଗୋଟିଏ ବିହନକୁ ଧରି ଭବିଷ୍ୟତ ପିଢ଼ିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଏହି ବୟସରେ ମଧ୍ୟ ଜାରି ରଖିଛନ୍ତି ଏବଂ କଲମ ଚାଳନାକରି ମାଟି, ପାଣି ଓ ପବନକୁ ନେଇ ଅନବରତ ଲେଖି ଚାଲିଛନ୍ତି । ନିଜ ଗ୍ରାମ ନରିଶୋରେ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ଆମ ଗହଣରେ ନଥିବା ପ୍ରଫେସର ରାଧାମୋହନ ମଧ୍ୟ ଚାରି ଦଶନ୍ଧି ଧରି ଆଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ କଣ ଘଟିବାକୁ ଯାଉଛି ତାଗିଦ୍ କରିଆସିଥିଲେ । ରାଜନୈତିକ ଦଳ ହୁଅନ୍ତୁ ବା ସାମାଜିକ ସଂଗଠନ ବା ଏମିତିକି ଗୋଟିଏ ଗୋଟିଏ ବ୍ୟକ୍ତି ହିସାବରେ ମଧ୍ୟ ଆମେ ଯାହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ କରୁଛେ, ତାହା କଣ ଯଥେଷ୍ଟ! ଗୋଟିଏ କଥା ଉଚିତ୍ ହେବ ମନେ କରୁଛୁ । ୨୦୧୯ ମସିହାରେ ଆଇସ୍ଲ୍ୟାଣ୍ଡ ଦେଶର ଏକ ବିରାଟ ହିମସ୍ରୋତ ଶୁଖିଗଲା । ତାହାର ନାଁ ଥିଲା ‘ଓଜୋକୁଲ୍’ (Okjokull)) । ଏହି ହିମସ୍ରୋତର ମୃତ୍ୟୁରେ ସେଠି ଏକ ଅନ୍ତିମ ସଂସ୍କାର ପର୍ବ କରାଯାଇଥିଲା ଏବଂ ସେଠି କିଛି ଶବ୍ଦଥାଇ ‘ଓଜୋକୁଲ୍’ ଉଦେଶ୍ୟରେ ସ୍ମାରକୀଟିଏ ସ୍ଥାପିତ କରାଯାଇଥିଲା । ସେଠି ଯାହା ଲେଖା ଯାଇଥିଲା ତାହା ଆମ ସମସ୍ତଙ୍କ ପାଇଁ ପ୍ରଯୁଯ୍ୟ:
“The Monument is to acknowledge that we know what is happening and what needs to be done. Only you know what we did..”
ଅର୍ଥାତ୍ “ଏହି ସ୍ମାରକୀଟି ଏକ ସ୍ୱୀକାରୋକ୍ତି ଯେ ଆମେ ଜାଣିଛୁ କଣ ସବୁ ଘଟୁଛି ଏବଂ କଣ କରାଯିବା ଦରକାର । କେବଳ ତମେ ହିଁ ଜାଣ ଆମେ କଣ କଲୁ ।”
Comments
0 comments