ଗତବର୍ଷ ଦେଶରେ ଏକ ବିରୋଧୀ ମେଂଟ ଗଠନ ହେବା କଥା ବିଭିନ୍ନ ଗଣମାଧ୍ୟମ, ଗଣମାଧ୍ୟମ ଓ ସାମାଜିକ ମାଧ୍ୟମଗୁଡ଼ିକରେ ପଢିବାକୁ ଶୁଣିବାକୁ ମିଳିଥିଲା । ସେତେବେଳେ କୁହାଯାଇଥିଲା ଯେ ଏହି ବ୍ଲକର ନାମ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲିଆନ୍ସ ବା ଇଣ୍ଡିଆ ମେଂଟ ରହିବ । ଗତ ଜୁଲାଇ ମାସରେ ବେଙ୍ଗାଲୁରୁଠାରେ ଏକ ଦୁଇଦିନିଆ ବୈଠକ ହେଲା । ଦେଶର ୨୬ଟି ବିରୋଧୀ ରାଜନୈତିକ ଦଳର ନେତା ଏହି ବିଜେପି ବିରୋଧୀ ମେଂଟକୁ ଆସିଲେ ସେଥିରେ କଂଗ୍ରେସ, ଟି ଏମ ସି , ଡିଏମକେ, ଆପ୍, ଜେଡି(ୟୁ), ଆରଜେଡି, ଜେଏମଏମ,ଏନସିପି(ଶରଦ ପାୱାର ଗୋଷ୍ଠୀ), ଶିବସେନା(ୟୁବିଟି ଗୋଷ୍ଠୀ), ଏସପି,ଏନସି,ପିଡିପି, ସିପିଏମ୍, ସିପିଆଇ, ଆଇଆରଏଲଡି, ଏମଡିଏମକେ, କେଏମଡିକେ, ଭିସିକେ, ଆରଏସପି, ସିପିଆଇ(ଏମଏଲ)ଲିବରେସନ,ଫରୱାର୍ଡ ବ୍ଲକ, ଆଇୟୁଏମଏଲ, କେରଳ କଂଗ୍ରେସ(ଯୋଶେଫ ଗୋଷ୍ଠୀ),କେରଳ କଂଗ୍ରେସ (ମଣି), ଅପନା ଦଲ(କାମେରାୱାଦୀ) ଏବଂ ଏମଏମକେ ଆଦି ଦଳ ରହିବେ । ସେତେବେଳେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଆଡୁ କାଳେ ବ୍ଲକର ନାଁକୁ ନେଇ କିଛି ପ୍ରସ୍ତାବ ଆସିଥିଲା । କଂଗ୍ରେସର ରାହୁଲ ଗାନ୍ଧୀ ନୂଆ ମେଂଟର ନାମ ଇଣ୍ଡିଆ ମେଂଟ ରହିବ ବୋଲି ଘୋଷଣା କରିଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଏହି ମେଂଟ ୨୦୨୪ରେ ବିଜେପିକୁ ହରାଇବା, ଭାରତୀୟ ସମ୍ବିଧାନକୁ ବଂଚାଇବା, ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ବଂଚାଇବା, ଅନ୍ତର୍ଭୁକ୍ତି ବିକାଶ କରିବା ଆଦି କାର୍ଯ୍ୟ କରିବ ।
କେନ୍ଦ୍ରରେ ଏପରି ଗୋଟିଏ ମେଂଟ ଗଠନ ହେବା ପରେ ରାଜ୍ୟରେ ମଧ୍ୟ ନେତାମାନେ ଡିଆଁଡେଇଁ ଆରମ୍ଭ କରିଦେଲେ । କଂଗ୍ରେସ ଭବନରେ ଏହି ମେଂଟକୁ ନେଇ ବୈଠକ ହେଲା । ସେଥିରେ ଶାସକ ବିଜେଡି-ବିଜେପିକୁ ବାଦଦେଇ ଅନ୍ୟ ସବୁଦଳ ସାମିଲ ହୋଇଗଲେ । ବିଶେଷକରି ପ୍ରଥମେ ପ୍ରଥମେ ଯେଉଁ ୩ଟା ବୈଠକ ହେଲା ସେଥିରେ ୧୬ରୁ ୧୭ ପର୍ଯ୍ୟନ୍ତ ବିରୋଧୀ ରାଜନୈତିକ ଦଳ ଯୋଗ ଦେଇଥିଲେ । କଂଗ୍ରେସ ଭବନରେ ପ୍ରଥମ ଧଳା ଚାଦର ପକା ମିଟିଙ୍ଗ ପରେ ଲାଗିଲା ଯେ ବିଜେଡି ବିଜେପି ବିରୋଧୀ ରାଜନୈତିକ ଦଳମାନେ ବୋଧେ ଏକାଠି ହୋଇଗଲେ ଓ ନବୀନ ବାବୁଙ୍କ ବିଜେଡି ଓ ତାଙ୍କ ସହଯୋଗୀ ବିଜେପିର ୨୬ବର୍ଷର କ୍ଷମତା ଘଡ଼ା ଭାଙ୍ଗିଲା । ହେଲେ ନିର୍ବାଚନ ଆଉ କେତେଟା ଦିନ ବାକି ଥିବା ବେଳେ ଏବେ ଯେଉଁ ବିରୋଧୀ ରାଜନୈତିକ ଦଳର ନେତାକୁ ପଚାରିଲେ ସେମାନେ ଓଲଟା ପଚାରୁଛନ୍ତି ଇଣ୍ଡିଆ ମେଣ୍ଟ କ’ଣ ଅଛି କି?
