ଚାଷୀ ଓ ଚାଷର ଜନ୍ମ ରହସ୍ୟ

18 Min Read

ଆଦିମ ମଣିଷ ୨.୫ ନିୟୁତ ବର୍ଷ ବଣ ଜଙ୍ଗଲରେ ବୁଲିବୁଲି ଶିକାର ଓ ଫଳମୂଳ ସଂଗ୍ରହକରି ଜୀବନ ରକ୍ଷା କରୁଥିଲା । ବର୍ଷ କୁ ବର୍ଷ ମଣିଷମାନଙ୍କର ସଂଖ୍ୟା ବଢିଲା । ସେମାନେତ ପ୍ରଥମେ ଆଫ୍ରିକାରେ ଜନ୍ମ ନେଇଥିଲେ । କାଳକ୍ରମେ ଏସିଆ,ୟୁରୋପ,ଆମେରିକା ଓ ଅଷ୍ଟ୍ରେଲିଆକୁ ଦଳଦଳ ହୋଇ ଖେଦିଗଲେ । ଲୋକସଂଖ୍ୟା ବଢିବା ସହିତ ଅଧିକ ଖାଦ୍ୟ ଆବଶ୍ୟକ ପଡିଲା । ଜଙ୍ଗଲର ଜୀବଜନ୍ତୁ ବାରହା,ହରିଣ,ଠେକୁଆ,ଜଙ୍ଗଲି ଛେଳି,ମେଣ୍ଢା,ଗାଈଗୋରୁଙ୍କ ସଂଖ୍ୟା କମି ଆସିଲା । ପକ୍ଷୀମାନଙ୍କୁ ପଦା କଲେଣି । ଏତେ ଲୋକଙ୍କୁ ଫଳମୂଳ ପାଇଲାନି । ମୁଣ୍ଡ ଧଇଲା । କଣ ଖାଇବେ ! ଆଗକୁ ଖାଦ୍ୟ ସଙ୍କଟ ଘଟିବ ଜାଣିପାରିଲେ । ଜୀବ ମାତ୍ରେ ବଞ୍ଚିବା ପାଇଁ ବୁଦ୍ଧି ଖଟାଏ । ଡାରଉଇନଙ୍କ ମତବାଦ କୁହେ ଜୀବନ ସଂଗ୍ରାମ ଏକ ଚିରନ୍ତନ ଧାରା ।

ଖ୍ରୀ.ପୂ ୧୦,୦୦୦ ବେଳକୁ ମଣିଷ,ଗାଈ,ଗୋରୁ ଛେଳି,ମେଣ୍ଢାଙ୍କୁ ଶିକାର ନକରି ସେମାନଙ୍କୁ ପୋଷା ମନଇଲା । କୁଡିଆ କରି ଖରା,ବର୍ଷା,ରାତିରେ ବିଶ୍ରାମ ନେବା ଶିଖିଲା । ନିଆଁର ବ୍ୟବହାର ଜାଣିଗଲାଣି । ଏଣିକି କଞ୍ଚା ମାଂସ ନୁହେଁ ପୋଡା ମାଂସର ସ୍ଵାଦ ବାରିଲାଣି । କ୍ଷୀର ଦୁଇଁବା,ଖାଇବା ଜାଣିଲା । ହଡା,ବୁଢ,ଗାଈଗୋରୁ,ଛେଳି ମେଣ୍ଢା ମାରି ମାଂସ ଖାଇଲା । ତଥାପି ଭୋକ ମେଣ୍ଟୁନି। ପ୍ରଥମେ ପ୍ରଥମେ ୨୦୦ ରୁ ଉର୍ଦ୍ଧ ପ୍ରଜାତିର ବଡ ବଡ ଜନ୍ତୁ ଥିଲେ । ଖ୍ରୀ.ପୂ ୮୦୦୦ ବେଳକୁ ସେମାନଙ୍କ ସଂଖ୍ୟା ପ୍ରାୟ ୧୦୦ କୁ କମିଆସିଲାଣି । ପ୍ରତ୍ନତତ୍ତ୍ୱବିତ ମାନଙ୍କ ଗବେଷଣାରୁ ଜଣା ପଡେ ଶିକାର ପାଇଁ ପ୍ରତିଯୋଗିତାରେ ଲୋକ ମାନଙ୍କ ମଧ୍ୟରେ ହାଣ କାଟ ବି ହେଇଛି । ଧନୁଶର,ପଥର ତିଆରି ବର୍ଚ୍ଛା,କଟୁରି କୁରାଢିରେ ନିଜ ନିଜ ମଧ୍ୟରେ ହିଂସା । ପର୍ତୁଗାଲ ଇସ୍ରାଇଲ , ୟୁରୋପର ଦନୁବେ ନଦୀ ଉପତ୍ୟକାରୁ ମିଳିଥିବା କଙ୍କାଳମାନଙ୍କୁ ପରୀକ୍ଷା କରି ଗବେଷକମାନେ କେତେକ କଙ୍କାଳରେ କ୍ଷତ ଚିହ୍ନ ଥିବାର ଜାଣି ଏହା ହିଂସା ଜନିତ ବୋଲି କୁହନ୍ତି ।

ସୁଦାନରୁ ସଂଗୃହିତ କେତେକ କଙ୍କାଳ ପାଖରେ ବର୍ଚ୍ଛା, ଧନୁଶର ପଡିଥିବାର ମଧ୍ୟ ଦେଖାଗଲା । ଏହି ସବୁ ପ୍ରମାଣରୁ ସ୍ପଷ୍ଟ ହୁଏଯେ ଖାଦ୍ୟପାଇଁ ଦଳ ଦଳ ମଧ୍ୟରେ ପ୍ରାକ ଐତିହାସିକ କାଳରେ ହିଂସା ଦେଖା ଦେଇଥିଲା । ହିଂସାରେ ଖାଦ୍ୟ ସଙ୍କଟର ସମାଧାନର ବାଟ ନାହିଁ । ସାପିଆନ ମାନେ ବୋଧେ ବୁଝିପାରିଛନ୍ତି । ବିକଳ୍ପ ଚିନ୍ତା କଲେ । ଫ୍ଲିଣ୍ଟ (ଚକ ଚକ କଳା ଆଗେୟଶିଳା) କୁ ଘଷି ମୁନିଆ ଗୋଜଣା ତିଆରି କରନ୍ତି । ଜଙ୍ଗଲର ଡାଳ, ପତ୍ର, ଜୀବଜନ୍ତୁଙ୍କ ଅବଶେଷ ହଜାର ହଜାର ବର୍ଷ ମାଟି ଉପରେ ଜମା ହୋଇ କଳା ବା ଧୂସର ଆସ୍ତରଣଟିଏ ତିଆରି ହେଉଥାଏ । ଏହାକୁ କୃଷି ବିଜ୍ଞାନୀ ମାନେ ଖତିରା (ହ୍ୟୁମସ) କୁହନ୍ତି । ଫ୍ଲିଣ୍ଟ ଗୋଜଣାରେ ମାଟି ଖୋଳି ପ୍ରଥମେ ଗହମ, ବାର୍ଲି ମଞ୍ଜି ବୁଣିଲେ ଓ ଫସଲ ଅମଳ କଲେ । ଏହି ସମୟକୁ ଐତିହାସିକ ମାନେ ପ୍ରଥମ କୃଷି ବିପ୍ଲବ କୁହନ୍ତି । (A history of Agriculture in India –Voi-1, M.S. Randhawa page-109)

