ପ୍ରଫେସର ଭଗବତ ପ୍ରସାଦ ଥିଲେ ଜଣେ ଗାନ୍ଧିବାଦୀ ଓ ସର୍ବୋଦୟ କର୍ମୀ । ସମଦୃଷ୍ଟିର ମେ ୧-୧୫/ ୧୬-୩୧, ୨୦୦୬ ସଂଖ୍ୟାରେ ସେ “ସମୟ କେବେ ‘ହିନ୍ଦ୍ସ୍ୱରାଜ୍ୟ’ର ପୂର୍ଣ୍ଣଛେଦ ଟାଣିବ ନାହିଁ” ଶୀର୍ଷକରେ ଯେଉଁ ଲେଖାଟି ଲେଖିଥିଲେ ତାହା ଆଜିର ଦିନରେ ବହୁତ ପ୍ରାସଙ୍ଗିକ ମନେହୁଏ । ସେହି ଦୃଷ୍ଟିରୁ ଆଜିର ଏହି ଉପସ୍ଥାପନା ।
ଗାନ୍ଧୀଙ୍କ ପ୍ରାସଙ୍ଗିକତାକୁ ସେ ଏହି ଲେଖାଟିରେ ପୁଣି ଥରେ ତର୍ଜ୍ଜମା କରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ, ପାଶ୍ଚାତ୍ୟ ଢାଞ୍ଚାରେ ଶିକ୍ଷିତ ମଣିଷଟିଏ ପାଇଁ, ସ୍ୱାଧୀନତା, ସମତା ଓ ସଂହତି ଇତ୍ୟାଦି ଆଦର୍ଶ ଅନେକ ପ୍ରେରଣା ଯୋଗାଇଥାଏ । ଏହି ଆଦର୍ଶଗୁଡ଼ିକ ପାଇଁ ଗାନ୍ଧୀଙ୍କ ‘ହିନ୍ଦ୍ ସ୍ୱରାଜ’ ପୁସ୍ତକରେ କ’ଣ କିଛି ବାର୍ତ୍ତା ନାହିଁ?
ଏମିତି ଅନେକ ପ୍ରଶ୍ନ ଲେଖାଟି ଭିତରେ ଆମେ ଦେଖିବାକୁ ପାଇବା ଯାହା ଆଜିର ଦିନରେ ବହୁତ ପ୍ରାସଙ୍ଗିକ ମନେହେବ । ଯେମିତି, “ଆଜିର ମଣିଷଟି ସତରେ କେତେ ସ୍ୱାଧୀନ? ପ୍ରାଚୀନ କାଳରେ ଗୌତମ ବୁଦ୍ଧ ଉପଯୁକ୍ତ ଜୀବିକା ଚୟନକୁ ସିଦ୍ଧିପ୍ରାପ୍ତି ପାଇଁ ଏକ ଆଦର୍ଶ ବୋଲି ବିଚାର କରୁଥିଲେ । ଗୋଟିଏ ମଣିଷ ଯେ ନିଜର ଜୀବିକା ପାଇଁ ଅନ୍ୟ ଏକ ମଣିଷ ଉପରେ ନିର୍ଭରଶୀଳ, ସେ କ’ଣ ନିଜ ପଥଟି ନିଜେ ବାଛି ପାରିବ? ଆଜି ଆମେରିକାରେ ଚାକିରୀ କରୁଥିବା ଲୋକମାନଙ୍କ ଭିତରୁ ଶତକଡ଼ା ୮୦ଭାଗ କମ୍ପାନୀମାନଙ୍କ ଅଧୀନରେ କାମ କରନ୍ତି? ଆପଣ ଜାଣନ୍ତି ଏହି କମ୍ପାନୀମାନଙ୍କର ଈଶ୍ୱର କିଏ? ଲାଭ ହିଁ ଏମାନଙ୍କର ଭଗବାନ?
ଗୌତମବୁଦ୍ଧ ଅତି ସ୍ପଷ୍ଟ ଭାବେ ଉପଯୁକ୍ତ ଜୀବିକା ଅନ୍ୱେଷଣକାରୀଙ୍କ ସମୂହ ଭିତରୁ ସାମରିକ ବିଭାଗ ଏବଂ ପଶୁ ହତ୍ୟାକାରୀମାନଙ୍କୁ ବାଦ ଦେଇଥିଲେ । ଯୁଦ୍ଧ ବ୍ୟବସ୍ଥାରେ ଲିପ୍ତ ମଣିଷମାନେ କେତେ ମୁକ୍ତ, କେତେ ସ୍ୱାଧୀନ?
