ଇତ୍ୟବସରରେ ଆମ ଦେଶ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ତାଙ୍କ ପାର୍ଟିର ସାଂସଦମାନଙ୍କୁ ‘କାଶ୍ମୀର ଫାଇଲ୍ସ’ ନାମକ ଚଳଚିତ୍ରର ଦର୍ଶନୀୟତା ସନ୍ଦର୍ଭରେ ମନ୍ତବ୍ୟ ଦେଉ ଦେଉ କହିପକାଇଛନ୍ତି ଯେ୧ “ପ୍ରଥମ ଥର ପାଇଁ, ଯେତେବେଳେ ଜଣେ ବିଦେଶୀ ଗାନ୍ଧୀଙ୍କ ଉପରେ ଚଳଚ୍ଚିତ୍ର କଲେ ଏବଂ ଏହା ପାଇଁ ପୁରସ୍କୃତ ହେଲେ ସେତେବେଳେ ସାରା ବିଶ୍ୱ ଜାଣିଲା ଯେ ଗାନ୍ଧୀ କେତେ ମହାନ ବ୍ୟକ୍ତି ଥିଲେ ।” ଏହି ବକ୍ତବ୍ୟର ନିଷ୍କର୍ଷ ହୋଇପାରେ ଯେ ଗତ ଚାଳିଶ ବର୍ଷରେ ହିଁ ଗାନ୍ଧୀ ପୃଥିବୀ ସମ୍ମୁଖରେ ତାଙ୍କର ମହାନତା ପାଇଁ ପରିଚିତି ଲାଭ କରିଛନ୍ତି । କାରଣ ଚଳଚିତ୍ର ‘ଗାନ୍ଧୀ’ ରୂପେଲି ପର୍ଦ୍ଦା ଉପରକୁ ଆସିଲା ୧୯୮୨ ମସିହାରେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏପରି ବକ୍ତବ୍ୟ କେତେଦୁର ତଥ୍ୟାଶ୍ରିତ ଓ ସମର୍ଥନୀୟ ତାହା ଏହି ନିବନ୍ଧର ବିଷୟ ବସ୍ତୁ ନୁହେଁ । ଏଥିପାଇଁ ଏହି ଲେଖକର ନିବନ୍ଧ୨ ‘ଆଇନଷ୍ଟାଇନଙ୍କ ପଢା ଘରେ ଗାନ୍ଧୀଙ୍କ ଛବି’ ଆଗ୍ରହୀ ପାଠକ ପଢିପାରନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ବିଦେଶୀ ନିର୍ଦ୍ଦେଶକଙ୍କ କଥା କହୁଛନ୍ତି ସେ ହେଲେ ବ୍ରିଟିଶ ଅଭିନେତା ରିଚାର୍ଡ ଆଟେନବୋରୋ (୨୯ ଅଗଷ୍ଟ ୧୯୨୩-୨୪ ଅଗଷ୍ଟ ୨୦୧୪) ଓ ଯେଉଁ ପୁରସ୍କାର କଥା ଉଠାଇଛନ୍ତି ସେ ପୁରସ୍କାର ହେଉଛି ଯୁକ୍ତରାଷ୍ଟ୍ର ଆମେରିକାରେ Academy of Motion Picture Arts and Sciences (AMPAS) ଦ୍ୱାରା ଦିଆଯାଉଥିବା ପ୍ରତିିଷ୍ଠିତ ଓସ୍କାର ବା ଅକାଦେମୀ ପୁରସ୍କାର । ଗାନ୍ଧୀ ଚଳଚ୍ଚିତ୍ର ବିଭିନ୍ନ ବିଭାଗରେ ସମୁଦାୟ ଆଠଟି ଓସ୍କାର ପୁରସ୍କାର ପାଇଥିଲା । ରିଚାର୍ଡ ଆଟେନବୋରୋ ଉଭୟ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓସ୍କାର ପୁରସ୍କାର ପାଇଥିଲେ । ଗାନ୍ଧୀ ଭୂମିକାରେ ଅଭିନୟ କରିଥିବା ବେନ କିଂଗସ୍ଲେ ଅଭିନୟ ପାଇଁ ଓସ୍କାର ପୁରସ୍କାର ପାଇଥିଲେ । ଏହା ଜାଣିବା ରୋଚକ ହୋଇପାରେ ଯେ ବେନ କିଂଗସ୍ଲେ(ଜନ୍ମ ୩୧ ଡିସେମ୍ବର ୧୯୪୩)ଙ୍କର ମୂଳ ନାଁ ହେଉଛି କ୍ରିଷ୍ଣା ପଣ୍ଡିତ ଭାଂଜୀ ; ତାଙ୍କର ପିତା ଥିଲେ ଜଣେ ଖୋଜା ଗୁଜରାଟି ଓ ମାତା ଥିଲେ ଇଂରାଜ ଅଭିନେତ୍ରୀ । ଏହି ଚଳଚ୍ଚିତ୍ରକୁ ବିଂଶ ଶତାବ୍ଦୀର ୩୪ତମ ସର୍ବଶ୍ରେଷ୍ଠ ବ୍ରିଟିଶ ଚଳଚ୍ଚିତ୍ର ବୋଲି ବ୍ରିଟିଶ ଫିଲ୍ମ ପ୍ରତିଷ୍ଠାନ (The British Film Institute)ଘୋଷଣା କରିଥିଲା ।
କିନ୍ତୁ ଏହି ନିବନ୍ଧର ଉଦ୍ଦେଶ୍ୟ ହେଉଛି ପାଠକଙ୍କୁ ଅବଗତ କରାଇବା ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରସ୍ତୁତି ପଛରେ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ପ୍ରୋତ୍ସାହନକୁ ଚଳଚିତ୍ରର ନିର୍ଦେଶକ ଓ ପ୍ରଯୋଜକ ରିଚାର୍ଡ ଆଟେନବୋରୋ କିପରି ସ୍ମରଣ କରନ୍ତି୩ା
ଆଟେନବୋରୋ ଯାଇଥାନ୍ତି ଗୋଟିଏ ଆର୍ଟ ଗ୍ୟାଲେରୀକୁ ଯେଉଁଠାରେ ଶିଳ୍ପିମାନେ ଦେଇଥିବା ସେମାନଙ୍କର କଳାକୃତ୍ତିର ନିଲାମ ଡକା ହେଉଥାଏ ଯାହାର ଆୟ ଚ୍ୟାରିଟି କାର୍ଯ୍ୟରେ ବିନିଯୋଗ ହେବ ବୋଲି ଘୋଷଣା ହୋଇଥାଏ । ଏହି କଳାକୃତ୍ତି ଗୁଡିକର ଗୋଟିଏ କ୍ୟାଟଲଗ ସେ ଧରିଲେ ଓ ସେଥିରେ ଦେଖିଲେ ଗୋଟିଏ ଧାଡି, କେବଳ ଲେଖା ହୋଇଛି ‘A Bust by Epstein’ । କେଉଁ ବ୍ୟକ୍ତିଙ୍କର ଏହି ଆବକ୍ଷ ମୂର୍ତି (Bust) ସେଥିରେ ଲେଖା ନ ଥିଲା । Jacob Epstein (10 November 1880-19 August 1959) ଥିଲେ ଜଣେ ପ୍ରସିଦ୍ଧ ବ୍ରିଟିଶ-ଆମେରିକୀୟ ଭାସ୍କର (Sculptor)) । Epsteinଙ୍କ କଳାକୃତ୍ତି ସଂଗ୍ରହ ଯୋଗ୍ୟ ବୋଲି ଆଟେନବୋରୋ ମନେ କରିଥିବା ସ୍ୱାଭାବିକ । ତେଣୁ ଯେତେବେଳେ ସେ ଏହାକୁ ନିଲାମ ଧରନ୍ତି ସେତେବେଳେ ଦେଖନ୍ତି ଏହା ହେଉଛି ବ୍ରୋଂଜରେ ପ୍ରସ୍ତୁତ ଜବାହାଲାଲ ନେହରୁଙ୍କର ସୈାମ୍ୟ ଆବକ୍ଷ ମୂର୍ତି । ଯେତେବେଳେ ସେ ଏହି ମୂର୍ତିକୁ ନେଇ ଘରେ ପହଂଚିଲେ, ଆଟେନବୋରୋ ଲେଖୁଛନ୍ତି, ‘ସେତେବେଳେ ମୁଁ ଭାବି ନଥିଲି ଯେ ଏହି ନାଁ ଓ ଏହାଙ୍କ ଚାରିପଟେ ଥିବା ସବୁ କିଛି, ତାଙ୍କ ଦେଶ ମୋ ଉପରେ ଅତି ଶୀଘ୍ର ଏକ ସ୍ଥାୟୀ ଗଭୀର ପ୍ରଭାବ ପକାଇବାକୁ ଯାଉଛି ।’ ଏହା ୧୯୬୨ର ଘଟଣା । ଘରେ ପହଂଚିବାର କିଛି ଘଂଟା ପରେ, କୈାଣସି ପୂର୍ବ ସୂଚନା ନ ଥାଇ ଏକ ଟେଲିଫୋନ ଆସେ । ସେ ପଟୁ କହୁଥାନ୍ତି ମୋତିଲାଲ କୋଠାରୀ -ପ୍ରବର୍ତାଇବା ପାଇଁ ଚେଷ୍ଟା କରୁଥାନ୍ତି ଆଟେନବୋରୋଙ୍କୁ ଯେ ସେ ମାହତ୍ମା ଗାନ୍ଧୀଙ୍କ ଜୀବନ ଉପରେ ସେ ଏକ ଚଳଚ୍ଚିିତ୍ର କରନ୍ତୁ । ସେତେବେଳେ ମୋତିଲାଲ କୋଠାରୀ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଅଫିସରେ ଚାକିରି କରୁଥିଲେ ଓ ଜଣେ ଗାନ୍ଧୀବାଦୀ ଥିଲେ । ଆଟେନବୋରୋ କିନ୍ତୁ ସେତେବେଳେ କେବଳ ଜଣେ ଅଭିନେତା ଥିଲେ, ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଅଭିଜ୍ଞତା ନ ଥିଲା, ପ୍ରଯୋଜନାରେ ତାଙ୍କର ପ୍ରବେଶ ସଦ୍ୟ ହେଉଥିଲା । ଗାନ୍ଧୀ ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ପ୍ରସ୍ତାବ ପାଇବାର କିଛି ସପ୍ତାହ ଭିତରେ ସେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ସମ୍ମୋହନରେ ପଡିଗଲେ ଓ ତାଙ୍କରି ଭାଷାରେ ‘ପ୍ରଥମ ଥର ପାଇଁ ବ୍ୟାକୁଳ ଭାବରେ ଚାହିଁଲି ନିର୍ଦ୍ଦେଶକ ହେବା ପାଇଁ , କେବଳ ଏହି ଗୋଟିଏ ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ରର ପ୍ରସ୍ତୁତି ପାଇଁ ।’ ଜଣାଯାଏ କୋଠାରୀ ମହାଶୟ ଆଟେନବୋରୋଙ୍କୁ ଲୁଇ ପିଂଶରଙ୍କ ଲିଖିତ ଗାନ୍ଧୀଙ୍କ ଜୀବନୀ ପଢିବାକୁ ପରାମର୍ଶ ଦେଇଥିଲେ । ଏହି ପୁସ୍ତକ ପଢି ହିଁ ଗାନ୍ଧୀଙ୍କ ମୋହରେ ପଡିଯାଇଥିଲେ ଆଟେନବୋରୋ୪ – ‘”I must admit to being totally enthralled from the word go.”
କିନ୍ତୁ ଆଟେନବୋରୋ ବୁଝିଥିଲେ ଯେ ଏତେ ବଡ ଗୋଟିଏ ଚଳଚ୍ଚିତ୍ର ପାଇଁ ଭାରତ ସରକାରଙ୍କ ପୃଷ୍ଠପୋଷକତା ନିହାତି ଆବଶ୍ୟକ ତା ନ ହେଲେ ଏହାର ନିର୍ମାଣ ସମ୍ଭବ ହେବ ନାହିଁ । ସେଥିପାଇଁ ଆଟେନବୋରୋ ଖୋଜୁଥିଲେ ଏପରି ବ୍ୟକ୍ତିଙ୍କୁ ଯିଏ ଭାରତ ସହିତ ତାଙ୍କର ସମ୍ପର୍କ କରାଇ ଦେଇ ପାରିବ । ସେ ଏଥିପାଇଁ ମନେପକାଇଲେ ତାଙ୍କର ବନ୍ଧୁ ମାଉଂଟବେଂଟନ (୧୯୦୦-୧୯୭୯)କୁ ଯିଏ ଏକଦା ଥିଲେ ଭାରତରେ ବ୍ରିଟିଶ ଶାସନର ଶେଷ ଭାଇସରାୟ ଓ ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ । ମାଉଂଟବେଂଟନ ତାଙ୍କର କାର୍ଯ୍ୟକାଳରେ ନେହରୁ ଓ ଗାନ୍ଧୀଙ୍କ ସହ ବହୁତ ଘନିଷ୍ଠ ଥିଲେ । ମାଉଂଟବେଂଟନ ଜଣାଇଲେ ଆଟେନବୋରୋଙ୍କୁ ଯେ ଗାନ୍ଧୀଙ୍କ ଉପରେ ଚଳଚ୍ଚିତ୍ର କରିବାର ପ୍ରସ୍ତାବ ପ୍ରତି ପଣ୍ଡିତ ନେହରୁଙ୍କର ସମ୍ମତି ଅଛି । ଏହି ସମ୍ବାଦ ଆଟେନବୋରୋଙ୍କୁ ଉତ୍ସାହିତ କରିଥିଲା । ସେ ନେହରୁଙ୍କୁ ସାକ୍ଷାତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ନେହରୁଙ୍କ ଘରୋଇ ସଚିବ ଶ୍ରୀ ଏସ ପି ଖାନ୍ନା ଆଟେନବୋରୋଙ୍କୁ ଜଣାଇଲେ ଯେ ସେ ୨୬ ମଇ ୧୯୬୩ , ରବିବାର ଦିନ ସକାଳ ସାଢେ ଆଠଟା ସମୟରେ ନେହରୁଙ୍କୁ ଦେଖା କରିପାରିବେ ।