ପଥରରେ ଘସି ଘସି ପଥର କୁରାଢି ତିଆରି କରନ୍ତି । ମଣିଷ ବା ଜନ୍ତୁଙ୍କ ହାଡକୁ ବେଣ୍ଟ କରି ଦା କଟୁରି ତିଆରି କରନ୍ତି । ପରବର୍ତ୍ତୀ ସମୟରେ କାଠ ବେଣ୍ଟ ଲଗାଇ ପଥର କୋଦାଳ ଗଇଁନ୍ତି ତିଆରି କଲେ । କାଠ ପଥର ହାଡ ସାହାଯ୍ୟରେ କୃଷି ଉପକରଣ ତିଆରି କରି ଲୋକେ ଚାଷରେ ମାତିଗଲେ । ଗହମ,ବାର୍ଲି ପଛକୁ ଓଟସ, ଧାନ ଚାଷ ମଧ୍ୟ କଲେ । ଏହି ଫସଲ ଗୁଡିକର ପିତୃ ପୁରୁଷ ଘାସ । ଘାସରୁ ସୃଷ୍ଟ ଖାଦ୍ୟ ମଣିଷର ଖାଦ୍ୟ ସଙ୍କଟ ପାଇଁ ଉତ୍ତର ହେଲା । କୃଷି କାର୍ଯ୍ୟରେ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକ ମାନଙ୍କର ଭାଗିଦାରୀ ଅଧିକ ଥାଏ । ସେମାନେ ବିହନ ବା ମଞ୍ଜି ବୁଣାବୁଣିରେ ଧୁରନ୍ଧର ଥିଲେ । ବସ୍ତୁତଃ ଏଇ ଆଦିମ ସ୍ତ୍ରୀ ଲୋକ ମାନେ ହିଁ କୃଷି ଆବିଷ୍କାର କରନ୍ତି । ଜଙ୍ଗଲି ଧାନରୁ ଆଜିକା ଧାନର ଉଦ୍ଭାବନ କୋରାପୁଟ ର ଆଦିବାସୀ ମହିଳା ।

ଐତିହାସିକ ମାନେ ପ୍ରଥମ କୃଷି ବିପ୍ଳବକୁ ନିଓ ଲିଥିକ କୃଷି ବିପ୍ଲବ ନାମ ଦିଅନ୍ତି । ନିଓ ଲିଥିକ କୃଷି ବିପ୍ଳବର ଜନ୍ମସ୍ଥାନ ଇସ୍ରାଏଲ, ଜୋର୍ଡାନ, ଆନାଟୋଲିଆ, ଇରାକ, କାସପିଆନ ଉପତ୍ୟକା ଏବଂ ଟାଇଗ୍ରୀସ, ଇଉଫ୍ରେଟିସ ନଦୀ ଉପତ୍ୟକା କୁହାଯାଏ । ମାଟିରେ ତିଆରି କଞ୍ଚା ଇଟା ଶୁଖାଇ ଘର ତିଆରି କଲେ । ଦକ୍ଷିଣ ପଶ୍ଚିମ ଏସିଆ, ଭାରତୀୟ ଉପମହାଦେଶ, ଆଫ୍ରିକା ଓ ଚୀନରେ କଞ୍ଚାଇଟା ତିଆରି ଘର ଅଧିକ ଲୋକପ୍ରିୟ ହେଲା । ରୋଷେଇ,ଶସ୍ୟ ସାଇତି ରଖିବା ପାଇଁ ମାଟି ପାତ୍ର ତିଆରି କଲେ । ବେତ, ବାଉଁଶ, ଲଟିରେ ଟୋକେଇ ବୁଣିଲେ। ଫ୍ୟାକ୍ସ ଓ ପଶମରୁ ପୋଷାକ ତିଆରି କରି ପିନ୍ଧି ଶିଖିଲେ । ଇଜପ୍ଟ ,ଏସିଆ ଏବଂ ୟୁରୋପରେ ପୋଷାକ ତିଆରି ବ୍ୟାପକ ହେଲା । ବର୍ତ୍ତମାନ ବାରବୁଲା ମଣିଷ ଗୁଡିକ ଘରଦ୍ଵାର କରି ନିରାପଦରେ ଜୀବନ ଜାପାନ କଲେ । ପରିବେଶ ଉପରେ ସେମାନଙ୍କର ନିୟନ୍ତ୍ରଣ ଆସିଗଲା ।ଖାଦ୍ୟ ନିରାପତା ସମ୍ଭବ ହୋଇ ପାରିଲା । ବିଶ୍ରାମ ସମୟରେ ଭାବିବା ବା ଚିନ୍ତା କରିପାରିଲେ । ଜୀବନ ସଂଗ୍ରାମରେ ଆଗକୁ ଯିବାକୁ ନୂଆ ନୂଆ ବାଟ ବାହାର କଲେ ।

