‘ମାନବୀୟ ବ୍ୟାପାର (Human affairs) ନିଃସନ୍ଦେହ ଆଜି ଶୋଚନୀୟ ଅବସ୍ଥାରେ । ଏଥିରେ କିନ୍ତୁ କିଛି ନୂତନତ୍ୱ ନାହିଁ । ଯେତେ ପଛକୁ ଆମେ ଦେଖିପାରୁ, ମାନବୀୟ ବ୍ୟାପାର ସବୁବେଳେ ଶୋଚନୀୟ ଅବସ୍ଥାରେ ହିଁ ରହିଆସିଛି । ବ୍ୟକ୍ତିଗତ ସ୍ତରରେ ବା କୌଣସି ସଂଗଠିତ ଗୋଷ୍ଠୀର ସଭ୍ୟ ଭାବେ ସେ ଯେଉଁ କଷ୍ଟ ଏବଂ ଦୁର୍ଦ୍ଦଶାର ଓଜନିଆ ଭାର ବୋହି ଚାଲିଛି, ମୁଁ କହିବାର ଧୃଷ୍ଟତା କରିବି ଯେ ତାହା ମୂଳତଃ ଏକ ଉପଜାତ ଦ୍ରବ୍ୟ, ସେହି ଅଭାବନୀୟ ନିର୍ବୋଧ ପ୍ରକ୍ରିୟାର ଯାହା ଦ୍ୱାରା ଆରମ୍ଭରୁ ହିଁ ଜୀବନର ଭିତ୍ତି ପଡ଼ିଥିଲା । ଡାରୱିନଙ୍କ ପରେ ଆମେ ଜାଣିଲେ ଯେ ପଶୁ ଜଗତରେ ଆମର ଓ ତଳେ ଥିବା ପ୍ରାଣୀମାନଙ୍କର ଉତ୍ସ୍ୱ ଏକ ଏବଂ ଜୀବଜଗତର ପ୍ରତ୍ୟେକ ସଦସ୍ୟ, କୀଟ ପତଙ୍ଗଠାରୁ ଆରମ୍ଭ କରି ବିଶାଳକାୟ ହାତୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥାଆନ୍ତି । କିନ୍ତୁ ମଣିଷ ଏକ ଏପରି ଜୀବ ଯାହାପାଇଁ କଠିନ ପରିସ୍ଥିତି ମଣିଷ ସମାଜ ଭିତରରୁ ହିଁ ଗୋଟିଏ ଗୋଷ୍ଠୀ ଦ୍ୱାରା ପ୍ରତ୍ୟେକ ଦିନ ସୃଷ୍ଟି ହୋଇଥାଏ । ଏହି ଗୋଷ୍ଠୀ ମାଫିଆ ବା ଶିଳ୍ପ-ସାମରିକ ଆୟୋଜନ ବା ଆନ୍ତର୍ଜାତିକ ସାମ୍ୟବାଦ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ, ଏକ ଅସଙ୍ଗଠିତ, ଅଚିହ୍ନିତ (unchartered) ଗୋଷ୍ଠୀ ଯାହାର କୌଣସି ମୁଖିଆ ନ ଥାଏ, ସଭାପତି ନ ଥାଏ, ନିୟମ କାନୁନ ନ ଥାଏ, ଏହା ସତ୍ତ୍ୱେ ଏହି ଗୋଷ୍ଠୀ ଏକାନ୍ତରେ କାର୍ଯ୍ୟ କରିଥାଏ, ସତେ ଯେପରି କୌଣସି ଅଦୃଶ୍ୟ ଶକ୍ତି ଏହାକୁ ପରିଚାଳିତ କରୁଛି, ଏପରିକି ଏହାର ପ୍ରତ୍ୟେକ ସଭ୍ୟର କାର୍ଯ୍ୟ ଅନ୍ୟ ସଭ୍ୟମାନଙ୍କର କାର୍ଯ୍ୟକୁ ଶକ୍ତିଶାଳୀ କରୁଛି, ଓ ଏହି କାର୍ଯ୍ୟକଳାପର ପ୍ରଭାବକୁ ବୃଦ୍ଧି କରୁଛି ।…. ଏହା ଏକ ଏପରି ଶକ୍ତିଶାଳୀ ଗୋପନ ବାହିନୀ(dark forces) ଯାହା ମାନବ ସମାଜର ମଙ୍ଗଳ ଓ ସୁଖର ବୃଦ୍ଧିକୁ ବାଧିତ କରେ ।’ ଏପରି ଲେଖନ୍ତି ଇଟାଲୀୟ ଅର୍ଥନୀତି-ଐତିହାସିକ (economic historian) କାର୍ଲୋ ଏମ ଚିପୋଲା (Carlo M. Cipolla) (ଜନ୍ମ ୧୫ ଅଗଷ୍ଟ ୧୯୨୨ – ମୃତ୍ୟୁ ୫ ସେପ୍ଟେମ୍ବର ୨୦୦୦) ତାଙ୍କର ବହୁ ଚର୍ଚ୍ଚିତ ଓ ବହୁ ବିକ୍ରିତ (best selling) ପୁସ୍ତକ The Basic Laws of Human Stupidity ରେ, ଯାହା ପ୍ରକାଶିତ ହୋଇଥିଲା ଇଂରାଜୀ ଭାଷାରେ ପ୍ରଥମେ ୧୯୭୬ ମସିହାରେ ଓ ଏହାର ପ୍ରକାଶକ ଥିଲେ ସ୍ୱଂୟ ଲେଖକ କାର୍ଲୋ ଏମ୍ ଚିପୋଲା । ପରେ ଏହା ପ୍ରତିଷ୍ଠିତ ପ୍ରକାଶକ Penguin Random Houseର ଏକ ସଂସ୍ଥା WH Allenଦ୍ୱାରା ମଧ୍ୟ ୨୦୧୯ରେ ପ୍ରକାଶିତ ହୋଇଛି । ଯେଉଁ ଶକ୍ତିଶାଳୀ ଗୋପନବାହିନୀ ପ୍ରତି ଚିିପୋଲା ଇଙ୍ଗିତ କରୁଛନ୍ତି ସେ ଗୋଷ୍ଠୀ ହେଉଛି ନିର୍ବୋଧଙ୍କ ଗୋଷ୍ଠୀ । ତା ନହେଲେ ପୁସ୍ତକଟିର ଭୂମିକା (Introduction)ରେ ଉପରୋକ୍ତ ଧାଡିଗୁଡିକ ଲେଖିବା ପରେ, ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ସେ ନିର୍ବୋଧତାର ପାଂଚଟି ମୌଳିକ ନିୟମର ଅବତାରଣା କରୁ ନଥାନ୍ତେ ।