ଆଟେନବୋରୋ ଖାନ୍ନା ମହାଶୟଙ୍କ ଦପ୍ତରରେ ସକାଳ ଆଠଟା ପାଖାପାଖି ପହଂଚିଗଲେ । ଦେଖୁଥିଲେ କିପରି ବହୁ ଲୋକଙ୍କର ଭିଡ ଜମିଛି ଓ ଲୋକେ ଫାଇଲ ପତ୍ର ଧରି ଆତଯାତ ହେଉଛନ୍ତି । ଖାନ୍ନା ମହାଶୟ ଅତି ସନ୍ତର୍ପଣରେ ଆଟେନବୋରୋଙ୍କୁ ଅନୁରୋଧ କରୁଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସହ କଥୋପକଥନ ବେଳେ ସେ ଯେପରି ସମୟ ଉପରେ ଦୃଷ୍ଟି ଦେବେ ଏବଂ ଅଧ ଘଂଟାଏ ଭିତରେ କଥୋପକଥନ ସାରିବେ । ଆଟେନବୋରୋ ଖାନ୍ନାଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ।
ନିର୍ଦ୍ଧାରିତ ସାଢେ ଆଠଟା ବେଳେ ପ୍ରଧାନମନ୍ତ୍ରୀଙ୍କ କୋଠରୀ ଭିତରକୁ ଆଟେନବୋରୋ ପ୍ରବେଶ କଲେ ; ଦେଖୁଥିଲେ ନେହରୁ ବସିଛନ୍ତି, ଆଗରେ ଏକ ବଡ ଟେବୁଲ । ଆଟେନବୋରୋଙ୍କୁ ଦେଖି ନେହରୁ ଠିଆ ହୋଇ ପଡିଲେ, ପ୍ରଣାମ ଜଣାଇ ଅଭିବାଦନ କଲେ ଓ ତାଙ୍କୁ ସ୍ଥାନ ଗ୍ରହଣ ପାଇଁ ଅନୁରୋଧ କଲେ ।
ନେହରୁ କହୁଥିଲେ ମାଉଂଟବେଂଟେନଙ୍କ ସହ କଥା ହୋଇଛନ୍ତି । ସେ ସନ୍ତୋଷ ପ୍ରକାଶ କରୁଥିଲେ ଯେ ଗାନ୍ଧୀଜୀଙ୍କ ଜୀବନ ଉପରେ ଏକ ଚଳଚ୍ଚିତ୍ର ହେବାକୁ ଯାଉଛି । ଚଳଚ୍ଚିତ୍ରଟି କିପରି ହେବ ସେ ସମ୍ପର୍କରେ ଆଟେନବୋରୋ ଯେପରି ଅତି ଖୋଲା ମନରେ କହିପାରିବେ ସେଥିପାଇଁ ନେହରୁ ତାଙ୍କୁ ଉତ୍ସାହିତ କରିଥିଲେ । ଆଟେନବୋରୋଙ୍କ ଭାଷାରେ, “Managing immediately to dispel any feeling of formality, he encouraged me to talk freely about my enthusiasm and aspirations as far as the film was concerned.” ନେହରୁ ଚାହୁଁଥିଲେ ଯେ ଗାନ୍ଧୀଙ୍କ ଉପରେ ଚଳଚ୍ଚିତ୍ର ଗାନ୍ଧୀଙ୍କର ନୀତି ଓ ଆଦର୍ଶକୁ ଦର୍ଶାଇବା ଉଚିତ, କୈାଣସି ଘଟଣାର ଟିକିନିଖି ବର୍ଣ୍ଣନା ଯେପରି ତାରିଖ ବା ସମୟକୁ ଉଲ୍ଲେଖ କରିବା ଉପରେ ତାଙ୍କର ସେପରି ଗୁରୁତ୍ୱ ନ ଥିଲା । ସେ ଆଟେନବୋରୋଙ୍କୁ ପଚାରୁଥିଲେ, ଯେ ପ୍ରସ୍ତାବିତ ଚଳଚ୍ଚିତ୍ରରେ ଗାନ୍ଧୀଙ୍କର କେଉଁ ପ୍ରମୁଖ ଗୁଣ ଗୁଡିକୁ ଓ ତାଙ୍କ ଜୀବନର କେଉଁ ପ୍ରମୁଖ ଘଟଣା ଗୁଡିକୁ ଦେଖାଯିବ ? ଆଟେନବୋରୋ କୁହନ୍ତି, “ମୁଁ ଗାନ୍ଧୀଙ୍କ ଜୀବନର କେତୋଟି ପ୍ରମୁଖ ନାଟକୀୟ ମୁହୂର୍ତର ଉଲ୍ଲେଖ କରିଥିଲି ।”(I mentioned several major dramatic moments in Gandhi’s life”) ନେହରୁ ଏହି ଘଟଣା ଗୁଡିକୁ ଶୁଣୁ ଶୁଣୁ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ସ୍ମରଣ କରିବା ଆରମ୍ଭ କରି ଦେଲେ, ତାଙ୍କ ଜୀବନ ଉପରେ ଓ ତାଙ୍କ ସମସାମୟିକ ବ୍ୟକ୍ତିମାନଙ୍କ ଜୀବନ ଉପରେ ଓ ପରିଶେଷରେ ଭାରତର ଭବିଷ୍ୟତ ଉପରେ ଏହାର ପ୍ରଭାବ ସମ୍ପର୍କରେ କହୁଥିଲେ । ଆଟେନବୋରୋଙ୍କୁ ମନେ ହେଉଥିଲା ଯେପରି ନେହରୁଙ୍କୁ ହୃଦବୋଧ ହେଉଛି ଯେ ଚଳଚ୍ଚିତ୍ରଟି ଗାନ୍ଧୀଙ୍କ ସମ୍ପର୍କରେ କହିବାକୁ ଯାଇ କୋଟି କୋଟି ଜନତାଙ୍କୁ ଗାନ୍ଧୀଙ୍କର ଅପରିକଳ୍ପନୀୟ ଶକ୍ତି ସହିତ ପରିଚୟ କରାଇ ପାରିବ । ନେହେରୁ ଯେପରି ଆଟେନବୋରୋଙ୍କୁ ମନେ ପକାଇ ଦେଉଥିଲେ ଗାନ୍ଧୀଙ୍କର ସେହି ଅମର ବାକ୍ୟ ଯେ ‘ ମୋ ଜୀବନ ହିଁ ମୋର ବାର୍ତା’ (My life is my message) ।