ଏହି ସମୟରେ ମେସୋପୋଟାମିଆଁରେ ଚାଲକୋଲିଥିକ ସଂସ୍କୃତିର ଅଭ୍ୟୁଦୟ ହୁଏ । ପଥର ତିଆରି କୃଷି ଉପକରଣ ସହିତ ତମ୍ବା ଓ ପିତ୍ତଳ (Copper and Bronze) ତିଆରି କୃଷି ଯନ୍ତ୍ରପାତି ତିଆରି ଚାଲିଲା । କେଞ୍ଚାରେ ମାଟି ଖୋଳି ଆଉ କେତେଦିନ ଚାଷ କରିବେ ! ଲଙ୍ଗଳ ପରିକଳ୍ପନାଟି ମୁଣ୍ଡକୁ ଆସେ । ପ୍ରତ୍ନତତ୍ତ୍ୱବିତ୍ତ ଭି ଗର୍ଡନ ଚାଇଲଡ ଏହି ସମୟରେ କୃଷି ବିକାଶକୁ ଲକ୍ଷ କରି କୁହନ୍ତି ,”The second revolution (agriculture) between 6000 and 3000 BC which transformed tiny villages of self sufficing farmers into populous cities nourished by second industries and foreign trade, regularly organized as states. The seen of this Drama lies in the belt of countries between the Nile and Gangas. During this period man has learnt to harness the force of oxen and winds. He invents, the plough, the wheeled cart and the sailing boat”..) ପ୍ରସ୍ତର ଯୁଗ ପରକୁ ବ୍ରୋଞ୍ଜ ଯୁଗ ଆରମ୍ଭ ହେଲାଣି । ପାହାଡ ପର୍ବତ ଉପରେ ଚାଷ ହେଉଥିବା ଗହମ ସମତଳକୁ ଆସିଲାଣି ।

ଚାଲକୋଲିଥିକ ବିପ୍ଲବ ମେସୋପୋଟାମିଆଁରେ ଖ୍ରୀ.ପୂ୪୦୦୦ ବର୍ଷ କୁ ଆରମ୍ଭ ହୁଏ । ଟାଇଗ୍ରୀସ ଓ ୟୁଫ୍ରେଟିସ ନଦୀ ଉପତ୍ୟକାରେ ସୁମେରିୟାନମାନେ ସ୍ଥାୟିଭାବେ ବସବାସ କଲେଣି । ସୁମେରିୟାନ ମାନେ ଖ୍ରୀ.ପୂ୩୦୦୦କୁ ପ୍ରଥମେ ଲଙ୍ଗଳ ଉଦ୍ଭାବନ କରନ୍ତି । ଐତିହାସିକ ଲଙ୍ଗଳକୁ ଦିତୀୟ କୃଷି ବିପ୍ଳବର ପ୍ରତୀକ କୁହନ୍ତି । ସୁମେରୀୟ ମାନଙ୍କଠାରୁ ଶିଖି ,ୟୁରୋପୀୟ ଦେଶ ସମୂହ, ଆଫ୍ରିକା ଚୀନ ଜାପାନରେ ଲଙ୍ଗଳ ଚାଷ ଆରମ୍ଭ ହୁଏ। ୟୁରୋପରେ ଘୋଡା ଯୋଚି ହଳ କରୁଥିବେବେ,ଆଫ୍ରିକାରେ ଶଣ୍ଢ,ପୋଢୁଅ(ଅଣ୍ଡିରାମଇଁଷି)ଯୋଚି ହଳ କରୁଥିଲେ। ଆରବ ଦେଶ ମାନଙ୍କରେ ଗୋଟିଏ ଓଟ ଯୋଚି ଜମି ଚାଷ କଲେ ।

ସୁମେରୀୟ ମାନେ ଗାଈ ଓ ଶଣ୍ଢ ଯୋଚି ହଲ କଲେ । ଚୀନ ଓ ଜାପାନ ରେ ମଧ୍ୟ ଗାଈ ଓ ଶଣ୍ଢ ଯୋଚି ହଳ କଲେ। ଭାରତ ଉପମହାଦେଶରେ ଦୁଇଟି କାରଣରୁ ଲଙ୍ଗଳରେ ଚାଷ ବିଳମ୍ବିତ ହେଲା । ଶଣ୍ଢ ବା ଗାଈ ଯୋଚି ହଳ କରିବାକୁ ଭାରତୀୟମାନେ ପସନ୍ଦ କଲେନି । ମନକୁ ପାଇଲାଭଳି ଲଙ୍ଗଳ ଗଢିପାରିନଥାନ୍ତି । ଖ୍ରୀ.ପୂ୨୫୦୦ (ନିଓଲିଥିକ ପିରିୟଡ) ବେଳକୁ ଗାଈର ଅଣ୍ଡିରା ବାଛୁରି ମୁଷ୍କ ଛେଦନ କରି ବଳଦ ତିଆରି କରିବା କାମଟି ସିନ୍ଧୁ ସଭ୍ୟତାର ସର୍ବୋତମ ଉଦ୍ଭାବନ । ଏହି ମୁଷ୍କ ଛେଦନ (castration) ପ୍ରକ୍ରିୟାଟିକୁ ଭାରତୀୟ କୃଷକର ପୃଥିବୀରେ ପ୍ରଥମ ବାଇଓ ଇଞ୍ଜିନିଅରିଂ (first Bio-Engineering)ଜ୍ଞାନ ବୋଲି କୁହାଯାଏ । କାଠ କାରିଗର ମାନେ ଚାଷୀର ମନକୁ ପାଇଲାଭଳି ଲଙ୍ଗଳ ମଧ୍ୟ ତିଆରି କରି ପାରିଲେ । ଦୁଇଟି କାଠ ଚକରେ ଶଗଡ ତିଆରିକରି କୃଷି ଜାତ ଦ୍ରବ୍ୟ ବୁହାବୁହି କରିବା ମଧ୍ୟ ସମ୍ଭବ ହେଲା ।