ନିର୍ବୋଧତା ବହୁ ଲେଖକ, ଦାର୍ଶନିକଙ୍କ ଦୃଷ୍ଟି ଆକର୍ଷଣ କରି ଆସିଅଛି ଅନେକ କାଳରୁ । ଚାଣକ୍ୟ କହୁଥିଲେ, “ନିର୍ବୋଧ ବ୍ୟକ୍ତି ପାଇଁ ପୁସ୍ତକ ସେତିକି ଦରକାରୀ ଯେତିକି ଦୃଷ୍ଟିହୀନ ବ୍ୟକ୍ତି ପାଇଁ ଆଇନା ।” ବିଂଶ ଶତାବ୍ଦୀର ପ୍ରସିଦ୍ଧ ଦାର୍ଶନିକ, ଗଣିତଜ୍ଞ ବର୍ଟାଣ୍ଡ ରସେଲ (Bertrand Russell) କୁହନ୍ତି, “ଦୁର୍ଦ୍ଦଶାର ମୂଳ କାରଣ ହେଉଛି ଏହି ଆଧୁନିକ ବିଶ୍ୱରେ ନିର୍ବୋଧମାନେ ଯେତେବେଳେ ଆତ୍ମପ୍ରତ୍ୟୟରେ ଭରପୁର; ସେତେବେଳେ ବୁଦ୍ଧିମାନ ଲୋକେ ସଂଶୟରେ ଭରପୁର ।” ମାର୍କିନ ମନୋବିଜ୍ଞାନୀ ଥୋମାସ ସାସ (Thomas Szasz) କୁହନ୍ତି, “ନିର୍ବୋଧ ନା କ୍ଷମା ଦିଏ ନା ପାଶୋରି ଥାଏ, ନିରୀହ କ୍ଷମା ଦିଏ ଏବଂ ପାଶୋରି ଥାଏ; ବିଜ୍ଞ କ୍ଷମା ଦେଇଥାଏ କିନ୍ତୁ ପାଶୋରି ନଥାଏ ।” ମାର୍କିନ କୃଷ୍ଣକାୟ ସଂଗୀତଜ୍ଞ ଡାରିଲ ଡେଭିସ(Daryl Davis) କୁହନ୍ତି , “ଜଣେ ନିର୍ବୋଧ ବ୍ୟକ୍ତି ହେଉଛନ୍ତି ଏପରି ବ୍ୟକ୍ତି ଯାହାଙ୍କ ନିକଟରେ ତଥ୍ୟ ଥାଏ, ସଠିକ ସୂଚନା ଥାଏ ଅଥଚ ସେ ଭୁଲ ନିଷ୍ପତ୍ତି ନେଇଥାନ୍ତି ।” ଫରାସୀ ଦାର୍ଶନିକ ଭିକ୍ଟର ହୁଗୋ(Victor Hugo) କୁହନ୍ତି, “ଏକ ବୁଦ୍ଧିମାନ ନର୍କ ନିର୍ବୋଧ ସ୍ୱର୍ଗଠାରୁ ଭଲ ।” ବ୍ରିଟିଶ ଉଦାର ଦଳ(liberal party)ର ରାଜନୀତିଜ୍ଞ, ଦାର୍ଶନିକ ଜନ ସ୍ଟୁଆର୍ଟ ମିଲ(John Stuart Mill) ଲେଖନ୍ତି, “ଯଦିଓ ଏହା ସତ୍ୟ ନୁହେଁ ଯେ ସବୁ ରକ୍ଷଣଶୀଳ(conservatives) ନିର୍ବୋଧ , କିନ୍ତୁ ଅଧିକାଂଶ ନିର୍ବୋଧ ହେଉଛନ୍ତି ରକ୍ଷଣଶୀଳ ।” (ଉଦ୍ଧୃତି ଗୁଡିକପାଇଁ ଦ୍ରଷ୍ଟବ୍ୟ https://www.brainyquote.com/topics/stupid-quotes
ନିର୍ବୋଧଙ୍କ ସଂଖ୍ୟା କିଛି କମ୍ ନୁହେଁ: ପ୍ରଥମ ନିୟମ
ଉପରୋକ୍ତ ମନ୍ତବ୍ୟ ଗୁଡିକରୁ ସ୍ପଷ୍ଟ ଯେ ମନୁଷ୍ୟ ସମାଜରେ ନିର୍ବୋଧ ଅଛନ୍ତି । କେତେ ସଂଖ୍ୟାରେ ଅଛନ୍ତି? ଚିିପୋଲାଙ୍କ ମତରେ ଆମେ ଏହାର ସଂଖ୍ୟା ପ୍ରାୟ କମ୍ କରି ଆକଳନ କରିଥାଉ । ଏହାକୁ ନିର୍ବୋଧତାର ପ୍ରଥମ ନିୟମ ଭାବେ ପରିଭାଷିତ କରନ୍ତି ଚିପୋଲା । ତାଙ୍କ ଭାଷାରେ ନିୟମଟି ହେଉଛି କେଉଁ ସଂଖ୍ୟାରେ ନିର୍ବୋଧ ବ୍ୟକ୍ତି ଆମ ଭିତରେ ବିଚରଣ କରୁଛନ୍ତି ତାହାକୁ ଆମେ ସବୁବେଳେ ଏବଂ ଅନିବାର୍ଯ୍ୟ ଭାବେ କମ କରି ହିସାବ କରିଥାଉ (Always and inevitably everyone underestimates the number of stupid individuals in circulation) ଜନସଂଖ୍ୟାର କେତେ ଅଂଶ ହେଉଛନ୍ତି ନିର୍ବୋଧ, ସେ ଅନୁପାତକୁ ସଂଖ୍ୟାଦ୍ୱାରା ଚିହ୍ନିତ କରନ୍ତି ନାହିଁ ଚିପୋଲା । ବରଂ ଏହି ଅନୁପାତକୁ ଏକ ଅକ୍ଷର ଦ୍ୱାରା ଚିହ୍ନିତ କରନ୍ତି, ଧରାଯାଉ s.