ଆଟେନବୋରୋ ଲେଖୁଛନ୍ତି ଏହି କଥୋପକଥନରେ ସେ ଏତେ ଉତ୍ସାହିତ ହୋଇ ଯାଇଥିଲେ ଯେ ତାଙ୍କୁ ଲାଗୁଥିଲା “ମାତ୍ର ପାଂଚ, ଛଅ ମିନିଟ କଥା ହୋଇଥିବି । କିନ୍ତୁ ଘଂଟା ଦେଖିବା ବେଳକୁ ନ’ଟା ହେଲାଣି । ମୁଁ ଉଠି ବାହାରିବାର ଉପକ୍ରମ କଲି । ପ୍ରଧାନମନ୍ତ୍ରୀ ପଚାରିଲେ, ‘ଆରେ କ’ଣ କୁଆଡେ ଚାଲିଲ?’ ମୁଁ କହିଲି, ‘ସାର୍ , ନ’ଟା ବାଜିଲାଣି ।’ ସେ କହିଲେ, ‘ହଁ,ହଁ । କିନ୍ତୁ ଆମର ସରି ନାହିଁ ଯେ । ତୁମେ ବସି ପଡ ।’ ଶେଷକୁ ସେ ତାଙ୍କ ଚଉକିରୁ ଉଠିଲେ ଓ ଗୋଟିଏ ଆଲବମ କାଢିଲେ ।” ଆଲବମରେ ଥିବା ପ୍ରତିଟି ଫଟ ଯେପରି କୈାଣସି ଐତିହାସିକ ଘଟଣା ବା କୈାଣସି ବିରଳ ଘରୋଇ ମୁହୂର୍ତକୁ ସ୍ମରଣ କରାଇ ଦେଉଥିଲା । ଆଟେନବୋରୋ ଭାବୁଥିଲେ ତାଙ୍କ ପାଖରେ ଟେପରେକର୍ଡରଟିଏ ଥାନ୍ତା କି-ଯାହାଦ୍ୱାରା ସେ ଭବିଷ୍ୟତ ପାଇଁ ଏହି ବିରଳ ବ୍ୟକ୍ତିଗତ ସଂସ୍ମରଣ ଗୁଡିକୁ ଧରି ନେଇ ପାରିଥାନ୍ତେ ଯାହା ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟକୁ ଜୀବନ୍ତ ଓ ବିଶ୍ୱସନୀୟ କରିବାରେ ସହାୟକ ହୋଇଥାନ୍ତା । ଆଟେନବୋରୋ ଓ ପ୍ରଧାନମନ୍ତ୍ରୀ ନେହରୁ ହାମ୍ବୁଡାଇ ପଡିଥିଲେ ଆଲବମ ଉପରେ ଓ ଲେଉଟାଇ ଚାଲିଥିଲେ ପୃଷ୍ଠା ପରେ ପୃଷ୍ଠା । ଆଟେନବୋରୋଙ୍କ ଭାଷାରେ, “The Prime Minister and I were by now on our hands and knees poring over more and more photographs.” ସେହି ସମୟରେ କବାଟ ଖଟଖଟ କରି ଜଣେ ସଚିବ କୋଠରୀ ଭିତରକୁ ପଶିଲେ । ପ୍ରଧାନମନ୍ତ୍ରୀଙ୍କୁ ସେ ତାଙ୍କ ଚଉକିରେ ନ ଦେଖି ଅପ୍ରତିଭ ହୋଇ ପଡିଲେ ଓ ଗୋଟିଏ କାଗଜ ତାଙ୍କ ହାତକୁ ବଢାଇଦେଲେ । ନେହରୁ କାଗଜଟି ଉପରେ ନଜର ବୁଲାଇ ଆଣିଲେ , କହିଲେ ‘ହଉ, ହଉ ’ । ସଚିବ ଚାଲିଗଲେ । ଆଟେନବୋରୋ ଲେଖୁଛନ୍ତି, “ଆମେ କଥା ବାର୍ତାରେ ଲାଗି ରହିଲୁ । ପ୍ରତ୍ୟେକ ମୁହୂର୍ତରେ କୈାଣସି ନା କୈାଣସି ନୂଆ ଦିଗ ଉନ୍ମୋଚିତ ହେଉଥିଲା ଯାହା ଚଳଚ୍ଚିତ୍ର ପାଇଁ ଲେଖା ପ୍ରସ୍ତୁତି ବେଳେ ବ୍ୟବହାର ଯୋଗ୍ୟ ମନେ ହେଉଥିଲା । ମୁଁ ସଠିକ କହିପାରୁ ନାହିଁ ଯେ କେତେ ସମୟ ମୁଁ ସେଠାରେ ରହିଲି । କିନ୍ତୁ ଏତିକି ଜାଣିଛି ଯେ ମୋତେ ଯେତିକି ସମୟ ଦିଆ ଯାଇଥିଲା ତାଠାରୁ ଅଧିକ ସମୟ ସେଠାରେ ଥିଲି । ଶେଷକୁ ପ୍ରଧାନମନ୍ତ୍ରୀ ମହୋଦୟ କହିଲେ, ‘ମୁଁ ଚାହେଁ ତୁମେ ଆଉ କେତେ ଜଣଙ୍କୁ ଭେଟ, ଆମର କେତେକ ଅଧିକାରୀଙ୍କ ସହିତ, ଅବଶ୍ୟ ମୋ ଝିଅ ସହିତ ।’” ଏହା କହି ସାରି ନେହରୁ ଫୋନ ପାଖକୁ ଗଲେ ଏବଂ ଫୋନ କଲେ ଘରକୁ; କହୁଥିଲେ, “ମୁଁ ଜଣେ ଇଂରାଜ ଅଭିନେତା ଓ ପ୍ରଯୋଜକ ରିଚାର୍ଡ ଆଟେନବୋରୋଙ୍କୁ ତୁମକୁ ଦେଖା କରିବା ପାଇଁ ପଠାଉଛି । ସେ ବାପୁଙ୍କ ଉପରେ ଏକ ଚଳଚ୍ଚିତ୍ର ତିଆରି କରିବାକୁ ଯାଉଛନ୍ତି ।” ଏହା ପରେ ନେହରୁ ଆଟେନବୋରୋଙ୍କୁ କହୁଥିଲେ, “ମୋ ଝିଅ ତୁମକୁ ଦେଖି ଖୁସି ହେବ ଏବଂ ତୁମେ ନିଶ୍ଚିତ ଆସିବ ଓ ମତେ ଦେଖା କରିବ ।” ନେହରୁ ନିଜେ କବାଟ ଖୋଲିଲେ ଆଟେନବୋରୋଙ୍କୁ ବିଦାୟ ଦେବା ପାଇଁ । ଆଟେନବୋରୋ ଲେଖନ୍ତି, “He opened the door to the outer office.” ବାହାରି ଆସି ଆଟେନବୋରୋ ଦେଖୁଥିଲେ ଏକ ବିରାଟ ଜନ ସମାଗମ, ଲୋକେ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ । ସେ ମଧ୍ୟ ଦେଖୁଥିଲେ ପ୍ରଧାନମନ୍ତ୍ରୀଙ୍କର ଘରୋଇ ସଚିବ ଶ୍ରୀଯୁକ୍ତ ଖାନ୍ନାଙ୍କୁ ଯାହାଙ୍କୁ ସେ କଥା ଦେଇଥିଲେ ଯେ ମାତ୍ର ଅଧ ଘଂଟା ପାଇଁ ସେ ନେହରୁଙ୍କୁ ସାକ୍ଷାତ କରିବେ ବୋଲି , କିନ୍ତୁ ଏହା ହୋଇ ପାରି ନ ଥିଲା । ତେଣୁ ଯେତେବେଳେ ଖାନ୍ନା ମହାଶୟ ଆଟେନବୋରୋଙ୍କ ଆଡକୁ ଅନାଉଥିଲେ, ସେତେବେଳେ ଆଟେନବୋରୋ ଭୟଙ୍କର ଭାବେ ବିବେକ ଦ୍ୱାରା ଦଂଶିତ ହେଉଥିଲେ । ତାଙ୍କରି ଭାଷାରେ, “I immediately suffered a dreadful pang of conscience as I saw Mr. Khanna’s kind but plainly stricken face, looking towards us .”