ଲଙ୍ଗଳ, ବଳଦ ଓ ଶଗଡ ଚାଷୀ ହାତରେ ପଡିଲାତ ଗୁହାଳରୁ ଖତ,ଭାଡିରୁ ବିହନ ଧରି, ହଳଯୋଚି ଚାଷୀ ପୂରାଦମରେ ଚାଷରେ ଲାଗିଗଲା । ୟୁରୋପରେ ଚାଷୀ ମାନେ ଘୋଡା ଗୋବରକୁ ଖତ ତିଆରି କରି ଜମିରେ ପକାନ୍ତି ।ଏସିଆ ମହାଦେଶରେ ଗାଈ,ଶଣ୍ଢ,ଗୋବରରୁ ଖତ | ଭାରତରେ ଗାଈ, ବଳଦଙ୍କ,ଗୋବରରୁ ଖତ। ଆରବ ଦେଶରେ ଓଟ ଗୋବରରୁ ଖତ ତିଆରି କରି ଚାଷରେ ଲଗାଇଲେ| ଚୀନ,ଜାପାନ,କୋରିଆ ପ୍ରଭୁତି ପୂର୍ବ ଏସିଆର ଚାଷୀମାନେ ମଣିଷ ମଇଳା ଓ ନଦୀ କେନାଲ ଶଯ୍ୟାରୁ ପଟୁ ମାଟି ଜମିରେ ପକାଇ ସୁନା ଫଳାଇଲେ । (farmers of forty centuries or permanent Agriculture in China,Korea and Japan –by F.H. King).ଏଣିକି କେବଳ ଗହମ,ବାର୍ଲ୍ଲି ନୁହେଁ ଅଧିକ ସଂଖ୍ୟକ ଫସଲ ମଧ୍ୟ ଚାଷ କରାଗଲା । ସିନ୍ଧୁ ଉପତ୍ୟକାରେ ଖରିଫ ଓ ରବିରେ ଚାଷ ହେଉଥିବା କେତୋଟି ଫସଲର ନାମ ଏଠାରେ ଉଲ୍ଲେଖ କରାଗଲା

ଖରିଫରବି

ମିଲେଟସ୧-ବାଜରା(ଗୁଜୁରାଟ)ଶସ୍ୟଗହମ(ସିନ୍ଧୁ ଉପତ୍ୟକା)
୨-ରାଗି(ମାଣ୍ଡିଆ) (ଗୁଜୁରାଟ)

ବାର୍ଲ୍ଲି(ସିନ୍ଧୁ ଉପତ୍ୟକା)
୩-ଯଅ

ଡାଲିଜାତୀୟବୁଟ (ସିନ୍ଧୁ ଉପତ୍ୟକା)

ବିଲ ମଟର,ଚଣା

ତୈଳବୀଜରାଶି(ତିଳ)ତୈଳବୀଜଜଡା (ଗୁଜୁରାଟ)
ତନ୍ତୁ ଜାତୀୟକପା (ସିନ୍ଧୁ ଉପତ୍ୟକା)

ଧାନ ଚାଷ ପ୍ରମାଣ ମହେଞ୍ଜୋଦାର ଓ ହରପ୍ପା ଅବଶେଷରୁ କିଛି ମିଳିନି ।ଧାନ ଚାଷ ମଧ୍ୟପ୍ରଦେଶ ,ଛତିଶଗଡ ,ବିହାର, ଓଡିଶା ,ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥାଏ ।ଗୁଜୁରାଟ ,ପଞ୍ଜାବ ହରିୟାନା ରେ ସେତେବେଳେ ଧାନଚାଷ ନଥିଲା ।ପ୍ରଥମ କୃଷି ବିପ୍ଲବତଖ୍ରୀ.ପୂ୭୦୦୦ ବର୍ଷ ରୁ ଆରମ୍ଭ ହେଲାଣି । ଐତିହାସିକ ଜି. ଆର ଶର୍ମା ଏବଂ ତାଙ୍କର ସହଯୋଗୀ କୁହନ୍ତି ଦକ୍ଷିଣ ଆଲ୍ଲାବାଦ (ପ୍ରୟାଗ ରାଜ ) କୁ ଲାଗି ବିନ୍ଧ୍ୟ ପର୍ବତ ମାଳାରୁ ବାହାରି ଥିବା ଛୋଟିଆ ନଇଟିଏ ବେଲାନ ଉପତ୍ୟକାରେ ଧାନ ଚାଷ ହେଉଥିବା ପ୍ରମାଣ ମିଳୁଛି । ସେଇ ଉପତ୍ୟକାରୁ ମିଳିଥିବା ଧାନ ଫସିଲର କାର୍ବନ ଡେଟିଙ୍ଗରୁ ଜଣାପଡେ ଖ୍ରୀ.ପୂ ୬୭୧୯ ଠାରୁ ଖ୍ରୀ.ପୂ ୫୦୧୦ ମଧ୍ୟରେ ଚାଷ ହେଉଥିବା ଧାନର ଏହା ଫସିଲ ହୋଇପାରେ । ପୂର୍ବ ନିଓଲିଥିକ ଜୋନ ଚିନରେ ଖ୍ରୀ.ପୂ୫୦୦୦ ବେଳକୁ ଧାନ ଚାଷ ହେଉଥିବା ମଧ୍ୟ ପ୍ରମାଣ ମିଲୁଛି । (people History of India -1 pre history by Irfan Habib page62&64)। ଗଙ୍ଗା ଉପତ୍ୟକାରେ ଧାନ ଚାଷ ଡେରିରେ ଆରମ୍ଭ ହେଉଥିବା ଅନୁମାନ କରାଯାଏ

ହରପ୍ପାରେ ବ୍ୟବହୃତ ହେଉଥିବା ସିଲ ମେସୋପୋଟାମିଆ ର ଉରରୁ ଆବିଷ୍କାର କରାଯାଏ ।ଏହା ପ୍ରମାଣ କରେକି ଖ୍ରୀ.ପୂ୨୩୮୦ ରେ ଆକ୍ଵାଡେୟର ରାଜତ୍ଵ କରୁଥିବା ସାରଗନ ଙ୍କର ସିନ୍ଧୁ ଉପତ୍ୟକା ସହିତ ବାଣିଜ୍ୟିକ କାରବାର ଥିଲା । ସେତେବେଳେ ସିନ୍ଧୁ ଉପତ୍ୟକାରେ ତମ୍ବା କାରିଗର (କଂସାରି) ମହାରଣା,ବଣିଆ,ସୁନାରି,ପଥର କଟାଳି ଏବଂ କୁମ୍ଭାର ମାନେ ନିଜ ନିଜ ସାମଗ୍ରୀ ମାନ ତିଆରି କରି ବିକରିବଟା କଲେଣି । ହରପ୍ପା ସଭ୍ୟତା ଶୀର୍ଷ ସ୍ଥାନରେ ପହଞ୍ଚି ଗଲାଣି । ସେ ସମୟରେ ସ୍ତ୍ରୀ ଲୋକ ମାନେ ହାତୀ ଦାନ୍ତ, ବ୍ରୋଞ୍ଜ ଓ ସୁନାରେ ତିଆରି ଅଳଙ୍କାର ମଧ୍ୟ ପିନ୍ଧିଲେଣି ।ଗାଁ ମାନଙ୍କରେ ଚାଷୀ ମାନେ ଯଥେଷ୍ଟ ଶସ୍ୟ ଉତ୍ପାଦନକରି ବଳକା ସହରକୁ ଶଗଡରେ ଲଦି ପଠାଇଲେଣି ।ଲୋକ ମାନଙ୍କର କୃଷିଭିତ୍ତିକ ଜୀବନ ଶୈଳୀ ଖୁବ ଉନ୍ନତ ହେଲାଣି । ଖାଦ୍ୟ ତ ଉତ୍ପାଦନ କଲେ । ଛେଳି ମେଣ୍ଢା ଘୁଷୁରି ଗାଈ ଗୋରୁ ପାଳି ଜମିକୁ ଖତ ପକାଇଲେ । ଶିଶୁ ,ରୋଗୀ ମାନଙ୍କ ପାଇଁ କ୍ଷୀର ପାଇଲେ ଏବଂ ସାମୟିକ ମାଂସ ବି ପାଇଲେ । ନଇ ,ନାଳରୁ ଜାଲ ଓ ବନିଶିରେ ମାଛ ମାରି ଖାଇଲେ ।