କେନ୍ଦ୍ରରେ ଇଣ୍ଡିଆ ମେଣ୍ଟସହିତ ଥିବା ସିପିଆଇ(ଏମ)ର ରାଜ୍ୟ ସଚିବ ଅଳିକିଶୋର ପଟ୍ଟନାୟକଙ୍କୁ ଏ ବିଷୟରେ ପଚାରିବାରୁ ସେ ସିଧା କହିଲେ ଯେ ‘ଓଡ଼ିଶାରେ ଆମର କିଛି ମେଂଟ ନାହିଁ ।’ ଆମେ ଆମ ଦଳପକ୍ଷରୁ ଗୋଟିଏ ଲୋକସଭା ଆସନ(ଭୁବନେଶ୍ୱର) ଓ ୭ଟି ବିଧାନସଭା ଆସନରୁ ପ୍ରାର୍ଥୀ ଦେଇଛୁ । ତେବେ ଯାହା ଜଣାପଡ଼ିଲା ପାର୍ଟି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ ବିଧାନସଭା ଆସନରେ ଲକ୍ଷ୍ମଣ ମୁଣ୍ଡାଙ୍କୁ ଏଥର ପୁଣି ପ୍ରାର୍ଥୀ କରାଯାଇଛି । ଏଠାରେ ଶ୍ରୀ ମୁଣ୍ଡା ଏବେ ବିଧାୟକ ଅଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇ ନାହିଁ । ତେଣୁ ଯାହା ଲାଗୁଛି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀଙ୍କୁ ସିପିଆଇଏମର ସମର୍ଥନ ମିଳିବ । ଇଏ ଏକ ଛୋଟିଆ ବୁଝାମଣା । ତେବେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତାଙ୍କ ଦଳ ଯେଉଁ ସ୍ଥାନରେ ପ୍ରାର୍ଥୀ ଦେଇନାହିଁ ସେ ସ୍ଥାନରେ ସେମାନେ ବିଜେପି-ବିଜେଡିକୁ ହରାଇବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ସିପିଆଇର ବରିଷ୍ଠ ଶ୍ରମିକ ନେତା ସୁର ଜେନା କହିଥିଲେ ଯେ ତାଙ୍କ ଦଳ ନିଜର ପ୍ରାର୍ଥୀ ଦେଇଛି । ସିପିଆଇ(ଏମଏଲ) ଲିବରେସନ ଦଳ ତାଙ୍କ ଦିଲ୍ଲୀରୁ ପ୍ରକାଶିତ ନିର୍ବାଚନ ଇସ୍ତାହାରରେ କହିଛନ୍ତି ସେମାନେ ଇଣ୍ଡିଆ ମେଣ୍ଟ ସହିତ ଅଛନ୍ତି ଓ ଆଗାମୀ ନିର୍ବାଚନରେ ଇଣ୍ଡିଆ ମେଂଟର ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜିତାନ୍ତୁ ବୋଲି ପାର୍ଟିର ରାଜ୍ୟ ମୁଖପାତ୍ର ଲାଲ ଲହରରେ ପ୍ରକାଶିତ ହୋଇଛି । ହେଲେ ରାଜ୍ୟଶାଖାର ଓଡ଼ିଶା ସଚିବ ଯୁଧିଷ୍ଠିର ମହାପାତ୍ର କହୁଛନ୍ତି ଯେ ତାଙ୍କ ଦଳ ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ମେଂଟ ଫେଣ୍ଟ କିଛି ନାହିଁ । ମେଂଟ ହୋଇଥିଲେ ଖୁବ୍ ଭଲ ହୋଇଥାଆନ୍ତା । କିନ୍ତୁ ସବୁଠୁ ବଡ଼ ପାର୍ଟି ହୋଇ ମଧ୍ୟ କଂଗ୍ରେସ ଯେଉଁ ଦାୟିତ୍ୱ ନେବା କଥା ନେଲା ନାହିଁ । କେବଳ ସିପିଆଇଏମଏଲର ମହାପାତ୍ର ବୋଲି ନୁହନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଚିବ ଜ୍ୟୋତିରଂଜନ ମହାପାତ୍ର ମଧ୍ୟ ସେହି କଥା କହିଥିଲେ ଯେ ଓଡ଼ିଶାରେ ଖୁବ ଭଲ ମେଂଟ ହୋଇଥାଆନ୍ତା ଓ ବିଜେଡି-ବିଜେପିର ଫାସିବାଦୀ ଅତ୍ୟାଚାର ଓ ଏବେର ଅଘୋଷିତ ବିଜେଡି-ବିଜେପି ମେଂଟକୁ ହରାଇ ଏଠି ଇଣ୍ଡିଆ ମେଂଟର ସରକାର ହୋଇ ପାରିଥାଆନ୍ତା । ହେଲେ କଂଗ୍ରେସର ଅଣରାଜନୈତିକ ମନୋଭାବ ଯୋଗୁ ଏହା ହୋଇ ପାରିଲା ନାହିଁ । ଜ୍ୟୋତି ମହାପାତ୍ର ଆହୁରି କହିଥିଲେ ଯେ ଯେତେବେଳେ ଇଣ୍ଡିଆ ମେଂଟଣ୍ଟକଥା ଉଠିଲା କଂଗ୍ରେସ ଦଳ ଆମକୁ ଡାକିଲା । ଆମେ ୧୭ଅଣ ବିଜେପି-ବିଜେଡି ଦଳ ପହଂଚିଥିଲୁ ଯଦିଓ ୭ଟି ଦଳ କଂଗ୍ରେସ ସହିତ ଯିବେ ନାହିଁ ବୋଲି ବଏକଟ ମଧ୍ୟ କରିଥିଲେ । ସେଠାରେ ଆମର ନିଷ୍ପତ୍ତି ହୋଇଥିଲା ଯେ ଆମେ ଓଡ଼ିଶାର ଚାରୋଟି ସ୍ଥାନରେ ଚାରୋଟି ବଡ଼ କନେଭେନସନ କରିବୁ । ପ୍ରଥମ କନଭେନସନ ରାୟଗଡାରେ କରିବୁ । କଂଗ୍ରେସ ଭବନକୁ ଯିବାକୁ କେତେକ ଦଳ ରାଜି ନହେବାରୁ ଆମେ ବିଭିନ୍ନ ହୋଟେଲ ଭଡ଼ାରେ ନେଇ ମିଟିଂ କଲୁ । ସାଇ ମନ୍ଦିର ପାଖରେ ଥିବା ଗ୍ରାଣ୍ଡ କନଭେନସନରେ ଯେଉଁ ମିଟିଂ ହେଲା ସେଥିରେ ସାରା ରାଜ୍ୟରୁ ଶହ ଶହ ନେତା ପହଂଚିଥିଲେ । କେନ୍ଦ୍ରରେ ଇଣ୍ଡିଆ ବ୍ଲକରେ ନଥିବା ଆରପିଆଇ, ସମତାକ୍ରାନ୍ତି, ସମୃଦ୍ଧ ଓଡ଼ିଶା ଆହୁରି କେତେ ଦଳ ଜଏନ କଲେ । କିନ୍ତୁ କଂଗ୍ରେସର ଏଠିକା ନେତାମାନେ ଆମେ ଜାଣିନୁ କ’ଣ ପାଇଁ ଆମକୁ ହତାଶ କଲେ । ଏପରିକି ଫୋନ କଲେ ଧରିଲେ ନାହିଁ । ଆମକୁ ଖାଲି ପଚାରିଲେ ତୁମେ କେତେଟା ଆସନରୁ ଜିତିବ ଆଗେ କୁହ । ‘ସପା’ର ରବି ବେହେରା କହୁଛନ୍ତି- ଆମେ ଫୋନ କଲେ ତ ତାଙ୍କ ନେତା ଫୋନ୍ ଉଠାଇଲେ ନାହିଁ ।
ପାଠକେ! ଓଡ଼ିଶାରେ ଇଣ୍ଡିଆ ବ୍ଲକର ବିଶ୍ୱକର୍ମା ଥିଲେ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ । ସେ ଏହି ବ୍ଲକର ଆବାହକ ମଧ୍ୟ ଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ସେ ଆବାହକ ପଦରୁ ୩ମାସ ପାଖାପାଖି ହେଲାଣି ଇସ୍ତଫା ଦେଇ ସାରିଛନ୍ତି । ଆଉ ମେଂଟ କଥା ସିଏ କିଛି ଜାଣିନାହାନ୍ତି । କଂଗ୍ରେସର ଆଉ କେହି ଏ ବିଷୟରେ କିଛି କହିବାକୁ ରାଜି ନୁହନ୍ତି । ତେବେ ଅମୀୟ ପାଣ୍ଡବ କହିଛନ୍ତି ଯେ ଅଫିସିଆଲୀ ସେମିତି କିଛି ମେଣ୍ଟ ହୋଇନାହିଁ । କଂଗ୍ରେସ ବଣାଇଗଡ଼ ଓ ବିରମିତ୍ରପୁରର ବିଧାନସଭା କ୍ଷେତ୍ର ଏବଂ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଦେଇନାହିଁ ।
ତେବେ ଆମେ ବଡ଼ ନେତାମାନଙ୍କଠାରୁ ଯାହା ଜାଣିଲୁ ଓଡ଼ିଶାରେ ତିନୋଟି କାରଣରୁ ଇଣ୍ଡିଆ ମେଂଟ ହାତୀ ପାଡ଼ି ପାରିଲାନି । ପ୍ରଥମ ହେଉଛି ବିଜେଡି ସହିତ କାଳେ କଂଗ୍ରେସର ଗୋଟାଏ ଭିତିରିଆ(ମୋଟା ଅର୍ଥର) ଡିଲ ହୋଇଗଲା । ବିଜେଡ଼ି ଦେଖିଲା ଯେ ମେଂଟ ଯଦି ସତରେ ଦାନା ବାନ୍ଧିଲା ତେବେ ବିଜେପି ବିରୋଧି ସବୁପ୍ରକାରର ଭୋଟ ଯେମିତିକି ସଂଖ୍ୟାଲଘୁ, ଓବିସି, ବସ୍ତି ଭୋଟ, ଉଠା ଦୋକାନୀ, ବିଭିନ୍ନ ଜାତିର ଭୋଟ ମଧ୍ୟ ସେମାନେ ବାଂଟି ନେଇଯିବେ । ତେଣୁ ବିଜେଡି ଡିଲ କଲା ଯେ ମେଂଟ ହାତୀ ରାଜ୍ୟଯାକ ବୁଲୁ ହେଲେ ନ ପାଡ଼ୁ । ଦ୍ୱିତୀୟରେ କଂଗ୍ରେସର ମୁଖିଆ ଭାବିନେଲେ ବିଜେଡି-ବିଜେପି ମେଂଟ ହୋଇଯିବା ପରେ ବିରୋଧୀ ଓ ଅସନ୍ତୁଷ୍ଟ ନେତାମାନେ ସବୁ କଂଗ୍ରେସକୁ ପଶିଆସିବେ ଓ ଲୋକମାନେ ସବୁ କଂଗ୍ରେସକୁ ଭୋଟ ଅଜାଡି ଦେବେ । କଂଗ୍ରେସ ସରକାର କରିଦବ । ଆଉ କାହା ସହିତ କ୍ଷମତା ସେୟାର କରିବା କ’ଣ ଦରକାର? ତେଣୁ କଂଗ୍ରେସ କାହାରିକୁ ନପଚାରି ନିଜର ଏକତରଫା ପ୍ରାର୍ଥୀ ଘୋଷଣା କରିଦେଲା । ତୃତୀୟଟି ହେଲା ଯେଉଁ ବାମପନ୍ଥୀ-ଗଣତାନ୍ତ୍ରିକ ଦଳମାନେ ମେଂଟ ପାଇଁ ଇଛୁକ ଥିଲେ ସେମାନେ ଏତେ ସିଟ ନିଜ ନିଜ ଦଳ ପାଇଁ ଦାବୀ କଲେ ଯେ ତାହା ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନକୁ ଟପିଗଲା । କଂଗ୍ରେସ ପାଇଁ ଆଉ ଆସନ ବଂଚିଲା ନାହିଁ ।
Comments
0 comments