ଛଅ ମାସପରେ, ନଭେମ୍ବର ମାସରେ, ପୁଣି ଆଟେନବୋରୋ ନେହରୁଙ୍କୁ ଦେଖା କଲେ, ତିନ ମୂର୍ତି ବାସ ଭବନରେ । ସେ ଦେଖୁଥିଲେ କେତେ ଦୂର୍ବଳ ହୋଇ ଯାଇଛନ୍ତି ନେହରୁ -ଏହି ଛଅ ମାସ ଭିତରେ! ଏହା ନେହରୁଙ୍କ ସହ ତାଙ୍କର ଦ୍ୱିତୀୟ ଓ ଶେଷ ସାକ୍ଷାତକାର ଥିଲା କାରଣ ନେହରୁଙ୍କ ମୃତ୍ୟୁ ହୋଇଥିଲା, ପ୍ରାୟ ୬ ମାସ ପରେ, ୨୭ ମଇ ୧୯୬୪ ଦିନ । କିନ୍ତୁ ଏହି ଦୁର୍ବଳ ଅବସ୍ଥାରେ ମଧ୍ୟ ନେହରୁ ସମସ୍ତ ଉଷ୍ମତା ସହିତ ଆଟେନବୋରୋଙ୍କୁ ଅଭିବାଦନ ଜଣାଇଲେ ଓ ଚଳଚ୍ଚିତ୍ର ପରିକଳ୍ପନା କେତେ ଦୂର ଆଗେଇଛି ସେ ବିଷୟରେ ଜାଣିବାକୁ ଚାହିଁଲେ । ଆଟେନବୋରୋ ଜାଣି ପାରୁଥିଲେ ଚଳଚ୍ଚିତ୍ର ପାଇଁ ଆବଶ୍ୟକୀୟ ଉପାଦାନ ସମ୍ପର୍କରେ ନେହରୁ ବେଶ ସଚେତନ ଥିଲେ ଓ ଯେପରି ସେ ମନେ ମନେ ଖୋଜୁଥିଲେ ଏପରି ବ୍ୟକ୍ତିଙ୍କୁ ଯିଏ ଚଳଚ୍ଚିତ୍ରର ଯୋଜନାକୁ ଚଳାଇ ରଖିବା ପାଇଁ ଗାନ୍ଧୀଙ୍କ ସମ୍ପର୍କରେ ଜାଣିଥିବା ବିଶେଷଜ୍ଞମାନଙ୍କ ସହ ‘ଆମର’ ସମ୍ପର୍କ କରାଇ ଦେଇ ପାରିବ । ଏହି କାର୍ଯ୍ୟପାଇଁ ସେ ବାଛି ଥିଲେ ତାଙ୍କ କନ୍ୟା ଇନ୍ଦିରାଙ୍କୁ । ଆଟେନବୋରୋ ଲେଖୁଛନ୍ତି, “ଏହା ଅଦ୍ଭୂତ ମନେ ହୋଇପାରେ, କାରଣ ସେ ସମୟରେ ଇନ୍ଦିରା କୈାଣସି ଆଫିସିକ ପଦବୀରେ ନଥିଲେ । ଅବଶ୍ୟ ସେ ଯେ ସମସ୍ତଙ୍କୁ ଜାଣିଛନ୍ତି, ଏହା ମୁଁ ମୋର ପୂର୍ବ ଗସ୍ତ ସମୟରେ ଜାଣିଥିଲି । ଏବଂ ସେ ମଧ୍ୟ ପ୍ରସ୍ତାବିତ ଚଳଚ୍ଚିତ୍ର ସମ୍ପର୍କରେ ଖୁବ ଉତ୍ସାହୀ ଥିଲେ । ପ୍ରଧାନମନ୍ତ୍ରୀ କହୁଥିଲେ ଯେ ଆମେ ଯେତେବେଳେ ଯାହା ଜାଣିବାକୁ ଚାହିଁବୁ ଇନ୍ଦିରା ସେଥିପାଇଁ ତାଙ୍କୁ ସାହାଯ୍ୟ କରିବେ ।” ଆଉ ଇନ୍ଦିରାଙ୍କର ନିରବିଚ୍ଛିନ୍ନ ସାହାଯ୍ୟ ଫଳରେ, ଆଟେନବୋରୋ କୁହନ୍ତି ସମ୍ଭବ ହୋଇପାରିଲା ଗାନ୍ଧୀ ଚଳଚ୍ଚିତ୍ରର ପ୍ରଯୋଜନା । ଆଟେନବୋରୋଙ୍କ ଭାଷାରେ, “ଏହା ପ୍ରକୃତରେ ସେ କରିଥିଲେ , ପରବର୍ତି ୧୭ବର୍ଷରେ ସମସ୍ତ ଉତ୍ଥାନ ଓ ପତନ ସତ୍ୱେ, ଏବଂ ଶେଷକୁ ପୂର୍ଣ୍ଣତଃ ଇନ୍ଦିରାଜୀଙ୍କ ସାହାଯ୍ୟ, ସମର୍ଥନ, ଆଗ୍ରହ ଓ ଉଦାରତା ଯୋଗୁଁ ହିଁ ଗାନ୍ଧୀ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିଲା । ” (“This indeed she did through all the ups and downs of the next seventeen years and in the end , of course, it was entirely due to Indiraji’s help, advocacy, interest and magnanimity that the Gandhi film came to be made.” )
ଗାନ୍ଧୀ ଚଳଚ୍ଚିତ୍ର ମୁକ୍ତି ଲାଭ କରିଥିଲା ୧୯୮୨ ନଭେମ୍ବର ମାସରେ ନେହରୁଙ୍କ ମୃତ୍ୟୁର ପ୍ରାୟ ୧୮ ବର୍ଷ ପରେ । ଏହି ସମୟ ଖଣ୍ଡରେ ଇନ୍ଦିରା, ୧୯୬୬ରେ ପ୍ରଧାନମନ୍ତ୍ରୀ ହେଲେ, ୧୯୭୭ରେ କଂଗ୍ରେସ ଦଳର ପରାଜୟ ଫଳରେ ଇନ୍ଦିରା ପ୍ରଧାନମନ୍ତ୍ରୀ ପଦରୁ ବିଚ୍ୟୁତ ହେଲେ, ପୁଣି ୧୯୮୦ରେ କଂଗ୍ରେସ କ୍ଷମତାକୁ ଫେରିଲା ଓ ଇନ୍ଦିରା ପୁଣି ପ୍ରଧାନମନ୍ତ୍ରୀ ହେଲେ, ଉଡାଜାହଜ ଦୁର୍ଘଟଣାରେ ସାନ ପୁଅକୁ ହରାଇଲେ-କିନ୍ତୁ କୈାଣସି ସମୟରେ ଗାନ୍ଧୀ ଚଳଚ୍ଚିତ୍ର ପାଇଁ ତାଙ୍କର ଆଗ୍ରହ ଉଣା ହୋଇ ନ ଥିଲା ଆଟେନବୋରୋ ତ ଏହି ଚଳଚ୍ଚିତ୍ରର ସଫଳ ପ୍ରସ୍ତୁତି ପାଇଁ ସମସ୍ତ ଶ୍ରେୟ ଇନ୍ଦିରାଙ୍କୁ ଦେଉଥିଲେ, ତାଙ୍କର ସମର୍ଥନ, ଆଗ୍ରହ ଓ ଉଦାରତାକୁ । ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ National Film Development Corporation (NFDC) ସହପ୍ରଯୋଜକ ଭାବେ ସାମିଲ ହେଲା ଓ ଏହା ଜରିଆରେ ଭାରତ ସରକାର ୬କୋଟି ୩୮ଲକ୍ଷ ଟଙ୍କା ଚଳଚ୍ଚିତ୍ର ପ୍ରଯୋଜନାରେ ନିବେଶ କଲେ । ଯାହା ସମୁଦାୟ ବ୍ୟୟ, ୧୭କୋଟି ଟଙ୍କାର ପ୍ରାୟ ଏକ ତୃତୀୟାଂଶ ଥିଲା୫ । ଆଟେନବୋରୋ ଯୁକ୍ତରାଷ୍ଟ୍ର ଆମେରିକାର ନୁ୍ୟୟର୍କ ସହରରେ ଏକ ସମାବେଶରେ କହୁଥିଲେ୬, “ଶ୍ରୀମତୀ ଗାନ୍ଧୀ ଏହି ଚଳଚ୍ଚିତ୍ର ପ୍ରକଳ୍ପର ଅଭିଭାବକ ଥିଲେ । ସେ କୈାଣସି ଦାବି କରି ନଥିଲେ । କେବଳ ତିନୋଟି ଛୋଟିଆ ଛୋଟିଆ ପରାମର୍ଶ ଦେଇଥିଲେ ।…. କିନ୍ତୁ କହିଥିଲେ ଯେ ସରକାର ତୁମର ଚିତ୍ରନାଟ୍ୟକୁ ଅନୁମୋଦନ କରିବେ ନାହିଁ । ଚଳଚ୍ଚିତ୍ର ତୁମର କଳାତ୍ମକ କୃତି ଏବଂ ତୁମେ ସେହିଭଳି କର ଯେପରି ତୁମେ ଚାହୁଁଛ ।”
କହିବା ବାହୁଲ୍ୟ ଯେ ନେହରୁଙ୍କ ପ୍ରତିଶୃତି ଅନୁସାରେ ଇନ୍ଦିରା ଆଟେନବୋରୋଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲେ । କିନ୍ତୁ ଦ୍ୱିତୀୟ ଥର ସାକ୍ଷାତକାର ପୂର୍ବରୁ ଆଟେନବୋରୋ ନେହରୁଙ୍କୁ ଗାନ୍ଧୀ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଦେଇଥିଲେ ଯାହା ସମ୍ପର୍କରେ ନେହରୁ କହିଥିଲେ ଯେ ଯଦିଓ ସେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଦେଖିଛନ୍ତି, ତାକୁ ତନ୍ନ ତନ୍ନ କରି ପଢିବାକୁ ସମୟ ପାଇ ନାହାନ୍ତି । ତେବେ ତାଙ୍କର ପରାମର୍ଶ ଥିଲା ଯେ ଚଳଚ୍ଚିତ୍ରରେ ପ୍ରଦର୍ଶନ ପାଇଁ ମୂଖ୍ୟ ଚରିତ୍ର ଗୁଡିକର ଚୟନ ଖୁବ ଭାବି ଚିନ୍ତି କରାଯିବା ଉଚିତ । ଅବଶ୍ୟ, ସେ ମନେ କରୁଥିଲେ ଯେ ଏହା ସମ୍ଭବ ନୁହେଁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ସବୁ ମୁଖ୍ୟ ନେତୃତ୍ୱଙ୍କୁ ବା ସବୁ ବ୍ରିଟିଶ ଚରିତ୍ରମାନଙ୍କୁ ଅନ୍ତର୍ଭୁକ୍ତ କରିବା । ସେ ମଧ୍ୟ ଏହା ସପକ୍ଷରେ ନ ଥିଲେ ଯେ ଉପରଠାଉରିଆ ଭାବରେ ଟାଣି ଓଟାରି କୈାଣସି ଚରିତ୍ରକୁ ଅନ୍ତର୍ଭୁକ୍ତ କରାଯାଉ । ତାଙ୍କର ପରାମର୍ଶ ଥିଲା ଯେ କମ ସଂଖ୍ୟାରେ ବ୍ୟକ୍ତିଙ୍କର ଉଲ୍ଲେଖ ଏପରି ହେଉ ଯେପରି ସେମାନେ ସମସ୍ତ ମୁଖ୍ୟ ଚରିତ୍ରମାନଙ୍କୁ ପ୍ରତିନିଧିତ୍ୱ କରିପାରୁଥିବେ । କୈାଣସି ବାଦବିବାଦ ବା ସଙ୍କଳ୍ପର ନାଟକୀୟ ଓ ନିଖୁଣ ଉପସ୍ଥାପନା ପାଇଁ ଚଳଚ୍ଚିତ୍ର ଭିତରେ ଘଟଣା ଗୁଡିକୁ କାଂଟଛାଂଟ କରିବା ବା କିଛି ନାଟକୀୟ ପରିବେଶ ସୃଷ୍ଟି କରିବା ସପକ୍ଷରେ ସେ ଥିଲେ । ଏହି ଭଳି ଆଉ କିଛି କଥାବାର୍ତା ପରେ ଯେତେବେଳେ ଆଟେନବୋରୋ ନେହରୁଙ୍କଠାରୁ ବିଦାୟ ନେବାକୁ ଉଠିଲେ ସେତେବେଳେ ନେହରୁ ଦ୍ୱାର ଦେଶ ଯାଏ ଆସି ତାଙ୍କୁ ବିଦାୟ ଜଣାଇଲେ । ଆଟେନବୋରୋ ଲେଖୁଛନ୍ତି ଯେ ଯେତେବେଳେ ସେ ଟ୍ୟାକ୍ସିରେ ବସିବାକୁ ଯାଉଛନ୍ତି ନେହରୁ ପଛରୁ କହିବାର ସେ ଶୁଣୁଥିଲେ- ‘ତୁମେ ଯାହା କର , ଗାନ୍ଧୀଜୀଙ୍କ ଚରିତ୍ର ଉପରେ ଦେବତ୍ୱ ଲଦି ଦେବ ନାହିଁ ଆମେ ଭାରତରେ ଏହା ହିଁ କରି ଦେଇଛୁ – ସେ ଏତେ ବିରାଟ ମଣିଷ ଯେ ତାଙ୍କ ଉପରେ ଦେବତ୍ୱ ଲଦା ଯାଇ ପାରେ ନା’ (‘Whatever you do, do not deify Gandhiji-that is what we have done in India-and he was too great a man to be deified.’) ଏହା ଥିଲା ନେହରୁଙ୍କ ଶେଷ ବାକ୍ୟ ଯାହା ଆଟେନବୋରୋଙ୍କ ଭାଷାରେ, “ଏକ କଷଟି ପଥର (touchstone) ସଦୃଶ ହୋଇ ରହିଲା ମୋର ଅବଶିଷ୍ଟ ଜୀବନ କାଳରେ ।” (‘remain my touchstone throughout all the years that would follow’) ନେହରୁଙ୍କର ଏହି ଭଳି ବାକ୍ୟ ଶୁଣି ଅଭିଭୂତ ଆଟେନବୋରୋ ଲେଖନ୍ତି, “ଏଥିପାଇଁ ଓ ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ତାଙ୍କର ଅନନ୍ୟ ଅବଦାନ ପାଇଁ ତାଙ୍କ ନିକଟରେ ମୁଁ ସବୁବେଳେ କୃତଜ୍ଞ । ଏହି ଚଳଚ୍ଚିତ୍ର କେବଳ ମୋ ଜୀବନକୁ ବଦଳାଇ ଦେଇ ନାହିଁ , ଏହା ମଧ୍ୟ ସୁଯୋଗ ଦେଇଛି ବିଶ୍ୱରେ କୋଟି କୋଟି ଜନତାଙ୍କୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଛି ଜାଣିବା ପାଇଁ ଓ ବୁଝିବା ପାଇଁ ଯେ ପରିବର୍ତନ ହିଂସା ବାଟରେ ନ ଯାଇ ମଧ୍ୟ ସମ୍ଭବ ।”
ସ୍ୱଭାବିକ ଆଟେନବୋରୋ ଗାନ୍ଧୀ ଚଳଚ୍ଚିତ୍ରକୁ ନେହରୁ , ମାଉଂଟବେଂଟେନ ଓ କୋଠାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏ ତିନିହେଁ ଇହଧାମରେ ନ ଥିଲେ ଯେତେବେଳେ ଗାନ୍ଧୀ ଚଳଚ୍ଚିତ୍ର ୧୯୮୨ ମସିହାରେ ମୁକ୍ତି ଲାଭ କଲା । ଚଳଚ୍ଚିତ୍ରଟି ବେଶ ଲୋକପ୍ରିୟ ତ ହୋଇଥିଲା ସାରା ବିଶ୍ୱରେ ଓ ଆର୍ଥିକ ଦୃଷ୍ଟିରୁ ଏହାର ସଫଳତା ମଧ୍ୟ ଅଭୂତପୂର୍ବ ଥିଲା । ସଂଗ୍ରହର ପରିମାଣ ଥିଲା ୧୨୭୮ ଲକ୍ଷ ଆମେରିକୀୟ ଡଲାର ଯେତେବେଳେ ଚଳଚ୍ଚିତ୍ର ପ୍ରଯୋଜନାରେ ପାଖାପାଖି ଖର୍ଚ୍ଚ ହୋଇଥିଲା ୨୨୦ ଲକ୍ଷ ଆମେରିକୀୟ ଡଲାର । ଅର୍ଥାତ୍ ଲାଭ ପ୍ରଚୁର ହୋଇଥିଲା୭ । ତେବେ ଏତେ ଲାଭରୁ କେତେ ଅଂଶ National Film Development Corporation of India ପାଇଲା ତାକୁ ନେଇ ବେଶ ବିତର୍କ ହୋଇଥିଲା । ଯଦିଓ ମୂଳଧନ ଫେରି ଆସିଛି ବୋଲି ଅଧିକାରୀ ମାନେ କହୁଥିଲେ କିନ୍ତୁ ସୁଧ ସମ୍ପୂର୍ଣ୍ଣ ଭାବରେ ପଇଠ ହୋଇ ନାହିଁ ବୋଲି ଅଭିଯୋଗ ହେଉଥିଲା । ଏପରି ଅଭିଯୋଗର ପ୍ରତିକ୍ରିୟାରେ National Film Development Corporation ଜଣେ ସ୍ୱନାମଧନ୍ୟ ବୋର୍ଡ ସଦସ୍ୟ ଓ ଚଳଚ୍ଚିତ୍ର ବିତରକ ଓ ପ୍ରଯୋଜକ ଗୁଲଶନ ରାଏ କହିଥିଲେ୮, “ମୁଖ୍ୟ କଥା ହେଉଛି ଯେ ଏହା ଗାନ୍ଧୀଜୀଙ୍କ ଶିକ୍ଷାକୁ ପ୍ରସାର କରିବାର ଲକ୍ଷ୍ୟ ହାସଲ କରିଛି ।”(“The important fact is that it has already achieved the object of propagating Gandhiji’s teachings.” ) ଏହା ଭିନ୍ନ କଥା ଯେ National Film Development Corporation ପରିଚାଳନା ନିର୍ଦ୍ଦେଶକ ସଂସଦୀୟ କମିଟି ସମ୍ମୁଖରେ କହିଥିଲେ୫, “ଆପଣମାନେ ସମସ୍ତେ ଅବଗତ ଥିବେ ଯେ ଗାନ୍ଧୀ ଚଳଚ୍ଚିତ୍ରଟି ଖୁବ ଭଲ କରୁଛି ଏବଂ ଆମେ ଆଶା କରୁଛୁ ଯେ ଯାହା ଆମେ ନିବେଶ କରିଛୁ ତାହାକୁ କେବଳ ଫେରି ପାଇବୁ ନାହିଁ, ବରଂ ଅନୁନ୍ୟ ସେହି ପରିମାଣରେ ଆମେ ଲାଭ ଆକାରରେ ପାଇବୁ । ୧୯୮୪-୮୫ ବେଳକୁ ଏପରି ସ୍ଥିତିରେ ପହଂଚିବା ସମ୍ଭବ ହେବ । ” ( “As you are all aware, this film (Gandhi) is doing extremely well and we hope to get back not only. our investment but at least the same amount also by way of profit. This stage will be reached only during 1984·85..”)