ପୃଥିବୀରେ ପ୍ରଥମେ ସିନ୍ଧୁ ସଭ୍ୟତା ଅଞ୍ଚଳରେ କପାରୁ ଲୁଗା ତିଆରି କରିବା ଜାଣିଲେ । ବେବିଲୋନ ଓ ଗ୍ରୀସରେ ସେତେବେଳେ କପାକୁ ସିନ୍ଧୁ ବା ସିଂବୁନ ବୋଲି କହୁଥିଲେ । କ୍ରମେ ଲୋକ ମାନେ ଵିଶେଷତଃ ସ୍ତ୍ରୀ ଲୋକ ମାନେ କାନ୍ଥ ବାଡରେ ଚିତ୍ର ଆଂକିବା ଆରମ୍ଭ କରନ୍ତି । ମାଟିରେ ମଣିଷ ର ଆକୃତି ତିଆରି କଲେଣି । ମହେଞ୍ଜୋଦାରୁ ମିଳିଥିବା ଗୋଟିଏ ମଣିଷ ମୃତିରୁ ଜଣାପଡେ ଶିଳ୍ପୀ ତାକୁ ଲୁଗାପଟା ପିନ୍ଧାଇଛି ।କପାରୁ ସାଲ ତିଆରି କରିପାରୁଥିଲେ ।କାର୍ବନ ଡେଟିଙ୍ଗରୁ ଏହି ସାଲ ଖ୍ରୀ.ପୂ ୨୩୦୦ ବୋଲି ଜଣାପଡେ । (Archological Survey of India Museum ,Delhi)।ସେତେବେଳର ଆମ ଦେଶୀ କପା ଗଛ ୭/୮ ଫୁଟ ଉଚ୍ଚ ଏବଂ ଗୋଟିଏ ଗଛରେ ପାଞ୍ଚଶହରୁ ଅଧିକ ଖୋସା ରହୁଥିବାର ପ୍ରମାଣ ମିଳେ ।

ଲଙ୍ଗଳ ତ କାଠରେ ତିଆରି । ୨୦୦୦ ବର୍ଷ ତଳର ଲଙ୍ଗଳ ମିଳିନାହିଁ । ମହେଞ୍ଜୋଦାର ଗୋଟିଏ ଟେରକୋଟା ଲଙ୍ଗଳ ୭x୧୯.୫ ସେ॰ମି. ଆବିଷ୍କାର କରାଯାଇ ଏହା ମୁମ୍ବାଇର Prince of the wales Muesum ରେ ରଖାଯାଇଛି । ପଶ୍ଚିମ ରାଜସ୍ଥାନର କାଲୀବଙ୍ଗାରେ ଗୋଟିଏ ହଳ ହୋଇଥିବା ଜମି ଐତିହାସିକ ବି.ଏଲ.ଲାଲ ଏବଂ ବି.କେ ଥାପର ଠାବ କରିଥିଲେ । ଏହି ହଳ ଜମି ଖ୍ରୀ.ପୂ୨୪୫୦ ରୁ ୨୩୦୦ମଧ୍ୟରେ ହୋଇଥିବା ଲାଲ ଅନୁମାନ କରନ୍ତି । ଏସବୁ କାମ କେଉଁ ବୈଜ୍ଞାନିକ ର କୃତିତ୍ଵ ନୁହେଁ । କେଉଁ କମ୍ପାନୀ ର ନୁହେଁ । ସାଧାରଣ ଚାଷୀଟିଏ ଓ ତା ଗାଁ କାରିଗର ର ପରିକଳ୍ପନାର ପ୍ରତୀକ। ପାଠ ଶାଠ ନାହିଁ ।ମୁଣ୍ଡରେ ମସଲା ଥିଲା । ଆଗକୁ ବଢି ଚାଲିଲା । ଚାଷୀ ସ୍ଵାଧୀନ ଥିଲା ।ମୁକ୍ତ ଥିଲା । ସେସବୁ କଥାକୁ ପରେ ଆସିବା ।