ପଶ୍ଚିମ ଜଗତରେ ଜନ୍ମ ନେଇଥିବା ‘ମୁକ୍ତି’ର ପ୍ରାୟ ସବୁ ଚିନ୍ତକମାନେ, ସଂକୀର୍ଣ୍ଣ ମନୋଭାବସମ୍ପନ୍ନ ଥିଲେ । ଜନ୍ ଷ୍ଟୁଆର୍ଟ ମିଲ୍, ଭାରତୀୟମାନଙ୍କୁ ତାଙ୍କ ନିର୍ଦ୍ଧାରିତ ସଭ୍ୟଜଗତରୁ ବାଦ ଦେଇଥିଲେ ।
ପୁଷ୍ଟିକର ଏବଂ ବିଷମୁକ୍ତ ଖାଦ୍ୟ ଖାଇ, ସ୍ୱଚ୍ଛ ପାଣି ପିଇ ଏବଂ ବାୟୁମଣ୍ଡଳଟିକୁ ପ୍ରଦୂଷଣ ମୁକ୍ତ ରଖି ଏ ଦୁନିଆରୁ ଅନେକ ରୋଗକୁ ନିପାତ କରିହେବ । ଏସବୁ ଉପରେ ଗୁରୁତ୍ୱ ନଦେଇ ଆଧୁନିକ ବିକାଶ ରୋଗ ହେଲା ପରେ ଯେଉଁ ଚିକିତ୍ସା ଦିଆଯାଏ ତା’ଉପରେ ହିଁ ଗୁରୁତ୍ୱ ଦେଇଥାଏ ।
ବଜାରରୁ ଜିନିଷ କିଣିବାର ସ୍ୱାଧୀନତା (ଯାହାକି କେବଳ ଗୋଟିଏ ଅତି କ୍ଷୁଦ୍ର ଶ୍ରେଣୀ ହିଁ କରିପାରିବେ) କ’ଣ ସେହିଭଳି ଏକ ସ୍ୱାଧୀନତା ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିପାରିବା? ତା’ହେଲେ ସତ୍ୟ, ସୌନ୍ଦର୍ଯ୍ୟ ବା ଭଲ ପାଇଁ ଚାଲିଥିବା ଆମର ଅନ୍ୱେଷଣର ପ୍ରୟାସ କେତେବାଟ ଚାଲିବ? ଏମିତିକି ଆମର ପ୍ରାଚୁର୍ଯ୍ୟ ଭିତରେ ଥିବା ଲୋକମାନଙ୍କ ସ୍ୱଭାବ ଏବଂ ପରିସ୍ଥିତିକୁ ନେଇ ଯଦି ଦେଖାଯାଏ ଏଭଳି ଏକ ସ୍ୱାଧୀନତା ପାଇଁ ସେମାନେ ବି କ’ଣ ସକ୍ଷମ ଅଛନ୍ତି କି?
ଗାନ୍ଧିଜୀ ହରିଜନ ପତ୍ରିକାରେ (ମେ ୨୭, ୧୯୩୯)ରେ ବ୍ୟକ୍ତ କରିଥିଲେ, ‘ମୁଁ ବ୍ୟକ୍ତିଗତ ସ୍ୱାଧୀନତାକୁ ମୂଲ୍ୟବାନ ମନେକରେ । କିନ୍ତୁ ତୁମେ ଏକଥା ଭୁଲିଯିବା ଉଚିତ ହେବନି ଯେ ମଣିଷ ବାସ୍ତବରେ ଜଣେ ସାମାଜିକ ପ୍ରାଣୀ’ । ଗାନ୍ଧିଜୀ ପୁଣି ଥରେ କହିଥିଲେ, ‘ଯଦି ବ୍ୟକ୍ତିଟିର ହିସାବ ନ କରାଯାଏ, ତେବେ ସମାଜରେ ବାକି ଆଉ କଣ ରହିବ? ବ୍ୟକ୍ତିର ସ୍ୱାଧୀନତାକୁ ଅସ୍ୱୀକାର କରି କୌଣସି ସମାଜ ନିର୍ମାଣ କରିବା ସମ୍ଭବପର ହେବନାହିଁ’ ।
ଅହିଂସା ବିନା ସତ୍ୟ ତା’ର ମୌଳିକତା ହରାଇ ବସେ, ବର୍ବରତାକୁ ପ୍ରଶ୍ରୟ ଦିଏ, ବିଚାରହୀନତାକୁ ପ୍ରୋତ୍ସାହନ ଦିଏ । ସତ୍ୟ ବିନା ଅହିଂସାର ବି ଅନୁରୂପ ଅବସ୍ଥା ହୋଇଥାଏ । ସେହି ଦୃଷ୍ଟିରୁ ସତ୍ୟ ଓ ଅହିଂସା ଉଭୟ ପରସ୍ପର ସହ ସଂଶ୍ଳିଷ୍ଟ । ଗାନ୍ଧିଜୀଙ୍କ ଅହିଂସା ମୃତ୍ୟୁକୁ ବି ଖାତିର କରୁନଥିଲା । ଦଲାଇଲାମାଙ୍କ ଅନୁଗ୍ରହ ସମ୍ପନ୍ନ ଋଷିପ୍ରତିମ ଅହିଂସା ଏବଂ ଶତ୍ରୁପ୍ରତି ଦରଦ ମନୋଭାବ ତିବ୍ବତକୁ ଏକ ଆଗ୍ନେୟ ଉଦଗୀରଣରୁ ରକ୍ଷା କରିଥିଲା । ଗାନ୍ଧୀ ଆଧୁନିକ ସଭ୍ୟତାକୁ ସଇତାନୀ ବୋଲି କହୁଥିଲେ । ଲୋହିଆ ଯେ ଦିନେ ଅନେକ ପାଶ୍ଚାତ୍ୟ ମୂଲ୍ୟବୋଧ ଦ୍ୱାରା ଆକର୍ଷିତ ହେଉଥିଲେ, ସେଥିରୁ ସେ ମୋହମୁକ୍ତ ହୋଇଥିଲେ । ସେଥିପାଇଁ ଲୋହିଆ ୧୯୬୦ର ପ୍ରଥମ ଭାଗରେ ଆମେରିକାରୁ ଫେରିବା ପରେ ଆମେରିକୀୟମାନଙ୍କ ସଭ୍ୟତା ଉପରେ ବିମୁଖ ହୋଇ କହିଥିଲେ ଯେ ସେମାନଙ୍କ ସଭ୍ୟତାଟା ଏକ ରାକ୍ଷସ ସଭ୍ୟତା ।
ସେହିଭଳି ଆମ୍ବେଦକର ମଧ୍ୟ ଯଦିଓ ଗାନ୍ଧୀଙ୍କ ସହ ଭିନ୍ନମତ ପୋଷଣ କରିଥିଲେ, କିନ୍ତୁ ବୁଦ୍ଧଙ୍କ ନୀତିଗୁଡ଼ିକ ଗ୍ରହଣ କରି ଭାରତୀୟ ଚିନ୍ତାଧାରାର ମୁଖ୍ୟସ୍ରୋତକୁ ସେ ଗ୍ରହଣ କରିଥିଲେ ଯାହା ଗାନ୍ଧୀଙ୍କ ମନସ୍ତତ୍ତ୍ୱରେ ଥିବା ଉର୍ବରମାଟିକୁ ଜଳ ଯୋଗାଇ ଆସିଥିଲା । ଗାନ୍ଧୀଙ୍କ ଜୀବନଶୈଳୀ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରାଚୀନ ଋଷି-ମୁନିଙ୍କ ସଂସ୍କୃତିକୁ ମନେ ପକାଇ ଦେଉଥିଲା । ସତ୍ୟ, ଅହିଂସା ଓ ଅପରିଗ୍ରହ ଭଳି ମୂଳଦୁଆ ସୃଷ୍ଟି କରୁଥିବା ମୂଲ୍ୟବୋଧକୁ ଈଶ୍ୱରଙ୍କ ସହ ତୁଳନା କରି, ଗାନ୍ଧୀ ଯାହା ପବିତ୍ର ଓ ଯାହା ଧର୍ମ ନିରପେକ୍ଷ କୁହାଯାଇଥାଏ, ସେ ଭିତରେ ଏକ ସେତୁ ନିର୍ମାଣ କରି ପାରିଥିଲେ ।
ରାଜନୀତିର କ୍ଷେତ୍ରଟି ଯାହା ମାକିଆଭେଲି ଓ ଚାଣକ୍ୟଙ୍କ ପଥ ଅନୁସରଣ କରୁଥିବା ଲୋକମାନଙ୍କ ଦଖଲରେ ରହି ଆସିଥିଲା, ଗାନ୍ଧିଜୀଙ୍କ ଆବିର୍ଭାବ ପରେ ଗୋଟିଏ ଅତି ଚମତ୍କାର ପରିସ୍ଥିତି ସୃଷ୍ଟି ହେଲା । ସତ୍ୟ ଓ ଅହିଂସା ଆଉ ରାଜନୀତିରେ ଅଛୁଆଁ ହୋଇ ରହିଲାନି । ସତ୍ୟାଗ୍ରହ ଭଳି ଏକ ଅମୋଘ ଅସ୍ତ୍ରକୁ ଉଦ୍ଭାବନ କରି ଗାନ୍ଧି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ ନିଜ ନିକଟରେ ନତମସ୍ତକ କରାଇଥିଲେ ଏବଂ ଦେଶ ପାଇଁ ସ୍ୱାଧୀନତା ଆଣିପାରିଥିଲେ ।
ଭଗବତ ପ୍ରସାଦ ଆମ ଗହଣରୁ ୨୦୨୦ ମସିହାରୁ ଚାଲିଗଲେଣି । ଅଜିବି ତାଙ୍କର ଅଭାବ ବହୁ ଭାବରେ ଅନୁଭୂତ ହେଉଛି । ତାଙ୍କର ଲେଖା ଗୁଡ଼ିକ ତାଙ୍କର ଅଭାବକୁ କିଛି ପରିମାଣରେ ପୂରଣ କରିବ ବୋଲି ଆଶା ।
Comments
0 comments