ସବୁ ଗୋଷ୍ଠୀରେ ନିର୍ବୋଧ!: ଦ୍ୱିତୀୟ ନିୟମ
ଦ୍ୱିତୀୟ ନିୟମଟି ହେଉଛି ଜଣେ ବ୍ୟକ୍ତି କେତେ ଦୂର ନିର୍ବୋଧ ହୋଇପାରେ, ତାହା ନିର୍ଭର କରେ ନା ବ୍ୟକ୍ତିର ଅନ୍ୟ କୌଣସି ବୈଶିଷ୍ଟ୍ୟ ଉପରେ (The probability that a certain person be stupid is independent of any other characteristic of that person.) ଏହି ଅନୁପାତ s ପ୍ରାୟ ଅପରିବର୍ତ୍ତନୀୟ ବା ସ୍ଥିର(constant), ଠିକ ପ୍ରକୃତିରେ ଲିଙ୍ଗ ଅନୁପାତ(sex ratio) ପରି । ଶିକ୍ଷାର ମଧ୍ୟ କୌଣସି ପ୍ରଭାବ ଏହି ଅନୁପାତ s ଉପରେ ଦେଖନ୍ତି ନାହିଁ ଚିପୋଲା । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ପାଂଚଟି ସମୁଦାୟ ଯଥା ଶ୍ରମିକ(the blue-collar workers), ଅଫିସ କର୍ମଚାରୀ (the whitecollar employees), ଶିକ୍ଷାର୍ଥୀ (the students), ପ୍ରଶାସକ (the administrators), ଏବଂ ଅଧ୍ୟାପକ (the professors)ଙ୍କ ଉପରେ ପରୀକ୍ଷା କରି ଚିପୋଲା ପାଆନ୍ତି ଯେ ଶ୍ରମିକଠାରୁ ଅଧ୍ୟାପକ ପର୍ଯ୍ୟନ୍ତ ପ୍ରତିଟି ସମୁଦାୟ ମଧ୍ୟରେ ନିର୍ବୋଧଙ୍କ ଅନୁପାତ ହେଉଛି s । ଅନୁପାତ s ର ଏପରି ସ୍ଥିରତା ଦେଖି ଉତ୍ସାହିତ ଚିପୋଲା ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ନିର୍ବୋଧଙ୍କ ଅଂଶ ଆକଳନ କରନ୍ତି ଓ ଏହା ମଧ୍ୟ ସେ s ବୋଲି ପାଆନ୍ତି । ଚିପୋଲା କୁହନ୍ତି, “ବର୍ଷ ବର୍ଷ ଧରି ଅବଲୋକନ ଓ ପରୀକ୍ଷଣ ଦ୍ୱାରା ସମର୍ଥିତ, ଏହା ମୋର ଦୃଢ଼ବିଶ୍ୱାସ ଯେ ମନୁଷ୍ୟମାନେ ସମାନ ନୁହନ୍ତି, କେତେକ ହେଉଛନ୍ତି ନିର୍ବୋଧ ଏବଂ କେତେକ ନୁହନ୍ତି, ଏବଂ ଏହି ପାର୍ଥକ୍ୟ ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ, କୌଣସି ସାଂସ୍କୃତିକ କାରଣ ଦ୍ୱାରା ନୁହେଁ ।” ଚିପୋଲା ଦୃଢ଼ତାର ସହ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ମାନବ ଗୋଷ୍ଠୀର ନିର୍ବୋଧତା ହେଉଛି ଏକ ବାଛବିଚାରଶୂନ୍ୟ ବିଶେଷ ଅଧିକାର(indiscriminate privilege) ଏବଂ ଏହା ଏକ ସ୍ଥିର ଅନୁପାତ(constant proportion)ରେ ସମାନ ଭାବରେ ବିତରିତ (uniformly distributed) । ଚିିପୋଲାଙ୍କ ଏପରି ବିଚାରକୁ ଯଦି ଆମେ ଗ୍ରହଣକରୁ, ତାହାହେଲେ ଆମେ ଆଦୌ ଏପରି ଅଭିଜ୍ଞତା ଦ୍ୱାରା ଆଶ୍ଚର୍ଯ୍ୟ ହେବା ନାହିଁ ଯେ ଯେଉଁମାନଙ୍କୁ ଆମେ ଏକଦା ବୁଦ୍ଧିମାନ ଓ ବିଜ୍ଞ ବୋଲି ବିଚାର କରୁଥିଲେ ସେମାନେ କିପରି ଏତେ ନିର୍ଲ୍ଲଜ ଭାବେ ନିର୍ବୋଧ ହୋଇ ପ୍ରକଟିତ ହେଉଛନ୍ତି ।
ନିର୍ବୋଧର ପରିଭାଷା: ତୃତୀୟ ନିୟମ
ବର୍ତ୍ତମାନ ପ୍ରଶ୍ନ ଚିପୋଲାଙ୍କ ଦୃଷ୍ଟିରେ ନିର୍ବୋଧ କିଏ । ଚିପୋଲା ଜନତାଙ୍କୁ ସେମାନଙ୍କର କ୍ରିୟାକଳାପକୁ ଆଧାର କରି ମୂଳତଃ ଚାରୋଟି ଶ୍ରେଣୀରେ ବିଭାଜିତ କରନ୍ତି-ଅସହାୟ(the helpless), ବୁଦ୍ଧିମାନ(the intelligent), ଦସ୍ୟୁ (the bandit), ଏବଂ ନିର୍ବୋଧ(the stupid) ମଣିଷ ଏକ ସାମାଜିକ ପ୍ରାଣୀ । କିନ୍ତୁ ସବୁ ବ୍ୟକ୍ତିଙ୍କର ଅନ୍ୟମାନଙ୍କ ସହ ମିଳାମିଶା କରିବାର ପ୍ରବଣତା ସମାନ ହୋଇନଥାଏ । ଏହି ମିଳାମିଶା ଜଣଙ୍କ ପାଇଁ ଲାଭକାରୀ ହୋଇପାରେ ବା କ୍ଷତିକାରୀ ମଧ୍ୟ ହୋଇପାରେ । ବୁଦ୍ଧିମାନ ହେଉଛି ସେହି ବ୍ୟକ୍ତି ଯାହାର କାର୍ଯ୍ୟ ନିଜ ପାଇଁ ଲାଭକାରୀ ହୁଏ ଓ ଅନ୍ୟଙ୍କ ପାଇଁ ମଧ୍ୟ ଲାଭକାରୀ ହୁଏ । ଅସହାୟ ବ୍ୟକ୍ତି ହେଉଛି ସେହି ବ୍ୟକ୍ତି ଯାହାର କାର୍ଯ୍ୟ ନିଜପାଇଁ ଲାଭକାରୀ ନ ହୋଇଥିଲେ ମଧ୍ୟ ଅନ୍ୟଙ୍କ ପାଇଁ ଲାଭକାରୀ ହୋଇଥାଏ । ଦସ୍ୟୁ ହେଉଛି ସେହି ବ୍ୟକ୍ତି ଯାହାର କାର୍ଯ୍ୟ ନିଜପାଇଁ ଲାଭକାରୀ ହୋଇଥିବାବେଳେ ଅନ୍ୟପାଇଁ କ୍ଷତିକାରୀ ହୋଇଥାଏ । ନିର୍ବୋଧ ହେଉଛି ସେହି ବ୍ୟକ୍ତି ଯାହାର କାର୍ଯ୍ୟ ନିଜପାଇଁ କ୍ଷତିକାରୀ ହୋଇଥାଏ ଓ ଅନ୍ୟ ପାଇଁ ମଧ୍ୟ କ୍ଷତିକାରୀ ହୋଇଥାଏ । କାହିଁକି ଜଣେ ବ୍ୟକ୍ତି ଏପରି କାର୍ଯ୍ୟ କରେ ଯାହା ନିଜ ପାଇଁ କ୍ଷତିକାରୀ ଓ ଅନ୍ୟମାନଙ୍କ ପାଇଁ ମଧ୍ୟ, ତାହା କେହି ଜାଣିପାରନ୍ତି ନାହିଁ, ବୁଝିପାରନ୍ତି ନାହିଁ, ବା ଏହାର କାରଣ ମଧ୍ୟ ପାଆନ୍ତି ନାହିଁ । ତାହାର ଏକମାତ୍ର କାରଣ ହୋଇପାରେ ଯେ ବ୍ୟକ୍ତିଟି ନିର୍ବୋଧ ।
ତେଣୁ ଚିପୋଲା ଦିଅନ୍ତି ତୃତୀୟ ନିୟମ ନିର୍ବୋଧ ବ୍ୟକ୍ତି ଏକ ଏପରି ବ୍ୟକ୍ତି ଯିଏ ଅନ୍ୟର ବା ଏକ ବ୍ୟକ୍ତି ସମୂହଙ୍କର କ୍ଷତି କରିଥାଏ ଅଥଚ ନିଜର କୌଣସି ଲାଭ ହାସଲ କରି ନ ଥାଏ, ବରଂ ସମ୍ଭବତଃ ନିଜର କ୍ଷତି କରିଥାଏ । (A stupid person is a person who causes losses to another person or to a group of persons while himself deriving no gain and even possibly incurring losses.)
ନିର୍ବୋଧ ବ୍ୟକ୍ତି ଓ କ୍ଷମତା
ନିର୍ବୋଧ ବ୍ୟକ୍ତି ହାତରେ କ୍ଷମତା ଆସିପାରେ । କ୍ଷମତାରେ ଥିଲେ ଏହି ବ୍ୟକ୍ତିର କ୍ଷତି କରିବାର ସମ୍ଭାବନା ବହୁତ ଅଧିକ ହୋଇ ଯାଇଥାଏ, ସେ ସମୁଦାୟ ସମ୍ପ୍ରଦାୟ, ଏପରିକି ସମାଜର ମଧ୍ୟ ବ୍ୟାପକ କ୍ଷତିର କାରଣ ହୋଇଥାଏ । ଚିପୋଲା କୁହନ୍ତି, “ପ୍ରଶାସକ, ସେନାଧ୍ୟକ୍ଷ, ରାଜନୈତିଜ୍ଞ ଏବଂ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ମୂଳତଃ ନିର୍ବୋଧ ବ୍ୟକ୍ତିଙ୍କ ଉଦାହରଣ ଅନାୟାସରେ ମିଳିଥାଏ ଯାହାଙ୍କର କ୍ଷତି କରିବାର ଦକ୍ଷତା ଉଦବେଗଜନକ ଭାବେ ବୃଦ୍ଧି ପାଇଥାଏ ସେ ବସିଥିବା କ୍ଷମତା ଆସନରେ । ଧାର୍ମିୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଣଦେଖା ନ କରାଯାଇପାରେ । ”
ଯେଉଁ ବିଜ୍ଞ ବ୍ୟକ୍ତିମାନେ ପ୍ରଶ୍ନ କରନ୍ତି ଯେ କିପରି ଏବଂ କାହିଁକି ନିର୍ବୋଧ ବ୍ୟକ୍ତିମାନେ କ୍ଷମତାସୀନ ହୋଇଯାଇ ପାରନ୍ତି ତାଙ୍କୁ ଚିପୋଲା ମହୋଦୟ କୁହନ୍ତି, “ପ୍ରାକ୍-ଔଦ୍ୟୋଗିକ ବିଶ୍ୱରେ ଶ୍ରେଣୀ ଏବଂ ଜାତି ଆଧାରିତ ସାମାଜିକ ଆୟୋଜନ ଅଧିକାଂଶ ସମାଜରେ କ୍ଷମତା ପଦବୀରେ ଆସୀନ ହେବା ପାଇଁ ନିୟମିତ ନିର୍ବୋଧ ବ୍ୟକ୍ତି ଯୋଗାଉ ଥିଲା । ଏପରି ଯୋଗାଣରେ ଧର୍ମର ମଧ୍ୟ ଅବଦାନ ଥିଲା । ଆଧୁନିକ ଔଦ୍ୟୋଗିକ ବିଶ୍ୱରେ ଶ୍ରେଣୀ ଏବଂ ଜାତିକୁ, ଉଭୟ ଶବ୍ଦ ଓ ଧାରଣା ଭାବେ, ନିର୍ବାସିତ କରାଯାଇଛି, ଏବଂ ଧର୍ମ ମ୍ଳାନ ପଡ଼ିଯାଇଛି । ଶ୍ରେଣୀ ଓ ଜାତିର ବଦଳରେ ଆସିଛି ରାଜନୈତିକ ଦଳ ଓ ଅମଲାତନ୍ତ୍ର ଏବଂ ଧର୍ମ ବଦଳରେ ଆସିଛି ଗଣତନ୍ତ୍ର । ଗଣତାନ୍ତ୍ରିକ ବ୍ୟବସ୍ଥାରେ, ସାଧାରଣ ନିର୍ବାଚନ ହେଉଛି ସବୁଠାରୁ ପ୍ରଭାବୀ ସାଧନ ଯାହା ଦ୍ୱାରା ନିଶ୍ଚିତ କରାଯାଇପରେ କ୍ଷମତାଶାଳୀଙ୍କ ମଧ୍ୟରେ s ଅଂଶ । ମନେ ରଖିବା ଉଚିତ ଯେ ଦ୍ୱିତୀୟ ନିୟମ ଅନୁସାରେ ଭୋଟ ଦେଉଥିବା ଜନଗଣଙ୍କ ମଧ୍ୟରେ s ଅଂଶ ହେଉଛନ୍ତି ନିର୍ବୋଧ । ନିର୍ବାଚନ ସେ ସମସ୍ତଙ୍କୁ ଏକ ସମୟରେ ଏକ ଚମକ୍ରାର ସୁଯୋଗ ଦେଉଛି ଏହି କାର୍ଯ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ କ୍ଷତି କରିବାକୁ ନିଜପାଇଁ କୌଣସି ଲାଭ ନ କରି । ସେମାନେ ଏପରି କରିବା ଦ୍ୱାରା କ୍ଷମତାସୀନ ବ୍ୟକ୍ତିଙ୍କ ମଧ୍ୟରେ s ଅଂଶ ନିଶ୍ଚିତ ହେଉଛି । ”
ନିର୍ବୋଧତାର ଅନିଷ୍ଟକାରୀ ଶକ୍ତି
ଚିପୋଲାଙ୍କ ଦୃଷ୍ଟିରେ ନିର୍ବୋଧ ବ୍ୟକ୍ତି ବିପଜ୍ଜନକ ଅଟନ୍ତି ଓ ଅନିଷ୍ଟକାରୀ ଅଟନ୍ତି କାରଣ ତାଙ୍କର ଅନୁଚିତ ବ୍ୟବହାରକୁ ଅନୁମାନ କରିବା ଓ ବୁଝି ପାରିବା ବିଜ୍ଞ ବ୍ୟକ୍ତିମାନଙ୍କ ପକ୍ଷରେ ମଧ୍ୟ କଷ୍ଟସାଧ୍ୟ ହୋଇଥାଏ । ବୁଦ୍ଧିମାନ ବ୍ୟକ୍ତି ଦସ୍ୟୁ କରୁଥିବା କାର୍ଯ୍ୟ ପଛରେ ଯୁକ୍ତିକୁ ବୁଝିପାରେ, ଯଦିଓ ଏହି ଯୁକ୍ତି କୁତ୍ସିତ ହୋଇପାରେ । ସେ ନିଜର ଲାଭ ପାଇଁ ଅନ୍ୟର କ୍ଷତି କରିଥାଏ । ତେଣୁ ଦସ୍ୟୁ କଣ କରିବ ତାହା ଅନୁମାନ କରାଯାଇପାରେ ଏବଂ ସେହି ଦୃଷ୍ଟିରୁ ନିଜର ସୁରକ୍ଷା ପାଇଁ ଜଣେ ପ୍ରସ୍ତୁତ ହୋଇପାରେ । କିନ୍ତୁ ଏକ ନିର୍ବୋଧ ବ୍ୟକ୍ତି କ୍ଷେତ୍ରରେ ଏହା ଅସମ୍ଭବ । ନିର୍ବୋଧ ବ୍ୟକ୍ତି କୌଣସି କାରଣ ନଥାଇ, ତା ନିଜର କୌଣସି ଲାଭ ନଥାଇ, କୌଣସି ଯୋଜନା ନ ଥାଇ ଏବଂ ଅସମ୍ଭାବ୍ୟ (improbable) ସ୍ଥାନ ଓ ସମୟରେ ତୁମକୁ ହଇରାଣ କରିପାରେ । ତୁମେ କୌଣସି ଯୁକ୍ତି ପାଅ ନାହିଁ ବୁଝିବାକୁ ଯେ କାହିଁକି, କିପରି ଓ କେତେବେଳେ ନିର୍ବୋଧ ବ୍ୟକ୍ତି ଏପରି ଆକ୍ରମଣ କରେ । ତୁମେ ଯେତେବେଳେ ତା ସହିତ ସାମ୍ନାସାମ୍ନି ହୁଅ, ସେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବେ ତା ଦୟାରେ ଥାଅ । କାରଣ ନିର୍ବୋଧ ବ୍ୟକ୍ତିର କାର୍ଯ୍ୟ ଯୌକ୍ତିକତାର କୌଣସି ନିୟମ ସହ ସୁସଂଗତ ହୋଇ ନଥାଏ । ପ୍ରକୃତ କଥା ହେଉଛି ନିର୍ବୋଧ ବ୍ୟକ୍ତିର କାର୍ଯ୍ୟ ଓ ବିଚରଣ ସମ୍ପୂର୍ଣ୍ଣ ଭାବେ ଅନିୟମିତ ଓ ଅଯୌକ୍ତିକ, ତେଣୁ ନିଜକୁ ରକ୍ଷା କରିବା କେବଳ ଅନିଶ୍ଚିତ ହୁଏ ନାହିଁ, ଏହାଦ୍ୱାରା ପ୍ରତି ଆକ୍ରମଣ ମଧ୍ୟ କଷ୍ଟସାଧ୍ୟ ହୁଏ, ଠିକ ଯେପରି କୌଣସି ଅସ୍ଥିର ବସ୍ତୁ ଉପରେ ଗୁଳିଚାଳନା ।
ଚତୁର୍ଥ ନିୟମ
କିନ୍ତୁ ନିର୍ବୋଧ ବ୍ୟକ୍ତି ଯେ କେତେ ବିପଜ୍ଜନକ ବା ନିର୍ବୋଧତାରେ ଅନ୍ତର୍ନିହିତ କ୍ଷତି କରିବାର ଶକ୍ତି ଯେ କେତେ ପ୍ରବଳ ତାହା ଅନ୍ୟମାନେ, ଅର୍ଥାତ୍ ଅସହାୟ, ବୁଦ୍ଧିମାନ ଓ ଦସ୍ୟୁ ବ୍ୟକ୍ତିମାନେ, ଚିହ୍ନି ପାରନ୍ତି ନାହିଁ । ଏହାକୁ ଚିପୋଲା ପରିଭାଷିତ କରନ୍ତି ଚତୁର୍ଥ ନିୟମରେ-ଯେଉଁମାନେ ନିର୍ବୋଧ ନୁହନ୍ତି ସେମାନେ ସବୁବେଳେ ନିର୍ବୋଧ ବ୍ୟକ୍ତିଙ୍କର କ୍ଷତି କରିବାର କ୍ଷମତାକୁ ଅଧଃପ୍ରାକ୍କଳନ (underestimate) କରିଥାନ୍ତି ବା କମ କରି ଦେଖିଥାନ୍ତି । ବିଶେଷତଃ ନିର୍ବୋଧ ହୋଇ ନ ଥିବା ଏହି ବ୍ୟକ୍ତିମାନେ ଭୁଲି ଯାଇଥାନ୍ତି ଯେ ସବୁବେଳେ, ସବୁ ସ୍ଥାନରେ ଏବଂ ଯେକୌଣସି ପରିସ୍ଥିତିରେ ନିର୍ବୋଧ ବ୍ୟକ୍ତିଙ୍କ ସହ ମିଳାମିଶା ନିଶ୍ଚିତ ଭାବରେ ହୋଇଥାଏ ଏକ ବ୍ୟୟସାପେକ୍ଷ ଭୁଲ (Non-stupid people always underestimate the damaging power of stupid individuals. In particular non-stupid people constantly forget that at all times and places and under any circumstances to deal and/or associate with stupid people infallibly turns out to be a costly mistake). ). ଏହି ନିୟମଟି ଯେ ବେଶ୍ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇବାକୁ ଯାଇ ଚିପୋଲା ଲେଖନ୍ତି, “ଶତାବ୍ଦୀ ଶତାବ୍ଦୀ ଏବଂ ସହସ୍ର ସହସ୍ର ବର୍ଷ ଧରି, ଜନଜୀବନରେ ଓ ଘରୋଇ ଜୀବନରେ, ଅଗଣିତ ବ୍ୟକ୍ତି ଏହି ଚତୁର୍ଥ ମୌଳିକ ନିୟମକୁ ବିଚାରକୁ ନେବାରେ ଅସଫଳ ହୋଇଛନ୍ତି, ଏବଂ ଏହି ଅସଫଳତାରୁ ମଣିଷ ସମାଜର ବେହିସାବ କ୍ଷତି କରିଛନ୍ତି ।
ପଞ୍ଚମ ନିୟମ
ଦସ୍ୟୁ ଅନ୍ୟର କ୍ଷତି କରିଥାଏ, ନିଜର ଲାଭ କରିଥାଏ । ଉଦାହରଣ ସ୍ୱରୂପ ତାହାର କାର୍ଯ୍ୟ ଦ୍ୱାରା ଯଦି କେହି ୧୦୦ଟଙ୍କା ହରାଇଥାଏ, ତାହାହେଲେ ସେହି ୧୦୦ଟଙ୍କା ଦସ୍ୟୁର ରୋଜଗାର ହୋଇଥାଏ । ତେଣୁ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ସମାଜର ନା ଲାଭ ହୁଏ ନା କ୍ଷତି, ସମାଜ ଯେମିତି ଥିଲା ସେମିତି ଥାଏ । ଅର୍ଥାତ୍ କେବଳ ସମ୍ପୂର୍ଣ୍ଣ ଦସ୍ୟୁମାନଙ୍କ ସମାଜରେ ଅବସ୍ଥା ସ୍ଥିର ଥାଏ, କୌଣସି ବଡ଼ ବିପର୍ଯ୍ୟୟ ସଂଘଟିତ ହୋଇ ନଥାଏ । ଏହିପରି କାର୍ଯ୍ୟଦ୍ୱାରା ବିଶାଳ ଆକାରରେ ସମ୍ପତ୍ତିର କେବଳ ହସ୍ତାନ୍ତର ହିଁ ହୋଇଥାଏ, ସେହିମାନଙ୍କ ହାତକୁ ଯେଉଁମାନେ ଏପରି କାର୍ଯ୍ୟ କରିଥାନ୍ତି । ଚିପୋଲା କହୁଛନ୍ତି ,“ଯଦି ଏପରି ସମାଜର ସବୁ ସଦସ୍ୟ ଏହିଭଳି କାର୍ଯ୍ୟ ପାଳି ପାଳି କରି କରନ୍ତି, ତାହାହେଲେ ସମାଜ କାହିଁକି -ବ୍ୟକ୍ତିଗଣ ମଧ୍ୟ ପୂର୍ଣ୍ଣତଃ ପରିବର୍ତ୍ତନହୀନ ସ୍ଥିର ଅବସ୍ଥାରେ ନିଜକୁ ପାଇବେ ।” ଅପରପକ୍ଷରେ, ଚିପୋଲାଙ୍କ ଭାଷାରେ, “ଯେତେବେଳେ ନିର୍ବୋଧମାନେ କାର୍ଯ୍ୟ କରନ୍ତି, ସେତେବେଳେ କଥା ଭିନ୍ନ । ନିର୍ବୋଧ ବ୍ୟକ୍ତିମାନେ ଅନ୍ୟ ଲୋକଙ୍କର କ୍ଷତି କରିଥାନ୍ତି ସେହି ପରିମାଣରେ ଲାଭ ଏହି ବ୍ୟକ୍ତିମାନଙ୍କ ଖାତାକୁ ଆସେ ନାହିଁ । ତେଣୁ ସମାଜ ସାମଗ୍ରିକ ଦୃଷ୍ଟିରୁ ଗରିବ ହୋଇଥାଏ ।” ଅର୍ଥାତ୍ ନିର୍ବୋଧଙ୍କ କାର୍ଯ୍ୟ ସମାଜ ପାଇଁ ଦସ୍ୟୁଙ୍କ କାର୍ଯ୍ୟ ଅପେକ୍ଷା ଅଧିକ କ୍ଷତିକାରକ ହୋଇଥାଏ । କହିବା ବାହୁଲ୍ୟ ଯେ ଚିପୋଲାଙ୍କ ଦ୍ୱାରା ବର୍ଗୀକୃତ ସମାଜରେ, ଅର୍ଥାତ୍ ଅସହାୟ, ବୁଦ୍ଧିମାନ, ଦସ୍ୟୁ ଓ ନିର୍ବୋଧଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ହେଉଛନ୍ତି ନିର୍ବୋଧ । ଏହାକୁ ପରିଭାଷିତ କରନ୍ତି ଚିପୋଲା ପଂଚମ ନିୟମରେ- ଏକ ନିର୍ବୋଧ ବ୍ୟକ୍ତି ସବୁଠାରୁ ବିପଜ୍ଜନକ ବ୍ୟକ୍ତି (A stupid person is the most dangerous type of person)) ଯାହାର ଉପସିଦ୍ଧାନ୍ତ ହେଉଛି ଏକ ନିର୍ବୋଧ ବ୍ୟକ୍ତି ଦସ୍ୟୁ ଠାରୁ ମଧ୍ୟ ଅଧିକ ମାରାତ୍ମକ (A stupid person is more dangerous than a bandit.)
ନିର୍ବୋଧତାର ସଙ୍କ୍ରମଣ
ଚିପୋଲାଙ୍କ ଏହି ପୁସ୍ତକ ପୂର୍ବରୁ ନିର୍ବୋଧତା ଉପରେ ଆଉ ଏକ ଉଦ୍ଧରଣୀୟ ଅଧ୍ୟୟନ କରିଥିଲେ ଧର୍ମଶାସ୍ତ୍ର(Theology)ରେ ଜର୍ମାନୀ ବିଦ୍ୱାନ ଓ ହିଟଲରଙ୍କ ନାଜୀ ପ୍ରଶାସନର ବିରୋଧୀ ଡିଟ୍ରିଚ ବନହଫର (Dietrich Bonhoeffer) (ଜନ୍ମ ୪ ଫେବୃଆରୀ ୧୯୦୬, ମୃତୁ୍ୟ ୯ ଏପ୍ରିଲ ୧୯୪୫) ଉଲ୍ଲେଖନୀୟ ଯେ ହିଟଲରଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ଡିଟ୍ରିଚ ବନହଫର ଗିରଫ ହୋଇଥିଲେ ଏପ୍ରିଲ ୧୯୪୩ରେ , ବନ୍ଦୀ ହୋଇ ରହିଥିଲେ Tegel ଜେଲରେ, ପରେFlossenbürg କନସେଂଟ୍ରସେନ କ୍ୟାମ୍ପ (concentration camp)ରେ ନିକ୍ଷିପ୍ତ ହୋଇଥିଲେ, ଓ ୯ ଏପ୍ରିଲ ୧୯୪୫ ଦିନ ଫାଶୀ ପାଇଥିଲେ । ((https://en.wikipedia.org/wiki/Dietrich_Bonhoeffer) ଜେଲରେ ଥିବା ସମୟରେ ସେ କିଛି ପତ୍ର ଓ ନିବନ୍ଧ ଲେଖିଥିଲେ ଯାହା, ତାଙ୍କର ମୃତ୍ୟୁ ୬ବର୍ଷ ପରେ, ୧୯୫୧ରେ ପ୍ରକାଶ ପାଇଥିଲା Letters and Papers from Prison ଶିରୋନାମାରେ । ଏହି ସଂକଳନରେ ନିର୍ବୋଧତା ଉପରେ ମନ୍ତବ୍ୟ କରିଥିଲେ ଡିଟ୍ରିଚ ବନହଫର (http://www.onthewing.org/user/Bonhoeffer%20-%20 Theory%20 of %20Stupidity.pdf ) । ତାଙ୍କ ମତରେ “ଦ୍ୱେଷ(malice) ଅପେକ୍ଷା ଭଲ (good)ର ଅଧିକ ବିପଜ୍ଜନକ ଶତ୍ରୁ ହେଉଛି ନିର୍ବୋଧତା (Stupidity) । ଯାହା ମନ୍ଦ ତା ବିରୋଧରେ ପ୍ରତିବାଦ କରାଯାଇପାରେ, ତାକୁ ପଦାରେ ପକାଇ ଦିଆଯାଇପରେ(exposed), ଦରକାର ପଡ଼ିଲେ ବଳପ୍ରୟୋଗ ଦ୍ୱାରା ବାଧା ଦିଆଯାଇପାରେ । ମନ୍ଦ ଭିତରେ ସବୁବେଳେ ଥାଏ ତା ନିଜର ଧ୍ୱଂସର ବୀଜ କାରଣ ଏହା ମଣିଷକୁ ଅନ୍ତତଃ ଅସହଜ କରିଥାଏ । କିନ୍ତୁ ନିର୍ବୋଧତା ବିରୁଦ୍ଧରେ ଆମେ ଅସୁରକ୍ଷିତ (defenseless) । ଏଠାରେ ନା କାମ କରେ ପ୍ରତିବାଦ ନା ବଳ ପ୍ରୟୋଗ; ଯୁକ୍ତି ଶୁଣା ହୁଏ ନାହିଁ ; ତଥ୍ୟ ଯାହା କୁସଂସ୍କାର (prejudgment )କୁ ଭୁଲ ଦର୍ଶାଏ ତାହାକୁ ବିଶ୍ୱାସ କରାଯିବାର ଆବଶ୍ୟକତା ଅନୁଭୂତ ହୁଏ ନାହିଁ- ବରଂ ଏହି ସମୟରେ ନିର୍ବୋଧ ବ୍ୟକ୍ତି ଦୋଷଦର୍ଶୀ (critical) ହୋଇଥାଏ ଏବଂ ଯେତେବେଳେ ତଥ୍ୟ ଅକାଟ୍ୟ ହୁଏ, ସେତେବେଳେ ସେ ଏହାକୁ ଆଡେଇ ଦିଏ ଯେପରି କି ଏହା ଅପ୍ରାସଙ୍ଗିକ (inconsequential) , ଆକସ୍ମିକ (incidenta)ଏହି ସବୁଥିରେ ନିର୍ବୋଧ ବ୍ୟକ୍ତି, ଦ୍ୱେଷୀ ବ୍ୟକ୍ତିଠାରୁ ବିପରୀତ, ଆତ୍ମ-ସନ୍ତୁଷ୍ଟିରେ ବିଭୋର ଥାଏ ଏବଂ ସହଜରେ ବିରକ୍ତ ହୋଇଯାଇ, ବିପଜ୍ଜନକ ହୋଇପଡ଼େ ଆକ୍ରମଣ କରିବାକୁ ଯାଇ । ତେଣୁ ଦ୍ୱେଷୀ ବ୍ୟକ୍ତିଠାରୁ ଅଧିକ ସାବଧାନତାର ଆବଶ୍ୟକତା ଅଛି ଏହି କ୍ଷେତ୍ରରେ । କଦାପି ଆମେ ଚେଷ୍ଟା କରିବା ନାହିଁ ନିର୍ବୋଧ ବ୍ୟକ୍ତିକୁ ତର୍କ ଦ୍ୱାରା ବୁଝାଇବା ପାଇଁ କାରଣ ଏହା ଅର୍ଥହୀନ ଏବଂ ବିପଜ୍ଜନକ । ” ସେ ଲେଖନ୍ତି, “ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅସାଧାରଣଭାବେ କ୍ଷୀପ୍ର, ଧୀସମ୍ପନ୍ନ ଅଥଚ ନିର୍ବୋଧ । ଅପର ପକ୍ଷରେ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ବୌଦ୍ଧିକତା ଦୃଷ୍ଟିରୁ ବେଶ୍ ମାନ୍ଦା, କିନ୍ତୁ ନିର୍ବୋଧ ନୁହନ୍ତି । କେତେକ ବିଶେଷ ପରିସ୍ଥିତିରେ ଏହା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଥାଉ । ଧାରଣା ହୁଏ ଯେ ନିର୍ବୋଧତା ସେପରି ଜନ୍ମଜାତ ତୃଟି ନୁହେଁ ବରଂ କେତେକ ବିଶେଷ ପରିସ୍ଥିତିରେ ଲୋକଙ୍କୁ ନିର୍ବୋଧ କରାଯାଏ ବା ସେମାନେ ଏପରି ଜାଣିଶୁଣି ହୋଇଥାନ୍ତି । ଆମେ ପୁଣି ଦେଖୁ ଯେ ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଥାନ୍ତି ବା ନିର୍ଜ୍ଜନତା (solitude)ରେ ବସବାସ କରନ୍ତି ସେମାନଙ୍କଠାରେ ଏହି ତୃଟି , ସେହିମାନଙ୍କଠାରୁ କମ ଥର ଦେଖାଯାଇଥାଏ ଯେଉଁ ବ୍ୟକ୍ତିମାନେ ବା ବ୍ୟକ୍ତିଙ୍କର ସମୂହ ସାମାଜିକତାରେ ଆବଦ୍ଧ ହୋଇଥାନ୍ତି । ଏବଂ ଏପରି ମନେ ହୋଇପାରେ ଯେ ନିର୍ବୋଧତା ବୋଧହୁଏ କମ୍ ମନସ୍ତାତ୍ତ୍ୱିକ, ବେଶୀ ସାମାଜିକ ସମସ୍ୟା ଅଟେ । ଏହା ଐତିହାସିକ ପରିସ୍ଥିତିର ମନୁଷ୍ୟ ଉପରେ ପ୍ରଭାବର ଏକ ବିଶେଷ ରୂପ, ନିର୍ଦ୍ଦିଷ୍ଟ ବାହ୍ୟିକ ଅବସ୍ଥାର ଏକ ମନସ୍ତାତ୍ତ୍ୱିକ ସହଚାରୀ (concomitant) ଅତି ନିକଟରୁ ଦେଖିଲେ, ଏହା ପ୍ରତୀତ ହୁଏ ଯେ ସାର୍ବଜନୀନ କ୍ଷେତ୍ରରେ କ୍ଷମତାର ପ୍ରତ୍ୟେକ ଶକ୍ତିଶାଳୀ ଉତ୍ଥାନ , ତାହା ରାଜନୈତିକ ବା ଧାର୍ମିକ ହେଉ, ମାନବଜାତିର ଏକ ବଡ଼ଅଂଶକୁ ନିର୍ବୋଧତା ଦ୍ୱାରା ସଙ୍କ୍ରମିତ କରିଥାଏ ।” ବନହଫର କ୍ଷମତା ଓ ନିର୍ବୋଧତା ମଧ୍ୟରେ ସମ୍ପର୍କକୁ ରେଖାଙ୍କିତ କରୁଥିଲେ ଯେତେବେଳେ ସେ କହୁଥିଲେ, “ଜଣକର କ୍ଷମତା ଆବଶ୍ୟକ କରେ ଅନ୍ୟର ନିର୍ବୋଧତା । ଯେଉଁ ପଦ୍ଧତି ଏଠାରେ ଚାଲିଛି ତାହା ଏପରି ନୁହେଁ ଯେ ମନୁଷ୍ୟର ବୁଦ୍ଧି ହଠାତ୍ କ୍ଷୟ ହୋଇଯାଏ ବା କାମ କରେନା । ବରଂ ମନେହୁଏ କ୍ଷମତାର ଉତ୍ଥାନର ଦୁର୍ବାର ପ୍ରଭାବ ଦ୍ୱାରା ମନୁଷ୍ୟମାନେ ସେମାନଙ୍କର ଅନ୍ତଃସ୍ଥ ସ୍ୱାଧୀନତାରୁ ବଂଚିତ ହୁଅନ୍ତି ଏବଂ ସଚେତନ ଭାବେ ଛାଡ଼ି ଦେଇଥାନ୍ତି ଉପୁଜୁଥିବା ପରିସ୍ଥିତିରେ ମତ ରଖିବାର ସ୍ୱାୟତ୍ତତା । ଏହି ସତ୍ୟ ଯେ ନିର୍ବୋଧ ବ୍ୟକ୍ତି ଅଧିକାଂଶ ସମୟରେ ଜିଦ୍ଖୋର ବା ଅନମନୀୟ ହୋଇଥାଏ, ଆମକୁ ଏହା ପ୍ରତି ଅନ୍ଧ କରିଦେବ ନାହିଁ ଯେ ସେ ସ୍ୱାଧୀନ ନୁହେଁ । ତାଙ୍କ (ନିର୍ବୋଧ ବ୍ୟକ୍ତି) ସହ କଥାବାର୍ତ୍ତା ସମୟରେ ଏପରି ଆଭାସ ମିଳେ ଯେପରି କୌଣସି ବ୍ୟକ୍ତି ସହିତ ନୁହେଁ ବରଂ କିଛି ସ୍ଲୋଗାନ, ଘୋଷା ଶବ୍ଦ ବା ସେହିପରି କିଛି ଯାହା ସେ ବ୍ୟକ୍ତିକୁ ଆବିଷ୍ଟ କରିନେଇଛି, ତାହା ଆମେ ଶୁଣୁଛେ । ସେ ଥାଏ ଏକ ସମ୍ମୋହନ ଅବସ୍ଥାରେ, ସେ ହୋଇ ଯାଇଥାଏ ଅନ୍ଧ, ତାହାର ସମସ୍ତ ବ୍ୟକ୍ତିତ୍ୱର ହୋଇଥାଏ ଅପବ୍ୟବହାର ଓ ଦୁର୍ବ୍ୟବହାର । ଏହିଭଳି ଏକ ବୁଦ୍ଧିହୀନ ହତିଆର ହୋଇଯାଇ, ନିର୍ବୋଧ ବ୍ୟକ୍ତି ଯେକୋଣସି ମନ୍ଦ କାର୍ଯ୍ୟ କରି ପାରିବାରେ ସମର୍ଥ ହୁଏ ଏବଂ ସେହି ସମୟରେ ସେ ଦେଖି ପାରିବାରେ ଅସମର୍ଥ ହୋଇଥାଏ ଯେ ସେ ଏକ ମନ୍ଦ କାର୍ଯ୍ୟ କରୁଛି । ଏହିଠାରେ ହିଁ ଉଙ୍କି ମାରେ ପୈଶାଚିକ ଅପବ୍ୟବହାର (diabolical misuse)ର ବିପଦ, କାରଣ ଏହା ହିଁ ସବୁ ସମୟ ପାଇଁ ମନୁଷ୍ୟକୁ ଧ୍ୱଂସ କରିପାରେ ।”
ଉପସଂହାର
ଉପରୋକ୍ତ ଅଧ୍ୟୟନରୁ ଯାହା ଜଣାପଡ଼େ ସମାଜରେ ନିର୍ବୋଧ ବ୍ୟକ୍ତିଙ୍କର ଉପସ୍ଥିତି ଯେପରି ଏକ ସତ୍ୟ । ସବୁବେଳେ ଜନସଂଖ୍ୟାର ଏକ ଅଂଶ ହେଉଛନ୍ତି ନିର୍ବୋଧ । ତେବେ କେହି ନିର୍ବୋଧ ବୋଲି ସମ୍ବୋଧିତ ହେବା ଚାହେଁ ନାହିଁ । ଜନସଂଖ୍ୟାରେ ନିର୍ବୋଧଙ୍କ ଅଂଶ ହ୍ରାସ ପାଉ, ଆଶା କରିବା ଆଦୌ ଅଯୌକ୍ତିକ ହେବ ନାହିଁ ।
Comments
0 comments