ଭରତ ତଥା ଏସିଆ ମହାଦେଶରେ ଯେଉଁ ଗାଈ ,ଗୋରୁ ଅଛନ୍ତି ସେମାନେ Bos Indicus ପ୍ରଜାତିର । ସେମାନଙ୍କର ଚୂଳ ଅଛି । ୟୁରୋପୀୟ ଗାଈ ,ଶଣ୍ଢ ଏମାନେ Bos Prinigenious ପ୍ରଜାତି । ଏମାନଙ୍କର ଚୂଳ ନାହିଁ । ଚୂଳ ଥିବା ଯୋଗୁ ଭାରତୀୟ ବଳଦ ମାନଙ୍କୁ ଲଙ୍ଗଳରେ ଯୋଚି ହଳ କରିବା ସୁବିଧା ଜନକ ହୋଇଥାଏ । ପଞ୍ଜାବ ,ସିନ୍ଧୁ (ପାକିସ୍ଥାନ) ହରିୟାନା ,ଗୁଜୁରାଟ ରେ ଖ୍ରୀ.ପୂ୪୦୦ ବେଳକୁ କୃଷି ଲୋକ ମାନଙ୍କର ପ୍ରଧାନ ଜୀବିକା ପାଲଟିଲାଣି ।ହରପ୍ପା ଓ ମହେଞ୍ଜୋଦାର ସିନ୍ଧୁ ସଭ୍ୟତାର ଅବଶେଷରୁ ଯେଉଁ ତଥ୍ୟ ମାନ ମିଳେ ଖ୍ରୀ.ପୂ ୪୦୦ ବେଳକୁ ଭାରତୀୟ ମାନେ ବଳକା ଖାଦ୍ୟ ସାଇତି ରଖିବା ପାଇଁ ବଡ ବଡ ଶସ୍ୟାଗାର ମାନ ମଧ୍ୟ ତିଆରି କଲେଣି । ଶହ ଶହ ଶଗଡରେ ଖାଦ୍ୟ ଶସ୍ୟ ଲୁଗାପଟା , ଅଳଙ୍କାର ପଶ୍ଚିମରେ ତୁର୍କୀ ପର୍ଯ୍ୟନ୍ତ ପୂର୍ବରେ ଚୀନ କୁ ସ୍ଥଳ ପଥରେ ବାଣିଜ୍ୟ କାରବାର କଲେଣି । ଭାରତୀୟ ଉପମହାଦେଶ ସେତେବେଳକୁ ପୃଥିବୀର ଏକ ନମ୍ବର ଖାଦ୍ୟ ଭଣ୍ଡାର ଭାବେ ପରିଚିତ ହେଲାଣି ।ଏସବୁ କୃତିତ୍ଵ ସେଇ ମଳି ମୁଣ୍ଡିଆ ଚାଷୀଟିର ଶ୍ରମ ଝାଳର ଉପଲବ୍ଧି ।

ଉତ୍ତର ପଶ୍ଚିମ ଭାରତରେ ଖ୍ରୀ.ପୂ ୩୦୦ ବେଳକୁ ଗୋଟିଏ କୃଷି ଭିତ୍ତିକ ସଭ୍ୟତା ଗଢିଉଠିଲାଣି । ଖ୍ରୀ.ପୂ ୧୫୦୦ ରୁ ଖ୍ରୀ.ପୂ ୧୦୦୦ ମଧ୍ୟରେ ଋକବେଦ ଜନ୍ମ । ଇରାନ ରେ ଆଭେଷ୍ଠା (Avesta)ଭାରତରେ ଋକବେଦ ମଧ୍ୟରେ ବହୁମେଳ ଥିବା ଗବେଷକ ମାନେ କୁହନ୍ତି । ଇରାନ ଓ ଆଫାଗାନିସ୍ଥାନ ଦେଇ ଆର୍ଯ୍ୟ ମାନେ ଘୋଡା ଚଢି ସିନ୍ଧୁ ନଦୀ ପାରହୁଅନ୍ତି । ଉତ୍ତର ପଶ୍ଚିମ ଭାରତର (ପାକିସ୍ତାନର ସିନ୍ଧୁ ପ୍ରଦେଶ ସମେତ )ସେମାନେ ବସତି ସ୍ଥାପନ କରନ୍ତି । ଆର୍ଯ୍ୟମାନେ ଋକବେଦ କୃଷି କୁ ଗୁରୁତ୍ଵ ଦେଇଥାନ୍ତି ।ଭାରତୀୟ ଲଙ୍ଗଳର ବିସ୍ତ୍ରୁତ ବର୍ଣ୍ଣନା ଆର୍ଯ୍ୟମାନେ କରିଛନ୍ତି ।ସେତେବେଳକୁ ଭାରତୀୟ ଭୂଖଣ୍ଡରେ ବର୍ଷସାରା ପ୍ରଚୁର ବର୍ଷା ହେଉଥାଏ ।ନଦୀ ମାତୃକା ଦେଶ ଭାରତରେ ମାଟି ଖୁବ ଉର୍ବର ଥାଏ । କୃଷି କ୍ଷେତ୍ରରେ ଭାରତର ସଫଳତା ସମସ୍ତେ ଜାଣୁଥିଲେ । ଖରା ଓ ଶୀତ ଋତୁରେ ଚାଷ ପାଇଁ ପାଣି ଅଭାବ ପୁରଣ କରାଯିବ ବଡ ବଡ ବାମ୍ଫୀ ଖୋଳି ଫାର୍ସିୟନ ହୁଇଲ ମାଧ୍ୟମରେ ଚାଷୀ ମାନେ ଜମିରେ ପାଣି ମଡଉଥିଲେ । ବଳଦ ବୁଲି ଫାର୍ସିୟନ ହୁଇଲ କୁ ବୁଲାଉଥିଲେ । ପଞ୍ଚଦଶ ଓ ଶୋଡଶ ଶତାଦ୍ଦି ପର୍ଯ୍ୟନ୍ତ ପଶ୍ଚିମ ଭାରତ, ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଫାର୍ସିଆନ ହୁଇଲର ବ୍ୟବହାରଥିଲା ।