ଗାନ୍ଧୀ ଚଳଚ୍ଚିତ୍ରର ନିର୍ମାଣ ପାଇଁ ସାହାଯ୍ୟ ପ୍ରାର୍ଥୀ ହୋଇ ରିଚାର୍ଡ ଆଟେନବୋରୋ ଭାରତକୁ ଆସିଥିଲେ ନେହରୁଙ୍କୁ ସାକ୍ଷାତ କରିବାକୁ । ଏହା ତାଙ୍କର ଭାରତକୁ ପ୍ରଥମ ଗସ୍ତ ଥିଲା । କିନ୍ତୁ ନେହରୁଙ୍କର ବ୍ୟକ୍ତିତ୍ୱ ଦ୍ୱାରା ସେ ଏତେ ପ୍ରଭାବିତ ହୋଇଗଲେ ଯେ ଭାରତ ସହିତ ତାଙ୍କର ବନ୍ଧୁତ୍ୱ ବେଶ ଗଭୀର ହୋଇଗଲା । ବାରମ୍ବାର ଭାରତକୁ ଆସିଲେ । ଗାନ୍ଧୀ ଚଳଚ୍ଚିତ୍ର ମୁକ୍ତି ହେବାର ୫ ବର୍ଷ ପୂର୍ବରୁ ସତ୍ୟଜିତ ରାୟଙ୍କ ଦ୍ୱାରା ନିର୍ଦେଶିତ ହିନ୍ଦି ଚଳଚ୍ଚିତ୍ର ‘ସତରଂଜ କେ ଖିଲାଡି’ ୧୯୭୭ ରେ ମୁକ୍ତି ଲାଭ କରିଥିଲା ଓ ସେଥିରେ ରିଚାର୍ଡ ଆଟେନବୋରୋ ଅଭିନୟ କରିଥିଲେ, General Outram ଭୂମିକାରେ । ନେହରୁଙ୍କର ପ୍ରଭାବର ଗଭୀରତାକୁ ସ୍ମରଣ କରି ରିଚାର୍ଡ ଆଟେନବୋରୋ ଗାନ୍ଧୀ ବିଦ୍ୱାନ ଭିଖୁ ପାରେଖଙ୍କୁ କହୁଥିଲେ ଆଦ୍ୟ ୬୦ ଦଶକରେ ନେହରୁଙ୍କ ସହ ତାଙ୍କର ସାକ୍ଷାତ କିପରି ଚଳଚ୍ଚିତ୍ରର ଚରିତ୍ର ବଦଳାଇ ଦେଲା (“changed the character of the film”) । ନେହରୁଙ୍କ ଶେଷ ବାକ୍ୟକୁ ମନେ ରଖିଥିଲେ ଆଟେନବୋରୋ ଚଲଚ୍ଚିତ୍ରର ନିଦେ୍ର୍ଦଶନା ବେଳେ । ଭିଖୁ ପାରେଖ ସ୍ମରଣ କରନ୍ତି୯ ଆଟେନବୋରୋ ତାଙ୍କୁ କହିଥିବାର ଯେ, “ଚଳଚ୍ଚିତ୍ରରେ ଗାନ୍ଧୀ ଏକ ମହାନ ବ୍ୟକ୍ତି ହୋଇ ଦୃଶ୍ୟମାନ ହୋଇଛନ୍ତି ଯାହାଙ୍କର ଦୋଷ ତୃଟି ରହିଛି ଏବଂ ଯିଏ ମଣିଷ ହୋଇ ରହିବାରୁ ବିରତ ହୋଇ ନାହାନ୍ତି-ତାଙ୍କୁ ଏକ ସନ୍ଥ କରିବାର ପ୍ରବଣତା ସତ୍ୱେ ।” ( “In the movie, Gandhi emerges as a great man who has his mistakes and doesn’t cease to be a human — against the tendency to make him a saint.”) ଆଟେନବୋରୋ ବୁଝିଥିଲେ ସାଥୀ ମଣିଷର ଅଧିକାର ଓ ତାର ମର୍ଯ୍ୟାଦାର ବୃଦ୍ଧି ଓ ସୁରକ୍ଷା ପାଇଁ ନେହରୁଙ୍କର ପ୍ରତିବଦ୍ଧତାକୁ , ବୁଝିଥିଲେ ଆଧୁନିକ ରାଜନୈତିକ ଭାବନା ଉପରେ ପଣ୍ଡିତ ନେହରୁଙ୍କ ପ୍ରଭାବର ଗଭୀରତା । ତାଙ୍କ ଭାଷାରେ, “Panditji’s own impact on modern political thinking has, of course, been profound..”
ଗାନ୍ଧୀ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ପରେ ଲଣ୍ଡନଠାରେ ସ୍ଥାପନା ହେଲା Gandhi Foundation ୧୦ ଅକ୍ଟୋବର ୧୯୮୩ ଦିନ ଓ ଏହାର ପ୍ରଥମ ସଭାପତି ହେଲେ ରିଚାର୍ଡ ଆଟେନବୋରୋ ଓ ଭିଖୁ ପାରେଖ ହୋଇଥିଲେ ଉପସଭାପତି । ରିଚାର୍ଡ ଆଟେନବୋରୋଙ୍କର ୨୪ ଅଗଷ୍ଟ ୨୦୧୪ରେ ମୃତ୍ୟୁ ପରେ ଭିଖୁ ପାରେଖ ହେଲେ ସଭାପତି । ରିଚାର୍ଡ ଆଟେନବୋରୋ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ(୧୯୮୩), ବ୍ରିଟିଶ ସରକାରଙ୍କ ଦ୍ୱାରା ସାର୍ ଉପାଧିରେ ଭୂଷିତ ହୋଇଥିଲେ (୧୯୭୬) ଓ ଲର୍ଡ ସଭାର ମଧ୍ୟ ସଦସ୍ୟ ହୋଇଥିଲେ(୧୯୯୩) ।
ଆଜି ଯେତେବେଳେ ନେହରୁଙ୍କ ବ୍ୟକ୍ତିତ୍ୱକୁ ସଙ୍କୁଚିତ କରିବାର ଏକ ସଚେତନ ଉଦ୍ୟମ ହେଉଥିବାର ଦେଖା ଯାଉଛି ସେତେବେଳେ ଗାନ୍ଧୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲର୍ଡ ରିଚାର୍ଡ ଆଟେନବୋରୋଙ୍କର ନେହରୁଙ୍କ ପ୍ରତି ଗଭୀର ସମ୍ମାନବୋଧକୁ ସ୍ମରଣ କରିବା ବେଶ ପ୍ରାସଂଗିକ ।
ବ୍ୟବହୃତ ଉପାଦାନ ସୂଚୀ
1.The Kashmir Files: Did The World Know About Gandhi After 1982 Movie? News Desk 18 March 2022 8:58 PM , https://hwnews.in/shows/news-report/the-kashmir-files-did-the-world-know-about-gandhi-after-1982-movie-1348586
- ‘ଆଇନଷ୍ଟାଇନଙ୍କ ପଢାଘରେ ଗାନ୍ଧୀଙ୍କ ଛବି’, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧-୧୫ ଏପ୍ରିଲ ୨୦୨୨, ପୃ ୧୮
3.Memories of the Making of Gandhi, Richard Attenborough, Who is Bharat Mata, Purushottam Agrawal, Speaking Tiger Books LLP, New Delhi, 2019, pp.460-466
4.‘How a Film Became Something More’,https://www.mkgandhi-sarvodaya.org/short/ev43.htm
5 Committee on Public Undertakings(1982-83)(Seventh Lok Sabha) Seventy-fifth Report on National Film Development Corporation Ltd. , Financing of Films & Theatres(Ministry of Information & Broadeasting) Presented 1o Lok Sabha and Laid in Rajya Sabha on 29.4.1983 , Lok Sabha Secretariat , New Delhi, pp.15-6
6.Gandhi:Reliving the legend Ben Kingsley, Rohini Hattangady, Edward Fox, Roshan Seth ,Madhu Trehan ,August 26, 2013 ,Issue Date: December 15, 1982 ,Updated: September 15, 2014
- https://en.wikipedia.org/wiki/Gandhi_(film)#cite_ref-intl_30-1
- “If Gandhi is such a spectacular success, what’s happened to the profits?”,Coomi Kapoor , May 31, 1984 ,ISSUE DATE: May 31, 1984, UPDATED: April 18, 2014, https://www.indiatoday.in/magazine/society-the-arts/films/story/19840531-if-gandhi-is-such-spectacular-success-what-happens-to-profits-owed-to-nfdc-803662-1984-05-31
9. Nehru and the making of Gandhi, the movie,Written by Kumar Anand | Vadodara | August 26, 2014 ,https://indianexpress.com/article/cities/ahmeda
Comments
0 comments