ଆର୍ଯ୍ୟ ମାନେ ଭାରତରେ ପ୍ରବେଶ କରିବା ଏବଂ ଋକବେଦରେ ପ୍ରଚଳନ ପର୍ଯ୍ୟନ୍ତ ଭାରତରେ ଜାତି ‘ରୋଗ’ ଜନ୍ମ ହୋଇନାହିଁ । ଋକବେଦ ଶୋଳ୍କ ୧୨ ରେ ବର୍ଣ୍ଣନା କରାଗଲା ,”ବ୍ରାହ୍ମଣ ଭଗବାନ (ପୁରୁଷ) ଙ୍କ ପାଟିରୁ ଜନ୍ମ ହୋଇଥିଲାବେଳେ କ୍ଷତ୍ରିୟ ତାଙ୍କର ଦୁଇ ବାହୁରୁ ଶୃଷ୍ଠା। ତାଙ୍କ ଜଙ୍ଘରୁ ବୈଶ୍ୟଙ୍କ ଜନ୍ମ ଓ ପାଦରୁ ଶୂଦ୍ରର ଜନ୍ମ”। ଖ୍ରୀ.ପୂ୧୦୦୦ ପର୍ଯ୍ୟନ୍ତ ଭାରତରେ ଘୁଣ୍ୟ ଜାତିପଥାର ପବର୍ତ୍ତନ ହୋଇନାହିଁ । ସମସ୍ତଙ୍କରସମାନ ଅଧିକାର । ସ୍ଵାଧୀନ ଜୀବିକା ଓ ଜୀବନ ଯାତ୍ରା କରିପାରୁଥିଲେ । ଯେହେତୁ ଚାଷୀ ମାନେ ଅଧିକ ସକ୍ରିୟ ଥିଲେ ,ଖାଦ୍ୟ ଉତ୍ପାଦନ କରୁଥିଲେ ସମାଜରେ ସେମାନଙ୍କର ଖୁବ ମର୍ଯ୍ୟଦା ଥିଲା । ପ୍ରକୃତି ଖୁବ ସମୃଦ୍ଧ ଥିଲା । ଜଙ୍ଗଲ କାଟି ତ ଜମି ତିଆରି କରି ଚାଷୀ ମାନେ ଚାଷ କରୁଥିଲେ । ଜମିରେ କାହାରି ମାଲିକାନା ନଥିଲା । ଯେଉଁ ପରିବାର ଯେତେ ଜମି ଚାଷ କରିପାରିବ କରୁଥିଲା । ଦଳପତିତ ବହୁ ଆଗରୁ ଆବଶ୍ୟକ ପଡିଲେଣି । ସେମାନେ ନିଜ ନିଜ ଦଳର କୃଷି, ଗୋପାଳନ ବିକରିବଟା ତଦାରଖ କରୁଥିଲେ ।

ସମୟ କ୍ରମେ ରାଜା ମାନେ ମୁଣ୍ଡ ଟେକିଲେ । ଖ୍ରୀ.ପୂ୩୦୦ ବେଳକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ । ଚାଣକ୍ୟ ତାଙ୍କର ଅର୍ଥମନ୍ତ୍ରୀ । ବ୍ରାହ୍ମଣ ।ଜାତିପ୍ରଥା ଚାଲୁହେଲାଣି । ଶୂଦ୍ର ମାନଙ୍କୁ ଚାକିରି ରଖି (ଦାସ) ବ୍ରାହ୍ମଣ ,କ୍ଷତ୍ରିୟ ,ବୈଷ୍ୟ ମାନେ ଚାଷ କରୁଛନ୍ତି ।ଉତ୍ପାଦିତ ଫସଲର ଏକ ଚତୁର୍ଥାଂଶ ରାଜା ଭାଗ । ଗୁମସ୍ତା ମାନେ ଅଦାୟ କରନ୍ତି । ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ସ୍ଥାନ ପାଆନ୍ତି ।ତାଙ୍କର ଭ୍ରମଣ ବିବରଣୀରେ ଜାତିପ୍ରଥା ପ୍ରମୁଖ ସ୍ଥାନ ପାଇଛି । ଅର୍ଥଶାସ୍ତ୍ରରେ ବ୍ରାହ୍ମଣ ଙ୍କୁ ରାଜା ନିଷ୍କର ଜମି ଦେବା ବର୍ଣ୍ଣନା ଅଛି ।ଚାଣକ୍ୟ ଅର୍ଥଶାସ୍ତ୍ରରେ ଶୂଦ୍ର ମାନଙ୍କୁ ଖୁବ ଘୃଣ୍ୟ ଆଖିରେ ଦେଖୁଥିବାର ପ୍ରମାଣ ମିଳେ । ଶୂଦ୍ର ମାନେ ଅଛୁଆଁ । ସେମାନଙ୍କର ସ୍ତ୍ରୀ ମାନେ ଉଚ୍ଚ ଉଚ୍ଚ ବର୍ଗଙ୍କ ଘରେ ଦାସୀ ଭାବେ ରହିବାର ବିଧାନ ଥିଲା । ମାଲିକ ମାନେ ସେମାନଙ୍କୁ ଖୁବ ନିର୍ଯ୍ୟାତନା ଦେଉଥିଲେ । ସେମାନଙ୍କ ସହିତ ଦୈହିକ ସମ୍ପର୍କ ରଖିଲେ ମଧ୍ୟ ତାହା ଦୋଷାବହ ନଥିଲା । ଚାଷୀ ମାନଙ୍କୁ ସାମାଜିକ ମର୍ଯ୍ୟାଦା ଦିଆଯାଉଥିଲା ।ସେମାନଙ୍କ ଉପରେ ଆକ୍ରମଣ ଦଣ୍ଡନୀୟ ଅପରାଧ ବିଚାର କରାଯାଉଥିଲା । ରାଜାଙ୍କ ଦ୍ଵାରା ଯଦି କୌଣସି ଜଳସେଚନ ବ୍ୟବସ୍ଥା କରାଯାଉଥିଲା ଚାଷୀ ମାନେ ପାଣି ମହାସୁଲ ପାଇଁ ଫସଲରୁ ଭାଗ ଦେଉଥିଲେ । କେଉଟଟିକୁ ଚଣ୍ଡାଳ କହୁଥିଲେ ।ନଦୀ ,ନାଳ ଯୋରରୁ ମାଛ ଧରିଲାତ ଅଧା ମାଛର ମୂଲ୍ୟ ରାଜାଙ୍କୁ ଖଜଣା ଦେବାକୁ ପଡୁଥିଲା ।

ଖ୍ରୀ.ପୂ ପ୍ରଥମ ଶତାଦ୍ଦି ବେଳକୁ ମନୁ ସ୍ରୁତି ଆତ୍ମପ୍ରକାଶ କରେ । ମନୁଙ୍କ ବିଚାରରେ କୃଷି ଏକ ନିମ୍ନ ମାନର ଜୀବିକା ଏବଂ କୃଷକ ମାନେ ସମାଜରେ ତୃତୀୟ ଶ୍ରେଣୀର ନାଗରିକ । ଚାଷୀ ଖଟେ । ମାଟି ଚିରି ଫସଲ ଉତ୍ତାରେ । ଭଲ ଖାଏ। ବ୍ରାହ୍ମଣ ମାନେ କୋଢିଆ। କୁଟା ଖଣ୍ଡକୁ ଦିଖଣ୍ଡ କରନ୍ତିନି । ଚାଷୀ ପରେ ଜାହିରି କରିବାକୁ ଇଚ୍ଛା । ଚାଷୀ କାହାର ମହାଜନ ନୁହେଁ କି କାହାର ଖାତକ ନୁହେଁ । ସେ କମେଇଲେ ସମସ୍ତ ଙ୍କ ପାଟିକୁ ଗୁଣ୍ଡାଯିବ ।ସେ ସମାଜରେ ତାର ସଠିକ ସ୍ଥାନ ଅଧିକାର କରିପାରୁଥିଲା । ଯାନୀ,ଯାତରା,ପର୍ବପର୍ବାଣି, ପିଠା ପଣାକରି ଖୁବ ମଜଲିସ କରୁଥିଲା । ଖଟଣି ପରେ ଟିକେ ହସ ଖୁସି କରିବନି ! ଗାଁ ଗଣ୍ଡା ଭଲମନ୍ଦରେ ଚାଷୀ ଙ୍କୁ ଡକରା ଥିଲା । ରାଜା ଜମିଦାର ବେପାରି ସମସ୍ତେ ଚାଷୀଙ୍କୁ ସମ୍ମାନ ଦେଉଥିଲେ । ଗୋଟିଏ ଦିନ ଚାଷୀ ମାନେ ଜମିକୁ ନଗଲେ ଲକ୍ଷ ଲକ୍ଷ ଭରଣ ଧାନ ଅମଳ କମିବ। ଚାଣକ୍ୟଙ୍କ କଥା ହେଉ ବା ମନୁଙ୍କ ଧର୍ମ ବିଧାନ ହେଉ କେହି ପିଠିରେ ପଡିବେନି । ଚାଷୀ ଭଲରେ ରହିଲେ ସମସ୍ତେ ଭଲରେ ରହିବେ । ଖ୍ରୀ.ପୂ୨୦୦ ପର୍ଯ୍ୟନ୍ତ ଚାଷୀ ସମାଜରେ ଏକ ମର୍ଯ୍ୟାଦା ଜଣକ ସ୍ଥିତିରେ ଥିଲା ।

ଗ୍ରୀକବିର ଆଲେକଜାଣ୍ଡର ଖ୍ରୀ.ପୂ୩୨୭ ରୁ ଖ୍ରୀ.ପୂ୩୨୫ ଦୁଇ ବର୍ଷ ଭାରତ ଆକ୍ରମଣରେ ଆସିଥାନ୍ତି । ଗ୍ରୀକ ମାନେ ସେତେବେଳକୁ ଭାରତୀୟଙ୍କୁ ଅନାର୍ଯ୍ୟ ବା ଅସଭ୍ୟ ବୋଲି ଭାବୁଥାନ୍ତି । କିନ୍ତୁ ଆଲେକଜାଣ୍ଡର ଭାରତରେ ପହଞ୍ଚି ଯାହା ଦେଖିଲେ ସେ ସ୍ତମ୍ବିଭୂତ ହୋଇଗଲେ । ଭାରତୀୟ କୃଷକ ନାନା ପ୍ରକାର ଫସଲ ଚାଷ କରୁଛି । ସେମାନେ ଦେଖିଲେ ପଟାଳିରେ ପାଣି ବାନ୍ଧି ଚାଷୀ ମାନେ ଧାନ ଚାଷ କରୁଛନ୍ତି । ଉଚ୍ଚ ଜମିରେ ଗହମ,ବାଜରା ଚାଷ କରୁଛନ୍ତି । ଆଖୁରସ ପିଇ ତାଙ୍କର ମୁଣ୍ଡ ଗୋଲ । “ଆରେ ଏତେ ମିଠା ! କଣ ଏ ରସ !ସେତେବେଳକୁ ତକ୍ଷଶୀଳା ନଗର ଗଢା ହୋଇ ଭଗ୍ନାବଶେଷ ଠିଆହୋଇଛି । ରାଜସ୍ଥାନ ଖଣିରୁ ଲୁଣ ଖୋଳି ଦେଶ ସାରା ପଠାଯାଉଛି । କୃଷି ଏବଂ କୃଷି ଭିତ୍ତିକ ବାଣିଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି । ସ୍ଵାତ ଉପତ୍ୟକାରେ (swat Valley) ଦେଖନ୍ତି ଚୋଖା ଚୋଖା ବଳଦ ଯୋଚି ଚାଷୀ ମାନେ ହଲ କରୁଛନ୍ତି । ଆମ ବଳଦଙ୍କ ଚୁଳ ଉପରେ ତାଙ୍କର ଆଖି ପଡେ । ମେସେଡୋନିଆ .ବଳଦଙ୍କର ଚୁଳ ନାହିଁ । ଜୁଆଳି ଖସି ପଡେ । ଆମ ବଳଦ ମାନଙ୍କର ଚୁଳ ଥିବା ଯୋଗୁଁ ଜୁଆଳି ସ୍ଥିର ହୋଇ ବଳଦ ଙ୍କ କନ୍ଧରେ ରହୁଛି । ଆଲେକଜାଣ୍ଡର୨୩୦୦୦୦ (!) ବଳଦ ଜବତ କରି ସେମାନଙ୍କ ଭିତରୁ ବଛା ବଛା ବଳଦ (zebu) ଗ୍ରୀସ ର ମେସେଡୋନିଆ କୁ ପଠାଇଥିଲେ (History of India-maurya period-Irfan Habib-page-1) । ଆମେ ନିଜ ଢୋଲ ନିଜେ ପିଟୁନୁ । ବିଦେଶରେ ଆମ ଚାଷ, ଚାଷୀର ମର୍ଯ୍ୟାଦା ପାଇଁ ଆମେ ନିଶ୍ଚୟ ଗର୍ବ କରିବା । ଚାଷ ଓ ଚାଷୀର ଜନ୍ମ ରହସ୍ୟକୁ ଆଧାର କରି ପ୍ରଥମ କୃଷି ବିପ୍ଲବ (ଖ୍ରୀ.ପୂ୭୦୦୦) ଠାରୁ ଖ୍ରୀ.ପୂ୩୦୦ ପର୍ଯ୍ୟନ୍ତ ଭାରତୀୟ କୃଷି ଓ କୃଷକର ସ୍ଥିତି, ସ୍ୱୀକୃତି, ସଫଳତା ଓ ସମ୍ମାନ ସମ୍ପର୍କରେ କିଛିଟା ଆଲୋଚନା କଲେ ।

ଆଗକୁ ଅପେକ୍ଷା ରହିବା

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone